Unknown

 

 

 

 

 

 

 

 

 

ପରଜା

ଗୋପୀନାଥ ମହାନ୍ତି

 

 

 

 

 

 

‘ଆହା’ ପଦ

ଯାହା ତୁଣ୍ଡରେ

ସେହି

ମୋର ବୋଉ ହାତରେ

ଦେଲି ।

–ଗୋପ

 

କୋରାପୁଟ୍‌ରୁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଲକ୍ଷ୍ମୀପୁର ମୋଟେ ଦେଢ଼କୋଶ ଥାଇ ଯେଉଁ ଭୟଙ୍କର ‘ଧର୍ମଦୁଆର’ ଘାଟି ପଡ଼େ, ଏପାଖୁ ଚାଲିଶି ସେପାଖୁ ପଚାଶ ପାହାଡ଼ ଠେଲାଠେଲି ଧକ୍‌କା ଧକ୍‌କି ହୋଇ ମୁହାଁମୁହିଁ ଠିଆ ହୋଇଥାନ୍ତି, ସେହି ‘ଧର୍ମଦୁଆର’ ଘାଟିଠୁଁ ଉତ୍ତରକୁ କୋଶେ ଦୂରରେ ପଡ଼େ ଗୋଟିଏ ଛୋଟ ଗାଁ–“ଶର୍‌ଶୁ ପଦର,” ଗୋଟିଏ ପାହାଡ଼ର ଢାଲୁରେ ଠିକ୍‍ ଅଣ୍ଟାପାଖେ ।

 

ହୋଇ ତିନି ଜାତି ଲୋକଙ୍କର ବସତି, ତିନି ମେଞ୍ଚି କୁଡ଼ିଆଘର,–‘ଡମ୍ବ’ ସାହି, ‘ଗାଦବା’ ସାହି ଓ ‘ପରଜା’ ସାହି । ଧାଡ଼ି ଧାଡ଼ି ଘର । ‘ଟଣିଁଅ’ ଝାଟିର ଜାଲିବାଡ଼ ଭିତରେ ଶାବୁଜା ଶାବୁଜା ‘ଜୋଣା’ (ମକ୍‌କା) କ୍ଷେତ, ଲଙ୍କାମରିଚ କ୍ଷେତ, ଧୂଆଁପତ୍ର କ୍ଷେତ, ତା ବାହାରେ ମାଣ୍ଡିଆ, ଅଳ୍‍ସି, ଜଡ଼ା, କାନ୍ଦୁଲ(ବଡ଼ ହରଡ଼)..... ।

 

ମୋଟେ କୋଡ଼ିଏ ଦୁଇଘରର ବାସ ।

 

ଏହି ଗାଁର ପରଜା ସାହିର ସୁକୃଜାନି ତା’ର ଟିକି ସଂସାରଟିକୁ ଘେନି ଖୁସିବାସିରେ ଚଳୁଥିଲା । ମାଣ୍ଡିଆ ପେଜ୍ (ଯାଉ) ମନ୍ଦିକ ସଞ୍ଜେ ସକାଳେ କେବେ ଊଣା ହୋଇନାହିଁ, ଅଣ୍ଟାର ଡୋରକୁ ଚାରି ଆଙ୍ଗୁଳିଆ କୌପୁନି ଖଣ୍ଡିଏ ଲେଖା କେବେ ଅଭାବ ହୋଇନାହିଁ, ଭଲେ ମନ୍ଦେ ଚଳୁଛି ।

 

ତିନିବର୍ଷ ତଳେ ତା’ର ଭାରିଯା ସମ୍ବାରି ‘ଭାଲୁଗାଡ଼୍’ ଝୋଲ୍ଲାକୁ ସକାଳୁ ସକାଳୁ ଶାଗ ତୋଳି ଯାଇଥିଲା, ଆଉ ଫେରି ନାହିଁ । କୋରାପୁଟିଆ ବୁଟା’ର ବୁଦାଗହଳରୁ ମଣିଷଖିଆ ମହାବଳ ବାଘ ତାକୁ ଘୋଷାରି ଘେନିଗଲା । ତା’ ପରେ,–ସଂସାର ବୋଇଲେ ସୁକୃଜାନି ନିଜେ, ବଡ଼ପୁଅ ମାଣ୍ଡିଆଜାନି, ସାନ ପୁଅ ଟିକ୍ରାଜାନି, ଆଉ ଝିଅ ଯୋଡ଼ିକ, ଜିଲି ଆଉ ବିଲି ।

 

ସଞ୍ଜବୁଡ଼େ ।

 

ନୂଆଣିଆଁ କୁଡ଼ିଆର ଅଣଓସାର ପିଣ୍ଡାରେ ଛୋଟିଆ ନିଆଁଟିଏ ଦିକ୍ ଦିକ୍ ହୋଇ ଜଳେ-। ଜିଲି ନୋହିଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୂନା କି ଶାଗ କି ଫେଷା ହୋଇଥିବା ଆମ୍ବଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇଦେଇ ଗୋଡ଼ ଲମ୍ବେଇ ବସିଥାନ୍ତି, ଫାଳିକିଆ ଚିକ୍‌କଣ ଖୋସାରେ ଗୋଟାଏ ଗୋଟାଏ ନାଲି ଫୁଲ । ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ ହାତରେ କୋଡ଼ି ଧରି ଦୋଓଟିଯାକ ଭାଇ ମାଣ୍ଡିଆ ଓ ଟିକ୍ରା ହାଲିଆ, ଘାଲିଆ ହୋଇ ପିଣ୍ଡା ଉପରେ ଆସି ବସିପଡ଼ନ୍ତି । ସୁକୃଜାନି ଧୂଆଁପତ୍ର ଖଣ୍ଡେ ବଳି ବଳିକା ପିଙ୍କା ଖଣ୍ଡିଏ କରି ଟାଣେ ଆଉ ମନ ଭିତରେ କିପରି ଗୋଟିଏ ଆଶ୍ରୟମୟ ତୃପ୍ତି ସେ ପାଏ । ତା’ରି ଏ ଛୁଆ ଚାରୋଟି ଧାଂଡ଼ା (ଯୁବା) ଧାଂଡ଼ୀ (ଯୁବତୀ), ତା’ରି ଏ ଘର, ନୂଆଣିଆଁ କୁଡ଼ିଆଟି । ଚାରିରେ ପାହାଡ଼ ଜଙ୍ଗଲ ଆଉ ମଥା ଉପରେ ଏତେବଡ଼ ଆକାଶ, ଏତେବଡ଼ ବିସ୍ତୃତି–ଏହା ଭିତରେ ବି ନିଜକୁ ସେ ଖୋଜିଲେ ପାଏ, ନିଜେ ରହିଛି ବୋଲି ସେ ବୁଝେ ।

 

ଖଣ୍ଡିଏ ବୋଲି ବଖରା–ଅନ୍ଧାର ବିଲିବିଲି । ଏଠି ପୁଳାଏ ଆମ୍ବଟାକୁଆ, ତେଲ ହେବା ପାଇଁ ସେ କଣରେ ଗଦାଏ ବାରିବାଇଗବା ମଞ୍ଜି, ପତର–ସିଆଁ କୁମ୍ପିରେ ପଶି, ନୋହିଲେ ତଳେ ଅଜଡ଼ା ହୋଇ ଆଠ ଦଶମାଣ ମାଣ୍ଡିଆ, ତିନି ଚାରୋଟି ହାଣ୍ଡି । ଏଠି ସେଠି ଅଲରା ବଲରା ହୋଇ ଚାଳରୁ ଓହଳିଛି କୌପୁନି, ଲୁଗା ଓ ତିନି ଚାରି ପୁଞ୍ଜା ଲାଉତୁମ୍ବା, ଯହିଁରେ ମାଣ୍ଡିଆଯାଉ ପୂରାଇ ବିଲକୁ ବାଟକୁ ନିଆଯାଏ, ତା’ପରେ କାନ୍ଥରେ ବାଡ଼ରେ ପତର ସିଆଁ ‘ତଲରା’ ବା ପିଠିପଖିଆ ‘ତଲାରି’ ବା ମୁଣ୍ଡରେ ଛତା ।

 

ଏତିକି ଘେନି ତା’ର ଘରକରଣା, ସବୁ ଅଳିଆ ଦଳିଆ, କିନ୍ତୁ ଏଇ ଅଳିଆ ଦଳିଆ ତାକୁ ଭଲ ଲାଗେ, ଛାତ ତଳେ ନାକକାନରୁନ୍ଧା ମଠୁଆ ମଠୁଆ ଧୂଆଁ ତାକୁ ଭଲ ଲାଗେ, ସବୁ ତା’ର, ତେଣୁ ।

 

ସଞ୍ଜବୁଡ଼େ–ଢେଉ ଢେଉକା ପୂର୍ବଘାଟର ପାହାଡ଼ ଉପରେ ଛିରିକି ପଡ଼େ କେତେ ରଙ୍ଗ, ମଥାରେ ଅବିର, ପଖାରେ ହଳଦିଗୁଣ୍ଡା, ତଳର ଗହୀର ଜଙ୍ଗଲରେ ସମୁଦ୍ରରେ ନେଳି-କଳା ନେଳି-କଳା । ସୁକୃଜାନି ବିଶ୍ୱାସ କରେ ଯେ ସବୁରି କର୍ତ୍ତା ଗୋଟିଏ ଲେଖାଏଁ ଭୂତ ବା ‘ଡୁମା’ । ମନର ତୃପ୍ତିରେ ବିଚାରିବସେ କେଉଁ ଯାଦୁକର ‘ଡୁମା’ ଏସବୁ ଗଢ଼ିଛି,–ଆକାଶ ଆଉ ଜଙ୍ଗଲ, ସଞ୍ଜ ଆଉ ରାତି । କେଉଁ ଡୁମା ଆଣିଦିଏ ସୌଭାଗ୍ୟ ଆଉ ଆନନ୍ଦ । କିଏ ଆଣିଦିଏ ଝଡ଼ିତୋଫାନ, ଦୁଃଖଦୁର୍ଦ୍ଦଶା,–କିଏ ?

 

ଏ ପାହାଡ଼ର ମଥାନରୁ ତଳପର୍ଯ୍ୟନ୍ତ ଖାଲି ପାହାଚ ପାହାଚ ଚାଷ । ପାହାଡ଼ ତଳେ ଚାଲିଯାଇଛି ଗୋଟିଏ ଭୀମଙ୍କ ଲଙ୍ଗଳ ସିଅ ବା ଝୋଲା, ପାହାଡ଼ି ନଈ । ସେଥିରେ କବ କବ କରି ଡେଇଁ ଡେଇଁକା ପାଣି ଚାଲେ । ତା ସେପାଖକୁ ଅରାଏ ଢିପତଳ ଭୂଇଁ, ସନ୍ତସନ୍ତିଆ, ସେଥିରେ ଧାନ ହୁଏ । ତା ତେଣିକି, ଚାରିପାଖେ ଗୋଲେଇ ହୋଇ ଢାଙ୍କିରହି ତଳୁ ଉଠିଉଠିକା ସାନବଡ଼ କେତେ ପାହାଡ଼ ଖଞ୍ଜି ହୋଇଛି ଅଗ୍ନାଗ୍ନି ବନସ୍ତ ବୁହା ବୁଢ଼ା ପର୍ବତ ।

 

ସୁକୃଜାନି ଦୃଶ୍ୟ ଦେଖେ ଏବଂ ଦେଖେ ସାମନାର ସେ ସାନ ପାହାଡ଼କୁ, ଯାହାର ମୁଣ୍ଡକୁ ସେ ଆଉ ଲୋବୋ କନ୍ଧ ମିଶି ଢୁ ଢୁ ବରଷାରେ କୁରାଢ଼ିରେ ହାଣି ଚନ୍ଦାକଲେ, ବର୍ତ୍ତମାନ ତା’ର ଚାଷଭୂଇଁ । ଆଉ ଦୃଶ୍ୟ ଦେଖେ ଆପଣାର ଭବିଷ୍ୟତର କେଉଁ ଉପକାରୀ ଡୁମାର ହାତ ଲାଗି ସବୁ ସୁନ୍ଦର ହୋଇଛି, କେତେ ଘର ତୋଳା ହୋଇଛି, ମାଣ୍ଡିଆ, ଟିକ୍ରା ବାହା ସାହା ହୋଇଛନ୍ତି–ପୁଅ, ପୁଅର ପୁଅ–ପୁଅର ପୁଅର ପୁଅ,– ଦି’କୋଡ଼ି ତିନିକୋଡ଼ି ଗୋରୁଗାଈ, ଘର ଆଗରେ ବଡ଼ ଗୁହାଳ, ଗୋବରଖାତ– ।

 

ଆଉ ଚାରି କରର ଯେତେ ସାନ ବଡ଼ ପାହାଡ଼, ସେଠି ଜଙ୍ଗଲ ସଫା ହୋଇ ଖାଲି କ୍ଷେତ–କ୍ଷେତ–କ୍ଷେତ, ପୁଅର, ନାତିର, ତା’ ନାତିର ।

 

ଭାବି ଭାବି ସୁକୃଜାନି ସତେକି ବୁଢ଼ା ହୋଇଯାଏ । ଗାଁ–ମଝି ଗୁରୁଡ଼ି ଆମ୍ବ ଗଛ ତଳେ, ମଣିଷ ମରିଗଲେ ଯେଉଁଠି ତା’ ନାଁରେ ଖଣ୍ଡେ ଗୋଜିଆ ପଥର ଭିତରେ ପୋତା ହୁଏ, ସତେ କି ସେଇଥିରୁ ଗୋଟାଏ ବଡ଼ ଗୋଜିଆ ପଥର ଭିତରେ ସୁକୃଜାନିର ଆତ୍ମା ଗୋଟାଏ ଡୁମା ହୋଇ ଭବିଷ୍ୟତର ପୁଅନାତିଙ୍କର ସୁଖସୌଭାଗ୍ୟକୁ ମିଟିମିଟି କରି ଅନେଇଁ ରହେ ।

 

ରାତି ଘୋଟିଯାଏ ।

 

ସୁକୃଜାନି ବାହାର ବଳକୁ ଚିହ୍ନେ, ତାହାରି ଖାଲି ଭରସା ରଖେ, ଆଉ କାହାରି ନୁହେଁ । ସେ ପାହାଡ଼କୁ ଚାଷ କରିବା ପାଇଁ ଲଣ୍ଡା କଲାବେଳେ, ଏକାଥରକେ ପାଞ୍ଚ ଘଣ୍ଟା, ଛଅ ଘଣ୍ଟା ସେ କୁରାଢ଼ି ଓହ୍ଲେଇ ନାହିଁ, କାମ କରିଯାଇଛି । ଅଧିକାରୀ (ହାକିମ) ସାହାବର ଦି’ ମହଣ ଓଜନ ବୋଝକୁ ‘କାଉଡ଼ି’ (ବାହୁଙ୍ଗି) କରି ଏକୁଟିଆ ସେ ଉଠେଇ ନେଇ ପାହାଡ଼ ଡଁଗର (ବଣ) ଝୋଲା ନାଳ ଲଙ୍ଘି କେତେଥର ମାଙ୍କଡ଼ଝୋଲା କି କାକିରିଗୁମ୍ମା ବଙ୍ଗଳାରେ ପହୁଞ୍ଚେଇ ଆସିଛି, କୋଶେ ଗଲେ ପଇସାଏ । ଆବୁଆବୁଆ ବଳୁଆ ଦେହରେ ଗୋଡ଼-ପେଣ୍ଡା ତା’ର ପଥର, ଚମଡ଼ାଟି ତା’ର ବର୍ଷାତି । କାଏଲା (ବେମାର) ପଡ଼େ ନାହିଁ, ଅଳସ ହୁଏ ନାହିଁ, ବୟସ ପଚାଶକୁ ଧକ୍‌କା ଖାଇଲା ।

 

ମାଣ୍ଡିଆଜାନି ଠିକ୍ ତାହାରି ପରି, ଟୋକାଦିନେ ଯାହା ସେ ଥିଲା ତାହାହିଁ,–ବୃଷାଳ ଦେହ, ମୁହଁ ପିଲା ମୁହଁପରି ସରଳ, ଭୋକଶୋଷ ମାନେ ନାହିଁ, ଖାଲି ହସ ।

 

କିନ୍ତୁ ଟିକ୍ରାଟା–ତା’ର ମଲା ମାଆକୁ କେବଳ ମନେପକାଇଦିଏ, ସେହିପରି ଡବଡବ ଆଖି, ତରତର କଥା ।

ସଞ୍ଜର ନିଆଁ ପାଖେ ବଉଁଶ କୁଟୁମ୍ବ ମିଳି ଭଲ ପଙ୍ଗତଟିଏ ବସେ, ତଳର ଝୋଲାରୁ ପାଣି ମାଠିଆ ଧରି ନସର ପସର ହୋଇ ଜିଲି ବିଲି ଆସନ୍ତି, ହସ ଖେଳ ଥଟ୍ଟା ନକଲ । ସୁକୃଜାନି କାନରୁ ଦରପୋଡ଼ା ପିଙ୍କା ଖଣ୍ଡିଏ ଟାଣିନେଇ ନିଆଁ ଲଗାଏ, ଧୂଆଁ ପିଉ ପିଉ ପିଇଯାଏ । ସଞ୍ଜର ଶାନ୍ତି, ଖୋଲା ପାହାଡ଼ର ଶାନ୍ତି–ସବୁ ।

 

ସେଦିନ ଗାଧୁଆବେଳେ ପାହାଡ଼ତଳେ ଝୋଲାରେ ଜିଲି ବିଲି ଦି’ ଭଉଣୀ ଗାଧୋଉଥିଲେ । ନାଳର ବାଙ୍କରେ ପରଜା ସ୍ତ୍ରୀଲୋକଙ୍କ ତୁଠ, ପାହାଡ଼ ପାଖ ଖାଲା, ଆର ବୁଦୁବୁଦିକିଆ ଜଙ୍ଗଲ । ଉଞ୍ଚ ଚାଞ୍ଚରା (ଚଟାଣ) ଉପରେ ଧଳା ପାଣି ଡେଇଁ ଡେଇଁ ଦୁଲ୍ ଦୁଲ୍ ହୋଇ କଚାଡ଼ି ହେଉଛି, ଗଡ଼ି ଗଡ଼ିକା ଆସୁଛି ତଳକୁ, ବଣଦେଶରେ ଏହିପରି ଅସଂଖ୍ୟ ଡୁ-ଡୁ-ମା (ଜଳପ୍ରପାତ) । ମୁଣ୍ଡ ଉପରେ ବରଗଛ ଛାଇ, ଢାଲୁ ଅତଡ଼ାର ସାବୁଜା ମାଣ୍ଡିଆ କ୍ଷେତ କେନା କେନା ହୋଇ ପାଣି ଉପରକୁ ଓହଳି ପଡ଼ିଛି । ସରୁ ନାଲି ନାଲି ବାଟଚଲା ତୁଠ ରାସ୍ତା, ସାପେଇ ସାପେଇ ଅତଡ଼ାଏ ଅତଡ଼ାଏ ।

 

ନାଳର ବାଙ୍କରେ ନିରୋଳାରେ ଜିଲି ଆଉ ବିଲି ଗାଧୋଉଥିଲେ, ବୟସ ସତର ଓ ଚଉଦ । ପରଜାର ଗାଧୋଇବା ଅଭ୍ୟାସ ଅନୁଯାୟୀ ଦିହେଁଯାକ ଲଙ୍ଗଳା । ଜିଲି ସାମ୍ନାକୁ ମୁହଁକରି ତା’ର ପିନ୍ଧା ‘ପାଞ୍ଚିଆ’ ଖଣ୍ଡିକ ଚଟାଣ ଉପରେ କାଚୁଥିଲା, ବିଲି ପାଣିମାଠିଆକୁ ପାଖରେ ଥୋଇଦେଇ ବଳା ଗଣ୍ଠିଏ ପାଣିରେ ବସିପଡ଼ିଥିଲା, ଖଟା ‘ଚିଲି’ ଫଳର ସାବୁନ୍ ଫେଣରେ ମୁଣ୍ଡ ରଗଡ଼ୁ ଥିଲା, ବେଳେ ବେଳେ ପାଣିରେ ମୁଣ୍ଡକୁ ମାଡ଼ିଦେଇ ଦୁଇ ହାତରେ ପାଣି ଚବର ଚବର କରୁଥିଲା ।

 

ସେତିକିବେଳେ ଝୋଲା ସେକର ଢିପ ଉପରେ ଭାର କାଉଡ଼ି (ବାହୁଙ୍ଗି) ବୋହି କପାଳର ଝାଳ ପୋଛି ପୋଛି ଚାଲିଗଲେ ପରଜା ଯୋଡ଼ିଏ, ସିଧା ଆଖି । ତଳେ ତଳେ ଝୋଲା କୂଳେ କୂଳେ ଉଣ୍ଡି ଉଣ୍ଡିକା କୋଳି ଗଛର ହରଡ଼ ଚଢ଼େଇ ଖୋଜିବା ବାହାନାରେ କାନ୍ଧରେ ବନ୍ଧୁକ ପକେଇ ଏକର ସେକର ହେଉଥିଲା ଆଉଜଣେ ଲୋକ । ସେ ସଭ୍ୟ ଜଗତର ଲୋକ, କାରଣ ସେ ଜଙ୍ଘିଆ ପିନ୍ଧିଥିଲା , ଅଧା କାମିଜ୍ ପିନ୍ଧିଥିଲା, ଏଇ ଅଧାଲଙ୍ଗୁଳି ଦେଶରେ । ସେ ‘ଅଧିକାରୀ’–ହାକିମ, କାରଣ ସେ ବଣ ‘ଗାରଡ଼’ (ଗାର୍ଡ଼୍) ବା ଜଙ୍ଗଲ ‘ଜମାନ୍’ (ଚପରାସୀ), ତା’ର କାମ ବଣ ବଗିଚା ଜଗିବା, କିଏ ବଣ ହାଣି ପକାଉଛି ନିଘା କରିବା, ଧର୍‌ପକଡ଼୍ କରିବା, ଗର୍ଜନ କରିବା । ଜଙ୍ଗଲ ଜମାନ୍‌ର ଏ ଅଞ୍ଚଳକୁ କମାନ୍ (ଗସ୍ତ) ପଡ଼ିଥିଲା । ଗୋଟିଏ ଗଛକୁ ଉଣ୍ଡିବା ବାହାନରେ କେତେବେଳୁ ସେ ଏପାଖ ପାଣିକୁ ଚାହିଁଥିଲା, ହଠାତ୍ ଦୃଷ୍ଟି ପଡ଼ିଗଲା ଜିଲିର । ଦି’ ଭଉଣୀ କଲିକାଲିଆ ହୋଇ ଉଠିପଡ଼ିଲେ । ଜିଲି ତା’ର କାଚିବା ଲୁଗାବେଢ଼େଇହୋଇ ପଡ଼ିଲା, ବିଲି ଭଉଣୀ ପଛଆଡ଼େ ଲୁଚିଯାଇ ୟାଡ଼କୁ ସ୍ୟାଡ଼କୁ ଚାହିଁ ପଛେଇ ପଛେଇ ହାତ ବଢ଼େଇଲା ବରଗଛ ସିଅକୁ, ଯେଉଁଠି ତା’ର ନାଲି ଲୁଗାଖଣ୍ଡିକ ପବନରେ ଦୋହଲୁଥିଲା । ହସରେ ହସରେ ଝୋଲାର ପାଣି ଛଳଛଳେଇ ଉଠିଲା । ଜମାନ୍ ହସିହସି ଛପିଗଲା ବୁଦା ଉଢ଼ୁଆଳରେ ।

 

ତରତର କରି ଗାଧୁଆ ଶେଷ କରି ଓଦା ଲୁଗା ଫଡ଼ ଫଡ଼ କରି ଦି’ ଭଉଣୀ ମାଠିଆ କାଖେଇ ଦୋହଲି ଦୋହଲିକା ଉଠିଗଲା ପାହାଡ଼ରେ ଢାଲୁଏ ଢାଲୁଏ, ଅଦୃଶ୍ୟ ହେବାଯାଏ ଜଙ୍ଗଲ ଜମାନ୍ ଚାହିଁ ରହିଥିଲା । ନାକ ଫୁଲେଇ ଆଖିରେ ନିଆଁ ଜାଳି ଉଠୁପଡ଼ ଛାତିରେ ଏକାଜାଗାକେ ଠିଆ ହୋଇ ଚାହିଁ ରହିଥିଲା । ତା’ପରେ ସିଠି ମାରି ବୁଲାଣି ବାଟରେ ଧୀରେ ଧୀରେ ସେ ଗାଁ’ ଆଡ଼କୁ ଚାଲିଲା । ହରଡ଼ ଚଢ଼େଇ ଲୁଚି ସାରିଥିଲେ, ପାଗ ବିଗିଡ଼ିଗଲା, କାନ୍ଧରେ ବନ୍ଧୁକର ବୋଝ ଭାରୀ ଭାରୀ ।

 

ଗାଁରେ ନାଇକ (ଗାଁ’ ମୁଣ୍ଡିଆଳ) ଘର ପିଣ୍ଡାରେ ଗୋରୁଶାଳର ତାଟି ବନ୍ଧା ହୋଇ ଜଙ୍ଗଲ ଜମାନ୍‍ର ଛାଉଁଣି । ନାଇକ ଖଜଣା ଅସୁଲ କରେ, ରଜାଘର ରିବିନି (ରେଭେନ୍ୟୁ ଇନିସ୍‌ପେକ୍‌ଟର) ଅମିନଙ୍କୁ ଦିଏ, ଗାଁ ଖବର ଅନ୍ତର ସରକାରରେ ଜଣାଏଁ । ତେଣୁ ରଇତମାନଙ୍କୁଠୁଁ ସେ ଟିକିଏ ଉଚ୍ଚରେ, ତେଣୁ ସମସ୍ତିଙ୍କର ସବୁ ରଗଡ଼ ପାଇଁ ମୁଝାମ୍ ସେ । ଅଧୀକାରୀ ଆସିଛନ୍ତି । ନାଇକ ପିଣ୍ଡାରେ ବସା । ଗୌରବ ଦେଖାଇ କୌପୁନି ଉପରେ ପୁରୁଣାକୋଟ ଖଣ୍ଡି ସେ ପିନ୍ଧଲା, ମୁଣ୍ଡରେ ପଗଡ଼ି ଭିଡ଼ିଲା, ତାହା ଉପରେ ପିଙ୍କା ଟାଣିବା ଶାଳପତ୍ରର କାହାଳୀ ପୁଞ୍ଜାଏ ଉଙ୍କି ମାରୁଥାଏ । ମୁଣ୍ଡକୁ ଅଣ୍ଟାତଳକୁ ଭାଙ୍ଗିଦେଇ ଦୁଇହାତରେ ଅଧିକାରୀର ପାଦ ଛୁଇଁ ମୁଣ୍ଡରେ ମାରି ନାଇକ ଗଦ୍‍ଗଦ ହୋଇ କହିଲା, “ଜୁହାର ଗାରଡ଼(ଗାର୍ଡ୍‍) ମହାପ୍ରୁ, ତୁମର ପାଦୁକା ଶୀତଳ ଥାଉ ।”

 

ଚାରିଆଡ଼େ ହୁଲର ହୋଇଗଲା, “ଗାରଡ଼, ଗାରଡ଼ ଜମାନ୍ ଜମାନ୍” । ନାଇକର ହାତବାରିଶି ଗାଁର ଜଗୁଆଳ ଏବଂ କର୍ମକର୍ତ୍ତା ଡମ୍ବ ‘ବାରିକ’ ବାଡ଼ି ହଲେଇ ହଲେଇ ଚାରିଆଡ଼େ ଚହଳ ପକେଇ ବୁଲିଲା, ଲୋକେ ରୁଣ୍ଡ ହେଲେ । ସିଧା ଆସିଲା, ଚାଉଳ, ଡାଲି, ପନିପରିବା ଗାଁ ଫସଲ । ଜଙ୍ଗଲ ଜମାନ୍ କମ୍ ମହାପ୍ରୁ ନୁହନ୍ତି । ବଣରେ ଗୋରୁ ଚରେଇବା ପାଇଁ ହଳପିଛା ଲଙ୍ଗଳ ‘ପାନୁ’ (ଟିକସ) ଦେବାକୁ ପଡ଼େ, ଏ ତ ମାମୁଁଲି, ତାହା ଛଡ଼ା କିଏ କେଉଁଠି ତାଷ କରିବା ସକାଶେ ବାଘୁଆ ଅରମା ମାରି ଜମି କରିଛି ଅର୍ଥାତ୍ ‘ପୋଡ଼ୁ ତାଷ’ କରିଛି, ସେଥିପାଇଁ ଜୋରିମାନା ପଡ଼ିବ । କିଏ ବେ–ଆଇନିଭାବେ ଇଜାର୍ (ରିଜାର୍ଭ୍ଡ଼୍) ବଣରୁ ମହୁ ଆଣିଛି କିମ୍ବା ଘର କରିବାକୁ ଶାଳ ଗଛ ପିଆଶାଳ ଗଛ କାଟିଛି, ସବୁକଥାକୁ ପତରଗଳି ଜଙ୍ଗଲ୍ ଜମାନ୍ । ଜଣେ ଜମାନ୍, ତା’ର ଆଠ ଟଙ୍କା ଦରମା, ତା’ର ଦଖଲରେ ଦଶ ପନ୍ଦର କୋଶ ନିଘଞ୍ଚ ଜଙ୍ଗଲ, ଶ୍ୱାପଦସଙ୍କୁଳ । କୁକୁଡ଼ା ଆସିଲା, ତା’ର ଡିମ୍ବ ବି ଆସିଲା, ଏସବୁ “ଶାଗ୍” । ଅନେକେ ଉପାଧିଆ ପଡ଼ିଲେ, ଜଙ୍ଗଲ ଜମାନ୍ ଭୋଗ ପାଇ ପାଇ ବର ବୃଷ୍ଟି କଲା । ସୁକୃଜାନିର ଜମି ଦରକାର । ତା’ର ବଢ଼ନ୍ତା ପରିବାର, ପୁଅକୁ ବିଭା କରିବ, ପୁଅର ପୁଅ ସେ ଦେଖିବ । ଉଞ୍ଚ ମାଳି ଦମକ ଆଡ଼କୁ ଚାହିଁ ତା’ର ଖାଲି ଦୀଘଶ୍ୱାସ ଯାଏ । ଜଙ୍ଗଲ ଜମାନ୍‍ର ଦୟାରୁ ସେଠି ସଲମନ ଡମ୍ବ, ଇଷ୍ଟିଫାନ ଡମ୍ବ କାହିଁ ଦଶମାଣ ଜମି ସଫା କରି ସାରିଲେଣି, ତା’ର ବି ଦରକାର, ତା’ର ବି ହାତ ଖୁଲୁ ଖୁଲୁ ହେଲାଣି । ସୁକୃଜାନିର ବଡ଼ ବଡ଼ କାଠ ଦରକାର, ସେ ଆହୁରି ଘର ତୋଲିବ, ପୁଅମାନେ ବିଭାହେଲେ ନିଆରା ଘରେ ରହିବେ । ଏ ‘ପରଜା’ ସମାଜର ରୀତି । ଦିନ ଦି’ପହରେ ଯୋଡ଼ିଏ କୁକୁଡ଼ା, ତିନୋଟି ପଣସ ଧରି ଜଙ୍ଗଲ ଜମାନ୍ ପାଖେ ଯାଇ ସୁକୃଜାନି ଉପାଧିଆ ପଡ଼ିଲା । ପରଜାର ବିନୟ ଭଙ୍ଗୀରେ କହିଲା, “ମହାପ୍ରଭୁ’ ତୁ ଦୟା ନ କଲେ ଆମେ ମରିଯିବୁ ନାହିଁ କି ।”

 

ଜଙ୍ଗଲ ଜମାନ୍ ତୁନି ହୋଇ ରହିଲା ।

 

ଅଣ୍ଟାରୁ ଯୋଡ଼ାଏ ଟଙ୍କା କାଢ଼ି ତଳେ ଥୋଇଦେଇ ହାତଯୋଡ଼ି ସୁକୃଜାନି ନିବେଦନ କଲେ,–“ମହାପ୍ରଭୁ ।

 

“ହୁଁ ।’’

“କ’ଣ କହୁଚୁ ମହାପ୍ରଭୁ, ହାଣିବି ନା ?”

“ହଉ ।”

 

ତା’ର କାମ ସରିଗଲେ । ସୁକୃଜାନିର ଆନନ୍ଦ ରଖିବାକୁ ଜାଗା ନ ଥାଏ । ଖୋଜିକେ ଦି’ ଦି’ ପାହୁଣ୍ଡ ଡେଇଁ ସେ ଘରକୁ ଫେରିଲା ।

 

ଖିଆପିଆ ସାରି ପୁଟୁଳା ବୁଜୁଳା ବାନ୍ଧି ଜଙ୍ଗଲ ଜମାନ୍ ଛାଉଣୀ ଉଠେଇ ନେଲା । ଏଣିକି ଆଉ ଗୋଟିଏ ଗାଁ । ଜିନିଶ ବୋହିବାକୁ ଚାରିଜଣ ଭେଣ୍ଡିଆଙ୍କୁ ବିଲରୁ ଓଟାରି ଆଣି ବାରିକ ହାଜର କଲା । ବୋଝ ଉଠିଲା, ବୁଜୁଳି ଉଠିଲା, କନ୍ଧରେ ବନ୍ଧୁକ ପକେଇ ଜଙ୍ଗଲ ଜମାନ୍ ଉଠିଲା । ଛାଇଲେଉଟା ବେଳ । ଗାଁ, ତୁଠରେ ଜିଲି ‘ଗୁର୍ଦି’ ଶାଗ ଧୋଉଥାଏ । ଝୋଲା ସେପାଖେ ଅଟକି ରହି ଜମାନ୍ ହାଙ୍କିଲା ।

 

“ଏ ନୁନି (ଟୋକୀ), କାଏଁ କରୁଲେ (କ’ଣ କରୁଛୁ) ?”

ଶାଗ୍–ବାବୁ–

‘‘ଦେଇସା ?’’ (ଦେବୁକି ?)

 

“ଏତେ ଶାଗ୍‌ ନେଲୁ ଗୁର୍ଦ୍ଦିଶାଗ କ’ଣ କରିବୁ ବାବୁ ?” ଜିଲି ହସିଲା । ଆହୁରି କେତେ ଟୋକୀ ପାଣିକି ଓହ୍ଲେଇବାକୁ ଅତାଡରୁ ଗଡ଼ିଲେ । ଜମାନ୍ ଭାବିଲା “ଆଜି ଏତିକି ।” ସେ ବାଟ ଧରିଲା ।

 

ଝୋଲା ତୁଠରେ ଟୋକୀମାନେ ଜମିଲେ । ଜିକି ଜିକି ମୁହଁରୁ ଛଳ ଛଳ ହସ, ରହସ୍ୟ କରିବା, ହସିବା ଏମାନଙ୍କର ସ୍ୱଭାବ । ଆଜି ଗାଁର ଗପ ଜଙ୍ଗଲ ଜମାନ୍‍ର ଆବିର୍ଭାବ । ବଣ ହଣାହାଣିର କଥା, ଜମିର କଥା ସେସବୁ ବଡବଡ଼ିଆଙ୍କର । ଟୋକୀମାନେ ତା’ର ହାବଭାବ ସମାଲୋଚନା କଲେ । “ମତେ ଅନୋଉଁ ଥିଲା ।” “ମୋର ପଛ୍‌ ପଛ୍‌ ଧାଇଁଥିଲା ।’’ ‘‘ଛେଃ–ସରୁ ଡାଙ୍ଗ ପରି ମଣିଷଟେ ସେଇଟା ତହିଁରେ ପୁଣି କେଡ଼ ହମ ହମ ।” “ଯୋଉ ପାଟି, ମୁଁ ତ ଡରିଗଲି-।” “ଦେଖ ତ ଆମର କାଳି କୁକୁଡ଼ାଟା ଡିମ୍ବ ଦେଇଥିଲା ବାପା ତାକୁ ଦେଇଦେଲେ ।” “ବହୁତ କଥା, ସବୁ ସମାଲୋଚନା ତଥାପି ହସରେ ଡ଼ୁବୁ ଡ଼ୁବୁ ।’’

 

ହସୁ ହସୁ ବହୁତ ଦୂର । ପୁରିଜାନିର ଝିଅ କାଜୋଡ଼ି ଜିଲିର ଭାରି ସାଙ୍ଗ, ମାଣ୍ଡିଆଜାନି ସକାଶେ ସେ ମାନୋନୀତା । ଜିଲି ଉପରକୁ ପାଣି ଆଞ୍ଜୁଳାଏ ଫୋପାଡ଼ି ଦେଇ ହସି ହସିକା କାଜୋଡ଼ି ଆରମ୍ଭ କଲା,–“ଏ ବାଗ୍‍ଲୀ ।” ବାଗ୍‍ଲା ରେଙ୍ଗୁ ପରିଜାର ପୁଅ, ଦିନାକେତେ ହେଲା ଗାଁରେ ଗପ ଚହଟିଛି ବାଗ୍‍ଲା ଆଉ ଜିଲି ପରସ୍ପରକୁ ଭଲ ପାଉଛନ୍ତି, ବିଭା ହେବେ । ପୁଣି ପାଣି ଛିଞ୍ଚାଡ଼ି–“କାହା କଥା ଏତେ ଭାବୁଛୁ ଲୋ, ଏ ବାଗ୍‍ଲୀ ।”

 

“ଭାକ୍”

“କଥା କହିବୁ ନାହିଁ ?”

ଜିଲି କହିଲା, “କ’ଣ କହୁଚୁ ଏ ଭାଉଜ ?”

“ମୋ ଗରଜ ପଡ଼ିଚି ୟାଙ୍କ ଭାଉଜ ହେବାକୁ–”

“ଜମା ଟିକିଏ ଇଚ୍ଛା ନ ଥିବ ପରା–”

 

କାଜୋଡ଼ି ମୁହଁ ଝାଡ଼ି ଝାଡ଼ି କହିଲା, ‘‘ଆମି ନିଚୁ ନିଚୁ (ଆମର ଦରକାର ନାହିଁ), ଆମର ‘ଭାଟ’ (ଭିଣୋଇ) କଥା କହ, ଶୁଣିବାକୁ ଭଲ ଲାଗିବ ।’’

 

ଦୁଇ ବନ୍ଧଙ୍କର ଲାଗେ ଏମିତି ଦିନକୁ ଦଶଥର, ଦୁହେଁ ଆନନ୍ଦ ପାଆନ୍ତି । ଗାଁ ମଝିରେ ଥାଏ ଗୋଟାଏ ଘର, ତା ନାଁ ‘‘ଧାଂଡ଼ୀବସା’’ ଘର । ସେଠି ରାତିରେ ଗାଁ’ଯାକର ସୁବ ଅଭିଆଡ଼ୀ ଝିଅମାନେ ଶୁଅନ୍ତି । ଟିକିଏ ଛାଡ଼ି ‘‘ଧାଂଡ଼ାବସା’’ ଘର ଅଭିଆଡ଼ା ଟୋକାଏ ଶୋଇବା ପାଇଁ । ପରଜା ସମାଜରେ ଟୋକା ଟୋକୀ ଆପଣା ଘରେ ନ ଶୋଇ ଟୋକୀମାନେ ‘ଧାଂଡ଼ୀବସା’ରେ ଟୋକାମାନେ ‘ଧାଂଡ଼ାବସା’ରେ ଶୋଇବା ବିଧି । ଦିନାକେତେ ହେଲା ଜିଲି ଧାଂଡ଼ୀବସା ଘରର ରାତିପଙ୍ଗତକୁ ଯାଇ ନ ଥିଲା । କାଜୋଡ଼ି ଥଟ୍ଟା କରି ପଚାରିଲା, ‘‘କାହିଁକି ଆସୁନୋହୁଁ ? ଧାଂଡ଼ୀବସା ଘରେ ବହୁତ ଲୋକ ‘ବୋଲି’ ନୁହେଁ ?’’

 

‘‘ଲୋକ ଥିଲେ କାହାର କ’ଣ କରିବେ ?’’

 

‘‘ହେଇ ଦେଖ୍‌ ଦେଖ୍‌, ନିଜର ଈଷ୍ଟ (ଇଚ୍ଛା) ? ଡର କାହାକୁ ନା କ’ଣ ? ସତେ ମଁ, ଆଜି ଆସିବୁ, ନ ହେଲେ ସେପାଖେ ଧାଂଡ଼ାବସା ଘରେ ବିଚିରା ବାଗ୍‍ଲାର କି ଦଶା ହେବ କେଜାଣି । ରାତି ରାତି ଜଗି ରହି ଖାଲି ଡୁଙ୍ଗୁଡୁଙ୍ଗା ବଜୋଉଚି, ଆଉ ଗୀତ ମାରୁଛି, ‘‘ଏ ଜିଲି ଜିଲି–ଏ ଜିଲି ଜିଲି ବୋଲି ବୋଲି ।’’ କାଜୋଡ଼ି ଜିଲିକୁ କେଞ୍ଚି କୁତୁ କୁତୁ କରି ସେହି ଗୀତ ବୋଲି ବୋଲି ଚଳେଇ ଚଳେଇ ଚାଲିଗଲା । ଉପରୁ ସ୍ୱର ବଦଳେଇ ଅତି ସ୍ନେହରେ ଫୁସଲେଇ କୋବଲେଇ କହିଲା, ‘‘ଆଜି ଆସିବୁ–’’

 

ଜିଲି କହିଲ, ‘‘ହଉ’’ । ଦୁଷ୍ଟ ହସ ହସି କାଜୋଡ଼ି ଚାଲିଗଲା । ଜିଲି ଗୁର୍ଦି ଶାଗ ଆଡ଼କୁ ମନ ଦେଲା । ଗୁର୍ଦି ଶାଗ ନାଳେଇଲାଣି । ସୂର୍ଯ୍ୟ ଅସ୍ତ ହେୁଉଛି । ଆକାଶରେ କବିତା । ନିଛାଟିଆ ଝୋଲାକୂଳ । ଜିଲିକୁ ଅଳସ ଲାଗିଲା । ଅନ୍ୟମନସ୍କ ହୋଇ ସେ ଠିଆହୋଇ ରହିଲା । ମୁହଁରେ ସ୍ୱପ୍ନର ଛାଇ । ସେଇ ସ୍ୱପ୍ନରେ ବାଗ୍‍ଲା ଉଇଁଲା–ବଳିଷ୍ଠ ଗଢ଼ଣ, ସରଳ ହସ । ବାଘ ପରି ମୁହଁରେ ହରିଣ ପରି ଚାହାଣୀ । ପିଲାଟି ଦିନୁ ଏକାଠି ଧୂଳିଖେଳ, ଦିନୁଁଦିନ ବାଗ୍‍ଲା ତାହା ପାଖକୁ ଆଉଜି ଆସିଛି । ଦୁହେଁ ବଢ଼ି ଉଠିଛନ୍ତି । ଶାଳଗଛ ପରି ସେ, ଭାଲୁକୁଣୀ ଶିଆଳି ଲଟା ପରି ୟେ ।

 

ବାଗ୍‍ଲା ତାକୁ ଭଲ ପାଏ, ବାଗ୍‍ଲା ତା ପାଇଁ ଖୋଜି ଖୋଜି କୋଳି ଆଣିଦିଏ, ଫଳ ଆଣିଦିଏ, କେତେ ଶରଧାର ଦାନ–

 

ଆଉ ବାଗ୍‍ଲାର ତା’ର ଯନ୍ତ୍ର, ଡୁଙ୍ଗୁଡୁଙ୍ଗା, ତା’ର ଗୋଟିକିଆ ତା’ରଟି ଲାଉଖୋଳ ଉପରେ ରାତି ରାତି ଝଣଝଣେଇଁ ଉଠେ ଜିଲିର ଆବାହାନୀ ଗାଈ ଗାଈ, ବାଗ୍‍ଲା ଅପେକ୍ଷା କରୁଛି-

 

ଚମକି ପଡ଼ି ଜିଲି ଠିଆ ହେଲା, ଝୋଲା ସେକର କଣରୁ କୁଟ୍ରା ବୋବୋଉଛି, ସଞ୍ଜ ପଡ଼ିଲାଣି । ଜିଲି ଘରକୁ ବାହୁଡ଼ିଲା ।

 

ପହିଲି ଅନ୍ଧାରେ ସାହିର ଆଲୁଅ ଯେତେବେଳେ ଜୁକୁ ଜୁକୁ ଦିଶିଲା ସୁକୃଜାନିର ପିଣ୍ଡାରେ ଚୁଲି ଜଳିଲା । ଆମ୍ବ କୋଇଲିର ଶସ ସାଙ୍ଗରେ ମାଣ୍ଡିଆ ଚୂନା ଗଣ୍ଡିଏ ପଡ଼ି ହାଣ୍ଡିରେ ସିଝିଲା, ଗୁର୍ଦି ଶାଗ ସିଝିଲା ।

 

ସୁକୃଜାନି ଆଜି ଭାରି ଖୁସି । ମାଣ୍ଡିଆ ଆଉ ଟିକ୍ରା ବସିଲେ, ଜିଲି, ବିଲି ବସିଲେ । ସୁକୃଜାନି କହିଲା, ‘‘ବୁଝିଲ ପିଲାମାନେ, କାଲି ସକାଳୁ ମାଳି ଦମକ, ଜମାନ୍‌ କହିଚି । ଆଉ ବେଶୀ ଡେରି ନାହିଁ ।’’ ପିଙ୍କା ଖଣ୍ଡିଏ ମୁହଁରେ ଦେଇ ତୁନିତାନି ସେ ବସି ଭାବିଗଲା । ହେଇ କାଠହଣା ହେଲା, ଘର ତିଆରି ହେଲା, ଜଙ୍ଗଲରୁ ଜମି ବାହାରିଲା, ତା’ପରେ ନାତି, ଅଣନାତି, ପଣନାତି ।

 

କହିଲା ‘‘ଯାଅ ଆଜି ସମସ୍ତେ ଧାଂଡ଼ାବସା ଧାଂଡ଼ୀବସା ଘରକୁ ।’’ ହସ ଉଚ୍ଛୁଳିଲା, ଲାଗିଲା ଖୁସିଗପ, ସଭା ଜମି ଆସିଲା । ଜିଲି ଅନ୍ଧାରରେ ବସି ବସି ଜଡ଼ାତେଲ ମାରି ମୁଣ୍ଡଟିକୁ ସୁତରେଇ କରି କୁଣ୍ଡେଇ ନେଲା । ମାଣ୍ଡିଆ ଡୁଙ୍ଗୁଡୁଙ୍ଗା ଖଣ୍ଡିକ ଚାଳରୁ ଓଟାରି ଆଣିଲା । ଗୋଟିଏ କଣରେ ଗପାମାରି ବସି କିଛି ନ ଜାଣିଲା ପରି ତା’ର ଯନ୍ତ୍ରର କାନ ମୋଡ଼ି ଟୁଂ ଟାଂ କଲା, ପରଖି ନେଲା ଠିକ୍‌ ଅଛି କି ନାହିଁ ।

 

ଖିଆପିଆ ସରିଲା ।

 

ଜିଲି ଚାଲିଲା ଗାଁର ଧାଂଡ଼ୀବସା ଘରକୁ । ମାଣ୍ଡିଆ ଗଲା ଧାଂଡବସା ଘରକୁ । ଅନ୍ଧାରୁଆ ବାଟରେ ମାଣ୍ଡିଆ ପଚାରିଲା, ‘‘କୁଇ ଯାଉଁଲେ ? (କୁଆଡ଼େ ଯାଉଛୁ ?)’’ ଜିଲି କହିଲା, ‘‘ଆର ତୁଇ ଯେ ?’’

 

ଗାଁ ମଝିରେ–ଏପାକ ସେପାଖ ଘର ଦୋଓଟି ।

 

ବାପା ମା’ଙ୍କଠୁ ଦୂରରେ ଏହିପରି ଏମାନେ ସବୁଦିନେ ଶୁଅନ୍ତି । ବାଧା ନାହିଁ, ବନ୍ଧନ ନାହିଁ । ଆକଟ ନାହିଁ । ଏହି ଦୁଇଟା ଘରକୁ କେନ୍ଦ୍ର କରି ପରଜା ଜାତିର ଇତିହାସ ଯୁଗେ ଯୁଗେ ଗଡ଼ିଚାଲେ....କେବଳ ଗୀତରେ ଗୀତରେ କଥାଭାଷା, ଏ ଘରୁ ସେ ଘର, ଯଦି କିଛି ଘଟିଯାଏ ସକାଳେ ନିଶାପ ବସେ, ଚାରିଅଣାର ରନ୍ଧାମଦ ଜୋରିମାନା କରି ଗାଁ ଯାକ ସମସ୍ତେ ପିଅନ୍ତି, ନାଚନ୍ତି, ଗାଆନ୍ତି, ଭୂମିଦେବତା ପାଖେ । ଏତିକି ଉଚିତ ଶାସ୍ତି ତରୁଣ-ତରୁଣୀଙ୍କର । ଯେ ଯାହାକୁ ଭଲପାଏ ତା ସାଙ୍ଗରେ ପଳାଏ । ଏତିକି ଝିଅର ବାପାକୁ ଦି’ କୋଡ଼ି ଟଙ୍କା ‘ଝୋଲା’(କନ୍ୟାସୁନା) ଦେଇଦେଲେ ବିଭାଘର ହେଲା ।

 

ରାତି । ଚାରିଆଡ଼ ଶୂନ୍‍ଶାନ୍‍ । ଗାଁ ମଝିରେ ଯେଉଁ ଝଙ୍କା ଓସ୍ତଗଛ ତହିଁରେ ବାଦୁଡ଼ି ଫଡ଼ ଫଡ଼ ହେଲେ । ତାରାଗୁଡ଼ିକ ଅନ୍ଧାରି ଆକାଶରୁ ଜୁଳୁଜୁଳୁ କରି ଅନେଇ ରହିଲେ, ଗାଁ ମଝିରେ ସେ ଧାଂଡ଼ୀବସା ଆଉ ଧାଂଡ଼ାବସା ଘରକୁ ।

 

ଧାଂଡ଼ାବସା ଘରୁ ଡୁଙ୍ଗୁଡୁଙ୍ଗା ବାଜି ଉଠିଲା । ଲାଉଖୋଳା ଉପରେ ଆଙ୍ଗୁଠିର ମୁଦି ଆଉ ଘୁଙ୍ଗୁର ଠକ୍ ଠକ୍ ଝୁମୁର୍ ଝୁମୁର୍ କରି ତା’ରର ଟଂ ଟଂ ତାଳ ସହିତ ଥାକକୁ ଥାକ ବାଗ୍‍ଲା ପରଜା ଗୀତ ବୋଲିଲା–

 

“ହୋଡ଼ାଇଲାରୁ ଜୋଣା ଲୋ–ସିଜାଇଲାରୁ ଜୋଣା,

ଏ ସତିଆ ଟୋକୀ, ତୋର୍ ତୋଲୁ ନାକେ ସୋନା,

ରାଁ ଗୁ ବାଁଧା ଡୁଙ୍ଗୁଡ଼ୁଙ୍ଗୁା ବଢ଼େ ଶୋବା ବାଜୁଲି,

ଆଇସିକେ ନେତାବାଡ଼ୁ ଜସି କାନ୍ଦୁଲି,

ଏ ସତିଆ ଟୋକା, ଜିଲି ବୋଲି ମଲି–”

 

ଅର୍ଥାତ୍–

 

“ପୋଡ଼ାହେବା ମକ୍‍କା ଓ ସିଝା ହେବା ମକ୍‍କା ନାଁରେ ମୁଁ ଗୀତ ଯୋଡ଼ୁଛି ତୋରି ଉଦ୍ଦେଶ୍ୟରେ । ହେ ସତିଆ ଟୋକୀ, ତୋର ତଳ ନାକର ସୁନା ଫାସିଆ କେଡ଼େ ସୁନ୍ଦର ! ସେହି ମୁହଁକୁ ଝୁରି ଝୁରି ମୋର ପିତଳ ତା’ରବନ୍ଧା ଡୁଙ୍ଗୁଡୁଙ୍ଗା ବାଜିଛି, କି ସୁନ୍ଦର ବାଜୁଛି ! ଖାଲି ଆକୁଳ ବିଳାପର ଧ୍ୱନି,–ବିଧବା ମା’ ଆଉଥରେ ବିଭା ହେଲେ ତାକୁ ପରଘରକୁ ନେଇଗଲାବେଳେ ତା’ର ଝିଅ ଯେପରି କାନ୍ଦି ମରେ, ସେହିପରି ମୁଁ କାନ୍ଦି ମରୁଛି । ହେ ସତିଆ ଟୋକୀ, ତୋର ନାଁ ଧରି ଜିଲି ଜିଲି ହୋଇ ମୁଁ ମଲି ।”

 

ଜିଲି ନିଶ୍ୱାସବନ୍ଦ କରି ଶୁଣିଲା, ପାଖରେ ପେଖନା କରି କାଜୋଡ଼ି ଶୋଇ ଶୋଇ ଫଁ ଫଁ ନିଃଶ୍ୱାସ ଛାଡ଼ୁଛି । ବାଗ୍‍ଲାର ଗୀତ ବନ୍ଦ ନ ହେଉଣୁ ମାଣ୍ଡିଆ ଧରିଲା ଗୀତ–

 

“ତିନିମାଣ ମାଣ୍ଡଆ ଚାରିମାଣ କୋସୁଡ଼ା

ବଇଁ କେଲୁବେ–

ଆକାଇଁ ବଗିଆଇଁ କୁମିଡ଼ୋରୁ ଚିକା

ବଇଁ କେଲୁବେ

ଆଇଲା ବଡ଼େ କାଜୋଡ଼ି ଆଇଲା ବଡ଼େ କାଜୋଡ଼ି

ବଇଁ କେଲୁବେ

ଗୀତରୁ ଆସାକେ କତାରୁ ଶୋସାକେ

ଦାଏଁ ଆଇଲୁସ୍

ଦବ୍ଡ଼ି ଆଇଲୁସ୍

ବଇଁ କେଲୁବେ– ”

 

“ତିନିମାଣ ମାଣ୍ଡିଆ ଚାରିମାଣ ସୁଆଁ ୟାରି ନାଁରେ ଗୀତ ଯୋଡ଼ିଦେଲି, ଖେଳ ଖେଳିବା ଆ–ତରତର ହୋଇ ମାଡ଼ି ଚାଲିଆ, କଖାରୁ ଲଟା ପରି ଲଟେଇ ପଡ଼ିବୁ ଆ, ଖେଳ ଖେଳିବା ଆ । ଏଇ ମୋର କାଜୋଡ଼ି ସତରେ ଆସିଲାରେ, ଖେଳ ଖେଳିବା । ଗୀତର ଅସଲ ଅର୍ଥ ନେ, କଥାର ଶସକୁ ଗ୍ରହଣ କର, ଧାଇଁ ଆସିଲୁ କି ଦଉଡ଼ି ଆସିଲୁ କି, ଖେଳ ଖେଳିବା ଆ ।” “ହେଇ ଲୋ ଭାଉଜ, ହେଇ ଲୋ ସାଙ୍ଗ, ହେଇ ହେଇ ।” କାଜୋଡ଼ିକୁ ଝିଙ୍କି ହଲାଇ ଦେଇ ଜିଲି କହିଲା,–“ହେଇଲୋ ଶୁଭୁଚି–”

 

“ତୁ ଶୁଣ–”

 

“ଡାକିଲା, ମୁଁ– ଉଠୁଚୁ ?” ଜିଲି ଚୁମୁଟି ପକେଇଲା, ହସି ହସି ଗଡ଼ିଗଲେ ଦିହିଁକା ଦିହେଁ-। କାଜୋଡ଼ି ଗୀତ ବୋଲିଲା, ଜିଲି ସେଥିରେ ସା’ ଦେଇ ଗାଈଲା, ଦିହେଁ ଗାଈଲେ–

 

“ଚିତାଚୁଡ଼ି ଜାଲେ, ହାଟାହୁଟି ଜାଲେ–

ମାଚୁ ଗିରିଗିଲୁ, କାଁକ୍‍ଡ଼ା ଗିରିଗିଲୁ ।

ହେଇ ମାମୁଁକି ଦେଖି, ହେଇ ଦାଦିକୁ ଦେଖି–

ଆମି ଡରିଗାଲୁ ଆମି ଗୁଚିଗାଲୁ ।

ଆମ୍ବାଗଣା ଗାୱେଁ ଆମ୍ବଡିଗାଣା ଗାୱେଁ

ଏଇ ମାଲୁଗୀତର ତାହା କତା–

ମୁଇଁ ବାରିଯିବିବେ ମୁଇଁ ଉଠିଯିବିବେ ।”

 

“ମାଛ ମାରିବାକୁ ଜାତି ଜାତି ଜାଲ ପକେଇଥିଲି, ମାଛ ବି ପଡ଼ିଲା କଙ୍କଡ଼ା ବି ପଡ଼ିଲା । କିନ୍ତିୁ ସେଠି ମାମୁଁକୁ ଦେଖିଲି, ଅଜାକୁ ଦେଖିଲି, ଡର ମାଡ଼ିଲା ଯେ ମୁଁ ଛାଡ଼ିଦେଇ ଦୂରକୁ ଚାଲିଗଲି-। ଯେଉଁ ଗାଁରେ ଖାଲି ଆମ୍ବ ଗଣତି ହୁଏ, ଆମ୍ବଡ଼ା ଗଣତି ହୁଏ, ସେହି ଗାଁର ମାଳୁଆ ଗୀତା କଥା ମୋଟେ ଏତିକି, ମୋଟ ଏତିକି, ଯେ ଯେଣେ ତେଣେ ମୁରବି ସାଲୁ ସାଲୁ, କେବଳ ଭୟ ଲାଜ । ନା, ମୁଁ ବାହାରି ଯିବିରେ ଉଠିଯିବିରେ–”

 

ପୁଣି ସେପାଖୁ ବାଗ୍‍ଲା ଧରିଲା ଡୁଙ୍ଗୁଡୁଙ୍ଗା । ଏଥର ତିନି ଚାରିଟା ଡୁଙ୍ଗୁଡୁଙ୍ଗା ଏକା ସାଙ୍ଗରେ ବାଜି ଉଠିଲା । ପତ୍ରରୁ ଅନ୍ଧାର ଖସି ଖସି ପଡ଼ିଲା । ପାହାଡ଼ମୁଣ୍ଡରେ ଉଠିଲା ଫାଳେ ବଡ଼ ଜହ୍ନ । ଡୁଙ୍ଗୁଡୁଙ୍ଗା ଝଣ ଝଣ ଭିତରେ ବାଗ୍‍ଲା ଗୀତ ବୋଲିଲା–

 

“ତଲୁମିଲିଗୁଡ଼ା ଚିତିରାରୁ ଶାଡ଼ି, ବେଗି ଦଉବେ, ବେଗି କାଚୁବେ, ଆଁ ଚାକୁଚିରେ ନନାରା ଆଣେ, ବେଗି ନାଚୁବେ, ବେଗି ଡେଗାଉଁବେ । ବାଲା ଗାଜୁନା ଶାବ୍ଡ଼ି ଗାଜୁନାଇଁ, ଏଇ ମାମୁଁଗାଓ୍ୱେଁ ଏଇ ଦାଦିଗାଓ୍ୱେଁ କିଚି ଲାଜୁ ନାଇଁ କିଚି ଡରୁ ନାଇଁ, ମାଚୁ ଗିରୁ ନାଇଁ କାଁକ୍ଡ଼ା ଗିରୁ ନାଇଁ ।” “ତଳମଲିଗୁଡ଼ା ଗାଁର ଯେଉଁ ଚିତ୍ର ବିଚିତ୍ର ଶାଢ଼ି ତୁ ପିନ୍ଧୁ, ଚଞ୍ଚଳ ତାକୁ ଧୋ, ଚଞ୍ଚଳ ତାକୁ କାଚ । ସୁବେଶ ହ, ସୁସଜ୍ଜିତ ହ, ଶୀଘ୍ର ନାଚ, ଶୀଘ୍ର ଡେଁ । ଭଲ କାଚ ନା’, ସୁନ୍ଦର କାଚ ନା’ । ମନ ଖୁସିରେ ନାଟ କର ଏଇ ମାମୁଁ ଘର ଗାଁରେ, ଏଇ ଅଜା ଘର ଗାଁରେ, ଏହି ପିତୃପୁରୁଷଙ୍କ ଗାଁରେ । ଏଠି କିଛି ଲାଜ ଡର ନାହିଁ । ତୋର ଜାଲରେ ଏଠି ମାଛ ପଡ଼ି ନାହିଁ କି କଙ୍କଡ଼ା ପଡ଼ି ନାହିଁ ।”

 

ଜିଲି ସ୍ୱପ୍ନ ଦେଖୁ ଦେଖୁ ଶୋଇ ରହିଲା, କାଜୋଡ଼ି ଯେତେ ଟାହିଟାପରା କଲେ ଉଠିଲା ନାହିଁ । ତା’ପରେ, କ୍ରମେ ଡୁଙ୍ଗୁଡୁଙ୍ଗା ବନ୍ଦ ହେଲା, ଆହୁରି ରାତି ବଢ଼ିଲା । ଅଧରାତିରେ, ଓସ୍ତଗଛରେ ପତ୍ରେ ପତ୍ରେ ଖେଳି ବୁଲୁଥାଏ ଜ୍ୟୋସ୍ନାର ସ୍ୱର, ଆଖି ମଳି ମଳି ଜିଲି ଉଠିଲା । ଦମଦମ ଛାତିରେ ଘଡ଼ିଏ କାଳ ଥକ୍‌କା ହୋଇ ରହିଲା । ତା ପରେ ମନେ ମନେ ଭାବିଲା, ‘ଉୁହୁଁ, ଆଜି ନାହିଁ ।’

 

କାଜୋଡ଼ିକୁ କୁଣ୍ଡେଇ ଧରି ଥିରି ହୋଇ ଶୋଇପଡ଼ିଲା ।

 

ତହିଁଆରଦିନ ସକାଳୁ ସୁକୃ, ମାଣ୍ଡିଆ, ଟିକ୍ରା ତିନିକା ତିନିହେଁ ଟାଙ୍ଗିଆ ଖଣ୍ଡିଏ ଲେଖାଏଁ ଧରି ଚାଲିଲେ ଦମକକୁ ।

 

ବାଟରେ ଜମାନ୍ ଦେଖା ପଡ଼ିଲା, ଆଉ ଗାଁର କମାନ୍ ସାରି କାଉଡ଼ିଆ (ବୋଝିଆ) ପଞ୍ଝାଏ ଧରି ନିରାପଦରେ ସେ ଫେରି ଚାଲିଛି । ସୁକୃଜାନିକୁ ଆଖି ଇସାରାକେ ଡାକି ଜମାନ୍ କହିଗଲା, “ବୁଝିଲୁ ବୁଢ଼ା, ତୁ ଯାହା ମାଗିଲୁ ମୁଁ ତା ଦେଇଗଲି । ପୁଣି ମୁଁ ଆସିବି, ମୁଁ ଯାହା ମାଗିବି ତା ତୁଦେବୁ ତ ?”

 

ସୁକୃଜାନି ଦୁଇ ପାପୁଲିକୁ କପାଳରେ ମାରି ଆକାଶକୁ ମୁହଁ କରି କହିଲା, “ତୁମର ଇଚ୍ଛା ମହାପୁରୁ, ତୁମେ ଅଧିକାରୀ ଲୋକ, ତୁମେ ବାପା, ତୁମେ ମା । ମୁଇଁ କିସ୍ ନାଇଁ କରିବି ତୁମକୁ ।”

 

ଜମାନ୍ ସନ୍ତୁଷ୍ଟ ହୋଇ ଚାଲିଗଲା ।

 

କାଠକଟା ଆରମ୍ଭ ହେଲା, ଦୁଲ୍ ଦାଲ୍ ଖାଲି କୁରାଢ଼ି ପାହାର । ଅଣ୍ଟା ପିଠି ଘୋଳି ହୁଏ ନାହିଁ, ଝୋଲା ମାରେ ନାହିଁ, ତୁହାଇ ତୁହାଇ ପାହାର ଉପରେ ପାହାର । ଭୋକ କଲେ ଲାଉତୁମ୍ବା ଭିତରୁ କାଢ଼ି ପତ୍ରଠୁଙ୍ଗାରେ ଅଜାଡ଼ି ଦେଇ ମାଣ୍ଡିଆ-ପେଜ୍‍ ଟିକିଏ ଟିକିଏ ପିଇଦିଅନ୍ତି, ପୁଣିକାମ ଚାଲେ । ଖରା ହୁଏ, ଜଙ୍ଗଲ ଝାଉଁଳେ, ନିଘଞ୍ଚ ଅରମା ଭିତରେ କାପ୍ତା ଘୁମୁରେ, ପତ୍ର ଖଡ଼ ଖଡ଼ କରି ଜୀଆଦ (ହରିଣ) ଦଉଡ଼ି ପଳାଏ, ପଲ ପଲ ମୟୂର ଉଙ୍କିମାରି ଦେଖି ଲୁଚିଯାନ୍ତି । ପରଜାମାନେ ଏକା ଧ୍ୟାନରେ ଗଛ ହାଣନ୍ତି । ସମସ୍ତିଙ୍କର ବିଶ୍ରାମ ଅଛି, ନାହିଁ ଖାଲି ମଣିଷର ।

 

ଏହିପରି ଡଂଗର ପାଇଟି (ବଣକାମ) ଲାଗି ରହିଲା । ମାସେ ବିତିଗଲା । ଜମି ସଫା ହେଲା । ସୁକୃଜାନିର ଦୁଆରେ କାଠଭାଡ଼ି ଆହୁରି ଉଞ୍ଚ ହେଲା, ବିରାମ ନାହିଁ ତଥାପି । ଝାଳ ଗମଗମ ଦେହରେ ଛାତି ଉପରେ ବାହାକୁ ଛକି କରି ସୁକୃଜାନି ପାହାଡ଼ ଆଡ଼କୁ ଅନେଇ ରହେ । କେତେ ବଣ ! କେତେ ଜମି ହୋଇପାରନ୍ତା । ପର୍ବତ ଉପରେ ସୁଆଁ, ଅଳ୍‍ସି, ଜଡ଼ା, କାନ୍ଦୁଲ, ଢାଲୁରେ ମାଣ୍ଡିଆ, ତଳର ଗହୀର ଖାଲରେ ଧାନ, ଝୋଲା କୂଳେ କୂଳେ କମଳା, କଦଳୀତୋଟା । କି ମାଟି ! କେତେ ଯୁଗର ସଢ଼ା ପତର ଗଦାହୋଇ ରହିଛି କଳା ଖତ ହୋଇ । ବଡ଼ ହରଡ଼ ଗଛ ପିଜୁଳି ଗଛଠୁ ଉଞ୍ଚା ହୁଏ । ଜଡ଼ା ଗଛରେ ବଳିଷ୍ଠ ଷଣ୍ଢା ବାହାରେ । ବଣରେ ରଇତର ଭାଗ ନାହିଁ, ତାଷରେ ରଇତର ଭାଗ । ବଣ ମରି ପାରନ୍ତା, ତାଷ ବଢ଼ିପାରନ୍ତା, ଭୂଇଁ ସୃଷ୍ଟି କରିଛି ଆକାଶର ମହାପ୍ରଭୁ, ଅନ୍ତରାୟ କେବଳ ମଣିଷ ।

 

ବଡ଼ ଭବିଷ୍ୟତର କଥା ତା’ର ମୁଣ୍ଡରେ ପଶେ ନାହିଁ । ସେ ଭାବେ ତା’ର ଆପଣାର ସାନ ବର୍ତ୍ତମାନର କଥା । ଜମାନ୍ ବଣ ହାଣିବାକୁ ଅନୁମତି ଦେଇଛି–ଭଲ, ଜମାନ୍, ଜୀତା ରହୁ । ସୁକୃଜାନି କହେ, ‘‘କାଲିକି ସେ ଚାବ୍ରାଁ (ଚଟାଣ) ଆରପାଖଟା, ବୁଝିଲୁରେ ମାଣ୍ଡିଆ, ସେ ଚାବ୍ରାଁ ଆରପାଖେ ଖାଲି ସରିଗି (ଶାଳ) ଆଉ ସାହାଜ ଗଛର ବଣ ।"

 

ଅସରନ୍ତି ଆଶାରେ ସଞ୍ଜର ମଳିନ ଆଲୁଅକୁ ଭେଦକରି ସେ ଦୃଷ୍ଟି ପକାଏ ବହୁତ ଦୂରକୁ ।

ମାସେଗଲା–

ଜଙ୍ଗଲ ଜମାନ୍‌ର କମାନ୍‌ ପଡ଼ିଲା ପୁଣି ।

 

ପୁଣି ତା’ର ମୁରୁଚାଖିଆ ବନ୍ଧୁକଟି କାନ୍ଧରେ ପକାଇ କାଉଡ଼ିଆ (ବୋଝିଆ) ଗୁଡ଼ିଏ ପଛରେ ବାନ୍ଧି ଜଙ୍ଗଲ ଜମାନ୍ ଏ ପାହାଡ଼ରୁ ସେ ପାହାଡ଼ ଡେଇଁ ଡେଇଁ ଚାଲିଗଲା ।

 

ଶାନ୍ତ ସୁନ୍ଦର ନୀରବ ଜଙ୍ଗଲ । ଗହୀର ଝୋଲାରେ ଝିରି ଝିରି ପାଣି, ଜଳପ୍ରପାତ ତଳେ ତଳେ ରୂପର ତୁଠ । ଜମାନ୍‍କୁ ଭଲ ଲାଗେ । ସେ ଅଧିକାରୀ, ଡରକୁଳା ଦେଶୀୟ ପଲ ଭିତରେ ରଜା ପରି, ଆଖି ରଙ୍ଗ କଲେ ଗର୍ଭିଣୀ ଗାଈ ବାଟ ଛାଡ଼େ, କେହି କହି ନାହିଁ ‘ ନାହିଁ’ ବୋଲି । ନିଜର ବଡ଼ତିରେ ସେ ଫୁଲି ଫୁଲି ବାଟ ଚାଲେ, ସବୁ ଭଲ ଲାଗେ ।

 

ହେଇ ‘ଭେରିକିପଦର’ ଗାଁ ଭିତରେ ମାଣ୍ଡିଆ କ୍ଷେତ ଭିତରେ ବାଟ ପଡ଼ିଛି । ସାବୁଜା ଭିତରେ ନାଲି ଟୋପା ପରି ନାଲି ଲୁଙ୍ଗିପିନ୍ଧା ଧାଂଡ଼ୀ (ଯୁବତୀ) କେତୋଟି ନଇଁପଡ଼ି ଘାସ ବାଛୁଛନ୍ତି-। ଚାଲିଛି ଜମାନ୍ । ଖଣ୍ଡେ ଦୂର ନ ଯାଉଣୁ ବଣୁଆ ଧାଂଡ଼ୀ ଗୀତ ବୋଲିଲେ । କି ସୁନ୍ଦର ଗଳା, ମାଣ୍ଡିଆ କ୍ଷେତ ଉପରେ ପବନ ଢ଼େଉ ପରି ଉଠୁପଡ଼ ଗୀତର ସ୍ୱର ଲହଡ଼ି ଭାଙ୍ଗିଲା–

 

‘‘ହେ ଅଚିହ୍ନା ବିଦେଶୀ, ତୁମେ ଆମ ଗାଁରେ ପଶି ବାହାରି ଚାଲିଗଲ, କଥା ପଦେ କହିଲ ନାହିଁ । ଚାଲିଗଲ, ଯାଅ ସିନା, ଆଜି ରାତିରେ ଜହ୍ନ ଯେତେବେଳେ ଉଇଁବ, କୁଟ୍ରା ବୋବାଳି ପରେ, ଆମେ ତୁମକୁ ଝୁରି ମରିବୁଁ ।’’

 

ଜମାନ୍ ଅଟକି ରହି ଶୁଣିଲା । ସରଳ ଗୀତର ସରଳ ଭାବ ତା’ର ମନକୁ ଛୁଇଁଲା । ବୋଝିଆ ପଚାରିଲା, “ଏ ଗାଁରେ ଆଜିକ ରହିଯିବୁ କି ବାବୁ ?”

 

ଜମାନ୍ କହିଲା, ‘‘ନା, ରହିଗଲେ ଆମର କାମ ଚଳେ ନାହିଁ ।”

 

ସର୍ଷୁପଦର ପାହାଡ଼ ଦିଶିଲା, ଆଉ ତା’ର ଅଣ୍ଟାରେ ଗୁରେଇ ହୋଇଥିବା ଗଛର ବଳା । ତା’ପରେ ଦିଶିଲା ସର୍ଷୁପଦର ଗାଁ ।

 

ସ୍ଥାନର ସାନ୍ନିଧ୍ୟରୁ ଭାବନାର ସାହଚର୍ଯ୍ୟରେ ମନେପଡ଼ିଲା ଗୋଟିଏ ଛୋଟିଆ ହଜିଲା ଛବି । ତଳ ମନରୁ ଉପରକୁ ଭାସିଉଠିଲା ଗୁଡ଼ାଏ ଦରହଭୁଲା ଅନୁଭୂତି । ନିଛାଟିଆ ଝରଣା ତୁଠ । ଜିଲି ମନରେ ଆନନ୍ଦ ଖେଳିଗଲା, ପୁଣି ସେ ଆସିଛି । ସେହି ଜାଗାକୁ ।

 

ସବୁଥର ପରି ପୁଣି ‘ନାଇକ’ ପିଣ୍ଡାରେ ରହଣି । ସାନ ପିଲାଏ ଖେଳ ଭାଙ୍ଗିଦେଇ ପଳେଇଲେ । ସ୍ତ୍ରୀଲୋକମାନେ ଘର ଭିତରକୁ ପୂରିଯାଇ ବିଲୁଆଗାତ ପରି ବଖରାଭିତରୁ ଆଖି ଜୁଳୁ ଜୁଳୁ କରି ଅନେଇ ରହିଲେ । ପୁଣି ‘ବାରିକ’ ସାହି ସାହି ଘର ଘର ବୁଲି ଲୋକ ଉଠେଇଲା, ‘ନାଇକ’ ଲାଗିଲା ସେବାରେ । ଛେଳି ଆସିଲା, କୁକୁଡ଼ା ଆସିଲା, ପରିବା ଆସିଲା, ଲୋକ ମୁଣ୍ଡିଆ ମାରିଲେ । ଜମାନ୍ ବସା କଲା । ବେଳବୁଡ଼େ ବୁଲି ଗଲାବଳେ ମନପଡ଼ିଲା ଝୋଲାର ତୁଠ । ଏକୁଟିଆ ଜମାନ୍ ବୁଲିଗଲା, ଦେଖିଲା ଝୋଲାର ତୁଠ ଖାଲି । ହତାଶ ଲାଗିଲା, ତଥାପି ସେ ଆଶା ବାନ୍ଧି ବସି ରହିଲା । ବିଶ୍ୱାସ ଥାଏ ବେଳ ହୋଇନାହିଁ, ହୁଏତ ଜିଲି ଆସିବ । ଉଢ଼ୁଆଳରେ ଲୁଚିରହି ଜମାନ୍ ଦେଖିଲା ଦୁଇ ତିନି ପଞ୍ଝା ଆସିଲେ ଗଲେ, ସେ ଯାହାକୁ ଖୋଜୁଛି ଏଥିରେ ସେ ନାହିଁ । ଆହୁରି ଛାଇ ବଢ଼ିଗଲା, ଏଣିକି ମୁଁହସଞ୍ଜ । ‘ଦେଖାଯାଉ’ ଦେଖାଯାଉ ଭାବି ସେହିପରି ଜମାନ୍ ବସି ରହିଥାଏ । କେତେବେଳେକେ–ଏକୁଟିଆ ମାଠିଆଟିଏ ଧରି ଜଲି ଆସିଲା । ଜମାନ୍ ହୁ’ କରି ବାହାରି ପଡ଼ିଲା । ଓହଳି ପଡ଼ିଥିବା ହୁଗୁଳା ନିଶକୁ ସାଉଁଳି ସାଉଁଳି ହସି ହସି ଜମାନ୍ ସମ୍ଭାଷଣ ଆରମ୍ଭିଲା–“କି ବେ ନୁନି (ଟୋକୀ), ଚିହ୍ନି ପାରୁଚୁ ?”

 

“କିସ୍ ପାଇଁ ନ ଚିହ୍ନିବି ?” ଜିଲି କହିଲା ।

“ବଡ଼େ ନିକ (ଭଲ)ଟେ ରେ ତୁଇ ନୁନି ।”

“ତୁଇ ସେ କୋନ୍ ଊଣା–”

 

ଜମାନ୍ ଆଗେଇ ଆସିଲା, ଥଟ୍ଟା ନକଲ ଆରମ୍ଭ ହେଲା, ଜୁଲି ଯୋଗ ଦେଲା । କୌଣସି ପ୍ରକାର ଥଟ୍ଟା ନକଲକୁ ପାହାଡ଼ର ଝିଅ ହାରିଯିବାର ନୁହେଁ । ଅତି ଶରଧାରେ ଧାଂଡ଼ାବସାଘର ଧାଂଡ଼ୀବସା ଘରର ଟୋକାଟୋକୀମାନେ ପରସ୍ପରକୁ ସ୍ନେହର ନାଁ ଦିଆଦେଇ ହୁଅନ୍ତି । ଟୋକାମାନେ ଟୋକୀମାନଙ୍କୁ ଦିଅନ୍ତି ‘ସାରିଆ ଫୁଲ’ (ଧାନ ଫୁଲ) ‘ବାଲ ଫୁଲ’, ‘ସାରିଆ ଦାନ୍‌’, ଟୋକୀମାନେ ଟୋକାଙ୍କୁ କହନ୍ତି, ‘ସରୁବାଲି’, ‘ରଂ ବାଲି’, ପରସ୍ପରର ଦେହରଗୋରା ରଙ୍ଗକୁ ଉଲ୍ଲେଖ କରି । ଜମାନ୍‌ କହିଲା, ‘‘ସାରିଆ ଫୁଲ୍‌ ବସିକୁ ମୋ ସାଙ୍ଗରେ ?’’

 

‘‘ଆଲେଃ (ହଉ), ମୁଇଁ ସାରିଆ ଫୁଲ୍‌ ତୁଇ ସେ ବରଂ ବାଲି ।’’

‘‘ମୁଁ ଆଜି ରହୁଚି, ନାଟ କରିବୁ ରାତିରେ ?’’

‘‘ତୁଇ ଡୁଙ୍ଗୁଡୁଙ୍ଗା ବଜାଇ ଗୀତ୍‌ ମାରୁନ୍‌ (ମାରିବୁ), ନାଚୁନ୍‌ (ନାଚୁଁ) ଡେଗାଉଁ (ଡେଉଁ)’’

ଦୁହେଁ ହସିଲେ ।

ଜମାନ୍‌ ଗୀତ ବୋଲିଲା–

‘‘ସାରିଆଗାରୁ କାତି କାଡ଼ୁ ଶୁଣ୍ଡିଗାରୁ ହିଣ୍ଡା,

ଆଇଲୁସ୍‌ରେ ଟୋକୀ ତୁଇ କେଡେ ରିସି ଡିଣ୍ଡା ।’’

 

‘‘ସାରିଆଫୁଲ ଘରର କାନ୍ଥ ଆଉ ଶୁଣ୍ଢିଘର ପରି ଚଉଡ଼ା ପିଣ୍ଡାକୁ କଥାରେ ଯୋଡ଼ି ଗୀତ କହୁଛି; ଭାରି ବଳ ଦେଖାଉଛୁରେ ଟୋକୀ, ଆଇଲୁ ଦେଖିବାକେତେ ବଳ ତୋ’ର ?’

 

କହି କହି ଜମାନ୍‌ ଚମକି ଆସିଲା, ଜିଲିର କାନ୍ଧରେ ଦୁଇ ହାତକୁ ରଖି ଆଖିକୁ ଅନେଇଁ ହସିଦେଲା । ଦେହ ଝାଡ଼ି ଦେଇ ଅଲଗା ହୋଇ ଜିଲି ଠିଆ ହେଲା । ମୁହୂର୍ତ୍ତକର ଉତ୍ତେଜନାକୁ ବଣଦେଶର ଅଭିଆଡ଼ୀ ଝିଅ ସେତେ ବଡ଼ ବୋଲି ଭାବେ ନାହିଁ, କିନ୍ତୁ ପରିହାସର ଗୋଟିଏ ସୀମା ଅଛି, ବିଦେଶୀ ଜମାନ୍‌ ସୀମା ଲଘଂଛି । ଜିଲି ନାଗସାପ ପରି ଫଁ କରି ଉଠିଲା ନାହିଁ କିମ୍ବା ଖୁସି ହେଲା ନାହିଁ । ଥକ୍‌କା ହୋଇ ଅନେଇ ରହିଲା ଜମାନ୍‌ ମୁହଁକୁ ।

 

ଏତିକିବେଳେ ଝୋଲାର ସେ ଖଣ୍ଡିରେ ଜୁନାଗୁଡ଼ା ହାଟ ଫେରନ୍ତି ଦେଶିଆ ଲୋକେ ପାଟି କରି କରି ଗଲେ । ଜମାନ୍‌ ହଟିଗଲା, ଚାରିଆଡ଼କୁ ଅନେଇଁ ଦେଖି ପୁଣି ପାଖକୁ ଆସିଲା । ଡାକିଲା, ‘‘ସାରିଆ ଫୁଲ୍‌ !’’

 

ଜିଲି ଜବାବ୍‌ ଦେଲା ନାହିଁ । ଅଠାକାଣ୍ଡିଆ ପରି ଉପରକୁ ଉପରକୁ ଆଶା ଖଞ୍ଜି ଖଞ୍ଜି ଜାମାନ୍‌ କହିଲା, ‘‘କେହି ତ ନାହିଁ, କିସ୍‌ ପାଇଁ ଡରୁଛୁ ? ଚାଲ୍‌ ସେ ପାଖକୁ ଯିବା, ନଳି ଧରି ହରଡ଼ ଚଢ଼େଇ ଲାଛିବା ।’’ ଆଗ୍ରହରେ ଦୁଇ ହାତ ବଢ଼େଇ ଜମାନ୍‌ ଦୁଇ କ୍ଷେପ ଆଗକୁ ମାଡ଼ିଲା । ଗମ୍ଭୀର ହୋଇ ଜିଲି ଠିଆ ହୋଇଥାଏ । ତଳିପାରୁ ତାଳୁ ପର୍ଯ୍ୟନ୍ତ ଖୋଜିଲା ଖୋଜିଲା ଚାହାଣୀରେ ବିଦେଶୀକୁ ପରଖି ଅନେଇଁ ଜିଲି ଦେଖିଲା–ଡେଙ୍ଗା ଲୋକଟାଏ, ଖାଲ ଖାଲ ଗାଲ, ମାଳ–ଜରରେ ସଢ଼ି ସଢ଼ି ସରୁ ସରୁ ଲମ୍ବ ଲମ୍ବ ହାତ ଗୋଡ଼ ।

 

ଜମାନ୍‌ ସଁ ସଁ ହୋଇ ଦାନ୍ତି ଚିପି ଚିପି କହୁଥାଏ, ‘‘ଯୁଃ–ଯୁଃ (ଯିବା ଯିବା)’’ ।

 

ସରଳ ଭାବରେ ଜିଲି ତାକୁ ତଉଲି ଦେଖିଲା–ଏଇ ମଣିଷଟା ହେବ ତା’ରଅଣ୍ଡ୍ରା (ପୁରୁଷ, ବର) ! ଛେ ! ବାଗ୍‍ଲା ମନେପଡ଼ିଲା । ଏଡ଼େ ବଡ଼ ହାସ୍ୟାସ୍ପଦ ତୁଳନା ! ଜିଲି ବିରକ୍ତ ହେଲା । କିଛି ନ କହି, ପଛ ବୁଲେଇ ଦେଇ ଘରକୁ ଫେରିଗଲା, ଜମାନ୍‌ ତା’ର ପଛେ ପଛେ ।

 

ଘର ପାଖେ ପଛରୁ ଡାକି ଜମାନ୍‌ ପାଟିକଲା । ‘‘କହାଘର ଏଇଟା ?’’

ବୁଲିପଡ଼ି ଜିଲି କହିଲା, ‘‘ଆମର’’ ।

‘‘କି ନାଁ ତୋ ବାପାର ?’’

‘‘ସୁକୃଜାନି । ’’

‘‘ଓ !’’

ଜିଲି ଘର ଭିତରକୁ ଗଲା । ବିଲି ଥାଏ ଦୁଆର ମୁହଁରେ ।

ଜମାନ୍‌ କହିଲା–

‘‘କାହିଁ ତୋର ବାପା ?’’

‘‘ଡଁଗର ପାଇଟିକୁ (ବଣକାମକୁ ) ଯାଇଛି ।’’

‘‘ଘର ଆଲ୍ରା (ଅସନା) କରିଛି କି ଭଲ ରଖିଛି ରେ ?’’

 

ଘର ତନଖିକରିବା ସଉଦା (ଖାନତଲାସ) କରିବା ମଧ୍ୟ ଗୋଟିଏ ଉପଯୁକ୍ତ କାରଣ । ଜମାନ୍‌ ଘର ଭିତରକୁ ପଶିଗଲା । ଭିତରେ ଅନ୍ଧାର । ଏଇଟା କ’ଣ ସେଇଟା କ’ଣ କହି କହି ଜିଲି ପଛେ ପଛେ ସେ ଠାସୁକୁ ମାରି ଉଣ୍ଡି ବୁଲିଲା । ବୁଦ୍ଧି ବିବେକ ମୋହରେ ଢଙ୍କା ପଡ଼ିଥାଏ, ହୋସ୍‌ ନାହିଁ କେଉଁଟା ଭଲ କେଉଁଟା ମନ୍ଦ । ଆଶ୍ଚର୍ୟ୍ୟ ହୋଇ ବିଲି ବି ଘର ଭିତରେ ପଶିଥିଲା । ଜମାନ୍‌ ପୁଣି କ’ଣ ଭାବିଲା, କହିଲ, ‘‘ବଡ଼ ଅନ୍ଧାର–’’ । ପଦାକୁ ଆସି ଚାଲିଗଲା, କହିଗଲା ‘‘ବାପା ଆସିଲେ କହିଦେବୁ ଜମାନ୍‌ ଅଧିକାରୀ ଆସିଥିଲା ।’’

 

ସୁକୃଜାନି ପୁଅ ଦୁହିଁଙ୍କ ସଙ୍ଗେ ଘରକୁ ଆସି ଶୁଣିଲା, ଜମାନ୍‌ ଆସିଥିଲା, ଘର ଭିତରକୁ ପଶି ବୁଲି ବୁଲି ଦେଖିଥିଲା । ସେ ଆଶ୍ଚର୍ଯ୍ୟ ହେଲା ନାହିଁ । ଏହିପରି ନାଁ କେତେ ଅଧିକାରୀ ଆସନ୍ତି, ଦେଶିଆପଲ୍ଲୀରେ ବୁଲି ବୁଲି ଦେଶିଆର ଘର ଭିତରେ ଦେଖିବାକୁ ତାଙ୍କର ଆଗ୍ରହ ଥାଏ । କିଏ ଅନୁଗ୍ରହ ଦେଖାଇ ଆସେ, କିଏ ଆସେ ତନଖି କରିବାକୁ–ରନ୍ଧାମଦ ଅଛି କି ?- ଚୋରା ମାଲ୍‍ ଅଛି କି ? କି କି ଜାତିର କାଠ ଲାଗିଛି ଘର ଛାତରେ ? କିଛି ନ ହେଲେ,–ଦେଶିଆ କେମିତି ଚଳୁଛି ତା କୁଡ଼ିଆ ଭିତରେ ? ଘର ସଫା ରଖିଛି କି ମଇଳା କରିଛି ?

 

ସୁକୃଜାନି କହିଲା, “ବାପ ସେ, ମା’ ସେ, ଆସିଥିଲେ ଯଦି ଆମର ଭାଗ୍ୟ– ।” ଜିଲି ଖାଲି କହିଲା–“ହୁଁ” ।

 

ସୁକୃଜାନି କହିଲା, “ସେ ନିଜେ ଆସିଥିଲେ, ମାହାପ୍ରୁ, କିଛି ଦେଇପାରିଲୁ ନାହିଁ, ଆମେ ତ ନ ଥିଲୁଁ । ଆଜି ତ ରାତି ହେଲାଣି, କାଲିକି କଦଳୀ ଖଣ୍ଡେ କୋଉଠୁ ଆଣିବା ଆଉ ଯିବା, ନାଇଁରେ ପିଲେ– ?”

 

ଜିଲି ସେଠି ନ ଥିଲା ।

ସେହି ରାତିରେ–

 

ଗାଁର କୋଳାହଳ ସରି ଆସିଥାଏ, “ପରଜା ପେଜ୍‍ବେଳା” ଗଡ଼ିଯାଇଥାଏ, ସୁକୃଜାନି ପଦାରେ ବୁଲୁଥିଲା । ଅନ୍ଧାରର ପିଙ୍କା ଜୁଳୁ ଜୁଳୁ କରି ଗାଁ ନାଇକର ଗୋତି (ଚାକର) କାଉ ପରଜା ଆସି ସୁକୃଜାନିକୁ କରକୁ ଡାକିନେଲା । ଫୁସ୍ ଫୁସ୍ କରି କ’ଣ କହିଲା ।

 

“ହଁ–ହଁ….. ଜିଲିକୁ ରେ–ମୁଁ କ’ଣ ମିଛ କହୁଛି ?...ତୋରି ଝିଅ ଜିଲିକୁ……ଜମାନ୍–”

 

ସୁକୃଜାନି ଗର୍ଜନ କରି ଉଠିଲା “ରହ ରହ, ତତେ ଆଜି ପଣ୍ଢେଇ ପିଟା କରି ଛାଡ଼ୁଚି ରହ–”

 

“ରାଗୁଚୁ କାହିଁକି ଜାନି, ମୋର କି ଦୋଷ, ଜମାନ୍ ପଠେଇବାରୁ ମୁଁ ଆସିଛି ନା ମୋ ମନକୁ ? ପ୍ରଭୁ ଅଧିକାରୀ ଆଇଲେ ସବୁ ଗାଁରେ କାହାର କେମିତି ଡକରା ପଡ଼େ, ତାଙ୍କର ଇଚ୍ଛା, ତାଙ୍କର ଦୟା । କାହାର ସାହାସ ଅଛି କହିବ ‘ ନାହିଁ’ ? କେତେ କଥା ବାହାର କରିବେ, କିଏ ବାଣ ମାରିଛି, ଦୁଆର ଘର ଅସନା କରିଛି, ସବୁ ଲେଖି ନେଇ ରିପୋଟ୍ କରିଦେବେ, ଜଣକ ଉପରେ କୋପ କଲେ ଗାଁ ଯାକ ଲୋକଙ୍କୁ ବନ୍ଧେଇ ନେବେ ସିନା । ତୁ ନାହିଁ କର୍‍ନା ଜାନି, ତାଙ୍କର ପାଦୁକା ଶୀତଳ ଥାଉ– ।”

 

“କି କଥା କହୁଚୁରେ କାଉ, ମୋ’ରି ଜିଲିଠିଁ ଅଧିକାରୀଙ୍କ ଦୃଷ୍ଟି ପଡ଼ିଲା କାହିଁକି ? ମୁଁ କି ଦୋଷ କଲି ?”

 

ଡମ୍ବସାହି ଅଛି, ଖ୍ରୀଷ୍ଟାନ୍‌ସାହି ଅଛି, ଡାକଟାଏ ମାରିଦେଲେ ପୁଞ୍ଜା ପୁଞ୍ଜା ବାହାରି ଆସିବେ । ଅଧିକାରୀକୁ ଯଦି ଏତେ ଡର, ଯାଉନୁ କାହିଁକି ସେଠିକି ? ସେ ଟିମ୍ପା (ବାଙ୍ଗ୍ରା) ବ୍ରାହ୍ମଣ ବଡ଼ ଅଧିକାରୀ ଆସିଥିଲା ଯେଉଁଥର, ସେଇ ଯାହାର ଚୁଡ଼ା କପାଳ, ତୋଟା ଭିତରେ ତମ୍ବୁ ଗାଡ଼ିଥିଲା (ପୋତିଥିଲା), ଦି’ଟଙ୍କା ପଠେଇଦେଲା, ପିଲିମନୁ ଘରୁ ପ୍ରେମସୁନ୍ଦରୀ ଗଲା, ଜୋହାନ ଘରୁ ଗଲେ, ଆଲିସାନ୍ଦର ଘରୁ ଗଲେ ।

 

ଆମେ ଗରିବ ରଇତଲୋକ, ଛେଳି ଦେଲୁଁ, କୁକୁଡ଼ା ଦେଲୁଁ, ଆମ ଉପରେ କାହିଁକି ଅଦୋଉତି ? କାଲି ସକାଳେ ଝୋଲାଟଙ୍କା ଆଣିଲେ ବାଗ୍‌ଲ ଆସିବ ଜିଲିକୁ ନେବାକୁ–”

 

“ତାଙ୍କର ମନ୍ ଜାନି, ସବୁ ତାଙ୍କର ମନ୍ । କ’ଣ କହିଲା ଜାଣିଛୁ, ‘ଲହୁଣି ପରି ନରମ ହାତଗୋଡ଼, ପାହାଡ଼ ପରି ଛାତି, ବିଜୁଳି ପରି ଦେହର ରଙ୍ଗ । ପରଜା କୁଳରେ ଏମିତି ତ କାହିଁ ଦେଖି ନାହିଁ ! ତା’ର ବାପ ସୁକୃଜାନି, ତା’ର ନା ଜିଲି, ଯା ତା’ର ବାପ୍ କେ କହିବୁ । ବେଡ଼େ (ଦି’ ଅଣା) ପାର୍କେ (ଦି’ ପିସା) ପଠେଇ ଦେଇଛି, ହେଇ ଦେଖ୍ କହିଲା–ଦେଇଦେବୁ କହିବୁ ଧୂଆଁ ଖାଇବ–”

 

ସୁକୃଜାନି ଗୋଟା ସୁଦ୍ଧା ଥରୁଥାଏ । କାଉ ପରଜାର କଥା ନ ସରୁଣୁ ବୁଢ଼ା ମାଡ଼ି ବସିଲା କାଉ ପରଜାକୁ । ପିଠିରେ ଗାଲରେ ଦୁମ୍‌ଦାମ୍‍ ମାଡ଼ । “ନେ–ନେ–ଆହୁରି ନେ ଦେଇଦବୁ ତୋର ଜମାନ୍ ଅଧିକାରୀକୁ–ଡଙ୍ଗର୍‍ଶିସ୍ତୁ–ନଙ୍ଗଳ୍–ପାନୁ–ନେ–ନେ–ଆହୁରି ନେ ଯା ପଳା”

 

ଆଖିରେ ଅନ୍ଧାରେ ଦିଶୁଥାଏ, ଦେହ ଫୁଲିଯାଇଥାଏ । ଏଇ ହାତରେ ସେ ଶାଳଗଛକୁ କଚାଡ଼ି ପକାଏ । ଏଇ ହାତରେ ପଥରକୁ ଭାଙ୍ଗି ମାଟି କରେ । ରାଗି ଗଲେ ପରଜା ବଣର ଜନ୍ତୁ ।

 

କାଉ ପରଜା ସୁଁ ସୁଁ ହୋଇ ଅନ୍ଧାରେ ପଳେଇଲା । ବିଲୁଆ ପରି । ରାଗରେ ଅପମାନରେ ସୁକୃଜାନିର ଦେହ ଜଳିଯାଉଥାଏ । ଭାବିଲା ସେ ଜମାନ୍ ପାଖକୁ ଯିବ, ପୁଣି ତା’ର ଖିଆଲ ହେଲା, ଛି, ଛି, ଏ କଥା କ’ଣ କାନକୁ ଦି’ କାନ କରାଯାଏ ! ଶୀତଳିରେ ମୁଣ୍ଡ ଥଣ୍ଡା ହେଲା, ରାଗ ପଡ଼ିଗଲା ତଳକୁ । ପିଣ୍ଡା ଉପରେ କାନ୍ଥକୁ ଆଉଜି ମୁଣ୍ଡରେ ହାତଦେଇ ସେ ବସି ଭାବିଲା । ରାଗ ସେ ରୋକି ପାରି ନାହିଁ ।

 

କିନ୍ତୁ ପରିଣାମ !

 

ତହିଁ ଆରଦିନ ସକାଳୁ ଜମାନ୍ ଫେରିଗଲା । ସିଟି ମାରି ମାରି ବାଡ଼ି ହଲେଇ ହଲେଇ କାନ୍ଧରେ ବନ୍ଧୁକ ପକେଇ ସେ ଗଲା, ଯେପରି କିଛି ଘଟି ନାହିଁ । କାହାରିକୁ କିଛି ସେ କହି ନାହିଁ, ସାତ ପରସ୍ତ ଆବରଣ ତଳେ ଅପମାନକୁ ସେ ବୁଜୁଳା ବାନ୍ଧି ଲୁଚେଇ ନେଇଗଲା, କେହି ଜାଣିଲେ ନାହିଁ । ଲୋକେ ଅଧେ ବାଟ ପର୍ଯ୍ୟନ୍ତ ବାଟ ବତେଇ ଦେବାକୁ ଧାଇଁ ଧାଇଁ ଗଲେ । ଜମାନ୍‌ ଚାଲିଗଲା ।

 

ନିତି ଦିନର ଘସରା ଗତରେ କାମ ଚାଲେ, ଦିନବେଳେ କାମ ମାଳିଦମକ ପବର୍ତରେ କୁରାଢ଼ୀର ଠୋଠା, ସଞ୍ଜବୁଡ଼େ ଘରୋଇ ପଙ୍ଗତ, ରାତିରେ ଡୁଙ୍ଗୁଡୁଙ୍ଗା, ଗୀତ । ସବୁ ଆଗପରି, କେବଳ ଥରେ ଥରେ ସୁକୃଜାନିର ଆଖି ଉପରେ କିଏ ଯେପରି ପରଳ ବିଛେଇ ଦିଏ, ମନଖୋଲା ହସଖୁସି ମଝିରେ ତଣ୍ଟିରୁ ଚିପି ଧରେ, ଖାଲ ଉପରେ ପବର୍ତର ଛାଇ ପରି ମୁହଁରେ ବିଷାଦ ଟାଙ୍ଗି ହୋଇ ରହେ । ସୁକୃଜାନି ଡରେ, ମନେପକାଏ ଅଧିକାରୀ କୋପ କରି ଗଲା କ’ଣ ହେବ କିଏ ଜାଣେ ? ମୂରୁଖ ଦେଶିଆ ପଦାକୁ ଗୋଡ଼ ବଢ଼େଇଲେ ତା’ର ଦୋଷ ଧରା ହୋଇପାରେ । ଜାଣିଲେ ଦୋଷ, ନ ଜାଣିଲେ ଦୋଷ । ହାତଯୋଡ଼ି କପାଳରେ ମାଡ଼ି ସୁକୃଜାନି ତା’ର ପରଜା ଜାତିର ଦେବତାମାନଙ୍କୁ ସ୍ମରଣ କରେ, କହେ “ହେ ମା’ ବସୁମତି ନିଶାଣିମୁଣ୍ଡା, ହେ ବାପା ଝାକରୁ ଦେବ୍‌ତା, ପାରା ବଳି ଦେବି, କୁକୁଡ଼ା ବଳି ଦେବି, ଅନିଷ୍ଟ ନ ହେଉ ।”

 

ପନ୍ଦର ଦିନ ଗଲା, ମାସେ ଗଲା, ଦୁଇମାସ ଗଲା, ଜମାନ୍‌ ଆସିଲା ନାହିଁ । ସୁକୃଜାନି ଭାବିଲା ଜମାନ୍ ବୋଧହୁଏ ବଦଳି ହୋଇଗଲା, ଦେହର ପ୍ରାଣ ପଶିଲା । କାଠ ହଣା ହୁଏ, ଅବସର ପାଇଲେ ସେହି ମାଳି ଦମକ ତଳେ ଗହୀର ଝୋଲାରେ ଗାଈ ଜଗୁଆଳଙ୍କ ସଙ୍ଗେ ମିଶି ମଦ ରନ୍ଧାହୁଏ । ମଦ ନଚାଏ, ମତାଏ, କାମ ଉଠାଏ, ବଣ ସଫା ହୁଏ । ବଣ ମାରିଲେ ରଜାଗର ଦାମିକା ଜଙ୍ଗଲ ଲୋକସାଣ ହୁଏ, ମଦ ରାନ୍ଧିଲେ ସରକାର ଘର ଡିପ୍‌ (ଡିପୋ) ମଦ ବିକ୍ରି କମିଯାଏ । ନିର୍ବୁଦ୍ଧିଆ ପାହାଡ଼ି ଲୋକର ପଥୁରିଆ ମୁଣ୍ଡରେ ଏତେକଥା ଗଳେ ନାହିଁ, ସେ ଖାଲି ଭାବେ ଯାହା ହାତପାଖେ ପଡ଼ିଲା ସବୁ ତା’ର, ଖରା-ବରଷା, ପାଣି ପବନ ପରି ସବୁଥିରେ ତା’ର ଅଧିକାର । ମଦ ରନ୍ଧା ଓ କାମ ଭିଡ଼ରେ ସୁକୃଜାନି ସବୁ ଅଶାନ୍ତି ଭୁଲିଯାଏ, ନ ଆସିବା ସ୍ୱପ୍ନ ଆହୁରି କତିକୁ ଘୁଞ୍ଚିଆସେ, ଦୂରର ଛବି ପାଖକୁ ଆସେ, ଦେଖେ ତାହାରି ବାହାବଳରେ ସତେ କି ଘର ପାଖେ ତା’ର ଧାଉଡ଼ି ଧାଉଡ଼ି ଘର ହୋଇଛି, ସବୁଥିରେ ତା’ରି ନାଁ ଛପା ହୋଇଛି । ମାଣ୍ଡିଆଜାନି କାଜୋଡ଼ି କଥା ଭାବେ, ଜିଲି ଭାବେ ବାଗ୍‍ଲା କଥା, ଆଉ ତା’ର ଭବିଷ୍ୟତର ଘରକରଣା । ସାବୁଜା ବଣର କଅଁଳ ଛାଇରେ ସମସ୍ତେ ଚେଇଁ ଚେଇଁ ସ୍ୱପ୍ନ ଦେଖନ୍ତି ।

 

କେତେଦିନ ପରେ,–ନେଳି ଆକାଶରୁ ବଜ୍ର ଓହ୍ଲେଇଲା ପରି ଦୂରର ପବର୍ତ ଉପରେ ଦିଶିଲା ଗୁଡ଼ାଏ ଧୋବଧାଉଳିଆ ମୂର୍ତ୍ତି, ଟୋପି ଦୁଇଟା ଗୋଟାଏ । ସମସ୍ତିଙ୍କ ଆଗରେ କାନ୍ଧରେ ବନ୍ଦୁକ ହାତରେ ବାଡ଼ି ଧରି ଜମାନ୍ । ସୁକୃଜାନି କାଠ କାଟିବା ଛାଡ଼ି ଆଖି ଫାଡ଼ି ହୁସିଆର ହୋଇ ଦୂରକୁ ଦେଖିଲା–ଦେଖିଲା,ନା, ଭୁଲିବା କଥା ନୁହେଁ, ଗୋଟାସୁଦ୍ଧା ଜମାନ୍‌ ।

 

ଆଉ କାଠକଟାରେ ମନ ରହିଲା ନାହିଁ, ମନ ଭିତରେ ପାପ ଛୁଇଁଲା । ପୁଣି ମନକୁ ଦମ୍ଭ ଦେଲା, କାହାର କ’ଣ ସେ କରିଛି ? କାହିଁକି ଏତେ ଭୟ ? ମନକୁ ଗୁଆଁର କରି ସୁକୃଜାନି ଜୋର ଜୋର ପାହାର ଲଗେଇଲା ।

 

ଅଳ୍ପ ସମୟ ଭିତରେ ଅଧିକାରୀ ଦଳ କାଠକଟା ପାଖେ ଆସି ପହୁଞ୍ଚିଲେ । ଜମାନ୍ ଡାକିଲା,“ହେଇ” । ଗୋଟି ଗୋଟି ହୋଇ ବାପ ପୁଅ ନୋଟି ମୁଣ୍ଡ ନୁଆଇଁ ସବୁ ଅଧିକାରୀଙ୍କୁ ଦଣ୍ଡବତ କଲେ । କିଏ କିପରି ଅଧିକାରୀ ପଚାରିବାକୁ ବହପ କାହାର ଅଛି ? ଏଇ ଲଙ୍ଗଳା କଉପୁନୀ ପିନ୍ଧା ଅଞ୍ଚଳରେ, ଯିଏ ଲୁଗା ପିନ୍ଧିଲା ସେ ଅଧିକାରୀ, ଯାହାର ଯେତେ ହୁକୁମ ଜାରି ଜୁଲୁମ ଭାରି ସେ ସେତେ ବଡ଼ ଅଧିକାରୀ । ଏଇ ଧାରଣା ହିଁ ସୁକୃଜାନି ପିଲାଟି ଦିନୁ ପୋଷି ଆସିଛି । ଯେ ଯେପରି ଅଧିକାରୀ ହେଉ ମାନିବାହିଁ ତା’ର କର୍ତ୍ତବ୍ୟ ।

 

ଜଣେ ପଚାରିଲ, ‘‘କିଏ ହୁକୁମ ଦେଲା କାଠ କାଟିବାକୁ ?’’ ସୁକୃ ନିର୍ଦ୍ଦୋଷଭାବେ ଜାବବ୍‌ ଦେଲା, ‘‘ଏଇ ’’ଜମାନ୍‌ ବାବୁ ।’’

 

ଜମାନ୍ କହିଲା, “ମୁଁ କହିଲି, ଖଙ୍ଗାର୍ ପଟ୍‌କାର୍ ବାହାଞ୍ଚତ୍, ହଇରେ ମୁଁ କହିଲି ?”

 

“ନ କହିଲେ ତୁମେ ଆମର କି ସାହାସ ହୁଅନ୍ତା ମହାପ୍ରଭୁ ତୁମର ଗଛରେ କୁରାଢ଼ୀ ଲଗେଇବାକୁ ? ତୁମେ ପରା ସେଦିନ କହିଲ, ଆର ଥର ପୁଣି ହୁକୁମ ଦେଲ, ଗାଁ ନାଇକ ଦେଖିଚି, ନାହିଁ କରୁଛ କାହିଁକି ମହାପ୍ରଭୁ ?”

 

ବଡ଼ ଅଧିକାରୀ ମୁଣ୍ଡ ହଲେଇଲେ । ଜମାନ୍ ସେମାନଙ୍କୁ ନେଇ ଚାଲିଲା ଇଷ୍ଟିପାନ ସଲମନ ହେରିକା ହାଣିଥିବା ପୋଡ଼ୁ ଆଡ଼କୁ, କହିଲା “ଏଇ ଲୋକଟାକୁ ଯେତେ ମନାକଲେ ମାନୁ ନାହିଁ, ଏସବୁ ଏଇ ପଦା କରିଛି ।” ପିଲିମନ୍ ସଲମନ ସାକ୍ଷୀ ଦେଲେ, ଏଇ ଖଙ୍ଗାର ଗୁଆଁର ପରଜା ଆଉ ୟାର ଦି’ ପୁଅ’ ଜାଗା ମପା ହେଲା, କ୍ଷତିର ହିସାବ ହେଲା । ସାକ୍ଷୀ ନିଆ ହେଲା, ସବୁ ଲୋକେ କହିଲେ ସୁକୃଜାନିର ନାଁ । ଦେଶିଆ ଲୋକଙ୍କର ଏହିପରି ସ୍ୱଭାବ, ଦେଖିବେ ଯାହାକୁ କାଦୁଅରେ ପଡ଼ିଛି ପାଣିକୁ ଠେଲିଦେବେ । ସଫା ସଫା କଥା, ଅଡ଼ୁଆ ଅଡ଼ୁଆ ନାହିଁ, ନିଆଁ ଅଣ୍ଟିରେ ପୂରେଇବାକୁ ଆଗୁସାର ହେବା ତାଙ୍କ ଜନ୍ମ ଜାତକରେ ନାହିଁ ।

 

କାଗଜରେ ସବୁ ଲେଖା ଦେଲା । ସୁକୃ ଅପରାଧୀ ହୋଇ ଠିଆ ହୋଇ ରହିଲା ମୁହଁ ତଳକୁ ପୋତି । କାଗଜରେ ଗାର ପଡ଼ିଲେ ତାକୁ ଲାଗେ, ଦାଢୁଆ ଛୁରୀରେ କିଏ ଯେପରି ଗାର ପକାଇ ଯାଉଛି ତା’ର ଛାତିରେ । ଦେଶିଆ ଲୋକ କାଗଜକୁ ଭାରି ଡ଼ରେ । ଅଧିକାରୀ ଭିତରେ ଅଜଣା ଭାଷାରେ କ’ଣ ସବୁ କଥା ଭାଷା ହୋଇ ମୁଣ୍ଡ ହଲାହଲି ହେଲେ । ଛେପ ଢୋକି ଢୋକି ସୁକୃ ଆଉ ତା’ର ତିନି ପୁଅ ଠିଆ ହୋଇ ରହିଥାନ୍ତି । ଶୁଣାଇ ଦିଆଗଲା, ଚାରିକୋଡ଼ି ଟଙ୍କାର କ୍ଷତି-

 

“ମହାପ୍ରଭୁ ମୋର କିଛି ଦୋଷ ନାହିଁ ମହାପ୍ରଭୁ, ସିକ୍‌ସନ୍‌ ପୋଥି ମୁଣ୍ଡରେ ବୋହିବି, ବାଘଛାଲ ଉପରେ ଠିଆହୋଇ କହିବି ମହାପ୍ରଭୁ, ମୋର କିଛି ତାପୁ (ଦୋଷ) ନାହିଁ ।”

 

“ଚୁପ୍‍–”

“ଏତେ ଟଙ୍କା ଦେଇ ନ ପାରେଁ ମହାପ୍ରଭୁ, ତୁମେ ଦୟା ନ କଲେ କିଏ କରିବ ?”

“ହଉ, ଦେଇ ନ ପାରେଁ ବୁଝାଯିବ ପରେ ଯା ଯା ।”

 

ସୁକୃଜାନି ମୁଣ୍ଡରେ ଚଡ଼କ ପଡ଼ିଲା । ପାହାଡ଼ର ଝାଇଁ ଝାଇଁଆ ପବନରେ ସତେକି ତା’ର କୁଡ଼ିଆଖଣ୍ଡିକ ଖଣ୍ଡ ଖଣ୍ଡ ହୋଇ ଉଡ଼ି ଚାଲିଯାଉଛି, ଆଉ ପାଣି ବର୍ଷୁଛି ଗଳ ଗଳ, ଆକାଶ ଅନ୍ଧାର । ଏକା ଫୁଙ୍କାକେ ସବୁ ଗଲା ଉଡ଼ି, ଚୁଟିଆ ମୂଷାର ସବୁ ଧନ ଦଉଲତ ଗଲା ।

 

ଓଦାଲୁଗା ନ ପାଲଟି ଜିଲି ଥକ୍‌କା ହୋଇ ବାପକୁ ଚାହିଁ ରହିଲା, ଭାଙ୍ଗିପଡ଼ି ମୋଡ଼ିମାଡ଼ି ହୋଇ ବାପ ବସିଛି, ଭାଇ ଦୋ’ଟି ବସିଛନ୍ତି ।

 

କବାଟ କିଳିଦେଲେ, ଅନ୍ଧାର ଘରେ ବାପ–ପୁଅ–ଝିଅ ସମସ୍ତେ ପଶି ବେକ ଧରାଧରି ହୋଇ କଇଁ କଇଁ କାନ୍ଦିଲେ, ଲାଉତୁମ୍ବାର ମାଣ୍ଡିଆ ପେଜ୍‍ ମନ୍ଦାକ ସେହିପରି ଥୁଆ ହୋଇ ରହିଲା । କୁରାଢ଼ୀ ଦାଣ୍ଡରୁ ପିଣ୍ଡାକୁ ଉଠିଲା ନାହିଁ ।

 

ପୃଥିବୀର କେଉଁ ଅଜ୍ଞାତ କୋଣରେ ଜଙ୍ଗଲ ଭିତରେ ମଣିଷଛୁଆ ମେଞ୍ଚାମେଞ୍ଚି ହୋଇ କଇଁ କଇଁ କାନ୍ଦିଲେ, ଅଣ୍ଟାରେ ଡୋର କଉପୁନୀ, ଖାଇବାକୁ ମନ୍ଦାଏ ଆମ୍ବ କୋଇଲି ଜାଉ, ମଥା ଉପରେ ଅସରନ୍ତି ଦୁଃଖର ଧାରା । ଦେବତା ହସିଲେ । ମଣିଷ କାନ୍ଦିଲେ ।

 

ଲୁହରେ ଲୁହରେ ବସୁଧା ତିନ୍ତିଲା, କିନ୍ତୁ ମଣିଷର ମନ ତିନ୍ତି ପାରିଲା ନାହିଁ ମଣିଷ ଲୁହରେ ।

 

ଏହିପରି ବସି ବସି ରାତି ହେଲା, କେହି ଗୋଟିଏ କତିକି ଆଇଲେ ନାହିଁ । ସୁକୃଜାନିର ଘର ଆଡ଼କୁ ଅନେଇଁ ଅନେଇଁ ସେ ଯୁଆଡ଼େ ଭୟରେ ଭୟରେ ପଳାନ୍ତି । ଆପଣା ଭିତରେ ଫୁସ୍‌ ଫୁସ୍‌ ହୋଇ କଥା ହୁଅନ୍ତି ତା’ର କୁଡ଼ିଆ ଆଡ଼କୁ ଆଙ୍ଗୁଠି ଦେଖାଇ ସତେ ଯେପରି ତାହାରି ଘରେ କେଉଁ ଭୂତ ଅବତରିଛି, ସେ ଘରୁ ଡେଇଁଲେ ଗାଁସାରା ଖାଇଯିବ । ଯେପରି ସେଠି କେଉଁ ମହାମାରୀ ରୋଗ ଘୋଟିଛି, ପାଖକୁ ଗଲେ ରୋଗ ଡେଇଁବ, ସବୁ ପଦା କରିଦେବ । ତାହାରି ଘର ଉପରେ ଅଧିକାରୀର ଅଭିଶାପ, କାହା ଜୀବନକୁ ଭୟ ନାହିଁ କି, ପିଠିରେ ପଡ଼ିବାକୁ ଆସିବ ?

 

ହେଲା ରାତି । ସୁକୃଜାନି ଘର ଅନ୍ଧାର । ଯେ ଯେଉଁଠି ବସି ରହିଥାନ୍ତି । ତା’ପରେ ଅନ୍ଧାରେ ଅନ୍ଧାରେ ଗାଁ ଭିତରୁ ତିନିଚାରିଜଣ ଗଡ଼ିଲେ, ଚୁପ୍‌ଚାପ ଅନ୍ଧାରରେ ପେଚା ବାଦୁଡ଼ି ପରି । ଥରେ ଅଧେ ଏପାଖ ସେପାଖ ହେଲେ । ତୁନିତାନି କ’ଣ ମନ୍ତ୍ରଣା । ତା’ ପରେ ପିଣ୍ଡା ଉପରକୁ ଉଠି ପଡ଼ିଲେ ।

 

ଗାଁର ‘ଚାଲାନ୍‌’ ଢେପୁଚାଲାନ୍‌ ମୁଣ୍ଡ ହଲେଇ ହଲେଇ କହିଲା, “ମୁଁ କ’ଣ କହୁଥିଲି ?”

ଗାଁ ନାଇକ ସାଲିଙ୍ଗି ପରଜା କହିଲା,“ ମୁଁ କ’ଣ କହୁଥିଲି ? ସତ କି ମିଛ ?”

 

ଆଉ ଦୁଇ ତିନିଜଣ ନିଜ ନିଜର ବିଜ୍ଞତା ଦେଖେଇ ପାଳି ଧରିଲେ । “ମୁଁ କ’ଣ କହୁଥିଲି-? ହେଲାକି ନାହିଁ ।”

 

“ଆରେ ବାବା, ଜମାନ୍‌ ଶୁଆର ଦେଶିଆ ଘୋଡ଼ା

ଯେଣିକି ଚାହିଁଲେ ତେଣିକି ଅଡ଼ା ।”

 

“ମେଘ, ବାଘ, ଆଉ ଅଧିକାରୀ, ତିନିହେଁ ସମାନ । କାହାର ବଳ ଖଟିବ ସେଠି ? ତାଙ୍କ ସାଙ୍ଗେ ଗେଲ ଖେଳିଲେ କିଏ ସମ୍ଭାଳି ରହିପାରିବ ?”

 

ସୁକୃଜାନି ମୁହ କାଠ କରି କହିଲା, “ଦେଖ, ମୋର କ’ଣ ଦୋଷ ଭଲା କହ ? ଜମାନ୍ ପଇସା ନେଲା, ହୁକୁମ୍ ଦେଲା, ତୁମେ ସମସ୍ତେ ନିଜ ଆଖିରେ ଦେଖିଚ, ଅଇଛା ସମସ୍ତ ମିଳି ମତେ ହିଁ ମିଛୁଆ କଲ ? କର, ଧର୍ମ ଅଛି, ସେଇ ବୁଝିବେ, ପାଣିକି ଠେଲିଦେଲ, ମୋର ଛୁଆ ଚାରୋଟି ନିରାଶ ହେବେ । ହେଉ, ଧର୍ମ ଅଛି ।”

 

“କାହିଁକି ବେସ୍ତ ହେଉଛୁରେ ଭାଇ, ଆମେ ତୋର କି ଅନିଷ୍ଟ କରିଦେଲୁ ? ବାଘ ତତେ ଧରିଲା ବୋଲି କ’ଣ ଆମେ ସବୁବାଘ ପାଟିକି ମୁଣ୍ଡ ବଢ଼େଇ ଦେଇଥାନ୍ତୁ ? ଅଧିକାରୀ କୋପ, – କିଏ ଜାଣିଶୁଣି ନିଜ ଉପରକୁ ଟାଣି ଆଣିବ କହ ? ସେ ଯେମିତି କହିବ ଆମର ସେମିତି ହୁଁ, ତୁ ଆମକୁ କହ ପଛେ, ଆମର ପିଲାଛୁଆ ଅଛନ୍ତି, କିସ କରିବୁଁ ?”

 

ଗାଁର ନାଇକ କଥା ଆରମ୍ଭିଲା, “ଭୟ ନାହିଁ ଚାରିକୋଡ଼ି କହୁଛି, ଟଙ୍କା ତିନି କୋଡ଼ି ଦେଇଦେଲେ କଥା ଛିଣ୍ଡିଯିବି ।”

 

‘‘ତିନି – କୋ–ଡ଼ି ।’’

 

“ନାହିଁ ତ ଯା, ଏମିତି ନ ଦବୁ ଦାବା (ମକଦ୍ଦମା) କରି ଶିକ୍ଷା(ଜେଲ) କରି ନେଇଯିବ । ତୋର ଚିତ (ଇଚ୍ଛା) ।”

 

“ଦେଶିଆ ଲୋକ, ପଇସା ମୁହଁ ଦେଖିବି କାହିଁ ?” ତୁମେ ସବୁ ତ ବଡ଼ ଲୋକ, ତିନି କୋଡ଼ି ଟଙ୍କା କାହାଘରେ ଅଛି ଭଲା ଆଣିଲ ।”

 

ଫାଉଲ୍ ଡମ୍‍ ଗଳା ଖଙ୍କାରି କଥା ପକେଇଲା–“ତା’ରି ଅଛି ଉପାୟ ।”

 

ପାହାଡ଼ି ଲୋକଙ୍କ ଭିତିରେ ଏକେ ଡମ୍ବଲୋକ ଚତୁର, ଡିମ୍ବଜାତିରେ ପୁଣି ଫାଉଲ୍ ଡମ୍ବ ଗୋଟିଏ ବିଚକ୍ଷଣ ବିଶାରଦ । ତା’ର ବିଶଳପାତିଆ ମୁହଁରେ ସବୁବେଳେ ଫନ୍ଦିଫିକର ଖେଳ କରୁଥାଏ । ସରୁଆ ମୁହଁଟିଏ, ଥରେ ଦେଖିଦେଲେ ନେହୁଳ ମନେପଡ଼େ, ଚାହାଣୀ ବଡ଼ କୁଟିଳ, ଲାଗିବ ଯେପରି ମଣିଷ ସାଙ୍ଗେ ଲୁଚକାଳି ଖେଳୁଛି ତା’ ଆଖି , ଆଉ ଉଢ଼ୁଆଳରେ ରହି ସବୁ ଦେଖିଛି, ସବୁ ବୁଝୁଛି, ଅଥଚ ଧରାଛୁଆଁ ଦେଉ ନାହିଁ ।

 

ଫାଉଲ୍ ଡମ୍‍ ଫିକର ଦେଲା, “ବେଶି ଦୂରବାଟ ଯିବାକୁ ପଡ଼ିବ ନାହିଁ, ଏ ହେଇ ବାଟ କେଶକରେ ପଡ଼ିଶା ଗାଁ ରାଇଶିଳ ଥୋଟାଗୁଡ଼ା ଗାଁ । ସେଠି ଯେଉଁ ସାଉକାର ରାମ ବିଶେଇ ଅଛି, ତା’ର ଗୋତି ଲୋଡ଼ା, ତୁମେ ତିନିଲୋକ ଅଛ, ଗୋତି ଖଟିବ; ତିନିକୋଡ଼ି କ’ଣ ତିନିଶ ଟଙ୍କା ଚାହିଁଲେ ମିଳିଯିବ ।”

 

ସୁକୃ କହିଲା, “ନାଇ–ନାଇ ନାଇ ତିନିକୋଡ଼ି ଟଙ୍କା ମୁଁ ଦେଇପାରିବି ନାହିଁ । କରୁ ପଛେ ଶିକ୍ଷା; ତିନି–କୋ–ଡ଼ି ! ହଅନ୍ତା ଭଲା ଦଶପନ୍ଦର ମରି ସରି ଗୋତି ଲାଗି ଦିଅନ୍ତି । ତିନିକୋଡ଼ି ଟଙ୍କା ମୋ ଦେଇ ହୋଇପାରିବ ନାହିଁ ।”

 

ସୁକୃ ଗୁମ୍ ଖାଇ ବସିପଡ଼ିଲା ।

 

ନାଇକ, ଚାଲାନ୍, ଆଉ ଫାଉଲ୍ ଡମ୍‍ ତିନିହେଁ ଉଠି ଚାଲିଗଲେ । ବାଟରେ ମନ୍ତ୍ରଣା କଲେ । ପୁଣି ଫେରି ଆସିଲେ ।

 

“ଦେଖ୍‍ ଜାନି, ତିନିକୋଡ଼ି ନ ହେଲା ଦଶଟଙ୍କା ଉଣା କରି ହେଲେ ଦେଇଦେ, ଆମେ ତୋ ପାଇଁ ଅଧିକାରୀର ଗୋଡ଼ତଳେ ପଡ଼ି ବୁଝେଇ ସୁଝେଇ କହିଦେଇ ଆସିବୁ । ଆରେ ତୋର ଆପତ୍ତିଟା କ’ଣ ? ସାହୁକାର ଟଙ୍କା ଦେଇଦେବ, ତୋର କ’ଣ ଅଛି ?”

 

“ଆହୁରି ଦେଖ୍ ଜାନି, ଟଙ୍କା ଦବୁ ନାଇଁ, ବାନ୍ଧି ନେଇଯିବେ, ଶିକ୍ଷା କରିଦେବେ, ଘର ଦୁଆର ତାଡ଼ି ଉପାଡ଼ି ଘେନିଯିବେ, କେଉଁଆଡ଼େ ଶିକ୍ଷା ଯିବୁ, ଜାତିଯିବ, ସାନକୁହା ମାନ, ଟଙ୍କା ଦେଇ ଦେ ।”

 

ସୁକୃଜାନି ଭାବି ଦେଖିଲା, କ’ଣ ଅସଙ୍ଗତ କଥାଟା, ହେଲେ ମାଣ୍ଡିଆ ଆଉ ଟିକ୍ରା ଗୋତି ଖଟିଯିବେ ଦିନକେତେ, କେତେଲୋକ ତ ଖଟୁଛନ୍ତି, କ୍ଷତି କ’ଣ ?

 

ଛାତି କମ୍ପେଇ ଦୀର୍ଘଶ୍ୱାସ ଆସିଲା । ହୁଁ ଗୋତି, ପଇସା ଗଣିଦେବାକୁ ସାହୁକାର ଅଛି ସତ, ଟଙ୍କା ପକାଇଦେଇ ମୁଣ୍ଡ କଣି ନେବ ଛ ସାତ ବରଷ ପାଇଁ, ତା’ପରେ, ମୁଣ୍ଡ ବିକା କିଣା ଗୋଲାମ । ସେଇ ବିଲକାମ ହେବ, ସେଇ ଡଁଗର ପାଇଟି ହେବ, ସେଇ ମାଣ୍ଡିଆ ବୁଣା ଅଳ୍‍ସି ବୁଣା ହେବ; କିନ୍ତୁ ଆପଣାର କ୍ଷେତରେ ନୁହେଁ ପରର କ୍ଷତରେ, ଆପଣା ପାଇଁ ନୁହେଁ, ପର ପାଇଁ । ଯେଉଁଆଡ଼େ ଗଲେ ମାର୍କାମରା ସାହୁକାର ଘର ଗୋଲାମ ଗୋତି ।

 

ମନେପଡ଼ିଲା, ମାଣ୍ଡିଆ, ଟିକ୍ରା, ଜିଲି, ବିଲି, ବାହାସା’ ହୋଇଥାନ୍ତେ । ଘରପାଖେ ଘର ତୋଳା ହୋଇଥାନ୍ତା । ପାହାଡ଼ ତଳ ଝୋଲା କରେ କରେ ହଳଦି ଗରଗର ଧାନ କ୍ଷେତର ଧାନ ନଇଁ ପଡ଼ିଥାନ୍ତା ।

 

ନା, ଏ ଜନ୍ମରେ ନୁହେଁ । ଆର ଜନ୍ମରେ ।

 

ଏ ଜନ୍ମରେ ଖାଲି ଗୋତି ପଣିଆ, ଖାଲି ଝାଳ ହିଁ ସାର, ଖାଇବାକୁ ମନ୍ଦାଏ ଆମ୍ବଟାକୁଆର ଜାଉ, ପିନ୍ଧିବାକୁ ଖଣ୍ଡେ ଚାରିଆଙ୍ଗୁଳିଆ କନା , ୟାର ମାଡ଼ ତା’ର ଗାଳି, ଏତିକି ପାଇଁ ତା’ର ଜନ୍ମ ।

 

ମନଟା ନଇଁଲା ନାହିଁ । ଆପଣା ଘରର ହାତୀଅନ୍ଧ ତଳ ଛାଇ ଛାଡ଼ି ସାହୁକାର ଘର ପାଇଟି କରିଯିବାକୁ ପିଲା ଯୋଡ଼ିକଙ୍କୁ ପଠେଇବାକୁ ମନ ବିଦ୍ରୋହ କଲା । ମନରେ ପଶିଲା ନାହିଁ ସେ ଦୋଷ କରିଛି । ଉଦୁଉଦିଆ ଦି’ ପ୍ରହରରେ ଟାଙ୍ଗିଧରି ସେ ଝାଳନାଳ ହୋଇ କାଠ ହାଣିଚି, ପାଖ ପାହାଡ଼ରେ ଡଁଗର ପାଇଟି କରିଛି, କାହାର ସେ କ’ଣ ଖାଇଛି ? ମନରେ ପଶିଲା ନାହିଁ, ଏ ତା’ର ଜନ୍ମଗତ ଦାବି ନୁହେଁ, ଖାଲି ନିତି ଦେଖିଲେ ଜିନିଷ ଆପଣା ହୁଏ ନାହିଁ, ଯାହା ନିଜର ବୋଲି ମନେହୁଏ, ତାହା ପରର, ଆପଣା ବାରିତଳେ ଯେଉଁ ଫଳ ଫଳେ ସେଥିରେ ପରର ଦାବି ।

 

ପାହାଡ଼ି ମଣିଷ ତର୍କ ବୁଝେ ନାହିଁ । ପିଠିରେ ବସିଲେ ବୁଝେ ମାଡ଼ ହେଲା, ମାଡ଼ ହେଲେ ଭାବେ ବିପଦ ପଡ଼ିଲା, କିଏ ମାରୁଛି, କାହିଁକି ମାରୁଛି ବୁଝିବାକୁ ତା’ର ଶକ୍ତି ନାହିଁ ।

 

ସୁକୃଜାନି ମୁଣ୍ଡକୁ ତଳକୁ ପୋତି ଖାଲି ଚିନ୍ତାକଲା, ବିପଦ ଆସିଲେ । ଆସେ ଯେପରି ଅନହୁତି ବର୍ଷା, ଅନହୂତି ଶୀତ, ବାଘ ଆଉ ମୃତ୍ୟୁ । ବିପଦ ଆସୁଛି, ତଣ୍ଟିକୁ ଧରୁଛି, ଘେନିଯିବ ଏଇ ଅନ୍ଧାରେ ଅନ୍ଧାରେ କେଉଁ ଆଡ଼କୁ ବୋଲି । ହାତ ଗୋଡ଼ ପାଇବ ନାହିଁ, ତୁଣ୍ଡ ଫିଟିବ ନାହିଁ, ଭଲମନ୍ଦ ବାରି ହେବ ନାହିଁ, ଆଖି ଯୋଡ଼ିକରେ ଜୁଳୁଜୁଳୁ କରି ଖାଲି ଚାହିଁ ରହିଥିବ । ଆଉ ଟାଣି ହୋଇଯିବ କେଉଁ ଦୂରକୁ ବୋଲି । ବିପଦ ଆସିଲେ, ତାକୁ ଯିବାକୁ ହିଁ ହେବ ।

 

ତଥାପି, ଶେଷ ଦେଖା ଦେଖିବା ଲୋକ ଯେପରି ଶେଷ ଖରାକୁ ବିକଳ ହୋଇ ଚାହିଁ ରହେ, ସୁକୃଜାନି ସେହିପରି ଚାହିଁ ରହିଲା ତା’ର ସ୍ୱାଧୀନତା ଟିକକୁ । ପାଟି ଖନି ବାଜିଗଲା । କହିଲା “ ଗୋତି ! ନାଇଁରେ ନାଇକ ମୁଁ ପାରିବି ନାହିଁ, ମୋର ମା ଛେଉଣ୍ଡ ପିଲା ଦୋଓଟି ।”

 

“ହଉ ହଉ ଜାନି, ରାତି ଗୋଟାକ ପଡ଼ିଛି । ଭାବ୍ କାଲି କହିବୁ ।” ସେମାନେ ଚାଲିଗଲେ ।

ରାତିକୁ ସେ କେବେ ବଡ଼ ବୋଲି ଭାବି ନାହିଁ,–ସୁକୃଜାନି ।

 

ରାତି ତା’ର ଛାଆଁକୁ ଆସେ, ରାତି ତା’ର ଛାଆଁକୁ ଯାଏ, ପାହାଡ଼ର ଖୋଲ ଭିତରେ ଗାଁ ଉପରେ କିଛି ସଙ୍କେତ ରଖିଯାଏ ନାହିଁ । ପହଡ଼େ ନ ହେଉଣୁ ଚୁଲିରୁ ନିଆଁ ନିଭିଯାଏ, ଘରର ତାଟି ପଡ଼ିଯାଏ, ଗାଁ ଗାଁକେ ସବୁ ସୋର ଶବଦ ଯାଏ ବୁଡ଼ି ।

 

କିନ୍ତୁ ଆଜିର ରାତିକୁ ସୁକୃଜାନି ଭୁଲିପାରିଲା ନାହିଁ । ଅନ୍ଧାର ତା’ର ମନରେ ପଶିଲା,–ଅନ୍ଧାର–ଅଜଣା–ଭୟ,–ଛପିଲା ରୁନ୍ଧିରଖା କାନ୍ଦଣା । ଟିକି ଟିକି କରି କାଟିବାକୁ ଅବସ୍ଥାକୁ ବୁଝିବାକୁ ତା’ର ଚିନ୍ତାର ସେତେ ଜୋର ନାହିଁ, ଖାଲି ଗୋଟିଏ ମୋଟାମୋଟି ଧାରଣା,–କରୁଣର କଳାଛାଇ । ଧାରଣା ଆଣିଦିଏ ମନଗହୀରର ଚେତନା ଭିତରେ ସ୍ୱପ୍ନ ,ସବୁ ଯେପରି ଏଇ ଆଖି ଆଗେ ଆଗେ ଘଟିଯାଉଛି । ଆଉ ପ୍ରତିଛବିରେ ଲାଗିରହିଛି ମନର କୋହ, ଯେପରି କାରୁଣୀରେ ତ’ର ସବୁ ଚିତ୍ରର ଭାବ ପ୍ରକାଶ ।

 

ଆପଣା ପେଟରୁ କାଟି ଶାଗ, ପେଜ୍‍ ପେଇ ପେଇ ଛୁଆଗୁଡ଼ିଙ୍କୁ ସେ ଆଉ ତା’ର ସ୍ୱୀ ସମ୍ବାରୀ ମଣିଷ କରିଥିଲେ, ତା’ର ସମ୍ବାରୀର କେତେ କଜିଆ । ଘରଖଣ୍ଡ ଠିଆ କରିବାକୁ ସେ ଆଉ ସମ୍ବାରୀ ଖରାରେ ତରାରେ ଅଣ୍ଟାଭିଡ଼ି ଲାଗିପଡ଼ିଥିଲେ । ସେ ବର୍ଷ, ସେଥର, ଉପରୁ ଗଳ ଗଳ ପାଣି , ଛୁଆଗୁଡ଼ିକ ଜୁଳୁଜୁଳୁ କରି ଚାହିଁ ରହିଥିଲେ । ସେ ଆଉ ସମ୍ବାରୀ ଓରା ଧରି ଲଟକି ପଡ଼ି ଛାତଟିକୁ ପବନ ଦାଉରୁ ବଞ୍ଚାଇ ରଖିଥିଲେ । ସମ୍ବାରୀ ବିଲ ବାଚ୍ଛେ, ଛୁଆ ଗୋଟି ଗୋଟିକୁ ଛାତିରେ ଦେଇଥାଏ ବାନ୍ଧି !...... ଦେହର ତାତିରେ ଉଷୁମ କରି କରି ସେ ଏମାନଙ୍କୁ ବଢ଼େଇଛି, କେତେ ଦୁଃଖକଷ୍ଟ ଭୋଗିଛି, ଆଜି ସେମାନେ ଯିବେ ଗୋତି ! ଖରା ନାହିଁ, କାକର ନାହିଁ, ଦେହପା’ର ଭଲ ମନ୍ଦ ନାହିଁ, ପରର ଯୁଆଳି ବେକରେ ପକାଇ ସେମାନେ ବୁଲିବେ;…... ନାହି ପିଠି ଲାଗି ଯାଇଥିବ,– ମୁହଁ ଶୁଖେଇ କେବେ କେବେ ରାତିକୁ ଆସି ଡାକିବେ, “ବାପା !”

 

ସମ୍ବାରୀ ଆଜି ପାଖରେ ନାହିଁ, ଏତେବଡ଼ ଦୁର୍ଦ୍ଦିନରେ ।

 

ଆଜିକୁ ହୋଇଗଲା ଦଶଟା ବର୍ଷ,–ଡୁମା ପାଲଟି ତା’ର ଆତ୍ମା ବୁଲୁଥିବ, କେଉଁ ଝାଡ଼ ଜଙ୍ଗଲରେ, ବର୍ଷା ତୋଫାନରେ, ଶୀତ କାକରରେ, ଏକୁଟିଆଟା ବୁଲୁଥିବ ସେ । ଲାଗିଲା, ସତେ ଅବା ସମ୍ବାରୀ କାନ୍ଦୁଛି, ସମ୍ବାରୀ ଅବା କାନ୍ଦୁଛି । ଡବ ଡବ ଆଖି ଉଛୁଳି ଗଳିପଡ଼ୁଛି ଟୋପାଟୋପା ଲୁହ…..

 

କାନ୍ଦୁଛି । ଆକାଶରେ ଲାଖି ରହିଛି ଅସରନ୍ତି ମେଘ । ସନ୍ତସନ୍ତଆ ଢେଉଢେଉକା ନେଳି–ସାବୁଜା ପାହାଡ଼ ଉପରେ ଅସୁମାରୀ ଖାଲି ମେଘର ଶର…..ସମ୍ବାରୀ ଏକୁଟିଆଟା ଜଙ୍ଗଲେ ଜଙ୍ଗଲେ ଖୋଜି ଖୋଜି ବୁଲି ବୁଲି ଖାଲି କାନ୍ଦୁଛି । ଲୁହଭିଜା ଆକାଶ ତଳେ ସବୁ ସତେକି ଲୁହରେ ଜୁଡ଼ୁବୁଡ଼ୁ ।

 

ସେଇ କାନ୍ଦଣାର ପାଣି–ତୋଫାନରେ ମିଞ୍ଜି ମିଞ୍ଜି କାନ୍ଦୁରା ଆଲୁଅ ତଳେ ସବୁ ସତେକି ବିଜୁଳି ବେଗରେ ଓଲଟି ଯାଉଛି । ଗଛ ଉପୁଡ଼ୁଛି ପାହାଡ଼ ମୂଳରୁ ତାଡ଼ି ହୋଇ ଗୋଟା ଗୋଟା ତଡ଼ିହୋଇ ଯାଉଛି । ସବୁ ଉପୁଡ଼ି ଘୋଟି ଆସୁଛି କେଉଁ ପ୍ରଳୟର ସୁଅ, ଆଉ ଅସ୍ତାନ୍(ପଶ୍ଚିମ) ଦିଗରୁ ଉଦୀଆନ୍(ପୂର୍ବ) ଦିଗକୁ ବିଛେଇ ହୋଇ ଯାଇଛି କଳା ମିଶ୍‍ ମିଶ୍ ଚେତାବୁଡ଼ା ଅନ୍ଧାର ।

 

ସୁକୃଜାନି ଅନୁଭୂତିରେ ବୁଡ଼ିଥିଲା । ରାତି ପଶିଥିଲା ତା’ର ପ୍ରାଣରେ, ମନଗହୀରରୁ ଗଦ୍‌ଗଦେଇ ଆସୁଥିଲା (ମାଡ଼ି ଆସୁଥିଲା) ରାତି ଅନ୍ଧାରର ଝରଣା, ଅତି ଗହୀରରୁ ।

 

ଅଧରାତିରେ ମାଣ୍ଡିଆ ଡାକିଲା ଟିକ୍ରାକୁ,–“ଟିକ୍ରା ଶୋଇଲୁଣି କିରେ ?”

“ନାହିଁ ନିଦ ଲାଗୁ ନାହିଁ ।”

“ଯିବାରେ ଟିକ୍ରା, ଗୋତି ଯିବା ।”

“ହଁ ଭାଇ ।”

ଦି’ ଭାଇଙ୍କର ମନ ହାଲୁକା ଲାଗିଲା ।

ନୌରାଶ୍ୟ ଶାନ୍ତି ଭିତରେ ଦିହିଁକା ଦିହେଁ ଆଖି ବୁଜିଦେଲେ ।

 

ସୁକୃଜାନି ସ୍ୱପ୍ନ ଦେଖୁଥିଲା । ଆଖପାଖର କ୍ଷେତମାନଙ୍କରେ ଧାନ ଆଉ ମାଣ୍ଡିଆ ମୁଣ୍ଡ ଟୁଙ୍ଗାରୁଛି । ତା’ର ଆପଣା କ୍ଷେତରେ ଉଠୁଛି ଖାଲି ଘାସ, ବଡ଼ ବଡ଼ ଘୋଡ଼ାଖିଆ ଘାସ । ଘାସର ଫୁଲ ଖାଇବାକୁ ପଲ ପଲ ମୟୂର ଡଁଗରରୁ ଗଡ଼ି ପଡ଼ୁଛନ୍ତି । ସେ କ୍ଷେତ ଜଗିଛି, ବାଡ଼ି ଖଣ୍ଡିଏ ଧରି-

 

ସକାଳ ହେଲା, ସୁକୃଜାନି ଉଠିଲା । ଦେଖିଲା ଚାରିଆଡ଼େ ପାହାନ୍ତି ଆଲୁଅ ଫିଟିଗଲାଣି-। ଜଙ୍ଗଲ ଚେଇଁ ଉଠୁଛି, ସବୁ ଦିଶୁଛି ସଫା ଆଉ ଜଳ ଜଳ, ସନ୍ଦେହ କରିବା ପାଇଁ କିଛି ନାହିଁ । ଫଜେରାର ମେଲା ଖୋଲା ଭିତରେ ନିଜର ଦୁର୍ବଳତା ଲୁଚାଇବାକୁ ରାହା ନାହିଁ । ନିଦଭଙ୍ଗା ପାହାଡ଼କୁ ଦେଖି କଳ୍ପନା ଉଭେଇଗଲା, କାମ କରିବାକୁ ସେ ପ୍ରସ୍ତୁତ ହେଲା । ଦନ୍ଥଡ଼ା ପାହାଡ଼ କଙ୍କର ମନ ଆଗରେ ଆଣିଲା ଗୋଟିଏ ରୁକ୍ଷତା ଆଉ କଠିନତା, ଯାହାରି ଭିତରେ ଦିନ କାଟି କାଟି ସେ ମଣିଷ ହୋଇଛି ।

 

ଭାଗ୍ୟକୁ ମୁଣ୍ଡ ନୁଆଁଇ ଦେଇ ସେ ଠିକ୍ କଲା, ସେ ଆଉ ଟିକ୍ରା ଯିବେ ଗୋତି ଶହେ ଟଙ୍କା ପାଇଁ, ମାଣ୍ଡିଆ ଘର ଚଳେଇବା । ଟିକ୍ରା ପାଖେ ପାଖେ ଥାଇ ପିଠିରେ ତଲ୍ରା (ପଖିଆ) ପରି ସେ ଟିକ୍ରାକୁ ଦେହ ଘୋଡ଼ାଇ ରଖି ମଣିଷ କରିବ । ହୁଅନ୍ତୁ ପଛେ ସେମାନେ ଗୋତି । ବିପଦ ଆସିଲେ, ବିପଦ କଟିଯିବ, ତା’ପରେ ସେ ପୁଣି ଫେରି ଆସିବ ।

 

ମନକୁ ପ୍ରବୋଧ ଦେଲା । ପିଲାଙ୍କୁ ବୁଝେଇଲେ–“ଆରେ କ୍ଷତି କ’ଣ ? ଏଇ ଯେଉଁ ଜମାନ ଆଉ ଅଧୀକାରୀ ଦେଖୁଛରେ ପିଲେ, ଜାଣ ସେମାନେ କଅଣ ? ସେମାନେ ବି ଗୋତି, କିଣା ଚାକର । ଆମ ପରି ସେମାନେ ବି ‘ଗଜା’ (ଦସ୍ତାବିଜ) ଲେଖି ଦେଇଛନ୍ତି । ସେମାନେ କ’ଣ ମନ ବ୍ୟସ୍ତ କରୁଛନ୍ତି ? ଏଇ ଯେଉଁ ଜମାନ୍‌ କାହିଁ କେଉଁ ଦେଶରେ ତା’ର ଘର । କାହିଁକି ଆସୁଛି ଏଠିକି ସେ ? ସେ କାହାର ଗୋତି । କାଉଡ଼ି ବୋହି ବୋହି କାନ୍ଧରେ ବିଣ୍ଡି ପଡ଼ିଗଲା । ଆପଣା ଦି’ହାତିରେ ଦେଖିଚି କେତେ ଜାତିର ଅଧିକାରୀ ଆସନ୍ତି ଏଠିକି, କଳା ଗୋରା କହରା କେତେ ଜାତିର, ଆଉ ତାଙ୍କ ବୋଲି ! ଝୋଡ଼ିଆ ପରଜା ବୋଲି କନ୍ଧ ବୋଲିଠୁଁ ଯେତିକି ଫରକ୍ ଆହୁରି ଫରକ୍ ତାଠୁଁ । ଆମେ ତାଙ୍କର କାଉଡ଼ିଆ ଡୋଲିବୁହା, ସେମାନେ କେଉଁ ସାହୁକାରର ଗୋତି, ତାଙ୍କ ଖାଦି (ଖାଦ୍ୟ) ପାଇଁ ସାହୁକାରମାନେ ମାସକୁ ମାସ ତାଙ୍କୁ ଭାତିଆ (ଖାଇବା ଖରଚ) ଦିଅନ୍ତି-। ଖରାରେ ତରାରେ ଶହ ଶହ କୋଶକୁ ପଠାନ୍ତି । ମଣିଷ ସାଉକାରର ଗୋତି, ସାଉକାର ଡୁମା (ଭୂତ, ଆର୍ଥାତ୍ ଦେବତା)ର ଗୋତି, ଏଇ ଗୋତି ଗୋତି ହୋଇ ଦୁନିଆଟା ଚାଲିଛି, ଭୟ କଅଣ-?”

 

ନିଜକୁ ଦୁନିଆ ସାଙ୍ଗେ ମିଶେଇ ଦେଇ କରିବା କାମକୁ ପତିଆରା ଦେଖାଇ ଦେବାକୁ ସୁକୃଜାନିକୁ ଭାରି ଖୁସି ଲାଗିଲା । ଆପଣାର ବକ୍ତୃତାରେ ସେ ଆପେ ଜୋର ପାଇଲା, ପରିସ୍ଥିତିକୁ ସହଜଭାବେ ଆପଣାର କରିନେବାକୁ ସାହାସ ଆଉ ବଳ ପାଇଲା । ସୁକୃଜାନି ଝାଡ଼ିଝୁଡ଼ି ହୋଇ ଠିଆ ହେଲା ।

 

ଖରା ଲାଗିଲାକୁ ନାଇକ ଆସିଲା, ଫାଉଲ୍ ଡମ୍‍ ଆସିଲା । ଢେପୁ ଚାଲନ୍ ଆସିଲା । ହଠାତ୍ ଅନ୍ୟମନସ୍କ ହୋଇ ଗଡ଼ିପଡ଼ିଲା ପରି ଏପାଖୁ ୟେ, ସେପାଖୁ ସେ ହୋଇ ଗଡ଼ିପଡ଼ିଲେ ।

 

ନାଇକ କହିଲା, “ଆହା, କେତେ କାଠ ବିଚାର ଜମେଇଥିଲା ।”

ଚାଲାନ୍ କହିଲା, “ହଁ, କମି ଖଟିଥିଲା ?”

 

ଫାଉଲ୍ ଡମ୍‍ ଆଡ଼େଇ ଆଡ଼େଇ ହୋଇ କହିଲା, “ପର୍‍ଦେଶୀ ଲୋକ, ଜମାନ୍ ଆଉ ଅଧିକାରୀ, ଦେଶିଆ ଲୋକ ମଲେ ହଜିଲେ ତାଙ୍କର କି ଯାଏ ?”

 

ସୁକୃଜାନି ଥିର ଗଳାରେ କହିଲା, “ଚାଲ ଭାଇ ସାହୁକାର ଘରକୁ ଯିବା, ଦି’ କୋଡ଼ି ଦଶ ଆଣିବି, ଗୋତି ଯିବି ।” ସମସ୍ତେ ଖୁସି ହେଲେ, “ହାଁରେ ଜାନି, ତୁ ଗଡ଼ି ମରିଯା’ନ୍ତୁ, ଆମ ଧିଅ ସହନ୍ତା କେମିତି କହିଲୁ ? ତତେ ଭଲ ବୁଦ୍ଧି ଦେଲୁ, ହିତ କହିଲୁ, ତୋର ମୁଣ୍ଡ ଭ୍ରମି ଯାଇଥିଲା ଗଲା ରାତିରେ, ତୁ ମାନିଲୁ ନାହିଁ । ହଉ ଭାଇ ଚାଲ୍ ଚାଲ୍ ଆମେ ଆସିଥିଲୁ ତୋରି ପାଇଁ ।”

 

ସାହୁକାର ଜନାର୍ଦ୍ଦନ ବିଶେଇ ପୁଅ ସାହୁକାର ରାମ ବିଶେଇ ଜାତିରେ ଶୁଣ୍ଢି । କୋରାପୁଟ ଜିଲ୍ଳାର ଅଧିକାଂଶ ସାହୁକାର ହୁଏ ଶୁଣ୍ଢି ନ ହେଲେ କୁମୁଟି । ସାହୁକାର ଜନାର୍ଦ୍ଦନ ବିଶେଇ ମହୁଲ ମଦ ରନ୍ଧେଇ ବିକ୍ରୀ କରିବାକୁ ଯୋଡ଼ିଏ ପେଣ୍ଠ ଖୋଲିଥିଲା । ସେଥିରେ ସେ ଅନେକ ସମ୍ପତ୍ତି କମେଇ ଗଲା । ତା’ପରେ ସରକାର ମଦ ବେପାର ନିଜ ହାତକୁ ନେଲେ, ସାହୁକାର ରାମ ବିଶେଇ ମଦ ବେପାରଛାଡ଼ି ସାହୁକାର ବେପାରରେ ମନ ଦେଲା । ସାହୁକାର ହେବା ଚିହ୍ନସ୍ୱରୂପ ତା’ର ବାଁ ହାତରେ ପଟେ ମୋଟା ସୁନା ଖଡ଼ୁ, ତା’ର ଭେକ । କାନରେ ଦିପଟି ସୁନା କୁଣ୍ଡଳ,–ତା’ର ବଡ଼ତି । ବଡ଼ ବଡ଼ ତୋରାଣିଛଣା ନିଶା ଗହଳ ଆଖିପତା ତଳେ, ଗହୀର ଗହୀର ଆଖି, କୁଟିଳ ଚାହାଣୀ, ମୋଟା ମୋଟା ଓଠ ଦି’ ଫାଳିରେ ସବୁବେଳେ ହସ–ତା’ର ଚରିତ୍ର-

 

ବୟସ–ପଇଁତ୍ରିଶ୍ ।

 

ତା’ର ବେପାର ବଡ଼ ସହଜ । କାରଣ ତା’ଠି ଟଙ୍କା ଅଛି । ଟଙ୍କାର ଏପରି ଶକ୍ତି ଯେ, ବେଶୀ ଟଙ୍କା ଅଳ୍ପ ଟଙ୍କାକୁ ଓଟାରି ଘେନିଆସେ, ଆସୁ ପଛେ ସେଥିରେ ଲାଗି ସିନ୍ଦୂର ବା ରକ୍ତ କାଦୁଅ ବା ମାଂସ । ଟଙ୍କା ମେଣ୍ଟ ବାନ୍ଧେ । ଅଳ୍ପ ଟଙ୍କା ଟାଣି ହୋଇ ଆସି ବେଶୀ ଟଙ୍କା ଦେହରେ ଲୀନ ହୋଇଯାଏ ।

 

ପାହାଡ଼ି ଜାତିଙ୍କର ଅଳ୍ପ ଅର୍ଥ, ସାହୁକାରର ବେଶୀ ଅର୍ଥ । କେବଳ ଟଙ୍କା ମୁଣି ପଦାରେ ଝୁଲାଇ ରଖିଲେ ଆଖପାଖର ସବୁ ଅଳ୍ପ ଟଙ୍କା ସବୁ ଖୁଚୁରା ପଇସା ଝାଙ୍କି ଓଟାରି ହୋଇ ସୁ ସୁ ହୋଇ ତହିଁରେ ଆସି ପଶିଯାଏ ।

 

ସାହୁକାର ଟଙ୍କା କରଜ ଦିଏ, କାରଣ ବିଭାହେବାବେଳେ ବର କନ୍ୟାର ବାପାକୁ ଦି’କୋଡ଼ି ତିନି କୋଡ଼ି ଟଙ୍କା ଦେବା ଲୋଡ଼ାହୁଏ, ତାକୁ କହନ୍ତି ‘ଝୋଲା’ ଟଙ୍କା । ସାହୁକାର ଟଙ୍କା ଦେଇ ମୁଣ୍ଡ କିଣେ, ବର୍ଷ ବର୍ଷ ଲାଗିଲା ଚାକିରି ଖଟି ଖଟି ଲୋକେ ଟଙ୍କା ଶୁଝୁନ୍ତି, ପୁଣି ବର୍ଷକୁ ବର୍ଷ ଚକ୍ରବୃଦ୍ଧି କ୍ରମରେ ଟଙ୍କା ବଢ଼ି ଚାଲେ ।

 

ତା’ପରେ ଆହୁରି କରଜ ଦିଏ ଧାନ, ମାଣ୍ଡିଆ । ଶ୍ରାବଣ, ଭାଦ୍ରବ ମାସରେ ‘ଖାଦି’ (ଖାଦ୍ୟ) ଯେତେବେଳେ ଉଣା ପଡ଼ିଯାଏ, ସାହୁକାର ଗାଁ ଗାଁକେ ତା’ର ଭଣ୍ଡାର ଖୋଲିଦିଏ । ପୁଣି ଯେତେବେଳେ ଫସଲ ପାଚେ, ସାହୁକାର ହିଡ଼ ମୁଣ୍ଡରେ ବସି ତା’ର ପାଉଣା ଆଦାୟ କରିନିଏ, ସୁଧ ଚକ୍ରବୃଦ୍ଧି କ୍ରମରେ ।

 

ଏହିପରି ତା’ର କାରବାର ।

 

ଝିନ୍‍ଝଟ ନାହିଁ, କାରଣ ପାହାଡ଼ିଆ ଲୋକେ ପ୍ରଶ୍ନ ପଚାରନ୍ତି ନାହିଁ, ଫାକନ୍ତି ନାହିଁ, ଯାହା ମାଗିଲେ ତା ଦିଅନ୍ତି ।

 

ସାହୁକାର ରାମ ବିଶେଇ ତା’ର ଦଳଖିଆ ଘୋଡ଼ା ଉପରେ ଚଢ଼ି ବସେ । କସ ଦଉଡ଼ିର ଲଗାମ ହାତରେ ଧରି କୁଣ୍ଡଳ ହଲେଇ ହଲେଇ ଘୋଡ଼ା ଚଲାଏ । ଘୋଡାକୁ ପିଟି ପିଟି ଡାଳ ପରେ ଡାଳ ଛିଣ୍ଡିଯାଏ । ମଠେଇ ମଠେଇ ଏପାଖ ସେପାଖ ଚାହିଁ ଚାହିଁ ସେ ବାଟ ଚାଲେ । ଦେଖେ କେତେଖଣ୍ଡ ଭୂଇଁରେ ତା’ର ତାଷ ବଢ଼ିଲାଣି ଓ ଆଉ କେତେଖଣ୍ଡ ଭୂଇଁ ଅଛି ବାକି । ଦେଖେ କେତେଖଣ୍ଡ ଗାଁର ଲୋକେ ତା’ର ହାତତଳିଆ ହେଲେଣି, ଆଉ କେତେଖଣ୍ଡ ବାଟକୁ ଆସୁଛନ୍ତି ।

 

ଦଳଖିଆ ଘୋଡ଼ା ଉପରେ ଚଢ଼ି ଚଢ଼ି ସାହୁକାର ରାମ ବିଶେଇ ଆପଣାର ଜନବଳ ବଢ଼େଇ ବଢ଼େଇ ବାଟ ଚାଲେ । ସେଗୋଟିଏ ମୁଣ୍ଡ କିଣାଳି ।

 

ସୁକୃଜାନି ପୁଅ ଦୋ’ଟିକୁ ଧରି ଥୋଟାଗୁଡ଼ା ଗାଁରେ ପହୁଞ୍ଚିଲାବେଳକୁ ଗାଧୁଆ ବେଳେ ଗଡ଼ିଗଲାଣି । ରାମ ବିଶେଇ ପ୍ରସ୍ତୁତ ହିଁ ଥିଲା ଆଗରୁ । ଆଖି ଝଲସି ଉଠିଲା । ଛୁଞ୍ଚିମୁନିଆ ଚାହାଣୀରେ ଏମାନଙ୍କୁ ଥରେ ଅନେଇ ଦେଇ କହିଲେ, “ପାହାଡ଼ତଳ ଜମିଟା ତୋର ନା ? ସେଇ ଝୋଲାଉପରେ ଖାଲି ଜମିଟା ?”

 

ସୁକୃ କହିଲା, “ହଁ” ।

“କେତେ ଟଙ୍କା ନେବୁ ?”

“ଶହେ ।”

 

ଫାଉଲ୍ ଡମ୍ବ ଏସେପାଖେ ହେଇ ବୁଝାବୁଝି କରେଇଲା । ଆହୁରି ତିନିଟି ଲୋକ ଗଡ଼ିଲେ । ନାଇକ, ଢେପୁ ଚାଲାନ୍, ଫାଉଲ୍ ଡମ ସାକ୍ଷୀ ପଡ଼ିଲେ । ସାହୁକାରର ଖାତାରେ ଅଣକିଆ ଟିକିଲି ମରାହୋଇ “ଗଜା” ଅର୍ଥାତ୍ ଦଲିଲ୍ ଲେଖା ହେଲା– ଯେ ଲିଖିତଂ ଇତ୍ୟାଦି ଇତ୍ୟାଦି ….... ତଳେ ଲେଖା ହୋଇଥିବା ସାକ୍ଷୀମାନଙ୍କ ଆଗରେ ସାହୁକାର ରାମ ବିଶେଇ ସୁକୃଜାନି ଓ ଟିକ୍ରାଜାନି ଏମାନଙ୍କୁ ମୋଟ ଶହେ ଟଙ୍କା ଉଧାର ଦେଲା । ଦୁହେଁ ଆଜିଦିନଠାରୁ ତା’ର ‘ଗୋତି’ ହେଲେ ଓ ସେମାନେ ଗୋତି ପାଇଟି କରିବାକୁ ବାଧ୍ୟ ରହିଲେ । ପ୍ରତିବର୍ଷ ଜଣକା ପିଛା ପାଞ୍ଚଟଙ୍କା କରି ଶୁଝି ଯାଉଥିବ ଓ ପ୍ରତି ମାସରେ ସାହୁକାରଠାରୁ ପ୍ରତି ଗୋତି ଖାଦ୍ୟସ୍ୱରୂପ ପାଞ୍ଚ ପୁଟି ମାଣ୍ଡିଆ ପାଉଥିବେ ଓ ଶୀତଦିନେ ଏକ ଟଙ୍କାର ଖଣ୍ଡିଏ କମ୍ବଳ ପାଉଥିବେ । ଦରକାରବେଳେ କର୍ମରେ ଆସିବ ଇତି । ସମସ୍ତେ ସନ୍ତକ କାଟିଦେଲେ । ସୁକୃଜାନି ଟଙ୍କା ଘେନି ଆସିଲା । ଫାଉଲ୍ ଡମ୍ବ, ନାଇକ, ବାରିକ ଓ ଢେପୁ ଚାଲାନ୍ ସଙ୍ଗେ ଆଇଲେ ।

 

ସୁକୃ କହିଲା “ଏଥର ଯିବା ଚାଲ ଅଧିକାରୀ ପାଖକୁ ।”

 

ନାଇକ କହିଲେ, “ରାମ୍ ରାମ୍, ତୁ ଯିବୁ ତେବେ ଦି’ଶ ଟଙ୍କାରୁ କମ୍ ରେ ଛାଡ଼ିବ ନାହିଁ ସେ । ତୋ ଉପରେ ତା’ର ଭାରି ରାଗ ।”

 

“ତେବ– ?”

 

“ତେବେ ଆଉ କ’ଣ ? ଟଙ୍କା ଆମକୁ ଧରିଦେ, ମୁଁ ଯିବି, ଚାଲନ୍ ଯିବ, ଫାଉଲ୍ ଚାଲୁ । କେତେ କୁହା ପୋଛା ହେଲେ କରି ଗୋଡ଼ତଳେ ପଡ଼ି ଦଶଥର ପାଣ୍ଢେଇ (ଜୋତା) ଉଠେ ଦଶଥର ତଣ୍ଟିଆ ମାରି ତଡ଼ି କେଜାଣି ତା’ର ମନ ତରଳିଲେ ସେ ନେବ । ତୁ ଗଲେ କାଣିବିରାଡ଼ି ପରି ଗର୍ଜି ଉଠିବ । ତୁ ଆସିବୁ ଯଦି ଆମର ଦୋଷ ନାହିଁ ।”

 

“କାହିଁକି ? ତା’ର ଟଙ୍କା ଗଣିଦେବି, କିସ୍ କରିବ ମୋର ସେ ?”

 

“କିଛି କରିବ ନାହିଁ ତତେ, ଖାଲି କହିବ, ତୁ ଦି’ କୋଡ଼ି ଟଙ୍କା ଦେଇପାରିଚୁ ଆର କୋଡ଼ିକି ଯା ଆଣିବୁ, ନୋହିଲେ ଶିକ୍ଷା (ଜେଲ୍) କରିଦେବି । ହଉ ଭାଇ ତୋର ଇଚ୍ଛା । ଆମେ ମନେକରିଥିଲୁ ତୋପାଇଁ ଯାଇ ଗଡ଼ିଗଡ଼ିକା ଆମେ କହିବୁ, ମହାପ୍ରଭୁ, କିଛି ଆସ୍ତି (ସମ୍ପତ୍ତି) ନାହିଁ ତା’ର, ଏଇଟା ଆମେ ଗାଁ ବାଲା ଚାନ୍ଦା କରି ଦଉଁଛୁ, ରକ୍ଷାକର, ତୁ ଯଦି ନିଜେ ଯିବୁ ବୋଇଲେ ଆ-। ତେଣିକି ତୋ କର୍ମ ।”

 

ସୁକୃଜାନି ଟିକିଏ ଦୋ ଦୋ ପାଞ୍ଚ କଲା ।

 

ନାଇକ କହିଲା, “ଆଉ ସେଇ ଯୋଉ ଜମାନ୍ ଅଧିକାରୀଟାରେ, ତୋର ଛାଇ ପଡ଼ିଲେ ତା’ର ନାହି ଡେଉଁଚି, କିସତି ସବୁ ଲଗେଇ ଫୋଡ଼ି କରି କହିଚି, ସେ ବଡ଼ ଅଧୀକାରୀମାନଙ୍କ ଆଗରେ, ତୋର କିଛି କଥା ସେମାନେ ଆଉ ଶୁଣିବେ ନାହିଁ ।”

 

ଢେପୁ ଚାଲାନ୍ ମୁଣ୍ଡ ହଲେଇ ହଲେଇ କହିଲେ, “ହଁ ହଁ, ଏତେ କାଗଜରେ କ’ଣ ସବୁ ଲେଖିନେଇଛି । ରାଜିରୁଜା ହେଲେତ ଭଲ ନ ହେଲେ ତୋର କପାଳ ।”

 

ସୁକୃଜାନି ଭାବିଲା, ପ୍ରକୃତରେ ତ, ସେ ନିଜେ ଯାଇ ଟଙ୍କାଟା ଦେଇଦେଲେ କ’ଣ ଅବା ଫଳଟା ଅଧିକା ହେବ ? କିନ୍ତୁ–

 

“ମୁଇଁ ଗଲେ ସତେ ସବୁ ଭଣ୍ଡୁର୍ ହେବରେ– ?”

 

“ଆରେ ଜାନି, ତୁ ଏତେ ଡରୁଚୁ କାହିଁକି ? ଏତେ ତୋର ଅବିଶ୍ୱାସ ! ତା ହେଲେ ଆ ଗଛ ଉପରେ କି ବୁଦା ଉଢ଼ାଳରେ ବସି ଦେଖିବୁ କ’ଣ ହେଉଛି, ତୋର ଟଙ୍କା କିଏ ଖାଇଯିବ କି ଅଧିକାରୀ ନେବ ।” “ନା” ସୁକୃଜାନି କହିଲେ, “ଦରକାର ନାହିଁ, ମୋ ଯିବାର କି ଫଳ ହେବ ? ଗାଁ ନାଇକ ତୁ, ତୋତେ; ମୋର ଅବିଶ୍ୱାସ ହେବ ? ତେବେ କ’ଣ କଥା ଜାଣୁ ନା ନାଇକ, ସେ ଦିନ ତ ଏତେ କ’ଣ ଲଖିନେଲା, ସେଗୁଡ଼ା ଯଦି କାଟିଦିଅନ୍ତା ମୋ ଆଗରେ– ଅଧିକାରୀ ଲୋକ, ଦେଶିଆ ପରଜା ଭଲ ମନ୍ଦ ଭାରି ଜ୍ଞାନ ତାଙ୍କର–”

 

“ଓଃ ଏଇଥିପାଇଁ ଜାନି– କାଗଜଗୁଡ଼ାକ ତାଠୁ ନେଇଆସିବା ପଛେ ଜମାନ୍‍କୁ କହି, ଏଡ଼େ ଓଲୁ କରିଦେବ ଆମକୁ ସେ ରେ– ?”

 

ସୁକୃଜାନି ଛେପ ଢୋକି ଢୋକି ତୁନି ପଡ଼ିଗଲା । ନାଇକକୁ ଅବିଶ୍ୱାସ ହେଲା ନାହିଁ, କିନ୍ତୁ ଦେଶିଆ ଲୋକ ସେ, ସହଜରେ ବିଶ୍ୱାସ କରିଯାଏ ସତ, କିନ୍ତୁ ତଥାପି ଟିକିଏ ଆଶଙ୍କା ରହିଯାଏ, ସାମାନ୍ୟ ଟିକିଏ ଅବିଶ୍ୱାସ । କିନ୍ତୁ ଉପାୟ ନାହିଁ । ନିଜେ ଗଲେ ହୁଏତ ପୁଣି ଅଧିକାରୀ ଆହୁରି ଟଙ୍କା ହାଙ୍କିବ, ହୁଏତ ଆହୁରି ଖରାପ ହେବ । ତା’ ଅପେକ୍ଷା–

 

ନାଇକ ହାତରେ ଟଙ୍କାତକ ଥୋଇଦେଇ ସୁକୃଜାନି ଘରକୁ ଫେରିଆସିଲା । ହଉ, ଯାହା ଥିବ ଭାଗ୍ୟରେ ।

 

ଦୁଇଖଣ୍ଡ ସାନ ସାନ ନଇ-ଦଉଡ଼ି ଗୋଟେଇଲା । ନିଜେ ଖଣ୍ଡେ ଧରି ଟିକ୍ରାକୁ ଡାକି ଆରଖଣ୍ଡ ଦେଲା । କହିଲା,“ଟିକ୍ରା, ଏଇ ଦଉଡ଼ିଟା ତୋର ‘ଗଳା’ରେ ଆଉ ଏଇଟା ମୋର । ବର୍ଷେ ଲେଖା ପୂରିଯାଉଥିଲେ ଦଉଡ଼ିରେ ଗୋଟିଏ ଗୋଟିଏ ଗଣ୍ଠି ପକେଇ ଦେଇଥିବା ।”

 

ଟିକ୍ରା କହିଲା ‘ହଉ’ ।

 

ସୁକୃଜାନି ଚାହିଁ ରହିଲା ପୁଣି ଘର ଆଗକୁ । ପାହାଡ଼ ତଳେ ତା’ର କ୍ଷେତ ଭୂଇଁ, ସେମୁଣ୍ଡିଆ ଉପରେ ମାଳି–ଦମକ ପାହାଡ଼, ଯେଉଁଠି ସେ ପାଇଥିଲା ତା’ର ସରଗି କାଠ (ଶାଳକାଠ)ର ଭଣ୍ଡାର ସବୁ ପଡ଼ିରହିଚି, ଖାଲି ସୂର୍ଯ୍ୟଟା ଉଦିଆନ୍ (ପୂର୍ବ) ଦିଗରୁ ଖସି ଗଡ଼ିଗଲାଣି ଅସ୍ତାନ୍ (ପଶ୍ଚିମ) ଦିଗକୁ । ପାହାଡ଼ ଜଙ୍ଗଲ ଉପରେ ଶୁଖିଲା ଖରାଟା ସତେ କି ଯାଇଛି ମରି–ମଉଳି ପଡ଼ିଛି–କଟାହେଲା ସରଗି ଗଛର ପତ୍ର ପରି ।

 

ସୁକୃଜାନି ବେଶି ଭାବିପାରିଲା ନାହିଁ । ଖାଲି ଜାଣିଲା ସବୁ ତା’ର ସରିଛି..…

ଡାକିଲା, ‘ଟିକ୍ରା’ !

“ବାପା”

 

“ଆଜିଠୁ ଆମେ ଗୋତିରେ–‘ଗଜା’ରେ ସନ୍ତକ କାଟି ଚାଲି ଆସିଲେ, ଆଜିଠୁଁ ଆମେ ଗୋତି ଟିକ୍ରା”, ଲୁହର ବାମ୍ଫରେ ଆଖିଗଲା ପୂରି, ଛାତିଫଟା ମନର କୋହରେ ଅସମ୍ଭାଳ ହୋଇ ଦରବୁଢ଼ା ବାପ ପୁଅକୁ କୁଣ୍ଢେଇ ପକେଇ କହିଲା–

 

“ଟିକ୍ରା ଆଜିଠୁଁ ଆମେ ଗୋତିରେ– ।” ମାଣ୍ଡିଆ ଚାହିଁ ରହିଲା, ଜିଲି, ବିଲି ଚାହିଁ ରହିଲେ, ସମସ୍ତେ କାଠ ପରି । ଖାଲି ଜଳଜଳ ଆଖିରୁ ଲୁହଧାର ନିଗଡ଼ି ପଡ଼ିଲା ।

 

ଲଙ୍ଗଳା ବାପକୁ କୁଣ୍ଢେଇ ଧରି ଲଙ୍ଗଳା ପୁଅ ମୁହଁଟିକୁ ଉପରକୁ ଟେକି ହେମନ୍ତ ଦେବାକୁ ଚେଷ୍ଟାକଲା । କାନ୍ଦୁରା ମୁହଁରେ ହସଟିଏ ଓଟାରି କହିଲା–

 

“କ’ଣ ହେଲା ବାପା, ଟଙ୍କା କେଇଟା ଯେ, ଦେବା ଶୁଝି ।”

 

ଦିନ ଦଶଟାବେଳେ ଜମାନ୍ ହାତରେ ପାଞ୍ଚଟାଟଙ୍କା ଗୁଞ୍ଜି ଦେଇ ନାଇକ ତା’ର ଗୋଡ଼ ଧରି ପକାଇଲେ, କହିଲେ “ମହାପ୍ରଭୁ, ଦଶ ପନ୍ଦରଟା ଟଙ୍କାରୁ ମୁକ୍ତ କରିଦିଅ, ଦେଶିଆ ଲୋକ, କାହୁଁ ପାଇବି ବେଶି ଟଙ୍କା–”

 

ଅଧିକାରୀ ବାବୁମାନେ ସେତେବେଳେ ବସି ଖବର କାଗଜ ଉପରେ ଗପ ଜମାଇଥିଲେ ।

 

 

ନାଇକ, ଚାଲାନ, ବାରିକ ତିନିହେଁ ଯାଇ ଗୋଡ଼ତଳେ ପଡ଼ିଗଲେ, “ମହାପ୍ରଭୁ” ଖାଇବାକୁ ଘରେ ଖାଦି ନାଇଁ, ଖାଲି ଆମ୍ବଟାଙ୍କୁ ଆଉ ଶାଗ, ତୁମର କଥାରେ ଗୋତି ଯାଇ ବିଚାରା ଟଙ୍କା ଦଶଟା କରଜ ଆଣିଚି, ଏତିକି ନେଇ ରକ୍ଷାକର ତୁମେ ମା ବାପା ।”

 

ଜମାନ୍ କହିଲା, “ହଁ ବଡ଼ ଗରିବ ।”

 

ଅଧିକାରୀବାବୁ ସ୍ଥିର ଦୃଷ୍ଟରେ ଅନାଇଁ ଟିକିଏ ରହିକରି ଜବାବ ଦେଲେ, “ଆଚ୍ଛା, ପଚିଶି ଦେ ।”

 

ଶେଷରେ ପନ୍ଦର ଟଙ୍କା ବୁଝାଇ ଦେଇ କ’ଣ ଖଣ୍ଡେ କାଗଜ ବୁଝିପାଇ ତିନିକା ତିନିହେଁ ଅଧିକାରୀ ଗୁଣ ଗାଈ ଗାଈ ଫେରିଆସିଲେ । ତା’ପରେ ଜଙ୍ଗଲରେ ମିଶିଗଲେ, ଭାରି ଖୁସି ।

 

ସୁକୃଜାନିର ଘର ଉପରେ ମାଟିଆ ଚିଲ ବସିଲା । ସେ ଖୋଜି ଗଲା ନାୟକ ଚାଲନ ବାରିକ ଆଉ ଫାଉଲ୍ ଡମ୍ବ ଭାଗ ଘେତି ଘରକୁ ଫେରିଲେ । ତା’ପର ଦିନ ଅଧିକାରୀମାନଙ୍କ ଛାଉଣୀ ଉଠିଗଲା ।

 

ସେଦିନ ରାତିରେ ଉଠିଲା ଗୋଟିଏ ବଡ଼ ଜହ୍ନ । ଜିଲି ସବୁଦିନ ପରି ଡାହାଣକୁ ଢଳି ପଡ଼ିଥିବା ବାଙ୍କ ଖୋସାରେ ପେନ୍ଥାଏ ଧଳା ରଜନୀଗନ୍ଧା ଫୁଲ ଖୋସିଲା । ଗୋଟିଏ ହୋଇ ଚାଲିଚାଲିକା ଗଲା ଧାଂଡ଼ୀବସା ଘରକୁ । ଖୁବ୍ ବଡ଼ ପ୍ରଳୟ ତା ଜୀବନରେ ଘଟିଯାଇଛି, ବାପା ଭାଇ ଗୋତି ହେଲେ, ‘ଶିକ୍ଷା’ ମୁହଁରୁ ଯାଇ ଫେରିଆସିଲେ, ଘରେ ଏତେ କନ୍ଦାକଟା ଏତେ ଦୁଃଖ ।

 

କିନ୍ତୁ ଛେଚିକୁଟି ବରଷା ଯେପରି ପାହାଡ଼ର ତାଳୁ ଉପରେ କେବେ ରହିଯାଇ ପାରେ ନାହିଁ, କେଉଁଆଡ଼େ ପାଣି ଗଡ଼ିଯାଏ, ପାହାଡ଼ି ମଣିଷର ଦୁଃଖ ମନ ଉପରେ ଜମାହୋଇ ରହିପାରେ ନାହିଁ । ଦୁଃଖ ଆସୁଥାଏ, ଦୁଃଖ ଯାଉଥାଏ, କିନ୍ତୁ ଧୋଇ ହୋଇ ହୋଇ ହସଟି ଥାଏ ଚିକ୍‍କଣ, ସରସ ଆକାଶର ସେ ବଡ଼ ଗୋଲବତୀ ପରି ।

 

ଖୋସାଟି ସେ ଚିକ୍‌କଣ କରି ନିଠେଇ ନିଠେଇ ବାନ୍ଧିଛି, ପିନ୍ଧିଛି ତା’ର ସଉକୀ ଲୁଗା ଖଣ୍ଡିକ ଦେହଯାକ ଯାହାର ନାଲି ନେଳି ପଟ୍ଟା । ଜହ୍ନ ଆଲୁଅର ପ୍ରଜାପତି ପରି ଜିଲି ଉଡ଼ି ଉଡ଼ି ଚାଲିଲା । ବିରାଟ ନେଳି ଆକାଶ ଲୋଟି ପଡ଼ୁଛି ଢେଉ ଢେଉକା ଅସଂଖ୍ୟ ପାହାଡ଼ ଉପରେ, ସବୁ ଶୂନ୍‍ଶାନ୍‍, କିନ୍ତୁ କି ସୁନ୍ଦର ଚାନ୍ଦିନୀ ରାତି । ଜହ୍ନ ଆଲୁଅରେ ଝିଲି ଝିଲକା ପାଖର ଦୂରର ପତ୍ର ।

 

ଧାଂଡ଼ୀବସା ଘରେ ଆଜି ଭାରି ଧୁମ୍‍ଧାମ୍ ଲାଗିଛି । କାରଣ ଆଜି ଜମାନ୍ ଆଉ ଅଧିକାରୀଏ ଛାଉଣୀ ଉଠେଇଛନ୍ତି, ପବନରୁ ଆଶଙ୍କା ଯାଇଛି । କେବଳ ଆନନ୍ଦ ।

 

ଜିଲି ଭିତରେ ଶୋଇଲା । ଯୌବନ ପାହାଡ଼ ଉପରେ ଚାନ୍ଦିନୀ ରାତିର ମନଉଚ୍ଚାଟିଆ ଡାକର ଜବାବ୍‍ ଦେଲା ।

 

ଜିଲି ଚାଲିଲା ଧାଂଡ଼ାବସା ଘରକୁ ।

 

ମାଣ୍ଡିଆଜାନି ଧାଂଡ଼ୀବସା ଘରେ ମନ ଆଉ ଡୁଙ୍ଗୁଡୁଙ୍ଗାରେ ଡୁବି ରହିଲା, ସେ ମଧ୍ୟ ଉପଭୋଗ କଲା ଅଧିକାରୀ ବାହୁଡ଼ାର ମଦ ଭୋଗ ।

 

ସମ୍ମୁଖରେ ତା’ର ଜୀବନଟା ପଡ଼ିଛି ପରିଷ୍କାର ଆଉ ଚଉଡ଼ା । ପାହାଡ଼ର ମାଳ ଉପରର ରିଜାର୍ଭବଣ ମାର୍କା ମାରିବାକୁ କଟା ହୋଇଥିବା ଜଙ୍ଗଲ ମଝିରେ ଫାଙ୍କା ଲାଇନ୍ ପରି, ଜୀବନଟା ସିଧା ଚାଲିଛି ।

 

ସୁକୃ ଆଉ ଟିକ୍ରା ଘରେ ଜଗି ଶୋଇ ରହିଲେ ସବୁଦିନ ପରି । କାଲି ସକାଳୁ ସେମାନ ସାହୁକାର ଘରେ ଗୋତି ।

 

କାର୍ତ୍ତିକ ମାସକୁ ପରଜା ଲୋକର ଭାଷାରେ କହନ୍ତି ‘ଦିଆଲି–ମାସ୍ ।’

 

ଏଇ ଦିଆଲି ମାସରେ ଗୋଟିଏ କୁହୁଡ଼ିଆ ସକାଳ ଭିତରେ ବାପ ସୁକୃଜାନି ଆଉ ପୁଅ ଟିକ୍ରା ସାହୁକାର ଘରକୁ ଚାଲିଗଲେ, ବାଟେ ବାଟେ ଉଞ୍ଚ ଉଞ୍ଚ ପାହାଡ଼ଗୁଡ଼ାକ ଗମ୍ଭୀର ହୋଇ ଗାଦିମାଡ଼ି ବସିପଡ଼ିଥାଏ ଦି’ କରରେ, ମୁଣ୍ଡ ଉପରୁ ହୁଗୁଳା ପଗଡ଼ି ପରି ଫିଟି ପଡ଼ୁଥାଏ କୁହୁଡ଼ିର ବାଙ୍କ ବେଣୀ ।

 

ଗମ୍ଭୀର ନିଷୁର ଆଉ ଅବଚଳିତ, ଠିକ୍ ପୁଞ୍ଜିପତି ସାହୁକାର ପରି, ସରୁ ଜଙ୍ଗଲୀ ରାସ୍ତା ଉପରକୁ ସାନ ମୁଣ୍ଡିଆର ଚରା ଝୁଙ୍କି ପଡ଼ିଥାଏ, ଢାଲୁ ଢାଲୁଆ ପଦର ଭୂଇଁ, ସକାଳ ଆଲୁଅରେ ହଳଦି ଗର ଗର ଅଳ୍‍ସି କ୍ଷତ ଚେଇଁ ଉଠୁଥାଏ ।

 

ସତେ ଯେପରି ଦଶଦିଗପାଳ ଖାଲି ବଡ଼ ବଡ଼ ମହାଜନ, ସାମ୍ନାରେ ସୁନା ଅଜାଡ଼ି ବସି ପଡ଼ିଛନ୍ତି ଚେକା ଚଉଧୁରୀ ହୋଇ, କାରଣ ଏହି ଦୁନିଆଟା ଗୋଟାସାରା ତାଙ୍କରି ।

 

ଆଉ ବାଟେ ବାଟେ ସୁକୃ ଆଉ ଟିକ୍ରା ଚାଲିଗଲେ ଗୋତିକୁ ।

ସର୍ଷୁ–ପଦରଠୁଁ ଥୋଟାଗୁଡ଼ା ଗାଁ ପ୍ରାୟ ବାଟ ଚାରିକୋଶ ହେବ । ଭୀଷଣ ଜଙ୍ଗଲ ।

 

ଖରା ବଢ଼ିଲା, ଗାଁ କତି କତି ପଡ଼ିଲା ବଡ଼ ବଡ଼ କ୍ଷେତ, ସବୁ ସାହୁକାରର । ମାଣ୍ଡିଆ କଟା ଲାଗିଛି । “ଆମ କ୍ଷେତରୁ ଏ ସାଲର ପାଚିଲା ଫସଲ ଦି’ଟା ଆଗରୁ ଉଠେଇ ସିନା ନେଲେଇଁ ଟିକ୍ରା, କ’ଣ ହେବରେ ଏଣିକି ?”

 

ଟିକ୍ରାର ହେତୁ ହେଲାଣି । ବାପର ମୁହଁର କଥା ନ ସରଣୁ ମନେ ମନେ ସବୁ ବୁଝିନେଲା ସେ ବାପ ମନର ସକ ଆଉ କୋହ । ସାହୁକାରର ଗଡ଼ିଶା ଗଡ଼ିଶା ଧାନ ମାଣ୍ଡିଆ ପାଚିବ, ସେମାନେ କାଟିବେ, ସାହୁକାରର କୋଡ଼ି କୋଡ଼ି ଗାଈ ଫଳ ଯିବେ, ସେମାନେ ଦୁହିଁବେ । ସାହୁକାରର ଘର ତୋଳାହେବ, ନାଁ ଡାକ ହେବ ।

 

ଆପଣାର ବିଲ ହେବ ଘାସ ବଣ ।

 

“କାହିଁକି ଭାବୁଚୁ ଅବା, ଏକା ମାଣ୍ଡିଆ ଆମ ଦିହିଁଙ୍କଠୁଁ ବେଶି । ସେଇ ଗୋଟିଏ ଟୋକାକୁ ଆମର ଜମି ନାହିଁ, ବିଲ କ’ଣ ପଡ଼ିଆ ପଡ଼ିବ କେବେ ?” “ନା”–ସୁକୃଜାନି କହିଲା, ତା’ପରେ ଗୁମ୍ ଖାଇ ଖାଇ ବାଟ ଚାଲିଲେ, କିନ୍ତୁ ସୁକୃ ମନ ଶାନ୍ତି ହେଲା ନାହିଁ । ମାଣ୍ଡିଆ–ସେଇଟା ତ କାଲିକାର ପିଲା ।

 

କ୍ଷେତରୁ ଫସଲ କଟା ଲାଗିଥାଏ, ପଲ ପଲ ଲୋକ, ମର୍ଦ୍ଦ କମ୍ ମାଇକିନିଆ ବେଶି । “ଚରୋଟି” ପୋକ ପରି ବିଲଯାକ ଖାଲି ମଣିଷ, ଫସଲ କଟା ଲାଗିଛି । ନାଲି ନାଲି ଟୋପାଏ ମଣିଷ । କାମ ଲାଗିଛି । ଦିନମାନ ଖଟିଖଟି ତିନିଟାକି ଚାରିଟା ପଇସା, ନୋହିଲେ ମାଣ୍ଡିଆ ମୁଠାଏ ।

 

ତାଙ୍କର କ’ଣ ଦୁଃଖ ନାହିଁ ? କଷ୍ଟ ନାହିଁ ? ଅଛି । କାହାର ନାହିଁ ? ପୋଡ଼ାକପାଳିଆ ମଳିମୁଣ୍ଡିଆଙ୍କ ଦେଶ, ପେଟକୁ ‘ଖାଦି’ ଅଧା, ଦେହପାକୁ କାହିଁ ଚାଖଣ୍ଡେ ବକଟେ । ତହିଁରେ ପୁଣି କେତେ ଲୋକଙ୍କ କେତେ ବାଦ ।

 

କିନ୍ତୁ ପାହାଡ଼ିଆ ଝିଅଙ୍କ ଧୁଆପୋଛା ହସ ଉଛୁଳି ପଡ଼ୁଥାଏ ବେଣାଫୁଲର ଲମ୍ବ ଲାଞ୍ଜି ଧଳା ଫୁଲ ପରି, ଧୋବଲା ହସ, ସୁନ୍ଦର–ଆଉ ବେପାରୁଆ ।

 

କଟାଳି ଟୋକାଏ ଏକା ପାଟିରେ ଗୀତ ବୋଲନ୍ତି “ଏଇ ମାଣ୍ଡିଆକ୍ଷତ ଉପରେ ଆମେ–

ନିତି ଖଟୁଛିୁ, ନିତି ଢାଳୁଛୁ ଝାଳ, ପାଚିଲା ଫଳ ଗାଡ଼ି ଗାଡ଼ି ହୋଇ ସାଇତା ହେଉଛି,–

 

କାହା ପାଇଁ ? ହେ ପ୍ରିୟ, ତୁମରି ପାଇଁ, ତୁମରି ପାଇଁ ମୋର ବାଡ଼ିରେ ମକା, କ୍ଷେତରେ ମାଣ୍ଡିଆ, ରନ୍ଧା ମଦ ପିଇ ଆଖି ଢୁଳୁ ଢୁଳୁ କରି ମତୁଆଳ ହୋଇ ମୁଁ ଯେତେବେଳେ ଡାକିବି, ତୁମେ ଆସିବ । ଚାନ୍ଦିନୀ ରାତିରେ ପତ୍ର ତଳର ଛାଇଏ ଛାଇଏ ଛପି ଛପି ପାଦ ପକାଇ ତୁମେ ଆସିବ, କାରଣ ତୁମକୁ ଜଗି ବସିଲେହେଁ ମୋର ଡର ଲାଜ ଅଛି ।

 

ଏଇ ମାମୁଁ ଗାୱେ ଏଇ ଦାଦି ଗାୱେ

ଆମି ଡରିଗଲୁ ଆମି ଗୁଚିଗଲୁ–

 

କିନ୍ତୁ ହେ ପ୍ରିୟ, ଆମର ରକତ ପାଣି ହୋଇ ମାଣ୍ଡିଆ ଫଳେଇଛୁ କ୍ଷେତରେ ତୁମରି ପାଇଁ ତୁମରି ପାଇଁ –”

 

ଫମ୍ପା ଗୀତର ଫମ୍ପା ଆବାଜ ବାଜିଲା ସୁକୃଜାନିର ଫାଙ୍କା ମନ ଭିତରେ, ମନ ଭିତରେ କାନ୍ଦି ଉଠିଲା । କାହା ପାଇଁରେ–କାହା ପାଇଁ–କାହାପାଇଁ ଗାଡ଼ି ଗାଡ଼ି ଶଗଡ଼ ବୁହା ହୋଇ ଯିବ କ୍ଷେତର ପାଚି– ଆମ ମୁଣ୍ଡ ଝାଳର କାରସାଜି !

 

ଫାଙ୍କା ଫାଙ୍କା– ସବୁ ଖାଲି ଉପହାସ ଆଉ ଥଟ୍ଟା, ମରମ ଖେଞ୍ଜା ଥଟ୍ଟା ନକଲ ।

 

ପାହାଡ଼ ଆକାଶ ଝୋଲା କ୍ଷେତ ଭରି ଖାଲି ଜମାନ୍ ଆଉ ଅଧିକାରୀ, ସାହୁକାର ଆଉ ଗୋତି ।

 

ଖାଲିବାଘ ଆଉ ଛେଳି, କାଠ ଆଉ ନିଆଁ ।

ଯେତେ ଏପାଖ ସେପାଖ ହେଉ ପଛେ, ଯେ ଯେଉଁଠି ସେ ସେଇଠି ।

 

ବାପ ପୁଅ ସକାଳୁ ଯାଅନ୍ତି, ସଞ୍ଜରେ ଫେରନ୍ତି । ଦିନଯାକ ସାହୁକାର ଘରର ପାଇଟି । କାହିଁ କନା–ପାଇ ଗାଁ, କାହିଁ କୁଟିଂଗା, କାହିଁ ପିପଳପଦର, ଯେଉଁଠିକୁ ସାହୁକାର ପଠେଇଲେ ସେଇଠିକି ।

 

ସଞ୍ଜରେ ଫେରନ୍ତି–କାନ୍ଧରେ ଝୁଲା ହୋଇଥାଏ ଫମ୍ପା ଫମ୍ପା ଲାଉତୁମ୍ବା, ଖଣ୍ଡେ ଲେଖାଁ ଟାଙ୍ଗିଆ, ତଲ୍ରା ଆଉ ତଲ୍ରି । କାମ କରି କରି ହାତପାପୁଲି ସିଝି ଯାଇଥାଏ, ଗୋଡ଼ରେ ପେଣ୍ଡା ଛିଣ୍ଡି ପଡ଼ୁଥାଏ ସତେକି । ପାଟି ଅଠା ଅଠା କରି, ତୁଣ୍ଡ ନାହିଁ ମୁଣ୍ଡ ନାହିଁ, ଘନ ଜଙ୍ଗଲ ଭିତରେ ଥିରିଥାରି ଗଡ଼ିପଡ଼ନ୍ତି । ଜଙ୍ଗଲ ସାଇଁ ସାଇଁ କରେ, ବନସ୍ତ କନ୍ଦିଏ କନ୍ଦିଏ ଖୁନ୍ଦି ହୋଇଯାଏ ଅନ୍ଧାର । ଢେଉ ଢେଉକା ପାହାଡ଼ ମଝିରେ ଠାସୁକୁ ମାରି ଠଉରା ମଣିଷ ଚଲା ବାଟ ।

 

ଆକାଶରେ ତରା ଜୁକୁ ଜୁକୁ କରେ, କୁଟ୍ରା ବୋବାଏ, ବିଲୁଆ ବୋବାଏ । ପେଁ ପେଁ କରି ସମ୍ବର ଗୋଟିକୁ ଗୋଟି ଦଉଡ଼ି ଦଉଡ଼ି ପଳାନ୍ତି । ବାଘୁଆ ଜଙ୍ଗଲ । ବହଳ ଅନ୍ଧାର ଭିତରେ କେତେ ଗାଡ଼ କେତେ ଖମା, ଖାଲ ଲଙ୍ଘି ପଳାଇ ଆସନ୍ତି ନିରାଶ୍ରୟ ଯୋଡ଼ିଏ ମଣିଷ ।

 

ଆଖି ଯେତେଦୂର ଯିବା ତା ସେପାରିକୁ ଲାଗି ରହିଥାଏ ଖାଲି ଅସରନ୍ତି ଅଗନାଗ୍ନି ବନସ୍ତ ।

 

ଦିନ ପରେ ଦିନ ଗଡ଼ି ଗଡ଼ି ଯାଏ । ‘ଗୋତି’ ପକ୍ଷରେ ସବୁ ଦିନ ସମାନ, ଆଜି ଯାହା କାଲି ବି ତାହା । କେବଳ ଖଟଣି, ସାହୁକାର ନିକିତି ଧରି ବସି କାମ ଓଜନ କରିନିଏ । ଦିନେ ଡେରିରେ ଆସିଲେ କସି କରି ଗାଳି ଦିଏ, ଆଉ ଦିଏ ହାଡ଼ଭଙ୍ଗା ପରିଶ୍ରମ ।

 

କେତେ ଛୁଣିକା ଛୁଟ୍ କରି ଆଲୁଅ ପକ୍ଷ ସରିଯାଇ ଅନ୍ଧାର ପକ୍ଷ ଆସେ ତା’ ଗୋତି ବୁଝେ ନାହିଁ ।

 

ବାପ ଭାଇ ଗୋତି ଗଲେ ସତ, କିନ୍ତୁ ମାଣ୍ଡିଆଜାନି ଦବିଲା ନାହିଁ ।

 

ସେ ମଧ୍ୟ ବାପ ପରି ଛାତି ଫୁଲେଇ ଆଗକୁ ଚାହେଁ, ଆଉ ଭଲ ଦିନକୁ ଅପେକ୍ଷା କରି ବସେ । ମାଣ୍ଡିଆ ଫସଲ ଭୂଇଁରୁ କଟାହୋଇ ଘରେ କିଛି ସାଇତା ହୋଇଛି, ଦିଆଲି (କାର୍ତ୍ତିକ)ମାସରେ ସାରୁ କିଛି ଖୋଳା ହୋଇ ରହିଛି, ଆଉ କିଛି ମକା । ଘର ଆଗରେ ଅଗଣା ବୋଲି ଯେଉଁ ଖଣ୍ଡେ ବାରି, ଟଣିଆ ଝାଟିର ଜାଫ୍ରିରେ ନିବୁଜ ହୋଇ ଛକି ବେଢ଼ା ହୋଇଛି, ତାହା ଭିତରଟା ଖାଲି ଲାଲ ପଡ଼ିଯାଇଛି । ଗୋଜିଆ ଗୋଜିଆ ପାଚିଲା ଲଙ୍କା ମରିଚର ଅଗ ଦିଶୁଛି ଲାଲ ଟହ ଟହ । ବଣରୁ ବେଳ ଉଣ୍ଡି କେତେବେଳେ ମୟୂର ଆଉ ଶାରୀ ପଲ ଉଡ଼ି ଆସନ୍ତି, ବିଲି ବାଡ଼ି ଖଣ୍ଡେ ଧରି ଲଙ୍କାମରିଚ ଫସଲ ଜଗେ । ମାଣ୍ଡିଆଜାନି କୁନ୍ଦୁରୁ ଗଛମୂଳେ ହୁଡ଼ା ଟେକିଦିଏ, ଝାଟି ଭାଡ଼ି ଉପରୁ କୁନ୍ଦୁରୁ ଫଳ ମୁଣ୍ଡ ଟେକି ଚାହେଁ ।

 

ମାଣ୍ଡିଆଜାନି ଆଖିରେ ଅନ୍ଧାର ଦେଖେ ନାହିଁ, ଦେଖେ ଆଶା ।

 

ଝୋଲାଧାନ ଜମି ଆଡ଼କୁ ଅନାଇଁ ରହି ଭରସା ପାଏ, ଆଉ ମାସକୁ ଧାନ ପାଚିବ, କାହିଁ ଦି’ ଗଡ଼ିଶା ହୋଇଯିବ ପରା, ଧାନଜମି ତା’ର ମାର୍କାମରା ଜମି, ତାହାରି ଲାଭ ଉପରେ ବିକିଭାଙ୍ଗି ଚଳିଯିବ କୁଟୁମ୍ବ ଗୋଟାଏ, ପୁଣି ତ ହରଫସଲ ଅଛି ।

 

ଗାଁରେ ଭାରି ଚହଳ, ଏଇମାସଟା ଆଉ ମାର୍ଗଶୀର (ପଣ୍ଡୁମାସ୍)(ପୁଷ; ଫୁସ୍‍ ମାସ୍) ଏତିକିରେ ବରଷ ସାରା ଫସଲକଟା ହୋଇ ଗଦା ହେବ, ଧାନ, ମାଣ୍ଡିଆ, ଅଳ୍‍ସି, ସୁଆଁ, କାନ୍ଦୁଲ(ହରଡ଼) ସବୁ । କାହାରିକି ଫୁରସତ୍‍ ମିଳେ ନାହିଁ । ସମାଳୁ ଉଠି ଗାଁ ଗୋଟାକ ଯାଇ ବିଲରେ ।

 

ଏତେବଡ଼ ଚାଞ୍ଚଲ୍ୟ ଭିତରେ ମାଣ୍ଡିଆଜାନି ସବୁ ଦୁଃଖକଷ୍ଟ ଆପେ ଆପେ ଭୁଲିଯାଏ । ଖାଲି ସେଇ ଝୋଲାପାଖ ଧାନକ୍ଷେତ ଉପରେ ତା’ର ଆଖି ଲାଖି ରହେ, ଆଉ ସେ ଭାବେ, ସବୁ ଯୁବକ ଯେପରି ଭାବନ୍ତି, ଖାଲି ଆଶାର କଥା, ସଫଲତା’ର କଥା, ଉନ୍ନତି କଥା ।

 

କେବେ କେବେ ଦି’ପହରବେଳେ ଝୋଲା ଉପରେ ପାହାଡ଼ି ଭୂଇଁ ଉପରେ ବାକି ରହିଯାଇଥିବା ମାଣ୍ଡିଆତକ ନିଠେଇ ନିଠେଇ ବସି କାଟୁଥିବାବେଳେ ଦେହ ଖେଳେଇ ଖେଳେଇ ବୋଇତ ଭାସିଲା ପରି ପାଚିଲା କ୍ଷେତ ବାଟେ ବାଟେ ଗାଁର ଟୋକୀଏ ଝୋଲା ଆଡ଼କୁ ଗଡ଼ିଯାଆନ୍ତି ।

 

ଦାନ୍ତକାଠିଟା ପାଟିରେ ଗୁଞ୍ଜି ପାଇଟି କରୁ କରୁ ସକାଳ ବିତେଇ ଦେବେ, ପରଜା ଝିଅଙ୍କର ଅଭ୍ୟାସଗତ ବିଶେଷତ୍ୱ । ମାଣ୍ଡିଆଜାନି ଉହୁଙ୍କି ପଡ଼ି ମାଣ୍ଡିଆ କାଟୁ କାଟୁ କଣେଇ କଣେଇ ଦେଖ କିଏ କେତେ ସେବାଟେ ଯାଆନ୍ତି, କିଏ ଲୁଗାପଟା ଧରି କିଏ ଗୁର୍ଦିଶାଗ ବା ବଣରୁ ଆଣିଥିବା ମୂଳଗୁଡ଼ିଏ ଧରି, କିଏ ବା ମାଠିଆ ଧରି ।

 

ଆଉ ସେବାଟେ ଯାଏ କାଜୋଡ଼ି ।

 

ଚିକ୍‌କଣ ଚାକଣ ମୁହଁଟି ତା’ର ସବୁବେଳେ, ବାଛି ବାଛି ନାଲି–ନେଳି ପଟପଟକିଆ ଲୁଗା ଖଣ୍ଡିଏ ସେ ପିନ୍ଧେ, ଅଣ୍ଟା ଉପରକୁ ଆବୋର, ତଳେ ଜଙ୍ଘ ତଳକୁ ଖାଲି । ବାଙ୍କ ଖୋସାରେ ଆଙ୍ଗୁଠି ପରି ନାଲି ଟହ ଟହ ବଣଫୁଲ ପେନ୍ଥାଟିଏ ମାରିଦେଇ ହସି ହସି କାଜୋଡ଼ି ବାଟ ଚାଲେ, ମାଣ୍ଡିଆ ଘଡ଼ିଏ କାଳ ଅନେଇ ରହେ ତା ଆଡ଼କୁ ।

 

କାଜୋଡ଼ି ଝୋଲାକୁ ଯାଏ ।

 

ପାଖ କ୍ଷେତରୁ ପାଚି–କଟାଳିଏ ଲହର ଦେଇ ଦେଇ ପାହାଡ଼ର ଗୀତ ଗାଆନ୍ତି, ମାଣ୍ଡିଆଜାନି ଖାଲି ଭାବେ….. ।

 

ଧାନଗଣ୍ଡାକ ଭଲ ପାଚିବ ବୋଲି ଆଶା ଦିଶୁଛି ଏ ସାଲେ । ଖାଇବାକୁ ଗଣ୍ଡାଏ ରଖିଦେଇ ବାକିତକ ଦୁଇ ତିନି କୋଡ଼ି ଟଙ୍କାକୁ ବିକି ଦେଲେ ଝୋଲା ଟଙ୍କା ହୁଏତ ଆପେ ଆପେ ଖଟିଯିବ (ଅଣ୍ଟିଯିବ) ।

 

ତା’ପରେ ଆସିବ କାଜୋଡ଼ି ।

 

ପୁଣି ତଳକୁ ଝୋଲା ଆର ପାରି ତା’ର ଅଉଲ୍ ଧାନକ୍ଷେତ ଖଣ୍ଡିକୁ ବିଚାରା ଅନାଇଁ ରହେ । ଦି’ପହରର ସୁନେଲି ଧାନକ୍ଷେତ ଚିକ୍ ଚିକ୍ ଦିଶୁଛି । ରହି ରହି କେତେବେଳେ ପବନ ସୁଅ ମାଡ଼ିଆସୁଛି, ଧାନକ୍ଷେତ ଉପରେ ଢେଉ ଖେଲୁଛି । ସେ ପାଖେ ପର୍ବତ, ଗହଳ ଜଙ୍ଗଲ, ଆକାଶର ସୀମା ତଳେ ତଳେ ଢେଉଢେଉକା ପାହାଡ଼ର ଗାର ଆଖି ସେକୁ ଗୋଲେଇ ବାନ୍ଧି ମିଶିଯାଇଛି । ନେଳି, କଳା, ସାବୁଜା ରଙ୍ଗର ମୁରୁଜ ଚିତ୍ର । ସେ ପାଖେରେ ପାହାଡ଼, ଏ ପାଖେ ତା’ର ଘର ଖଣ୍ଡି, ଆଉ ଦଶ ଲୋକଙ୍କ ଘର ।

 

ମଝିରେ ତା’ର ସେ ଭାତ ଥାଳି, ଢେଉଭଙ୍ଗା ସୁନେଲି ଧାନକ୍ଷେତ, ତା’ର ବାପ ଗୋସାପଙ୍କ କମେଇଁ । କେତେ ପୂର୍ବପୁରୁଷଙ୍କ ହାତ ଲାଗି ଲାଗି ମାଟି ଚିକ୍‍କଣ ହୋଇଯାଛି, ଏଇ ଧାନଗଣ୍ଡକରୁ କେତେ ସୁଖ ଦୁଃଖ, ପୁରୁଷ ପୁରୁଷର ପରମ୍ପରାଗତ ବିବର୍ତ୍ତନର ଧାରା ଲୁଚି ରହିଚି ଏଇ ମାଟିରେ । କେତେ ଯାଇଛନ୍ତି, କେତେ ପୁଣି ହେବେ, ମରିଯାଇଛି (ମୃତବ୍ୟକ୍ତିର) ପାଉଁଶ ଆଉ କଅଁଳା ଭବିଷ୍ୟତ୍‍ର ମଞ୍ଜିସବୁ ମିଶିଯାଇଛି ଏଇ ମାଟିରେ ।

 

ଅନାଇଁ ଅନାଇଁ ଭାବୁ ଭାବୁ ମାଣ୍ଡିଆଜାନି ଅଟକି ରହେ, ତା’ର ଆଖି ଆଗରେ ଧାନ ଉଢ଼ାଳରୁ ଫୁଟିଉଠେ ବାରମ୍ବାର ଖାଲି ଗୋଟାଏ ଛବି,–କା ଜୋ–ଡ଼ି ।

 

ଧାନ ଆଉ କାଜୋଡ଼ି, କାଜୋଡ଼ି ଆଉ ଧାନ, ଘରଭର୍ତ୍ତି ଧାନ ଆଉ ମନଭର୍ତ୍ତି କାଜୋଡ଼ି ଦୁହିଁକୁ ଦୁହେଁ ଏକାଠି ।

 

ବାପ–ପୁଅ ଦିନେ ଦିନେ ଆସନ୍ତି, ଦିନେ ଦିନେ ରହିଯାନ୍ତି ସାହୁକାରର ଘରେ । ସକାଳୁ ଉଠି ପାଇଟି କରିବାକୁ ସାହୁକାର କାମରେ ଯାଆନ୍ତି, କେଉଁଦିନ ଗାଈଜଗା, କେଉଁଦିନ କାଠହଣା, ଯେଉଁଦିନ ଦରକାର ହୁଏ ବିଲକାମ, ଠିକ୍ ଯେପରି କାମ, ନିଜ ଘରର କାମ ।

 

ସାହୁକାର ରାମ ବିଶେଇ ଘୋଡ଼ାରେ ଚଢ଼ି ବେଳେ ବେଳେ ତନଖି କରିଯାଏ, ଗୋତି ଖଟୁଛି କି ବସି ବସି ଝାଳ ମାରୁଛି ।

 

ସଞ୍ଜ ବୁଡ଼େ, ଗୋତି କାମରୁ ଫେରେ, ଘରକୁ ବାହୁଡ଼େ, ଦିନମାନର ମଜୁରି ନାହିଁ, ମାସ ଶେଷର ମଜୁରି ନାହିଁ, ଖାଲି,–ତା’ର ଋଣ ଶୁଝିବ ।

 

ଗୋତିଦିନ ଗଣେ, ତା’ପରେ ଦିନ ଗଣିବାକୁ ସୁଦ୍ଧା ଭୁଲିଯାଏ, ଗୋଟିଏ ଦିନ ଆଉ ଗୋଟିଏ ଦିନ ପରି, ତଫାତ୍ ମୋଟେ ନାହିଁ ।

 

ଗୋତି ଦିନ ଗଣେ, ସାହୁକାର ଗଣେ ସୁଧ । ଗୋତିର ଦିନ ଗଣା ସରିଯାଏ, ସବୁ ଭୁଲି ଶେଷରେ ସେ ଭାବେ ଖାଲି କାମ ହିଁ ତା’ର ସାର, କାମ ପାଇଁ ତା’ର ଜନ୍ମ, ସାହୁକାର ଭୁଲେ ନାହିଁ, ଋଣର ଶିଙ୍କୁଳି ବଢ଼ି ବଢ଼ି ଚାଲେ ।

 

ଦଳଖିଆ ଘୋଡ଼ା ଉପରେ ଚଢ଼ି ରାମ ବିଶେଇଥ ଅନୁସନ୍ଧାନ କରି କରି ଚାଲେ ନୂଆ ଗୋତି, ନୂଆ ଜମି, ତା’ର ରାଜ୍ୟ ବଢ଼େ, ଛିଣ୍ଡେ ନାହିଁ ।

 

ବାଘ ଶିକାର ଖୋଜିବୁଲେ, ଚିଲ ଚଢ଼େଇ ଖୋଜି ବୁଲେ, ମଣିଷ ଖୋଜି ବୁଲେ ବଣ ଜଙ୍ଗଲ ଭିତରେ କନ୍ଧମୂଳ ଆଉ ଶାଗପତର, ସାଉକାର ରାମ ବିଶେଇ ଖୋଜେ ମଣିଷ ।

 

ପେଟ ନାହିଁ, ପିଠି ନାହିଁ, ତୁଣ୍ଡ ମୁଣ୍ଡ ନାହିଁ । ସକାଳୁ ମଥା ଉପରେ ଖରାର ତେଜ ବେଶି ବେଶି ବାଜୁଥିବ, ଜଙ୍ଗଲ ଘୁମୋଉଥିବ, ମଝିରେ ମଝିରେ ଲାଉ ତୁମ୍ବା ଭିତରେ ମନ୍ଦିଏ ଲେଖାଁ ମାଣ୍ଡିଆପେଜ୍‍, କାମ ଚାଲେ । ସଞ୍ଜବୁଡ଼େ ନିଆଁ ଗୋଲାଟାଏ ପରି ସୂର୍ଯ୍ୟ ଢଳି ଢଳି ଧରମଦୁଆର ପାହାଡ଼ ସେ ପାଖେ ନିଭିଯାଏ, ଗୋଟିଏ ଦିନ ଗଲା ।

 

ବୋଝ ବୋଝ ପାଚିଲା ଫସଲ ମୁଣ୍ଡେଇ ମୁଣ୍ଡେଇ ଫେରିଲା ବେଳକୁ ସୁକୃଜାନି ପୁଅକୁ କହେ–

“ଏକା ମାଣ୍ଡିଆ ଆମ ପରି ଶହେଟା ଭେଣ୍ଡିଆ, ନୁହଁରେ ଟିକ୍ରା ?”

ଟିକ୍ରା କହେ, “ହଁ ଲୋ ବାପା ।”

 

ମାଣ୍ଡିଆଜାନି ସଞ୍ଜପହରେ କାମରୁ ଫେରି ଚାରିଆଙ୍ଗୁଳିଆ କୌପୁନୀର ଫେରରେ ଝାଳ ପୋଛି, କାନରୁ କାଢ଼ି ପିଙ୍କା ଲଗାଏ ।

 

ବାପର ପାଣ୍ଢୋଇରେ ସେ ଗୋଡ଼ ପୂରାଇଛି, କର୍ତ୍ତୃତ୍ୱ ଦେଖାଇ ଘାଗଡ଼ା ଗଳାରେ ପାଟିକରେ, “ହେ ଜିଲି ବିଲି, ଫାଁସ୍ ବସେଇ ଦିଅ ।”

 

“କିରେ ଫେର୍ ଆଜି ମଦ ପିଇବୁ ?”

ପାଟି ବନ୍ଦ କରି କାମ କରିଯା, ଯାହା ମୁଁ କହୁଚି, ଫାଁସ୍‍କୁ ଚୁଲି ଉପରେ ବସେଇ ଦେ ।”

 

ଝୋଲାମରା କାମ ଉତ୍ତାରୁ ସଞ୍ଜରନ୍ଧା ମଦ ଟୋପିକ ତାକୁ ଭାରି ଭଲ ଲାଗେ, ଆଉ ସେ ମଦ ପିଉ ପିଉ ଗୀତ ବୋଲେ–

 

ଆଇଲା ବଡ଼େ କାଜଡ଼ି–କାଜିଡ଼ି ।

ଆଇଲା ବଡ଼େ କାଜଡ଼ି ମୋର ।

“ଏଇ ବିଲି, ମୋ ଡୁଙ୍ଗୁଡୁଙ୍ଗୁଟା ଦେ’ ତ ।”

ଦି’ ଭଉଣୀ ହସି ହସି ଗଡ଼ିଯା’ନ୍ତି । ହସ ଊଣା ନାହିଁ ଏ ଘରେ ।

 

କାଜୋଡ଼ିର ଆଗମନୀ ଗାଉ ଗାଉ ମାଣ୍ଡିଆଜାନି ମଧୁରିଆ ନିଦରେ ଘାରିହୋଇ ଶୋଇପଡ଼େ । ଜିଲି ବିଲି କାମ ସାରି ସଜବାଜ ହୋଇ ଧାଂଡ଼ୀବସା ଘରକୁ ଚାଲିଯା’ନ୍ତି । ଧାଂଡ଼ାବସା ଘରୁଡୁଙ୍ଗୁଡୁଙ୍ଗା ବାଜେ, ଧାଂଡ଼ୀବସା ଘରୁ ହସର ରୋଳ ଉଠେ, ମାଣ୍ଡିଆଜାନି ଶୋଇରହେ ସେଠି । ବାଗ୍‍ଲାର ଗୀତକୁ ଜିଲିର ଉତ୍ତର, ପ୍ରାଣ ମତେଇ ଡୁଙ୍ଗୁଡୁଙ୍ଗା ବାଜେ ।

 

କାଜୋଡ଼ି କହେ ଜିଲିକୁ, “କିଲୋ, ଯାଉନୁ ବାହାରି ଅଣ୍ଡ୍ରା ଡାକୁଛି ।”

ଜିଲି କହେ, “ଚୁପ୍–ଚୁପ୍ । ତୁ ଯା ।”

 

ନିଶା ସାଇଁ ସାଇଁ ଡାକେ । ଦିନେ ଦିନେ ଜିଲି ଉଠି ଚାଲିଯାଏ, ଚୁପ୍ ଚାପ୍ କାଜୋଡ଼ିକୁ ଟିକିଏ ହଲେଇ ଦିଏ, ଏପାଖେ ସେପାଖେ ଚାହେଁ, ପଦାକୁ ପଳାଏ । ଶୂନଶାନ୍ ରାତି ପ୍ରାଣର ଉତ୍ତେଜନା ବେଦନା ହୋଇ ଲାଗିରହେ ରାତିରେ ଅନ୍ଧାରରେ । ଫାଙ୍କା ଫାଙ୍କା ଆକାଶତଳେ ଛଟପଟ ହେଇ ହେଇ ତା’ପରେ ଜିଲି ଫେରିଆସେ । କାଜୋଡ଼ି ମୁହଁମାଡ଼ି ପଡ଼ିଥାଏ । ହସି ହସି ଫାଟି ପଡ଼େ ।

 

“କିଲୋ, ଫେରି ଆସିଲୁ ଏତେ ଚାଣ୍ଡେ–”

ଜିଲି ଘୁଙ୍ଗୁଡ଼ି ମାରେ ।

“ଗଲୁ ନାହିଁ ଧାଂଡ଼ାବସା ଘରକୁ ଚାଲି, ଡରି ଡରି ମରୁଥିବୁ ଖାଲି ?”

ଜିଲି ଘୁଙ୍ଗୁଡ଼ି ମାରେ ।

 

କାଜୋଡ଼ି ଜିଲିକୁ ଝିଙ୍କି ଓଟାରି ହଇରାଣ କରିଦିଏ । ତା’ପରେ କୁଣ୍ଢେଇ ପକେଇ ମୁହଁରେ ମୁହଁଯୋଡ଼ି କହେ, “ଏମିତି ଯଦି ଛଟାଗାଳି ପଡ଼ିଥିବୁ, ଦିନେ ତୋ’ର ବାଗ୍‍ଲାକୁ ଚୋରାଇ ନେଇଯିବି ଜାଣିଥା ।”

 

ମାଣ୍ଡିଆଜାନି ଘରେ ଶୋଇ ଶୋଇ ସପନ ଦେଖେ, କାଜୋଡ଼ି–କାଜୋଡ଼ି ।

 

ଘରର ଫାଙ୍କବାଟେ ବଡ଼ ଜହ୍ନଟାଏ ଟାପରାକରି ଆଙ୍ଗୁଠି ଦେଖାଇ ଗୋଲଗାଲ ମୁହଁରେ ହସେ, ଭାରି ହସେ ।

 

ସୁକୃଜାନି ଟିକ୍ରାକୁ କହେ, “ଆଉ ଟିକିଏ ପାଚିଗଲେ ଆମର ଧାନ କଟାହେବ ବୁଝିଲେ ରେ ଟିକ୍ରା”, ଟିକ୍ରା କହେ, “ହଁ ବାପା, ଠିକ୍ କଥା ।” “ଏକା ମାଣ୍ଡିଆ ଦି’କୋଡ଼ି ଧାଂଡ଼ାର କାମ କରିବେ, ନୁହଁରେ ଟିକ୍ରା ?” “ହଁ ବାପା, କାମ ଉଠେଉବାକୁ ତ ଏକା ମାଣ୍ଡିଆ, ଆଉ କିଏ ?”

 

“ଧାନରୁ ବୋଧେ ଝୋଲା ଟଙ୍କାଟା ତା’ର ଉଠିଯିବ ନୁହେଁ ?”

“ସମ୍ଭବ ।”

“ଭଲ ଝିଅଟିଏ ଉତୁରେଇଛି ପୁରୀଜାନି, ନୁହେଁରେ ଟିକ୍ରା, ଖାସା ପିଲାଟିଏ କାଜୋଡ଼ି ।”

 

ହଁ, ଭଲ ପିଲା । ଚଇତ୍ ପରବ୍‍ରେ ତା ଆଗରେ କିଏ ନାଚିବ ଇରେ ବାପ୍ !” “ନା ନା, କାମ ଦାମ କଥା କହୁଚି, ଖୁବ୍ ଖଟିପାରେ, ନୁହେଁ ?”

 

“ପୁରୀଜାନି ଘରର କାମ ଆଉ କିଏ କରେ ? ଗୋଠ ଗୋଠ ଗୋରୁ ସମ୍ଭାଳି ନେବ, ଆଉ ଡଁଗରକୁ କନ୍ଦା ଖୋଜି ଯାଇଥିବା ଯଦି ଖୋଜୁଥିବ, ଖରା ନାହିଁ, ତରା ନାହିଁ ।”

 

“ଭଲ ପଡ଼େ ନା ରେ ତୋର କାଜୋଡ଼ି ସାଙ୍ଗରେ ? ଆଜିଠୁ ତାକୁ ଖୁସି କରୁ ଥା, ନଇଲେ ଦବ ନାହିଁ ପଛେ ଖାଇବାକୁ ।”

 

“ତୁ ଖୁସିକର ବାପା, ତୁ ଖୁସିକର , ମୁଁ ଠିକ୍ ଅଛି ।”

 

ଟିକ୍ରାଜାନି ହସି ହସି ଗଡ଼ିଗଲା । ବାପ ହସିଲା । ବାପ ପୁଅ ଦୁଲ୍ ଦାଲ୍ କରି ମାଟି ହାଣନ୍ତି, ଆଉ ଗପ କରନ୍ତି । ସମୟ କଟିଯାଏ ।

 

ତେଣେ ମାଣ୍ଡିଆଜାନି ନିଜ ହାତରେ ଚଉଦ ପା, କାମ କରେ ଭୁସ୍ ଭୁସ୍ । ସଞ୍ଜବୁଡ଼େ ମଦ ରାନ୍ଧାଖାଏ, ରାତିଯାକ ଗଡ଼େ । ଖଟଣି ବାଧେ ନାହିଁ । ଦିନଯାକ ପଥର, କଙ୍କର ସାଙ୍ଗେ କସରତ୍, ରାତିକୁ ମହୁଲମଦର ନିଶା । ଥରେ ଥରେ ସାଙ୍ଗରେ ମଦ ନେଇ କାମକୁ ଯାଏ, କିନ୍ତୁ ଅଭ୍ୟାସ, ନିଶା ଘରେ ନାହିଁ ।

 

ସକାଳୁ ଉଠି ଜିଲି ଆଉ ବିଲି ଦିହିଁକା ଦିହିଁ ଡଂଗର ଭିତରକୁ କାଠପତର ଆଉ କନ୍ଦା ଖୋଜି ଚାଲିଯାଅନ୍ତି, ପେଜ୍‍ ମନ୍ଦିଏ ଲେଖାଁ ପିଇଦେଇ । ଗାଁରୁ ଆହୁରି କେତେ ଟୋକୀ ମିଶିଯାଆନ୍ତି । କନ୍ଦା ଖୋଳା ଆଉ ଗୀତ ବୋଲା, ଏକାଠି ହିଁ ଚାଲେ । ପାଖ ପାହାଡ଼ର ଢାଲୁରେ ଗୋରୁ ଛାଡ଼ିଦେଇ ଗଉଡ଼ ଟୋକାଏ ତଳ ଝୋଲାକୁ ଚାହିଁ ଚାହିଁ ବୋଲୁଥାନ୍ତି । ଜାତି ଜାତିର ଚଢ଼େଇ ବୋବାନ୍ତି । ଛାଇ ତଳେ ତଳେ ଖରାର ତାତି ନିଭି ଯାଇଥାଏ ।

 

ଅନେକ ସମୟରେ କାଉ ପରଜା ଦେଖା ପଡ଼େ, ସେ ନାଇକର ଗୋତି । ବାଙ୍ଗାର ଲୋକଟା, ମଟମାଟିଆ, ଦେହ ତୁଳନାରେ ମୁହଁଟା ଟିକିଏ ଲମ୍ବ, ବଙ୍କା ବଙ୍କା ଧନୁଆଁ ଗୋଡ଼ରେ ନସରପସର ହୋଇ ଧାଇଁଲାବେଳେ ବଡ଼ ହସମାଡ଼େ ଦେଖିଲେ, ଆଉ ଟିକକ କଥାକୁ ସେ ଭାରି ନିବିଷ୍ଟ ହୋଇ ଗ୍ରହଣ କରେ । କେବେ କେବେ କହେ, “ଗୋରୁ ଖୋଜି ଆସିଛି”, ଆଉ କେବେ କହେ, “ଗୋରୁ ଜଗି ଆସିଛି”,ଆଉ କେବେ କହେ,‘‘ଗୋରୁ ଜଗି ଆସିଛି’’,ଭାରି ଗମ୍ଭୀର ଆଉ ଜରୁରୀ ତା’ର ଧରଣ ।

 

ବିଲି କହେ, ‘‘କାଉ ଭାଇ, କାହିଁ କନ୍ଦା ଦି’ଟା ଖୋଜି ଦେ ନା’’ ତରବର ହୋଇ ଆଖି ବଡ଼ ବଡ଼ କରି କାଉ ଧାଇଁଯାଏ, କହେ ‘‘ଆ ଆ,’’ ଅଧବାଟରେ ଥରେ ଥରେ ଠିଆହୋଇ ରହି ସେ ପୁଛକୁ କଣେଇଅନାଏଁ, ପୁଣି ଛୁଟେ ।

 

ଜିଲି କହେ, “କାଉଭାଇ, ଗୋଟିଏ ଗୀତ ଗାଆ ନା ।”

 

“ଗୀତ ? ହଉ,” କାଉ ପରଜା ତୁଣ୍ଡ ଖୋଲେ,ସମସ୍ତେ ହସି ହସି ଗଡ଼ିଯାନ୍ତି, କାଉ ଖାଲି ଆଶ୍ଟର୍ଯ୍ୟ ଆଶ୍ଟର୍ଯ୍ୟ ହୋଇ ଚାହେଁ ।

 

ତା’ର ଛଳ ନାହିଁ କୌଣସି କଥାକୁ, ସବୁ କଥାକୁ ସେ ସରସ କରି ଘେନେ, କନ୍ଦା ଖୋଳା ହୁଏ, ଡାଳପତର ଭଙ୍ଗାହୁଏ, ଭାଲୁକୁଣୀ ପରି ବୋଝତଳେ ମୁଣ୍ଡ ଲୁଚାଇ ଦି’ ଭଉଣୀଯାକ ଘରକୁ ଫେରନ୍ତି ।

 

ତେଣେ ଝାଳ ଝାଳ ଦେହରେ କାଙ୍କ ଖଣ୍ଡ କାନ୍ଧ ଉପରେ ଲଦି କାମ ମଝିରେ ମାଣ୍ଡିଆ ପରଜା ଅଟକି ରହି ଗୋଡ଼ ଫାଙ୍କ କରି ଆଁଟାଏ କରି ଅନେଇଁ ରହିଥାଏ ଝୋଲାତୁଠର ବାଟକୁ ।

 

କିଛି ସମୟ ପରେ କଳ ମୋଡ଼ିଲା ପରି ଚିହିଁକି ଉଠି ତୁମ୍ବାର ମଦ ଟୋପାଏ ପିଇଦିଏ, ଆଉକାମ କରିଦିଏ । ଭୁସ୍ ଭୁସ୍‍ । ଘରକୁ ଫେରିଲେ ଜିଲି କହେ ମାଣ୍ଡିଆକୁ, “ଭାରି ମଦ ପିଉଛୁ ତୁ ମାଣ୍ଡିଆ ।”

 

“କାହିଁକି, ପିଇବୁ କି ଟିକିଏ ତୁ ?”

 

“ମଦ ପିଇଲେ ନାଚ ମାଡ଼ିବ ମତେ, ତୁ ଡୁଙ୍ଗୁଡୁଙ୍ଗା ବଜେଇବୁ କି ? ତୋର କାଜୋଡ଼ି ଭାରି ନାଚେରେ ମାଣ୍ଡିଆ ଭାଇ ।” ଜିଲି ପାଳି ଧରେ । ମାଣ୍ଡିଆ ଗମ୍ଭୀର ହୋଇଯାଏ, “ଆରେ ପିଲାମାନେ ଆଉ ଦି’ଟା ମହୁଲ ହେଲେ ବେଶୀ କରି ଟିକିଏ ମଦ ରାନ୍ଧନ୍ତେ, କାଏସେ ଫେରୁଗୁଡ଼ା ଗାଁରେ ସମସ୍ତେ ରାନ୍ଧୁଛନ୍ତି ମଦ ଆଜିକାଲି । ବେଶି ମଦ ହେଲେ ମୂଲିଆଙ୍କୁ ଟୋପେ ଟୋପେ ମଦ ଦେଇ ଧାନ କଟେଇ ନିଅନ୍ତେ ଆମେ । ପଇସା ତ ପାଇବା ନାହିଁ, ମଦ ଟୋପେ ଦବା, ଡମ୍ ସାହିଆ ରାଜି ହୋଇଛନ୍ତି ମଦ ଖାଇ ଖଟିବାକୁ ।”

 

ଗରିବ ଲୋକେ ପଇସା ପରିବର୍ତ୍ତେ ମଦ ଦେଇ ମଧ୍ୟ କାମ କରାନ୍ତି । ଜିଲି ଆଉ ବିଲି ଭାରି ଗଉଁ ଦେଖେଇ ସତେ ପାହାଡ଼ ଓଲଟାଇ ପକାଇବେ ଯେପରି ସେହିପରି କହନ୍ତି, ‘‘ଆଚ୍ଛା ଦେଖିବା ।’’

 

“ଆଉ ମହୁଲ ଆଣ, ମୁଁ ତୁମକୁ ହାଟରୁ ପାନିଆ ଆଣିଦେବି ।”

 

 

“ହଁ, ଆମର ଆଉ ଗୋଡ଼ ଅଛି କି ହାଟକୁ ଯିବାକୁ । ଶୁଣୁ ମାଣ୍ଡିଆ, ଏ ଲଙ୍କାମରିଚତକ ଆମେ ଲଗେଇଛୁଁ । ଏଥର ଲଙ୍କାମରିଚ ଆଉ ସିଝା କନ୍ଦା ନେଇ ହାଟକୁ ଯିବି, ଭଲ ଖଦି ଖଣ୍ଡେ କିଣିଦେବୁ ତ କହିଥା, ନ ହେଲେ ଗୋଟେ ହେଲେ ପଇସା ତତେ ଦେବି ନାହିଁ ।”

 

“ହଉ ହଉ, ମହୁଲ ଆଣ ।”

“ମହୁଲ ଆଣିଲେ କିସ୍ ଦେବୁ, ମୁଢ଼ି ଖଜା ଦବୁ ?”

“ଭାକ୍ ଭାକ୍” ମାଣ୍ଡିଆ ବିରକ୍ତ ହୁଏ ।

 

ଦୁଇଭଉଣୀଯାକ ମହୁମାଛି ପରି ତା’ ଦେହରେ ଲାଗିଯାଇ ତାକୁ ଖାଲି କାଜୋଡ଼ି କଥା କହନ୍ତି, ଆଉ ଚିଡ଼ାନ୍ତି ।

 

“ତୁ ଆଜି ଠିଆ ହୋଇ ହୋଇ କିସ୍ ଦେଖିଥିଲୁ ?”

“ତୋର କାଜୋଡ଼ିଟା ହାଣ୍ଡିରେ ଖାଏ ।”

“ତୋର କାଜୋଡ଼ିଟା କିଛି ଭଲ ନୁହେଁ ।”

 

ମାଣ୍ଡିଆଜାନି ଉପର ମୁହଁରେ ଚିଡ଼େ, ମନେ ମନେ ଖୁସି ପାଏ । ନିତି ଧାଂଡ଼ାବସା ଘରକୁ ଯିବାକୁ ଭାବି ନିତି ମଦ ନିଶାରେ ଭୋଳ ହୋଇ ଘରେ ଶୋଇ ରହେ–ଆଉ କାଜୋଡ଼ିକୁ ସପ୍ନ ଦେଖେ ।

 

ତା’ର କାଜୋଡ଼ି……

ତା’ର କଳା କଳା ଆଖି……..

ତା’ର ତୋଲୁ କାନେ ନୁଲି……..

 

ଦୁଇଟା ଉଞ୍ଚ ଉଞ୍ଚ ପାହାଡ଼, ସୁନ୍ଦର ପାହାଡ଼, ମଝିରେ ଗହୀର ଝୋଲା, ପାହାଡ଼ର ଛାଇ ଥଣ୍ଡା, ଝୋଲାର ପାଣିର କଳକଳରେ ନିଦ ଜମି ଆସେ ।

 

ମାଣ୍ଡିଆଜାନି ଶୋଇ ରହେ, ବଗ୍‍ଲା ପରଜା ଗୀତ ଗାଏ । ଜିଲି ଅଧା ଅଧା ଲାଜରେ କାଜୋଡ଼ିକୁ କହେ ତୁଇ ଦେ ଉତ୍ତର, କାଜୋଡ଼ି ପରିଷ୍କାର କଣ୍ଠରେ ଜିଲିର ହୋଇ ବାଗ୍‍ଲାର ଗୀତ ଜବାବ୍ ଦିଏ, ରହିରହିକା ନୂଆ ପାଟି ଶୁଣି ବଗ୍‌ଲାର ଡୁଙ୍ଗୁଡୁଙ୍ଗା ବେତାଳିଆ ହୋଇ ବାଜିଉଠେ ।

 

ଶୋଇ ଶୋଇ ସ୍ୱପ୍ନ ଦେଖେ, ସେ ପାହାଡ଼ ଉପରୁ ଗଡ଼ିପଡ଼ୁଛି ଝୋଲାର ପାଣିକୁ, ପୁଣି ଗଡ଼ିଗଡ଼ିକା ଆରପାହାଡ଼ର ଢାଲୁଏ ଢାଲୁଏ ଉଠିଯାଏ, ପୁଣି ଗଡ଼ିପଡ଼େ ଏ ଝୋଲାକୁ, ପୁଣି ଏପାହାଡ଼ ଉପରେ ଗଡ଼ିଗଡ଼ିକା ଉଠେ ।

 

ମାଣ୍ଡିଆଜାନି ମଦୁଆ ନିଦରେ ଗଡ଼ୁଥାଏ

 

ହୁଁ ହାଁ ଚଢ଼େଇ ବଣରୁ ଉଡ଼ିଆସି ଘର ଛାତରେ ବସିଯାଇ ବୋବାଏ, ହୁଁ–ହାଁ, ହୁଁ–ହାଁ, ହୁଁ ହାଁ, ରାତି ବଢ଼େ ।

 

ମାଣ୍ଡିଆଜାନିର ଦେହରେ ତାକତ ଅଛି ବହୁତ, କିନ୍ତୁ ଭରସି କରି ସ୍ତ୍ରୀ ଲୋକକୁ କହିପାରେ ନାହିଁ ସେ କିଛି, ଖାଲି ତାକୁ ଲାଜ ମାଡ଼େ ଆଉ କଥାଗୁଡ଼ାକ ଢୋକି ହୋଇଯାଏ ଗଳାରୁ-। ଖାଲି ଆଖିରେ ଆଖିରେ କଣେଇ କଣେଇ ପଛେଇ ପଛେଇ ତା’ର ଭଲ ପାଇବା, ମୁହାଁମୁହିଁ ପଡ଼ିଗଲେ ବାରେଇଁ ହୋଇ ସେ କାମରେ ମନ ଦିଏ ଯେପରିକି ନ ଜାଣେ ସେ କିଛି । ତା’ର ପେଟରେ ଭୋକ, ମୁହଁରେ ଲାଜ ।

 

ତା’ର କଥା ଭାବିଲେ କାଜୋଡ଼ିକୁ ଭାରି ଆମୋଦ ଲାଗେ, ତାକୁ ହସ ମାଡ଼େ । ରାତିରେ କଦବା କେବେ ଡୁଙ୍ଗୁଡୁଙ୍ଗା ଭୋଳରେ ଥର ଅଧେ କାଜୋଡ଼ି କାଜୋଡ଼ି ବୋଲି ସେ ଗୀତ ବୋଲୁଛି, କାଜୋଡ଼ି ଚାଲିଗଲେ ବାଟେ ବାଟେ ମୁହଁ ବଢ଼େଇ ରହିଚି ଯେପରି କାଜୋଡ଼ିର ପରଶ ପବନରେ ରଖି ଦେଇଗଲା କ’ଣ ଗୋଟାଏ ଅପୂର୍ବ ସୁବାସ ।

 

କିନ୍ତୁ ସାମ୍ନାସାମ୍ନି ହେଲେ ସେ ଭିନେ ମଣିଷ ।

 

ଗୁଣୁ ଗୁଣୁ କରି ଗୀତ ଗାଇ ଗାଇ ସେ ମାଣ୍ଡିଆ କାଟୁଥିବା, କାଜୋଡ଼ି ସେ ବାଟେ ଗଲେ ଗୀତ ବନ୍ଦ ହୋଇଯିବ, ଏପରି ଦେଖେଇ, ଏପରି ଦେଖେଇ ହେବ ଯେପରି କି ସେ କାମରେ ଭାରି ଭୋଳ ।

 

ଏହି ସେଥର, କାଜୋଡ଼ି ପିନ୍ଧା ଲୁଗାଟିକୁ ତୁଠରେ ଥୋଇଦେଇ ପାଣିରେ ପଶି ଗାଧୋଉଥିବାବେଳେ ମାଣ୍ଡିଆଜାନି କ୍ଷେତରେ ଠିଆ ହୋଇ ଚୋରାଇ ଚୋରାଇ ଚାହୁଁଥିଲା । କାଜୋଡ଼ି ଜାଣିଥିଲା, ନ ଜାଣିଲା ପରି ଅନ୍ୟମନସ୍କ ହୋଇ ଗାଧୋଉଥିଲା, ଏକୁଟିଆ । ତା’ ପରେ ହସ ରୋକି ନ ପାରି ବୁଲିପଡ଼ିଛି ଯେପରି, ନିରୋଳା ହସାହସିର ସବୁ ଆଶା ସବୁ କବିତା ମାଟି କରି ମାଣ୍ଡିଆ ଛୁ ।

 

ଆଉ କେତେଥର ସେମିତି, ସେଇ ବାଟେ ବାଟେ ପାଣି ଆଣି ଗଲାବେଳେ କାଜୋଡ଼ି ରହସ୍ୟ କଥା ପକାଇ ମାଣ୍ଡିଆଆଡ଼କୁ ଭୋକିଲା ଆଖିରେ ଚାହିଁ ରହିଛି, ମାଣ୍ଡିଆ ଧଳା ଧଳା ଦାନ୍ତ ଦି’ପାଟି ଦେଖେଇ ହସି ପକେଇ କାମରେ ମନ ଦେଇଛି ।

 

କାଜୋଡ଼ି ଭାବି ବସିଲେ ହସେ, ସେ ସ୍ତ୍ରୀ, ପେଟର ଭୋକକୁ ପୁରୁଷଠୁଁ ସେ ବୁଝେ ବେଶୀ । ପୁଣି ଭାବି ବସିଲେ ମନରେ ଅଭିମାନ ହୁଏ । କାହିଁକି ? ଏକା ହିଁ କ’ଣ ମାଣ୍ଡିଆ ?

 

ପାହାଡ଼ କନ୍ଦିରେ ଖୋଲଟି ଅଛି ତା’ର ଚିହ୍ନାଜଣା, ଚାରିପାଖ ଘୋର ବନସ୍ତ । ଶାଗ ତୋଳିଯାଇ ସେଇ ଖୋଲଭିତରେ କାଜୋଡ଼ି ଲୁଚି ବସେ, ତଳକୁ ଢାଲୁ ପଡ଼ିଥିବା ପାହାଡ଼ର ଦୃଶ୍ୟ ଦେଖେ । ଆଉ ଲୁଚି ଲୁଚି ଦେଖେ ମୟୁର ନାଚ, ଆଉ ଭାବେ ।

 

ସାମ୍ନାର ବଡ଼ ଚଟାଣ ଉପରେ ଅଣ୍ଡିରା ମୟୂରଟିଏ ନିତି କାଳ ଗାଧୁଆବେଳେ ଆସେ ଡାକେ । ପାଞ୍ଚ ଛଅଟା ମୟୂର ଆସି ପହଞ୍ଚିଯାନ୍ତି । ଅଣ୍ଡିରାଟି ପୁଚ୍ଛ ଥରେଇ ଥରେଇ ନାଚେ, ମାଈଗୁଡ଼ିକ ତା’ର ପଛେ ପଛେ ଗୋଡ଼େଇଥାନ୍ତି ।

 

ଲୁଚି ଲୁଚି କାଜୋଡ଼ି ମୟୂର ନାଚ ଦେଖେ, କିପରି ମୁହଁ ଉପରକୁ ଟେକି ବେକ ପିଠି ଲଗେଇ ଦେଇ ମୟୂର ନାଚୁଛି, ମୟୂରୀପଲ ଧାଇଁଛନ୍ତି ତା’ର ପଛେ ପଛେ ।

 

ମୟୁର ନାଚ ଦେଖୁ ଦେଖୁ କେତେ କଥା ତା’ର ମନରେ ଆସେ, ନିଛାଟିଆରେ ସେ କେତେ ଲୋକଙ୍କୁ ସ୍ମରଣ କରେ ।

 

ମାଣ୍ଡିଆଜାନି ତାକୁ ଭଲପାଏ ବୋଲି ସେ ଜାଣେ, ତା’ରି ପ୍ରତି ମାଣ୍ଡିଆର “ଇଷ୍ଟ” ଅଛି । ତା’ର ଛୋଟ ଦୁନିଆର ଅନେକ ଲୋକ ଧରି ନେଇଛନ୍ତି, ସେ ଦିନେ ମାଣ୍ଡିଆଜାନିକୁ ହିଁ ବିଭା ହେବ, କିନ୍ତୁ ମାଣ୍ଡିଆଠାରୁ କ’ଣ ଯେପରି ସେ ଚାହିଁଛି, ନିର୍ଲଜ୍ଜ ହୋଇ କ’ଣ ଯେପରି ସେ ଖୋଜିଛି ମାଣ୍ଡିଆଠୁଁ, ଆଉ ପାଇ ନାହିଁ, ନ ପାଇ ମନ ଭିତରେ ତା’ର ଅଶାନ୍ତି ରହିଯାଇଛି ।

 

ମାଣ୍ଡିଆ କଥା ଭାବି ବସିଲେ ତାକୁ ଖୁସି ଲାଗେ, ତାକୁ ହସ ମାଡ଼େ, ପୁଣି ଉଦାସ ଆଉ ଫାଙ୍କା ମଧ୍ୟ ଲାଗେ ।

 

ଜଙ୍ଗଲର ଆଇନ୍‌ ଭିତରେ ଲାଜ ନାହିଁ, ବଣ ମୟୂର ଲାଜ କରେ ନାହିଁ, ବଣର ହରିଣ ଡେଇଁ ଡେଇଁ ଯାଏ, ଲାଜ ଆସେ ନାହିଁ, କିନ୍ତୁ ମାଣ୍ଡିଆ ଯେପରି ଲାଜ ସରମରେ ଜୁଡ଼ୁବୁଡ଼ୁ ।

 

ଏଇ ଖୋଲ ଭିତରେ ଏକୁଟିଆଟା ବସିଥିଲାବେଳେ ମାଣ୍ଡିଆଜାନି ଥରେ ଦି’ଥର ଏଇବାଟେ ଯାଇଛି । ଠିଆହୋଇ ଆଁଟାଏ କରି କେତେ ସମୟ ସେ ଅନେଇଁ ରହିଚି । ନୀରବତା କଟେଇ ଘନିଷ୍ଟ ଭାବ ଆଣିବା ପାଇଁ କାଜୋଡ଼ି ଉପରେ ପଡ଼ି ଆରମ୍ଭ କରିଛି–

 

“କୁଆଡ଼େ ଯାଇଥିଲୁ କିରେ ଏତେବେଳେ ?”

“କାଠ କାଟି ।”

“ଆହା, କେତେ କାଠ କାଟୁଥିବୁରେ ଦିନମାନ ।”

 

ଏଣିକି–ଆ–ଆଖିରେ କାଜୋଡ଼ି ଅନେଇଁ ବସିଛି, ମାଣ୍ଡିଆ ଅକାବକା ହୋଇ କିଛି ସମୟ ଚାହିଁ ରହି ନିଦ ଭାଙ୍ଗିଲା ପରି ପୁଣି ଚେଇଁ ଉଠି ଚାଲି ଯାଇଛି ।

 

ଆହୁରି ସେଥର, ସେଇ ନିଛାଟିଆ ଖୋଲ ଭିତରେ ବସି ରହିଥିଲାବେଳେ କୁରାଢ଼ି ଖଣ୍ଡିଏ କାନ୍ଧରେ ପକାଇ ମାଣ୍ଡିଆ ଜଙ୍ଗଲ ଭିତରୁ ବାହାରିପଡ଼ି ସେଠିକି ଆସିଥିଲା । କାଜୋଡ଼ି କହିଲା, “ଚାଲ୍ ମତେ ନେଇ ଚାଲ”, ମାଣ୍ଡିଆ କହିଲା ‘ଆ’ ।

 

“ରଃ, ମୁଁ ଉଠିପାରୁ ନାହିଁ, ମୋ ଗୋଡ଼ରେ କ’ଣ ରକା ପଶିଛି”, କାଜୋଡ଼ି କହିଲା । ମାଣ୍ଡିଆ ଚୁପ୍ ଚାପ୍ ଠିଆ ହୋଇ ରହିଲା । ବିରକ୍ତ ହୋଇ କାଜୋଡ଼ି ଉଠିପଡ଼ି ଗଦ୍‍ଗଦ କରି ବାଟ ଚାଲିଲା ଆଗେ ଆଗେ । ସତକୁ ସତ କଣ୍ଟାଟିଏ ମାଡ଼ି ଦେହ ଝାଙ୍କିଦେଇ ଲଥ୍‍କରି ବସିପଡ଼ିଲା, ତା’ର ଗଭାର ଫୁଲ ପେନ୍ଥାଟା ଝଡ଼ିପଡ଼ିଲା । ମାଣ୍ଡିଆ ତା’ ପାଇଁ ଫୁଲ ପେନ୍ଥାଏ ତୋଳି ଆଣି ଅତି ଶରଧାରେ ତା’ ଗଭାରେ ଖୋସି ଦେଇଥିଲା, ତା’ପରେ ନିଜ କାର୍ଯ୍ୟରେ ନିଜେ ଅପ୍ରସ୍ତୁତ ହୋଇଯାଇ ଦୂରକୁ ଘୁଞ୍ଚି ଠିଆ ହୋଇଥିଲା, କାଜୋଡ଼ି ଉଠିଆସିଲା ପର୍ଯ୍ୟନ୍ତ ।

 

ଅଥଚ ସେ ବୁଝେ, ମାଣ୍ଡିଆଜାନି କେତେ ଗଭୀରରୁ ତାକୁ ଭଲ ପାଏ, କ’ଣ କରିବ ସେ ତା’ପାଇଁ ।

 

ଏଇ ରହିରହିକା ଭଲପାଇବାରେ ଅନେକ କଥା ତା’ର ଅପୂର୍ଣ୍ଣ ରହିଥାଏ, ବଢ଼ିଆଳୀ ଦେହଟା ତା’ର ଫାଟିଫୁଟି ପଡ଼େ, ସତେକି ମୟୂର ନାଚ ଦେଖୁ ଦେଖୁ କେତେକଥା ତା’ର ମନେପଡ଼େ । ଅଧରାତିରେ ଧାଂଡ଼ୀବସାଘରୁ ଜିଲି ପଛେ ପଛେ ଛପି ଛପି କେତେଥର ସେ ବାହାରିଛି, ଦେଖିଛି ବାଗ୍‍ଲା ବାହାରି ଆସିଛି, ତାରି ଛାତିରେ ମୁଣ୍ଡ ନୁଆଇଁ ଦେଇ ଜିଲ୍ଲି ଢଳିପଡ଼ିଛି । ତା’ର ଆପଣାର ରକ୍ତ ତତଲା ପାଣିପରି ଫୁଟି ଉଠୁଛି, ରାତିରେ କିଏ ଯେପରି ମୁଗୁରରେ ପାହାର ମାରିଛି, ଦୁଲ୍‍ ଦୁଲ୍ ଦୁଲ୍ ଦୁଲ୍ । ଦି’ ହାତରେ ମୁହଁ ଲୁଚେଇ ସେ ପୁଣି ଧାଂଡ଼ୀବସା ଘରକୁ ଫେରିଆସିଛି ।

 

ବାଗ୍‍ଲା ଆସିଛି, ମାଣ୍ଡିଆ ଆସି ନାହିଁ ।

 

ମାଣ୍ଡିଆ ଆସି ନାହିଁ, ଡୁଙ୍ଗୁଡୁଙ୍ଗା ବାଜି ବାଜି ଥକିଛି, ଜହ୍ନ ନିଶାରେ ସାରା ସଂସାର ଢୁଳୁଢୁଳୁ ହୋଇଛି, ଜିଲି ଉଠିଯାଇଛି, ମାଣ୍ଡିଆଜାନି ଆସି ନାହିଁ ।

 

ନିଛାଟିଆ ଖୋଲରେ ବସି ବସି କାଜୋଡ଼ି ତଉଲି ତଉଲି ଦେଖେ, ମାଣ୍ଡିଆ, ବାଗ୍‍ଲା ଓ ଗାଁର ଆଉ ଆଉ ଧାଙ୍ଗଡ଼ା ଓ ମୟୂର ନାଚ ଦେଖେ, ଜୀବନଟା ଅଧବାଟରେ ରୋକି ହୋଇ ରହିବାକୁ ଚାହେଁ ନାହିଁ, ଚାହେଁ ପୋଡ଼ି ଭସ୍ମ ହୋଇଯିବାକୁ ।

 

ମାଣ୍ଡିଆ ଆସେ ନାହିଁ, ଅଧାବାଟରେ ପଛେଇ ପଛେଇ ଚାହେଁ ।

 

ଅଧରାତିରେ ଆହୁରି ଥରେ ଜିଲି ଧାଂଡ଼ୀବସାଘରୁ ଉଠି ଚାଳଇଗଲା । କାଜୋଡ଼ିକୁ ଘମାଘୋଟ ନିଦ । ବାଙ୍କ ଜହ୍ନଟା ଓସ୍ତଗଛରେ କେନି କେନି ଡାଳ ଉହାଡ଼ରୁ ନୂଆହୋଇ ସେତେବେଳେ ମୁଣ୍ଡ ଟେକୁଛି । କୁହୁଡ଼ିର ଅନ୍ଧାର କଟିଯାଇ ଝରିପଡ଼ୁଛି ଜହ୍ନଆଲୁଅର ଅଣୁ, ଠିକ୍‍ ଧୂଳିପରି, ଗୋରୁପଲ ବାହୁଡ଼ା ବେଳର ଧୂଳିପରି । ଜଙ୍ଗଲ ଶୋଇଛି, ଅନ୍ଧାର ଆଲୁଅ ଆଉ କୁଡୁଡ଼ି ମିଶି ହୋଇଯାଇଛି ଗୋଟିଏ ସ୍ୱପ୍ନ ।

 

ଶୀତକୁ ନ ମାନି ନିଶବଦ ରାତିରେ ଜିଲି ଚାଲିଆସିଲା, ଧାଂଡ଼ୀବସାଘରେ, ଆଖିରେ ନିଦ ପୋଷେ ନାହିଁ । ଶୋଇ ଶୋଇ କାହାର ଥିରି ଥିରି ଡାକ ଯେପରି ସେ ଶୁଣୁଥିଲା । ପଦାକୁ ଆସି ଦେଖିଲା, କେହି କୁଆଡ଼େ ନାହିଁ ।

 

ଛନ ଛନ ହୋଇ ଅନ୍ଧାରକଣରୁ ଜୁଳୁଜୁଳୁଆ ପୋକ ଗୋଟୋଉ ଗୋଟୋଉ କିଏ ଆସି ପଛଆଡ଼ୁ ତା’ର ଆଖି ଉପରେ ହାତ ପାପୁଲି ପକାଇ ପଛକୁ ତାକୁ ଝିଙ୍କିନେଲା, ତା ପରେ ଜିଲି ଚାହିଁ ଦେଖିଲା, ଗୁଡ଼ାଏ ଲୁଗା କନ୍ଥା ଘୋରି ହୋଇ ବାଗ୍‍ଲା ।

 

ସେଇ ଓସ୍ତଗଛର ଛାପିଛାପିକା ଛାଇତଳେ ଗୋଟାଏ ପାଖକୁ ଦୁହେଁ ମିଶି ଉଠିଗଲେ, ବଡ଼ପଥର ଚଟାଣ ଉପରେ ଯାଇ ବସି ରହିଲେ ।

 

ଓସ୍ତଗଛକୁ ଘେରେଇ ହୋଇ ଛୋଟ ଗାଁଟି, ଘର ଘରକେ ତାଟି ପଡ଼ିଛି, ସାନ ସାନ ବଖୁରିଗୁଡ଼ିକରେ ପାଖକୁ ପାଖ ଲଗାଲଗି ହୋଇ କୁକୁର ଆଉ ମଣିଷ ନିଆଁ ଉହ୍ମେଇ ପାଖେ ସେତେବେଳକୁ ଶୋଇ ପଡ଼ିଛନ୍ତି ।

 

ଧାଂଡ଼ୀବସାଘରୁ ଆଉ ଗୋଟିଏ କିଏ ଉଠି ଆସିଲା ଓ ଧାଂଡ଼ାବସାଘରୁ ଆଉ ଜଣେ କିଏ । ସେମାନେ ମଧ୍ୟ ଏକାଠି ମିଶି ଅଲଗା ହୋଇ ଗୋଟିଏ ପାଖକୁ ଗଲେ ବାହାରି, କେହି କାହାରିକୁ ପ୍ରଶ୍ନ ପଚାରି ନାହିଁ ।

 

ଜିଲି ଆଉ ବାଗ୍‍ଲା ସେଠି ବସି ରହିଲେ ଏକାଠି । ବାଗ୍‍ଲା ପଚାରିଲା,“ଦିନବେଳେ ଜଙ୍ଗଲକୁ ଆସୁନାହୁଁ କାହିଁକି ?”

 

ଜିଲି କହିଲା, “ଦିନଯାକ ଘରଧନ୍ଦା, ତୁ କ’ଣ ଜାଣୁ ନାହିଁ ?” ଯେତେବେଳେ ଟିକିଏ ଫୁରୁସତ ମିଳିଲେ ଘରେ ବିଲି ଆଉ ମାଣ୍ଡିଆ, ଆଉ ତୋ’ର ମୋଟେ ଦେଖା ନାହିଁ ।” ଦୁହେଁ ଦୁଖସୁଖ ହେଲେ, ଧାଂଡ଼ା ଆଉ ଧାଂଡ଼ୀ । ଜିଲି କହିଲା,“ଚାଲ ଆମେ ପଳେଇଯିବା, କେତେଦିନ ଆଉ ଏହିପରି ରହିଥିବା ?”

 

ବାଗ୍‍ଲା ଗେଲ କରି କହିଲା, “ପଳେଇବାକୁ ମୋର କ’ଣ ମନ ହୁଏ ନାହିଁରେ ଟୋକୀ, ତେବେ–” । ଜିଲି କହିଲା, “ତେବେ ଆଉ କ’ଣ ? ହଁ, ତୁ ଟା ସେହିପରି ସବୁଦିନେ–’’

 

ଜିଲି ଅଭିମାନ କରି ମୁହଁ ବୁଲେଇନେଲା, “ ନାହିଁ ତୋର ଖାଲି ସବୁ କଥା ଉପର ମୁହଁରେ, ଅସଲ କଥା ପକେଇଲାବେଳକୁ ତୁ ତୋର ବାଟ ଉଣ୍ଡିବୁ ।”

 

ବାଗ୍‍ଲା ଜିଲିକୁ ଆହୁରି ଗେଲ କରି ତା’ର ଅଭିମାନ ଭାଙ୍ଗିବାକୁ ଚେଷ୍ଟା କରି କହିଲା, “ଆରେ ଟୋକୀ, ଯିବୁ ତ ତୁ ଦିନେ, କିନ୍ତୁ ଆଜି ଯଦି ପଳେଇଯିବା କାଲି ସକାଳେ ଭାଇବନ୍ଧୁ ଧରି ତୋର ବାପ ଯାଇ କହିବ, ଦେ ଝୋଲା ଟଙ୍କା ତିନିକୋଡ଼ି ମୋର ଦବୁଟି । ଝୋଲା ଟଙ୍କା ନ ଦେଲେ ବାହାଘର ଆମର କି ପ୍ରକାର ହେବ ଓ ବାହାଘର ନ ହେଲେ ତୋର କ’ଣ ହେବ କହିଲୁ ଭଲା ।”

 

“କାହିଁକି ତେବେ ଅନେଇଁ ବସିଛୁ, ରେଙ୍ଗୁ ପରଜାର କ’ଣ ପଇସା ଅଭାବ, ଝୋଲା ଟଙ୍କା କେଇଟା ଦେଇଦବାକୁ ?”

 

“ତିନିକୋଡ଼ି କି ଦି କୋଡ଼ି ଟଙ୍କା,–ପାଖରେ ପଡ଼ିଛି କୋଉଠିରେ ଟୋକୀ–” । ତେବେ ଆଉ କାହିଁକି ଏତେ ସୋହାଗ ଦେଖାଉଚୁ ବାଗ୍‍ଲା, ନିତି ନିତି ଖାଲି ଭୁଲୋଉଚୁ ସିନା ତୁ,–ଟଙ୍କା କେଇଟା ଦେଇଦେଲେ ତୋର ପାଣିରେ ପଡ଼ିବ ନାହିଁ କେବେ । ତୋ ଘରେ ଏ ଅଧିକାରୀ ସାଇବମାନଙ୍କ ମାଇକିନିଆ ପରି ବସି ବସି ଖା’ନ୍ତି ନାହିଁ ମୁଁ, ଜାଣିଲୁ ? ହଉ, ତୋର ସ୍ନେହ ଖୁବ୍ ଜଣାପଡ଼ିଲା, ମୁଁ ଯାଉଛି ” ଶେଷକଥା ଦି’ପଦ ଆଡ଼କୁ ଜିଲି ପାଟି ଥରେଇ ଥରେଇ କାନ୍ଦି ପକେଇଲା । କେତେ ଟଙ୍କା କ’ଣ ଏ ସବୁର ହିସାବ ତରୁଣ ତରୁଣୀଙ୍କର ଭଲ ପାଇବାର ଆଖିରେ ଦିଶା ପଡ଼େ ନାହିଁ ସେତେ । ସେ ଖାଲି ଭାବିଲା ଏଇ ଯାହା ପାଇଁ ଦିନରାତି ତା’ର ଝୁରି ଝୁରି ଭାବି ଭାବି କଟୁଛି, ସେ ତାକୁ ନିତି ଖାଲି ଛଳେଇ ଛଳେଇ ଖେଳୁଛି, ବାହା ହେବାକୁ ଇଚ୍ଛା ଦେଖାଉ ନାହିଁ ଆଦୌ ।

 

ବାଗ୍‍ଲା କଅଁଳ କଥା କହି ତାକୁ ଭୁଲେଇଲା ।

 

ପୁରୁଷର ବଜ୍ର-ବନ୍ଧନରେ ଜିଲି ତର୍କର କଥା ଭୁଲିଗଲା, ସ୍ପଶର୍ର ସୁଖ ମନର ଅଭିମାନକୁ ଭସାଇ ନେଇଗଲା କେଉଁଆଡ଼େ, ଜିଲି ଆଖି ଖୋସିଦେଲା ।

 

ଗଲାବେଳେ ନରମ ଗଳାରେ ଜିଲି ପୁଣି ପଚାରିଲା, “କେବେ ନେଉଛୁ, ବାଗ୍‍ଲା ?” ଆହୁରି ଥରେ ଦେହର ଉଷୁମରେ ପ୍ରାଣ ପୁଲକେଇ ଦେଇ ବାଗ୍‍ଲା ଭରସା ଦେଲା, “ଖୁବ ଚଞ୍ଚଳ ନେଉଛି ଜିଲି, ଏମିତି ଅମଣିଷ ପାଇଲୁ ମତେ ? ଖାଲି ପୁଷମାସର ଏଇ ପାଚିଲା ଫସଲ ଦି’ଟାକୁ ଆଶା, ତା’ପରେ ଟଙ୍କା ଯଦି ନ ମିଳେ ଗୋତି ପଛେ ଯିବି ତତେ ନେବି ।”
 

 

“ଗୋତି କାହିଁକି ଯିବୁ ବାଗ୍‍ଲା–”

“ସେ ଯାହା ହେବ ପଛ କଥା, ମାଘର ତିଥିରେ ହିଁ ତୋତେ ନେଇଯିବି ।”

 

ଆହୁରି ଥରେ ସେମାନେ ଭେଟିଲେ, ତା’ପରେ ବାଗ୍‍ଲା ଫେରିଗଲା ଧାଂଡ଼ାବସା ଘରକୁ, ଜିଲି ଧାଂଡ଼ୀବସା ଘରକୁ ଫେରିଗଲା ।

 

ଜିଲି ଭାବି ଭାବି ଗଲା, ବର୍ଷକେ ବାହାଘର ପାଇଁ ପରଜା ଲୋକର ଚାରିଟା ମାସ, ମାଘ, ଫଗୁଣ, ଚୈତ୍ର ଆଉ ବୈଶାଖ । ହୁଏତ ଚୈତ୍ର ପରବ୍‍ର ମଉଛବବେଳକୁ ଚୈତ୍ର ନାଚରେ ବାଗ୍‍ଲା ଥିବ ତା’ର ବର ହୋଇ, ଏଇ ଆସନ୍ତା ଚୈତ୍ର ମାସରେ......

 

ତା’ର ଘର, ନିଜର ଘର, ତା’ର ଆଉ ବାଗ୍‍ଲାର..... ସେ ଘର କାମ କରିବ, ଜଙ୍ଗଲରୁ କାଠପତ୍ର ଆଉ କନ୍ଦା ଆଣିଯିବ, ବାଗ୍‍ଲାର ତାଷଭୂଇଁକୁ ଲାଉତୁମ୍ବାରେ ପୂରେଇ ନେଇଯିବ ଉଷୁମ୍ ଉଷୁମ୍ ମାଣ୍ଡିଆ-ପେଜ୍‍ ।

 

ଝୋଲାରୁ ସେ ମାଛ ଧରିବ, ଚେଂଗ ଛୁଆ, ଲୁଣ ଶାଗ ଆଉ ମାଣ୍ଡିଆ–ଚୂନା ପକେଇ ତିଆରି କରିବ ସୁଆଦିଆ ଚକ୍‌ନା (ତରକାରି), ତା’ର ବାଗ୍‍ଲା ପାଇଁ ।

 

ତା’ର ଘର, ତା’ ନିଜର ଆଉ ବାଗ୍‍ଲାର ।

 

ବାଗ୍‍ଲା ଭାବି ଭାବି ଗଲା, ଏଥରେ ସେ ଝୋଲାଟଙ୍କା ସଂଗ୍ରହ କରିବ, ପଛେ ଗୋତି ଯିବାକୁ ହେଉ ।

 

ଭାବି ଭାବି ଗଲା, କ୍ରମେ ଚିନ୍ତାର ପହିଲି ତାତି ଭାଙ୍ଗିଗଲା, ଆଖିରେ ଆଖିରେ ଦିଶିଲା ବିଭାଘର ଆଉ ବନ୍ଧନ । ଗାଁର କେତେ ଧାଂଡ଼ୀ, କତିକୁ କତି ଲାଗି ଲାଗି ଦିଶିଗଲା ସବୁରି ମୁହଁ ।

 

ଚିନ୍ତାର ତାତି ସରି ଆସିଲା, ବାଗ୍‍ଲା ଭାବି ଭାବି ଗଲା,“ଝୋଲା ଟଙ୍କା ! ବାହାଘର ! ହଉ ଯେତେଦିନ ଚାଲୁଛି ଚାଲୁ ।”

 

ପୁଣି ଥରେ ତାକୁ ଦୋଷି କରିଦେଇ ମନଗହୀରର ଚେତନା ଆଖି ଆଗେ ଆଗେ ଝୁଲାଇ ଧରିଲା ଜିଲିର ଲୁହ ଢଳଢଳ ମୁହଁ, ତା’ର କଅଁଳ ମୁହଁ, ତା’ର ଓଠ ଯୋଡ଼ିକ ।

 

ଆହୁରି କେତେ ମୁହଁ ବାଦବୁଦିଆ ହୋଇ ଦିଶିଗଲେ । ବାଗ୍‍ଲା ଶୋଇପଡ଼ିଲା ।

 

ପୁଷ ମାସକୁ ବର୍ଷା ନ ଥାଏ । ନୂଆ ବର୍ଷର ନୂଆ ଫସଲ ରଖିବାପାଇଁ ସାହୁକାର ଘର ନୂଆଘର ତୋଳା ଲାଗିଥାଏ । ବାପ ସୁକୃଜାନି ମେଞ୍ଚା ମେଞ୍ଚା କାଦୁଅ ତା ଉପରେ ଲଦି କାନ୍ଥ ତିଆରି କରୁଥାଏ । ପୁଅ ଟିକ୍ରିଜାନି ଥାଏ ବୁହାଳିଙ୍କ ସାଙ୍ଗେ ।

 

ଗୋତି ଆଉ ମଜୁରିଆ ମିଶି ଅନେକ ଲୋକ । ଭିନ୍ନ ଭିନ୍ନ ଜାଗାରୁ କାଦୁଅ ବୁହା ଲାଗିଥାଏ । ଟିକ୍ରା ଗୋଟାଏ ମେଞ୍ଚା ଆବୋରି ଠିଆ ହୋଇଥାଏ, ଚକଟା କାହୁଅ ଟୋକେଇରେ ପୂରେଇ ଯେ ଆସୁତାଏ ତା ମୁଣ୍ଡକୁ ଦେଇ ଦେଉଥାଏ । ପାଞ୍ଚୋଟି ଟୋକୀ ପାଳି କରି କାଦୁଅ ବୋହୁଥାନ୍ତି ।

 

Unknown

ଟିକ୍ରାକୁ ବୟସ ଊଣେଇଶ ପୂରି କୋଡ଼ିଏ ଚାଲିବଣି । ଟିକ୍ରା ମର୍ଦ୍ଦ ହେଲାଣି । ଟୋକେଇରେ କାଦୂଅ ପୂରେଇ ମୁଣ୍ଡକୁ ଉଠେଇ ଦେବାକୁ ଖୁବ୍‌ ଗର୍ବ ତା ମନରେ ହୁଏ, ଅକାରଣରେ ମନ ଭିତରଟା ଟହ ଟହ କରି ହସି ଉଠେ, ଏଇ ଟୋକୀମାନଙ୍କୁ ଧରି ଖେଳ ଖେଳିବାକୁ ମନ ହୁଏ ।

 

ଟିକ୍ରା କାମ କରେ, ବେଳେ ବେଳେ ୟାକୁ ତାକୁ ଚାହେଁ । କାହାର ମୁହଁରେ, କାହାର ଛାତିରେ, କାହାର ଦେହରେ ତା’ର ଦୃଷ୍ଟି କ୍ଷଣେ ଆଉଜି ଯାଇ ପୁଣି ଚାଲିଯାଏ ।

 

ମଙ୍ଗୁଳି, ତା’ର କଟାଶ ପରି ଆଖି, ବୋଝ ନେବାକୁ ମୁଣ୍ଡ ନୁଆଇଁ ଦେଇ ଟିକ୍ରାର ମୁହଁ ଆଡ଼କୁ ଓଠ ଗୋଜେଇ ଦେଇ ଫାଇଁ ଫାଇଁ ହସେ, ଟିକ୍ରା ଗଇଁ ସଇଁ ହେଉ ହେଉ ହସି ପକାଏ ।

 

“କିସ୍‍ ଭେଣ୍ଡିଆ ହେଇଚୁରେ, ବୋଝ ଟୋକେଇଟା ଏକା ହାତକେ ଲଦି ଦେବୁ କ’ଣ ଖାଲି ଧଇଁ ସଇଁ ହୋଇଯାଉଚୁ ?”

 

ଟିକ୍ରା ଓଠ କାମୁଡ଼ି କାମୁଡ଼ି ହସେ । ମଙ୍ଗୁଳି ଯାଏ, ରେନୀ ଆସେ, ଠିକ୍‍ ଡେଇଁ ଡେଇଁ ଆସେ, ଭାରି ହାଲୁକା ଚାଲି ତା’ର, ଆଉ ମୁହଁରେ ହସ ଛଳ ଛଳ । ବୋଝ ଲଦୁ ଲଦୁ କହେ, “ମୋ ମୁଣ୍ଡରୁ ଫୁଲ ପେନ୍ଥାଟା ପଡ଼ିଗଲା, ଟିକିଏ ଖୋସିଦିଅନ୍ତୁ ନାହିଁ ଟିକ୍ରା ?”

 

“ହଉ ଯା, ଯା, ଫେରି ଆ ଫୁଲ ଖୋସିଦେବି ।”

 

ଅଲସୀ ପର୍ଜୁଣୀ ଆସେ, ବଡ଼ ଅଳସ ଗତି ତା’ର । ଯେତେଥର ସେ ମୁଣ୍ଡକୁ ବୋଝ ନେବାକୁ ଝାଙ୍କିପଡ଼େ, ସେତେଥର ତା’ର ଦେହଟା ବାଜିଯାଏ ଟିକ୍ରା ଦେହରେ । ବଡ଼ ବଡ଼ ଆଖିରେ ଅନାଏଁ । ଯେପରିକି କଳିନିଏ ଟିକ୍ରାକୁ । ତା’ପରେ ଗୋଟିଏ ଗୋଟିଏ ଖୋଜ ପକେଇ ଚାଲିଯାଏ ।

 

ଏହିପରି ।

 

“ରେନୀ ଆସି ଝଗଡ଼ି ବସେ, ‘‘ଦେ ମୋ ଫୁଲ ଦେ,” ଟିକ୍ରା ଟିକିଏ ଖେଳିବସେ, ରେନୀ ଉପରେ ପଡ଼ି ଝିଙ୍କି ଓଟାରି ହୋଇ ଫୁଲ ଛଡ଼େଇ ନେଇ ମୁଣ୍ଡରେ ଖୋସେ । ଠିଆ ହୋଇ ଦେହ ଉପରେ ଲୁଗାଟା ଦଶ ଥର ଫିଟେଇ ଦଶ ଥର କସି କରି ବାନ୍ଧେ, ଗାଳିଦେଲା ଆଖିରେ ଟିକ୍ରା ଆଡ଼କୁ ଚାହିଁ କହେ, “କ’ଣ କରିଦେଲୁ ଦେଖିଲୁ ମୋ ଲୁଗାପଟା”, ତା ପରେ ହସି ପକାଏ ।

 

ଟିକ୍ରାକୁ ସବୁ ଖୁସି ଲାଗେ, ଲାଗେ ସେ ହିଁ ଯେପରି କାଦୁଅ ଢିପରେ ରଜା ଆଉ ଏହିମାନଙ୍କ ଉପରେ ସେ ଅଧିକାରୀ । ରେନୀକୁ ଟିକିଏ ଉଶ୍ୱାସ କରି ବୋଝ ଦିଏ, ଅଲସିକୁ ଦିଏ ବେଶୀ ।

 

କାମ କରୁ କରୁ ଟୋକୀମାନେ ଏକାଠି ଉଠୁପଡ଼ ଗଳାରେ ଗୀତ ମେଲି ଦିଅନ୍ତି । ଟିକ୍ରା କାଦୁଅ ଚକଟେ ଆଉ ଶୁଣେ ।

 

ତା’ର ବୟସ ହେଲାଣି ।

 

ସ୍ତ୍ରୀଜାତିକୁ ଭିନ୍ନ ଆଖିରେ କେଉଁଦିନୁଁ ସେ ଦେଖିଲାଣି, କିନ୍ତୁ ଏଣିକି ଏଣିକି ବେଶି ମନ ସେମାନଙ୍କ କତି ଘେନୁଛି, ଦେହ କଅଣ ହୋଇଯାଉଛି ଯେପରି । ବାରମ୍ବାର ମନ ଭିତରେ ପାପ ଛୁଉଁଛି ଖାଲି, କିଏ ଯେପରି ନକ୍‌ସା କାଟି ବୁଝେଇ ଦେଉଛି କ’ଣ ତା’ର ଲୋଡ଼ା, କଅଣ କଲେ ତା’ ମନ ଶାନ୍ତି ଓ କ’ଣ କିପରି କରିବାକୁ ହେବ ।

 

ମନେପଡ଼ୁଛି, ନିଛାଟିଆ ଜଙ୍ଗଲ ମଝିରେ କେଉଁଠି ଅରାଏ ଥାନ କେଉଁ ପଥର ଉଢାଳରେ, କେଉଁ ଗଛ ଉଢାଳରେ, ମନେ ମନେ ଖାଲି ମୟୂରର ଡାକ ଆଉ ଗୋଟା କେତେ ମୟୂରୀ ।

 

ମଙ୍ଗୁଳି ଆସେ, ଠିଆହୋଇ ଦେହ କୁଣ୍ଡେଇ ହୁଏ, କହେ “ଏ ଭେଣ୍ଡିଆ ତୋଠି କେତେ ଜୋର ?” ଆଉମାନେ ହସି ଉଠନ୍ତି, ଟିକ୍ରାର ମୁହଁ ଏଡ଼େ ଟିକିଏ ହୋଇଯାଏ, ଉଜାଣି ସାହାସ ଦେଖାଇ ଗଳା ଥରେଇ କହେ “ ଆ ଦେଖିବୁ ।” ସମସ୍ତେ ଆହୁରି ହସନ୍ତି । ଟିକ୍ରା ଆହୁରି ମଉଳି ପଡ଼େ, ଛାତିରେ ବାହାଛକି ଦେଇ ପିଠି ଆଡ଼ କରି ଠିଆ ହୁଏ ଭୂତ ପରି ।’’

 

ରେନୀ ପୁଣି ଦଉଡ଼ି ଆସେ, କାନ୍ଧରେ ଦି’ହାତ ଥୋଇ ହଲେଇ ଦେଇ କହେ, “ହେ, କାଦୁଅ ଦେ, ତେଣେ ସରି ଆସିଲା ।”

 

ଟିକ୍ରା କଳ ପରି କାମ କରିଯାଏ, ଖାଲି ରକ୍ତଗୁଡ଼ାକ ତାତିଯାଇ ଘୋଡ଼ା ପରି ଛୁଟେ ଶିରାପ୍ରଶିରାରେ, ଛାତି ଭିତରେ ଏକାଠି ଜମି ଝୋଲାର ସୁଅମୁହାଁ ପାଣି କରି କଳରବ କରେ । କାନ ଭାଁ ଭାଁ ହୋଇଯାଏ ଓ ଆଖିରେ କଳା ଆଉ ଉଜଳା, କଳା ଆଉ ଉଜଳା ହୋଇ ଗୋଲ ଗୋଲ କ’ଣ ଗୁଡ଼ାଏ ଉଡ଼ିଯିବାର ଦିଶେ ।

 

ପୁଣି ମନହୁଏ ଏଠୁ ଛାଟିପିଟି ହୋଇ ଯାଏଁ ପଳେଇ । ବୁଢ଼ା ସୁକୃଜାନି କାଦୁଅ ଉପରେ କାଦୁଅ ଥୋଇ ଆଉ ଆଉ ଗୋତିମାନଙ୍କ ପରି କାନ୍ଥ ଗଢ଼େ । ତା’ର କାମ ଭାରି ଚିକ୍‌କଣ । କାମରେ ଡୁବିଯାଇ ପାରେ ନାହିଁ ସୁକୃଜାନି, ବାରମ୍ବାର ପଛକଥାଗୁଡ଼ାକ ମନେପଡ଼େ । ସେ ନିଜେ ଦିନେ ସପନ ଦେଖୁଥିଲା ଯେ ଆପଣାର ଘର ସେ ଗଢ଼ିବ, ମାଣ୍ଡିଆ ଘର, ଟିକ୍ରାର ଘର, ତା’ର ଛୋଟ ସଂସାରର ସମସ୍ତେ ଲାଗିପଡ଼ିଥାନ୍ତେ କାମରେ, ଚାହୁଁ ଚାହୁଁ କାନ୍ଥମାନ ବଢ଼ି ଉଠିଥାନ୍ତା, କାଠ ପଡ଼ିଥାନ୍ତା, ମଥାନ ଉଠିଥାନ୍ତା, ଆଉ ତା ଉପରେ ପିରି ଘାସର ଛାଉଣି ।

 

ଅନେକ କଥା ତ ଭାବି ରଖିଥିଲା ସେ, ଯାହା ହୋଇ ପାରିଲା ନାହିଁ ।

ଯାଃ–

 

ପାହାଡ଼ ଆଖ ପଦା ପଦର ଉପରେ ହାଲୁକା ହଳଦିଆ ଅଳ୍‍ସି ଫୁଳ ଫୁଟି ଚିତ୍ର ହୋଇଥାଏ ହାଲୁକା ତୂଳୀରେ । ହଳଦିଆ ଅଳ୍‍ସି, ନେଳି ଘାସ ଆଉ କଳା ଜଙ୍ଗଲ । ଉଞ୍ଚନୀଚ ଜଙ୍ଗଲ ଆଉ ଖାଲର ଦେଶ ଉପରେ ଢେଉ ଢେଉକା ରଙ୍ଗର ଗାର । ପାହାଡ଼ର ଢାଲୁରେ ଟୋପା ଟୋପା ଗୋରୁ ମଣିଷର ଗୋଠ ।

 

ସବୁ ସତେକି ଫାଙ୍କା ଫାଙ୍କା ପଡ଼ି ରହିଛି । ଦୃଶ୍ୟକୁ ଚାହିଁଲେ ମନଟା ଉଦାସ ହୋଇ ମିଳେଇ ଯାଉଛି ଫାଙ୍କା ଆକାଶରେ । ବର୍ଣ୍ଣର ଛଟା ନାହିଁ, ଭାବର ତୀକ୍ଷ୍‍ଣତା ନାହିଁ, ସବୁ ଉଦାସ ଆଉ ଶୁନ୍ୟ, ସବୁ ଧୂସର ଆଉ ପୁରୁଣା, କେତେ ପୁରୁଣା ।

 

ସୁକୃଜାନିର ଆଶା ଉଚ୍ଛାସ୍ୱ ମିଳେଇ ଯାଇଛି ଏଇ ଫମ୍ପା ଆକାଶରେ ।

ଆଉ ନାହିଁ କିଛି ।

ପାହାଡ଼ର ଢାଲୁରେ ଥିବା ଜଙ୍ଗଲରେ କିଏ ନିଆଁ ଲଗେଇଛି । ଧୂଆଁ ଉଠୁଛି କୁହୁଳି କୁହୁଳିକା ।

ଆଉ କିଛି ନାହିଁ ।

ସୁକୃଜାନି ଫମ୍ପା ଆକାଶକୁ ଥରେ ଚାହେଁ, ମାଟି ମେଞ୍ଚାଏ ଲଦିଦିଏ, ସାଉକାରର କାନ୍ଥ ଉଠେ ।

 

କାମ ପାଖେ ଆଉ ଗୋଟିଏ ଲୋକ ବସି ଏପାଖ ସେପାଖ ଅନାଇ ସାତପାଞ୍ଚ ଭାବେ-। ସାହୁକାର ରାମ ବିଶେଇ । ଲକ୍ଷ୍ମୀଙ୍କ ଦୟାରୁ ତା’ର ଅର୍ଥର ଉଣା ନାହିଁ । କିନ୍ତୁ ତା’ର ନାନାଦି ଭାବନା । ଏଇଟା ହେବ ତା’ର ଗୋଲାଘର । ତା’ ପରେ ହୁଏତ କେତେ ଘର ତୋଳା ହେବ । ସେ ଟଙ୍କାକୁ ଗଉଣୀରେ ମାପେ । ଧାନକୁ ମାପେ ଶଗଡ଼ରେ । ଏଇ ତା’ର ଗାଁ ବଢ଼ୁଛି, ସମ୍ପତ୍ତି ବଢ଼ୁଛି, ନାଁ ବଢ଼ୁଛି ।

 

ଆଉ ଅଳସୁଆ ମୁଣ୍ଡରେ ବଢ଼ିଉଠୁଛି ନାନା ପ୍ରକାର ଯୌନ ବିକାର । କେତେ ସ୍ତ୍ରୀଲୋକ ସେ ଭୋଗ କରିଛି ତା’ର ସୁମାର ନାହିଁ । କିନ୍ତୁ ପ୍ରବୃତ୍ତିରୁ ନିବୃତ୍ତି ଆସି ନାହିଁ । ନୂଆ ମୁହଁଟିଏ ଦେଖିଲେ ଆପେ ଆପେ ଚିହିଁକି ଉଠେ । ମନ ପାଇଁ ତା’ର ଭାବନା ନାହିଁ, କାହାରି ଭଲ ପାଇବା ସେ ଚାହେଁ ନାହିଁ । ଦେହର ମୂଲରେ ତା’ର ଯୌବନ ପ୍ରବୃତ୍ତିର ତଉଲ । ବସି ବସି ସେ ଖରା ପୁଏଁ ଆଉ ପିଙ୍କାଟାଣେ, ଆଉ କାମ କରାଳି ଟୋକୀଙ୍କୁ ଅନାଇ ରହେ ପାଣିଆ ପାଣିଆ ଆଖିରେ, ଓଠ ଭିଜିଯାଏ । ଆଖି ଶଗଡ଼ ଚକ ପରି ବୁଲେ ଏପାଖରୁ ସେପାଖ, ସେପାଖୁ ଏପାଖ । ଆଖିରେ ଆଖି ପଡ଼ିଗଲେ କେହି କେହି ଟୋକୀ ଲଜ୍ଜା ଲୁଚାଇବାକୁ ହସି ପକାଏ, ତଳକୁ ମୁହଁପୋତି ହସି ପକାଇ ଦେହ ଥରାଇ ଦେଇ ଚାଲିଯାଏ । ରାମ ବିଶେଇ ହସେ ନାହିଁ, ଖାଲି ଗାରଡ଼ ପରି ଚାହେଁ, ଖାସୁରୁ ଖାସୁରୁ କରି ଦେହ କୁଣ୍ଡାଇ ହୁଏ, ଏଠୁ ସେଠି ସେଠୁ ଏଠି ଚାହେଁ । ବସି ବସି ନିଶ ସାଉଁଳେ ।

 

ସୁକୃଜାନି ବିନୀତ ହୋଇ କହିଲା,“ଘରକୁ ଦି’ ଦିନ ଯିବି ସାହୁକାର, ଶେଲ (ଅର୍ଥାତ୍‌ ଛୁଟି) ଦିଅ ।”

 

ସାହୁକାର ଗରମ ହୋଇ ପଚାରିଲା,“କାହିଁକି ଯିବୁ”

“ସୁକୃଜାନି କହିଲା, ଏଇ ପୁସ୍ ମାସଟା, ଟିକିଏ ଧାନ କଟାକଟି– ।”

ସାହୁକାର କହିଲା,“ଯା ଯା, ପାଇଟି କର୍‌, ଶେଲଫେଲ ମିଳିପାରିବ ନାହି ।”

ସୁକୃଜାନି ଚୁପ୍‌ଚାପ୍‌ ବସି କାମ କଲା ।

ସାହୁକାର ଅନେଇ ରହିଲା, ଅନେଇବାରେ ତା’ର ଆନନ୍ଦ ।

 

ଅଳ୍‍ସି ପର୍ଜୁଣୀ ମୁଣ୍ଡକୁ ଟୋକେଇ ଉଠୋଉ ଉଠୋଉ ଟିକ୍ରା ପରଜା ଉପରେ ଅଜାଡ଼ି ହୋଇ ପଡ଼ିଲା, ଟିକ୍ରା ଦାଉ ସମ୍ଭାଳୁ ସମ୍ଭାଳୁ କଚି ହୋଇ ପଡ଼ିଲା କାଦୁଅ ଉପରେ । ମଙ୍ଗୁଳୀ ପର୍ଜୁଣୀ କହିଲା, “ଦେଖ୍‌ କେଡ଼େ ଡିଣ୍ଡା(ଅର୍ଥାତ ଭେଣ୍ଡା) ହେଇଚି ଏ ଟୋକା, କେମିତି ଅଣ୍ଟା ମୋଡ଼ି ହୋଇ ପଡ଼ୁଛି ଦେଖ୍ ଦେଖ୍ ।”

 

ସମସ୍ତେ ହସି ପକେଇଲେ ।

ବେହିଆ ମୁହଁକରି ଟିକ୍ରା ମଧ୍ୟ ଟିକିଏ ହସିଲା ।

 

ଛ’ କୋଶ ଦୂରରେ ପୋଡ଼ାଗଡ଼ ହାଟ, ବୁଧବାର ଦିନ, ସପ୍ତାହରେ ଥରେ । କିନ୍ତୁ ପ୍ରାୟ ସମସ୍ତେ ଯାଆନ୍ତି, ଗୋଟିଏ ହାଟ ପାଳି ବାଦ୍ ଯାଏ ନାହିଁ ।

 

ଜଙ୍ଗଲ ମଝି ମଝି ଏହିପରି ଅନେକ ହାଟ ବସେ । ଆଉ ସାତ କୋଶ ଆଠ କୋଶ ଦୂରରୁ ପାହାଡ଼ ଜଙ୍ଗଲ ଡେଇଁ ଲୋକ ଆସନ୍ତି । କିଣାଳି, ବିକାଳି ଓ ଦେଖଣାହାରି ଦଳ । ଲୋକେ ଆସନ୍ତି, କିଏ ଗଣ୍ଡିଏ ଲଙ୍କାମରିଚ ବିକିବାକୁ, କିଏ ଦୁଇଚାରି ପଇସାର ଲୁଣ ତେଲ ସଉଦା କରିବାକୁ, କିନ୍ତୁ ଏଇଦଳ ବାନ୍ଧିବାରେ ହିଁ ସେମାନଙ୍କର ଆନନ୍ଦ, ତୁଛାକୁ ହେଉ ପଛେ । ଅଳ୍‍ସିତେଲ, କୁମସୁମତେଲରେ ଜୁଡ଼ା ଚିକି ଚିକି କରି ବାଟ ଯାକ ପେନ୍ଥା ପେନ୍ଥା ସଜ ବଣଫୁଲ ଗଭାରେ ଖୋସିଖୋସିକା ମାଇପୀ ପଲ ଆସନ୍ତି । କାରଣ ଅଧିକାଂଶ ମାଇପେ । ହସ ଓହଳେଇ ଦେଇ ଗୀତ ମେଲିଦେଇ ଖାଲ ଆଉ ପାହାଡ଼ ଡେଇଁ ମାଇପୀ ପଲ ଆସନ୍ତି, ହାଟ ତାଙ୍କର ଯାତ୍ରା, ତାଙ୍କର ସମ୍ମିଳନୀ ଆଉ ତାଙ୍କର ସଭା ।

 

ସିଝା କନ୍ଦମୂଳ, ମକା ଖାଇ ଆଉ ବଣର ଫଳ ବାଟ ଯାକ ଖାଇ ଖାଇ ସେମାନେ ବକର ବକର ହୋଇ ଆସନ୍ତି, ବାଟ ବାଧେ ନାହିଁ । କେତେ ଭେଟାଭେଟି ହୁଏ, କେତେ ମନ ଉଲୁସା ମେଳ, ଏ ରାଇଜ ଓ ସେ ରାଇଜର କଥା, ପୁଣି ସେମାନେ ଫେରିଯାନ୍ତି ।

 

ହାଟ ଲାଗିଥାଏ, ହୋ ହା ପାଟି ।

 

ଗୁଡ଼ ଆଉ ମୁଢ଼ିରେ ତିଆରି ଖଜା ଦୁଇପଇସା ପୁଅ ପାଇଁ ଘେନି ଯିବାକୁ ଛ’ କୋଶ ଦୂରରୁ ଜିଲି ପରିଜା ଆସିଛି । ଗାଁ ନାଇକର ସ୍ତ୍ରୀ ଆସିଛି, ପଇସାକର ମାଟିତେଲ(କିରାସିନି ତେଲ) କିଣିନେବ ।

 

ତାକୁ ସେ ଆଠଦିନ ଜାଳିବ ।

 

ପିତ୍ତଳ ତମ୍ବା ମିଶା ଅଳଙ୍କାର ଦୋକାନ ପାଖେ ବହୁ ଧାଂଡ଼ୀଙ୍କର ଠେଲାଠେଲି । ପଇସାଏ ଦୁଇ ପଇସା ମୂଲକୁ କେତେ ବଡ଼ ବଡ଼ ଅଳଙ୍କାର । ପାଖରେ କାଚମାଳି ଦୋକାନ ଓ କାଠ ପାନିଆଁ ପଇସିକିଆ ଆରସି ।

 

ବାଗ୍‍ଲା ଆସିଲା, ପେନ୍ଥାଏ ମାଳି ଓ ଦୁଇଟା ଆରସି ସେ କିଣି ନେଇଗଲା । ଦୁଇହଳ ସବୁଥିରୁ, କାରଣ ଜିଲି କଥା ମନେ ନ ପଡ଼ିଲେ କାଜୋଡ଼ିକୁ ସେ ପାସୋରି ପାରେ ନାହିଁ । ତା ନାଁ ନ ଭାବିଲେ ସୁଦ୍ଧା ଆପେ ଆପେ ଦୁଇଯୋଡ଼ା କିଣି ହୋଇଯାଏ ।

 

ଲୁଗାଦୋକାନ ପାଖେ ଜିଲି ଏସେହେଉଥିଲା, କିନ୍ତୁ କିଛି ଫଳ ନାହିଁ । ମାଣ୍ଡିଆକୁ ସେ ହାଟକୁ ଆସିଲାବେଳେ କେଉଁଆଡ଼େ ଦେଖି ନାହିଁ । ବୋଧେ ଲୁଗାପାଇଁ ଜିଦି ଧରିଥିଲା ବୋଲି ମାଣ୍ଡିଆ ମୁହଁ ଲୁଚାଇଦେଲା ।

 

ତା’ର ପଛେ ପଛେ କାଉ ପରଜା ଛାଇ ପରି ବୁଲୁଥାଏ, ଯେପରି ସେ କାହାକୁ କ’ଣ ଖୋଜି ବୁଲୁଛି ।

 

ଦଳ ଦଳ ଡେଙ୍ଗା ପାହାଡ଼ି ଡମଲୋକେ ଆସନ୍ତି, ସେମାନେ ଖ୍ରୀଷ୍ଟିଆନ୍ । ହାତରେ ହାତ ମିଳାଇ ଦେଇ ହାତ ଘଷି ତୁନିତାନି ଚାଲିଯାନ୍ତି ।

 

କନ୍ଧଲୋକ ଆସନ୍ତି, କାନରେ ଖୁବ୍‌ ବଡ଼ ବଡ଼ ଗୋଲ ଗୋଲ ତା’ର ମେଞ୍ଚାଏ ଲେଖା ଝୁଲେଇ । ନାନା ପ୍ରକାର ଲୋକ ଆସନ୍ତି ।

 

ଏଇ ମଣିଷ ଗହଳିରେ ଜିଲିକୁ ଭାରି ଏକୁଟିଆ ଲାଗେ । ତା’ପରେ ବାଗ୍‍ଲାକୁ ଭେଟିଲା-। ଭାରି ଖୁସିରେ ହସ ହସ ମୁହଁକରି ଦଉଡ଼ି ଗଲାବେଳକୁ ପଛରୁ କାଜୋଡ଼ି ଝିଙ୍କି ପକେଇଲା । ପଛ ବୁଲି ପଡ଼ି ଦିହିଁକିଦିହେଁ ହସାହସି ହେଲେ । ତା’ପରେ ଜିଲି କହିଲା, ‘‘ମୋ ଭାଇକୁ ଖୋଜୁଚି, କାହିଁ ଦେଖୁ ନାହିଁ ତ କେଉଁଠି ।’’

 

କାଜୋଡ଼ି କହିଲା, ‘‘ସେ ଆଜି ଆସିଛି, ମୁଁ ଦେଖିଚି ।’’ ଜିଲି କହିଲା, “ଦେଖ୍‌, ମୋ ଆଖି ସିନା ଏଡ଼ିବ, ତୋ ଆଖି ଏଡ଼ିଯିବ କାହୁଁ ? କାଜୋଡ଼ି ଦେହ ମୋଡ଼ି ଦେଇ ଚାଲିଗଲା । ପୁଣି ବାଗ୍‍ଲାକୁ ଦେଖି ଜିଲି ପଚାରିଲା, ମାଣ୍ଡିଆକୁ ଦେଖିଚୁ କିରେ ?”

 

ବାଗ୍‍ଲା ହସି ପକେଇଲା । କହିଲା,“ହଁ ହଁ ଦେଖିଚି, ସେ ଗଛ ଉହାଡ଼ରେ ବସି ବସି ଟିଣେ ମାଟିତେଲ (କିରାସିନି) ବିକୁଚି ପରା ।”

 

ଜିଲି ଆଶ୍ଚର୍ଯ୍ୟ ହେଲା,“ମାଟିତେଲ !”

“ହଁ ଲୋ ହଁ ଯାଉନୁ ଦେଖିବୁ ।”

 

ଆଶ୍ଚର୍ଯ୍ୟ ହୋଇ ଟାପରାର ମାନେ କ’ଣ ହୋଇପାରେ ଭାବି ଭାବିକା ଜିଲି ଯାଇ ପହଞ୍ଚିଲା ଗଛ ସେପାଖେ, ସେ ଟିକିଏ ଗହଳି ଅଳ୍ପ । ଟିଣଟିଏ ଆଗରେ ଥୋଇଦେଇ ମୁଣ୍ଡରେ ବିରାଟ ଠେକା ମାରିଦେଇ ମାଣ୍ଡିଆଜାନି ବୋତଲଗୁଡ଼ିଏ ଧରି ବସି ଆରାମରେ ପିଙ୍କା ଟାଣୁଛି । ଜିଲି କହିଲା–“କିରେ !”

 

ମାଣ୍ଡିଆ ଚିହିଁକି ଉଠିଲା,“କୁଆଡ଼େ କାହା ସାଙ୍ଗେ ଆସିଚୁ ଘର ଛାଡ଼ିଦେଇ କହ ତ ?”

 

‘କୁଆଡ଼େ ଆସିଚୁ ? –ଭାରି ସିଆଣା ଏକା, ଲୁଗା ଖଣ୍ଡେ କିଣିଦବୁ ବୋଲି ଲୁଚିଲୁଚିକା ଏଠି ଆସି ପହଞ୍ଚିଚୁ, କହୁଚୁ କୁଆଡ଼େ ଆସିଚୁ ?” “ଗରାଖ ଆସି ପହଞ୍ଚିଲେ । ‘‘ଦେ ଦେ ଜାନିପୁଅ, ଗୋଟେ କାଚ (ବୋତଲ) ଦେ ।” ଦି ଦି’ଅଣା ଥୋଇଦେଲେ, ମାଣ୍ଡିଆ ବୋତଲ ଲେଖାଁ ଥୋଇଦେଲା, ଢକ ଢକ ପିଇଦେଇ ପଳେଇଲେ ।

 

ବାଗ୍‍ଲା କଥା ମନେପକାଇ ଭାରି ବହେ ହସିଲା ଜିଲି, “ଓଃ ଏଇ ମାଟିତେଲ ବିକା ହେଉଚି, ଆଚ୍ଛା, ବହୁତ ପଇସା କମେଇବୁଣି ତ, ଚାଲ ଖଣ୍ଡେ ଲୁଗା କିଣିଦେବୁ ମତେ ।”

 

“ପଇସା କାହୁଁ ପାଇବି ?”–ତୁ କହ, –ତେଣେ ବିଲବଛା–ଧାନକଟା ଚାଷ କାମ କେତେ ପାଇଟି ଅଛି । ରାଜାଘରୁ ଶିସ୍ତୁ (ଖଜଣା), କେତେ କଥା, ତୁ ଲୁଗା କ’ଣ କରିବୁ ?

 

“ନାଇଁ ତୁଇ ଏକା ଜମେଇ ଜମେଇ ଝୋଲାଟଙ୍କା ରଖିବୁ କାଜୋଡ଼ି ପାଇଁ, ନୁହେଁ ? ହଉ ।”

ତର୍କ ଲାଗିଲା । ମାଣ୍ଡିଆ କହିଲା, ଆଚ୍ଛା ଦେଖାଯିବ, ଏ ଟିଣକ ଯଦି ବିକ୍ରି କରିଯାଏ–”

ଜିଲି ମୁହଁ ଶୁଖେଇ ଅପେକ୍ଷା କରି ବସି ରହିଲା । ହାଟ ବଢ଼ିଲା ।

 

ସାହୁକାର ଛୁଟି ଦେଲା ନାହିଁ । ମାଣ୍ଡିଆ କ’ଣ ଏକୁଟିଆ ପାରିବ ? ଆପଣା ବିଲରେ ଧାନକଟା ମାଣ୍ଡିଆକଟା ମନେପକାଇ ବୁଢ଼ା ସୁକୃଜାନି ଝୁରି ହୁଏ, ଭାବେ ଗୋତି ହେଲାରୁ ସିନା !

 

ବେଳେ ବେଳେ ଘରକୁ ଆସେ, ସେ ଆସେ ଟିକ୍ରା ଆସେ, ପୁଣି ସଞ୍ଜର ଚୁଲିନିଆଁ ପାଖେ ବଉଁଶ ଗୋଟାକ ବସି ବସି ଭଲମନ୍ଦ କଥାପକାନ୍ତି, ଆଉ ସାତ ପାଞ୍ଚ ବିଚାର କରନ୍ତି । ରାତି କଟିଗଲେ ପୁଣି ସୁକୃଜାନି ଗୋତିକୁ ଚାଲିଯାଏ । ସୁକୃଜାନି ମନ ବେସ୍ତ କରେ । ଟିକ୍ରା କରେ ନାହିଁ, ମାଣ୍ଡିଆଜାନି କରେ ନାହିଁ । ଜିଲି କି ବିଲି କେହି ମନ ବ୍ୟସ୍ତ କରନ୍ତି ନାହିଁ । ବୁଢ଼ାର ଖାଲି ଅତୀତ ଚିନ୍ତା, ବୁଢ଼ା ହାଡ଼ ଭାଙ୍ଗିଗଲେ ଆଉ ଯୋଡ଼େ ନାହିଁ । ଟୋକାର ଭବିଷ୍ୟତ, ଅତୀତର ଖୋଳପାକୁ ତଳକୁ ମାଡ଼ି ମାଡ଼ିକା ତାହାରି ଭିତରୁ ସେ ଉପରକୁ ବଢ଼ି ଲାଗିଛି, ତଳର ଖୋଳପା ତା’ର ମନେ ନାହିଁ ।

 

ପାହାଡ଼ ଢାଲୁରେ ସାବୁଜା, ମଝିଏ ମଝିଏ ହଳଦି ଗର ଗର ଅଳ୍‍ସି ଫୁଲର ଛବି, ନେଳିଆ ମାଣ୍ଡିଆ, ଫିକା ସାବୁଜା ସୁଆଁ ଫସଲ । ଖରା ଆଉ ଚଳନ୍ତି ରଣ–କୁହୁଡ଼ିରେ ଛବି ବଦଳିଯାଏ, ମାଣ୍ଡିଆଜାନି ଅନ୍ୟମନସ୍କ ହୋଇ ବାହାରକୁ ଅନାଏ, ଭିତରକୁ ଦେଖେ, ଖାଲି କାଜୋଡ଼ି । ମଦ ରାନ୍ଧି ବସିଲେ ତାହାରି କଥା ଖାଲି ମନେପଡ଼େ, କେବେ ଝୋଲାଟଙ୍କା କେଇଟା ସେ ଯୋଗାଡ଼ି କରିବ ।

 

ତା’ପରେ ଆସିବ କାଜୋଡ଼ି……

 

ଜଙ୍ଗଲ ଭିତରେ କନ୍ଦାଟିଏ ମୂଳଟାଏ ଓପାଡ଼ୁ ଓପାଡ଼ୁ ଜିଲି ଭାବୁଥାଏ ତା’ର ବାଗ୍‍ଲା କଥା । ଫୁଲ ପେନ୍ଥାଏ ପତ୍ରଟାଏ ଛିଣ୍ଡାଇ ଆଣି ମୁଣ୍ଡରେ ଖୋସିଦିଏ, ଆପଣାକୁ ସଜାଏ, ସବୁ କାମ ପଛଆଡ଼େ ବାଗ୍‍ଲାର ସ୍ମୃତି ।

 

ବିଲି ପିଣ୍ଡାରେ ବସି ପତ୍ରକୁ ପତ୍ର ଯୋଖି ତଲ୍ରି ତଲ୍ରା ବୁଣେ, ଗୁଣୁ ଗୁଣୁ କରି ଗୀତ ଗାଏ-। ତା’ର ‘ଅଣ୍ଡ୍ରା’ ଠିକ୍‍ ହୋଇନାହିଁ, ‘ବିଲି ବିଲି’ ବୋଲି କେହି ଗୀତ ବୋଲି ନାହିଁ, କିନ୍ତୁ ଦିନେ ନା ଦିନେ ତା’ର ବି ମଣିଷ ଆସିବ ନିଶ୍ଚୟ, ବିଲି ଜଣେ । ପିଣ୍ଡା ଉପରେ ବିଛା ହୋଇଥିବା ଶାଳପତ୍ର ହୋଇ ଉଠେ ଗୋଟିଏ ବଡ଼ ଦର୍ପଣ, ତାହାରି ଉପରେ ରଙ୍ଗେଲି ଦୁନିଆଁ ଦିଶିଯାଏ, କନା ଚାଖଣ୍ଡେ ଲେଖାଁ ପିନ୍ଧି କାନ୍ଧରେ ଟାଙ୍ଗିଆ ଆଉ ବାହୁଙ୍ଗା ପକେଇ ପ୍ରକାର ପ୍ରକାର ହୋଇ ଜୁଆନ୍ ଟୋକା ଚାଲିଯାଆନ୍ତି ସେଥିରେ ବିଲି ବିଲି ବୋଲି ପାଗଳ ।

 

ତାଙ୍କର ଧନ ନାହିଁ । ଏତେବଡ଼ ବିପତ୍ତି ଯାଇଛି, ବାପ ଭାଇ ସାହୁକାର ଘରେ ଗୋତି । ଘର ଚାରିକଣ ଓଳେଇ ଆଣିଲେ ପୋଷେ ହେବ ପାଚି ବାହାରିବ ନାହିଁ, କିନ୍ତୁ ଦୁନିଆରେ ସବୁ ଅର୍ଥ ନୁହେଁ, କେବଳ ପେଟ ଚିନ୍ତାରେ ଦିନ କଟେ ନାହିଁ । ଏଣୁ ତେଣୁ ଭାବୁ ଭାବୁ ପଶ୍ଚିମର ଛାଇ ପୂର୍ବକୁ ଢଳେ । ଦିନଯାଏ ଚାଲି ।

 

ସମୟ ଆଉ ସ୍ୱପ୍ନ, ସ୍ୱପ୍ନ ଆଉ ସମୟ ମିଶିମାଶି ଯାଇ ଗୋଟିଏ ଅନୁଭୂତିମୟ ସଂସ୍ଥିତି, ଏହି ଜୀବନ ।

 

ଭାରି ଶୀତ, ପୁଷମାସ ଗୋଟାକ । ଘରେ ଘରେ ଉମ୍‍ହେଇଁ, ଘର ଉଷୁମ୍ ରଖିବାକୁ ପିଣ୍ଡାରେ ଘଷି ନିଆଁ ।

 

ଆକାଶରେ ଅଳ୍ପ ଅଳ୍ପ ମେଣ୍ଢା–ରୁମିଆଁ ମେଘ, ବେଳ ଦୁଇ ଲାଠି ହେବାଯାକେ ଭାରି କୁହୁଡ଼ି ।

 

ମାଣ୍ଡିଆଜାନି ମଦ ରାନ୍ଧେ । “ଝୋଲା”ରେ ପାଣି କଳକଳ ହୋଇ ଧାଏଁ । ମାଣ୍ଡିଆଜାନି ବତା ଖଣ୍ଡେ ଡେରିଦିଏ ଗଡ଼ାଣି ଝରଣାରେ, ଆପେ ଆପେ ଗଡ଼ି ବାମ୍ପୁଆଣି ହାଣ୍ଡିକୁ ଥଣ୍ଡା କରେ, ମଦ ଜମେ, ମାଣ୍ଡିଆଜାନି ଟିଣ ଟିଣ ମଦ ଉଠେଇ ନିଏ ।

 

ନିଘଞ୍ଚ ଜଙ୍ଗଲରେ ବାଘ ବାହାରେ ପାରିଧି କରି, କୁଟ୍ରା ଲୁଚେ, ହରିଣ ଲୁଚେ, ବାଘ ଛପିଛପି ଯାଏ । ଜଙ୍ଗଲ “ଜମାନ୍” ବୁଲି ବୁଲି ଦେଖେ, କିଏ କେଉଁଠି ପୋଡ଼ୁ ହାଣୁଚି । ସାଲ୍‌ଟୁ ଜମାନ୍‌ (ଅବକାରୀ ଚପରାସୀ) ନିଘା କରି କରି ବୁଲେ, କେଉଁଠି ମଦ ରନ୍ଧା ହେଉଛି ।

 

ତଥାପି, କନ୍ଧ ପୋଡ଼ୁ କାଟେ, ମାଣ୍ଡିଆଜାନି ମଦ ରାନ୍ଧେ ।

 

ଛଳ ଛଳ ଝରଣା ପାଣି ଅନ୍ଧାରେ ଅନ୍ଧାରେ ବୋହିଯାଏ । ପଛକୁ ଅନାଏଁ ନାହିଁ । କାହାରି କାମକୁ କେହି ଅନାଇଁ ଦେଖେ ନାହିଁ । ସବୁ ଶୂନ୍‍ଶାନ୍‍ ।

 

ମାଣ୍ଡିଆଜାନି ମଦ ରାନ୍ଧେ । ଆଉ ଭାବେ ।

ପୁଷ୍‍ ପରବ୍ ଖୁବ୍ ବଡ଼ ଦିନ ।

 

ଟିକ୍ରା ଆଉ ସୁକୃଜାନି ଘରକୁ ଫେରିଲେ, ଯୋଡ଼ିଏ ଦିନ ଛୁଟି । ପାହାଡ଼ କରେ କରେ ଅଳ୍‍ସି ମରିଯାଇ କହରା ପଡ଼ିଗଲାଣି, ହସ ଲୁଚିଯାଇ ଖାଲି ଉଦାସ । କ୍ଷେତରେ ‘ପାଚି’ ଉଠିଗଲାଣି, କ୍ଷେତ ଖାଲି । ଯେତେଦୂରକୁ ଆଖି ଯାଉଛି ସାବୁଜା ଜଙ୍ଗଲ କରେ କରେ ଖାଲି ଟାଙ୍ଗରା ପଦର, ଠାଏ ଠାଏ ମାଣ୍ଡିଆ ପାଚିଛି, ଧାନ ପାଚିଛି, କଟା ହୋଇନାହିଁ, କ୍ଷେତ ମଝିରେ ଫସଲ ଜଗିବାକୁ ଗୋଟାଏ ଗୋଟାଏ ଖଡ଼ର ପିଲା । କେଉଁଠି ବା ଭୂଇଁରେ, ତଳେ, କେଉଁଠି ଉପରେ, ଗଛ ଡାଳରେ ।

 

ଗାଁ କୋଶେ ଥାଇ ସଞ୍ଜ ବୁଡ଼ିଲା । ଧାଡ଼ି ଧାଡ଼ି ଢିପ ଆଉ ପାହାଡ଼ ଉପରେ କିଏ କଳାକନା ବୁଲେଇ ଆଣିଲା । ଠାଏ ଠାଏ ଘର ବାହୁଡ଼ା ପଞ୍ଝା ପଞ୍ଝା ଲୋକ, ଝରଣାରୁ ପାଣିମାଠିଆ ମୁଣ୍ଡେଇ ସ୍ତ୍ରୀ ଲୋକ । ହାତରେ ରଡ଼ନିଆଁ ଅଟାଟିଏ ମାନ, କାନ୍ଧରେ ଟାଙ୍ଗିଆ, ଦେହରେ କନ୍ଥା ଆଉ କମ୍ବଳ, ବାଟୋଇ ଚାଲିଥାନ୍ତି । ସୁକୃ ଆଉ ଟିକ୍ରା ଗୋଟିଏ ଦଳକୁ ଛାଡ଼ିଦେଇ ଆଉ ଗୋଟିଏ ଦଳରେ ପିଛା ଧରନ୍ତି । ବାଟ କଟିଯାଏ । ମୁହଁ ଅନ୍ଧାରରେ ଠାଏ ଠାଏ ଉଞ୍ଚ ପାହାଡ଼ର ଢାଲୁରେ ଥିବା “ପଦା” ଭୂଇଁରେ କ୍ଷେତ ଜଗୁଆଳି ଅଗି ଜାଳି ଦେଇ ବସି ବସି ଶିଙ୍ଗା ଫୁଙ୍କୁଥାନ୍ତି । କୁହାଟ ଛାଡ଼ିଥାନ୍ତି । ଏପାଖେ ସେପାଖେ ଚାହୁଁ ଚାହୁଁ ବାଟ କଟିଗଲା, ପାହାଡ଼ ଢାଲୁରେ ଶରଶୁପଦର ଗାଁର ଆଲୁଅ ଜୁକୁ ଜୁକୁ ହେଲା ।

 

ଅନ୍ଧାର ମୁଣ୍ଡେଇ ବାପ–ପୁଅ ଯୋଡ଼ିକ ଢାଲୁଏ ଢାଲୁଏ ଉଠିଗଲେ । କାଲି ପୌଷ ପର୍ବ-

 

ଗାଁର ଧାଂଡ଼ାବସା ଘରୁ ମଶା ଝିଁ ଝିଁ ହେଲାପରି ଏକା ସାଙ୍ଗେରେ ଅନେକ ଡୁଙ୍ଗୁଡୁଙ୍ଗା ଜିଣ୍‍ଝିଣେଇ ଉଠୁଥାଏ, ଏଇ ସଞ୍ଜପହରରୁ ଆଜି ଧାଂଡ଼ୀନାଚ ହେବ ।

 

କାଲି ପୁଷ୍‍ ପରବ୍‍ ।

 

ପୁଷଖପରବ୍‍ର ସକାଳ ହେଲା । କୁହୁଡ଼ିଆ ସକାଳ, ଫୁଟିନେସା କାଚଝରକା ବାଟେ ଆଲୁଅ ପରି । ଦେହ ଶୀତେଇ ଦାନ୍ତ ଠକ ଠକ କରି ଛିଣ୍ଡା ଫୁଟା ଘୋଡ଼ାଘୋଡ଼ି ହୋଇ ଗୋଟିଏ ଗୋଟିଏ ହୋଇ ସମସ୍ତେବାହାରିଲେ ଗାଁ ଗୋଟିକ । ଆଜି ପୁଷ୍‍ ପରବ୍‍,ବର୍ଷରେ ଗୋଟିଏ ଦିନ । ପୁଣି ବର୍ଷେ ବୁଲିଗଲେ, ଆର ବର୍ଷକୁ ବଞ୍ଚିଥିଲେ ପୁଣି । ଆଗକୁ ଅନାଇଲେ ଢେଉଢେଉକା ପାହାଡ଼ମାଳ ଉପରେ ବହଳ ଧଳା କୁହୁଡ଼ି, ତାହା ଉପରେ କଅଁଳ ଖରା ଲହଡ଼ି ଭାଙ୍ଗୁଚି ।

 

ଦିନ ଫିଟିଲା କୁହୁଡ଼ି ରଙ୍ଗେଇ । ଭାସିଲା ବଉଦର ପକ୍ଷୀ ରଙ୍ଗେଇ ଆଲୁଅ ଫିଟିଲା । ତଳେ ଏତେ ଜଙ୍ଗଲ ଭିତରେ କାହିଁ କେଉଁଠି ବୁନ୍ଦାଏ ବୁନ୍ଦାଏ ଗାଁ, ସୁମାରି ଦିଶୁ ନାହିଁ ।

 

କିନ୍ତୁ ଆଜି ପୁଷ୍‍ ପରବ୍‍, ଗୋଟିଏ ଦିନର ଆନନ୍ଦର ପୂଜା କରିବା ପାଇଁ ବୁନ୍ଦା ବୁନ୍ଦା ମଣିଷ ଜୀବନ ଅପେକ୍ଷା କରି ବସି ରହିଛି, କୁହୁଡ଼ିର ତଳେ ତଳେ ଉଡ଼ି ବୁଲିଛି ପ୍ରାଣର ସୁବାସ ।

 

ଚଞ୍ଚଳ ଉଠି ମୁହଁରେ ବାସି ପାଣି ନ ଦେଉଣୁ ଗାଁର ଝିଅବୋହୂ ରଙ୍ଗମାଟି ଆଣି ଚାଲିଗଲେ, ଘର ଲିପାପେଛା ହେବ । କାମ ଲାଗିଗଲା । କାନ୍ଥରେ ଧଳା ମାଟି ଓ ନାଲି ମାଟି, ପିଣ୍ଡାରେ କଳା ମାଟି, ହଳଦିଆ ମାଟି, ଏହା ଉତ୍ତାରୁ ଚିତାକୁଟା । ଘର ଲିପା ହେଲା, ପଟି ପଟି ହୋଇ ନାନ ବର୍ଣ୍ଣର ମାଟିରେ ଚିତ୍ରା ଅଙ୍ଗାର ଚୂନାକରି ଅଳ୍‍ସି ତେଲରେ ଗୋଳି କବାଟ ଓ ଚୌକାଠରେ କଳା ଦିଆହେଲା, ଘର ଚେଇଁ ଉଠିଲା ।

 

ପେଜ୍‍ ମନ୍ଦିଏ ମନ୍ଦିଏ ଖାଇଦେଇ ଗାଁର ଲୋକ ଚାଲିଲେ ଜଙ୍ଗଲକୁ କାଠ ହାଣି । ମାଇପେ ମୁଣ୍ଡରେ ତେଲମାରିବା, ମୁଣ୍ଡ କୁଣ୍ଡେଇବା, ଲୁଗା ସିଝେଇବା ଏହି ସବୁ କାମରେ ଲାଗିଲେ । ଆଜି ପୁଷ୍‍ ପରବ୍‍, ବର୍ଷଯାକର ଧୂଳିମଳି ଆଜି ସଫା ହେବ ।

 

ମାଣ୍ଡିଆଜାନି ଥିରିଥାରି ହୋଇ ତା’ର ମଦ ରାନ୍ଧା ସ୍ଥାନକୁ ଚାଲିଗଲା, ଆଗରୁ ମହୁଲ ସଢ଼େଇ ସେ ଥୋଇ ଆସିଛି । ଆଜି ତା’ର ଦୁଇ ଟିଣ ମଦ ରନ୍ଧା ହେବ, ବିକ୍ରି ବହୁତ । ‘ପୁଷ୍‍ ପରବ୍ ପୁଷ୍‍ ପରବ୍’ କରି ଜିଲି ଆଉ ବିଲି ତା’ ସାଙ୍ଗେ ଲାଗି ଲାଗି ଖଦିପଟା ଆଉ ଖଡ଼ୁ କରେଇ ନେଇଛନ୍ତି, ସେ ଦାମ୍ ସେ ଆଜି ଅସୁଲ କରିନେବ । ମାଣ୍ଡିଆଜାନି କାମରେ ମନ ଦେଲା ।

 

ଟିକ୍ରା ଚାଲିଲା କାଠ ହାଣି । ତାକୁ ଖାଲି ଖାଲି ଲାଗୁଥାଏ । ମନେପଡ଼ୁଥାଆନ୍ତି ସାହୁକାର ଘରେ ସେ ମାଟି–ବୁହାଳି ଟୋକୀ । କାମ ସାଙ୍ଗେ ସାଙ୍ଗେ ମନରୁ ଫାଳେ ମଧ୍ୟ ସେଠି ଫୋପାଡ଼ି ଦେଇ ଆସିଛି, ତେଣୁ ଭଲ ଲାଗୁ ନ ଥାଏ ।

 

ସୁକୃଜାନି….. ।

 

ପୁଷୁ ପରବ୍‍ର ତାତି ତା’ର ମନର ଅଭିମାନକୁ ଉଷୁମେଇ ପାରି ନାହିଁ । ସେ ଭୁଲିପାରି ନାହିଁ ସେ ଗୋତିହେଲାଣି । କ’ଣ ସେ ଭାବିଥିଲା ଆଉ କ’ଣ ହେଲା ! ଆପଣା ଘର ତାକୁ ଗୋତି ଖାଇ ଗୋଡ଼ୋଉଥାଏ, ଏଇ ଘରେ ତା’ର ଜନ୍ମ, ଏଇ ଘର ପାଇଁ ତା’ର ଗୋତି, ଆଉ ବର୍ତ୍ତମାନ ସବୁ ଶେଷ । କେତେଦିନୁ ସେ ଗଲାଣି !ସବୁ କାଲି ପରି ଲାଗୁଛି । ସେ ଯିବା ସାଙ୍ଗେ ସାଙ୍ଗେ ସବୁ ଯେପରି ଅଡ଼ୁଆ ହୋଇଯାଇଛି । ଝୋଲାରେ ମାଛ ଧରିବା ପାଇଁ ଯେଉଁ ବଜାଖଣ୍ଡି ସେ ଆରମ୍ଭ କରିଥିଲ, ସେମିତି ସେ ପଡ଼ିଛି, ଯେଉଁଠି ଥିଲା ସେଇଠି । ଦଉଡ଼ି ଖଟର ପଛଖୁରା ଖଣ୍ଡିକ ଭାଙ୍ଗିଯାଇଛି, ଆଉ କେହି ମରାମତି କରି ନାହିଁ । ଗଲା ବର୍ଷ ସେ ଯେଉଁ ଶିମଗଛ ଲଗେଇଥିଲା ଏ ଦିନକୁ କେଡ଼େ ସୁନ୍ଦର ଭାଲୁ ପରି ଝଙ୍କା ମେଲିଲାଣି । ଏ ବର୍ଷର ଝଟା (ଶିମ) ଗଛଗୁଡ଼ିକ କେଡ଼େ ନିର୍ଜୀବ ହୋଇଛି, ଫଳ କମ୍, ଭଲହୋଇ ରଞ୍ଜା ଦିଆଯାଇ ନାହିଁ । ଘରେ ଯେଉଁଠି ଯାହା ସେ ରଖିଥିଲା ଏଇ ମାଣ୍ଡିଆ ହାତରେ ସବୁ କିପରି ଗୋଳମାଳିଆ ହୋଇଯାଇଛି । ତାକୁ ଭଲ ଲାଗିଲା ନାହିଁ ।

 

ଘର ଆଗ ବଡ଼ ଚଟାଣ ଉପରେ ବସି ବସି ସୁକୃଜାନି ସାତ ପାଞ୍ଚ ଭାବିଲା । ଆଜି ପୁଷ୍‍ ପରବ୍‍ । ଏ ପର୍ଯ୍ୟନ୍ତ ବିଲରେ ଧାନକଟା ହୋଇନାହିଁ, ମାଣ୍ଡିଆ ଗଣ୍ଡକ ଯେପରିଭାବେ ଅବନ୍ଧା ହୋଇ ଥୁଆ ହୋଇଛି ସେଥିରୁ କେତେ ମୂଷା ମୁହଁରେ ଯିବଣି କେଜାଣି । ଭାବିଲା, ମୁଣ୍ଡ ଉପରକୁ ହାତ ପାଇଲେ ସୁଦ୍ଧା ଟୋକାଟାକିରିଆଙ୍କ କଥା ଏହିପରି । ମାଣ୍ଡିଆଟା ଟୋକାଟାଏ ନା, ଆଉ କ’ଣ-?

 

ଚଟାଣ ପାଖେ କୁକୁରଛୁଆ ପଲେ କାଉଁ ଭାଉଁ ହେଲେ । ବିଲ ଚୁଲି ଉପରେ ଲୁଗା ହାଣ୍ଡି ଥୋଇ ଦେଇ ଫୁଁ ପୁଁ କରି ତଳେ ଫୁଙ୍କିଲା । ଗହଳ ଚହଳ ବଢ଼ିଲା । ସୁକୃଜାନି କାନ୍ଧରେ ଟାଙ୍ଗିଆଟି ପକେଇ ଜାଳେଣୀକାଠ କାଟିବାକୁ ଚାଲିଗଲା, ଆଗେ ସେ ଯେଉଁପରି ଯାଉଥିଲା ।

 

ଆଜି ପୁଷ୍‍ ପରବ୍, ଆଜି ତା’ର ବି କାଠ ଆଣିବାର ଅଛି । ଯେତେ ଗୋତି ଯେଉଁଠି ଥିଲେ କାଲି ଆସିଛନ୍ତି । ବୁଦ୍ରାଜାନି ଆସିଛି, କାକ୍‍ନା ମୁଦିଲି, ଟେଣ୍ଡ ପରଜା, ଗୋରା, ଚିତମ୍ ଓଃ କେଜାଣି କେତେ ଗୋତି । କିଏ କେଉଁ ସାହୁକାରର ଗୋରୁପଲ ଆଉ ମଇଁଷିପଲ ଚରାଏ, କିଏ ଚାଷ କରେ, କିଏ ଶଗଡ଼ ବୁହେ, କିଏ ଘରେ କାମ କରେ । ଆଜି ବରଷରେ ଗୋଟିଏ ଦିନ, ହସ ଖୁସି ଆଉ ଗପ, ପନ୍ଦର ଦିନ ଗଲେ ନୂଆଖିଆ । ମାସ ଦୁଇଟା ପରେ ଚଇତ୍ର ମାସ, ହସ ଖୁସି ମଉଛବ ବେଣ୍ଟ (ଶିକାର) ଆଉ ଧାଂଡ଼ୀ ନାଚର, ଦିନ ଦିନକର ଆନନ୍ଦ ସରି ସରି ବର୍ଷସାରା ସରିଯାଏ । ହାଡ଼ଭଙ୍ଗା ପରିଶ୍ରମ ଆଉ ଦୈବର ହାତୁଡ଼ିମାଡ଼ ଜଣାପଡ଼େ ନାହିଁ । ଦିନ ଚାଲିଯାଏ ।

 

ସୁକୃଜାନି କ୍ଷେତ ଦେଖି ଗଲା ।

 

ହାତରେ ଖଡ଼ୁ ମାଜିମୁଜି ରଙ୍ଗ ଲୁଗା ପିନ୍ଧି ଗାଁର ଝିଏ ଫୁଲ ଆଣି ଚାଲିଲେ । ଫୁଲ ନ ହେଲେ ନାଚ ହୁଏ ନାହିଁ, ବାଙ୍କ ଖୋସାରେ ପେନ୍ଥା ପେନ୍ଥା ଫୁଲ ।

 

ତିନି ବନ୍ଧୁ ଜିଲି ବିଲି କାଜୋଡ଼ି ଏକାଠି ବାହା ଛନ୍ଦାଛନ୍ଦି ହୋଇ ପାହାଡ଼ ଉପରେ ମୟୂର ପରି ଖୋଜି ପକେଇ ବଙ୍କେଇ ବଙ୍କେଇ ଚାଲିଗଲେ । ବଙ୍କା ତେଢ଼ା ଗୋଜା ପଥରର ଅଗକୁ ଅଳପେ ଛୁଇଁ, ଗହୀର ଖାଲ ଉପରେ କୁଦା ମାରି, ଗଛ ସିଅ ଉପରେ ଝିରିଝରେଇ ଗଡ଼ୁଥିବା ନଖ ଡୁବୁ ଡୁବୁ ଝୋଲା ପାଣିରେ ପାଦ ଚବ ଚବ କରି ପାହାଡ଼ ଦେଶର ତିନୋଟି ଝିଅ ।

 

କିଏ କେଉଁଠି ଜଙ୍ଗଲ ମଝିରେ ଫୁଲ ତୋଲୁଛି, ଖାଲି ଏକୁଟିଆ ଲାଗିଲେ ଗୋଟିଏ ଗୋଟିଏ କୁହାଟ ମାରୁଛି । ପାହାଡ଼ର ଢାଲୁଏ ଢାଲୁଏ ବେଳେ ବେଳେ ଏଇ କୁହାଟର ପ୍ରତିଧ୍ୱନି, ମଝିରେ ମଝିରେ ପରଜା ଭାଷାରେ ଗୀତ, ଉଠୁପଡ଼ ଗୀତ, ଯହିଁରେ ଖାନକ୍ଷେତରେ ଧାନର ଅଗସବୁ ଠିଆ ହୋଇଯାଏ, ପୁଣି ଶୋଇପଡ଼େ, ପୁଣି ଏପାଖେ ସେପାଖେ ଦୋହଲିଯାଏ ଗୀତର ଲହଡ଼ିରେ ।

 

ତୀଖ ପାହାଡ଼ର ମୁଣ୍ଡ ଉପରେ ବାଡ଼ି ଭରାଦେଇ ଟିକ୍ରାଜାନି ଠିଆ ହୋଇ ଆଗକୁ ଚାହିଁ ରହିଥାଏ, ତଳେ ପାହାଡ଼ର ଢାଲୁ ପାଚିରୀ ପରି ଛଣ୍ଡିପଡ଼ିଛି ଝୋଲା ଭିତରେ । ଅନ୍ଧାରୁଆ ଝୋଲା ଭିତରେ ସାନ ବଡ଼ କେତେ ଜଳପ୍ରପାତ ବାଟେ ଖଳ ଖଳ ପାଣି ଶୁଭୁଛି । ଆର ପାଖେ ମାଣେ ଦୁଇମାଣ ଜଙ୍ଗଲିଆ ସମତଳ, ପୁଣି ସେ ପାଖେ ପାହାଡ଼ ଉଠିଯାଇଛି । ସାମ୍ନାରେ ପାହାଡ଼ର ନାସି ସେପାଖେ ଆଉ କେତେ ଛୋଟ ବଡ଼ ପାହାଡ଼ କୁଦ କୁଦ ହୋଇଉଠିଛି । ମୁହଁ ଉପରେ ଶୀତଦିନିଆ ଖରା । କେଉଁ ପାହାଡ଼ର ଅଗ ଜଙ୍ଗଲ ଚିକ୍ ଚିକ୍ ଦିଶୁଛି, କେଉଁଠି ଖୋଲା ଦିଶୁଛି ଅନ୍ଧାରିଆ ଆଉ କଳା । କେଉଁଠି ଚିକ୍‍କଣ ପାହାଡ଼ର ମୁହଁପଟ ସାବ୍‌ଜା ଦିଶୁଛି, ଟିକ୍ରାଜାନି ଠିଆ ହୋଇ ରହିଥାଏ, ଶୂନ୍ୟକୁ ଉଦାସ ଦୃଷ୍ଟି, ମୁଣ୍ଡ ଉପରେ ଶୀତକାଳର ନେଳି ଆକାଶ ।

 

ବିଶାଳ ବିସ୍ତୃତି ଭିତରେ ମନ ନିଜ ସହିତ ନିରୋଳାରେ କଥାବାର୍ତ୍ତା ହୁଏ, ନିଜେ ହୁଏ ନିଜର ସାଥୀ ।

 

ତା’ର ବୟସ ହେଲାଣି, ଟିକ୍ରାଜାନି ଆଉ ପିଲା ନାହିଁ । ନଇଁ ପଡ଼ିଥିବା ବେଢ଼ଙ୍ଗ ଦୁର୍ବଳ ଦେହକୁ କିଏ ଯେପରି ପଟିପାଟି ସିଧା କରିଦେଇଛି, କଅଁଳ ମୁହଁରୁ ତଳକୁ କ୍ରମେ କଠିନ ହୋଇ ଆସୁଛି, ବାହା ଗାଲେଇଲାଣି, କାନ୍ଧ ଫୁଲିଲାଣି, ବେକ ଦି’ପାଖେ ଗୋଲ ଗୋଲ ଦୁଇଟା ମାଂସ ଦଉଡ଼ି ଏପାଖେ ସେପାଖେ ମୁହଁ ମୋଡ଼ିଲେ ଟଣକି ଉଠି ଠିଆ ହେଉଛି ।

 

ଟିକ୍ରାଜାନି ଆଉ ପିଲା ନାହିଁ ।

 

ଟ୍ରାପିଜଏଡ଼୍‍ ପରି ପାହାଡ଼ର ତୀଖ ଅଗ ଉପରେ ପବନକୁ ନାକ ଉଞ୍ଚେଇ ଟିକ୍ରାଜାନି କୌପୁନି ଖଣ୍ଡେ ମାରି ବାଡ଼ି ଭରା ଦେଇ ଠିଆ ହୋଇରହିଲା । ତେର୍ଚ୍ଛା ଶୀତର ସୂର୍ଯ୍ୟ ବନସ୍ତ ସାଙ୍ଗେ ସାଙ୍ଗେ ତାକୁ ମଧ୍ୟ ରଙ୍ଗେଇ ଦେଇଗଲା । ଫାଙ୍କା ଆକାଶ ତଳେ ପାହାଡ଼ ମହୁଡ଼ ଉପରେ ମଣିଷ ଛାଇ ଆଲୁଅ ମିଶା ମୂତ୍ତି, ପାଖେ ଚିକ୍‍ ଚିକ୍‍ ପାଖେ କଳା ।

 

ସେ ଗୋଟିଏ ବଣର ଜନ୍ତୁ ।

 

ନିଦଭଙ୍ଗା ଯଉବନ ମୋହରେ ଦେହ ତା’ର ଫୁଲି ଉଠୁଥାଏ । ଦେହରେ ବିକାର ମନ ଭିତରେ ଗଢ଼ୁଥାଏ ଉଦାସୀ ଶୀତୁଆ ଆକାଶରେ ଆକାଙ୍‍କ୍ଷାର ରଶ୍ମି….... ।

 

ଆଉ ଗୋଟିଏ ଜଙ୍ଗଲର ମଝି ଝୋଲାରେ ନୀଶବଦ ବନସ୍ତ ଭିତରେ ଠିଆ ହୋଇ ରହିଥାଏ ମାଣ୍ଡିଆଜାନି । ପିଠି ପଛଆଡ଼େ ପାପୁଲି ଯୋଡ଼ି, ମଦ ହାଣ୍ଡିକୁ ଚାହିଁ ରହିଥାଏ ଏକାଆଖିରେ । ଦି’ପାଖେ ଦୁଇଟା ଉଞ୍ଚ ପାହାଡ଼ ମଝିରେ ଗହୀର ଝୋଲା ଅଗନାଗ୍ନ ବନସ୍ତ ଭିତରେ ସୁଡ଼ଙ୍ଗ ପରି । ତାହାରି ମଝିରେ ସରୁ ହୋଇ ପାଣି ଧାରଟିଏ କଳ କଳ ହୋଇ ଚାଲୁଛି, ଦୁଇ କର ଶୁଖିଲା । ଜାତି ଜାତି ଫର୍ଣ୍ଣ୍‍ ଗଛ ଅତଡ଼ାରେ ବଢ଼ି ଅତଡ଼ାରେ ବଂଶ ବିସ୍ତାର କରିଛି । ସ୍ଥାନେ ସ୍ଥାନେ ଗଛର ସିଅ ଝରଣାର ପାଣିକୁ ଜାଲ ପରି ଆବୋରି ବସିଛି, ପାଣି ଡେଇଁ ଡେଇଁ ଚାଲିଯାଉଛି । ବୁଦା ଜଙ୍ଗଲ ଆଉ ଖୋଲାଜାଗା, ସୁଡଙ୍ଗ, ଦି’ପାଖେ ଦୁଇ ପାହାଡ଼ର ପିଠି, ନିବୁଜ ହୋଇ ମାଣ୍ଡିଆଜାନି ଛପିଛପିକା ମଦ ରାନ୍ଧୁଛି, ଯେଉଁଠି କେହି ଦେଖିବେ ନାହିଁ ।

 

ମାଣ୍ଡିଆଜାନି ଅନ୍ୟମନସ୍କ ହୋଇ ଚାହିଁ ରହି ଧୂଆଁର ଖେଳ ଦେଖୁଥାଏ, ଭାବୁଥାଏ କେଜାଣି କେତେ । କାଜୋଡ଼ିକୁ ସେ ଘରକୁ ଆଣିବ, କିନ୍ତୁ ଭାବିଲାବେଳକୁ କେତେ କ’ଣ ଅଜଣା ପ୍ରତିବନ୍ଧକ ତା’ର କପାଳରେ ଚିନ୍ତାର ଗାର ଟାଣି ଦେଇଯାଏ । ଦି’କୋଡ଼ି ତିନିକୋଡ଼ି ଟଙ୍କାଠାରୁ ସେ ବହୁତ ଦୂରରେ । ଅନ୍ୟାନ୍ୟ ଜାତି ଭାଇଙ୍କ ପରି ବାହାଘର ପାଇଁ ସେ ମଧ୍ୟ ଗୋତି ଯାଆନ୍ତା, କ୍ଷତି ନାହିଁ, କିନ୍ତୁ ବୁଢ଼ା ସୁକୃଜାନି ଛାଡ଼ିବ ନାହିଁ । କାଜୋଡ଼ି ପଛେ ନ ଆସୁ, ଘର ଉଜୁଡ଼ିବ ନାହିଁ । ସେ ଗୋତି ଗଲେ ଘରକୁ କିଏ ଦେଖିବ ?

 

ଆଜି ପୁଷ୍‍ ପରବ୍‍, ଦେଶସାରା ମଉଛବ, ଶଙ୍କା ସନ୍ଦେହ ଦୁରକୁ ଫୋଫାଡ଼ି ଖୁସି କରିବା ହିଁ ବିଧି । କିନ୍ତୁ ଖୁସିର ଦିନରେ ଖାଲି ଯେତେ ଆଶଙ୍କା ଯେତେ ଉଦ୍‍ବେଗ ସବୁ କାହିଁକି ମନକୁ ଘାଣ୍ଟି ଚକଟି ପକାଏ, ପୂର୍ଣ୍ଣତା’ର ମୂହୂର୍ତ୍ତରେ ଆଗକୁ ଚାହିଁ ମଣିଷ ସାତ ପାଞ୍ଚ ଭାବେ, ଭାବେ ହୁଏତ ସବୁ ହରେଇଛି ।

 

ହଉ, ଯାହାହେବ ପଛେ ହେଉ …..

 

ମାଣ୍ଡିଆଜାନି ଚୁଲି ଫୁଙ୍କେ, ଝରଣାରେ ବତା ଆହୁରୀ ଟିକିଏ ସଜାଡ଼ି ଦେଇ ବସେଇ ଦିଏ, ପାଣି ଆପେ ଝିରିଝିରି ହୋଇ ଆସି ମଦ ରନ୍ଧା ବିଡ଼ି (ଅର୍ଥାତ ହାଣ୍ଡି) ଉପରେ ପଡ଼େ, ମଦର ବାମ୍ଫ ପାଣି ଫାଟିଯାଏ ।

 

ଦିନ ମଉଳି ଆସିଲା । ମାଣ୍ଡିଆଜାନି ମଦ ରନ୍ଧାରେ ମନ ଦେଲା ।

 

ଖରା ନଇଁଲା । ଯେ ଯେମିତି ଘରକୁ ବାହୁଡ଼ିଲେ । ମିଣିପେ ଆଣିଲେ କାଉଡ଼ି କାଉଡ଼ି (ଅର୍ଥାତ ବୋଝ ବୋଝ) କଞ୍ଚା ଶୁଖିଲା କାଠ ଓ ଶିଆଳି ଫଳ ପତ୍ର । ଶିଆଳି ଫଳ ଘର ଆଗରେ ଓହଳା ହେଲା, ଶୁଭ ଚିହ୍ନ, ପଦାର ନିରାନନ୍ଦ ଶିଆଳି ପତ୍ର ଆଉ ଫଳ ଏଡ଼ି ଘର ଭିତରେ ପଶିପାରିବ ନାହିଁ ।

 

ଗାଁ ମଝିରେ ଉଞ୍ଚ ଭୂଇଁ ଦେଖି କାଠସବୁ ସଜାସଜି ହୋଇ ଲଦା ହୋଇ ରହିଲା, ଆଜି ରାତିରେ ଭୋଗୀ (ଅର୍ଥାତ ଅଗ୍ନି) ଜଳିବ ।

 

ତା’ପରେ ସଞ୍ଜ ନ ବୁଡ଼ୁଣୁ ଖାଲି ଚୋରି ହେବାକୁ ଲାଗିଲା । କାହା ଘରୁ ଲୋଟା ହଜିଛି, କାହା ବାରିରୁ ପନି ପରିବା, କାହା ବାଡ଼ରୁ ଲୁଗା । କିଏ କେତେବେଳେ ଓର ଉଣ୍ଡି କଳାକନା ବୁଲେଇ ଦେଇଛି, କାରଣ ଆଜି ଚୋରି କରିବା ବିଧି । ଆଜି ରାତିଟା ପାହିଲେ ଯାହାର ଯେଉଁ ଜିନିଷ ଗୋଟାଏ ଯୋଡ଼ାଏ ପଇସା ଦେଲେ ସବୁ ଫେରାଇ ଦିଆହେବ, କିଛି ନଷ୍ଟ ହେବ ନାହିଁ । ଛାଇ ଅନ୍ଧାର ପଡ଼ିଲା, ଚାରିଆଡ଼େ ଖାଲି ‘ଚୋର’ ‘ଚୋର’ ପାଟି, ସାଧୁ ବୋଲେଇବାକୁ କେହି ନାହିଁ-

 

କ୍ରମେ ରାତି ହେଲା । ସଞ୍ଜର ପେଜ୍‍–ଖିଆ ଶେଷ ହେଲା । ସମସ୍ତେ ପଦାକୁ ବାହାରି ଆସିଲେ । ଉଞ୍ଚ ପଥର ଉପରେ ଯେଉଁ କାଠସବୁ ସଜାହୋଇ ରହିଥିଲା ତାହାରି ଚାରିପାଖେ ସମସ୍ତେ ହାଉ ହାଉ ପାଟିକଲେ । ଗାଁର ଧାଂଡ଼ାମାନେ ଡୁଙ୍ଗୁଡୁଙ୍ଗା ଧରି ଗୁଣୁ ଗୁଣୁ ଆରମ୍ଭ କଲେ । ଗାଁର ଧାଂଡ଼ୀମାନେ ତେଲ୍ ଚିକ୍ ଚିକ୍ ମୁହଁରେ ହସ ପୂରେଇ ବାଙ୍କ ଗଭାରେ ଫୁଲ ଖୋସି ଉଚ୍ଚତା ଅନୁସାରେ ଯାହା ପାଖରେ ଯେ ପିଠିପାଖେ ହାତକୁ ହାତ ଛନ୍ଦିଦେଇ ଧାଡ଼ିହୋଇ ଠିଆ ହେଲେ । ଚାରିପାଖେ ସାନ ସାନ ହୁଳା ଜଳିଲା । ଝୋଡ଼ିଆ ପରଜା ନାଚ ଆରମ୍ଭ ହେଲା ।

 

ଧାଂଡ଼ୀମାନେ ନାଚର ସୂତ୍ରର ଗୀତ ବୋଲିଲେ, ଖଡ଼ୁରେ ଖଡ଼ୁ ପିଟି ନାଚ ହେଉ,‘ଖଡୁମାରା ନାଟୋ’

 

“ଆମେ ଗାଣୁ ଜାମୁ ଗାଣୁ ବୀତୁ, ରେ

ସମ୍‌ଦି ବୀତୁ, ରେ

ଆଲିଆ ବିତୁ, ରେ

ମାଣ୍ଡିମାଁଦା ଖାଡ଼ୁମାରା ନୀତୁ, ରେ

ସମ୍‌ଦି ନୀତୁ, ରେ

ତୀତି ବିତି ତୀତି ବିତି–ତୀତି ବିତି.....”

 

“ଆମରି ଏ ପୁରୁଣା ଗାଁ ଭିତରେ, ଯାହା ନା ଆମ୍ବ ଗାଁ ହେଉ କି ଜାମୁ ଗାଁ ହେଉ, ନାଁରେ କି ଯାଏ,–ଆସ ଏଇ ଗାଁରେ ମାଳି ଝମକେଇ ଖଡ଼ୁରେ ଖଡ଼ୁ ମାରି ଖଡ଼ୁମରା ନାଟ ନାଚିବା । ନାଟ କର, ନାଚି ନାଚି ହସି ହସି ତିତିର୍‌ ବିତିର୍‌ (ଯେଣେ ତେଣେ) ହୋଇ ଫାଟିପଡ଼ ।”

 

ଡୁଙ୍ଗୁଡ଼ୁଙ୍ଗାର ତାଳେ ତାଳେ ସମାନ ଭାବ ପାଦ ପକେଇ ଦୋହଲି ଦୋହଲି ହାତକୁ ହାତ ଖଡ଼ୁ ପିଟି ପିଟି ଧାଂଡ଼ାମାନେ ନାଚିଲେ । ନାଚର ନିଶାରେ ବଣର ଅନାଦି ଆତ୍ମା ଚେଇଁ ଉଠିଲା, ଭୂଇଁ ଥରିଲା, ପୁରୁଷ ପୁରୁଷର ଝୋଡ଼ିଆପରଜା ନାଚ ଯୁଗ ଓଲଟେଇ ପୁଣି ଫେରିଆସିଲା, ଆସିଲା ପୁରୁଣା ସମୟ–

 

ଯେତେବେଳେ ସଜ ପବନରେ ବିଷ ନ ଥିଲା, ଥିଲା ବିଶ୍ୱାସ

ଯେତେବେଳେ ମଶା ଡାଆଁଶ ନ ଥିଲେ, ରକ୍ତ ଶୋଷିବାକୁ,

ଗୋଛିକଟା ସାପ ନ ଥିଲା,

ଜଙ୍ଗଲକୁ ବାଟ ନ ଥିଲା,

ଯେତେବେଳେ ପରଜା ନିଜର କାଉଡ଼ି ନିଜେ ବୋହି

ନିଜର ଭୂଇଁରେ ଟଳି ପଡ଼ୁଥିଲା ।

 

ମେଲା ଖୋଲା ଜଙ୍ଗଲରେ ଦେଶର ପରଜା ତା’ର ସରଳ ଜୀବନ ମେଲି ଦେଇଥିଲା, ନାଚୁଥିଲା, ଡେଉଁଥିଲା ନିଜର ଟାଙ୍ଗରରେ ନିଜର ଡଁଗରରେ ।

 

‘ଜାନି’ (ପୁରୋହିତ) ଆସିଲା । କାଠଭାଡ଼ି ଆଗରେ କୁକୁଡ଼ାଟିଏ ହାଣିଲା, ଫୁଲ ଦୋଓଟି ଥୋଇଲା, ରକ୍ତ ଆଉ ଫୁଲ ନେଇ କାଠଗଦା ଉପରେ ଥାପିଲା, ନିଆଁ ଲଗାଇଲା । ଅଗି ଦାଉ ଦାଉ ହୋଇ ଜଳିଲା । ଗାଁ ଲୋକେ ଘନ ଘନ ‘ହୋ’ ଦେଲେ । ଝୋଡ଼ିଆ ପରଜା ନାଚ ଆହୁରି ଦ୍ରୁତରେ ଚାଲିଲା । ଧାଂଡ଼ା–ଧାଂଡ଼ୀ ଗୋଲେଇ ବଙ୍କେଇ ସାପେଇ ଦୋହଲି ଘୂରି ଘୂରି ନାଚି ବୁଲିଲା ଭୋଗୀ ନିଆଁ ଚାରିପାଖେ । ଝାଳ ଥପ ଥପ ନାଲି ମୁହଁ ଉପରେ ନାଲି ନିଆଁର ଧାସ ରଙ୍ଗ ନେସିଦେଲା । ପଛଆଡ଼େ ପଡ଼ିଲା ଲମ୍ବା ଲମ୍ବା ଚିତାକୁଟା ଚଳନ୍ତି ଛାଇ । ନାଚ ଜମିଲା । ଧାଂଡ଼ୀମାନେ ଗୀତ ବୋଲିଲେ, ପାହାଡ଼ ଉପରେ ଜଙ୍ଗଲ ଭିତରେ ଥରିଲା ଥରିଲା ଦମକା ପବନ ପରି ସ୍ୱର, ଚହଲା ପବନରେ ରହି ରହିକା ଭାସି ଆସୁଥିବା ଦୂର ଝରଣାର ଝରଝର ପରି ।

 

ନାଚ ଜମିଲା, କ୍ଷଣେ ଥମ୍ବିଯାଇ ଧାଂଡ଼ୀମାନେ ରା’ ଧଇଲେ–

“ଓହୋ ହୋ ରିଶ୍‌

ଧାଂଡ଼ୀ ଧାଂଡ଼ୀ ମିଶ୍‌”

ଡମ୍‌–ବାଇଦ ପାଳି ଧରିଲା, –ଧାଂଡ଼ୀ–ଧାଂଡ଼ା ଧାଂଡ଼ୀ ଧାଂଡ଼ା ଧାଂଡ଼ୀ–ଧାଂଡ଼ା....

 

ସୁକୃଜାନି ଅଧରାତିରେ ଚାହିଁ ଦେଖିଲା, ଖୁବ ଗୋଟାଏ ବଡ଼ ନିଆଁ କ୍ରମେ ଖସି ନିଭି ଯାଉଛି । ଗାଁର ଲୋକେ ଥୋକେ ଥୋକେ ଏଠି ସେଠି ଜମା ହୋଇ ପଡ଼ିଛନ୍ତି, ମଦ ନିଶାରେ ବିଭୋର । ନିଆଁଟା ନିଭି ଯାଉଛି ।

 

ଆଜି ଏଠି ନିଆଁ ନିଭିଲା, କାଲି ସେଠି ଜଳିବ । ବଡ଼ ପାହାଡ଼ର ଢାଲୁଏ ଢାଲୁଏ କେତେ ଗାଁ । ସବୁଠି ଦିଆଲି ପରବ୍‍ ଏକା ଦିନେ ହୁଏ ନାହିଁ । ଏଠି ସେଠି ସେଠି ଏଠି ହୋଇ ମାସକ ଯାକ ପରବ୍‍, କିନ୍ତୁ ଦୁଇଦିନ ଉତ୍ତାରୁ ସେ ପୁଣି କାମକୁ ଫେରିଯିବ ।

 

ଅଧରାତି । ଜହ୍ନଟା କେତେବେଳୁ ଗଲାଣି ମରି । ନିଆଁ ନିଭୁଚି । ଚାରିଆଡ଼େ କଳା ମିଶ୍‌ ମିଶ୍ ଅନ୍ଧାର । ହଲ୍‌ ନାହିଁ ଚଲ୍‌ ନାହିଁ । କୁହୁଡ଼ି ଦୋହଲୁଛି, ଆଉ ଦୋହଲୁଛି ଅନ୍ଧାର ।

 

ତା’ ପରଦିନ....

 

ଗାଁର ସାନ ସାନ ଟୋକାଏ ଏ ଗାଲରେ କଳା ସେ ଗାଲରେ ଚୂନ ମାଖି ମୁହଁ ଆଉ ଦେହ ଚିତ୍ର କରି ହାତରେ ବାଡ଼ି ଖଣ୍ଡେ ଖଣ୍ଡେ ଧରି ପଞ୍ଝା ପଞ୍ଝା ହୋଇ ବୁଲୁଥାନ୍ତି । ୟା ଦୁଆରେ ପହୁଞ୍ଚି ଯାଇ ବାଡ଼ିରେ ବାଡ଼ି ଠୁକେଇ ଦୁମ୍‌ ଦୁମ୍‌ ହୋଇ ନାଚନ୍ତି ଆଉ କବାଟ ପାଖେ ପାଖେ ପାଟି କରନ୍ତି ।

 

“ଛେର୍‌ ଛେରା..... ଛେର୍‌ ଛେରା, ଡାବୁ ଦିଅ ତୁମର କୁଟା ଘେରା ।” ଗୃହସ୍ଥ ହସି ହସି ଆସି ଚାଉଳ ଗଣ୍ଡାଏ କି ମାଣ୍ଡିଆ ପୋଷେ ଅଜାଡ଼ି ଦେଇଯାଏ, ପିଲାଙ୍କ ଦଳ ଚାଲିଯାଏ ଆଗକୁ ।

 

ଡମ୍ବ ସାହିରେ ବାଜା ବସିଛି, ଯାହାର ଯେତେବେଳେ ଇଚ୍ଛା ହେଉଛି ଚାରି ପାଞ୍ଚୋଟି ଲେଖାଁ ବଡ଼ ବଡ଼ ଟୋକୀ ନାଚି ନାଚି ଯାଉଛନ୍ତି, ଖାଲି ନାଚ ଆଉ ମଦ, ଖୁସିବାସି ଆଉ ଗପ । ପାହାଡ଼ର ଫାଙ୍କେ ଫାଙ୍କେ ପୁଷ୍‌–ପରବ୍‍ ଓହ୍ଲେଇଛି ।

 

ସଞ୍ଜ ବୁଡ଼ିଲା, କ୍ଲାନ୍ତି ନାହିଁ, ଅବସାଦ ନାହିଁ, ଖାଲି ମଉଛବ । ପାହାଡ଼ର କନ୍ଦି ବିକନ୍ଦିରୁ ସାନ ସାନ ଗାଁମାନଙ୍କରୁ ବାଇଦ ବାଜଣା ଶୁଭୁଥାଏ, ଥାଇ ଥାଇ ପବନ ଚମକି ଆସେ । କ୍ଷେତରେ ଚହଳ ନାହିଁ ।

 

ସୁକୃଜାନି ଘରେ ସମସ୍ତେ ଥାଆନ୍ତି, କେବଳ ନଥାଏ ମାଣ୍ଡିଆ । ସେ ତା’ର ଝୋଲାରେ ଥାଇ ମଦ ରାନ୍ଧୁଥାଏ, ପରବ୍‌ ଦିନେ ତା’ର ଭାରି ବେପାର । ଗଲା କେତେଦିନ ଅନେକ ପଇସା ସେ ଅଣ୍ଟାରେ ଗୁଞ୍ଜିଛି, ଘରେ ଟିଣେ ଦି’ଟିଣ ଥୁଆ ହୋଇଛି, ତଥାପି ଆହୁରୀ ମଦ ଦରକାର । ତା’ ଦେଖାଦେଖି ଆହୁରି ଦୁଇ ତିନିଜଣ ମଧ୍ୟ କତିରେ କତିରେ ମଦ ବସେଇଥା’ନ୍ତି । ଗପ ଆଉ କାମ ଚାଲିଥାଏ । ସଞ୍ଜ ପଡ଼ିଲେ ଘରକୁ ବାହୁଡ଼ିବେ ।

 

ଠିକ୍‌ ଏହିପରି ସମୟରେ ଚାରିଜଣ ସାଲ୍‌ଟୁ ଜମାନ୍‌ (ଅର୍ଥାତ ଅବକାରୀ ପାଇକ) ଓ ପାଞ୍ଚ ସାତ ଜଣ ପଦା ଲୋକଙ୍କୁ ଧରି ସାଲ୍‌ଟୁ ସବିନିସି୍‌ପିକ୍‌ଟର ବାବୁ ଆସି ପହଁଞ୍ଚିଲେ, ତାଙ୍କ ସଙ୍ଗରେ ଗାଁର ଚମ୍‌ରୁ ଡମ ।

 

ପଳାଇବାକୁ ଆଉ ବାଟ ନ ଥିଲା ।

 

ମାଣ୍ଡିଆଜାନି ସେତେବେଳେ ଚୁଲିରେ କାଠ ଗେଞ୍ଜୁଥିଲା, ମସ୍ତବଡ଼ ଚୁଲି, ତା ଉପରେ ବଡ଼ ନଉତିଟିଏ ବସା ହୋଇ ‘ବିଡ଼ି’ ଅର୍ଥାତ ମଦରନ୍ଧା ହାଣ୍ଡି ହୋଇଛି, ମୁହଁ ଉପରେ ଆଉ ଗୋଟିଏ ହାଣ୍ଡି ଉଗୁଡ଼ା ହୋଇଛି । ବିଡ଼ିରୁ ମାଟିନଳା ଯାଇ ଆଉ ଗୋଟିଏ ନିବୁଜା ହାଣ୍ଡି ବା ‘ଧରଣୀ’ରେ ଲାଗିଛି, ଝୋଲାରୁ ଗଡ଼ି ଆସୁଥିବା ପାଣିଧାରରୁ ଧରଣୀ ଉପରକୁ ଖଣ୍ଡେ ବତା ଆଉଜା ହୋଇଛି ତେର୍ଚ୍ଛା ହୋଇ, ପାଣି ଝରି ଧରଣୀକୁ ଥଣ୍ଡା କରୁଛି । ଚୁଲିରେ ଗୋଟାଏ ଟିଣ ଓ ଯୋଡ଼ାଏ ବୋତଲ-

 

ସାଲ୍‌ଟୁ ଲୋକେ ଆସି ପହଁଞ୍ଚିଗଲେ । ନିଜ ମାଣ୍ଡିଆ କାଉଡ଼ି (ଅର୍ଥାତ ବାହୁଙ୍ଗି) କରି ସବୁ ମଦରନ୍ଧା ସରଞ୍ଜାମତକ ଧରି ସେମାନଙ୍କ ସାଙ୍ଗେ ସାଙ୍ଗେ ଗାଁକୁ ଚାଲିଲା ।

 

ଚାରିଆଡ଼େ ହୁରି ପଡ଼ିଗଲା,“ସାଲ୍‌ଟୁ ! ସାଲ୍‌ଟୁ !” ବାଜା ବନ୍ଦ ହୋଇଗଲା । ନାଚ ଭାଙ୍ଗିଲା । ଦେବତା ଛାଡ଼ିଗଲା । ଦେବତା ଛାଡ଼ିଗଲା । ସ୍ତ୍ରୀ ବାଳକ ଯେ ଯୁଆଡ଼େ ଲୁଚିଲେ ।

 

ତା’ପରେ ଘର ‘ସଉଦା’ (ଅର୍ଥାତ ଖାନତଲାସ) କରାହେଲା । ଆଟୁ, ସଙ୍ଘା, ଘରବାରି ସବୁ ତନଖି କରି ଦେଖାଗଲା । କେଉଁଠୁ “ଧରଣୀ” କେଉଁଠାରୁ “ବିଡ଼ି”, କେଉଁଠୁ ଅବା ଖାଲି ଟିଣ ଆଉ ଭଙ୍ଗା ବୋତଲ, ଯାହାଠାରୁ ଧରା ହେଲା ସବୁ ସବୁ କାଗଜରେ ଲେଖାହେଲା । ଯେତେ ଖାଲି ଜିନିଷ ସବୁ ତନଖି କରି ଶୁଂଘା ହେଲା, ହାଣ୍ଡି କୁଣ୍ଢେଇ ପାଣି ପାଉଁଶ ସବୁ, କେଉଁଥିରେ କାଳେ ମଦ ଗନ୍ଧ ଥିବ । କେତେ ଲୋକ ମାନିଗଲେ, କେତେକ ମାନିଲେ ନାହିଁ । ତା’ପରେ ଟିପଚିହ୍ନ ନିଆନେଇ ସାରି ଲେଖାଲେଖି ସାରି ସାଲଟୁ ଲୋକେ ଖୁସି ହୋଇ ଚାଲିଗଲେ ।

 

ଆସିଲା ଅନ୍ଧାର । ଘରେ ଘରେ କାନ୍ଦଣା । ଦାଣ୍ଡରେ କଜିଆ, କିଏ ସମ୍ବାଦ ଦେଇଛି, କିଏ ସେ ଭେଦୁଆ, ସେହି ଘେନି ଟଣା ଓଟରା ଗାଳି ଫଇଜତ୍ । ପୁଷ୍‍ ପରବ୍‍ ସରିଗଲା ।

 

କୋଟୁଘରେ(କଚିରିରେ) ବିଚରଣା (ବିଚାର) ହେଲା ମାଣ୍ଡିଆଜାନିର । “ମାଣ୍ଡିଆଜାନି, ତୋ ନାଁରେ ଦାବା ହେଇଚି ଯେ ତୁ କୁଆଡ଼େ ଅମୁକେଇ ଦିନ ମଦ ରାନ୍ଧୁଥିଲୁ, ଆଉ ତୋ ପାଖରୁ ଅମୁକ ଅମୁକ ଜିନିଷ ମିଳିଲା ?”

 

ବଳଦିଆ ଆଖିରେ ଅନେଇଁ ରହି ଆଉ ଆଉ ଜଙ୍ଗଲୀ ଲୋକଙ୍କ ପରି ମାଣ୍ଡିଆଜାନି ମଧ୍ୟ କହିଲା, “ସତ୍ ମହାପ୍ରୁ ଦୋଷ କଲି ଆଉ କାହିଁକି ନାଇଁ ବୋଲିବି ।” ମେସରେଟ୍ (ମ୍ୟାଜିଷ୍ଟ୍ରେଟ୍) ବାବୁ ରାୟ ଶୁଣେଇ ଦେଲେ, “ତତେ ପଚାଶ ଟଙ୍କା ଜୋରିମାନା ହେଲା, ନ ଦେଇ ପାରିଲେ ପନ୍ଦର ଦିନ ଜେଲ୍ ।”

 

ମାଣ୍ଡିଆ ଆପତ୍ତି କଲା, “କିଛି ନାହିଁ ମହାପ୍ରୁ, ସେମିତି କହିଲେ ମରିଯିବି ନାଇଁ କି–ଦୟା କର ମହାପ୍ରୁ, ତୁମର ଇଷ୍ଟ ମହାପ୍ରୁ, ରକ୍ଷାକର ମହାପ୍ରୁ ।”

 

“ନାହିଁ ନାହିଁ ସ ସବୁ କଥା ଶୁଣାଯିବ ନାହିଁ, ଆଉ କିଛି ଦବୁ ତ ଦେ, ନ ହେଲେ ଜେଲ ପଠେଇ ଦେବି ।”

 

ମାଣ୍ଡିଆଜାନି କାନ୍ଦିଲା ନାହିଁ । ଚେତା ହଜାଇଲା ନାହିଁ, କିଛି କହିଲା ନାହିଁ । ଖାଲି ଠିଆ ହୋଇ ରହିଲା । ଆଉ ଆଖି ଆଗରେ ତା’ର ପୃଥିବୀଟା ଥରେ ବୁଲିଗଲା ଖାଲି ଏପାଖରୁ ସେପାଖ-। ପୁଷର ମହଳଣ ଖରା ସେତେବେଳକୁ ମରି ମରି ଆସୁଛି । କୋଟୁ ଘରୁ ଦୁଆର ସେପାଖେ ଦୂର ଗାଁର ଖାଲି ଖାଲି କ୍ଷେତ ସବୁ ଦିଶୁଛି । ସବୁ ଫାଙ୍କା ଆଉ ନିର୍ଜୀବ, ସତେ ଯେପରି ପ୍ରାଣ ଯାଇଛି ସରି ।

 

ମାଣ୍ଡିଆଜାନି ଜାମିନ୍ ଆଉ ସମୟ ପାଇଁ ଦରଖାସ୍ତ ଦେଇ ବାହାରି ଆସିଲା ଗୋଟିଏ ଗୋଟିଏ ହୋଇ ।

 

କୋଟୁ ଘରେ ବିଚାରଣ ସରି ନାହିଁ । କେତେ ଲୋକ ଦେଶର ସବୁ ରାଇଜର ଲୋକ । କାମରେ ବୁଡ଼ି ରହି ବୁଢ଼ା ମେସରେଟ୍ ବାବୁ ଗୋଟିଏ ପରେ ଗୋଟିଏ କାଗଜ ନିଷ୍ପତ୍ତି କରିଗଲେ । ଆଲୁଅ ଲାଗିଲା । ଫାଙ୍କା ଆକାଶରେ ବାଟବଣା ହେଲାପରି ତାରା ଗୋଟିଏ ଦୋଓଟି ଜୁକୁ ଜୁକୁ ଦିଶିଲେ । କତେ ଲୋକ ଆସିଲେ, କେତେ ଲୋକ ଗଲେ । ମାଣ୍ଡିଆଜାନିର ବିଚରଣା ସରିଥିଲା ।

 

ତା’ର ପଚାଶ ଟଙ୍କା ଜୋରିମାନା, ନ ଦେଇ ପାରିଲେ ପନ୍ଦର ଦିନ ଜେଲ୍ ।

 

ବଜ୍ରପଡ଼ା ଶାଳଗଛ ପରି ମୁହଁ ଶୁଖେଇ ମାଣ୍ଡିଆଜାନି ଗାଁକୁ ଫେରି ଆସିଲା, ତା’ର ପାହାଡ଼ ଖୋଲ ଭିତରର ଗାଁକୁ । କ’ଣ ମଣିଷର ଦେହ ଉପରେ ସୂକ୍ଷ୍ମ ପରିବତ୍ତର୍ନ ଘଟିଯାଏ ଯହିଁରେ ରକ୍ତ ଶୁଖେ ନାହିଁ, ମାଂସ ଶୁଖେ ନାହିଁ, ତଥାପି ତ ଜଣାଯାଏ, ତୋଫାନ ସରିଛି ।

 

ମାଣ୍ଡିଆଜାନି ଛାତିର ବୋଝ ଆଗକୁ ଫୋପାଡ଼ିଦେଇ ସ୍ପ୍ରିଂଲଗା ପାଦରେ ଧାପକେ କୋଶେ କରି ମାଡ଼ି ମାଡ଼ି ଚାଲିଗଲା, ସେଇ ଲୁହାର ଦେହ, ସେଇ ବଳିଷ୍ଠ ଗଢ଼ଣ, କିନ୍ତୁ ତା’ର ସବୁ ସରିଛି– ପାହାଡ଼ର ଦି’ ଦିନିଆ ଦି’ କୂଳଖିଆ ଝରଣାର ସୁଅ ନିମିଷକେ ଯେପରି ଚାଲିଯାଇ ରଖିଯାଏ ଖାଲି ପାଣି ଚବ ଚବ ଝୋଲାର ଗୋହିରି, ସେହିପରି ତା’ର ସବୁ ଚାଲିଯାଇଛି ।

 

ହଠାତ ଦେଖିଲେ ବୁଝାଯିବ ନାହିଁ, ଖାଲି ଆଖି ସେପାଖେ ଆର୍ତ୍ତନାଦର ତୋଫାନ ପାଲଟିଛି କରୁଣ, ବିଷର୍ଣ୍ଣ ହୋଇ ଜ୍ୟୋତିହୀନ ଗଭୀର ଗୋଟିଏ ଛାୟା, ଯହିଁରୁ ବୁଝାଯିବ, ସେ ପ୍ରାଣରେ ଆଘାତ ପାଇଛି । ଆହତ ମନର ସୂଚନା କେବଳ ତା’ର ଚାହାଣୀ ।

 

କେଉଁ କର୍ଣ୍ଣପିଚାଶୀ ଯେପରି ବାଟେ ବାଟେ କାନେ କାନେ ଖାଲି କହିଲାଗିଛି ସେହି କଥା, ପଚାଶ ଟଙ୍କା– ନୋହିଲେ ପନ୍ଦର ଦିନ ଶିକ୍ଷା, କେଡ଼େ ଗରମ–କେଡ଼େ ଭୟାନକ–କି ଗଜର୍ନ ତା’ର, ପହିଲି ଆଷାଢ଼ର କଳା ଆକାଶରେ ବଜ୍ର ଘଡ଼ଘଡ଼ି ଯେପରି ଶବ୍ଦରେ ଆଙ୍କି ଯାଉଛି ସେହି କଥା–ସେହି କଥା–

 

କାଜୋଡ଼ି ? ନାଁ କାଜୋଡ଼ି ତା’ର ମନେ ନାହିଁ–କେହି ତା’ର ମନେ ନାହିଁ । କେହି ତା’ର ଆଖିରେ ନାହିଁ । କେବଳ ସେ ନିଜେ ଆଉ ତା’ର ଆପଣାର ଅଦେଖା ଛାଇ,–ଆଉ ଭୟ, କିଏ ଯେପରି ତା ଫଛରେ ଧାଇଁଛି, ସେ ଛୁଟିଛି, ଧାଏଁ ଯେପରି ଚଇତି ବେଣ୍ଟରେ (ଶିକାରରେ) ଟିକି କୁଟ୍ରା ଛୁଆଟି, ଏପାଖ ସେପାଖ ସେପାଖ, ଏପାଖ–ଖାଲି ପଛଆଡ଼ୁ ଚିତ୍କାର,–“ହେଇ ପଳେଇଲା, ଲାଛ–ଫୁଟାଅ–ଫୁଟାଅ–ଲାଛ ।” ଆପଣାର ଭୀତିରେ ଆପେ ଆପେ ସେ ଘରକୁ ଧାଇଁ ଚାଲିଲା । ଧାପକେ କୋଶେ, କିଛି ସେ ଦେଖୁ ନାହିଁ, ଖାଲି ବାଟ କଟିଯାଉଛି, “କୁଟ୍ରା–କୁଟ୍ରା–ଲାଛ–ଲାଛ…”

 

ପୁଣି ଗାଁ–

ପୁଣି ସାହି ଭିତର ତା’ର ଛୋଟ କୁଡ଼ିଆ ଖଣ୍ଡି ।

 

ପୁଣି ଚିହ୍ନଜଣା ଲୋକେ, ଗାଁର ଭାଇ, ଗାଁର ମାଇପେ, ଧାଂଡ଼ାବସା ଘରର ସଙ୍ଗୀମାନେ, ଧାଂଡ଼ୀବସା ଘରର ଟୋକୀଏ, ସାରିଆ ଫୁଲ୍‌, ସାରିଆ ଦାନ୍‌, ରଂବାଲୀ– ।

 

ଆଉ ତା’ର ସର୍ବସହଣି ବାପ, ଟାଙ୍ଗରା ପାହାଡ଼ର ଢାଲୁ ପରି ।

 

ଏହିମାନଙ୍କ ଆଗରେ ମୁହଁ ଶୁଖେଇ ଚୋର ପରି ସେ ଲୁଙ୍ଗୁଡ଼େଇ ଲୁଙ୍ଗୁଡ଼େଇ ଆଡ଼େଇ ହୋଇ ପଶିଗଲା ଘର ଭିତରକୁ, ଆଉ ପଦାକୁ ବାହାରିଲା ନାହିଁ ।

 

ମାଣ୍ଡିଆଜାନି କବାଟ କିଳିଦେଲା ।

 

ସୁକୃଜାନି ପୁଣି ଗାଁର ନାଇକ ବାରିକ ଚାଲାଣ ବଡ଼ ରଇତ ଏମାନଙ୍କୁ ନେଇ ଚାଲିଲା ସାହୁକାର ଘରକୁ, ଟଙ୍କା ଦରକାର ।

 

ଗାଁରେ ସତେକି ଶଙ୍କା ପଶିଲା, କାହାରି ମୁହଁରେ କଥା ନାହିଁ, କେତେ ଲୋକଙ୍କର ଟଙ୍କା ଦରକାର, ଏକା ଜଣକର ନୁହଁ ।

 

ଖାଲି ବାଡ଼ପାଖେ, ପାଣି ଆଣିବା ବାଟରେ, ସ୍ତ୍ରୀ ଲୋକ ଗୋଟିଏ ଦିଓଟି ଏକାଠି ହେଲେ ଟୁପ୍‌ଟାପ୍‌ ହୁଅନ୍ତି, କ’ଣ ଏପରି ହେଲା କାହାର ସ୍ୱାମୀ ଯାଉଛି ଟଙ୍କା ପାଇଁ, କାହାର ବା ପୁଅ । ପାହାଡ଼ ଅଞ୍ଚଳରେ ଗୋଡ଼ି ପଥର ଅଛି, ଟଙ୍କା ନାହିଁ, ଟଙ୍କା ନ ଦେଲେ ଧରି ନେଇ ଶିକ୍ଷା କରିଦେବେ ।

 

ପରଜା ପେଜ୍‍ବେଳା ଗଡ଼ିଗଲା, ହେଲା ଦ୍ୱି’ପ୍ରହର । ଝରଣା କୂଳରେ କାନ୍ଧରେ ଲାଉତୁମ୍ବାରୁ ଅଜାଡ଼ି ଜାଉ ମନ୍ଦିଏ ପିଇ ଝିମ୍‌ଝିମ୍‌ ଜଙ୍ଗଲ ଭିତରେ ପୁଣି ସମସ୍ତ ଚାଲିଲେ । ଗାଁ ଲୋକେ ଏକଥା ସେକଥା ପକେଇ ଭୁଲେଇବାକୁ ଚେଷ୍ଟା କରନ୍ତି । ସୁକୃଜାନି ଜବାବ ଦିଏ, ମାଣ୍ଡିଆଜାନି କଥା କହେ ନାହିଁ, ତୁନିତାନି ବାଟ ଚାଲେ । ଜଙ୍ଗଲ ଭିତରେ କାପ୍ତା ବେଳେବେଳେ ଡାକେ, କେଡ଼େ ଉଦାସ ତା’ର ସ୍ୱର–ଝିମ୍‌ଝିମ୍‌ ଜଙ୍ଗଲ ଭିତରେ, ମନ ଆଗରେ ଆଙ୍କିଦିଏ ସବୁ ସରିଲା, ସବୁ ହଜିଲା ବିଷର୍ଣ୍ଣ ହୋଇ ଗୋଟିଏ ଛାଇ, ନିର୍ବାକ୍‌ ବିଷର୍ଣ୍ଣ, କିନ୍ତୁ ସନାତନ – ବିଧବା ବୁଢ଼ୀ ମାଆଟି ପରି । କାପ୍ତା କାନ୍ଦେ, ପତ୍ରଝଡ଼େ, ମାଣ୍ଡିଆଜାନି ଓଠ କାମୁଡ଼ି ବାଟ ଚାଲେ, ଗମ ଗମ ଝାଳ ଫୁଟିଯାଏ ।

 

ସେତେବେଳକୁ ପଶ୍ଚିମ ଆକାଶରେ ଗୋଟାଏ ଲାଠି ମୋଟେ ବେଳ ଅଛି (ଅର୍ଥାତ୍‌ ଚାରିଟା ବେଳ) । ସାହୁକାର ଘରେ “ଗଜା” ଲେଖା ସରିଲା । ବର୍ଷକୁ ଛିଡ଼ିଛି ପାଞ୍ଚଟଙ୍କା ।

 

ମାଣ୍ଡିଆଜାନି ଗୋତି ଗଲା ।

ଫଗୁଣ–

 

କ୍ଷେତ ଖାଁ, ଖାଁ, ଆକାଶରେ ପୋଷେ ବୋଲି କୁହୁଡ଼ି ନାହିଁ, ହାଉଁହାଉଁଆ ଆକାଶ ତଳେ ହାଉଁହାଉଁଆ କ୍ଷେତ ପଡ଼ଛି । ଯେତେ ଦୂରକୁ ଆଖିଯିବ, ପଡ଼ଛି । କୁଦ କୁଦ ଆବୁ ଆବୁକା ପାହାଡ଼ର ଚୂଳ ଉପରେ ନାଲିଚା ନାଲିଚା ନୂଆ ପତ୍ର ମେଞ୍ଚି ମେଞ୍ଚି ଜଙ୍ଗଲ, ଧାଡ଼ି ଧାଡ଼ି ଡେଙ୍ଗା ଡେଙ୍ଗା ସନ୍ଧି–ଗଛ, ଯାହା ଦୁଇ ଗାଁ ଭିତରେ ସରହଦ, ଆଉ ଜଙ୍ଗଲ ତଳେ ତଳେ କସରା କ୍ଷେତ, ଗଛ ନାହିଁ ପତ୍ର ନାହିଁ ।

 

ଏବେ ନୂଆ ହୋଇ ଚାଷ ଆରମ୍ଭ । ଦିନ ଉଙ୍କି ମାରିବା ବେଳଠୁ ଅସ୍ତାନରେ ସେ ନାଲି ରଙ୍ଗ ଲିପା ହେବା ପର୍ଯ୍ୟନ୍ତ ନିଛାଟିଆ ଗଛ ପାଖେ କେଉଁଠି ଯଦି ମାଣ୍ଡିଆଜାନି, ଆଉ କେଉଁଠି ସୁକୃଜାନି କୋଡ଼ି କାଙ୍କ ଧରି ପଥୁରିଆ ମାଟି ସଙ୍ଗେ କୁସ୍ତି ଲଢ଼ୁଛି, ତୁମ୍ବାରୁ ପୋଷେ ପୋଷେ ମାଣ୍ଡିଆ ପେଜ୍‍ ପିଇ ପୋଷେ ପୋଷେ ଝାଳ ଢାଳି ଦେଉଛି ମାଟିରେ, ମାଟିର ଦ୍ରବିବ, କ୍ଷେତ ହସିବ, ମନ ଉଲୁସେଇ ଶସ୍ୟର ଭଣ୍ଡାର ଅଜାଡ଼ି ହୋଇ ପଡ଼ିବ ସାହୁକାର ପାଇଁ । ନିଜେ ଯେବେ କୁଣ୍ଡଳ ହଲେଇ ସାହୁକାର ଟିକିଏ ଫାଇଁ କରି ହସିଦେବ, ସେହି କ’ଣ ଯଥେଷ୍ଟ ନୁହେଁ ? –ଗୋତି ଆଉ ବେଶି ଚାହେଁ ନାହିଁ, ବେଶି ଖୋଜେ ନାହିଁ । ପିଠିରେ ଟିକିଏ ହାତ ଆଉଁଶା, ତୁଣ୍ଡରେ ଟିକିଏ ହସ, ଏଇ ତା’ର ସ୍ୱର୍ଗଲାଭ ।

 

ପାହାଡ଼ ଉପରେ କ୍ଷେତରେ ହଳ ପଡ଼େ ନାହିଁ, ଖାଲି କୋଡ଼କି ଚାଷ, ବେଶି ପରିଶ୍ରମ, ବେଶି ଫସଲ ।

 

ମାଣ୍ଡିଆଜାନି ଆବୁ ଆବୁକା ଦେହରେ ଜାଲଜାଲୁଆ ଖଣ୍ଡେ ଲେଙ୍ଗୁଟି ମାରି ହୋଇ ଚାଷ କରେ, ଦୂରରୁ ଦିଶେ ଖଣ୍ଡେ ପଥର ପରି, ଯା ସନ୍ଧିରୁ ପାଣି ଝରି ଝରି ଚିକ୍ ଚିକ୍ କରି ଦେଇଛି ।

 

ତିନି ବାପ ପୁଅ ଗୋତି, କିନ୍ତୁ ଅତୀତକୁ ସେ ଏତେ ସୁମରିପାରେ ନାହିଁ, ବାପ ଭିତରେ ତା’ ଭିତରେ ଏତିକି ପାର୍ଥକ୍ୟ । ଧୂସରା ମାଟିରେ ପାହାଡ଼ ଓଲଟା ମଣିଷର କାର୍ଯ୍ୟ କରିବାର ଶକ୍ତି ଯେପରି ଥମିଯାଇ ଆପଣାର ସତ୍ତା ହଜାଏ, ମନର ଓରମାନ ମଧ୍ୟ ଭୁଲି ହୁଏ ସେହିପରି, ଭୁଲିହୁଏ ଆଜି ଆଉ କାଲି, ତାତିର ନିଶାରେ ମନ ଢୁଳୁ ଢୁଳୁ ହୁଏ, ହାତ ଗୋଡ଼ କାମ କରେ କଳପରି । ସମୟ ଠିଆ ହୋଇ ରହେ ନିଶ୍ଚଳ ହୋଇ, ନିଛାଟିଆ ଗଛମୂଳେ ମଣିଷ ମାଟି ପାଲଟେ ।

 

କିନ୍ତୁ ସେଇ ଧୂଳିଆ ସତ୍ତାରେ ଗଛମୂଳେ ବସି ବସି ଯେତେବେଳେ ମାଣ୍ଡିଆଜାନି ଝାଳ ପୋଛେ, ଫଗୁଣର ଦମକା ପବନ ଦରଭଙ୍ଗା ମୁଣ୍ଡିଆ ଉପରେ ଧୂଳି ଉଡ଼ାଇ ଯାଏ, ବେଳେ ବେଳେ ଦୂର ଜଙ୍ଗଲରୁ ଭାସିଆସେ ଚମ୍ପାଫୁଲର ମନ କୁତୁକୁତୁ ସୁବାସ, ନିଛାଟିଆ ଝୋଡ଼ିଗଛ ଉପରେ କାଉଆ–ହରଡ଼ ଘୁମୁରେ, ମାଣ୍ଡିଆଜାନି ସ୍ୱପ୍ନ ଭିତରେ ଗୋତି ନାହିଁ, ସାହୁକାର ନାହିଁ, ଖାଲି ଚିରନ୍ତନୀର ଛବି ।

 

ଗାଈଜଗା କନ୍ଧ ଟୋକାଙ୍କ ଯୋଡ଼ି ବଇଁଶୀର ସ୍ୱର ସେଇ ଫଗୁଣର ପବନରେ ପବନରେ ଭାସିଆସି ସ୍ୱପ୍ନକୁ ଆହୁରି ତେଜିଦିଏ, ଆଲୁଅର ଝାଇଁ, ପବନର ସାଇଁ ସାଇଁ, କ୍ଲାନ୍ତ ଦେହର ଶାନ୍ତି ଲିପ୍‌ସା, ସବୁ ଗୋଟି ହୋଇ ଆଙ୍କିଦିଏ କ୍ଲାନ୍ତି ବ୍ୟବଚ୍ଛେଦ ସ୍ୱପ୍ନ, ଯାହାର ତୂଳିକା ମରମର କଅଁଳ ଭାଷା, ଯାହାର ପଟ କେବଳ ନିଚ୍ଛକ ପାର୍ଥିବ ସତ୍ତା ।

 

କାଜୋଡ଼ିର କଅଁଳ ମୁହଁରେ ହସ ଝଲସେ, ତା’ର ଗଭାରେ ଖୁନ୍ଦି ହୋଇଯାଏ ଜାତିଜାତିକା ଫୁଲ ପେନ୍ଥା ପେନ୍ଥା, ଆଖିରେ ତାରା ମିଟି ମିଟି ହୋଇ ଡାକେ, ଓଠରେ ସିନ୍ଦୁର ଫଳର ରଙ୍ଗ, ଖଦିର ଧାତିକିରି ବର୍ଣ୍ଣ, ସୁବାସର କାକର ଥପ ଥପ ଭିଜା ବଣର ସୌରଭ......

 

ସ୍ୱପ୍ନ ଦେଖେ ଲେଙ୍ଗୁଟି ପିନ୍ଧା ଗୋତି ଜଙ୍ଘ ଯୋଡ଼ି ହାତ ଛନ୍ଦି ମେଞ୍ଚାମେଞ୍ଚି ହୋଇ ବସି ବସି, ଗଛ ଦେହରେ ଆଖିବୁଜି ଆଉଜି ପଡ଼େ ।

 

ଗାଁ ଦାଣ୍ଡରେ ଗୋଜିଆ ସନ୍ତକ ପଥର ପରି ।

ପୁଣି ତା’ର ସ୍ୱପ୍ନ ଭାଙ୍ଗିଯାଏ ।

 

ଖାଁ ଖାଁ କ୍ଷେତ ଉପରେ ଉଦାସ ଖରା, ଦୂରର ପାହାଡ଼ କଳାଘୁମୁର ଦିଶିଲାଣି । ଦୀର୍ଘଶ୍ୱାସ ପକାଇ ଗୋତି ଉଠେ, କୋଡ଼ି କାଙ୍କ କାନ୍ଧରେ ଲଦି ବେକ ଭାଙ୍ଗି ଗୋଟିଏ ଗୋଟିଏ ହୋଇ ବାଟଭାଙ୍ଗେ ସାହୁକାର ଘରକୁ ।

 

ସଞ୍ଜବେଳେ ଗୋତିମାନଙ୍କୁ ପାଖକୁ ଡାକି ସାହୁକାର ବୋଲି ହାଙ୍କେ, “ହେଇ ସୁକୃ, ପାଇଟି ଉଠେଇବାକୁ ତ ଭାରୀ ଭିମଟେ ତୁ, ଏଣୁ କହିଲେ ତେଣୁ”–

 

“କାହିଁକି କିସ୍‍ ହେଲା ସାହୁକାର ?”

 

“ଏଡ଼ିକିଟେ ବୋଲି ଘର, ସେଟା ତୋଳିବାକୁ ଏତେଗୁଡ଼େ ଦିନ ଲାଗିଗଲା, ଆର କାଏଁ ପାଇଟି କର୍‌ସା ?”

 

କି ପାଇଁ ସାହୁକାର, କୋ’ ଦିନ ପାଇଟି ନ କରି ଖାଲି ଖାଇବାକୁ ଦେଉଛୁ କହ, ଆଜି କହୁଛୁ ବିଲ ବାଛ, କାଲି କହିବୁ ଡଁଗରକୁ ଯା କାଠ ଆଣ୍‌, କାଲି କହିବୁ ହଳ କର, ଆଉ ଯୋଉଦିନ ବେଳ ଟିକିଏ ମିଳିଲେ ଘର ତ ଗଢ଼ୁଅଛି, କେମିତି ନାଇଁ ବୋଲୁଛୁ ?”

 

“ନାଇଁ କାଲିଠୁ ପୁଣି କାନ୍ଥ ଉଠା, ଏହି ଫଗୁନ୍‌ ମାସରେ ଶେଷ ହେବାକୁ ହେବ । ଆଉ ହେଇ ଟିକ୍ରା, ତୁଇ ମିଶା ।”

 

ସୁକୃଜାନି ଗୁମ୍‌ କରି ରହିଲା ।

 

“ଆଉ ଦଉଡ଼ି ଖଟ ଚାରିଟା ବୁଣିବାକୁ କହିଥିଲା ସେଟା ମିଶା ହେଲା ନାଇଁ । ଆଉ ସିନ୍ଧିଗଛ ପଦାଭୂମିରେ ଏଷୁ ଏକା ବାଡ଼ ବୁଣିବାର ଅଛି, ସେଠି ଆଖୁ ଲାଗିବ, ସେଟା ମିଶା ନାଇଁ, ଆଚ୍ଛା ଗୋତି ରଖିଲି, ବୁଢ଼ା ହଡ଼ା ଲୋକ, କହିଲେ ଶୁଣିବ ନାଇଁ, ଖାଲି ଘୁଁ ଘାଁ କରିବ, ବୁଢ଼ା କୁକୁର ପରି ।”

 

ଗୋତିମାନେ ଥିରି ହୋଇ ବସି ଶୁଣନ୍ତି, ହାତ ପାପୁଲିରେ ଗାଲ ଥୋଇ, ସାହୁକାର ଗର୍ଜନ କରିଉଠେ, ଗର୍ଜନ ଛାଡ଼େ ।

 

ଅନ୍ଧାର ପଡ଼ି ଆସେ, ଗୋତି କାମ ବୁଝିନିଏ ।

 

କାହା ଭାଗ୍ୟରେ ପଡ଼ୁ ପଛେ ଗାଈ ମଇଁଷିକୁ ବରତ କରିବା, କାହାର ସାହୁକାର ପାଇଁ ଟୋକୀ ଖୋଜିବା, କାହାର ପଥ ତାଡ଼ିବା, କାହାର ଗଛ ହାଣିବା । ସାହୁକାର କାମ କରାଇ ଜାଣେ, କାହାରିକୁ ଅଳସ ଆସେ ନାହିଁ, ବିଶ୍ରାମ ନାହିଁ ।

 

ଅନ୍ଧାର ଜମି ଆସେ । ତାରାର ଆଲୁଅରେ ଗାଁ ଦାଣ୍ଡର ପଦର ଉପରେ ସାହୁକାର ରୁଦ୍ର ମୂର୍ତ୍ତି, ଖାଲି ଗୋଟାଏ ଚଳନ୍ତା ଛାଇ । ତଳେ ଜକାଜକି ଗୋତି ପଲ, ଉଦାସ କ୍ଲାନ୍ତ । ମନରେ ରଙ୍ଗ ନାହିଁ, ପିଠିରେ ଛାଲ ଖୁବ୍‌ କରଡ଼ା, ଗୋଡ଼ ଶିର ଗଣ୍ଠି, ତଥାପି ବେଳେ ବେଳେ ମନ ଭିତର ଉଙ୍କିମାରେ ଦୂର ଗାଁରେ ନୂଆଁଣିଆ ଚାଳ, ବାରିପଛ ପଟେ ଖୋଲା ଖୋଲା କ୍ଷେତ, ଖାଲି ଖାଲି, ଫାଇଁ କରି ଉଇଁ ପୁଣି ନିଭିଯାଏ । ମନର ଶିରାଏ ଶିରାଏ ଭରିଯାଏ ଆପଣା ଭୁଲା ଅବସାଦ.... ।

 

ସେଇ ଦୂର ଗାଁର ହଜିଲା କଥା–

ଗାଁ–ସୁକୃଜାନିର ଗାଁ, ମାଣ୍ଡିଆଜାନିର ଗାଁ–

 

ଫଗୁଣ ଆସିଲା, ପତ୍ରକୁ ରଙ୍ଗେଇ ଦେଇ, ଫୁଲକୁ ହସେଇ । ଫଗୁଣ ଆସିଲା, ଗାଁ ଟୋକୀଙ୍କ କଳା ଭଅଁର ଗଭା କଣରେ ଆମ୍ବବଉଳ ଆଉ ବଣ ନିଆଳି, କାନପାଖେ ବାଟଭୁଲା ମହୁମାଛି । ପାହାଡ଼ର ଶିରୀ କେବେ ତୁଟେ ନାହିଁ, ସବୁବେଳେ ପୂର୍ଣ୍ଣ ସେ, ଯାହା ଯାଏ ତା’ର ପତ୍ତା ରହେ ନାହିଁ, ସବୁ ପୂରିଲା ପୂରିଲା ।

 

ଝରଣାର ପାଣି ଚବର ଚବର କରି ଏକୁଟିଆ କାଜୋଡ଼ି ପାଣିରେ ବସିଥିଲା, ନାଲି କରିଆଖଣ୍ଡି ତା’ର ଉହୁଙ୍କି ପଡ଼ିଥିବା ଆମ୍ବଡାଳର ନାଲି ପତ୍ରରେ ମିଶିଯାଇଛି ସତେ କି !

 

ସୁଅ ତୋଡ଼ରେ କେତେ ଭସାଫୁଲ ଭାସିଆସେ, କାଜୋଡ଼ିର ବେଣୀରେ ଛନ୍ଦି ହୋଇଯାଏ, ପାଣି ଚବର ଚବର କରି କାଜୋଡ଼ି ଓଟାରି ପକାଏ, ଭସାଫୁଲ ଭାସି ଚାଲିଯାଏ ସୁଏ ସୁଏ ।

 

ଅତଡ଼ାରେ ସୁନାରି ଗଛର ଲମ୍ବ ଲାଞ୍ଜି ଫୁଲ ଚଳନ୍ତା ପାଣିରେ ସୁନେଲି ଛବି ଆଙ୍କିଦିଏ, ଝରଣାର ସୁ ସୁ ଗର୍ଜନରେ ଆଖିର ନିଦ ପୂରିଯାଏ ପାଣିରେ ବସି ବସି, ପୁଣି ପବନ ଖେଳେ କାନ ଅଲରା ତିନ୍ତାବାଳ ଧରି, ଦେହ ଶିର୍‌ ଶିରେଇ ଆସେ ।

 

କାଜୋଡ଼ି ବସି ଭାବୁଥିଲା, ନିତି ସେ ଯେପରି ନିଛାଟିଆ ଭାବେ । ହସ ଖୁସିରେ, ସଞ୍ଜର ନାଚରେ, ସକାଳର କାମରେ, ଯେତେ ସେ ଭାବନାଗୁଡାକୁ ଆଞ୍ଜୁଳା ଆଞ୍ଜୁଳା କରି କପାଳରୁ ପୋଛି ପକାଉ ପଛେ, ତଥାପି ଭାବନାଗୁଡ଼ାକ କାନି ଛାଡ଼େ ନାହିଁ ।

 

ଆଜିକାଲି ଜିଲି ସବୁବେଳେ ସାଙ୍ଗରେ ବୁଲେ ନାହି, ଗାଧୋଇଗଲେ ପିଠିରୁ ମଳି ଛଡ଼େଇ ଦିଏ ନାହିଁ । ପାହାଡ଼ କନ୍ଦିରେ ମୟୂର ନାଚ ଦେଖିବାକୁ ସାଥି ଧରେ ନାହିଁ । ଜିଲି ଆପଣାର ଘରକୁ ଆପେ ମୂରବି ପରା, କନ୍ଦା ଖୋଳୁ ଖୋଳୁ ବଣରେ ଖାଦି ଖୋଜୁ ଖୋଜୁ ତାକୁ ବେଳ ଅଣ୍ଟେ ନାହିଁ । ଜିଲି ସାଙ୍ଗରେ ଥିଲେ ମାଣ୍ଡିଆଜାନି ମନରେ ଉଠେ ନାହିଁ, ବାଗ୍‍ଲାର କଥା ପକେଇ ହସରେ ହସରେ ବେଳ କଟିଯାଏ । ଜିଲି ସାଙ୍ଗରେ ଥିଲେ ମାଣ୍ଡିଆ ରହେ ମନ ପଛରେ, ବାଗ୍‍ଲା ଆଖିଆଗରେ ଥାଏ । ସେ ଉପରେ ପଡ଼ି ଥଟ୍ଟା ଲଗାଏ, ତା’ର ଭାରି ଆୟୁଷ, ତା’କଥା ପଡ଼ିଲେ କେଉଁଠୁ ହେଲେ ଛପି ଛପି ଶୁଣୁଥାଏ, ହଠାତ୍‍ ଉଠି ବାହାରେ । ଏବେ ପଦାକୁ ବାଗ୍‍ଲା ଏକୁଟିଆ, ଭିତରେ ମାଣ୍ଡିଆ । କାଜୋଡ଼ି ଅନେକ ଥର ଭାବିଛି, ବାଗ୍‍ଲା ଯେ ଏ ଓରଉଣ୍ଡା, ସେ ଖାଲି ଜିଲି ପିଛା ନୁହେଁ । ଜିଲି ଆଡ଼କୁ ମୁହଁଟା ସେ ବୁଲାଏ, ଜିଲି ହସେ । କିନ୍ତୁ ଥରେ ଅଧେ କାଜୋଡ଼ି ଧରା ପଡ଼ିଯାଇ ଅପ୍ରସ୍ତୁତ ହୋଇଛି । ଦେଖିଛି ମୁହଁ ଧିଅରେ ଆଖି ଦି’ଟା ଜଳି ଜଳି ଖୋଜୁଛି ତା’ର ନିଜର ଆଖି ।

 

ଜିଲି ସାଙ୍ଗେ ଥଟ୍ଟା ଖେଳି ବାଗ୍‍ଲାକୁ ଭାବିବାକୁ ବିଚାରିବାକୁ ସେ ତୁହାଇ ଭାବିଛି, ଯଦିଚ ଜିଲିର ବୋଲି । ଜିଲିର ବୋଲି ଧରିନେଇ ବାଗ୍‍ଲାକୁ ବିଚାରିବାକୁ ସେ ସୁଖ ପାଇଛି, ପୁଣି ବେଳେ ବେଳେ ନିଜ ମନ ଭିତରେ ଖିଅ ହଜେଇ ଦେଇଛି, ସବୁ ଓଲଟ ପାଲଟ ହୋଇଯାଇ ଆପେ ମନେ ମନେ ବାଗ୍‍ଲା ଆଡ଼କୁ ଆଉଜି ଆସିଛି । ... ପୁଣି ଦେଖିଛି, ବାଗ୍‍ଲା ଆଉ ଜିଲି ସମ୍ବନ୍ଧ ଘେନି ଯେତେ ସେ ଜିଲିକୁ ଥଟ୍ଟା କରିଛି, ତହିଁରେ ଜିଲିକୁ ସେ ଆଘାତ କରିଛି ବେଶି, ଅପ୍ରସ୍ତୁତ କରିଛି, ଖେଞ୍ଚା ମାରିଛି, ଯେପରି ସେ ଖେଞ୍ଚା ମାରିଛି, ମାଣ୍ଡିଆକୁ ଜିଲି ତା’ର ବିବାହ କଥା ଉଠେଇ ଥଟ୍ଟା କଲାଭଳି ।

 

ଏଇ ସାଧାରଣ ଥଟ୍ଟା ନକଲର ଇଙ୍ଗିତ ଅନୁପ୍ରାସକୁ ସେ କେବେ ତଉଲି ଦେଖି ନାହିଁ, ଯାହା କହିଯାଇଛି, ଯାହା ଭାବିଯାଇଛି, ତାହା ସବୁ ମନର ସରଳତାରେ । କିନ୍ତୁ ପରେ ସେ କାହିଁକି କେଜାଣି ମନେ ମନେ କଷ୍ଟ ପାଇଛି, ମନେ ମନେ ଗୁମ ହୋଇ ବସିଛି, ମନେ ମନେ ଭାସିଯାଇଛି କେତେ ଦୂର, ଯେଉଁଠି ଗୁଣଗୁଡ଼ାକ ଆଉ ସ୍ୱରୂପଟା ବାଗ୍‍ଲାର, ବାହାରଟା ମାଣ୍ଡିଆର । କେଉଁ ଅଜଣା ଦେବତା ପାଖେ କେଉଁ ଅଜଣା ସୁଖ ସମ୍ବନ୍ଧ ପାଇଁ କେତେ ସେ ଗୁହାରି କରିଛି, କେବେ ଦେଖିଛି ମନ ଭିତରଟା କାହିଁକି କୋହରେ କୋହରେ ହାୟ ହାୟ କରି ଉଠିଛି, କେବେ ସେ ଦେଖିଛି ଝରଣାର ସୁଅରେ ଭସାଣ ଡାଙ୍ଗପତ୍ର ପରି ମନଟା ତଡ଼ି ହୋଇଯାଇଛି ଅନ୍ଧାରି ଝୋଲା ଭିତରେ କୁଆଡ଼େ କେଜାଣି, ତା’ର ଗତି ଅଛି, ଅନୁଭୂତିର ସ୍ଥିତି ନାହିଁ । ଅଛି କେବଳ ଗତିଶୀଳ ବିପ୍ଲବ ।

 

ଆଜି ମାଣ୍ଡିଆଜାନି ଏଠି ନାହିଁ । ଗଛ ଉଡ଼ାଡ଼ରୁ ଚୋରା ଫୁଲ ପେନ୍ଥା ପେନ୍ଥା ଆକସ୍ମିକଭାବେ ତା’ ଉପରେ ବୃଷ୍ଟି ହେଉ ନାହିଁ । ତା’ର ସ୍ତ୍ରୀ ହୃଦୟର ସ୍ପନ୍ଦନ ସହିତ ସମତାଳ ରଖି ଝୋଲା କରର ଜଙ୍ଗଲରେ ମାଣ୍ଡିଆଜାନିର କୁରାଢ଼ି ପାହାର ଦୁମ୍‌ ଦୁମ୍‌ ପଡ଼ୁ ନାହିଁ, କ୍ଷଣେ କ୍ଷଣେ ରହି ରହି ଚୋରା ଆଖି ତା’ର ଦେହରେ ଦଉଲତ ଖୋଜି ବୁଲୁ ନାହିଁ ।

 

ଆଜି ସବୁ ଶୁନ୍‌ଶାନ୍‌ ।

ମାଣ୍ଡିଆଜାନି ନାହିଁ ।

 

ଛମ୍‌ଛମ୍‌ ଲାଗେ, ମାଣ୍ଡିଆଜାନି ଏବେ ନାହିଁ । ପୁଣି ଦେହ ଅଳସେଇ ଆସେ, ଲଦି ହେବାକୁ ଆଶ୍ରା ଖୋଜେ, ସ୍ୱପ୍ନ ପରି ଲାଗେ, କଳ୍ପନାର କାଉଁରି ଲାଗି ଆଖିରେ କିମିଆଁ ପଶେ......

 

ସ୍ତ୍ରୀ ଲୋକର ମନ କେବେ ଖାଲି ପଡ଼ିପାରି ନାହିଁ ।

 

ରକ୍ତର ତେଜ ଆଉ ପ୍ରାଣର ତଡ଼ିତ୍‌ ଘେନି ନାରୀ ମନରେ ଯେ ଶୂନ୍ୟତା ଖୋଜିଛି, ସେ କେବଳ ବାରମ୍ବାର ନିଜର ପ୍ରକୃତି ସଙ୍ଗେ ଯୁଦ୍ଧ କରିଛି । ଶେଷରେ ଜୀବନର ଉତ୍ସ ନିଜର ମୁହଁ ନିଜେ ଖୋଲିଛି । ତପସ୍ୱିନୀର ତାପସୀ ମନ କେବଳ ରହିଛି ବାହାରର ଆବରଣରେ, ଆପଣାକୁ ଭୁଲାଇବା ପାଇଁ ଭିତରେ ସେ ପ୍ରାଣବନ୍ତ ଅନୁଭୂତିର ରତ୍ନରେ ଭୋଗୀ ମାତ୍ର । ମନ ଗହୀରରେ ଛଳନାର ସ୍ଥାନ ନାହିଁ ।

 

କାଜୋଡ଼ି କ୍ରମେ ଭାବିଲା, କେତେଥର ବାଗ୍‍ଲା ଆସି ତାକୁ ପଚାରିଛି “ଜିଲି କାହିଁ ?” ଥରେ ଅଧେ ବା ସେ ହସିଦେଇଛି, ଥଟ୍ଟା ନକଲ କରିଛି, କିନ୍ତୁ ମନ ତା’ର ଜଳିଯାଇଛି, “ଏ କ’ଣ ମନେକରେ ମୁଁ ଜିଲିକୁ ସବୁବେଳେ ଜଗି ବସିଛି ବୋଲି ।” କେତେଥର ବାଗ୍‍ଲାକୁ ସେ ରୁଢ଼ ଜବାବ ଦେଇଛି, ହସି ହସି । ବାଗ୍‍ଲା ହସି ହସି ଚାଲିଯାଇଛି ମନ ମାରି । କିନ୍ତୁ ନାରୀ ମନ ପାଇଁ କାଜୋଡ଼ି ବୁଝିଛି, ବାଗ୍‍ଲା ପାନେ ପାଇଲା, ଭାବି ତା’ ନିଜ ମନରେ ଆନନ୍ଦ ଆସିଛି । ଜିଲି କଥାରେ ବାଗ୍‍ଲାକୁ ପଦେ ବତେଇଲେ ସେ ଦେଖିଛି ସେ ଖୁସି ପାଏ । ସେ ଖୁସି ପାଏ ବୋଲି କହେ ।

 

ଆଜି ନିରୋଳାରେ ସେଇ ଆପଣାର ଦିନ ଦିନକର ବ୍ୟବହାର ତା’ର ମନେ ପଡ଼ିଲା । ବାଗ୍‍ଲା ଗୋଟାସୁଦ୍ଧା ଜିଲିର ପରା, ସେଇ କେହି ନୁହେଁ ଏକଥା ମନେପଡ଼ି ମନଟା ତୁଛେଇଁକି କାହିଁକି ଘାଣ୍ଟି ହେଲା । ବାଗ୍‍ଲାତା’ର କି ଦୋଷ କରିଛି ?

 

ସେଇ ନିରାଳାରେ ସେଇ ଆପଣାର ଦିନ ଦିନକର ବ୍ୟବହାର ତା’ର ମନେପଡ଼ିଲା । ବାଗ୍‍ଲା ଗୋଟାସୁଦ୍ଧା ଜିଲିର ପରା, ସେଇ କେହି ନୁହେଁ ଏକଥା ମନେପଡ଼ି ମନଟା ତୁଛେଇଁକି କାହିଁକି ଘାଣ୍ଟି ହେଲା । ବାଗ୍‍ଲା ତା’ର କି ଦୋଷ କରିଛି ?

 

ସେଇ ନିରୋଳାରେ–କୁଳୁକୁଳୁ ନଈସୁଅ ଆଉ କୂଳର ଗଛଗୁଡ଼ାକ ତା’ର ସାକ୍ଷୀ–ନିରାଳାରେ କାଜୋଡ଼ି ବାଗ୍‍ଲା କଥାହିଁ ଭାବିଲା–ଆହା, ବାଗ୍‍ଲାକୁ ସେ ଆଘାତ କରିଛି ପରା, ଆଘାତ କରି କି ଯଶ ବା ସେ ଅର୍ଜିଛି ? କେତେବେଳେ ନିଜର ଇଚ୍ଛା ବିରୁଦ୍ଧରେ କେତେ ଟାଣ କଥା ମୁହଁବାଟେ ବାହାରି ଚାଲିଯାଏ ପଛେ ଫେରେଇ ଆଣିହୁଏ ନାହିଁ, ମନଟା ଘୁଣ ଖାଏ ।

 

ବାଗ୍‍ଲା ଉପରେ ପଡ଼ି କଥା ଗପେ । ସବୁ କଥାକୁ ତା’ର ପଥର ଚାଁଚରା (ଚଟାଣ) ପରି ପିଠି, ଆଖି ଦୋ’ଟି ହସରେ ଜୁଡ଼ୁବୁଡ଼ୁ, ମୁହଁରେ ଆଣ୍ଟ.....

 

ଯେ କଥା ଶୁଣେ ତା’ର ଛଳନା ନାହିଁ, ଯେ କଥା କହେ ଛଳଟା ତାଆରି ।

 

ତା’ର ଭଲ ପାଇବା ସତେକି ଆଉ ପାହାଚେ ଡେଇଁ ଆସିଲା । ସେ ବାଗ୍‍ଲାର ନୁହେଁ, କିନ୍ତୁ ବାଗ୍‍ଲା ସତେକି ଗୋଟାସୁଦ୍ଧା ତା’ର । ଆଘାତ ଦେଇଛି ମନେକରି ମନଟା ସହାନୁଭୂତିରେ ଦରଜ ହୋଇଉଠିଲା, କ୍ରମେ କେହି–ନୁହେଁ ହିଁ ଆବୋରି ରହିଲା ଗୋଟା ମନଟା ଆଉ ନିଛାଟିଆ ଉଦାସୀ ଝୋଲା ।

 

ଏହପରି ନାରୀ ମନ ତା’ର ଗୋଟାଏ ସ୍ମୃତି ଯେବେ ଝୋଲା ଏପାରିରୁ ପାଣିକୁ ଓହ୍ଲାଏ, ଆର ସ୍ମୃତିଟା ଚାଲିଯାଏ ଝୋଲା ସେପାରି ବନସ୍ତ ଭିତରକୁ, କ୍ରମେ ନିଭିଯାଏ, ପାଦଶବ୍ଦ ବି ଶୁଭେ ନାହିଁ ଆଉ, ବଣ ଭିତର କାଠକଟାଳି ପରି । କାଜୋଡ଼ି ପାଣିରୁ ଉଠିଗଲା । ଧିଅ ପୋଛିଲା । ବରଗଛ ଉପରୁ ଲୁଗାଖଣ୍ଡ ଆଣି ବେଢ଼େଇ ହେଲା, ଏକୁଟିଆ ଚାଲିଗଲା ଗାଁ ବାଟରେ ।

 

ବାଟରେ ଭୂମି–ଦେବତା ପୂଜା ହୋଇଛି । ରାସ୍ତା ମଝିରେ ଦି’ହାତ ଉଞ୍ଚ ଖଣ୍ଡେ ସାନ ଛାମୁଡ଼ିଆ, ପିଲାଙ୍କ ଖେଳିଲା ପରି, ତା’ ଚାରିପାଖେ ମୁରୁଜ ପଡ଼ିଛି, ଉପରେ ରଖା ହୋଇଛି ଖଣ୍ଡେ ଭଙ୍ଗା କୁକୁଡ଼ା ଡିମ୍ବର ଖୋଳପା ।

 

ଦି’ ସାଉଡ଼ି ଘର ମଝିରେ ସରୁ ହୋଇ ରାସ୍ତା, ଗାଁ ଦାଣ୍ଡ, ରାସ୍ତାଏ ରାସ୍ତାଏ କେତେ ସ୍ତ୍ରୀ ପୁରୁଷ ଏପାଖ ସେପାଖ ହେଉଥାନ୍ତି, ଯେଝା କାମରେ ଯେଝା । ମଙ୍ଗୁଳୁଜାନି ନୂଆ ବିଭା ହୋଇଛି, ପିଣ୍ଡାପାଖେ ଖରାରେ ସେ ବସିଥାଏ, ତା’ର ସ୍ତ୍ରୀ ତା’ମୁଣ୍ଡରୁ ଉକୁଣି ବାଛି ଦେଉଥାଏ । ଗାଁ ଭେରାମଣ୍‌ ପାଖେ ମିଲ୍‌କୁ ମୁଦୁଲି ସନିଆ ପରଜା ଝିଅ ସାଙ୍ଗେ ଥଟ୍ଟା ନକଲ ଝିଙ୍କାଟଣା ଲଗେଇଥାଏ, ଝୋଲା ଟଙ୍କା ଯୋଗାଡ଼ ନ କରିପାରି ଝୋଲା ବାବତକୁ ସେ ଶ୍ୱଶୁର ଘରେ ଗୋତି ଖଟୁଛି । ଦିନ ପୂରିଲେ କନିଆଁ ନେଇଯିବ, ତିଳେ ହେଲେ ମନରେ କଷ୍ଟ ନାହିଁ, ସବୁବେଳେ ହସଖୁସି । କୁଡ଼ୁମିଘର ଦାଣ୍ଡରେ କୁଡ଼ୁମିଘର ଟିକିବୋହୂଟି କାଠ ଘୋରଣୀରେ ସୁଆଁ ପେଷୁଚି, ଚୁଡ଼ିକାଚ ବାଜୁଛି ଝଣ୍‌ ଝଣ୍‌ । ସଂସାରରେ ସମସ୍ତେ ବନ୍ଧା, ଯେଝା ଘରକୁ ଯେଝା ବର । ଧାଂଡ଼ା ଧାଂଡ଼ୀ ଏଇ ସଂସାର ଭିତରେ ସତେକି ଭସାଣ କାଠିକୁଟା, ତଳର ସୁଅରେ କେବଳ ଜଣକୁ ଜଣେ-। ତୃତୀୟ ଲୋକର ସ୍ଥାନ, ଦିନବେଳେ ପାଇଟି ଉପରେ, ରାତି ହେଲେ ଧାଂଡ଼ାବସା ଧାଂଡ଼ୀବସା ଘରେ ।

 

ଏଇ ଗାଁ ଭିତରର ଚେଁ ଭେଁ ଯେତେ, ଭାରି ଅଡ଼ୁଆ ଲାଗେ ବେଳେବେଳେ । ସାନପିଲା ସିନା ଅସନା ବୁଝନ୍ତି ନାହିଁ । ତା’ପରେ କୁକୁଡ଼ା, ତା’ପରେ ଘୁଷୁରି । ସବୁବେଳେ କଚର କଚର, ବକର ବକର । ସକାଳ ସଞ୍ଜରେ ବୋଝେ ଧୂଆଁ । ଦୁଇଓଳି ଖାଲି ଦଶ ଜଣଙ୍କ ଚିନ୍ତା, ୟା ପାଇଁ ବିଲକୁ କେତେବେଳେ ମାଣ୍ଡିଆ ପେଜ୍‍ ଯିବ, ତା’ପାଇଁ କେତେବେଳେ ଲୁଗାସିଝା ହେବ । ମଦ ପେଣ୍ଡମ ଖିଆ ସ୍ୱାମୀର ନାଲିଆଖି ଆଉ ଗାଳି, ଅଭାବ ଅସୁବିଧା ଭର୍ତ୍ତି ଘରର ଦୁଃଖଧନ୍ଦା, ସାତପାଞ୍ଚ, ସେ କେଡ଼େ ଜଞ୍ଜାଳ । ଜୀବନରେ ସାରା ସୁଖର ସମୟ ପରା ଏଇ, ଧାଂଡ଼ା ଧାଂଡ଼ୀ ବେଳ, ଯେତେବେଳେ ଦାୟିତ୍ୱ ନାହିଁ, ବୋଝ ନାହିଁ, ସମାଜରେ ସମସ୍ତିଙ୍କର ସହାନୁଭୂତି, ସମସ୍ତଙ୍କର ସ୍ନେହ, ବାଦ ସାଧିବାକୁ ଭଗାରି ନାହିଁ, ପିଠିରେ ଥୋଇବାକୁ ସ୍ୱାମୀ ଶ୍ୱଶୁର ନାହିଁ, ଯେ ଡାକିଲେ “ଏ ବାଇ” “ଏ ନୁନି” ।

 

କିନ୍ତୁ ବୟସ ଆସେ, ଯେତେବେଳେ ଟିକି ଘରଚଟିଆ ଚଢ଼େଇଟି ମଧ୍ୟ ବସା ବାନ୍ଧିବାକୁ ଉଚ୍ଛନ୍ନ ହୁଏ, ଏଠୁସେଠୁ କାଠିକୁଟା ନେଇ ପକାଏ । ସେତେବେଳେ ପ୍ରଜାପତିର ମେଲା ଖୋଲା ସୌଖୀନ୍‌ ଜୀବନ ଭଲ ଲାଗେ ନାହିଁ, କାନ୍ଧ ଆପେ ଜୁଆଳି ଖୋଜେ, ନୋହିଲେ ବଞ୍ଚି ରହିବାରେ ସୁଆଦ ତୁଟେ, ମନେହୁଏ ସବୁଥିରୁ କରଛଡ଼ା ଦେଇ ଆଡ଼େଇ ହେଇ ଯେପରି ପଡ଼ି ରହିଛି, ମୁଣ୍ଡରେ ଜଳ ଜଳ ସିନ୍ଦୂର ଗାର ଟାଣିଦେଇ, ପଣତ କାନିରେ ଚାବି ଖୋସି, ନୋହିଲେ ନାକରେ କାନରେ ‘ମୁଦି’ ନାଇ ବାକି ସମସ୍ତେ ଉପହାସ କରି କରି ବେକ ଫୁଲେଇ ଅସନା ଅବର୍ଦ୍ଧା ପିଲା ପିଚିକା କାଖେଇ ଠେଲିପେଲି ଚାଲି ଯାଉଛନ୍ତି । ସେତେବେଳେ ପ୍ରାଣ ହାହାକାର କରେ, ଶ୍ରମିକ ସ୍ୱାମୀର ଝାଳ ଟୋପାକ ଆଉ ସିଂଘାଣିନାକୀ ପିଲାର ହାତଗୋଡ଼ର ଧୂଳିକାଦୁଅ ଏହିଆକୁ କଳ୍ପନା କରି ମନଟା ଝୁରେ, ସ୍ଥିତିବାନ୍‌ ସମାଜରେ ଭୂଇଁତଳେ ବସିବାକୁ ଖଣ୍ଡିଏ ଶସ୍ତା ଟିକେଟ ପାଇଁ ।

 

ବାଟରେ ଯାଉ ଯାଉ ସୁକୃ ପରିଜାର ଘର ପଡ଼ିଲା । ପିଣ୍ଡାରେ ଏକୁଟିଆ ବିଲି ଯା ଆସ ହେଉଛି, ରୋଷେଇ ସରି ନାହିଁ ।

 

କାଜୋଡ଼ିର ଛାତି ଭିତରେ କ’ଣ ଗୋଟାଏ ଲେଉଟି ପଡ଼ିଲା । ଆଜିକାଲି ଆଉ, ବାଟ କାହିଁକି ତାକୁ ଭଲ ଲାଗେ ନାହିଁ, ତେଣୁ ସେ ଆରବାଟେ ଘରକୁ ଫେରିଆସେ, ବୁଲି ବୁଲି ।

 

ସବୁ ତା’ର ଗୋଟି ଗୋଟି ହୋଇ ମନେପଡ଼େ । ଆଜି କେତେଦିନ ତ ହୋଇଗଲାଣି, ଏତେଦିନ ହେଲା ଏ ଘରଟା ପଡ଼ିଛି ଶୂନ୍‌ଶାନ୍‌, ବେ–ମୁରବି, ବେଅକ୍ତିଆର୍‌ । ଏ ବାଟେ ଗଲେ ହାତଠାରି ଡାକିବାକୁ କେହି ନାହିଁ । ସାମ୍ନାରୁ ମୁହାଁମୁହିଁ ହୋଇ ବଡ଼ ବଡ଼ ଆଖିରେ ଅକୁହା ମନର କଥା ଜଣାଇବାକୁ ମାଣ୍ଡିଆଜାନି ନାହିଁ । ନବଜ ଲଗେଇବାକୁ ଟିକ୍ରା ନାହିଁ । ବାଟରେ ଚାଲିଗଲେ ପ୍ରସନ୍ନ ଆଶିଷ ଭରା ଚାହାଁଣିରେ ଅନେଇଁ ରହି ହାତର କୋଡ଼ି ହାତରେ ଧରି ମୁଣ୍ଡ ଟୁଙ୍ଗାରିବାକୁ ସୁକୃଜାନି ନାହିଁ । ସେମାନେ ଏ ଗାଁକୁ ଆସନ୍ତି ବେଳେ ବେଳେ, କିନ୍ତୁ ସାହି ବୁଲିବାକୁ ଗୋତିର ବେଳ ଥାଏ ନାହିଁ । କିଏ କେତେବେଳେ ଯାଏ ଆସେ ଜଣାପଡ଼େ ନାହିଁ । ଆଜକୁ କେତେଦିନ ହୋଇଗଲାଣି, ତାଙ୍କ କଥା ଗାଁ ଗୋହିରିରେ କେବେ ପଡ଼ି ନାହିଁ । ସଞ୍ଜ ପହରେ କ୍ଷେତରେ ଶିଙ୍ଗା ବାଜି ଉଠିଛି । ଜହ୍ନରାତିରେ ଗାଁ ଦାଣ୍ଡରେ ନାଚରେ ନାଚରେ ଧୂଳି ଉଡ଼ିଯାଇଛି, କ୍ଷେତ କାମ ହୋଇଛି, ଘରକାମ ହୋଇଛି । କେହି କେବେ ଭୁଲରେ ସୁଦ୍ଧା କହି ନାହିଁ, ‘କାମ ଅଟକି ଯିବ ନାହିଁ, ସୁକୃଜାନି ଘରେ କେହି ନାହାନ୍ତି ।’

 

ମଣିଷର ସ୍ମୃତି... ସେ ଖାଲି ପାଣିରେ ଗାର ପରି । ଦୁନିଆର ଯେତେଖେଳ ସବୁ ଖାଲି ଥିବା ଲୋକଙ୍କୁ ଧରି, ଯେ ନାହିଁ ସେ ନାହିଁ, କାହାର ସେଥିରେ କିଛି ଯାଏ ନାହିଁ ।

 

କାଜୋଡ଼ି ଭାବେ, ସମୟ ଥିଲା ଯେତେବେଳେ ତା ନାଁ ଆଉ ମାଣ୍ଡିଆଜାନି ନାଁ ଲୋକ ତୁଣ୍ଡରେ ସବୁବେଳେ ଥିଲା ଛନ୍ଦାଛନ୍ଦି । ଏଇ ତ ଚଇତ ଆସୁଛି, ଚଇତରେ ତାଙ୍କର ବିଭା ହେବାର କଥା । ସେତେବେଳେ ଲୋକେ ଚଇତକୁ ବସି ଦିନ ଗଣୁଥିଲେ, ତହିଁରେ ହସଖୁସି ଥିଲା, ମନ ଉଲୁସେଇ ଅନାଗତର ସ୍ୱପ୍ନରେ ଦିନରାତି କଟିଯାଉଥିଲା କେଡ଼େ ସୁନ୍ଦର, ଚାଲିରେ, ଚାହାଣୀରେ, କଥାରେ ସବୁଥିରେ ତା’ର ରଙ୍ଗର ଢେଉ, ଆଉ ଆଜି– ?

 

ମାନ୍ଦା ପଡ଼ିଯାଇଚି ସବୁ, ଗଡ଼ି ଯାଉ ଯାଉ ଜୀବନର ସୁଅ ଅଟକି ରହିଛି ଠାଏ.....

 

ଫଗୁଣ ରାତିରେ ଶୀତ ଝରିପଡ଼େ ଥପ ଥପ, ମଞ୍ଜ ଥରିଯାଏ, କିନ୍ତୁ ପାହାଡ଼ ଉହାଡ଼ରୁ ଜହ୍ନଟି ଉଠେ ସୁନ୍ଦର, ଜଳନ୍ତା ଅଗ୍ନି ନିଆଁପରି । ଝୋଲା ଆରପାରି ପୋଡ଼ା–ଶିଙ୍କୁଳି ପାହାଡ଼ର ଢେଉ ସେପାଖରୁ ଜହ୍ନ ଉଏଁ, ଜଙ୍ଗଲ ହସେ, ଭାସିଲା ଭାସିଲା ଛାଇଆଲୁଅର ସ୍ୱପ୍ନରେ ବନ ଭୂଇଁ ଚେଇଁଉଠେ । ସେତେବେଳେ ସତେ ଭୁଲିହୁଏ ଜୀବନର ଶତ ନିରାଶାର ମରୀଚିକା, ପ୍ରକୃତିର ବିରାଟ ହସ ଭିତରେ କଣିକାର ବିଷର୍ଣ୍ଣ ମୁହଁରେ ଭୁଲରେ ପଛେ ହସ ଫୁଟେ, ଆପଣାକୁ ମୁହୂର୍ତ୍ତେ ଭୁଲାଇ ହୁଏ, ବଞ୍ଚି ରହିବାରେ ସୁଆଦ ଅଛି ।

 

ଏପାଖେ ସେପାଖେ ବଡ଼ ପାହାଡ଼ର ପାଚେରି, କେଉଁଠି ଅତି ଉଞ୍ଚ ହୋଇ ଆକାଶକୁ ଉଠିଯାଇଛି, କେଉଁଠି ସମାନ, କେଉଁଠି ଖାଲ । କେତେ ବିଲ, ଖାଲ, ପାହାଡ଼ ସବୁ ଉପରେ ପରିଷ୍କାର ଗୋଟିଏ ଆକାଶ, ଯହିଁ ଚାହିଁଲେ କ୍ରମେ ଆତ୍ମା ଚନ୍ଦ୍ରଲୋକରୁ ତାରାଲୋକକୁ ଉଠେ, ତଳର ଦୁନିଆ ଏକ ନିଶ୍ୱାସରେ ଗ୍ରହଣ କରିନେଇ ମନେହୁଏ କେଡ଼େ କ୍ଷୁଦ୍ର ଏ, କେଉଁଠି ବା ସାନ ମଣିଷର ଟିକି ଦହୃଦୟର ସାନ ଦୁଃଖ, ସାନ ଗ୍ଲାନି ପାଇଁ ଏତେବଡ଼ ପରିଷ୍କାର ଉଜ୍ଜ୍ୱଳ ବିସ୍ତୃତି ଭିତରେ ସ୍ଥାନ !...

 

ଉପରେ ବିରାଟ ସୀମାହୀନ ବିସ୍ତୃତି, କୋଟି ସୂର୍ଯ୍ୟ ଗ୍ରହ ତାରା ଯାହାକୁ ଅବୟବ ଦେଇ ପାରୁ ନାହିଁ, କେଉଁ ଅନାଦି ଅତୀତରେ ତା’ର ଆରମ୍ଭ, କେଉଁ ଅସୀମ ଭବିଷ୍ୟତରେ ତା’ର ଶେଷ, ସେହି ଆକାଶ–

 

ତାହାର କେଉଁ ଅତଳ ଗର୍ଭରେ ଦିଗ୍‌ବଳୟ ତଳର ଆଲୁଅଛାଇଗଢ଼ା ଖଣ୍ଡବିଖଣ୍ଡ ପୃଥିବୀର ବ୍ୟାପ୍ତି, କେଉଁଠି ଆଲୁଅ ଜକଜକ, କେଉଁଠି ଅନ୍ଧାର ମିଶ୍‌ ମିଶ୍‌, କେତେ ଗାଁ ଗଣ୍ଡା ତହିଁ ଭିତରେ, ଆଉ ଜଙ୍ଗଲ, ଆଉ ପାହାଡ଼....

 

ତହିଁ ଭିତରେ ମଣିଷ, ଯେ ସାମାନ୍ୟ ସିନ୍ଦି–ବୁଟାକୁ ମଧ୍ୟ ସରି ହେବ ନାହିଁ, ସାନମୁଣ୍ଡିଆ ତଳର ଯେ କୌଣସି ଖଣ୍ଡେ ପଥର ସାଙ୍ଗକୁ–

 

ୟାର ଆୟୁଶ ବେଶି, ତା’ର କମ୍‌, ତା’ର ଖାଲି ଦିନଗଣା–

 

ସେଇ ନଗଣ୍ୟ ମଣିଷର ଟିକି ଛାତିଟା କେତେବେଳେ ପୁଣି ଥରି ଥରି ଉଠେ, କେତେବେଳେ ନିସ୍ତେଜ, କେତେବେଳେ ତା’ର ବିନ୍ଦୁ ବିନ୍ଦୁ ଆଖି ଦୁଇଟିରୁ କାକର ଟୋପା ପରି ଲୁହ ଝରେ, ଆଉ ତା’ର ଭାଷା, ସଙ୍ଗୀତର ଗୁଣୁଗୁଣୁ, ଦୁଃଖର ଅସ୍ପୁଟ ଗୁଞ୍ଜନ, ଆନନ୍ଦର ହସ, ଘାସ ଭିତରେ ଖସ ଖସ ପରି, ନୋହିଲେ ଦୁଃଖର କାନ୍ଦଣା, କାପ୍ତାର ଉଦାସୀ ଡାକଠାରୁ ଆହୁରି ଧାର ।

 

ସେଇ ଆକାଶର ବିସ୍ତୃତିକୁ ଅନାଇଲେ ମନହୁଏ, କାହିଁ ଏଠି ମଣିଷର ସ୍ଥାନ, କାହିଁ ଏଠି ତା’ର ପ୍ରତିଷ୍ଠା ବା ପ୍ରକାଶ !

 

ଆକାଶ କଣରୁ ଯେବେ କ୍ଷୀଣ ମେଘ ଉଠେ, ଆସେ ତାଫାନ, ଆକାଶରେ କଳା ହତାଶା, ପବନରେ ବିପୁଳ ହାହାକର, ଟପ ଗପ ମେଘର ଅସରନ୍ତି ଲୁହର ସମୁଦ୍ର, ପୁଣି ଉଲ୍ଲାସ, ପୁଣି ବିରାଟ ନିସ୍ତବ୍‌ଧତା, ପୁଣି ବଡ଼ ଜହ୍ନ ତଳେ ଚାଇଁ ଚାଇଁଆ ହସର ଲହଡ଼ି, ଏ ପାଖର ଦିଗ୍‌ବଳୟରୁ ସେପାଖ–

 

କେଡ଼େ କ୍ଷୁଦ୍ର ସେ, ମରଇଷର ହୃଦୟ, କେଡ଼େ ନଗଣ୍ୟ ତା’ର ସୃଷ୍ଟି, କେଡ଼େ ଗୋପନ ତା’ର ପ୍ରକାଶ !

 

ଘର ଆଗରୁ କୁଦ ଉପରେ ଜିଲି ଗାଲରେ ହାତ ଦେଇ ବସି ବସି ଫଗୁଣର ରାତି ଆକାଶକୁ ଦେଖେ, ଆପଣାକୁ ଭୁଲିଯାଏ ।

 

କେତେବେଳେ ତା’ର କଣିକାର ସ୍ୱପ୍ନ ଆକାଶରେ ବିସ୍ତୃତିରେ ଆପଣାକୁ ବିଛାଇ ନେଇ ମଧ୍ୟ ପ୍ରସାର ପାଇଁ ସ୍ଥାନ ପାଏ ନାହିଁ, ଗ୍ରହ ତାରା ଚନ୍ଦ୍ର ବ୍ୟାପି ଦୂରକୁ ଦୂରକୁ ଲମ୍ବି ଯାଏ....

 

କେତେବେଳେ ପୁଣି ଖସିଆସେ, ସୂକ୍ଷ୍ମ କାକରଟୋପାଠାରୁ ଆହୁରି ସୂକ୍ଷ୍ମତର ହୋଇ, ଦେଖେ ସେ କେହି ନୁହେଁ, ତା’ର ଏଠି ଅବସ୍ଥିତି କେଉଁ ଅନ୍ଧାରି କଣରେ, ସାତତାଳ ହିମାଳୟ ତଳେ ଧୂଳି ସେ, କିଛି ନୁହେଁ ।

 

କେତେ କଥା ମନେପଡ଼େ, ପୁଣି ଉଡ଼ିଚାଲିଯାଏ, ଭସା ମେଘ ପରି, ଆଉ ଆଖି ବାନ୍ଧି ହୋଇ ରହେ ମଥା ଉପରର ଚାନ୍ଦିନୀ ରାତିରେ, ଯେଉଁଠି ବନ୍ଧନ ନାହିଁ, ମୁକ୍ତି ନାହିଁ, ଅଛି ବିସ୍ତୃତି...

 

କି ଉପାଦାନରେ ଗଢ଼ା ସେ ମଣିଷର ମନ, ଯେ ତା’ର ସ୍ୱାତନ୍ତ୍ର୍ୟ ଥିଲେ ସୁଦ୍ଧା ନିତିଦେଖା ବାହାରର ପୃଥିବୀ ତହିଁରେ ଢେଉ ଗଡ଼ାଏ, ରଙ୍ଗ ଦିଏ, ସାମଞ୍ଜସ୍ୟ ବୈପରୀତ୍ୟ ଗୁଣରେ ଭାବର ଗୁଞ୍ଜନ ଆଣେ, ଭାବନାର ରେଖା ଟାଣେ–

 

ତେଣୁ ଆକାଶ, ତା’ର ମଧ୍ୟ କହିବାର ଅଛି ପଦେ ଅଧେ । ବିନ୍ଦୁର ବିନ୍ଦୁଟିକି ମଣିଷର ହାନିଲାଭରେ ତା’ର ମଧ୍ୟ ସମ୍ବନ୍ଧ, ତା’ର ମଧ୍ୟ ଅଧିକାର....

 

ନେଳୀ ଆକାଶର ଶୂନ୍ୟତାରେ ମନରେ ହାହାକାର ପୂରିଯାଏ, ନିର୍ଭରଶୂନ୍ୟ ଉଦାସୀ ହାହାକାର । ରାତିର ବଣ ଚଢ଼େଇର ସ୍ତବ୍‌ଧଚିରା ଆର୍ତ୍ତନାଦ ପରି, ସେ କେବଳ ଉଡ଼ି ଉଡ଼ି ଚାଲିଛି । ପକ୍ଷୀରେ କେବେ ଆଲୁଅର ଜ୍ୟୋତି, କେବେ ଛାଇ, ଉଦ୍ଦେଶ୍ୟ ହଜେଇ ଫଡ଼ ଫଡ଼ ହୋଇ ସେ ଖାଲି ଚାଲିଛି–ଚାଲିଛି ।

 

କିନ୍ତୁ ନା, ଜହ୍ନଆଡ଼କୁ ଆଖିଯାଏ, ତା’ର ପୂର୍ଣ୍ଣତା ମନରେ ପଶେ । ହସଖୁସିଭରା ଆନନ୍ଦର ମିହି ରଙ୍ଗ, ଖାଲି ଆଶା ବଢ଼େଇଦିଏ । ସବୁ ଅନ୍ଧାର ସବୁ ଅଧାଛାଇ ସବୁ ନ ପାଇବାର ଭଙ୍ଗାଦାନ୍ତୁଡ଼ା ସୃଷ୍ଟି ଅସୃଷ୍ଟି ଉପରେ ସେ, ପୂରିଲା ପୂରିଲା ହସ ହସ ଜହ୍ନଟି...

 

ଆଉ ତାରା... ଉଜ୍ଜ୍ୱଳ ସେମାନେ, କିନ୍ତୁ ତାଙ୍କର ଚାରିପାଖ କଳା–ଗୁମର, ଯେପରି ଆଶା ନିରାଶା ଉଭୟେ ମିଶି କ’ଣ ଗୋଟାଏ ହୋଇଯାଇଛନ୍ତି, ଯହିଁରେ ଉଲ୍ଲାସ ନାହିଁ ଯେପରି ଉଦ୍‌ବେଗ ନାହିଁ ସେପରି– ଦୂରଘାଟର ବେଣୀ ପରି, ଉଭୟେ ସମାନ, ପାଇବା ନ ପାଇବା, କିନ୍ତୁ ଗୋଟାଏ ଆଶ୍ଚର୍ଯ୍ୟ ସନାତନ, ଯାହାର ନାମ ତାରା...

 

ତା’ର ବୟସ ବଢ଼େ ନାହିଁ, କମେ ନାହିଁ, ଚିନ୍ତା ମାଡ଼େ ନାହିଁ, ପଛାଏ ନାହିଁ, ଯେଉଁଠି ସେଇଠି, ଅକ୍ଷୟ ଅମର ନିର୍ଲିପ୍ତ ଜ୍ୟୋତିମର୍ୟ ଜ୍ୟୋତିହୀନ ଜ୍ୟୋତିଷ୍କ–ତାରା ।

 

ପଛଆଡ଼ୁ ପିଠିରେ ହାତ ବୁଲେଇ ଦେଇ ବିଲି ଥିରି ଥିରି କହେ “କିରେ ଆପ୍‌ପା, ଏକୁଟିଆଟା କିସ୍‌ କରୁଛୁ ତୁଇ ଏଠି, ଆ ଯୁଃ, ଶୋଇବାକୁ ଯିବା ।”

 

ଜିଲି ଅନ୍ୟମନସ୍କ ହୋଇ କହେ “ଏଁ–”

 

ଦି’ ଭଉଣୀ ଉଠି ଚାଲିଯାନ୍ତି । ଘର ଭିତରେ କବାଟ କିଳିଦିଅନ୍ତି । ବାହାରେ ନିଛାଟିଆ ନିଶା ଡାକୁଥାଏ ସାଇଁ ସାଇଁ ।

 

ଆଜିକୁ କେଜାଣି କେତେମାସ ହୋଇଗଲା, ବାପ ଭାଇ ଗଲେଣି ଗୋତି । ଘରେ ଯୋଡ଼ିଏ ଭଉଣୀ ଏକୁଟିଆ । ଯେତେଦିନ ଘରେ ଧାନ ମାଣ୍ଡିଆ ଭର୍ତ୍ତିଥିଲା, ଏ ବର୍ଷର ପାଚି, ସବୁବେଳେ ଛୁଟି, ଖାଲି ପେଜ୍‍ ରାନ୍ଧି ଖାଇଦେଲେ ପାହାଡ଼ ଉପରେ ବୁଲିଯିବାକୁ ବେଳ ବହୁତ, ସଞ୍ଜର ନାଚ ଆଉ ସକାଳର ବୁଲା, ସବୁବେଳେ ହସ ଖୁସି ।

 

କିନ୍ତୁ ଯହୁଁ ଦିନ ଯାଉଛି, କ’ଣ ଗୋଟିଏ ଅଜଣା ଭୟ ନିଛାଟିଆ ଦି’ପହରେ ତୋଟାର ଭୂତ ଘର ଆଗରେ ଠିଆ ହେଲା ପରି କ୍ରମେ ମନକୁ ଶୁଖେଇ ଦେଉଛି । ହସ ନିଭିଯାଉଛି ବେଳେ ବେଳେ । ହସଖୁସି ଭିତରେ ହଠାତ୍ ଭୟବିହ୍ୱଳ ହୋଇ ମନକୁ ଥମକି ରହି ଶୁଣିବାକୁ କାନ ପାରୁଛି–କେଉଁ ଆସନ୍ତା ବାଆ ବତାସିର ଦୂରର ସୁ ସୁ ଶବ୍ଦ ।

 

ଶୋଇବା ବଖରାର ଆଟୁ ଉପରେ ଗଦା ହୋଇଥିଲା ପରା ଧାନ ମାଣ୍ଡିଆ, ଦି’ ଭଉଣୀରୁ ଯେ ଯେତେବଳେ ଯାଇ ନେଇଆସି ହାଣ୍ଡିରେ ଫୁଟେଇ ଦେଇଛି । ଏବେ ଆଟୁ ଉପରେ ଚଢ଼ିଲେ ପାଦ ଆଉ ଆଗକୁ ପଡ଼େ ନାହି, ମୁହଁରେ କଳାପାଣି ବୋହିଯାଏ, ପାଚି ସାରିଲା । ପରଜା କେବେ କାଲିର କଥାକୁ ଭାବେ ନାହିଁ । ତା’ର ସବୁ ଆଜି । ବାପା ଭାଇ ଗୋତିଗଲେ, କ’ଣ ରଖିଗଲେ ସେମାନେ ଘରର ପ୍ରାଣୀଙ୍କ ପାଇଁ ? ସୁକୃଜାନି ଭାବିଲା, ଆଟୁରେ ଧାନ ମାଣ୍ଡିଆ ଅଛି । ମାଣ୍ତିଆ ଜାନି ଭାବିଲା, ଆଟୁରେ ଧାନ ମାଣ୍ଡିଆ ଅଛି । ଟ୍ରିକାଜାନି ଭାରି ଖପାଟାଏ ହେଲା । ମନେ ମନେ କହିଲା, କାହାର ସେ ଦୋଷ ବା କରିଛି ଘରେ ରହି ବସି ଖାଇବା ଛାଡ଼ି ପିଲାଦିନୁ ସେ ଗୋତି ଗଲା ।

 

କିନ୍ତୁ କେହି ଭାବିଲେ ନାହିଁ, ଏତକ ପାଚି ସରିଗଲା ଟୋକୀ ଦି’ଟା ଚଳିବେ କିପରି ?

 

ଆଉ ଭାବିଲେ ବା କିଏ କରିବ କ’ଣ ? ଅନୁଭୂତି ଯେଝା ଯେଝା ଡାକ ଆସେ, ଅନୁହୁତି ଉଠି ଯେଝା ଯେଝା ଚାଲିଯାଆନ୍ତି, ଆସନ୍ତା କଥାକୁ ଭାବି ହସିବାକୁ ବେଳ ନ ଥାଏ କାହାର । ଖାଲି ଗୋଟିଏ ମନକୁ ହେମନ୍ତ, ଯେ କିଛି ଅଟକି ଯିବ ନାହିଁ । କେହି ଭୋକରେ ମରିବେ ନାହିଁ । ସବୁ ଚଳିଯିବ ଆପେ ଆପେ, ନୋହିଲେ–ଦେଖା ଯିବ ।

 

କିନ୍ତୁ ଜିଲି ଆଉ ବିଲି ପାହାଡ଼ର ପ୍ରଜାପତି ସିନା, ପୁରୁଷର ହେମନ୍ତ ତାଙ୍କର ନାହିଁ । ହଁ, ପାହାଡ଼ି ଝିଅ ଶୋଇ ଶୋଇ ଦିନ କାଟେ ନାହିଁ । ସେ କ୍ଷେତରେ ଅଣ୍ଟାଭିଡ଼ି ମାଟି ହାଣେ, ଘରେ ରାନ୍ଧେ ବାଢ଼େ । ସଂସାର ଚଳାଏ । ମୁଣ୍ଡରେ ପସରା ଧରି ବାଡ଼ିର ଫସଲ ଦି’ଟା ବିକି ଲୁଣ ମରିଚ ଓ ପୁରୁଷ ଲୋକଙ୍କ ପାଇଁ ପିକା ଦି’ମେଞ୍ଚା କିଣିବାକୁ ଖରାଏ ତରାଏ ହାଟ ହାଟ ବୁଲେ । ସେ ଭାରି ପରିଶ୍ରମୀ ସତ, କିନ୍ତୁ ସବୁ ପରିଶ୍ରମ ତା’ର ପୁରୁଷ ପିଲାକୁ ଆବୋରି ଧରି । ସେ ପସରା ମୁଣ୍ଡାଏ, କିନ୍ତୁ ଦାୟିତ୍ୱ ମୁଣ୍ଡାଏ ନାହିଁ । ତେଣୁ ତା’ର ବେଳ ଥାଏ ବସି ବସି ମୁଣ୍ଡରେ ଫୁଲ ଖୋସି ମୁଣ୍ଡ ବାନ୍ଧିବାକୁ, ରଙ୍ଗଢଙ୍ଗରେ ଗୁରେଇ ତୁରେଇ ଲୁଗାଖଣ୍ଡିକ ସଜାଡ଼ି ପିନ୍ଧିବାକୁ, ବାଟରେ ଘାଟରେ ପୁରୁଷ ପିଲା ଦେଖିଲେ ଉପରେ ପଡ଼ି କଉତକ ଲଗାଇବାକୁ ।

 

ସେଇ ତା’ର ଜୀବନର ଗୁପ୍ତ କଥା, ତା’ର ଦାୟତ୍ୱ ବୋଝ ନାହିଁ । ତେଣୁ ତା’ର ହାଟ ଯିବା ଖାଲି ଗୋଟିଏ ଶୋଭାଯାତ୍ରା, ବାଟଯାକ ଆଖୁ ଚୋବେଇ ଚୋବେଇ, ଫୁଲ ତୋଳି, ଗଭା ଶୋଭନ କରି, ଗୀତ ବୋଲି, ହସ କୁହାଟ ଛାଡ଼ି ଭାସିଲା ପରି ସେ ଚାଲିଯାଏ, ପାହାଡ଼ ଦେଶର ଶ୍ରୀ ଓ ଶୋଭା, ନାରୀ ।

 

ଏଇ ଦୁଇ ଭଉଣୀଙ୍କ କଳ୍ପନା–ଗଢ଼ା କାଉଁରି ହାଡ଼ ହଜି ଯାଇଥିଲା । ତାଙ୍କ ଲଟାରେ ଫୁଲ ଊଣା ନାହିଁ, କିନ୍ତୂ ତଳର ରଞ୍ଜା ଓଟାରି ଦେଇଛି ।

 

ପ୍ରଥମେ ଜାଣିଲା ଜିଲି–

 

ସେଦିନ କି ଯୋଗେରେ ତା’ର ସକାଳ ପାହିଥିଲା, ମନଟାଯାକ ଖାଲି ହସଖୁସି । ବାଗ୍‍ଲା ଏବାଟେ ସକାଳୁ ଯାଇଛି । ଗଲାବେଳେ ଦୁହେଁ ଚାହାଁଚାହିଁ ହୋଇଥିଲେ, ଦୁହେଁ ଏକାବେଳକେ ହସି ଉଠିଥିଲେ ।

 

କ’ଣ ସେଦିନ ଜିଲିକୁ ଓଟାରି ନେଇଥିଲା ବାଗ୍‍ଲା ଅତି ପାଖକୁ ବୋଲି । ଏତେଦିନ ଭାସି ଭାସି ମନ ଆଜି ତା’ର କୂଳରେ ଲାଗିଥିଲା । ହଠାତ୍ ଆଜି ଦିଗବାଟ ଭୁଲି ମନ ଛୁଟି ଯାଇଥିଲା ଅଳ୍‍ସିଫୁଟା ନିଛାଟିଆ ପାହାଡ଼ ଢାଲୁ ତଳେ ତଳେ କେଉଁ ପାଣିଡିଆଁ ଝରଣା ପାଖକୁ, ଯେଉଁଠି ଡୁଡୁମା (ଅର୍ଥାତ୍ ଜଳପ୍ରପାତ )ର ତାଳେ ତାଳେ ମନ ନାଚେ, ଇନ୍ଦ୍ରଧନୁ ଫୁଟେ, ମୟୂରର ଯାତ୍ରା ଲାଗେ, ଛଉଛଉକା ହରିଣ ଶିଙ୍ଗ ଟେକି ଆସି ଠିଆ ହୋଇ ପବନର ବାସନା ନିଏ । ସେ ମଠେଇ ମଠେଇ ଘରର ପାଇଟି ଛିଣ୍ଡେଇ ଥିଲା । ବିଲିକୁ କହିଲା, “ଯା ରଙ୍ଗମାଟି ଆଣିବୁ, ଆଜି ଘର ଲିପିବା ।”

 

ଭାବିଥିଲା ସେ, ଆଜି ବେଳ ମୁଣ୍ଡେଇ ଝାଳ ସରସର ହୋଇ ବାଗ୍‍ଲା ଯେତେବେଳେ ଏବାଟେ ଆସିବ, ଘରକୁ ଡାକି ଆଣିବ– ବହୁଦିନୁଁ ସେ ଏ ଘରକୁ ଆସି ନାହିଁ– ପୁଣି ଦି’ଭଉଣୀ ମୁହଁକୁ ମୁହଁ ଯାଡ଼ି ଦେଇ ବସି ତାଠୁଁ କଥା ଶୁଣିବେ, ଏଣୁ ତେଣୁ ଫରମାସି ଦେବେ, ଅଳି କରିବେ–“ସଞ୍ଜବେଳୁ ଆସିବୁ, ବୁଲିଯିବା ସେ ପାହାଡ଼ ସେକାନି”–

 

ଖରା ଲାଗିଲା । ବିଲି ମାଟି ଆଣି ଗଲା । ଜିଲି ଚୁଲିରେ ହାଣ୍ଡି ବସେଇ ଦେଇ ସଙ୍ଘା ଉପରକୁ ଉଠିଗଲା ଚାଉଳ ଆଣି ।

 

ଅନ୍ଧାରୁଆ ସଙ୍ଘାରେ ଗୋଟିଏ ପାଖେ ବାଉଁଶ କୁପାରେ ପଶି ଧାନ ମାଣ୍ଡିଆ ସଙ୍ଘା ହୋଉଥିଲା । ଦୁଇ ଭଉଣୀରୁ ଯାହାର ଯେତେବେଳେ ଦରକାର ସେ ନେଇଛି । କେହି କେବେ ଭାବି ନାହିଁ ।

 

ଆଜି ସରି ଆସୁଥିବା ଶସ୍ୟକୁ ଦେଖି ପହିଲି ଥର ଜିଲି ଭାବିଲା, ସତେ, ଏତେ ତ ଥିଲା, ଆଜି ସବୁ ସରି ଆସୁଛି । ଯାହା ଦୁଇଟା କୁପା ତଳେ ଲାଗି ଲାଗିରହିଛି, ସେତିକରେ ଆଉ କେତେଦିନ ବା । ତା’ ପରେ ?

 

ସେଇ ଅନ୍ଧାରୁଆ ସଙ୍ଗା ମୁହଁରେ ଗୋଟିଏ ଗୋଡ଼ ଶିଡ଼ିରେ ଆର ଗୋଡ଼ ସଙ୍ଗାରେ ରଖି ଅଧ ଆଉଜା ହୋଇ ଠିଆ ହୋଇ ଜିଲି ପାଣିମରା ଆଖିରେ ସାମ୍ନକୁହିଁ ଚାହିଁ ରହିଲେ । ବାପା ଭାଇ ଏବେ ନାହାନ୍ତି, ସେମାନେ ଆଉ କିଛି କରିବେ ନାହିଁ । କ୍ଷେତ ପଡ଼ିଆ ରହିବ । ଘରେ ଖାଇବାକୁ ନାହିଁ । ଆଜି ତାକୁ ଜଣାପଡ଼ିଲା, ପ୍ରକୃତରେ କେଡ଼େ ଗରିବ ସେମାନେ, ଗାଁ ଭାଇ ଆଉ ଯେତେ ସମସ୍ତିଙ୍କଠୁ ସେମାନେ ଊଣା । ଦୁଃଖୀର ହେଲେ ଜୀଉଣା ଅଛି, ତାଙ୍କର ନାହିଁ । ବାହା ପତେଇ ଦେବାକୁ ପିଠି ପତେଇ ଦେବାକୁ କେହି ତାଙ୍କର ନାହିଁ । ଘର ଫାଙ୍କା, କୁପା ଶୂନ୍ୟ, ପଦାରେ କି ଭିତରେ ଦମ୍ଭ ଦେବାକୁ ସୁଦ୍ଧା କେହି ନାହିଁ, କେହି ନାହିଁ, ସେ ଭାବିଲା–ଏହିପରି ଦିନେ ଦିନ ଆସିବ, ପୁରୁଣା ଖଦି ଦି’ଖଣ୍ଡ ଚିରି ଯାଇଥିବ, ନୂଆ ଖଦି ପାଇଁ ପଇସା ନାହିଁ ।

 

ତା’ପରେ ଜୀଉଣା ! ଭାବିବାକୁ ସୁଖ ଲାଗେ ନାହିଁ, ତଥାପି ତ ଆପେ ଆପେ ଭାବିହୁଏ-। ……ଏଇ କେତେମାସ ହୋଇଗଲା, ସାହିର ଲୋକେ ତାଙ୍କ ଘରପ୍ରତି କେମିତି ହୋଇଗଲେଣି । ଆଗେ କେତେ ଲୋକ ଆସୁଥିଲେ, ଏବେ ବିଲେଇ ଛୁଆଟିଏ ସୁଦ୍ଧା ନାହିଁ । ସାହିଭେଦାକୁ ନିଜେ ନାଇକ ମାଗିବାକୁ ଚାଲିଆସେ, ଏତେ ପଇସା ଦିଅ ଏତେ ପଇସା ଦିଅ ବୋଲି ଝଗଡ଼ି ବସେ, କାହିଁ ଏବେ କେହି ତ ମାଗିବାକୁ ଆସେ ନାହିଁ, ତେବେ କ’ଣ ଲୋକ ରାଣ୍ଡି ଛିଣ୍ଡୀ ଘରଠୁ ବି ନ୍ୟୂନ ମନେ କଲେଣି । ହୋଇଥିବ, ଯାହାର ସବୁ ଯାଏ ତାହାର କ’ଣ ଥିଲା କେହି ଭାବି ବସନ୍ତି ନାହିଁ । ଗାଁ ଦାଣ୍ଡରେ ସଞ୍ଜରେ ଯେତେବେଳେ ନାଚ ଜମେ ଆଗେ କେତେ ଧାଂଡ଼ୀ ମାଡ଼ି ଆସୁଥିଲେ ଉପରେ ପଡ଼ି, କିଏ କାନ ପାଖେ ଆସି ଡୁଙ୍ଗୁଡୁଙ୍ଗା ବଜେଇ ଗୀତ ବୋଲି ଯାଉଥାଏ, କେତେଥର ଏବେ ଏପରି ହେଲାଣି, ସୁଅ ଏଣିକି ବୁହେ ନାହିଁ, ତେଣେ ତେଣେ ଗଡ଼ି ଚାଲିଯାଏ । ମନ ଭିତରେ ଜଳନ୍ତା ଇର୍ଷା ଭିତରେ ନାଚର ଆନନ୍ଦ ଉବେଇ ଟୁବେଇ ହୁଏ । କାହିଁକି ଏପରି ହେଲା– ?

 

ଦାଣ୍ଡର ଆଖି ଆଉ କୁପାର ପାଚି ଭିତରେ ସମ୍ବନ୍ଧ ଅନେକ ବେଶି । ହଠାତ୍ ବାରି ହୁଏ ନାହିଁ ସିନା, କ୍ରମେ ମନଗହୀରରେ ସୁଦ୍ଧା ତା’ର ଧ୍ୱନି ବାଜେ, ବୁଝି ହୁଏ ସେତେବେଳେ ଖୁବ୍ ଡେରିରେ ।

 

ଜିଲି ଆପଣାର ଅବସ୍ଥାକୁ ଏତେ ତଉଲି ଦେଖିପାରିଲା ନାହିଁ, ଆଁ କରି ଚାହିଁ ରହିଲା କୁପା ତଳକୁ, ଯେପରି ସେ ଏଇ ଥର ନୂଆ ହୋଇ ଦେଖି ବୁଝୁଛି । ଆଉ ସେତିକିବେଳେ ତା’ର ମନ ଭିତରେ ଅନେକ ଛୋଟ ଛୋଟ ସ୍ମୃତି ଦଳ ବାନ୍ଧି ଚାଲିଗଲା ଏପାଖ ସେପାଖ, କେଉଁଦିନ କେତେବେଳେ ଗାଁ ଟୋକୀଏ ହସି ହସି ଚାଲିଯାଉଥିଲେ ଏଇ ତା’ର ଘର ଦୁଆରମୁହଁ ବାଟେ, ଡାକିଲେ ଶୁଣିଲେ ନାହିଁ । କେଉଁଦିନ ସେପାଖ ଦାଣ୍ଡରେ ଫାଟି ପଡ଼ୁଥିଲା ହସ ଖୁସିର ରୋଳା, ତା’ର ଏପାଖ ଶୂନ୍ୟ, କେତେବେଳେ କେଉଁଟିକି ଅବହେଳା ତା’ର ମନକୁ କତୁରି ପକାଇଲା, ସବୁ–-

 

ମନ ଦବିଗଲା, ସକାଳର ସବୁ ଆନନ୍ଦ ମାଟି ହେଲା ।

 

ଠିଆହୋଇ ରହିଲା ଜିଲି, ଅନ୍ଧାରୁଆ ସଙ୍ଘା ଉପରେ ଗୋଟିଏ ପାଦ ରଖି, କେତେ ଅସଂଶ୍ଳିଷ୍ଟ ଭାବନା ଲେଉଟି ଲେଉଟି ଗଲା, ଆଉ ତା’ର ନାରୀ ମନରେ ପୂରିଗଲା ଲଜ୍ଜା, ଯେପରି ଲାଜରେ ଲାଜରେ ସେ ମାଟିରେ ମିଶିଯିବାକୁ ଚାହେଁ ଏଇ ଅନ୍ଧାରୁଆ ସଙ୍ଘାର କେଉଁ କଣରେ ।

 

ସେ ଦୁଃଖୀ, ଅନ୍ଧାର ତା’ର ଆଶ୍ରୟ । କିନ୍ତୁ ଜଗତରେ ଲକ୍ଷେ ଆଖି ଯେପରି ସବୁ କବାଟ ଛାତ ଫୁଟାଇ ତା’ର ଧାନ ମାଣ୍ଡିଆର ଶୂନ୍ୟ କୁପାକୁ ନିରେଖି ଚାହେଁ, ତା’ର ଅନ୍ଧାରି ଅସ୍ତିତ୍ୱରେ ଲକ୍ଷେ ଛିଦ୍ର ଫୁଟାଇ ଆଲୁଅ ପୂରେଇ ଦେବାକୁ ଚାହେଁ, ଯେଉଁ ଆଲୁଅର ବିଷରେ ହାଡ଼ରୁ ମାଂସ ଝଡ଼ିପଡ଼େ, ଆଉ ଝଡ଼ିପଡ଼େ ପ୍ରାଣର ସବୁ ବଉଳ, ସବୁ ସୁବାସ–ସବୁ ଚାଲିଯାଇ ପ୍ରାଣ ଶୂନ୍ୟ ହୁଏ, ଜ୍ୟେଷ୍ଠର ଡାଙ୍ଗ ସରୁସରୁ ଦର୍‍ହପୋଡ଼ା ଡଁଗର ପରି ।

 

ଜିଲି ଗୋଟିଏ ଗୋଟିଏ ଓହ୍ଲେଇ ଆସିଲେ । ଥକାକ୍ ହୋଇ ଗାଲରେ ହାତ ଗାଲ ରଖି ବସି ପଡ଼ିଲା କୁଡ଼ିଆ ଭିତରେ । ତା’ର ଭାବନା ବହୁତ ।

 

ମାଟି ବୋଝେ ଧରି ବିଲି ଫେରିଲା । ଡାକିଲା, “ଅପା, ଘର ଲିପିବା ପରା ?”

ଜିଲି କହିଲା, “ଆଜି ତା’ ଥାଉ ତା ।”

ଥୋଟାଗୁଡ଼ାରେ ସାହୁକାର ରାମ ବିଶେଇ ଘର–

 

ପାହାଡ଼ ଛାତି ଚିରି ଚିରି ଆସି ନାଲି ନାଲି ଶଗଡ଼ ରାସ୍ତା ତା’ର ଆଗ ଦାଣ୍ଡରେ ଗଣ୍ଠି ଭିଡ଼ିଛି, ଯେତେବେଳେ ଦେଖିଲେ ଖାଲି ଶଗଡ଼ ପୁଞ୍ଜାଏ ଦି’ ଦି’ପୁଞ୍ଜା ଏଠି ସେଠି ବିଞ୍ଚିହୋଇ ପଡ଼ିଥିବ । କାହାର ଅଖ ସଜଡ଼ା ହେଉଛି, କେଉଁଥିରେ ନୂଆ ଫିତା ଚକରେ ଭିଡ଼ା ଲାଗିଛି, କେଉଁଟା ସେହିପରି ଥୁଆ ହୋଇଛି କାମକୁ ଅପେକ୍ଷା କରି, ପିଲାମାନେ ନାଚିକୁଦି ଦୋଳି ଖେଳୁଛନ୍ତି ।

 

ଘର ଆଖପାଖରେ ଅବଶ୍ୟ ଚାରି ପାଞ୍ଚୁଟା ଘୋଡ଼ା ଆଗ ଗୋଡ଼ ଛନ୍ଦାହୋଇ ନାଚି ନାଚିକା ଘାସ ଟୋକୁଥିବେ ।

 

ଆଉ ପାଞ୍ଚ ଦଶଟା ହାତୀ ପରି ବଳଦ ଶୋଇ ଶୋଇ ଘୁଙ୍ଗୁଡ଼ି ମାରୁଥିବେ, ବେକ ଚାରିପାଖେ ମାଛି ଆଉ କାଉ ।

 

ତା’ପରେ ତା’ର ଘର । ପ୍ରଥମେ ସାଉଡ଼ି ସାଉଡ଼ି ମାଟିଘର, ତା’ର ଭଣ୍ଡାର । ଘରେ ଘରେ ଧାନ ମାଣ୍ଡିଆ, ବସ୍ତା ଓଳିଆ ଓଦର କୋରମଇ, ତା’ପରେ ତା’ର ଭିତରି ଭଣ୍ଡାର ଓ ଦୁଆର-। ଦୁଆରେ ଲମ୍ବ ଲମ୍ବ ତାଟି, ଧାନ ଅଳ୍‍ସି ମରିଚ ହଳଦି ଶୁଖୁଥିବ । ତା’ର ଦୁଆରଟା ଗୋଟିଏ ବଡ଼ ଖଳା । ତା’ପରେ ତା’ର କୋଠଘର, ଦକ୍ଷିଣର ତେଲେଙ୍ଗା ସାହୁକାରଙ୍କ ଘର ଛାଞ୍ଚରେ, ପିଣ୍ଡାରେ ବସ୍ତାମାଳ, ସେର ତରାଜୁ, ଭଙ୍ଗା ଦଦରା ଖଟଚୌକି, ତା’ପରେ ଲୁହାଗୋବମରା ବଡ଼ କାଠ କବାଟ ।

 

ଘର ପାଖ ହେଲେ କିପରି ଗୋଟିଏ ଗମରା ଗନ୍ଧ ଜଣାପଡ଼େ । ଅଗଣାରେ ପଶିଲେ କ୍ରମେ ପରିଷ୍କାର ହୋଇ ବାରିହୁଏ । ଏଇ ଗମରା ଗନ୍ଧ, ବଳଦର ଆଉ ଗୋତିର ଝାଳ, ସାଇତା ହୋଇଥିବା ପୁରୁଣା ଫସଲର ବାମ୍ଫ, ଆଖରେ ଖତକୁର, ଯୁଗଯୁଗର ଧୂଳି । କାରବାରୀ ଲୋକ ସେ, ସବୁ ମିଶି ତା’ର ଧନ ଦଉଲତର ସୁବାସ । କୁହୁଡ଼ି ପରି ଗାଁ ଆବୋରି ଉପରକୁ ଉଠେ, ପଦାକୁ ଆପଣାକୁ ଫୋଫାଡ଼ି ହୁଏ, ଜଣେଇ ଦିଏ କେଡ଼େ ବଡ଼ ସେ ଖାନ୍‍ଦାନି ସାହୁକାର ରାମଚନ୍ଦ୍ର ବିଶେଇ ।

 

ସବୁ ତା’ର ଘର ପାଖେ ବଡ଼ ବଡ଼ ଲେମ୍ବୁତୋଟା, ବଡ଼ ବଡ଼ କ୍ଷେତ, ଜମିଜମା, ଘରବାଡ଼ି ସବୁ ।

 

ଆଉ ଠିକ୍ ତା’ର ଘର ଖାନବାଡ଼ି ସେପାଖେ, ଦୁଇ ପାଖକୁ ଦୁଇଟି ସାନ ସାନ ପଲ୍ଲୀ । ସେଠି ଘରର ଚାଳ ଭଙ୍ଗା ଦନ୍ଥଡ଼ା ହାଲିଆ ଘାଲିଆ ହୋଇ ଗୋଟିଏ ଗୋଟିଏ କରକୁ ଆଉଜି ପଡ଼ିଛି, ଉପରେ ପରିଛପର ଠାଏ ଠାଏ ଉଡ଼ିଯାଇ ତୁଚ୍ଛା ଡାଙ୍ଗଗୁଡ଼ିକ ଦିଶୁଛି, ତଳେ କାନ୍ଥ ଭଙ୍ଗା ଫଟା, ଚାଳ ଉପରୁ ସ୍ଥାନେ ସ୍ଥାନେ ଛିଣ୍ଡା କରିହା ସବୁ ଝୁଲୁଛି, ଅଗଣାରେ କୁକୁଡ଼ା, କୁକୁର ଆଉ ଅସନା ଅପୋଛା ଅବର୍ଦ୍ଧା ପିଲା, ସବୁବେଳେ କାନ୍ଦଣା, ଗରିବଙ୍କ ଘରକରଣା, ଯାହାଙ୍କର ଖାଇବାକୁ ଖାଦ୍ୟ ନାହିଁ, ପିନ୍ଧିବାକୁ ଖଦି ନାହିଁ ।

 

ସାହୁକାର ଘରର ବେଶି ଶୋଭା ବଢ଼େଇ ଦିଏ ଦି’ପାଖର ଏ ଦୁଇ ପଲ୍ଳୀ ।

 

ଏ ଦୁଇପାଖ ଯେପରି ମରିଛି । ଖାଲି ଏଇ ପିଲା ଦି’ତିନି ଗଣ୍ଡାକୁ ଛାଡ଼ିଦେଲେ ଅନ୍ୟମାନେ କିଏ କେତେବେଳେ ଏ ଘରେ ଦିନବେଳା ଥାଆନ୍ତି ତାହା ଠିକ୍ ଜଣାପଡ଼େ ନାହିଁ । କିଏ କେତେବେଳେ ଯାଏ ଆସେ, ଖାଲି ପଡ଼ିଥାନ୍ତି ପିଲାଗୁଡ଼ିକ, ମାଡ଼ ମରାମରି ହୁଅନ୍ତି, କାନ୍ଦନ୍ତି ବୋବାନ୍ତି, ଏହିପରି ସକାଳେ ଯାଇ ସଞ୍ଜ ଆସେ ।

 

ଠିକ୍ ଏତିକିବେଳେ, ଯେତେବେଳେ ଗରିବର ଘରକରଣା ସୁକୁସୁକୁ ହୋଇ ଚାଲିଥାଏ, ଶସ୍ୟ ବୋଝେଇ ହୋଇ ପଲ ପଲ ଲଦା ବଳଦ ଆସନ୍ତି, ଚାରିଆଡ଼ୁ ରାସ୍ତାରେ ବୁଢ଼ିଆଣୀ ଜାଲରେ କେତେ ଶଗଡ଼ ଗାଡ଼ି ଯାଏ ଆସେ, ଗୋଟା ଗୋଟା ଜଙ୍ଗଲ ଚାଲିଆସିଲା ପରି କାଠପତ୍ର ବୋଝେଇ ହୋଇ ଅସୁମାରି ଗୋତିପଲ ମାଡ଼ିଆସନ୍ତି, ସମସ୍ତେ ଚାଲିଯାଆନ୍ତି ସାହୁକାରର ମହୁଫେଣା ପରି ଭଣ୍ଡାର ଆଡ଼କୁ । ସେଠି କାଉ, ସେଠି କୁକୁର, ସେଠି ଘରଚଟିଆ, ସେଠି ମଣିଷ, ସେଠି ରାଇଜଯାକର ଛାରପୋକ ଆଉ ଅସରପା, ସେଇ ସାହୁକାର ଘରେ ।

 

ବଡ଼ ବଡ଼ ପ୍ରଭୁ ଅଧିକାରୀ ଆସିଲେ ସମସ୍ତେ ତା’ରି ପିଣ୍ଡାରେ ବସା । ଦୁଇ ପାଖରେ ଫାଙ୍କା ଫାଙ୍କା ଭଙ୍ଗା ଦଦରା ପଲ୍ଲୀ ତାହା ଘରର ଶିରୀ ବଢ଼େଇ ଦିଏ, ଡେଙ୍ଗାକୁ ଟିଂପା (ଅର୍ଥାତ୍ ବାଙ୍ଗର) ପରି, ଗୋରାକୁ କଳା ପରି, ଦମକକୁ ଖାଲ ପରି ।

 

ସେମାନେ ମଧ୍ୟ ବୁନିୟାଦି, ଏଇ ଦୁଇ ପାଖର ଲୋକେ । ଯୁଗେ ଯୁଗେ ତାଙ୍କର ବାପ ଗୋସାପେ କାମଧନ୍ଦା କରି ଖାଇ ଚଳିଛନ୍ତି । ଜମିଜମା ସବୁ ସାହୁକାର କ୍ରମେ ନେଇଯାଇଛି, ସେମାନେ ସଂକୁଚିତ ହୋଇ ଯାଇଛନ୍ତି । ଘର ସାମ୍ନରେ ସାହୁକାରର ବଡ଼ ମଦକୋଠି । କାମ ଧନ୍ଦା ପରେ ମଦଟୋପାକ ଲାଗେ ସୁଆଦ, ଦିନୁ ଦିନ ଦିନୁ ଦିନ ଯହୁଁ ଯାଏ, କେବେ ଦିନେ ସାହୁକାର କହେ, “ହେ ତୋ ଉପରେ ତିନି କାଡ଼ି ଟଙ୍କା ହେଲା, ଟଙ୍କା ଦବୁ କି ଭୂମି ଦବୁ ?” ଏବେ ମଦ ଦୋକାନ ନାହିଁ, କିନ୍ତୁ ଭୂମି ସବୁ ସରିଛି ।

 

ଏଇ ଭଙ୍ଗା ଦଦରା ଘରଗୁଡ଼ାକର କୋଟଳିଆ ଆଖି ଆଗରେ କେତେ ସାନବଡ଼ ଘଟଣା ବଡ଼ଘର ଦାଣ୍ଡ ସାମ୍ନାରେ ଘଟିଯାଇଛି, ଫଟା ଘର ଖାଲି ଚାହିଁ ଚାହିଁ ରହିଛି, ବାଆ ବତାସି ସହିଛି, ଆଁକରି ଚାହିଁ ଦେଖିଛି, ଏଇ ଏତେ ବର୍ଷର ଇତିହାସ ।

 

ବଡ଼ ଘରେ ମାଟି ପଡ଼ିଛି, ଗୋଟି ଗୋଟି ହୋଇ ଘରର ସଂଖ୍ୟା ବଢ଼ିଯାଇଛି, ଦୌଲତଖାନ ହସି ଉଠିଛି ।

 

ସାନ ଘର ଛିଣ୍ଡିଛି ।

 

ବଡ଼ ଘର ଆଗରେ ରାସ୍ତା ଫିଟିଛି, ବଗିଚା ଲାଗିଛି, ଆମଦାନୀ ରପ୍ତାନି କାରବାର ଲାଗିଛି । ସାନଘର ଆଗରେ ବଢ଼ିଉଠୁଛି ପିରିଘାସର ବଣ, ଯେତେ ଅଳିଆର ଆଲ୍ରା କାବ୍ରା । ସବୁବେଳେ ଭୟ, କେତେବେଳେ ସାହୁକାର କୋପ ହୋଇଗଲେ ପୁଲିସ ଲୋକ ଲଗାଇଦେବ । ସେମାନେ ଲୁଇସେନ(ଲୁଇସେନ୍‌ସ)କେସୁ କରି ପକାଇବେ ।

 

ସାନ ଘର ଦେଖିଛି, ବଡ଼ ଘରେ ଆଗେ ଥିଲା ମଦଭାଟି, ତା’ପରେ ଖୋଲିଛି ଗୋଦାମ-

 

ସେଇ କେତେଦିନରେ କଥା ହୋଇଗଲା । କନ୍ଧ ପରଜା ରଇତ ଆସି ହାତଯୋଡ଼ି ମାଗୁଛି,“ସାହୁକାର, ପୁଟିଏ ଧାନ କରଜ ଦେ,’’ ସାହୁକାର କହିଛି ‘ନେ’ । ଗଲାବେଳେ ସାହୁକାର ପଚାରିଛି, ‘‘ପୁଟିଏ ନେଲୁ କିରେ ? ରଇତ କହିଛି, ‘ନେଲି ।’ ସାହୁକାର କହିଛି, “ଯା ଗୁମସ୍ତାକୁ କହି ଆ ।” ରଇତ ଫେରି ଆସି କହିଛି,“କହିଲି ।” ସାହୁକାର ଏହିକଥା କହିବାକୁ ତାକୁ ତିନି ଯାଗାକୁ ପଠାଇଛି ।

 

ତହିଁଆର ବର୍ଷ–

 

ପୁଟିଏ ମୂଳ ଆଉ ଅଧପୁଟିଏ ସୁଧ ବୋଝ ଧରି ରଇତ ଆସି କହିଛି, “ନେ ସାହୁକାର” ସାହୁକାର ଡୋଳା ଦି’ଟାକୁ କପାଳକୁ ଉଠେଇ ଦେଇ ପଚାରିଛି, “ କିରେ ଏ କ’ଣ ରେ ?” “ରଇତ କହିଛି, ପୁଟିଏ ମୂଳ, ଅଧପୁଟିଏ ସୁଧ ।” ସାହୁକାର ଜେରା କରିଛି, “କିରେ ପୁଟିଏ ମୂଳ କ’ଣ କିରେ ?” ମୋଠୁଁ ନେଲୁ ପୁଟିଏ, ଗୁମାସ୍ତାକୁ କହିକରି ନେଲୁ ପୁଟିଏ, ସାହୁକାରିଣୀକୁ କହିକରି ନେଲୁ ପୁଟିଏ, ମୋର ଗୋତି ମାଗି ଦେଲା ପୁଟିଏ, ଗଣିଲୁ କେତେ ପୁଟି ହେଲା ? ଚାରି ପୁଟି ସମୁଦାୟ ନା ? ସେଥିରେ ସୁଧ ଦୁଇ ପୁଟି, ଏମିତି ଛ’ପୁଟି ହେଲା । ଏ ଦେଢ଼ପୁଟି ତ କଳନ୍ତରକୁ ବି ଅଣ୍ଟୁ ନାହିଁ ।’’ ରଇତ ଆବା କାବା ହୋଇ ଏଣେ ତେଣେ ଅନେଇଁଛି, ଛେପ ଢୋକି କହିଦେଇଛି, “ହଇ, ହେଇଥିବ କାଇଁକି (ଅର୍ଥାତ ‘ପରା’) ସାହୁକାର ।” ସେଇ ଦିନଠୁଁ ରଇତ ଋଣୀ ।

 

ଫଟା ଘରେ କାନ୍ଥ ଖସି ପଡ଼ିଛି, ମୋଟା ଘରେ କାନ୍ଥ ପକା ହୋଇଛି । ଏହିପରି ଦିନ ଗଡ଼ି ଚାଲିଛି ।

 

ଦେଶିଆ ରଇତ ଧର୍ମକୁ ଡରେ, ସାହୁକାରକୁ ଡରେ । ଉଭୟ ଡର ଭିତରେ ପଡ଼ି ମୁଣ୍ଡ ତା’ର ଗୋଳମାଳ ଧରିଯାଏ । ତା’ର ହିସାବ ଦଉଡ଼ିରେ ଗଣ୍ଠି, ଗଣ୍ଠି ଗଣି ଗଣି ତା’ର ଦିନ ଯାଏ । ସାହୁକାରର ହିସାବ ଏସବୁ ଦଉଡ଼ି ଗଣ୍ଠିକୁ ବିଶ୍ୱାସ ଯାଏ ନାହିଁ, ତା’ର ହିସାବ ଥାଏ ଖୁବ୍‌ ମୋଟା ମୋଟା ପୋଥି ଭିତରେ, ଦେଖିଲେ ଆଖି ଖୋସି ହୋଇଯିବ । କେତେ ଅଙ୍କ, ଲେଖା, ମୁଣ୍ଡ, କଳା ଶିରା, ନାଲି ଶିରା ମିଶି ତା’ର ରୂପ, ସେ ଦିନୁ ଦିନ ନିଜର ବଂଶ ବଢ଼େଇ ଯାଏ କାଗଜ ଉପରେ, ଆଉ ପୋଷିବାର ଭାର ସବୁ ରଇତର ।

 

ସାନ ଘର ଦେଖିଛି, ଏଇ ପାହାଡ଼ ଖୋଲର ବୁଢ଼ୀଆଣୀ ଜାଲପରି ଘାଟି ରାସ୍ତା ଶଗଡ଼ଗୁଳା ଆଉ ଚଲାବାଟ ଦେଇ କେତେ ଲୋକ ଏଠିକି ଆସିଛନ୍ତି, କିଏ କାନିରେ ସବର୍ସ୍ୱ ଅଳଙ୍କାରର ପୁଡ଼ାଟିଏ ବାନ୍ଧି, କିଏ କାଉଡ଼ି ଭାରରେ ଜିନିଷପତ୍ର କାନ୍ଧେଇ, କିଏ ବା ଖାଲି ହାତରେ ଆପଣାର ନୁଖୁରା ମୁଣ୍ଡଟି କାନ୍ଧ ମଝିରେ ବୋହି,–ଢାଲୁ ରାସ୍ତାରେ କେତେ ପଦାର୍ଥ ଗଡ଼ି ଆସିଛି, ଏବେ ଆଉ ତା’ର ପତ୍ତା ନାହିଁ ।

 

ବର୍ଷ ବର୍ଷର ସାନ ବଡ଼ କେତେ ଇତିହାସର ମୂଳଦୁଆ ଉପରେ ସାହୁକାରର ବଡ଼ ଘର ବଢ଼ି ଉଠୁଛି ।

 

ଥରେଅଧେ ସାନଘର ଭୋକଶୋଷ ଦିନେ ଖୁଜୁ ବୁଜୁ ହୋଇ ଉଠିଥିଲା । ଏହିପରି ଖଣ୍ଡେ ଜମି, ଯାହା ସାହୁକାର ସାନ ପଲ୍ଲୀଠୁ ଛଡ଼ାଇ ନେଇଥିଲା, ବନ୍ଧକିସୂତ୍ର ନାଁରେ, ସେଥିରେ ମକା ଫସଲ ଫାଟି ପଡ଼ୁଥିଲା । ଚାରି ବାଡ଼, ଭିତରେ ଜଗୁଆଳି । ଡାହାଣ ପଲ୍ଲୀରେ ସନିଆଁ ପରଜା ଦୁଇଦିନ ଉପାସ ପଡ଼ିଲା ଉତ୍ତାରୁ ପୁଣି କଳେ ପାଣି ପିଇ ପେଟ ଭର୍ତ୍ତି କରିବାକୁ ଝୋଲାକୁ ଗଡ଼ି ଯାଉ ଯାଉ ବାଡ଼ ଭିତରେ ହାତ ପୂରେଇ ଦି’ଟା ମକା ତୋଳିଥିଲା, ଗୋଟାଏ ପାଟିରେ ପୂରେଇ ଥିଲା, ସେମିତି କଞ୍ଚା କଞ୍ଚା ଆରଟା ହାତରେ ଧରିଥିଲା । କିଏ ଜଣେ ପଡ଼ୋଶୀ ଅଧବାଟରେ ପଚାରିଦେବାରୁ ସତକଥା କହି ପକେଇଲା । ତା’ପରେ କଥାଟା ଉଠିଲା ସାହୁକାର କାନରେ । ତା’ ଉତ୍ତାରୁ, ମଝି ଦାଣ୍ଡର ସେ ମହୁଲ ଗଛରେ ବାନ୍ଧି ପକେଇ ହେଲା ମାଡ଼ । କେତେ ଯେ ମାଡ଼ ବରଷିଲା ! ସାହୁକାର ପୁଲିସ ଷ୍ଟେସନକୁ ରିପୋର୍ଟ କଲା । ଇନ୍‌କ୍ୱାରି ହେଲା । କେତେ ସାକ୍ଷୀ ଜମା ହେଲେ । କିଏ କହିଲା, ମୁଁ ବାଡ଼ ସେପାଖେ ବନ୍ଧାଡ଼ (ପାଇଖାନା) ବସିଥିଲି, ଦେଖିଲି । କିଏ କହିଲା, ମୁଁ ଗୋରୁ ଖୋଜୁଥିଲି । ଆକାଶରୁ ଖସିଲା ପରି ଆଉ କେଜାଣି କେତେ ପାଚିଲା ମକା ଆସି ଜମା ହେଲା, କାହୁଁ ଆସିଲା ଗୋଟାଏ ଟୋକେଇ, କେଉଁଠୁ ଗୋଟେ ଅଖା । କଥା ଛିଣ୍ଡିଲା ମଝି ରାତିରେ ସନିଆଁ ପରଜା ବାଡ଼ ଭିତରେ ପଶି ମକା ଚୋରି କରୁଥିଲା, ଅଖା ଭର୍ତ୍ତି ହୋଇ ସାରିଥିଲା, ଟୋକେଇ ଭର୍ତ୍ତି ହେବା ଉପରେ, ମଟ୍‌ ମଟ୍ ଶବ୍ଦ ଶୁଣି ମଞ୍ଚାରୁ ଜଗୁଆଳିମାନେ ଓହ୍ଲେଇ ଆସିଲେ । ତା’ପରେ ଏ ବଂଧାଡ୍‍ବସୁ ଗୋରୁଖେଦୁ ସାକ୍ଷୀମାନେ । ସଙ୍ଗୀନ୍‌ କେସୁ ।

 

ସନିଆ ପରଜାକୁ ଚାରିମାସ ଶିକ୍ଷା ହୋଇଗଲା ।

 

ସେହିଦିନୁ ସାନଘର ଲୋକେ ଖୁଜୁବୁଜୁ ହେବା ଛାଡ଼ିଦେଲେ । ଏତିକିରେ ସାହୁକାର ନିରସ୍ତ ହେଲା ନାହିଁ । କେତେବେଳେ ପ୍ରଭୁ ଅଧିକାରୀ ଆସିଲେ,–ସେମାନେ ପ୍ରାୟ ଆସନ୍ତି ଏ ବାଟେ, ସାହୁକାର ଗୁହାରି କରେ, “ଏଗୁଡ଼ାର ଲୋକ ମୋର ବାରିବଗିଚା ସଫା ଲୁଟି କରି ଖାଉଛନ୍ତି, ମୋର କ୍ଷେତରେ ଗୋରୁ ପୂରାଇ ଦେଉଛନ୍ତି, କଥା କହିଲେ ମୋର ଧାଂଡ଼ାମାନଙ୍କ ସାଙ୍ଗେ ମାଡ଼କୁ ଆସୁଛନ୍ତି ।” ପ୍ରଭୁ ଅଧିକାରୀ ସାହୁକାର ପିଣ୍ଡାରେ ବିଜେକରି ଦୁଇ ‘ଗୁଡ଼ା’ର ଲୋକଙ୍କୁ ହକେଇ ଆଣନ୍ତି, ନାଲି ଆଖି ଦେଖାନ୍ତି, କେହି କେହି ପଦେ ଅଧେ ଗାଳି ବି ଦିଅନ୍ତି, ସମସ୍ତଙ୍କୁ ବୁଝାଇ ଦିଅନ୍ତି, “ଜାଗ୍ରତା (ଅର୍ଥାତ ହୁସିଆର) ମେଡ଼ୁଆର (ଅର୍ଥାତ ‘ଅବାଧ୍ୟ’) ହୋଇଯାଉଛ ତୁମେମାନେ, ଫେର୍‌ ଯେମିତି ଏସବୁ କଥା ଆମ କାନରେ ନ ପଡ଼େ ।”

 

ସାନଘର ଆପଣାକୁ ଏହିପରିଭାବେ ସଂଙ୍କୁଚିତ କରେ । ସାହୁକାର ଭଲ ଅକ୍ତିଆର ରଖେ ।

 

ପୋଷେ ମାଣେ ଦେବା ଆଶାରେ ଏମାନଙ୍କ ଭିତରୁ ଅନେକଙ୍କୁ ସାହୁକାର କାମରେ ଲଗାଏ ବେଳେ ବେଳେ, କିନ୍ତୁ ଗୋତି ରଖେ ନାହିଁ, କାରଣ ଏମାନଙ୍କର ତ କିଛି ନାହିଁ, କାଳେ କିଏ ଆସାମ ପଳେଇ ଯିବ । ପ୍ରଭୁ ଅଧିକାରୀ ଆଇଲେ ଏଇମାନେ ପାଇଟି ପତର କରନ୍ତି, ଛାମୁଡ଼ିଆ ବାନ୍ଧନ୍ତି, ବୋଝ କାନ୍ଧେଇ ଯାଆନ୍ତି, ବେଳକାଳକୁ କିଛି କିଛି ମିଳେ ।

 

ସାହୁକାର ଅଧିକାରୀମାନଙ୍କ ଭଲ ଅସାରକୁ ଭାରି ଜଗେ, ତେଣୁ ତା’ର ନାଁ ଡାକ ହୁଏ ।

 

ଅତି ଉଦାସ ଲାଗିଲେ ଯେତେବେଳେ ଆଉ କେହି ନ ମିଳନ୍ତି ସାହୁକାର ଡକରା ପଠାଏ ସାନଗୁଡ଼ାକୁ । ସେତେବେଳେ ସେ ସାନଗୁଡ଼ାର ଧାଂଡ଼ୀମାନଙ୍କ ନାଚ ଦେଖେ । କାରଣ ଆଗ ଅଧିକାର ତା’ର, ପଛେ ବଳିଲେ ଆଉ ଯାହାର । ସାହୁକାର ମିଟି ମିଟି ଆଖିରେ ଅନାଏଁ । ଆଉ ଭୋଗ କରେ ।

 

ଉଦୁଉଦିଆ ଦି’ପହରେ ଥରେଅଧେ ବଡ଼ଘରର କେଉଁ ଗୋତି ପାଣି ମୁନ୍ଦାଏ ପିଇବାପାଇଁ ନୋହିଲେ ଧୁଙ୍ଗିଆ ଟିକିଏ ପିଇବାକୁ ନିଆଁ ମାଗିବା ପାଇଁ ଆରପାଖର ଭଙ୍ଗାରୁଜା ସାନଗୁଡ଼ାରେ ଯାଇ ଠିଆହୁଏ, ବିର୍‌ଶା ଘରେ କି ଆଙ୍ଗ୍ରା ଘରେ କି ଶିଡ଼ା ପରଜା ଘରେ ।

 

ଘରର ଘରଣୀ କାଠ ଘୋରଣାରେ ସୁଆଁ ପେଷୁ ପେଷୁ ହାତ ବନ୍ଦ କରି ସହାନୁଭୂତିରେ ପଚାରେ, “କି ଏତେ ପାଇଟି ଲାଗିଥିଲାରେ, ଝାଳ ଫିଟି ପଡ଼ୁଛି ଦେହରୁ, ବସି ପଡ଼ ଛଣେ ।”

 

ଗୋତି, ଏଠି ଉଶ୍ୱାସରେ ନିଃଶ୍ୱାସ ମାରିପାରେ, ଏଇ ଭଙ୍ଗା ନୁଆଁଣିଆ ଘର, ଏ ଘରର ଅବର୍ଦ୍ଧା । ସିଂଘାଣିନାକୀ ପିଲାମାନେ ସମସ୍ତଙ୍କ ସାଙ୍ଗେ ତା’ର ମନର ସମତାଳ ଅଛି । ଏଠି ସେ ଖାଇବା ଖାଦିରୁ ଭାଗ ମାଗିପାରେ । ଘରେ ପଶି ହାଣ୍ଡିରୁ ତୁମ୍ବାରେ ଅଜାଡ଼ି ନେଇ ରନ୍ଧା ମଦ ଟିକିଏ ପିଇପାରେ । ବେଳ ଅବେଳକୁ ଏଇ ତା’ର ଚଟିଘର, ଏଠି ଲାଜ ନାହିଁ, ଡର ନାହିଁ ।

 

ଏକା ନାହିଁ ଦୁଇଖଣ୍ଡ ପରା, ଗରିବ ଦୁଆରେ ଗରିବ କି କେବେ ନିରାଶ ହୁଏ ?

 

ଦୁନିଆର ସବୁ ଗୋତିଙ୍କ ପରି ସେ ମଧ୍ୟ ସଞ୍ଜପହରେ ଏଠି ବରଗଛ ମୂଳେ ବୈଠକ ଜମାଏଁ । ବଡ଼ ନିଆଁ ଜଳେ, ତା ଚାରିପାଖ ଗୋତିପଲ ଆଉ ଏଗୁଡ଼ାର ଲୋକେ ଏକାଠି ହୋଇ ଧୁଙ୍ଗିଆ ଟାଣନ୍ତି । ଆଉ ସେଠି ଚର୍ଚ୍ଚା ଚାଲେ, ଖୁବ୍‌ ବଡ଼ ବଡ଼ କଥା ପଡ଼େ, ଯାହାର ତତ୍ତ୍ୱ କେବଳ ଗୋତି ହିଁ ବୁଝନ୍ତି ।

 

କଳେ ଧୂଆଁରେ ସାହୁକାର ବିରୁଦ୍ଧରେ ଆପଣାର ସବୁ ରୁନ୍ଧିରଖା ଅଭିଯୋଗ ଅଜାଡ଼ି ଦେଇ ଗୋତି ଛାତିର ବୋଝ ଟିକିଏ ଉଶ୍ୱାସ କରିନିଏ ।

 

ବୁଦା ପରଜା କହେ, “ଭାରି ଭିଡ଼ ପାଉଟି ଏଠି, ଆଉ ଗୋଡ଼ହାତ ଫାଟି ପଡ଼ି କାଇଲା ପଡ଼ିଗଲେ ଦି’ ଦିନ ଶେଲ (ଛୁଟି) ମିଶା ସାହୁକାର ନି ଦିଏ ।”

 

ଆଇତା ପରଜା କହେ, “କହନା ତା କଥା, ଏମିତି ଖଟି (କୃପଣ) ଲୋକ ଗୋଟେ କେଉଁ ତାଲୁକରେ ହେଲେ ଖୋଜିଲେ ନ ମିଳେ ।”

 

ମନ୍ଧୁ ମୁଦୁଲି କହିଲା, “କେତେ ସୁନା ସାହୁକାର ରଖିଲାଣି କେଜାଣି ବାବୁ, ଆମେ ଖଟି ମରୁଚୁ ସିନା, ସାହୁକାର ଖାଲି ସୁନା ଗଦା କରୁଚି, କେମିତି ଚଞ୍ଚଳ ଚଞ୍ଚଳ ସୁନା କୁପା ମାରିଦେବ, ସେହି ଚିନ୍ତା ତା’ର, ନ ଖାଇ ମରୁ ପଛେ, ଖାଲି ସୁନା ସୁନା–”

 

“ଆଉ, ରାଇଜଯାକର ମାଇଁନା (ମାଇକିନିଆ) । ଡମ୍‌ ହେଉ ପରଜା ହେଉ କିରସ୍ତାନୀ ହେଉ, ଧାଂଡ଼ୀ ଗୋଟେ ଦେଖିଲେ ତା’ର ଓଠରୁ ପାଣି ଗଡ଼ିପଡ଼େ । ଛି !”

 

ବୁର୍ଜା ପରିଜା କହିଲା,“ଆରେ ଛି ବୋଲି ଦେଉଛୁ କିସ ? ସୁନା ବଢ଼ିଲେ ମାଇଁନା ବଢ଼େ-। ହେଲେ ଆଉ ଲୋକ ମାଇଁନା ରଖିଲେ ତାକୁ ସୁନାବାନା ଦେବେ, ଏଟା କିଛି ଦେବ ନାଇଁ, ଯୁଠୁ ହେଲେ ସିଠୁ ଝିକି ଆଣିବ, ପୁଣି ଦୁଇଦିନ ରଖି ଛାଡ଼ିଦେବ, ସେ କାନ୍ଦି କାନ୍ଦି ଘରକୁ ଯାଉ, ବଡ଼ ଝୋଲାରେ ବୁଡ଼ି ମରୁ ।”

 

ସିଡ଼ା କହିଲା, “ବଡ଼ ଖରାପ ଲୋକ ଏଟା, କିସ୍‍ କରିବି, ବିଭା ହେବାକୁ ଝୋଲା ଦେବା ନିମନ୍ତେ କୋଡ଼େ ପାଁଚ୍‌ ଟଙ୍କାକୁ ଗୋତି ଗଲି ପାଞ୍ଚ ବରଷକୁ, କେବେ ଟଙ୍କା ଛିଡ଼ିବ କି ନାଇଁକି, ଭଲା ମାଇଜି ଆଣିଲି ମୁଇଁ । ଦିନରାତି ଖାଲି ଜାଟି ଲଗେଇଲା ମୋର ସାଙ୍ଗେ ମୋରଣ ଧାଂଡ଼ୀ, କିସ୍‌ ବିଭା ହେବା ବୋଲି କହୁଛି ସବୁଦିନେ, ନଉନାଉଁ କିଛି ନାହିଁ, ପୁଣି କାଠୁ ଟଙ୍କା ଖାଇକରି ମୋର ବାପା ମାଁ କାହାକୁ ଦେଇଦେବେ ମୋତେ, ସେତେବେଳେ ମୁଇଁ କିସ୍‌ କରିବି ? ତା’ର ବାପା ମିଶା ଆଚ୍ଛା ଖଟି ଲୋକଟେ ବନ୍ଧୁ ପରଜା, ନାଇଁ ବୋଇଲି ନାଇଁ, ଗୋତି ଗଲି । ଏବେ ଦେଖୁଚି ଦୁଇ ମାଇଜି ଅଣ୍ଡ୍ରା ଆସାମ୍‌ ପଳେଇଲେ ଭଲ ହେବ, ସବୁ ରକତ୍‌ ମାଉଁସ ଝୁଣି କରି ଖାଉଚି ।”

 

ସେଇ ସଭାରେ ସୁକୃଜାନି ଟିକ୍ରିଜାନି ମାଣ୍ଡିଆଜାନି ଥାଆନ୍ତି, ସେମାନେ ବି ଧୂଆଁ ପିଅନ୍ତି, କଥା ଗପନ୍ତି ।

 

ଶେଷରେ ସାବସ୍ତ୍ୟ ହୁଏ,“ଶୁଣ୍ଢି ପିଲା ନୁହେଁ, ଏଟା ଡମ୍‌ ପଟ୍‌କାର୍‌ ।”

 

ସାନସାନଙ୍କ ନିନ୍ଦାସ୍ତୁତି ବଡ଼ ବଡ଼ଙ୍କ କାନରେ ପଡ଼େ ନାହିଁ, ବଡ଼ବଡ଼ିଆ କେବଳ ପାଉଁଶ ଦେଖନ୍ତି, ଯାହା ସେମାନେ ପୋଡ଼ିଥାନ୍ତି ତାହାରି ପାଉଁଶ, ନିଆଁ ଦେଖନ୍ତି ନାହିଁ ।

 

ନିଆଁ ନିଜେ ନିଜକୁ ପୋଡ଼େ, ଆଉ ମାନ୍ଦା ହୋଇପଡ଼ି ରହିଥାଏ କେଉଁ ଭବିଷ୍ୟତର ମାହେନ୍ଦ୍ର ବେଳାକୁ ଅପେକ୍ଷା କରି ।

 

ଚଇତର ପାଖାପାଖି, ଗୋତି ଛୁଟି ପାଇବ ।

 

ନିତିଦିନ ସକାଳୁ ସଞ୍ଜଯାକେ ତା’ର ଖଟଣି, କାରଣ ଚଇତ ପବର୍କୁ ପନ୍ଦରଦିନ ଛୁଟି ଦେବ ବୋଲି ସାହୁକାର ଆଗରୁ ଆଗରୁ ବଳକା କାମ କରେଇ ନେଉଛି, ହିସାବୀ ସାହୁକାର ସେ ।

 

ସୁକୃଜାନି ଘର ତିଆରି କରୁଛି, ଟିକ୍ରିଜାନି ବାପ ସହିତ ମିଶି ଖଟୁଛି, ମାଣ୍ଡିଆଜାନି ଚାରିଟା ଛାଡ଼ି ପାଞ୍ଚଟା ଦଉଡ଼ି ଖଟ ବୁଣୁଛି, କିନ୍ତୁ ତଥାପି କାମ ସରି ନାହିଁ । ନିତି ନିତି ନୂଆ ନୂଆ କାମ ସରି ନାହିଁ । ନିତି ନିତି ନୂଆ ନୂଆ କାମ ଆସିଛି, ଗୋତିର କାମ ସବୁଦିନେ ।

 

ସାହୁକାର ପ୍ରତିଦିନ କହେ–ଏଇଟା କର, ସେଇଟା କର । ଗୋତି ଭାବେ, ଏତକ ସରିଗଲେ ବୋଧହୁଏ ବସି ବସି ଝାଳ ମାରି ହେବ ଟିକିଏ । କିନ୍ତୁ ସେ ସୁଖର ଦିନ କେବେ ଆସେ ନାହିଁ । ଗୋତି ଖଟି ମରେ ।

 

ହାଟ ଦିନ ଲଦାବଳଦ ଘେନି ଅନ୍ୟାନ୍ୟ ଗୋତିମାନଙ୍କ ସହିତ ମାଣ୍ଡିଆଜାନି ହାଟକୁ ଯାଏ । ବାଟଯାକ ଭାବିଭାବି ଯାଏ, କାଜୋଡ଼ି ଯଦି ହାଟକୁ ଆସିଥିବ । ବାଟ କଟିଯାଏ, ହାଟସରେ, କାଜୋଡ଼ିର ଦେଖା ମିଳେ ନାହିଁ ।

 

ଟିକ୍ରାଜାନି ଦିନେ ଦିନେ ହଳ ଧରେ ଆଉ ଦିନେ ଦିନେ ଗୋରୁ ଚରାଇ ଯାଏ ଡଁଗରକୁ-। ଜଙ୍ଗଲ ଭିତରେ ଗୋରୁ ମେଲିଦେଇ ଗଛମୂଳେ ସେ ବସିପଡ଼େ । ଅନ୍ୟାନ୍ୟ ଗାଈଆଳ ଟୋକାଙ୍କ ସାଙ୍ଗେ ଖେଳ ଖେଳେ । ବଇଁଶୀର ସ୍ୱର ଥରେଇ ଦେଇ ଆଖପାଖ ଖାଲ ଭିତରେ ଥିବା କାଠକଟାଳି ଟୋକୀଙ୍କ ସାଙ୍ଗେ ଗୀତ ଯୋଡ଼େ । ତା’ରି ଜୀବନ ଏକା ସୁଖର, କାରଣ ଭବିଷ୍ୟତ ଗୋଟାକ ତା’ର ଆଖିଆଗରେ ।

 

ସୁକୃଜାନି ବିଲ ତଷେ ।

 

ଚଇତରେ ଖରା କାଟେ, ଆକାଶରେ ମେଘ ନ ଥାଏ । ସବୁ ସଫା, ପବନର ହାବୁକାରେ ନୂଆ ପତ୍ରଗୁଡ଼ିକ ଗଛ ଦେହରେ ନାଚିଉଠେ, କାରଣ ଚଇତ ନାଚର ଦିନ ।

 

ଝିମା ଝିମା ଜଙ୍ଗଲ ଭିତରେ ଏଠି ସେଠି ଗୋଟା ଗୋଟା ଗଛ ଅତି ନାଲି ଫୁଲରେ ରକ୍ତାକ୍ତ ହୋଇଉଠେ, ଶିମିଳି, ଧାତୁକୀ, ପଳାଶ ଓ ଜଙ୍ଗଲରେ କେତେ ନୂଆ ନୂଆ ନାଲିନାଲି ଫୁଲର ପେନ୍ଥା ।

 

ଆସନ୍ତି ନୂଆ ପ୍ରଜାପତି ରଙ୍ଗର ଖଣ୍ଡ ଖଣ୍ଡ କଣିକା ସେମାନେ । ଚଇତର ପବନ ଉଡ଼ିବୁଲିବାକୁ ମନହୁଏ ।

 

ନୂଆ ଫୁଲ, ନୂଆ ପତ୍ର, ନୂଆ ଚଢ଼େଇ , ସମସ୍ତିଙ୍କ ପ୍ରବଣତା ସେଇ ଗୋଟାଏ ରଙ୍ଗ ଆଡ଼କୁ–ଲାଲ ।

 

ଏଇ ନାଲି ବିଦ୍ରୋହରେ ରକ୍ତ ମାତି ଉଠେ, ସାନ କେବ୍‌ଡା ବଡ଼ ମୃଗୁଣିକୁ ଶିଙ୍ଗରେ ମାରେ ଭୁଷାଏ, ଧାଂଡ଼ା ନୂଆ ଆଖିରେ ଧାଂଡ଼ୀକୁ ଅନାଏଁ । ଚଇତରେ ମାଗଣ ଲାଗେ ।

 

ଏ କେବଳ ଗୋଟାଏ ପାଖ, ନୂଆ ସୂର୍ଯ୍ୟର ନାଲି ରଙ୍ଗର ଆଭାସ, ଯେଉଁ ନାଲି ସୃଷ୍ଟିର ସର୍ଜନର ପ୍ରତୀକ ତା’ରି, ବସନ୍ତର ରୂପକ ଯେ ଫଗୁ, କାରଣ ଚଇତ୍ରରେ ହିଁ ମାଳ ଅଞ୍ଚଳରେ ବସନ୍ତ ଆସେ ।

 

ତା’ପରେ ଆର ପାଖ, ଚଇତର ଉଦାସୀ ପବନରେ ଯେତେବେଳେ ମଲା ପତର ଚକାଭଉଁରୀ ଖେଳି ଖେଳି ଉଡ଼ି ଉଡ଼ି ଯାଏ, ଖଣ୍ଡିଆଭୂତର ଧୂଳି ମେଘରେ ମିଶି, ଯେତେବେଳେ ପବନର ହାବୁକା ଥୁଣ୍ଟା ବଣରେ ପଶି ଡାଙ୍ଗ ସରୁ ସରୁ ମଲା ଗଛଗୁଡ଼ାକର ମଞ୍ଜ ଥରେଇ ଯାଏ, ପବନରେ ସତେ କି କାନ୍ଦଣା ମିଶିଯାଏ, ମଲା ହଜିଲାର ଅବସୋସ, ଉଦାସ ଦୀର୍ଘଶ୍ୱାସ ।

 

ରଇତର ଅବସୋସ ଯାଏ ।

 

ଦିନ ପନ୍ଦରଟି ମଉଛବ କରିବା ପାଇଁ ରଇତ ମାସକ ଆଗରୁ ଲାଗିପଡ଼େ, ମାସେ ଆଗରୁ ଠୁଳ କରିବାକୁ ଆରମ୍ଭ କରିଦିଏ ପନ୍ଦରଟି ଦିନର ସରଞ୍ଜାମ । କାଠ କାଉଡ଼ି ଯେତେ ସରଞ୍ଜାମ ସବୁ, କାରଣ ଏ ପନ୍ଦର ଦିନ ଭିତରେ ତୁଚ୍ଛା ଆନନ୍ଦହିଁ କରିବ, ନାଚିବ, ଗାଇବ, ମଦ ପିଇବ, ବଣକୁ ଯିବ ଶିତକାର କରି, ଯେପରି ବଞ୍ଚିବାର ସବୁ ସରାଗ ପାଇବ, କିନ୍ତୁ ପାଇବ ନାହିଁ କ୍ଲେଶ ଦୁଃଖ ।

 

ଚଇତ ପରେ ପରେ ଲାଗି ଆସିବ ବୈଶାଖ ଓ ଜ୍ୟେଷ୍ଠ, ଖରା ଭିତରେ ଅଜଣା ହୋଇ କେତେବେଳେ ପହିଲି ମେଘ ଅସରା ଢାଳିଦେବ, ତା’ପରେ ଲାଗି ରହିବ ମାଳଭୂଇଁର ବର୍ଷା, ଚାରିଆଡ଼େ ଅନ୍ଧାର ଆକାଶରେ ଭାଁ ଭାଁ ପବନ, ସେତେବେଳେ ଚାରିଆଡ଼ ଭୁଶୁଡ଼େଇ ଝୋଲା ଗୋହିରିରେ ପାଣି ଚାଲିବ ଛଳଛଳ । ଗହୀର ବେଢ଼ାର ଧାନ ସେତେବେଳକୁ ବଢ଼ିଥିବା ଦରକାର, ଯେପରି ଚଳନ୍ତା ସୁଅରେ ମାଟିକାମୁଡ଼ି ମୁଣ୍ଡ ଠିକ୍ ରଖିପାରିବ ସେ, ନୋହିଲେ ଭାସି ଚାଲିଯିବ । ତେଣୁ ପରବର ଆଗରୁ ଆଗରୁ ଯାହାର ବେଢ଼ା ଭୂଇଁ ଖଣ୍ଡେ କି ଦି’ଖଣ୍ଡ ଅଛି ସେମାନଙ୍କର ଏଦିନେ ବେଶି କାମ, ହିଡ଼ ତଞ୍ଛା, ବେଢ଼ାରେ ହଳ କରା, ବେଢ଼ାରେ ପାଣି ଢାଳି କାଦୁଅ କରି ମଞ୍ଜି ବୁଣେ, ଏହିସବୁ, ବେଢ଼ାତାଷୀର ଦିନ ଏଇ, ଆଉ ପୋଡ଼ୁତାଷୀର ମଧ୍ୟ ।

 

ଜଙ୍ଗଲରେ ନୂଆ ପୋଡ଼ୁ କରାହେବ, ପୋଡ଼ୁ ପୂର୍ବରୁ କେଉଁ ଜଙ୍ଗଲରେ ଗଛ ବେଶୀ ବହଳ ନୁହେଁ, ତଳେ ମାଟି ଅଛି, ଢାଲୁ ବେଶି ତୀଖ ହୋଇ ନ ଥିବ । ତାହାପରେ ଚାରିପାଖେ ସ୍ଥାନେ ସ୍ଥାନେ ପୂଜା କରି ଚୌହଦି ଚିହ୍ନଟ କରିବା ଲାଗି ନିଆଁ ଜାଳିଦେବାକୁ ପଡ଼ିବ, ଯେପରିକି ପରବ୍‍ ସରୁ ନ ସରୁ ଗାଁଯାକର କୁରାଢ଼ି ପାହାର ପଡ଼ିବ ତାହାରି ଉପରେ । ପରେ ଜଙ୍ଗଲ ଗାରଡ଼ ଆସି ଦେଖିଲାବେଳକୁ ତୁଚ୍ଛା ଅଙ୍ଗାର ଗଦା ହୋଇଥିବ ସେଠି, ଯେପରିକ ଗଛର ହିସାବ କରିହେବ ନାହିଁ ବେଶି ବା ଜୋରିମାନା ବେଶି ଭିଡ଼ିବ ନାହିଁ ।

 

ତେଣୁ ପରବର ପୂର୍ବଦିନ କେଇଟାରେ ସମସ୍ତେ ଅତି ଅଧିକ ବ୍ୟସ୍ତ, ବର୍ଷ ଭିତରେ ସବୁଠାରୁ ବେଶି । ପିଲାମାନେ ନିତି ନିତି ଜାଳେଣି କାଠ ଜମା କରିବାରେ, ବଡ଼ମାନେ ତାଷ କରିବାରେ, ସ୍ତ୍ରୀମାନେ ପୁରୁଷମାନଙ୍କୁ ସାହାଯ୍ୟ କରିବାରେ ଓ ଘରେ ପେଜ୍‍ ପାଇଁ ଅଣ୍ଡାଦଂପା ପାଇଁ ଲନ୍ଧା ପେଣ୍ଡମ୍ ପାଇଁ ପେଷାପେଷି କରିବାରେ ।

 

ସାହୁକାରର କାମରେ ଘାଣ୍ଟି ହୋଇ ସୁକୃଜାନି ଓ ତା’ର ପୁଅ ଦୁହେଁ ଚାରିପାଖର ଦୁନିଆଁର ଏ ବ୍ୟସ୍ତତା ନିତି ଅନୁଭବ କଲେ । ଆପଣାର ବିଲ କାମ ଏ ବର୍ଷ କିପରି ହେବ ସୁକୃଜାନି ଭାବିପାରିଲା ନାହିଁ, କୌଣସି ପ୍ରକାର ବନ୍ଦବସ୍ତ କରିବା ତା’ର ସାଧ୍ୟର ଅଧୀନ ନୁହେଁ, ଖାଲି ଦୁଃଖ କରିବାହିଁ ସାର ।

 

ଆଉ କୁଡ଼ିଆରେ ଢିଅ ଉପରେ ଜିଲି ବିଲି ଚାରିପାଖକୁ ଗୁଲୁଗୁଲୁ କରି ଖାଲି ଅନେଇଁ ରହିଲେ କେବଳ । ମାଇପୀ ଲୋକ ସେମାନେ, କିଛି କରିପାରବା ତାଙ୍କର ଶକ୍ତିରେ ନୁହଁ, ଆସନ୍ତା ଚଇତି ନାଚ ପାଇଁ ପ୍ରସ୍ତୁତ ହେଉ ହେଉ ପ୍ରାଣ ଭିତରେ ଖାଲି ଛଟପଟ ହେଲା, ଏଇ ଲୋକ କାମରେ ଲାଗିଲେ, ତାଙ୍କର ଯେପରି ଚିରଦିନକୁ ଛୁଟି ହୋଇଯାଇଛି । ଗଲାବର୍ଷ ଏ ଦିନେ, ଓଃ କେତେ କାମ ଥିଲା । କାମରେ ଆନନ୍ଦ ଥିଲା, ନିଜର ବୋଲି ଭାବିବାକୁ ନିଜର ଚେଷ୍ଟା, ନିଜର ଆଶା, ନିଜର ଭବିଷ୍ୟତ । ଘରେ ଚିନ୍ତା କ’ଣ ସେମାନେ ଜାଣିଥିଲେ । ଖାଲି ବାପାଭାଇଙ୍କ ତୁଣ୍ଡ ବାରଶି ହେବା କଥା, ନ ହେଲେ ବାପ ମୁହଁ ଫୁଲାଉ ଥିଲା । ମାଣ୍ଡିଆ ରୁଢ଼ କଥା କହୁଥିଲା ସାମାନ୍ୟ, ଟିକ୍ରା, ସେ ମଧ୍ୟ ହୂକୁମ ଜାରି କରୁଥିଲା । ଏଇଟା ସେଇଟା କାହିଁକି ସମୟ ଅନୁସାରେ ହେଲା ନାହିଁ ବୋଲି ।

 

ଆଜି ସବୁ ଫାଙ୍କା, ଚଇତର ଦି’ପହରରେ ଖଞ୍ଜି ଖରା ପୂରି ।

 

ଗଲା ବର୍ଷ ଚଇତ ପର୍ବକୁ ନୂଆ ଲୁଗା ପାଇଁ ଦୋ’ଟିଯାକ ଭଉଣୀ ବାପଠୁ ଭାଇଠୁ ଦୁଇ ଦୁଇ ଖଣ୍ଡ ଖଦି ପାଇଥିଲେ, ଅଳି କରି କରି ନୂଆ ଅଳଙ୍କାର କେତେ ପାଇଥିଲେ । ହାତକୁ ଖଡ଼ୁ, ବେକକୁ ହଳଦିଆ କାଚର ସାରିସାରିକା କାଉକଣ୍ଠିଆ ମାଳି, ଗୋଡ଼କୁ ନୂଆ ଘୁଙ୍ଗୁର । କେତେ ଆହ୍ଲାଦରେ ବାପ ଭାଇ ପାଳିଥିଲେ ।

 

ଏ ବର୍ଷ ପିଠା କରିବା ପାଇଁ ଗୁଡ଼ ଟିକିଏ କିଣିବାକୁ ପଇସା ନାହିଁ ।

 

ଗାଁ ଯାକ ଆଗରୁ ଆଗରୁ ନୂଆ ଲୁଗା କିଣି ସାରିଲାଣି । ବେନିଆଁ ମଣି ଡମ୍‍ର ଝିଅ କି ସୁନ୍ଦର ନୂଆ ବ୍ଳାଉଜ ପିନ୍ଧିଛି, ଫୁଲପକା ବ୍ଳାଉଜ ପିନ୍ଧି ପାଣିଘାଟକୁ ମଧ୍ୟ ଯାଏ ପାଣି ଆଣି, ପଚାରିଲେ କହେ, “ବାପା ଏଇପରି ତିନିଟା ଆଣିଛି ।” ଖାଲି ଡ଼ମ୍‌ ଝିଅ ନୁହନ୍ତି, ଯେତେ ପରଜା ଯେତେ ଗଦବା ଯେତେ କନ୍ଧ ସମସ୍ତେ ନୂଆ ଲୁଗା ପଦାକୁ ବାହାର କଲେଣି, ଆଗରୁ ପରଖ କରାହେବ, ନାଚକୁ ମାନିବ କି ନାହିଁ ।

 

ଜିଲି ଆଉ ବିଲି ସମସ୍ତିଙ୍କ ସଙ୍ଗେ ମିଶି ଜିନିଷ ଦେଖନ୍ତି, ପ୍ରଶଂସା କରନ୍ତି ।

 

ଘରକୁ ଫେରି ଦୁଇ ଭଉଣୀ ମୁହଁକୁ ମୁହଁ ଚାହାଁଚାହିଁ ହୋଇ ବସି ରହନ୍ତି । ତୁଣ୍ଡର କଥା ତୁଣ୍ଡରେ ରହେ । କଥା ହୁଏ ମନେ ମନେ ।

 

ଏଇ ଚଇତରେ ବିକାକିଣା ଲାଗେ, ପରବ୍‍ ଆଗରୁ । ବୁଲାବିକାଳି ଆସନ୍ତି, ବିକି ଦେଇଯା’ନ୍ତି ଗଦା ଗଦା ଲୁଗା, ମେଞ୍ଚା ମେଞ୍ଚା ଅଳଙ୍କାର, ଗୋଡ଼କୁ ଝୁମୁକା ମୁଦି, ନାଚବେଳେ ଯାହା ଝୁଣୁଝୁଣୁ ହୁଏ, ହାତର ଖଡ଼ୁ, ବେକକୁ ଜାତିଜାତିକା ମାଳି–ନାଲି ନାଲି ସରୁ ସରୁ ‘ରାନ୍ଦାକେପୁ’, କଳାମାଳି ‘କରାକାଟି, ସାରିସାରିକା କାଉକଣ୍ଠିଆ ମାଳି । ନିତିଦିନ ଗାଁକୁ ପସରା ଆସେ, ଚାରିପାଖେ ମହୁମାଛି ପରି ଗାଁ ଟୋକାଟୋକୀ ବେଢ଼ି ବସି ଘାଉଁ ଘାଉଁ ହୁଅନ୍ତି, ପସରା ଲାଗେ, ପସରା ସରିଯାଏ ।

 

ଆର ଓଳିକି ନୂଆ ଲୁଗା ପିନ୍ଧି ପ୍ରଜାପତି ବେଶ ହୋଇ ଗାଁ ଧାଂଡ଼ୀ ବାହାରନ୍ତି । ଲୁଗାର ରଙ୍ଗ ପ୍ରାଣରେ ଲାଗେ ।

 

ଯାହାର ଭାତ ସରିଛି, ଯାହାର ଅଣ୍ଟା ଖାଲି, କି ଯାଏ, ତା’ର ଗାଁ ବିକାକିଣା ଗହଳିରେ-? ଖାଲି ଆଁ କରି ଚାହିଁ ରହିବା, ଡହଳ ବିକଳ ହେବା, ଏତିକି । ଏହିପରି ଗରିବ ଚାହିଁ ରହେ, ଧନୀର ଭାତଖିଆ ଦେଖେ, ହାକୁଟି ମାରିବା ଶୁଣେ । ଧନୀର କୁକୁର ଭାତ ଖାଏ, ଗରିବ ଡବ ଡବ ଆଖିରେ ଚାହିଁ ରହେ ।

 

ଚାହିଁ ରହେ, ଆଉ ଭାବେ ।

 

ଚଇତର ଉଦାସୀ ପବନ ଧୂଳି ଉଡ଼େଇ ଶୁଖିଲାପତ୍ରର ପସରା ମୁଣ୍ଡେଇ ଚେକାଚେକା ଭଉଁରି ଖେଳି ଖେଳି ଯାଏ, ମଲା ଶୁଖିଲା ଭାବନାଗୁଡ଼ିକୁ କେଞ୍ଚିକାଞ୍ଚି ଠେଲିପେଲି ବାହାର କରେ, ମରମକୁ ଖେଞ୍ଚେ ।

 

ବୁଲାବିକାଳିର ପସରା ପାଖେ-ଗାଁ’ଯାକ ଟିଅ ଯେତେବେଳେ ରୁଣ୍ଡ ହୋଇଯାନ୍ତି, ଜିଲି ନ ଥାଏ ସେଠି, ଦୂରରୁ ଦେଖୁଥାଏ । ସେ ମଧ୍ୟ ଗାଁ ଝିଅ, ନାଇକର ଝିଅସାଙ୍ଗକୁ, ଚାଲାଣ ବଡ଼ ରଇତର ଝିଅ ସାଙ୍ଗକୁ ସେ ବି ଜଣେ, କିନ୍ତୁ ସେମାନେ କିଣନ୍ତି, କିଣିବାକୁ ବାପଭାଇଙ୍କ ସଙ୍ଗେ ଗୋଳ କରନ୍ତି, ସେ ଠିଆ ହୋଇ ରହେ ଆଡ଼େଇ ହୋଇ । ବିଲିର ମନ ସମ୍ଭାଳି ହୁଏ ନାହିଁ, ପସରା ପାଖେ ହାତ ହଲେଇ ହଲେଇ ବୃଥାଟାରେ ସେ ଧାଁ ଧପଡ଼ କରେ, ୟା ତା’ ହାତରୁ ଜିନିଷପତ୍ର ଓଟାରି ନେଇ ଦେଖେ, ବେଳେ ବେଳେ ଜିଲିକୁ ଦଉଡ଼ି ଆସି କହେ, “ଅପା, ଏଇଟା ତତେ ମାନିବ-।”

 

ଖାଲି ଦେଖବାହିଁ ସାର । ଆଜିକାଲି ବାପଭାଇ ଆସନ୍ତି ନାହିଁ, ଗୋଳ ଶୁଣିବା କିଏ ? କିଏ ମନର ତୋଫାନକୁ ହାତ ବୁଲେଇ ଶାନ୍ତି କରିଦେବ ? କିଏ ପୋଛିଦେବ ଆଖିର ଲୁହ ?

 

ଜିଲି ଭାବିଲା, ନାଇକକୁ କହିବ ।

“ନାଇକ, ବେଶି ନାହିଁ ଗୋଟିଏ ଟଙ୍କା ଦେଇଥା, ବାପ ଆସିଲେ ଫେରେଇ ଦେବି ।”

 

“କିସ୍ କଥାରେ ନୁନି (ଝିଅ), ପଇସା କାହିଁ ? ବାୟା ହେଲୁ ତୁ ?” ଅବିଶ୍ୱାସରେ ହସି ଉଡ଼େଇ ଦେଇ ନାଇକ କହିଲା ।

 

ଚାଲାଣ ମୁହଁ ମୋଡ଼ି ଦେଲା । ବଡ଼ ରଇତ କହିଲେ, “ନିଜେ ଖଣ୍ଡେ ଖଦି ପାଞ୍ଚିଆ କିଣିବାକୁ ମୋର ପଇସା ନାହିଁ, ଆଉ ମୁଁ !”

 

ନାହିଁ ପଦ ସବୁଠି । ତେବେ ବାଗ୍‍ଲା ? ସେଠି ? “ନା ନା ଆମି ନିଚୂ (ଆମର ଦରକାର ନାହିଁ), ଦେଖିଥା ବିଲି ତାକୁ ଯଦି ମାଗିବୁ ତୋ’ ସାଙ୍ଗରେ କଥା କହିବ ନାଇଁଟି ଜାଣିଥା ।”

 

ରାତିରେ ନାଚକୁ ଜିଲି ଯାଏ ନାହିଁ, ବିଲି ନାଚେ, ଭାରି ନାଚେ, ନାଚରେ ସମସ୍ତିଙ୍କି ଜିଣି ଦାରିଦ୍ର୍ୟ ପରାଜୟ ସେ ଭୁଲିବାକୁ ଚେଷ୍ଟାକରେ ।

 

କେହି ଯେତେବେଳେ ପଚାରନ୍ତି ନାହିଁ, ପଚାରି ଆସେ କାଉ ପରଜା । ବାଟରୁ ଡାକ ମାରେ, “ନୁନି (ଟୋକୀ), ତୋର ଭାଇ କେବେ ଆସିବ ? ବାପା କେବେ ଆସିବ ?” ପୁଣି ଥରେ ଥରେ –“କହିଦେବି ତୋ ବାପାକୁ, କାହିଁକି ଆସୁ ନାହିଁ କେତେ ଦିନ ହେଲା !” ତା’ର ଅସୁନ୍ଦର ମୁହଁକୁ ନେଫେଡ଼ି ଦେଇ ସେ ଭ୍ରୁଲତା କୁଞ୍ଚାଏ, ଦୁନିଆଯାକର ଭାବନା ସତେ କି ତା’ରି ।

 

ଗାଁ ଗୋଟାକରେ ତା’ପରି ଅସୁନ୍ଦର କେହି ନ ଥିବେ, ତା’ର ନାକଟି ଗଇଁଠା ପରି, ମୁହଁ ହନୁମନ୍ତ ପରି କପାଳ ଢାଲୁ ହୋଇ ଚାଲିଯାଇଛି ଫୁରୁଫୁରିଆ ବାଳ ଭିତରକୁ । ନଡ଼ିଆଭୁଣ୍ଡି ପରି ଚୁଟି କେରାକରେ ଫୁଲଟାଏ କେବେ ଖୋସା ହୋଇଥାଏ । ବାହା ଦି’ଟା ଅତିଶୟ ଲମ୍ବା, ଗୋଡ଼ ଫରକଟା, ସବୁ ଖାଲି ସରୁଆ ସରୁଆ ଗଣ୍ଠିଆ ଗଣ୍ଠିଆ । ସେ ବଙ୍କା ଆଉ ଟିଂପା ଆଉ ଗେମେଣା ଆଉ ସବୁବେଳେ ଗମ୍ଭୀର, ପଥୁରିଆ,– ମୁହଁରେ ହସ ନାହିଁ ।

 

କିଏ ସେ କାମିକା ଲୋକ ।

 

ଯେ ତାକୁ ଯାହା କହେ ସେ ଗୋଟି ଗୋଟି କରି ମନେରଖେ, ଯାହା କୁ କେହି ଖବର ପଠେଇଥାଏ ସେ ପଦ ପଦ କରି କହେ । ଯେତେବେଳେ ମନକଥା କହି ବସେ, ବଡ଼ ଅଖାଡ଼ୁଆ କଥା ସବୁ କହେ, ବଡ଼ ସରଳ ଭାବରେ । ଲୋକେ ଚିଡ଼ନ୍ତି । ଛାଇପରି ତୁନି ହୋଇ ସେ ପଳାଏ, କାରଣ ସେ ଜାଣେ ତା’ କଥାକୁ ଲୋକେ ଚିଡ଼ନ୍ତି ।

 

ସେହି କାଉ ପରଜା ଜିଲିକୁ ଆଖିଏ ଆଖିଏ ରଖେ ତା’ର ବାପା ଭାଇ ଗଲାଦିନୁ ।

 

କେବେ ସେ ମାଡ଼ ଖାଇଥିଲା ସେ ମନେପକାଏ ନାହିଁ । ସେ ଗୋଟାଏ ଖବର ଆଣିଥିଲା, ଦି’ପଦ ବନେଇଁ ଚୂନେଇ କହିଥିଲା, ତା’ପରେ ଜବାବଟା ସେ ନେଇ ଯାଇଥିଲା ଗାଲରେ ପିଠିରେ । କିନ୍ତୁ ତା’ର ଛଳ ନାହିଁ, ମଣିଷ ଭିତରେ ମଳିଟାଏ ସେ ବୋଲି ଲୋକେ କହନ୍ତି, ତେଣୁ ସେ ପାସୋରି ପକାଇଛି, ନୋହିଲେ ଜାଣି ଜାଣି ମନେ ପକାଇ ନାହିଁ । ଯେଉଁ ଦିନୁ ସୁକୃ ମାଣ୍ଡିଆ ଗୋତି ଗଲେଣି, କାଉ ପରଜା ସେହିଦିନୁ ଭାବିନେଇଛି, ଜିଲି ବିଲି ତା’ର ଆପଣାର କାନ୍ଧଠୁଁ ବେଶି ଉଞ୍ଚ ନୁହନ୍ତି । ଏମାନେ ବି ମଣିଷ, ସେବି ମଣିଷ, ଏମାନେ ଏ ଗାଁର ଟୋକୀ, ପଦାରୁ ଆଣିଲେ ବହୁତ ବେଶି ପଇସା ଲାଗିବ, ତେଣୁ ଆପଣା ଗାଁରୁ ତାକୁ ବାଛିବାକୁ ପଡ଼ିବ ।

 

ସେହି କାରଣରୁ ସେ ଗମ୍ଭୀର ହୋଇ ଚାହିଁ ରହି ବାଛେ । ବାଛେ ଜିଲିଠୁ ବିଲିକି, ବିଲିଠୁ ଜିଲିକୁ । ତା’ର ମନ ବାଛେ, ଭାବି ଭାବି ସେ ଦେହକୁ ସେ ଭୁଲିଯାଏ, ମନ ତା’ର ଶେଷ ଅସ୍ତିତ୍ୱ ହୋଇ ଆଖି ଯୋଡ଼ିକରେ ଆପଣାକୁ ପ୍ରକାଶ କରେ, ଅବୟବ ନିଏ, ବଡ଼ କରୁଣ ସେ ଭାଷାମୟ ଚାହାଣୀ, ସନ୍ଦିଗ୍‌ଧ, ଉଦାସ, ଅନିର୍ଦ୍ଦିଷ୍ଟ, ଅନିଶ୍ଚିତ । ଏହିପରି ଗୋଟିଏ ଛାଇଆଲୁଅର ଥରିଲା ଥରିଲା ରୂପ ଯାହା ଆଶଙ୍କା ଉଦ୍‍ବେଗରେ ବାରମ୍ବାର ହଲୁଥାଏ, ପୁଣି ନିଜେ ଧରାପଡ଼ିବାକୁ ରହେ ନାହିଁ । ଏହି ଯୋଡ଼ିଏ ଝିଅଙ୍କୁ ଭୋକିଲା ଆଖିରେ ଚାହିଁ ରହି ଭାବି ଭାବି ଦୃଷ୍ଟିମୟ ଚେତନା ତା’ର ଜଡ଼ ଶରୀର ଭେଦ କରି ଅତିଦୂରକୁ ଚାଲିଯାଏ,–ଆକାଶକୁ । ସେତେବେଳେ ଅଭୀଷ୍ଟ ଆଉ ଲକ୍ଷ୍ୟ ତା’ ଆଗରେ ରହେ ନାହିଁ । ରହେ ନିଜେ ଓ ନିଜର ଚିନ୍ତା ।

 

ସେ କୁରୂପ, ବିଧାତ ତା’ର ବଜ୍ରରେ ତା’ର ଦେହରେ ସୌନ୍ଦର୍ଯ୍ୟ ତରଳି ପୋଡ଼ି ମେଞ୍ଚା ମେଞ୍ଚା ହୋଇ ଏପାଖ ସେପାଖ ଗଡ଼ି ପଡ଼ିଛି, କିନ୍ତୁ ତା’ର ଚିନ୍ତା ଆପଣାର ଅବୟବ ଛାଡ଼ି କେବଳ ସୂକ୍ଷ୍ମରୂପୀ ଆକାଂକ୍ଷା ହୋଇ ଭାସେ, ଅନ୍ଧାର ରାତିରେ ଖାଲି ଉପରେ ଜୁଳୁଜୁଳିଆ ପୋକ ପରି ।

 

ଯହୁଁ ଚଇତ ପରବ୍‍ ହେଲା, କାଉ ପରଜାର ଗତାଗତ ବଢ଼ିଗଲା ଏପାଖେ । କ୍ଷେତରୁ ଦଶଥର ଘରକୁ ଖାଇବା ପାଇଁ ବାହୁଡ଼େ, ପାଣି ଆଣିଯିବା ଗାଡବାଟେ । ନାଇକର କାଠ ଆଣିବାକୁ ଦି’ପ୍ରହରରେ ଡଁଗରକୁ ଯାଏ ଅତି ଅବେଳାରେ, ଯେଉଁ ସ୍ଥାନରେ ଜିଲି ବିଲି କନ୍ଦା ଖୋଳନ୍ତି, ଠିକ୍ ସେହି ପାଖର ସାନ ଅଁଳା ଗଛ କି ସରୁ ସରୁ ଧାଡ଼ି ବୁଦାକୁ ସେ ତା’ର ଟାଙ୍ଗିଆ ପକ୍ଷରେ ଉତ୍କୃଷ୍ଟ ମନେକରେ । ସେ କୁତ୍ସିତ, ତାକୁ ଭିନ୍ନ ଆଖିରେ କେହି ଦେଖନ୍ତି ନାହିଁ ସତ, କିନ୍ତୁ ତା’ର ଅଧିକାର ଚାହିଁବା, ପଛେ ପଛେ ଧାଇଁବା, କତିରେ ରହିବା, ଏଥିରେ କେହି ବାଧା ଦିଅନ୍ତି ନାହିଁ ।

 

ବିଲି ବେଶି ଥଟ୍ଟାକରେ, ବେଶି ହସେ, ବେଶି କୌତୁକ ଲଗାଏ । କାଉ ପରଜା ଭାବେ, ବିଲିର ତା’ର ବୟସର ତା’ରତମ୍ୟ ବେଶି, ବିଲି ପିଲାଳିଆ, କାମଦାମ ପାଇଁ ମଜବୁତ୍ ନୁହେଁ ।

 

ଗମ୍ଭୀରଭାବେ ଆଲୋଚନା କରି ସେ ଦେଖେ, ଉଚିତ ହୁଅନ୍ତା ଜିଲି ।

 

ଜିଲି ସୁନ୍ଦରୀ, ତା’ର ବଳ ଅଛି । ସନ୍ତାନ ଜନ୍ମ କରିପାରିବ, ସୁସ୍ଥ ସବଳ ସନ୍ତାନ, ଯାହାଙ୍କର ଭୋକ ବେଶି, ଜୋର୍ ବେଶି । ସେ ହୃଦୟ ବୁଝେ, ଟାପରା କରି ଆଘାତ ଦିଏ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ, ତା’ର ଚାରିପାଖ ସଫା ଖୋଲା, ସେଠି କେହି ପ୍ରତିଦ୍ୱନ୍ଦୀ ନାହିଁ ।

 

କାଉ ପରଜା ଆପଣା ବୁଦ୍ଧିରେ ସାବ୍ୟସ୍ତ କରିନେଇଥିଲା, ସୁକୃଜାନିର ଭାଗ୍ୟ ବିପର୍ଯ୍ୟୟରେ ଜିଲି ପଛରେ କେହି ପ୍ରତିଦ୍ୱନ୍ଦୀ ନାହିଁ, ଜିଲି ତା’ର ।       

 

ଜହ୍ନ ପଛଆଡ଼େ କିମ୍ଭୂତକିମାକାର ଖଣ୍ଡେ କଳା ଭସାମେଘ ପରି ଜିଲି ପଛଆଡ଼େ ସେ ଗୋଟିଏ ବଡ଼ ଛାଇ । ଛାଇ ଦୂରରେ ଥାଏ ସତ, କିନ୍ତୁ ପୁଣି ଆକାଂକ୍ଷାର ସୂକ୍ଷ୍ମତାରେ ସେ ଆପେ ହୁଗୁଳା ହୋଇ ଲମ୍ବା ହାତ ଆଗକୁ ବଢ଼ାଇଦିଏ, ଭାସିଲା ଭାସିଲା ଛିଣ୍ଡା ପରମେଘ ପରି ।

 

ଥରେ ଦି’ପହରେ, ଘର ଆଗରେ ଉଦୁଉଦିଆ ଖରାରେ ଯେତେବେଳେ ଧୂଳି ଉଡ଼ୁଥିଲା, ଭାଡ଼ି ଉପରେ ଦରମଲା ଝଟା (ଶିମ) ଗଛର ଶୁକୁଟା ସେମେଟା ଅଧେ ସାବ୍‍ଜା ଅଧେ କହରା ଡାଳ ଉପରେ ଦୃଷ୍ଟି ଭରାଦେଇ ଅନ୍ୟମନସ୍କ ହୋଇ ଜିଲି ବସିଥିଲା, କାଉ ପରଜା ଆସିଲା ।

 

ଜିଲିଆଗରେ ନୂଆ ଖଦି ଖଣ୍ଡେ ଥୋଇଦେଇ ସେ ଝାଳ ପୋଛି ହେଲା, କହିଲା, “ଏଇଟା ତୋ ପାଇଁ ଆଣିଚି ।”

 

ହାତ ପାପୁଲିରୁ ଗାଲ ନ ଉଠାଇ କାଠ ପରି ବସି ରହି ଜିଲି ପଚାରିଲା,–

“କାହିଁକି ଆଣିଲୁ ?”

“ତୁ ପିନ୍ଧିବୁ ବୋଲି ?”

 

“ନେଇଯା, ଲୋଡ଼ା ନାହିଁ”, ଜିଲି କହିଲା । କାଉ ପରଜା ଧୀରେ ଧୀରେ ଉଠି ଲୁଗା ଖଣ୍ଡେଧରି ଚାଲିଗଲା ।

 

ଜିଲି ପଥର ପରି ବସି ରହିଲା, ପ୍ରତିମା ପରି । ପ୍ରତିମା ପୂଜା ଘେନେ, ଫୁଲ ଅର୍ଘ୍ୟ, ଧୂପ, କିନ୍ତୁ ପାଦ ବଢ଼େଇ ଦିଏ ନାହିଁ, ହସେ ନାହିଁ କାନ୍ଦେ ନାହିଁ । ପୂଜା ଘେନିବାକୁ ତା’ର ସୃଷ୍ଟି, ନିଜର ହୃଦୟ ଥରାଇବାକୁ ନୁହେଁ । ସ୍ତ୍ରୀଲୋକ ବେଳେ ବେଳେ ପ୍ରତିମା ପାଲଟେ, ସେତବେଳେ ସେ ଆଉ ନାରୀ ନୁହେଁ । ନାରୀ ବର ଦିଏ, ପ୍ରତିମା ଦିଏ ନାହିଁ ।

 

କାଉ ପରଜା ଗଲା, ରଞ୍ଜାଳିଆ ଖରାରେ ପତ୍ର ଆହୁରି ଝାଉଁଳୁଛି, ଚାରିଆଡ଼ ଶୂନ୍ୟ । ହରଡ଼ କାନ୍ଦୁଛି, କୋଇଲି ଡାକୁଛି, ଏ ଦିନେ କୋଇଲି କେମିତି ଭିନ୍ନ ସ୍ୱରରେ ଡାକେ, ଆଦୌ ବାରି ହୁଏ ନାହିଁ । ଥକା ହୋଇ ଜିଲି ବସିଥିଲା ।

 

ଜିଲି ଡାକିଲା ବିଲିକୁ “ଆ’ ନୁନି–”

 

ବିଲି ଶିକାଟିଏ ବୁଣୁଥିଲା, ଡାକର ମନ୍ତ୍ରରେ ଧାଇଁ ଆସିଲା । ବିଲକୁ ଛାତିକୁ ଟାଣିନେଇ ଜିଲି ଭୋ ଭୋ କାନ୍ଦିଲା ।

 

ବହୁତ ଦିନ ପରେ ଜିଲି ଆଜି କାନ୍ଦିଲା ।

ବିଲି ପଚାରିଲା–“କାହିଁକି କାନ୍ଦୁଛୁ ଅପା ? କ’ଣ ହେଲା ?”

ଜବାବ୍ନାହିଁ ।

ବିଲି କହିଲା, “କାଉ ଆସିଥିଲା କ’ଣ କହିଲା କି ?”

 

ଜିଲି ଉତ୍ତର ଦେଲା ନାହିଁ । ରାଗିଯାଇ ବିଲି ପଚାରିଲା, “କଣ କହିଲା କହ–” ଜିଲି କହିଲା– “ ନାହିଁ କିଛି ସେ କହି ନାହିଁ । କାନ୍ଦ ମାଡ଼ିଲା, ଦେଖିଲୁ କେଡ଼େ ଏକୁଟିଆ, କେହି ନାହିଁ । ବାପା, ମାଣ୍ଡିଆ, ଟିକ୍ରା– କୁଆଡ଼େ ରହିଲେ ସେମାନେ ? ପରବ୍‍ ଲାଗିବ, କିଛି ତ ଯୋଗାଡ଼ି ନାହିଁ-!” ଏଥର ବିଲି ଏହି କଥା ତ ଦିନରାତି ଭାବୁଥିଲା ସେ । ଖାଲି ତା’ର ପ୍ରତିଧ୍ୱନି ପରି ଜଣେ କେହି ସେକଥା କହି ନାହିଁ ।

 

ତୁନିତାନି ହେଲେ । ବିଲି କହିଲା, “ନୂଆ ଖଦିଖଣ୍ଡେ ହେଲା ନାହିଁ ଦେଖ୍‌, ତୋର କି ମୋର । ପିଠା କରିବାକୁ ଗୁଡ଼ ନାହିଁ । ଲୁଣ ମରିଚକୁ ପଇସା ନାହିଁ, ଖଦି ନାହିଁ । ଖାଲିଘରେ ଆମେ ଦି’ଟା ମାଇଜି ଟୋକୀ ।” ଜିଲି ବାରେଇଁ ଦେଲା,‘‘ହଉ ହଉ, ସମସ୍ତେ ପୁଣି ଆସିବେ ନାହିଁକି–ମନ ବେସ୍ତ କରି କ’ଣ ହେବ ? କେଉଁ ଯୁଗରୁ ତୋର ମୁଣ୍ଡ ବନ୍ଧା ହୋଇନାହିଁ କହିଲୁ ? ଆ’ ତୋ ମୁଣ୍ଡ ବାନ୍ଧିଦିଏଁ, ଆଜି ନାଟ୍‍କୁ ଯିବା ପରା–”

 

ଠଣାରୁ କାଠ ପାନିଆଁଖଣ୍ଡି ଗୋଟାଏ ପୁରୁଣା ଟିଣ ଡବାରୁ ଟିକିଏ ଜଡ଼ାତେଲ କାଢ଼ି ଭଉଣୀ ପିଠିଆଡ଼େ ବସି ଜିଲି ତା’ର ମୁଣ୍ଡ ବାନ୍ଧିଦେଲା । ଅତି ସେହ୍ନରେ–ସାଉଁଳେଇ ।

 

ଆଜି ତା’ର କେହି ନାହିଁ, ଏହି ସାନ ଭଉଣୀଟି ଛଡ଼ା ।

 

ବିଲିରସୁନ୍ଥା ପାରିଦେଲା । ମୁହଁରେ ଜଡ଼ାତେଲ ବୋଳି ହାତରେ ଚିକ୍‍କଣ କରି ମାଠିଦେଇ ପଣତରେ ପୋଛିଦେଲା । ଗେଲ କରିଦେଇ କହିଲା, “ବାଃ– କେଡ଼େ ସୁନ୍ଦର, ଦେଖିଲେ ଧାଂଡ଼ା ଖେଦିବେ ।”

 

ବିଲି ଭଉଣୀର ବେକକୁ କୁଣ୍ଡେଇ ଧରି ଭଉଣୀ ପିଠିରେ ମୁହଁ ଲଦି ଲୁହ ଟଳ ଟଳ ଆଖିରେ ହସିଦେଇ କହିଲା, “ଆଗ ତତେ ।”

 

ସେ ଦିନ ସଞ୍ଜରେ– ।

ବିଲି ଡାକିଲା, “ଏ ଜିଲି ।”

“ଚଲ୍ ଯୁଁବେ– ।”

“ନାଟକେ ଯୁଃ– ।”

ଜିଲି କହିଲା,–“ତୁଇ ଯା ।”

ବିଲି କହିଲା–“ଡର୍‍, ମୋତେ ଡର୍ ଲାଗସି ।”

“ଆର୍ ମୋକେ ଯେ– ।”

“ଯୁଃ (ଯିବା) ତେବେ, ଦୁଇ ଲୋକେ ମିଶ୍‍ତେ ଯୁଃ ।”

“ତୁଇ ଯା, ମିଶି ଭିଡ଼ ଆସ୍‍ବୁ ଛଣେ ।”

“ଆମିନିଚୁ ।”

“ମୋର ଯେ ବାଇ (ଭାଇ)ଦାଂଡ଼ା ନାଇଁ ।”

“ଥିବାଟାକୁ ନାଇଁ ବୋଲୁଚୁ ?”

“କେ ?”

“ବାଗ୍‍ଲା ।”

 

ଜିଲି ରାଗିଲା, କହିଲା, “ତୋ ମୁଣ୍ଡ –” । ପଦାକୁ ଚାଲିଗଲା, ବାଡ଼ ପାଖକୁ । ଭାରି ଅନ୍ଧାର । ଗାଁ ମଝି ଦାଣ୍ଡରେ ଯେଉଁ ଝୋଡ଼ିଗଛଟା ଅଛି, ତା’ର ତଳ ଡାଳରେ କିଏ ଯେପରି ନାଲି ଅବିର ପକେଇଛି । ତଳେ ବଡ଼ ନିଆଁ ଜଳୁଥିବ । ସମାରୁ ପରଜାର କଦଳୀବାରି ଉପରେ ଧାସ ପଡ଼ିଛି, କଦଳୀପତ୍ର ଉପରେ ଛାଇଗୁଡ଼ାଏ ଘୁରୁଛି, ଚକପରି ଗୋଡ଼ ପକେଇ ନାଟକାରିଆ ଧାଂଡ଼ୀମାନେ ବୁଲୁଥିବେ । ଡୁଙ୍ଗୁଡୁଙ୍ଗା ଶୁଭୁଛି, ଏହି ଆଳାପ ଲାଗିଛି ପରା । ଝମ୍ ଝମ୍‍ ଝଣ୍ ଝଣ୍ ହୋଇ କିଏ ଧାଇଁଛନ୍ତି, ଫୁସ୍ ଫୁସ୍ କଥା ଚାପିଲା ହସ ।

 

ଜିଲିର ମୁଣ୍ଡ ଭିତର ଝାଇଁ ଝାଇଁ ହେଲା ।

ନା, ସେ ନାଟକୁ ଯିବ ନାଇଁ, କାହାପାଇଁ ଯିବ ? କିଏ କାହାର ?

 

ଠିଆ ହୋଇ ହୋଇ ନାଟ ଆଖଡ଼ାର ଦୋଷ ବାଛିଲା । ସବୁ ବେସୁରା କରି ଦେଉଛନ୍ତି-। ଏତେ କାଶୁଛି କିଏ ସେ ? ଗୀତ ବୋଲା ହେଉଛି ନା ଛେଳି ହଣା ହେଉଛି ? ସବୁ ବେସୁରା । ବେଶ୍ । ଭାରି ଖୁସି ଲାଗିଲା ।

 

କିନ୍ତୁ ହଠାତ୍ ଡୁଙ୍ଗୁଡୁଙ୍ଗା ସବୁ ବନ୍ଦ ହୋଇଗଲା । ଡମ୍ବ ବାଇଦ ଢୋଲ ଟମକ ଖୁବ୍ ଜୋରରେ ବାଜିଲା, ହାତକୁ ହାତ ଛନ୍ଦି ତରତର କରି ଧାଇଁ ଧାଇଁ ନାଚିବାର ବାଜା–କଦଳୀ ବାରି ଉପରେ ଛାଇ ଆହୁରି ଚଞ୍ଚଳ ଘୂରିଲା ସାଇଁ ସାଇଁ ବୁଲୁଥିବା ଚକର ଅଖପରି । ଜିଲିର ଗୋଡ଼ ଥରିଲା, ନାଚ ଚାଲିଗଲା ତାହାରି ଭିତରେ ମନ୍ଥି ଚକଟି । ତା’ପରେ ଧାଂଡ଼ାମାନଙ୍କର ଗୀତ– ।

 

ଗୋଡ଼ତଳେ ଲୋଟିଗଲା ପରି, କାନପାଖେ ଫୁସ୍ ଫୁସ୍ କରି କହିଲା ପରି, ଖୋଲାଦେହ ଉପରେ ନଖରେ ସଲ ସଲ କଲାପରି, ଫୁସୁଲେଇଲା ପରି, କାନ୍ଦିଲା ପରି, ଆଖିବୁଜି ଉଡ଼େଇ ନେଲାପରି, ଚାନ୍ଦଧୁଆ ମେଘ ଉପରେ ହାଲୁକା ପାଦରେ ଚାଲିଗଲା ପରି, ଉଭେଇ ଗଲାପରି…….

 

ଧିଆର ରକ୍ତ ଛାତିରେ ଠୁଳ କରି ଆପଣାକୁ ଭୁଲି ଜିଲି ଶୁଣି ରହିଲା ଧାଂଡ଼ାର ଗୀତ ।

 

କାନ୍ଧରେ ହାତ ଥୋଇ କାନ ପାଖେ ଥିରି ଥିରି ବିଲି କହିଲା–“ଯୁଃ ଯୁଃ– ନାଟକେ ଯୁଃ-।”

 

ଅନ୍ୟମନସ୍କ ହୋଇ ଜିଲି କହିଲା–“ଯୁଃ ।”

ଦି’ ଭଉଣୀ ଅନ୍ଧାର ଭିତରେ ମିଶିଗଲେ,–ସୋର୍‍ନାହିଁ ଶବ୍‍ଦ ନାହିଁ ।

 

ହାତ ଛନ୍ଦାଛନ୍ଦି ହୋଇ ଭଉଣୀ ଦୋଓଟି ବଡ଼ ଗଛମୂଳେ ନାଟ ମଣ୍ଡପରେ ପହଞ୍ଚିଲେ । ଅନ୍ଧାର ସରି ସରି ଆସୁଛି, ଦୂରରେ ଅତି ଗହୀରରେ ଦିଶୁଥିବା ଢେଉଢେଉକା କଳାପାହାଡ଼ର ଘୁମ ଘାରିଥିବା ବେଣୀ ଉପରେ ଅଧେ ଜହ୍ନ କ୍ରମେ ଉଙ୍କି ମାରୁ ମାରୁ ଦିଶି ପଡ଼ୁଥାଏ । ବଡ଼ ଗଛ ତଳେ ବଡ଼ ନିଆଁର ଧାସରେ ନାଚ ଦେବତା ପାଗଳ ହୋଇଛି, ନାଚ ଜମିଛି ।

 

ଗୋଲ ହୋଇ ଗାଁର ଯେତେ ଝିଏ, ପିଠି ପଛଆଡ଼େ ହାତକୁ ହାତ ଛନ୍ଦାଛନ୍ଦି, ସୁନା ନିର୍ମୂଳିରେ ମାୟାରେ ଗୁନ୍ଥା ହେଲାପରି ଜଙ୍ଗଲ ମଝିରେ ଖୋଲା ଗୋଲେଇ ଚାରିପାଖେ ଦମକା ପବନରେ ଥରିଲା ଥରିଲା ଘଞ୍ଚ ବୁଦାଗଛ ପରି, ମଝିରେ ଡୁଙ୍ଗୁଡୁଙ୍ଗା ଧରି ମେଞ୍ଚିମାଞ୍ଚି ପୁଞ୍ଜି ପୁଞ୍ଜି ହୋଇ ଗାଁ ଧାଂଡ଼ା, ମୁଣ୍ଡରେ ରଙ୍ଗ ପଗଡ଼ି, କାନ୍ଧରେ ଅଣ୍ଟାରେ କର ପଟ ଦେଇ ତଳକୁ ଓହଳିଛି ଚିତ୍ର ବିଚିତ୍ର ଲମ୍ବା ଉତ୍ତରୀ । ସମସ୍ତେ ଘୂରି ବୁଲୁଛନ୍ତି ପାଦରେ ହାତରେ ଅଣ୍ଟାରେ ଛାତିରେ ନାଚ ତରଙ୍ଗ ଖେଳେଇ । ଦୂରଗଛର ଡାଳ ସନ୍ଧିରେ ଅନ୍ଧାରରେ ଆଖିବୁଜି ବେକ ଗୋଜେଇ ଯେପରି ତୁନିତାନି ବସି ରହି ଯୁଗ ଯୁଗର ହଜିଲା ମରିଲା ପୂର୍ବପୁରୁଷଙ୍କ ଆତ୍ମା । ନାଚ ଜମିଛି ।

 

ଦୁଇଶହ ପାଦର ଭଉଁରି, ଚକ୍ରି ବୁଲୁଥିବା ଶହେ ଦେହର ଢେଉରେ, ଗୀତର ତାଳରେ ଥିଲା ନିଶା, ଯାହାର ମଦରେ ନିଶାଅନ୍ଧାରରେ କଳା ଘୁମର ଗହୀର ଝୋଲାରେ ଡେମ୍ଫରୁ ଖସି ପତ୍ର ଝଡ଼ିପଡ଼େ, ଫୁଲ ଝଡ଼ିପଡ଼େ, ଭାସିଯାଏ ଖଳଖଳ ସୁଅରେ ପାହାଚ ଡେଇଁ ପ୍ରପାତ ଭଉଁରି ଡେଇଁ, ଚେତନା ନାହିଁ, ସ୍ମୃତି ନାହିଁ, ଖାଲି ଅଧଚିଆଁ ହୋଇ ପତ୍ର ଉପରେ ଝଡ଼ିପଡ଼ିଥିବା ଟପ ଟପ କାକରର ଦଦରା ମନର ଭାଷା, ଗୋଠି–ଖଣ୍ଡିଆ ନିଛାଟିଆ ଝିଙ୍କାରୀର ଝିଁ ଝିଁ କେବଳ ପ୍ରତୀକ୍ଷାର ଡାକ–ଅସରନ୍ତି କାଳର, ଆଉ ତା’ର ଉତ୍ତର, ଝଣଝଣିଆ ଝିଙ୍କାରୀର ରହିରହିକା ଝଣଝଣ, ଯାହା ଆକାଂକ୍ଷା ବଢ଼େଇଦିଏ । ଦୂରରୁ ସୁଲୁସୁଲିଆ ପବନରେ ଭାସିଆସିଲା ସତେ କାହା ପାଦ ନେପୁରର ରୁଣୁଝୁଣ– କତିକୁ ଆସୁଛି ମାଡ଼ି, ଧୀରେ ଧୀରେ, ପୁଣି ମିଳାଇ ଯାଉଛି ।

 

ପାହାଡ଼ି ଦେଶରେ ନାଚ ଦେବତା’ର ଇଙ୍ଗିତରେ ଆସେ ନିଶା । ନୂଆ ଆସିଥିବା ଦୋଓଟି ଭଉଣୀ ନାଚିନାଚି ଗୋଲେଇ ପଛରେ ଅଳ୍ପ ଡେଇଁ ବୁଲିଲେ । ତା’ପରେ ଆପେ ଆପେ ନିଜ ନିଜର ଉଞ୍ଚ ଅନୁସାରେ ବାଛିନେଇ ଦଳ ଭିତରେ ଗଳି ପଡ଼ିଲେ । କିଏ ବୋଲି କେହି ପଚାରି ନାହିଁ, ଖାଲି ଆଖି ପିଛୁଡାକେ ଏପାଖୁ କାହାର ବାହା, ସେପାଖୁ କାହାର ବାହା ଦେହରେ ଏଟେଇ ହୋଇ ଛନ୍ଦି ହୋଇଯାଇଛି, ନାଚ ଥମି ନାହିଁ, ଶିକୁଳି ଭାଙ୍ଗି ନାହିଁ, କିଏ ମିଶିଲା କେହି ନିଘା କରି ନାହିଁ ।

 

ପାଦତଳେ ପବନର ପରଶ, ସାମ୍ନାରେ ନିଆଁ ଧାସ, ମୁଣ୍ଡ ଉପରେ ଭାସିଚାଲିଲା ଡଙ୍ଗା ପରି ଜହ୍ନ, ରକ୍ତରେ ନିଶା ।

 

ଡଂ ଡଂ ଡଂ ଡଂ ବଡ଼ ଢୋଲରେ ପାହାର ପିଟା ହେଲା, ଟମକ ପାଳି ଧରିଲା । ବାଗ୍‍ଲା ପରଜା ଦୋହଲି ଦେହଲିକା ତା’ର ମେଘୁଆ ଗଳାରେ ଗୀତ ବୋଲିଲା । ଥାଇ ଥାଇ ଧାଂଡ଼ୀମାନେ ଏକାପାଟିରେ ପାଳି ଧରୁଥାନ୍ତି–“ଓହୋହୋ ରିଶ୍ , ଧାଂଡ଼ୀ ଧାଂଡ଼ା ମିଶ୍ ।” ଲାଗିଥାଏ ବର୍ଷାର ନାଚ-

 

ବାଗ୍‍ଲାଜାନି ଗୀତ ବୋଲୁଥାଏ, ପ୍ରାଚୀନ ପରଜା କବିର ବରଷାର ଗୀତ, ପରଜା ଆଦିମ ସଙ୍କେତ –ନାଚରେ ବରଷାର ଅଭିନୟ ଚାଲିଥାଏ ।

 

“ମୋର ବରଷାର ଗୀତ–

ଡେମ୍ଫ ଉପରେ ମଲି ଫୁଲ ପରି ସୁନ୍ଦର ଯେ,

କାଳିଆ ବେଣୀରେ ଝିଲିଝିଲି ଜାଈଫୁଲ

ଫୁଲ ବେଶ ହୋଇ ବେଣୀ ଦୋହଲାଇ ଆସିବ,

ଆସିବ ମୁଁ ଜଣେ ।

ମରଣ ପରି ଧ୍ରୁବ ତୁମେ,

ଦୁହେଁ ସତ ମୋର କଳ୍ପନାରେ–

ମରଣର ଡର, ତୁମ ପ୍ରେମ ।

ଏହି ବିଶ୍ୱାସରେ ନିତି ମୋର ଖେଳ ଜୀବନ ତୁଲେ,

ତେଣୁ ଜାଣେ ତୁମେ ଆସିବ,

ମେଘ ବିଜୁଳିରେ ମିଶୁଥିବ ତୁମେ ବେଣୀ ।

ହେ ପ୍ରିୟ !

ଜ୍ୟେଷ୍ଠର ପାଣି ମାରିଲା,

ବରଷା ଆସିଲା ଦୁଲିକି,

ଅନ୍ଧାର ବିଲ୍ ବିଲ୍

ପାହାଡ଼ ଉପରୁ ଝୋଲା ପାତାଳକୁ ବିଜୁଳି ଖେଳ ।

ଧସେଇ ଧସେଇ ବଢ଼ି ମାଡ଼ିଆସେ,

ବଜ୍ରର ଘୋଷା ପାହାଡ଼େ ପାହାଡ଼େ,

“ସୋଡ଼ାମାଳି” ଗାଏ ବରଷାର ଅଭିଯାନ,

ଜଙ୍ଗଲ ଦେଶର ମଞ୍ଜ ଥରେଇ ଶୀତ ।

ନିଭୁଥିବା ଜହ୍ନ ନିଭିଯାଏ,

ନିଭିଥିବା ତରା ସତ୍ତା ହରାଏ କାହିଁ,

କଳା ମିଶ୍‌ ମିଶ୍ ଆକାଶ ପୃଥିବୀ

ବଡ଼ ଶୀତ ।

ଓଳିତଳୁ ପଡ଼େ ଝପର ଝପର ପାଣି,

ଅନ୍ଧାରେ ଧାଏଁ ଅନାମିକା ପାଣିସୁଅ ।

ଝରଣାର ସାଇଁ ସାଇଁ, ବେଙ୍ଗର କୋଳାହଳ–

ରୁମ ଟାଙ୍କୁରେଇ କଦମ୍ବ ଖାଲି ଶୁଣେ ।

ଏହି ବରଷାରେ ତୁମର ଆଗମନ–

ଆମରି ଦେଶର ପ୍ରାଚୀନ କାଳର ପ୍ରଥା,

ନୂଆବୋହୂ ଢାଳେ ସଭିଙ୍କ ପାଦରେ ପାଣି,

ସେହିପରି ମେଘ ପାଣି ଢାଳେ,

ମନ ମୋ’ର ଘେନେ ସଙ୍କେତ,

ବରଷା ପାଣିରେ ପୁରିଉଠେ ମୋ’ର ମନ”

 

ପ୍ରାଚୀନ ପରଜା କବିର ଅମର ଭାଷାରେ ବାଗ୍‍ଲାଜାନି ଏହି ଅର୍ଥରେ ଗୀତ ବୋଲୁଥାଏ ଲମ୍ବେଇ ଲମ୍ବେଇ–

 

“ଏ ଯାଇ ହୋଲୁ ବୋଲି ମିମଲୁ ଡାଡ଼ୁ ବୋଲିମି ।

ବାନ୍ଦୁଣିଆ ଜୁଲୋଇ ଏଲୁଟିଓ କୋଷାଇଁ ।

ହିନ୍ଦି ଦେକୁ ତବେନି ବେଗି କାଚୁ ଅବେନି ।

ଜାଣୁଲାରୁ ଏତେକୁ ସିକୁ ଡରୁ ସେତେକୁ ।

କଏଁ କେଲୁ ରୁବେକୁ ସୋଡ଼ି କେଲୁ ରୁବେନି ।

ମାରାନୁରୁ ଦସିଡ଼ୁ ଡଶରକୁ ତସିଡ଼ୁ ।

ଜେଠୁ ହାଣୁ ମାରିଲୁ, ବର୍ଷା ଦୁଲି ଆସିଲୁ ।

ଅନ୍ଦାରୁ ହାଣୁ ମାରିଲୁ, ବିଜୁଳି ହୋ ଜୁଲୁକୋଏଁ ।

ଲଦ୍ଦୁ ବୋଦ୍ଦି ଅଇଲି, ଜାଡ଼ୁ ବାଡ଼ୁ ହୋଚିଲି ।

Unknown

ଲିପୁ ଜଣ ଲିପୁଲି, ଲିପୁ ତରା ଲିପୁଲି ।

ଯତାରୁ ହୋ ଲିଏଁତି, ଗଡ଼ୁରୁ ଚେଁଦେଲି ।

ସନେ ପାଣି ଝିପୁଲି ରୁହଲିହ ଝିପୁଲି ।

ଗାଡ଼ୁ ଗଲି କୁନ୍ନାନି ଜଡ଼ି ଗଲି କୁନ୍ନାନି ।

ଜାଣୁରାଏ ରାବୁନୁଁ ଶୁନୁ କେଡ଼େ କଦମ୍ମୁଁ ।

ବିଚୁଲେ ହୋ ବୁଡ଼ୁ ଲେ ନେଡ଼େ ପାଣି କାଡ଼ୁଲେ... ।”

 

ବର୍ଷାର ନଚା ନଚା ହେଲା, ଧାଇଁ ଧାଇଁ ନାଚି ନାଚି ବିଜୁଳି ପରି ସାପେଇ ସାପେଇ, ଭସାବଉଦ ପରି ଦଳ ଦଳ ହୋଇ ଫିଟିଯାଇ ପୁଣି ଏକାଠି ମିଶି, ବାଙ୍କ ବାଙ୍କ ହୋଇ ଗୋଟାଏ ଧାଡ଼ି ପଛେ ଆଉ ଗୋଟାଏ ଧାଡ଼ି ହୋଇ, ପବନରେ ପାଦ ହାତ ଥରେଇ, ଭୂଇଁରେ ମୁଣ୍ଡ ଲଗେଇ, ପୁଣି ମୁଣ୍ଡ ଟେକି, ପଛକୁ ଦୋହଲି, ଦୋହଲି, ଛନ୍ଦାଛନ୍ଦି ଧାଡ଼ିରେ ନାଚି ନାଚି । ବର୍ଷା ଲାଗିଲା, ଚଇତର ଭୂଇଁ ଜ୍ୟୋଷ୍ଠର ପାଣିରେ ସତେକି ଧସିଗଲା, ନିଭିଲା ନିଭିଲା ଜହ୍ନତାରା ଗଲେ ନିଭି, ପବନର ପଟୁଆର, ବିଜୁଳିର ଜଉଲସ, ଜ୍ୟେଷ୍ଠର ପାଣି, ସତେ ଯେପରି ବରର ପାଦରେ କନ୍ୟା ପାଣି ଢାଳୁଛି, କନ୍ୟା ଆସିଛି । ପହିଲି ବରଷାର ଆଶାର ଆଶ୍ୱାସର ବାଣୀ,–ବିପୁଳ କଳରବ । ସେହି ନାଚରେ ଜିଲି ଭାସି ଚାଲିଥାଏ ।

 

ଦଳ ଭିତରେ ଘୂରି ବୁଲୁ ବୁଲୁ କେତେବେଳେ ଥରେ ମୁହଁ ଉପରେ ବାଗ୍‍ଲାର ଉଷୁମ ନିଃଶ୍ୱାସ ସେ ଅନୁଭବ କରିଥିଲା, କେତେବେଳେ ଶୁଣିଥିଲା ତାହା ମୁହଁରୁ ଆବେଗର କଥା ।

 

ତା’ର ଦେହଟା ଅଭ୍ୟାସ ଅନୁଯାୟୀ ବର୍ଷା ନାଚରେ ମେଘ ହୋଇ ଉଡ଼ି ବୁଲୁଥିଲା, ମନ ଗୋଟିଏ ସ୍ଥାନରୁ ଚାହିଁ ଦେଖୁଥିଲା, ବିଜୁଳିରେ ବରର ରୋଶଣି ମେଘରେ ବରର ନିମନ୍ତ୍ରଣ, ବରଣ-

 

ନାଚ ଶେଷରେ ବର୍ଷା ଶେଷର ଧୀର ନାଚ, ଝାପୁରୁ, ଝାପୁରୁ, ଝାଳ ଫିଟି ଯାଉଛି, ଛାତି ଉଠୁଛି ପଡ଼ୁଛି, ମୁହଁରେ କିଏ ଅବିର ବୋଳିଛି, ଗଭାରୁ ଫୁଲ ଖସି ପାଦମାଡ଼ରେ ଚୂନା ହୋଇଯାଇଛି, ଜିଲି ଦେଖିଲା ବାଗ୍‍ଲା ତା ପାଖେ ନାହିଁ । ଲମ୍ବ ଉତ୍ତରୀ ଫଡ଼କେଇ ଦେଇ ସେ ବୁଲୁଛି ଯେଉଁଠି କାଜୋଡ଼ି, ସଜୋଡ଼ି, ସରୁବାଲି, ସାରିଆଦାନ, ସେଇଠି । ଧୀର ସେ ଖସି ଚାଲିଆସିଲା, ବିଲିକୁ ସୁଦ୍ଧା ଡାକି ଗଲା ନାହିଁ । କେହି ଦେଖିଲେ ନାହିଁ, ଧାଂଡ଼ୀ–ଶିକୁଳି ଆଖି ପିଛୁଡ଼ାକେ ମିଶିଗଲା । ସମସ୍ତ ସତେକି ତାଳି ମାରି ତାକୁ ଟାପରା କରୁଛନ୍ତି । ଧାଇଁ ଧାଇଁ ଜିଲି ଚାଲିଗଲା ।

 

ନିଶବ୍‍ଦ ରାତି । କାକର ପଡ଼ୁଛି । ଗଛ ଫାଙ୍କେ ଫାଙ୍କେ ଟୋପା ଟୋପା ଜହ୍ନ ଆଲୁଅ କତିକୁ କତି ଲାଗି ଲାଗିକା ପଡ଼ିଛି । ଝିଙ୍କାରି ରା’ ଧରିଛି ।

 

ବାଙ୍କ ପାଖେ କାଉ ପରଜା ବାହାରିଲା । ମୋଟ ମାଠ ଖଣ୍ଡେ ଦେହରେ ପକେଇଛି, ହାତରେ ଗୋଟାଏ ବଡ଼ ଠେଙ୍ଗା ।

 

“କିରେ ନୁନି କୁଆଡ଼େ ଚାଲିଛୁ ଏତେବେଳେ ?”

 

ଜିଲିଠୁ ଜବାବ୍‍ନାହିଁ । ନିଜେ ନିଜେ ପ୍ରଶ୍ନର ଉତ୍ତର ଦେଇ କାଉ ପରଜା କହିଲା, “ଘରକୁ ଲେଉଟୁଛୁ ତ, ଚାଲ୍‌ ମୁଁ ଛାଡ଼ିଦେଇ ଆସିବି ।”

 

କିଛି ନ କହି ଜିଲି ତରତର ହୋଇ ଚାଲିଗଲା, ପଛେ ପଛେ ଖଣ୍ଡେ ତଫାତ୍‍ରେ ରହି ଭୂଇଁରେ ବାଡ଼ି ଠୁକେଇ ଠୁକେଇ କାଉ ପରଜା ।

 

ଜିଲି ପିଣ୍ଡାକୁ ଉଠିଲା, ଘରେ ପଶି ତାଟି କିଳିଦେଲା । କାଉ ପରଜା ଡାକଟାଏ ମାରି ଉପରେ ପଡ଼ି ବିଦାୟ ନେଲା, “ଏ ନୁନି, ମୁଇଁ ଆଉ ନ ରହେ, ରାତି ବେଶି ହେଲାଣି ମୁଁ ଯାଉଛି ।”

 

ତା’ର ବାଡ଼ି ଠକ ଠକ ଦୂରରେ ମିଳେଇ ନ ଯାଉଣୁ ବିଛଣାରେ ପଡ଼ି ତଳେ ମୁହଁ ପୋତି ଜିଲି ମନଇଚ୍ଛା କାନ୍ଦିଲା, କେହି ପ୍ରବୋଧ ଦେବାକୁ ଆସିଲେ ନାହିଁ । ନିଛାଟିଆ ଅନ୍ଧାର ।

 

ସେ ସମସ୍ତିଙ୍କଠୁ ବିଦାୟ ନେବାକୁ ଚାହେଁ, ତା’ର କେହି ନାହିଁ କିନା !

 

ଉଆଁସର ଅନ୍ଧାର ଶେଷରେ ଗୋତି ଛୁଟି ପାଇଲା ।

 

ଜହ୍ନ ଉଦିଲେ ହେବ ଚଇତି ପରବ୍‍ । ସଞ୍ଜରେ ମଧ୍ୟ ସେ ଛୁଟି ପାଇ ନ ଥିଲା, ସାହୁକାର କହିଲା, “ଗୋରୁ ବନ୍ଧା ହେବ, ତା’ପରେ ତୁମେ ସବୁ ଘର ଜଗି ଶୋଇବ । ସକାଳୁ ଉଠି ଯେଣେ ଯାଅ, ପୁଣି ସାତଦିନ ପରେ ଆସିବ, ଡେରି ହେଲେ ପୁଣି ଦେଖିବ ।”

 

ଅତି ପାହାନ୍ତରୁ ବାପ ପୁଅ ତିନିହେଁ କାନ୍ଧରେ ଟାଙ୍ଗିଆ ପକେଇ ଆପଣାର କାଉଡ଼ି କାନ୍ଧେଇ ବାଟେ ବାଟେ ଘରକୁ ଫେରିଲେ ।

 

ଆଜି ମନ ହାଲୁକା, ଏଇ ହାଲୁକା ଅନ୍ଧାର ପରି । ପାହାନ୍ତି ପହରର ସଜ ପବନ ନୁଖୁରା ମୁଣ୍ଡରେ ହାତ ବୁଲେଇ ଦେଇଗଲା । ବଣ ଭିତରେ ଢାଲୁବାଟରେ କାକର ଉପରେ ପାଦ ପକାଇ ଯାଉ ଯାଉ ସକାଳର କଜଳପାତୀ ବହୁଦିନର ଚିହ୍ନାସାଥୀ ପରି ସ୍ନେହର ବାଣୀ ଗାଇ ଏପାଖ ସେପାଖ ଉଡ଼ି ଉଡ଼ି ଗଲା ।

 

ଭୟ ନାହିଁ ଆନନ୍ଦ ଆସିଛି ।

 

ଗିର୍ଲିଘାଟି ମୁଣ୍ଡରେ ପହିଲି ସକାଳର ଆଲୁଅ ଫିଟିଲା । ଢାଲୁଏ ଢାଲୁଏ ଉଠାଣି ବଣବାଟ, କେତେ ଉପରକୁ ବୋଲି ଉଠିଯାଇଛି । ଦୁଇପାଖ ତଳେ ତଳେ କେତେ ଖୋଲ, ଖାଲ, ଜଙ୍ଗଲ ଭର୍ତ୍ତି । ବଡ଼ ବଡ଼ ପାହାଡ଼ର ମହୁଡ଼ ଉଠିଛି ଦୁଇପାଖେ, ଯେଉଁଠି ପ୍ରଚଣ୍ଡ ସୂର୍ଯ୍ୟ ଉଏଁ, ସଞ୍ଜର ତୁଳୀରେ ରଙ୍ଗ ଝଲସେ, ରାତିର ବିସ୍ମୟ ଟାଙ୍ଗି ହୋଇ ରହେ ନିଦୁଆ ପୃଥିବୀ ଉପରେ ।

 

ସେହି ଉଠାଣିରେ ବାଟୋଇ ତିନୋଟି ଚାଲିଲେ, ଭୟ ନାହିଁ ଆନନ୍ଦ ଆସିଛି ।

 

ଦମକର ଚୂଡ଼ା ଉପରେ ପହଞ୍ଚିଲାବେଳକୁ ତଳର ଇନ୍ଦ୍ରନୀଳ ଉପରେ ହୀରା ମାଣିକର ତେଜ ଜକ ଜକ ହେଲା । ପାହାଡ଼ ପଖିରେ ଗାଢ଼ ନୀଳ ହେଲା ସବୁଜ । ମଥାରେ ମେଘର ଧୂଆଁ ଆହୁରି ଉପରକୁ ଭାସି ଚାଲିଗଲା, ଦୂରର ଟାଙ୍ଗର କ୍ଷେତ ମାନଚିତ୍ର ପରି ବିଛେଇ ହୋଇ ରହିଲା ଆଖି ଆଗରେ । କ୍ଷେତ ସବୁ ଚଉଖୁଣ୍ଟ୍‌ ଚେସ୍‌ ଘର ପରି, ଝୋଲା ସବୁ କଳା ଗାର ପରି । ସାନ ମୁଣ୍ଡିଆ କୁଦ ପରି, ଶାଳ ବଣ ଘାସ ମେଞ୍ଚିପରି ।

 

ତଳେ ଦୂରରେ–

 

ପାହାଡ଼ତଳି ଜଙ୍ଗଲ ଘେରେଇ ଗାଁର ନିଃଶ୍ୱାସ ପରି ଧୂଆଁର ଧୂପ ଭଉଁରି ଭଉଁରି ଉପରକୁ ଉଠିଲା । ଏହି ସ୍ଥାନେ ସ୍ଥାନେ ତୋଟାର ଛାତ, ସ୍ଥାନେ ସ୍ଥାନେ ଧାଡ଼ିଧାଡ଼ିକା ବସ୍ତିରୁ ଫାଳେ ଫାଳେ, ରଙ୍ଗିଣି ଖେଳନା ଡିବା ପରି, ଏତିକି ଗାଁର ସଙ୍କେତ । ଏଇଟା ଦଣ୍ଡାବାଡ଼, ହେ ସେଠି କନ୍ଧ–ବେଡ଼ାପଦର, ପେଡ଼ିଶୀଲ୍‌, ସରିଗିଗୁଡ଼ା–ଏହିପରି ।

 

ପଡ଼ିଲା ଗଡ଼ାଣି, କେତେ ଚଞ୍ଚଳ ବାଟ କଟିଯାଉଛି । ବାଟ ଚାଲିଛି । କରାଘାଟିର ଖେନ୍ଦା ଗଲା, ଦଣ୍ଡାବାଡ଼୍‌ ପଛରେ ରହିଲାଣି, ସରିଗିଗୁଡ଼ା ଧାଇଁ ଧାଇଁ ଆସୁଛି । କୁର୍‌ହେଇ ଫୁଲର ବାସ୍ନାରେ ସକାଳୁ ମୁହଁ ଧୁଆ, ବାଟ ସରିଲେ ଆସିବ ।

 

ଗାର୍ଡ଼ାଝୋଲା ଝରଣା କୂଳରେ ଯୋଡ଼ି କୁସୁମ ଗଛତଳେ ଖଣ୍ଡେ ପଥର ଚଟାଣ, ବାଟୋଇ ସେଠି ଝାଳ ମାରନ୍ତି । ପରଜାମାନେ ବସିଲେ । ଶୁଖିଲା କୁର୍‍ହେଇ ଡାଙ୍ଗ ଉପରେ ଛେଲିଦେଇ ଟିକିଏ ଖାଲ କରି ସେଠି ଆଉ ଖଣ୍ଡେ ଖୁର୍‌ହେଇ ଡାଙ୍ଗ ମାଡ଼ି ଧରି ଦହି ମନ୍ଥିଲା ପରି ମାଣ୍ଡିଆଜାନି ମନ୍ଥିଲା । ନିଆଁ ବାହାରିଲା । ଧୂଆଁପତ୍ର ଟଣାହେଲା ।

 

ଆଞ୍ଜୁଳା ଆଞ୍ଜୁଳା ଝାଳ ହାତ ପାପୁଲିରେ ପୋଛି ପକାଇ ସୁକୃଜାନି କହିଲା, “କେତେ ବେଳଯାକେ ଅଟକେଇ ଦେଲା, ଆଜି ପରବ୍‌, ଆଜି ଆମେ ଫେରୁଛେଁ ଘରକୁ ।”

 

ମାଣ୍ଡିଆ କହିଲା, “ସେଇ ତ କଥା, ଆଜି ପରବ୍‌, ଝିଅ ଦୁହେଁ ନୂଆ ଦି’ଖଣ୍ଡ ବି ପିନ୍ଧିଲେ ନାହିଁ । କେବେ କିଣନ୍ତେଁ ? ସେଇ ସାହୁକାର ତ ଏତେ ହରବର କଲା । କାଠ ଦି’ଖଣ୍ଡ ତ ଅଗିପାଇଁ ଘରେ ରଖା ହୋଇନାହିଁ ଆଉ କେଉଁ କଥା, ଏଁ ?”

 

“ଛାଡ଼ ସେଗୁଡ଼ା ବାପା, ମନ ଖରାପ ହେବ । ଚାଲ୍ ଚାଲ୍ ।” ପୁଣି ବାଟଚଲା ।

 

ମାଲିଂଯୋଡ଼ି ଘାଟି ପାଖେ,– ଦି’ ପାଖର ଦୁଇ ପାହାଡ଼ରୁ ଗୀତ ଶୁଭୁଛି, ପାଖେକେ ଧାଂଡ଼ା ଗୀତ ବୋଲୁଛନ୍ତି, ଆର ପାହାଡ଼ରେ ଧାଂଡ଼ୀ ତା’ର ଜବାବ୍ ଦେଉଛନ୍ତି, ଗୀତ ବୋଲି ବୋଲି ଦୁଇଦଳ ପରସ୍ପର ପାଖକୁ ଆସୁଛନ୍ତି, ଲୁଗା ହଳଦିପାଣିରେ ବୁଡ଼ୁଛି, ଜୁଡ଼ାରେ ଫୁଲ ।

 

ଏଇ ଚଇତର ଦୃଶ୍ୟ, ଘର ମନେପଡ଼େ, ଜୀବନର ଆନନ୍ଦ ମନେ ପକାଇଦିଏ ।

ମାଣ୍ଡିଆଜାନି ଦୀଘର୍ଶ୍ୱାସ ପକାଇ ବାପକୁ କହିଲା,–

“କାଜୋଡ଼ିର ବାପ ମତେ ପଚାରିବ । କ’ଣ କହିବି ବାପା ?”

 

“କାହିଁକି ମୁହଁଟାକୁ ଲଦୁ ଭାଇ କିଏ ତୋର କାଜୋଡ଼ିକୁ ନେଇଯିବ ?” ଟିକ୍ରା କହିଲା । ହସି ହସି ଭାଇ ପେଟରେ ଆଙ୍ଗୁଠି ଗେଞ୍ଜି ଦେଲା । ମାଣ୍ଡିଆଜାନି ହସି ପକେଇଲା, କହିଲା,“ହେଇ-! ରଇଥା ତୁ ।”

 

ବାଟ ପୁଣି ହାଲୁକା ଲାଗିଲା ।

 

ସୁକୃଜାନି ମୁଣ୍ଡ ଟୁଙ୍ଗାରି କହିଲା, “ଆଉ କାହିଁକି କହୁଚୁ ପୁଅ, ସବୁ ମୋର କପାଳ କଥା, ନୋହିଲେ– । ହଉ ଯାଏଁ ଏଥର ପୁରୁଜାନିକୁ ପଚାରି ଦେଖିବି ।”

 

ଗାଁରେ ଭାରି ସଜବାଜ, ଚୈତ୍‍ ପରବ୍‍ ଆଜି । ଦିନ ନଅଟାବେଳେ ଗାଁ ଦାଣ୍ଡରେ ପହଞ୍ଚିଲାବେଳକୁ ସାହି ଉଠୁଛି ପଡ଼ୁଛି ବାଇଦ ବାଜଣାରେ । ଏଠି ସେଠି ପଞ୍ଝା ପଞ୍ଝା ଲୋକ ଢୋଲ ଟମକ ପିଟିବାରେ ଲାଗିଛନ୍ତି । ଏଠି ସେଠି ଘର ଦାଣ୍ଡରେ ଗଛମୂଳେ ମେଞ୍ଚି ମେଞ୍ଚି ପିଲା ଘୋ ଘା ପାଟିକରି ଠେଲାଠେଲି ଡିଆଁ ଡେଇଁ କରୁଛନ୍ତି । ପାଞ୍ଚଟି ସାତଟି ଧାଂଡ଼ୀ ଏକାଠି ମିଶି ଗୋଟିଏ ଦଳ ହୋଇ ଟିପେଇ ଟିପେଇ ନାଚୁଛନ୍ତି । ଧାଂଡ଼ୀ ସମସ୍ତେ ହଳଦି ଗରଗର । କିଏ ନାଚୁଛି । କିଏ ମୁଣ୍ଡ ବାନ୍ଧୁଛି । କିଏ କାହା ପଛରେ ଗୋଡ଼େଇ ଗୋଡ଼େଇ ହଳଦି ପାଣି, ରଙ୍ଗ ପାଣି ପକାଉଛି ଲୁଗାରେ-

 

ମିଣିପେ ଗୋଠ ବାନ୍ଧି ବସି ଗପ କରୁଛନ୍ତି । ଗାଁ ଦାଣ୍ଡରେ ଠେକିରୁ ଅଜାଡ଼ି ମଦ ପିଇ ନାଚୁଛନ୍ତି । କାହାର ହସିବାକୁ ମନ ହେଉଛି । କାହାର ଭୂଇଁରେ ଗଡ଼ିବାକୁ । କାହାର ସାତ ପାଞ୍ଚକୁ କୁଣ୍ଢେଇ ଧରି ନିଶରେ ନିଶ ଘଷି ନାଚ କରିବାକୁ ।

 

ସବୁ ଚଇତର ଲୀଳା ।

 

ଆଉ ଲାଗିରହିଛି ଢୋଲ ଟମକର ମନମତାଣିଆ ବାଜା, ଯାହା ଖାଲି ଉଠାଏ ନଚାଏ କହେ–

 

ଇନାକା ଦେଂ ଚିମ୍ ଚିମ୍ ରାନାସ୍

ଇନାକା ଦେଂ ମାଡ଼୍‍ଗୁମ୍ ରାନାସ୍

ଆତୁ ବିଚି କେଲା କେନାସ୍‍ ।

 

ଘରେ ପହଞ୍ଚିଲାବେଳକୁ ମନର ଦୁଃଖ ମନରେ ମରି ସାରିଥିଲା । ଗାଁଯାକର ଆନନ୍ଦରେ ବାହାର ମନରେ ଫୁଲ ଫୁଟିଥିଲା । ପତ୍ର କଅଁଳି ଥିଲା । ସମସ୍ତିଙ୍କର ପ୍ରତୀକ୍ଷା, ଏଇ ଆନନ୍ଦ ଭିତରୁ କ’ଣ ଯେପରି ଉପୁଜିବ, ଯାହା ଶୁଭ, ମଙ୍ଗଳ, ସୁନ୍ଦର ।

 

ମାଣ୍ଡିଆଜାନି ଭାବୁଥିଲା–ଏଇ ଚଇତରେ ମାଗଣାରେ ବାହାଘରଟା ହେଲା ବୋଧହୁଏ-

 

ଟିକ୍ରିଜାନୀ ଭାବୁଥିଲା–ଧାଂଡ଼ୀ ନାଚରେ କେତେ ମଜା ହେବ ନିଶ୍ଚୟ ।

ବୁଢ଼ାର ମନରେ ମଧ୍ୟ ଟିକିଏ ଟିକିଏ ଖୁସି ଯେ ନ ହେଉଥିଲା ନୁହେଁ ।

 

 

ଜିଲି ବିଲି ପାଛୋଟି ଆସିଲେ । ସୁକୃଜାନି ଝିଅଙ୍କ ଗାଲରେ କପାଳରେ ହାତ ବୁଲେଇ ଦେଇ କହିଲା, “ଆହା, କେତେ ଚଞ୍ଚଳ ଝଡ଼ିଗଲରେ ନୁନିମନ୍‌ ।” ମାଣ୍ଡିଆ ବିଲିକୁ ଉଢ଼ୁଆଳକୁ ଡାକିନେଇ ପଚାରିଲା–“କାଜୋଡ଼ିମାନେ କେମିତି ଅଛନ୍ତିରେ ବିଲି ?”

 

ବିଲି ଠୋ ଠୋ ହସି ଡାକ ପକେଇଲା, “ଏ ଅପା, ଶୁଣିଯା ଟିକିଏ ।” ଜିଲି ଆସିଲାରୁ ମାଣ୍ଡିଆ ହସି ହସି ପଚାରିଲା,“ବାଗ୍‍ଲା ଅଛି ନା ଘରେ ?” ଜିଲି କହିଲା, “ମଲା, ଏଥିପାଇଁ–” ମୁହଁ ମୋଡ଼ିଦେଇ ପଳେଇଲା ।

 

ଟିକ୍ରା କୁଣିଆଁ ପରି ଆସି ପଚାରିଲା, “ଆମେ ଆସିଲୁ, କ’ଣ ଦବ ଆମକୁ ଖାଇବାକୁ ?”

ଦିନ ଦି’ପହରେ ପିଲାମାନେ ଯେ ଯୁଆଡ଼େ ଗଲେ ନାଚିବାକୁ, ସୁକୃଜାନି ଘରେ ଶୋଇ ରହିଲା ।

 

ଭୂଇଁରେ ଲମ୍ବହୋଇ ପଡ଼ି ବାହାକୁ ତକିଆ କରି ସୁକୃଜାନି ଆପଣା ମାଟିରେ ଶୋଇ ଶୋଇ ଟିକିଏ ଶାନ୍ତି ଖୋଜିଲା । ଦୁଇ କଳ ଧୂଆଁ, ଅତି ପରିଚିତ ମସିଆ ମାଟିରେ ଦୁଇ କର ଗଡ଼ତ ପଡ଼ତ, ଢୁଳା ଢୁଳା ଆଖିରେ ଦୁଇ ପୋଷ ନିଦ, ଏତିକି ତା’ର ଶାନ୍ତି ।

 

କେହି କୁଆଡ଼େ ନାହନ୍ତି । ଘରେ ନ ଥିବେ କେହି ଏବେ । ଗାଁ ଦାଣ୍ଡରେ ଭାରି ନାଚଗୀତ ଆଉ ବାଜା, ହୁଗୁଳା ଦିନ ଆଲୁଅରେ କେତେ ଦୂରକୁ ଚହଟି ଯାଉଚି, ମନକୁ ଗୋଳିଆ କରୁ ନାହିଁ ।

 

ଯେ ଯୁଆଡ଼େ ଫିଟି ଚାଲି ଯାଇଛନ୍ତି, ଏଇ ଟୋକା ଟାକିଳିଆ ଲୋକ । ନିଜ ନିଜର ଖୁସି ବଖଣିବାକୁ, ଆନନ୍ଦ ଖୋଜିବାକୁ । ତାଙ୍କର ଜୀବନ ଅଛି ପ୍ରଚୁର । ସବୁଥିରେ ହାଲୁକା ସେମାନେ, ପ୍ରଜାପତି ପରି । ଏ ଉଦୁଉଦିଆ ଦି’ପହର ଖରା ତାଙ୍କୁ ଅଟକାଏ ନାହିଁ, ତାଙ୍କର ମେଳ ଆମ୍ବ ବଉଳ ତଳେ ତଳେ, ଫୁଲର ପାଖୁଡ଼ାଏ ପାଖୁଡ଼ାଏ ।

 

ବୁଢ଼ାର ଏଥିରେ ଭାଗ ନାହିଁ ।

 

ସେମାନେ ଉଡ଼ିଛନ୍ତି ବୋଲି ବୁଢ଼ାମନରେ ଅବସୋସ ନାହିଁ । ସେ ଏମାନଙ୍କୁ ସମ୍ପାଦିଛି, ମଣିଷ କରିଛି, ଉଡ଼ି ଶିଖେଇଛି ।

 

ତଥାପି ! ବାଜା ଶବ୍ଦର ହାବୁକାରେ ଯେପରି ବୁଢ଼ା ଓଲଟି ପଡ଼ି ଗଡ଼ିଯାଉଛି ଏପାଖୁ ସେପାଖ । ଦେହ ବୁଢ଼ା ହେଉଛି । ବାଳ ପାଚି ଯାଉଛି ଗୋଟାଏ ଗୋଟାଏ । ହାତର ପେଣ୍ଡା ଆଉ ଗୋଡ଼ର ପେଣ୍ଡାରେ ଶିର ଜାଲ ପରି ବୁଣି ହୋଇଛି । କିନ୍ତୁ ମନ ବୁଢ଼ାପଣ ସ୍ୱୀକାର କରି ନାହିଁ, ଖାଲି ଦିନୁଁ ଦିନ ବୁଝୁଛି, କ’ଣ ଏପରି ଦୁନିଆ ହୋଇଯାଉଛି, ଯହିଁରେ ଦୁନିଆଁ ଆଖିରେ ସେ ଅକାମୀ ।

 

ସେ ଅକାମୀ । ତାକୁ ପଛକୁ ଆଡ଼େଇ ଦେଇ ହସନ୍ତା ଖେଳନ୍ତା ବଡ଼ ଜୀବନର ଲୀଳା ପଟୁଆର କରି ଆଗକୁ ମାଡ଼ି ଚାଲି ଯାଉଛି ।

 

ଏଇ ନା ବୁଢ଼ାଲୋକର ଅଭିମାନ !

 

ନିଛାଟିଆ ଦି’ପହରେ ନୁଆଁଣିଆ ଘରେ ପଡ଼ି ପଡ଼ି ବୁଢ଼ା ସୁକୃଜାନିକୁ ଏକୁଟିଆ ଲାଗୁଥାଏ । ଯେପରି ପଦାର ଘୋ ଘା ତାକୁ ଆହୁରି ଏକୁଟିଆ କରି ଦେଉଛି ସଂସାର ଭିତରୁ ।

 

ଏକୁଟିଆ ଘରେ ଉଦାସୀ ଲାଗେ, ଅଥଚ ପଦାକୁ ଯିବାକୁ ପାଦ ଉଠେ ନାହିଁ, ମନ ବେଶି ବଳେ ଏଇ ଉଦାସ ଭିତରେ ବୁଡ଼ି ରହିବାକୁ, ମନ ଭିତରେ ଲୁହ ଜମେ । ପାଟି ଲୁଣି ମାରିଯାଏ । ତଥାପି ତ ଇଚ୍ଛା ହୁଏ ଏହିପରି ପଡ଼ିରହି ସକେଇ ହେବାକୁ, ଦୁଃଖର ଲୁଣି ସୁଆଦ ଚାଖି ମାଟିକାମୁଡ଼ି ପଡ଼ି ରହିବାକୁ ।

 

ପଡ଼ି ରହି ରହି ଚିନ୍ତା ଆସେ, ସ୍ମୃତିର ଛବି ମୁହଁ ଦେଖାଇ ଯାଏ, ଦୁଃଖର ତୋଫାନ ମନ ଭିତରେ ଓଲଟ ପାଲଟ କରି ମନ୍ଥି ଚକଟି ଚାଲିଯାଏ ।

 

ଆକାଶ ପବନ, ଦେଖା ପରଖା ବସ୍ତୁ, ସବୁଥିରେ କଳାଘୁମର କରୁଣର ଛାଇ ପଡ଼େ, ପୋଖରୀର ପାଣିରେ ବହଳ କଳାମେଘର ଚିତ୍ର ପରି । ନିରାଶାର ପୂଜା ହୁଏ । ତର୍ପଣ ପରି ଆଖି କଣରେ ଲୁହ ଜକ ଜକ କରେ ।

 

ଆଜି ଏ ଚଇତରେ–ସୁକୃଜାନି ଭାବୁଥିଲା–ତା’ର ଧାଂଡ଼ୀ ନାହିଁ, ସମ୍ବାରୀ ନାହିଁ । ବୟସ ଥିଲା, ହସଖୁସି ନାଚଗୀତର ବୟସ, ସେତେବେଳେ ସମ୍ବାରୀ ଥିଲା, ଆଜି ନାହିଁ । ଉଲୁଦିଆ ବିଭା ହେବା ପାଇଁ ପ୍ରଚଳିତ ପ୍ରଥା ଅନୁସାରେ ଦୁଇ ହାତରେ ତାକୁ ଟେକି ଧରି ଜଙ୍ଗଲକୁ ସେ ନେଇ ଯାଇଥିଲା ଚଇତ ନାଚ ମଝିରେ ।

 

ଆଜି ସେ ଏକୁଟିଆ ।

 

ସମ୍ବାରୀକୁ ବାଘ ଖାଇଲା । ତାହା ଉତ୍ତାରୁ ପୁଣି ବିଭାହେଲେ ଏପରି ଗୋଟିକୁ ବିଭାହେବାର କଥା ଯାହାର ସ୍ୱାମୀକୁ ବାଘ ଖାଇଛି । ସେପରି ତ ଅନେକେ ମିଳୁଥିଲେ । ଲୋକେ ବହୁତ ବୁଝେଇଲେ, କେତେ ମନାଇଁ କହିଲେ । ସୁକୃ ସବୁ ଶୁଣିଲା, ଗାଲିପାରି ଦେଲା । ସମ୍ବାରୀର ଜାଗାଟା ଶେଷଯାକେ ଖାଲି ପଡ଼ି ରହିଲା ।

 

ଏଇ ଦି’ପହରେ, ତା’ରି ମୁହଁଟି ଦିଶିଯାଏ । ହାଲିଆ ଘାଲିଆ ହୋଇ କ୍ଷେତରୁ ଫେରିଲେ ସେଇ ସିନା ପଣତରେ ଝାଳ ପୋଛିଦିଏ । ପେଜ୍‍ ଖାଇ ଶୋଇପଡ଼ିଲେ ସେଇ ସିନା ବସି ବସି ମୁଣ୍ଡରୁ ଉକୁଣି ମାରିଦିଏ, ପାଦ ଆଉଁଶି ଦିଏ । ପତ୍ର–କାହାଳିରେ ଧୁଙ୍ଗିଆ ପୂରାଇ ମୁହଁ ପାଖେ ଧରେ, ଜୁଇ ଳଗାଇଦିଏ । ହସେ, ଗପ କରେ ଅନଗର୍ଳ । ଦେହରେ ଲଟେଇ ହୋଇଯାଏ, ଶାନ୍ତିରେ ଆଖି ବୁଜିଦିଏ ।

 

ଆଉ ସମ୍ବାରୀର କାନି ତଳେ ଏ ଛୁଆ ଚୋରାଟି । ଆଜି ତାଙ୍କରି ମୁହଁରୁ କିଛି କିଛି ନେଇ ମିଶାଇ ଗଢ଼ିଲେ ସମ୍ବାରୀର ମୁହଁ ଝାପ୍‌ସା ହୋଇ ଦିଶେ । ଉଦୁଉଦିଆ ଦି’ପହରେ ଏକୁଟିଆ ସବୁ ଗଢ଼ିହୁଏ । କିନ୍ତୁ ଖାଲି ପବନ । ସେ କଥା କହେ ନାହିଁ, ଡାକିଲେ ଆସେ ନାହିଁ, ଧରାଦିଏ ନାହିଁ, ପବନ ସେ, ପବନରେ ମିଳାଇ ଯାଏ ।

 

ପିଣ୍ଡା ଉପରେ ବସି ଗୋଡ଼ ଲମ୍ବଇ ଦେଇ ଦି’ ହାତରେ ମେଞ୍ଚି ମେଞ୍ଚି କରି ନେଇ କାଜୋଡ଼ି ହଳଦି ଲଗାଇ ହେଉଥାଏ । ଆଗପଟେ ଝାଟିର ବାଡ଼, ଗୋଟାଏ ପାଖ ଖୋଲା । କାଜୋଡ଼ି ବ୍ୟସ୍ତ ଥାଏ । ତରବର ହୋଇ ଯାଉଥାଏ । ଯେତେ ଚେଷ୍ଟାକଲେ ହଳଦି ମୁହଁରେ ଲାଖୀ ରହୁ ନାହିଁ, ଉଞ୍ଛା ହୋଇ ପଡ଼ିଯାଉଛି । କାଜୋଡ଼ି ଆପଣା ଚିନ୍ତାରେ ଆପେ ବିଭୋର ।

 

ମେଲା ହତାମୁହଁ ଉପରକୁ ମାଣ୍ଡିଆଜାନିର ଉଞ୍ଚମୁଣ୍ଡ ଆସି ଦିଶିଲା ଉଦୁଉଦିଆ ଦି’ପହରେ ।

 

“କିରେ କାଜୋଡ଼ି–”

 

ସାମ୍ନାରେ ମାଣ୍ଡିଆଜାନି, ମୁହଁରେ ହସ ଉଛୁଳି ପଡ଼ୁଛି, ଆଖିରେ ତା’ର ବତି ଜଳୁଛି ସତେ ! କାଜୋଡ଼ି କିଲିକିଲିଆ ହୋଇ ଭିତରକୁ ପଶିଗଲା ।

 

ମେଲା ହାଉଁହାଉଁଆ ଦୁଆରଟାରେ ମାଣ୍ଡିଆଜାନି ଧପ୍‍କରି ନିଭିଯାଇ ଠିଆହୋଇ ରହିଲା ।

 

ପଛପଟେ ବଡ଼ ଝୋଡ଼ିଗଛରୁ ଶୁଖିଲା ପତ୍ର ସବୁ ଥରି ଥରି ପବନରେ ଝଡ଼ି ଗଦା ହେଉଛି । ମଣିଷର ଶବ୍ଦ ନାହିଁ, ବେଳେ ବେଳେ ସାହିର ଘୁଷୁରି ପଲ ନାକକୁ ତଳେ ମାଡ଼ି ଭୁସ୍‌ମାସ୍‌ ଦଉଡ଼ି ପଳାଇ ଯାଉଛନ୍ତି ।

 

ମାଣ୍ଡିଆଜାନି ଠିଆହୋଇ ରହିଲା ଖୁଣ୍ଟଭୂତ ପରି, ଟିକିଏ ଟିକିଏ ଦୁଆର ମୁହଁକୁ ଚାହେଁ, ଟିକିଏ ଟିକିଏ ତଳର ଭୂଇଁକୁ ଅନାଇ ରହେ, ପିଠିରେ ଟାଣ ଖରା ମନେପଡ଼େ ନାହିଁ । ମନ ଭିତରୁ ସବୁ ଭାବିବା ଶକ୍ତିଯାକ ଯେପରି କୁଆଡ଼େ ଶୋଷି ହୋଇ ଚାଲିଯାଇଛି । କିଛି ସମୟ ପରେ ଲୁଗାପଟା ସଜାଡ଼ି ନେଇ କାଜୋଡ଼ି ଆସିଲା, ଖୁବ୍‌ ଅଳ୍ପ ସମୟ ପରେ, କିନ୍ତୁ ମାଣ୍ଡିଆଜାନି ଭାବିପାରିଲା ନାହିଁ କେତେ ସମୟ ପରେ ।

 

ଶୁଖିଲା ମୁହଁରେ କାନ୍ଦିଲା ପରି, ଅଟକିଗଲା ପରି, ହସିଲା ପରି ଚେଷ୍ଟା କରି ରହିଲା ରହିଲା ହୋଇ କାଜୋଡ଼ି କହିଲା,“ତୁ–ତୁ ଆଜି ଆସିଚୁ ।”

 

“ହଁ, ଆଜି ଆଇଲି କାଜୋଡ଼ି ।”

“ଏତେ ଦିନକେ–”କାଜୋଡ଼ି ଭ୍ରୂଲତା ଳମ୍ବେଇ ଦେବାକୁ ଚେଷ୍ଟା କଲା ।

“ହଁ, ଆଜି ଆଇଲି ।”

 

କାଜୋଡ଼ି ଗୁମ୍‌ ମାଇଲା । ମାଣ୍ଡିଆଜାନି ଅଳପେ ଭରସା ପାଇ ପାଖକୁ ଚାଲିଆସିଲା । କାଜୋଡ଼ି ମୁହଁ ନୁଆଁଇ ଦେଲା ।

 

ମାଣ୍ଡିଆ ସେହିପରି କାଠ ହୋଇ ଠିଆ ହୋଇ ରହିଲା । କାଜୋଡ଼ିର ମୁଣ୍ଡକୁ ଚାହିଁ ଦେଖିଲା ।

 

ପାଖକୁ ଘୁଞ୍ଚି ଗଲା ନାହିଁ, କାଜୋଡ଼ିକୁ ଛୁଇଁଲା ନାହିଁ, ସବୁଦିନର ଅଭ୍ୟସ୍ତ ଲାଜ ତା’ର ନରମ ହୋଇ ଆସୁଥିବା ମନକୁ କ୍ରମେ ବାନ୍ଧି ପକାଇଲା ।

 

କାଜୋଡ଼ିର ପ୍ରତ୍ୟାଶାରେ ବାଧା ପଡ଼ିଲା । ସବୁଦିନେ ମାଣ୍ଡିଆ କାଠ ପଥର ଥିଲା । ଆଜିବି ହଠାତ୍‌ ମାଣ୍ଡିଆ ପଚାରିଲା,“ଆଜି ନାଚିବୁ ମୋ ସାଙ୍ଗେ ?”

 

କାଜୋଡ଼ି ହୋ ହୋ ହୋଇ ହସି ଉଠିଲା, ମନର ସବୁ କାନ୍ଦଣା ତା’ର ହସରେ ମିଶିଗଲା, ହସ ନୁହେଁ, ଖାଲି ଗୋଟାଏ କୋଳାହଳ, କେତେଗୁଡ଼ାଏ ଫାଟିବା ଶବ୍ଦ ଏକାଠି ହୋଇ, ଶୁଖିଲା ଡାଙ୍ଗଗୁଡ଼ାଏ ଭାଙ୍ଗିଲା ପରି ।

 

“କିସ୍ କହିଲୁ ?”–ନାଚିବି–ଏତେଦିନ ତେବେ କାହାସଙ୍ଗେ ନାଚୁଥିଲୁ ? –ଚଇତକୁ ନାଚିବାକୁ ମନହେଲା, ନୁହେଁ ? –ନାଚିବୁ ? –ମୋ ସଙ୍ଗେ ?”

 

“ଚଇତ୍‌ କାଜୋଡ଼ି– ।”

“ଚଇତ୍‌ ମାଣ୍ଡିଆ ।”

 

ପୁଣି କାଜୋଡ଼ି ଘର ଭିତରକୁ ପଶିଗଲା । ମାଣ୍ଡିଆ ଅପେକ୍ଷା କରି ଠିଆହେଲା । ଏଥର ପହିଲି ଝଲସା ଚାଲିଗଲା, ଆଉ ଅସୁବିଧା ନାହିଁ, କଥାର ସୁଅରେ ଢିମା ନାହିଁ, ପଥର ନାହିଁ-। ମାଣ୍ଡିଆ ଡାକିଲା “କାଜୋଡ଼ି ।”

 

“ହଁ ଆଇଲି,” କାଜୋଡ଼ି କହିଲା । ସେ ଆସିଲା । ଦୁହେଁ ସୁଖ ଦୁଃଖ କଥାଭାଷା ହେଲେ-। ମାଣ୍ଡିଆ ପଚାରିଲା, କିଏ ଏବେ ଭଲ ନାଚୁଛି, କିଏ ଭଲ ଗୀତ ଗାଉଛି । କେଉଁ କେଉଁ ଗାଁକୁ ବୁଲିଯିବା ବୋଲି ଏ ବର୍ଷ ଠିକ୍‌ ହୋଇଛି, କେଉଁ ପାହାଡ଼କୁ ଚୈତ୍ର ଶିକର ପାଇଁ ଯିବାକୁ ସ୍ଥିର ହୋଇଛି, ଗାଁର ୟା କଥା ତା କଥା । ସେହିପରି ଠିଆ ହୋଇ ରହି କାଜୋଡ଼ି ତା’ର କଥାର ଜବାବ୍‌ ଦେଲା ।

 

ମାଣ୍ଡିଆ ଚାଲି ଯାଉଥିଲା । ଅଧବାଟରୁ ପୁଣି ଫେରିଆସି ପଚାରିଲା, “ତୋ ବାପା କୁଆଡ଼େ ଗଲା ?”

 

“କେଣେ ଗାଁ ଭିତରକୁ ଯାଇଛି ।” କାଜୋଡ଼ି ତରକି ଅନେଇଲା ।

“ମୁଁ ଆସିଲି –ତତେ–”

 

“ଶୁଖିଲା ହସ ଠୋ ଠୋ ହସି ମୁହଁ ଫଟେଇ ଦେଇ କାଜୋଡ଼ି କହିଲା, ନାଚିବାକୁ ଡାକିବୁ ବୋଲି, ନୁହେଁ ? ହଉ ନାଚର ବେଳ ତ ଅଛି । ଏବେ ଯା ।”

 

ମାଣ୍ଡିଆର କଥା କୁହା ହେଲା ନାହିଁ । ସେ ମୁହଁ ଶୁଖେଇ ଚାଲିଗଲା, ଗୁରୁ ଗାଳିଦେଲେ ଭଲ ପିଲାଟି ଯେପରି ଆଘାତ ପାଇ ଯାଏ ସେହିପରି, –ଗାଳିଦେଲେ ଅଥବା ଚଟକଣି ଖାଇଲେ ।

 

କାଜୋଡ଼ି ଅନ୍ୟମନସ୍କ ହୋଇ ବସି ବାଳଗୁଡ଼ିକ କେରା କେରା କଲା । ମୁଣ୍ଡରେ ଜଡ଼ାତେଲ ବୋଳି ହେଲା । ଟିକି ଦର୍ପଣଟିଏ କାଢ଼ି ଦେଖିଲା, ମୁହଁର ମସିକୁ ହଳଦି ଲୁଚାଇ ପାରୁନାହିଁ । ସେ ନିଠେଇ ନିଠେଇ ହଳଦି ମାଲିସ୍‍ କଲା । ଖାଲି ମୋଡ଼ି ମୋଡ଼ି ହୋଇ ଉଞ୍ଛା ହୋଇ ଝଡ଼ିପଡ଼ିଲା । ମୁହଁରେ ହଳଦି ଲାଗି ରହିଲା ନାହିଁ । ଖରା ତାତି ରେ ଶୁଖି ଝଡ଼ିପଡ଼ିଲା ।

 

କ୍ଷଣେ ରହି ମନକୁ ମନ ବଙ୍କା ହସଟିଏ ସେ ହସିଦେଲା, ଗୁଣୁଗୁଣୁ ହୋଇ ଗୀତ ବୋଲିଲା, ଯେପରି ନିଜ କାନକୁ ସେ ନିଜେ ଗୀତ ଶୁଣେଇବାକୁ ଚାହେଁ ।

 

ବସି ବସି ମୁହଁ ଘଷି ଚିକ୍ କଣ କଲା ।

 

କନ୍ଧ ଦିସାରି ରାତିର ତରା ଗଣେ, କଳା ଘୁମର ଆକାଶର ଗୋଟି ଗୋଟି ତରାଙ୍କ ସାଙ୍ଗେ ତୁନି ତୁନି କଥା କହେ । ପଚାରି ବୁଝେ ପାଗ ପାଚି କଥା, ବିଭା ବେଉଷଣ କଥା, ଭଲ ଅସାର ଦିନ ଆଉ ମୁହୂର୍ତ୍ତ ।

 

ପରଜା ଦିସାରି ତାଳପତ୍ରର ପାଞ୍ଜି ଓଲଟାଇ ହିସାବ ଗଣେ, ପିତୃପିତାମହ କସି ବାନ୍ଧି ରଖିଦେଇ ଯାଇଛନ୍ତି ଖାଲି ବାଛି ନେବାକୁ ହେବ । କେଉଁ ପତ୍ରରେ କେଉଁ କଥା ଲେଖା ହୋଇଛି । ସେ ପାଞ୍ଜିରୁ ବୁଝେ ପାଗଯୋଗର ଦିନ, କାଳିଶି ନଚେଇ ବୁଝେ ପୂର୍ବଜନ୍ମର କଥା, କିଏ କେଉଁ ମଲା ହଜିଲାର ଡୁମା ବା ଆତ୍ମା ।

 

କନ୍ଧ ଦିସାରି ତରା ଗଣିଥିଲା, ପରଜା ଦିସାରି ପାଞ୍ଜି ଦେଖିଥିଲା, ଦୁହେଁ ବିଧାନ ଦେଇଥିଲେ ଚଇତି ଦେବତା’ର ଆବାହନର ଯୋଗ ପଡ଼ୁଛି ଆଜି ସନ୍ଧ୍ୟାରେ ।

 

ସାମାନ୍ୟ ଟିକିଏ ଅମେଳ ଥିଲା ଦୁଇ ଗଣନାରେ, କନ୍ଧ ଦିସାରି ମତରେ ମାହେନ୍ଦ୍ରବେଳା ହେବ ସେତିକିବେଳେ ଯେତେବେଳେ ହାତୀମାଳି ପାହାଡ଼ ଉପରେ ସଞ୍ଜର ଯୋଡ଼ିଏ ତରା ବୁଢ଼ା ତେନ୍ତୁଳି ଗଛ ଡାହି ବାଟେ ଜିକି ଜିକି ହୋଇ ଦିଶା ହେବେ । ପରଜା ଦିସାରିର ବେଳ ଆଉ ଟିକିଏ ଆଗରୁ, ଠିକ୍ ଯେତେବେଳେ ତିନିଦିଗରୁ ତିନିଟା କୁଟ୍ରା ବୋବାଇବେ, ସେତିକିବେଳେ ।

 

ଏ ଦୁଇ ନିଷ୍ପତ୍ତି ମଝାମଝି ଯାଇ ଗାଁ ପୁରୋହିତ ମୁଣ୍ଡରାଜାନି ଠିକ୍‍ଣା କଲେ ଯେ କୁଟ୍ରା ବୋବାଳିବେଳେ କୁକୁଡ଼ା ହଣା ହେବ, ଦୁଇତରା ଉଠିଲାବେଳେ ପାରା ମରହେବ ଓ ପହଞ୍ଚିଲାବେଳଠୁ ଆସିଲାବେଳ ପର୍ଯ୍ୟନ୍ତ ଗାଁ ନାଇକ ତୁଣ୍ଡରେ କୁଟା ଧରି ବେକରେ ପଘା ପକେଇ ଦେବତା ଆଗରେ ମୁହଁ ମାଡ଼ି ଭୂଇଁରେ ଶୋଇ ରହିଥିବ, ଅତଏବ ଦେବତା ଯେତେବେଳେ ଚାହିଁଲେ ମଧ୍ୟ କୋପ କରିବ ନାହିଁ ।

 

ଆଜି ଚଇତ ଦେବତା’ର ଉଦ୍‍ବୋଧନ ।

ବଣ ଭିତରୁ ତା’ର ବସାଘରୁ ତାକୁ ଡାକି ଆଣିବାକୁ ହେବ ।

 

“ରେ ହସଖୁସିର ଠାକୁର, ନାଚଗୀତର ଠାକୁର, ବଣବେଣ୍ଟର (ଶିକାରର) ଠାକୁର, ତୁ ଆ, ତତେ ମଦ ଦେବୁଁ, କୁକୁଡ଼ା ପାରୁଆ ଛେଳି ଦେବୁଁ, ଆମେ ଗାଁରେ ରହି ପୂଜା ଦିନ କେଇଟା ହସେଇ, ନଚେଇ, ମତେଇ ତୁ ତୋ ବସା ବାହୁଡ଼ି ଯା, ତୁ ଆ, ତୁ ଆ, ତୁ ଆ ।”

 

ଦେବତା ମଣିଷ ଗହଣରେ ନ ଥାଏ । ସେ ଥାଏ ବଣରେ, ଯେଉଁଠି ଆଉ ଆଉ ଦେବତାଙ୍କ ଘର, ଝାକ୍‌ର ଦେବତା, ବାଘ୍‌ ଦେବତା, ବସୁମତୀ–ଦେବତା ଓ ଆଉ ସମସ୍ତେ । ସେ ଥାଏ ସେଠି ଯେଉଁଠି ମଣିଷର ଛାଇ ପଡ଼ି ବନସ୍ଥାଳୀ ଅପବିତ୍ର ହୁଏ ନାହିଁ, ମଣିଷର ନିଃଶ୍ୱାସ ମିଶି ପବନ ବିଷାକ୍ତ ହୁଏ ନାହିଁ ।

 

ଗହୀର ଖାଲି ଭିତରେ, ଯେଉଁଠି ଝଙ୍କା ଝଙ୍କା ଗଛ ଆଉ ମୋଟା ମୋଟା ଦୋଳିଖେଳା ମାଳ ଲଟା ବାହାକୁ ବାହା ଛନ୍ଦି ଜହ୍ନଆଲୁଅ ପାଇଁ ଛାଞ୍ଚ ତିଆରି କରିଛି, ଯେଉଁଠି ଚାରିପାଖୁ ଅତଟ ପାହାଡ଼ର ଆବୁଡ଼ା ଢାଲୁ ଜଙ୍ଗଲ ଘୋଡ଼ି ହୋଇ ତୀଖ ହୋଇ ତଳର ଗୋହିରି ଉପରେ ଓହଳି ପଡ଼ୁଛି, ଯେଉଁଠି ମୁଣ୍ଡଘୁରା ତଳେ ନାଚ ଦେଖାଏ ସଞ୍ଜ ସକାଳର ଥରିଲା ଥରିଲା ଡେଙ୍ଗା ଶାଳଗଛର ଛାଇ, ହାତ ଧରା ଧରି ହୋଇ ନାଚନ୍ତି ଆବୁନିଆଦୀ କାହୁଁ ଅଇଲା ମନଫୁଲାଣି ଟିକି ଝରଣାର ସୁଅ, ନାଚେ ବଣ ଫୁଲର ମାଳ, ମୟୁର ନାଟ କରେ, ସେହି ଦେବତା’ର ଘର ।

 

ଦିନ ବୁଡ଼ିଲା । ସଜବାଜ ସରିଲା । ଗାଁ ଲୋକେ ଉଠି ଚାଲିଲେ । ପାହାଡ଼ ଉପରେ ଉପରେ ବଙ୍କା ଢଙ୍କା ଉଠାଣି ବାଟ । ଦି’ପାଖେ ଭାରି ବଣ, ଚନ୍ଦନ, ବିଜା ସରଗି କାଠର । ପାତାଳ ପରି ତଳେ ଜୁକୁ ଜୁକୁ ଚଞ୍ଚଳ ଝୋଲା (ଝରଣା) ଘନ ଜଙ୍ଗଲ ଭିତରେ କାହିଁ ଦେଖା ଦେଇ କାହିଁ ଲୁଚି ପଡ଼ି ଛପିଛପିକା ବଣର ଜନ୍ତୁପରି ଧାଇଁ ପଳାଇ ଯାଉଛି, ପୁଣି ତା ପାଖେ ଆକାଶଛୁଆଁ ପାହାଡ଼ର ମାଳ ।

 

ସେଇ ଉଠାଣି ବାଟେ ବାଇଦ ବଜେଇ ନାଚି ନାଚି ଗୀତ ବୋଲି ଗାଁ ଲୋକେ ଚାଲିଲେ-। ପାଖକୁ ଦୁଇଟି ଧାର, ପାଖେ ପୁରୁଷ, ପାଖେ ସ୍ତ୍ରୀ ।

 

ଉଠାଣିର ମୁଣ୍ଡ ପଡ଼ିଲା । ଦୂରର ପିତ୍ତଳ ହଳଦି ଆକାଶ ମସିଆ ପଡ଼ିଗଲାଣି ସେତେବେଳେ । ଦୂରର ଗାଆଁଗଣ୍ଡା ଆଉ ପରିଷ୍କାର ଦିଶୁ ନାହିଁ । ସବୁ ତୁନିତାନି ଆଉ ଶାନ୍ତ ।

 

ଗଡ଼ାଣିରେ ଗଡ଼ି ରାସ୍ତାରୁ ବାଟ କାଟି ସମସ୍ତେ ଖାଲରେ ଥିବା ଦେବତା ଝୋଲାରେ ପଶିଲା । ପାଦରେ ବାଜି ଝିଙ୍କର ପଥର ଗଡ଼ି ଗଡ଼ି ଚାଲିଗଲା । ବାଜା ଶବ୍ଦରେ ବଣ ଭିତରେ କେତେ ପଳେଇଯିବା ଶବ୍ଦ, ଦୁମୁ ଦୁମୁ ଛପ ଛପ, ବଡ଼ ବାଜା ବାଜିଲେ ମହାବଳ ବାହାରି ପଡ଼େ । ବଣର ଜନ୍ତୁ ବାଟ ଛାଡ଼ିଦେଲେ, ମଣିଷ ଚାଲିଲେ ଦେବତା ଡାକି । ବାଟରେ ମଶାଲ ଲାଗିଲା, ହାତରେ ନିଆଁ ଅଟା ଧରି ଢୋଲ ଟମକ ବଜେଇ ଗାଁ ଲୋକେ ଦେବତା ଗଛ ପାଖେ ପହଞ୍ଚିଲେ ।

 

ସେ ଗୋଟିଏ ଖୁବ୍ ବଡ଼ ଆମ୍ବଗଛ, ଅତି ପୁରୁଣା । ଠିକ୍ ଝୋଲାର ଖଣ୍ଡି ପାଖେ ପେଟ ଫୁଲେଇ ବଡ଼ ବଡ଼ ବାହା ଟେକି ଠିଆ ହୋଇଛି । ଗଣ୍ଡିରେ ଆଉ ଉପରେ ବିନା ଡାଳପତ୍ରରେ କାନ୍ଦି କାନ୍ଦି ବଉଳ ଫୁଟିଛି । ବଡ଼ ରସିକ ଦେବତା ସେ, ରସୁଆଳ–ଉପରେ ନାଲିପତ୍ର ମଲାଙ୍ଗର ଫୁଲ, କାଖରେ ଲମ୍ବ ମହୁଫେଣା, ହାତରେ ମହୌଷଧି ଗୁଳୁଚି ଲଟାର ବଳା, ଛାତିରେ ଶିଆଳି ପଇତା, ଅଣ୍ଟାରେ ରଙ୍ଗ–କସରା ବକଳ, ଦେହ ଉପରେ ବଣମଲ୍ଲୀ, ବଣ– ନିଆଳୀ, ବାଘନଖୀ, ମହାକାଳର ଜାଲ, ଦେବତା ଦେହ ସେହି, ଦେଖିଲେ ରୁମ ଟାଙ୍କୁରି ଉଠେ ।

 

ସିନ୍ଦୂର ବୋଳା ହେଲା, ପାରା କୁକୁଡ଼ା ବଳି ପଡ଼ିଲେ । ଭୂଇଁରେ ସାନ ଛାମୁଡ଼ିଆ ଉପରେ ଫୁଲ ଥୁଆହେଲା, କୁକୁଡ଼ ଡିମ୍ବ ଥୁଆ ହେଲା, ମଦ ଢଳାହେଲା, ମୁରୁଜ ବିଞ୍ଚା ହେଲା । ଦେବତା’ର ନିଦ ଭାଙ୍ଗିବା ଲାଗି ପ୍ରବଳଭାବେ ବାଜା ବାଜିଲା, ନାଚ ହେଲା । ତା’ପରେ ସବୁ ଥପ୍ କରି ବନ୍ଦ ହୋଇଗଲା, ଡେଙ୍ଗା ଗୋଜିଆ ପଥର ଚଢ଼ି ପୁରୋହିତ ଜାନି ଆକାଶକୁ ମଶାଲ ଟେକି ମନ୍ତ୍ର ବୋଲିଲେ–

 

“ଆରେ ଚଇତର ଦେବତା–

 

ଅନ୍ଧାର ଝୋଲାର ନିଛାଟିଆ କଣରେ ନିଦ ଭାଙ୍ଗି ଉଠିପଡ଼ି ତୁ ଚାଲିଆ । ଗଛଲତାରେ ଫୁଲ ଫୁଟିଛି, ଆକାଶରେ ଚାନ୍ଦ ଉଇଁଛି, ନୂଆ ଖଦି ପିନ୍ଧି ନାଚିବାକୁ ଆମେ ସଜବାଜ, ଧାଂଡ଼ୀ ଧାଂଡ଼ୀ ଏକାଠି ହୋଇଛନ୍ତି, ଉଠି ଆ ଉଠି ଆ ।

 

ହାତରେ ହାତ ଗୁନ୍ଥି ଦାଦି ମାମୁଁର ଜାଗାରେ ଜହ୍ନରାତିରେ ଶଳପ ଗଛ ଛାଇତଳେ ଧାଂଡ଼ା ଧାଂଡ଼ୀ ଦୁହେଁ ତୁନିତାନି ଯେତେବେଳେ ଠିଆ ହୋଇଥିବେ,

 

କିଏ ତାଙ୍କୁ କଥା କୁହାଇବ ତୋହ ଛଡ଼ା ?

କିଲଏ ଲଗାଇବ ମାଗଣା ?

 

କିଏ ଛୁଆପିଲା ଅଜାଡ଼ି ଦେବ ଆଣି ମୁଥ ମୁଥ ଆମ୍ବକଷି ପରି ଆମର ଏ ଟାଙ୍ଗରା ଭୂଇଁରେ ଖୋଳିତାଡ଼ି ପାଚି ଉପୁଜେଇବାକୁ ?

 

ବେଁଟ୍(ଶିକାର) –କାରିଆ ଦେବତାରେ, –

ଏବେ ପତ୍ର ଝଡ଼ିଲା, ବଣ ପୋଡ଼ିଲା,

 

ଝୋଲାଏ ଝୋଲାଏ ବାର୍‍ହିଆ ପଲପଲ, ଖୋଲା ପଦାରେ ଜୀଆଦ ସମ୍ବର, ଶୁଖିଲା ଡାଳରେ ପିଠି ଠେଲିଦେଇ କାନ ଡେରି ଖଡ଼ା (ଠେକୁଆ)– ପିଲା ବସି ରହିଚି,

 

ଆ ତୁଇ, –ବେଁଟ୍‍କେ ଯୁଃ, ବେଁଟ୍‍କେ ଯୁଃ ।

 

ପୁରୁଣା ଲୋକେ ଯାଇଛନ୍ତି, – ଅବଶୋଷ୍‍ ନାହିଁ, ଆମେ ଭଲା ଯିବା ଘରଛାଡ଼ି ।

 

କିନ୍ତୁ ବରଷ ବରଷ ଆସୁଥିବ ଯାଉଥିବ । ତୋ’ରି ଝୋଲାର ଲାଗିଥିବା ତୋ’ରି ପୂଜା । ତୋ ଦୟାରେ ଗଛରେ ଆମ୍ବ ଊଣାହେବ ନାହିଁ, ଗୋଠରେ ଗୋରୁ ଊଣା ହେବେ ନାହିଁ, କ୍ଷେତରେ ପାଚି ଊଣାହେବ ନାହିଁ, ଡଁଗର (ବଣ) ଦେଶରେ ମଣିଷ ଊଣା ହେବେ ନାହିଁ ।

 

ଆସନ୍ତା ବର୍ଷର ଏଇଦିନେ ପୁଣି, ଦେବତାରେ,–ବଞ୍ଚିଥିଲେ ଆମେ ଆସିବୁଁ, ନୋହିଲେ ଆମର ପୁଅ ନାତି, ତୋ ପୂଜା କେବେ ଉଣା ହେବ ନାହିଁ–

 

ସବୁ ବାଜା ଏକାସାଙ୍ଗରେ ବାଜିଉଠିଲା, ଏକାଠି ସମସ୍ତେ ଘୋଷା ଧରିଲେ, “ତୋ ପୂଜା କେବେ ଊଣା ହେବ ନାହିଁ ।” ପବନ ଦେଲା, ଚଇତର ହୁ ହୁ ପବନ, ଗଛ ଥରିଲା, ବଉଳ ଆଉ ଆମ୍ବକଷି ଝଡ଼ିଲା । ଦେବତା ଆପଣାକୁ ପ୍ରକାଶ କଲା ।

 

ଝିଁ ଝିଁ ଆଁ ଜଙ୍ଗଲ ଭିତରେ ମଶାଲ ସବୁ ଦାଉ ଦାଉ ଜଳିଲା, ବଡ଼ ଢୋଲ ଆହୁରି ଶବ୍ଦ କରି ବାଜି ଉଠିଲା, ପାଗଳ ପରି ଲୋକେ ନାଚିଲେ; ରକ୍ତରେ ନିଆଁ ଜାଳି ଦେଇଛି ଯେପରିକି ଚଇତର ଦେବତା ।

 

ସେତେବେଳେ ଫାଳିକିଆ ବାଙ୍କ ଜହ୍ନ ସରୁ ଦାଆ ଫାଳଟିଏ ପରି ଗୋଟାଏ ପାଖର ଗୋଜିଆ ପର୍ବତ ଉପରେ ଭରା ଦେଇ ଦେଇ ଚାହିଁଚି । ଖୋଲରେ ଦେବତା’ର ପିଠି ଚାରିପାଖେ ଉଞ୍ଚ ପର୍ବତ । ଖୋଲ ଭିତରେ କଳା ଅନ୍ଧାର, ପର୍ବତ ଉପରେ ଜହ୍ନ ଆଲୁଅ, ତଳୁ ଉପରକୁ ବଙ୍କା ଢଙ୍କା ହୋଇ କେତେ କଳାଗାର । ଭୂତ ପରି ଦିଶୁଛି ପାହାଡ଼ର ଛାଇ, ପାଖେ ପାଖେ କେରାଏ କେରାଏ ଅଳ୍ପ ଅନ୍ଧାର ଅଳ୍ପ ଆଲୁଅରେ ଗୋଳାଗୋଳି ରଙ୍ଗ, ଯାହାର ନାଁ ଦେଇ ହେବ ନାହିଁ । ଏଠି ସବୁ କିମିଆଁ, ପ୍ରତି ବୁଦା ପ୍ରତି ପଥର ଜୀବନ ପାଇ ଠିଆ ହୋଇ ରୁହେ ଆପଣା ଆସନ ଉପରେ ।

 

ପୂଜା ସରିଲା, ଉପରକୁ ମଶାଲ ଟେକି ପଛକୁ ପଛ ଧାଡ଼ିଟିଏ ହୋଇ ଖାଲରୁ ପୁଣି ଉପରକୁ ମଣିଷ ଚଢ଼ିଲେ । ଖୁନ୍ଦାଖୁନ୍ଦି ଏକା ଧାଡ଼ି, ବଙ୍କେଇ ସାପେଇ ରାସ୍ତା, ପାଖକୁ ପାଖ ଜଳନ୍ତା ମଶାଲର ମୁଣ୍ଡ । ଯେପରିକି ପ୍ରାଗ୍‌–ଐତିହାସିକ ଯୁଗର ଗୋଟିଏ ହାଲୋଳମୟ ପ୍ରକାଣ୍ଡ ବିଛା, ଆପଣାର ଚିହ୍ନା ପାହାଡ଼ରୁ ଢାଲୁଏ ଢାଲୁଏ ଉପରକୁ ଚଢ଼ି ଲାଗିଛି ।

 

ସେହି ରାତିରେ, ଗାଁ ଦାଣ୍ଡରେ ସମସ୍ତେ ରୁଣ୍ଡ ହେଲେ । ମାଜି ଘଷି ଚିକ୍କଣଚାକଣ ହୋଇ ମନର ସବୁ ଦାଗ ସବୁ କାଳି ଧୋଇ ପୋଛି ମଣିଷ ଜମିଲେ ଆନନ୍ଦରେ ପୂଜା କରିବାକୁ । ମଝିରେ ଗୋଟିଏ ବଡ଼ ନିଆଁ । ଚାରିପାଖେ ପିତୃପୁରୁଷ ପଥର ଚାହିଁ ଦେଖୁଛନ୍ତି । ଚାହିଁ ଦେଖୁଛନ୍ତି, ତାଙ୍କରି ଧାରା ତନିତ ହେଉଛି, ଅତି ପୁରାତନ ଅତି ସନାତନ ଏହି ପୃଥିବୀରେ ।

 

କେତେ ଚଇତ ଆସିଛି ଯାଇଛି–

 

ମଣିଷ ମରିଛି, ତା’ର ସଙ୍କେତ ପରି ରହିଛି ଖାଲି ଗାଁ ଦାଣ୍ଡର ଗୋଜିଆ ପଥର, ଚଟାପଥର, ତଥାପି ଆନନ୍ଦର ଲହଡ଼ି ଚାଲିଛି, ଅଟକି ରହି ନାହିଁ ।

 

ଗାଁ ଦାଣ୍ଡରେ ନାଚ ଲାଗିଥାଏ । ତେଣେ ସୁକୃଜାନି ଘରେ ‘ବୋଲା ବୋଲି’ ‘କଲାହୁଲି’ ଲାଗିଥାଏ । ମୁହଁଖୋର ଜିଲି ବାପକୁ ଭାଇମାନଙ୍କୁ ଦୋଷ ଦେଉଥାଏ ।

 

“ଗଲ ଯେ ଗଲ, ଆଉ ଆସିବ ନାହିଁ, ଖବର ବୁଝା ନାହିଁ କିଛି ନାହିଁ । ଖଦି ନାଇଁ ପିଦି ନାଇଁ, ଦିନେ ହେଲେ ମନେପଡ଼ିଲା ନାହିଁ ଯେ ଘରେ ଯୋଡ଼େ ଯୋଡ଼େ ମାଇକିନା ଟୋକୀ, କେମିତି ଚଳିଥିବେ ସେମାନେ । ଏମିତି କାଙ୍ଗାଳ୍ ହେଇକରି ମୁଇଁ ନାଟକେ ନ ଯାଏଁ, ତୁମ ମନ ହେଉଛି ଯଃ ।”

 

ଜିଲି ନାହିଁ କରୁଥାଏ ସିନା, ଦୁଇ ଭଉଣୀ ପୁରୁଣା ଲୁଗା ସଫାକରି ପିନ୍ଧି ମୁଣ୍ଡବାନ୍ଧି ଫୁଲଖୋସି ପ୍ରସ୍ତୁତ ହୋଇଥିଲେ । ମାଣ୍ଡିଆଜାନି କହିଲା, “ହଉ, ହଉ, ରଇଥା, ଖଦି ଆସିବ, ସବୁ ଆସିବ କିଛିଦିନେ । ବାଗ୍‍ଲା ଆଉ କେତେଦିନ ଅଳସେଇବ ?”

 

ଚିହିଁକି ଉଠି ହାତଟେକି ଜିଲି କହିଲା, “ଖାଲି ମୋ’ରି ସାଙ୍ଗେ ଲଗୋଉଥିବୁ ତୁ ନୁହେଁ ? ଦେଲାବେଳେକୁ କିଛି ନାହିଁ, ଲଗେଇବାକୁ ଆଗ । ଦେଖିଲୁ ବାପା ।” ନିଜ ଉପର ଖସିଯାଇ ଅଭିମାନଟା ମାଣ୍ଡିଆ ଉପରେ ପଡ଼ିଯିବାରୁ ସୁକୃଜାନି ଭଲଲୋକ ହୋଇ ଠିଆ ହେଲା, କହିଲା, “ରହ୍ ମାଣ୍ଡିଆ ଛଣେ – ସେଟା ସେମିତିଟାରେ ଟୋକୀ, ତୁ ନାଟ୍‌କେ ଯା ।”

 

ଗୋରୁ ହୁରୁଡ଼େଇଲା ପରି କୁଳପତି କହିଲା, ‘‘ଯାଅ ଯାଅ, ଚଇତ ପରବ୍‍ ଭିତରେ ଗାଳି ତକରାଳ ହେବାର ନୁହେଁ ।

 

ଦି’ ଭଉଣୀ ହାତ ଧରାଧରି ହୋଇ ଡେଇଁ ଡେଇଁକା ନାଚକୁ ଗଲେ । ମାଣ୍ଡିଆଜାନି ହସି ହସି ଗଡ଼ିଗଲା । କହିଲା, “ସବୁଦିନେ ଏନ୍ତି ଏକା ନୂଆ ଖଦି ଅଳଙ୍କାର ନ ଦେଲେ ବିର୍ଝୁଥିବ । ଖାଲି ଆପଣା ସାର୍ଥିକା । କ’ଣ ଆମ ଅବସ୍ଥା ଥିଲା, କ’ଣ ଆମେ ହେଲୁଣି, ଏଡ଼େଟିଏ ହେଲାଣି ତା ମୁଣ୍ଡରେ ପଶୁ ନାହିଁ ।”

 

ସୁକୃଜାନି କହିଲା, “ଆରେ, ନିଦରବୀ ଘର ପିଲା ହେଲେ ପୁଣି ଯାହା ତାହା ହୋଇ ଝିଅଟିଏ ତ, ଭଲ ପିନ୍ଧିବାକୁ ଖୋଜିବ ନାହିଁ ଆଉ କ’ଣ ପୁଅ ଖୋଜିବ ? ଆମେ ସିନା ଦେଇପାରୁ ନ ଥାଇଁ, କୌଣସି ଝିଅ ତା ବୁଝନ୍ତି ନାହିଁ । ବାପ ଭାଇଙ୍କଠୁଁ ସବୁଦିନେ ଝିଅମାନଙ୍କର ଗୋଳ । ଝିଅର ଆଣ୍ଟ ପରା, ଆମର ଥାଉ ନ ଥାଉ ତାଙ୍କୁ କି ଜଣା ? ଆଜି ତା’ର ମା’ ବଞ୍ଚିଥିଲେ ଏପରି କହିଥାନ୍ତୁ ?”

 

ମାଣ୍ଡିଆଜାନି ମନକୁ କଥାଟା ବାଧିଲା । ଆପଣା ଭାଗ୍ୟ ଉପରେ ତା’ର କ୍ରୋଧ ହେଲା-। ବନ୍ଧା ହାତକୁ ଛିଞ୍ଚାଡ଼ି ଫୋପାଡ଼ି ଖୋଲିଦେଲା ପରି ଦୁଇ ହାତକୁ ଛାଟିଦେଇ ସେ କହିଲା, “ଗ୍ୟାଳ୍‍ପ ତାଁତର୍ (କୁଚକ୍ରୀ) ଡମ୍‍ ମନ୍ (ଡମ୍ବମାନେ) । ମଦ୍‍ଟିକେ ରାନ୍ଧିଥିଲି ଧରେଇ ଦେଲେ ବୋଲି ସିନା, ନଇଲେ ଟଙ୍କା ଅଭାବ ହୋଇଥାନ୍ତା ! ନଇଲେ ଜିଲି ବିଲି ଆଜି ଶୁଖିଲାମୁହଁ କରି ଚାଲିଯାଇଥାନ୍ତେ !”

 

ସୁକୃଜାନି ଗୁମ୍ ମାରିଲା । ଦୀର୍ଘନିଶ୍ୱାସ ପକାଇ ଥକିଗଲା ପରି କହିଲା, “ଯାହାହେଲା ଆଉ ମନ୍‍ଦୁଃଖ୍ କରି କି ଲାଭ୍ ଅଛି କହ ? ଆଜି ଚଇତ ପରବ୍‍, ଆଜି ପରା ମନ୍‍ଖୁସି କରିବାର ଦିନ, ଆଉ ସେ କଥା କିସ୍ ପାଇଁ ?”

 

ପିଣ୍ଡା ଉପରେ ତିନିକା ତିନିହେଁ ବସିଥାନ୍ତି, ପିଙ୍କା ଟାଣୁଥାନ୍ତି, ଧୀରେ ଧୀରେ ଗପ କରୁଥାନ୍ତି । ଦାଣ୍ଡ ଘୁ ଘୁ କମ୍ପୁଛି । ନାଚ ଜମିବଣି ।

 

ନାଚ ଦେଖି ଯିବାକୁ ଗୋଡ଼ ଉଠୁ ନ ଥାଏ କାହାରି ।

 

ଟିକ୍ରା ଅଳସ ମାରି କହିଲା,“ତାଙ୍କ ପାଇଁ ଏତେ ଭାବନା, ଆଉ ମତେ ଖଣ୍ଡେ ନୂଆ ଖଦି ପିନ୍ଧେଇବୁ ନାହିଁ ବାପା ?”

 

ତା’ର ପିଠି ଆଉଁଶି ସୁକୃଜାନି କହିଲା,“ବାୟା । ହଉ ରହିଲା ତୋ’ର ଖଦି ଆରଥରକୁ-।”

 

ମାଣ୍ଡିଆ କହିଲା, “ଯାହା ପିନ୍ଧିଛୁ ଥା, ଯେ ପଚାରିବ କହିବୁ, ନୂଆଟା, ଖଦି ନୂଆ ହୋଇଯିବ ।” ମାଣ୍ଡିଆଜାନି ହସିଲା, ସୁକୃ କିଛି କହିଲା ନାହିଁ, ଖାଲି ଟିକ୍ରାର ପିଠିରେ ଥରି ଥରି ହାତ ବୁଲେଇଲା ।

 

ବାପର ପାପୁଲି ମା’ର କୋଡ଼ ଶୁଖି ହାଡ଼ୁଆ ହୋଇଯାଏ, କିନ୍ତୁ, କ’ଣ ତା’ର ପରଶରେ ଥାଏ, ଯହିଁରେ ପ୍ରାଣ ଶୀତଳ ହୁଏ, ମନର ତାତି ଯାଏ । କାରଣ ଆଉ ଫଳ, ଦୁହେଁ ବିଚ୍ଛିନ୍ନ ହେଲେ ବାହାରର ଗଠନରେ ସ୍ୱତନ୍ତ୍ରତା ଫୁଟେ, କିନ୍ତୁ ଦୁହେଁ ଛୁଆଁଛୁଇଁ ହେଲେ ପୁଣି ଯମୁନା ଉଜାଣି ବହେ, ରାଗିଣୀ ବାଜେ, ଯାହା ମରଣର ଦାସ ନୁହେଁ, ଯାହା ଅମୃତ ।

 

ସେହିପରି ତୁନାତୁନି ସମସ୍ତେ ବସିଥାନ୍ତି, ଟିକ୍ରା ଆଉଁସି ହୋଉଥାଏ, ସୁକୃଜାନି ତୁଣ୍ଡର ପିଙ୍କାକୁ ଜୋର୍ ଜୋର୍ ଫୁଙ୍କୁଥାଏ । ବିଳିବିଳେଇଲା ପରି ଟିକ୍ରା କହିଲେ, “ମୁଁ ଯାଉଛି ବାପା ନାଟକୁ-।”

 

“ହଉ ଯା, ବେଶି ରାତି କରିବୁ ନାହିଁ ।”

ଟିକ୍ରା ଚାଲିଗଲା ।

କିଛି ସମୟ ଗଲା, ମାଣ୍ଡଆଜାନି କହିଲା,“ବାପା–”

“କ’ଣ ?”

“ବିଭାର୍ କଥା ବାପା ।”

“ହୁଁ”

“ଏଁ ?”

“ବିଭାର୍ କଥା”

 

ଏଥର ବୁଢ଼ା କାନ ଦେଲା । ତୁଣ୍ଡର ଧୂଆଁକୁ ଗୋଇଠିରେ ମାଡ଼ି ନିଭେଇ ଥୋଇଦେଲା-। କହିଲା, “ କ’ଣ କରିବି ମୁଁ କହ ? ତୁ ହେଲେ ଭାବି କହ ।” ମାଣ୍ଡିଆଜାନି ବାପର ମନକଥା ବୁଝିପାରିଲା । ହଁ, ସତେ ତ’, ସବୁ ଗୋଟିଏ ଆଡ଼େ, ପଇସା ଗୋଟିଏ ଆଡ଼େ । ଜଣକ ପାଖେ ସେ ଗୋତି ଅଛି, ନିଜର ଦେହଟା ବନ୍ଧା ପଡ଼ି ସାରିଲାଣି, ଆଉ ଥରେ ବନ୍ଧା ପଡ଼ିବାକୁ ନାହିଁ-। ଝୋଲା (କନ୍ୟାସୁନା) ନ ଦେଲେ କେଉଁ ବାପ କନିଆଁ ଦେବ ?

 

ପୁଅକୁ ନିରୁତ୍ତର ଦେଖି ବୁଢ଼ା କହିଲା,“ପୁରିଜାନି କେତେ ହାଙ୍କିବ ମୁଁ ଜାଣେ ନାହିଁ । କିଛି ତ ଆମର ନାହିଁ, ଥାଇ ଥାଇ ଏ ବିଲ ଦି’ ଖଣ୍ଡ, ତାକୁ ବା ବାନ୍ଧା ଦେବି କି ବିକି ଦେବି, ଘରକୁ ବୋହୂ ଆସିଲେ ତାକୁ ଖାଇବାକୁ ଦେବି କ’ଣ ? ଘରେ ଯେ ଝିଅ ଦି’ଟା ଅଛନ୍ତି ସେମାନେ ପୋଷି ହେବେ କେମିତି ?”

 

ତର୍କର କଥାଠୁଁ ହୃଦୟର କଥା କେତେ ତଫାତ୍‌, ସୁକୃଜାନି ଭାବିଲା । ମାଣ୍ଡିଆଜାନି ଉପରେ ବିରକ୍ତ ହେଲା ଯେ ଖାଲି ଭାବୁଛି, ଭାବୁଛି, ବୁଢ଼ାଲୋକ ପରି ଏପାଖ ସେପାଖ ଭାବୁଛି ।

 

ଭେଣ୍ଡିଆ ଭାବେ ନାହିଁ, ମନ ଇଚ୍ଛା ଅମଡ଼ା ମାଡ଼ି ଚାଲିଯାଏ, ପଛେ ପଛେ ମନକୁ ମନ ବାଟ ଫିଟିଯାଏ ।

 

ତା’ର ଏ ବୟସରେ–ମାଣ୍ଡିଆ ପେଟରେ ରହି ସାରିଥିଲା ।

 

କାହାକୁ ଧରି ନେଇ ଆସନ୍ତା, ପରେ କନ୍ୟାର ବନ୍ଧୁ କୁଟୁମ୍ବ ଆସନ୍ତେ, ପ୍ରଥା ଅନୁସାରେ ଦି’ ବିଧା କୁଟନ୍ତେ, ଝୋଲା ଭାଙ୍ଗନ୍ତେ (ତୁଟାନ୍ତେ) ଝୋଲା ନିଅନ୍ତେ, ଦେଖାଯାନ୍ତା । ଏପରି ବିଭାଘର ଅନେକ ହୁଏ, ୟାକୁ କହନ୍ତି, “ଉଦୁଳିଆ” ବିଭା । ମାଣ୍ଡିଆ ସକାଶେ ଆପେ ଆଉ ଥରେ ଟୋକା ହୋଇ କ’ଣ କରିବାକୁ ହେବ, କ’ଣ ନ କରିବାକୁ ହେବ ସେ ପୁଅ ବତାଇ ପାରିବ ନାହିଁ ।

 

ଏହି ଆଜ୍ଞାଧୀନ ସୁବୋଧ ପୁଅଟି ପାଇଁ ତା’ର ଆତ୍ମା କାନ୍ଦିଲା, ମନହେଲା କୋଡ଼ରେ ତା’ର ମୁଣ୍ଡଟି ଥୋଇ ଥାପୁଡ଼େଇ ଥାପୁଡ଼େଇ ତାକୁ ଶୁଆଇ ପକାନ୍ତି । ଦୟା ହେଲା । ଭରସା ଆଉ ଉତ୍ସାହ ଦେଇ ସେ କହିଲା, “ଏଇ ତ ମାଗଣାର ବେଳ ଆସିଲା ପୁଅ ଚଇତରେ । ମତେ ଏତେ କାହିଁକି ପଚାରୁଛୁ ? ତୁ ଘରକୁ ବୋହୂ ଆଣିଲେ କେଡ଼େ ଖୁସି ହୁଅନ୍ତି ମୁଁ । ତୋର ମା’ ତ ନାହିଁ ଖୁସି ହେବାକୁ । ତୁ ଯା, ଯାହା କରିବୁସେଥିରେ ମୋର ସମ୍ମତି ।”

 

ମାଣ୍ଡିଆ କହିଲା, “ବାପା ମୁଁ ନାଚ ଦେଖି ଯାଉଛି । ଭଲ ଧୂଆଁପତ୍ର ଟିକିଏ ଅଛି ମୋ ଅଣ୍ଟାରେ ନେ ତୁ ଫୁଙ୍କୁଥା ।” ବାପ ପ୍ରତି ଭାରି ନରମ ହୋଇ ଯାଇଥିଲା ତା’ର ମନ, ଏକା ମଞ୍ଜିର ଗଛର ଫଳ ସେ, ବାପ କଥା ଧରି ପାରିଥଲା । ବାପ ପ୍ରତି କୃତଜ୍ଞତାରେ ତା’ର ମା’ ମନେପଡ଼ୁଥିଲା-

 

ଅନ୍ଧାରରେ ପୁଅର ଆଖି ମୁହଁ ସୁକୃ ଦେଖିପାରିଲା ନାହିଁ । ହାତ ପତେଇ କହିଲା–‘‘ଧୁଙ୍ଗିଆ ଅଛି ? ଦେ– । ’’

 

ସମସ୍ତେ ଗଲେ । ଅନ୍ଧାରୁଆ ପିଣ୍ଡାରେ ବୁଢ଼ା ବସି ରହିଲା ଏକୁଟିଆ । ଥଣ୍ଡା ପବନ ମୁହଁରେ ବାଜୁଛି, ଗାଁ ଦାଣ୍ଡରେ ନାଚର କୋଳାହଳ ମନ ଭିତରେ ପଶି କ’ଣ ଗୋଟାଏ ପଦାକୁ କେଞ୍ଚୁଛି । ସାମ୍ନାର ଗଛ ଦି’ ଚାରିଟା ଉପରେ ଆଖି ଭରା ଦେଇ ବିଶ୍ରାମ କରିବାକୁ ବୁଢ଼ା ଚେଷ୍ଟା କଲା । ସେଠି ପତ୍ରେ ପତ୍ରେ ଲାଖି ରହିଛନ୍ତି ଅସଂଖ୍ୟ ଜୁଳୁଜୁଳିଆ ପୋକ । ଏକା ସାଙ୍ଗେ ଝକ୍‌ କରି ଉଠୁଛନ୍ତି, ଏକା ସାଙ୍ଗେ ନିଭି ଯାଉଛନ୍ତି । ଭାବନା ସ୍ଥିର ହେଲା ନାହିଁ ।

 

ନା,–ମନ ସ୍ଥିର ହେଲା ନାହିଁ । ଚଇତର ନାଚ ତାକୁ ପଦାକୁ ଠେଲିଲାଣି, ସେ ଇନ୍ଦ୍ରିୟରେ ମିଶିଲାଣି, ରକ୍ତରେ ମଦ ପରି ।

 

ମନେପଡ଼ିଲା,–ତା’ର ହାତ ଅଛି,ଗୋଡ଼ ଅଛି, ଦେହଅଛି, ପ୍ରତ୍ୟେକ ଅବୟବର ଆୟତନ ଅଛି, ଓଜନ ଅଛି ।

 

ବୁଢ଼ା ଉଠିଲା । ବାଡ଼ି ଠକ୍‍ଠକ୍ କରି ଠାସୁକୁମାରି ଗାଁ ବାଟରେ ଗୋଟିଏ ହୋଇ ଚାଲିଲା ନାଚ ଆଡ଼କୁ ।

 

ଗାଁ ମଝିରେ ନାଚ ଲାଗିଥାଏ । ଏଇ “ଭେରାମଣ୍” ନାଟ ନିଶାପ ପଙ୍ଗତ ବସିବାର ଜାଗା । ଏଇଟି ପିତୃପୁରୁଷ ପଥର, ମଲା ପୁରୁଷଙ୍କ ସ୍ମୃତି ସକାଶେ ଗୋଜା ପଥର, ସ୍ତ୍ରୀମାନଙ୍କ ପାଇଁ ଚଟା ପଥର । ଖୁବ୍ ବଡ଼ ଆକ୍ରାନ୍ତରେ ଦେଖଣାହାରୀ ଗୋଲେଇ କରି ବସିଥିଲେ, ସେମାନେ ଗାଁର ବୁଢ଼ାବୁଢ଼ୀ, ନୋହିଲେ ବିବାହିତ ଲୋକେ । ବିଭା ହୋଇସାରିଲେ ଧାଂଡ଼ା (ଯୁବା) ଧାଂଡ଼ୀ (ଯୁବତୀ) ମଧ୍ୟ ନାଚର ବାହାରେ । ବୁଢ଼ା ଓ ବିବାହିତ ଲୋକର ଏକା ନାଁ– ‘ଡୋକ୍ରା’, ସେହିପରି,‘ଡୋକ୍ରୀ ।’

 

ଦେଖଣାହାରୀଙ୍କ ଗୋଲେଇ ଭିତରେ ଆଭିଆଡ଼ୀ ଧାଂଡ଼ୀମାନଙ୍କର ଗୋଲେଇ, ପିଠିପଟେ ୟା ହାତକୁ ତା ହାତ ଛକି ଦେଇ ସମସ୍ତେ ମିଶି ଗୋଟିଏ ମାଳା, ଦର୍‍ହଫୁଟା ଫୁଲର ମାଳା, ତାଙ୍କର ଭଉଁରି ଭିତରେ ଧାଂଡ଼ା ଯେତେ ।

 

ଜୀବନ ସଙ୍କେତ ପରି ଧାଂଡ଼ାମାନଙ୍କୁ କେନ୍ଦ୍ରକରି ଧାଂଡ଼ୀଦଳ ଘୂରିଘୂରି ନାଚୁଥାନ୍ତି । ଏହିପରି ହରିଣୀ, ଏହିପରି ମୟୂରୀ । ନିତି ସାବୁଜା, ନିତି ଶ୍ୟାମଳା ପ୍ରକୃତିର ଦାୟିତ୍ୱର ବୋଝ ଧରି ଏହିପରି ନାରୀ ପୁରୁଷକୁ କେନ୍ଦ୍ର କରି ବୁଲୁଥାଏ । ସବୁ ଛଟା, ସବୁ ଛାଇ ଯେପରି ଏତିକି ପାଇଁ ।

 

ନାଚ ଅସମ୍ଭାଳ ହେଲା । ଉପରେ ବଡ଼ ଜହ୍ନ, ତଳେ ନିଆଁ, ହାତ ପାଖେ ମଦ ଡବା, ଗତି ଅତି ଦ୍ରୁତ । କପାଳରେ ଝାଳ ଫୁଟେଇ, ବେକ ଫୁଲେଇ, ଉଞ୍ଚ ଛାତି ଉଠେଇ ପକେଇ, ଠାଣିରେ ଅଣ୍ଟା ବଙ୍କେଇ ଦୋହଲାଇ ଘୂରିଘୂରିକା ସେମାନେ ଚାଲିଯାଆନ୍ତି, ଗତିର ଛାଇ ଛାତି ଭିତରେ ପଡ଼େ, ରକ୍ତ ମାତେ ।

 

ବେଳଗଲା, ମଦ ପିଇ କେତେ ଦେଖଣାହାରୀ ବେହାଲ୍ ହୋଇ ନାଚିଲେ, ବୁଢ଼ା ଟୋକା ସମସ୍ତେ ମିଶିଗଲେ । କେତେ ଲୋକ ଗଲେ, କେତେ ନୂଆ ଆସିଲେ । ସମୟ ଯହୁଁ ଗଲା, ନାଚ ଭିତରେ ନିୟମର କଠିନତା ହୁଗୁଳା ହୋଇ ଫିଟି ଆସିଲା ।

 

ବାଗଲ୍ ପରଜା ଡୁଙ୍ଗୁଡୁଙ୍ଗା ବଜୋଉଥାଏ । ଧାଡ଼ି ଘୂରିଲାବେଳେ ପାଖହେଲେ ଜିଲି ତାକୁ ଅନେଇଁ ଅନେଇଁ ଯାଏ । କେତେଥର ଦେହକୁ ଦେହ ବାଜିଯାଏ, ଦୁହେଁ ହସନ୍ତି, ପୁଣି ବାଗ୍‍ଲା ଅନ୍ୟ କାହା ସହିତ ପରିହାସ କରେ, କାହାକୁ ଦେଖି ହସେ । ଜିଲି କଟାସ୍‍ ପରି ଚାହିଁ ରହିଥାଏ, ମୁହଁ ଶୁଖେଇ ରକ୍ତଶୋଷା ଚାହାଣୀରେ ଅନେଇଁ ଅନେଇଁ ବାଗ୍‍ଲାର ଚାହାଣୀ ଅନୁସରଣ କରେ । ଆପଣାକୁ କଷ୍ଟ ଦେଇ ସେ ଖୁସି ପାଏ ।

 

କ୍ରମେ କାନ ତା’ର ଭାଁ ଭାଁ ହୋଇଯାଏ, ନାଚର ଘୋଷା କାନରେ ପଶେ ନାହିଁ, ଲୋକଗହଳି ଆଖିକୁ ଦିଶେ ନାହିଁ, କେବଳ ଅନୁଭୂତି । ଥାଇ ଥାଇ ନାଚର ଛନ୍ଦ ନାଚରେ ତାଳ ବଦଳିଯାଏ, ସମସ୍ତେ ଆପଣାର ନାଚ ବଦଳେଇ ନୂଆ ସମନ୍ୱୟରେ ମାଡ଼ିଯାଆନ୍ତି । ଜିଲିର ଖିଆଲ ନ ଥାଏ, ପୁରୁଣା ତାଳରେ ନାଚି ନାଚି ସେ ପଦାକୁ ଫିଟିପଡ଼େ, ଧାଡ଼ି ପାଏ ନାହିଁ, ସାଙ୍ଗ ପାଏ ନାହିଁ । ଗାଁ ଗୋଟାକର ଝିଅମାନେ ତଫାତ୍‍ ରହିଯାନ୍ତି । ଜିଲି ଚମକି ପଡ଼େ, ପୁଣି ଚୋର ପରି ଧୀରେ ଧୀରେ ପାଦ ବଦଳାଏ, ଦଳରେ ମିଶେ ।

 

ଭାବେ, କହି ପକେଇବ ପରା, କହି ପକେଇବ ବାଗ୍‍ଲାକୁ, ପଦେ କଥା ତ । ତା’ ପରେ ପଛେ ଯାହା ହେଉ, ‘ହୋଇ’ କି ‘ନାହିଁ’ ଏକା ତରକେ ଛିଣ୍ଡିଯିବ । କିନ୍ତୁ ନାଚର ହୋ ହା, ତାଳି, ବାଜା, ସେଠି ପାଟି ଗହଳ । ନାଚର ଧାଡ଼ି,–ଗୋଟାକ ପରେ ଗୋଟାଏ ଭଉଁରି ବୁଲିଦେଇ ମୁଣ୍ଡ ବୁଲେଇ ଯାଏ । ଯାଏ ଜିଲିର ଦେହଟା, କ’ଣ କରିବି କ’ଣ କରିବି ବୋଲି ଅଧା ଭାବି, ଅଧା ନ ଭାବି ମନଟା ଅଟକି ରହିଯାଏ ।

 

ପଙ୍ଗତ ଭିତରେ ମାଣ୍ଡିଆଜାନି ଡୁଙ୍ଗୁଡୁଙ୍ଗା ବଜୋଉଥାଉ । ସମସ୍ତଙ୍କ ସାଙ୍ଗେ ମିଶି ଛାତିରେ ସାହାସ ବାନ୍ଧି କାଜୋଡ଼ିକୁ ସେ ବାଛିନିଏ । ଦି’ପାହୁଣ୍ଡ ଆଗେଇ ଯାଏ, କାଜୋଡ଼ିର କାନପାଖେ ଜୋର୍‌ରେ ଜୋର୍‌ରେ ଡୁଙ୍ଗଡୁଙ୍ଗା ପିଟେ, ହସିଦିଏ । କାଜୋଡ଼ି ହସି ହସି ବାଙ୍କ ଆଖିରେ ଅନେଇଁ ଦେଇ କରକୁ ଘୁଞ୍ଚି ନାଚର ସୁଅରେ ଭାସି ଚାଲିଯାଏ । ପୁଣି କେତେ ଧାଂଡ଼ା ତାହା ଆଡ଼କୁ ମୋହିଁ ଆସନ୍ତି, ବାଗ୍‍ଲା ଫୁଲ ଫୋପାଡ଼େ, ମିଲୁ ପରଜା ଫୁଲ ଫୋପାଡ଼େ, ରତନ ପରଜା ଆଗେଇଯାଏ । ସମସ୍ତିଙ୍କର ସବୁ ଆଞ୍ଜୁଳିର ଫୁଳ ଫିଙ୍ଗିବା ଆଡ଼େଇ ଦେଇ କହେ କାଜୋଡ଼ି ନାଚ ସୁଅରେ ତଡ଼ି ହୋଇଯାଏ ।

 

ଆଉ ନାଚୁଥାଏ କାଉ ପରଜା । ମୁହଁରେ ପଦେ କଥା ନାହିଁ । ଲୁଗାପିନ୍ଧା ଟିକି କଦଳୀ ଗଛ ପରି ଏପାଖୁ ସେପାଖ ସେ ଖାଲି ବୁଲୁଥାଏ, ପତ୍ର ହଲାଏ, ଟିକିଏ ବୋଲି ଶବ୍ଦ ନାହିଁ । ଆଖି ତା’ର ଖୋଜି ମରୁଥାଏ ଜିଲିକୁ ।

 

ଲୋକେ ନାଚ ଦେଖନ୍ତି, କିଏ କାହାକୁ ଭେସଡ଼୍‌ (ଥଟ୍ଟା) କରୁଛି ଦେଖନ୍ତି, ହସ ଉଠେ । ହସ ପାଟିରେ ଗାଁ ଭେରାମଣ ଫାଟିପଡ଼େ । ଏହାରି ଭିତରେ କେତେ ବର–ଧରା, କେତେ କନିଆଁ ମାଗଣ ଲୁଚି ଲୁଚି ଗଲେ, ଗୋଠ ଭିତରୁ କେହି ତା’ର ପତ୍ତା ପାଏ ନାହିଁ ।

 

ଏକା ସ୍ୱରରେ ଏକା ଲହରରେ ଗୀତ ହୁଏ, ସମଗ୍ର ଯୁବାଦଳର ସମଗ୍ର ଯୁବତୀ ଦଳ ପ୍ରତି, ଏହାରି ଭିତରେ କେତେ ଜଣଜଣକିଆ ମନର କଥା ଛପିଛପିକା ଯାଇ ଜଣଜଣକୁ ବାଜେ । ନିଜ ମନର ପ୍ରବଣତା ଅନୁଯାୟୀ କିଏ କେଉଁ ପଦ ଉପରେ ଜୋର୍‌ ଦେଇ ଗାଏ ।

 

ଯାହାର କଥା ଯେ ବୁଝେ, ଯେ ଯାହାର ସେ ତାହାର ।

 

ଯାହାର କାହାରିକି ଉଦ୍ଦେଶ୍ୟ ନାହିଁ, ସେହି ଏକା ସଫାଗଳାରେ ବଡ଼ ପାଟିରେ ଫୁଲେଇ ଫୁଲେଇ ଗୀତ ବୋଲେ, କାଳେ ଅଜାଣତରେ କାହାରି ମନ ତରଳିବ ।

 

ଗୀତର ଉତା’ର ଏକାସ୍ୱରରେ ଧାଂଡ଼ୀ ଦଳରୁ ଗର୍ଜି ଗର୍ଜି ଆସେ,–

 

“ଓହୋହୋ ରିସ୍‌,–ଦାଂଡ଼ୀ ଦାଂଡ଼ା ମିଶ୍‌ ।”

 

(ନାଚ ଗୋଳମାଳିଆ ହୋଇଯାଏ । )

 

ରାତି କ୍ରମେ ବଢ଼ି ଚାଲିଲା । ମଦ ପିଇ ପିଇ କିଏ କେତେ ଢଳିପଡ଼ିଲେ । ମାଣ୍ଡିଆଜାନି ପେଟ ପୂରେଇ ମଦ ପିଇ ଲେଲି ପରଜାର ଖୋଲା ପିଣ୍ଡାରେ ପଡ଼ି ଘୁଙ୍ଗୁଡ଼ି ମାରିଲା । ସୁକୃଜାନି ନିଶାଭୋଳରେ ଏଣୁତେଣୁ ବକିବକିକା ଝିଅ ବିଲି ପିଠିରେ ଭାରା ଦେଇ ଘରକୁ ଚାଲିଗଲା । ଟିକ୍ରା ପଞ୍ଝାଏ ଟୋକୀଙ୍କୁ ପଛେ ପଛେ ଉଣ୍ଡି ଉଣ୍ଡିକା ଅନ୍ଧାରରେ ମିଶିଗଲା । ମଦ ନାଚ ଆଉ ଫୂର୍ତ୍ତି ଭୋଳରେ କ୍ରମେ ପିନ୍ଧା ପୋଷାକ ଅସମ୍ଭାଳ ହୋଇପଡ଼ିଲା । ଆଜି ସାତଖୁଣ୍‌ ମାଫ୍‍, କେବଳ ଆଜି ନୁହେଁ, ଚଇତ ପରବ୍‍ ଦିନଯାକ । ଦୁଇ ଦୁଇ ହୋଇ ଧାଂଡ଼ୀ ଧାଂଡ଼ା ଯେ ଯାହା ବାଟ ଗଲେ । ନାଚର ସ୍ଥଳ ଫାଙ୍କା ପଡ଼ିଆସିଲା, କିନ୍ତୁ ବାଜା ବନ୍ଦ ନାହିଁ, ଅନେକ ନାଚୁଥାନ୍ତି କାଜୋଡ଼ି, ଜିଲି, ବାଗ୍‍ଲା । କାଜୋଡ଼ିର ପାଦରେ ଯେପରି ଅଦ୍ଭୁତ ଶକ୍ତି । ମୁହଁରୁ ହସ ନିଭୁ ନାହିଁ । ଧାର ଆଖିର କର ଚାହାଣୀ ଉପରେ ପଲକର ପର୍ଦ୍ଦା ଟାଣିହୋଇ ରହୁ ନାହିଁ, ସେ ଆଜି ରାଣୀ । କେତେ ଫୁଲମାଳ ବେକରୁ ଛିଣ୍ଡି ତଳେ ପଡ଼ିଛି, ଆଉ କେତେ ଲଦା ହୋଇଛି । ତା’ର ଖାତିରି ନାହିଁ, ସେ ଖାଲି ନାଚୁଛି ।

 

ବେଳେ ବେଳେ କେଉଁ ଧାଂଡ଼ୀ ଧାଂଡ଼ା ଅତି କରୁଣଭାବେ ଗୀତରେ ଡାକ ପକାଏ–

 

“ଆଲୋ ବାଙ୍ଗି ଚୁଡ଼ାଇଁ ଦିନିଚିଙ୍ଗି କୋସାଇଁ

 

ମାରାନୁରୁ ଗୁରିଚି–ତୋରାନୁରୁ ଦସିରି”,

 

ପଦରେ ପଦ ଗୋଳି ହୋଇଯାଏ, ଅର୍ଥ କେବଳ ତା’ର ସ୍ୱରରେ ।

 

“ଆଲୋ ରାଜା ଗୁଡ଼ାଦେ,

 

ଦନୀ ରାଣୀ କଚେଦେ

ଆଚା ମନା ମାନେଦେ,

 

ବଲା ଚଗା ଚଗେଦେ ।

ସେଟି ଏକା ବସୁଲି,

 

ସୀରେ ଏକା ୟୁଡ଼ିଲି

ତାଡ଼ିମାରି କାନ୍ଦୁଲି,

 

ମନ୍ଦସେଡ଼ା ଗୁଞ୍ଜୁଲି

ଆଜି ଆଜି ସିନା ନୁନି

 

ଏବେ ଏବେ ସିନାତି

ନାଟୁ କେଲୁନାଇଁକି ଓ

 

କେଲା କେଲୁ ନାଇଁକି ।”

 

କାଜୋଡ଼ି ନାଚେ, ଜିଲି ନାଚେ, ସ୍ୱପ୍ନରେ ଭାସିଗଲା ପରି ଘୂରି ଘୂରି ଚାଲିଯାଆନ୍ତି ସେମାନେ । କି ନିଶା ଏଇ ଗୀତରେ । ନାରୀର କାନରେ ସୁତୁରେଇବା ଫୁସୁଲେଇବାର ଗୀତ,– କି ସଙ୍ଗୀତର ସ୍ୱପ୍ନ ଭସେଇଦିଏ, ଚାମେଲିଧୁଆ ସଜ ଜହ୍ନ ରାତିର ନିରୋଳା ନିଦୁଆ ଉନ୍ମାଦନା ପରି ! ଗୋଜ ଓଠ ପଥରରେ ଅଙ୍କା ହେଲାପରି, ଦର୍‌ହମୁଦା ଆଖିର ଧାର ଛୁରୀ ଧାର ପରି, ଦେହରେ ଅଙ୍ଗପ୍ରତ୍ୟଙ୍ଗ ଆଉ ମାଂସପେଶୀର ଢେଉ ଆପେ ଖେଳି ଖେଳି ଯାଏ । ନାଚୁଆଳି ଝିଏ ଫୁଲି ଫୁଲି ନାଚି ଉଠନ୍ତି, କେଳାର ସପ୍ତସ୍ୱରୀରେ ନାଗୁଣୀଦଳ ପରି । ଅତି ଆବେଗରେ ଧାଂଡ଼ା ଗୀତ ବୋଲନ୍ତି, ଗୀତର ସ୍ୱର ଓହ୍ଲେଇ ଆସେ ଆବେଗରୁ କରୁଣକୁ, ବିକଳ ହୋଇ ନଇଁପଡ଼େ, ସତେକି ମୁହୁର୍ତ୍ତ ଆସିଛି, ମୁହୂର୍ତ୍ତ ଚାଲିଯାଉଛି, ଚାଲିଗଲେ ସବୁଫାଙ୍କା ଶୂନ୍‌ଶାନ୍‌,–

 

“ଆଜି ଆଜି ସିନା ନୁନି

 

ଏବେ ଏବେ ସିନାତି

ନାଟୁ କେଲୁ ନାଇଁକି ଓ

 

କେଲା କେଲୁ ନାଇଁକି– ”

 

ଏହିପରି ଧାଂଡ଼ା ଧାଂଡ଼ୀର ପାଦତଳେ ଲୋଟି ଛାଟିପିଟି ହୁଏ । ପାହାଡ଼ ପରି ଜୁଆନ ତା’ର ଆକାଶ ପରି ଚଉଡ଼ା ଛାତି ଧାଂଡ଼ୀର ସରୁ ପାଦ ଆଡ଼କୁ ମୋହିଁ ଧରେ ।

 

ଆଉ ଧାଂଡ଼ୀ–ସେ ବିଶ୍ୱାସ କରେ ଏଡ଼େ ପୂଜା ତା’ର ପ୍ରାପ୍ୟ ପାଉଣା, ସେ ତା’ର ସ୍ୱପ୍ନରେ ଭାସେ, ଏଡ଼େ ବଡ଼ ଛାତି ଉପରେ ଅତି ଅଳସ ସ୍ପର୍ଦ୍ଧାରେ ମାଡ଼ି କୁଦି ହଲି ଦୋହଲି ଆଘାତ କରି ସେ ନାଚି ଚାଲିଯାଏ ।

 

ଏ ଖାଲି କବିତା, ଜୀବନର ଗୋଟାଏ ଦିଗ । ତା’ପରେ ସ୍ୱପ୍ନ ତୁଟେ, ରକ୍ତ ମାଂସ ତା’ର ଅଧିକାର ଜାରି କରେ, ଧାଇଁବା ପଳେଇବାର ପିଲାଖେଳକୁ କରକୁ ଆଉଜେଇ ଦେଇ ସର୍ଜନର ଆକର୍ଷଣରେ ମାଂସ ମାଂସକୁ ହିଁ ଗୋଟେଇ ନିଏ । ସ୍ୱପ୍ନ ନିସ୍ତବ୍‌ଧ ହୁଏ ।

 

ନିଶା ସାଇଁ ସାଇଁ ଡାକିଲା । ଚାନ୍ଦ ମଉଳି ଆସିଲା । ବଡ଼ ଅଗ୍ନି ନିଭି ଆସିଲା । କ୍ରମେ ଯେ ଯୁଆଡ଼େ ଅନ୍ତର୍ହିତ ହୋଇଗଲେ । ଜିଲିର ଆଖି ଉପରେ କାଜୋଡ଼ିକୁ ଛାତିରେ ଟେକିନେଇ ବାଗ୍‍ଲାଜାନି ଗୋଟାଏ ଆଡ଼େ ଧାଇଁ ପଳେଇଗଲା ।

 

ବାଜା ଗୁମ୍‌ ମୁମ୍‌ ହୋଇ ବାଜୁଥାଏ । ନାଚ ମଣ୍ଡପ ପ୍ରାୟ ସ୍ଥିର । କରକୁ ଆଉଜି ଯାଇ କେଉଁ ପ୍ରପିତାମହୀର ଚଟା ଆତ୍ମା–ପଥର ଉପରେ ବାହା ଅଜାଡ଼ି ଦେଇ ଜିଲି ଏକୁଟିଆଟା ଝାଉଁଳି ପଡ଼ିଗଲା । ଅନ୍ଧାରରେ ବାଜା ଗୁମ୍‌ ଗୁମ୍‌ ବାଜୁଥାଏ ।

 

କ୍ରମେ ବାଜା ବି ବନ୍ଦ ହୋଇଗଲା । ଆଲୁଅ ଲିଭିଗଲା । ବଡ଼ ବଡ଼ ଗଛମୂଳେ ଅନ୍ଧାର ଜମାଟ ବାନ୍ଧିଥାଏ । ଆକାଶରେ ଗୋଟାଏ କଣରେ ଉଜ୍ଜ୍ୱଳ ହୋଇ ଶୁକତରା ଉଠିଲା, ଯେପରି ଅନ୍ଧାର ଭିତରେ କେଉଁ ହଜିଯାଇଥିବା ଛୋଟ ଆତ୍ମାର ରୂପକୁ ମଶାଲ ଜାଳି କିଏ ଖୋଜି ଆସିଛି ।

 

ଜିଲିର ଦେହ ଉପରେ ବୋଝେ କାକର ଲଦି ହୋଇଗଲାଣି, ସେଇ ପ୍ରପିତାମହୀର ଚଟାପଥର ଉପରେ ମୁହଁ ବିଛେଇ ସେ ମନଖୋଲି ଲୁହ ଢାଳିଯାଉଛି ।

 

ଅନ୍ଧାରରେ ଶୁକ ତରା ମୁହଁଟେକି ଦେଖିଲା ଏ ତ ଗୋଟାଏ ହଜିଲା ଆତ୍ମା । ...

 

ହଠାତ୍‌ ଚମକି ଉଠିଲା ପରି ସେଇ ତୋଟା ଉହାଡ଼ରୁ ଶିଆଳ ପଲେ ହରି ଧ୍ୱନି କରି ଚାଲିଗଲେ । କାନ ଝାଇଁ ଝାଇଁ କରି ଗଛ କୋରଡରୁ ଚିତିସାପ ବୋବେଇ ଉଠିଲା । ଜିଲି ଧଡ଼ପଡ଼ ହୋଇ ଉଠି ଗୋଟିଏ ଗୋଟିଏ ହୋଇ ଘରକୁ ଚାଲିଗଲା ।

 

ନିଶା ଶେଷରେ ଶାନ୍ତ ପବନରେ ଦୂର ଦେବତା’ର ଆଶୀର୍ବାଦ ଭାସିଆସେ । କ’ଣ ଗୋଟିଏ ଝାଇଁ ଝାଇଁ ହୋଇ ଶୁଭେ, ଯହିଁରେ ସୁଖର ତେଜି ଉଠିବା ଦୁଃଖର ଖସିପଡ଼ିବା କିଛି ନାହିଁ-। ଖାଲି ଝାଇଁ ଝାଇଁ ସେ, ତଥାପି ପ୍ରାଣକୁ ଆଶ୍ୱାସ ଦିଏ ।

 

ଦିନ ଆଠଟାବେଳ ଦୁମୁ ଦୁମୁ ହୋଇ ବାଜାରେ ମାଣ୍ଡିଆଜାନିର ନିଦ ଭାଙ୍ଗିଲା । ସେ ଗଲାରାତିରେ ଟିକିଏ ବେଶି ପିଇ ଦେଇଥିଲା । ଅଳସ ଭାଙ୍ଗି ଭିଡ଼ିମୋଡ଼ି ହୋଇ ଅନେଇଁ ଅନେଇଁ ସେ ଦେଖିଲା, ସାମ୍ନାରେ ନାଚ, ଦାଣ୍ଡରେ କେହି ନାହିଁ । ଗଲାରାତିରେ କ’ଣ ଘଟିଥିଲା ସବୁ ତା’ର ମନେ ନାହିଁ, ଏଠି ସେଠି ବାସିଫୁଲର ଛିଣ୍ଡାମାଳ, ଭଙ୍ଗା ମଦହାଣ୍ଡିରେ ଖପରା, ଠାଏ ଠାଏ ଅଗି ନିଆଁର ପାଉଁଶ, ପବନରେ କି ସୁନ୍ଦର ଉତ୍‌କଟ ରନ୍ଧାମଦର ବାସ, ଥରେ ଶୁଙ୍ଘିଲେ ନାକ ପାଟି ଆଁ ମେଲେଇ ପେଟ ପୂରେଇ ଶୋଷିନେବାକୁ ମନ ହୁଏ, ଏତିକି ଗଲା ରାତିର ସ୍ମୃତି ।

 

କିନ୍ତୁ କେବଳ ବାହାରକୁ ଏତିକି । ଭିତରେ ମନେ ମନେ କ’ଣ କେତେ ସେ ସ୍ୱପ୍ନ ଦେଖୁଥିଲା । ସ୍ୱପ୍ନ ଭିତରେ କାଜୋଡ଼ିକୁ ସେ ଉଦୁଲିଆ ଟେକି ନେଇଥିଲା । ଜଙ୍ଗଲ ଭିତରେ ସରୁ ହୋଇ ଶୁଖିଲା ମଲା ଝରଣାର ନରମ ଶିଉଳିଗଦି ଉପରେ ଉପରେ । ବାଟଯାକ କାଜୋଡ଼ିର ବାହା ଧରି ଯେ ପଚାରି ଲାଗିଛି, “କାଜୋଡ଼ି ତୁ କାହାର ?” କାଜୋଡ଼ି ତା’ର ଅଣ୍ଟାରେ ବାହା ଛନ୍ଦି ଦେଇ ଗୋଜା ଓଠକୁ ତା କାନମୂଳେ ମାଡ଼ିଦେଇ ତୁହାଇ ତୁହାଇ କହିଛି, “ମୁଁ ତୋ’ର, ମୁଁ ତୋ’ର ।” ଏହିପରି ବାଟେ ବାଟେ ସେ ଚାଲିଯାଇଛି, ବାଟ ଛିଣ୍ଡି ନାହିଁ, ଏଇକଥା, ଆଉ ତା’ର ଜବାବ୍‌ ମଧ୍ୟ ଛିଣ୍ଡି ନାହିଁ । ଯେତେ ପଚାରି ତା’ର ପାଟି ତୁନି ବାଜି ନାହିଁ, ଯେତେ ଜବାବ୍‌ ଦେଇ କାଜୋଡ଼ି ଆପଣାକୁ ବୁଝାଇ ପାରି ନାହିଁ ।

 

ତା’ପରେ ସେମାନେ ପହଞ୍ଚିଲେ ଝୋଲା ନଈର ବାଲିଚର ଉପରେ, ମଝିରେ ସରୁ ସଫା ଓଦା ବାଲିର ଗାର ପରି ଦରଶୁଖିଲା ଝୋଲା, ଦି’ ପାଖେ ଉଞ୍ଚ ଉଞ୍ଚ ପାହାଡ଼ ଓ ଘନ ଜଙ୍ଗଲ-। ବାଲି ଉପରେ ହରିଣ ଖୋଜ, କୁଟ୍ରା ଖୋଜ, ଗୁନ୍ଥିହୋଇ ରହିଛି । ପଥରଖଣ୍ଡକ ଉପରେ କାଜୋଡ଼ିକୁ କୋଡ଼ରେ ଧରି ସେ ବସିଲା, ହାତ ପାଆନ୍ତି ବଣଫୁଲର ସରୁ ସରୁ ପେନ୍ଥା ତା’ର ବାଳରେ ସଜାଇ ଦେଲା । ହଠାତ୍‌ ପଲେ ହରିଣ ଆସି ମୁହାଁମୁହିଁ ଠିଆ ହେଲେ । ଦଳର ରଜା ଶିଙ୍ଗାଳ ବଡ଼ ବଡ଼ ଶିଂଘର ମୁକୁଟ ଟେକି ନାକ ଫଣ ଫଣ କରି ଚାହିଁଲା, ଶିଙ୍ଗରେ ଥରେ ପାଖର ହରିଣୀକୁ ଭୁଷାଏ ମାରି ଉଡ଼ିଗଲା ପରି ଆରକୁ ଡେଇଁ ଚାଲିଗଲା, ପଛେ ପଛେ ତା’ ଦଳ ।

 

ଦୁହେଁ ବସି ରହିଲେ ସେପାରି ।

ଆଉ ତା’ର ମନେ ନାହିଁ ।

ମାଣ୍ଡିଆଜାନି ସ୍ୱପ୍ନରେହିଁ ବଞ୍ଚେ । ସ୍ୱପ୍ନହିଁ ସେ ପାଏ ।

 

ବାଜା ଦୁମୁ ଦୁମୁ ବାଜୁଥାଏ । ଆଜି ଚଇତ ବେଣ୍ଟ ଆରମ୍ଭ ପରା ଗାଁରେ ! ମିଣିପେ ଯିବେ ଶିକାର କରି । କିଛି ମିଳିଲା ତ ମିଳିଲା ନୋହିଲେ ମାଇପଙ୍କ ହାତରେ ସେ ଯେ କି ଅପମାନ ! ପିନ୍ଧାଲୁଗା ଏକାଠି ଗଅଁଠେଇ ତୋରଣ କରିଥିବେ, କହିବେ, “ତୁମର ପୁରୁଷପଣିଆ ଜଣାଯାଇଛି, ୟାରି ତଳେ ଗଳି ଆସ ।” ଗୋବର ଆଉ ଅସନା ବାଳ ମିଶେଇ ବାଟୁଳି କରିଥିବେ,“ଛି ଛି, ଗାଁରେ ପଶୁଚ କୋଉ ମୁହଁରେ, ଯାଅ ଜଙ୍ଗଲକୁ ଯାଅ ।” କେଉଁ ଆଦିକାଳର ପ୍ରଥା ସେ । ଆଉ ଯଦି ଜନ୍ତୁ ମାରିଥିବ, କି ଅଭ୍ୟର୍ଥନା, କି ଫୁଲମାଳ, କି ନାଚଗୀତ !

 

ଏହିପରି ନାରୀ, ଦୁଃଖ କଷ୍ଟ କ’ଣ ସେ ବୁଝେ, ବଣର କଣ୍ଟା, ବଣର ସାପ ବାଘ କଥା । ତା’ର ଖାଲି ଆତ୍ମପ୍ରସାଦ ଲୋଡ଼ା, ଯେତେ ପରଖି ଯାଇଥିଲେ ସେ ଆହୁରି ପରଖୁଥାଏ, ପୁରୁଷଟା ତା’ର ଯୋଗ୍ୟ କି ନା । ଆଉ ଏଇ ପସନ୍ଦ, ବେପସନ୍ଦ ସ୍ତ୍ରୀ ଆଖିରେ ମୂଲ, ଏଇଆକୁ ଖାତିରି କରି କରି ପୁରୁଷ ପାହାଡ଼ ଓଲଟାଏ, ପଥର ଭାଙ୍ଗେ–

 

ମାଣ୍ଡିଆଜାନି ଭାବି ଭାବି ଘରକୁ ଗଲା । ଏଡ଼େ ସୁନ୍ଦର ମିଳନର ସ୍ୱପ୍ନଟା ଭିତରୁ ପୁରା ଆନନ୍ଦ ଯେପରି ସେ ପାଇ ନାହିଁ, ଯଥେଷ୍ଟ ଅପୂର୍ଣ୍ଣ ରହିଗଲା । ଭାବିଲା କାଜୋଡ଼ି ତାକୁ ଭଲପାଏ ସତ, ତଥାପି କାଜୋଡ଼ି ଉପରେ ତା’ର ଟିକିଏ ଟିକିଏ ବିରକ୍ତି ରହିଗଲା । କାଜୋଡ଼ି ତାକୁ କ’ଣ ବା ଦେଇଛି ଏତେଦିନ ।

 

ପୁଣି ସ୍ୱପ୍ନର କଥା ତା’ର ମନକୁ ଛାଇଦେଲା । ସ୍ୱପ୍ନ ଆଉ ବାସ୍ତବ ଭିତରେ ତଫାତ୍‌ ବା କେଉଁଠି ? ସବୁ ସେ ପାଇଛି । କାଜୋଡ଼ି ଗୋଟା ସୁଦ୍ଧା ତା’ର ଅତି ଏକଚେଟିଆ ।

 

ଭଲ ପାଇବା ଭିତରେ ଏପାଖ ସେପାଖ କଷାକଷି ବିଡ଼ାବିଡ଼ି ବହୁତ ତା’ର ଚାଲେ । କିନ୍ତୁ ସେ ଭଲ ପାଏ ।

 

ତୁଚ୍ଛାକୁ ହସ ମାଡ଼ିଲା । ହରିଣପଲ ସେ ଦେଖିଛି । ନିଶ୍ଚୟ ଆଜି ହରିଣ ପଡ଼ିବ । ଏକା ଚୋଟକେ । ଯେ ଯୁଆଡ଼େ ଯାଉ ସେ ସେହିପରି ଝୋଲା ବାଛି ଯାଇ ବସିଥିବ । ଆଉଯଦି କାଜୋଡ଼ି ବି ଥାଏ ସାଙ୍ଗରେ, ତେବେ ଆହୁରି ଭଲ !

 

ମାଣ୍ଡିଆଜାନି ନିତ୍ୟକର୍ମ ସାରି ଗଲା ।

 

ପରଜା ପେଜ୍‍ ବେଳାର ଟିକିଏ ଆଗରୁ ଚଞ୍ଚଳ ଚଞ୍ଚଳ ପେଜ୍‍ ପିଆ ସାରି ଗାଁର ସବୁ ମିଣିପେ ବାଜା ବଜାଇ ଅସ୍ତ୍ରଶସ୍ତ୍ର ଧରି ବଣକୁ ଚାଲିଲେ । ମାଇପୀ ଦଳ ନାଚି ନାଚି ଗୀତ ବୋଲି ଗାଁ’ ମୁଣ୍ଡ ପର୍ଯ୍ୟନ୍ତ ଆଗେଇଦେଇ ଆସିଲେ । ଧନୁଶର, ବର୍ଚ୍ଛା, ଓଡ଼ିଆ ନଳି, ଟାଙ୍ଗିଆ, ଠେଙ୍ଗା, ଛୁରୀ, ଯାହାର ଯାହା ଧରି ଚାଲିଲେ । କି ଉତ୍ସାହ ସେତେବେଳେ ! ମଣିଷ ଗଲେ, ଆଉ ଗାଁ’ ଯାକର ଯେତେ କୁକୁର ।

 

ଦମକ ପାଖେ ଶିକାର ମନ୍ତ୍ରଣା ବସିଲା । କେଉଁ ବାଟେ ଯିବାକୁ ହେବ, କେଉଁ ଜଙ୍ଗଲ ଚାପିବାକୁ ହେବ । କିଏ କେଉଁଘାଟରେ ବସିବ । କିଏ ଖେଦିବ । ମହା ଆଲୋଚନା ପରେ ସବୁକଥା ଠିକ୍‍ଣା ହେଲା । ଗାଁର ମିଣିପେ ତିନି ଧାର ହୋଇ ତିନି ବାଟେ ପାହାଡ଼ ଚଢ଼ିଲେ । ଗାଁର ମାଇପେ ଅନେଇଁ ରହିଲେ ।

 

ମାଣ୍ଡିଆଜାନି ତା’ର ଗୁପ୍ତ ପ୍ରତିଜ୍ଞା ଅନୁଯାୟୀ ଆଉ ପାଞ୍ଚଜଣକୁ ସାଙ୍ଗରେ ଧରି ନୂଆ ବାଟରେ ଝୋଲା କର ଦେଖି ଓହ୍ଲେଇ ଚାଲିଗଲା ଦମକ ଉପରୁ କରେ କରେ ।

 

ଭୀଷଣ ଜଙ୍ଗଲ । ପତ୍ର ଝଡ଼ିଯାଇ ଖାଲି କାଠି ଆଉ ଡାଳର ଜାଲ । ଉପରୁ ଦୂରର ପାଖର କେତେ ଗାଁ ଦିଶେ, ଚାରି ପାଞ୍ଚଟି ବଡ଼ ବଡ଼ ପାହାଡ଼ି ନଈ ଦିଶେ । ଓହ୍ଲେଇ ପଡ଼ିଲେ ପାଖ ଜଙ୍ଗଲରେ ଆଖିବାନ୍ଧି ହୋଇ ରହେ । ଝୋଲା କତି କତି ବେଶି ଜଙ୍ଗଲ । ଅସଂଖ୍ୟ ଜାତି ଜାତିକା ଗଛ ଲଟା ଯାହାର ନାଁ କେହି ଜାଣେ ନାହିଁ । ପେନ୍ଥି ପେନ୍ଥିକା ବାଘୁଆ–ଲଟାର ଫୁଲ, ଠିକ୍‌ ବାଘପରି ଗନ୍ଧ ହୁଏ । ଏଠି ସେଠି ବୁନ୍ଦା ବୁନ୍ଦା ନିଆଁ ଲାଗିଲା ପରି ଟୋପା ଟୋପା ନାଲି ଫୁଲ । ଫୁଲ ଓ ପତ୍ରର ରାଜ୍ୟ । ସେହିମାନେ ଏଠି ବୁନୟାଦି ।

 

ପାହାଡ଼ର ଢାଲୁରେ ଠାଏ ଦରହ୍‌ଶୁଖିଲା କୋରାପୁଟିଆ ବୁଦା ମୁଣ୍ଡ ଉପରେ ତଳୁ ଉପରକୁ ଚଢ଼ି ଚଢ଼ିକା ପତାକା ପରି ଗୋଟାଏ ଧାର ହୋଇ ମୟୂର କଣ୍ଠର ପରି ଲାଗି ଲାଗି ହୋଇ ଯାଇଛି, ସ୍ଥାନେ ଥୋଡ଼ାଏ ପୁଚ୍ଛ, ବାଘ ଓଟାରି ନେଇଛି ମୟୂରକୁ । ପରଜା ପିଲାଏ ମୟୂର ପୁଚ୍ଛ ତୋଳି ମୁଣ୍ଡରେ ଖଞ୍ଜିଲେ । ସ୍ଥାନେ ସ୍ଥାନେ ପଟାଳିଆ ବଡ଼ ବାଘର ପାହୁଲର ଚିହ୍ନ ରହିଯାଇଛି । ସରୁ ବାଟ ଉପରେ ବାଘର ଘୁଅ ଲଦା ଲଦି ହୋଇ ପଡ଼ିଛି, ମେଞ୍ଚା ମେଞ୍ଚା ଖଡ଼ି କାଦୁଅ ଗୋଳା, ବଟା ଅଖା ପରି, ଭାଙ୍ଗିଦେଲେ ଖଣ୍ଡ ଖଣ୍ଡ ହାଡ଼ ବାହାରେ, ବାଳ ବାହାରେ । ଝୋଡ଼ି ଗଛମୂଳେ ପଥରଗୁଡ଼ିଏ ଗଦା ହୋଇଛି, ଦି’ ଦି’ ହାତ ଉଞ୍ଚ ଖୁଣ୍ଟି ଦୁଇଟାରେ ଆମ୍ବପତ୍ରର ପତାକା ଶୁଖିଯାଇ ସେହିପରି ରହିଛି, ଗୋଟାଏ ପାଖେ ଖଣ୍ଡେ ପତ୍ରଛତା’ର ବେଣ୍ଟ, ଛତା ପତ୍ରରୁ ମେଞ୍ଚାଏ, ଗଲାବର୍ଷ ଏଠି ଶୁଣ୍ଢିଘର ଗାଈ ଜଗୁଆଳି ଗୋତିକୁ ବାଘ ଖାଇଥିଲା, ତାଆରି ଏ ଶେଷ ତପର୍ଣ ।

 

ଢିପଖାଲ ଏଡ଼ି ଅତି ସାବଧାନରେ ପଥର ଉପରେ ଶିକାରୀ ପାଞ୍ଚୋଟି ଝୋଲା ଆଡ଼କୁ ଗଡ଼ି ଚାଲିଲେ ।

 

ବାଟେ ବାଟେ ବଣ, କଦଳୀ ବଣ, ଭେଣ୍ଡି ବଣ, ପାନର ଜଙ୍ଗଲ, ତିନି ତିନି ହାତ ଲମ୍ବା ବଣର ଫଳ ଲଟାରେ ହାବୋଡ଼ି ଓହଳିଲା ପରି ଦିଶୁଛି । ବିରାଟ ହାତୀକାନ ପରି ହାଡ଼ଭଙ୍ଗା ଲଟାର ପତ୍ର ଗଛ ଦେହରୁ ଓହଳି ପଡ଼ିଛି । ଜାତି ଜାତିକା ବୁଢ଼ା ଫର୍ଣ୍ଣ୍‍ ଗଛ ମଝିରେ ଶୁଣ୍ଢ ଉଠିଛି ପୁରୁଷେ ଦି’ ପୁରୁଷ । ସେଇ ଘଞ୍ଚ ଜଙ୍ଗଲ ଭିତରେ ଜଳର କୁଳୁକୁଳୁ ଅନୁସରଣ କରି କରି ଶିକାରୀ ପାଞ୍ଚୋଟି ତଳକୁ ଗଡ଼ିଗଲେ ।

 

ତା’ପରେ ହଠାତ୍‌ ପଡ଼ିଲା ଗୋଟାଏ ବଡ଼ ଗହୀର ଝୋଲା । ଦି’ ପାଖର ଉଞ୍ଚ ପାହାଡ଼ ମଝିରେ ଯେପରି କିଏ ଗହୀର କରି ଛୁରୀରେ କାଟିଦେଇଛି । ଚଇତରେ କୂଳଉଛୁଳା ପାଣି ନାହିଁ, ଗୋଟାଏ କରରେ ଖାଲି ସୁଲୁସୁଲି ହୋଇ ପାପୁଲି ଓସାରରେ ସରୁ ଧାରଟିଏ, ବାକି ସବୁ ବାଲିସରା । ସ୍ଥାନେ ସ୍ଥାନେ ନାନା ବର୍ଣ୍ଣର ଝିକିମିକି ପଥର ।

 

ଆଶାରେ ଆଶାୟୀ ହୋଇ ସେ ଝୋଲା ଭିତରେ ବାଲି ସରାଏ ସରାଏ ଶିକାରୀ ପାଞ୍ଚୋଟି ଚାଲିଲେ । ଉପରେ ଥିବା ଶିକାରୀପଲଙ୍କ ଗହଳି ଶୁଭୁଥାଏ । ସେମାନେ ଯେ ଯାହା ଛକ ବାଛିନେଇ ସାରିଛନ୍ତି, ସରି ବାଛିନେଇ ବଣ ଭିତରେ ପାଟି ଗହଳି କରି ହୁରୁଡେଇବାରେ ଲାଗିଛନ୍ତି-। ଗୋହିରି ଭିତରକୁ ଶବ୍ଦ ଗଳି ପଡ଼ୁଥାଏ, ଆଶ୍ୱାସ ଆସୁଥାଏ ଆଜି ଏତେ ଲୋକର ନିଶ୍ଚୟ ଜନ୍ତୁ ମିଳିବ । ଯିବ କେଉଁବାଟେ ? ଚାରିଆଡ଼େ ଜଗୁଆଳି ପରା !

 

ଝୋଲା ଅନୁସରଣ କରି କରି ମାଣ୍ଡିଆଜାନି ମାଡ଼ିଚାଲିଲା ।

 

ଗହୀର ପାହାଡ଼ କନ୍ଦରା ଭିତରୁ ଉପରର ଆକାଶ ଦିଶେ ଦି’ ପାହାଡ଼ର ତୀଖ ମହୁଡ଼ର ଧାରେ ଧାରେ ସାପେଇ ସାପେଇ । ଦି’ ପାଖେ ଭାରି ବଣ ଉପରକୁ କ୍ରମେ ଲଣ୍ଡାହୋଇ ଚାଲିଯାଇଛି । ପାହାଡ଼ ନିଃସଂଶୟରେ ହାତଗୋଡ଼ ବିଛେଇ ଦେଇଛି, ଉପରୁ ତେଣୁ ଖଣ୍ଡ ଖଣ୍ଡ ପାହାଡ଼ ତଳ ଆଡ଼କୁ ଝୁଙ୍କି ଓହଳି ପଡ଼ିଲା ପରି ରହିଛି, ସବା ଉପରେ ଏଠି ସେଠି ଗୋଟାଏ ଗୋଟାଏ ଅହେତୁକୀ ବଡ଼ ଗଛ, କିଏ କେଉଁ ଆଡ଼କୁ ଅନେଇଁ ରହିଛି ।

 

ବାଜା ଶବ୍ଦରେ ଚମକିଯାଇ ମସ୍ତବଡ଼ ଗୋଟାଏ ଅଜଗର ଉପରୁ ଝୁଙ୍କି ପଡ଼ିଥିବା ପାହାଡ଼ ସନ୍ଧିରେ ବଙ୍କା ତେଢ଼ା ବରଗଛ ଦେହରେ ଦେହ ବାଙ୍କେଇ ବାଙ୍କେଇ ଧୀରେ ଧୀରେ କେଉଁ ଖୋଲ ଭିତରକୁ ଚାଲିଗଲା, ତା’ର ଲାଞ୍ଜଟା ତଳର ଝୋଲା ଉପରେ ଓହଳି ଓହଳି ଦୋହଲି ଦୋହଲି କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ଗୁଡ଼ାଏ ପାତିମାଙ୍କଡ଼ ସଭାଭାଙ୍ଗି ତଳକୁ ଅନେଇଁ ନାନାପ୍ରକାର ଦୁର୍ଭାଷା ଗାଳିଦେଇ ଗଛ ଡାଳରେ ଉଙ୍କି ମାରି ମାରି ଦେଖିଲେ ।

 

ଗହନ ବଣ ବାଟରେ ଚାଲିଲେ ପାଞ୍ଚୋଟି ଶିକାରୀ

 

ସ୍ଥାନେ ସ୍ଥାନେ ଝୋଲାର ବାଲିକୁ ହରିଣପଲ ମନ୍ଥି ଚକଟି ପକାଇ ଯାଇଛନ୍ତି, ଖୋଜ ଚିହ୍ନ ଏତେ, ଗଣିଲେ ଗଣି ହେବ ନାହିଁ । ସେଇ ତାଙ୍କର ତୁଠ ଅଣ୍ଟାପାଣି କରିବାକୁ, ବଣଭୋଜି କରି ପଙ୍ଗତ ଲଗାଇ ଗପସପ ହେବାକୁ , ଏହିପରି ଖୋଜ ଚିହ୍ନ ଠାଆ ଠାଆରେ ଏତେ ବେଶି, ଶିକାରୀର ଛାତି ନାଚି ଉଠେ । ଜନ୍ତୁର ଖଣି ଏଠି, ଜନ୍ତୁ ପଡ଼ିବ ନାହିଁ !

 

ଆହୁରି ଭିତରକୁ ସେମାନେ ଚାଲିଗଲେ । ବଙ୍କେଇ ବୁଲି ନହନହ ହୋଇ ଝୋଲା ଚାଲିଥାଏ । ସ୍ଥାନ ସ୍ଥାନକେ ସାନ ବଡ଼ କେତେ ଝୋଲାର ଗୋହିରି କେଉଁ ଦୂର ଉଞ୍ଚରୁ ପାହାଡ଼ ଫୁଟେଇ ଚାଲିଆସି ସେଥିରେ ମିଶିଥାଏ । ସବୁବେଳେ ଝମ୍‌ ଝମ୍‌ ଶବ୍ଦ, ସତେ ଯେପରି ଅନ୍ଧାରେ ଅନ୍ଧାରେ ସାନ ମେଘ ଅସରାଟିଏ ହାଲୁକା ହୋଇ ଅଜାଡ଼ି ପଡ଼ୁଛି ।

 

ବାଗ ଦେଖି ଘାଟି ଜାଗା ଜଗି ଜଣେ ଜଣେ ବସି ପଡ଼ିଲେ । ଶେଷ ମୁଣ୍ଡରେ ପୁରୁଣା ଓଡ଼ିଆ ନଳିଟି ଧରି ମାଣ୍ଡିଆଜାନି ସଜାଡ଼ି ହୋଇ ବସିଲା । ସେଠି ପାଣି ଧାର ଟିକଏ ଗୋଲେଇ ବୁଲିଛି, ମୁହଁପଟୁ ସରୁ ଝୋଲାଟିଏ ଧାଇଁଆସି ପାହାଡ଼ ଧିଅରେ ବଡ଼ ପାଲିଶ୍‌କରା ଗାଡ଼ ଗାଡ଼ ହାଣ୍ଡି ଚାରି ପାଞ୍ଚୋଟି କାଟି ଥିରି ହୋଇ ବଡ଼ ଝୋଲାରେ ମିଶିଯାଇଛି । ପାହାଡ଼ ଫାଟତଳୁ ଝର ଚାରି ପାଞ୍ଚୋଟି ପାଟି ପାକୁ ପାକୁ କରୁଛି । ଶୀତଳ ଜାଗା ଦେଖି ଅନର୍ଯ୍ୟାପ୍‌ ଫର୍ଣ୍ଣ୍‌ ଗଛ ଓ ଶିଉଳି ଗଛ ବଢ଼ିଛି । ବଡ଼ ଚଟାଣର ଖଣ୍ଡେ, ତା ଚାରିପାଖେ ନାଲିଚା ନାଲିଚା ତେଲ ଚିକି ଚିକି ପାଣି, ସନ୍ତସନ୍ତିଆ ଭୂଇଁରେ ସାନ ସାନ ହଳଦିଆ ଫୁଳଗଛରେ ଜଙ୍ଗଲ ଛାଇ ହୋଇଯାଇଛି । ସ୍ଥାନ ବାଝି ମାଣ୍ଡିଆଜାନି ଚୁପ୍‌ ବସି ରହିଲା । ଆଗଯାଇ ଡାଳପତ୍ର ଦି’ ମେଞ୍ଚା ଛିଣ୍ଡେଇ ଆଣି ମୁହଁ ଆଗରେ ଗଛ ଦେହରେ ଗେଞ୍ଜାଗାଞ୍ଜି ଲଟକାଇ ଦେଲା । ଉଢ଼ୁଆଳରେ ବନ୍ଧୁକ ସଜେଇ ବାରୁଦ ଦେଇ କନ କନ ହୋଇ ଚାହିଁ ଚାହିଁ ସେ ବସି ରହିଲା । ସବୁ ତୁନ୍‌ତାନ୍‌ ।

 

ଉପରୁ ବେଳେ ବେଳେ ପାଟି ଶୁଭୁଥାଏ, କିନ୍ତୁ ବହୁତ ଦୂରରେ ଦୂରରେ । ଭୟଙ୍କର ନିସ୍ତବ୍‌ଧ ଝୋଲାର ଭୀଷଣତା ସେ ବଢ଼େଇ ଦିଏ । ଥାଇ ଥାଇ କଟ କଟ ମଡ଼ ମଡ଼ ଶୁଭେ, ମାଣ୍ଡିଆଜାନି ଚମକି ଉଠେ । ପୁଣି ଦେଖେ କିଛି ନାହିଁ । ଖାଲି ଝୋଲାର ଗୁରୁ ଗୁରୁ । ଜମି ଜମି ପାଣି ଗଡ଼ିଲାବେଳେ ମଝିରେ ମଝିରେ ଗୋଟାଏ ଗୋଟାଏ ଅତଡ଼ା ଛିଣ୍ଡିଲା ପରି ଛଳ ଛଳ ଶବ୍ଦ । ହୁ ହୁ କରି ନିବିଡ଼ କଣ୍ଟା ବାଇଁଶି ବଣରେ ପବନ ପଶେ । ମହୁମାଛିମାନେ ଘାଉଁ ଘାଉଁ କରି ଉଠନ୍ତି । ଭୂଇଁ ପତନରେ ଗଛ କାଖରେ ମହୁଫେଣା ।

 

ସାମ୍ନାରେ ଏ ଶୋଭାକୁ ଅନେଇଁ ବସିଲାବେଳେ କେତେ ପ୍ରକାର ଚିନ୍ତା ମନ ଭିତରେ ଖେଳିଯାଏ । ଆଗର ସେ ପାହାଡ଼ କାନ୍ଥି ଉପରେ ଠାଏ ଠାଏ ଯେଉଁ ବଡ଼ ପଥର ସବୁ ମୁହାଁମୁହିଁ ହୋଇ ଘର ଉଞ୍ଚରେ ସଜାହୋଇ ରହିଛି, କେଡ଼େ କିଟିକିଟିଆ ଅନ୍ଧାର ଛିରିକି ପଡ଼ୁଛି ତା’ ସନ୍ଧିରୁ । ଆଉ ତଳେ ଚିକି ଚିକି ହଳଦିଆ ଫୁଲର ମୁଣ୍ଡ, ଥାଳି ମାରିଦେଲେ ଥାଳି ଚାଲିଯିବ । କର କରକେ ବଣ କଦଳୀ ଧୀରେ ଧୀରେ କାନ ଦୋହଳାଉଛି, ସବୁ ସୁନ୍ଦର । ସବୁ ଶାନ୍ତ, କିନ୍ତୁ କିଏ ବା କହିବ ? ହଠାତ୍‍ ଯଦି ମହାବଳ ବାଘ ୟାରି ଭିତରୁ ଛପି ଛପିକା କେତେବେଳେ ବାହାରି ପଡ଼ିବ ?– କିଏ କହିପାରେ ! ଏତେବଡ଼ ଅତଟ ପାହାଡ଼ କାନ୍ଥବାଟେ ପୁରୁଖା ପୋଢ଼କୁ ମୁହଁରେ ଟେକି ଧରି ନାଚି ନାଚି ବାଘ ଚଢ଼ି ଚାଲିଯାଇଛି । କିଏ କହିପାରେ ? ଏଇ ଅନ୍ଧାରି ଗୁମ୍ପାରେ ଅସଂଖ୍ୟ ଭାଲୁଥିବେ । ଆଖପାଖରେ ପୁରୁଣା ମଲା ଗଛର ଖୁଣ୍ଟିପାଖେ କେତେ ଗହୀର ଗାତ, ହୁଂକା ଖୋଳି ଖୋଳି ଭାଲୁ ଖାଇଯାଇଛି, ନଖର ଗାର ପଡ଼ିଛି ।

 

ନା, ଭାଲୁ ବଧ୍ୟ ନୁହେଁ । ପଛେ ସେ ନଷ୍ଟ କରୁ । ମାରିଲେ ମହାପାପ । କିନ୍ତୁ ବାଘ ? ଭୟ ଭିତରେ ରାଗ ମଧ୍ୟ ଆସିଲା । ବାଘ ତା’ର ମା’କୁ ଖାଇଛି । ବାଘ ଆସିଲେ ମାଣ୍ଡିଆଜାନି ଆଜି ଦେଖି ନେବ । ତା’ର ମା’କୁ ଖାଇଛି ।

 

ପୁଣି ମନେପଡ଼େ, ଆଜି ଯଦି ଏଇ ଝୋଲା ଭିତରୁ ଆଉ ଫେରିବାକୁ ନ ପଡ଼େ, ତେବେ-? କାଜୋଡ଼ି ମନେପଡ଼ିଲା । ହୁ’ହୁ’କା ବାଉଁଶ ବଣର ପବନ ପରି ହୁ ହୁ ପରିହୋଇ ଦୀର୍ଘଶ୍ୱାସ ବୋହି ଚାଲିଗଲା । ତଥାପି କାଜୋଡ଼ି ଟାଣେ ଗୋଟାଏ ପାଖେ, ଆରପାଖେ ସାହୁକାର ଟାଣେ । ହସ ମାଡ଼ିଲା । ଏତେଗୁଡ଼ାଏ ଟଙ୍କା ତା’ର ମାଟି ହେବ ! ଏତେ ଜାଗି ଜାଗି କାମ ନିଏ ପରା ଗୋତିଠୁ ସେ । କେମିତି ମୁହଁଟାକୁ ସାହୁକାର ବିଚିକାଟିଆ କରିଦିଅନ୍ତା । ଦାନ୍ତ ରଗଡ଼ନ୍ତା । ଓଟବାଟେ ଫେଣ ଗଡ଼ିପଡ଼ନ୍ତା ଫାଙ୍କି ।

 

ଜୀବନଟା କେତେକର, କେତେ ତା’ର ନିଜର ? କାଜୋଡ଼ି, ସାହୁକାର ଏ ଦୁହେଁ ଆଗ, ତା ପରେ ସେ । କିପରି ଗୋଟାଏ କିମ୍ଭୂତ ସ୍ୱପ୍ନ ଉଇଁଲା, ସେଇ ହଳଦିଆ ଫୁଲ ଘେରେଇ ଚଟାଣଉପରେ ତା’ର ଦେହଟା ପଡ଼ିଛି, ଟାଣି ଉଠୋଉଛି ଗୋଟାଏ ପାଖେ ସାହୁକାର, ଆର ପାଖେ କାଜୋଡ଼ି..........

 

ଖୁସ୍‌ଖାସ୍‌ ହୋଇ ଶବ୍ଦ ଟିକିଏ ହେଲା । ମାଣ୍ଡିଆ ଦେଖିଲା ଗୋଟାଏ ବିଲୁଆ ଅଳ୍ପ ଦୂରରେ ଥକ୍‌କା ହୋଇ ତାକୁ ଚାହିଁ ଦେଖୁଛି । ଚାରି ଆଖି ଭେଟାଭେଟି ହେଲା । ବିଲୁଆ ଚାଲିଗଲା ।

 

ମାଣ୍ଡିଆଜାନି ଭାବିଲା, କାହିଁକି ଏ ବିଲୁଆଟା ଆସିଲା ? ଆଜିବାଟରେ ଠେକୁଆ ପିଲା ଦେଖା ହୋଇନାହିଁ । ଭଲ ଶିକାର ଜୁଟିବ । କିନ୍ତୁ କି ଶିକାର ?

 

ବିଲୁଆ କାହିଁକି ଆସିଥିଲା ?

 

ବିଲୁଆ ଚାହାଣୀରେ ସତେକି କେଉଁ ଇଙ୍ଗିତ ଥିଲା । କେଉଁଠି ସେ ଦେଖିଲା ଏ ଚାହାଣୀ ? ହଁ ବହୁଦିନ ତଳେ । ଶୁଣ୍ଢିଘର ବଗିଚାରୁ ଲୁଚେଇ ଲୁଚେଇ ମକା ତୋଳିଲାବେଳେ ବାଟରେ ଜଗୁଆଳି ଶବ୍ଦ କଲେ ଜଣେ ଏପରି ତରକାଇ ଦେଉଥିଲା, ଖାଲି ଚାହାଣୀରେ । କିଏ ସେ-? ମା’ ।

 

ମାଣ୍ଡିଆଜାନିର ରୁମ ଟାଙ୍କୁରି ଉଠିଲା । ଆଖି କଟମଟ କରି ଟାଣି ଓଟାରି ଅନେଇଲା । କେହି କୁଆଡ଼େ ନାହିଁ । ବିଲୁଆଟା ଠିଆ ଠିଆ ସତେକି ଅଦୃଶ୍ୟ ହୋଇଗଲା ।

 

ଭୟ ବଢ଼ିଲା । କିନ୍ତୁ ଠିକ୍‌ ସେତିକିବେଳେ ଝୋଲା କର ବୁଦା ଭିତରେ ବିଜୁଳି ମାରିଲା ପରି ଗୋଟାଏ ବଡ଼ ଶିଙ୍ଗାଳ ଉଛୁଳି ଆସି ଠିଆ ହେଲା । ମୁହଁକୁ ଉପରକୁ କରି ଚାହିଁନେଲା । କେଡ଼େ ବଡ଼ ବଡ଼ ଶିଙ୍ଗ ତା’ର । ମାଣ୍ଡିଆଜାନି ଭୟ ଭୁଲିଗଲା । ବାରୁଦ ଉପରେ ନିଆଁ ଅଟା ମାଡ଼ିଦେଲା । ଲକ୍ଷ୍ୟକରି ଅନାଇଁ ରହିଲା ।

 

କିନ୍ତୁ ଓଡ଼ିଆ ନଳି ହଠାତ ଫୁଟେ ନାହିଁ । ସୁର୍‌ ସୁର୍‌ ସୁର୍‌– ରଞ୍ଜକ ଭୁରୁ ଭୁରୁ ହେଲା । ଶିଙ୍ଗାଳ ଚମକି ପଡ଼ି ଚାହିଁଲା । ତା’ପରେ ଏକା ଡିଆଁରେ ଝୋଲା ଏପାଖକୁ । ବାରୁଦ ସୁର୍‌ ସୁର୍‌ ହେଉ ହେଉ ମାଣ୍ଡିଆଜାନି ବନ୍ଧୁକ ବୁଲାଉଥାଏ ଏପାଖ ସେପାଖ । ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦ ହେଲା–ଢାଇ ।

 

ଶିଙ୍ଗାଳ ସେତେବେଳେ ଅଦୃଶ୍ୟ ହେଲାଣି ।

 

ମାଣ୍ଡିଆଜାନି ବାରୁଦ ଠେସି ପୁଣ ନଳି ସଜାଡ଼ିଲା । ପାଞ୍ଚଜଣକ ଏକାଠି ହେଲେ । ପୁଣି ଝୋଲା ଭିତରେ ଆହୁରି ଦୂରକୁ ପଶିଯାଇ ନୂଆ ଜାଗା ବାଛି ବସି ରହିଲେ । ଅସଂଖ୍ୟ ମିରିଗି ଖୋଜରେ ଝୋଲାର ଭୂଇଁ ଚକଟା ଚକଟି ହୋଇ ଯାଇଛି । ଢାଇ ଶବ୍ଦରେ ସାହାସ ଆସିଛି । ଜନ୍ତୁ ପଛେ ଖସିଯାଉ । ପୁଣି ସେମାନେ ଅପେକ୍ଷା କରି ରହିଲେ ।

 

ଆଜି ଖୁଦୁରି ପିଲା (ଠେକୁଆ) ଦିଶା ପଡ଼ିନାହିଁ, ନିଶ୍ଚୟ ଜନ୍ତୁ ବାହାରିବ ।

ଦିନ ଗଲା ।

 

ପାହାଡ଼ରୁ ଗଡ଼ି ଛାଇର ବୋଝ ଝୋଲା ଭିତରକୁ ଖସିଆସିଲା । ପୁଣି ନିସ୍ତବ୍‌ଧତା, ଯେପରି ତା’ର ସହସ୍ରେ ଆଖି, ଛୁଞ୍ଚିପରି ମୁନିଆ । ଶୁଖିଲା ପତ୍ର ପରି ପାତଳ କାନ । ବହୁତ ବେଳ ହେଲାଣି ବଡ଼ ଶାଗୁଣାଟାଏ ପାହାଡ଼ ମୁଣ୍ଡିଆ ଉପରେ ଚକ୍ରି ମାରୁଛି, ବାଘଖିଆ ମଢ଼କୁ ଅନୁସନ୍ଧାନ କରୁଛି ପରା । ଦିନ ଗୋଟାକର ଝୋଲାମରା ତାତି ମଣିଷ ଉପରେ ମାହାଳିଆ ଗଲା । ଶିକାର ନାହିଁ । ମନ ଦବି ଆସିଲା । ଆସିଲାବେଳେ ଠିକ୍ ଦୀପ ତେଜିଲା ପରି ଯେଉଁ ଆଶା ଜଳି ଜଳି ଝୋଲାର ଅନ୍ଧାର ଭିତରେ ବାଟ କଢ଼େଇଥିଲା, ବର୍ତ୍ତମାନ ତା ନିଭିଛି ।

 

ପାଞ୍ଚୋଟି ବନ୍ଧୁ ମୁଣ୍ଡ ଟୁଙ୍ଗାରି କହିଲେ,“ଆଜି ତା’ର ମରିବାକୁ ଯୋଗ ନାହିଁ ।” ଏହିପରି ଅଦେଖା ହରିଣପଲର ଆୟୁଷ ହିସାବ କରି ସେମାନେ ଫେରି ଚାଲିଲେ । ଖୋଲର ଅନ୍ଧାର କାଳି ପାଲଟିଚି, କାନ୍ଧର ବନ୍ଧୁକ ଭାରୀ ଲାଗୁଛି । ମୁଣ୍ଡ ତଳକୁ ପୋତି ଝୋଲାରୁ ବାହାରି ସେମାନେ ଚାଲିଗଲେ ।

 

ଝୋଲା ଛାଡ଼ି ପାହାଡ଼ ଚଢ଼ାଣିବେଳେ ଉପରୁ ଶିଙ୍ଗାରେ ଗୋଟିଏ ରାଗିଣୀ ବାଜିଲା । ଅନ୍ଧାର ସାଙ୍ଗେ ମିଶି ପତ୍ରେ ପତ୍ରେ ସେ ମଧ୍ୟ ତଳକୁ ଖସି ପଡ଼ିଲା । ତା’ର ଅର୍ଥ–

 

“ଯିଏ ଯେଉଁଠି ଅଛ ଫେରିଆସ, ଘରକୁ ବାହୁଡ଼ିବା ।” ଲହର ଦେଇ ଦେଇ ଶିଙ୍ଗା ଡାକ ପକେଇଲା, ବଡ଼ ଉଦାସ ସେ, କିନ୍ତୁ ସ୍ନେହ ଢାଳିଦିଏ, କେଡ଼େ ବ୍ୟାକୁଳ ସେ ଗୋଷ୍ଠୀର ପ୍ରତ୍ୟେକ ମଣିଷ ପାଇଁ–

 

“ଫେରିଆସ ଭାଇ ଫେରିଆସ, –ସଞ୍ଜ ହେଲା” ଶିକାରୀ ପାଞ୍ଚୋଟି ପାହାଡ଼ ଚଢ଼ି ଚାଲିଗଲେ ।

 

ଗାଁ ପାଖରେ ତକରାଳ ଲାଗିଥାଏ । ଜଙ୍ଗଲ ଖେଦିବା ଲୋକଙ୍କୁ ବନ୍ଧୁକୀମାନେ ଦାୟୀ କରୁଥାନ୍ତି, “ତୁମେ ଭଲ କରି ଜନ୍ତୁ ଖେଦିଲ ନାହିଁ, ତୁମେ ଆଶାରେ ଅନେଇ ବସି ବସି ଆମେ ଭଣ୍ଡୁର ହେଲୁଁ ।” ସେମାନେ ଓଲଟି ବନ୍ଧୁକୀମାନଙ୍କୁ ଦାୟୀ କରୁଥାନ୍ତି,–“ତୁମେଗୁଡ଼ାକ ତ କିଛି କରିପାରିଲ ନାହିଁ ଆଉ କହୁଚ କ’ଣ ? କମି ଜନ୍ତୁ ଆମେ ବାହାର କରିଥିଲୁଁ ? ତୁମେ ଛାଡ଼ିଦେଇ ବସିଲ ।”

 

କେହି କେହି ଭାଗ୍ୟକୁ ନିନ୍ଦି ବୟାନ କରୁଥାନ୍ତି, ଜନ୍ତୁ କିପରି କେଉଁବାଟେ ପଳେଇଲା, ମରିବାକୁ ଯୋଗ ନାହିଁ । କିଏ କହୁଥାଏ,“ମୋ ଗୁଳି ତା’ ପେଟରେ ବାଜିଲା, ସେ ଲେଉଟିପଡ଼ି ପୁଣି ଉଠି ପଳେଇଲା ।” କିଏ କହୁଥାଏ “ମୁଁ ମାରିଥାନ୍ତି ଯେ, ବନ୍ଧୁକ ଉଠେଇ ଭାବିଲି ଗୁଳି ତୋ ଧିଅରେ ବାଜିବ ।” ଖାଲି ତର୍କ, ସମସ୍ତେ ବିରକ୍ତ, ସମସ୍ତେ ହତୋତ୍ସାହ ।

 

ମୁହଁ ସଞ୍ଜବେଳେ ସେମାନେ ଗାଁ ପାଖେ ପହୁଞ୍ଚିଲେ । ପୂର୍ବକାଳର ରୀତି ଅନୁସାରେ ସ୍ତ୍ରୀଲୋକମାନେ ଭର୍ତ୍ସନା କରି ଅପମାନ କରିବାକୁ ଆସିଲେ । କାଜୋଡ଼ି ତୁହାଇ ତୁହାଇ ମାଣ୍ଡିଆଜାନି ଉପରକୁ ଅସନା ଗୋବରଗୁଳି ପକୋଉଥାଏ, ଆଉ ଫୋପାଡ଼ୁଥାଏ, ଜିଲି, ତା’ର ବି ଭାଇ ଛଡ଼ା ଆଉ କିଏ ଅଛି କାହା ଉପରକୁ ଫୋପାଡ଼ିବ ? ଦୁଇ ଆଡ଼ୁ ଫୋପାଡ଼ ଖାଇ ଖାଇ ମାଣ୍ଡିଆଜାନି ହସୁଥାଏ, କହୁଥାଏ “ରହ ରହ”, ମନେ ମନେ ସେ ଭରସା ପାଇଥିଲା କାଜୋଡ଼ି ତଥାପି ତା’ର ।

 

ମଣିଷ ଜୀବନରେ ଭଲ ପାଇବା ଅନେକଥର ଆସେ, ଆସେ ପ୍ରତି ମୁହୂର୍ତ୍ତରେ, ଅସଂଖ୍ୟ ତା’ର ରୂପ, କିନ୍ତୁ ପହିଲି ଭଲପାଇବାର ସଜ ସରାଗ ଝଲକରେ ଆସି ଝଲକରେ ଯାଏ, ଜୀବନର ଧୂସରା ବାଟରେ ସେ ଆଉ ଦେଖାପଡ଼େ ନାହିଁ ।

 

ଅନ୍ଧାରି ଫରଚାରେ ଶାନ୍ତ ନିସ୍ତବ୍‌ଧତା ଭିତରେ ଅଚାନକ କଜଳପାତିର ସଙ୍ଗୀତ ପରି ସେ ନିଦ ମଳମଳ ଆଖିରେ ଧଡ଼ମଡ଼ି ଉଠେଇଦିଏ, ଦୁଃସ୍ୱପ୍ନର ଘୋର କଟିଯାଏ, ଅଧାଚିଆଁ ପ୍ରକୃତି ଉପରେ ହୃଦୟର ସ୍ନେହ କାକରଟୋପା ପରି ବିଞ୍ଚିହୋଇ ପଡ଼େ, ସ୍ୱାର୍ଥ ଯାଏ ତୁଟି, ଏହି ଇଚ୍ଛା ଆସେ– “ହେ ଇଶ୍ୱର, ସମସ୍ତେ ସୁଖରେ ଥାଉନ୍ତୁ,”– ଶତ୍ରୁ ବନ୍ଧୁ ଭୁଲି ସ୍ନେହର ବାଣୀ ଗାଈଯାଏ ହୃଦୟ, କଜଳପାତି ସଙ୍ଗେ ସମତାଳ ରଖି । ପୂରବୀର ଲହରରେ ହୃଦୟ ଚେଇଁଉଠେ ।

 

କି ମୋହ ସେ !

 

କେତେ ତ ଅପୂର୍ଣ୍ଣ ଥାଏ । କେତେ ଭୁଲଭ୍ରାନ୍ତି, କେତେ ଅବୁଝା ଅଧବୁଝା କଥା ମିଶି ମଣିଷର ଏଇ ପହିଲି ଭଲପାଇବା । ଦୁର୍ବଳ ସେ, ଶୀର୍ଣ୍ଣା ଲତା ପରି, ସେହି ଦୁର୍ବଳତାରେ ବାନ୍ଧିବାକୁ ଚାହେଁ ।

 

ସବୁ ସେ ନଈ, କିନ୍ତୁ ଆପଣାର ଛଳଛଳରେ ଆପେ ବିଭୋର । ସେହିପରି ସେ ସତ୍ତା ହରାଏ । ଦିନ ଆଲୁଅରେ କେତେ ମନଭୁଲାଣି କଥା ଅନୁଭୂତିକୁ ଓଟାରି ଘେନିଯାଏ ଗୁଣରେ ବର୍ଣ୍ଣରେ । ଲାଭ ଲୋକସାଣରେ ଫଳାଫଳ ଉପରେ ତଉଲ ହୁଏ, ମୂଲ ହୁଏ । କାହିଁ ଛୋଟିଆ କଳା କଜଳପାତିର ଗୀତ କେତେ, ପଛରେ ସେ !

 

ସେହି ଥିଲା ପହିଲି ଭଲ ପାଇବା,–

 

ଯାହାର ପୃଷ୍ଟପଟ ରାତି ଶେଷରେ ନିସ୍ତବ୍‍ଧ ଶାନ୍ତ ବିସ୍ତୃତି, ଯାହାର ବିବର୍ତ୍ତନ ଅନ୍ଧାର ଶେଷରେ ନୂଆ ଆଲୁଅର ଉନ୍ମେଷ,–ସେହି ।

 

 

ଧୂଷରା ବାଟ ସରେ ନାହିଁ, ହଠାତ୍‌ ପୁଣି କେବେ ରାତି ଓହ୍ଲାଏ । ସବୁ ନିଭିଯାଏ, ଦିନର ଝୁଲାମୁଣି ଖାଲି ପଡ଼ିଯାଏ, ଫାଙ୍କା ମୁଠା ହାଲୁକା ହୋଇ ବାହାରି ଆସେ,‘ମୁଁ’ ପଣ ସରିଛି, ପୁଣି ସେହି ଆଶୀର୍ବାଦ,–“ସୁଖରେ ଥାଉନ୍ତୁ ସମସ୍ତେ”, କେଡ଼େ ବିଷାଦର ସେ,–କେଡ଼େ ଅଭିମାନୀ !

 

କାହାର କେତେବେଳେ ଭାତି ଓହ୍ଲାଏ, ତେଣିକି ଖାଲି କଳର କାମ, ପାହାଡ଼ ଉପରୁ ଢାଲୁ ଚଡ଼ାଏ ଚଡ଼ାଏ ଗଡ଼ି ଆସୁଥିବା ବଡ଼ ବଡ଼ ପଥର ପରି ।

 

ଜିଲିର ପହିଲି ଭଲ ପାଇବାର ରଙ୍ଗ ଉଡ଼ିଯାଇଥିଲା । ସବୁଠି ସବୁ ଆଘାତ ଯାହା କରେ– ଗୋଟାଏ କବାଟ ଆଜିଠୁ ଧଡ଼୍‌କିନା ବନ୍ଦ ହେଲା । କେଉଁଠି କ’ଣ ଗୋଟାଏ ସରୁ ସରଳ ଥିଲା, ବଙ୍କେଇ ବଙ୍କେଇ ମୋଡ଼ି ମୋଡ଼ି ହୋଇ ମୋଟା ହୋଇଗଲା ।

 

ପହିଲି ଭଲ ପାଇବାର ଉଷା ଉଦିଆନ୍‌ ଦିଗରେ ହିଁ ନିଭିଗଲା କେଉଁଆଡ଼େ !

 

ଠିକ୍‌ କହିହେବ ନାହିଁ ଦୁଃଖ କି ଲଜ୍ଜା, ଏଡ଼େ ଗହନ ସେ, ଦିନର ଆଲୁଅ ସହି ପାରିବ ନାହିଁ । ଯେପରି କେଉଁ ସ୍ତ୍ରୀ ସମାଜର ଆଖିରୁ ଲୁଚେଇ ଅନ୍ତୁଡ଼ିରେ ସନ୍ତାନର ତଣ୍ଟି ଚିପିଦେଇ ଅନ୍ଧାରୁଆ କାଳିଆ ଝୋଲାରେ ତାକୁ ପୋତି ଦେଇଛି । ଛାଡ଼ିଆସିପାରୁ ନାହିଁ, ବସି ଅନେଇଁ ଅନେଇଁ କାନ୍ଦୁଛି ।

 

ମରୁ ସେ ଧାରଣା । କିଏ କାହାର ? ବାଗ୍‍ଲା ତା’ର କ’ଣ ? ଆଜିଠୁ ତା’ର ନାଁ ଲୁଚୁ । ଯାଉ ସେ । ଯାଉ, ଯାଉ । କିନ୍ତୁ– !

 

ଚଇତର ପ୍ରଖର ଆନନ୍ଦ ଭିତରେ କାନ୍ଦଣା ଲୁଚେଇବାର ସ୍ଥାନ କାହିଁ ? ଲୁଚେଇବାକୁ ହେବ ଗହିରୀଆ ଝୋଲା ଭିତରେ । ନାରୀ ତାହା ଜାଣେ । ତେଣୁ ସେ ବିଜୁଳି ହେଲେହେଁ ମାଟି, ମାଟି ହେଲେହେଁ ବିଜୁଳି ।

 

ସଞ୍ଜବୁଡ଼ୁ ତା’ର ମୁଣ୍ଡ ବଥେଇଲା । ସେ ଘରେ ରହିଲା, ଅନ୍ଧାରରେ ଅଣ୍ଡାଳି ହେଲା କି କି ଉପହାର ବାଗ୍‍ଲା ତାକୁ କେବେ ଦେଇଥିଲା । ମାଳି ଦି’ସରି, ନାଲି ପାନିଆ ଖଣ୍ଡେ, ତା’ ଦାନ୍ତ ଭାଙ୍ଗିଛି, ଟିକି ଦପର୍ଣଟିଏ, ଖଣ୍ଡେ ସାବୁନ୍‌, ସେ ସେହିପରି ଅଛି ।

 

ସବୁ ସେ ଭାଙ୍ଗିଲା, ଛେଚିଲା, ଚୂରିଲା । ସକାଳ ପାଇଁ ମାଣ୍ଡିଆପେଜ୍‍ ଆଉଟୁ ଆଉଟୁ ଚୁଲି ପାଖରେ ବସି ସବୁ ସେ ନିଆଁରେ ପକାଇଲା, ଯାଉ ସବୁ ଯାଉ ।

 

ଭାବୁ ଭାବୁ ଆଖିରୁ ଧାର ଛୁଟିଲା । କ୍ରମେ ଚୁଲିରେ ନିଆଁ ନିଭି ଆସିଲା, ଜିଲି ଯୋଉଠି ସେଇଠି । ଅଜାଣତରେ କାନ୍ଦଣାର ସକ କଇଁ କଇଁ ଶୁଭିଲା । ସେ ଜାଣେ ନାହିଁ ସେ କ’ଣ କରୁଛି । ପଛପଟୁ ସୁକୃଜାନି ଆସିଲା, ତା’ର କାନ୍ଧରେ ହାତ ପକେଇ ଆସ୍ତେ ହଲେଇ କାନପାଖେ କହିଲା,“ତୁ କାନ୍ଦୁଛୁ ମା’–”

 

ଜିଲି ବାପ ଉପରକୁ ଢଳି ପଡ଼ିଲା । ସବୁ ଅଭିମାନ ସବୁ ଓରମାଣ କବାଟ ଠେଲି ବାହାରି ପଡ଼ିଲା ପଦାକୁ ।

 

କାଳିଆ ଓଢ଼ଣି ଟାଣି ଦେଇ ବାପ ଝିଅର ଦୁଃଖକୁ ରାତି ଘୋଡ଼େଇ ପକେଇଲା । ଅତି ଗହନ ସେ– ଆହା !

 

କନ୍ଧ ବଇଁଶୀ ତୁହାଇ ତୁହାଇ ଡାକ ଛାଡ଼ିଲା,“ଓ୍ୱାମୁ ବସ୍ନପି, ଓ୍ୱାମୁଡ଼େ ଓ୍ୱାମୁଡ଼େ”,‘ଆ ଆ ଆଲୋ ଟୋକୀ ଆ’ । ରାତିରେ ନାଚ ଖୁବ୍‌ ଜମିଲା । ଜିଲି ନ ଥିଲା ସେଠି ।

 

ସକାଳୁ ଉଠି ମାଣ୍ଡିଆଜାନି ଭାବିଲା, ଆଜି ଗୋଟାଏ ନା ଗୋଟାଏ କିଛି ହେବ । ଖୁବ୍‌ ପାହାନ୍ତା ସେତେବେଳେ, କିଏ ଗୋଟିଏ ଗୋଟିଏ ଉଠି ପଦାକୁ ଚାଲିଯାଉଛନ୍ତି । ମୁହାଁମୁହିଁ ଧାଡ଼ି ଧାଡ଼ି ହୋଇ ଘର କବାଟ ପଡ଼ିଛି । ରଙ୍ଗ କଳା ହଳଦିଆ ଧଳା ମାଟିରେ ପଲସ୍ତରା କାନ୍ଥ ଉପରେ ଧଳା ଅରିକି ଲେଖାଁ ଚିକ୍‌ ଚିକ୍‌ ଦିଶୁଛି, ପାହାନ୍ତାର ଦାନ୍ତ ପରି । ଚାରିପାଖର ଅଳିଆ ଅସନା ହାଇମାରି ଉଠୁଚି, ଘର ଆଗର ପତ୍ର ଚୌକିନୀ କୁଢ଼, ଖତଖୁର, ଆମ୍ବଚୋପା ଟାକୁଆ ଗଦା । ସାହି ମଝିରେ ଡେଙ୍ଗା ଶଳପ ଗଛଟା ବାହୁଙ୍ଗା ଉପରେ ବାହୁଙ୍ଗା ପକେଇ ଠିଆ ଠିଆ ଖାଲି ଘୁମୋଉଚି, ପହିଲି କାଉ ଆସି ନାହିଁ । ଜାତି ଜାତିକା ପୁର୍କୁଟିଆ ଗନ୍ଧ–ପରଜା ସାହିର ବିଶିଷ୍ଟତା–ସକାଳର ଖୋଲା ପବନରେ ବାମ୍ଫ ହୋଇ ମିଶି ଅତୀତରେ ବଂଶପରମ୍ପରା ସହିତ ସମ୍ବନ୍ଧ ନିବିଡ଼ କରୁଛି, ଯେପରିକି ସବୁ ଆର୍ବଜର୍ନାର ସମଷ୍ଟି । ଚାଳ ଉପରର ଛିଣ୍ଡାକନାଠୁ ଓଳିତଳର ହଳଦି ଉଞ୍ଚା ପର୍ଯ୍ୟନ୍ତ ସବୁ ମିଶି ଅନୁଭବ କରାଇ ଦେଉଛି– ଏଇ ଦାଦି ଆନିକାଳର ଢିଅମାଟି, ସବୁ ନିରାପଦ ଏଠି ।

 

ପରମ୍ପରାଗତ ଗୋଷ୍ଠୀର ଚେରମେଲିବା ମନୋଭାବର ସ୍ମୃତି ବାନ୍ଧି ମାଣ୍ଡିଆଜାନି ନିଦରୁ ଉଠିଛି । ତାକୁ ଲାଗୁଛି ଆଜି ଗୋଟାଏ କିଛି ହେବ, ସେଇ ଗୋଟାଏ କିଛି, ଯାହା ମାଟି ଆଉ ମଣିଷକୁ ଏକାଠି ଛନ୍ଦି ଛନ୍ଦି ଅସୁମାରି ଭବିଷ୍ୟତ ଆଡ଼କୁ ଉହୁଁକେଇ ଧରେ, ଚିରଶ୍ୟାମଳ ଧରଣୀକୁ ଚିରମୁଖରିତା କରିବା ପାଇଁ ।

 

ନିରୋଳାରେ ମାଣ୍ଡିଆଜାନି ବିଚାରିଲା, ଆଜି ସେ ଗୋଟାଏ କିଛି କରିବ, କାଜୋଡ଼ି ବିଷୟରେ । ଘେନାଘେନିଟା ଖାଲି ଦି’ପାଖେ ମନେ ମନେ ଗଡ଼ିଗଡ଼ିକା ଯାଉଛି, ଘେନାଘେନିର ଦିନ ଖସିଯାଉଛି । ଏଣିକି ଘର ମଣେଇବା ଦିନ, ଚେକାମାଡ଼ି ବସିବା, ଘର କରିବା, ପିଲା ଆଉ ଘୁଷୁରି ପାଳିବା, ସଂସାରର ଦଶଜଣକ ସଙ୍ଗେ ସମାନ ହେବା ।

 

ଛ’ଟି ଭିତରୁ ଦି’ ଦିନ ତ ଗଲା, ଆଉ ଆସିବ ନାହିଁ । ଛୁଟି ସରିବା ଆଗରୁ ଗୋଟାଏ କିଛି ନିଷ୍ପତ୍ତି ଦରକାର ।

 

ଗୋଟାଏ କିଛି ନିଷ୍ପତ୍ତି ଯେ ଆପଣା ପାଇଁ ସଫଳତା, ସେଥିରେ ମାଣ୍ଡଆଜାନିର ସନ୍ଦେହ ନ ଥିଲା । ତେବେ ଉପାୟ ? ସେ କଥା କାଜୋଡ଼ି କହିବ । ଉଦୁଲିଆ ଆସୁ, ନୋହିଲେ, ତା’ର ବାପ ମିଲ୍‌କୁଜାନି ସାହୁକାରର ଋଣ ଶୁଝି ମାଣ୍ଡିଆକୁ ଗୋତି ରଖୁ । ଉପାୟର ଦୁଇ ପାଖ ତଉଲି ଦେଖିବାର ଗରଜ ବୁଢ଼ାଙ୍କର । ଧାଂଡ଼ାର ଖାଲି ଅଭୀଷ୍ଟ ଚିନ୍ତା, ଉପାୟ ଯାହା ହାତରେ ପଡ଼ିଲା ।

 

ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ ମାଣ୍ଡିଆଜାନି ନିତ୍ୟକର୍ମ ଛିଣ୍ଡାଇବାକୁ ଝୋଲାଆଡ଼କୁ ଚାଲିଲା । ଆଜି ତା’ର ଶୁଭଦିନ । ମହୁରିଆ ଡମ୍‌ ଗାଁରେ ଅଛି, ଦିସାରି ବି । ଭୋଜିପାତି ଖର୍ଚ୍ଚପତ୍ରରେ କଥା ମନରେ ଖେଣ୍ଟା ପରି ଉଠିଲା–ଅପ୍ରିୟ ସେଗୁଡ଼ାକ, ଗୀତ ଗୁଣୁଗୁଣୁରେ ଆପେ କେଉଁଆଡ଼େ ଅପସରି ଗଲା, ମନର ଅନ୍ଧାର କଣକୁ, ଯେଉଁଠି ଭୂତପ୍ରେତଙ୍କ ବସା ।

 

ଏଇ ବଡ଼ି ପାହାନ୍ତାରୁ ଶୁଭଦିନ ଆପେ ଆପଣାକୁ ସୂଚାଇ ଦେଉଛି କିପରି, ମନେ ମନେ, ପାଦ ହାଲୁକା ଲାଗୁଛି, ଆନନ୍ଦ ଫାଟିପଡ଼ୁଛି ଅନ୍ତର ଉଛୁଳାଇ–

 

“ଏ କାଜୋଡ଼ି ଏ କାଜୋଡ଼ି,

ସାରିଆଗାରୁ କାତିକାଡ଼ୁ ଶୁଣ୍ଡିଗାରୁ ହିଣ୍ଡା

ଆଇଲୁସ୍‌ରେ ଟୋକୀ ତୁଇ କେତେ ରିସି ଡିଣ୍ଡା ।”

 

ଗାଡ଼୍‌ (ନଈ) ଲେଉଟାଣି ବାଟରେ କାଜୋଡ଼ି ସଙ୍ଗରେ ଦେଖା, ଗଡ଼ାଣି ବାଟରେ ତଳୁ ଉଠି ଉଠିକା ମାଣ୍ଡିଆଜାନି ଆସୁଛି, ଫମ୍ପା ମାଠିଆ ହାତରେ ଧରି ତଳକୁ କାଜୋଡ଼ି ଓହ୍ଲେଇ ଯାଉଛି-। ଦିହେଁ ଥକ୍‌କା ହୋଇ ଠିଆ ହେଲେ ।

 

“କାଜୋଡ଼ି”

“କିରେ ମାଣ୍ଡିଆ–”

“ଆଜି ବେଣ୍ଟ୍‌ (ଶିକାର) କେ ଯୁଃ”

“ମୁଇଁ ?”

 

କାଜୋଡ଼ି ହସି ହସି ଫାଟି ପଡ଼ିଲା । ହସି ହସି ଦେହ ହଲେଇ ଭାରି ଦୁଷ୍ଟାମି ମିଶା ଚାହାଣୀରେ ମାଣ୍ଡିଆଜାନି ଆଡ଼କୁ କଣେଇଁ କଣେଇଁ ଚାହିଁଲା । ମାଣ୍ଡିଆ ଆଗେଇଲା । କାଜୋଡ଼ି ବାଟ କାଟି ଧାଇଁ ଧାଇଁ ପଳେଇ ପଳେଇ ଓହ୍ଲେଇଲା । ମାଣ୍ଡିଆ ସିଠିମାରି ଦି’ଖୋଜ ଉପରକୁ ମାଡ଼ି ପୁଣି ପଛକୁ ଅନେଇଁ ହାତଠାରି ଡାକିଲା । କଜୋଡ଼ି ଅନେଇଁଲା । ମାଣ୍ଡିଆ ହାତ ଠାରି ଡାକିଲା, କାଜୋଡ଼ି ଲେଉଟି ହାତ ଠାରିଲା । ମାଣ୍ଡିଆ ଅତଡ଼ାରେ ଅଟକିଗଲା । କାଜୋଡ଼ି ବୁଲିପଡ଼ି ତଳକୁ ଓହ୍ଳେଇଲା । ମାଣ୍ଡିଆ ଦି’ଖୋଜ ତଳକୁ ଓହ୍ଲେଇଲା । କାଜୋଡ଼ି ଆହୁରି ତରତର ହୋଇ ତଳକୁ ଓହ୍ଲୋଉଥାଏ, ପାହାଚକୁ ପାହାଚ ଡେଇଁ ଡେଇଁ ନାଚି ନାଚି ଗୁଣୁ ଗୁଣୁ ହୋଇ ଗୀତ ଗାଉଥାଏ ।

 

ମାଣ୍ଡି ଆବାକାବା ହେଲା, ଉପରକୁ ଉଠିଯାଇ ଅତଡ଼ା ଉପରେ ମଠେଇ ମଠେଇ ହୋଇ ତଳକୁ ଚାହିଁଲା । ଉପରେ ଉପରେ ଖରା ଅଳ୍ପ ଲାଗିଗଲାଣି, ତଳ ଅନ୍ଧାର । ମାଳ ଜଙ୍ଗଲ ଜାଲପରି ଦିଶିଲାଣି । ଦୁଇପାଖେ ଦୁଇ ଚେନା ଧାନକ୍ଷେତ ପୂରିଲା ପୂରିଲା ଚିକ୍‌କଣ ଗାଲ ପରି, ସକାଳ ଖରାରେ ପର୍ବତ ସବୁ ଫୁଲସ୍ତରା ମାରି ଢେଉଢେଉ, ସବୁ ସୁନ୍ଦର । ଝୋଲା ବାଟର ଛାଇ ଅନ୍ଧାରୁଆ ଜଙ୍ଗଲଭର୍ତ୍ତି ତଳକୁ ଅନେଇ ମାଣ୍ଡିଆଜାନିର ସ୍ମରଣ ହେଲା, ବଣ ତଳେ କୁଞ୍ଜ ଭିତରେ କେତେ ଶାଉଁଳିଆ ପଥା ଚଟାଣ ଅଛି, କେତେ ସାନ ସାନ ବଖୁରି, ତା’ର ସବୁଜା କାନ୍ଥ, ତା’ର ଶିଉଳିର ଗଦି ।

 

ନିରୋଳା, ନିଛାଟିଆ ।

 

ଆପେ ଆପେ ତା’ର ପାଦ ଚାଲିଗଲା ତଳକୁ, ଆହୁରି ତଳକୁ, ଝୋଲା ତଳିର ଅନ୍ଧାର ଭିତରକୁ । ପାଣିର ଛଳ ଛଳ ଶୁଭେ, ମୁଣ୍ଡ ଭିତରେ ଭାଁ ଭାଁ ହୁଏ । ମାଣ୍ଡିଆଜାନି ତଳକୁ ଓହ୍ଲାଏ ।

 

ପିଠି ଆଡ଼କରି କେଜୋଡ଼ି ମୁହଁ ହାତ ଧୋଉଛି, ଅରାଏ ଖରା ପଡ଼ିଛି ସେଠି । କେହି ନାହିଁ ।

 

ପାଗଳ ପରି ଆଗକୁ କୁଦିଯାଇ ମାଣ୍ଡଆଜାନି କାଜୋଡ଼ିକୁ ବାଘ ଝାମ୍ପିଲା ପରି ଆକ୍ରମଣ କଲା, ତା’ର ହୋସ୍‌ ନାହିଁ । କାଜୋଡ଼ି କିଛି ଭାବିପାରିବା ଆଗରୁ କାନ ରେ ତା’ର ଖାଲି ସଁ ସଁ ନିଶ୍ୱାସ, ତାତିରେ ମୁହଁ ପୋଡ଼ିଯାଉଛି, ଦେହଗୋଟାକ ଉପରେ ଖାଲି ଛି ଛି ।

 

ପିଟାପିଟି ଛଟାଛଟି କରି କାଜୋଡ଼ି ନିଜକୁ ମୁକୁଳେଇଲା, ଦୁହେଁ ତଫାତ୍‌ ଠିଆହୋଇ ଗଇଁସଇଁ ହେଉଥାନ୍ତି, ଦୁଇହାତ ବଢ଼େଇଦେଇ ବିକୃତ ଚାହାଣୀରେ ମୁହଁକୁ ବିଭଙ୍ଗ କରିଦେଇ ଫମ୍ପା ଗଳାରେ ମାଣ୍ଡିଆ କହିଲା, “ଆଉ କେତେଦିନ କାଜୋଡ଼ି, ଉଦୁଲିଆ ଆସିବୁ ନାହିଁ ।”

 

ବଡ଼ ବଡ଼ ନିଶ୍ୱାସରେ ଛାତି ଗୋଟାକରେ ଭୂମିକମ୍ଫ ଚହଲେଇ ଦେଇ ଦୁଇ ହାତରେ ଅଲରା ବାଳକୁ ମୁହଁ ଉପରୁ ଓଳେଇ ନେଇ ପଛକୁ ଫୋପାଡ଼ୁ ଫୋପାଡ଼ୁ କାଜୋଡ଼ି ଖାଲି ମୁଣ୍ଡ ହଲେଇ ନାହିଁ କଲା ।

 

ମାଣ୍ଡିଆର ସବୁ ଉଦ୍ଦାମ ଉତ୍ସାହ ଏକାଥରକେ କାକର ହୋଇଗଲା ।

 

“ଆଇବୁ ନାହିଁ କାଜୋଡ଼ି ?”

“ତୁ ଭାକ୍‌ ତୁ ଯା –ଛି”

 

ମାଣ୍ଡିଆଜାନିର ବଳ, ବୀରତ୍ୱ ପାଣି ଫାଟି ଯାଇଥାଏ । ମୁଣ୍ଡ ନୁଆଇଁ ସେ ଚାଲିଗଲା, କାଜୋଡ଼ିର ମୁଣ୍ଡହଲା ଓ ତା’ର ଆଖିର ତିରସ୍କାର ସେ ସହିପାରିବ ନାହିଁ ।

 

ଆଘାତ ପାଇ ସେ ଫେରିଗଲା । କାଜୋଡ଼ିର ଭୟ ଗଲା । ତଥାପି ମାଣ୍ଡିଆଜାନି ଚାଲି ଯାଇଥିବା ବାଟକୁ ଅନେଇଁଲା କ୍ଷଣି କାଜୋଡ଼ିର ଆଖି ଲୁହରେ ଜାଲି ଧରିଥିଲା ।

 

କାଜୋଡ଼ି କାନ୍ଦିଲା ।

 

ତା’ର ଜୀବନରେ ଆସିଥିଲେ ବାଗ୍‍ଲା ଆଉ ମାଣ୍ଡିଆ ଏହି ଦି’ଜଣ । ବାଗ୍‍ଲା ସବୁଥିରେ ଭଲ, ଥିଲା ଘରର ପୁଅ, ଗୋତି ନୁହେଁ, ମନ ନେଇ ଜାଣେ ।

 

ତଥାପି ମନ ବୁଝେ ନାହିଁ, ସ୍ମୃତିଗୁଡ଼ାକ କାଟି ଦଉଁ ଦଉଁ ଆପଣାକୁ ଖଣ୍ଡିଆ ଖାବୁଡ଼ା କରି ପକାଏ, ମନ ଭିତରେ ହାକୁ ହାକୁ ଜଳେ–

 

ବାଗ୍‍ଲାର ବାଗ୍‌ଦତ୍ତା କାଜୋଡ଼ି କାନ୍ଦି କାନ୍ଦି ମନ ଭିତରୁ ମାଣ୍ଡିଆଜାନିକୁ ଧୋଇ ପକେଇବାକୁ ଚେଷ୍ଟା କଲା, ମନ ହାଲୁକା ଲାଗିଲା, ତଥାପି ମାଣ୍ଡିଆଜାନିର ସବୁଯାକ ଧୋଇ ହୋଇଗଲା ନାହିଁ ।

 

କାଜୋଡ଼ି ଘରକୁ ଫେରିଲା ।

 

ମାଣ୍ଡିଆଜାନି ଦବିଲା ନାହିଁ, ସେ ପୁରୁଷ, ସେ ରକ୍ତର ଆଉ ମନର ଉଭୟ । ଦିନ ଦି’ପହରେ ଶିକାରର ବାଜା ବାଜିଲା, ଆଜି ଝିଅମାନଙ୍କର ଫରମାସ୍‌ ସେମାନେ ନିଜେ ଶିକାରକୁ ଯିବେ । କାଲି ମର୍ଦ୍ଦମାନେ ତୁଚ୍ଛା ହାତରେ ବଣରୁ ଫେରିଥିଲେ ବୋଲି ଛଳେଇବାକୁ ଏ ବିଧାନ । ଦେହ ହଳଦିରେ ଜୁଡ଼ୁ ବୁଡ଼ୁ, ମୁଣ୍ଡରେ ଫୁଲ ଛୁଆଣି, ମନ ଭିତରୁ ଉଛୁଳି ଆସୁଥିବା ଆନନ୍ଦରେ ଦେହରେ ଢେଉ ଖେଳୁଛି । ଏମାନେ ଶିକାର କରିଯିବେ–

 

ବାଜା ବାଜିଲା, ପୁଣି ଚଇତି ବେଣ୍ଟ୍‍ (ଶିକାର)ର ପଟୁଆର ।

ସମସ୍ତେ ଚାଲିଲେ ।

 

ବଣ ପାଖ ହେଲା । ଯାହାର ଯେପରି ଇଚ୍ଛା ସାଙ୍ଗ ବାନ୍ଧି ଦଳ ଦଳ ହୋଇ ଟୋକାଟୋକୀ ବଣରେ ପଶିଲେ । ଅଳପ ଜଙ୍ଗଲ ଅନ୍ଧାରି ପଡ଼ିଲା ପରେ ଭାଗରୁ ଦି’ଭାଗ ହୋଇ କେତେଠି ପାଞ୍ଚ ପାଞ୍ଚରୁ ଦୁଇ ଦୁଇ ହୋଇ ଏପାଖେ ସେପାଖେ ଛପିଗଲେ, ଲୁଚିଗଲେ ।

 

ବଣ ଭିତରେ ବାଜା ଶୁଭୁଥାଏ, ସିଠି ଗହଳି ପାଟି ଶୁଭୁଥାଏ । ଚଇତର ବଣ, ମାଳ ଲଟାର ପତ୍ର ଶୁଖିଛି, ବାଘ ଭାଲୁ ଭୟ ସେତେ ନାହିଁ । କିଏ କହାକୁ ଫୁଲ ପିନ୍ଧାଇ ଦେଲା । କିଏ କହାକୁ ବେକରେ ଝୁଲେଇ କାନ୍ଧରେ ବସେଇ ପିଠିରେ ଲାଉକରି ଘେନିଗଲା ଅଧେବାଟ, ଛାଇତଳେ ଗଡ଼େଇ ଦେଲା । ଟୋକୀମାନେ ଲନ୍ଧା (ମାଣ୍ଡିଆ ମଦ) ଖାଇ ପେଣ୍ଡମ୍‍ (ଆଉ ଟିକିଏ ଟାଣୁଆ ମାଣ୍ଡିଆମଦ)ଖାଇ ଆଖି ଢୁଳୁ ଢୁଳୁ, ଟାକାମାନେ ମହୁଲ ମଦରେ ଉଗ୍ର, ସେଠି କଟକଣା ନାହିଁକି ଡରଭୟ ନାହିଁ, କେବଳ ନିତିଦିନର ଧରାବନ୍ଧା ଆଇନ୍‌ ଭାଙ୍ଗିବାକୁ ସମସ୍ତେ ବ୍ୟାକୁଳ, ସବୁ ରୋକାରୋକି ଭାଙ୍ଗିଦେଇ ତା’ର ବିରୋଧୀ ମନୋବୃତ୍ତି ନେଇ ଆନନ୍ଦ କରିବାକୁ ହିସାବୀ ବୁଦ୍ଧି ହଜିଛି, ସମସ୍ତେ ଉଦ୍ଦାମ, ସମସ୍ତେ ଉଚ୍ଛୃଙ୍ଖଳ, ତେଣୁ ପାଗଳ । କେତେ ପୁରୁଣା ବନ୍ଧନ ଭାଙ୍ଗିଲା, ନୂଆବନ୍ଧନ ଯୋଡ଼ିଲା, କେତେ ସମ୍ବନ୍ଧ ନିବିଡରୁ ନିବିଡ଼ତର ହେଲା, କାହାର ସବୁ ହଜିଗଲା, କାହାର ସବୁ ମିଳିଗଲା, ସେଇ ଚଇତର ମାୟା– ବଣ ଭିତରେ ଯେଉଁଠି ଧରାପଡ଼ିବାର ଭୟ ନାହିଁକି ସମାଜର ନାଲି ଆଖି ନାହିଁ, ସବୁ ଆପଣାର ରୁଚି ଓ ଖିଆଲ, ସବୁ ଆପଣାର ଭାଗ୍ୟ ।

 

ଟିକ୍ରିଜାନି ଗୋଟିଏ ସରୁ ଝୋଲାରେ ପଶିଥିଲା, ସଙ୍ଗରେ ଦୁଇଜଣ ବାନ୍ଧବୀ । ସମସ୍ତେ ଗଲେ, ପାଟିବନ୍ଦ କରି ତୁନି ହୋଇ ସେ ପଛେଇ ରହିଲା । ଦୁଇଜଣ ବାନ୍ଧବୀ ତା’ର ଗଳଗ୍ରହ । ଲଟା ଭିତରକୁ ବଢ଼େଇବସା ଖୋଜିଯାଇ ଜଣକୁ ସେ ସଙ୍ଗଚ୍ୟୁତି କରି ଅବ୍ୟାହତି ପାଇଲା, ତା’ପରେ ସେମାନେ ଦୁହେଁ । ଗୋଟିଏ ବାଙ୍କୁଲି ଅଳାଁଗଛ ବାଛି ତହିଁରେ ସେମାନେ ଚଢ଼ି ବସିଲେ, ପରସ୍ପରକୁ ଅଳାଁ କୋଳି ଖୁଆଇ ଦେଲେ, ତା’ପରେ ଓହ୍ଲେଇ ପଡ଼ି ଟିକି ଝରଣାର ସୁଅପାଖେ ତାଙ୍କର ସାନ ଘରକରଣା, ସେଇଠି ତାଙ୍କର ଶିକାର ସରିଥିଲା ।

 

ତେଣେ ବୁଢ଼ା ବୁଢ଼ାମାନେ କହି ଲାଗିଥାନ୍ତି–ଗଲେ କୁଆଡ଼େ ଏତେ ଲୋକ ? ଟୋକୀପିଲାଙ୍କୁ କାନିରେ ବାନ୍ଧି ମଣିଷ ବଣକୁ ଶିକାର କରି ଆସେ ? ହସନ୍ତି, କେହି ଆପଣା ଝିଅକୁ ଖୋଜି ଯାଏ ନାହିଁ । ଦୂରରୁ ତାଙ୍କର ହସ ଶୁଭେ, ପାଟି ଶୁଭେ, କାନକୁ ଭଲ ଲାଗେ । ବୁଢ଼ା ବୁଢ଼ାମାନେ ଘାଟିମୁଣ୍ଡ ଜଗନ୍ତି ।

 

କାଜୋଡ଼ି ସାଙ୍ଗେ ଫୁଲ୍‍ମତୀ, ସାରିଆଫୁଲ୍‍, ନମ୍ରମତୀ, ତନିହେଁ ଥିଲେ । ଆଉଥିଲେ ବାଗ୍‍ଲା, ମାଣ୍ଡିଆ, ପୁରିଆ, ଶିଙ୍ଗ । ଅଧବାଟରେ ନମ୍ରମତୀ ଅନ୍ୟ ଦଳରେ ମିଶିଲା । ପୁରିଆ ଓ ଶିଙ୍ଗ ଦମକର ଉପରକୁ ଯିବା ବାଟ ଧରିଲେ । ତା’ପରେ ମାଣ୍ଡିଆ, ବାଗ୍‍ଲା, ଫୁଲ୍‍ମତୀ, ସାରିଆଫୁଲ୍‍, କାଜୋଡ଼ି ।

 

ପାହାଡ଼ର ଢାଲୁରେ ଓହ୍ଲେଇ ଗୋଟିଏ ନଈ ପଡ଼ିଲା । ଫୁଲ୍‍ମତୀ ପଥର ଉପରେ ଡେଇଁ ଡେଇଁ ଚାଲିଗଲା ନଈ ଭିତରେ । କାଜୋଡ଼ି ଅନେଇଁ ରହିଲା । ସେ ଭାରାଦେବାକୁ ଭଲପାଏ । ମାଣ୍ଡିଆଜାନି ତାକୁ ଉଠେଇ ନେଇ ନଈ ପାର କରେଇଲା, ବାଗ୍‍ଲା ଆଗରେ ଯାଉ ଯାଉ ଅଧବାଟରେ ସାରିଆଫୁଲକୁ ଟେକି ନେଇ ପାରି କରିବାକୁ ପଡ଼ିଲା । ସାରିଆଫୁଲ୍‍ ବାଗ୍‍ଲା କାନ୍ଧରୁ ଝୁଲିପଡ଼ିଲା । ସେପାଖେ ସମସ୍ତଙ୍କର ପାଦ ମାଟିକୁ ଛୁଇଁଲା । ଝିଅ ତିନୋଟିଯାକ ହସି ହସି ଢଳା ଢଳି ହେଉଥାନ୍ତି, ପୁରୁଷ ଦୁହେଁ ନିରୁତ୍ତର ।

 

ମାଣ୍ଡିଆ କହିଲା–“ବାଗ୍‍ଲା ତୁ ଯା, ଜଙ୍ଗଲ ଭିତରେ ଭଲକରି ଦେଖି ଆ, ଜନ୍ତୁର ଖୋଜ ପଡ଼ିଛିକି ନାହିଁ ।”

 

ବାଗ୍‍ଲା କହିଲା–“ଖୋଜ ଥିଲେ ବା କି ଲାଭ, ଜନ୍ତୁ ତ ଖୋଜ ପାଖେ ବସି ନ ଥିବ ଆମେ ଆସିବୁ ବୋଲି– ।” ଥୋଡ଼େ ବାଟ ପରେ ବାଟରେ ଦିଶିଲା ଦୁଇପାଖେ ଦୁଇ ଝୋଲା ମଝିରେ ଗୋଟିଏ ଉଚ୍ଚ କୁଦ । ବାଗ୍‍ଲା କହିଲା, “ତୁ ସେ ଉପରକୁ ଯାଇ ଜଗ୍‌ ମାଣ୍ଡିଆ, ମୁଁ ତଳେ ରହୁଛି ।”

 

ମାଣ୍ଡିଆ ନାପସନ୍ଦ୍‍ କଲା, ‘‘ବୃଥା ଏଠି କାହିଁକି ? ଏ କ’ଣ ଘାଟି ?’’

 

ଏଣିକି ବେଶି ଜଙ୍ଗଲ, ବୁଦିବୁଦିଆ ଜଙ୍ଗଲ ସରିଲା । ଉପରଆଡ଼େ ଘେରେଇ କରି ଲୋକେ ଜଙ୍ଗଲ ଚାପି ଆଣୁଛନ୍ତି । ଏଣିକି କୌଣସି ଜାଗା ନିଷ୍ପତ୍ତି କରି ବସି ପଡ଼ିବା ଦରକାର, ଟହଲିଲେ ଚଳିବ ନାହିଁ ।

 

ଏଥର ବଣେ ବଣେ ପଶି ଦମକ (ଚଟା ପବର୍ତ)ର ଗୋଟାଏ ଶିର ଉପରକୁ ଏମାନେ ମୋହିଁ ଚାଲିଲେ । ଶାଳ ବଣ ଆହୁରି ଘଞ୍ଚ ହେଲା । ମାଣ୍ଡଆଜାନି କହିଲା,“ବାଗ୍‍ଲା ଓ ଫୁଲ୍‍ମତୀ ଏଇବାଙ୍କରେ ବସିଥାଅ, ସେ ବାଙ୍କରେ ଆମେ ତିନିହେଁ ଜଗି ରହିବୁ ।”

 

ବାଗ୍‍ଲା ମୁହଁମୋଡ଼ି ଦେଲା । କହିଲା, “ତା କୋଉଠୁ ହେବ ? ଉପରୁ ଚାପିଲେଣି, ଯଦି ଗୋଟାଏ କିଛି ଭୟ ବାହାରିପଡ଼େ, ଟୋକୀପିଲା ଅଲଗା ଅଲଗା ବସିଥିଲେ ହାଉ ହାଉ ହେବେ । ତା ଅପେକ୍ଷା ଆସ କେଉଁଠି ହେଲେ ଏକାଠି ବସିବା ।” କଥାଟା ସମସ୍ତିଙ୍କ ମନକୁ ପାଇଲା । ଭୟ ନାଁ ଶୁଣି ଟୋକୀମାନେ ମେଞ୍ଚିମାଞ୍ଚି ହୋଇଗଲେ । ସାରିଆଫୁଲ୍‍ କହିଲା “ଚାଲ ଫେରିଯିବା” ତା କଥା କେହି କାନରେ ପକାଇଲେ ବି ନାହିଁ ।

 

ପାଗ ଭଣ୍ଡୁର ହେଲା । ମାଣ୍ଡିଆଜାନିର ମନଟା ଫିକା ପଡ଼ିଗଲା ।

 

ସମସ୍ତେ ଗୋଟିଏ ଜାଗାରେ ବସି ରହିଲେ । ବେଳ ଗଲା । ଉଞ୍ଚ ପାହାଡ଼ ଉପରୁ ଗଛର ଫାଙ୍କରେ ତଳର ଖାଲ ଦିଶୁଥାଏ, କିପରି ଢାଲୁ ହୋଇ ଉପରୁ ତଳକୁ ଭୂଇଁ ଗଡ଼ିପଡ଼ିଛି ସାତ ପାତାଳ ଭିତରର ଗହୀରିଆ ସାଇଁ ସାଇଁଆ କାଳିଆ ଝୋଲା ଭିତରକୁ । ଗୋଟାଏ ମୁଣ୍ଡରେ ତୁନୁପାର କନାପାଡ଼ି ବିଲାନ୍‌ଶୀଲ୍‌ ଗାଁ ସବୁ ତା’ର ଚେକା ଚେକା ଆମ୍ବ ତୋଟାରୁ ଚିହ୍ନାପଡ଼େ, ଦି’ପାଖେ ଭୀଷଣ ଜଙ୍ଗଲ ଛୁଆଣି ଲଗାଲଗି ପାହାଡ଼ର ପାଚିରି । ମଝିରେ ଭୂଇଁ ଗଡ଼ିଗଡ଼ିକା କେତେ ତଳକୁ ଚାଲିଯାଇଛି, ଆଖିପାଏ ନାହିଁ, ଅତିଦୂରରେ ଚମ୍ପି ଗାଁର ଜଳାଭୂଇଁରେ ଯାଇ ମିଶିଯାଇଛି, ଏହି ସେ ସେ ଭୟଙ୍କର ବିଲେଇ ଝୋଲା, ଧର୍ମ ଦୁଆର ଗଣ୍ଡିରେ ଗୋଟାଏ ପାଖ ।

 

ବାଁ ହାତି ଗମ୍ବୁଜ ଆକାର ପାହାଡ଼ ଆଡ଼କୁ ଅନେଇଁ ରହି କାଜୋଡ଼ି ପଚାରିଲା, “କୋଉ ପାହାଡ଼ ସେଇଟା ଠିକ୍‌ କଇଁଛର ପିଠି ପରି ?”

 

ମାଣ୍ଡିଆ ବାଗ୍‍ଲା ଦୁହେଁ ଏକାତୁଣ୍ଡରେ କହିଲେ–“ପାଣ୍ଡ୍ରାମାଳି ।”

ମାଣ୍ଡିଆ ପୁଣି କହିଲା, ‘‘ସେଇଟା ଦଶମନ୍ତପୁର ପାଖ ବାରିଗାଁ ପାହାଡ଼ ହେବ ।’’

ବାଗ୍‍ଲା କହିଲା,–“ ନାହିଁ, କୋଡ଼ିଗାଁମାଳି ।”

 

ଦୁହିଁଙ୍କର ତର୍କ ଲାଗିଲା, ଖୁବ୍‍ ଉତ୍ତେଜିତ ତର୍କ । ଟୋକୀମାନେ ମଜା ଦେଖିଲେ । କୌତୁକରେ ସବୁ ତର୍କ ଛିଣ୍ଡେଇ ଦେଇ କାଜୋଡ଼ି କହିଲା, “ଆମୁକୁ ସେଠିକି ନେଇ ଚାଲ ଯେ ଆମେ ନିଜ ଦେଖିବା ସେଇଟା କେଉଁ ପାହାଡ଼, ଏତେ ତର୍କ କାହିଁକି ?” ବାଗ୍‍ଲା ହସିଲା । ମାଣ୍ଡିଆ ଗୁମ୍‌ ମାରି ରହିଲା, ଏଇ ବାଗ୍‍ଲାଟା, ସବୁ କଥାରେ ସେ ହସେ, ସବୁ କଥା ହସରେ ଉଡ଼େଇ ଦିଏ-। ପରିସ୍ଥିତିର ପରିହାସରେ ମାଣ୍ଡିଆଜାନି ଚିଡ଼ି ଉଠୁଥିଲା ।

 

ଗୁମ୍‌ ମାରି ବସି ରହିଲେ ଦିହେଁ । ସମାନ୍ୟ କଥାଭାଷା, ଏପାଖ ସେପା୍ଖ ଆଖିବୁଲା । ତାହାରି ଭିତରେ କେତେ ବିଜୁଳି ମାରେ, କେତେ କଟାକଟି ଯୋଖାଯୋଖି ହୋଇଥାଏ । କାଜୋଡ଼ି ଦୁହିଁଙ୍କ ମଝିରେ ଦି’ ନାଆରେ ପାଦ ପକେଇ ବସିଥାଏ, କେତେବେଳେ ଏପାଖକୁ ଢଳେ, କେତେବେଳେ ସେପାଖକୁ, ଆଉ ବେଳେବେଳେ ସାଙ୍ଗସାଥିଙ୍କ ସଙ୍ଗେ ଗପ ଜମାଏ, ସେତିକିବେଳେ ବାଗ୍‍ଲା ଓ ମାଣ୍ଡିଆଜାନିଙ୍କର ବିନା କାରଣରେ ଲାଗେ ତର୍କ ।

 

ଛାଇ ନେଉଟି ଆସିଲା ।

 

କେତେବେଳେ ମନେ ନାହିଁ । ହଠାତ୍‌ ଦେଖିଲାବେଳକୁ ବାଜା ପାଟି ବନ୍ଦ, ସବୁ ତୁନିତାନି, ଉତ୍ତର ଫମ୍ପା ଆବାଜ୍‌ ପରି ଅତିଦୂରରେ ଲାକଙ୍କର ପାଟି । ବାଗ୍‍ଲା ମାଣ୍ଡିଆ ପରସ୍ପର ମୁହଁ ଚାହଁଚାହିଁ ହେଲେ । ଏପରି ତ ହୁଏ ନାହିଁ । ଏ ଅଞ୍ଚଲ ଛାଡ଼ିଦେଇ ବାଣୁଆ(ଶିକାରୀ)ମାନେ ଡଁଗରଚପାଳିମାନେ ଗଲେ ନାହିଁ ? ବାଗ୍‍ଲା କହିଲା, “ତଳେ ନ ବସି ଗଛ ଉପରେ ବସିଲେ ଭଲ ହୁଏ ।” ମାଣ୍ଡଆ ରାଜି ହେଲା । ସମସ୍ତେ ଉଠି ପଡ଼ିଲେ ।

 

କିଛିଦୂରରେ ଗୋଟାଏ ଦି’ କେନିଆ ‘ଝୋଡ଼ି’ ଗଛ ଉପରେ ଆଗ କାଜୋଡ଼ିକୁ ଚଢ଼େଇ ଦିଆଗଲା । ତା’ପରେ ଆଉ କାହାରିକୁ ଅପେକ୍ଷା ନ କରି ମାଣ୍ଡିଆଜାନି ସେହି ଗଛରେ ଚଢ଼ିଗଲା । ସେଠି ଆଉ ଜାଗା ନାହିଁ । ଅଳ୍ପଦୂରରେ ଆଉ ଗୋଟିଏ ପୁରୁଣା ଝୋଡ଼ିଗଛ । ସେହି ଆଡ଼କୁ ହାତ ବଢ଼େଇ ମାଣ୍ଡିଆ କହିଲା, “ତୁମେ ସବୁ ସେଠି ଚଢ଼ି ବସ, ଆଉ ଅପେକ୍ଷା କରିବାକୁ ବେଳ ନାହିଁ ।” ଗମ୍ଭୀର ହୋଇ ବାଗ୍‍ଲା ମୁଣ୍ଡ ଟୁଙ୍ଗାରିଲା ଦୁଇ ଧାଂଡ଼ା ଶୀକାରୀଙ୍କର ଥନ ଥନ ମୁହଁ ଦେଖି ତୁଚ୍ଛା ପବନ ଭିତରେ କ’ଣ ଭୟର ସୂଚନା ପାଇଁ ଫୁଲ୍‍ମତୀ ସାରିଆଫୁଲ୍‍ ବାଗ୍‍ଲାର ଦୁଇ ବାହା ଧରି ଲଟକି ପଡ଼ି ଝୋଡ଼ିଗଛ ଆଡ଼କୁ ମୋହିଁଲେ । ବାଗ୍‍ଲା ସିଧା କାଜୋଡ଼ି ମୁହଁକୁ ଅନେଇଁ ହସିଦେଇ ଚାଲିଗଲା, ମାଣ୍ଡିଆକୁ ଅନେଇଁ ମୁଣ୍ଡ ଟୁଙ୍ଗାରିଲା ।

 

ଗହଳ ପତ୍ର ଭିତରେ ମାଣ୍ଡିଆଜାନି କାଜୋଡ଼ି ଦିହେଁ ଛପି ରହିଲେ । ଚାରିଆଡ଼ ନିଶବ୍‍ଦ-

 

କାଜୋଡ଼ି କହିଲା–“ସବୁ ତୁନିତାନି କାହିଁକି ମାଣ୍ଡିଆ ?”

ମାଣ୍ଡିଆ କହିଲା–‘ତୁନିପଡ଼, କିଛି ଭୟ ନାହିଁ । ’

 

କାଜୋଡ଼ି ମାଣ୍ଡିଆର ଦେହଘଷି ବସି ରହିଲା । ଗୋଟାଏ ହାତରେ ଓଡ଼ିଆ ନଳିକୁ ଗଛର ଗୋଟିଏ ଥୁଣ୍ଟା ଉପରେ ଭରାଦେଇ ଆର ହାତରେ କାଜୋଡ଼ିକୁ ଦୃଢ଼ କରି ଧରି ମାଣ୍ଡିଆଜାନି କହିଲା, “ଡର ନାଇଁ ନୁନି, ମୁଁ ଅଛି ।”

 

“ନାଇଁ ନାଇଁ, କାଇଁ ଡର ତା –” ମାଣ୍ଡିଆଜାନିର ଆଗ୍ରହ ବଢ଼ିଲା, କାଜୋଡ଼ି ମାଣ୍ଡିଆ ଉପରକୁ ଆଉଜି ପଡ଼ିଲା ।

 

ଆଖପାଖରେ ଲଟାର ଦୋଳି, ପେନ୍ଥି ପେନ୍ଥି ଫୁଲର ଝୁଲଣ, ଗୋଡ଼ତଳୁ ପାତାଳପୁରକୁ ପାହାଡ଼ ଲାଗିଛି । ଖାଲି ଉପରକୁ କରମଙ୍ଗା ପରି ପାହାଡ଼ ଉଠିଛି, କେଡ଼େ ସୁନ୍ଦର ସବୁ । ମାଣ୍ଡିଆ ହାତଠାରି ଦେଖାଇଦେଲା, ତଳର ଢାଲୁରେ ଗୋଟାଏ ଦରଥୁଣ୍ଟା ଆମ୍ବଗଛ ଉପରେ ମୟୂର ପଲ ନେସି ହୋଇ ବସିଛନ୍ତି ।

 

ମାଣ୍ଡିଆ କହିଲା, “ଦୂରରେ ଅଛନ୍ତି । ନଳି ଯିବ ନାହିଁ ସେତେଦୂର । ପାଖକୁ ଗଲେ ଦେଖିନେବି । ମୟୂର ଦେଖିବାକୁ, କୁଟ୍ରା ଶୁଣିବାକୁ ।”

 

କାଜୋଡ଼ି ଗୋଳିଆ ଆଖିରେ ଅନେଇଁ ଅନେଇଁ କହିଲା,“ଛି, ଥାଉ ତା ।”

 

ସବୁ ସେହିପରି ନିର୍ଜନ ନିଃଶବ୍ଦ । ଏଇ ନିରୋଳା ନିଛାଟିଆରେ ଯେପରି କିଏ ଦୁହିଁଙ୍କୁ କଣିକିଆ କରି ଏକାଠି ଛନ୍ଦି ବାନ୍ଧି ମାଡ଼ିଦେଇଛି ଗଛ ଡାଳରେ । ଉପରର କଳା ନେଳି, ପାଖ ପାହାଡ଼ର ଚିକ୍ ଚିକ୍, ତଳର ଖରା ଜକଜକ ଢାଲୁ ଆଉ ମସିକଳା ଝୋଲା, ସବୁ ସତେ କି ଏଇ ଦୁହିଁଙ୍କ ପାଇଁ ଗଢ଼ା ।

 

ଅଳ୍ପ ସମୟ ପରେ ତଳ ଢାଲୁ କରେ କରେ କିଏ ଗୋଟାଏ କଳା ଛତାଟାଏ ଫଡ଼କେଇ ଉର୍ଦ୍ଧ୍ୱଶ୍ୱାସରେ ଦଉଡ଼ିଗଲା ପରି ଦିଶିଲା । ମାଣ୍ଡିଆଜାନି କାଜୋଡ଼ିକୁ ଚେତାଇ ଦେଇ କହିଲା, “ଦେଖ୍ କେଡ଼େ ବଡ଼ ବାର୍‌ହିଆ । ବନ୍ଧୁକ ଧରି ଓହ୍ଲାଇବାକୁ ସେ ସଜ ହେଲା । କାଜୋଡ଼ି ତା’ର ହାତକୁ ମୁଠାରେ ଧରି କହିଲା, ମତେ ଡର ଲାଗିବ, ଯାଆନା ।”

 

ମାଣ୍ଡିଆ ବନ୍ଧା ପଡ଼ିଲା । ଛାତି ଉପରେ କାଜୋଡ଼ିକୁ ଜୋର୍‌ରେ ଜାକି ଧରି କହିଲା, “କି ଡର ତୋ’ର କାଜୋଡ଼ି–କହିଲୁ ଏଥର, ଡର ମାଡ଼ୁଛି ?” ପୁଣି ଆପଣାର ତାତିରେ ଗଳା ବଳେ ଫମ୍ପା ହୋଇ ଆସିଲା । ସକାଳ କଥା ପକେଇଲା, ତା’ ଆଗରେ କେତେ ରାତି କେତେ ଦିନର କଥା, କେତେ ଆଶ୍ରା କେତେ ନିରାଶାର କଥା, ସବୁ ଦରଦର ଖଣ୍ଡିଆ କରି କାଜୋଡ଼ିର କାନପାଖେ ଫୁସ୍‌ଫୁସ୍‌ ହୋଇ ଅଜାଡ଼ି ଦେଇଗଲା ସେ । କେତେ କଥା ଯାହାର ଅର୍ଥ ଅନୁଭୂତିରେ ହିଁ ସିଦ୍ଧ ହୁଏ, ଭାଷାରେ ନୁହେଁ । ଦରହସା ଓଠ ଏକା ବାଙ୍କରେ ରଖି ଢଳଢଳ ଡୋଳା ଅଧେ ଖୋସି ଅଧେ ଦୋହଲାଇ ମାଣ୍ଡିଆର କୋଳରେ ବସି ଛାତିରେ ଛାତି ଭିଡ଼ିଦେଇ କାଜୋଡ଼ି ସ୍ୱପ୍ନରେ ଭାସୁଥିଲା, ଥଳ ନାହିଁ କୂଳ ନାହିଁ, ଗତିର ଚଞ୍ଚଳତା ନାହିଁ, ଖାଲି ଗୋଟାଏ ଗୋଳିଆ ସ୍ୱପ୍ନ ଯାହା କିଶୋରୀର ରକ୍ତର ତାତିରେ ଆପେ ବାମ୍ଫୁଆଣି ହୋଇଉଠେ ।

 

ଏହିପରି ସେମାନେ ବୁଡ଼ି ରହିଥିଲେ । ହଠାତ୍‍ ପାଖ ଜଙ୍ଗଲ ଭିତରେ ମଡ଼ ମଡ଼ ଶୁଭିଲା, ତା’ପରେ ଉତ୍କଟ ନାକଫଟା ଫୁରୁକୁଟିଆ ଗନ୍ଧ । ମଡ଼ା ଗନ୍ଧପରି ଫୁରୁକୁଟିଆ ଗନ୍ଧ, ଦୂରରୁ ଗୋଟାଏ କୁଟ୍ରା ଅବେଳାରେ ରଡ଼ି ଛାଡ଼ିଥାଏ, କୁଟ୍ରାର ରଡ଼ି ଆଉ ପାଖ ଜଙ୍ଗଲର ମଡ଼ ମଡ଼ ପାଖେଇ ଆସୁଥାଏ । କାନ ଠିଆ କରି ରୁମ ଟାଙ୍କୁରେଇ ଜଙ୍ଗଲର ଅତି ପରିଚିତ ଅନୁଭୂତି ପାଖେଇ ଆସୁଥାଏ, ଗଛ ଉପରେ ଲଟା ପତ୍ର ହଲିଲା ପରି ଅନୁମାନ ପଡ଼ୁଥାଏ । କାଜୋଡ଼ି କ’ଣ କହି ଆସୁଥାଏ । ମାଣ୍ଡିଆ ତା’ ମୁହଁରେ ପାପୁଲି ମାଡ଼ିଦେଇ ବାରଣ କଲା । ନିଜେ ସତର୍କ ହୋଇ ବସିଲା । ମୁହଁରେ ଅସ୍ୱାଭାବିକ କଠିନ ଚାହାଣୀ, ଯାହା କେବଳ ଶିକାରୀଙ୍କ ମୁହଁରେହିଁ ଫୁଟିଉଠେ-

 

ଦୁମୁ ଦୁମୁ ଛପ ଛପ ହୋଇ ଝୋଲା ଆଡ଼କୁ କ’ଣ ଗୋଟାଏ ଜଙ୍ଗଲ ଭିତରେ ଧାଇଁ ଧାଇଁ ଗଡ଼ିଗଲା । ମାଣ୍ଡିଆଜାନି ନିଶ୍ୱାସ ମାରିଲା । କିଛି ସମୟ ନିହାତି ତୁନିତାନି । ତା’ ପରେ ମାଣ୍ଡିଆଜାନି କହିଲା, “ଏଇ ଆମ ଗୋଡ଼ ତଳବାଟେ ଭୟ ଚାଲିଗଲା, ଏବେ ତଳେ ବସିଥିଲେ !

 

କାଜୋଡ଼ି ଘୁଞ୍ଚିଯାଇ ମାଣ୍ଡିଆର ହାତକୁ ମୁଠେଇ ବସିଲା, ମାଣ୍ଡିଆ ହସିଲା । ଏଇ କେତେଟା ମୁହୁର୍ତ୍ତ ଭିତରେ ଯେପରି କେତେ ବଡ଼ ଅଗ୍ନିପରୀକ୍ଷା ତା’ ଭାଗ୍ୟରେ ଘଟିଗଲା, ଆଉ ପରୀକ୍ଷାରୁ ଉତୁରୀ କାଜୋଡ଼ିକୁ ନିଜର ହୋଇ ସେ ପାଇପାରିଲା । ମନ ଭାରି ହାଲୁକା ଲାଗିଲା । କୌତୁକ କରି କାଜୋଡ଼ିକୁ କହିଲା, “ଏ ବାଗ୍‍ଲାଟା–ଜିଲିର ଅଣ୍ଡ୍ରା ପରା ସେ, ଖାଲି ତୋର ପଛେ ପଛେ ଜଗିଚି ।

 

ଏତିକିରେ ଅନେକ ଅର୍ଥ ତା’ର ପ୍ରକାଶିବାର ଇଚ୍ଛା, କିନ୍ତୁ ଠିକ୍‍ଣାବେଳେ ତା’ର ଭାଷା ସ୍ଫୁରେ ନାହିଁ ।

 

ଠିକ୍‌ ସେତିକିବେଳେ ଟିକିଏ ଉପରକୁ ପାହାଡ଼ରେ କେଉଁଠି ଢାଇ କରି ବନ୍ଧୁକ ଫୁଟିଲା-। ସାଙ୍ଗେ ସାଙ୍ଗେ ଶିଙ୍ଗା ବାଜି ଉଠିଲା–“ଧାଇଁ ଆସ, ଜନ୍ତୁ ମରିଛି ।” ହଠାତ୍‍ ତୋଫାନ ବୋହିଲା ପରି କେଉଁଠୁ କେଉଁଠୁ ଲୋକେ ଉପରକୁ ଛୁଟିଲେ ।

 

ମାଣ୍ଡିଆ କାଜୋଡ଼ି ଗଛ ଉପରୁ ଓହ୍ଲେଇ ପଡ଼ି ସେହି ଗହଳି ଭିତରେ ଉଠିପଡ଼ ଧାଇଁ ଛୁଟିଲେ । କି ହର୍ଷ ସେତେବେଳେ ! ଖାଲି ଦୌଡ଼ିବାର ହିଁ ଆନନ୍ଦ । ଭାବିବାକୁ ବେଳ ନାହିଁ ।

 

ଠେଲାଠେଲି, ଧକାଧକି, ଉଠାଣିଚଢ଼ାଣି, ଡେଇଁବା ପଡ଼ିବା, ଗହଳି ଭିତରେ ଧାଇଁ ଧାଇଁ ହୋଇ କ୍ଷେପା ମାରିମାରିକା ଉଠିଯାଇ ମାଣ୍ଡିଆଜାନି ଗହଳି ଠେଲି ଭିତରେ ପଶିଲା, ମସ୍ତବଡ଼ ହରିଣ ଶିଙ୍ଘ ନୂଆ ରକ୍ତରେ ଭାସୁଛି । କେତେପାଟି ସେତେବେଳେ ! ଏ କେଉଁବାଟେ ଆସୁଥିଲା । କିପରି ଗୁଳିଚୋଟ ଖାଇଲା । କେମିତି ଗଡ଼ିପଡ଼ିଲା । ସବୁକଥା ବାରମ୍ବାର କୁହା ଲାଗିଥାଏ ।

 

ପାଖରେ ପଥର ଖଣ୍ଡକ ଉପରେ ଠିଆ ହୋଇ ବୁଢ଼ା ବାଣୁଆ ଅଗାଧୁ ବୈଦ୍ୟ ନଳି ଝାଡ଼ୁଥାଏ, ପଡ଼ି ସଫା କରୁଥାଏ । ଗେମଣା ହୋଇ ମଣିଷଟିଏ ସେ । ତାରି ଆଡ଼କୁ ଯେତେବେଳେ ସମସ୍ତଙ୍କର ଟଣାଟଣା ଆଖି, ହସି ହସି ସେ କହୁଥାଏ, “ବାଘଟା ପଳେଇ ଗଲାରେ ପିଲାଏ, ଏଟା କିସ ?”

 

କାହୁଁ କାହୁଁ ବାଉଁଶ ମେଞ୍ଚାଏ ଆସିଲା । କାହୁଁ ଆସିଲା ଫୁଳମାଳ । ବାଉଁଶ ଭାଡ଼ିରେ ହରିଣ ବୁଢ଼ାକୁ ଶୁଆଇ, ତାକୁ ଛାଇଦେଇ କାନ୍ଧେଇ ଘେନି ବାଜାବଜେଇ ଗାଁ ଗୋଟାକର ଲୋକେ ଗଡ଼ିଚାଲିଲେ । ନାଚ, ଗୀତ, ହସ, ତାମସା ଧାଂଡ଼ାଧାଂଡ଼ୀଙ୍କର, ଚଇତର ଆନନ୍ଦରେ ସାଫଲ୍ୟର ଆନନ୍ଦ ମିଶି ଉନ୍ମାଦନା ଆଣିଥିଲା । ବାଟରେ ମଦ ଢଳା ହେଲା ହାଣ୍ଡି ହାଣ୍ଡି । ହୋସ୍‌ ବୁଡ଼ି ଆସିଲା-। ପଶୁପଣ ବିକଶିଲା । ଆଜିର ଶିକାର ତୁଟିଲା ।

 

ଗାଁ ଗୋଟାକ ବାଇଆ ଲାଗିଲା ପରି କିଏ କଅଣ କଲା ସେ ଦିନ, ତା’ପରେ କେହି ମନେ ପକାଇବାକୁ ସାହାସ କଲେ ନାହିଁ ।

 

ସଞ୍ଜ ବୁଡ଼ୁ ବୁଡ଼ୁ ଗାଁ ଭେରାମଣରେ ମଲା ହରିଣ ଚାରିପାଖେ ନିଭିଲା ନିଭିଲା ନିଆଁହୁଳାରେ ନାଚ ଆରମ୍ଭ ହୋଇ ଅନ୍ଧାରରେ ମଧ୍ୟ ଚାଲିଲା । ଲଙ୍ଗଳା ନାଚ ସେ, ସଭ୍ୟତା’ର ସବୁ ବନ୍ଧନଛିଣ୍ଡା ବିଦ୍ରୋହ, ଯାହା ମନେପକାଇ ଦିଏ ମଣିଷ ଦିନେ ପଶୁ ଥିଲା, ଆଉ ସେି ପଶୁତ୍ୱ ହିଁ ବସ୍ତୁବାଦର ଶେଷ ଆନନ୍ଦ, ଆହାର, ମୈଥୁନ, ନିଦ୍ରା ଯେପରି ବସ୍ତୁବାଦୀ ଅବସ୍ଥା ହିଁ ପ୍ରକୃତ ଜୀବନ-

 

ଅନ୍ଧାର ଭିତରେ ବାଜା କେବେ ଥମ୍ବି ନାହିଁ, ବେସୁରା ହେଉ ପଛେ ଥମ୍ବି ନାହିଁ କେବେ ସେ । ଫୁଙ୍ଗୁଳା ପବନ ମଦ ବାସ୍ନାରେ ନାକ ମୁଣ୍ଡ ରୁନ୍ଧି ଦେଇଛି । ଜଣକୁ ଛାଡ଼ି ଆଉ ଜଣକୁ, ଏହିପରି କେତେ ବୁଲି ଚାଲି ଯାଇଛନ୍ତି ସ୍ତ୍ରୀ ଆଉ ପୁରୁଷ, ପୁରୁଷ ଆଉ ସ୍ତ୍ରୀ । ଶେଷରେ ଏକ ଏକ ଦୁଇ ଦୁଇ ହୋଇ କିଏ କେଉଁଠି ପଡ଼ି ଯାଇଛନ୍ତି ଗାଁ ଧୂଳିରେ । ସମସ୍ତେ ବିବେକ ବୁଡ଼ାଇଛନ୍ତି ଦୁଇଟୋପା ଆନନ୍ଦରେ, ଆନନ୍ଦ କହିଲେ ମାଟିର ମଣିଷ ଯାହା ବୁଝେ ।

 

ମାଣ୍ଡିଆଜାନିର ଚେତା ଥିଲା ଅଧରାତି ଯାକେ, ମୁହଁରୁ ଭକ୍ ଭକ୍ ମଦ ଗନ୍ଧ, ହାତରେ ଜଳନ୍ତା ଗୋଜିଣା ଖଣ୍ଡେ ଧରି ପାଗଳ ପରି ଏ କନ୍ଦି ସେ କନ୍ଦି କାଜୋଡ଼ିକୁ ସେ ଖୋଜି ବୁଲୁଛି, ପାଇ ନାହିଁ, ବେଳେ ବେଳେ ଛାତିରେ ଥିରି ଥିରି ହାତୁଡ଼ି ପାହାଡ଼ ପରି ଏଇ ଆଶଙ୍କା ମନକୁ ଚିଆଇଁ ଦେଇଛି ଯେ ବାଗ୍‍ଲାକୁ ବି ସେ ଦେଖୁ ନାହିଁ । କ୍ରମେ ସେ ଆଶା ଛାଡ଼ିଦେଇଛି । ଅନ୍ଧାରରେ ଧାଂଡ଼ୀପଲ ମାଡ଼ି ଆସିଛନ୍ତି, ନରମ ଉଷୁମ ଅବୟବର ଚାପ ଆଉ ବଂଧନ–ମଦନିଶାର ତାତି–ଦୁମ୍‌ ଦୁମ୍‌ ଦୁମ୍‌ ଦୁମ୍‌ ସେଇ ଏକ ପ୍ରକାରର ତେଜିଲା ପରି ମଡ଼େଇଲା ପରି ଉହୁଂକେଇ ଦେଲା ପରି ବାଜା । ମାଣ୍ଡିଆଜାନି ତାହାରି ଭିତରେ ଏକମୁହାଁ ହୋଇ ଆପଣାକୁ ଭସେଇ ଠେଲିଦେଲା ଚଇତର ରାତିଟିଏ ପାଇଁ ।

 

ସେ ରାତି ଭଲ ମନ୍ଦ ମିଠା ଖଟା ବାରେ ନାହିଁ । ତା’ର ରୁଚି ନାହିଁ । ଖାଲି ରାତି ସେ ।

 

ସିନ୍ଦୁର ଫାଟିଲା ଗାଁର ଉଦଆନ୍‌ ବାଟେ, ପାହାଡ଼ ରଙ୍ଗେଇ ବୁଢ଼ା ଶଳପଗଛର ଶିଥିଳ ବାହୁଙ୍ଗା ରଙ୍ଗେଇ ସାବୁଜା ଉପରେ ନାଲି ଛିଞ୍ଚିଦେଇ ବେଳ ଉଇଁଲା । ଗାଁ ଭେରାମ୍‍ଣରେ ଘୁଙ୍ଗୁର ବନ୍ଧା ପାଦରେ ନାଚ ଚାଲିଛି, ମଳା ହରିଣକୁ ବେଢ଼ି । ଆଖି ବସିଲା ବସିଲା, ମୁହଁ ଶୁଖିଲା, ବାଳ ଅଲରା, ତଥାପି ତ ନାଚ ଚାଲିଛି, ବାଜା ବନ୍ଦ ହୋଇନାହିଁ । ପୁଣି ସେହି ଗୋଜିଆ ଚଟା ପିତୃପୁରୁଷ ପଥରଙ୍କ ମେଳ, ସଭାରେ ଭଙ୍ଗା ମଦ ହାଣ୍ଡି ଛିଣ୍ଡା ଫୁଲର ହାର ଉପରେ ଧୂଳି ଗଦା ଗଦା, ପୁଣି ସେହି ଘୁଷୁରି, କୁକୁଡ଼ା, ଛୁଆପିଲା ଭେଁ ଚେଁ, ଧୂଆଁର ଭଉଁରି, ଚହଲା ଗନ୍ଧର ପରିଚିତ ବାସ୍ନା, ନାଚ ଚାଲିଛି ।

 

ବେଳ ଉଦିଲା, କାଉଆ ହରଡ଼ ତୋଟାଭିତରୁ ଘୁମୁରିଲା, ସାବ୍‌ଜା ହରଡ଼ ଝୋଡ଼ି ଗଛରେ ଫଳ ଖାଇ ଆସିଲେ, ଝୋଲାକୂଳର କୋଚିଳା ଗଛ ଉପରୁ ଲମ୍ବବେକ କୋଚିଳାଖାଇ କିଳିକିଳା ହେଲେ, ପାହାଡ଼ଚଡ଼ା ମୟୂରଙ୍କ ପାଟି କ୍ଷୀଣ ହୋଇ ଗାଁ ଦାଣ୍ଡରେ ବାଜିଲା ।

 

ଗାଁ ବାଟରେ ଗହଳ ଚହଳ ବଢ଼ିଲା, କିଏ ମୁହଁରେ ଲୁଗା ଦେଇ ଲାଜରେ ସଢ଼ି ମାଟିକୁ ମୁହଁକରି ରହିଲା, କିଏ ବା ହସି ଉଠିଲା, ପୁଣି ଏଠି ସେଠି ପଞ୍ଝା ପଞ୍ଝା ଲୋକ ।

 

ସବୁ ନିତିଦିନିଆ ରୀତି ।

 

ଖାଲି ଗାଁ ଗୋଟାକରେ ବାଗ୍‍ଲା ନାହିଁ, କାଜୋଡ଼ି ନାହିଁ, ମାଣ୍ଡିଆଜାନି ରଗଡ଼ି ରଗଡ଼ି ଭାବିହେଲା । ଯାହାକୁ ପଚାରିଲେ ସେ ଜାଣେ ନାହିଁ, ଯେ ହେଲେ କହେ, “କୋଉଠି ଥିବ” । ଜିଆଦ ନେଇ ଫେରିବା ପୂବର୍ରୁ ସଞ୍ଜ ବୁଡ଼େ ଗାଁ ମୁଣ୍ଡରେ ସେମାନେ ଦିଶା ପଡ଼ିଥିଲେ, କାଜୋଡ଼ି ପାଣିଘାଟକୁ ଯିବା ପର୍ଯ୍ୟନ୍ତ ମାଇପେ ଦେଖିଛନ୍ତି, ତା’ ପରେ ଆଉ ନାହିଁ ।

 

ସେଇ ଦିନର ସେଇ ସକାଳ ଓହ୍ଲେଇଲା କନିଆଁ ଝୋଲା କନ୍ଧଗୁଡ଼ାରେ । ସେଠି ଗୋଲେଇ ଘେରା ପାହାଡ଼ ଭିତରେ ଅଗନାଗ୍ନି ବନସ୍ତ ଚିରି ଚିରି ପୋଢ଼ଗାଡ଼ ନଈ ପାହାଡ଼ କରେ କରେ ସାପେଇ ସାପେଇ ଚାଲିଯାଇଛି । ବାରଘର ବସ୍ତି, ପାଚିଆ ପରି, ଚାରିପାଖେ ଟିକିଏ ଖୋଲା କ୍ଷେତ, ସେଠୁ ଜଙ୍ଗଲ ଚଢ଼ିଛି ପାହାଡ଼ର କାନ୍ଥେ କାନ୍ଥେ । ସେଇ ଗୁଡ଼ାରେ ଗୋଟାଏ ନୁଆଁଣିଆ ଘରୁ ଲାଠିଏ ବେଳ ହେଲାବେଳେ କାଜୋଡ଼ି ଓ ବାଗ୍‍ଲା ପଦାକୁ ଆସିଲେ, ବାଗ୍‍ଲାର ମାମୁଁଘର ସେ, ଖାଲି ମାମୁଁ ଅଛି, ତା’ର କେହି ନାହିଁ ।

 

ବିବାହ ପରର ପହିଲି ସକାଳେ ବାଗ୍‍ଲା ଆଉ କାଜୋଡ଼ି ଆଉଥରେ ପରସ୍ପରକୁ ଅନାଇଁ ଠିଆହେଲେ । ଜଙ୍ଗଲ ଝଁ ଝଁ କରୁଛି, ବାଗ୍‍ଲା ହାଙ୍କିଲା,“ଗାଡ଼୍‌କେ ଯଃ ।”

 

ନଈ ବାଟରେ ଗାଁ ଟୋକୀଙ୍କ ସାଙ୍ଗେ ଦେଖା । କାଖର ମାଠିଆ ଛଳ ଛଳ କରି ହସି ହସି ସେମାନେ ଉଠି ଆସୁ ଥାଆନ୍ତି, ବାଗ୍‍ଲା ପଛେଇ ରହିଲା, କାଜୋଡ଼ିକୁ ସେମାନେ ଘରିଗଲେ-। ହସ ଫାଟିପଡ଼ିଲା, ଉଢ଼ୁଆଳରେ ରହି ବାଗ୍‍ଲାଜାନି ସ୍ନେହର ଅଭିନନ୍ଦନ ଶିରାଏ ଶିରାଏ ଅନୁଭବ କଲା, ସେଇ ତା’ର ମନର ମଉଚ୍ଛବ ।

 

ପରଜାର ବିଭାଘର ତୁଣ୍ଡର କଥାରେ ସେଇ ପ୍ରକୃତି ବିଭାଘର ତା’ର, ଯେତେବେଳେ ଦୁହେଁ ରାଜି ହୋଇ ପରସ୍ପର ଆଡ଼କୁ ଆଉଜି ଆସନ୍ତି । କୁଳର ସଂସ୍କାର ଅଛି । ଦିସାରି ଦିନ ଧରିଦେବ । ଛାମୁଡ଼ିଆ ବନ୍ଧାହେବ, ବାଜା ମହୁରି ବାଜିବ, କୁକୁଡ଼ା ପାରା ପୂଜା ହେବେ । ଜାତି ଭାଇ ଭୋଜିଭାତ ଖାଇବେ । ସେଗୁଡ଼ାକ ସଂସ୍କାର ତୁଚ୍ଛା, ପଛର କଥା ।

 

ପ୍ରାଚୀନ ପ୍ରଥା ଅନୁଯାୟୀ କାଜୋଡ଼ିକୁ ସେ ଉଦୁଲିଆ ନେଇ ଆସିଛି । ଯେଉଁ ମୁହୂର୍ତ୍ତରେ ଦୁହେଁ ଏକାଠି ହୋଇ ଗାଁ ଛାଡ଼ିଲେ ପରଜାର ଅଲେଖା ଆଇନ ଅନୁସାରେ ସେହି ମୁହୂର୍ତ୍ତରୁ ତାଙ୍କର ବିଭାଘର ସରିଛି, ବାକି ଖାଲି ଝୋଲାଟଙ୍କା ଦିଆନିଆ ସାରି ପାଛୋଟି ନେବାକୁ ଆସିବେ, ଏତିକି ଖାଲି ବାକି, ସେ ଆପେ ହେବ ।

 

ଉଦୁଲିଆ ଆଣିବାକୁ ପ୍ରଥମେ ଇଚ୍ଛା ନ ଥିଲା । କିନ୍ତୁ ଇଚ୍ଛାରେ କି କିଛି ପାଞ୍ଚ କରିହୁଏ ? କାଲି ମାଣ୍ଡିଆର ଢାଂ ଢାଂ ଆପେ ବାଟ କଢ଼ାଇ ନେଲା । ସମସ୍ତେ ହରିଣ ଦେଖିଗଲେ । କାଜୋଡ଼ିର ହାତକୁ ମୁଠେଇ ଧରି ସେ ସେତେବେଳେ ଅଧା ଚଲେଇ ଅଧା ଘୋଷାରି ତାକୁ ନେଇ ଚାଲିଲା, କାଜୋଡ଼ି ବେଳେ ବେଳେ ତା’ର ମୁହଁକୁ ଚାହିଁଛି, ଆପତ୍ତି ମୋଟେ କରିନାହିଁ । କାହିଁ ଥିଲା ବାଗ୍‍ଲା ଜୋର୍‌ ମୁଠାରେ ଦୋ ଦୋ ପାଞ୍ଚ ପାଇଁ ସ୍ଥାନ ?

 

ପରେ ପାହାଡ଼ବାଟେ ଝୋଲା ଡଁଗର ଡେଇଁ ହୁ ହୁ ଉଡ଼ିଚାଲିଲାବେଳେ ଉଜାଣି ପବନ ଯେତେବେଳେ କାନମୂଳରୁ ଝାଳ ଟୋପା ଟୋପା ଜିଭ ଲଗାଇ ଚାଖିଦେଇ ଯାଇଛି, କାଜୋଡ଼ିର ଥର ଥର ହାତ ପାପୁଲି ଆପେ ଜୋର୍ କରି ବାଗ୍‍ଲାର ମୁଠାକୁ ମୁଠେଇ ନେଇଛି, ସେତେକି ତା’ର ଆଶ୍ରୟ, ଅଜଣା, ବଣବାଟରେ, ପହିଲି ଘରକରଣା ଆଡ଼କୁ ମୋହିଁଯିବା ବାଟରେ ।

 

ନା, କାଜୋଡ଼ିର ସନ୍ଦେହ ତୁଟିଛି, ଅତୀତର ସବୁ ଦୋ ଦୋ ପାଞ୍ଚ ସ୍ମୃତି ଆଡ଼େଇ ସର୍ତକ ହୋଇ ସେ କବାଟ କିଳି ଦେଇଛି । ସକାଳ ପାହିଲା, ପହିଲି ନିଆଁରୁ ବଡ଼ ଭାଗଟା ରାତିରେ ଜଳି ସାରିଛି, ସକାଳକୁ ସେ ସହଜ ଶାନ୍ତି, ଖୁସି ସତ, କିନ୍ତୁ ଦାୟିତ୍ୱରେ ଗମ୍ଭୀର ।

 

ନିଦ ଭାଙ୍ଗି ବାଗ୍‌ଲାକୁ ଅନେଇଁ ସେ କହିଲା, “ଗାଳି ଦବୁ ନାହିଁଟି କେବେ ମତେ ବାଗ୍‍ଲା–ବେଶି ପାଇଟି ଦବୁ ନାଇଁ ?”

 

ହସୁ ହସୁ ଆଖିରେ ଲୁହ ଟଳ ଟଳ ହେଲା । କୁଣ୍ଢେଇ ପକେଇ ବାଗ୍‍ଲା କହିଲା, “ତୁ ଏକି କଥା କହୁଚୁରେ ନୁନି ?” ତା’ର କାନ୍ଧରେ ମୁଣ୍ଡ ଭରା ଦେଇ କିଛି ସମୟ ରହି କାଜୋଡ଼ି ଶାନ୍ତ ହେଲା । କି ଶପଥ ହୋଇଗଲା ମନେ ମନେ । ତା’ର ସାକ୍ଷୀ ଚାରିରେ ଚେଇଁ ଉଠିଥିବା ଖୋଲ ପାହାଡ଼, ସାକ୍ଷୀ ପୋଢ଼ଗାଡ଼ ନଈ ଉପରେ ସକାଳର ପହିଲି ଖରା, ଆଉ ଆଲୁଅରେ ଉଞ୍ଚକୁ ଘୁଞ୍ଚି ଯାଉଥିବା ମୁଣ୍ଡ ଉପରେ ସେଇ ନେଳୀ ଗମ୍ଭୀରତା, ଆକାଶ ।

 

ସ୍ୱପ୍ନପରି ଏଇସବୁ କେତେ କ’ଣ କଥା ଖେଳୁଥିଲା ବାଗ୍‍ଲା ମନରେ ସେଠି ଆଉ କାଜୋଡ଼ି ମନରେ । ଛାଇପରି ଅନ୍ଧାରପରି କେତେକଥା ମନରେ ଖୁନ୍ଦି ହୋଇଯାଏ, ସେହି ସତେ କି ବାସ୍ତବ, ପୁଣି ଚାଲିଯାଏ, ଏଇ ଛାପିଛାପିକା ଛାଇର ରାଜ୍ୟରେ କେଉଁପାଖ ଉଜ୍ଜ୍ୱଳ, କେଉଁପାଖ କେବେ ଅନ୍ଧାର ହେଉଥାଏ । ମଣିଷ ଠିଆ ଠିଆ ସ୍ୱପ୍ନ ଦେଖେ ।

 

ମନ ନୂଆ ବନ୍ଧନ ପିନ୍ଧି ଶିଖୁଛି । ହେଉ ପଛେ ସେ ଅଳଙ୍କାର, ବିବାହ, ତା’ର ମଧ୍ୟ ଓଜନ ଅଛି । ଭଲ ଦିଶେ, କିନ୍ତୁ ବେଳେ ବେଳେ ଅଳ୍ପେ ବହୁତ କାଟେ ।

 

ଚଇତ ସରିଲା ।

 

ମରି ଆସୁଥିବା ଶେଷ ମଉଜ ଆପଣାକୁ ହଜେଇ ଦେଇ ବସେ ଗୋଠଖଣ୍ଡିଆ ଦୂର ଗାଁର ଗୋଟିକିଆ ଢୋଲ ଢଂଢାଂରେ । କ୍ରମେ ତାହା ବି ନିଭିଯିବ । ଆନନ୍ଦର ଜୁଆର ଆପେ ଯିବ ସରି ।

 

ଘାସ ଶୁଖିଛି, ବଣ ଶୁଖିଛି, ହାଁ ହାଁ କ୍ଷେତ ଉପରେ ଭୁସ୍‌ ଭୁସ୍‌ ଖାଲି ପାହାର, ସେ ପୁଣି ଆପଣାର କ୍ଷେତରେ ନୁହେଁ, ପରର କ୍ଷେତରେ ।

 

ରାତି ପାହିଲେ ଗୋତିର ବାହୁଡ଼ାଣି । ଛୁଟିଟା କ’ର ସରିଛି ସବୁ ? କାହିଁ, ଜଣାଯାଉ ନାହିଁତ । ଘରର ବନ୍ଦୋବସ୍ତ କିଛି ବୋଲି ହୋଇନାହିଁ, କ୍ଷେତ କଅଣ ହେବ, ଗୋତିର କଅଣ ହେବ, ଘରର ପ୍ରାଣୀ ଚଳିବେ କିପରି ? ସେ ତ ବଡ଼ ବଡ଼ କଥା, ହାତ ପାଖର ଯାହା, ତାହାବି ସରିଲା ନାହିଁ । ପଛଆଡ଼ କାନ୍ଥରୁ ଫାଳେ ଛିଣ୍ଡି ପଡ଼ିଛି, ମାଟି ମେଞ୍ଚାଏ ଲଦାହେବ ବୋଲି ଆଁ କରି ଅନେଇଁ ଠିଆହୋଇଛି କେଉଁକାଳୁ । ଘର ଚଟାଣରେ ସୁଆଁ ଫେଶିବା, ଗାତଟା ସଫା ହେବାର କଥା ଥିଲା । ଆଟୁ ତଳର ପଟା ଖଣ୍ଡେ ବଦଳା ହୋଇଥାନ୍ତା । କେତେ ସାନ ବଡ଼ ଏହିପରି କଥା ଥିଲା । ସବୁ ରହିଲା ବାକି ।

 

ଗାଁ ଫଟେଇ ବାଇଦର ଲହଡ଼ି ଛୁଟିଯାଉଛି ସତ, ନାଚ ହୋଇଛି, ଶିକାର ହୋଇଛି, ଏଡ଼େ ବଡ଼ ଚଇତ ପରବ୍‍ ମନ ଉଛୁଳେଇ ମାତି ଚାଲିଯାଇଛି ଗାଁର ଛାତ ଉପରେ । ହଁ, ସତ ସବୁ-। କିନ୍ତୁ ରାତି ପାହିଲେ ଛୁଟି ଶେଷ । ଲାଗୁଛି ସତେ ଅବା କିଛି ହୋଇନାହିଁ, ଖାଲି ସକାଳେ ବେଳ ଉଇଁଛି, କଦଳୀଗଛ ତଳେ ଛାଇ ବଡ଼ରୁ ସାନ, ସାନରୁ ବଡ଼ ହୋଇ ହୋଇ ରାତି ପାଲଟି ଯାଇଛି, ଜୀବନରେ କିଛି ନୂଆଁ ଘଟି ନାହିଁ । ଛାତିରେ ହାତ ମାରିଲେ ଫମ୍ପା ଲାଗୁଛି ଭିତରଟା, ସବୁ ଫାଙ୍କା ଆଉ ଫମ୍ପା ପଡ଼ି ରହିଛି । ଦିନ ଶେଷ !

 

ବାପ ପୁଅ ଝିଅ ସମସ୍ତେ ରୁଣ୍ଡ ହୋଇଥାନ୍ତି ଘର ଆଗର ଚଟାଣ ଉପରେ । ମୁହଁ ସଞ୍ଜ । ଏଠୁ ସେଠୁ ୟା ଘର ପାଖୁ ତା’ ଘର ପାଖୁ ଧୂଆଁ ଉଠିଥାଏ । ଗାଁର ଚହଳ ଏତିକିବେଳେ । ଧାଂଡ଼ା ବସାଘରେ ଡୁଙ୍ଗୁଡୁଙ୍ଗାର ଆବାହନ । ଦୂରକନ୍ଧ ପଲ୍ଲୀରେ ପାହାଡ଼ ଭିତରୁ ବଇଁଶୀର ପହିଲି ଆଳାପ-। ଗୋରୁ ମୋହିଁବା ଚହଳ । ପିଲାଙ୍କ ପାଟି ।

 

ତୁନିତାନି ସମସ୍ତେ ବସିଥାନ୍ତି । ସବୁ ଅବସାଦ କଳାପାଣି ପରି ଯେପରି ଝରି ପଡ଼ୁଛି ଅନ୍ଧାରରୁ । ଗୋଟିଗୋଟିକିଆ ତରା ତା’ର ଜାଲିବାଟ । ସବୁ ଅନ୍ଧାର ଅଜାଡ଼ି ଦେଉଛି ଗୋତିର ମୁଣ୍ଡ ଉପରେ । ଥାଇ ଥାଇ ଚେମେଣି ବାଦୁଡ଼ି ଗାଢ଼ କଳା ଛାଇ ପରି ଫଡ଼୍‌ ଫଡ଼୍‌ ଉଡ଼ି ବୁଲେ ।

 

ଗୋତିର ଚିନ୍ତା ଛୁଟେ....

 

ଟୁପ୍‌ ଟାପ୍‌ ଗପ ଲାଗିଥିଲା । ଅନେକ କଥା ପଡ଼ିଥିଲା । “ସୁକୃଜାନି କହିଲା, ବାଗ୍‍ଲାଜାନି କାଜୋଡ଼ି ପାଇଁ ତିନିକୋଡ଼ି ଟଙ୍କା ଝୋଲା ଦେଲା । ଆମର ଏତେ ଟଙ୍କା ନାହିଁ ।”

 

ଥପ୍‌ କରି ସମସ୍ତେ ତୁନି ହୋଇଗଲେ । ଖାଲି ହତାଶ ଦୀର୍ଘଶ୍ୱାସ । ମାଣ୍ଡିଆ ଜିଲି ମୁହଁ ତଳକୁ ପୋତି ଦେଲେ । ୟା ପରେ ବୁଢ଼ା ଆଉ କ’ଣ କହିବ ଭାବି ଜିଲି ଆଶଙ୍କାରେ ଅପେକ୍ଷା କରି ବସି ରହିଲା

 

ସୁକୃଜାନି କହିଗଲେ–“ଖରାପ ଲୋକର ଡୁମା ସେମାନେ, ଖରାପ ଖରାପ ମିଶିଗଲେ-। ଆମର ଏ ଦିନ ରହିବ ନାହିଁ ସବୁଦିନେ । ମାଣ୍ଡିଆ ପଛକୁ ଜିଲି, ଟିକ୍ରା ପଛକୁ ବିଲି ଲାଗି ରହିଛନ୍ତି-। ଯେବେ ମହାପ୍ରଭୁ ଭଲ ଦିନଦେବେ, ଭଉଣୀ ଝୋଲା ଆଣିବ, ଭାଇ ବିଭା ହେବ-। କେହି ଅଭିଆଡ଼ା ରହି ନାହିଁ । ଖାଲି ବଡ଼ ଆଶା ଥିଲା, ଏଇ ଚଇତରେ ଯଦି.....” ବୁଢ଼ା ନିଶ୍ୱାସ ମାରିଲା । ଏପାଖେ ମାଣ୍ଡିଆ ସେପାଖେ ଜିଲି ଲୁଚେଇ ତୁନିତାନି କାନ୍ଦିଲେ ।

 

“ୟା ମୁଁ ଭାବି ନ ଥିଲି । ୟା କେହି ଭାବି ନ ଥିଲେ । ତେଣୁ ଆଜି ମୁଁ ଭାରି ମାଡ଼େ ପାଇଲା ପରି ଲାଗୁଛି । ଛାଡ଼, ଦୋଷ ଧରିବାକୁ ବେଳ ଏ ନୁହେଁ ଯାହାର ଯେ ଇଷ୍ଟ ।’’

 

ଆମେ ତାଙ୍କୁ ଭରସି ବସିଥିଲୁଁ, ଚୋର ପରି ସେମାନେ ଆମଠୁଁ ଲୁଚି ଚାଲିଗଲେ । ସେମାନେ ଆମର ନୁହନ୍ତି । ତାଙ୍କ ପାଇଁ ମନ ବେସ୍ତ କରି ଆମର କି ଲାଭ ?

 

ଲୋକେ କହନ୍ତି ମୋ’ର ଝିଅମାନେ ଝୋଡ଼ିଆ କୁଳର ସୁନ୍ଦର । ବାପ ଭାଇ ଗୋତି ଗଲେ ଝିଅର ସୁନ୍ଦର ପଣ ତୁଟେ କେଉଁଠି ? ଆମ ଜାତି ଗାଁକୁ ଗାଁ ଗୋତି ଠାଏ ଠାଏ । କ’ଣ ହେଲା ? କି ଯାଏ ସେଥିରେ ? କେତେ ଧାଂଡ଼ା ମୋ’ର ଗୋଡ଼ତଳେ ମୁଣ୍ଡ ପିଟିବେ । ମୁଁ କହି ନ ଥିଲି ଖାଲି । ଏଇ ଓଷା–ମାସରେ ଝିଅକୁ ମୁଁ ବିଭା ଦେବି । ତା’ପରେ ମାଣ୍ଡିଆ ବିଭା ହେବ । ତା’ପରେ ଜିଲି । କାଜୋଡ଼ି ବାଗ୍‍ଲା ପରି କେତେ ଡମ୍‍–ପଟକାର କ’ଣ କରିଦେବେ କାହାର ? ବାଗ୍‍ଲା ଘରେ ରହିବ ନାହିଁ, କେବେ ହେଲେ ଆସାମ ପଳେଇବ । କାଜୋଡ଼ି ପୁଣି ଧାଂଡ଼ା ଖୋଜିବ । ପୁଣି ସେମାନେ ଲେଉଟି ଆସି ଆମରି ଦୁଆରେ ମୁଣ୍ଡ ପିଟି ହେବେ ।

 

କେବଳ ଟିକ୍ରା କହିଲା –“ଆଉ ? ହେଁ– ଆଉ ଦେଖିଲେ......”

 

ବୁଢ଼ାର ସବୁକଥା ପିଲାଙ୍କ ମନକୁ ଆଉଁସି ଗଲା । ବୁଢ଼ା ଖୋଳପାଟା ସିନା, ପଡ଼ିଗଲେ ଉଠେଇ ଧରେ କି ସୁନ୍ଦର । ବୁଢ଼ା ଛାତି ହାଡ଼ୁଆ କିନ୍ତୁ ଉଷୁମ ।

 

“ଯାଅ ପିଲାଏ ଆଜି ମଉଜ କର । ଜମି ଭାଗ ଲଗେଇ ଦେବ । ଜିଲି ବିଲି ଦରକାର ପଡ଼ିଲେ ଅଳ୍ପ ବହୁତେ କୁଲି କରନ୍ତି । ସମୟ ଖରାପ । ଖାଲି ସମ୍‍ହାଳି ଯାଅ । ଆଉ କିଛି ଚିନ୍ତା ନାହିଁ । ଆଉ କୋଉ ସାହୁକାରଠୁ କିଛି କରଜ ଆଣି ଆମେ ଟିକ୍ରା ପଛେ ମାଣ୍ଡିଆ ମୁକୁଳେଇ ଦବା । ଯାହା ଯେମିତି ସବୁ ହେବ । ଆଜି ଫୂର୍ତ୍ତି କର, କାଲିକୁ ନୂଆ ବାଟ ।”

 

ଚାପିଲା ଚାପିଲା ମିଠା ଗଲାରେ କିଏ ଡାକ ଦେଇକଲା,“ଏ ସାରିଆଦାନ୍” –

 

ବିଲି ଉଠିଗଲା । ପଛେ ପଛେ ସେ ଝୁଣୁର ଝୁଣୁରୁ ବାଟର ଅନ୍ଧାରରେ ଟିକ୍ରା ଧାଇଁ ଧାଇଁ ମିଶିଗଲା । ବୁଢ଼ା ପଥର ଉପରେ ଏକୁଟିଆ ବସି ଧୁଙ୍ଗିଆ ଟାଣିଲା ।

 

ଘରର ଗୋଟାଏ କଣକୁ ଉଠିଯାଇ ଠେକିରେ ଅଜାଡ଼ି ମାଣ୍ଡିଆ ପେଟେ ମଦ ପିଇଲା, ଜିଲି ହାତରେ ପ୍ରାୟ ତୁଚ୍ଛା ଠେକିଟା ଧରେଇ ଦେଇ କହିଲା, “ପି ଟୋପେ, ତୋର ଉପକାର ହେବ-।”

 

ଆଜି ରାତିକ ଫୂର୍ତ୍ତି ।

କାଲି ବାଟ ।

 

ଲାଠିଏ ବେଳେ ହେଲାବେଳକୁ ସାହୁକାର ଘରେ ପହଞ୍ଚିବାକୁ ହେବ । ନ ହେଲେ ଗଞ୍ଜଣା । ବାଟ, ସେ ସରେ ନାହିଁ । ବଇଶାଖର ପଥୁରିଆ ଘାଟି ବାଟରେ ଗୋଡ଼ରୁ ଚୋପା ଛାଡ଼େ, ଝାଳ ବୁହେ, ମୁଣ୍ଡ ବୁଲାଏ ।

 

ଗଡ଼ାଣି ବାଟରେ ଚାଲିଲେ ବି ମନଟା ପଛକୁ ଝୁଙ୍କେ, ରଞ୍ଜାଳିଆ ଖରାରେ କିଏ କେତେ ଗୋଟିକିଆ ବାଟେଇ, କିଏ କାନ୍ଧରେ ଡାଙ୍ଗ ଖଣ୍ଡିକରେ ବୁଜୁଳିଟିଏ ଓହେଳେଇ, କିଏ ଛେଳିଗୁଡ଼ାଏ ଅଡ଼େଇ ଅଡ଼େଇ ବାଟେ ବାଟେ ଏପାଖୁ ସେପାଖ ଚାଲିଯାଆନ୍ତି । ଖରାଟା ପିଠିକି କାଟିଲେ ଯେତେବେଳେ ଆପେ ଆପେ ଭାବନା ଭିତରୁ ମନଟା ଉଠିଆସେ ଏଇ ସାଙ୍ଗସାଥୀ ଗୋଟାଏ ଦେଖିଲେ ବାଟ ହାଲୁକା ଲାଗେ । ତା’ପରେ ଯେଉଁ କଥାକୁ ସେଇ କଥା ।

 

ଧାଡ଼ି ହୋଇ ସେମାନେ ଚାଲିଯାଆନ୍ତି, ଆଗେ ଆଗେ ସୁକୃଜାନି, ତା ପଛକୁ ମାଣ୍ଡିଆ, ଶେଷରେ ଟିକ୍ରା । ଧାଡ଼ିରେ ଚାଲିବା ପାହାଡ଼ି ଲୋକଙ୍କ ଅଭ୍ୟାସ । ଟାଇଁ ଟାଇଁ ଖରା ପିଚ୍ ପିଚ୍ ପିଠିରେ ପିଠିରେ ଗଳିଯାଏ, ତୁଣ୍ଡ ମୁଣ୍ଡ ନାହିଁ, ବାଟ କଟେ ।

 

ସେଇ ଖରା ନାଚେ କେମିତି ଗେରୁଆ କଙ୍କର ବାଟରେ । ମାଟି ଉପରେ ତୁଚ୍ଛା ପବନ ଉପରେ ତାତିର ଲହଡ଼ି ଉପର ତଳ ହେଉଛି, ଆଗରେ ଆଗରେ ଯେତେ ପାଖେଇଲେ ସେତେ ଦୂରେଇ ଯାଏ ।

 

ସମ୍ବରଖୋଜ ପଥର ପାଖେ ପହଞ୍ଚିଲାବେଳକୁ ହାଲୁକ ଶୁଖିଲାଣି । ପଛରୁ ଗୁଡ଼ାଏ ଦେଶିୟା ଭାଇ ଆସିଲେ, ପନ୍ଦରଜଣ ଲୋକ, ସେମାନେ ଯାଇଥିଲେ ପୁଲିସ ସଭା –ଇନିସ୍‌ପିଟି ବାବୁର ଡୋଲି ଆଉ କାଉଡ଼ି ଖେଟାଇ ଦେବାକୁ ।

 

ଚାରିପାଖେ ଗୁଡ଼ାଏ ଝଙ୍କା ଝୋଡ଼ି ଗଛ । ମଝିରେ ଖଣ୍ଡେ ପଥର ଚଟାଣ । ତାହା ତଳକୁ ପଥରରେ ପାହାଚ ପାହାଚ ହୋଇଛି । ରାସ୍ତା ଉପରକୁ ସେଠି ସମ୍ବରର ଖୋଜ ପରି ଗହୀର ସରୁ ଖାଲ ଅଛି, ସବୁବେଳେ ସେଥିରୁ ପାଣି ଛୁଟେ । ସେହି ସମ୍ବର ଖୋଜ । ବାଏଁ ଡାହାଣେ ଉଞ୍ଚ ଉଞ୍ଚ ପାହାଡ଼ । ତାହା ତଳେ ତଳେ ଝୋଲା ଦୁଇଟି ।

 

ଝୋଡ଼ି ଗଛତଳେ ଅସଂଖ୍ୟ ନିଭିଲା ଚୁଲିରେ ପାଉଁଶ ଆଉ ପଥର ଆଗେ ଜଣାଇ ଦେବ, ବାଟ ମଝିରେ ଏ ଗୋଟିଏ ରନ୍ଧାବସା ସ୍ଥାନ । ଏଠି ଡାକ ହରକରା ବୋଝ ବଦଳି କରେ, ଦୂର ବାଟୋଇ ରାନ୍ଧି ଖାଏ । ସମ୍ବରଖୋଜେ ।

 

ଛାଇତଳେ ମୁହାଁମୁହିଁ ବସିପଡ଼ି ଝାଳମାରି ସାରି ତୁମ୍ବାରୁ ଅଜାଡ଼ି ସେମାନେ ଟିକିଏ ମାଣ୍ଡିଆପେଜ୍‍ ପିଇନେଲେ । ଧୂଆଁ ଟାଣିଲେ । ବେଶି କଥା କହିବାକୁ କାହାରି ମନରେ ସରାଗ ନାହିଁ ।

 

ଥକ୍‍କା ଲାଗୁଥାଏ, ଗଛ ତଳେ ବିଛେଇ ଶୋଇ ପଡ଼ିବାକୁ ମନ ହେଉଥାଏ, ଶୋଇପଡ଼ି ଉପରକୁ ଅନେଇଁ ଭାବିବାକୁ କିନ୍ତୁ ବେଳ ନାହିଁ । ତେଣୁ ସାହୁକାର ବାଟ ଚାହିଁଥିବ ।

 

ବୁଢ଼ା କହିଲା, “ଅନେକ କାମ ପଡ଼ି ରହିଲା । ଛୁଟିଦିନ ମାଗିନେଇ ପୁଣି ଘରକୁ ଆସି କାମ ଛିଣ୍ଡେଇ ଯିବା ଦରକାର ।” ମାଣ୍ଡିଆଜାନି ଖାଲି ଘୁମୁରିଲା । ଅନ୍ୟମନସ୍କ ହୋଇ ସେ ଦୂରକୁ ବସିଥାଏ । ଡୋଲିକାଉଡ଼ି ‘ଖେଟେଇ’ ଯାଇଥିବା ଲୋକେ ଉଠିପଡ଼ି ସେ ବାଙ୍କରେ ଲୁଚିଯିବାକୁ ବସିଲେଣି । ମାଣ୍ଡିଆଜାନିର ହୋସ ଆସିଲା । କହିଲା “ଯୁଃ” ।

 

ପୁଣି ତିନିହେିଁ ବୋଝ ବାହୁଙ୍ଗି ଉଠେଇ ନେଇ ବାଟଚାଲିଲେ କଳ ପରି । ଆଉ ରହିବାକୁ ହେବ ନାହିଁ ।

 

କନାପାରି ଗାଁ ପାଖେ, କେଲାର ଗାଁର ଖ୍ରଷ୍ଟିଆନ ‘ଗୁରୁ’ କଳାକୋଟ୍ ଖଣ୍ଡେ ପିନ୍ଧି ଧର୍ମ ପ୍ରଚାର ପାଇଁ ଲୁଲ୍ଳା ଗାଁ ଯାଉଛି । କାନ୍ଧରେ ଗୋଟିଏ କୁକୁଡ଼ା ଓହଳିଛି । ତାଙ୍କରି ଗାଁ ବାଟେ ଯିବ ସେ ।

 

“ଚାଲିଲ ?”

“ହଁ”

“ପରବ୍‍ ସରିଲା ?”

“ହଁ”

 

ଗୁରୁ ଚାଲିଗଲା, ଡାକ ବାଟ ନ ହେଉଣୁ ବଡ଼ପାଟିରେ ସୁକୃଜାନି ଡାକ ଛାଡ଼ିଲା, “ମୋର ଜିଲି ଟୋକୀକୁ କହିଦେସ୍ ଗୁରୁ, ଡରିବ ନାଇଁ, ପୁଣି ସାହୁକାରକୁ ଶେଲ ମାଗି ଦୁଇଦିନ ପାଇଁ ଆଇବି ।” ଗୁରୁ ଜବାବ୍ ଦେଇ ପିଠି ବୁଲେଇ ଦେଲା ।

 

ମାଣ୍ଡିଆ କହିଲା, “କେଉଁଠୁ ଏବେ ଶେଲ ଦେବ ସାଉକାର ? ମହା ଖଟିଟେ ସେ ।”

ସୁକୃଜାନି କିଛି କହିଲା ନାହିଁ ।

ସାହୁକାରର ଗାଁ ପାଖେଇ ଆସିଲା ।

 

ରେଙ୍ଗୁ ପରଜା ନୂଆ ଘର ବାନ୍ଧୁଥାଏ, ପୁଅବୋହୂ ତା’ର ଘରକୁ ଆସିବେ, ବାଗ୍‍ଲା ଆଉ କାଜୋଡ଼ି । ପରଜା ଆଇନ୍ ଅନୁସାରେ ବିଭାହେଲା ପୁଅର ନୂଆ ଘର । ଘର ବାନ୍ଧୁଥାଏ, ଗାଁ ଦଶ ପାଞ୍ଚ ଟୋକୀଙ୍କୁ କୁଲି ଦେଇ ।

 

ନିହଁ ଖୋଳା ସରିଛି, କାନ୍ଥ ଉଠୁଛି ଭୁସୁ ଭୁସୁ, ଗୋଟିଏ କରକୁ ଥୋକେ ଚେକାମହୁଲି ପକେଇ ବସି ବାଉଁଶ ଓ କାଠ ମିଶେଇ ଛାତ ବାନ୍ଧୁଥାଆନ୍ତି, ଶିଆଳି ଡୋରରେ ।

 

ସେଇ ପ୍ରାଚୀନ ପଦ୍ଧତିର ଘର । ମଝିଘର, ତା’ର ଦାଣ୍ଡ କବାଟ ଅଛି, ଏ କରେ ଭଣ୍ଡାରଘର, ସେ କରେ ରୋଷେଇ ଘର, ଦୁଇ ଘରର ଖାଲି ଭିତିରି କବାଟ ଅଛି ଦାଣ୍ଡ ଘରକୁ । ସେ ଆଟୁ, ସଙ୍ଘା, ଅଧାକାନ୍ଥି ହାଣ୍ଡି ରଖିବାକୁ ପାହାଚ, ଦାଣ୍ଡଘର ଚଟାଣରେ ମାଣ୍ଡିଆ ସୁଆଁ ଫେଶିବାକୁ ଗାତ । ସବୁ ପୁରୁଣା ରୀତିରେ । କିନ୍ତୁ ସବୁ ନୂଆ ।

 

ପାଣି ଆଣିଯିବା ବାଟରେ ଘରଟା ପଡ଼େ, ପାଣିଘାଟରେ ମଜୁରିଆଙ୍କ ଭିଡ଼ । କିଏ ହାତ ଧୋଉଛି, କିଏ ବା ପାଣି ନେଉଛି ମାଟି ଚକଟିବାକୁ ।

 

ଦିନ ଦି’ ପହରେ ଜିଲି ଗାଧେଇ ଗଲା । ଘର ତିଆରି ପାଖେ ଟୋକାଟୋକୀ ଗୀତ ବୋଲି ବୋଲି କାମ କରୁଥାନ୍ତି । କାମ ଉଠାଏ ଗୀତ ଆଉ ମଦ । ଚହଳ ପଡ଼ିଥାଏ । ଏକାସ୍ୱରରେ ଗୀତର ଲହର ଉଠୁଥାଏ–

 

“ଇତି ଦେଖ୍‍ଲେ ସିତି ନାଇଁ

ସେ ଟାକା ଦିଲେ ମିଲେ ନାଇଁ ।”

 

ପ୍ରାଚୀନ କବିର ଭାଷାରେ ପ୍ରେମର ଗୁଣ ବିଚାର ଗୀତରେ ଝଙ୍କାରି ଉଠୁଥାଏ “ଖୋଜିଲେ ସେ ମିଳେ ନାହିଁ, ତଥାପି ଖୋଜି ଖୋଜି ପ୍ରାଣ ଯାଏ । ଜୀବନ ସରୁ ବାଙ୍କୁଲି ବାଟରେ କେଉଁ କଣରେ ପୁଣି ଛପିଯାଏ,ଏଠି ଦେଖିଲେ ସେଠି ନ ଥାଏ । ଟଙ୍କା ଦେଲେ ସବୁ କିଣି ହୁଏ ନାହିଁ ।”

 

ଲହର ଉଠୁଥାଏ,“ଇତି ଦେଖିଲେ ସିତି ନାଇଁ– ସେ ଟାକା ଦିଲେ ମିଲେ ନାଇଁ ।” ମାଠିଆଟିଏ କାଖେଇ ଜିଲି ସେ ବାଟେ ଗଲା । କିଏ ଗୋଟିଏ ଧାଂଡ଼ା ଗଳା ଖଙ୍କାରି ଡାକ ପକେଇଲା,“ଏ ନୁନି !”

 

ଜିଲି ଅଟକି ଯାଇ ପଚାରିଲା,“କିସ୍ ?”

“ଏ ନୂଆ ଘରେ ତୁ ରହିବୁ ?”

“କି ପାଇଁ ?”

“ଆଉ କିଏ ରହିବ ? ତୋ’ରି ପାଇଁ ପରା ଏ ଘର ତିଆରି ହେଇଚି, ଆ ଟିକିଏ ଦେଖିଯା ।”

 

ଗୀତ ଛାଡ଼ିଦେଇ ଆଉ ସାତଜଣ କୁଲି ହୋ ହୋ ହସିଉଠି ଥଟ୍ଟାରେ ଯୋଗ ଦେଇ କହିଲେ, “ହଇ କାହିଁକି ହଇ କାଇଁକି ।”

 

ଜିଲି ରାଗିଯାଇ ଚାଲିଗଲା । ପଛରେ କେତେ କ’ଣ କଥା ହସରେ ଘୋ ଘା ଭିତରେ ତା’ ପଛେ ପଛେ ଧାଇଁ ଚାଲିଲା ପାଣି ଘାଟକୁ । ଜିଲି ମୁହଁକୁ ତଳକୁ ପୋତି ପାଣି ଭିତରକୁ ପଶିଗଲା ।

 

ସେ ସାହିର କମ୍ବ୍‌ଲା ଟୋକୀ ଏକୁଟିଆ ପାଣିରେ ବସିଥିଲା । କ’ଣ ଭାବି ଜିଲି ପାଖକୁ ଘୁଞ୍ଚି ଆସି କଥା ଗପିଲା । ଜିଲି ପଛଆଡ଼ୁ ତା’ର ପିଠି ରଗଡ଼ି ଦେଉଥାଏ, କଥା କହୁଥାଏ । ଜିଲିଠୁ ତିନିବର୍ଷ ସାନ ସେ ।

 

“କେମିତି ଏମିତି ହେଲା, ହଇଲେ ଅପା, କିଛି ଆମକୁ ଜଣାଯାଉ ନାହିଁ । ତତେ ବିଭା ହେବ କଥା ପରା ସେ, କେମିତି ପୁଣି ତୋର ଭୁଆରୀ (ଭାଉଜ) ହେବା କାଜୋଡ଼ିକୁ ଉଦୁଲିଆ ଚୋରେଇ ନେଇ ପଳେଇଗଲା କହିଲୁ ? ଛି, କେମିତି ଅଣ୍ଡିରା ମାଇକିନା ସେମାନେ କେଜାଣି । ଜଣକର ଖାଇବା ଭାତରେ ଧୂଳିଦେଲେ କେମିତି ତାଙ୍କୁ ଧରମ ସହିବ, ଏଇ ପାଣି ଭିତରେ ବସିକରି କହୁଛି ଅପା । ବଡ଼ ଖରାପ ଲାଗୁଛି ମତେ । ଏତେ ଦିନର ଲଗାଲଗି ଏତେ ଦିନର ମାଗଣ ଡିଣ୍ଡା ଟୋକୀ ଡିଣ୍ଡା ଟୋକା ଭିତରେ, ପଛରେ ଏମିତି ଚୋର ପାଇଟି ତାଙ୍କ ମନରେ ଥିଲା-!....ଛି ।”

 

ଏକା ସୁଅରେ କମ୍ବ୍‍ଲା କଥା କହିଯାଉଥାଏ, ଜିଲି ପିଠି ରଗଡ଼ି ଦେଉଥାଏ, ତାକୁ ଲାଗୁଥାଏ ଯେପରି ପିଠିରୁ ମାଉଁସ ଖଣ୍ଡ ଖଣ୍ଡ ହୋଇ ଛିଡ଼ି ଯାଉଛି କମ୍ବ୍‍ଲାର ଏ କଅଁଳ ରଗଡ଼ାରେ-। କ’ଣ ଆଉ କହିବାର ଅଛି ?

 

ଏ ତୁଚ୍ଛା ସହାନୁଭୁତି, ଭାରି ପୋଡ଼େ ଏ ।

ଥଟ୍ଟା କଲାପରି ଘାଟ ଉପରର ଘର ତିଆରି ଗୀତ ଶୁଭେ–

 

“ଇତି ଦେ୍ଖ୍‍ଲେ ସିତି ନାଇଁ, ସେ ଟାକା ଦିଲେ ମିଲେ ନାଇଁ ।” ଦୁମ୍ ଦୁମ୍ ତାଳ ପଡ଼ୁଥାଏ, କିଏ ଗୋଟାଏ ହାତ ହଲେଇ ଦୁମ୍ ଦୁମ୍ ଡେଉଁଥାଏ ।

 

Unknown

ଗାଧୁଆ ଶେଷ ହେଲା । ଜିଲି ତୁଠକୁ ଉଠିଆସିଲା । କାଦୁଅ ଛିଟା ଧୋଇବାକୁ ପାଇଟି ଉପରୁ ଶିବ ପରଜା ଆସିଥାଏ ।

 

“କିରେ ନୁନି ?”

“କି ?”

“ବାଗ୍‍ଲା ଚିତା କାଟିଲା, ଏବେ ତୁଇ ମୋକେ ଆ ?”

ଜିଲି ଗାଳି ଦେଲା ।

 

ଶିବ ପରଜା ହାତ ହଲେଇ ପାଣି ଭିତରେ ଥୋଡ଼ାଏ ବାଟ ଗୋଡ଼ାଇ ଗଲା ପାଟି କରି କରି “ତୁଇ ମୋକେ ଆ, ମୋକେ ଆ–”

 

ଜିଲି ଥରିଥରିକା ଘରକୁ ଫେରିଲା ।

 

ଘରେ ଖାଦି ନାହିଁ । ଜିଲି ଥୋଡ଼ାଏ ତେନ୍ତୁଳି ମଞ୍ଜି ଶସ ଚୂରି ଦି’ ଖଣ୍ଡ ପିଟ୍–କନ୍ଦା ସାଙ୍ଗରେ ଚୁଲିରେ ଆଉଟୁ ଥାଏ, ମଝିରେ ମଝିରେ ଲମ୍ବା ଲାଉ ଅଣକଟା ହାତରେ ଧରି ଛାତିରେ ହାତ ଛକି ଦେଇ ଏକା ଆଖିରେ ବାମ୍ଫକୁ ଅନେଇଥାଏ । ବିଲି ଆସିଲା । ଚାହୁଁ ଚାହୁଁ କେଡ଼େ ବଡ଼ଟାଏ ହୋଇଯାଉଛି ସେ । ତା’ର ଥନ ଥନ ମୁହଁକୁ ଚାହିଁ ବିଲି ଚଞ୍ଚଳ ହୋଉଗଲା । “କେ କିଛି କହିଲା କି ଅପା ?”–

 

ଜିଲି କାନ୍ଦି ପକେଇ ସବୁ କଥା କହିଲା । ଦି’ ଭଉଣୀ ପାଖକୁ ପାଖ ଲାଗି ପିଣ୍ଡା ଉପରେ ବସିପଡ଼ିଲେ । ତା’ପରେ ଅଣ୍ଟାରେ ହାତ ଦେଇ ଦୋହଲି ଦୋହଲି ଏକା ରାଆକେ ଗାଳି ବର୍ଷିବାକୁ ଆରମ୍ଭ କଲେ–

 

“ଆମେ ମାଇପୀଲା ଲୋକ । ଘରେ ଅଣ୍ଡିରା ମଣିଷ ନାହାନ୍ତି । ଆମକୁ ଯେ ଥଟ୍ଟା କରୁଛି, ଯେ ଏମିତି କହୁଚି, ତା’ର ଯୋଡ଼ା ଆଖି ଫୁଟିଯାଉ, ତାକୁ ଶନି ଚଳୁ, ତା’ର ଗୋ ପୋ ଗୋଟେ କେ ନ ରହୁ, ସେ ଭସ୍ମ ହୋଇଯାଉ, ତାକେ ମାକେ ଧରମ ଅଛି, ସେ ଜଳିଯାଉ, ପୋଡ଼ିଯାଉ, ଆମେ ନିଆଶ୍ରୀ ଲୋକ, ଆମେ କାକୁର୍ତ୍ତି ଲୋକ, ସେ ଜଳିପୋଡ଼ି ମରିଯାଉ, ତା’ର ଜିଭ ଛିଣ୍ଡିପଡ଼ୁ” ଇତ୍ୟାଦି ।

 

ପରିହାସ ପରି ସାହି ସେ ମୁଣ୍ଡରୁ ସେଇ ଗୀତ ରହିରହିକା ଭାସି ଆସୁଥାଏ–

 

“ଇତି ଦେଖ୍‍ଲେ ସିତି ନାଇ

ସେ ଟାକା ଦିଲେ ମିଲେ ନାଇଁ ।”

 

ଦିସାରି ଦିନ ଧରି ଦେଇଛି । ନୂଆ ଘର ଦୁଆର ମୁହଁରେ ଚାରିଟା ବଡ଼ ବଡ଼ ଶିମୁଳି ଗଛ ଛାଲି ଛଡ଼ା ହୋଇ ପାଣିରେ ଜୁଡ଼ୁବୁଡ଼ୁ ହୋଇ ନାଳୁଆ ହୋଇ ପୋତା ହୋଇଛି, ତାହାରି ଉପରେ ଛାମୁଡ଼ିଆ, ତହିଁରେ ଗୋଟାଏ ବଡ଼ ବୋଇତିକଖାରୁ ଝୁଲୁଛି ।

 

ଘର ଆଗରେ ବାଜା ବସିଛି ।

 

ଠିକ୍ ଯେତେବେଳେ ଶଳପ ଗଛର ଛାଇ ଦେଢ଼ଚାଖଣ୍ଡେ ଲମ୍ବା ହୋଇ ଗଛ ଚାରପାଖେ ବିଛେଇ ହୋଇ ପଡ଼ିଲା, ଯୋଗ ଆରମ୍ଭ ହେଲା । ରେଙ୍ଗୁ ପରଜା ଅଣ୍ଟାରେ କଟୁରୀ ଖୋସି ନାଳ ସଡ଼ସଡ଼ ଶିମୁଳି ଥୁଣ୍ଟାରେ ଚଢ଼ିବାକୁ ଆରମ୍ଭ କଲା । ପାଖରେ ଥାଇ ଦିସାରି ବୁଢ଼ା ଓଠ ଥରେଇ ଦେବତା ଡାକୁଥାଏ । ରେଙ୍ଗୁ ପରଜା ଚଢ଼ି ଖସିଯାଇ ପୁଣି ଖସି ଝାଳନାଳ ହୋଇ ନୟାନ୍ତ ହୋଇ ଉହୁଙ୍କି ଉହୁଙ୍କି ଶେଷରେ ଉପରକୁ ଚଢ଼ିଗଲା । ବୋଇତି କଖାରୁକୁ ଚାରିଫଡ଼ା କଲା । ତଳେ ଆନନ୍ଦରେ ଧ୍ୱନି ଉଠିଲା । ବିଭାଘର ଆରମ୍ଭ ହେଲା ।

 

କାଜୋଡ଼ି ଓ ବାଗ୍‍ଲାକୁ ନେଇ ଅଳଦୀ ପାଣିରେ ଜୁଡ଼ୁବୁଡ଼ୁ କରି ଗାଁ ଲୋକେ ଝୋଲା କରେ କରେ ଦୂରକୁ ମୋହି ଚାଲିଗଲେ । ଯେଉଁଠି ଦୁଇ ଝୋଲା ଏକାଠି ମିଶିଛି, ସେଠି ଦୁହିଁଙ୍କୁ ଠିଆ କରି ୟା ମୁଣ୍ଡର ଜଡ଼ାତେଲ ତା ମୁଣ୍ଡରେ, ତା ମୁଣ୍ଡର ଜଡ଼ାତେଲ ୟା ମୁଣ୍ଡରେ ଘଷିଦେଲେ । ୟାଠୁ ହଳଦିଉଞ୍ଛା ତା ଦେହରେ, ତାଠୁହଳଦି ଉଞ୍ଛା ୟା ଦେହରେ ଘଷି ଦଲେ । ବାଗ୍‍ଲା କାଜୋଡ଼ି ମୁହଁରେ ତିନିଥର ଛେପ ପକାଇଲା, କାଜୋଡ଼ି ମଧ୍ୟ ସେହିପରି କଲା । ପିନ୍ଧାଲୁଗା କାନିକୁ କାନିରେ ଗଣ୍ଠିପଡ଼ିଲା, ଦୁହିଁଙ୍କୁ ଗାଧୋଇ ଦିଆଗଲା । ତୁଠରେ ଦିସାରି ରାହୁ ପୂଜା କଲା, କୁକୁଡ଼ା ଡିମ୍ବ ଭାଙ୍ଗିଲା ।

 

ସେଠୁ ସେମାନେ ଗାଁ ଭେରମ୍‍ଣରେ ପିତୃପୁରୁଷ ପଥରକୁ ଆସିଲେ । ବାଟଯାକ କେତେ ପୂଜା ଲାଗିଥାଏ । ସେଠି ମଧ୍ୟ ପୂଜା ହେଲା । ମୁଣ୍ଡ ନୁଆଁଇ ଦୁହେଁ ପିତୃପିତାମହଙ୍କୁ ଦଣ୍ଡବତ ହେଲେ । କୁକୁଡ଼ା ଡିମ୍ବ ଭଙ୍ଗା ହେଲା, ପଥର ପାଖେ ରନ୍ଧା ମଦଢଳା ହେଲା, ଭାତ ଅଜଡ଼ା ହେଲା ।

 

ପୁଣି ନୂଆଘର ପାଖେ ଦିସାରି ଦୁର୍ବୋଧ୍ୟ ସ୍ତୋତ୍ର ବୋଲି ଦୁହିଁଙ୍କ ମୁଣ୍ଡରେ ହଳଦିଗୋଳା ଅରୁଆ ଚାଉଳ ଅଜାଡ଼ିଲା । ଗୋଟିଏ ବଡ଼ କଳା ଗଞ୍ଜା କୁକୁଡ଼ା ଧରିଆଣି ଦୁହିଁଙ୍କ ମୁଣ୍ଡରୁ ଚାଉଳତକ ଟୋକେଇ ନେଲା । ପୁଣି କେତେ ପୂଜା, ତା’ପରେ ସେ କଳା କୁକୁଡ଼ା ହଣାହେଲା । ବରକନ୍ୟାଙ୍କ ହାତରେ ହାତ ସମର୍ପଣ କରାହେଲା । ଦଶ ଲୋକଙ୍କ ଆଗରେ ରେଙ୍ଗୁ ପରଜା ବୋହୂ କାନରେ ସୁନା ନୋଳି, ନାକରେ ସୁନା ନାକ ମୁଦି ଓ ବେକରେ ରୁପାର ତିନିଖଣ୍ଡ ‘ଖଗଲା’ ହାର ଲମ୍ବେଇ ଦେଲା । ବିଭାଘରର ପୂଜା କାଣ୍ଡ ସମାପ୍ତ ହେଲା । ସଞ୍ଜବେଳେ ଜାତିଭାଇଙ୍କି ଭୋଜି ଓ ରନ୍ଧାମଦ, ରାତିରେ ନାଚ । ବରକନ୍ୟା ନୂଆ ଘରେ ପଶିଲେ । କୁଳପ୍ରଥା ଅନୁସାରେ ବାସି ବିଭା ଶେଷ ହେଲା ।

 

ଦୂର ଦୂର ଗାଁରୁ ଝୋଡ଼ିଆ ପରଜା କୁଳର ବଂଶିଆ ଭାଇମାନେ ଆସିଥାନ୍ତି । ଗାଁରେ ଆଜି ଭାରି ଘୋ ଘା, ଦଶଟା ଚଇତ ନାଚକୁ ଜିଣି କରି । ଦଶମନ୍ତପୁର ମଦ ଦୋକାନର ପୀତେଇ ଶୁଣ୍ଢି ଓ ଲକ୍ଷ୍ମୀପୁର ମଦ ଦୋକାନର ବାଗୀ ଶୁଣ୍ଢି ଉଭୟେ ଲୁଚେଇ ଲୁଚେଇ କୁଚା ମଦ ପଠେଇଛନ୍ତି ବିକ୍ରି ପାଇଁ । ଗାଁ ଭାରି ଜମିଥାଏ ।

 

ଥରେ ଅଧେ ଯାଇ ବିଲି ନାଚ ମଣ୍ଡପ ଓ ବିଭା ସଭା ଅଞ୍ଚଳ ବୁଲିଦେଇ ଚାଲି ଆସୁଥାଏ-। ଜିଲି ଘରୁ ପଦାକୁ ବାହାରି ନାହିଁ । ବିଲି ଖାଲି ବାଛିବାକୁ ଯାଉଥାଏ, ଘରେ ଆସି ଅପା ପାଖେ ବନେଇ ଚୂନେଇ ଲଗେଇ ଯଚେଇ କହୁଥାଏ । ଦୁଇ ଭଉଣୀ ନିରୋଳାରେ ସମାଲୋଚନାକୁ ଅନ୍ତର ଭିତରେ ଗ୍ରହଣ କରି ନେଉଥାନ୍ତି ଖୁବ୍ ଭଲ–

 

“ବୁଝିଲୁ ଅପା, ତରକାରି କାହା ପତ୍ରରେ ପଡ଼ିଛି କାହା ପତ୍ରରେ ନାହିଁ, ଆଉ ତରକାରି ବା କଅଣ ? କେଉଠୁ ବାଛି ବାଛି ଦି’ ବୁଢ଼ାଛେଳି ଆଣିଥିଲେ । ତାତିରେ ପଛେ ହାଣ୍ଡି ତରଳିଗଲା, ବୁଢ଼ା ଛେଳି ହାଡ଼ ସିଝିଲା ନାହିଁ ।

 

ଆଉ ମଦ ବା କଅଣ ଭଲ ? ରାମୀ କହୁଥିଲା ସେ ନିଜେ ଦେଖିଚି, ଟିଣ ଡବାରେ ପାଞ୍ଚ ଟିଣ ପାଣି ଛାଇନେଉଟାବେଳେ ନେଇଗଲେ ମିଶେଇବାକୁ ।

 

ଦିସାରିର ତଣ୍ଟି ବସିଚି, ଭଲ ବୋଲି ପାରିଲା ନାହିଁ । କୋଉଠୁ ଖଣ୍ଡେ ଫଟା ଢୋଲ ମାଗି ଆଣିଛନ୍ତ, ଭଲ ବାଜୁ ନାହିଁ ।

 

ଆଉ ବର କନ୍ୟା–କନିଆ ତ କୋଉ କାଳରୁ ବୁଢ଼ୀ, ମାଣ୍ଡିଆ ତାକୁ ଟାଣି ଓଟାରି ଲମ୍ବେଇ ପକେଇଚି, ଆଉ ବର, ଠିକ୍ ଘୋଡ଼ା ପରି ମୁହଁ କରି ଥିରି ଥିରି ବାଟ ଚାଲି ଚାଲିକା ଯାଉଛି ।”

 

ଜିଲି ଶୁଣେ, ହସିବାକୁ ଚେଷ୍ଟାକରେ ।

 

ଦୁହେଁ ଶୋଇଲେ । ରାତି ବଢ଼ିଲା, ମହୁରୀ ଛଳଛଳେଇ ବାଜୁଥାଏ । ଅନ୍ଧାରରେ ଜିଲି ଅଣ୍ଡାଳି ଅଣ୍ଡାଳି ବିଲିକୁ କୁଣ୍ଡେଇ ଧରିଲା । ମୁହଁରେ ମୁହଁ ଲଗେଇ ଦି’ ଭଉଣୀ କଇଁ କଇଁ କାନ୍ଦିଲେ-

 

ସାହୁକାରର ଗାଁରେ ରାତିବେଳେ ଚଟିଘରେ ଶୋଇରହି ବୁଢ଼ା ସୁକୃଜାନି କହିଲା ପୁଅମାନଙ୍କୁ, “ବୁଝିଲୁରେ ମାଣ୍ଡିଆ, ଏ ଗୋତିପଣ ସହି ହେଉନାହିଁ ଆଉ, ଗୋଟିଏ କିଛି କରିବାକୁ ପଡ଼ିବ ।” ମାଣ୍ଡିଆ କହିଲା, “ଆଉ ଉପାୟ କ’ଣ ଅଛି ? ଟଙ୍କା ନେଇଛେଁ, ଗୋତି ଖଟିଥାଇଁ, ଫିଟିବ କେମିତି ?”

 

‘ନା, ମୁଁ ଭାବିଥିଲି କି–’

 

“ଆଉ ଭାବିବୁ କ’ଣ ବାପା, ଯାହା କମେଇଲେ ଖଦିପଟା କରି ଅଧିକାରୀ ଜମାନ୍ ସଙ୍ଖୁଳି ଜୋରିମାନା ଦେଇ ସବୁ ତ ଯାଇଛି ଥାଇ ଥାଇ ସେଇ ବେଢ଼ା ଦି’ ଖଣ୍ଡ ।”

 

ଏଇ ବେଢ଼ା ଦି’ଖଣ୍ଡ ଆଉ ଚାରିଖଣ୍ଡ ଢିପ ଭୂଇଁ, ଏଇ ଛ’ଖଣ୍ଡି ତା ବୁଢ଼ା ବାପର ପଞ୍ଜରାହାଡ଼ ବୋଲି ମାଣ୍ଡିଆଜାନି ବୁଝିଥିଲା ତ । ସବୁ ସେ ସହିବ, ସହିବ ନାଇଁ ଖାଲି ଏଇ ଛ’ଖଣ୍ଡ ଜମି ଛଡ଼େଇ ଦେବାକୁ ।

 

ବାପ ଢିପ ଭୂଇଁ ଚାରିଖଣ୍ଡ ରଖିଯାଇଥିଲା, ଶିସ୍ତୁ ବର୍ଷକୁ ହଳ କରି ଚାରି ଟଙ୍କା, ଲେଣ୍ଡୁ ଛ’ ପଇସା । ତା’ପରେ ଖରାଏ ତରାଏ ଲାଗି ଗଦବା ଝୋଲା ଗାଡ଼ର ଖଣ୍ଡି ହାଣି ମୁଣ୍ଡା (ବନ୍ଧ) ବାନ୍ଧି ବର୍ଷ ବର୍ଷ ଅପେକ୍ଷା କରି ସୁକୃଜାନି ପାଣିଭିତରୁ ସାର ଖାଲ ଭୂଇଁ ଦୁଇଖଣ୍ଡ ବାହାର କଲା । ଇନ୍ଦ୍ର ଦୟା କଲେ ସରୁଧାନ ଗଡ଼ିଶାଏ ପର୍ଯ୍ୟନ୍ତ ପାଚିଯିବ । ବହୁଦିନ ତାଷକରି ଖାଲି ଗଲା, ବେଢ଼ା ଭୂମିରେ ଗୁଣୁପୁର ସପୁରଧାନ, ସରୁ ଦେଉଳଭୋଗ ଧାନ, ନିହାତି ନିକୁଛିଆ ହେଲେ ମୋଟା ଧାନ, ଢେପ୍‍ ଭୂଇଁ ମାଣ୍ଡିଆ ଗଡ଼ିଶେ ଅଧ ଗଡ଼ିଶେ, ସୁଆଁ, ଅଳ୍‍ସି, ଗବ । ପାହାଡ଼ ଦେଶରେ ଅନେକ ସ୍ଥାନରେ ବେଢ଼ା-ଭୂମିକୁ ଶିସ୍ତୁ ନାହିଁ, କାରଣ କେଜାଣି କେତେବେଳେ ଝରଣାର ସୁଅ ତୋଡ଼ରେ ଭୂଇଁ ଭାସିଯିବ, କିନ୍ତୁ ଅମିନ୍ ରିବିନି ଆସିଲେ, ବେଢ଼ା ଦିଖଣ୍ଡକୁ କାମୀଭୂମି ତଳେ ଲେଖି ନେଇଗଲେ, ଶିସ୍ତୁ ଆହୁରୀ ଚାରିଟଙ୍କା ବଢ଼େଇ ବଢ଼େଇ ଦେଇଗଲେ । ସେହିଦିନୁ ସୁକୃଜାନି ଶିସ୍ତୁ ଦିଏ ଭୂମି ଖାଏ । କିନ୍ତୁ ତା’ର ଭାରି ଆଦରର ଭୂଇଁ ସେ । କେତେ ଅଭାବ ବିପଦ ଆସିଛି ଯାଇଛି, ତା’ର ପ୍ରାଣର ଭୂଇଁକୁ ବନ୍ଧା ଲଗେଇ ଦେବାକୁ ବୁଢ଼ା ରାଗିଯାଏ ।

 

ସୁକୃ କହିଲା–“ହେଲା ବା ବେଢ଼ା ଦି’ଖଣ୍ଡ । ବହୁତ ଦିନୁ ମୁଁ ଭାବୁଛି, ଭୂମି ପଛେ ବନ୍ଧା ପଡ଼ୁ, ତାଠୁଁ ଏ ଗୋତିପଣିଆ ଆହୁରି କଷ୍ଟର କଥା ।”

 

“କେଜାଣି ବାପା, ସେଇ ଭୂଇଁ କଥା କହିଲେ ତୁ ତ କେତେଥର ନିଆଁ ହୋଇ ଯାଇଛୁ, କହଚୁ–‘ନିଜେ ନିଜର ଭୂମି କର, ତାକୁ ବନ୍ଧା ଲଗାଅ ମନ ଇଚ୍ଛା, କିନ୍ତୁ ମୋର ଦାଦିଆନିକାଳର ଭୂମି ଆଉ ହାତ ତିଆରି ବେଢ଼ାଭୂମି ନାଁ ପକେଇବାକୁ ମୁଁ ଦେବି ନାହିଁ । ତା ଯଦି କରିଥାନ୍ତୁ ବାପା, ଜମି ପଛେ ନ ଥାନ୍ତା ଆଜି ଆମେ ସମସ୍ତ ଗୋତି ହୋଥ ବାନ୍ଧି ହୋଇ ନ ଥାନ୍ତେ ।”

 

“ନାଇଁରେ ମାଣ୍ଡିଆ ତୁ ବୁଝିପାରୁ ନାହୁଁ । ସେତେବେଳେ କଥା ଭିନେ ଥିଲା । ସବୁ ଓଲଟି ଯାଇଛି ଏବେ । ମନେ ଭାବିଲୁ ମାଣ୍ଡିଆ, ଘରେ ପିଲା ଟୋକୀ ଦି’ଟା, କିଛି ଖାଦି ଆମେ ରଖିଦେଇ ଆସିନାହୁଁ । କେହି ତାଙ୍କର ସାହା ଭରସା ନାହିଁ ସାହି ପଡ଼ିଶା ଗାଁରେ । ଜୀଉଣି କି କାକୁର୍ତ୍ତି ଏବେ, କେମିତି ଚଳିବେ ସେମାନେ, କିଏ ବା ତାଙ୍କ କଥା ବୁଝୁଥିବ ?”

 

ମାଣ୍ଡିଆ ଗୁମ୍‌ ମାରି ରହିଲା । ଟିକ୍ରା ସେତେବେଳେ ଘୁଙ୍ଗୁଡ଼ି ମାରୁଛି, ଆପେ ଆପେ ତା’ର ହାତ ବାଡ଼େଇ ହେଉଛି ପୁଙ୍ଗୁଳା ଧିଅରୁ ମାଛି ହୁରୁଡ଼େଇବାକୁ ।

 

ସୁକୃ କହିଗଲା, “ରାତି ହେଲାଣି, ଏକୁଟିଆ ତାଟି ପକେଇ ଦେଇ ରାଣୀ ଦୋଓଟି ମୋର ଶୋଇଥିବେ । ଖାଦି ଖେଟିଥିବ କି ନାଇଁକି ପେଟକୁ । ନିଦ ଆସୁଥିବ କି ନାଇଁ । ମୁଇଁବାପ, କିଛି ମୁଁ କରିପାରିଲି ନାହିଁ ତାଙ୍କ ପାଇଁ ।”

 

ମାଣ୍ଡିଆର ଘୁଙ୍ଗୁଡ଼ି ଶୁଭିଲା ।

 

“ଶୋଇଲୁଣି କିରେ ମାଣ୍ଡିଆ ? ଭୂମିଟା ବନ୍ଧା ପକେଇ ଦେଇ ମୁକୁଳି ଗଲେ ଭଲ ହୁଅନ୍ତା ନାହିଁ ତୁ ଭାବୁଛୁ ? ”

 

ମାଣ୍ଡିଆ ନିରୁତ୍ତର, ସେ ସେତେବେଳକୁ ନିଘୋଡ଼ ନିଦରେ । ସୁକୃର ମନ ଭିତରେ ଗାଁ ଦିଶିଗଲା । ଘର, ଜମି ଆଉ ଜିଲି ବିଲି । କ୍ରମେ ଝିଅ ଦୁହିଁଙ୍କୁ ଅନାଉଁ ଅନାଉଁ ଜମି ଅଦୃଶ୍ୟ ହୋଇଗଲା । ଝିଅ ଦୋ’ଟି ହିଁ ରହିଲେ ।

 

କେଉଁ ଅନ୍ଧାର ଭିତରୁ ତାଙ୍କର ମଲା ହଜିଲା ମା’ ଯେପରି ନିତିଦିନିଆ ହୋଇ ବାହାରି ଆସି ଅନେଇଁ ଠିଆ ହେଲା ।

 

ସୁକୃଜାନିର ମନ ସୁକ୍ଷ୍ମ ଦେହ ଧରି ଅନେକ ଦୂରକୁ ଚାଲିଗଲା । ଯେଉଁଠି ସେ ଆଉ ଗୋତି ନୁହେଁ ।

 

ସକାଳ ପାହିଲା, କିନ୍ତୁ ଜମି ବନ୍ଧା ପଡ଼ିଲା ନାହିଁ ।

 

କଥା ପ୍ରସଙ୍ଗରେ ପ୍ରଥମେ ସୁକୃଜାନି ସାହୁକାରକୁ ସେ କଥା କହିଲା । ସାହୁକାର ଅତି ତାଚ୍ଛଲ୍ୟଭାବେ କହିଲା, “ଆଚ୍ଛା ଦେଖୁଁ ଆଗେ ତୋର ଜମି ।”

 

ପୁଣି ଗାଧୁଆବେଳେ ବାପପୁଅ ଭେଟାଭେଟି । ସୁକୃ ମାଣ୍ଡିଆକୁ କହିଲା, “ପୁଣି ଭାବୁଛି କ’ଣ ଜାଣୁ ? ଜମି ଥରେ ହାତରୁ ଛାଡ଼ିଦେଲେ ଆମ ପବର୍ତ ଦେଶରେ ଆଉ କରିହେବ ନାହିଁ । ନୂଆ ଜମି ଗାଡ଼ ଉପରେ ମୁଣ୍ଡା କାନ୍ଦି କରିବାକୁ କେତେ ବର୍ଷ ଚାଲିଯିବ, ସେଥିରେ ପୁଣି କେତେ କାହା ସାଙ୍ଗେ କଳିଗୋଳ ଲାଗିବ । ଥରେ ଜମି ବନ୍ଧା ପକାଇଲେ ଆଉ ସେ ହାତକୁ ନ ଆସେ । ସେଇଠୁ ଆଉ ଖଣ୍ଡେ ଜମି କରିବାକୁ ନାଇକକୁ ହଜାରେ ଖୁସାମତ, ସେ ଦେଲାତ ଦେଲା ନ ଦେଲାତ ନାହିଁ । ଆମେ ତ ବେପାରି ଲୋକ ନୋହୁଁ ଯେ ଟଙ୍କା ଅର୍ଜି ଜମି କରିବା, ପଛେ ଜମି ସରିଲେ, କୁଲି ସରିଲେ, ଭୋକ କାକୁର୍ତ୍ତିରେ, –ଯା ଆସାମ୍‍ ପଳା ଆସାମ୍‍ ପଳା । ତେଣୁ ମୁଁ କହୁଛି, ଆଉ ଯାହା ହେଲେ ପଛେ ହେଉ ଜମି ଛାଡ଼ିବା ନାହିଁ ।”

 

ମାଣ୍ଡିଆ ମନେ ମନେ ଭାରି ବିରକ୍ତ ହୋଇଥିଲା, କହିଲା, “ତୋର ଇଷ୍ଟ, ତୋର ଖୁସି । ଜମି ଥୁଆ ହୋଇଥାଉ ଆମେ ଏଣେ ବନ୍ଧା ପଡ଼ିଛୁଁ ।” କ’ଣ କାମରେ ସେ ଚାଲିଗଲା ।

 

ସୁକୃ ଚୋଟ ଖାଇଲା ପରି ଦୂରକୁ ଆଖି ପକାଇ ଉଦାସ ହୋଇ ବସି ରହିଲା ସେଠି ।

 

ଏଇ ମାଣ୍ଡିଆ, ସେ ଖାଲି ବୁଝେ ନିଜର ସୁବିଧା, ଜମି କଥା ସେ ବୁଝେ କେତେକରୁ କେତେ ! ଜମି ତା’ର କେତେ ପ୍ରିୟ ! ସେ ଖାଲି ମାଟି ନୁହେଁ, ସେ ତା’ର ଗୋଟା ଦେହଟା ।

 

କେଉଁଠି ତା’ର ଖାଲ, କେଉଁଠି ଢିପ, କେଉଁଠି ହୁଙ୍କା, କେଉଁଠି କଣ୍ଟା ବୁଦା, କେଉଁ ଅରାକରେ ତା’ର ମାଟି କିପରି, ସବୁ ତାକୁହିଁ ଜଣା, ଯେ ଜମି ଉପରେ ଆୟୁଷରୁ ବାରପଣ କଟେଇ ଦେଇଗଲା । ପ୍ରତ୍ୟେକ କୁଦଖାଲ, ପ୍ରତ୍ୟେକ ଟେଳା ଭୂଷାର ବରଷ ବରଷ କରି ଇତିହାସ ରହିଛି । ଏଇ ମାଟି ଉପରେ ଝାଳ ଢାଳି ଢାଳି ଉଦୁଉଦିଆ ଦି’ପହରେ ଗଜାକୁ ସେ ଉଷୁମ ଦେଇଛି-। କେତେ ପାଚି ଉଠେଇ ନେଇଛି ସେ ଏଇ କ୍ଷେତରୁ । ଜମି କହିଲେ ସମ୍ବାରୀ ମନେପଡ଼େ, ନିଜାଣି ରୋପାଣି ଦିନେ, ଦି’ପହରେ ଆଣି ସେ ଜମି ଉପରେ ଖାଦି ଦେଇଯାଏ । ଛୁଆ ଚାରୋଟିଙ୍କ ପିଲାଦିନର ବାଳଲୀଳା, ସେ ମଧ୍ୟ ବନ୍ଧା ହୋଇଛି ଜମି ସାଙ୍ଗରେ ।

 

କେତେଦିନ ବଉଁଶଯାକ ପଡ଼ି କ୍ଷେତରୁ ଗୋଡ଼ି ପଥର ବାଛୁ ବାଛୁ ସୁକୃ ପିଲାମାନଙ୍କୁ ବୁଝେଇଛି, “ମୁଁ ତୁମର କେହି ନୁହେଁ, ଏଇ ଦର୍ତନୀ ତୁମର ମା’ ।”

 

ବର୍ଷକୁ ବର୍ଷ କେତେ କୁକୁଡ଼ା କେତେ ପାରା ବଳି ଦେଇ ଦେଇ କ୍ଷେତକୁ ତା’ର ସେ ବେଶି ଉର୍ବର କରିଛି ।

 

ପଛ ଆଡ଼କୁ ଅନେଇଁ ଗଲେ, ଦିନ ଦିନକର ମୁହୂର୍ତ୍ତ ମୁହୂର୍ତ୍ତକର କଥାକୁ–ସବୁ ଅନୁଭୂତିର ପୃଷ୍ଟପଟ ତା’ର କ୍ଷେତ ।

 

ଜମିକୁ ବନ୍ଧା ଦେବ ସେ !

ତା’ ହୋଇପାରେ ନାହିଁ ।

 

ଚଇତ ଗଲା, ବୈଶାଖ ଗଲା, ଜ୍ୟେଷ୍ଠର ସରିଗଲା ଅଧାଅଧି । ଧୂଆଁଳିଆ ପାଉଁଶିଆ ଆକାଶରେ ଧଳା ପାଣ୍ଡୁରା ବଉଦର ବୋଇତ ଚାଲିଲା । ଠିକ୍‌ ଏତିକିବେଳେ, ଯେତେବେଳେ ମେଘୁଆ ମେଘୁଆ ଫାଲଫାଲୁଆ ଆକାଶ ତଳେ ଛାଇ ନେଉଟିଲେ ଚାରିଆଡ଼ୁ କଳା ହାହାକାର ଭାସିଆସେ, ମନ ଘର ଧରେ, ସାଇଁସାଇଁଆ ଦୂର, ପବନରେ ଗଲା ହଜିଲାର ସ୍ମୃତି ଚହଲି ଚହଲି ଆସି ମନ କମ୍ପେଇ ଦେଇଯାଏ, ଠିକ୍‌ ଏତିକିବେଳେ ଲାଗେ ବରଷଯାକର ବେଶି କାମ ।

 

ଜମିର ସନ୍ଧି ଗଛରେ ଜ୍ୟେଷ୍ଠର ଚଢ଼େଇଛୁଆ ଖୋଳପା ଠୁକେଇ ପଦାକୁ ଥଣ୍ଟ ବଢ଼େଇ ଦେଖେ, ଲାଗିଛି ଖୋଳାତଡ଼ା ତଷାତଷି, ଝାଳନାଳ ହୋଇ ମଣିଷ ଲାଗିଛନ୍ତି, ଗହୀର ଖାଲ ଭିତରେ, ଅତଟ ପାହାଡ଼ ଉପରେ– ଯେତେଠିଁ କ୍ଷେତ ଅଛି ସେତେଠିଁ । ଧାନ, କାନ୍ଦୁଲ, ଜୋଣା (ମକା) ଅନ୍ୟାନ୍ୟ ହର୍‌ ଫସଲ୍‍, ସବୁ ଏଦିନେ ବୁଣାଯାଏ । ଯେତେ ବିଲ–ଜାଟିର (ଝଗଡ଼ାର) ଆରମ୍ଭ ଏଇ ଦିନୁଁ । ଜମି ଦଖଲ ନେବାର ସୂତ୍ର କରିବାକୁ ହେବ ବୁଣିବା ଦିନରୁ ।

 

ସାହୁକାରର ଆଜ୍ଞାରେ ତାହା ଜମିକୁ ଲାଗିଥିବା ହଳଦିଶୀଲ୍‌ଗୁଡ଼ା କନ୍ଧମାନଙ୍କ ଜମିରେ ଜବରଦସ୍ତି ଧାନ ବୁଣି ସେ ଜମିକୁ ଝିଙ୍କି ନେବାକୁ ମାଣ୍ଡିଆ ଓ ଟିକ୍ରା ଅନ୍ୟ ଗୋତିମାନଙ୍କ ସାଙ୍ଗେ ଯାଇଥିଲେ ।

 

କେବେ ଏଇ କନ୍ଧମାନେ ସାହୁକାର ଦୋକାନରୁ ମଦ ଖାଇ ଖାଇ ଜମିଗୁଡ଼ାକ ତାକୁ ସବୁ ବିକି ଦେଇଥିଲେ । ତା’ପରେ କେଉଁ ଏକ ବାୟାସାହାବ ଆସି କେତେ ଆଇନ୍‌ପୋଥି କାଢ଼ି କନ୍ଧମାନଙ୍କୁ ମେଡ଼ୁଆର (ଅମାନିଆ) ବୁଦ୍ଧି ଶିଖେଇ ଦେଇଗଲା, କହିଗଲା, ସରକାର ଅନୁମତି ବିନା ଏ ଯେଉଁ ଜମି ବିକ୍ରି ଘଟିଛି ତାହା ରଦ୍‌ ହୋଇଗଲା । କନ୍ଧମାନେ ଆନନ୍ଦରେ ହେଣ୍ଡିମାରି ବିକିଥିବା ଜମି ଉପରେ ପଶିଗଲେ । ଗାଁରେ ଗୋଟିଏ ହଡ଼ା ବଳଦ ମାରି ଭୋଜି କରି ଖାଇ ବାଇଦ ବାଜଣା କରି ଜମିସବୁ ଏକାଥରକେ ସେମାନେ ମାଡ଼ି ବସିଲେ ।

 

ଏହିପରି କେତେ ସାହୁକାରଙ୍କ ଅକ୍ତିଆରରୁ କନ୍ଧମାନଙ୍କ ଜମି ଚାଲିଗଲା, ଚମ୍ପିଆ ଗୋପୀଶୁଣ୍ଢି, ଡୁମ୍‌ରିପଦରିଆ ସୋନାସି ଶୁଣ୍ଢି, ପଟ୍‌ଣିଆ ସୁରିନାରାୟାଣା, ସମସ୍ତିଙ୍କୁ ଦଖଲ ଚ୍ୟୁତକରି ମେସ୍‌ରେଟ ପାଇକ ରତନ ମାଝି ଦୀନବନ୍ଧୁ ମାଳୀ ଆସି ଏକେ ଏକେ ଜମିସବୁ ଫିଟାଇ ଦେଇଗଲେ ।

 

କନ୍ଧମାନେ ଏ କଥାକୁ ଟିକିଏ ବୋଲି ଅଧର୍ମ ବୁଝିଲେ ନାହିଁ । ପ୍ରକାଶ୍ୟରେ କହି ବୁଲିଲେ, “ଶୁଣ୍ଢିମାନେ ତାତଁର୍‍ (କୂଟକପଟ) କରିଥିଲେ, ମହୁଲମଦ ଟୋପାଏ ଟୋପାଏ ଶୁଘେଂଇ ଦେଇ କେତେ ପ୍ରକାର ସୁଧ କଳନ୍ତର ଭିଡ଼ି ଦାଦିଆନିକାଳର ଅସଲ ଅସଲ ଭୂମିସବୁ ମାଡ଼ି ବସିଥିଲେ, ଏବେ ଧରମ ସାହେବୀ ଧରମ କରିଦେଇ ଗଲା ।” କିନ୍ତୁ ମହୁଲ ମଦ ଟୋପାକ ହେଲେ ସୁଦ୍ଧା, କୋଉଠୁ ମିଳେ ତା ? କେତେ ମହୁଲ ସିଝା ହୋଇଥିଲା ? କେତେ କାଠ ଜଳିଥିଲା-? ପୁଣି ଦୋକାନର ପାନ୍‌ ଟଙ୍କା ? କିନ୍ତୁ ବାପୁଡ଼ା କନ୍ଧର ପଥୁରିଆ ମୁଣ୍ଡରେ ହିସାବପତ୍ର ପଶେ ନାହିଁ, ସେ ଖୁସି ହୋଇ ହେଣ୍ଡି ମାରେ, କହେ, “ସାହୁକାର, ଆଉ ରିଷା ହ’ ନାହିଁ, ଆଜିଠୁ ଆମେ ଭାଇ ଭାଇ ।”

 

କିନ୍ତୁ ସାହୁକାରମାନେ ଭୁଲିପାରି ନାହାନ୍ତି କି ରାମଚନ୍ଦ୍ର ବିଶେୟୀ ଭୁଲି ନାହିଁ ।

 

ରାମ ସାହୁକାର ରିବିଣୁ (ଜଇପୁର ରଜାଙ୍କ ରେଭିନ୍ୟୁ ଇନିସ୍‌ପେକ୍‌ଟର) ଗରଜସୁନ୍ଦରଠୁଁ କ’ଣ ଧର୍ମ ଶିଖି ଚେଲା ହୋଇଛି ତା’ର । ଗରଜସୁନ୍ଦର କାନରେ କୁଣ୍ଡଳ ନାଏ, ରାମ ସାହୁକାର ବି ନାଏ । ଗରଜ ସୁନ୍ଦର ମୁଣ୍ଡରେ ସିନ୍ଦୂର କଲିର ଲମ୍ବା ଚିତା ନାଏ, ରାମ ସାହୁକାର ବି ନାଏ । ଗରଜସୁନ୍ଦର ଗାଧୋଇସାରି ଚେକାମହୁଲି ପକେଇ ବାଘଛାଲ ଉପରେ ବସି କ’ଣ ଜପ ତପ କରେ, ରାମ ବିଶେଇ ମଧ୍ୟ କରେ । ଦୁହେଁ ଗଞ୍ଜେଇ ଟାଣନ୍ତି, ଦିହିଁକା ଦିହେଁ ମଦ ପିଅନ୍ତି, ବେଶି ବେଶି ଟୋକୀମାନଙ୍କ ପଛରେ ଗୋଡ଼ାନ୍ତି । ଦିହେଁ ଦରବୁଢ଼ା, ଦିହେଁ ଏକାପରି ନିଶ ରଖିଛନ୍ତି, ବାର୍‌ହଆ ବାଳ ପରି । ରିବିନିହ, ଗରଜସୁନ୍ଦର କଥା କଥାରେ କନ୍ଧ ପରଜାଙ୍କ ଚୁଟି ଧରି ମାଡ଼ ଦିଏ, ପିଠିରେ ଜଳନ୍ତା ନିଆଁହୁଳା ମାଡ଼ି ଚିଆଁ ଦିଏ । ରାମ ବିଶେଇ ପଦା ଲୋକଙ୍କ ଉପରକୁ ପାହାଡ଼ଦେଶରେ ସାଧା ଗାଳି “ଗ୍ୟାଳ୍‍ପ” ଛାଡ଼ି ଗୁରୁ ଗରଜସୁନ୍ଦରଠୁଁ ଶିଖି ଶିଖି “ଶଳା” ବ୍ୟବହାର କରେ, ଗୁରୁ ତାକୁ ବହୁତ ବାଟ ଦେଖାଇ ଦେଇଛନ୍ତି ।

 

ସିନ୍ଦୂରକଲିଆ ମନ୍ଦାରମାଳିଆ ଗରଜସୁନ୍ଦର ରାମ ବିଶେଇର ଦଳଖିଆ ଘୋଡ଼ାରୁ ଗୋଟାକରେ ଚଢ଼ି ବସେ, ପଛେ ପଛେ ବିଶେଇର ଗୋତି ବୁଦୁ ଘାସି ଡାଙ୍ଗ ପୁଳାଏ ଧରି ଘୋଡ଼ାର ପୁଚ୍ଛରେ ପିଚାରେ କେଞ୍ଚିକେଞ୍ଚିକା ପିଟିପିଟିକା ଚୁଃ–ଚୁଃ ଡାକିଡାକିକା ଧାଇଁଥାଏ, ପଛେ ପଛେ ଆଉ ଗୋଟାଏ ଘୋଡ଼ାରେ ଚେଲା ରାମ ବିଶେଇ । ଅନେକ ସମୟରେ ଏଇ ଧର୍ମ ବିଷୟରେ ଦୁହେଁଯାକ ବଡ଼ଆଖିଆ ଆଶ୍ଚର୍ଯ୍ୟ ପାହାଡ଼ି ଗାଁ ବାଲାଙ୍କୁ ବକ୍ତୃତା ଦିଅନ୍ତି ।

 

“ଦେଖ ଶଳା– ଏ ପଦ ତୁଣ୍ଡରେ ଧରିଲେ ବାଘ ଖାଇବ ନାହିଁ, ଗୋରୁ ମରିବ ନାହିଁ, ଧାନଗଛକୁ ପୋକ କାଟିବ ନାହିଁ, ବ୍ୟବସାୟରେ କ୍ଷତି ହେବ ନାହିଁ ।”

 

ଏହିପରି ଉଦୁଉଦିଆ ଦି’ପହରେ ଗାଧୁଆଘାଟ ଦେଖି ଦେଖିକା ଝୋଲା କରେ କରେ ସେମାନେ ଚାଲିଯାଆନ୍ତି ଘୋଡ଼ା ଡିଆଇଁ । ଲୋକେ ଆଶ୍ଚର୍ଯ୍ୟ ହୋଇ ଏଇ ଦୁଇ କାଳଦୂତଙ୍କୁ ଅନାଇ ରହନ୍ତି । ଏହିପରି ଉଡ଼ି ଉଡ଼ିକା ଚାଲିଯାଆନ୍ତି ଏମାନେ, ପୁଞ୍ଜିବାଦର ଅଗ୍ରଗାମୀ,–କୋଡ଼ିଙ୍ଗାମାଳି ପାହାଡ଼ରେ ନିଆଁ ଲାଗିଲେ ଜାଣିବା ଲୋକେ ପାଟି ଖନେଇଁ ଖନେଇଁ କହନ୍ତି, “ଗରଜସୁନ୍ଦର ରବିଣି ମନ୍ତ୍ରବଳରେ ଏଠି ନିଆଁ ଲାଗେଇଛି ।”

 

ସେ ଅତ୍ୟାଚାର କରେ, କେହି ଉଁ ଚୁଁ ହୁଅନ୍ତି ନାହିଁ, ଭୟରେ ।

ବାଘର ଶିକାରର ଶେଷଭାଗ ଶିଆଳ ପେଟ ପୂରେଇ ଖାଏ ।

 

ଚେଲାପଣରେ ବଡ଼ ଉପକାର, ମନ୍ତ୍ରବଳରେ ବାହା ଟାଣ ହୁଏ, ଭାଗ୍ୟ ସୁପ୍ରସନ୍ନ ହୁଏ, ଯାହା ଇଚ୍ଛା ତାଆ, କହିବାକୁ କେହି ନାହିଁ । କେତେବେଳେ କେବେ କଦବା ବଡ଼ ସାନ ଅଧିକାରୀମାନେ ପାରିଧିକୁ ଆସିଲେ ଆଗରୁ ଜାଣିପାରି ନାରଣପାଟଣା ବାଟେ ପାର୍ବତୀପୁରରୁ କମଳା, କଦଳୀ, ସିଗାରେଟ୍ ବା ଆବଶ୍ୟକ ହେଲେ ନାଲିପାଣି ବୋତଲ ଦି’ ବୋତଲ, ବାରିରୁ କୋବି,କ୍ଷେତରୁ ବସ୍ତାଏ ଦି ବସ୍ତା ଦେଉଳ ଭୋଗ ଧାନର ଚାଉଳ, କାନ୍ଦୁଲ ଡାଲି, ବଜାରରୁ ଘିଅ ଟିଣେ, ଦି’ ଟିଣ, ଆବଶ୍ୟକ ମାନିଆଁ ଡମ୍ବ ସାହିରୁ ଧାଂଡ଼ୀ ଗୋଟିଏ ଯୋଡ଼ିଏ, ଖେଟେଇ ଦେବାକୁ ଗୋତି, ଏହିପରି ସଜାଡ଼ି ରଖିଥିଲେ ଅଧିକାରୀ ହସିଦେଇ “ବାଃ ବାଃ ବିଶେଇ” କହି ଚାଲିଯାହାନ୍ତି-। ଭୟଗଲା, ତା’ପରେ ଗୁରୁର ଉପଯୁକ୍ତ ଚେଲା ଯାହା ଦେଇଥାନ୍ତି ସୁଧ ଅସୁଲ ମିଶାଇ ସେତକ ସବୁ ଆଦାୟ କରିନେଇ ବାରିହା ନିଶ ଅଗରେ ଶିରଷ– ଅଠା ବୋଳି ଘୋଡ଼ା ଉପରେ ଚଢ଼ି ପୁଣି ରାଜତ୍ୱ ଆରମ୍ଭ କରନ୍ତି ।

 

ଗରଜସୁନ୍ଦର ଜବାବ୍ ଦେଇଛି, ହଳ୍‍ଦିଶୀଲ୍‌ଗୁଡ଼ା ବିନା କଷ୍ଟରେ ସେ ସାହୁକାରକୁ କରେଇ ଦେବ । ପଠାଣ ଅମିନ୍‌ ଏ ଗାଁରେ ଡେରା ପକାଇ ଥିଲା । କଥା ପକ୍‌କା ହୋଇଯାଇଛି । ପ୍ରଥମେ କ’ଣ ଖଚ ମିଛ ଉପରକୁ ଲେଖି ହଳ୍‌ଦିଶୀଲ୍‌ଗୁଡ଼ା ପ୍ରାଚୀନ ନାଇକ ଜାମିର ସାଓଁତାକୁ ନାଇକ ଗାଦିରୁ ଗଲା ବର୍ଷ ସେ ଉଠାଇ ଦେଲା, ଶଳପୁ ସାଓଁତାକୁ ସାଓଁତା କଲା । ଏତିକିରେ ପରେ ବହୁତ ମଜା ଲାଗିଯିବ । ଜମିର ତ ଖତିଆନ ନାହିଁ, ଲେଖା ବହି ଉପରେ ପ୍ରଜାସ୍ୱତ୍ୱ ଥଲେ ମଧ୍ୟ ପ୍ରଚଳିତ ବିଶ୍ୱାସ ଯେ ନାଇକମୂଳେ ଭୂମି, ଗାଁର ସବୁ ଜମି ନାଇକର, ଯାହାଠୁଁ ମନ କଲା ସେ ନେଲା, ଯାହାଠୁଁ ମନ କଲା ଛଡ଼େଇ ନେଲା, ତେଣୁ ପରେ କଳି ମଞ୍ଜି ଗଜା ହେବ– ଜମି ଜାମିରି ସାଓଁତା’ର ନା ଶଳପୁ ସାଓଁତା’ର ।

 

ୟାର ତିନି ବର୍ଷ ପୂର୍ବରୁ ରାମ ବିଶେଇ ନାଁରେ ଥିବା ଶିସ୍ତୁ ଚାରିହଳ ବଢ଼େଇ ଦିଆ ହୋଇଛି ଓ ପଡ଼ୋଶୀ ଗାଁ ହଳ୍‍ଦିଶୀଲ୍‍ଗୁଡ଼ାର ଶିସ୍ତୁରୁ ଚାରି ହଳ କମେଇ ଦିଆ ହୋଇଛି, ଅତଏବ ପରେ ଜଣାପଡ଼ିବ ଝଗଡ଼ା ଜମିର ଚକ ହଳ୍‌ଦିଶୀଲ୍‌ଗୁଡ଼ାର ନୁହେଁ, ସାହୁକାରର ହଳ୍‌ଦିଶୀଲ୍‌ଗୁଡ଼ାର ତରଫରୁ ଆଉ ଯେଉଁ ଅଡ଼ୁଆ ଉଠନ୍ତା, ନୂଆ ନାଇକର ଟିପ ନିଆ ସିଧା କାଗଜ ଉପରେ ଯାହା ଲେଖା ହୋଇଗଲା ତହିଁରେ ତାହା ଲୋପ ହୋଇଗଲା ଯେ,–

 

“ମହାପ୍ରଭୁ ଦିବ୍ୟଚିତ୍ତକୁ ଘେନିବା ହେବ, ଭିନ୍ ଗାଁର ଭୂମି ମୋ ଉପରେ ପକାଇଲେ ମୁଁ ମରିଯିବି ନାହିଁ କି ! ଜମି ଖାଉଚି ଶୁଣ୍ଢି ତା’ର ଦାଦିଆନି କାଳରୁ, ଆମେ ଗରିବ କନ୍ଧ, ଶିସ୍ତୁ ବାନ୍ଧି ବାନ୍ଧି ମରିବୁ କାହିଁକି ?”

 

ପରେ ଯଦି ଦାବା ଦରକାର ହେବ, ସମସ୍ଥାନମ୍ (ଜୟପୁର ରଜାଘର) ରେକର୍ଡ ଭିତରୁ ଏ କାଗଜ ମଧ୍ୟ ବାହାରିବ, ଏଥିରୁ ବୁଝାଯିବ ଯେ ଶୁଣ୍ଢିର ଭୋଗଦଖଲ ବହୁକାଳରୁ କନ୍ଧମାନେ ସ୍ୱୀକାର କରି ସାରିଥିଲେ ।

 

ବାକି ଶେଷ ନିଷ୍ପତ୍ତି–ଚେଲାର ଭୋଗରାଗରେ ସନ୍ତୁଷ୍ଟ ହୋଇ ଗରଜସୁନ୍ଦର ରିବିନି ଏକ୍‌ଦମ୍‍ ହଳ୍‌ଦିଶୀଲ୍‌ଗୁଡ଼ା ତରଫରେ ଦୁଇଟଙ୍କା ଶିସ୍ତୁ ରଇତ ବୋଲି ଖାତା ଭିତରେ ଶୁଣ୍ଢିର ନାଁ ଲେଖିଦେଲେ, ତେଣୁ କେବଳ ଚକଡ଼ାତକ ନୁହେଁ, ତାକୁ ଡେଇଁ ଅନ୍ୟ ଜମିରେ ମଧ୍ୟ ସାହୁକାରର କାଗଜ ଅଧିକାର ପୋଥିରେ ରହିଗଲା । ତେଣୁ କେବଳ ଏ ଚକଡ଼ାଟି କାହିଁକି ସାହୁକାରର ହେଲା ବୋଲି ଯେଉଁ ସନ୍ଦେହ ଉଠିଥାନ୍ତା, ତାହା ମଧ୍ୟ ଆଉ ଉଠିବ ନାହିଁ । ସେ ନିରଙ୍କୁଶ ।

 

ଗୋତି ଗଜା ଲେଖି ଦେଇଛି, ଅଣକିଆ ଟ୍ୟାଂପ୍‍ ମୁଣ୍ଡ ଉପରେ ବଟୁ ଚିହ୍ନ (ଟିପ ଚିହ୍ନ) ଚପା ଦେଇଛି, ସେ ଖାଲି ସାହୁକାରର ଆଜ୍ଞାବହ । ବିଚାର କରିବାର ଅଧିକାର ତାଠୁଁ ଛଡ଼ାଇ ନିଆ ହୋଇଛି । ତେଣୁ ସାହୁକାର ଯାହା ଆଜ୍ଞା କରିବେ, ନିଜର ଗୋରୁ ଚରାଇ ନେବାକୁ ବା ପରର ଗୋରୁ ଚୋରେଇ ଆଣିବାକୁ, ସାହୁକାରର ଗୋଡ଼ ଘଷିବାକୁ ବା କନ୍ଧର ମୁଣ୍ଡ ଫଟେଇବାକୁ, କାନ୍ଥ ଗଢ଼ିବାକୁ ବା ଡକାୟତି କରିବାକୁ, ସବୁ ହୁକୁମ୍ ତାମିଲ୍ କରିବାକୁ ସେ ବାଧ୍ୟ । ପୁଲିସ ପାଖେ ସିଟିଏମ୍ ଡମ୍ବ ଲୋକ ପରି ସେ ପୋଷା ମାଙ୍କଡ଼ ।

 

ଜଣକେ ଗୋଟାଏ ଲେଖାଁ ହଳ ଧରି ଠେଙ୍ଗା ଓ ଟାଙ୍ଗିଆ କାନ୍ଧରେ ପକାଇ ଗୋତିପଲ ଜମି ଉପରେ ପହଞ୍ଚିଗଲେ । କନ୍ଧମାନେ ଜମି ତଷି ସାରିଥିଲେ, ବୁଣି ସାରିଥିଲେ । ତାହାରି ଉପରେ ଆହୁରି ଥରେ ହଳ ପକାଇଦେଇ ଗୋତିମାନେ ଧାନ ବୁଣିଗଲେ । କନ୍ଧମାନେ ଗାଳି ଦେଇ ଦୂରରେ ଥାଇ ପଛକୁ ହଟିଲେ । ଗୋତି ଗାଳି ଲେଉଟାଇ ଦେଲେ ଓ ଟାଙ୍ଗିଆ, ଠେଙ୍ଗା ଉଞ୍ଚେଇ କନ୍ଧମାନଙ୍କୁ ମାଡ଼ ଦେବା ଅଙ୍ଗଭଙ୍ଗୀ କଲେ ।

 

ଏହିପରି ସେଦିନର କାର୍ଯ୍ୟ ସମାଧାନ ହେଲା । ହଳ୍‌ଦିଶୀଲ୍‌ଗୁଡ଼ାର ଅସଲ ଚକ ଉପରେ ସାହୁକାର ଝଣ୍ଡା ପୋତା ହେଲା ।

 

ପର ପାଇଁ ଲଢି ବାହାବଳ ଦେଖାଇବାର ହରଷ ଅନୁଭବ କରି ଗୋତିପଲ ସାହୁକାର ପାଖକୁ ଲେଉଟିଗଲେ ।

 

ସେହିଦିନ ସଞ୍ଜବୁଡ଼େ ଥୋଟାଗୁଡ଼ା ଗାଁରେ ଗନ୍ଧଗୁଡ଼ାର କନ୍ଧ, ଥୋଟାଗୁଡ଼ାର ସାହୁକାର ଓ ପାଖ ଗାଁର ନାଇକ ବଡ଼ ରଇତମାନଙ୍କୁ ମିଶାଇ ଗୋଟିଏ ପଞ୍ଚାତି ବସିଲା । ପାହାଡ଼ ଦେଶରେ ପ୍ରତି କଥାରେ ପଞ୍ଚାତି । କେବେ କେଉଁ ପୁରାକାଳରେ ଏଇ ପଞ୍ଚାତିରେହିଁ ସବୁ ଦ୍ୱନ୍ଦ୍ୱ ନିଷ୍ପତ୍ତି ହେଇଥିଲା । ଏବେ ପଞ୍ଚାତିର ନିଷ୍ପତ୍ତି କାହାରି ହାତ ବାନ୍ଧି ପାରୁନାହିଁ, ତଥାପି ପଞ୍ଚାତି ହୁଏ ।

 

କନ୍ଧମାନେ ସାହୁକାର ବିରୁଦ୍ଧରେ ଅଭିଯୋଗ କଲେ ଯେ, ସାହୁକାର ତାଙ୍କର ଜମି ଅନ୍ୟାୟଭାବେ ଝିକିଛି । ସାହୁକାର ଆପଣାର ଦାବି ପେସ୍ କଲା ଯେ ସେଇଟା ତା’ର ଦାଦିଆନିକାଳରେ ଭୂମି । ଭୂମି ପାଇଁ ସେ ଶିସ୍ତୁ ଦିଏ, କନ୍ଧମାନେ ଜବରଦସ୍ତି କରିଯାଉଥିଲେ, ସାହୁକାରକୁ କ୍ଷେତ ନିଅଣ୍ଟ ହେଉ ନ ଥିଲା, ତେଣୁ ଜମିଟା ପଡ଼ିଆ ପଡ଼ିଛି କି କିଏ ତଷୁଛି ସେ ଯାଞ୍ଚ୍ କରୁ ନ ଥିଲା, ଏଣିକି ତା’ର ଜମି ଦରକାର ହେଲା, ସେ କଲା, କନ୍ଧମାନଙ୍କର କହିବାର କ’ଣ ଅଛି-?

 

କନ୍ଧମାନେ କହିଲେ ମେସ୍‍ରେଟ୍ ପାଇକ ଆସି ଜମି ତାଙ୍କୁ ସ୍ୱାଧୀନ ଦେଇଥିବା କଥା । ସାହୁକାର ହସି ଉଡ଼େଇ ଦେଲା । କହିଲା,“ସେଇଟା ଭିନ୍ ଭୂମି । ଲୋଡ଼ା ଥିଲେ ସେଇ ପାଇକକୁ ଡାକି ପଚାର, କେଉଁ ଜମି ସେ ସ୍ୱାଧୀନ୍ ଦେଇଥିଲେ । ସେତେବେଳେ ବୁଢ଼ାମାନେ ଥିଲେ । ସେମାନେ ଏବେ ଆଉ ନାହାନ୍ତି । ଟୋକାମାନେ ନିଜର ଉପକାର ହେବ ବୋଲି ମିଛ କହୁଛନ୍ତି ।”

 

ଅନେକ ଲୋକ ଥିଲେ । ନାନ ପ୍ରକାର ଯୁକ୍ତି ଚାଲିଲା । ଗୋଟିଏ ପାଖେ କନ୍ଧମାନଙ୍କର ଅଲରାବଲରା କଥା, ଖାଲି, “ତଳେ ଦର୍ତନୀ, ଉପରେ ଧରମ୍, ସାମ୍ନାରେ କୋଡ଼ିଙ୍ଗାମାଳି ପାହାଡ଼”, ଏହିପରି ସବୁ ଶପଥ, ଆଉ, “ହାତ ଛିଣ୍ଡି ପଡ଼ିବ, ଗୋ’ ପୋ ମରିଯିବେ, ଆଖି ଫୁଟିଯିବ”, ଏହିପରି ସବୁ ରାଣ । ଆରପାଖେ ସାହୁକାରର ଖୁରଧାର ପରି ଶାଣୁଆ ଯୁକ୍ତି, ସବୁ କଥାରେ କାଗଜପତ୍ରକୁ ନଜିର୍,– “ପୋଥି ଦେଖ୍, –ରେକଡ଼ ଦେଖ୍, –କି କାଗଜ ଅଛି ବାହାର କର, ରସିଦ ଅଛି କି ?”

 

ତିନି ଚାରି ଘଣ୍ଟା ଚିତ୍କାର ପରେ ପାଟି ଘୋଳି ହେଲାରୁ କନ୍ଧମାନେ ଲେଉଟି ଗଲେ । ପଞ୍ଚାତି ସରିଲା । ସାହୁକାର ତାକିତ୍ କରିଦେଲା ।

 

“ବେଶି ଗୋଳମାଳ କଲେ ପୁଲିସରେ ଜଣାଇବି । ଇଚ୍ଛା ଥିଲେ ଦାବା କରିଆସେ । ପୋଥି ଦେଖ, ରେକଡ଼୍ ଦେଖ । ଧରମ୍ କୋଟ୍ ଅବଶ୍ୟ ମୋତେ ଧରମ କରିବେ, ଦାବା କରିଆସେ ।”

 

ପଞ୍ଚାତି ସରିଲା । ସାହୁକାର ଡେଙ୍ଗୁରା ପିଟି ଜଣାଇଲା ।

 

“କନ୍ଧମାନେ ଏଥର ବଜ୍ଜାତି କଲେ ଆର ବାଇଦାରେ ଏ ଅଞ୍ଚଳକୁ ଅଧିକାରୀମାନଙ୍କ କମାନ୍ (ଗସ୍ତ) ପଡ଼ିଲେ ଅବଶ୍ୟ ସେ ଜଣା କରିବ । ବୁଝି ହୁସିଆର ।”

 

ଆଉ ଅଡ଼ୁଆ ରହିଲା ନାହିଁ ।

 

ଦିନେ ସଞ୍ଜବେଳେ ଫୂର୍ତ୍ତି କରିବାକୁ ଗୋତିମାନଙ୍କୁ ସାହୁକାର ଗୋଟିଏ ଟଙ୍କା ପକାଇ ଦେଲା !

 

ଉଦୁଉଦିଆ ଦି’ ପହରରେ ଜ୍ୟେଷ୍ଠର ଉଦାସୀ ଖଣ୍ଡିଆ ଭୂତ ଉଡ଼େଇ ଚକାଭଉଁରି ଖେଳି ଖେଳିକା ତଷା ହୋଇଥିବା କ୍ଷେତ ଉପରେ ଧୂଳି ପଡ଼ିଯାଏ । କାମ କଲା ଭୂଇଁରେ ପିଲାକବିଲା ଘେନି ବସି ଲାଉତୁମ୍ବାରୁ ପତ୍ରଠୁଙ୍ଗାରେ ଅଜାଡ଼ି ଦ୍ୱିପ୍ରହରର ‘ପେଜ୍‍’ ମନ୍ଦିକ ପିଇଲାବେଳେ ପେଜ୍‍ ଠୁଙ୍ଗାରେ ଧୂଳିପଡ଼େ ମୁଣ୍ଡବୁଲା ପବନର । କେହି ଛି ବୋଲି କହେ ନାହିଁ । କଳରବ କରି ହସିଉଠି ଚାଷୀ ପବନକୁ ଟାକିଯାଏ । ପୁଣିକାମ ଲାଗେ । ନିଜେ କ୍ଷେତରେ କାମ କରିବାକୁ କେଡ଼େ ଉତ୍ସାହ-! ତଷା କ୍ଷେତ ଉପରେ ତତଲା ମରୀଚିକାର ଢେଉ ଉପରେ ସତେ କି ଆସନ୍ତା ସାବଜା ଫସଲ ଗୋଛା ହୋଇ ମୁଣ୍ଡ ନୁଆଇଁ ହସିଉଠେ । ସାବଜା୍ ଯାଏ, ଆସେ ସୁନାର ମଉଛବ, ଯାହାର ପରମ୍ପରାର ଡୋରରେ ଗଣ୍ଠି ପଡ଼ି ପଡ଼ି ଲମ୍ବି ଯାଇଛି କେଉଁ ହଜିଲା ପିତୃପୁରୁଷ ଅମଳକୁ ।

 

‘ଏଇ ଦାଦି ଗାଓ ଏଁ, ଏଇ ମାମୁଁ ଗାଓ ଏଁ । ’

 

ବର୍ଷକୁ ବର୍ଷ ଆସେ ସେ, ଥାଳିର ଭାତ, ଧିଅର ଲୁଗା, ଗଜୁରି ଆସେ ମାଟି ଭିତରୁ ମୁଥ ମୁଥ ହୋଇ, ଥାଳ ଉଲୁସେଇ, ମନ ଉଲୁସେଇ ।

 

ଟାଣୁଥିବା ଫିଙ୍ଗୁଥିବା ନିଃଶ୍ୱାସ ପରି ଅତି ସହଜ ସେ, ଯୁଗ ଯୁଗର ପାଚି । ଯାଉ ପଛେ ଭାଗେ କାଉ, ଘରଚଟିଆ, ଝିଣ୍ଟକା, ପିମ୍ପୁଡ଼ି ମୁହଁରେ, ହିଡ଼ ମୁଣ୍ଡରେ ଆଁ କରି ଚାହିଁଛନ୍ତି ଯେଉଁମାନେ, ନିଅନ୍ତି ଶୋଷି ଯେତେ ତାଙ୍କର କରାମତି ।

 

ସବୁଯାଇ ଗଣ୍ଡିଏ ବଳିବ, ଧୂଆ ହସରେ ବା ଲୁହପାଣିରେ ଭିଜେଇ ଜିଭରେ ଲଦିବାକୁ, କାଠୁଆ ଫଟା ଠାଇ ଠାଇ ଜିଭର ଫାଙ୍କରେ କେତେ ରସ ଉପୁଜିବ ସେତିକିରେ ଗଣ୍ଡିଏ ଭାତ, ଦିନକୁ ହେଉ ବା ଛ’ମାସକୁ ହେଉ, –ଆପଣା ହାତରେ କାରସାଦି, ନିଶ୍ୱାସରେ ତାତି, ଛାଳରେ ସିଝି ମାଟିପଣରୁ ଭାତପଣକୁ ଆସିଛି ସେ – ନାଚ ସେତିକି ପାଇଁ !

 

ଏହିପରି କେତେ ଦିନ ବିତିଯିବ । ପାଚି ପାଚିରେ ବର୍ଷ ଗଣା ହୋଇ ଏଇ ପାଚି ସାଙ୍ଗରେ ପରଜା ଝଡ଼ିପଡ଼ିବ ବୁନିଆଦି ମାଟିରେ । ପୁଣି କେତେ ଆସିବେ, ପାଚି ଗୋଟାଇବାକୁ ।

 

କିଏ ପଚାରେ ଦିଲ୍ଲୀର ମସ୍‍ନଦ୍‍ର କିଏ ବସିଚି ତାକୁ ? ଦର୍ତନୀ ମାଆ ନିଶାଣିମୁଣ୍ଡା ତା’ର ହିସାବ ରଖେ ନାହିଁ, ମୁସଲିମ୍‍ ଅଓଁରଂଜେବ୍ କି ମରହଟ୍ଟା ଶିବାଜୀ ?– ସିରାଜ୍ ଉଦୌଲା କି ଓ୍ୱାରେନ୍ ହେଷ୍ଟିଂସ୍ ?

 

ପରଜା ଖାଲି ଜାଣେ– ହିଡ଼ମୁଣ୍ଡିଆ ଅଛି ଜଣେ, – ହିଡ଼ମୁଣ୍ଡିଆ ଜଣେ ବସିଥିବ ହାତ ପାତି ଯାହା ହେଉ ତା’ର ପରିଚୟ, ରାମ ବା ରାବଣ ।

 

କାହାର କଳିଗୋଳରେ ତା’ର ଯାଏ ଆସେ କେତେ ? ବା କାହାର ବାହା ନିମିତ୍ତରେ ? କେବେ କେଉଁ ବଡ଼ ମଣିଷର ଜନ୍ମଦିନ, କେବେ କାହାର ଶ୍ରାଦ୍ଧ ବା କିଏ ତା’ର ଯାଉଛି କଳି ବସିବାକୁ ? କ୍ଷେତ ଚାରିପାଖେ ହିଡ଼େ ହିଡ଼େ ଦୃଷ୍ଟି ବାନ୍ଧିହୋଇ ରହେ । ଏହିପରି ଦିନ ସରିଯାଏ ।

 

ତଳେ ବସୁମତୀ, ଉପରେ ଧରମ୍ ।

ମୋଟେ ଏତିକି ।

 

କ୍ଷେତ ଉପରେ କିମିଆଁ ଉପୁଜେଇ ଜ୍ୟେଷ୍ଠର ଖରାଏ ଖରାଏ ଯେତେବେଳେ ଚାଷୀ ମାତି ରହିଥାଏ ସୁକୃଜାନି କ୍ଷେତ ଖଣ୍ଡେ ପଡ଼େ ପଡ଼ିଆ । ଭାଗ ଧରିବାକୁ ଗାଁର କେହି ମଙ୍ଗିଲେ ନାହିଁ । ନାଇକ ସ୍ପଷ୍ଟ କହିଦେଲା – “ଭାଗ କାହିଁକି ? ଯଦି ସୁକୃଜାନି ନ ପାରିବ, ଜମି ଛାଡ଼ିଦେଉ, ଆଉ କିଏ ହେଲେ କରି ଖାଇବ । ଜମି ତ ସେ ଆପେ ନାଁଦାର୍ ଲେଖି ଛାଡ଼ିଦେବ, ଆଜି ନଇଲେ କାଲି, କିଏ ଭାଗ ନେବାକୁ ମଙ୍ଗିବ କାହିଁ ?” ବଡ଼ ସତ କଥାଟା; ବିନ୍ଧିଲା ଜିଲିର ପଞ୍ଜରା ଭିତରେ ।

 

ଦିନ ଆସିବ, ଜମି ଛାଡ଼ିଦେବାକୁ ବାପବୁଢ଼ା ବାଧ୍ୟ ହେବ । ଫସଲ ପାଇବା ତ କାହିଁ କେତେ ଦୂର, ଜମିକୁ ପଡ଼ିଆ ଛାଡ଼ି ଜମିରୁ ଶିସ୍ତୁ (ଖଜଣା)ଦେବାକୁ କାଠିକ୍‍ର ପାଠ ହେବ । ଏଇ ଅପ୍ରିୟ ଭବିଷ୍ୟତଟା ଆସନ୍ତା ମେଘମାଳ ପରି ମୁଣ୍ଡ ଭିତରେ ଗୋଳମାଳିଆ ହୋଇ କେତେ ଆଡ଼ୁ କେତେ ରୂପରେ ଆସି ଗୋଟାଏ ନିର୍ଦ୍ଦିଷ୍ଠ ଆକାର ଧରେ । ଛାତି ଭିତର କ’ଣ ହୋଇଯାଏ ।

 

ଦିନ ଆସିବ, ଏ ଗାଁରେ ଜମି ବୋଲି ତାଙ୍କର କାଣିଚାଏ ରହିବ ନାହିଁ । ତା’ ପରେ ? ଖାଲି କୁଲିଭୂତି ସିନା ? ତାହା ବା ମିଳିବ କେଉଁଠି ?

 

ପଡ଼ିଆ ଭୂମି ଟାଙ୍ଗରା ହୋଇ ପଡ଼ିରହେ ଚାରିପାଖର ଗର୍ଭିଣୀ ଭୂଇଁ ମଝିରେ । ବାଟେ ବାଟେ ଜିଳି ବିଲି ଫମ୍ପା ହାଣ୍ଡିରେ ପାଣି ଅଜାଡ଼ିବାକୁ ଗାଁ ତୁଠକୁ ଗଡ଼ିଯାଆନ୍ତି । ଘରେ ଖାଦି ନାହିଁ । ଆମ୍ବ କୋଇଲି ନୋହିଲେ ତେନ୍ତୁଳି ଶସ ଛେଚି ଛିଣ୍ଡାକନାରେ ବାନ୍ଧି ପାଣିଧାରରେ ବାନ୍ଧି ଦେଇ ଆସନ୍ତି ଗୋଟାଏ ଖୁଣ୍ଟାରେ । ସେହି ହେବ ଖାଦି । ଜଙ୍ଗଲରୁ କନ୍ଦା, ପତ୍ର, ଡାଳ । କେବେ କେଉଁଦିନ ମିଳିଲେ ବଣବିରୁଡ଼ି ଟେଙ୍କର’ର ଫେଣା ସିଝେଇ ଝୋଳ । ମୂଷା, ଢେମଣାସାପ, ଚଢ଼େଇର ଡିମ୍ବ, କାଈ ମହୁଫେଣାର ଡିମ୍ବ, ଏସବୁ ଅଣ୍ଡିରା ପିଲାଏ ପାଇବେ । ମାଇପୀ ଘରେ ଏ ଆନନ୍ଦ ସ୍ୱପ୍ନ । ଝରିପୋକର ଦିନ ଆସି ନାହିଁ, ନୋହିଲେ ଜଳଖିଆଟା ଚଳନ୍ତା ।

 

ପେଟ ଭିତରେ କେତେ ପ୍ରକାର କୋଳାହଳ ହୁଏ । କେତେ ଛଳଛଳ ଅଶୁଣା ଶବ୍ଦ । ମନ ଘାଉଳି ହୁଏ ଦିନ କାଟେ ।

 

କିନ୍ତୁ ହାଟ ଦିନ, ଛିଣ୍ଡା ହେଉ ପଛେ ସଫା ପରଜା–ପାଞ୍ଚିଆ ଖଣ୍ଡେ ଖଣ୍ଡେ ପେଡ଼ିରୁ ବାହାରେ । ଠଣାରୁ ଭଙ୍ଗାବୋତଲ ତଳିତଳା କାଣ୍ଟିଆ କାଣ୍ଟିଆ ଜଡ଼ାତେଲ ପୋଷେ । ତା’ପାଖେ ବୁଢ଼ା କାଠପାନିଆ, ଏଠୁ ସେଠୁ ଦାନ୍ତ ଗୋଟା ଗୋଟା ଉପୁଡ଼ି ପଡ଼ିଛି । ପ୍ରସାଧାନ ସରେ । ଉଠି ଓଦା ମୁହଁରେ ତେଲହଳଦି ଟିକିଏ ବୋଳି ଚିକ୍‌କଣ ଜୁଡ଼ାରେ ଅଁଳା ଫୁଲ ମେଞ୍ଚାଏ ଖୋସି ତୁଛାକୁ ଦି’ ଭଉଣୀ ହାଟକୁ ବାହାରି ଯାଆନ୍ତି । ଅଣ୍ଟାରେ ଦି’ ଦିଟା ପଇସା । କେତେ ହାଟରେ କାଚ ପସରା, ମୁଆଁ ପସରା ପାଖେ ପଇସା ଦି’ଦିଟା ବାହାରି ପଡ଼ିବାକୁ ଅଣ୍ଟାରେ ଖଲ ଖଲ କୁତୁ କୁତୁ ଲାଗିଛି, ମୁହଁ ଉଜ୍ଜ୍ୱଳ ହୋଇଉଠିଛି । କିନ୍ତୁ ଅଣ୍ଟାପାଖେ ଦୋ ଦୋ ପାଞ୍ଚି ହୋଇ ହାତ ପୁଣି ଲେଉଟି ଆସିଛି । ସାମ୍ନାରେ ଆର ହାଟ ଟା ।

 

ଚାରି କୋଶ ଯିବା ଚାରିକୋଶ ଆସିବା ଅତି ଅଳ୍ପକେ କଟିଯାଏ । ବାଟରେ ହସ, ନାଚ, ଖୁସିଗପ । ଟୋକୀଦଳ ଟୋକାଦଳ ଭିତରେ ବାଟ ଚାଲୁ ଚାଲୁ ମଗଣ ଗୀତ । କିଛି ଯେପରି ହୋଇନାହିଁ । କ’ଣ ବା ହୋଇଯାଇଛି ଯେଉଁ ପର୍ଯ୍ୟନ୍ତ ପ୍ରାଣଟା ରହିଛି ? କେବଳ ସେତିକି ଲୋଡ଼ା, ଆଉ କିଛି ନାହିଁ ।

 

ଏଇ ମାସଟା କଟିଲେ ଗଲା । ତା’ ପରେ ଧାନ, ମାଣ୍ଡିଆ ଗଜା ହେବ । ଘାସବଛା, ଚାରାପୋତା, ‘ନିଜାନି’ ‘ରୋପାନି’ ଗାଁରେ କାମ ବଢ଼ିବ । କୁଲି ମିଳିବ । ପେଟ ଅପୋଷା ରହିବ ନାହିଁ ।

 

ବାକି, ମନଟା । ସେଇ ପାଣି ଆଣିଯିବା ବାଟେ ପେଜ୍‍ବେଳରେ,–

 

କିଛି ଆଗରୁ ବାଟ ପାଖର ନୂଆ ତିଆରି ଘରଦାଣ୍ଡରେ ବସି ବାଗ୍‍ଲାଜାନି ହାଣ୍ଡିରୁ ପାଣି ଅଜାଡ଼ି ଗାଧୋଉ ଥାଏ, ଲାଉ ଅଣକାରେ ଉଷୁମପାଣି ଡଙ୍କି ଡଙ୍କି କରି କାଜୋଡ଼ି ତା’ ପିଠିରେ ଅଜାଡ଼ି ଦେଇ ପିଠି ଘଷି ଦେଉଥାଏ । ପରଜା ଦେଶର ରୀତି ଏ, ବେଳକାଳକେ ସ୍ତ୍ରୀ ସ୍ୱାମୀକୁ ଗାଧୋଇ ଦିଏ, ଏଥିରେ ଲାଜ ନାହିଁ କିଛି । ଖାଲି କୌପୁନୀ ଖଣ୍ଡେ ମାରି ହୋଇ ପିଢ଼ା ଉପରେ ଗୋଡ଼ ଲମ୍ବେଇ ବସି ବାଗ୍‍ଲାଜାନି ଆଖି ବୁଜି ବୁଜି ଗାଧାଏ, କାଜୋଡ଼ି ପାଣି ଅଜାଡ଼େ ।

 

ସେଇବାଟେ ଯାଏ ଜିଲି ।

 

ଟହ ଟହ ହସି କାଜୋଡ଼ି କେବେ ପଛରୁ ଡାକ ପକାଏ –‘ଏ ସାରିଆଧାନ’ ଜିଲି ପଳେଇ ଯାଏ । ପଛରୁ ସ୍ୱାମୀ–ସ୍ତ୍ରୀଙ୍କର ହସ ଶୁଭେ ।

 

କ୍ରମେ ବାହାର ଲୋକ –ଆଚାରକୁ ଏ ମଧ୍ୟ ଆରେଇ ହୋଇଯାଏ । କିନ୍ତୁ ମନଟା ଫମ୍ପା ପଡ଼ି ରହେ ।

 

ନାଚ ଶେଷରେ ନିଶା ଅନ୍ଧାରରେ ଘରେ ବିଛଣା ଧରିଲାବେଳକୁ ଏଇ ଫମ୍ପା ମନଟା ହାକୁ ହାକୁ ହୁଏ ।

 

ନିଦ ଘୋରରେ ମୁଣ୍ଡତଳ ମୁଚୁଳା ତିନ୍ତିଯାଏ ।

 

ଡମ୍‌ସାହି ବାରିକର ଝିଅ ଦୀପ୍ତିମନୀ ଆସିଥିଲା ନିଆଁ ଟିକିଏ ପାଇଁ ସଞ୍ଜବୁଡ଼େ । ପଛପଟର ସେ ଶଳପ ଗଛ ପଡ଼ିଆ ଡେଇଁଲେ ତାଙ୍କ ଘର । ଏବେ ସେ ପ୍ରାୟ ଆସେ, ସାହିଯାକେ ବୁଲେ ନିଆଁ ଖୋଜି ।

 

‘ମାଥିଅ ଗୁରୁ ଆସିଥିଲା’

‘କିସ୍‌ ହେଲା ?’

 

‘କୋରାପୁଟରୁ ଲଛିପୁର ପୁଣି (କୁଆଡ଼େ) ଯାଇଥିଲା, ସେଠାକୁ ଲେଉଟାଣି ଆସିଥିଲା-। ’

 

‘କିସ୍‌ ହେଲା ?’

‘ଆସାମରେ ପୁଣି ରୋଟ୍‌ (ରୋଡ଼୍‌) ହେଉଛି, ଲୋକ ବହୁତ ଯାଉଛନ୍ତି । ’

‘ପଛେ (ତା’ ଉତ୍ତାରୁ ?)’

 

‘ଲଛ୍‌ମୀପୁର୍‌ ସଭା–ଇନିସପିଟ୍‌ (ସବ୍‌ଇନିସପେକ୍‌ଟର) ପୁଣି ଗୋଟେ ବାଘ ଖାଉ ପଞ୍ଚାତିକୁ ଯାଇଛି, ଫେରି ନାହିଁ ।’

 

‘ହୁଁ’

 

ସଡ଼କ୍‌ ବାଟରେ ଜୁରିଆମନ୍‌ (ଡକେଇତମାନେ) ପୋଡ଼ାଗଡ଼ ପାଖେ ଗୋଟେ ଶଗଡ଼୍‌ ଲୁଟିଛନ୍ତି ।

 

‘କାହାରଟା ।’

 

‘ଜଣାନାହିଁ । ଅଧିକାରୀମାନେ ରଇତ୍‌ମନ୍‌ ଲଗାଇବାକୁ କମଳା ଚାରା ଆଉ ମୂଳା ମଞ୍ଜି ବାଣ୍ଟୁଛନ୍ତି ।’

 

‘ହୁଁ’

 

‘ନିଗାମନ୍‍ (ଅର୍ଥାତ୍‌ ଜଇପୁର ଅମିନ) କମାନ୍‌କୁ ଆଇବ ଡୁମ୍ବାଗୁଡ଼ା ବାଟ୍‌କୁ ଶିସ୍ତୁ ଅସୁଲ କରି ।’

 

‘ହୁଁ’

‘ସାଇବ (ଅର୍ଥାତ୍‌ କୋରାପୁଟର ଜର୍ମାନ୍‍ ପାଦ୍ରୀ)କୁ ଟିକିଏ ଜର୍‍ ହେଇଚି ।’

‘ତା’ ପରେ ?’

 

ଧରମ୍‍ ଦୁଆର ପାଖେ କୁଆଡ଼େ ରୋଟ୍‌ ମରାମତି ହୋଇ ପକ୍‌କା ହେଉଛି । ସେଥିପାଇଁ କୁଲି ଯୋଗାଡ଼ କରିବାକୁ କିଛି କାଣ୍ଟ୍ରାଟିର ଗୁମାସ୍ତା ଟଙ୍କା ଧରି ଗାଁ ଗାଁ ବୁଲୁଛି ।

 

‘ଆମ ଗାଁକୁ ଆଇବ କି ନାହିଁ ?’

 

‘ହଁ ଆଇବ ଏବେ କେବେ । ମାଇନ୍ନା (ମାଇକିନିଆ) ଦିନ୍‌କେ ଦୁଇ ଅଣା ଅଣ୍ଡ୍ରା ଦିନ୍‌କେ ତିନିଅଣା ।’

 

‘ଗଲେ ଆସି ନ ହୁଏ ?’

 

‘ଆଇବା କିସ୍‌ ଲୋଡ଼ା ? ସେଠି ଘର ଦେବେ ରହିବାକୁ । ଏତେ ଦୂର୍‌କେ ଯିବ, ଆଇବ-?

 

‘କି ପାଇଟି ?’

‘ମାଟି ବାଲି ବୋହିବାର୍‌, ପାଣି ଆଣିବାର୍‌, ଆର୍‌ କିସ୍‌ କିସ୍‌ ସାନ୍‌ଟ । ’

‘ଆମ ଗାଁରୁ କେହି ଯିବେ କି ?’

‘ଆମ ସାହିରୁ ଆମେ ସତେ ଯିବୁ ମୁଁ ।’

 

ଜିଲି ବିଲି ଦୁହେଁ ଆଗ୍ରହରେ ଖୋଳିତାଡ଼ି ପଚାରି ଗଲେ । ଦୀପ୍ତିମନୀ ପାଉଁଶଗୁଡ଼ିଏ ସରାରେ ଧରି କ୍ରମେ ବସିପଡ଼ି ଗପିଲା ।

 

ବଣ ରାଇଜକୁ ତୁଣ୍ଡବାଇଦରେ ଖବର ଆସିଛି କାଣ୍ଟ୍ରାଟିର କୁଲି ଲୋଡ଼ା ।

 

ଦିନକୁ ଦୁଇ ଅଣା–ମାସକୁ ତିନି ଟଙ୍କା–ଦଳରେ ରହିବାର ବୁଲିବାର ମଉଜ–ନୂଆ ଜାଗା, ଫୂର୍ତ୍ତି ।

 

ସେଠି ମାଣ୍ଡିଆ ପେଜ୍‍ ମିଳିବ, ପେଟଭର୍ତ୍ତି, ଜୁଡ଼ା ଭସେଇ ଜଡ଼ା ତେଲ ବୋହିଯିବ, ଗଭା ଲୁଚେଇ ଫୁଲ, ସାବୁନ ।

 

ସେଠି ନ ଥିବ କନ୍ଦାଖୋଜା, ଆମ୍ବଟାଙ୍କୁ ପାଗକରା ।

ସେଠି ସ୍ୱାଧୀନ ଜୀବନ, ଖୋଲା, ମେଲା ମନଇଚ୍ଛା ।

ଆଉ–ସେଠି ଥିବେ ଧାଂଡ଼ା ।

 

କିଛିଦିନ ପରେ ଦିନ ଦି’ପହରେ ଦୁଇ ଭଉଣୀ ପାଖ ଜଙ୍ଗଲର କରେ କରେ ଶାବଳଟିଏ ଧରି କନ୍ଦା ଖୋଜି ଚାଲିଥାନ୍ତି, ଏକୁଟିଆ । ଉଦୁଉଦିଆ ଖରା ଖଙ୍କରା ପଥୁରିଆ ଭୂଇଁ ସହଜେ ତାତିଯାଏ । ଗୋଡ଼ରୁ ଖୋଳପା ଛାଡ଼େ । ଆଜି ଖାଦି ଖେଟି ନାହିଁ । ପେଟ କାଁ କାଁ ଡାକୁଛି । ନିର୍ଜନ ନିଛାଟିଆ । ବାଁଏଁ ଦରଶୁଖିଲା ଝୋଲା, ଡାହାଣେ ପାହାଡ଼ । ପାହାଡ଼ ପାଲି ପାଲି ଅଧା ପାଚିଲା ଟାଆଁସିଆ ପୁରୁପୁରୁକା ବାଳ ପରି ଶୁଖିଲା ବଣ । ତାହାରି ଭିତରେ ଏଠି ସେଠି କନ୍ଦା-ଖାଲ, ବଡ଼ ବଡ଼ ଖନ୍ଦକ ଖୋଳି ଲୋକେ କନ୍ଦାମୂଳ ଉଠାଇ ନେଇ ଯାଇଛନ୍ତି, ଆଉ କନ୍ଦା ଦିଶୁ ନାହିଁ ।

 

ଶୋଷରେ ଆକ୍ରାନ୍ତ ଝୋଲାମରା ପାଟି ପାକୁ ପାକୁ ଦୋଓଟି ବଗ ପରି ଦୁଇଭଉଣୀ ଡଗ ଡଗ ହୋଇ ଏଠୁ ସେଠିକି ସେଠୁ ଏଠିକି ଚାଲିଯାଆନ୍ତି । ଥୁଣ୍ଟା ଗଛର ଛାଇରେ ଟିକିଏ ବସିପଡ଼ି ପୁଣି ଉଠିପଡ଼ି ଖୋଜନ୍ତି ।

 

କନ୍ଦା ଆଜି ଅଦୃଶ୍ୟ ।

ବିଲି କହିଲା, ‘ଫେରିଯିବା ଚାଲ, ହେଇ ଦେଖିଲୁ, କେତେ ଦୂର ଆମେ ଆସିଲୁଣି ।’

ଜିଲି କହିଲା, ‘ଫେରିଯାଇ କଅଣ ହେବ ? ଚାଲ୍‌ ଦି’ଖୋଜ ଆହୁରି ଆଗକୁ ।’

‘କଣ୍ଟ୍ରାଟି ସତେ ଆସିବ ଅପା ?’

‘ମତେ କି ଜଣା ? ବାରିକ୍‌ ଡମ୍‌ କହୁଥିଲା । ’

‘ହେଲେ ଯିବା ନା ?’

‘ଗାଁର ଲୋକେ ଗଲେ ଆମେ ନ ଯିବା କାହିଁକି ?’

‘ଘର ?’

‘ତାଟି କିଳିଦେବା ।’

‘ବାପା କ’ଣ କହିବ କେଜାଣେ ?’

 

ଗୋଟାଏ ଗୋଜିଆ ତତଲା ଗୋଡ଼ି ଜିଲି ପାଦରେ ଭୁସି ହୋଇଗଲା । ଶାବଳଟା ହାତରୁ ଖସି ପଡ଼ିଲା । କହିଲା, ବାପା ? କିଏ ପଚାରେ ବାପାକୁ ? କ’ଣ ରଖାଯାଇଛି ଆମ ପାଇଁ-? ହେଇଚି, ତୁ ଆଉ ମୁଁ ଖରାଏ ଖରାଏ ନିତିଦିନ କନ୍ଦା ଖୋଜି ବୁଲୁଥାଇଁ, କୋଉଠି ଅଛି ବାପା ?

 

କେତେଦିନୁ ଖାଦି ଗଣ୍ଡାଏ ଭଲକରି ମିଳୁ ନାହିଁ, ଯାହା ତାହା ଗିଳି ପାଣିରେ ପେଟ ଭର୍ତ୍ତି କରୁଥାଇଁ । କେଉଁଠି ଅଛି ବାପା ?

 

ଘର ତା’ର ପଡ଼ିଥାଉ । ମୋର ତ ଏମିତି ମନ ହେଉଚି ଏତେ ଲୋକ ଆସାମ୍‌ ଯାଉଛନ୍ତି ହେଲେ ଆମେ ମିଶା (ମଧ୍ୟ) କେମିତି ଚାଲିଯାଆନ୍ତେ । ଖାଲି ସାଙ୍ଗରେ ନେବାକୁ କେହି ନାହିଁ । କେମିତି ଯିବାକୁ ହଏ, ଆମକୁ ଜଣା ନାହିଁ ।

 

 

ତିନିକା ତିନିହେଁ ଶୋତ୍‌ (ଅର୍ଥାତ କୁଣିଆଘର) ଗଲା ପରି ଚାଲିଗଲେ, ଖବର ଅନ୍ତର ଟିକିଏ ବୁଝିବାକୁ କେବେ ନାହିଁ । ଆଉ ସମସ୍ତେ ଯିବେ ରୋଡ଼୍‌ ପାଇଟି କରି, ପଇସା ଆଣିବେ, ବାପାକୁ ଅପେକ୍ଷା କରି ଏରୁଣ୍ଡି ଉପରେ ବାଟ ଚାହିଁ ଆମେ ବସିଥିବା, ନୁହେଁ ?”

 

“ହେଇଲୋ ଅପା, ହେ ସେ ବାଟଟା ଭାଲୁଗାଡ଼୍‌ ।”

 

ଏଇ ଭାଲୁଗାଡ଼୍‌ରେ ସମ୍ବାରୀକୁ ବାଘ ଖାଇଥିଲା । ଜ୍ୟେଷ୍ଠରେ ବଣ ନାହିଁ, କିନ୍ତୁ ଦି’ପହରେ ବାଘ୍‌ ଡୁମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ ତାଙ୍କରି ପ୍ରେତ ସେ । ପିଲା ପରି ଚେହେରା, ମାଈ ଅଣ୍ଡିରା ଜଣାପଡ଼େ ନାହିଁ । ମୁଣ୍ଡ ନାଲି, ତୁଣ୍ଡ ନାଲି, ଆଖି ନାଲି, ଦେହଯାକ ବଡ଼ ବଡ଼ ରୁମ । ଲୋକେ କହନ୍ତି, କେତେ ପ୍ରକାର ଶବ୍ଦ କରେ ସେ । କୁନ୍ଥେଇଲା ପରି, ଗର୍ଜିଲା ପରି, କାଠ ଭାଙ୍ଗିଲା ପରି ।

 

ବାଘ୍‌ ଡୁମା ଡରାଇ ଡରାଇ ଖେଦେ ।

 

ଆପଣାର କଥାଗୁଡ଼ାକ ପାହାଡ଼ କରେ କରେ ଫମ୍ପା ଗଳାରେ ଆଉ କାହା ତୁଣ୍ଡରରୁ ବାହାରିଲା ପରି ଲାଗୁଥିଲା ଜିଲିକୁ । ଦେଖିଲା ବହୁତ ଦୂରକୁ ମାଡ଼ି ଆସିଲେଣି ସେମାନେ । କେହି କୁଆଡ଼େ ନାହିଁ, ଝୋଲାର ପାଣି ଫୁଟୁଛି । କ୍ଷେତେ ଉପରେ ଖରାରେ ଢେଉ ନାଚୁଛି । ପାହାଡ଼ ଘୁମୋଉଛି ।

 

ମୁହଁରୁ ଗାଲରୁ କେରା କେରା ଝାଳ ପୋଛିଦେଇ ଲେଉଟି ପଡ଼ି କହିଲା “ଯୁଃ ।”

 

ସାହୁକାର ଆଗ ଦୋଛକି ଉପରେ ଗଣ୍ଠି ଗଣ୍ଠିଆ ପୁରୁଣା ବାଡ଼ି ଉପରେ ଦୁଇହାତରେ ଭରା ଦେଇ ସର୍ଷୁପଦର ଗାଁର ବୁଢ଼ା ବାରିକ୍‌ ପଚାରିଲା ଗୋଟିଏ ପିଲାକୁ–

 

“ଆମ ଗାଁର ସୁକୃ ପରଜା ଅଛି ଏଠି ?”

ପିଲା କହିଲା, “ମତେ ଜଣାନାହିଁ ।”

ବୁଢ଼ା ବାରିକ୍–ଡମ୍ ପଚାରି ପଚାରି ଗଲା ସେ ପାଖର ସେ ପରଜାଗୁଡାକୁ ।

ବେଳ ଦି’ ପହର । ସୁକୃ ପରଜା ବସି ବସି ପେଜ୍‍ ପିଉଥାଏ, ପାଖରେ ମାଣ୍ଡିଆ ଟିକ୍ରା ।

ବାରିକ୍‌ କହିଲା, “ନାଇକ୍‌ ପଠାଇଲା ମତେ ।”

 

କିଛି ସମୟ ସବୁ ତୁନି ତାନି, ବାପପୁଅ ଅପ୍ରସନ୍ନ ମୁହଁରେ ପେଜ୍‍–ଭର୍ତ୍ତି ପତ୍ର ଚୌକନିକୁ ମୁହଁ ଉପରେ ମଠେଇ ମଠେଇ ଉଗୁଡ଼େଇ ଧରିଲେ ।

 

“ଶୁଣୁଚୁ ?”

“ହଁ”

“ଦି’ ବର୍ଷର ଭୂମି ଶିସ୍ତୁ ଡଙ୍ଗର୍‍ ଶିସ୍ତୁ ବାକି ଅଛି ।”

“ହଁ”

“ଅମିନ୍‌ ଆସୁଛି, ଦଶ୍‌ମନ୍ତ୍‌ପୁର୍‌ ବାଟେ ଅଛି ।”

“ହଁ”

“କିସ୍‌ କହୁଚୁ ?”

 

“ଆମର ଦିକୁ (ଅବସ୍ଥା) କ’ଣ ନାଇକକୁ ଜଣା ନାଇଁ ? ଘରେ ପିଲା ଟୋକୀ ଉପାସରେ ପଡ଼ିଛନ୍ତି, ଆମେ ଏଠି ବନ୍ଧା । ଚାରି ଚାରି ଟଙ୍କା ଆଠ୍ ଟଙ୍କା ଶିସ୍ତୁ ଏବେ ଦେବୁ କୋଉପରି ଆମେ ?”

 

“ନାଇକ୍ କହି ପଠେଇଚି, ଏମିତି ମୋଡ଼ିଦେଲେ (ଅମାନ୍ୟ କଲେ) ହେବ ନାହିଁ । ସବୁ ଲୋକର୍ ଶିସ୍ତୁ ପାଇଁ ଘରୁ ଟଙ୍କା ଦେବା ପାଇଁ ତା ଘରେ ଏତେ ଟଙ୍କା ନାଇଁ । ମୁଇଁ ବାରିକ୍ ମଧ୍ୟେ ତୁମର୍ ଶିସ୍ତୁ ଅସୁଲ କରିବାକୁ ବୁଢ଼ା ବୟସରେ ଡଙ୍ଗର୍ ପାହାଡ଼ ଚଢ଼ି ଏ ଗାଁରୁ ସେ ଗାଁ ସେ ଗାଁରୁ ଏ ଗାଁ ବୁଲିବାକୁ ଦେହରେ ଖଣ୍ଡେ ବପୁ ନାଇଁ, ବିସ୍ତାର୍ ପୀଡ଼ା । ହେଲେ ଟଙ୍କା ଦେବାର ଥିଲେ ପୂର୍ଣ୍ଣମୀ ଆଗରେ ନେଇ ପହଞ୍ଚେଇ ଦିଅ, ନ ହେଲେ ଭୂମି ବିଷୟରେ ନାଁଦାର୍ ଲେଖି ଆପେ ଆପେ ଭୂମି ଛାଡ଼ିଦିଅ, ନ ହେଲେ କାହାକୁ ହେଲେ ନାଇକ୍ ଭୂମି ଦେଇଦେବି ବୋଲି କହି ପଠେଇଛି ।”

 

ସୁକୃ ଆଶ୍ଚର୍ଯ୍ୟ ହୋଇ କହିଲା, “ନାଁଦାର୍ !”

ମାଣ୍ଡିଆ ପାଳି ଧରିଲା, “ନାଇକ ଭୂମି ଝିକିନେବ !”

ଟିକ୍ରା ହାତ ମୁଠା କରି ନିଆଁ ନିଆଁ ଆଖିରେ ଅନେଇଁ ଦେଖିଲା ।

 

ବାରିକ୍ କହିଲା, “ ନାହିଁ ତ କିସ୍ ? ତୁମେ ଗୋତି ରହିଲ ବୋଲି ତ ଅମିନ୍ ବୁଝିବ ନାହିଁ-। ରଜାଘର ଲୋକର ଶିସ୍ତୁ ଲୋଡ଼ା । ହେଲେ, ତୁମେ ଗାଁରେ ରହିଲ ନାହିଁ, ବେଠି କଉଡ଼ି, ଜମାନ୍ ଅଧିକାରୀ, ଏ ସବୁ ତୁମେ ନ ପାରିଲ । ନାଇକ୍ ନିଜେ ନିଜେ ତୁମର ଭାଗ୍ ମିଶା ତୁଲେଇଲେ, କିନ୍ତୁ ଶିସ୍ତୁ ଅଟକିବ ନାଇଁ, ନାଇକ୍ ଜାନି ବାରିକ୍ ଏମାନଙ୍କୁ ଅମିନ୍‍ ପାଇକ ଧରି ବସିଲାବେଳେ ତୁମେ ପିଠିରେ ପଡ଼ିବ ନାହିଁ । ତେଣୁ ଖବର୍ଦ୍ଦାର । ପୂର୍ଣ୍ଣମୀ ଆଗରୁ ଟଙ୍କା ନାଇକ୍‌ମୂଳେ ବାନ୍ଧିଦିଅ, ନଇଲେ ଭୂମି ଗଲା ।”

 

କଥାର ଫଳାଫଳ ପାଇଁ ଅପେକ୍ଷା କରିବାକୁ ବାରିକ୍ ଡମ୍‍ ସେଠି ମାଣ୍ଟେଇ ରହିଲା ନାହିଁ । ରଇତମାନଙ୍କ ବିରୋଧରେ ଆପଣାର ଖରାବୁଲା ଡଁଗରଚଢ଼ା ଅଭିଯୋଗ ଭୁଟୁରୁ ଭୁଟୁରୁ ହୋଇ ହୋଇ ବକିବକିବା ବାଡ଼ି ଠକ୍ ଠକ୍ କରି ସେ ଅଦୃଶ୍ୟ ହୋଇଗଲା ।

 

ନାଇକର ହାତ ବାରିସି ସେ, ଗାଁ ବାରିକ୍ ।

 

ବାପପୁଅ ମୁଣ୍ଡରେ ହାତ ଦେଇ ତୁନିତାନି ବସି ରହିଲେ । ସୁକୃଜାନି କହିଲା, “ଭଲା ବେଳ ଉଣ୍ଡି ନାଇକ ଶଙ୍ଖିରୁ ଧରି ପକେଇଲା ।”

 

ମାଣ୍ଡିଆ ସହାନୁଭୂତି ଦେଲା ନାହିଁ । ପିତା ଗଳାରେ କହିଲା, “ମୁଁ କହିଥିଲି କି ନାହିଁ ? ଭୂମି ପଡ଼ିଆ ପଡ଼ିଲା, ତୁଚ୍ଛା ଘାସ ପାଚୁଛି ସେଠି, କାହାକୁ ହେଲେ ବନ୍ଧା ଦେଇଥିଲା କ’ଣ ଖରାପ ହୋଇଥାନ୍ତା ?”

 

ବୁଢ଼ା ସୁକୃଜାନି ବାଇଆ ପରି ମୁଣ୍ଡକୁ ହଲେଇ ହଲେଇ କହିଦେଲା, –“ ନାହିଁ– ନାହିଁ– ନାହିଁ – ନାହିଁ – ନାହିଁ – ନାହିଁ ।”

 

ନାକ ଭୁର୍କୁଣ୍ଡା କରି ମାଣ୍ଡିଆଜାନି ଉଠିପଡ଼ିଲା ସେଠୁ, ଟିକ୍ରା ଉଠିପଡ଼ିଲା, ଗଲାବେଳେ ବାପକୁ ଶୁଣେଇ ଶୁଣେଇ କହି କହି ଗଲା, –

 

“ନଇଲେ ନାଁଦର୍ ଛାଡ଼ି ଦେ, ଭୂମି ଚାଲିଯାଉ । ବନ୍ଧା ହେଲେ ଗୋତିପଣିଆ ଆମର ତୁଟିଥାନ୍ତା, କୁଆଡ଼େ କେମିତି କୁଲିଭୁତି ଦେଖି ପଛେ ଯେମିତି ହେଲେ ଭୂମିକୁ ମୁକୁଲେଇବାକୁ ଚେଷ୍ଟା କରିଥାଆନ୍ତେ । ତୁଇ କଥା ଶୁଣିବୁ ନାହିଁ, ଭୂମିକୁ ଭୂମି ଚାଲଯିବ, ଆମେ ଏଠି ବନ୍ଧା ପଡ଼ିଥିବା ସବୁଦିନ ।”

 

ସମସ୍ତେ ଚାଲିଗଲେ । ନୋଚାକୋଚା ହୋଇ ଏକୁଟିଆ ବୁଢ଼ା ବସି ରହିଲା ଗଛମୂଳେ । ସାମ୍ନାକୁ ଅନେଇଁ ରହିଲା । କ୍ଷେତରେ ଖରା ଜଳୁଛି । ପବନ ଧୂଳି ଉଡ଼େଇ ଯାଇଛି । ସେଠି ତା’ର ଆଖି ନାହିଁ ।

 

ଖରା ଗଲା । ବୁଢ଼ା ବସି ରହିଲା ।

ସଞ୍ଜ ।

 

ଜିଲି ବିଲି ଦି’ ଭଉଣୀ ଥକ୍‍କା ହୋଇ ଘର ଆଗରେ ବସି ରହିଥିଲେ । ଭାବୁଥିଲେ ଆପଣା ଅନଟନ କଥା । ଦିନୁ ଯହୁଁ ଯାଉଛି ଅଭାବ ବେଶି ବାଧୁଛି । ଘରେ ମିଣିପେ ନାହାନ୍ତି । ଭାବି ମରିବାକୁ ଖାଲି ଦି’ଟା ଟୋକୀ, ଯାହାଙ୍କ ହାତରେ ଶାଗ ସିଝବ ନାହିଁ ।

 

 

ଖଦି,– ତା’ର ସ୍ୱଭାବ ସେ ଛିଣ୍ଡେ, ଆଉ ଯୋଡ଼ି ହୁଏ ନାହିଁ । ଖାଦି, –ତା’ର ସ୍ୱଭାବ ସେ ସରେ, ଆପେ କୁପା ଭର୍ତ୍ତି ହୁଏ ନାହିଁ । ଭାବି ହୁଅନ୍ତି ସେହିମାନେ, ଉପୁଜାଇବାର ଶକ୍ତି ଯାହାଙ୍କର ନାହିଁ ।

 

ମିଣିପଙ୍କ ଗିଳିପକେଇଲା ଦୃଷ୍ଟିରୁ ଲଜ୍ଜା ବଞ୍ଚେଇବାକୁ ଯାଇ ତାଳିପକା ଖଦି ଉପରେ ନିତି ନିତି ଡାମ୍ଫଣ ମାଡ଼ ବହୁତ ସରିଛି । ଲୁଗା ଦରହ ହୋଇନାହିଁ । ଆଉ ଏ ପାହାଡ଼ି ଦେଶରେ ସ୍ତ୍ରୀର ଶ୍ରେଷ୍ଠ ସୌଷ୍ଠବ ଖଣ୍ଡେ ଦରହ୍ ଖଦି, ସେ ଯେପରି ଦେହର ଚମଡାକୁ ବଳି ଆହୁରୀ ଦରକାରୀ, ଆହୁରୀ ଆପଣାର ଆଉ ବାସ୍ତବ । ନିତି ନିତି ବାଟଘାଟରେ ଛିଣ୍ଡିପଡ଼ୁଥିବା ଧୋକଡ଼ ସାଙ୍ଗେ ସାଙ୍ଗେ ଆପଣାର ସ୍ଥିତିରୁ କେତେ ଭାଗ ଯେ ଛିଣ୍ଡିପଡ଼ି ଧୂଳିରେ ଲୋଟୁଛି, –ଧାଂଡ଼ୀ ଗୌରବରୁ କେତେପଣ ଆଜି ବସିଲେ ମିଳିବ ନାହିଁ ।

 

ହେଇ, ଗାଁ ଦାଣ୍ଡ ମଝି ପଥର ଉପରେ ଗପ ଶୁଭୁଛି, କେତେ ଲୋକ ସେଠି । କଣ୍ଟ୍ରାଟିର ଗୁମାସ୍ତ ଟଙ୍କା ଧରି ଆସିଛି, ରୋଡ଼ କାମ ହେବ, ଟୋକା ଟୋକୀ ଲୋଡ଼ା ।

 

ତେଣୁ ଅନ୍ଧାର ଅନ୍ଧାର କେତେ ଘର ଦୁଆରବନ୍ଧରେ ମନ୍ତ୍ରଣା ବସିଛି, ସବୁଠି ବାପ, ମା’,ଭାଇ, ଭାଉଜ ତୁଲେଇ ଦେଖୁଛନ୍ତି ଟୋକାଟୋକୀଙ୍କୁ ଛାଡ଼ିବା ନ ଛାଡ଼ିବା କଥା ।

 

ଏ ଘର ଆଗରେ, ବିଚାର କରିବାକୁ ଦୁଇଟା ମୋଟେ ଟୋକୀ ।

 

ଆଉ ତୃତୀୟ ଜଣକ, ଯାହାର ସ୍ୱରୂପ ଦେଖି ହୁଏ ନାହିଁ, ବୁଝି ହୁଏ, – ଫମ୍ଫା ହାଣ୍ଡି, ଛିଣ୍ଡାମଇଳା କନାର କୁଢ଼, ସଞ୍ଜରେ ମଣିଷର ଗହଣରେ ତା’ର ମଧ୍ୟ ସ୍ଥାନ ଅଛି, ଏଇ ଅରୂପର, ଯେ ସ୍ୱପ୍ନରେ ଜୁଆର ଛୁଟାଏ, ଯେ ବାଟ ବତାଏ, ଯେ ଚୁଲି ମଣ୍ଡରେ ଉଷୁମ ପାଉଁଶଗଦା ଉପରୁ ନିଦର ଜୁଆର ଛୁଟାଏ, ନିଦରୁ କେଞ୍ଚି ଠେଲି ପଦାକୁ ଫୋପାଡ଼ି ଦିଏ, କବାଟ କିଳି ଦିଏ ।

 

ବିରାଟ ଦୁନିଆର ମଣିଷ-ପୋଷା ଜଙ୍ଗଲ ଭିତରେ, ଚାରିଆଡ଼େ ଶୂନଶାନ୍ ଯେଉଁଠି, ପଛେ ପଛେ ସେଇ ସେ ବାଟେ କଢ଼େଇ ନିଏ, ବାଟେ ବାଟେ କାରାଗାର ଭିତରକୁ, ଫାଶିକାଠ ଗୋଡ଼ ପାଖକୁ, ମସ୍‌ଜିଦ ଗଳି ଚଉଛକିକୁ, ରକ୍ତ– ନଈ ବାଲିଚରାକୁ, ପୁଣି ଦୌଲତଖାନା ନଅରକୁ-

 

ଆକାର ତାକୁ ଦେଇ ହୁଏ ନାହିଁ, କେବଳ ତା’ର କ୍ଷଣିକର ଆବରଣ,–ଫମ୍ଫା ହାଣ୍ଡିର ଗଦା, ଛିଣ୍ଡା ଟୋକେଇ ବୋଝ, ଦଦରା ଫମ୍ଫାଘର, ଛିଣ୍ଡା କନାର ପତାକାମାଳ ।

 

ପେଟରେ ନିଆଁ ମୁଣ୍ଡକୁ ଚଢ଼େ, ଅରୂପ ବାଟ ବତାଏ ।

 

ସାହିର କେତେଠୁଁ ଶୁଭୁଛି, କେଉଁ ମା’ କେଉଁବାପ ସାଙ୍ଗେ ସାକୁଲେଇ ହେଉଛି, “ଥାଉ ଥାଉ, ଝିଅ ମୋର ଏତେ କଷ୍ଟ ସହିପାରିବ ନାହିଁ, ଯାହା ଶାଗ, ପେଜ୍‍ ଘରେ ଅଛି, ସେଇଆ ପଛେ ଖାଉ, ଅଧିକା କ’ଣ ଦରକାର ?” କେଉଁ ବାପ ପୁଅକୁ କହୁଛି, “ନାହିଁ ନାହିଁ, ତୁ ଯିବୁ ନାହିଁ ।”

 

ଜିଲି ଆଉ ବିଲି ମୁହାଁମୁହିଁ, ପଛଆଡ଼େ ସେଇ ଅନ୍ଧାର, ଆଗରେ କେତେ ଦୂରରେ କଣ୍ଟ୍ରାଟିର ଗୁମାସ୍ତା, ଅରୂପର ସଙ୍କେତ ତା’ର ଟଙ୍କାଥାଳି ।

 

“ବୁଝିଲୁ ବିଲି, କାହା ହାତରେ ହେଲେ ବାପାକୁ ଖବର ପଠେଇ ଦେବା, ଯେ ଆମେ କୁଲିକୁ ଗଲୁ । ଘରେ ତାଟି ଢାପି ଦେବା, କ’ଣ ବା ଅଛି ? କିଏ କ’ଣ ନେଇ ପଳେଇବ ? ଗାଁର କେତେ ଟୋକୀ ପିଲା ଯିବେ, ନା ଖାଲି ଆମେ ଏକୁଟିଆ ? ଆମେ ଦେଖିଲେ ନ ଥିବ ନିଦରବୀ ଲୋକ, ଏଡ଼େ ସୁବିଧା ଛାଡ଼ିଦେଇ ଉପାସ ଭୋକରେ ଘରେ ପଡ଼ି ରହିଥିବୁ, ଦିନୁ ଦିନ ଗାଁ ଲୋକେ ବେଶି ବେଶି ଟାପରା କରୁଥିବେ ? କି ଫଳ ତହିଁରେ ? କୋରାପୁଟ୍‍ ପାଖରେ ଚିନ୍ଦ୍ରି, ରଙ୍ଗ୍‌ବାଲିକୁମ୍ଭା, ରେଲିକୁମ୍ଭାର ଲୋକେ ନିତିଦିନ କୁଲି ଖଟନ୍ତି ବୋଲି ଗୁମାସ୍ତା କହୁଛି, କିସ୍ ଲୋକସାଣ ହୋଇଯାଉଛି ତାଙ୍କର ? ଦିନକୁ ଦିନ ଦି’ଦି ଅଣା କୁଲି ଦେବ, ରହିବାକୁ ଘର, ମନ ଥିଲେ ରହ, ଦୁଇଅଣା ପଇସାରେ ଗୋଟେ ଲୋକର ତିନି ଦିନ ଚଳିଯିବ, ଭାବନା କି ପାଇଁ ?”

 

ବିଲି କହିଲା, “ବାପା ଗାଳି କରିବେ କାଳେ ?”

“ଏତେ ଲୋକ ଗାଁରୁ ଯିବେ ତାଙ୍କୁ ଗାଳି ନାଇଁ, ଏକା ଆମକୁ ?”

 

ବେଳ ଗଲା, ପଛଆଡ଼ୁ ଅନ୍ଧାର ଥମ ଥମ ହେଲା, ତାହାରି ଭିତରୁ କେଉଁ ଦ୍ୟୋତନା ଯେପରି ବିଲିକୁ ଅଭିଭୂତ କରି ପକେଇଲା । ଅଣପରଖା ନୂଆ ବାଟରେ ଢିମା ଉପରେ କୁଢ଼େଇ ହୋଇଗଲା ଖସଡ଼ା ଅନ୍ଧାର । ବିଲି କହିଲା, –

 

“କେବେ ଯିବ ଅପା ?”

“କାଲି ସକାଳୁ ।”

“କିଛି ସମୟ ତୁନିତାନି କଟିଲା, ବିଲି କହିଲା,–”

“ଅପା”–

“କ’ଣ ?”

“ଯିବା ନା ?”

“ହଁ, ଯା ଶୋଇପଡ଼୍‍ ।”

 

ସକାଳପାହିଲା । ଘରେ ଘରେ ତାଟି ପଡ଼ିଲା, କାମ ସାରି, ନୁଖୁରା ବାଳରେ ପାଣି ବୋଳି, ସାଉଁଳେଇ, ଦେହ ହାତ ପାଦ ପାଲିସି କରି ଧୋଇ, ସକାଳବେଳେ ବାଇଗଣ କଷି ପରି ଛନଛନିଆଁ ହୋଇ, ହାଣ୍ଡି, ନୋକିତାବାଲା (ରସ କଂସା ଓ ହାଣ୍ଡି) ମୁଣ୍ଡରେ ମୁଣ୍ଡେଇ, ଟୋକୀପଲ ଗୋଠ ବାନ୍ଧି କଣ୍ଡ୍ରାଟି ଗୁମାସ୍ତା ସଙ୍ଗେ ବାହାରି ଚାଲିଗଲେ, ପଛେ ପଛେ କାଉଡ଼ି କାନ୍ଧେଇ ଟୋକାଏ-

 

ଗାଁର ଚହଳ ତୁଟେଇ ଚାଲିଗଲା ଅଧେ ଆନନ୍ଦ ଗାଁରୁ, ସରୁ ରାସ୍ତାର ଦୁଇ କୂଳ ଉବେଇ ଟୁବେଇ ଭସେଇ ।

 

ଗାଁ ଦାଣ୍ଡେ ଅଧେ ଖାଲି ।

ନୂଆ ବାଟରେ ନୂଆ କ୍ଷେତ, ନୂଆ ପାହାଡ଼, ସବୁ ନୂଆ–

ନାଲି ରାସ୍ତା କେତେ ଦୂର ?

କିଏ ପଚାରେ କେତେ ଦୂର ? –ଗାଁ ।

 

ଧୂଳିରୁ ମୁକ୍ତି ମିଳିଛି, ନୂଆ ଉତ୍ସାହ ନୂଆ ଆଶା ଏଣିକି । ତରୁଣର ସ୍ୱାଧୀନ ଜୀବନଯାତ୍ରା ଭିତରେ ସମୟ ଆଉ ଦୂରତା ହିଡ଼ କାନ୍ଥ ନ ଥାଏ । ବୋଇତ ପରି ଭାସିଚାଲେ ତା’ର ପ୍ରାଣର ପ୍ରାଚୁଯ୍ୟ ହସକାନ୍ଦର ଦୁନିଆଁ ବୁକୁ ଉପରେ, ଏଣେ ତେଣେ ଯେଣ ମନ ହେଲା, –ଭାସିବା ହିଁ ତା’ର ପ୍ରାଣର ଅଭିସାର ।

 

ଏଇ, ଦଳର ପଟୁଆର ଭିତରେ, କେଉଁଆଡ଼େ ଯାଏ ଆପଣର କ୍ଷୁଦ୍ର ଅଭାବ, କ୍ଷୁଦ୍ର ଅନାଟନ ? ବିଗତ କଥା ସେ ଗାଁ ଧୂଳିର ଗତ, ପଛରେ ରହିଲା ଅନ୍ଧାରି ଘରେ କତରାଘେରା ବୁଢ଼ା କାଶ ପରି–କେତେ ଦୂରରେ ରହିଲାଣି ସେ ।

 

ଏଣିକି,–ନୂଆ ବାଟ, ନୂଆ କ୍ଷେତ, ନୂଆ ପବନ । ଆଉ ମଣିଷର ପଟୁଆର, ମନ୍ଦାକୁ ମନ୍ଦା, ଦଳକୁ ଦଳ, ମିଶାମିଶି ।

 

ଖବର ପହଞ୍ଚିଲା ସାହୁକାର ଗାଁରେ; ସୁକୃଜାନି କ୍ଷେତରେ ହଳ ବୁଲୋଉଥିଲା, ମାଣ୍ଡିଆ ଯାଇଥିଲା ଶଗଡ଼ ନେଇ, ଟିକ୍ରା ଗୋରୁ ଚରେଇ ।

 

ସୁକୃଜାନି ଖବର ଶୁଣିଲା, ଟୋକୀ ଦୁହେଁ ଗଲେ କୁଲିକୁ । ମୁହୂର୍ତ୍ତେ ଗୁମ୍‌ମାରି ରହିଲା ବୁଢ଼ା, ତା’ପରେ ନିର୍ଦ୍ଦେୟଭାବେ ବଳଦ ଦୁଇଟାକୁ ପିଟିଲା ଭୁସ୍ ଭୁସ୍ ତାଷ କଲା । ମାଡ଼ ମାଡ଼ି ଲଙ୍ଗଳ ଭୁସେ, ବାହା ଫାଟିପଡ଼େ, ଅଣ୍ଟା ଧରିଯାଏ, ବେକମୁଣ୍ଡା କଟ କଟ ଡାକେ, ଆପଣା ଉପରେ ଆଉ ବଳଦଗୁଡ଼ାକ ଉପରେ ଆଉ ଟେଳା ଉପରେ ମନର ଓରମାଣ ମେଣ୍ଟାଇ ଯାଏ ସେ ।

 

ମନର ଦୁଃଖକୁ କେରା କେରା ଝାଳରେ ଅଜାଡ଼ି ଦେଇଯାଏ ।

ସେଦିନ ବହୁତ କାମ ହେଲା, ହେଉ ପଛେ ଅର୍ଦ୍ଦାଳିଆ, ବହୁତ କାମ ତଥାପି ।

 

ସଞ୍ଜବୁଡ଼େ ମାଣ୍ଡିଆ ସାଙ୍ଗେ ଦେଖା । ସଂକ୍ଷେପରେ ବୁଢ଼ା ସବୁ କଥା କହିଦେଲା । ମାଣ୍ଡିଆ ଠୋ ଠୋ ହସି ପାଟିକରି କହିଲା,–

 

“ସାବାସ୍ ନୁନିମନ୍ (ଟୋକୀମାନେ), ସାବାସ୍ ସାବାସ୍ ।”

ବୁଢ଼ାର ରାଗ ସମ୍ଭାଳି ହେଲା ନାହିଁ । ପୁଅକୁ ଗାଳିଦେଲା ।

 

“ଗାଳି ଦେଉଛିୁ କାହିଁକି ବାପା, କେଡ଼େ ଭଲ ହେଲା ଏଥର କହିଲୁ ? ଚାହୁଁ ଚାହୁଁ ଗୋଟିଏ ବରଷ ଗଡ଼ିଯିବାକୁ ବସିଲା, କି ଖୋଜାଲୋଡ଼ା କରୁଛୁ ଏତେକାଳ ସେମାନଙ୍କୁ ? ତାଙ୍କ ନିଜ ଉପାୟ ନିଜେ କରିଗଲେ, ତୁ ଏତେ ବିଗୁଡ଼ୁଛୁ କାହିଁକି ?”

 

“ମୋର ଝୁଅ ହେଇ ମତେ ନ କହି ଯିବେ କୁଲିକୁ ? ମୋର ଝିଅ ହୋଇ ! କାହିଁକି କ’ଣ ହୋଇ ଯାଇଛିକି ଆମର ?”

 

“ଥାଉ ଥାଉ ବାପା, ଗଲେ ଭଲ କଲେ, ପଛରେ ଗାଳି କରୁଛୁ କିପାଇଁ ? ଏବେ ଚାଲ୍ ଯିବା ସାହୁକାର୍‍କୁ କହିବା, ଜମିଖଣ୍ଡକ ହେଲା ବନ୍ଧା ରଖୁ, ଗୋତି ପାଇଁ ଟଙ୍କା ଚଞ୍ଚଳ ଛିଣ୍ଡିଯିବ ।”

 

ବୁଢ଼ା ଗାଳି ଦେଇ ଚାଲିଲା । ଟୋକା ଛିଗୁଲେଇ ଛିଗୁଲେଇ ଗଲା ।

 

“ଘର ଖାଲି ହେଲା, ଭୂଇଁ ପଡ଼ିଆ ପଡ଼ିଲା, ଘଡ଼ି ଘଡ଼ିକେ ନାଇକର ଶିସ୍ତୁ ଟଙ୍କା ପାଇଁ ତାଗିଦା, ଆଜି ଏକା ଭୂମି ଚାଲ୍ ବନ୍ଧା ଦେଇଦେବ ।”

 

ପହଡ଼େ ରାତିରେ ଗୋରୁଗାଈ ବନ୍ଧା ବେଳେ ଟିକ୍ରା ଶୁଣିଲା, ମୁହଁ ଖଟା କରି କହିଲା, –

“ଚାଲିଗଲେ ସେମାନେ ! ହେଲେ ଥିଲେ ମୁଇଁ ମିଶା ଯାଇଥିବେ । (ମୁଁ ମଧ୍ୟ ଯାଇଥା’ନ୍ତି ହୋ)”

 

କୁଲି ଗଲେ ପରଜା ଟୋକୀ ଅଜାତି ହୁଏ ନାହିଁ, ଦେହ ମେହେନତ୍ ପାଇଁ ତା’ର ଜନ୍ମ, କିନ୍ତୁ ଯେତେ ହେଲେ ନିତିଦିନର ମଜୁରିକୁ ବିକି ପର ପାଖେ ବାନ୍ଧି ହେବାକୁ ପରଜା ପସନ୍ଦ କରେ ନାହିଁ, ଭାବେ ତା’ ମାନ୍‍ହାନି । ତେଣୁ ଦିନକୁ ଦୁଇଅଣା ମଜୁରି ପଇସା ପରିବର୍ତ୍ତେ ଅଣାଟିଏ ଇନାମ୍ (ବକ୍‍ସିସ) ତା’ର ବେଶି ପ୍ରିୟ , ତହିଁରେ ସେ ନିଜକୁ ଭୁଲେଇବାକୁ ଚେଷ୍ଟାକରେ ଯେ ସ୍ୱଇଚ୍ଛାରେ ପରକୁ ଉପକାର ଦାନ କରିଛି ।

 

ମାଟିର ଇଜ୍ଜତ୍ ସବୁଠୁଁ ବେଶି ବୁନିଆଦୀ । ଅଥଚ ଝିଅ ଦିହେଁ ଘର ଛାଡ଼ି କୁଲି କରିବାକୁ ବିଦେଶ ଗଲେ ।

 

ରାତିଯାକ ବିଛଣାରେ ଛଟପଟ ହୋଇ ବୁଢ଼ା ସୁକୃଜାନି ପରିସ୍ଥିତିରେ ସ୍ୱଭାବ ବୁଝିବାକୁ ପ୍ରାଣେପଣେ ଚେଷ୍ଟାକଲା । ଭୂଇଁତଷା, ମୁଣ୍ଡା (ବନ୍ଧ) ବନ୍ଧା, ଧାନବୁଣା, ଗଛହଣା, କେବଳ ଏହିସବୁ ବୁଝିବାକୁ ଯାହା ତା’ର ମୁଣ୍ଡ ଭିତରେ ଗୁଳା ଫିଟି ଯାଇଛି, ଅନ୍ୟ ଚିନ୍ତା କେବଳ ଗୋଳମାଳିଆ ଅବାଟ ଧରି ଯେଉଁଠି ଆରମ୍ଭ ହେଲା ପୁଣି ସେଠିକି ଫେରିଆସେ ତା ଭାବନାରେ ।

 

ତଥାପି ସେ ଭାବେ, ଭାବି ଭାବି ମୁଣ୍ଡ ବଥାଏ । ଭାବନା ମାନ୍ଦା ପଡ଼େ ନାହିଁ ।

 

ନିଶା ସାଇଁ ସାଇଁ ଡାକେ । ସୁକୃଜାନି ଗୋଡ଼ ହାତ ପିଟେ । ଖଣ୍ଡକ ପରେ ଖଣ୍ଡେ ହାତ ତିଆରି ଧୁଙ୍ଗିଆ ଫିକା ଶେଷ ହୋଇ ପାଉଁଶ ଝଡ଼ିପଡ଼େ । ମଶା ହୁରୁଡ଼େଇବାକୁ ଯାଇ ଦୁଇହାତରେ ଗାଲରେ ଛାତିରେ ଚଟକଣା ବର୍ଷି ଦେଇଯାଇ ସୁକୃଜାନି ଭାବିବାକୁ ଚେଷ୍ଟାକରେ ।

 

ସମାନ୍ୟ ଦୁଃଖର ବହୁତ ତଳକୁ ଖସିପଡ଼ିଛି ସେ, ଆଜି ତା’ର ଅଛିଣ୍ଡା ଚିନ୍ତା ଖାଲି । ଯେଉଁଆଡ଼ୁ ସେ ଦେଖୁ, ସବୁ ଯେପରି ଆଙ୍ଗୁଠି ଦେଖାଏ ତା’ର ପଡ଼ିଆ କ୍ଷେତ ଆଡ଼କୁ । ଏଥିରେ ଅବା ନିଷ୍କୃତି ସମ୍ଭବ, ଯେ ସାହୁକାର ଭୂମି ବନ୍ଧା ନେବ, ଶିସ୍ତୁ ଦେବା, ବନ୍ଧା ଆଉ ଗୋତିପଣିଆ ଉଭୟ ମିଶି ହୁଏତ ଅଳ୍ପ କେଇଟା ବର୍ଷ ଭିତରେ ସବୁ ରଣ ଶୁଝି ହୋଇଯିବ ।

 

ଅନ୍ୟ ଉପାୟ ନାହିଁ ।

ନେହୁରି ହୋଇ କହିଲେ ହୁଏତ ସାହୁକାର ଜଣକୁ ମୁକୁଲେଇ ଦେବ ।

ସାତ ପାଞ୍ଚ ଭାବି ଭାବି ସୁକୃଜାନି କେତେବେଳେ ଶୋଇପଡ଼ିଲା ।

 

ସକାଳୁ ଉଠି ନିଶ୍ଚୟ କଲା, ଆଜି ହେଲେ ସାହୁକାରକୁ ମଙ୍ଗେଇ ଦେଖିବ ଜମି ବନ୍ଧା ରଖିବାକୁ । ଲୁହାର ଶିକୁଳିରେ ପଞ୍ଜରା ଦି’ ଖଣ୍ଡ ତା’ର ସେଇ ଜମି ସାଙ୍ଗେ ବନ୍ଧା ହୋଇଛି ସତ, କିନ୍ତୁ ଜିଲି ବିଲି କୁଲି କରି ଗଲେ, ପାଦର ଆଘାତରେ ସେଇ ବନ୍ଧନ ଛିଣ୍ଡେଇ ଦେଇ ।

 

‘ମାଣ୍ଡିଆ, ଆ ସାହୁକାରକୁ କହି ଦେଖିବା । ’

‘ସତେ ଯିବୁ ବାପା ?’

‘ନଇଲେ ଉପାୟ ? ’

 

ହଠାତ୍ ମାଣ୍ଡିଆ ମୁଣ୍ଡରେ ବିଛା କମୁଡ଼ିଲା । ଏଡ଼େ ସହଜରେ ଦିନେ ବାପା ମଙ୍ଗିଯିବ ବୋଲି ତା’ର ବିଶ୍ୱାସ ନ ଥିଲା । ଏତେଦିନ ସାହୁକାର ଘରେ ଗୋତିମାନଙ୍କ ସଙ୍ଗେ କାମ କରି ତା’ର ଅନେକ ଧାରଣା ଆସିଛି, ଆଗେ ଯାହା ନ ଥିଲା । ସେଇ ଧାରଣରେ କଥାଟାକୁ ସେ ତଉଲି ଦେଖିଲା । ବାପାର ଦୃଢ଼ତା ସେ ଜାଣେ । ବାପାର ୟେ ନିଷ୍ପତ୍ତି ଯେପରି କି ନିଷ୍ପତ୍ତି ପରିମାଣ ଲାଗି ସବୁଯାକ ଦାୟିତ୍ୱ ସେଇ ମାଣ୍ଡିଆ ଉପରେ ହିଁ ଲଦିଦେଲା ।

 

ତେଣୁ ସେ ଦୋ ଦୋ ପାଞ୍ଚ ହେଲା । ଅସଲ ଗହୀର ସାରିଆ ଭୂମି, ତା’ ଉପରେ ଢିପ ଜମି, ସେଠି ମାଣ୍ଡିଆ ପାଚେ, ହର୍ ଫସଲ, ରବି ଫସଲ ପାଚେ । ସବୁ ଲେଖିଦେବାକୁ ପଡ଼ିବ ସାହୁକାରକୁ, ବିନା ଲେଖାରେ ସାହୁକାର କିଛି କରେ ନାହିଁ ।

 

ଆଉ ପଛେ ? ଯଦି ସାହୁକାର ଜମିକୁ ଛାଡ଼ିବାକୁ ନ ଚାହେଁ ?

 

ଏପରି ତ ଅନେକ ଥର ଘଟିଛି, ସାହୁକାରର କାରସାଦିରେ ଏ ନୂଆ ନୁହେଁ । ବାପକୁ ଟେହି ଦେବାକୁ ପାଟିରେ ବାଟୁଳି ବାଜି ନ ଥିଲା, ଏବେ ପ୍ରସଙ୍ଗ ସାଙ୍ଗେ ମୁହାଁମୁହିଁ ହେବାର କେତେ ଅଡ଼ୁଆ ଅଡ଼ୁଆ ଲାଗିଲା ।

 

“କ’ଣ ଆଉ ଭାବୁଛୁ ପୁଅ ?”

“ଭାବୁଚି, ଏଡ଼େ ତର ତର ହେଲୁ କାହିଁକି ବାପା ?”

 

“ମୁଁ ତରତର ହେଲି ? ଦିନୁଦିନ କହି ଲାଗୁଥିଲୁ ତୁ, ଶିସ୍ତୁ ବାକି, କେତେଦିନ ଗୋତି ଥିବା ? ପୁଣି ଜିଲି ବିଲି ଘର ଛାଡ଼ି କୁଲିକରି ଗଲେ ! ଚାଲ ଯିବା ଚାଲ ।”

 

“ମୁଁ କହୁଥିଲି ସତ ଯେ, ଏବେ ଧର ସାହୁକାର ଯଦି ଭୂମିଟା ଏକ୍‍ଦମ୍ ମୋର ବୋଲି କହି ପଛେ ମାଡ଼ି ବସିବ, ଦାବା ଦରବାର କରି ଜିଣିପାରିବା ଆମେ ତା ସଙ୍ଗେ ?”

 

“ବାୟା ହେଲୁ ପୁଅ ? ଏତେ ନିଦରବୀ ହୋଇଚି ସାହୁକାର ? ଆମର କି ବା ଜମି, ତାକୁ ଝିଙ୍କି ନେବାକୁ ମନ କରିବ ? ସେ ସବୁ କଥା କାହିଁକି ତୁ ଭାବୁଚୁ ? ଆଗ ବନ୍ଧା ରଖିବ କି ନ ରଖିବ ତା’ର ଠିକ୍‍ଣା ନାହିଁ । ଚାଲ୍ ଦେଖିବା ସେ କ’ଣ କହୁଚି ।”

 

ମାଣ୍ଡିଆଜାନି ବାପ କଥା ଜାଣେ । କହିଲା “ହଉ ଚାଲ ।”

 

ସେହିଦିନ ମୁଣ୍ଡେବେଳ ସମୟରେ ପେଜ୍‍ ଖାଇବାକୁ ଫେରି ବାପପୁଅ ଦୁହେଁ ସାହୁକାରକୁ ଯାଇ ଧରିଲେ । ସାହୁକାର ଗୋଡ଼ ଲମ୍ବେଇ ଦେଇଥିଲା, “କିପାଇଁ ଭିନ୍ ଗାଁର ଜମି ବନ୍ଧା ଧରିବାକୁ ମୁଁ ଯିବି ? ଟଙ୍କା ସଢ଼ୁଚି କି ?”

 

ସୁକୃ କହିଲା, “ସବୁଲୋକ ଆମେ ତୋ ପାଖରେ ବନ୍ଧା, ତୁ ନ ଧଇଲେ କିଏ ଆଉ ଦୟା କରିବ ?”

 

“କେତେ ଟଙ୍କାକୁ ହେଲେ ଏକଦମ୍ ବିକି ଦେଉନାହିଁ ?”

“ବିକ୍ରି ନ ହୁଏ, ବନ୍ଧା ଏ ସାହୁକାର ।”

“ଯଦି ମୁଁ ନ ଧରେ ?”

“ତୋର ଇଷ୍ଟ (ଇଚ୍ଛା) ସାହୁକାର ।”

“ହଉ, କାମକୁ ଏବେ ଯାଅ । ପଛେ କଥାଭାଷା ହେବ ।”

 

ବାପାପୁଅ ଲେଉଟି ଆସିଲେ । ବଡ଼ ଅପମାନିତ ଲାଗିଲା । ତାଙ୍କର ସମଗ୍ର ସମ୍ପତ୍ତି ପର ଆଖିରେ ଏତେ ନଗଣ୍ୟ ଏତେ ତୁଚ୍ଛ ହୋଇଯିବ ସେମାନେ ବିଶ୍ୱାସ କରିନଥିଲେ । ହାଟ ମଝିରେ ଯତ୍ନରେ ଗଢ଼ିଥିବା କୁମ୍ଭାର ହାଣ୍ଡିକୁ କିଣାଳି ଥରେ ଅନେଇ ନେଇ ତାଚ୍ଛଲ୍ୟରେ ଯେତେବେଳେ କହିଦେଇ ଯାଏ, “କି ବଙ୍କା ଢେମଣା ଛୋଟିଆ କୁଣ୍ଡଟାଏ ଏ, ଯାଚିଲେ କେହି ନେବେ ନାହିଁ,” କୁମ୍ଭାର ମନ ଯେପରି ଉଣା ହୋଇଯାଏ, ସୁକୃ ଆଉ ମାଣ୍ଡିଆଙ୍କ ମନରେ ସେହିପରି ଦବିଗଲା । ସାହୁକାର ଟଙ୍କା ଦେଇ କିଣିପାରେ । ତା’ ଆଖରେ ଜମି ଜମି ମାତ୍ର । କାହାର ହୃଦୟର କଥା ଭିତରେ ପଶି ଜାଲୁଜାଲୁଆ ଅନୁଭୂତି ଦୃଷ୍ଟିରେ ପଦା କେଇଖଣ୍ଡ ବା ଖାଲି ଜମି ଚେନାଏକୁ ବିଶେଇ ପୁଅ ଦେଖି ନାହିଁ ।

 

“କିରେ ମାଣ୍ଡିଆ, କ’ଣ କହୁଥିଲି ?”

“ମହା ଖଟି (କୃପଣ)ଟେ ସେ, ପରା କହୁଥିଲି ସେତେବେଳେ ।”

“କେତେ ଭୂମି ଅଛି କେତେ ଗାଁରେ ତା’ର ତୁ ଜାଣୁ ?”

 

“ଯେତେଥିଲେ ହେଲେ, ଆମର ଜମି ପରି ଏଡ଼େ ସୁନ୍ଦର ଜମି କାହାର ଅଛି ? କୋଉ ଜମିରେ ଗୋଟିଏ ପୋତିଲେ ଯୋଡ଼ାଏ ଗଛ ହୁଏ ?”

 

“ଜମି ଆମର ସୁନା ଥାଳି, ସାହୁକାରକୁ କହିବି କି ଥରେ ଦେଖିଯିବ ?”

“ତା’ର ଖୁସି । ମୁଁ ଆଉ ଯାଉ ନାହିଁ ତାକୁ କହିବାକୁ ।”

 

ମାଣ୍ଡିଆଜାନି କାମରେ ଚାଲିଗଲା । ପଛରୁ ବୁଢ଼ା ଅନେଇଁ ରହିଲା ସେହ୍ନ ଢଳଢଳ ଆଖିରେ । କେତେ ଗୁଣରେ ତା’ ନିଜ ପରି ଏଇ ବଡ଼ ପୁଅଟା ! ବେଶି ବକେ ନାହିଁ ସତ, କିନ୍ତୁ କ’ଣ ନ ବୁଝେ ! ବାପର ପୁଅ ସେ ଭୂଇଁର ମର୍ଯ୍ୟାଦା ଜାଣେ । ଅବସ୍ଥା ମୋଡ଼ିମାଡ଼ି ଦେଇ ଗୋତି କରି ଫୋଫଡ଼ି ଦେଇଗଲା ସତ, କିନ୍ତୁ ଆଣ୍ଟରେ ଠିକ୍ ବାପ ପରି । ମାଟିର ପିଲା ମାଟିକୁ ଚିହ୍ନିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଦିଶୁଥିବାଯାକେ ଶଗଡ଼ଗୁଳା ଉପରେ ଉପରେ ପୁଅକୁ ଅନାଇଁ ରହିଲା ।

ହଁ, ଚଇତରେ ସେ ପ୍ରତିଜ୍ଞା କରିଥିଲା ପୁଅ ପାଇଁ ଗୋଟିଏ ବୋହୂ ସେ ଆଣିବ ।

 

ଠିକ୍ ଗଣି ଗଣି ପାଞ୍ଚଦିନ ପରେ ସଞ୍ଜ ବୁଡ଼େ ସାହୁକାରର ଦାଣ୍ଡ ଆଗରେ ସୁକୃଜାନି ପୁଣି କଥାଟି ପକେଇଲା । “କ’ଣ ଠିକ୍ କଲୁ ସାହୁକାର ?”

 

“କୋଉ କଥା ?”

“ଜମି ବନ୍ଧା ରଖିବା କଥା ।”

“କି ଜମି ?”

“ସେ ଦିନ କହିଲି କାହିଁକି ?”

“ଓଃ”

 

ସୁକୃ ଥାପ୍‌ଡ଼ ଖାଇଲା ପରି ଥପ୍ କରି ନିଭିଗଲା । କିଛି ସମୟ ତୁନିତାନି । ପୁଣି ସୁକୃଜାନି ଚେଷ୍ଟାକରି ଦେଖିଲା, “ବନ୍ଧା ରଖିଲେ କ’ଣ ଅସୁବିଧା ହବ ସାହୁକାର ?”

 

“ଆରେ କ’ଣ କହୁଚୁ ସଫା ସଫା କହୁନୁ ?”

 

“କହୁଚି ଆମେ ତିନିଙ୍କ ଭିତରୁ ମାଣ୍ଡିଆକୁ ମୁକୁଳେଇ ଦେ । ଜମି ଖାଇ ଶିସ୍ତୁ ଗଣ୍ ଯେତେ ଟଙ୍କା ହେଲେ ବର୍ଷକୁ ଭୂମି ବାବତ ଛିଡ଼୍‌ନି ଠିକ୍ କରିଦେବା, ସେ ଛିଡ଼୍‌ନି ଆମ ଗୋତି ଛିଡ଼୍‌ନି ମିଶି କରି ଯେତେ ଟଙ୍କା ହେବ, ମତ୍ତାମ୍‍ରେ (ମୋଟରେ) ସେତିକି ଟଙ୍କା ଆମେ ନେବା ଧନରୁ ବର୍ଷକୁ ବର୍ଷ ଛିଡ଼ି ଯାଉଥିବା । ତୋର ଟଙ୍କା ବି ତୁ ଚଞ୍ଚଳ ଅସୁଲ ପାଇବୁ, ଆମର ବି ଚଞ୍ଚଳ ଛୁଟି ହେବ ।”

 

ସାହୁକାର ହଠାତ୍ ରାଗିଯାଇ ଖେଙ୍କି ଉଠି ଗାଳି ଦେବାକୁ ଆରମ୍ଭ କରିଦେଲା ବଡ଼ ପାଟିରେ,–“ମୋର ଘର ଭାତ ପିତା ଲାଗିଲା କିରେ ତୁମକୁ ? ଟଙ୍କା ନେଇ ବର୍ଷେ ସୁଦ୍ଧା ହୋଇନାହିଁ, ଏତିକିବେଳୁ ଛିଡ଼ନି୍ ଛିଡ଼ିନ୍ ଲଗେଇଚୁ ? ବସିଚୁ ଧପେଇ ଦେଇ ଟଙ୍କା ବୁଡ଼େଇ ଦେଇ ପଳେଇବୁ ବୋଲି, ନୁହେଁ ? ଯେତେଟଙ୍କା ଦେଇଚି କୋଉ ନାତି ପଣନାତି କାଳେ ଶୁଝିବ କି ନାହିଁ ଜଣାନାହିଁ, କାହିଁ କୋଉପାଞ୍ଚ ଟଙ୍କା କି ସାତ ଟଙ୍କାର ଭୂମି ହବ ନାହିଁ, ତା’ର ଛିଡ଼ିନ୍ ବାବତକୁ ପୁଣି ୟାଙ୍କର ଗୋତିରୁ କଟିଯିବ, ପୁଣି ଗୋଟେ ଧାଂଡ଼ା ମଧ୍ୟ ଖସେଇ ଦେବେ ! ଆରେ ବାଃ ରେ ବାଃ । ଯା ଯା ଆଉ କାହାକୁ କହିବୁ ।”

 

କଥା ସେତିକିରେ ରହିଲା । ସୁକୃଜାନି ଅନ୍ଧରରେ କେଇଁଠି ମିଶିଗଲା ।

ଘର, ଖାଲି ଘର ।

 

ବାଉଁଶତାଟିର କବାଟ, ସେଥିରେ ଅରଗଳି ପଡ଼ି ବନ୍ଦ ହୋଇଛି । ତାଟି କବାଟରେ ଦୁଇଧାଡ଼ି ଉଇମାଟି ଧୀରେ ଧୀରେ ଉପରୁକୁ ଚଢ଼ୁଚି ।

 

ଓଳି ତଳେ ତଳେ ମସ୍ତ ବଡ଼ ବଡ଼ ବୁଢ଼ୀଆଣୀ ଜାଲ, ଏଠି ସେଠି ଗୋଟାଏ ଗୋଟାଏ ମଲା ଉଡ଼ାପୋକ, ପ୍ରଜାପତି, ଜୁଳୁଜୁଳିଆ, ଶୂନ୍ୟରେ ଅଠା ମରାହୋଇ ରହିଲା ପରି ଦିଶନ୍ତି ।

 

ମାଟି ପିଣ୍ଡା ଧୀରେ ଧୀରେ ଫାଟୁଛି, ଶୀତଦିନେ ଓଠ ପରି ।

 

ଉପରେ ଚାଳ ଖାଲ କୁଦ ହୋଇ ରହିଚି, ପୁରୁଣା ହାଡ଼ ପରି ମସିଆ ଧୋବ ଦିଶୁଚି ବେଢ଼ଙ୍ଗ ବାଉଁଶ କାମଡ଼ା । ଭିତରେ ଅନ୍ଧାର ଚାଳର ଅସଂଖ୍ୟ କଣାବାଟେ ଆଁ କରି ମେଘ ଲଦୁଥିବା ଜ୍ୟେଷ୍ଠର ଆକାଶକୁ ଚାହିଁ ରହିଛି ପହିଲି ଅସରାରୁ ଧାର କେତେଟା ଜଳିବ ବୋଲି ।

 

ଜ୍ୟେଷ୍ଠର ପ୍ରାୟ ଶେଷାଶେଷି । ଆକାଶରେ ମେଘ ଜମୁଛି, ପୁଣି ପବନ ଫଟାଇ ନେଉଛି, ପୁଣି ମେଘ ଲଦୁଛି, ପୁଣି ପବନ ଉଡ଼ୋଉଛି । ଏଇ ଜମିବା ଘଉଡ଼େଇବାର ଖେଳ ଶେଷ ହେବା ଉପରେ ।

 

ସୋର ନାହିଁ ଶବଦ ନାହିଁ, ଖାଲି ଘର ।

ଅଗଣାରେ କେତେଗୁଡ଼ାଏ ଶୁଖିଲାପତ୍ର ଆଉ ଥୁଣ୍ଟା, ଦିନେ ସେ ବଗିଚା ଥିଲା ପରା ।

 

ଦି’ଟା ଛିଣ୍ଡା ଟୋକେଇ ଓଳିତଳେ ଶୋଇଛି, କିଛିଦୂରରେ ଖଣ୍ଡେ ଭଙ୍ଗା ଟାଙ୍ଗିଆ ବେଣ୍ଟ, ଦୁଆର ମଝିରେ ଦି’ଟା ପଥର ପାଖାପାଖି ଲାଗି, ମଝିରେ କେତେ ଦିନର ପାଉଁଶ, ଦି’ ଚାରିଖଣ୍ଡ ଦର ପୋଡ଼ା ଗୋଜଣା ।

 

ସେଠି କାଉ ରଡ଼େ ନାହିଁ, ସେଠି କୁକୁଡ଼ା ଖୁଣ୍ଟେ ନାହିଁ ।

ସେ ଖାଲି ଗୋଟିଏ ଖାଲି ଘର, ସୁକୃଜାନିର ଘର ।

 

ପଛଆଡ଼େ ଗୋଟିଏ ହାଁ ହାଁ କ୍ଷେତ । ସେଥିରେ ପିରି ଘାସ ଗଜୁରି ଶୁଖୁଛି । ଦରହ୍‌ମଲା ଚାକୁଣ୍ଡା ଆଉ କୋରାପୁଟିଆ ବୁଟାର ଥୁଣ୍ଟା ଠିଆହୋଇ ରହିଛି, ଛାଇର ଗତି ସମୟର ମାପ କଳୁଛି-

 

ବେଳେବେଳେ ବଣିପଲ ଝିଣ୍ଟିକା ଖୋଜି ଆସନ୍ତି । କ୍ଷେତରେ ଚହଳ ପଡ଼େ, ଚଢ଼େଇ ଉଡ଼ି ଯାଆନ୍ତି । ମଲା ହଜିଲା ଶୋକରେ ଜିଅନ୍ତା ଝିଣ୍ଟିକା ଚିଁ ଚିଁ କାନ୍ଦନ୍ତି । କ୍ଷେତରୁ ଚଷା ଚହଳ ଶୁଭେ, ଧୂଳି ଉଡ଼ିଆସେ ।

 

ଦିନ, ରାତି, ଖାଲି ଘର, ଖାଲି କ୍ଷେତ ଠିଆ ହୋଇଥାଏ ।

ରୋଟ୍ ମରାମତ୍‍ ।

 

ଦି’ ପାଖେ ପାହାଡ଼ର ଢାଲୁରେ ଢାଲୁଆ କ୍ଷେତ । ମଝିରେ ନାଲି ରାସ୍ତା, ତା’ର ଦି’ କରରେ କରଞ୍ଜ ଗଛ, ଝୋଡ଼ି ଗଛର ଧାଡ଼ି । ଗହଳ ହୋଇ ମଲାଫୁଲ ଗଦା ହୋଇଛି । ରାସ୍ତା, ଆଉ ଧୂଳି, ରୋଟ୍ ମରାମତ୍‍ ।

 

ଅସଂଖ୍ୟ କୁଲି, କେତେ ଦୂର ଦୂର ଗାଁର । ଅଧିକାଂଶ ସ୍ତ୍ରୀ ଲୋକ ପରଜା ନୋହିଲେ ଗଦବା, ପୁରୁଷ ସବୁ ଜାତିର, ଅଧିକାଂଶ କନ୍ଧ, ମିସ୍ତ୍ରୀମାନେ ଡମ୍ବ । ପରଜା ବେକରେ ମାଳି, ଗଦବା କାନରେ ମସ୍ତ ବଡ଼ ବଡ଼ ଗୋଲ ଗୋଲ ପିତ୍ତଳ ତା’ର, ଡମ୍ବର ବ୍ଳାଉଜ୍, କନ୍ଧର ମୋଟାମୋଟା ଜଟ ପରି ବାଳ, କଚ୍ଛି କଣ୍ଟ୍ରାଟିର ମସ୍ତ ପଗଡ଼ି, ବିଡ଼ିଧୂଆଁ, ମୋଜାରେ ପେନସିଲ ଛାତିରେ ଭାଙ୍ଗ ରୁଲ୍‍ ଟୋକା ଗୁମାସ୍ତା, ସବୁ ମିଶି ଗୋଟିଏ ଚଞ୍ଚଳ ହଲିଲା ଚହଲିଲା ଛବି । ରାସ୍ତା କରେକରେ ଗାତ, ମାଟି ଗଦା, ଭଙ୍ଗାପଥର ଗଦା, ମଟାଳ ଗଦା । କେଉଁଠି ହଣାହଣି, କେଉଁଠି ଭଙ୍ଗାଭଙ୍ଗି, କେଉଁଠି ବୁହାବୋହି । ତା’ରି ଭିତରେ ତୁଚ୍ଛା ଗୋଳମାଳ, ଡାକହାକ, ଗାଳି ଫଜିତ୍ ଗୀତ ।

 

ଏକାଠି ଧାଡ଼ି ହୋଇ ବସି ପଥର ଭାଙ୍ଗିଲାବେଳେ, ଏକାଠି ତା’ପଛକୁ ତା’ ପଛ ଟୋକେଇ ମୁଣ୍ଡେଇ ମାଟି ଗଦେଇଲାବେଳେ, କେଉଁଠି ଥାଏ ଭୋକ ଶୋଷ ? ତାଳରେ ତାଳରେ ହାତ ଚାଲେ, ଗୋଡ଼ ଚାଲେ, ତାହାରି ଭିତରେ ରାଆ ଧରି ଗୀତ ବୋଲିବାକୁ ତର ଥାଏ । ଦିନଯାକ ଥଟ୍ଟା ନକଲ, ହସ ଫୂର୍ତ୍ତି, ମହା ପଙ୍ଗତ ସେ ।

 

ସଞ୍ଜ ହେଲ, କାମ ସରେ, ପଲ ପଲ ହୋଇ ସମସ୍ତେ ବାହୁଡ଼ି ଫେରନ୍ତି । ପାଖର ଲୋକେ ଦଳ ବାନ୍ଧି ଗାଁକୁ ଯାଆନ୍ତି । ଦୂରର ଲୋକେ ଏକାଠି ହୋଇ ଫେରି ଆସନ୍ତି, ରାସ୍ତା ପାଖେ ଯେଉଁଠି କଣ୍ଟ୍ରାଟି କୁଲିଘର ବାନ୍ଧି ବସ୍ତି ବସେଇଛି ସେଠିକୁ । ପାଖରେ ଝୋଲାକୁ ଗଡ଼ି ପଡ଼ି ସମସ୍ତେ ଧୋଇ ପୋଛି ହୁଅନ୍ତି, ତା’ପରେ ପରିଷ୍କାର । ପୁଣି ମୁହଁ ସଞ୍ଜବେଳେ ଝୁଲାମୁଣି ଫିଟେ, ଦର୍ପଣ ଖଣ୍ଡିଏ, ପାନିଆଁଟିଏ, ସାନ ବୋତଲରେ ଜଡ଼ା ତେଲ ଟିକିଏ, ବାଟ କରରୁ ତୋଳି ଆଣିଥିବା ଫୁଲ ଦି’ଟା ।

 

ସେଇ ବିଦେଶ ଭୂଇଁର ଅପନ୍ତରାରେ ବି ଡୁଙ୍ଗୁଡୁଗା ବାଜେ ।

ପ୍ରତି ଘର ଆଗରେ ନିଆଁ ଜଳେ, ଧାଡ଼ିଧାଡ଼ିକା ରୋଷେଇ ନିଆଁ ।

 

ଦୁଇ ଘଣ୍ଟା ପରେ ଘରେ ଘରେ ତାଟି କିଳା ହୁଏ, ରାସ୍ତା କଡ଼ରେ କୁଲି ବସ୍ତି କେଉଁଠି ମିଶିଯାଏ ତା’ରି ପତ୍ତା ମିଳେ ନାହିଁ ।

 

ଗୋଟିଏ ଦିନ ସରିଲା । ଆଠୋଟି ପଇସା ।

 

ପ୍ରଥମ ପାଞ୍ଚଦିନ କଟିଗଲା ଗୋଟିଏ ହୋ’ ରେ । ସେତେବେଳେ କାମ ମନେପଡ଼େ ନାହିଁ, ଘର ମନେପଡ଼େ ନାହିଁ, ଅଥଚ ଉଭେୟ ମନେପଡ଼ନ୍ତି । ଗୋଟିଏ ପ୍ରକାର ଗୋଳମାଳିଆ ଧାରଣା, ସେଥିରେ ଆନନ୍ଦ ନାହିଁ, କି ଦୁଃଖ ନାହିଁ, ସବୁ ନୂଆଁ ନୂଆଁ, ଅଥଚ ସମ୍ବନ୍ଧ ନାହିଁ କାହାରି ସଙ୍ଗେ ।

 

ଦିନ ଯହୁଁ ଯାଏ, ଚିହ୍ନାଜଣା ବେଶି ଲାଗେ, ମନ ଉପରେ ଗାର ବେଶି ଗହୀର ହୋଇଯାଏ, କ୍ରମେ ମମତା ଆସେ । ଚଟିଘର ଭିତରେ ଯେଉଁ ଭୂମି ତିନି ହାତ ଶୋଇବାକୁ, ପ୍ରଥମେ ଦିନ ଲାଗୁଥିଲା କେଡ଼େ ଅଚିହ୍ନା । କ୍ରମେ ଏପରି ଲାଗେ, ଯେପରି କି ଗଲା ଦିନ ଚାରିପାଞ୍ଚଟା ଦେହର ତାତି ସେଇ ପାଖ ମାଟିରେହିଁ ଜମା ହୋଇ ସାଇତା ହୋଇ ରହିଛି, ଅପେକ୍ଷା କରି ରହିଛି ଦେହ ମାଟିରେ ଗଡ଼ିବାକୁ । ତାଟି ଖୋଲିଲେ ମୁହଁ ଆଗରେ ଆବୁଡ଼ା ଖାବୁଡ଼ା ନାଲି ରାସ୍ତାର ଯେତିକି ଦିଶେ, ଆଗେ କେତେ ଅଚିହ୍ନା ଲାଗୁଥିଲା ସେ, ଅନାଇଁ ରହିଲେ ମନ ଭିତର କବାଟଗୁଡ଼ାକ କିଳି ହୋଇ ଯାଉଥିଲା ଧଡ଼ ଧାଡ଼୍ ଏବେ ତା’ ନାହିଁ । ସକାଳ ହେଲେ କେତେ କାଳର ଚିହ୍ନା ସାଙ୍ଗୀଟି ପରି ସେହି ରାସ୍ତା ଆଉ ତା’ ସେ ପାଖେ ସେ ଆବୁଆବୁଆ ପାହାଡ଼ର ଛବି ଆଖିକୁ ସଙ୍ଖୋଳି ଯାଏ, ଅନାଇଁ ଦେଖିଲେ କେତେ ସ୍ମୃତି ମନେପଡ଼େ, ପଛର ଆଗର ।

 

ପରିଚୟ ସବୁ ବନ୍ଧନ ଗଢ଼େ ।

 

କରଞ୍ଜ ଗଛର ଫୁଲ ଝଡ଼ିବା ଦେଖୁ ଦେଖୁ ବିନା କାରଣରେ ଆଖି କଅଁଳ ହୋଇ ଆସେ-। ଦିନ ଦିନର ସାନ ବଡ଼ କେତେ ଘଟଣା, ଯାହା ଭିତରେ ଖିଅ ଧରିବାକୁ ମନ କେବେ ଲୋଡ଼ିନାହିଁ, କ୍ରମେ ଜଣାପଡ଼େ, ତହିଁରେ ଯେପରି କ୍ରମ ଅଛି, ସବୁ ସବୁଦିନେ ସେତିକିବେଳେ ଘଟେ, ତେଣୁ ସକାଳୁ ଉଠି କାମକୁ ଗଲାବେଳେ ଦି’ ପାଖେ କେଉଁ କ୍ଷେତରେ କେଉଁଚାଷୀ ହଳ ବୁଲୋଉଥିବ, କେଉଁ ଗଛମୂଳେ କିଏ ଗୋରୁ ମେଳିଦେଇ ବସି ବଇଁଶୀ ଫୁଙ୍କୁଥିବ ଆଗରୁ ମନ ଭିତରେ ସେ ଦିଶିଯାଏ, ପଦାକୁ ଆଖି ପକାଇଲେ ଜଣାପଡ଼େ ସେ ଅଛି ।

 

ହେଇ ଗୋଧୂଳିବେଳେ । ଚଟିଘର ପାଖେ ବଡ଼ ମହାନିମ୍ବ ଗଛର ଡାହି ତଳେ, ଦୁଇଟା ଚିଲ ପ୍ରତିଦିନ ଏତିକିବେଳେ ଶୂନ୍ୟରେ ଓଲଟପାଲଟ ହୋଇ ଖେଳୁଥାନ୍ତି, ପ୍ରତିଦିନ । ଠିକ୍ ସେତିକିବେଳେ ହେଲେ ଆଖି ଖୋଜେ କାହାନ୍ତି ସେମାନେ ? ଯେଉଁଦିନ ଆସୁଆସୁ ଡେରି ହୋଇଗଲେ ସେମାସେ ଦେଖା ନ ପଡ଼ନ୍ତି, କେତେ ଖରାପ ଖରାପ ଲାଗେ ! ମନ ଭିତରେ କେଉଁଠି ଗୋଟିଏ ବଡ଼ ଫାଙ୍କ ହୋଇଯାଏ । ସେହିବାଟେ ମନଗହୀରରୁ କେତେ ହଜିଲା ସ୍ମୃତି ଘା’ ଟଣକେଇ ବାହାରି ଆସେ ।

 

ଦିନଯାଏ, ଚାରିର ଏଇ ଘଣ୍ଟାପରି କଳପରି ଚାଲୁଥିବା ହଲୁଥିବା ଘଟଣା ଉପରେ ଯେତେଥର ଆଖି ଭରା ଦେଲେ ବି ଜାଣି ଜାଣି କୌଣସି ଅର୍ଥ ମନକୁ ଯାଏ ନାହିଁ । କିନ୍ତୁ ମନଗହୀରରେ ତା’ର ଡାଳ ବାଜେ । ହଠାତ୍ କେବେ ପାରିପାର୍ଶ୍ୱିକ ଏ ଛବି ମହଲରେ କେଉଁ ଅଭାବ ଘଟିଲା ମନ ଭିତରେ ବେସୁରା ହୋଇଯାଏ, କାରଣ ଖୋଜିଲେ ଜମା ମନକୁ ଆସେ ନାହିଁ-

 

ଭାବିବାକୁ ବେଶି ବେଳ ଥାଏ ନାହିଁ ମଜୁରିଆର କାମ ଭିତରେ ସବୁ ଡ଼ୁବିଯାଏ, ଖରା, ଝାଳ, କାମ, ମଳି । ବଳକା ସମୟରେ ଦଳର ଫୂର୍ତ୍ତି । ସଞ୍ଜ ହେଲେ ଟଣକୁଥିବା ଦେହ ହାତ ବିଛଣା ଖୋଜେ । ଭଲ ସ୍ୱପ୍ନଟିଏ ଭାବି ବସିବାକୁ ମଧ୍ୟ ତର ନାହିଁ । ଦିନ ପରେ ଦିନ ଚାଲିଯାଏ ।

 

ଧୀରେ ଧୀରେ ସେ ଜୀବନ ମଧ୍ୟ ଆରେଇ ହୋଇଗଲେ । ତା’ପରେ ନୂଆ ଅବସ୍ଥା ମନରେ ଅବଚେତନ ଭିତରକୁ ଚାଲିଯାଇ ଚେତନା ପୁଣି ଅନୁସନ୍ଧିତ୍ସୁ ଦୃଷ୍ଟିରେ ପଦାକୁ ଫିଟିଯାଏ । ଆରମ୍ଭ ହେଲା ଜୀବନର ଅନୁଭୂତି ।

 

ଛଅଟି ଦିନର ଖଟଣି ପରେ ରବିବାର ଦିନ କାମ ବନ୍ଦ । ସମୟଗୁଡ଼ିକ ହାତପାଖେ ଗୋଡ଼ପାଖେ ଛାଟିପିଟି ହୁଏ । ଝୋଲାରେ ବୁଡ଼ି ବୁଡ଼ି ଗାଧୋଇବା, ଚିକ୍‍କଣ ହୋଇ ମୁଣ୍ଡଟି ବାନ୍ଧିବା, ବାଛି ବାଛି ଗୁରେଇ ସତୁରେଇ ଲୁଗାଟା ପିନ୍ଧିବା, କେତେ ସମୟ ବା ଯିବ ଏତିକିରେ ? ବେଶଭୂଷା ହୋଇ ଖାଇପିଇ ସାରି ସମସ୍ତେ ଏକାଠି ହୋଇ ଗୁମାସ୍ତାର ଟୁଙ୍ଗିଘର ଆଗରେ ରୁଣ୍ଡ ହୁଅନ୍ତି । ଆଜି ଛଅଟି ଦିନର ମଜୁରି ମିଳେ । ସମସ୍ତେ ଉତ୍ସାହିତ । ସେହି ଘର ଆଗରେ ଅସୁମାରି ଟୋକା–ଟୋକୀଙ୍କ ଭିଡ଼ ହୁଏ । ପଇସା ମିଳେ । ଆନନ୍ଦ ଉଛୁଳିପଡ଼ି କେତେ କ’ଣ ହୁଏ । ଆଜି ଛୁଟିଦିନରେ ହିଁ ସେସବୁ ଆଖିରେ ଗଣି ମନ ଭିତରକୁ ଯାଏ ।

 

ବିଦେଶ ଭୂଇଁରେ ଗାଁର ଆକଟ ବାଛନ୍ଦ ନାହିଁ । ନିତି ମଜୁରି ଖଟିବା ଟୋକାଟୋକୀଙ୍କ ଆଖିରେ ଭବିଷ୍ୟତର ପରିଣାମ ସେତେ ବଡ଼ ହୋଇ ଦିଶେ ନାହିଁ । ଦିନମାନ ଖଟଣି । ତାହାରି ଭିତରୁ ବଳି ଯେଉଁ ଟିକିଏ ସମୟ ହାତରେ ପଡ଼େ, ସେଥିରେ ଗାଁ ଗୋଠର କଠିନ ନିୟମ ଚର୍ଚ୍ଚା କରିବାକୁ କାହାରି ସତ ବଳେ ନାହିଁ । କିଏ ଫୂର୍ତ୍ତି କରେ, ଯେ ନ କରେ ସେ ହସି ହସି ଚାଲିଯାଏ । ସମାଲାଚନା କରେ ନାହିଁ କେହି ।

 

ସେମାନେ ଟୋକାଟୋକୀ । ତାଙ୍କରି ସମାଜ ସେ । ସେମାନେ ନିଜେ ରୋଜଗାରୀ, ତେଣୁ ନିଜେ ନିଜର ମାଲିକ । ବିରାଟ ଚଟିଘର ସେଇଟା, ସବୁ ସେଠି ଅସ୍ଥିର । ଗାଁ ଦୂରରେ, ଗୁରୁଜନ ଦୂରରେ, ସରଳ ନିୟମ ତାଙ୍କର, କାମ କରିବାକୁ ହେବ, କାମ କଲେ ପଇସା ମିଳିବ । ଗରିବ ସେମାନେ, ହେରେଇବାକୁ କିଛି ନାହିଁ । ବଣ ଦେଶରେ ବଣର ପିଲା ।

 

ତେଣୁ ତାଙ୍କର ଗୋଟିଏ ମାତ୍ର ଧର୍ମ,– ଆନନ୍ଦ କରିବା । ସେଇ ଟୋକାଟୋକୀଙ୍କ ନୂଆ ସମାଜ ଭିତରେ ଆନନ୍ଦ ଯୌବନକୁ ହିଁ ଆଶ୍ରାକରେ । ତା’ର ସାର୍ଥକତା ସେ ନିଜେ ।

 

ନୂଆ ଲୋକେ ଆସନ୍ତି, ପୁରୁଣା କିଏ ଯାଆନ୍ତି, କିନ୍ତୁ ଯେ ଯେଉଁ ଧର୍ମର ହେଉ ଧୀରେ ଧୀରେ ନୂଆ ଧର୍ମର ପ୍ରଭାବରେ ସେ ପଡ଼ିଯାଏ ।

 

ଆନନ୍ଦ । କିଏ ତାକୁ କିପରି ଖୋଜେ । କିନ୍ତୁ ମଜୁରିଆର ଉପାୟ ସାମାନ୍ୟ ମନଫୂର୍ତ୍ତି, ଟୋକାଟୋକୀ ମିଶାମିଶି ।

 

ପ୍ରଥମେ ଯେଉଁଦିନ ନୂଆ ଧର୍ମ ଜିଲିକୁ ଓଟାରିବାକୁ ଚେଷ୍ଟା କଲା ଜିଲି ଛାଟିପିଟି ହୋଇ ପଳାଇଗଲା । ସେଦିନ ସଞ୍ଜ ପହରରେ । ଯେଝା ଯେଝା ନିଆଁ ପାଖେ ପାଟି ଗୋଳ ଶୁଭୁଥାଏ । ଆପଣା ଘର ଆଗରେ ବୁଲୁବୁଲୁ ଜିଲି ଟିକିଏ ପଦାକୁ ଚାଲିଗଲା । ସେ ପାଖୁ ଅଳ୍ପ ନିଶାରେ ମାତି ଶାମ ପରଜା ଜିଲି ଆଡ଼କୁ ମାଡ଼ିଆସି ତା’ର ପଣତକୁ ଧରିଲା । କହିଲା, “ଏ ନୁନି, ଆ ଯୁଃ ।”

 

ଜିଲି ଗାଳି ଦେଇ ଦେଇ ପଳେଇ ଆସିଲା । ଅନ୍ଧାରରେ ଚାରିପାଖୁ ହସି ହସି ଆଉ କେତୋଟି ଟୋକୀ ଶାମ ପରଜାର ନାଁ ଧରି ଡାକି ଡାକି ପାଖକୁ ଆସିଲେ । ଆପଣା ଘର ଆଗରେ ଚାଲିଥାନ୍ତି ଜିଲି ବିଲି । କେତେ ଅଚିହ୍ନା ଟୋକୀ ଶାମ ପରଜା ଜାରିପାଖେ ବେଢ଼ିଥାନ୍ତି । କାହାକୁ ଧରି କାହାକୁ କୁଣ୍ଢେଇ କାହା ଉପରେ ଭରା ଦେଇ ମେଞ୍ଚିମାଞ୍ଚି ହୋଇ ଶାମ ପରଜା ଚାଲିଗଲା । ଚାରିଆଡ଼ୁ ଖାଲି ହସର ଅଭିନନ୍ଦନ ।

 

ଦି’ ଭଉଣୀ ମୁହଁ ଚାହାଁଚାହିଁ ହେଲେ । କେଡ଼େ ନିରାଶ୍ରୟ ଲାଗିଲା ବିଦେଶ ଜାଗାରେ ! କିନ୍ତୁ ପ୍ରତିଦିନ ଏହିପରି କେତେ ଦୃଶ୍ୟ ଆଖି ଆଗରେ ପଡ଼େ । ସଞ୍ଜବେଳେ ଖାଇ ସାରିବାର ଅଧଘଣ୍ଟା ପର୍ଯ୍ୟନ୍ତ କୁଲି ବସ୍ତିର ଗହଳ ଚହଳ ବଢ଼ିଯାଏ, ଏପାଖ ସେପାଖ ଯିବା ଆସିବା । କେତେ ମିଠା ଗଳାରେ ଡାକ ଆଉ ଜବାବ୍ । ସିଠି, ଗୀତ, ଖଣ୍ଡିକାଶ, ହୁମ୍ ଦୁମ୍ ।

 

 

ଗୋଟାଏ ଘରେ ଜିଲି ବିଲି ଦୁହେଁ ଶୁଅନ୍ତି । ଅନେକ ରାତିରେ ନିଦ ହୁଏ, କିନ୍ତୁ ଦୁହେଁ ତୁନି ହୋଇ ଶୋଇ ରହନ୍ତି । କାନ ଠିଆହୋଇ ରହେ, ପଦାର ଶବ୍ଦ ବାରିବାକୁ । ଦେହ ଶିର୍‌ଶିରେଇ ହୁଏ ।

 

ଏହିପରି କ୍ରମେ ନଜର ପଡ଼ିଲା, କାମ କଲାବେଳେ ଉଢ଼ୁଆଳ ଦେଖି କେଉଁ ଟୋକାଟୋକୀ ତୁନିତାନି କେଉଁ ଆଡ଼କୁ ଉଠି ଚାଲିଯାଆନ୍ତି । ଫେରୁଫେରୁ ଡେରିହୁଏ । କିଏ ବା କେଉଁ ପାସୋରିବା ଜିନିଷ ଖୋଜିବାକୁ ଚଟିଘର ଆଡ଼କୁ ଚାଲିଯାଆନ୍ତି ।

 

ପୁଣି ଆଖିରେ ପଡ଼େ କାମ କଲାବେଳେ କାହା ପାଖେ କିଏ ଆପେ ଆପେ ମିଶିଯାଇ କାମ କରୁଛି । କେଉଁ ଟୋକା ମାଟି ହାଣିଲେ କେଉଁ ଟୋକୀ ମୁଣ୍ଡ ଉପରକୁ ଉଠାଇ ଦେଉଛି, କେଉଁ ଟୋକୀ,–କେଉଁ ଟୋକା ପଥର ଭାଙ୍ଗିବସିଲେ ଟୋକେଇଟିଏ ଧରି ବସି ମଠେଇ ମଠେଇ ଗପ ଲଗେଇ ଦଉଛି ।

 

ସାମାନ୍ୟ କଥା ଏସବୁ, କିନ୍ତୁ ଅଭ୍ୟାସ ହୋଇଗଲେ ବଳେ ଆଖିରେ ପଡ଼େ । ଟୋକା ଗୁମାସ୍ତା, ଟୋକା କୁଲି ସର୍ଦ୍ଦାରମାନେ, ସେମାନେ ବି କାମ ଦେଖୁ ଦେଖୁ କାହା ଦେହରେ କେତେବେଳେ ଖୁଜୁ ବୁଜୁ ହୋଇଯାଆନ୍ତି, କାହାର ମୁଣ୍ଡରେ କାହାର ପିଠିରେ ହାତ ମାରିଦେଇ ସାଉଁଳେଇ କଅଁଳେଇ କହନ୍ତି, “କାମ କର, କାମ କର ।” ସତର୍କ ଆଖି ସେମାନଙ୍କର । ସବୁବେଳେ ଆଖି ସ୍ଥାନ ସ୍ଥାନ ଉଣ୍ଡି ଉଣ୍ଡି ବୁଲୁଥାଏ, ଏଣେ ତେଣେ ମଣିଷର ଆଖି ପଡ଼ିଗଲେ ନୂଆ ଲୋକ ଝାଳେଇ ଯାଏ ।

 

ଏଇସବୁ ନୂଆ କଥା ଅନୁହୁତି ମନକୁ କେଞ୍ଚେ । କିଏ ଯେପରି ଶିଖେଇ ମଣେଇଁ ଦିଏ–

 

“ବନ୍ଧ ଭାଙ୍ଗ୍ ବନ୍ଧ ଭାଙ୍ଗ୍‍ ।”

ଘର ମନେପଡ଼େ । ବାଗ୍‍ଲା ମନେପଡ଼େ, ବାପଭାଇ ମନେପଡ଼ନ୍ତି । ବିଲି ଥରେ ଥରେ,କହେ–

 

‘‘ବେଶି ଖଟଣି ଏଠି, କାମ ଏତିକି ଥାଉ, ବାପା ରାଗୁଥିବ ଯିବା ଭାରି । ’’ ଜିଲି ମନାକରେ–

 

“କେବେ ହେଲେ ତ ଯିବା, କାମ ନ କଲେ ପଇସା ମିଳିବ ନାହିଁ ।” ବେଳେ ବେଳେ ଭାରି ଉଦାସ ଲାଗେ, କିନ୍ତୁ ଭାବିବାକୁ ଅବସର କାହିଁ ବା !

 

ବନ୍ଧୁ ଆସନ୍ତି, ନୂଆ ବନ୍ଧୁ, ମିଲ୍‌କୀ, କମ୍ବ୍‍ଲା, ଫୁଲ୍‍ମଣି, ଯମୁନା ବହୁତ ଏପରି । ସେମାନେ ସବୁ ଏଥିରେ ପୁରୁଣା । ହସ ସବୁବେଳେ । କମ୍ବ୍‍ଲା, ଯମୁନା, ମିଲ୍‌କୀ ପ୍ରାୟ ନୀତି ଆସନ୍ତି । ଇତିହାସ ସମସ୍ତଙ୍କର ପ୍ରାୟ ସମାନ । ସେଦିନ ଗପ ପଡ଼ିଥିଲା । କମ୍ବଲା କହିଲା–

 

“ବାପା ବେମାର, ସବୁଦିନେ ହାତଗୋଡ଼ ଫୁଲା, ଛାତିରେ ଦୁଃଖ । ମା’ ଗୋଟେ ଭିନ୍‍ଲୋକକୁ ବାହାରିଗଲା । ଖାଦିପିଦି ନାହିଁ । ମୋର୍‌ ତଳର୍‌ ଭଉଣୀକୁ ବାପାକୁ ଛାଡ଼ି ଆଇଲି କୁଲିକୁ । ଆଗେ ଏମିତି ଏକା ଲାଗୁଥିଲା ମତେ, ଭାରି ଖରାପ ଲାଗୁଥିଲା । ପଛେ ସଲମନ ମିସ୍ତ୍ରି ମୋ ସାଙ୍ଗେ ‘କମ୍ବ୍‍ଲା କମ୍ବ୍‍ଲା’ କହି ଦିନ୍‌ ଦିନ୍‌କେ ଭେସଡ଼୍ ଲାଗି ଲାଗି ଶେଷରେ ଗୋଟେ ରକମ୍‌ ମତେ ରଖି ଘେନିଲା ଏଠି । ରଖିଚି ସିନା, ତା’ ପାଖେ ବନ୍ଧାନୁହେଁ ମୁଁ । ହେଲେ, ସେଇଦିନରୁ–”

 

କମ୍ବ୍‍ଲା ହସିଲା । ପିନ୍ଧିଥିବା ନାଲି ଲୁଗାକୁ ଆଙ୍ଗୁଠି ଦେଖାଇଲା, ଆଉ କାନର ସୁନା ଫାଶିଆକୁ ।

 

ସମସ୍ତେ ଏହିପରି ଗପନ୍ତି । ଜିଲି ବିଲିଙ୍କୁ ନୂଆ ନୂଆ ଭାରି ଅସଜ ଲାଗେ ।

 

ଥରେ ପହିଲି ରାତିରେ । ବନ୍ଧୁ ତିନୋଟି ଡାକି ଆସିଲେ ରୋଟ୍‌ ଗୁମାସ୍ତା କଳବାଜା ଆଣିଚି ବଜେଇବ, ଯିବାଚାଲ ।

 

ସମସ୍ତେ ମିଶିଗଲେ, ଗୁମାସ୍ତାର ଟୁଙ୍ଗି ପାଖେ ଆହୁରି କେତେ ଟୋକୀ ଥିଲେ । ଗୁମାସ୍ତା ନଲ୍‌ଟଣ ଲଗାଇ ଭାରି ଝୁଙ୍କରେ ଖଣ୍ଡେ ପୁରୁଣା ହାର୍ମୋନିଆ ଉପରେ କସରତ୍ ଲଗାଇଥାଏ । ପାଖରେ ମିସ୍ତ୍ରି ତିନି ଜଣ ଥାଆନ୍ତି ।

 

“କିରେ ସେଠି କାହିଁକି ? ଆସୁନା ଭିତରକୁ । ଆସ୍‌ ଆସ୍‌ । ଜିଲି ବିଲି ଟିକିଏ ପାଖକୁ ଗଲେ ।” କିଛି ସମୟ ଏହିପରି କଟିଲା ଠିଆ ଠିଆ, ହଠାତ୍‌ ଆଲୁଅ କିଏ ନିଭେଇ ଦେଲା । ତା’ପରେ ଅନ୍ଧାରରେ କେତେ ଟଣା ଓଟରା । ଜିଲି, ବିଲି, ଯମୁନା ଖସି ପଳେଇ ଗଲେ । ବାଟରେ ଯମୁନା ହସିଲା । “କାହିଁକି ମତେ ଝିଙ୍କି ଆଣିଲ ? ଦେଖ ତ ?”

 

ଜିଲି ବିଲି ହସି ଉଠିଲେ, ଜିଲି କହିଲା,–

“ଥାଉ ଥାଉ ଆଜି ଏତିକି ।”

କେବେ ସେମାନେ ରାଗିଥାନ୍ତେ, ସବୁଦିନେ ରାଗି ହୁଏ ନାହିଁ ।

 

ପ୍ରତିଦିନ ସଞ୍ଜ ହେଲେ କେତେଠିଁ କେତେ ପ୍ରକାର ନାଚର ଆଡ଼୍ଡ଼ାରେ ନାଚ ହୁଏ, ଆଉ କାହାର କେଉଁଦିନ ହେଡ୍‌ କୁଲି ହାତରେ କି ପୋଷା ହାତୀ ହାତରେ ଖବର ଆସେ ରୋଟ୍‌ ଗୁମାସ୍ତା ଟୁଙ୍ଗିକୁ ହାରମୋନିଆ ଶୁଣି ଯିବାକୁ । ତେଣୁ ସମସ୍ତେ ସବୁଦିନ ସଜ ହୁଅନ୍ତି, କୁଲି ପଇସାରୁ ଘୁଙ୍ଗୁର କିଣା ହୁଏ, ଡୁଙ୍ଗଡୁଙ୍ଗାର ତା’ର କିଣା ହୁଏ, କିଣା ହୁଏ ସାବୁନ୍‌, ଜଡ଼ା ତେଲା, ଚାରିପଇସିଆ ବାସ୍ନା ତେଲ, ଯାହା ସରୁ ଛୋଟ ବୋତଲରେ ଥାଏ ।

 

ଗୁମାସ୍ତାଟି ପଚିା ବର୍ଷର ଭେଣ୍ଡା ପିଲା । ଗଜୁରା ଗଜୁରା ଅଧା ନିଶ ଅଛି, ଗୋରାଟା । ଦିନଯାକରେ ଖରାଟିଆ ଖଟଣି ପରେ କେତେ ଦୂରରୁ ଦୂରରୁ ସାଇକେଲ ଉଡ଼େଇ ଲେଉଟି ଆସେ-। ସଞ୍ଜ ଉତ୍ତାରୁ ତା’ର ବିଶ୍ରାମ ।

 

ଆଖିରେ ଭଙ୍ଗୀରେ କାହାକୁ କେତେବେଳେ ସେ କଳି ନିଏ, କେତେ ଟୋକୀ ବଳେ ବଳେ ଉପରେ ପଡ଼ନ୍ତି, କାହାକୁ ବା ମୁହଁ ଫିଟାଇ କହି ଦେବାକୁ ହୁଏ । କିନ୍ତୁ ବହୁତ ଅଭିଜ୍ଞତା ପରେ ସେ ବୁଝିଛି, ଯାହାକୁ ପ୍ରକୃତରେ ମନ ଶୋଷେଇ ହୁଏ ତା’ ସହିତ ସଫା ସଫା ମୁହାଁମୁହିଁ କାରବାର ଚଳେ ନାହିଁ । ଫିଟାଇ କହିଦେଲେ ଅଧେ ଆନନ୍ଦ ନଷ୍ଟ, ତେଣୁ ସାମାନ୍ୟ ଲୁଚାଚୋରା, ସାମାନ୍ୟ କାରସାଦି ଏତକ ଦରକାର ।

 

ଏସବୁ କଥା ପାଇଁ ହାତବାରିସି ତା’ର ଦୁଇଟି ବୁଢ଼ୀ, ରାମୀ ଆଉ ମୋତୀ । ଚିନ୍ଦ୍ରିର ରାମୀ, ନାଁ ଡାକ ତା’ର, ସ୍ୱଦେଶୀ ବିଦେଶୀ କେତେ ଲୋକ ତା’ପାଖେ ଋଣୀ । ସଞ୍ଜପହରୁ ଭାତ ଖିଆ ସରିଯାଏ, ଗୁମାସ୍ତା ହାର୍ମୋନିଆରେ ଗଳା କଳେ, ତା’ପରେ ସେ ବିଛଣା ଧରେ । ସେଇଠୁ ସେ ଅନୁଭବ କରେ, ଗୋଡ଼ ଅଣ୍ଟାରେ ଦିନଯାକର ଘୋଳା ବିନ୍ଧା, ଡାକେ “ଆଲୋ ରାମୀ, ଚିପିଦେଲୁ ଟିକିଏ ।”

 

ରାମୀ, ମୋତୀ ଦିନରେ କୁଲି କରନ୍ତି, ପୁଣି ଗୁମାସ୍ତା ଘରେ ବାସି ପାଇଟି କରନ୍ତି । ତାଙ୍କରି ଭିତରୁ କେହି ହେଲେ ରାତିରେ ଗୋଡ଼ ମୋଡ଼ି ଦିଅନ୍ତି ।

 

ଗୋଡ଼ ଘଷୁ ଘଷୁ କଥା ପଡ଼େ, ଗୁମାସ୍ତା କହେ ଦିନଯାକର ଅନୁଭୂତିର ଆଶାର କଥା, ମୋତୀ ବା ରାମୀ କହନ୍ତି ଦିନଯାକର ଚେଷ୍ଟାର ଫଳାଫଳ । ଟିକିଏ ଯାଏ । ଘର ଭିତରକୁ ଟୋକୀଟିଏ ଡାକିଦେଇ ରାମୀ କହେ, “ଆ, ଆ, ଟିକିଏନାକୁ ପାଇଟି ଅଛି, ମୋ ହାତ ଘୋଳି ହୋଇଗଲାଣି, ବୁଢ଼ୀଲୋକ” ରାମୀ ଚାଲିଯାଏ ।

 

ନିତି କେତେ ଫେଞ୍ଚ୍‍କାମୀ ଏହିପରି, ବାଗେଇ କହିବାର ନାଁ କବିତା । କେବେ କାହା ଘରକୁ ଅଣ୍ଟି ଭିତରେ ପୁଡ଼ିଆ ଲୁଚେଇ ନେଇ ରାମୀ ଯାଏ, କେବେ ଫୁଲ ଦି’ଟା । କେବେ ସାବୁନ ବକଟେ, କେବେ ପିତଳର ମାଳି ସରିଏ ।

 

ହାତରେ ଗୁଞ୍ଜିଦେଇ କହେ, “ଗୁମାସ୍ତାବାବୁ କହିଚି, ସଞ୍ଜକୁ ଗୀତ ଶୁଣି ଯିବୁ ।” ରାମୀ ହସିଦେଇ ଟୋକୀର ଚିବୁକରେ ହାତ ମାରି ଦେଇଯାଏ, କାହାକୁ ଟିକିଏ ନିରେଖି ଦେଖେ, କାହାକୁ ଆଉଁଶି ଦିଏ, କହେ, “ସତେ କେଡ଼େ ସୁନ୍ଦରଟିଏ ତୁ ।” ରାମୀର ବୟସ ଖସିଚି । ଏଇ ଜୁଟାଜୁଟି ଭେଟାଭେଟିରେ ତା’ର ମନ ପୁଣି ଉଲୁସିଉଠେ, ସବୁ ସତେକି ତା’ରି ଲୀଳା । ପରର ଖେଳ ଆପଣାର ବୋଲି ଆପଣାକୁ ଠକି ଏକୁଟିଆ ଥିଲାବେଳେ ଭଙ୍ଗା ଦପର୍ଣରୁ ଫାଳେ ଧରି ଆପଣାର ମୁହଁକୁ ସେ ଆପେ ଦେଖିହୁଏ, ଧୋବଲା ବାଳଗୁଡ଼ାକ କାନମୁଣ୍ଡାର ପଛକୁ ଠେଲି କସରା ବାଳ ତଳେ ଲୁଚାଇ ଦିଏ, ମୁଣ୍ଡରେ ଫୁଲ ଖୋସେ । ଗୁଣୁ ଗୁଣୁ ହେଇ ଟୋକାଟୋକୀର ହାଟ ଭିତରେ ନିଜକୁ ସେ ହଜାଇ ଦେଇ ପାସୋରି ଯାଏ ।

 

ରାମୀ ଜିଲି ବିଲିଙ୍କର ପିଛା ନେଲା, ସେ ରାତିରେ ସେ ହାର୍ମୋନିଆ ଶୁଣିଲା ଉତ୍ତାରୁ । ଅଲଗା ଜଣ ଜଣକ ସାଙ୍ଗେ କଥା ଗପେ, ଅଲଗା ଅଲଗା ଡାକେ, କହେ–

 

“କେତେ ଲୋକ କେତେଠିକିଁ ଯାଆନ୍ତି, ମୁହଁ ଶୁଖେଇ ତୁ ବସିଥାଉ କାହିଁକି ?”

ରାମୀ ନିଜ ଛାଆଁକୁ ଫୁଲ ଆଣିଦିଏ, ମୁଣ୍ଡ କୁଣ୍ଡେଇ ଦିଏ, ଗୁଲୁର ଗୁଲୁର କଥା ଗପେ ।

 

କେବେ ଗୁମାସ୍ତା ଖୁସି ହୋଇଗଲେ ପଇସାଏ, ଦି ପଇସା ଯାଚି କରି ଦିଏ । ପଇସାରେ ରାମୀର ପେଟ ପୁରେ ନାହିଁ । ପେଟ ପୁରେ କାମରେ । ମାଗଣା ଲଗାଇବାରେ । ଏତିକି ପାଇଁ ଯେପରିକି ତା’ର ଜନ୍ମ । ଟୋକା, ତାକୁ ଧରନ୍ତି, ଟୋକୀଏ ଧରନ୍ତି, ଦି’ ଆଡ଼ର ଧରାଧରିରେ ମନଟା ମୋଟ ହୋଇଯାଏ, ପେଟ ଭିତରୁ ହସ ଉଛୁଳିପଡ଼େ ଗଦା ହୋଇଯାଏ ଏପାଖ, ସେପାଖ, ଦୁଇପାଖେ ।

 

ବୁଢ଼ୀ ସେ, କିନ୍ତୁ ଟୋକା ଆଉ ଟୋକୀଙ୍କ ଭିତରେ ଗୋଟିଏ ସେ ସିଢ଼ି । ପାଦର ଶବ୍ଦରେ ତା’ର ଚେତନା ଫେରେ, ଯୌବନର ପାଦ ସାଙ୍ଗେ ଆପଣା ଛାତିକୁ ଯୋଡ଼ିଦେଇ ଚିରଦିନ ସେ ଶ୍ୟାମଳା ହୋଇ ରହିଥାଏ ମନେ ମନେ ।

 

ବନ୍ଧୁ ନାହିଁ, କୁଟୁମ୍ବ ନାହିଁ । କେହି ନାହିଁ । ବିଦେଶ ଭୂଇଁରେ ଦିନ ଦିନ ଖଟଣି । ସଞ୍ଜବେଳେ ବଡ଼ ଉଦାସ ଲାଗେ । ପୁଣି ପଛେ ପଛେ ରାମୀ, ତା’ର ହସ, ତା’ର କଥା, ତା’ର ସାକୁଲା ସାକୁଲି । ଆଗେ ଆଗେ ଗୋଷ୍ଠୀର ଆଉ ଦଶଜଣ, ସେମାନଙ୍କର ଖାଲି ମଦ, ନାଚ, ଗୀତ, ପ୍ରକାଶ୍ୟରେ ଲଗାଲଗି ଆଉ ମିଶାମିଶି ।

 

କେଉଁ ଟୋକୀ ସାତଦିନ ମୁହଁ ଫୁଲେଇ ବସେ, କିଏ ବା ପନ୍ଦର ଦିନ, ପରେ ଆପେ ଆପେ ସବୁ ସହଜ ହୋଇଯାଏ । ନାଚ ମଜଲିସ ଭିତରେ କେଉଁ ଯୁଆନ୍‌ ଅନହୁତି ହାତ ଧରି ଓଟାରି ନେଲେ, ତୁଣ୍ଡରେ ନାହିଁ ନାହିଁ କରୁ କରୁ ଖୋଜକୁ ଖୋଜ ପକେଇ ସେ ଅନ୍ତରାଳକୁ ଧାଇଁ ପଳେଇଯାଏ ।

 

ଉଦାସ ଲାଗିବାଟା ପହିଲି ପାହାଚ । ତା’ ପରେ ଟୋକୀ ସାଙ୍ଗସାଥୀଙ୍କ ମଉଜ ମଜଲିସ ଆଡ଼କୁ ସହଜଭାବେ ଚାହେଁ, ତାଙ୍କ ଆନନ୍ଦରେ ହସେ, କିନ୍ତୁ ତାଙ୍କ ବାଟରେ ଯିବାକୁ ଡାକିଲେ ଖାଲି କହୁଥାଏ,“ନିଚୁ ନିଚୁ”(ନାହିଁ ନାହିଁ) ।

 

କିନ୍ତୁ କେତେଦିନ ? ପଛଆଡ଼େ ରାମୀ, ଆଗଆଡ଼େ ବଳିଷ୍ଠ ପଶୁ ଅଭିସାର । ଦୂର ଦେଶ, ଅଚିହ୍ନା ଭୂଇଁ ମୁରବୀଙ୍କ ନାଲି ଆଖି ଏଠି ନାହିଁ, ସମାଜର ଭୟ ନାହିଁ ।

 

ରାତି ରାତି କଟେ, କସରା କସରା ଆଖିରେ ଜିଲି ବିଲି ବିଛଣା କାମୁଡ଼ି ନାଁକୁ ପଡ଼ି ରହନ୍ତି । ବଇଁଶୀ ଶୁଭେ, ଡୁଙ୍ଗାଡୁଙ୍ଗା ଶୁଭେ, ରୋଟ୍ ଗୁମାସ୍ତାର ହାର୍ମୋନିଆ ବାଜା ବୁଜା କବାଟରେ ଥିରି ଥିରି ଡାକ ମରିଯାଏ । ଦି’ ଭଉଣୀ ଫଁ ଫଁ ନିଃଶ୍ୱାସ ମାରନ୍ତି ।

 

ସଂସ୍କାର ଅନେକ କଥାରେ ନେଚିବାକୁ ( ନାହିଁ କରିବାକୁ) ଶିଖେଇଛି । କିନ୍ତୁ ସେ ସବୁ ରହିଛି ମନରେ । ରକ୍ତରେ ତା’ର ଗାର ପଡ଼ିନାହିଁ । ଯୌବନର ରୁଚି ଆବଶ୍ୟକ ଭିତରେ ସମାଜଗଢ଼ା ବୁଢ଼ା କଠୋରତା କେଉଁ କାରଣରୁ କଣରେ ମାଡ଼ିମୁଡ଼ି ହୋଇପଡ଼େ ।

 

ଡୁଙ୍ଗୁଡୁଙ୍ଗାର ଡୁଂ ଡାଂ ଖାଲି ଛାତି ଉପରେ ହାତୁଡ଼ି ପାହାର ପିଟେ । ଜିଲି ଚାହେଁ ବିଲିକୁ, ବିଲି ଜିଲିକୁ, ଜଣକ ପାଇଁ ଆରଜଣକ ହିଁ ସମାଜ, ଆଉ କେହି ନାହିଁ ।

 

ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଏ ତାକୁ ସେ ୟାକୁ ଚାପି ଧରେ, କହେ–

“ନିଦ ଲାଗୁ ନାହିଁକି ?”

 

ଦୁହେଁ ହସନ୍ତି । ପରସ୍ପରକୁ କୁଣ୍ଢେଇ ଧରି ପଡ଼ି ରହନ୍ତି । ନରମ ଦେହ ଉପରେ ମଜୁରିଆ ପର ହାତର ପେଷଣ, ସେ ନାରୀ ହାତର ହେଉ ପଛେ,– କେତେ ସ୍ୱପ୍ନ ଭସେଇ ଦିଏ ମନରେ, ଶିରା ଭିତରେ ପୋଷ ପୋଷ ନିଦ ପଶିଯାଏ । ସ୍ୱପ୍ନ ଦେଖୁ ଦେଖୁ ନିଦ ମାଡ଼େ ।

 

ବାହାରେ ମେଘ ଗଜର୍ନ ଶୁଭେ । ଅନ୍ଧାର ପଡ଼ିଆସେ । ଯେଝା ବାଟରେ ଯେ ଶୋଇପଡ଼ନ୍ତି ।

 

ଏହିପରି ଦିନେ, ବିଲି ଯାଇଥିଲା କାମକୁ, ମୁଣ୍ଡବଥା ଯୋଗୁଁ ଜିଲି ଲେଉଟି ଆସି ଶୋଇ ରହିଥିଲା । ରାମୀ ବୁଢ଼ୀ ଆସି ପାଖରେ ବସି କଥା ପକେଇଲା ।

 

ଏଣୁ ତେଣୁ କଥା ପରେ ରାମୀ ହୁ’ କରି କହିଲା–

‘‘ଗୁମାସ୍ତାବାବୁ ତତେ ପଚାରୁଥିଲା । ଆଜି ଯିବୁ କି ଗୀତ ଶୁଣି ?’’

ଜିଲି କହିଲା–

 

“ନିତି ଏତେ ଲୋକ ଗୀତ ଶୁଣି ଯାଉଛନ୍ତି, ମୋ ଯିବାପାଇଁ କାହିଁକି ତା’ର ଏତେ ମନ ବଳେଇଛି ?”

 

ରାମୀ ହସି ହସି କହିଲା–

“ଯିବୁ ତ, ତାକୁ ପଚାରିଲେ ସେ କହିବ ।” ଜିଲିକୁ ଦୁର୍ବଳ ଲାଗୁଥାଏ । କହିଲା–

“ଛି, ଦୋଷ୍‌, ମୁଇଁ ନିଚୁ ?”

ରାମୀ ଜିଲି ପିଠିରେ ହାତ ମାରିଦେଇ କହିଲା,–

 

“ଏଡ଼େ ବକଟେ ପିଲା ତୁ, ଦୋଷ୍‌ ଅଦୋଷ୍‌ ତତେ ଏତେ ଜଣା ? ଆମର ଦେଶିଆ କୁଳରେ ତ ଯାହାକୁ ଇଷ୍ଟୁ (ମନ) ତାକୁ ଯିବେ, ଯେବେ ମନ ନ ହେବ, ଲେଉଟି ଆସିବେ, ଏତେ ଦୋଷ୍‌ ଦୋଷ୍‌ କହୁଚୁ କାହିଁକି ? ଏତେ ଲୋକ ଫୂର୍ତ୍ତି କରୁଛନ୍ତି । ସମସ୍ତେ କରିବା କାମ, ତେବେ ଦୋଷ ନା ଏମିତି ମୁହଁ ଖଟା କରି ନିଜକୁ ନିଜେ ହୋଇ ପଡ଼ି ରହିବାଟା ଦୋଷ୍‌ ? ଛି ଛି କି ଧାଂଡ଼ୀ ହୋଇଚୁ ତୁଇ ? ଏତେ ରୂପ, ଏମିତି ଚାହାଣୀ, ସବୁ ଖାଲି ମାଟି କରୁଚୁ ପଡ଼ି ପଡ଼ି ।”

 

ଉଭେଇ ଯାଉଥିବା ଦମ୍ଭର ଖିଅ ଏକାଠି କରି ଜିଲି କହିଲା–

‘‘ମୁଁ କାଲିକି ଘରକୁ ଫେରିଯିବି । ଆମି ନିଚୁ । ’’

ରାମୀ କହିଲା–

 

“ଯା ଘରକୁ ଫେରି, ବାୟା ତୁ, ତତେ କ’ଣ ମୁଁ ବୁଝେଇବି ! ଖାଇବାକୁ ଖାଦି ନାହିଁ, ପିନ୍ଧିବାକୁ ଖଦି ନାହିଁ, ଦିନମାନ ଖାଲି ମାଟି କାଦୁଅ ହୋଇ ଖଟଣି, କୁଲିଗିରି, ତହିଁରେ କେଡ଼େ ସୁନ୍ଦର ସୁନା ପରି ବାବୁଟା । ଖଦି, ତେଲ, ଅଳଙ୍କାର ଦେଖେଇ ବସି ରହିଚି । ସବୁ କଥାକୁ ଖାଲି ଦୋଷ୍‌ ଦୋଷ୍‌ ନେଚୁ !”

 

ଆରେ, ତୋର ଏ ସୁନ୍ଦର ରୂପ, –ମୁଣ୍ଡକୁ ତେଲ ନୋହିଲେ, ଭଲ ଖଦି ଖଣ୍ଡେ ନୋହିଲେ, ଖାଇବାକୁ ଖାଦି ନୋହିଲେ କେତେଦିନ ଏମିତି ଝଟକୁଥିବୁ ତୁ ଭାବିଛୁ ? ବୟସ ଚାଲି ଯାଉଚି ନା ଆସୁଚି ?

 

ଗରିବ ଲୋକ ତୁଣ୍ଡରେ ଦୋଷ୍‌ ଅଦୋଷ୍‌ କଅଣ, ପୁଣି ବିଦେଶ ଜାଗାରେ କିଏ ତୋର ଶଙ୍ଖି କାଟୁଛି ?

 

ଯେତେ ଧାଂଡ଼ୀକୁ ସେତେ ଧାଂଡ଼ା ଲୋଡ଼ା, ଧାଂଡ଼ା ନ ଥିଲେ କାହାପାଇଁ ଆଉ ଧାଂଡ଼ୀର ଗରବ ?

 

ଆମେ ଗରିବ । ଯେ ଆମକୁ ପୋଷିବ ପାଳିବ, ମୁଣ୍ଡରେ ମୁଣ୍ଡେଇବ, ଶରଧା କରିବ, ଆମେ ତା’ର, ସେ ଆମର ।

 

କୋଉଠୁ ଏମିତି ଧାଂଡ଼ାଟେ ତତେ ମିଳିବ, ଏ ଗୁମାସ୍ତା ପରି ? ଦେଖିବାକୁ ଯେମିତି, ଗୁଣ ତା’ର ସେମିତି, କ’ଣ ନ ଦେବ ତତେ ସେ ! କି ପାଇଁ କୁଲି କରିବୁ ତାକୁ ପାଇଲେ ? ନାଁକୁ କୁଲିରେ ନାଁ ଥିବ, ସବୁ ଭଲ୍‌ ଭଲ୍‌ ଖଦିପଟା, ସୁନାବାନା ବସି ବସି ତୁ ପାଇବୁ । ତହିଁରେ ସେ ଟୋକାଟା, ଆମ ଦେଶର ପରି ହୋଇଥିଲେ ଯୋଉଠୁ ହେଲେ ଗୋଟେ ଧାଂଡ଼ୀ ଉଠେଇ ନେଉଥାନ୍ତା, ନା, ଖାଲି ତୋରି ପାଇଁ ସେ ଝୁରି ହୋଇ ମରୁଛି, ବେଶ ହୋଇ ବସି ରହୁଚି କାଳେ କେତେବେଳେ ତୁ ଆସିବୁ ବୋଲି ।

 

କେତେ ଧାଂଡ଼ୀ ମତେ ଧରିଲେ, ମୁଁ ମନାକଲି, କହିଲି, ‘ନାହିଁ, ଯାହାକୁ ଯେ, ଜିଲି ବୋଲି କହି ଭଣ୍ଡେଇ ଦେଇ ରାତିବେଳେ କାହାକୁ ଧରିଗଲେ ସେଟା ମତେ ଅଧର୍ମ ହେବା । ଯାହା ଧର୍ମ ଅଧର୍ମ ହେବାରୁ ହୋଇସାରିଚି, ବୁଢ଼ୀଦିନେ ଆଉ ଅଧର୍ମ କି ପାଇଁ କରିବି ?’

 

କେତେ କାକୁର୍ତ୍ତି ହଉଚି ତୋ ପାଇଁ । ମୋର ଗୋଡ଼ ଧରି ପଡ଼ିଯାଉଚି, କହୁଚି,– “ରାମୀ, ତା’ ମୁଣ୍ଡରେ ବାସି ଫୁଲ ଗୋଟେ ହେଲେ ମତେ ଆଣି ଦେ, ସେଇଆକୁ ମୋର ଜାବିମୁଣି (ପକେଟ୍‌)ରେ ପକେଇ ମୁଁ ରଖିଥିବି ।”

 

ରାମୀ ବସି ବସି ଟାଣି ଓଟାରି ଖାଲି ଦୀର୍ଘଶ୍ୱାସ ମାରିଲା । ଜିଲିର ଜୋର୍‌ ନ ଥିଲା । ମୁହଁକୁ ତଳକୁ ପୋତି ଭୂଇଁ ଉପରେ ନଖରେ ସେ ଗାର କାଟିଲା ।

 

କେତେବେଳେ ହଠାତ୍‍ ମୁହଁ ଟେକି ରାମୀ ହାତକୁ ଜୋର୍‌ରେ ଧରି ଫମ୍ପା ଗଳାରେ ଜିଲି କହିଲା–“ଡର୍‌ ଲାଗିବ ନାହିଁ କି ରାମୀ ?”

 

ରାମୀ ତାକୁ କୁଣ୍ଢେଇ, ପକେଇଲା ସ୍ୱାନ୍ତନା ଦେଲା, କହିଲା, “କି ଡର ଲୋ ? କି, କ’ଣ କରିବ ? ଆଉ କିଏ ଜାଣିବ ବା କାହିଁକି ? କିଛି ଡର ନାଇଁ, ଜାଣିଚୁ ନା ମତେ ସବୁ ଜଣା ।” ଜିଲିକୁ କିଛି କହିବାକୁ ଅବସର ନ ଦେଇ ରାମୀ ଉଠି ଚାଲିଗଲା, କହିଗଲା, “ମୁଁ ଆସିବି ପୁଣି ସଞ୍ଜରେ ।”

 

ଜିଲି ଥରେ ଆଖି ବୁଲେଇ ଆଣିଲା ଚାରିପାଖେ । ଦେଖିଲା କେହି କୁଆଡ଼େ ନାହିଁ । ତା’ର ମୁଣ୍ଡ ବଥା ଛାଡ଼ିଗଲା କୁଆଡ଼ୁ । ଲାଜ, ସଙ୍କୋଚ, ଆଉ ଦେହର ଭୋକ, ସବୁ ଗୋଳମାଳିଆ ହୋଇ ମିଶିଗଲା । ସେ ଶୋଇବାକୁ ଚେଷ୍ଟା କଲା ।

 

ସେଦିନ ସଞ୍ଜରେ,–ପୁଣି ମେଘ ଘୋଡ଼େଇ ଥାଏ, ଏଠିସେଠି ଆଲୁଅ ଜୁକୁଜୁକୁ ରାମୀ ବାରେଇଁ ହୋଇ ଆସିଲା । ଜିଲିକୁ ପଦାକୁ ଡାକିନେଲା । ବଣ ଗୋଲାପର ମାଳାଟିଏ ଗଭା ଚାରିପାଖେ ବାନ୍ଧିଦେଇ କହିଲା, “ବାବୁ ପଠେଇଚି । ପେଜ୍‍ ଖାଇସାରିଲେ ପୁଣି ମୁଁ ଆସି ଡାକିବି ।”

 

ରାତି ବଢ଼ିଲା । ପେଜ୍‍ ଖିଆ ସରିଲା । ଏଠି ସେଠି ମଜଲିସ୍‌ ଘରମାନଙ୍କରେ ଡୁଙ୍ଗୁଡୁଙ୍ଗା ବାଜିଲା । ଏପାଖକୁ ସେପାଖକୁ ଲୋକଙ୍କର ଗହଳି ଜମି ଫିଟିପଡ଼ିଲା । ଜିଲି ବାହାରକୁ ବାହାରିଲା-। ରାମୀ ତାକୁ ଧରି ପକେଇଲା । ସରୁ ଧଳା ଚାଦରଟିଏ ନିଜ ଦେହରେ ଓ ଜିଲି ଦେହରେ ଭଲକରି ଘୋରେଇ ଦେଲା । ଏହିପରି ଧୀରେ ଧୀରେ ଚାରିଗୋଡ଼ି ହୋଇ ଜିଲିକୁ ଚଲେଇ ନେଇଗଲା । ଗୁମାସ୍ତାର ଟୁଙ୍ଗିଘର ଆଡ଼କୁ ।

 

ରାତି ଅଧରେ ଜିଲି ଆପଣା ବସାଘରର ତାଟି କବାଟ ଠେଲି ଭିତରକୁ ପଶିଲା । ବିଲି ଏକୁଟିଆ ଶୋଇଥିଲା । ପଚାରିଲା–

 

“କୁଆଡ଼େ ଯାଇଥିଲୁ କି ଏତେବେଳ ଯାଏ ?” ଖନେଇଁ ଖନେଇଁ ହସିବାକୁ ଚେଷ୍ଟା କରି ଜିଲି କହିଲା–

 

“ନାଚକୁ ଯାଇଥିଲି ।”

ବିଲି କହିଲା, “ହଉ, ଥକିଥିବୁ, ଶୋଇପଡ଼୍‌ ତୁ ।”

 

ବିଲି ମନସ୍ଥ କଲା, ‘ଆଉ କାହିଁକି ? କାହାକୁ ଆଉ ଡର ଏବେ ? ଏଥର ମୁଁ ବି ନାଚକୁ ଯିବି ।’ କିନ୍ତୁ ମନେ ମନେ ଭାରି ରାଗିଲା । ଏତେଦିନକେ ପହିଲି ହୋଇ ତା ଭିତରେ ଜିଲି ଭିତରେ ବାଡ଼ । କେତେ ପ୍ରକାର ଅଭିମାନ ମନକୁ ଆସିଲା, ଯାହାର ସ୍ୱରୂପ ଠିକ୍‌ ବୁଝିହୁଏ ନାହିଁ । ଆଉ ପାଟି ଫିଟେଇଲା ନାହିଁ ।

 

ଜିଲି ମନରେ ବଡ଼ ଦୁଃଖ, କିନ୍ତୁ ଦେହରେ ଶାନ୍ତି । ଆଖିରେ ନିଦ ଢଳ ଢଳ, କିନ୍ତୁ ମୁଣ୍ଡ ଭିତରେ ସବୁ ଗୋଳମାଳିଆ । ସେ ଭାବିବାକୁ ଚେଷ୍ଟା କଲା ନାହିଁ । ଥିରି ହୋଇ ଶୋଇଲା ।

 

ଦିନ ଯାଏ, କିନ୍ତୁ ଆଉ ରାମୀ ଆସିବା ଦରକାର ହୁଏ ନାହିଁ । ଗୁମାସ୍ତା ମନଇଚ୍ଛା ଓର ଉଣ୍ଡି କେଉଁଠି ଜିଲି ସାଙ୍ଗେ କେଉଁଠି ବିଲି ସାଙ୍ଗେ ଦେଖା କରେ, କେହି ପଛେଇ ଯାଏ ନାହିଁ । ଆଉ ଗୁମାସ୍ତା ଯେତେବେଳେ ନ ଆସେ, ଦଳ ଭିତରେ ନିଶାପାଣି ପଙ୍ଗତରେ ଆଉ କିଏ ଝିଙ୍କା ଓଟରା କଲେ ସୁଦ୍ଧା ବିଲି ଜିଲି ସଙ୍କୁଚିତ ହୋଇଯାଆନ୍ତି ନାହିଁ । ଗୋଷ୍ଠୀ ଭିତରେ ଧାଂଡ଼ା ପଞ୍ଝାକୁ ଘେରି ଆଉ ଦଶଟା ଟୋକୀ ଯେପରି ନାଲିଛାଲି ହୁଅନ୍ତି, ଗଡ଼ାଗଡ଼ି ଲଗାନ୍ତି, ଧରାଧରି ହୁଅନ୍ତି, ସେମାନେ ବି ସେହିପରି ମିଶିଯାଆନ୍ତି । ସବୁ ଦେହସୁହା ହୋଇଯାଏ । ସବୁ ଅଭ୍ୟାସର କଥା । ମନ ଉପରେ ଆଞ୍ଚ୍‌ ବି ରହେ ନାହିଁ ତା’ର । ଭାବିଲେ ସୁଖ ଲାଗେ ।

 

କ୍ରମେ କ୍ରମେ ଦି’ ଭଉଣି ଏକା ବିଷୟରେ କଥାବାର୍ତ୍ତା ମଧ୍ୟ ହେଲେ । ସେତେବେଳେ ବୟସର ତା’ରତମ୍ୟ ଭାଙ୍ଗିଗଲା, ଗୋଷ୍ଠୀ ଭିତରେ ସମସ୍ତେ ଟୋକା, ସମସ୍ତେ ଟୋକୀ, ସମସ୍ତିଙ୍କର ବୟସ ସମତୁଲ ।

 

ନିରୋଳାରେ ଜିଲି ବିଲି ଆପଣା ଆପଣାର ସମ୍ପତ୍ତି ଅଣ୍ଡାଳି ଦେଖନ୍ତି । ଗୋଟା ଗୋଟା ଟଙ୍କା, ଦୋଓଣି, ସୁଉକି, ରଙ୍ଗ ରଙ୍ଗର ନୂଆ ଶାଢ଼ି, ସାନ ସାନ ସାବୁନ, ବାସନା ତେଲ, ମାଳି, କଣ୍ଠି ମୁଦି । ଅନେକ ସମ୍ପତ୍ତି ।

 

ଆଗ ପଛ ମନେପଡ଼େ ନାହିଁ । ଏବେ କାମରେ ଭିଡ଼ ନାହିଁ, ରୋଜଗାର ବହୁତ, ନାଚ, ଫୂର୍ତ୍ତି । ଜୀବନର ପୂର୍ଣ୍ଣତା ଭିତରେ ଦୋଷ୍‌ ଅଦୋଷ୍‌ ସବୁ ଭୁଲି ହୁଏ ।

 

ମେଘ ଦୁଲ୍‍ଦୁଲ୍‍ ଦୁନିଆ ଉଢ଼ାଳରେ ମିଟିମିଟିକଆ ଖାଲି ଘର ମନେପଡ଼େ । ସେ ଗୋଟାଏ ବିମର୍ଷ କଠୋରୀ ଛବି ! ଦୟା ହୁଏ, କିନ୍ତୁ ମନ ଭୁଲେ ନାହିଁ ।

 

ବିଦେଶର ଚଟିଘରେ ମନ ଆପେ ଆପେ ଘରମଣେଇଁ ଯାଏ । ସେଇ ଚଟିଘର ପଛଆଡ଼େ ଦି’ ଭଉଣୀ ଖୋଳାଖୋଳି କରି ଲାଉ ମଞ୍ଜି, କଖାରୁ ମଞ୍ଜି, ଜହ୍ନି ମଞ୍ଜି ପୋତି ଦେଲେ । ଗୁମାସ୍ତା ଘର ଅଗଣାରୁ ଆଣି ବଣ ଗୋଲାପ ଡାଳ ଖଣ୍ଡେ, ବୁଦାଏ ମଲ୍ଲୀ ଗଛ । ସବୁ ଅପେକ୍ଷା କରି ରହିଲା ଆକାଶର ମେଘକୁ । ଅପେକ୍ଷାର ଆଶା ମେଣ୍ଟେ ନାହିଁ । ଖୋଳାତଡ଼ା ଚାଲିଲା ।

 

ଏବେ ସଞ୍ଜ ହେଲେ ଦି’ ଭଉଣୀ ଚିକ୍‌କଣ କରି ମୁଣ୍ଡ ବାନ୍ଧନ୍ତି, ଫୁଲ ଖୋଷନ୍ତି । ବିଲି କୁଆଡ଼େ ହେଲେ ନାଚକୁ ଯାଏ, ଜିଲି ଯାଏ ଗୀତ ଶୁଣି ।

 

ଗୋଷ୍ଠୀ ଭିତରେ ସମାନ ସେମାନେ ଏବେ । ସେମାନେ ନିଜ ନିଜର କର୍ତ୍ତା–ସ୍ୱାଧୀନ ।

 

ଏକାଠି ଟୋକୀପଲ ପାଖକୁ ଠେଲାଠେଲି ହୋଇ ରାସ୍ତା ଉପରେ ରୋଳ (ରାଲର)ରେ ଯୋଚା ହୋଇ ରୋଳ ଟାଣନ୍ତି । ପହିଲି ବର୍ଷା ଛେଚିପିଟି ଯାଏ । ଲୁଗାପଟା ଜୁଡ଼ୁବୁଡ଼ୁ, ମୁହଁରୁ କେରା କେରା ପାଣି ବୁହେ । ଛାତିରେ ଛାତି ବାଜେ, କାହାରି ମନରେ ଦୁଃଖ ନାହିଁ, ସେମାନେ ହସାହସି ହୁଅନ୍ତି ।

 

ଗୀତ ବୋଲନ୍ତି, କାରଣ ସେମାନେ ଏକ ନୁହନ୍ତି, ବହୁ, ଆଉ ସେମାନେ ସ୍ୱାଧୀନ ।

 

ଆକାଶରେ ମେଘ ଦୁଲ୍‍ଦୁଲ୍‍ ହେଲେ ଗଲା ହଜିଲା କଥା ଖାଲି ମନେପଡ଼େ, ମନ ଭିତରେ ଖାଲି କରତି ହୁଏ, ମୁଣ୍ଡ ଲାଗେ ଭାରି ଭାରି । ଜ୍ୟେଷ୍ଠର ଅଧାଅଧି, ସାନ ସାନ ଅସରା ଯାଇ ଆସିଲା ବଡ଼ ମେଘ । ଦିନ ରାତି ବରଷାର ଧାର, ଆକାଶର କସରା ସାବୁଜା, ମାଳ ଦେଶର ବର୍ଷା, ସୂର୍ଯ୍ୟ ଦେଖା ନାହିଁ ।

 

ପିଣ୍ଡା ପହଣ୍ଡରେ କେଉଁଠି କୁଙ୍କୁରି କାଙ୍କିରି ବସି ରହି ଚଳନ୍ତା ପାଣି ସୁଅକୁ ଦେଖି ଦେଖି ଧୁଙ୍ଗିଆ ପିଇଲେ ଖାଲି ଚିନ୍ତାର ମେଘ ଭାସେ, ସେଇ ବଙ୍କା ଢମଣା ପାଣି ସୁଅର ପ୍ରତିଛବି ପରି କେତେ କିମ୍ଭୂତ ଚିନ୍ତା । ଛାତି ଥରିଯାଏ । ଇଚ୍ଛା ହୁଏ ହାତ ବନ୍ଦ କରି ଶୋଇ ରହିବାକୁ ସେଇ କାନ ଅତରା ଛପର ଛପର ଶବ୍ଦରେ ।

 

ଆଗର ଭବିଷ୍ୟତ କେତେକରୁ ବା କେତେ ଦିଶେ ସେଇ ମେଘର ଜାଲ ଭିତରେ ? ଅଳ୍ପ ଦୂର ତ । ତା’ପରେ,–ମୁଣ୍ଡ ଗୋଳମାଳ ହୋଇଯାଏ ।

 

ଆକାଶ ଗୋଟାକ ଅଜାଡ଼ି ପଡ଼ିଲା ପରି । ସଞ୍ଜ ବୁଡ଼ିଲା ପରି ଦର୍‌ମହଲା ଦିନର ମଉଳା ଛବି । ଦୂରରେ ଖାଲି ମେଘର ନାଚ, ଭୂଇଁ ପବନ ସବୁ ମିଶିଯାଇ କ’ଣ ଗୁଡ଼ାଏ ଉଠିଲା ପଡ଼ିଲା ପରି ଦିଶେ । ବରଷା ।

 

ଯେଉଁ ଆଡ଼କୁ ଅନେଇଁଲେ ସାନ ବଡ଼ ଖାଲି ପାହାଡ଼ । ଉଞ୍ଚ ପାହାଡ଼ ଉପରେ ଧୋବଲା ମେଘର ଚୂଳ ଗୋଜା ହୋଇ ଉଠି ଆକାଶରେ ମିଶିଯାଏ । ତଳେ ମେଘର ଧୂଆଁ ଭଉଁରି ଭଉଁରିକା ଉପରକୁ ଚଢ଼େ । ବର୍ଷା ଆସିବାର ଦିଶେ, ବର୍ଷରା ଚାଲିଯିବାର ଦିଶେ, ବର୍ଷା ଲାଗିଥାଏ ।

 

ଆଉ ଶବ୍ଦ । ବର୍ଚ୍ଛାର ମୁନ ପରି ପାଣିର ଧାର ତେର୍ଚ୍ଛା ତେର୍ଚ୍ଛା ଛେଚି ଦେଇଯାଏ ।

 

ପାହାଡ଼ ଦେଶ ହାଉଳି ଖାଏ । ରାତି ହେଲେ ଯେତେ ପ୍ରକାର କେଁକଟର ଶବ୍ଦ, ଆଉ ମଝିରେ ରୁନ୍ଧିରଖା କାନ୍ଦଣାର ଝଂକାର ପରି ଶବ୍ଦ କରି ପାଣି ମିଶା ପବନ ଖୋଜିଲା ଖୋଜିଲା ପରି ଥରେଇ ହଲେଇ ମାଡ଼ିଚାଲେ, ବଡ଼ ଗଛର ପତ୍ର ସନ୍ଧିରେ ପାଣିବୁନ୍ଦା ଝଡ଼ିପଡ଼େ ଟପର ଟପର ।

 

ଦେହରେ ପେଙ୍ଗ, କିରିଚି, କୁସୁମ, ମହାକାଳ ତେଲ ବୋଳି, ପିଠିରେ ଛାତିରେ ପତ୍ର–ବର୍ଷାତି ତଲ୍ରା ତଲ୍ରୀ ବାନ୍ଧି, ମୁଣ୍ଡରେ ଛତୋଡ଼ି ଧରି ଗୋତିପଲ ଓଦା ମାଟିରେ କାମରେ ଲୋଟି ପଡ଼ନ୍ତି । ଦିନଯାକ ଜୁଡ଼ୁ ଜୁଡ଼ୁ । ଏତେ ମେଘରେ ବି ବିଶ୍ରାମ ନାହିଁ ।

 

ହାତ ଗୋଡ଼ କଳ ପରି କାମ କରେ, କିନ୍ତୁ ମନଟା ଥାଏ କାଉନ୍ଦା, ମନରେ ସବୁ ଲୁଚିଲା ଦରଜ ବେଳ ଉଣ୍ଡି ବାହାର ଆକ୍ରାନ୍ତ କରିପକାଏ, ମନ ଭିତରେ ହାଉ ହାଉ ଜଳେ ।

 

ସୁକୃଜାନି କହିଲା ମାଣ୍ଡିଆକୁ–

 

“ଏଡ଼େ ବରଷା ଆସିଲା ମାଣ୍ଡିଆ, ଟୋକୀ ପିଲା ତିନ୍ତି ତିନ୍ତି ମରିଯିବେ, କିଛି ହେଲେ କଲେଇଁ ନାହିଁ ।”

 

“ଆଉ କ’ଣ କରିବୁ ବାପା ? ଆମେ ଏଠି –”

 

“ନାଇଁ ସେଇ ବନ୍ଧାକଥା । ସାହୁକାରକୁ ପୁଣି ଥରେ କହି ଦେଖିଲେ ହୁଅନ୍ତା ନାହିଁ ? ତୁ କ’ଣ କହୁଚୁ ?”

 

“କହିଲୁଁ ତ କେତେ, ପୁଣି ଆଉ କହିଲେ ସେ କ’ଣ ଶୁଣିବ ଭାବୁଚୁ ? ତା’ ଛଡ଼ା ବାପା, ଏତେ ଅବସ୍ଥା ତ ହେଲେଇଁ, ବର୍ଷାଦିନେ ମହୁଲ ଦି’ଟା ରାନ୍ଧି ବିକିଲେ କିଛି ହେଲେ ପଇସା ତ ହୁଅନ୍ତା ? ଆଉ ଏ ଶୀତକୁ, ତୋର ବି ଲୋଡ଼ାରେ ଆସନ୍ତା ବହୁତ । କୋଉ ସାଲୁଟ୍‌ ଆସିଛି ଏଠିକି ଏ ଦିନେ ? ଦଶଟା ଟଙ୍କା ମିଳିଲେ କୋଉଠୁ କୁଲିଭୁତି ଲଗେଇ ଗାଁରେ ଭୂଇଁଟା ଆମେ ତଷେଇ ପାରନ୍ତେ ।”

 

“ସେ କଥା ଆଉ ତୁଣ୍ଡରେ ଧରୁଚୁ ପୁଅ ?” କୋଉ ଡମ୍‌ ପଟ୍‌କାର୍‌ ସାଲ୍‌ଟୁଠୁଁ ଇନାମ୍‍ ଲୋଭରେ ଯଦି ଯାଇ କହିଦେବ, କେଡ଼େ ଆଲ୍ରା ଲଗେଇ ଦେବ, କହିଲୁଁ ? ନାଇଁ, ଭୂମି କଥା ମୁଁ ଆଉ ଭାବୁ ନାହିଁ । ଭୂମି ପଛେ ଯାଉ, ସବୁ ଯାଉ, ଏଇ ବର୍ଷାଦିନେ ସମସ୍ତେ ଆମେ ଉପାସ ଭୋକରେ ହେଉପଛେ ଘର କଣରେ ପଡ଼ି ରହିଲେ ଟିକିଏ ନିଶ୍ଚିନ୍ତରେ ଥାଆନ୍ତେ । ଏବେ ଆମେ ଏଠି, ଟୋକୀମାନେ ସେଠି, କେଡ଼େ ଅବସ୍ଥାରେ ପଡ଼ିଲେଁ ଆହା ! ସକାଳ ପାହିଲେ ଥରେ କହି ଦେଖିବା ପୁଅ, ତେଣିକି ଯାହା ହେଉ ।

 

“ହଉ, ତୋର ଖୁସି ବାପା –” ମାଣ୍ଡିଆ ଚିନ୍ତିତ ହେଲା ।

 

ରାତିରେ ଆଉ କିଏ କାହା ସାଙ୍ଗେ ବେଶି କଥାଭାଷା ହୋଇପାରିଲେ ନାହିଁ । ସୁକୃଜାନି ଆଖି ବୁଜିଲେ ଦେଖେ ମେଘଧାର ଭିତରେ ଝିଅ ଦୋ’ଟିଙ୍କୁ, ଭାବେ, ଜମି ଯେ କୌଣସି ମତେ ବନ୍ଧା ଦେବାକୁ ହେବ । ମାଣ୍ଡିଆଜାନି ଦେଖେ ସ୍ୱପ୍ନ, ପୁଣି ଭାବେ ଜମିଟାରେ ସତେ ହଳ ବୁଲା ହେଲା କି ! ଟିକ୍ରା ସାତ ପାଞ୍ଚ ଭାବେ ନାହିଁ, ବର୍ଷାର ଶୀତକୁ ବିଛଣାଭାରି ଉଷୁମ ଲାଗେ, ଦେହଟା ଝୁରିହୁଏ ।

 

ତା’ ଆରଦିନ ସକାଳେ, ବିଲରେ ବୁଣି ଯିବାକୁ ମକା ବିହନ ମାଗି ନେଲାବେଳେ ସୁକୃଜାନି ଥଙ୍ଗେଇ ଥଙ୍ଗେଇ ହୋଇ ସାହୁକାର ଆଗରେ କଥାଟା ପୁଣି ପକାଇଲା–

 

“ସାହୁକାର, ମୋ ଜମି କଥା କ’ଣ ବୁଝିଲୁ ?” ସାହୁକାର କପାଳରେ ଆଖି ଦି’ଟା ଖୋପି ଦେଇ କହିଲା,–

 

“କି ଜମିରେ ? ଓ ସେଇ ବନ୍ଧା ଧରିବା କଥା ତ ? କି ତରବର ସେଥିପାଇଁ ? ମୋର ଭୂମି ବା କ’ଣ ଲୋଡ଼ା ?”

 

“ଧରିବୁ ନାଇଁ ?”

“ତୋ ସାଙ୍ଗେ ପାଟି କରିବାକୁ ମୋର ବଳ ନାହିଁ, ଯା ଚଞ୍ଚଳ କାମକୁ ଯା ।”

“ତେବେ ଦି’ ଦିନ ଶେଲ (ଛୁଟି) ଦେ ସାହୁକାର, ଆଉ କାହାକୁ ହେଲେ କହିବି ।”

“ଆଚ୍ଛା ଏବେ ଯା, ସେ କଥା ପଛେ ବୁଝିବା” ।

 

ସୁକୃଜାନି ମୁହଁ ଶୁଖେଇ ଚାଲିଗଲା ଉତ୍ତାରୁ ସାହୁକାର ଭାବିଲା, ଆଉ ଗୋଡ଼ ଲମ୍ବେଇବା ଠିକ୍ ହେବ ନାହିଁ, ଚଞ୍ଚଳ ଜମିଟାକୁ ଥରେ ଦେଖିବା ଦରକାର । ତା’ର ବହୁତ ଅଛି, କିନ୍ତୁ ଅଛି ବୋଲି ନୂଆ କମେଇବାକୁ ସେ କେବେ ନିଶ୍ଚେଷ୍ଟ ନୁହେଁ, ବିଶେଷରେ ଏପରି ସୁବିଧାରେ । ପ୍ରଥମେ ବନ୍ଧା ରଖା, କ୍ରମେ ଆତ୍ମସାତ୍ , ପରେ ତା’ ପାଖର ଆଉ କିଛିକୁ ହାତ ବଢ଼େଇବା, ଏଇ ତା’ର ଉପାୟ, ସେ ଜମି ହେଉ ସୁନା ହେଉ, କି ଆଉ କିଛି ଦ୍ରବ୍ୟ ହେଉ ।

 

ସାହୁକାର ଭାବିଲା, ପାହାଡ଼ ଢାଲୁରେ ଝୋଲକରର ଜମି ଲଗେଇବା ପାଇଁ ବଡ଼ ଭଲ-। କନ୍ଧମାନଙ୍କଠୁଁ ବହୁତ କମଳା ତୋଟା ସେ ହାସଲ କରିଛି, ଆହୁରି ତା’ର ଦରକାର । କମଳା, କଫି, କିଛି ନ ହେଲେ ଭଲ ବଗିଚା । ତା’ ହିସାବରେ ସେ ଭାବି ସ୍ଥିର କଲା, ଥରେ ଘୋଡ଼ାରେ ଚଢ଼ି ବୁଲି ଆସିଲେ କିଛି କ୍ଷତି ନାହିଁ ।

 

ସେ ଦିନ ସଞ୍ଜରେ ଆପଣା ଗାଁର ବାରିକ୍ ଡମ୍‍କୁ ସେ ପଠାଇଲା–

“ଯାଇ ଦେଖି ଆ ।”

ତହିଁଆର ସଞ୍ଜରେ ବାରିକ୍ ଡମ୍‍ ଲେଉଟି ଆସି ଗୁପ୍ତରେ ସମ୍ବାଦ ଦେଲା–

 

“ସବୁ ଭଲ, ଖୁବ୍ ସାର ଜମି, ଧାନପାଇଁ, ଆଖୁପାଇଁ, ଗହମପାଇଁ, ବହୁତ ଜମି, ହାତରୁ ଛାଡ଼ିଦେଲେ ହେବ ନାହିଁ ।” ତହିଁ ଆରଦିନ ସକାଳେ ସାହୁକାର ସୁକୃଜାନିକୁ କହିଲେ–

 

“ଠିକ୍ ହେଲା କାଲି ତୋର ଜମି ଦେଖି ଯିବି, ତୁ ମୋ ସାଙ୍ଗରେ ଯିବୁ, କିନ୍ତୁ ହୁସିଆର, ଭଲ ଜମି ନ ହେଲେ ବନ୍ଧା ନେବି ନାହିଁ । ଆଉ ଯଦି ବନ୍ଧା ନେବି, ଛିଡ଼୍‌ନି ବେଶି ହେବ ନାହିଁ ।”

 

“ସୁକୃ ପରଜା ଖୁବ୍ ଖୁସି ହୋଲା । ପୁଅକୁ କହିଲା, ସାହୁକାର ଏମିତି କହୁଚି ସିନା, ଜମି ଦେଖିଲେ ବଳେ ଛିଡ଼୍‍ନି ବଢ଼େଇଦେବ, ତା’ ଉତ୍ତାରୁ ମୁଁ ଯିବି ଝିଅମାନଙ୍କୁ ଆଣିବାକୁ ।”

 

ସେଦିନ ରାତିରେ ଭାରି ବର୍ଷା ଛେଚିଲା, ଅନ୍ଧାର ଘମାଘୋଟ । ଘାଉଁଘାଉଁ ପବନ ବିଲୁଆଗାତ ପରି ଗୋତିଘର ଭିତରକୁ କେଉଁବାଟେ ହେଲେ ପଶି ଆସି ନିଆଁ ସୁଦ୍ଧା ରଖେଇ ଦେଲା ନାହିଁ, ଖଣ୍ଡ ଖଣ୍ଡ ରଡ଼ ଅଙ୍ଗାର ଘରେ ଭିତରେ ଛିନିଛତର ହୋଇ ଉଡ଼ି ବୁଲିଲା । ଜମି ବନ୍ଧା ଦେଲେ କ’ଣ କେମିତି ହେବ ସେ ବିଷୟରେ ଅନେକ କଳ୍ପନାଜଳ୍ପନା ବଖାଣି ବଖାଣି ସୁକୃଜାନି ପିରି ବିଛଣାରେ ଶୋଇପଡ଼ିଲା । ଟିକ୍ରା ଶୋଇଲା, ମାଣ୍ଡିଆଜାନିର ମନ ବୁଝିଲା ନାହିଁ । ଭାବିଲା, ସାହୁକାର କେଉଁ କୌଶଳରେ ହେଲେ ଶେଷରେ ଠକିଠାକି ଜମିଟାକୁ ନେବ । ନିଜର ବୋଲି କହିବାକୁ ଚାଖଣ୍ଡେ ହେଲେ ରହିବ ନାହିଁ । ପଦାରେ ଯେମିତି ଗୋତି, ଗାଁରେ ବି ସେମିତି ।

 

ଭାବି ଭାବି ମୁଣ୍ଡ ବୁଲେଇଲା !

ଓଃ, ବର୍ଷାଟା ଘାଉଁ ଘାଉଁ ହେଇ ଗରଜି କେମିତି । କି ଅନ୍ଧାର !

ମନ ଦବିଗଲା । ଭାରି ଅବସୋସ ଆସିଲା, କାହାପାଇଁ ବା ଆଉ ଜମି, ଘର ? କାଜୋଡ଼ି ଯାଇଛି ।

 

କିନ୍ତୁ ଠିକ୍ ଏଇଦିନେ ତ, ଏଇପରି ବରଷା ରାତିରେ ଧାଂଡ଼ା ବସା ଘରେ କେତେଥର ସେ ଡୁଙ୍ଗୁଡୁଙ୍ଗା ବଜେଇଛି, ଧାଂଡ଼ୀ ବସାଘରୁ କାଜୋଡ଼ି ଥିରି ହୋଇ ଉଠିଚାଲି ଆସିଛି, ପାଖେ ପାଖେ ବସି ବସି ତୁନି ଗଳାରେ ଗୀତ ମଳେଇଛି, ଏହିପରି ରାତିରେ କେତେଥର ଛଳେଇ ଛଳେଇ ସେ କହିଛି–

 

“ନେଲୁ ନାହିଁ ମାଣ୍ଡିଆ ମତେ, ଖାଲି ମୁହଁ ଦେଖା ଛଳ ତୋର ସବୁଦିନେ ।”

 

କି ଭୀଷଣ ବର୍ଷା ରାତି ! କାନକୁ ଶବ୍ଦ ଶୁଭୁଛି ଅନର୍ଯ୍ୟାପ, କିଛି ଦିଶୁ ନାହିଁ । ମନରେ କାଜୋଡ଼ି ସତେକି ପଦାକୁ ବାହାରିଲେ, ମେଘ ଅନ୍ଧାରରେ ଓଲଟ ପାଲଟ ଭିତରେ ସବୁ ଯେପରି କର ଲେଉଟାଉଛି ।

 

ଅଣ୍ଡାଳି ଅଣ୍ଡାଳି ଡୁଙ୍ଗୁଡୁଙ୍ଗାଟି ବାହାର କରି ମାଣ୍ଡିଆଜାନି ତାନ ଦେଇ ଦେଇ ଗୀତ ବୋଲିଲା –

 

“ଯାଇ ହୁଲୁ ବୋଲିମି ମଲି ଡ଼ାଡ଼ୁ ବୋଲିମି,

ବାଁଦୁଣିଆଁ ଜୁଲୋଇ ଏଲୁଟିଓ କୋସୋଇଁ ।

ହିଁଦି ଦେକୁ ତବେନି ବେଗି କାଚୁ ଅବେନି,

ଜାଣୁଲାରୁ ଏତେକୁ ସିକୁ ଡୋରୁ ସେତାକୁ ।

କଏଁ କେଲୁ ରୁବେକୁ ସୋଡ଼ି କେଲୁ ରୁବନି,

ମାରାନୁରୁ ଦସିଡ଼ୁ ଡଁଗରକୁ ତସିରୁ, ଆର ଗୁରେରୁ ॥

ଜେଟୁ ଆଣୁ ମାରୁଲି ବର୍ଷା ଦୁଲି ଆସୁଲି,

ଅନ୍ଦାରୁ ହୋ ମଲୁକୋଏଁ ବିଜୁଲି ହୋ ଜୁଲୁକୋଏଁ

ଲଦ୍ଦୁ ବୋଦ୍ଦି ଅଇଲି ଜାଡ୍‍ଡୁ ବଡ୍‍ଡୁ ହୋଚୁଲି,

ସୋଡ଼ା ମାରି ଗୀତୁରେ ନେର୍କା ମାରି ଗୀତୁରେ ।

ଲିପୁ ଜଣ ଲିପୁଲି ଲିପୁ ତାରା ଲିପୁଲି,

ଯତାରୁ ହୋ ହିଁଏତିଁ ଗଡ଼ୁରୁ ହୋ ଚେଁଦେଲି ।

ସନେ ପାଣି ଝିପୁଲି ରହୁଲିହ ଝିପୁଲି,

ଗାଡ଼ୁ ଗଲି କୁନ୍ନାନି ଜଡ଼ିଗଲି କୁନ୍ନାନି ।

ଜାଣୁ ରାଏ ରାବୁନୁ ଶୁନୁ କେଡ଼ି କଦମ୍ମୁଁ,

ବିଚୁଲେ ହୋ ମିଡ଼ୁଲେ ନେଡ଼େ ପାଣି କାଡ଼ୁଲେ ।

ଯତାରୁ ହୋ ହିଁଏତି ଗଡ଼ୁରୁ ହୋ ଚେଁଦେଲି…..

 

ବର୍ଷାର ଘର୍‌ର ଘର୍‌ର ଭିତରେ ଆପଣାର ଗୀତ ସେ ଆପେ ଶୁଣିଲା, ହସକୁରା ମୁହଁରେ ଧାର ଆଖି କରି ସେ ଗାଇଗଲା, ଫେରି ଆସିଲା କେତେଦିନର ହଜିଲା ସ୍ମୃତି, ମାନ ଅଭିମାନର, ଗୋପନ ମନ୍ତ୍ରଣାର, ସେ ଆଉ କାଜୋଡ଼ି ମିଶି । ଗୀତ ଝିମେଇ ଆସିଲା । ଧୀରେ ଧୀରେ ଓଠରୁ ଫିଟିଗଲା–

 

“କାଜୋଡ଼ି ।”

 

ନାଁ ଶବ୍ଦରେ ସ୍ୱପ୍ନ ଭାଙ୍ଗିଲା । ବାହାରେ ଦୁଲ୍‍ ଦୁଲ୍‍ ଝର୍‍ ଝର୍‍ ଭିତରେ କିଟିକିଟିଆ ଅନ୍ଧାର ।

 

କାଜୋଡ଼ି ନେଚି ( ନାହିଁ କରିଦେଇ) ଚାଲିଯାଇଛି ।

 

କିଛି ସମୟ ଥିରି ହୋଇ ବସି ରହି ପଦାରେ ମେଘର ଗୀତ ସେ ଶୁଣି ରହିଲା । ଘାଉଁଘାଉଁଆ ପବନର ହାଉ ହାଉ ସହିତ ମିଣି ମନର ଭିତରୁ ହାହାକାର ଉଛୁଳି ଉଠିଲା । ମେଘ ପରି ସେ ବି କାନ୍ଦିଲା । ମାଣ୍ଡିଆଜାନି କାନ୍ଦି ପକେଇଲା ।

 

ଗୋଟି ଗୋଟି ହେତୁ ଏକାଠି ଛନ୍ଦିଛାନ୍ଦି କ୍ଷତି, ଅବମାନନା, ରାଗ, ଅଭିମାନର ଯେତେ ତାଳି ପକାଇ ସ୍ମୃତିକୁ ସେ ଘୋଡ଼ାଇ ରଖିଥିଲା, ସବୁ ଯେପରି ନିରୋଳା ଅନ୍ଧାରରେ ଫିଟିପଡ଼ିଲା । କାଜୋଡ଼ିର ପରିଚିତ ହସ ହସ ମୁହଁଟା ଦିଶିଲା, ଆଜି ସେ ଏକା, ହଜିଗଲା କାଜୋଡ଼ି ସାଙ୍ଗେ ମୁହାଁମୁହିଁ ।

 

କାଜୋଡ଼ି ଯେତେ ହସିଲା, ମାଣ୍ଡିଆଜାନି ସେତିକି କାନ୍ଦିଲା । ଯାଉ, ଜମି ଯାଉ, ଘରଯାଉ, ସାହୁକାର ସବୁ ଠକି ଖାଉ । ସବୁ ସୁଖ ତା’ର ସରିଛି, କାଜୋଡ଼ି ଆଉ ତା’ର ହେବ ନାହିଁ-

 

ଆଷାଢ଼ର ଅଧାଅଧି । ଘୋଡ଼ାରେ ଚଢ଼ି ସାହୁକାର ଜମି ଦେଖି ଚାଲିଲା । ପଛେ ପଛେ ସୁକୃଜାନି, ମାଣ୍ଡିଆଜାନି । ଆପଣା ଚିରପରିଚିତ ଗାଁରେ, ଯେଉଁଠି ଉଇହୁଙ୍କା ଉପରେ ଚଢ଼ି ଠିଆ ହେଲେ ଆପଣାକୁ ରାଜାବୋଲି ମନେହୁଏ, ସେଠିକି ଆଜି ସାହୁକାରର ଗୋତି ହିସାବରେ ପଶିବାକୁ ସଂକୋଚ ଲାଗିଲା ଭାରି । କିନ୍ତୁ ଉପାୟ ନାହିଁ ।

 

ବର୍ଷା ଅସରା ମଝିରେ ହାଲୁକା ଫାଙ୍କ ଦେଇ ସେମାନେ ଚାଲିଲେ ।

ସୁକୃଜାନି ଘରକୁ ଯିବାକୁ ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ ।

 

ମାଣ୍ଡିଆକୁ ସାହୁକାର ପାଖେ ବସାଇଦେଇ ଛଟପଟ ହୋଇ ଫାଙ୍କା ଘର ଭିତରକୁ ପଶିଗଲା । ଚାରିଆଡ଼େ ହାହାକାର । ଠାଏ ଠାଏ ଛପର ଉଡ଼ିଯାଇଛି, କେଉଁଠି ବା ଝାଟି ଆଉ ଛପର ଏକାଠି ହୋଇ ତଳକୁ ଓହଳି ପଡ଼ିଛି । ବଡ଼ ବଡ଼ କଣାବାଟେ ପାଣି ଅଜାଡ଼ି ହୋଇ ପଡ଼ିଛି ଭିତରେ । ସ୍ଥାନେ ସ୍ଥାନେ ଘର କଣରେ କାନ୍ଥ ଉପରେ ବର୍ଷାଧାର କରେ କରେ ଘାସ ଅଗଛିଆ ଗଜୁରି ଗଜୁରି ଉଠୁଛି ।

Unknown

 

ସବୁ ବିପ୍ଳବ ଆଉ ହାହାକାର ।

ସାହିପଡ଼ିଶା ସଙ୍ଖୋଳି ଆସିଲେ ।

“କିରେ ସୁକୃ କିରେ ? ସାହୁକାରକୁ ନେଇ କୁଆଡ଼େ ଆସିଲୁ ଆଜି ?”

 

ସୁକୃଜାନି ଜମିକୁ ଗଲା ମଜା ଦେଖିବାକୁ ସାହି ପଡ଼ିଶା ଗୋଠ ହୋଇ ପଛେ ପଛେ ଗୋଡ଼ାଇଲେ । କେତେ ପ୍ରକାର ମନ୍ତବ୍ୟ ହେଉଥାଏ । କିଏ କହୁଥାଏ–

 

“ନିଜେ ତ ଏକରକମ ପଡ଼ିଗଲା । ପୁଣି ପଦାରୁ ଗୋଟିଏ ଆପଦ ଆଣି ଭର୍ତ୍ତି କରୁଛି କାହିଁକି ଗାଁ ଭିତରେ ?”

 

ସାହୁକାର ନିଠେଇ ନିଠେଇ ଜମି ଚାରିପାଖେ ଦେଖି ଦେଖି ବୁଲିଲା । ତା’ ହିସାବରେ ସେ କଳିନେଲା, କମଳା ଲଗେଇବାକୁ ଝୋଲାକରର ଢାଲୁ ଜମି, ଗହମ ପାଇଁ ଚକଡ଼ାଟା, ଆଉ ବେଢ଼ାଜମି, ସେଥିରେ ଆଖୁ ସୁନ୍ଦର ହେବ ।

 

ପଦାକୁ ସେ ନିତାନ୍ତ ବେଖାତିର ।

 

“ଏଇ ଜମି ମତେ ଦେଖେଇବାକୁ ଏତେଗୁଡ଼ାଏ ବାଟ ନେଇ ଆସିଲରେ ପଟ୍‍କାର ତାତିର କାହିଁକେ ? କ’ଣ ଅଛି ଏଠି ?”

 

“ଦେଖ୍ ଦେଖ୍ ସାହୁକାର ରାଗିଯାଉଚୁ କାହିଁକି ? ଆମେ ରଇତ୍ ପିଲା, ମିଛ କହି ଜାଣୁ ନାହିଁ । ଖୁବ୍ ଭଲ ଜମି ।”

 

ଜମି ଦେଖା ସରିଗଲା । ତା’ପରେ ସାହି କଥା । ନିଶାରେ ହାତ ମାରି ମାରି ସାହୁକାର ଏପାଖେ ସେପାଖେ ଚାହିଁ ଚାହିଁ ଗଲା । ତା’ର ଦୃଷ୍ଟି ଟୋକୀମାନଙ୍କ ଉପରେ । ସେମାନେ ତାକୁ ଦେଖନ୍ତି, ସେ ତାଙ୍କୁ ଦେଖେ, କେତେବେଳେ ହସେ, କେତେବେଳେ ଆଖି ମିଟିମିଟି କରେ ।

 

ପିଲାମାନେ ଘୋଡ଼ା ପଛେ ପଛେ ଧାଇଁଥା’ନ୍ତି ।

 

ଗହଳି ଦେଖି କାଜୋଡ଼ି ଆସିଥିଲା । ମାଣ୍ଡିଆ ସାଙ୍ଗେ ଦେଖାହେଲା ମୁହାଁମୁହିଁ । କାଜୋଡ଼ି ହସିଦେଲା । ମାଣ୍ଡିଆ ତାକୁ ନ ଚିହ୍ନିଲା ପରି ବଲବଲ କରି ଅନେଇଁ ରହିଲା, ମୁହଁ ଲମ୍ବାକରି । ଚେହରା ଦେଖି ଜିଭ ଓଠ ତିନ୍ତେଇ ସାହୁକାର ମାଣ୍ଡିଆକୁ ପଚାରିଲା–

 

“ଏ ଟୋକୀଟି କିଏ ?”

କାଜୋଡ଼ି ଗହଳି ପଛଆଡ଼େ ଲୁଚିଗଲା ।

 

ସାହୁକାର ଯିବାକୁ ବାହାରିଲା । ଏତେ ଗାଁ ଲୋକଙ୍କ ଆଗରେ ସୁକୃଜାନି ସାହୁକାରକୁ ଅନୁରୋଧ କଲା–

 

“ଦି’ ଦିନ ଶେଲ (ଛୁଟି) ଦେ ସାହୁକାର ।”

ପ୍ରଭୁତ୍ୱ ଜରି କରି ଟାଣ ଗଳାରେ ସାହୁକାର ହାଙ୍କିଲା–

“ନାଇଁ ନାଇଁ –ଏବେ ବେଶି ପାଇଟି– ଆସ୍‍ ମୋ ସାଙ୍ଗେ ।”

ଗାଁ ଭାଇମାନେ ଗାଁ ମୁଣ୍ଡ ପର୍ଯ୍ୟନ୍ତେ ଗୋଠ ବାନ୍ଧି ଗଲେ । ନାଇକ ପଚାରିଲା–

 

“ଜମି କଥା ତ ବନ୍ଦୋବସ୍ତ କରିଦେଲୁ , ଭଲ କଥା, ହେଲେ ଶିସ୍ତୁ ପାଇଁ ଏକା ତୁଇ ପୁଚି (ଦାୟୀ)ପଡ଼ିବୁ, ଠକି ଦେଲେ ହେବ ନାହିଁ ।”

 

ସୁକୃ କହିଲା, “କେଉଁଠି ଜମି ବନ୍ଦୋବସ୍ତ ହେଲାଣି, ସାହୁକାର ଧରିବ କି ନାଇଁକି । ତୁଇ ହେଲେ ଧର– ।” ନାଇକ ମୁଣ୍ଡ ହଲେଇଲା ।

 

ଲେଉଟି ଯାଇ ଆପଣା ଗାଁରେ ପହଞ୍ଚି ସାହୁକାର କହିଲା,–

“ଜମି ନେବି– ଯଦି କଥାଭାଷା ଠିକ୍ ହେବ ତେବେ ।”

 

ସୁକୃ କହିଲା, “ବନ୍ଧାରେ ନେ, ତୁଇ ଜମି ଭୋଗ କର, ଶିସ୍ତୁ (ଖଜଣା) ଦେ, ମାଣ୍ଡିଆର କି ମୋର ଗୋତି ଫିଟାଇ (ମୁକୁଳେଇ) ଦେ, ବର୍ଷକୁ ଦଶ ଟଙ୍କା କରି ଛିଡ଼୍‍ନି (ଶୁଝିବ) କସି ନେଇ ଯେବେ ଟଙ୍କା ପୂରିବ ତେବେ ଜମି ଛାଡ଼ିଦେ ।”

 

ସାହୁକାର ଖେଙ୍କି ଉଠିଲା–

 

“ଓଃ ଭାରି ଜମି ତ ଛିଡ଼୍‌ନି ଦଶ ଟଙ୍କା ଦେଇଦେବି ! ପୁଣି ଗୋତି ଫିଟାଇ ଦେବି ! –ତୁଚ୍ଛାକୁ ମତେ ଦିନ ଗୋଟାକ ତୁମେ ଦଉଡ଼େଇ ଦଉଡ଼େଇ ମାରିଲ–”

 

ମାଣ୍ଡିଆଜାନି ଥଟ୍ଟା କରି କହିଲା–

 

“ନଇଲେ ଖାଲି ସେମିତି ନେଇଯା ସାହୁକାର୍ – ଆମକୁ ତ ନେଇଛୁ, ଜମି ଆଉ କେତେ କର ବା–”

 

ସାହୁକାର ଆଖି ତରାଟି କହିଲା–

 

“ଆରେ ଦେଖିବୁ ରହିଥା, ମୋର ଟଙ୍କା ଗୋଡ଼ି ପଥର ବୋଲି ଭାବୁଚି ନା କ’ଣ ? ଦେଖିବୁ ଦେଖିବୁ ।”

 

ସେ ରାତି ଗଲା ।

ତହିଁଆର ଦିନ ଗଲା ।

 

ବହୁତ ତର୍କ ପରେ ଛିଡ଼ିଗଲା ଯେ ମାତ୍ର ବୁଢ଼ା ସୁକୃଜାନି ହିଁ ଗୋତିପଣିଆରୁ ନିସ୍ତାର ପାଇବ, ତାକୁ ମୁକୁଳେଇବା ବାବାତକୁ ସାହୁକାର ଜମି ଖାଇ ରଜାଘର ଶିସ୍ତୁ ବାନ୍ଧିବ । ଯେଉଁଦିନ ଏକାକାଳିନ ଗୋଟିଏ ଗୋତିର ପଚିଶ ଟଙ୍କା ସାହୁକାରକୁ ଶୁଝେଇ ଦିଆଯିବ, ସେହିଦିନ ସେ ଜମି ଛାଡ଼ିଦେବ । ସର୍ତ୍ତ ଏତିକି ।

 

ଉପରେ ଧର୍ମ, ତଳେ ବସୁମତୀ, ପାଖରେ ଗୋତି ଦଶ ପାଞ୍ଚଜଣ–ଏତିକି ସାକ୍ଷୀ ରଖି ତୁଣ୍ଡ କଥାରେ ସର୍ତ୍ତ ସମାପ୍ତ ହୋଇଗଲା । ମୁହେଁ ମୁହେଁ ଜମି ହସ୍ତାନ୍ତର ହୋଇଗଲା । ସୁକୃଜାନି ନିଷ୍କୃତି ପାଇଲା ।

 

ସୁକୃଜାନି ବାଡ଼ି କାଉଡ଼ି ଧରି ଘରକୁ ବାହୁଡ଼ିଲା । ଆଜି ସେ ମୁକ୍ତ, କିନ୍ତୁ କି ମୁକ୍ତି ଏ ? ମାଣ୍ଡିଆ ରହିଲା, ଟିକ୍ରା ରହିଲା, ବାକି ସେ– !

 

ଜମି ନାହିଁ, ସାଙ୍ଗକୁ ସାହା ଭରସା ନାହିଁ, ଏକୁଟିଆ ବୁଢ଼ା ଲୋକଟିଏ–ନିଦରବୀ, ହୀନବଳ ।

 

ଗାଁର ଏକୁଟିଆ ଭଙ୍ଗାଘର ଖାଁ ଖାଁ ଗୋଡ଼ାଇଲା, କେହି କୁଆଡ଼େ ନାହିଁ । ଦୁଲ୍‍ ଦୁଲ୍‍ ବରଷା, ପିଣ୍ଡା ପହଣ୍ଡରେ କେଉଁଠି ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ ।

 

ଘର ଭିତରେ କେଉଁଠି ପୁଅମାନଙ୍କର ଭଙ୍ଗା ଡୁଙ୍ଗୁଡୁଙ୍ଗା ଦି’ ଖଣ୍ଡ, ଧୋକଡ଼ା ଚମର ଫିମ୍ଫି ଲାଗିଗଲାଣି, ଆଉ ଏଠି ସେଠି ଝିଅମାନଙ୍କର ପିନ୍ଧା ଲୁଗାର ଚିରା କନା ଖଣ୍ଡେ ଦି’ ଖଣ୍ଡ ।

 

ଏଇ ଘରେ ଦିନେ ଗହଳି ଚହଳି, ଆଜି ସବୁ ତୁନିତାନି ।

 

ଦିନ ଭିତରେ ଚାରିପାଖରୁ ଅନ୍ଧାର ଘୋଟି ଆସେ, ଖାଲି ହାଉ ହାଉ ସାଇଁ ସାଇଁ, ସାହି ଭିତରେ କିଏ କେତେବେଳେ ଚୋର ପରି ଏପାଖ ସେପାଖ ହୁଅନ୍ତି, ପାଣିବାମ୍ଫରେ ସବୁ ନିଭିଯାଏ-

 

ପାପୁଲି ଗାଲରେ ରଖି ସନ୍ତସନ୍ତିଆ ବଖୁରୀରେ ଛିଣ୍ଡା ଚଟେଇ ଉପରେ ଗଡ଼ି ପଡ଼ି ସୁକୃଜାନି ହାହାକାର ଖାଲି ଶୁଣେ । କେତେବେଳେ ନିଆଁ ଟିକିଏ କରି ମାଣ୍ଡିଆପେଜ୍‍ ଦି’ ଶୋଲା ଫୁଟେଇ ନେଇ ସେ ପିଇଦିଏ, ତା’ ପରେ ପଡ଼ି ରହିଥାଏ ନିକିମା ପରି । ଗାଁ ବୁଲି ଯିବାକୁ ମନ ଭିତରେ କେଉଁଠି ଖେଞ୍ଚା ମାରେ ।

 

ଆଜି ତା’ର ଜମି ନାହିଁ, ବନ୍ଧୁ ନାହିଁ, ପିଲା ନାହାନ୍ତି–ନିଛାଟିଆ ଘରେ ଖାଲି ମଲା ହଜିଲା ସ୍ମୃତିର ଛାଇ, ଆଉ ଏକୁଟିଆ ବୁଢ଼ା ଲୋକଟିଏ । ଶୀତରେ ଥୁରୁ ଥୁରୁ ।

 

ମନର ସକ ମନରେ ନିଭେଇ ଦିନାକେତେ ଏହିପରି କଟିଗଲା । ସୁକୃଜାନି ଉଠି ଠିଆ ହେଲା । ଦିନୁ ଦିନ ମନ ଘାରି ହୋଇଛି ଅନ୍ତତଃ ପିଲା ଯୋଡ଼ାକଙ୍କୁ ଯାଇ ନେଇ ଆସିବାକୁ । ଖାଲି ଝୁରି ହୋଇଛି ସିନା, ବାଟ ଦିଶି ନାହିଁ । ଆଣିବ ସତ, ଖାଇବାକୁ ଦେବ କ’ଣ ? କ’ଣ ଖାଇ ସେମାନେ ବଞ୍ଚିବେ ? –ଖାଲି ଆପଣା ସ୍ୱାର୍ଥ, ଆପଣାର ଖୁସି ପାଇଁ ହଇରାଣ କରିବା ସେମାନଙ୍କୁ-?

 

ସଞ୍ଜ ଅନ୍ଧାରରେ ଘରେ ପଡ଼ି ପଡ଼ି ଗଲାକଥା ସବୁ ଗୋଟେ ଗୋଟେ ହୋଇ ମନେପଡ଼େ । ତା’ର ଭାରିଯା, ତା’ର ପିଲା ଚାରୋଟି, ତା’ର ଭବିଷ୍ୟତର ଛବି, ଦିନେ ସେ ଗଢ଼ି ଆଣୁଥିଲା ଯାହା…... ଆଜି ସବୁ ଭାଙ୍ଗିପଡ଼ି ହୋଉଛି ମାଟିକୁଦ । କେଉଁ ଦେବତା ପୂଜାରେ କେବେ ତ୍ରୁଟି କରିଥିଲା ସେ ? ପାରା, କୁକୁଡ଼ା, ଛେଳି ସବୁ ସେ ବଳି ଦେଇଛି । ଘଡ଼ଘଡ଼ି ଦିସାରି ଦୁଆରେ ଉପାଧିଆ ପଡ଼ିଛି । କିଏ କେବେ କହିଥିଲା ସୁକୃଜାନି ଦେବତାଙ୍କ ପ୍ରତି ମେଡ଼ୁଆର (ଅବାଧ୍ୟ) ହେଲା ବୋଲି ?

 

ଆଉ ଆଜି-ଉଷୁମ ଲୁହରେ ଜୁଡ଼ୁବୁଡ଼ୁ ହୋଇ ଦେବତା’ର ନାଁ ଧରି ଗଡ଼ି ଗଡ଼ି ସେ ଡାକୁଛି, ତଳେ ମୁଣ୍ଡିଆ ମାରି ମାରି ମୁଣ୍ଡରେ ଆବୁ ହେଲାଣି–ଦେବତା ଆସି ନାହିଁ, ଦେବତା ଦୟା କରିନାହିଁ । ଘୋର ଆଷାଢ଼ର ମେଘ ଧାର ଭିତରେ ଏକୁଟିଆ ସେ ଆଉ ତା’ର ଭାଗ୍ୟ ମୁହାଁମୁହିଁ–ସବୁ ଅନ୍ଧାରୁଆ ଆଉ ଓଦା । ଦେବତା ତାକୁ ଛାଡ଼ି ଚାଲିଯାଇଛି–

 

ଚେତାବୁଡ଼ା ଅନ୍ଧାର ଘୋଟିଆସେ । ହାଉ ହାଉ ପାଣି ପବନ, ମୁଣ୍ଡ ଉପରେ ଛପର ଉଠେ ପଡ଼େ । କାହାକୁ ପ୍ରତୀକ୍ଷା କରି ଚିଆଁଶୁଆ ହୋଇ ରହିଲା ପରି ସୁକୃଜାନି ପଡ଼ି ରହିଥାଏ ତା’ର ଖୋଳ ପରି ଏ ଭଙ୍ଗାଘର ଭିତରେ । କାନ୍ଥ ଖସି ପଡ଼ିବାର ଶବ୍ଦ ସେ ଶୁଣେ,–ଆଉ ଦେଖୁ ଦେଖୁ ତା’ର ସାରା ଅସ୍ତିତ୍ୱଟାକୁ ଦୋହଲେଇ ଦେଇ ତୋଫାନ ଛପର ଘରେ ଆହୁରି କଣା କରେ । କଣା ବଡ଼ ହୁଏ, ଧୀରେ ଧୀରେ ବେଶି ବେଶି, ସୁକୃଜାନି ଦେଖୁଥାଏ ।

 

ସେଇ କାଉଁଦା ଅନ୍ଧାର ଭିତରେ ଦୂରର କାନ୍ଦଣା ଭାସିଆସିଲା ପରି ଲାଗେ । କିଏ ଯେପରି କଇଁ କଇଁ ହୋଇ କାନ୍ଦୁଚି,–ମଲା ସମ୍ବାରୀର ସ୍ମୃତି ମନେପଡ଼େ, ନିଛାଟିଆ ଘରେ ଆବୋରି ଖାଲି ସମ୍ବାରୀର କାନ୍ଦଣା ।

 

ମୁହଁକୁ ତଳକୁ ମାଡ଼ି ବୁଢ଼ା ଝର୍‍ ଝର୍‍ କାନ୍ଦି ପକାଏ । କାନ୍ଦି କାନ୍ଦି ଭୂଇଁରେ ମୁଣ୍ଡ ପିଟି ଗଳାରେ ବୁଢ଼ା ଦେବତାକୁ ଗୁହାରୀ କରେ–

 

“ଦେବତା ଏଡ଼େ ନିର୍ଦ୍ଦୟ ତୁ ରେ,–”

ପବନର କଳରବ କମେ ନାହିଁ, ବଢ଼େ ।

 

ଚାରିଦିନ ସେ ଗାଁ ଭାଇଙ୍କ କ୍ଷେତରେ ମଜୁରି ଖଟିଲା, ପାଞ୍ଚଦିନ ହାଟକୁ ଯାଇ ଲିଆମୁଆଁ ଚାରି ପଇସାର କିଣି ଆଣିଲା, ଆଉ ଦି’ ପଇସାର ପିଠା । ତହିଁଆର ଦିନ ବାଡ଼ି ଖଣ୍ଡିଏ କାନ୍ଧରେ ପକାଇ, ଲିଆ ପୁଟୁଳି ବାନ୍ଧି, ବାଟ ପାଇଁ ଫେଷା ମାଣ୍ଡିଆ ଗଣ୍ଡିଏ ଧରି ତୁମ୍ବା ଲଟକେଇ ସୁକୃଜାନି ଚାଲିଲା ଝିଅଙ୍କୁ ଆଣି । ଆପଣା ପାଇଁ ପତ୍ର ତିଆରି ତଲ୍ରା ତଲ୍ରୀ ଦି’ ପଇସାରେ ବି ସେ କିଣିପାରିଲା ନାହିଁ ବର୍ଷାମାଡରୁ ରକ୍ଷା ପାଇବା ପାଇଁ । ତିନ୍ତି ତିନ୍ତି ଗୋଟିଏ ଗୋଟିଏ ହୋଇ ଝୋଲା ଗୋହରି ପାରି ହୋଇ ବଣୁଆ ବାଟରେ ସୁକୃଜାନି ଚାଲିଗଲା ।

 

ରୋଟ୍ ପାଇଟି ପାଖେ ପହଞ୍ଚିଲାବେଳକୁ ବେଳ ବୁଡ଼ି ବୁଡ଼ି ଆସୁଛି । ଧିଅ ଶିତେଇ ଆସିଲାଣି, ପିନ୍ଧା ଲେଙ୍ଗୁଟି ଗାମୁଛା ପାଣିରେ ଜୁଡ଼ୁବୁଡ଼ୁ । ସେତିକିବେଳେ ଦଳ ବାନ୍ଧି ମିଶି ଭିଡ଼ି ହୋଇ ପାଟି କରି କରିକା ଅସୁମାରି ଧାଂଡ଼ା ଧାଂଡ଼ୀ କାମରୁ ଫେରୁଛନ୍ତି । କାନ୍ଧରେ ଖଣତି, ଫାଉଡ଼ା, କାଙ୍କ । ଦେହଯାକ ନାଲିମାଟି ଛିଟା,–ଆନନ୍ଦର ସୀମା ନାହିଁ–କାମରୁ ଛୁଟି ।

 

ଦୂରରୁ ଦୂରରୁ ଯେତେ ଦେଖିଲା ସୁକୃଜାନି ମଣିଷଙ୍କ ଗହଳି ପଟୁଆର, ସେତିକି ତାକୁ ନିରାଶ ଲାଗିଲା । କାହିଁ ଏଠି ଜିଲି ! କାହିଁ ଅବା ବିଲି ! ଦୂରରୁ କିଏ କେତେ ସେହିପରି ଦିଶନ୍ତି, ପାଖକୁ ଆସିଲେ ଭୁଲ ଭାଙ୍ଗେ । ମଣିଷ ସୁଅକୁ ଉଜାଣି ଠେଲିପେଲି ବୁଢ଼ାଲୋକ ପଶି ପଶି ଏପାଖ ସେପାଖ ଖୋଜେ । ଝିଅମାନଙ୍କର ପତ୍ତା ପାଏ ନାହିଁ ।

 

ଦଳ ଦଳ ଟୋକୀ ଆସନ୍ତି, ବୁଢ଼ାର ବୁଜୁଳିକୁ ଅନେଇଁ ଆଖି ଠରାଠରି ହୁଅନ୍ତି । ନବଜ ଲଗେଇ ପଚାରନ୍ତି, “କ’ଣ ନଉଚୁ ସେଥିରେ ? ପିଠା ଅଛି କି ଦେବୁ ? ” ଧାଂଡ଼ା ପଲ ଆସନ୍ତି, ଥଟ୍ଟା କରି ପଚାରନ୍ତି, “ଗୋତ୍‍ ଯାଉଛୁ କି (ନିମନ୍ତ୍ରଣ ରଖିବାକୁ) ଡୋକ୍ରା– (ବୁଢ଼ା) ? ରାତି ଆସୁଚି, ବାଘ ଖାଇବ ରେ !”

 

ବୁଢ଼ା ପଚାରେ–

“ସରଶୁପଦର ଗାଁର ଜିଲି ବିଲି କୋଉଠି ଅଛନ୍ତି ଜାଣ ?”

ଲୋକେ ହସି ଦେଇ ଅନ୍ୟମନସ୍କ ହୋଇଚାଲି ଯାଆନ୍ତି ।

 

ଶେଷରେ ବୁଲିବୁଲି ଥକିଯାଇ ସେଇ ମଣିଷ ପଟୁଆର ସଙ୍ଗେ ମିଶି ସୁକୃଜାନି ଗଲା କୁଲି ବସ୍ତିକୁ ।

 

ଅନ୍ଧାର ପଡ଼ି ଆସୁଛି, ଶୀତ ବଢ଼ିଲାଣି । କଳାମେଘର ଧଡ଼ିଏ ଧଡ଼ିଏ ଗୋଟାଏ ଗୋଟାଏ ତାରା ଭେଳିକି ଲଗେଇଲା ପରି ଚେଇଁ ଉଠି ପୁଣି ନିଭି ଯାଉଛି । ଅବଶ ହୋଇ କାଉଡ଼ି କାନ୍ଧରେ ପକାଇ ଧାଡ଼ି ଧାଡ଼ିକା ଘର ଆଗରେ ବୁଲିବୁଲି ବୁଢ଼ା ପାଟିକରି ଡାକି ବୁଲିଲା, “ଜିଲି ବିଲି ଜିଲି ବିଲି !”

 

“କେତେଘରୁ କେତେ ଜିଲି ବିଲି ବ୍ୟସ୍ତ ହୋଇ ବାହାରି ଚାଲି ଆସିଲେ । ମୁହଁ ପାଖକୁ ମୁହଁ ନେଇ ବୁଢ଼ା ନିରେଖି ଦେଖି ମୁହଁ ଫେରାଇ ଆସିଲା । ପୁଣି ଧାଉଡ଼ି ଦେଲା ।”

 

ଶୀତ ବାଧୁ ନାହିଁ, ଭିତରର ନିରାଶା ସଙ୍ଗେ ଯୁଦ୍ଧ କରି ଜବରଦସ୍ତି ବୁଢ଼ା ଲୋକ ଡାକି ବୁଲିଲା,–

“ଜିଲି ବିଲ, ଜିଲି ବିଲି !”

 

ସତେବେଳେ ଦି’ ଭଉଣୀ ସଜ ହେଉଛନ୍ତି । ଦିନର କାମ ସରିଛି, ରାତିର ଫୂର୍ତ୍ତି ବହୁତ ବାକି । ମୁଣ୍ଡ ସାଉଁଳାସାଉଁଳି, ଫୁଲ ଖୋସାଖୋସି । ଆଉ ଟିକିକୁ ରାମୀ ଆସିବ ଡାକି । ଅନ୍ଧାରୁଆ ଆଡ୍‍ଡା ଘରମାନଙ୍କରେ ଡୁଙ୍ଗୁଡୁଙ୍ଗା ବାଜି ଉଠିବ । ଉତ୍ତାଳ ହୋଇ ଟୁଙ୍ଗି ଘରେ ରୋଟ୍ ଗୁମାସ୍ତା ହାର୍ମୋନିଆ ଖୋଲିବେ । ସେତିକିବେଳେ ପଦାରୁ ଶୁଭିଲା ବୁଢ଼ା ବାପର ହାଉଳା ପାଟି –

 

“ଜିଲି ବିଲି, ଜିଲି ବିଲି ।”

 

ବିଲି ଧାଇଁ ଆସିଲା । ଜିଲି ଜୁଡ଼ାରେ ତେଲ ଗୁଡ଼ାଏ ବୋଳି କାନି ଘୁଷୁରେଇ ଘୁଷୁରେଇ ପଦାକୁ ଦଉଡ଼ି ଆସିଲା । ବାପଝିଅ ଭେଟାଭେଟି । ଝିଅ ଦୁହେଁ ପାଟି କଲେ । ବୁଢ଼ା କାଠପରି ଠିଆ ହୋଇଥାଏ । ଆଖିରୁ ଲୁହ ଟପଟପ, ଟାଣ ଗଳାରେ କରୁକରୁ ଭାଙ୍ଗିପଡ଼ି ବୁଢ଼ା କହିଲା–

 

“ଚାଲି ଆସିଲ ରେ ନୁନିମନ୍ (ଝିଅମାନେ) ।”

ଦି’ ଭଉଣୀ ହଠାତ୍ ଶଙ୍କି ଯାଇ ଠିଆହେଲେ । ଲାଜ ମାଡ଼ିଲା, କାନ୍ଦ ମାଡ଼ିଲା ।

 

କାଠପରି ଦୁଆର ମୁହଁରେ ବୁଢ଼ା ଠିଆ ହୋଇ ରହିଲା । ଘର ଭିତରୁ ଡିବିରି ଆଲୁଅ ମୁହଁ ଫାଳକରେ ପଡ଼ିଥାଏ, ପଛଆଡ଼େ ରାତିର ଅନ୍ଧାର ।

 

ସିଖର ଦୁଆରେ ନାଲିମଖା ପ୍ରେତ ପରି ଚେର ଲାଗିଯାଇ ହାଡ଼ହାଡ଼ୁଆ ଡେଙ୍ଗା ବୁଢ଼ାଟି ଠିଆ ହୋଇ ରହିଲା ସେଠି ।

 

ଦି’ ଝିଅ, ଦି’ କାନ୍ଧରେ ଓହଳି ହେଲେ । ବାପକୁ ଭିତରକୁ ଟାଣିଲେ । ବାପଝିଅ ଘର ଭିତରେ ପଶିଲେ ।

 

କଥା ପଡ଼ିଲା, ପାଇଟି ଛାଡ଼ିବା ତ ଅତି ସହଜ କଥା, ନାହିଁ କରିଦେଲେ କିଏ ଜବରାନ କରିବେ ?

 

କିନ୍ତୁ ତା’ ପରେ ?

 

“ତା’ ପରେ କ’ଣ ରେ ? ତୁମେ ପିଲା ଟୋକୀ ବରଷାରେ ତୋଫାନରେ ଘର ପାଖେ କୁଲି କରି ମତେ ପୋଷିବ, ଏଇଆ ଦେଖିବା ପାଇଁ ବିଧାତା ମୋତେ ବଞ୍ଚେଇ ରଖିଚି ନା କ’ଣ ?”

 

“ନାହିଁ ବାପା, ତୁ ସେମିତି ହ’ ନାହିଁ । ଘରର ଅବସ୍ଥା ଟିକିଏ ଭାବି ଦେଖ୍”, ଜିଲି କହିଲା-

 

“ଆଜିକି ଏତେଦିନ ଗଲା, ଆଜି ତୁମ୍ଭେମାନେ ମତେ ବୁଝେଇବ ଘରର ଅବସ୍ଥା କ’ଣ-?”

 

ରୋଟ୍ ଗୁମାସ୍ତା ନିଜେ ବୁଝେଇ ଆସିଲେ, ଟଙ୍କା ଦି’ଟା ବଢ଼େଇ ଧରି କହିଲା–

 

“ନେ ନେ, ତୁ ଖର୍ଚ୍ଛ କର ପଛେ, ପିଲା ଦି’ଟାଙ୍କୁ ଛଡ଼େଇ ନେଇ ହଟହଟା ହୋଇ ମରିବୁ କାହିଁକି ? କାମଯଦି ଲୋଡ଼ା, ତୁ ମଧ୍ୟ ଏଠି କାମ କର୍ ଝିଅମାନଙ୍କୁ ଜଗି ପଡ଼ି ରହିଥା, ଘରକୁ ଯାଇ କ’ଣ ଅଧିକା କରିବୁ ?”

 

ଦି’ ଭଉଣୀ ତା’ କଥାରେ ପାଳି ଧରିଲେ–

“ହଁ ବାପା ଏଠି ତୁ ରହ, ପାଇଟି କିଛି ଭିଡ଼ ନାହିଁ । ରହିଯା ଏଠି ।”

 

ମୁହୂର୍ତ୍ତେ ସୁକୃଜାନି ଟଳିଗଲା ଏ କରକୁ, ହଁ ସତେ ତ ! ଏତେ ଅନଶନ, ଏତେ କଷ୍ଟ ପରେ ଆଖି ଆଗରେ ଦିଇଟା ସତ ସତ ଟଙ୍କା, ଆଉ ଏ ବାବୁଟିର କଅଁଳ କଥା, କେଡ଼େ ଭଲ ବାବୁଟିଏ, ପାଖରେ ବସେଇ କଥା ଗପୁଛି ! ଆଉ ହୁଏତ, କାମ ଭିଡ଼ ନ ହୋଇଥିବ ବା ।

 

‘ମହାପୁରୁ’, –ସୁକୃଜାନି ବାବୁର ପୋଷାକ ଦେଖି ମୁଣ୍ଡ ନୁଆଇଁ ଦେଲା, “ଆମର ଦୁଃଖ କଷ୍ଟ ଯଦି ବୁଝୁଛୁ ଏତେ, ମୁଁ ଏଠି ଥାଏଁ ପିଲାଟୋକୀଙ୍କ ବଦଳି, ସେମାନେ ହେଲେ ଘରକୁ ଯାଆନ୍ତୁ-। ଏ ଝଡ଼ି ବରଷାରେ କେତେ କଷ୍ଟ ଆଉ ପାଇବେ ସେମାନେ, କାଇଲା (ବେମାର) ପଡ଼ିଯିବେ, ପିଲାଲୋକ, ସେମାନେ ଯାଉନ୍ତୁ ମୁଁ ରହୁଚି ।”

 

“କାଣ୍ଟ୍ରାଟି ଘର ପଇସାରେ ପୋକ ଲାଗିଛି କିରେ ?” ବିଡ଼ି କଳେ ଟାଣିଦେଇ ଗୁମାସ୍ତା କହିଲା, “ଭେଣ୍ଡିଆ ଭେଣ୍ଡିଆ ଯେତେ ଟୋକାଟୋକୀ ସେମାନେ ଯିବେ ଘରକୁ, ପାଇଟି କରିବୁ ତୁଇ ବୁଢ଼ା ?–”

 

“ଖାଦି ନାହିଁ, ସେଥିପାଇଁ ବୁଢ଼ା ଦିଶୁଛି ବାବୁ, ନଇଲେ ଦେଖେଇ ଦେବି କୋଉ ଭେଣ୍ଡିଆ ପାଇଟିକୁ ଆସିବ ମୋ ସାଙ୍ଗେ ।”

 

“ନାଇଁ ବୁଢ଼ା, ତୁ ଘରକୁ ଚାଲି ଯା, ଏତେଦିନ କାମ କରି କ’ଣ ଆଉ ଶୁଖି ଯାଇଛନ୍ତି ତୋର ଝିଅମାନେ ? ତୁ ଯା, ସେମାନେ ଥାଉନ୍ତୁ ।”

 

“ନେଚୁ ବାବୁ ତୁମେ ଯାଅ ।” ପଦେ କଥା ସୁକୃ ବୁଢ଼ା ଗୁମାସ୍ତା ସାଙ୍ଗେ ତର୍କ ଛିଣ୍ଡାଇ ଦେଲା ।

 

ମୁହଁ ଆମ୍ବଳା କରି ଗୁମାସ୍ତା ଚାଲିଗଲା, ଦେଶିଆ ରଇତର ପାଟିରେ ଜାବ ପଡ଼ିଗଲେ ଆଉ ଫିଟେ ନାହିଁ ସେ ଜାଣେ ।

 

ପୁଣି ଝିଅମାନଙ୍କ ସଙ୍ଗେ ତର୍କ । ତାଙ୍କର କଥା ସେ ବୁଝେ, ଘରେ ସବୁ ଫାଙ୍କା ସେ ଜାଣେ, ଏଠୁ ଛଡ଼େଇ ନେଇଗଲେ କ’ଣ କରିବାକୁ ପଡ଼ିବ ତା’ପରେ ସେ ବିଷୟରେ ତା’ର କୌଣସି ସଫା ସଫା ଧାରଣା ନାହିଁ । ତଥାପି, ମନ ହୁଏନାହିଁ । ଏଗୁଡ଼ିକ ସବୁ ନୂଆ କଥା । ଦାଦି ଅଜା କାଳର ସଂସ୍କାରରେ ତା’ର ଧାରଣା ସବୁ ଗଢ଼ା, ଆଉ ବୟସର ଗୁରୁତ୍ୱରେ ସେ ଦାଦିଅଜାଙ୍କ ସାଙ୍ଗେ ସମାନ ହୋଇଗଲାଣି । ଟୋକୀ ପିଲା କାମ କରନ୍ତି ନାହିଁ, କିନ୍ତୁ ସେ ଖାଲି ବାପ ଘରେ, ନୋହିଲେ ସ୍ୱାମୀ ଘରେ । ବାପକୁ ଛାଡ଼ି, ଭାଇକୁ ଛାଡ଼ି ଦୂର ଦେଶରେ ପଡ଼ିରହି କୁଲି କାମ କରିବା ତୁଚ୍ଛା ନୂଆ ଯୁଗର ଢପ, ବୁନିୟାଦି ପରଜା ଧାରଣାକୁ ତା ପସନ୍ଦ ପଡ଼େ ନାହିଁ । ବର ବାଛିବା ଦୃଷ୍ଟିରେ ମଧ୍ୟ ଦେଖିଲେ, ଏ କୁଲି କାମ ନିତାନ୍ତ ଅବୁନିଆଦି । ଗାଁର ଧାଂଡ଼ା ବସାଘର, ବାଟଘାଟ, ନଈକୂଳ, ହାଟ ପୁନେଇଁ ପରବ୍‍–ମାଗଣ ଲାଗୁଥିଲା ସେଠି । ଏ ତ ବିଦେଶୀ କୁଲି ଜାଗା ! ବାର ଭାଇ ଆଖଡ଼ା । ଛି ! ଛି !

 

“ଛି, ଛି, କାହିଁକି ବାପା, କେତେ ଗାଁର କେତେ ଝିଅ ତ ଅଛନ୍ତି ଏଠି, ଆମେ କ’ଣ ଏକା-। ?”

 

ଏ ଯୁଗର ପିଲାମାନେ, ଖାଲି ନଜିର ଦେଖେଇବେ, ତର୍କ କରିବେ, ଗୁରୁଜନ କହିବାର ଉଦ୍ଦେଶ୍ୟ ଆଦୌ ବୁଝିବେ ନାହିଁ ।

 

“ନାହିଁ ନାହିଁ ଛି ଛି–ମୁଁ କିଛି ଶୁଣିବି ନାହିଁ । ମୋର ଧନଦରବ ଦରକାର ନାହିଁ । ଯାହା ମିଳିବ ଘରେ ପଡ଼ି ପଡ଼ି ସେତିକି ଖାଇପିଇ ହେଲେ ପଡ଼ିଥିବା । କିଛି ଶୁଣିବି ନାହିଁ । ଆଜିକାଲି ଫେରିଯିବା ।”

 

ପରଦେଶୀ ଘରକରଣା ଭାଙ୍ଗିଦେଇ ଗୋଟିଏ ଗୋଟିଏ ଦୀର୍ଘଶ୍ୱାସ ମାରି ବୋଝ ମୁଣ୍ଡେଇ ବାପ ପଛେ ପଛେ ଦି’ଝିଅ ଚାଲିଗଲେ । ଓଳିତଳ ଜହ୍ନି କଖାରୁ ପିଢ଼ାକୁ ଛୁଇଁଥାଏ ମୋଟେ-। ମଲ୍ଲୀ ଫୁଟି ଫୁଟି ଆସୁଥାଏ ଅଗଣା ଉପରେ ।

 

ଘରେ ପହଞ୍ଚି ଦିନାକେତେ ଜିଲି ବିଲି ଅନ୍ୟମନସ୍କ ହୋଇ ପଡ଼ିଲେ । ଏଥର ଘର ଭର୍ତ୍ତି-। ଦି’ଜଣ ଝିଅ, ବାପ । ଝିଅମାନେ ସାହି ମେଳରେ ଯୋଗ ଦିଅନ୍ତି, ଫୂର୍ତ୍ତି କରନ୍ତି, ଯେତେ ସମ୍ଭବ ସେତେ । କିନ୍ତୁ ସଞ୍ଜ ହେଲେ,–ଅଭ୍ୟାସ ଅନୁସାରେ ଆପେ ଆପେ ବେଶଭୂଷା ହୋଇଯାଆନ୍ତି ସିନା, ସଞ୍ଜପହର ଗୋଟାକ ମନଟା ଭାରି ଚଞ୍ଚଳ ହେଉଥାଏ । ଯେପରି କିଛି ଗୋଟାକୁ ପ୍ରତୀକ୍ଷା, ତା’ପରେ ରାତି ଟିକିଏ ବଢ଼ିଗଲେ ଭାରି ଅବସନ୍ନ ଲାଗେ, ଖୁସିଗପ, ହସ, ଆନନ୍ଦ ନ ଖୋଜି ଆପେ ଆପେ ଦେହ ବିଛଣା ଖୋଜେ । ଧାଂଡ଼ୀ ବସାଘରକୁ ବେଶିଯାଆନ୍ତି ନାହିଁ-

 

ବୁଢ଼ା ସୁକୃଜାନି ଖୁସି ହୁଏ । ଝିଅମାନଙ୍କୁ ଘରକୁ ଲେଉଟାଇ ଆଣିଲା ଉତ୍ତାରୁ ତା’ର ଉତ୍ସାହ ଯେପରିକି ଦୁଇଗୁଣ ବଢ଼ିଯାଇଛି । ନିତି ସେ ସକାଳୁ ସଞ୍ଜଯାକେ ଖଟେ, ନିତି ରାତିରେ ସେ ଭାବି ହୁଏ କାମ ବାକି ଅନେକ । ଆଗ ଭଙ୍ଗା ଘର ମରାମତି କରାହେଲା । କି କଷ୍ଟ କି ପରିଶ୍ରମ ସେ ! କାରଣ ଏ ଦିନେ ପାଳ ମିଳେ ନାହିଁକି ପିରି (ଘରଛୁଆଣି ପାଇଁ ଘାସ) ପାଚି ନ ଥାଏ ।

 

ଘର ଉତ୍ତାରୁ କଥା ପଡ଼ିଲା, କ’ଣ କଲେ ଦିନର ଖୋରାକ ରୋଜଗାର ହେବ, ଆଉ ତା’ ସାଙ୍ଗେ ସାଙ୍ଗେ ନୂଆ ଜମି ପାଇବାର ଉପାୟ କ’ଣ ? ପୁଣି ଥରେ ନାଇକ ଦୁଆରେ ଉପାଧିଆ–

 

‘‘ଜମି ତ ବନ୍ଧା ଦେଇ ଦେଲି, କିଛି ହେଲେ ଜମି ମତେ ଦେ, କରି ଖାଇବି, ଶିସ୍ତୁ ବାନ୍ଧିବି-। ମୋର ପିଲାକୁଟୁମ୍ବ ତୋରି ନାଁ ଧରି ବଞ୍ଚି ରହିଥିବେ ।’’

 

ନାଇକ ଭରସା ଦେଲା, ବୁଝି ଦେଖିବ, ଏ ଗାଁରେ ଆଉ ପଦାଭୂମି କେଉଁଠି ହେଲେ ନାହିଁ । ପାହାଡ଼ ତଳେ ଗାଁ ଜମିର ସନ୍ଧିରେ ଏଇ ଗାଁ ତରଫର ଗୁଡ଼ାର (ପଲ୍ଲୀର) ଜମି ଥିଲେ ବା ଥାଇପାରେ, ବୁଝିଲେ କହିବ ସେ ।

 

“ଦିନର ଖୋରାକ ପାଇଁ ? ଏ ଗାଁ ଆଉ ପାଖ ଗାଁମାନଙ୍କରେ ମଜୁରିଆ ଦରକାର ହେଉଛନ୍ତି । ବୁଣାବୁଣି ତ ଏ ପର୍ଯ୍ୟନ୍ତ ସରି ନାହିଁ, ପୁଣି ବିଲରୁ ଘାସ ବାଛିବା କାମ ଏ ମାସରେ ପ୍ରଧାନ । ବାପ ଆଉ ଝିଅ ଯୋଡ଼ିକ ଲାଗିପଡ଼ନ୍ତି ଏକାଠି ପାଖକୁ ପାଖ, କାମରୁ ଲେଉଟିଲେ ପଇସା କେତେଟା ଆଉ ମାଣ୍ଡିଆ କେଇ ମାଣ ଦିନର ମଜୁରି ହିସାବରେ ଆପେ ଥୁଆ ।”

 

ସତ, ସଞ୍ଚୟ କିଛି ହୁଏ ନାହିଁ, ବେଶି ସ୍ୱଚ୍ଛନ୍ଦରେ ଚଳିହୁଏ ନାହିଁ,–କିନ୍ତୁ ଚଳିଯାଏ ଯେମିତି ହେଲେ ।

 

ପରେ ବିଲରେ କାମ କରୁ କରୁ ବୁଢ଼ା ସୁକୃ ଆପଣାର ବିଲ କଥା ଭାବେ । ଏ ପର୍ଯ୍ୟନ୍ତ ପଡ଼ିଆ ପଡ଼ିଛି । ଆଉ କେତେଦିନ ବା, ସାହୁକାର ବଳେ ଆସିବ ଯେ କରିବାକୁ । ଏକୁଟିଆ ଥିଲାବେଳେ ପୁରୁଣା ଭୂମି ପାଖେ ଯାଇ ବସେ । ଗୋଡ଼ ଲମ୍ବେଇ ବସି ଖରା ଖାଏ, କାକର ଖାଏ । ପୁଳିଏ ପୁଳିଏ ଘାସ ବାଛେ । ହାତଟା ତୁଚ୍ଛାକୁ ଖଲ ଖଲ ହୁଏ । ପୁଣି ମନେପଡ଼େ, ଜମି ସେ ବନ୍ଧା ଦେଇ ଦେଇଛି ।

 

ଭାବୁ ଭାବୁ ବୁଢ଼ାପଣ ବଢ଼ିଯାଏ ଖୁବ୍ । ଆଖି ସରୁ ହୋଇଯାଏ, କପାଳର ଚମ ସିଅ ସିଅ ହୋଇ ହିଡ଼ ପାଲଟି ଯାଏ । ଗୁରୁ ଚିନ୍ତାର ଓଜନରେ ମୁଣ୍ଡ ନଇଁପଡ଼େ ଭୂଇଁ ଉପରକୁ । ଚେତା ଫେରେ ସଞ୍ଜର ଅନ୍ଧାରରେ ଯେତେବେଳେ ଟୁପୁରୁ ଟାପୁରୁ କାକର ଝଡ଼ି ପଡ଼େ, ଆଉ ବୁଢ଼ା ଦେଖେ କେହି କୁଆଡ଼େ ନାହିଁ ।

 

ଜିଲି ବିଲି ଦୁଇ ଭଉଣୀ ପର ବିଲରେ କାମ କରନ୍ତି । ରୋଟ୍‌ ପାଇଟିର ନିଭୃତି ଅନୁଭୂତି ପରେ ଦୁହେଁ ପରସ୍ପର ଅତି ଘନିଷ୍ଠ ହୋଇଯାଇଛନ୍ତି । ଦିନାକେତେ ଗୁମ୍‌ସୁମ୍‌ରେ କଟିଲା ପରେ ଯେତେବେଳେ ହସ ବାହାରିଲା, ଦୁଇ ଭଉଣୀ ଖୁଜୁବୁଜୁ ହୋଇ ଥଟ୍ଟା କରାକରି ହୋଇ କାମ ମଝିରେ ଅଟକି ଯାଆନ୍ତି, ଗତ ସ୍ମୃତିକୁ ଉଲ୍ଲେଖ କରି କଥା ପକେଇ ହସି ହସି ଗଡ଼ି ଯାଆନ୍ତି ।

 

ଜିଲି କହେ ବିଲିକୁ–

“କିଲୋ–ମନେପଡ଼ୁଚି ନା ?”

ଜିଲି ଲେଉଟି ପଚାରେ ।

 

କାଉ ପରଜା ଖୁସି ପିଛା ନିଏ ପୁଣି ଜିଲିର । ଜିଲି ସେହି ସମ୍ପର୍କରେ ଥଟ୍ଟା କରେ । ଜିଲି କହେ–

 

“କାଉ ଭାଇ ଫୁଲ ଆଣି ଦବୁ ।”

“ବିଲି କହେ,–

“ଆସିବୁ ଆଜି ସଞ୍ଜରେ ।”

କାଉ ପରଜା ଖୁସି ପାଏ । ଦି’ ଭଉଣୀ ହସି ହସି ଗଡ଼ନ୍ତି ।

 

ସଞ୍ଜ ହେଲେ ନାଚକୁ ଯିବା ବାଟରେ କାଉ ପରଜା ପଛେ ପଛେ ଆସେ । ସେ ବୋଲହାକ କରେ, ଯାହା କହିଲେ, ତା’ର ସେଇଆ, ଆଗ ପରି ଫୁଲ ଫଳ ଆଣିଦିଏ, ପାଖେ ପାଖେ ଅପେକ୍ଷା କରି ରହିଥାଏ ତୁଣ୍ଡକଥାକୁ, ଟୋକୀମାନେ କେତେବେଳେ କେଉଁକଥା ବତେଇବେ ବୋଲି ।

 

ସମ୍ପତ୍ତି ତା’ର ଏତିକି ।

 

ଦିନେ ସଞ୍ଜବେଳେ, କାମ କରି ଫେରିଲାବେଳକୁ ମେଘ ଘୋଟି ଆସିଲା । ଯେ ଯୁଆଡ଼େ ଧାଇଁ ପଳେଇଲେ । କାଉ, ଜିଲି ଆଉ ବିଲି ଦଉଡ଼ି ଦଉଡ଼ି ଆସୁ ଆସୁ ଗୋଟିକିଆ ଝଙ୍କା ବରଗଛ ପାଖେ ଜିଲି କହିଲା–“ଝୁଣ୍ଟିଲି ଆଉ ଯାଇପାରୁ ନାହିଁ ।”

 

ତିନିହେ ସେଠି ବସିଲେ । ଜିଲି କହିଲା–“କଣ କଣ୍ଟା ଫଣ୍ଟା ପଶିଗଲା ପରା, ଦେଖିଲୁ କାଉ ଭାଇ ।’’

 

କାଉ ଗମ୍ଭୀର ହୋଇ ଦେଖି ବସିଲା । ଜିଲି ଗୋଡ଼ ଲମ୍ବେଇ ଦେଲା । ବିଲି ଚାହିଁଥାଏ । କାଉ ପରଜା ଗୋଡ଼କୁ ଟେକି ଚିପାଚିପି କଲା, ଜିଲି କହିଲା, “ଭଲ ଲାଗିଲା ।” ମେଘ ଟିପି ଟିପି ପକୋଉ ଥାଏ । ଜିଲି କହିଲା–“କାଉ ଭାଇ, ତୋ ମାଠଟା ଖୋଲିଦେ, ଆମେ ତିନିହେଁ ଘୋରି ହୋଇ ପଡ଼ିବା ।”

 

ମଝିରେ କାଉ ଦି’ ପାଖେ ଦି’ ଭଉଣୀ ଗୋଟାଏ ଘୋରିହେଲା ଘୋରି ହୋଇ ବସି ରହିଲେ । ଜିଲି ବିଲି ବଡ଼ ପାଟି କରି ହସିଲେ । ବିଲି କହିଲା, “ଆମେ ଜଣେ ନୋହୁ, କାହାକୁ ତୁ ଘରକୁ ନେବୁ କହ ।”

 

କାଉ ପରଜା ବଡ଼ ଅପ୍ରସ୍ତୁତ ହେଲା ।

“ଆରେ ନୁନିମନ୍– ସେମିତି ହ’ ନାହିଁ ରେ ହ’ ନାହିଁ ।”

“ନାଇଁରେ ନାଇଁ ତୁଇ କହ–ଏଠି କେହି ନାହିଁ”–

 

ଦି’ ଭଉଣୀ ହସି ହସି ପାଟି ପଡ଼ିଲେ, କାଉ ପରଜାକୁ ମଝିରେ ପୁରେଇ ଦୋହଲି ଦୋହଲି ।

 

ସେମାନେ ଘରକୁ ଲେଉଟି ଆସିଲେ । ଏହିପରି ଖୋଲା ଖୋଲା ଥଟ୍ଟା ନକଲରେ କାଉ ପରଜା ଟିକିଏ ଶଙ୍କିଯାଏ । କିନ୍ତୁ ଆଶା ଛାଡ଼େ ନାହିଁ । ଲାଗି ରହେ । ଥଟ୍ଟା ସହେ ।

 

ଦିନାକେତେ ଗଲା । ନାଇକ ପାଖକୁ ଦଉଡ଼ି ଦଉଡ଼ି ଶେଷରେ ନାଇକ ଖଣ୍ଡେ ସାନ ବିଲ ତଷିବାକୁ ଦେଲା ସୁକୃଜାନିକୁ, ଗାଁଠୁ ଖଣ୍ଡେ ଦୂରରେ ।

 

ଖୋଲା ପଡ଼ିଆଟାଏ ସେଇଟା, ସେଥିରେ ପୁଣି କେବେ ତାଷ ହୋଇନାହିଁ । ପାହାଡ଼ ତଳେ ଢାଲୁ ପଦର । ଅଳ୍ପ ଦୂରରେ ଗୋଟିଏ ସାନଗୁଡ଼ା । ଜମିଟାକୁ ଦେଖି ସୁକୃଜାନି ହିସାବ କରିନେଲା ମନେ ମନେ, ଭଲ ତଷାତଷି କଲେ ଅଧଗଡ଼ିଶା ପର୍ଯ୍ୟନ୍ତ ପାଚିବ ଏଠି । ପଛଆଡ଼େ ପାହାଡ଼ର ଢାଲୁ, ସେଠି ସାମାନ୍ୟ ବୁଦାଜଙ୍ଗଲ କ୍ରମେ ଘଞ୍ଚ ହୋଇ ଉପରକୁ ଉଠିଯାଇଛି । ଜଙ୍ଗଲ କିଛି ସଫା କଲେ ହରଡ଼, ଜଡ଼ା, ଲଙ୍କାମରିଚ ମଧ୍ୟ ହେବ । ପାହାଡ଼ ସନ୍ଧିରେ ସରୁ ହୋଇ ଚେନାଏ ଖୋଲ ଅଛି, ସେଠି ସଫାସଫି କରି ତାଷ ଆରମ୍ଭ କଲେ ସୁଆଁ କିଛି ମିଳିବ । ସାନଗୁଡ଼ାରେ କନ୍ଧ ଚାରି ପାଞ୍ଚଜଣଙ୍କର ବାସ, ସେମାନେ ସମସ୍ତେ କୋଡ଼ିକିଆ, ଡଁଗରମାରୁ । ଯଦି ପୁଣି ଦୁର୍ଭାଗ୍ୟକୁ ଜଙ୍ଗଲ୍‌ ଜମାନ୍‌ର କେବେ ଏ ଅଞ୍ଚଳକୁ ଗସ୍ତ ପଡ଼େ,–ସରିଗି ନୁହେଁ, ବିଜା ନୁହେଁ, ଖାଲି ଲଟାବୁଦାର ‘ସରୁଆ’ ବଣ,– କ’ଣ ଫାଶୀ ହୋଇଯିବ ଏତିକିରେ ? କିଏ ବା ଦେଖୁଚି, ଗାଁ ନାହିଁ ଗଣ୍ଡା ନାହିଁ, ଧାଡ଼ିଧାଡ଼ିକା ଲଣ୍ଡା ଜଙ୍ଗିଲିଆ ପାହାଡ଼ର କାନ୍ଥ ଉଢ଼ୁଆଳରେ ଟିକିଏ ଜମି ।

 

କିନ୍ତୁ ଏକୁଟିଆ ନାଚିକୁଦି ହେଲେ ଫଳ ନାହିଁ କିଛି । ପଥର ଫଟେଇ ନୂଆ ତାଷ କରିବାକୁ ମଣିଷ ଦରକାର । ଏ ବର୍ଷ ଏତେ କାମ କରିବାକୁ ପୁଞ୍ଜି ନାହିଁ, କେବଳ ନାଇକ ଦେଖେଇ ଦେଇଥିବା ପଡ଼ିଆ ଖଣ୍ଡକ କାମୀ କରିପାରିଲେ କିଛି ହେଲେ ହୁଅନ୍ତା, ସେଥିପାଇଁ ମଧ୍ୟ ଜଣକୁ ଦି’ଜଣ ଦାରକାର । କାମ କରିବାକୁ ଏକୁଟିଆ ବୁଢ଼ାଟା, ମାଣ୍ଡିଆ ନାହିଁ କି ଟିକ୍ରା ନାହିଁ ।

 

ସଙ୍ଗକୁ ଆଉ ଜଣେ ମିଳିଲେ, ସାନଗୁଡ଼ାର କନ୍ଧମାନଙ୍କୁ ଧରାଧରି କରି ବଦଳ ଉଦଳ କାମ କରିବା ଉପାୟରେ ସେଠୁ ଢଉ ପାଞ୍ଚଜଣ ଉଠେଇ ହୁଅନ୍ତା । ଏ ଦେଶରେ ଏପରି ମଧ୍ୟ ଚଳେ, ଜଣେ ଅନ୍ୟ ଜଣକ କ୍ଷେତରେ ଦି’ଦିନ କାମ କରିବ, ଅନ୍ୟଜଣକ ପୁଣି କେବେ ଦରକାର ପଡ଼ିଲେ ନିଜେ କାମ କରି ଯାଇ ଶୁଝେଇ ଦେଇ ଆସିବ ।

 

ଘରେ ଯୋଡ଼ାଏ ଯୋଡ଼ାଏ ଝିଅ, ଝିଅ ନୁହନ୍ତି ତ, ସମ୍ପତ୍ତି, ଜଣ ଜଣକୁ ଦି’କୋଡ଼ି ତିନି କୋଡ଼ି ଟଙ୍କା ମିଳନ୍ତା ଝୋଲା ବାବତକୁ, କିନ୍ତୁ କପାଳ ଏଡ଼େ ହୀନ, କେହି ଜୁଟୁ ନାହାନ୍ତି । ବୁଢ଼ା ଆପଣା ଉପାୟରେ ଠିକ୍‍ଣା କରି ଦେଖିଲା ଜମି ତଷି ପୁଣି ଗୋଡ଼ ସିଧା କରି ଠିଆ ହେବାକୁ ହେଲେ, ଝିଅ ଦୁହିଁଙ୍କୁ ବିଭା ଦେବା ଦରକାର ।

 

କିନ୍ତୁ କିଏ ଠିକ୍‍ଣା କରିବ ? ଦେଶର ପ୍ରଥା ଏପରି, ଆଗ ମାଗଣ ଆସିବ ବର ତରଫରୁ, ଆଉ ବିଭା ଠିକ୍ ହେବ ବର ଯଦି କନ୍ୟା ମନକୁ ଆସେ ତେବେ ବାପ ମା’ ଖାଲି ଝୋଲାରେ ଭାଗୀ, ଟୋକା-ଟୋକୀ ନିଜେ ନିଜର ବିବାହରେ କର୍ତ୍ତା ।

 

ତଥାପି ସୁକୃଜାନି ଭାବିଲା, ଗୋଟାଏ କିଛି କରିବାକୁ ହେବ ନିଶ୍ଚୟ । ନୋହିଲେ ଗୋତିପଣରୁ ମୁକ୍ତି ନାହିଁ । ହେଲେ, ଠେଲି ପେଲି ସେ ଝିଅମାନଙ୍କୁ ଧାଂଡ଼ୀ ବସାଘରକୁ ପଠାଏ, ନାଚିବାକୁ ପଠାଏ । ସାଙ୍ଗରେ ନେଇଯାଏ ନାଚମଣ୍ଡପକୁ । କିଛି ନା କିଛି ପତିଆରା ଦେଖେଇ ପଠାଏ ହାଟ ଦେଖି– “ଯାଅରେ ପିଲାଏ, ଧୁଙ୍ଗିଆ ମୋର ସରିଆସିଲାଣି, କହାକୁ ଆଉ କହିବି ? ମାଣ୍ଡିଆ ନାହିଁ କି ଟିକ୍ରା ନାହିଁ ।” ସେ ଚାହେଁ ଝିଅ ଦୁହେଁ ସବୁବେଳେ ଖୁସି ହୁଅନ୍ତେ, ସବୁବେଳେ ସଜବାଜ ହୋଇ ପଦାକୁ ବାହାରନ୍ତେ । “କିଲୋ ଜିଲି ମୁଣ୍ଡ ବାନ୍ଧି ନୋହୁଁ କାହିଁକି ? ଆଜି ଯଦି ତୋ’ର ମା’ ବଞ୍ଚିଥାନ୍ତା–”

 

ପିଲାଏ ଅମାନିଆ ହେଲେ ସେ ସବୁ କଥାରେ ତାଙ୍କ ମଲା ମା’ର ଉପଲକ୍ଷ୍ୟ ଦିଏ ।

 

“ମୁଁ ବୁଢ଼ାହଡ଼ା, କି ଜାଣେ ମୁଁ, ଟୋକୀପିଲା କେମିତି ପାଳିବାକୁ ହେବ ? ସେଥିପାଇଁ ତୁମେ ସବୁବେଳେ ବିରସ । ସବୁବେଳେ ଆପଣା ଦେହ ମୁଣ୍ଡକୁ ନଜର ନାହିଁ, ମଇଳା ମୁରୁଛିଆ ।”

 

ଏଇ, ମଲା ମା ଉପଲକ୍ଷ୍ୟଟା–ଏଇ ଗୋଟାକ କାଟୁ କରେ, କହିଲାବେଳେ ବୁଢ଼ାର ସ୍ୱର ଘାଗଡ଼ା ହୋଇଆସେ, ପାସୋରା ଦୁଃଖର କାଳି ନିଗିଡ଼ି ଆସେ କପାଳରୁ ଆଖି ଭିତରକୁ । ଟୋକୀପିଲାଙ୍କ ହସ ହସ ଆପଣାଭୁଲା ଅବହେଳା ବାଧା ପାଇ ଭିତରକୁ ପଶିଯାଏ ।

 

ବିଲି କହେ ଜିଲିକୁ– “ବାପା ଭାରି ବୁଢ଼ା ହେଇଯାଉଚି ।”

 

ନିରୋଳାରେ ଦି’ ଭଉଣୀ ଏଇ କଥା ଭାବି ହୁଅନ୍ତି, ମୁହଁ ଶୁଖାନ୍ତି । ସୁକୃଜାନିର ଉଦ୍ଦେଶ୍ୟ ଆପେ ଆପେ ଆପଣାକୁ ହଟେଇ ଦିଏ ପଛକୁ ।

 

କାଉ ପରଜା ତୁନି ହୋଇ ଆସି କଅଁଳେଇ ପଚାରେ–

“କାହିଁକି ମୁହଁ ଶୁଖେଇ ବସିଛରେ ପିଲାମାନେ ?”

ଜିଲି କହେ–

“ତୁ ଆସିଲୁ ନାହିଁ ବୋଲି ପରା !”

ହୋ ହୋ ହସି ଉଠେ, ଲୁହ ଛଳଛଳେଇ ଆସେ ।

 

ମେଘ ଜମିଲା, ଅନ୍ଧାର ବଢ଼ିଲା, ସବୁ ମେଘ ଏକାଠି ହୋଇ ଅଜାଡ଼ି ପକେଇଲେ ଶ୍ରାବଣର ଧାରା, ଏବେ ଆଉ ପାଗ ସାଙ୍ଗରେ ଲୁଚକାଳି ଖେଳ ନାହିଁ । ଅବିରାମ ବରଷା-ଗଳ୍‍ ଗଳ୍‍ ଗଳ୍‍, ଝର୍‍ ଝର୍‍ ଝ୍‍ ।

 

ଏଇ ମେଘ ଢୁ ଢୁ କଳା ଅନ୍ଧାର ଭିତରେ ପାହାଡ଼ ମୁଣ୍ଡିଆ ଉପରେ ଗୋଟିଏ ଗୋଟିଏ ପୁଞ୍ଜିଏ ପୁଞ୍ଜିଏ କଳା କଳା ଲୋକ, ଯାହାଙ୍କର ସାମଞ୍ଜସ୍ୟ ରହିଛି କଳା ଅନ୍ଧାର ସହିତ, କଳା କାଦୁଅ ସହିତ, ଆଉ ବଣର ଗଛ ସହିତ । ଦୂରରୁ ଦେଖିଲେ ବାରି ହୁଏ ନାହିଁ, ପଥର କାଠ, ମାଟିକୁଦ, କି ମଣିଷ, କି ମେଘ ଭିତରର କେଉଁ କିମ୍ଭୁତ ଛାଇ, ପାଣିପବନର ଭଉଁରିରେ କାଦୁଅରୁ ଉଠି ଏ ସେ ଦୋଳି ଖେଳୁଛି ଦି’ଦିନ ପାଇଁ ।

 

କୁଦ କୁଦ ଖାଲି ପାହାଡ଼, କୁଢ଼ କୁଢ଼ ପଥର, ତା’ରି ଭିତରେ ଦୋ’ଟି ଚାରୋଟି ପୋଡୁମାରୁ, ଭୂଇଁତଷୁ, କୋଡ଼୍‌କିଧରୁ ମଣିଷ.....

 

ଏମାନେ ନିଆଶ୍ରୀ ଲୋକ, ମେଘ ମାଡ଼ରେ କୋଡ଼୍‌କି ମାଡ଼ ମିଶେଇ ମାଟି ତିଆରି କରିନ୍ତି ପାହାଡ଼ର ମୁଣ୍ଡିଆ ଉପରେ ।

 

ତଳେ ଭୂଇଁ ଲହଡ଼ି ଖେଳେ । ଶୁଣ୍ଢିଘର କ୍ଷେତରେ, କୁମୁଟି ଘର ଜମିରେ, ମହାଜନ ବେଢ଼ାରେ, ତଲ୍ରା ତଲ୍ରି ବାନ୍ଧି ମୁଣ୍ଡରେ ଛତାଛତୋଡ଼ି ଠେଁସି ଗାଁଗୁଡ଼ାର ଲୋକେ ନିଜାଣି, ରୋପାଣି, ଜମି ସୁତୁରା ସୁତୁରି କାମରେ ଲୋଟୁଥାନ୍ତି, ନ ହେଲେ କେଉଁ ଭାଗ୍ୟବାନ୍‌ ତାଷୀ ଆପଣାର କ୍ଷେତରେ ହାତର କାରସାଦି ଦେଖାଉ ଥାଏ । ଆଉ ଏ ଉପରର ଲୋକ କେଇଟା,–ଗୋଟାଏ ଗୋଟାଏ ଉଞ୍ଚ ଢିପ ଆବୋରି ଲାଗି ପଡ଼ିଥାନ୍ତି, ପାଣି ପବନ ବଜ୍ର ଘଡ଼ଘଡ଼ି ଭିତରେ, ଖିଆଲ ନାହିଁ କୁଆଡ଼କୁ ।

 

ପାଦରେ ବାଲି କାମୁଡ଼ି ଘା’ କରେ, ପିଠିରେ ଯାଦୁ ହୁଏ, ଶେଥା ଯାଦୁ, ଦେହରେ ଅନର୍ଯ୍ୟାପ୍‌ ବର୍ଷାର ଶର କଣ୍ଟା ପରି ଫୋଡ଼ି ହୋଇଯାଏ, ମୁଣ୍ଡର ଅଲରା ବାଳ ପବନ ଝିଙ୍କା ଓଟରା କରେ–ତଥାପି ସେମାନେ ହଟନ୍ତି ନାହିଁ । ତୁଣ୍ଡରେ ଖଣ୍ଡେ ଖଣ୍ଡେ ଧୁଙ୍ଗିଆ ପତ୍ର ଜାବିଦେଇ ବଙ୍କା ଢେମଣା ପାଦ ଆଙ୍ଗୁଠିରେ ଢାଲଢାଲୁଆ ମାଟିକୁ ଝିଟିପିଟି ପରି ଧରି କୋଡ଼୍‌କି ଉଠେଇ ପାହାର ଲଗାନ୍ତି, ହାତ ଥମ୍ବେ ନାହିଁ ।

 

ବଣ ଉହାଡ଼ରୁ ବାଘ ରଡ଼ି ଛାଡ଼େ, ଝାମ୍ପିନେଇ ଧରି ଚାଲିଯାଏ, ବା, ପାଣ୍ଡ୍ରାମା ସରିଗିମାଳୀ ଭିତରର କେଉଁ ଖୋଲ ଭିତରକୁ । ନିତି ତ ଏପରି ଘଟେ ।

 

କିନ୍ତୁ କୋଡ଼୍‌କିମାରୁ ହଟେ ନାହିଁ ।

 

କେଉଁ ଆକାଶୀ ଆଦର୍ଶର ସ୍ୱପ୍ନ ମୂର୍ତ୍ତି ଧରି ହସି ରହେ ଅଧା ଆକାଶର ଏଇ ଅଧା ଲଙ୍ଗଳା ପଥୁରିଆ ମଣିଷ ଆଖି ଆଗରେ, ଜୀବନଟା ଯାହା ପାଖେ ସାର ନୁହେଁ, ସାର ଖାଲି କାମ, ସ୍ୱାଧୀନ ସେ ହେଉପଛେ, କୋଡ଼୍‌କି ଖଣ୍ଡ ତା’ର ଏକା ଗୋଟିଏ ବୋଲି ସମ୍ପତ୍ତି ଏଡ଼େ ବଡ଼ ଦୁନିଆରେ । ତଳର ମାଟିରେ ତା’ର ଭାଗ ନାହିଁ ସତ, ଭାଗ ଅଛି ମୁଣ୍ଡିଆଚୂଳର କଙ୍କର ମଟାଳରେ-। ସାଙ୍ଗୀ ତା’ର ଚିଲ ଆଉ ଶାଗୁଣା, ବାଜ ଆଉ ମୟୂରମାରୁ (ଈଗ୍‍ଲ ଚଢ଼େଇ), ଆଉ ଯେତେ ଭୂତ ପ୍ରେତ, ଆଉ ତୋଫାନ ବରଷା । ଏଇ ଜୀବନରେ ସେ ଆର ଜୀବନ ପାଇଁ ପ୍ରସ୍ତୁତ ହୁଏ ।

 

ଝିଅ ଦି’ଟାଙ୍କୁ ତଳର ମାଟିରେ କୁଲିରେ ଲଗେଇ ଦେଇ ସୁକୃଜାନି କୋଡ଼୍‌କି ଧରି ଉପରକୁ ଚଢ଼ିଗଲା । ଶୁଖିଲା ହାଡ଼ ଦି’ଖଣ୍ଡ ଆଉ ନସନସିଆ ଛାଲ ଅତି ପରିଚିତ ପାଣି ମାଡର କଠିନ ପରଶ ପାଇ ଉଲୁସି ଉଠିଲା । ଅଭ୍ୟାସ ଥିଲା ତା’ର, ବହୁଦିନରୁ ମଝିରେ କରଛଡ଼ା ହୋଇ ଯାଇଥିଲା । ଗାଁ ଆଡ଼କୁ ପିଠି ବୁଲେଇ, ଢିପ ଉପରର ନୂଆ ଅଞ୍ଚଳକୁ ମୁହଁକରି ସେ କୋଡ଼୍‌କି ହାଣି ଚାଲିଲା । ଦିନୁ ଦିନ, ବେଶି ବେଶି ।

 

ସାଙ୍ଗୀ ଆଜି କେହି ନାହିଁ । ହୁଁ, ଭାବିବାକୁ ବେଳ ବେଶି ମିଳେ ନାହିଁ । କାନେ କାନେ ଭାଁ ଭାଁ ପବନର ହୁଂକାର । ମୁହଁପାଖେ ଧୂମ, ବାଏଁ ଡାହାଣେ ଖାଲ ଉପରେ ମେଘର ଲଢ଼ାଲଢ଼ି, ଖଇରିଆ ମୁଗୁରା ଆକାଶ, ବେଳର ପତ୍ତା ନାହିଁ ।

 

ଏହିପରି ଦିନେ ପଛକୁ ପଛ ଘଡ଼ଘଡ଼ିର ରୋଶଣି ଫୁଟେଇ ଶ୍ରାବଣର ମେଘ ପଟୁଆର କରି ଚାଲିଥିଲେ, ଯେତେବେଳେ ଆପଣାର ବୋକଚାକୁ କାଉଡ଼ି କରି ଦଶମନ୍ତପୁର ବାଟରେ ଡୁମାଗୁଡ଼ାର ନନ୍ଦିବାଲି ପରଜା ଆପଣା ପାଇଁ କନିଆଁ ଖୋଜି ବାହାରିଥିଲା ।

 

ପରୁ ବର୍ଷଠୁଁ ବାପା ମରିଛି । ମା’ ନାହିଁ, ସଂସାରର ରୋଶଣି ସେ ଏକୁଟିଆ, ଜମବାଡ଼ି ନାହିଁ, ଘରର ଝିନ୍‌ଝଟ୍‍ ନାହିଁ । ତା’ର ସବୁଯାକ ସମ୍ପତ୍ତି ତା’ର ଟୋକା ବୟସ, ଆଉ ବଳିଲା ବଳିଲା ହାତ ଗୋଡ଼ ଚାରିଖଣ୍ଡ ।

 

ପହିଲି ମେଘରେ ତା’ର ଚେତା ଆସିଲା, ସେ ବାହା ହେବା ଉଚିତ । କିନ୍ତୁ ଖାଲିଅଣ୍ଟାରେ କନିଆଁ ମିଳନ୍ତି ନାହିଁ । ଭାବି ଭାବି ଠିକ୍‌ କଲା, ବର୍ଷାଯାକ ବୁଲି ବୁଲି ସେ ଖୋଜିବ, କେଉଁଠି ଅଛି ତା ପାଇଁ କନିଆ । ଯଦି କେହି ରାଜି ହୁଏ, ଝୋଲା ପରିବର୍ତ୍ତେ ଶଶୁର ପାଖେ ଗୋତି ହୋଇ ରହିଯିବ । ପୋଷି ହେବା ଘର କରିବା ଦୁଇ ନଟ ଏକାଥରକେ ଛିଣ୍ଡିଯିବ ।

 

ତା’ର ଚାରିଖଣ୍ଡ କୌପୁନୀ, ଖଣ୍ଡିଏ ଚାରିକଣିଆ ଛିଣ୍ଡା କନା, ଗୋଟିଏ ରସ ଗିନା, ତିନୋଟି ଲାଉତୁମ୍ବା, ଗୋଟିଏ ଡୁଙ୍ଗୁଡୁଙ୍ଗା, ଆଉ ଖଣ୍ଡିଏ ପାଚିଲା ବାଉଁଶ ବାଡ଼ି । ମାଣ୍ଡିଆ ଚୂନା ପୁଳିଏ ବାଟକୁ ବାନ୍ଧି, ସବୁ ସରଞ୍ଜାମ ବାଡ଼ିରେ ଲଟକେଇ, ନନ୍ଦିବାଲି ଗାଁ ଛାଡ଼ି ଚାଲି ଆସିଲା ।

 

ବଡ଼ ବଡ଼ ପରଜା ଗାଁ ଦେଖି ଦିନେ ଦି’ ଦିନ ରହେ । ଗାଁରେ ତନଖି କରେ,

 

“ବର ଦରକାର କାହାରି ? ଗୋତି ରହିବ ।” ଧାଂଡ଼ୀ ବସାଘର ଦୁଆର ମୁହଁରେ ସଞ୍ଜବେଳେ ଉଙ୍କିମାରେ, କାଉଡ଼ି କାନ୍ଧେଇ ଡୁଙ୍ଗୁଡୁଙ୍ଗା ବଜାଏ ।

 

କିନ୍ତୁ କେହି ଭରସା ଦିଅନ୍ତି ନାହିଁ । ତା’ର ମୁଣ୍ଡରେ ଡେଙ୍ଗା ପଗଡ଼ି ନାହିଁ କି ଦେହରେ ଲମ୍ବା ଦୋପରସ୍ତି ମାଠ ନାହିଁ । ଧାଂଡ଼ୀ କହନ୍ତି–

 

“ନିଚୁ ନିଚୁ ।”( ନାହିଁ ନାହିଁ)

ନନ୍ଦିବାଲି ବାଟ ଧରେ ।

 

ମାଣ୍ଡିଆଚୂନା ସରିଗଲେ କାହା ବିଲରେ ମଜୁରି ଖଟିଯାଏ ଦି’ ଦିନ, ପୁଣି ବାଟରେ ଭାତିଆ ଯୋଗାଡ଼ ହୋଇଯାଏ ।

 

ଏହିପରି ବରଷା ତୋଫାନରେ ପନ୍ଦର ଦିନ ବୁଲି ବୁଲି କନିଆଝୋଲା ଗାଁରେ ପ୍ରଥମେ ସେ ଭରସା ପାଇଲା, ସର୍ଷୁପଦର ଗାଁରେ ସୁକୃଜାନି ଘରେ ଚେଷ୍ଟାକଲେ ଫଳ ଫଳିପାରେ । ତା’ପରେ ସରିଗିଗୁଡ଼ାରେ ରାତିଏ ଶୋଇ ସକାଳୁ ଚାଲି ଚାଲି ସେ ଆସି ପହଞ୍ଚିଗଲା ସର୍ଷୁପଦର ଗାଁରେ ।

 

ପଚାରି ପଚାରି ସୁକୃଜାନି ଘର ଆଗରେ ଆସି ପହଞ୍ଚି ସେ ଦେଖିଲା ଘର ଖାଲି । କିଛି ସମୟ ଅପେକ୍ଷା କଲା ପିଣ୍ଡାରେ । ତା’ ପରେ ବିଲି ଆସିଲା କ୍ଷେତକୁ ଭାତିଆ ନେବାକୁ । ଦିହେଁ ଦିହିଁଙ୍କୁ ଗୋଡ଼ଠୁ ମୁଣ୍ଡଯାକେ ଥରେ ଥରେ ଅନେଇ ଗଲେ । ନନ୍ଦିବାଲି ହସିଲା, କାନ୍ଧରୁ ଡୁଙ୍ଗୁଡୁଙ୍ଗାଟି ଓହ୍ଲେଇ ଦେଇ ଠିଆଠିଆ ତା’ରରେ ଟୁଂଟାଂ ଆରମ୍ଭ କରିଦେଲା । ବିଲି ପଚାରିଲା–

 

“କିଏ ତୁ ? କୁଆଡ଼େ ଆସିଛୁ ?”

ନନ୍ଦିବାଲି କହିଲା–

“ତତେ ଖୋଜି ଖୋଜି ଆସିଛି, ମୁଁ ତୋ ବର ।”

 

ବିଲି ବିରକ୍ତ ହୋଇ ପିଠିଆଡ଼ ବୁଲେଇ ଦେଇ ଭାତିଆ ନେଇ ଚାଲି ଯାଉଥିଲା, ନନ୍ଦିବାଲି ପଛରୁ ପାଟିକରି ଡାକ ଛାଡ଼ିଲା–

 

“ହେ ନୁନି, ରାଗିଗଲୁ କି ? ଶୁଣ୍‌ ଶୁଣ୍‌ ।”

ପାଖକୁ ଚମକି ଯାଇ କହିଲା–

“ଦେ ଦେ, ମୁଁ ବୁହେଁ”

ଆପଣାର କାଉଡ଼ି ଆଡ଼କୁ ଠାରି ହାଙ୍କିଲା–

 

“ଏତେ ତ ବୋହିଚି, ଆଉ ଟିକିକରେ କ’ର କାନ୍ଧ ଫାଟି ପଡ଼ିବ ? ଦେ ତୋ କାଉଡ଼ି ମୁଁ ବୁହେଁ । ଆଉ ହଁ, ତୋ ବାପା କାହିଁ ? ଡାକି ଦବୁ ନାହିଁ ଟିକିଏ ?”

 

ବିଲି ହସି ହସି ଫାଟି ପଡ଼ିଲା ।

ନନ୍ଦିବାଲି ଗୀତ ବୋଲିଲା–

 

“ତୋଇ ସଲାଓଲି ମୋର ଗଁଦାଓଲି

କିଁ କେଲୁବେ

ବଇଁ କେଲୁବେ”

 

କହିଲା, “ଜାଣିଚୁ ? ତତେ ନବାପାଇଁ କେତେ ବାଟରୁ ମୁଁ ଧାଇଁ ଧାଇଁ ଆସିଚି, ଏମିତି ବର୍ଷା ମେଘ ଦିନରେ ?– ନ ହେଲେ କ’ଣ ମାହାଳିଆ ମୁଁ ତୋ ବର ?– ଆରେ ସେମିତି ହସୁଚୁ କାହିଁକି ? ଦେଖୁନୁ ? ସବୁ ବନ୍ଦୋବସ୍ତ ଠିକ୍‍ଣା କରି ତେବେ ଯାଇଁ ମୁଁ ଆସିଚି ।

 

ଖଜା ଖାଇବୁ ? ‘‘ହେଇ ନେ–”

 

ଡୁମାଗୁଡ଼ା ହାଟର କଳାହାଣ୍ଡିଆ ଖଜା ଦୋଓଟି ବୁଜୁଳିରୁ ବାହାର କରି ବିଲି ହାତକୁ ସେ ବଢ଼େଇ ଦେଲା । ସବୁ ଦେଶର ଧାଂଡ଼ୀ ଖଜା ଭଲ ପାଆନ୍ତି, କାହାର ରୁଚି ଚକୋଲେଟ୍‌, କାହାର ବା ମୁଢ଼ିମୁଆଁ ।

 

ତା’ପରେ ବିଲିର ମୁହଁ ଫିଟିଲା, ବାପର ଠିକ୍‍ଣା ଦେଲା । ବିଲି ଚାଲିଗଲା, ନନ୍ଦିବାଲି କହିଲା, “ଆସେଁ, ଆହୁରି ଖଜା ଦେବି ।”

 

ଡଁଗର ଉପରେ ମେଘ ଅନ୍ଧାରରେ ସୁକୃଜାନି କୋଡ଼୍‌କି ପାହାର ବସେଇ ଚାଲିଛି । ଆଇଲା ନନ୍ଦିବାଲି । କହିଲା,–

 

“ଜଣକଠୁ ଦି’ଜଣ ଭଲ, କୋଡ଼୍‌କି ଆଣି ନାହିଁ, ନୋହିଲେ ମୁଁ ବି ମିଶି ଯାଆନ୍ତି । ଏବେ, ତୋର କୋଡ଼୍‌କି ମୋ ହାତକୁ ବଢ଼େଇ ଦେଇ ତୁନି ହୋଇ ତୁ ବସି ରହ, ଦେଖ୍ ମୁଁ କେତେ ହାଣୁଚି-।”

 

ସୁକୃଜାନି ଆବାକାବା ହୋଇ ଅନୋଉଁ ଅନୋଉଁ ନନ୍ଦିବାଲି ବୁଜୁଳୁଟି ତଳେ ଥୋଇଦେଇ ତା’ ହାତରୁ କୋଡ଼୍‌କି ଝିଙ୍କି ନେଇ ପାହାର ଆରମ୍ଭ କଲା ।

 

ତଲ୍ରାତଲ୍ରି ତଳେ ଥୋଇ ଦେଇଛି, ମୁଣ୍ଡରେ ଗୋଟାଏ ମସ୍ତ ଠେକା, ଗୋଡ଼ ହାତ ଖୋଲା । ଗଣ୍ଠି ଗଣ୍ଠି ମାଂସ ଫୁଲେଇ ଫୁଲେଇ ନନ୍ଦିବାଲି କାମ କରିଗଲା, ସୁକୃଜାନି ଆଡ଼କୁ ଚାହିଁଲା ବି ନାହିଁ ଥରେ ।

 

ତା’ର ଉଗ୍ରମୂର୍ତ୍ତି ଆଡ଼କୁ ଚାହିଁ ଧୁଙ୍ଗିଆ ଚୋବୋଉ ମୁରୁକି ହସାଦେଇ ସୁକୃଜାନି ପଚାରିଲା–

 

“ଭଲ ପାଇଟି କରିବୁ ଧାଂଡ଼ା । ହଉ ଦେ ଦେ, ଦିନଯାକ କ’ଣ ଖଟୁଥିବୁ ମୋ ପାଇଁ ?”

ନନ୍ଦିବାଲି କାମ କରୁ କରୁ ଫୋପାଡ଼ି ଦେଲା ପରି କହିଲା,–

“ମୁଁ ପରା ତୋର ଗୋତି ?”

“ମୋର ଗୋତି ?”

 

ନନ୍ଦିବାଲି କୋଡ଼୍‌କି ଥୋଇଦେଇ ପାଖକୁ ଚାଲିଆସିଲା, ବୁଢ଼ା ମୁହଁକୁ ସିଧା ଅନେଇ ଠିଆହେଲା । ତା’ପରେ କହିଲା । ଆପଣାର କୁଳଶୀଳର ପରିଚୟ । ଆପଣାର ଅବସ୍ଥା । କିପରିଭାବେ ଧାଂଡ଼ୀ ଖୋଜି ସେ ବାହାରିଛି । କ’ଣ ଖବର ପାଇଲା । କେମିତି ବିଲିକୁ ସେ ଦେଖିଲା, ପସନ୍ଦ କଲା । ଝୋଲା ଟଙ୍କା ସେ ଦେଇପାରିବ ନାହିଁ । ତା ପରିବର୍ତ୍ତେ ଗୋତି ଖଟିବ । ବୁଢ଼ା ପଛକୁ ସାହା ଭରସା ହେଲା ପରି ଢିରା ଦେଇ ଦେଇ ବସିବ । ସଫା ସଫା କଥା ।

 

ସୁକୃଜାନି ପଚାରିଲା–

“ବିଲିକୁ କାହିଁକି–ବରଞ୍ଚ ଜିଲିକୁ ମାଙ୍ଗ୍‌ଣି କଲେ ହୁଅନ୍ତା ନାହିଁ କି ?”

ନନ୍ଦିବାଲି ଗମ୍ଭୀର ହୋଇ କହିଲା–

 

“ମୁଁ କହି ଦେଇଚି, ତେଣିକି ତୋ’ର ଇଚ୍ଛା । ଆଗ ଦେଖିଲି ବିଲିକୁ । ସେ ମୋର ମନକୁ ଆସିଲା । କଥା ଠିକ୍‌ କଲି, କଥା ଦେଇଦେଲି । ଆଉ ଏପାଖ ସେପାଖ ହବାର ଲୋକ ମୁଁ ନୁହେଁ, ନ ହେଲେ ମୁଁ ଚାଲିଲି ।”

 

ମୁହଁକୁ କୁଞ୍ଚେଇଲା ପରି ସୁକୃଜାନି ଚଞ୍ଚଳ ଚଞ୍ଚଳ ଭାବିବାକୁ ଲାଗିଲା । ପାହାଡ଼ର ମହୁଡ଼ ଉପରେ ବୁଢ଼ା ଟୋକା ଦୁହେଁ ମୁହାଁମୁହିଁ । ପଛଆଡ଼େ ଜଙ୍ଗଲ । ସାମ୍ନାରେ ଖାଲ କରେ କରେ ବଙ୍କେଇ ବଙ୍କେଇ ପାହାଡ଼ର ଅଜସ୍ର କାନ୍ଧ ଅଜସ୍ର ମୁଣ୍ଡ । ସେଇ କାନ୍ଧ ଉପରେ ମୁଣ୍ଡ ଭରା ଦେଇ ମେଘର ଧୂଆଁ ମେଞ୍ଚା ହୋଇ ମାଡ଼ି ମାଡ଼ି ଆସୁଛି, ଦୁଧ ଫେଣ ପରି, ମୋହିଁ ମୋହିଁ ମାଡ଼ି ମାଡ଼ି ଆସୁଛି, ଆଖିଆଗରେ ଚାରିଆଡ଼ର ଦୁନିଆଟା ଯେପରି କ୍ରମେ ଛୋଟ ହୋଇ ଆସୁଛି ଗୋଟାଏ ଭାବନାର ବିନ୍ଦୁ ଉପରକୁ ।

 

ସୁକୃଜାନି ହାତ ବଢ଼େଇ ଦେଲା । ନନ୍ଦିବାଲି ଧରି ପକେଇଲା । ସୁକୃଜାନି ମୁହୁର୍ତ୍ତେ ନନ୍ଦିବାଲିକୁ କୁଣ୍ଢେଇ ଧରିଲା, ଦୁହେଁ ଧୁଙ୍ଗିଆ ଦିଆଦେଇ ହେଲେ । କାହାରି ତୁଣ୍ଡରେ ପଦେ ବି କଥା ନାହିଁ । ଅପେକ୍ଷା ନ କରି ନନ୍ଦିବାଲି କୋଡ଼୍‌କି ଉଠେଇ ନେଲା । ପାହାର ପକେଇ ଚାଲିଲା । ପାଖରେ ଗୋଟାଏ ପଥର ଉପରେ ବସି ରହି ସୁକୃଜାନି ପ୍ରଶଂସା କଲା ପରି ଚାହିଁ ରହିଥିଲା । ଭସାମେଘ ପାଣି ଅଜାଡ଼ି ଅଜାଡ଼ି ମୁଣ୍ଡବାଟେ ସାଇଁ ସାଇଁ ଉଡ଼ି ଚାଲିଲା, ପଛେ ପଛେ କେତେ ବହଳ ପାଣି ଧୂଆଁ । ଚାରିଆଡ଼ ଛାଇ ହୋଇଗଲା । କିଛି ଦିଶିଲା ନାହିଁ ।

 

ପରଜା ଝିଅ ବିଭାଘରରେ ଆଗପଛ ବିଚାର ଥାଏ ନାହିଁ ଆଦୌ । ଜିଲି ଭିଣୋଇକୁ ଅତି ଆପଣାର ମଣି ସମ୍ବୋଧି ନେଲା, କ୍ରମେ ସମ୍ବନ୍ଧଟା ଅତି ସହଜ ହୋଇଗଲା ।

 

ନନ୍ଦିବାଲି ସୁକୃଜାନି ଘରେ ଥାଏ, ଦାଣ୍ଡଘରେ ବୁଢ଼ାପାଖେ ଶୁଏ, ଯେ ପଚାରିଲେ ତା’ର ପରିଚୟ, ସେ ଗୋତି । ଗୋତି ଖଟି ଖଟି, ବା ଅଧେ ଗୋତି ଖଟି ଅଧେ ଶୁଝେଇ, ଯେ ପର୍ଯ୍ୟନ୍ତ ଝୋଲା ଟଙ୍କା ସେ ପରିଶୋଧ କରି ନ ପାରିଛି, ସେ ପର୍ଯ୍ୟନ୍ତ ଆଇନ ଅନୁସାରେ ସେ ବିବାହିତ ନୁହେଁ, ଆଉ ପରଜାର ସିଧାସିଧା ଧାରଣାରେ, ଯାହା ଆଇନରୁ ବାହାର ତାହା ‘ଦୋଷ୍‍’ ।

 

ତା’ ହେଲେ ବି, କଥାଭାଷାରେ, ଗାଁ ମଝି ନାଚ ମଣ୍ଡପରେ, ନିରୋଳାରେ ବାଟ ଘାଟରେ ଦେଖା ପଡ଼ିଲେ, ବିଲି ସାଙ୍ଗେ ତା’ର ସମ୍ବନ୍ଧଟା ଅତି ପରିଷ୍କାର, ଅତି ମିଠା । କେହି ଲାଜଭାବେ ନାହିଁ କି କେହି କୁଣ୍ଠିତ ହୁଏ ନାହିଁ, ଅତି ସହଜ ।

 

ଜିଲି ତା’ର ସ୍ତ୍ରୀଠୁ ବଡ଼, କିନ୍ତୁ ଜିଲି ତା’ର ଥଟ୍ଟା । ଜିଲି ମଧ୍ୟ ତା’ର ସ୍ତ୍ରୀ ହୋଇ ପାରନ୍ତା ବା ହୋଇ ପାରିଥାନ୍ତା ।

 

ଜିଲି ମୁଆଁ ଖାଏ, ଜିଲି ଥଟ୍ଟା ନକଲ ହୁଏ, କିନ୍ତୁ–ଜିଲି ବୁଝେ । ନିଛାଟିଆ ନିରିମାଖି ଜୀବନ ଭିତରେ ଭାସୁ ଭାସୁ କେଡ଼େ ସୁନ୍ଦର ଦି’ ଭଉଣୀ ପାଖକୁ ଆଉଜି ଆସିଥିଲେ, ଆଜି ଜଣକର ଘର ପୂର୍ଣ୍ଣ, ଆଉ ଜଣେ, ଯେଉଁବାଟରେ ସେଇ ବାଟରେ । ମନର ସକ ମନରେ ବୁଡ଼େଇ ପଦାକୁ ଜିଲି ମୁହଁ ଚିକ୍ ଚିକ୍ କରେ, ସବୁ ଓରମାନ ହାତେ ହାତେ ତଣ୍ଟି ଚିପି ପକାଏ, ଆହା ଯେତେହେଲେବି ବିଲି ତା’ର ଆପଣାର ସାନ ଭଉଣୀ ।

 

କିନ୍ତୁ ଅନେକ କଥା ସେ ବିଲି ଆଗେ କହିପାରେ ନାହିଁ । କହିବାକୁ ମନ କରି ଆସେ, କେତେ କଥା, ସାନ ବଡ଼, ଦିନ ଭିତରର ଅଭିଜ୍ଞତା, କାଉ ପରଜା ରହସ୍ୟ, ବାଗ୍‍ଲା କାଜୋଡ଼ିର ଘର ତାମ୍‍ସା, କିପରି ସେମାନେ କଜିଆ ଗୋଳ ହୋଇ ରୁଷାରୁଷି ହେଉଛନ୍ତି, କହିବ ବୋଲି ଭୁଲିଯାଏ । ଆଉ ଦିନେ ଦି’ ଭଉଣୀ ଆପଣା ଆପଣାର ଅଲଗା ଅନୁଭୂତି, ଯାହା–ଏକାଠି ଗୋଟେଇ କଥା କୁହାକୋହି ହେଉଥିଲେ,–ଅନ୍ୟଦିନ ପରି ସଞ୍ଜବୁଡ଼େ ସେମାନେ ତାକୁ ଗପି ବସନ୍ତି । ବିଲି ବହୁତ କହେ, ଜିଲିର କିଛି ମନେପଡ଼େ ନାହିଁ ।

 

ଆଉ, ସଜବାଜ ହେବାକୁ ଲାଜମାଡ଼େ, ବିଲି ପାଖରେ ଥିଲାବେଳେ । ସେ ଭଉଣୀର ସୁନ୍ଥା ପାରିଦିଏ, ମୁଣ୍ଡରେ ଫୁଲ ଖୋସିଦିଏ, ନିଜ ବେଳକୁ କହେ–

 

“ଥାଉ ଡେରି ହୋଇଗଲାଣି । ଥାଉ ତା ।”

ସୁକୃ ନନ୍ଦିବାଲି କେତେ କାଳର ପରିଚିତ ସାଙ୍ଗୀ ପରି ଏକାଠି ମିଶି କାମରେ ଲୋଟୁଥାନ୍ତି ।

 

ନନ୍ଦିବାଲି କାମିକା ଲୋକ । ନିଜ ହାତରେ ଘର ମରାମତ କରିନୋଲା । ଘର ପାଖେ ସାନ ଅରାଏ ବାଡ଼ାବନ୍ଦି କରି ଚତୁର୍ମାସିଆ ପନିପରିବା ଲଗେଇ ଦେଲା । ଦୁହେଁ ମିଳି କନ୍ଧଙ୍କ ଭୂଇଁରେ ବଦଳି ଖଟିବାରୁ କନ୍ଧମାନେ ସାହାଯ୍ୟ ଦେଇ ଢାଲୁଆ ଜମି ଅରାକ ତଷିଦେଇ ଗଲେ । ପାହାଡ଼ ଉପରୁ ତଳକୁ ଲମ୍ବି ଆସିଲା କ୍ଷେତ ।

 

ଦିନୁଁ ଦିନ କାମ ବଢ଼େ, ଉତ୍ସାହ ବଢ଼େ ଦିନୁ ଦିନ । କଳ୍ପନାର କଥା ତୁଣ୍ଡରେ କହି କହି ଆଗେଇ କାମ କରୁ କରୁ ଦିନ ଅଣ୍ଟେ ନାହିଁ ।

 

ଶ୍ରାବଣର ଅବିରାମ ଧାରା ସାଙ୍ଗେ ନିତିଦିନିଆ ଦେହଘଷରା ଜୀବନ ଘୋରତେଇ ପୋରତେଇ ଚାଲିଥାଏ, ସବୁ ଠିକ୍‍ଣା ଦିଶେ, କାହାରି ଅଭାବ କେହି ବୁଝିପାରନ୍ତି ନାହିଁ ।

 

ଚାରିଆଡ଼େ ଧାନ ବୁଣା ଲାଗିଗଲା, କେଉଁଠି ବା ଧାନବିଲରେ ନିଜାଣି ରୋପାଣି, ସୁକୃଜାନିର କ୍ଷେତଟି ପଡ଼ିଲା ପଡ଼ିଆ ।

 

ଏହିପରି ଦିନେ, ତିନି ଜଣ ଗୋତି ଆଉ ପଲେ କାଉଡ଼ ନେଇ, ଅଣ୍ଟାରେ ଟଙ୍କାଗାଞ୍ଜିଆ ଦୋହଲାଇ, ନିଜେ ଆସି ପହଞ୍ଚିଗଲା ସାହୁକାର ରାମଚନ୍ଦ୍ର ବିଶେଇ । ନାଇକକୁ ପଇସା ଦେଇ ଗାଁର ବସାଘରେ ସେ ବସାକଲା । ପଚାରି ପଚାରି ଖୋଜି ବୁଲିଲା–

 

“ଆଉ କେହି ଜମି ଦେବ କି ? କହିଥିଲେ ଏତିକିବେଳୁ କହିଥା, ପଛେ ମୁଁ ଆଉ ନେବି ନାହିଁ । ବଖରାଏ ଦି’ ବଖରା ଘର କିଏ ବିକିବ କି ? ବାହାରି ଆସ ସଫା ସଫା ।”

 

ବର୍ଷାର ଧାରା ଭିତରେ ଚାରିଆଡ଼େ କାମ, କେହି ଶୁଣିଲେ ନାହିଁ !

 

ସାହୁକାର ରହିଗଲା, ଗୋତି ଲଗାଇ ବଳଦ ଭଡ଼ା କରି ଜମି ତଷେଇ ନେଲା । ଏ ଗାଁ ଉପରେ ତା’ର ଲୋଭ ବଳିଲାଣି, ସେ ଚଞ୍ଚଳ ଚିହ୍ନାପରିଚ ହେବାକୁ ଚାହେଁ, ଧାଂଡ଼ୀମାନଙ୍କ ସଙ୍ଗେ ଉପରେ ପଡ଼ି କଥା କହେ, ମୁହଁକୁ ବଲବଲ କରି ଅନେଇଁ ଥାଏ, ଗେଲବସର ନାଁ ସବୁ ଧରି ଡାକେ–‘ସାରିଆଦାନ୍‍’ ‘ସରିଆଫୁଲ୍‌’ ଏହିପାରି । ବଡବଡ଼ିଆଙ୍କ ଆଗରେ ନିଶ ମୋଡ଼ି ଆପଣା ଉଦ୍ଦେଶ୍ୟ ବୁଝାଏ–

 

“ଏ ଗାଁରେ ଜମି ଧରିଲି, ବଗିଚା କରିବି । ଭୁକ୍ତାଘର ଖୋଲି ଦରକାରବେଳେ ଧାନ ମାଣ୍ଡିଆ କରଜ ଦେବି । ଟଙ୍କା କରଜ ଦେଇ ଆହୁରି ଗୋତି ରଖିବି । ବାଟଘାଟ ତିଆରି କରେଇବି, ଚୁଆ ବନ୍ଧେଇବି, ପୋଖରୀ ଖୋଳେଇବି । କ’ଣ କରିଦେବି ଏ ଗାଁଟାକୁ ଦେଖିବ ।”

 

ଧାଂଡ଼ୀ ବସାଘର ଆଗରେ ଅନ୍ଧାରୁଆ ସଞ୍ଜବୁଡ଼େ ଯାଇ ସାହୁକାର ଚେକାମହୁଲି ପକେଇ ବସିଲା । ପଦାରେ ମେଘ ଦୁଲ୍‍ଦୁଲ୍‍, ଝିପିଝିପି ଶ୍ରାବଣର ଧାରା । ଗାଁର ସାନବଡ଼ ସାନ ଚାରି ପାଞ୍ଚଜଣ ବେଢ଼ି ବସିଥାନ୍ତି, ସାହୁକାର ବକ୍ତୃତା ଲଗେଇ ଦେଲା । ପ୍ରଥମେ ନିଜ ବିଷୟରେ, କେଡ଼େ ବଡ଼ ବଡ଼ ଲୋକ ସେ, କ’ଣ କ’ଣ ତା’ର ଅଛି । ଅଧିକାରୀମାନଙ୍କ ସଙ୍ଗେ କିପରି ଗହନ ତା’ର ସମ୍ବନ୍ଧ । ଯାହା ସେ କହେ ତାଙ୍କର ସେଇଆ । ‘କେଶୁ’ରେ ପକେଇ ଦେଇପାରେ, ‘କେଶୁ’ରୁ ଫିଟେଇ ଦେଇପାରେ, ତା’ ସାଙ୍ଗରେ କଜିଆ ଲାଗିଲେ ଗୋଟା ଗୋଟା ଅଧିକାରୀଙ୍କୁ ବି ସେ ଭସ୍ମ କରିଦେଇଛି ।

 

ତା’ପରେ ତା’ର ଦେଶପ୍ରୀତି, ତା’ର ସହୃଦୟତା ବିଷୟରେ, କିପରି ଆପଣା ପିଲାଝିଲା ପରି ସେ ଗୋତିମାନଙ୍କୁ ପାଳେ, ପଇସାକୁ ଅନାଏଁ ନାହିଁ, କେତେଠିଁ କେତେ ପଇସା ତା’ର ମାଡ଼ ଖାଇଚି, ଆଗ ଧର୍ମ, ଆଗ ଦୟା, ତା’ପରେ ପଇସା, କେତେଥର ଋଣ ନ ଶୁଝୁଣୁ ଗୋତିମାନେ ମରିଯାଇଛନ୍ତି, ତାଙ୍କର ଛୁଆପିଲାଙ୍କୁ ସେ ଯେ ଖାଲି ଋଣରୁ ଅବ୍ୟାହତ ଦେଇଛି ସେତିକି ନୁହେଁ, ଦରକାରବେଳେ ସାହାଯ୍ୟ କରିଛି ।

 

କେତେ ଗାଁ ଗଣ୍ଡାର ନାଁ, କେତେ ମଣିଷଙ୍କ ନାଁ, ସାହୁକାର ନାଁ, ସାହୁକାର ଉପଲକ୍ଷ୍ୟ ଦେଖାଇ କହିଯାଏ, ଯାହା କେହି ପୂର୍ବେ କେବେ ଶୁଣି ନ ଥିଲା । ଏମିତି ବନେଇ ଚୂନେଇ ସେ କହିଯାଏ, ଏଡ଼େ ସୁନ୍ଦର କହି ଜାଣେ ସେ, କହିବା ଉତ୍ସାହରେ ମାଡ଼ି ଚାଲିଯାଏ, ଲୋକଙ୍କର ବିଶ୍ୱାସ ହୁଏ ଅଳ୍ପେ ବହୁତେ, ଯେ ସେ ଗୋଟିଏ ଖାଲି ଟଙ୍କାଗଦା ନୁହେଁ, ମଣିଷ, ଆଉ ଖୁବ୍ ଭଲ ମଣିଷ, ଯାହା ପଛେ ପଛେ ଗୋଡ଼େଇ ଯିବାକୁ ମନ ଆପେ ଆପେ ଖୋଜେ ।

 

ସାହୁକାର ଧୁଙ୍ଗିଆ ଟାଣି ଟାଣି ଗପେ, ପାଖରେ ଥିବା ଲୋକେ କଥାକୁ ନଥା ଲଗାନ୍ତି ।

 

ଧାଂଡ଼ୀ ବସାଘର ଭିତରୁ ଡିବିରି ଆଲୁଆରେ ମେଞ୍ଚାମେଞ୍ଚି ଟୋକୀଙ୍କ ଗହଳି ଅଧଦେଖା ଅଧଲୁଚା ହୋଇ ଦିଶେ, କଥା ନଅସରେ ଶୁଣିବା ବାହାନାରେ ଛନ୍ଦାଛନ୍ଦି ଧରାଧରି ଧାଂଡ଼ୀପଲ ଧୀରେ ଧୀରେ ଆଗକୁ ମୋହିଁ ଆସନ୍ତି । ଗୋଟିଏ ଅପରିଚିତ ଲୋକର ପାଖ ହେବାରୁ ଥଟ୍ଟା ନକଲରେ କେତେ ଟୁପ୍‍ଟାପ୍ ଫୁସ୍‍ଫାସ୍ ଶୁଭୁଥାଏ, କେଞ୍ଚାକେଞ୍ଚି ହେଉ ହେଉ କେହି କେହି ହସି ପକାନ୍ତି, କଥା ମଝିରେ ଅଟକି ଯାଇ ସାହୁକାର ବାରମ୍ବାର ଘର ଭିତରକୁ ଅନାଏଁ, କାନମୂଳେ ତାତିଯାଏ, ଶୁଣିବାକୁ କାନ ଡେରେ ।

 

ରାତି ଟିକିଏ ବଢ଼ି ଆସିଲା । ପାଖରେ ଥିବା ଗୋଟିଏ ଯୋଡ଼ିଏ ଉଠି ଚାଲିଗଲେ । ସାହୁକାର ବାରମ୍ବାର ଫର୍ମାସି ଦେଲା–

 

“କିରେ ଟୋକୀମାନେ ଗୀତ ବୋଲୁନା କାହିଁକି ? ନାଚୁନା କାହିଁକି ?”

ଜବାବ ଖାଲି ହସ ।

ଧୀରେ ଧୀରେ ସାହୁକାର ଥଟ୍ଟା ଆରମ୍ଭ କରିଦେଲା ।

ଅଚିହ୍ନା ପାଟିରେ ହସରେ ହସରେ ଘର ଭିତରୁ ଶୁଭିଲା–

“କି ନାଚ କରିହେବ ? ଧାଂଡ଼ା ଡୁଙ୍ଗୁଡୁଙ୍ଗା ଧରିଲେ ସିନା ?”

“ସାହୁକାର ଜବାବ୍ ଦେଲା, ନାଚ କର, ଧାଂଡ଼ା ବାହାରିବେ ।”

ଘର ଭିତରୁ କିଏ କେତେବେଳେ କ’ଣ କହେ, ସାହୁକାର ଜବାବ୍ ଦିଏ ।

 

ମେଘ ଅନ୍ଧାର, ଖାଲି ଝୁପୁରୁ ଝୁପୁରୁ, କେଁକଟର । ସାହୁକାରର ଛାତି ଦାଉଁ ଦାଉଁ ପଡ଼ୁଥାଏ । କଇନ୍ଥା କଇନ୍ଥା ସୁରରେ ରହସ୍ୟ ଲଗେଇବାକୁ ସେ ଚେଷ୍ଟା କରୁଥାଏ । ବଡ଼ ପାଟି କରି କହିଲା–

 

“କି ଲୋଡ଼ା କାହାର, କହିଥାଅ, ପଛେ ମନେପଡ଼ିଲେ ହୁଏତ ମୁଁ ନ ଥିବି–ଖଦି କି ଖଡ଼ୁ, କି ଖଜା ? ନାଚ କର, ନିଜେ ଖୁସି ହୁଅ, ମତେ ଖୁସି କର, ଯାହା ମାଗିବ ତା ଦେବି ।”

 

ମନ ଭୋଳରେ ସାହୁକାର ଧାଂଡ଼ୀ ବସାଘର ଆଡ଼କୁ ପାହୁଣ୍ଡେ ଆଗେଇ ଗଲା । ଧାଂଡ଼ୀମାନେ କିଲିକଲିଆ ହୋଇ ଘର ଭିତରକୁ ଧାଇଁ ପଳେଇଲେ, ଖାଲି ହସ ଗୁଡ଼ାଏ, ବଣି ଚଢ଼େଇ ପଲେ ଉଡ଼ିଗଲେ ଯେପରି ଝିଣିଝିଣି ହୁଏ, ସେହିପରି ।

 

ଗାଁ ବାରିକର ପୁତୁରା ଇସାକ୍ ଆଉ ମଧୁ ଘାସି ଦୁହେଁ କହିଲେ–

 

“ଯିବା ସାହକାର, ତୋର ବସାଘରେ ତତେ ପହଞ୍ଚେଇ ଦେଇ ଆସିବା, ରାତି ହୋଲାଣି-।”

 

ଦୀର୍ଘଶ୍ୱାସ ପକେଇ ସାହୁକାର ସେମାନଙ୍କ ସାଙ୍ଗେ ଲେଉଟି ଚାଲିଲା ।

 

ଘନ ଅନ୍ଧାର, ତରା ବି ଦିଶୁ ନାହିଁ । ଗୋଟିଏ ଗୋଟିଏ ଗଛରେ ଅସୁମାରି ଜୁଳୁଜୁଳିଆ ପୋକ, ସେତିକି ଗଛର ସଙ୍କେତ । ଆଉସବୁ ଲୁଚିଯାଇଛି, ଘର ପାହାଡ଼, ବଣ ସବୁ ।

 

ଝିପି ଝିପି ମେଘ ଭିତରେ ହୁ ହୁ ପବନ ମାଡ଼ିଆସେ, ମାଘ ମାସ ଶୀତ ପରି ମଞ୍ଜ ଥରେଇ ଦେଇଯାଏ । ଅନ୍ୟମନସ୍କ ସାହୁକାର ମନରେ ଚେତା ପଶେ, ତାକୁ ଭାରି ନିଛାଟିଆ ଏକୁଟିଆ ଲାଗେ । ଜୀବନ ଗୋଟାକର ଭୋଗ କୃତ୍ରିମତାର ବିଜୟ ବିଳାସର ଟିକି ଟିକି ହୋଇ କେତେ ଅନୁଭୂତି, ଭାବି ବସିଲେ କିଛି ମନେପଡ଼େ ନାହିଁ, ସବୁ ଯେପରି ନିଛାଟିଆ, ଏଇ ଏଇ ବରଷା ରାତି ପରି । ସବୁ ଅଭାବ । ସବୁ ନ ଥିଲା ପରି । ନା, ତା’ର ଆହୁରୀ ଧାଂଡ଼ୀ ଲୋଡ଼ା, ଆହୁରି ଜମି, ଆହୁରି ଗୋତି ।

 

ବସା ଦୁଆରେ ବାରିକର ପୁତୁରା ଇସାକ୍ ଶେଲ (ମେଲାଣି) ନେଇ ଘରକୁ ଫେରିଗଲା-। ସାହୁକାର ବସେଇ ରଖିଲେ ମଧୁ ଘାସିକୁ । ବଳିଷ୍ଠ ଗଢ଼ଣ, ମୋଟା ମୋଟା ଓଠ, ନାଲି ଆଖି ଏ ମଧୁ ଘାସିର, ଅଠର ବର୍ଷବୟସରେ ସୁଦ୍ଧା ଦାଗୀ ହୋଇ ସିଟିଏମ୍ ହୋଇ ସାରିଲାଣି ସେ ।

 

ଅନ୍ଧାରରେ ଦିଆସିଲି ମାରି ସାହୁକାର କେଉଁଠୁ ମଦ ବୋତଲଟିଏ ବାହାର କରି ଅନ୍ଧାରେ ଅନ୍ଧାରେ ପିଇଦେଲା । ମୁହଁରେ ନାକପୁଡ଼ା ଫୁଲୁକେଇ ମଧୁ ଘାସି ବାସ୍ନା ଶୁଂଘୁଥାଏ ।

 

ମୁହଁରେ ସୁଟା ଲଗେଇଦେଇ ସାହୁକାର ମଧୁ କତିକି ।

 

“ଓଃ କି କିଟିକିଟିଆ ଅନ୍ଧାର ରାତି ଦେଖୁଚୁ ନା ମଧୁ, କେଡ଼େ ନିଛାଟିଆ, କେହି କୁଆଡ଼େ ନାହିଁ ।”

 

ପୁଣି ଟିକିଏ ରହ–

“କେହି କୁଆଡ଼େ ନାହିଁ, ବୁଝିଲୁ ତ ?

 

କାନପାଖେ ମୁହଁ ଲଗାଇ ଗୋଟେ ଟଙ୍କା ତତେ ଦେବି, ଯଦି ଗୋଟେ କାହାକୁ ତୁ ଡାକି ଆଣି ପାରିବୁ କହ, ସତେ ଆଣିବୁ ତ ? ନୋହିଲେ କେମିତି ମୁଁ ରାତିକ ଚଳିବି କହିଲୁ– ?

 

ଶୀତୁଆ ପବନ ଭୁଷୁ ଭୁଷୁ ପଶିଆସିଲା । ସାହୁକାର ପୁଣି ପଚାରିଲା–

 

“କ’ଣ କହୁଚୁ କହ ତ, ଆଗରୁ କହିଲୁ ନାହିଁ କାହିଁକି ସାହୁକାର ? ଏ ଗାଁରେ କେହି ମିଶା (ସୁଦ୍ଧା) ନାହାନ୍ତି । କେତେଦୂର ବା ଭିତରଗଡ଼ ଗାଁ କି ସୁନ୍ଦର ‘ପାଲି’ ଲୋକ ସେଠି, ଖଦି ଘୋଡ଼ି ହୋଇ ମୋ ସାଙ୍ଗରେ ଚାଲି ଯାଇଥାନ୍ତୁ, କେହି ପତ୍ତା ପାଆନ୍ତେ ନାହିଁ, ଯେ କିଏ ବୋଲି ପଚାରିଲେ ମୁଁ ଖାଲି କହୁଥାନ୍ତି, “ମୁଁ– ମୁଁ ହୁଁ– ହୁଁ ”ଓଃ !– ଏ ସବୁ କାମରେ କ’ଣ ମୁଁ କରିନପାରେ ! ସବୁଝିଅଙ୍କ ସାଙ୍ଗେ ମୋର ପରିଚୟ– ଆଉ, ରାତି ଅଧରେ ହଠାତ୍ ଫରମାସୀ କରୁଛୁ ଏଠି– ସମସ୍ତେ ଶୋଇବଣି– ଦେ ଟଙ୍କାଟିଏ, ଖୋଜି ଦେଖେ କାହାକୁ ଦେଇ, ତେଣିକି ତୋ କପାଳ ।”

 

ସାହୁକାର ଟଙ୍କା ବଢ଼େଇ ଦେଲା । ମଧୁ କହି ଦେଇଗଲା,–

 

“ଶୋଇପଡ଼, ଖୋଜି ଦେଖିବି, ବଡ଼ ଡେରିରେ କହିଲୁ, ଏଗାଁରେ କେହି ମୋ ଆଖିରେ ପଡ଼ୁନାହିଁ–”

 

ନିରୋଳା ଘରେ ସାହୁକାର ଶୋଇ ରହିଲା । ନିଦ ହେଲା ନାହିଁ ।

 

ଏକର ସେକର ଛାଟିପିଟି ହୋଇ ଲେଉଟି ପଡ଼ି ବିଛଣାରେ ପଡ଼େ, ଅପେକ୍ଷା କରି ପଡ଼ି ରହିଥାଏ । କଳ୍ପନାରେ କଳ୍ପନାରେ ଅନୁଭୂତି ପରି ଲାଗେ, ପୁଣି ଯହୁଁ ବେଳ ଯାଏ, ମୁହୂର୍ତ୍ତକ ଯୁଗେ ପରି ବୋଧହୁଏ; ଆଶା ବୁଡ଼ିଯାଏ । ମାନ୍ଦା ହୋଇ ଶୋଇ ରହି ବର୍ଷାର ଶବ୍ଦ ଖାଲି ଶୁଣେ, ଯେତିକି ଶୁଣେ, ସେତିକି ଅସ୍ଥିର ହୁଏ ।

 

କେତେବେଳେ ଥରେ ଥରେ କବାଟରେ କିଏ ହାତ ମାରିଲା ପରି ଲାଗେ, ଯେପରି କବାଟ ପାଖେ କିଏ ଫସ୍‍ଫୁସ୍ ହୋଇ କଥା କହୁଛି, ଆଉ ସେଠୁ ଅଳ୍ପ ଦୂରରେ, କାହାର ରୁନ୍ଧିଲା ରୁନ୍ଧିଲା ହସ । ଆଶା ଉତ୍ତେଜନା ଦେହ ଗୋଟାକ ବରଡ଼ା ପତ୍ରପରି ଥରେ, ଧଡ଼୍‍କରି ବସେ, ଦୁଇକୁଦାରେ କବାଟ ପାଖେ ପହଞ୍ଚିଯାଏ । ଟିକିଏ ଅପେକ୍ଷା କରି ଠିଆହୁଏ । ସବୁ ଆନନ୍ଦ କଳ୍ପନା କରିନେଇ ସେଇ ମୁହୂର୍ତ୍ତକର ଅପେକ୍ଷା ଭିତରେ ଖୁସି ହସ ଗୋଳିଗାଳି ଦିଏ । କାନ ପାରେ । ପୁଣି ମୁହଁ ଫିକା ପଡ଼ିଯାଏ । କବାଟ ଖୋଲେ । ଦେଖେ କେହି ନାହିଁ- ଟିକିଏ ଠିଆ ହୋଇ ରହୁ ରହୁ ଝିପିରି ଝିପିରି ବନ୍ଦ ହୋଇଯାଏ । କଳା ମିଶ୍ ମିଶ୍ ଅନ୍ଧାର । ସବୁ ନିସ୍ତବ୍‍ଧ । ହଠାତ୍ ବିଜୁଳି ମାରେ, ତା’ ଉପରେ ତା’ ଉପରେ ବିଜୁଳି, ଏପାଖୁ ସେପାଖୁ ଅନ୍ଧାର ଫାଟିଫୁଟି ଯାଉ ପୁଣି ଯୋଡ଼ି ହୋଇଯାଏ । ରହିରହିକା ଦୃଷ୍ଟି କେତେଦୂରକୁ ଚହଲି ଯାଏ, ସବୁ ଖାଲି ମେଘ ଆଉ ପାହାଡ଼ ।

 

ଅନ୍ଧାରରେ ଛଟପଟ ହୋଇ ସାହୁକାର ଘର ଭିତରକୁ ଫେରିଆସେ । ଆଉ ଟିକିଏ ମଦ ଖାଇ ତଣ୍ଟିଟା ତିନ୍ତେଇ ନିଏ । ଦୁଲ୍‍ କରି ବିଛଣାରେ ପଡ଼ିଯାଏ । ଝିମେଇ ଝିମେଇ ଆଶା ପ୍ରତୀକ୍ଷା ଫେରିଆସେ । ମଧୁ ଘାସି ଟଙ୍କା ଗୋଟାଏ ନେଇ ଯାଇଛି, ପୁଣି ଟଙ୍କା ପାଇବା ଆଶା ଅଛି…. ବର୍ଷା ରାତି ତ, ସମୟ ଲାଗିପାରେ –କାନପାରେ– ନିଦ ମାଡ଼େ ନାହିଁ–
 

କେତେ ଯୁଗ ବିତିଗଲା ପରି ଲାଗିଲା । ପୁଣି କେତେଥର ପଦାକୁ ଭିତରକୁ କେତେବେଳେ ଏହିପରି, ଶେଷ ରାତିରେ ନିଦ ଝାଙ୍କିଲା । ଭାବୁ ଭାବୁ ସେ କେତେବେଳେକେ ଶୋଇପଡ଼ିଲା । ପାଣି ପବନ, ଶୀତ ଅନ୍ଧାର ଭିତରେ ନିଛାଟିଆ କୁଡ଼ିଆ ଖଣ୍ଡିଏ– ତାହାରି କେଉଁ କଣରେ ଅଶାନ୍ତ ମନରେ ଛୋଟ ବତିଟି– ।

 

ରାତି କିମିଆ କରିଦେଲା । ସବୁ ହଜିଗଲା ।

 

ସକାଳକୁ ମଧୁ ଘାସି ଆସି ଧାଂଡ଼ା ବସାଘରେ ଭେଟ ହେଲା । ସାହୁକାର ଯେ ରାଗିବ, ଏକଥା ସେ ଅନୁମାନ କରି ପ୍ରସ୍ତୁତ ହୋଇ ଆସିଥିଲା । କହିଲା,–

 

“ରାତିଯାକ ବୁଲିଲି । ଅନ୍ଧାରରେ ବାଟ ତ ଦେଖି ନ ପାରି ତିନି କଚଡ଼ା ମୁଁ ଖାଇଲି, ହୋଇ ଗୋଡ଼ ଦେଖ୍ ।”

 

ସାହୁକାର ମୁହଁ ପାଖେ ଗୋଡ଼ଟାକୁ ସେ ଟେକି ଧରିଲା ।

 

“ତଥାପି କ’ଣ ମୁଁ ବସି ରହିବା ଲୋକ ? ୟା’ଘରେ ଖୋଜିଲି, ତା’ଘରେ ଖୋଜିଲି, କେତେ ଲୋକଙ୍କୁ ନେହୁରି ହେଲି, ସମସ୍ତେ ନେଚିଲେ । ପୁଣି ଡମ୍‍ ସାହିରୁ ପରଜା ସାହି, ପରଜା ସାହିରୁ ରେଲି ସାହି, ଭାବିଲି ଭାବିଲି, କେଲାର ଗାଁର ଗୋଟେ ଭୁଆସୁଣୀ ନୂଆ ହୋଇ ଆସିଚି, ନିକଭଲଟା, ଟୋକୀଟେ ମୋଟେ, ପିଲା ବି ପାଇନାହିଁ– ତା’ର ଅଣ୍ଡ୍ରା ଗୋଟେ ଛୋଟ ଲୋକ, ବେଶି ମଦ ଖାଇବ, ଯାଇ ତାକୁ ଡାକିଲି । କେତେ ଖୋଳି ତାଡ଼ି ପଚାରିଲି, “ତହୁଁ ମୁଇଁ ଘର ଛାଡ଼ି କେଣେ ଯିବାର ଲୋକ୍ କି ? ଲାଜ୍‍ ନାହିଁ କି ? ଦୋଷ୍‍ ନାହିଁ କି ?”

 

ସୁତ୍ରାସୁତ୍ରି କରିବାରୁ ପଚାରିଲା–

“ବୁଢ଼ାଟେ କି ଧାଂଡ଼ା ଅଛି ? ମୋ ଦେହ ଛୁଇଁ କହ, ବୁଢ଼ା ହଡ଼ା ନୁହେଁ ତ ?”

ରାଜିପଡ଼ିଲା, କହିଲା–

 

“ଗୋଟେ ଟଙ୍କା ଏବେ ଦେ, ପଛେ ଆଉ ଗୋଟେ ଟଙ୍କା ଦବୁ ନଇଲେ ଏ ଅନ୍ଧାର ତେଫାନରେ ମୋର କିଏ କୁଆଡ଼େ ଯିବ ? କ’ଣ ଆଉ କରିବି, ଟଙ୍କାଟା ତାକୁ ଦେଇ ପକେଇଲି, ସେ ଗଲା ଘର ଭିତରକୁ ଖଦିପଟା ପିନ୍ଧି ଆସିବାକୁ, ମୁଁ ବାହାରେ ଠିଆ ହୋଇ ତିନ୍ତୁ ଥାଏ । ସେ ବାହାରି ଆସିଲା, କବାଟ ପାଖେ ହେଲାବେଳକୁ ତା’ର ଅଣ୍ଡ୍ରା ଉଠିପଡ଼ିଲା, ମୁର୍ଦ୍ଦାର ପରି ଶୋଇ ରହିଥାଏ ସେ, କହିଲା, ‘ହେ, ହେ,’–ଭାରି ରାଗି ଲୋକ ତା’ର ଘର ମଣିଷ –ମତେ କହିଲା–”

 

“ଦେଖୁଚୁ ତ, ଥାଉ କାଲି ଯିବି ।”

କହି ଧାଇଁ ଧାଇଁ ଘର ଭିତରକୁ ପଶିଗଲା, ମୁଁ ଚାଲିଆସିଲି, କହିଲି–

 

“ଆଉ ତୁଚ୍ଛାଟାରେ ଯାଇ କାହିଁକି ସାହୁକାରକୁ ନିଦରୁ ଉଠେଇବି, କାଲି ସକାଳ ପାହିଲେ ଦିଶା ପଡ଼ିବି ।”

 

ସାହୁକାର ଆଗ୍ରହରେ ସବୁକଥା ଶୁଣୁଥାଏ । ଭାବିଲା ରାଗିଲେ ଆଉ ଫଳ କ’ଣ ? ଖାଲି ମଧୁ ଘାସି ହାତରୁ ଖସି ଯିବ ସିନା ! କେବଳ ଏତିକି କହିଲା–

 

“ଆଜି ରାତି ଆଉ ଠକିବୁ ନାହିଁ ଯେମିତି ।”

 

ମଧୁ ଘାସି ବସି ବସି ବର୍ଣ୍ଣନା କଲା, ଆଉ ନିଜ କରାମତି କଥା ଗପିଲା । ଗଲାବେଳେ ପଚାରିଲା–

 

“ଏତେ ଖଟେଇଲୁ ସାହୁକାର, କିଛି ଦବୁ ନାହିଁ ମତେ ?”

“ଏକାଥରେକେ ଦେଇ ଦେବି ଆଜି ଉତ୍ତାରୁ, ବୁଝିଲୁ ?” ସାହୁକାର ନିର୍ଭର ଦେଲା ।

 

ଦିନଯାକ ତଷାତଷି କାମ, ବିଲ ଖବର ବୁଝିବା, ଜମି ମରାମତି କରିବା ପାଖରେ ପାଖରେ କାହାର କାହାର ଜମି ଅଛି ତଲାସ କରି ଦେଖିବା, ସେମାନଙ୍କୁ ଫୁସୁଲେଇବା ।

 

“ଆରେ, ତୋର ପୁଅଟା ଏଡ଼େଟିଏ ହେଲାଣି, ବୋହୂଟିଏ ଆଣୁନୁଁ ? ଏଁ ! ଟଙ୍କା ନାହିଁ-? କେତେ ଟଙ୍କା ଦରକାର ? ଜମି ବନ୍ଧା ଦେଇଦେ ଟଙ୍କା ନେଇଯା । ଧୀରେ ଧୀରେ ଶୁଝିଦେବୁ ।”

 

ସାତ ପାଞ୍ଚ ଲୋକ ଏକାଠି ଦେଖିଲେ ତାଙ୍କ ଆଗରେ ଯାଇ ଢମ ବଖାଣିବା । ନିଜର ପ୍ରତିପତ୍ତି ଜାରି କରିବା ।

 

କିନ୍ତୁ ଯେତେବେଳେ ଧନ୍ଦା ଉଣା ପଡ଼ିଥିାଏ, ସାହୁକାର ଆପଣାର ମରମ ଭାବକୁ ପ୍ରଶୟ ଦେବାକୁ ମନ ବଳାଏ । ଦଳେ ଧାଂଡ଼ୀ ହାବୁଡ଼ିଲେ ସେ ଥଟ୍ଟା ନକଲ ଭିଆଇ ବାଟରେ ସେମାନଙ୍କୁ ଅଟକେଇ ଦିଏ ଟିକିଏ । ଗୋଟିକିଆ ଧାଂଡ଼ୀ ହାବୁଡ଼ିଲେ ଟିକିଏ ବାଟ ଆଗେଇ ଯାଏ-। ପରିଚୟ ଯୋଖିବାକୁ ଚେଷ୍ଟାକରେ । କହେ –

 

“ଇସ୍ ? କ’ଣ ଅଛି ଏ ଲୁଗାଟାରେ ଯେ ପିନ୍ଧୁଛୁ ? ଏ ବଅସରେ ଭଲ ଲୁଗା ନ ପିନ୍ଧୁବୁ କେବେ ? କଣ କହୁଚୁ ? କୋଉଠୁ ପାଇବୁ ? ମନ ଥିଲେ ନ ପାଇବୁ କାହିଁକି ?”

 

କଣେଇ କରି ଟିକିଏ ଅନେଇ ଦେଏ । ହସରେ ଉତ୍ତର ପାଇଲେ ଆହୁରି ଟିକିଏ ଗୋଡ଼ାଇ ଯାଏ ।

 

ଗାଁ ଲୋକେ ଦୂରରୁ ଦେଖନ୍ତି, କିନ୍ତୁ ସେମାନେ ଏସବୁ କଥାରେ ସମୟ ନଷ୍ଟ କହନ୍ତି ନାହିଁ । ଚରିତ୍ର ବିଷୟରେ ସେମାନେ ଏତେ ଚିନ୍ତିତ ନୁହନ୍ତି । ଧାଂଡ଼ୀ ନିଜେ ସ୍ୱାଧୀନ, ଆପଣ ଓଜନ ବୁଝି ସମୁଝି ବାଟ ଚାଲିବା ଭାର ତା’ ଉପରେ । କିଏ ପଚାରେ ?

 

ପାଣି ଆଣିଯିବା ବାଟରେ ସାହୁକାର ଓର ଉଣ୍ଡିଲା । ଗାଧୁଆ ତୁଠ ସେ କରେ, ଘାସ ଛେଲିବା ଜାଗାରେ, ବଣରୁ ପତ୍ର ମୁଣ୍ଡେଇ ଫେରିବା ବାଟରେ । ତା’ର ପୂରା ବିଶ୍ୱାସ ଏ ଗାଁରେ ଗୋଟାଏ ପାଦ ସେ ମାଟିରେ ଭୁସି ଦେଇଛି, ଆଉ ଆରଟା ବା କାହିଁକି ରହିବ ପଦାରେ ?

 

ଏଠି ଦି’ ଦିନିଆ ସଂସାର ପାତି ନିଜର ସବୁ ଅମଳ ସବୁ ରୀତି ଅଖଣ୍ଡ ରଖିବାକୁ ମନ ଆପେ ଲୋଡ଼ା । ସେ ସନ୍ଧାନ ନେଇ ବୁଲେ ।

 

ନିଶା ଅନ୍ଧାରରେ ମେଘ ବରଷାରେ ଲୁଚି ଲୁଚି ମଧୁ ଘାସି ଚୋର ପରି ଜଣକୁ ସାଙ୍ଗରେ ନେଇ ଆସି ପହଞ୍ଚିଲା । କଥା ଠିକ୍ ରହିଲା, ରାତିଟା କଟିଗଲା ସେଠି ସୁଖେ ଦୁଃଖେ ।

 

ସକାଳୁ ଉଠି ପୁଣି ବିଷର୍ଣ୍ଣ ଲାଗିଲା । ଯେପରି ଆଶା ମେଣ୍ଟି ନାହିଁ, କୁହୁଳିଛି ଖାଲି । ଠକଟାଏ ସେ ମଧୁ ଘାସି, ଖାଲି କଥା ରଖିଜାଣେ, ଭଲ ମନ୍ଦ ସେ ବୁଝେ ନାହିଁ ।

 

ଝୋଲାରେ ଗାଧୋଇବାକୁ ଗଲାବେଳେ ଭୁଲ ହୋଇଯାଇଥିଲା ପରି ସାହୁକାର ପହଞ୍ଚିଗଲା ମାଇପୀ ତୁଠରେ । ସେ ବିଦେଶୀ ଲୋକ, ତା’ର ଭୁଲ ହେବା ସମ୍ଭବ । ଗାଧୋଉ ଗାଧୋଉ ସେ ଭାବିଲା, ଏଠି କି ପ୍ରକାର ଭୋଗ ସାମଗ୍ରୀ ରହିଛି, ଅଥଚ ତହିଁର କେତେକରୁ କେତେ ମଧୁ ଘାସି ସନ୍ଧାନ ରଖେ ! ଘାସି ଗ୍ୟାଳ୍‍ପ ! କାହୁଁ ସେ ଜାଣିବ ?

 

ଗାଧୋଇ ପାଧୋଇ ଚିତା ଚଇତନ ହୋଇ ଚେକାମହୁଲ ପକାଇ ବସି ଘଣ୍ଟି ଠଣ୍ ଠଣ୍ କଲା । ସବୁଦିନ ସେ ଦେବତା ପୂଜା କରେ ।

 

କେତେ ପିଲା ରୁଣ୍ଡ ହେଲେ । ଗୋଟିଏ ନାକ ପୁଡ଼ା ଆଙ୍ଗୁଠିରେ ଚାପି ପୁଣି ଆରଟାକୁ ଜାବୁଡ଼ି ଧରି ଆଙ୍ଗୁଠିକୁ ନାନା ପ୍ରକାର ବଙ୍କେଇ ଆଖି ଡୋଳାକୁ ଉପରେ ଖୋସି ତଳକୁ ପକାଇ ନାନା ମୁଖ ବିକୃତ କରି ଗୁରୁ ରେବିନ୍ୟୁଠୁ ଶିଖିଥିବା ପୂଜାର ପଦ୍ଧତି ସେ ଅଭ୍ୟାସ କରିଗଲା । ଆଖି ବୁଜି ଦେବତାଙ୍କୁ ଧ୍ୟାନ କଲା ।

 

ଆଖିବୁଜିଲେ ଖାଲି ଏଠି ସେଠିକାର ଦୃଶ୍ୟକୁ ଫାଳେ ଚିରୁଡ଼ାଏ ଚଳନ୍ତି ଛାଇ ପରି ଭାସି ଚାଲିଯାଏ, ଭୋଗର, ଅନୁଭୂତିର ଚିତ୍ର । ପ୍ରାଣ ହାଇଁପାଇଁ ହୁଏ, ତଥାପି ସେ ଆଖି ବୁଜି ବସେ ।

 

ପୂଜା ସରିଲା, ଆଁ କରି ପିଲାମାନେ ଚାହିଁଥାନ୍ତି । ଜନ୍ଦା ଲାଗିଥିବା ପାଚିଲା କଦଳୀ ଭୋଗ ସେମାନଙ୍କ ଆଡ଼କୁ ସାହୁକାର ବେଖାତିର କରି ଫେପାଡ଼ି ଦେଇ ହେଣ୍ଟାଳାଟାଏ ମାରିଲା । ପିଲାଏ ପାଟିଗୋଳ କରି ଛଡ଼ାଛିଡ଼ି ହୋଇ ଚାଲିଗଲେ । ତା’ପରେ ଚିଲମରେ ସଜା ହୋଇ ରହିଥିବା ଗଞ୍ଜେଇ ଦେବତା ଆଡ଼କୁ ଥରେ ହାତରେ ଦେଖେଇ ଧରି ସାହୁକାର ବସି ବସି ଦମ୍ ଲଗେଇଲା । ପୁଣି ଚିନ୍ତା ଛୁଟିଲା ମୁଣ୍ଡରେ ।

 

ଦୂର ପାଖ ପାହାଡ଼ର ଉପରେ ଧାଡ଼ିଧାଡ଼ିକା ଢେଉ ଉପରେ କେତେଠିଁ ଗଦା ଗଦା ହୋଇ ମେଘର ଭାର ସଜା ହୋଇ ରହେ, ଶ୍ରାବଣର । କେତେ ବର୍ଣ୍ଣର ସେ ! ସେଇ ଦି୍‌ଗବଳୟ ସେପାରିରୁ ମେଘର ଧୂଆଁ ଭାସି ଭାସି ଆସେ, ଅଜାଡ଼ି ଦେଇଯାଏ । ଭେଳିକି ଲଗେଇଲା ପରି ଘଡ଼ିଘଡ଼ିକେ ଦିନର ରଙ୍ଗ ବଦଳୁଥାଏ, ପାଉଁଶିଆ, ମୁଗୁରିଆ, କସରା, ନେଳିଆ । ବଡ଼ ବଡ଼ କଳା କଳା ମେଘ ଭାସି ଚାଲେ । ତା’ର ଧଳା, ନାଳିଚା ଧଡ଼ି, ଛାତିରେ ଶିରା ଶିରା ହୋଇ ଫଟା ଗାର, ଆକାଶର ଏ ପାଖରୁ ସେପାଖ ।

 

କିଏ ଯେପରି ତୂଳି ଧରି କ’ଣ ଆଙ୍କିବାକୁ ଯାଉ ଯାଉ ଆପଣାଭୁଲା ହୋଇ ମନର ଖିଆଲ ଆଙ୍କି ଯାଉଛି, କେତେପ୍ରକାର ରୂପର ଛବି କେଉଁଠି ତୂଳି ବସି ଯାଉଛି, କାଳି ଭାରି, କେଉଁଠି ହାଲୁକା କଳା, କେଉଁଠି ଧୋବ ଫର ଫର ଛେଚିକୁଟି ବରଷା କେତେବେଳେ ଧୂଆଁଳିଆ, କେତେବେଳେ ଟାଆଁସିଆ ଧଳା ।

 

ସେ ଚିତ୍ର ସ୍ଥିତିବାନ୍‍ ନୁହେଁ, ସେଥିରେ ଗତି ଅଛି, ଆପେ ଆପଣାକୁ ଭାଙ୍ଗୁଛି ଗଢ଼ୁଛି ସେ, ଆପେ ବଦଳୁଛି ।

 

ଉପରେ ରୂପର ଖେଳ, ତଳେ ପାହାଡ଼ର ଅଭିଷେକ ।

 

କେତେବେଳେ ଛିଣ୍ଡା କଳାମେଘର କଣାବାଟେ ନେଳିଚା କସରା ମୁହଁରେ ସୂର୍ଯ୍ୟ ଟିକିଏ ଅନାଇଁ ଦେଇଯାଏ । ସେଇ କରୁଣ ଆଲୁଅ ଝରିପଡ଼େ ତଳର ସବୁ ପୂର୍ଣ୍ଣତା ଉପରେ । ବିଲରେ ସୁଅ ପଡ଼ିଛି, ପାହାଡ଼ ଉପରୁ ମଣିଷ–ଚଲା ବାଟରେ ଗଡ଼ି ଗଡ଼ି ଝରଣା ଓହ୍ଲେଇ ଚାଲିଛି ସାବୁଜା ପାହାଡ଼ରେ ରୁପାର ପଇତା ପରି । ଗାଁ ଭିତରେ ତଳକୁ ହଳଦିଆ ସୁଅ ବୋହି ଚାଲିଛି । ଚାରିଆଡ଼େ ଖାଲି ସୁଅ ଆଉ ପାଣି ।

 

ଘଡ଼ଘଡ଼ି ମାରେ । ନଈ ମୁଣ୍ଡ ଡାକେ । ଝୋଲା କୂଳରେ ଶୀତେଇ ଶୀତେଇ ରୁମ ଟାଙ୍କୁରି ଟାଙ୍କୁରି କଣ୍ଟାଳିଆ ହୋଇ ଫୁଲ ଫୁଟେଇ କଦମ୍ବ ଠିଆହୋଇ ରହେ, ଚଲାପାଣିରେ ରୂପ ଦେଖି ହୁଏ । ଝୋଲା ସେପାଖରୁ ତୋଫାନ ପରି ଘୁ ଘୁ ଶବ୍ଦ ମାଡ଼ିଆସେ । ପାଣି ଫୁଲସ୍ତୁରା ମାରେ, ପାଣିରେ ଫେଣ ଆସେ । ଚାହୁଁ ଚାହୁଁ ଏକାଥରକେ ଅକାତ କାତ ପାଣି କେଉଁ ଡଁଗରରୁ ବୋଲି ବିଜୁଳି ବେଗରେ ଛୁଟିଆସେ, ମୁହଁପାଖେ ବଡ଼ ବଡ଼ ଗଛ ଡାଳ ବୁଲେଇ ବୁଲେଇ ପଟିପିଟି, କେତେ ଜୀବଜନ୍ତୁ ଭାସି ଚାଲିଯାଆନ୍ତି, କେତେ ଜିଅନ୍ତା କେତେ ମଲା ।

 

ଦର୍‌ହମଲା ସୂର୍ଯ୍ୟର କରୁଣ ଛାଇ ସବୁଥିରେ ପଡ଼େ । ସବୁ ବିମର୍ଷ ଦିଶେ । ଯେପରି ଏତେ ପୂର୍ଣ୍ଣତା, ଉପରେ ଆଉ ତଳର, ସବୁ ଖାଲି ଦୁଃଖ ।

 

ବେଳ ବୁଡ଼େ, ମେଘର କେଉଁ ଫାଟବାଟେ ଜିକିଜିକି ହୋଇ ଶେଷ ଖରା ଉଙ୍କି ମାରିଯାଏ । ଦୂରର ବରଷଣା ମେଘ ଅସରାରେ ରଙ୍ଗ ଦେଇଯାଏ । ଚାରିଆଓ ପାଣି ନିଆଁ ପରି ଦିଶେ । ଗୋଳିପାଣିର ଭଉଁରିରେ ରକ୍ତର ରେଣୁ ମିଶିଯାଏ । ନିସ୍ତବ୍‌ଧ ଜଙ୍ଗଲ କରେ କରେ ଗୋଟିକିଆ ଡେଙ୍ଗା ଶାଳଗଛ ମୂଳେ ଗହୀର ଝୋଲାରେ ନାଲି ପାଣି ଶୋଇ ରହେ ।

 

ନାଲି ଫିକା ପଡ଼ି ଆସେ । ଖାଲି ଭିତରକୁ ଛାଇ ଧାର ନିଗିଡ଼ି ପଡ଼େ, ଦୂରକୁ ଦୂରକୁ, ପାହାଡ଼ର ମଥାନରେ, କାନ୍ଧରେ, ଫାଳେ ଆଲୁଅ ଜୁକୁଜୁକୁ, ଫାଳେ ଅନ୍ଧାର, ଆଉଟା ହେଲା ପରି ସାବୁଜା ନାଲି, ମଝିରେ ବଡ଼ ବଡ଼ କଳା ଶିରା ।

 

ଅନ୍ଧାର ପଡ଼ି ଆସେ, ପାହାଡ଼ର ଢାଲୁଏ ଢାଲୁଏ କେତେ ଖୁଣ୍ଟା ଗଛ, ବଡ଼ପଥର, ବଣଜନ୍ତୁ ପରି କଳା କଳା ଦିଶନ୍ତି । କିଛି ବାରି ହେଉନଥିଲା ଯେଉଁଠି ସେଠି ଜଣାପଡ଼େ ସତେ ଅବା ବାର୍‍ହାର ମୁଣ୍ଡ, ଭାଲୁର ଫୁଲୁକା ଦେହ, ଅଜଗରର ଲମ୍ବା ଲାଞ୍ଜ ।

 

ମୟୂର ପାଟି କରି କରି ବଡ଼ ଗଛକୁ ଚଢ଼ିଯାଆନ୍ତି । ବେକକୁ ବେକ ଖଞ୍ଜି ପଖିକୁପଖି ବିଛେଇ ଦେଇ କାଳିସର ଉଡ଼ି ଚାଲିଯାଆନ୍ତି । କ୍ରମେ ବଣ ଦେଶରେ ଶବ୍ଦ କମେ । ହଠାତ୍ ପାଣି ସୁଲୁସୁଲୁ ବେଢ଼ାକ୍ଷେତ ଭିତରୁ ପୁରୁଷେ ପୁରୁଷେ ଉଞ୍ଚ କୁଲୁର ଚଢ଼େଇ ଏକାଥରେକେ ବିକଳ ହୋଇ ଚିତ୍କାର କରନ୍ତି । ପାହାଡ଼ ମହୁଡ଼ରୁ କୁଟ୍ରା ବୋବାଏ, ଥରକୁ ଥର, ଘଣ୍ଟା ଦେଖି ଦେଖି ସମୟ ବ୍ୟବଧାନ ଠିକ୍ ରଖିଲା ପରି । ସଞ୍ଜ ବୁଡ଼େ । ଦିନ ଚାଲିଯାଏ ।

 

ପହିଲି ଅନ୍ଧାର, ଗାଁ ଗୋଟିକର ଧୂଆଁ ଏକାଠି ହୋଇ କେତେବେଳେ ଛାତ, ତୋଟା ଉପରେ ଲହଡ଼ି ଖେଳୁଥାଏ, ଗାଁ ଚାରିପାଖେ ଓଦା ଭୂଇଁ ବେଢ଼ା ନଈ (ବିଲ) ଉପରୁ କୁହୁଡ଼ିର ବାମ୍ଫ ଉଠେ, ଚାରିଆଡ଼େ ହୋଇଯାଏ କୁହୁଡ଼ିଆ ।

 

ଅନ୍ଧାର, ଖାଲି ଧୂଆଁଳିଆ ସବୁ ମଝିରେ ଏଠି ସେଠି ଗୋଟିଏ ଗୋଟିଏ ଗାଁର ନିଆଁ ।

 

ଚାରିଆଡ଼ୁ ଅନ୍ଧାର କ୍ରମେ ଚାପି ଚାପି ଗ୍ରାସ କରି ଆସେ । ଗାଁର ନିଆଁ ନିଭିଯାଏ । ଖାଲ, ଖୋଲ, ପାହାଡ଼, ଆକାଶ ଆବୋରି ଖାଲି ଅନ୍ଧାରର ହାଣ୍ଡିକଳା ।

 

ନିରାଶ ଲାଗେ ।

ଜିଲି ଗୁମ୍ ହୋଇ ବସି ଭାବେ । ଭାବିଲେ ଭୋକ କମେ ନାହିଁ, ବଢ଼େ ।

 

ରୋଟ୍ ପାଇଟି ପାଖେ ପ୍ରତିଦିନ ପାଇବା ତା’ର ଅଭ୍ୟାସ ହୋଇଯାଇଥିଲା କିଛି ହେଲେ ନୂଆ ପାଇବା, ଆଉ ଆଜି ଏ କେତେଦିନ ହୋଇଗଲା–ଖାଲି ଛେଚିକୁଟି ବରଷା ଆଉ ଛଟପଟ, ଭିତରେ, ବାହାରେ, ସବୁଠିଁ ।

 

ଦିନଯାକ କୁଲି କାମ, ବର୍ଷାରେ ତିନ୍ତିବା ବୁଡ଼ିବା, ସଞ୍ଜରେ ଅବସାଦ, ଏକୁଟିଆ ଖାଲି । ବର୍ଷାର ଏତେ ବିରାଟ ପୂର୍ଣ୍ଣତା ମନ ଭିତରର ସବୁଫାଙ୍କ ସବୁଖାଲିଜାଗା କେବଳ ପଦାକୁ ବାହାର କରେ, ବର୍ଷାର ଚିତ୍ରରେ ଦିଶେ ମନଗହୀରର ସବୁ ଅପୂର୍ଣ୍ଣତା, ସବୁ ଅଭାବ । ପୁରୁଣା ଦରଜ ପୁଣି ବାହାରେ, ଫମ୍ଫା ଅସ୍ତିତ୍ୱଟା ଟଣିକି ଉଠେ ହସୁହୁସିଆ ପବନରେ ମଶାଣିର ମୁଣ୍ଡ ହାଡ଼ ପରି ।

 

ନିଜାଣି ରୋପାଣି ସାରି ହିଡ଼ ମୁଣ୍ଡରେ ବସି ସୁ ସୁ ପବନରେ ତଲ୍ରା ତଲ୍ରିର ଫଟା ବର୍ଷାତି ସଜାଡ଼ି ବାନ୍ଧିଲାବେଳେ ଥରେ ଚାରିପାଖକୁ ଅନେଇଲେ ଦିଶେ ଦୂର ପାହାଡ଼ ଉପରେ ଖଣ୍ଡ ଖଣ୍ଡ କଳା ମେଘ ଉଠୁଛି, ଆକାଶାଯାକ ମେଘ ହାଲୁକା ଧଳା କଳା । ପାହାଡ଼ର ବଡ଼ ବଡ଼ ମୁଣ୍ଡିଆ ପରି ବଡ଼ ବଡ଼ ମେଘଖଣ୍ଡ ତଳୁ ଉପରକୁ ଉପରୁ ତଳକୁ ହେଉଥାଏ, ଆକାଶବ୍ୟାପି ତୋଫାନରେ ଉଛୁଳିଲା ପରି ଗୋଳିଆ ପାଉଁଶିଆ ସମୁଦ୍ର, ତା’ ତଳେ ବହଳ କଳା-ନେଳୀ । ତହିଁରୁ କେତେ ପାହାଡ଼ ଉଠେ କେତେ ମେଘର ପାହାଡ଼ ଉପରୁ ଛିଣ୍ଡିପଡ଼ି ସେହି ସମୁଦ୍ରରେ ବୁଡ଼ିଯାଏ, ମେଘ ବରଷେ, ଦୃଷ୍ଟିର ପରିସର ଛୋଟ ହୋଇ ଆସେ, ଖାଲି ତେର୍ଚ୍ଛା ତେର୍ଚ୍ଛା ମେଘର ଧାର ମୁହଁ ଉପରେ ଟପର ଟପର ପିଟି ଦେଇଯାଏ ।

 

ଛଡ଼ି ବରଷା ଶୀତ କାକାରରେ ସବୁ ଖାଲି କାଉନ୍ଦା ଲଗେ ।

 

ଏତେ ଖଟି ଖଟି ଦିନ ଗୋଟାକର କୋରାକି ଅତି କଷ୍ଟରେ ମିଳେ, ପେଟ ପୂରେ ନାହିଁ, ପିଠିକୁ ନ ଘଟ ହୁଏ । ଯେତେଦିନ ଏହିପରି ସୁଖ ଦୁଃଖରେ ଗଡ଼ି ଚାଲୁଥିଲା ଚାଲୁଥିଲା, ଥରେ ସ୍ୱାଚ୍ଛନ୍ଦ୍ୟ ଦେଖିଲା ପରେ, ଥରେ ମଜଲିସ୍‍ରେ ରୋଟ୍‍ ପାଇଟିରେ ବୁଲି ଆସିଲା ପରେ, ସାନ ଅଭାବ ବଡ଼ ହୋଇ, ବଡ଼ ଅଭାବ ତ ଖାଲି ହତାଶା ।

 

ସଞ୍ଜବେଳେ ମଲା ସାପ ପରି ଜିଲି ପଡ଼ିରହେ । ଧାଂଡ଼ୀ ବସା ଘରକୁ ଯିବାକୁ ଡର ମାଡ଼େ । କାହିଁକି ବୃଥା । ଘରେ ଶୋଇଥିଲେ ରାତିରେ କେତେବେଳେ ନିଦ ଭାଙ୍ଗିଯାଏ, ଦେଖେ ପାଖରେ ବିଲି ନାହିଁ । ପଦାକୁ ବାହାରେ । ଦାଣ୍ଡଘରେ ଦେଖେ ବୁଢ଼ା ଏକୁଟିଆ, ପାଖରେ ନନ୍ଦିବାଲି ନାହିଁ । କବାଟ ଖୋଲି ପଦାକୁ ଦେଖେ । ଖାଲି ପବନର ସୁ ସୁ, କାହାର ଫୁସ୍‍ଫୁସ୍ କଥା ।

 

ଫେରିଆସେ । ନିଦ ମାଡ଼େ ନାହିଁ ।

 

ଯେତେବେଳେ ନନ୍ଦିବାଲି ଥାଏ ବିଲି ଥାଏ, କେଉଁ ଫିକରରେ ହେଲେ ଦୁହେଁ ଗୋଟିଏ ପାଖକୁ ଉଟିଯାଆନ୍ତି, ଜିଲି ଏକୁଟିଆ ପଡ଼ିରହେ ।

 

କାଉ ପରଜା ଅବସର ସମୟରେ ଖବର ବୁଝିଆସେ, ପୂର୍ବପରି ଖାଲି ଖାଲିଆ ଆଖିରେ ଅନେଇଁ ରହେ । ଯଦି ସେ ଉପରେ ପଡ଼ୁ ଥାଆନ୍ତା, ହୁଏତ ଜିଲି ତାକୁ ସହି ପାରିଥାନ୍ତା । ସେ ଖାଲି ତପସ୍ୟା କରେ । ତହିଁରେ ତା’ର ରୂପ ଭେକ, ଜିଲି କହେ ‘ଛି’ ।

 

ଦିନେ ଦିନେ, ଧାଂଡ଼ୀ ବସାଘରେ ଶୋଇ ରହିଥିଲାବେଳେ ଅନ୍ଧାର ରାତିରେ ଧାଂଡ଼ା ବସାଘରୁ ଡୁଙ୍ଗୁଡୁଙ୍ଗା ଡାକେ । ପଦାର ଶୀତ ସାଙ୍ଗେ କଜିଆ କରି ଦେହର ରକ୍ତ ଗରମ ହୋଇ ଫୁଟେ । ସାତ ପାଞ୍ଚ ଧାଂଡ଼ା କଳାଭୂତ ପରି ଧାଂଡ଼ୀ ବସାଘରେ ଉପରେ ଚଢ଼ାଉ କରନ୍ତି । ରନ୍ଧାମଦ ପାଖରେ ଥାଏ । ଘୋର ଅନ୍ଧାର ଆଉ ମେଘ ଘଡ଼ଘଡ଼ି ।

 

ଜିଲି ଆପଣାକୁ ଭସାଇଦିଏ । ରୁଚିର ଭେଦାଭେଦ ରୋଟ୍ ପାଇଟି ତୁଟାଇ ଦେଇଛି, କଳା ବିସ୍ମୃତି ଭିତରେ ପାପପୁଣ୍ୟ ଘୁଙ୍ଗୁଡ଼ି ମାରନ୍ତି । ସବୁ ଏକାକାର ହୁଏ ।

 

ଖାଲି ଦିନେ ଦିନେ । କିନ୍ତୁ ସକାଳ ପାହିଲେ ଜିଲି ଆଗ ପରି ଶୁଖିଲା ଠାଉ ଠାଉରେ ପଡ଼ି ରହିଥାଏ, ନିଛାଟିଆଟା, ରାତିର ରୂପ ଭିନେ, ଦିନର ଆଉ ପ୍ରକାର । ଆଉ, ରାତିର ଫୂର୍ତ୍ତିରେ ଅଭାବ ଘୁଞ୍ଚେ ନାହିଁ ମନର କି ଦେହର । ସେହି ଫଟାଲେଞ୍ଜିଆ ପରଜା, ଫସ୍କା ପରଜା ଦିନବେଳା ବି ଦିଶା ପଡ଼ନ୍ତି, କିନ୍ତୁ ସେମାନେ ଅତି ଉଦାର, ଅତି ଖୋଲା ମେଲା । ସେଇ ଜିଲି ଆଡ଼କୁ ଆଖିମିଟିକା ମାରିଦେଇ ତାହାରି ଆଗରେ ବୁଲ୍ଳୀ କି ମିଞ୍ଜେଇ କି ଭିଙ୍ଗେଇ କାହାକୁ ଦେଖି ତା’ ପଛେ ପଛେ ଧାଇଁଯାଆନ୍ତି ସେତିକି ଆଗ୍ରହରେ । ଦେହ ଜଳିଯାଏ । ରାଗ ହୁଏ ।

 

କେତେ ରାତି ଜିଲି ମନା କରିଦିଏ, ନେଚି ହୁଏ, କଥା ଯାଏ ପିଟାପିଟି ଝିଙ୍କାଓଟାରି ପର୍ଯ୍ୟନ୍ତ । ଫଟାଲେଞ୍ଜଆ କି ଫସ୍କା ପରଜା ବିକାର କରନ୍ତି ନାହିଁ, କି ସକେଇ ହୁଅନ୍ତି ନାହିଁ, ଢୋଲେ ଢୋଲେ ମଦ ପିଇଦେଇ ଯୁଆଡ଼େ ପାରି ସିଆଡ଼େ ଛୁଟନ୍ତି । ଜିଲିର ମନଗହୀରରୁ ବାହାରେ ଅନୁଶୋଚନା । କ୍ଷତିଟା ଏକୁଟିଆ ତାଆରି । ଲାଭ ଆଉ ସମସ୍ତିଙ୍କର ।

 

ଏଖେଳରେ ପଇସା ରୋଜଗାର ହୁଏନାହିଁ । ଖାଲି ତୁଣ୍ଡ ସରାଗ, ସେ ପୁଣି ଅଳ୍ପ ସମୟ ପାଇଁ । ଏଥିରେ ଜୀବନ କାଟିବାର ବ୍ୟବସ୍ଥା ହୁଏ ନାହିଁ । ଫଟାଲେଞ୍ଜିଆ କି ଫସ୍କା ପରଜା କେହି ଉତ୍ସୁକ ନୁହନ୍ତି ଝୋଲା ବାନ୍ଧି ଦେଇ ବିଭା ହୋଇ ପଡ଼ିବାକୁ । ତାଙ୍କର ସଂସ୍କୃତି ଖୁବ୍ ସହଜ ଆଉ ସାଧା ।

 

ବାଟରେ କାହାର ସିଂଘାଣିନାକୀ ପିଲାଟିଏ ଦେଖିଲେ କାଖେଇ ପକେଇବାକୁ ମନହୁଏ-। ତା’ ସଙ୍ଗେ ଟିକିଏ ହସ ଖେଳ କଲେ ଖୁସି ଲାଗେ । କାନ୍ଦୁରା ପିଲାକୁ ଗେଲ କରି ଲୁହ ପୋଛିଦେଇ ଛାତିରେ ଜାକି ଧରିଲେ ମନଟା ଥଣ୍ଡାଲାଗେ, ଗେଲ କରୁ କରୁ ଦେହ ଭିତରେ ଯେପରିକି ଚନ୍ଦନର ଧାରା ବୁହେ । ତା’ ବୟସର କେତେ ଟୋକୀ କେଉଁ ଗାଁରେ ପିଲାର ମା’ ହେଲେଣି । କେହି କୁଆଡ଼େ ନ ଥିଲାବେଳେ ସାନ ପିଲାଙ୍କୁ ରୁଣ୍ଡେଇ ଜିଲି ଖେଳିବସେ । ହସି ହସି ଥଟ୍ଟା କଲା ପରି କାନ ପାଖେ କହେ –

 

“ମତେ ମା’ ବୋଲି ଡାକ, ଖଜା ଦେବି ।”

କେତେ ପ୍ରକାର ଚିନ୍ତା ତ ଆସେ, ଚିନ୍ତା ଆଉ ସ୍ୱପ୍ନ, ସେଥିରେ ଶାନ୍ତି ନାହିଁ, ମନଟା କତୁରୀ ହୁଏ ।

 

ଭାଁ ଭାଁ ହୋଇ ଏହିପରି ବୁଲୁଥିଲାବେଳେ ଥରେ ଆସି ପହଞ୍ଚିଲା ମଧୁ ଘାସି । ୟା ପୂର୍ବରୁ ଲଗାଏତ୍ କେତେଥର ରାତି ଅଧରେ ଅନ୍ୟମାନଙ୍କ ସାଙ୍ଗେ ମିଶି ସେ ଫୂର୍ତ୍ତି କରିବାକୁ ଆସିଛି । ଚିହ୍ନିପରିଚ ଥିଲା ଜିଲି ସାଙ୍ଗେ, ବେଳେବୁଡ଼େ କାମ ଧନ୍ଧା ପରେ ମଧୁଘାସି ଆସି କହିଲା–

 

“ଏ ଜିଲି, ଆ ଟିକିଏ ମୋ ସାଙ୍ଗେ, କାମ ଅଛି ।”

ବାଟ ପାଖ ଆମ୍ବ ଗଛ ତଳକୁ ଡାକିନେଇ ମଧୁ ଘାସି କହିଲା –

 

“ଦେଖିଲୁ ଏ ଡୋରିଆ ଜାମାଟା କେଡ଼େ ସୁନ୍ଦର ହୋଇଚି, ଆଉ ଏ ଛତା ଖଣ୍ଡ । ଆମ ପରି ଲୋକଙ୍କର ମୁଣ୍ଡ ଅଛି କି ଏମିତିଟାମାନ କିଣିବାକୁ ? ତେବେ, ହଁ, ବଡ଼ ବଡ଼ ଲୋକ ଦୟାକଲେ କିଛି ନ ମିଳିବ ତା’ ନୁହେଁ । ହଁ, ତୋ କଥା କହୁଥିଲି, ରୋଟ୍ ପାଇଟିକି ଯାଇଥିଲୁ, ସେଠି କୁଲି ହେଲେ ରୋଜଗାର କରୁଥିଲୁ । ଏବେ ଖଦି ମଧ୍ୟରେ (ମଧ୍ୟ) ଫାଟି ଗଲାଣି, ମୁଣ୍ଡକୁ ତେଲ ମିଳୁ ନାହିଁ । କେଡ଼େ ସୁନ୍ଦର ଗୋରା ରଙ୍ଗ ହୋଇଥିଲା, ଦେହ କଳା ପଡ଼ି ଆସିଲାଣି ।”

 

ଜିଲି ମୁହଁକୁ ତଳକୁ ପୋତି ଠିଆ ହୋଇ ଦୀର୍ଘଶ୍ୱାସ ମାରୁଥାଏ ।

 

“ହଁ ଏବେ ଶୁଣ, ଏ ଜାମା ଛତା ଏଟାସେଟା, ସବୁ ମତେ ଦେଇଛ ଆମ ଗାଁକୁ ଯେଇଁ ସାହୁକାର ଆସିଛି ଯେ, ତୋର ଭାଇ ଦୁଇଟା ଏବେ ମଧ୍ୟ ତା’ ଗୋତି ଅଛନ୍ତି, ତୁ ଜାଣି ନ ଥିବୁ କି ? ବେଶି ପଇସା ଅଛି ତା’ର, ସୁନା ଖାଲି ଗଦା ଗଦା କୁପା କୁପା, ଆଉ ଏଡ଼େ ଭଲ ଲୋକଟିଏ, ଯାହା ତାକୁ ମାଗିବ ସେ ତା’ ଦେବ । ମୁଁ କହୁଚି ତୁ ଶୁଣ୍ । କେହି ମିଶା ଜାଣିବେ ନାହିଁ । ସେ ସାହୁକାରକୁ ଯଦି ଧରିପାରିବୁ, ତୁ ଯାହା ମାଗିବୁ ତାହା ପାଇବୁ । କପାଳରେ ଥିଲେ ସୁନା ଗୋଟେ ଦୁଇଟା କୁପା ମିଶା ମାରି ପାରିବୁ । ମୋ କଥା ଶୁଣ୍, ତୁ ଆଉ ନାହିଁ କରନା ।”

 

“ତୁ ମତେ ନଶେଇବାକୁ ବସିଚୁ ମଧୁ, ଛି ଛି, ଆମି ନିଚୁ ।”

 

ଜିଲି ଦି’ ପାହୁଣ୍ଡ ପଛେଇ ଚାଲିଗଲା । ମଧୁ ଘାସି ଏ ସବୁ ଧାରଣ ସହିତ ଭାରି ଚିହ୍ନା, କହିଲା–

 

“ଏଡ଼େ ତନ୍ଦ୍ରା (ତରତର) ନାହିଁ । ସାହୁକାର ଏବେ ଘରକୁ ଯାଇଛି, କେତେଦିନ ଗଲେ ଆସିବ । ଏବେ ନାହିଁ କରୁଥା ପଛେ, ସେତେବେଳେ ଆଉ ନାହିଁ କରିବୁ ନାହିଁ । ରାତିକୁ ଗୋଟେ ଟଙ୍କା, ବୁଝିଲୁ ? ତୁ ଯା, ମୁଁ ପଛେ ଆସିବି ତା ।”

 

ମଧୁ ଘାସି ଚାଲିଗଲା, ଜିଲି ଭାରି ରାଗିଗଲା ପରି ଦିଶୁଥାଏ । ସତେ ଏଡ଼େ ସାହାସ ! କୁ ଗାଁର କୋଉ ଶୁଣ୍ଢି ପଟ୍‍କାର, ବୁଢ଼ା ଡୋକ୍ରା । ଏମିତି ଟଙ୍କା ଦେଇ ଜାଣେ ସେ !

 

ଏବେ ବାପାକୁ କହିଦେଲେ ମଧୁ ଘାସିର ପାଇଟି କରିଦେବ ନାହିଁକି ସେ, ଏଡ଼େ କଥା-

 

କଥାଗୁଡ଼ାକ ଆଉ ତା’ର ଭାବ ଖୁବ୍ ଚଞ୍ଚଳ ଗାଡ଼ିଯୋଖି ଦେଲାପରି ଯୋଖି ହୋଇ ଘଡ଼ ଘଡ଼ ହୋଇ ଗଡ଼ି ଚାଲିଗଲା ତା’ର ମନ ଭିତରେ, ଆଉ ସେଇ ଗତି ସାଙ୍ଗେ ସତେଯେପରି ଗୁଡ଼ାଏ ତତଲାପବନ, ଯାହା ସବୁଫୁଲ, ସବୁପତ୍ର ଶୁଖେଇ ଗଡ଼େଇ ଦେଇଯାଏ, ପବନ ଗୁଡ଼ାଏ, ଚାଲିଲା ତତଲା ଭଉଁରି ଖେଳି ।

 

କିନ୍ତୁ ଥରେ ମୋଟେ, ତା’ର ମୁଣ୍ଡର ଶିରାଗୁଡ଼ାକ ଟଣକେଇ କାନମୂଳ ତତେଇ ଦେଇ ଧାରଣାଗୁଡ଼ାକ ଚାଲିଗଲା । ତା’ପରେ, ଏ ତାତିର ସିଝା ଦାଗ ବି ରହିଲା ନାହିଁ କୋଉଁଠି । ମଧୁ ଘାସି କଥାଗୁଡ଼ାକ ମନଗହୀରକୁ ବୁଡ଼ିଗଲା ।

 

ଟାଣୁଆ ହେଉ ପଛେ, ସେ ମଞ୍ଜି ।

 

ତା’ପରଦିନ ଗୋଟାକ ବିନା କଥାରେ ଖାଲି ଆପଣା ଉପରେ ଚଡ଼ିଚଡ଼ି ଲାଗୁଥାଏ, ପ୍ରତି ଅଭାବ ଆଖିରେ ପଡ଼ୁଥାଏ । ଲୁଗା ଖଣ୍ଡେ ବି ଦର୍ ହେଇନାହିଁ, ବାପାକୁ କହିଲେ ବି କିଛି ଫଳ ନାହିଁ । କି ସୁନ୍ଦର ଖୁସିରେ ଥିଲା ସେ ରୋଟ୍‍ ପାଇଟି ଉପରେ, ଏବେ ଦେଖ, କେଡ଼େ ହଇରାଣ । ଚିଡ଼ି ଚିଡ଼ି ଲାଗୁଥାଏ, ମନ ଭିତରୁ –ବାହାର ମନରେ ଏଇ ଧାରଣା ଆସୁଥାଏ–ଆଉଥରେ ଆସନ୍ତା କି ମଧୁ ଘାସି ତା’ର ମୁଣ୍ଡଟା ଚୋବେଇ ଚୋବେଇ ଖାଇଲେ ହୁଅନ୍ତା, ମହା ପଟ୍‍କାର ସେ ।

 

ଘରେ ନନ୍ଦିବାଲି କହିଲା–

 

“ମୁହଁଟା ହାଣ୍ଡି ପରି କରୁଛିୁ କାହିଁକି ଅପା ? ହାଣ୍ଡି ? –ନାଇଁ ତ, ଚକୁଳି ପିଠା ପରି । ଟିକିଏ ରହ, ମୁଁ ଡୁଙ୍ଗୁଡୁଙ୍ଗାଟା ଆଣେ । ଏ ବିଲି, ତୁ ଟିକିଏ ନାଚ୍ ।”

 

ଟିକ୍ରାଜାନିର ଅଧିକାଂଶ ଦିନ ପାଳି ପଡ଼େ ଗୋରୁ ମନ୍ଦା (ଗୋଠ) ଜଗିବା ।

 

ବଣ ଭିତରେ ଅନେକ ଜାଗାରେ ଦୂର ଦୂର ହୋଇ ସାହୁକାର ଗୋଠ ସବୁ ଥାଏ । ପ୍ରତି ଗୋଠରେ ଦି’ଜଣ ତିନିଜଣ ଗୋତି ।

 

ଦି’ ପାଖେ ନିଘଞ୍ଚ ପାହାଡ଼, ମଝିରେ ଖଣ୍ଡେ ସମାନ ଭୂଇଁରେ ଖୋଲା ଖୋଲା ଜଙ୍ଗଲ । ସେଇ ଜଙ୍ଗଲ ଭିତରେ ସାହୁକାର ଗୋଟାଏ ଲେଖାଁ ଅଡ଼ାର (ଗୋଠ), ସେଥିରେ ଦୁଇଶ ତିନିଶ ମଇଁଷି । ଖୋଲା ଥାଆନ୍ତି ସେମାନେ ,ମନଇଚ୍ଛା ବଣ ଭିତରେ ବୁଲୁଥାନ୍ତି । ଏକାଠି ଗୋଟିଏ ଜାଗାରେ ଶୁଅନ୍ତି । ପାଖରେ ଗୋଟିଏ ଗୋଟିକିଆ ଘର, ତା’ର ଫାଙ୍କ ଫାଙ୍କ ଝାଟିକାନ୍ଥ, ଉପରେ ଖଣ୍ଡେ ଚାଳ । ଅଡ଼ାର ଘର । ଯେତେବେଳେ ହେଲେ ଦେଖିଲେ ଅଗନାଗ୍ନି ବନସ୍ତ ଭିତରେ ଏହିପରି ଗୋଟିଏ ଗୋଟିଏ କୁଡ଼ିଆ ଘର । ସେଠି ମଣିଷ ନ ଥାଆନ୍ତି, ତୁଣ୍ଡ ମୁଣ୍ଡ ନ ଥାଏ, ତାଟିକବାଟ ଖୋଲା, ଭିତରେ ଶିକାରେ ଓହଳିଥାଏ ହାଣ୍ଡି ହାଣ୍ଡି ଦୁଧ ଦହି, ଆଉ ସେଠି ଥାଏ ଗୋତିଙ୍କ ହାଣ୍ଡି କାଉଡ଼ି, ମଇଁଷି ବେକରେ ପୁରୁଣା ବାଉଁଶ ଟିପା, ପୁରୁଣା ଘଣ୍ଟି ।

 

ସେଠୁ ପ୍ରାୟ କୋଶେ କୋଶେ ବାଟରେ ଗୋଟିଏ ଗୋଟିଏ ସାନ ସାନ ଗାଁ, ସେଇ ଅଡ଼ାର ଘରକୁ କେନ୍ଦ୍ରକରି ପାଖଦୂର ବଣ ଭିତରେ ମଇଁଷିଙ୍କ ସାଙ୍ଗେ ସାଙ୍ଗେ ଗୋତି ବୁଲୁଥାଏ, କାନ୍ଧରେ ଗୋଟିଏ ବଡ଼ ତାଳପତ୍ର ଛତା, ଖଣ୍ଡେ ବାଡ଼ି, ସେଥିରେ ଝୁଲୁଥାଏ କିଛି ମାଣ୍ଡିଆଚୂନା, ପେଜ୍‍ଭର୍ତ୍ତି ଦୁଇତିନିଟା ଲାଉତୁମ୍ବା, ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଗୋଟିଏ ବୁଜୁଳି, ଆଉ ଗୋଟିଏ ଦୁଇଟା ବଡ଼ ଶିଙ୍ଗା, ଟାଙ୍ଗିଆ ଥାଏ ଆର କାନ୍ଧରେ । ବାଡ଼ି ହାତରେ ଅଡ଼ାରିଆ ସବୁବେଳେ ପ୍ରସ୍ତୁତ-

 

ଅଡ଼ାରିଆ ମଇଁଷିଙ୍କୁ ଲୁଣ ଟିକିଏ ଟିକିଏ ବାଣ୍ଟେ, ସେତିକିରେ ବଶ କରେ । ସେ ଶିଙ୍ଗା ଫୁଙ୍କିଲେ ମଇଁଷି ବୁଝନ୍ତି, ଏଥର ଲୁଣ ବଣ୍ଟା ହେବ । ତା’ପରେ ଠେଲାଠେଲି ପେଲାପେଲି ହୋଇ ନାଚିନାଚିକା ଯେ ଯେଉଁଠି ଥାଆନ୍ତି ଦଉଡ଼ି ଆସନ୍ତି । ଅଡ଼ାରିଆ ଠେକାବାନ୍ଧା ମୁଣ୍ଡରେ ଡେଙ୍ଗା ଛତୋଡ଼ି ଟେକି ହାତମୁଠା କରି ଶିଙ୍ଗା ଫୁଙ୍କି ଫୁଙ୍କିକା ଆଗେ ଆଗେ ଚାଲୁଥାଏ, ଚାରିପାଖରୁ ନାଚିନାଚିକା ଧାଇଁଥାନ୍ତି ବଡ଼ସାନ ହୋଇ ଦି’ଶ ତିନିଶ ମଇଁଷି ।

 

ଅଡ଼ାରିଆ ମଇଁଷିମାନଙ୍କୁ ଚିହ୍ନେ । ଗଣିଗାଣି ମନେରଖିଥାଏ କାହା ପିଠିରେ କେତେଟା ଭଉଁରି ଅଛି, କାହାର ଲାଞ୍ଜ କେତେଦୂର, ମୋଟ ଉପରେ କାହାଠିଁ କି ଚିହ୍ନ । କେତେ ଚିହ୍ନ ସେ ନିଜେ ଦେଇଥାଏ । ପିଠିରେ ଚିଆଁ ଦିଏ, ଲାଞ୍ଜରୁ ବାଳ କତୁରି ପକାଏ, ଶିଙ୍ଘକୁ ଦାଗି ଦିଏ ।

 

ଲୁଣ ବାଣ୍ଟୁ ବାଣ୍ଟୁ ମଇଁଷିଙ୍କୁ ସେ ଗଣତି କରେ, କୋଡ଼ିକୋଡ଼ି କରି । ତା’ପରେ ମଇଁଷି ପୁଣି ଏପାଖ ସେପାଖ ଖେଳେଇ ହୋଇ ଚରିବାକୁ ଯାଆନ୍ତି । କିଏ କେତେ ବାଟ ଚାଲିଯାଏ ଚରିବାକୁ, କିଏ କେଉଁ ଛପି ରହିଥିବା ଝୋଲାର ପଙ୍କରେ ଗଡ଼ୁଥାଏ । ଅଡ଼ାରିଆ ସମସ୍ତଙ୍କୁ ମଝିରେ ମଝିରେ ଯାଇ ତନ୍‌ଖି କରି ଆସେ ।

 

ଯେଉଁଠି ପାରି ସେଠି ବଣ ଭିତରେ ସଞ୍ଜ ହୁଏ । ମଇଁଷି ମନ୍ଦା ମଝିରେ ଠାଏ ବଡ଼ ଛତୋଡ଼ିଟା ପୋତିଦେଇ ତାହାରି ତଳେ ଅଡ଼ାରିଆ ଶୋଇପଡ଼େ, ଚାରିପାଖେ କରିଥାଏ ଗୋଟାଏ ବଡ଼ ନିଆଁ । ବରଷା ମାଡ଼ରେ କୁହୁଳି କୁହୁଳି ଧୂଆଁ ହୋଇ ନିଆଁ ବିଲ୍‍କୁଲ୍‍ ନିଭିଯାଏ । ଜନ୍ତୁ ମଣିଷ ଶୋଇପଡ଼ନ୍ତି । ପିଠି ଉପରେ ଗୋଟାଏ ବହଳ ଘୋରିହେଲା ପରି ମଶାମାନେ ନେସି ହୋଇ ବସି ଥାଆନ୍ତି, ନିଦ ବାଉଳାରେ ଅଡ଼ାରିଆ ବାଡ଼େଇ ପିଟି ହୁଏ, ଟିକିଏ ପୁଣି ଶୋଇପଡ଼େ ।

 

ବର୍ଷାରେ ବଣ ବଢ଼ିଛି ବିଶେଷ । ଯେଉଁଠି ଖରାଦିନେ ବଡ଼ ଗଛ ଦେଖା ନ ଥିଲା ସେଠି ଏବେ ଏତେ ଉଞ୍ଚ ପିରି ଘାସ, କୋରାପୁଟିଆ ବୁଦା ଓ ଅଗଛିଆ ଯେ ଜଣକ ପଛେ ଜଣେ ଚାଲିଥିଲେବି କେହି କାହାକୁ ଦେଖିପାରିବେ ନାହିଁ । ଏଠି ସେଠି ନୂଆ ନୂଆ ଗଛ, ନୂଆ ନୂଆ ପତ୍ର-। ଲଟା ବୁଦା ଆଉ ବଡ଼ ଗଛ ମିଶି ଏପରିଭାବେ ଛନ୍ଦାଛନ୍ଦି ହୋଇଛି ଯେ ବଣ ଅନ୍ଧାର, କେଉଁଠି ଟିକିଏ ଫାଙ୍କା ବି ଆଖିରେ ପଡ଼ୁନାହିଁ । ବର୍ଷା ହେଉଥିଲାବେଳେ ହାଉ ହାଉ ଘାଉ ଘାଉ ଶବ୍ଦ, ବର୍ଷା ବନ୍ଦ ଥିଲେ ସୁଦ୍ଧା ସବୁବେଳେ ଝପର ଝପର । ବଡ଼ ଗଛ ଉପରୁ ବରକୋଳି ପରି ପାଣି ଟୋପା ସବୁତଳେ ଅଜାଡ଼ି ହୋଇ ପଡ଼ୁଛି । ଏତେ ଶବ୍ଦରେ ବଣଜନ୍ତୁର ପାଦ ଶବ୍ଦ ଆଦୌ ବାରି ହୁଏ ନାହିଁ, ଅନ୍ଧାରେ ଅନ୍ଧାରେ କିଏ କେଉଁବାଟ ଯାଏ ଆସେ ।

 

ଏଇ ଘଞ୍ଚ ବଣ ଭିତରେ ମଇଁଷି ଗୋଠ ସାଙ୍ଗେ ସାଙ୍ଗେ ଟାଙ୍ଗିଆରେ ବାଟ ସଫା କରି କରି ସାହୁକାରର ଗୋତି ଆଗକୁ ମାଡ଼େ । କାନ୍ଦି କାନ୍ଦି କଣ୍ଟା, ଫଳ, ଲଟା, ଦୋଳି ଖେଳୁଥାଏ । କେତେବେଳେ ଗୋଡ଼ରୁ ଫାଳେ ଯାଏ କେତେବେଳେ କାନ୍ଧରୁ ଫାଳେ ।

 

ବଣ ବାଟରେ ପାହୁଣ୍ଡ ଠିକ୍‍ଣା ରଖି ବାଟ ଚାଲିଲାବେଳେ ସବୁବେଳେ ମୁଣ୍ଡ ଭିତରେ ଖେଳୁଥାଏ ବାଘର ଧାରଣା । ବାଟେ ବାଟେ ଘାଟି ନାସି ଉପରେ ଉପରେ ବାଘ ଘୁଅ ଲଦାଲଦି, କେତେ ନୂଆ କେତେ ପୁରୁଣା । କାଦୁଅରେ ବଡ଼ ବାଘର ପାହୁଲ ଚିହ୍ନ । ପବନରେ ବାଘ ଗନ୍ଧ । କାଳଖୁଣ୍ଟ ଗଛର ଫୁଲ ଆଉ ବାଘିରିମାଳର ଫୁଲ ଅବିକଳ ବାଘ ପରି ଗନ୍ଧଛାଡ଼େ । ଝୋଲା କରେ କରେ ବଡ଼ ଜନ୍ତୁ ଚାଲିଲା ପରି ଝପର ଝପର ଛପର ଛପର ।

 

ଉଡ଼ି ଆସୁଥିବା ପାଣି ବାମ୍ଫକୁ ଦେଖିଲେ ଛାତି ଭିତରେ ଚାଉଁ କରେ, କାରଣ ବାଘର ଅଭ୍ୟାସ ସେ ମେଘ ତଳେ ତଳେ ଧାଇଁ ଆସେ । ମେଘୁଆ ପାଗରେ ସୁଲୁସୁଲିଆ ପବନ ଦେଲେ ଦେଶର ଲୋକେ କହନ୍ତି ‘ବଘେଇପାଗ ।’ ବାନ୍ଧି ବାଡ଼େଇଲେ କେହି ପଦାକୁ ବାହାରନ୍ତି ନାହିଁ, ଯେହେତୁ ସେପରି ପାଗ ହେଲେ ଅବଶ୍ୟ ଯେଉଁଠି ହେଲେ ବାଘ ମଣିଷକୁ ଧରେ ।

 

କିଏ ନ ଜାଣେ ମହାବଳ କଥା ? ବାଘେଇ ପାଗ ହେଲେ ବାଘକୁ କୁଆଡ଼େ ବେଶି ଭୋକ କରେ, ଆଉ ସେ ଲାଞ୍ଜଟେକି ନାଚେ, ତାକୁ ନାଚ ମାଡ଼େ । ତା’ପରେ ପାଞ୍ଚ ଥାଉନ୍ତୁ କି ପଚିଶି ଥାଉନ୍ତୁ ଦିନ ଦି’ପହରେ ଗହଳି ଭିତରୁ ମଣିଷ ଉଠେଇ ନେଇ ସେ ଚାଲିଯାଏ । ତହିଁଆର ଦିନ ଦି’ପହର ଭିତରେ ମଢ଼କୁ ସେ ସଫାକରି ଖାଇ ଦିଏ, ସେଦିନ ତାକୁ ନିଶା ଧରେ, ମଦୁଆ ପରି ଟଳିଟଳିକା ଝୋଲା କରେ କରେ ସେ ବୁଲୁଥାଏ, ଶୋଇ ପଡ଼ୁଥାଏ, ମଝିରେ ଦିନଟାଏ ଛାଡ଼ଦେଇ ପୁଣି ସେ ଯାଇ ଧରେ ଆଉ କୋଉ ଗାଁ । ଦିନଯାକ ବୁଲୁଥାଏ ସେ ବାଟ କରର ଉଞ୍ଚ ଉଞ୍ଚ ପାହାଡ଼ ମହୁଡ଼ରେ, ସେଠି ରହି ସେ ଶିକାରର ସନ୍ଧାନ ନିଏ । ସଞ୍ଜ ପହିଲି ପହରେ ବଡ଼ ବଡ଼ ରାସ୍ତା କରରେ ରାତି ଟିକିଏ ବଢ଼ିଲେ ସେ ଗାଁ ତଳେ ତଳେ ବୁଲେ, ଇଚ୍ଛା ହେଲେ ବୁଲି ଚାଲିଯାଏ, ଏକା ରାତିକେ ଦଶ କୋଶ ପନ୍ଦର କୋଶ ।

 

ବଣ ବାଟରେ ଗଲାବେଳେ ପଡ଼େ କେତେ ବେଛପରି ଗାଁ, ସେଠି ଦିନେ ଚୁଲି ଜଳୁଥିଲା, ପିଲା ନାଚୁଥିଲେ, ଆଜି ସବୁ ଶୁନ୍‌ଶାନ୍‌ । ହେଇ ସେଠି ନନ୍ଦାଚୁଆ ଗାଁ, ତୋଟାଟା ରହିଛି, ଗୋଟାଏ ଦି’ଟା ଘର ବି ରହିଚି, ଆଖପାଖ କ୍ଷେତ ଉପରକୁ ଜଙ୍ଗଲ ମାଡ଼ିଆସୁଛି, ମଣିଷ ନାହାନ୍ତି । ବର୍ଷ ବର୍ଷକେ ଗୋଟାଏ ଗୋଟାଏ ଗାଁରୁ ଦଶ ପନ୍ଦର ଚାଲିଯାଆନ୍ତି ବାଘ ପେଟକୁ । ଶେଷରେ ଗାଁ ଭାଙ୍ଗେ ।

 

ବାଘର ନାଁ ଅନୁସାରେ କେତେ ଗାଁ ନାଁ ଦିଆହୋଇଛି, କେଉଟା ବାଘ୍‌ଲମତି, ଏଠି ଲମ୍‌ତି ଳମ୍‍ତି (ମେଞ୍ଚି ମେଞ୍ଚି) ବାଘ, ଦଶ ପନ୍ଦରଟା ‘ବାଗ୍ରୀ’ ନାଁ, କେଉଁଟା ବାଘେଇପଦର, କେଉଁଟା ବାଘ୍ରାଗୁଡ଼ା, ଭୟର ନାଁ ‘ଶଙ୍କା’ ‘ବଡ଼ଶଙ୍କା’, ‘ଚିଲିଶଙ୍କା’ ।

 

ଏଇ ବର୍ଷାଦିନ ଆରମ୍ଭରୁ ଯେ ବାଘର ଶିକାର ଆରମ୍ଭ ହେଲା ଠିକ୍ ଶୀତଦିନ ଶେଷ ପର୍ଯ୍ୟନ୍ତ, ଅର୍ଥାତ ଚୈତ୍ର ପର୍ଯ୍ୟନ୍ତ । ସେ ପର୍ଯ୍ୟନ୍ତ ଜୀବନ ଥାଇତା ନାହିଁ, ବଣ ବାଟରେ ଛାତି ଦକ ଦକ !

 

ଗୋତି ମୁଣ୍ଡ ବିକିଚି, ତା’ ଛୁଟି ନାହିଁ । ବଘେଇ ପାଗରେ ବି ସେ ମଇଁଷି ଚରେଇ ବୁଲୁଥିବ । ମଇଁଷି ହଜିଲେ ସାହୁକାର ତା’ର ତଣ୍ଟିକୁ ଧରିବ, କହିବ– “ମଇଁଷି ଖରିଦ ନ ଉଠିବାଯାକେ ଗୋତି ଥାଇ ମର୍‌, ଯିବୁ କୁଆଡ଼େ ?” ତେଣୁ ବଘେଇ ହେଉ ଯାହାପାରି ତା ହେଉ ପଛକେ ଜୀବନ ମୂର୍ଚ୍ଛାହୋଇ ମଇଁଷି ପଛେ ପଛେ ତାକୁ ଧାଇଁବାକୁ ପଡ଼ିବ ।

 

ଟିକ୍ରାଜାନି ସାଙ୍ଗ ପାଇଥାଏ ଆଉ ଜଣେ ଗୋତିକୁ, ତା ନାଁ ମିଲ୍‍କୁ ପରଜା, ତା କାନକୁ ଭଲ ଶୁଭେ ନାହିଁ, ଗୋଡ଼ ଟିକିଏ ଛୋଟା, ଶୁଖିଲା ବୁଢ଼ାଟାଏ ସେ, ପିଲା ଭାରିଯା ନାହାନ୍ତି, ଆପଣା ଜୀବନ ପାଇଁ ତାକୁ ଜଗତଯାକର ଡର । ଥରେ ଥରେ ଟିକ୍ରାକୁ ଫୁସୁଲେଇ କୋବଲେଇ ଗାଁମାନଙ୍କରେ ସେ ରହିଯାଏ, ପଛେ ଆଉ ଦି’ଚାରି ଜଣ ବୋଟେଇ ପାଇଲେ ପିଛା ଧରି ଟିକ୍ରା ପାଖେ ଯାଇ ଭେଟ ହୁଏ ।

 

ଟିକ୍ରାଜାନି ଅଧିକାଂଶ ସମୟରେ ଏକୁଟିଆ ବୁଲେ । ଏତିକି ତା’ର ସାହସ, ଲୋକେ କହନ୍ତି ମଇଁଷି ପାଖକୁ ବାଘ କୁଆଡ଼େ ଆସେ ନାହିଁ । ଗନ୍ଧ ବାରିଲେ ମଇଁଷିପଲ ଏକଜୋଟ ହୁଅନ୍ତି, ଅଣ୍ଡିରାମାନେ ନାକ ଫୁଲେଇ କାନ ଡେରି ଶିଙ୍ଗ ପାରିଦେଇ ଠିଆହୋଇ ରହନ୍ତି । ମଝିରେ ରହିଥାଏ ଟିକ୍ରା । ତା’ପରେ ସେମାନେ ପୁଣି ଛିନ୍‌ଛତର ହୋଇ ଚରିବାକୁ ଚାଲିଯାଆନ୍ତି, ଭୟ ଚାଲିଗଲେ ବି ଟିକ୍ରାକୁ ଟିକିଏ ଭୟ ଭୟ ଲାଗୁଥାଏ, ମଇଁଷିମାନଙ୍କ ନାଁ ଧରି ସୁଆଟ କରି ଡାକି ଡାକିକା ଟିକ୍ରା କାହା କାହା ସଙ୍ଗେ ବୁଲୁଥାଏ ।

 

ସେ ମଇଁଷି ପିଠିରେ ଘୋଡ଼ାଚଢ଼ି ବସେ, ମୁଣ୍ଡ ଆଉଁଶେ । ଏକୁଟିଆ ଲଟାର ଜାଲରେ ଦୋଳିମାଙ୍କୁଡ଼ି ଖେଳେ । ବଡ଼ ବଡ଼ ଗୁଳୁଚିଲଟାର ଚେରରେ ଛନ୍ଦି ହୋଇ ଏ ଲଟାରୁ ସେ ଲଟାକୁ ଶୂନ୍ୟେ ଶୂନ୍ୟେ ଚାଲିଯାଇପାରେ, କିନ୍ତୁ ସବୁବେଳେ ଗହଳି ଲଟା ଭିତରର ହଲର ହଲରକୁ ତା’ର ଡର, ବିଶେଷକରି ଶିଆଳିମାଳକୁ । ବଡ଼ ବଡ଼ ଗୋଲ ଗୋଲପତ୍ର ଏପରିଭାବେ ଶାଳ ଗଛ ଉପରେ ମଡ଼େଇ ହୋଇ ମେଞ୍ଚା ହୋଇ ରହିଥାଏ, ଖାଲି ଅନ୍ଧାର, ଆଉ ଭୟର ଗଦା ପରି । ଶିଙ୍ଗା ବଜେଇ କୁହାଟ ଛାଡ଼ି ମଇଁଷି ସାଙ୍ଗେ ସାଙ୍ଗେ ବାଟ ଚାଲିଲାବେଳେ, ନାକ ତା’ର ଗନ୍ଧ ବାରୁଥାଏ, ଆଖି କନ୍ଦ ବିକନ୍ଦିଉଣ୍ଡୁଥାଏ, କାନ ଆପେ ଡେରି ହୋଇ ରହେ ଟିକିକ ଶବ୍ଦକୁ ଧରିବା ପାଇଁ । ଟିକିକ ଶବ୍ଦରେ ସେ ତରଳି ଯାଇ ଟାଙ୍ଗିଆ ଉଞ୍ଚେଇ ମଇଁଷି ପଛଆଡ଼େ ଯାଇ ଠିଆହୁଏ । ଭାବେ, ଯାହାର ଭୟ ତାକୁ ।

 

ବାଟରେ ଗୋଟି ଗୋଟି ହୋଇ ବାଘଖିଆ ଜାଗାସବୁ ପଡ଼ି ପଡ଼ି ଯାଏ । ଏଇ ସେଇ କାଳିଆଝୋଲା, ଘର ପାଖୁ ସାଓତାକୁ ଉଠେଇ ନେଇଗଲା । ଏଇ ମହୁଲ୍‌ କଣା, ଏଠି ହେଇ ସେ ଝଡ଼ି ଗଛ ପାଖେ ଏ ବର୍ଷ ଦୁଇଜଣଙ୍କୁ ଖାଇଲାଣି । ସେ ପାବ୍‌ଲି (ପାହାଡ଼) ଉହାଡ଼ରେ ଯେଉଁ ଗବ-କ୍ଷେତ ଦିଶୁଛି, ସେଠି ଜଣକୁ, ଆଉ ଜିର୍‌-ଜିରା-ଗାଁ ତଳ ଝୋଲା, ସେଠି ପ୍ରତିବର୍ଷ ଧରେ ।

 

ମେଘୁଆ ପାଗରେ ବାଘର ଅଦେଖା ଝାପଟ ଆଖିଏ ଆଖିଏ ରହିଥାଏ ।

 

ଟିକ୍ରାଜାନି ମଇଁଷି ଗୋଠ ଜଗେ । ଦୁଧ ଦୁହିଁଲେ ଦହି ପକେଇ ଦେବାକୁ ହେବ । ଯେତେ ସାଧୁ ହେଲେ ସାହୁକାର କହିବ ଚୋରଟା । ଯେତେ କଷ୍ଟରେ ପଡ଼ି କାମ କଲେ ସାହୁକାର କହିବ ପଟ୍‍କାର୍‍ ।

 

ବଣ ଅନ୍ଧାର କରି ମେଘ ଗାଳି ପକାଏ । ପାଣିରେ ଓଦା ସର ସର, ଦେହ ହାତ ଶୁଖାଇବାକୁ ଟିକିଏ ନିଆଁ ନାହିଁ । ମଇଁଷିପଲ ମଝିରେ ମଝିରେ କେଉଁ ଅପନ୍ତରା ବଣ ପାଖେ ଅନ୍ଧାର ମେଘୁଆ ରାତି । ପାଖରେ ମଣିଷ ନାହାନ୍ତି । ରାତି ରାତି ଗଛମୂଳେ କଟେ । ଛତୋଡ଼ି ତଳେ କୋଡ଼ିଏ ଥର ନିଦ ହୋଇ ଦି’କୋଡ଼ି ଥର ନିଦ ଭାଙ୍ଗେ । ବୁଢ଼ାଟା ଗପ ଭଲ ପାଏ ନାହିଁ–ମିଲ୍‌କୁ ପରଜା । ଟିକିଏ ଶୀତ ଲାଗିଲେ ଖଁ ଖଁ କାଶେ, ନିଛାଟିଆ ଅନ୍ଧାରରେ ତା’ର କାଶ ଆହୁରି ଖରାପ ଶୁଭେ, ବଣ ଭିତରେ ।

 

ବେଳେବେଳେ ଅତିଦୂରରେ ଆଲୁଅ ଗୋଟାଏ ଗୋଟାଏ ଦିଶେ । ସେ କ’ଣ ଦେବତା-? କି ବାଘର ଆଖି ? କି ଆଉ କିଛି ? କିଛି ବାରି ହୁଏ ନାହିଁ । ମେଘୁଆ ଅନ୍ଧାରରେ ଭୟ ସହସ୍ର ରୂପ ଧରି ବଣ ଭିତରେ ବୁଲୁଥାଏ ।

 

କେତେବେଳେ କିଏ ଯେପରି କାନ୍ଦୁଥାଏ । କ’ଣ କାନ୍ଦେ ? ମିଲ୍‌କୁ ପରଜା କାନ ପାଖେ କହେ, “ବାଘ୍‌ଡୁମା, କି କାହାର ପ୍ରେତ ଆତ୍ମା, ଶୋଇପଡ଼୍‌ ଶୋଇପଡ଼୍‌ ।” ଓଦା ଦେହରୁ ଝାଳ ଫିଟିଯାଏ । ଘର ମନେପଡ଼େ । ମନେ ମନେ ତୁଣ୍ଡରୁ ଗାଳି ଫିଟେ ଆଗ ମଇଁଷିଗୁଡ଼ାଙ୍କୁ, ନିର୍ବୁଦ୍ଧିଆ ଜନ୍ତୁଗୁଡ଼ାକ ଅମଡ଼ା ମାଡ଼ି ଚାଲିଛନ୍ତି ମନଇଚ୍ଛା; ପଛେ ସାହୁକାର ଉପରକୁ, କେଡ଼େ ଖରାପ ଲୋକଟାଏ ସେ !

 

କିନ୍ତୁ ତଥାପି ଟିକ୍ରା ପରଜା ଭାବେ ଏ ଜୀବନ ଆର ଜୀବନଠୁଁ ଢେର୍‌ ଭଲ । ଏଠିକି ମଇଁଷି ଜଗି ନ ଆସିଲେ ସାହୁକାର ହାଡ଼ଭଙ୍ଗା କାମ ଲଗେଇଦେବ ଘରେ, “ଯା, ପଥର ସବୁ ସମାନ କରି ଭାଙ୍ଗି ବୋହି ଆଣି ଦୁଆରଯାକ ପକା, ଏକୁଟିଆ ଯା ବଣରୁ କାଠ ଆଣ୍‌, ଯା ବିଲରେ କାମ କର୍‌”, ୟା କର ତା’ କର । ସାହୁକାରର ତୋଡ଼, ଗୁମାସ୍ତାର ତୋଡ଼, ସାହୁକାରର ଘରମଣିଷ ସମସ୍ତିଙ୍କର ତୋଡ଼, ସବୁବେଳେ ନା ନା ଦୁର୍ଭାଷାରେ ଗାଳି । ଦିନ ଭିତରେ ଦଶ ଥର ମକଦ୍ଦମା କଲା ପରି ଅଭିଯୋଗ–ତୁ ୟା କଲୁ ତା’ କଲୁ ।

 

ଆଉ ସବୁଠୁ କଷ୍ଟ, ସାହୁକାରର ନିଜର ଅସ୍ତିତ୍ୱଟା । ତାକୁ ଆଖି ଆଗେ ଦେଖୁଥିଲେ ହସ ନିଭିଯାଏ, ମନର ସରାଗ କୁଆଡ଼େ ପଳାଏ, ମୁହଁଟା ଲମ୍ବା ହୋଇଯାଏ । ତା’ର ବ୍ୟବହାର ପ୍ରତିମୁହୂର୍ତ୍ତରେ ସତେ ଯେପରି ଚାବୁକ ପିଟି ପିଟି ମୁଣ୍ଡରେ ପୂରାଏ–

 

“ତୁ ଗୋତିଟାଏ, ତୁ ଗୋତିଟାଏ । ଗୋତିଟାଏ ତୁ, ବନ୍ଧା ତୁ ସବୁବେଳେ ସବୁଦିନେ, ତୋର ମୁକ୍ତି ଲେଖି ନାହିଁ ଏ ଜୀବନରେ ।”

 

ତା’ର କୋଟଳିଆ ଆଖି ଆଗରୁ ଘୁଞ୍ଚିଯାଇ ପାରିଲେ, ଆପଣା ଆଖିରେ ତା’ର ଚିଡ଼ି ଚିଡ଼ି ମାଙ୍କଡ଼ ପରି ମୁହଁଟା, ତାର ଫୋଡ଼ି ପକେଇବାକୁ ମୋହିଁ ରହିଥିବା ତୋରାଣିଛଣା ନିଶ ମେଞ୍ଚାକ, ତା’ର ଚକିଫାଳ ବୁଲିଲା ପରି ଥରିଲା ଓଠ ଦିଇଟା–ନ ପଡ଼ିଲେ, ଶିରାଗୁଡ଼ାକ ଭିତରେ ତତଲା ତେଲ ବୁହାଇ ନ ଦେଲେ, କେତେ ହାଲୁକା ଲାଗେ ଜୀବନଟା, ତା’ ଗୋତି ନ ହେଲେ ବୁଝିବା ଅସମ୍ଭବ ।

 

ତେଣୁ ଯେଉଁଦିନ ମଇଁଷିମନ୍ଦା ସାଙ୍ଗେ ଧାଇଁବାକୁ ହୁକୁମ ମିଳେ, ଟିକ୍ରାଜାନି ଦୁଃଖ କରେ ନାହିଁ । ଏ ଜୀବନରେ କଷ୍ଟ ଭିତରେ ବି ଆନନ୍ଦ ଅଛି । ବାଟେ ବାଟେ ଚଢ଼େଇଙ୍କ କୁଟୁର ମୁଟୁରୁ । ବଣର ଦୃଶ୍ୟ । ମୟୂର ଚରୁଛନ୍ତି । ଭାଲୁ ପାହାଡ଼ରେ ଚଢ଼ିଛି । କୁଟ୍ରା ବିଜୁଳି ବେଗରେ ଧାଇଁଛି । ହରିଣ କେଉଁ ଲଟା ତଳେ ଅଳପେ ଦେଖା ଦେଇ କେଉଁଆଡ଼େ ଲୁଚିଯାଇଛି, ବଣ କୁକୁଡ଼ା ପିଲା ଖେଳୋଉଛି । ବାର୍‌ହାପଲ ଝୋଲାଖଣ୍ଡିରେ ମାଟି ରାମ୍ପୁଛନ୍ତି । ବହୁରୂପୀ ଏଣ୍ଡୁଅ ପୋଷାକରେ ରଙ୍ଗ ବଦଳୋଉଛି । କେଲାଟି ମୂଷା ଖଇରିଆ ଧଳା ଛଉଛଉକା ଦେହଟିରେ ଢଉ ଖେଳେଇ ଦେଇ ଏ ଗଛରୁ ଡେଇଁ ପଡ଼ୁଛି ଯେ ଶୂନ୍ୟେ ଶୂନ୍ୟେ ତଳକୁ ଖସି ଉପରକୁ ଉଠିଯାଉଛି ଉଡ଼ିଲା ପରି ।

 

ବଣର ଦୃଶ୍ୟ, ସେଥିରେ ଆଖି ଘୋଳି ହୁଏ ନାହିଁ ।

ତିନ୍ତିଥିବା ବଣର ବାସ୍ନା ।

 

ସାନବଡ଼ କେତେଖେଳ, ଝୋଲାର ଜଳପ୍ରପାତ ଉପରେ ଡେଇଁ ହେଇଁ ପାତିମାଙ୍କଡ଼ ହୂରୁଡ଼େଇବା, ଶିଆଳିଫଳ ପୋଡ଼ି ଖାଇବା, ଶିଙ୍ଗା ଫୁଙ୍କିବା, ମଇଁଷି ପିଠିରେ ବସି ଅଧା ଶୋଇରହି ଗଛ ତଳେ ତଳେ ଧୀରେ ଧୀରେ ଚାଲିଯିବା । କେଉଁଠି ଧାଂଡ଼ୀ ଆଖିରେ ପଡ଼ିଲେ ଗୀତ ମାରି ମାରି ପଛେ ପଛେ ଧାଇଁବା, କେତେ ଏପରି ।

 

ସବୁଦିନେ ଅନ୍ଧାରୁଆ ବଣ ଭିତରେ କଟେ ନାହିଁ । ବେଳେବେଳେ ଗାଁରେ ଅଟକିଯିବାକୁ ସୁବିଧା ପଡ଼େ । ଅଚିହ୍ନା ଗାଁରେ ଧାଂଡ଼ାବସା ଧାଂଡ଼ୀ ବସାଘର । ମଉଜ ମଉଛବ । ସକାଳକୁ ନୂଆ ବାଟ ।

 

ଟିକ୍ରା ପରଜା ବିପଦକୁ ବିପଦବୋଲି ଭାବେ ନାହିଁ । ଜୀବନକୁ ସେ ଉପଭୋଗ କରେ ।

 

କିନ୍ତୁ ଠିକ୍‍ ଯେତିକିବେଳେ ବଢ଼ି ବଢ଼ିକା ମନେ ମନେ ସେ ଗୋଟାଏ ମଣିଷ ହୋଇ ଆସେ, ପଛଆଡ଼ୁ କିଏ ଯେପରି ତା’ର ଗୋଡ଼ ଦି’ଟାକୁ ଟାଣିଦିଏ ଭୁସ୍‌ କରି । ସାହୁକାର କାମ ବରଗେ, କାମ ବଦଳେଇ ଦିଏ । ବୃଥା କଥାରେ ନିସ୍ତୁକ ଗାଳିଦିଏ । କେତେବେଳେ କାମରେ ହାଲିଆ ହୋଇ ଟିକିଏ ଶୋଇପଡ଼ିଥିଲେ ପାଦରେ ଭୁସି ଉଠେଇ ଦେଇ କହେ–

 

“ଯା କାମ କର୍‌ ।”

 

ଦି’ ଭାଇଙ୍କର ରହିବା ବଖୁରି ଗୋତିଶାଳରେ । ଛପର ସଢ଼ି ଯାଇଛି । କାନ୍ଥର ଉପରୁ ତଳକୁ ଚୂନପାଣି ପରି ବୋହି ଆସିଛି ଧାର ଧାର ସାପ ଘୁଅ । ଓଳି ସନ୍ଧିରେ ଲାଖିଯାଇ ଖଣ୍ଡ ଖଣ୍ଡ ସାପ କାତି ପବନ ଦେଲେ ଚିରା କନା ପରି ଫଡ଼ ଫଡ଼ ହୋଇ ପଦାକୁ ଉଡ଼ି ପଳାଏ । ଥରେ ଥରେ ଉପରୁ ନଥ୍‌ କରି ମେଞ୍ଚାଏ ଖସେ । ଘର ଭିତରେ କଙ୍କଡ଼ାବିଛା ସାଲୁବାଲୁ ହୁଅନ୍ତି । ତଳଟା ଛତୁ ଫୁଟିଲା ପରି ବିରିବିରି, ହୁଙ୍କା ହେଇଚି ସେଠି ।

 

ଏଇ ଘରଖଣ୍ଡକ ମରାମତ କରିଦେବାକୁ ଅବସର ଆଦୌ ନାହିଁ । ଦଣ୍ଡେ ତର ନାହିଁ, ସାହୁକାରର ଘଡ଼ିକେ ଘୋଡ଼ା ଛୁଟେ, ଖାଲି କାମ, କାମ, କାମ ।

 

ଧାନ ବିଲରେ ଆଣ୍ଠୁଏ ପାଣିରେ ଧାନଗଛ ବଢ଼ି ଲାଗିଛି । ସେଠି ପାଣିକାଦୁଅ ହୋଇ ବଛାବଛି କରିବାକୁ ପଡ଼େ, ପାଣିକୁ ପାହାଚ ପାହାଚ କରି ହିଡ଼ ବାନ୍ଧି ତଳକୁ ଛାଡ଼ି ଦେବାକୁ ହୁଏ । ପୁଣି କ୍ଷେତ ଚାରିପାଖେ କଣ୍ଟା କାଟି ବାଡ଼ ବୁଜିବା, କ୍ଷେତ କାମ ଶେଷକରି ଛାଇ ଲେଉଟିଲେ ବଣକୁ ଯିବାକୁ ପଡ଼େ କାଠ ଆଣି । କାମ କରିବାକୁ ସାହୁକାର କେତେ ଦୂର ଦୂର ଗାଁକୁ ପଠାଏ । ସଞ୍ଜବେଳେ କାମର ହିସାବ ନିଏ, ଗାଳିଦିଏ, ଚଦେ– “ମାସକର ଖାଦିରୁ କାଟିଦେବି ।”

 

ମଝିରେ ମଝିରେ ମାଣ୍ଡିଆ ଟିକ୍ରା ଦି’ ଭାଇ ଭେଟାଭେଟି ହୁଅନ୍ତି, କାନ ସନ୍ଧିରୁ ଛଡ଼ାଛଡ଼ି ହୋଇ ପିକା ଓଟାରି ଟାଣନ୍ତି । ସବୁଦିନେ ସେମାନେ ନିଶ୍ଚିତ କରନ୍ତି ଆପଣା ଶୋଇଲା ଘର ଛୁଆଣି କରିବେ ବୋଲି । କାମରେ ଭିଡ଼ ପଡ଼େ, କରି ହୁଏ ନାହିଁ । ଦୁର୍ଦ୍ଦଶା କଥା ସାହୁକାର କାନକୁ ଗଲେ ସେ ହସେ । କହେ–

 

“ଗୋତି ଗ୍ୟାଳ୍‍ପମାନେ ! ୟାଙ୍କ ପାଇଁ କୋଠାଘର ତୋଳା ହୁଅନ୍ତା ଆଉ ନୁହେଁ !”

 

ସାହୁକାର ସର୍ଷୁପଦର ଗାଁରୁ ଫେରିଲା ପରେ ଏତେ କାମ ବରଗି ଦେଲା ଯେ ସବୁ ଗୋତି ବିକଳ ହୋଇ ପଡ଼ିଲେ ।

 

ଏହିପରି ଅଣନିଶ୍ୱାସିଆ ଦିନେ, ସଞ୍ଜବୁଡ଼େ ଦି’ ଭାଇ ହିଡରୁ ଫେରୁଥାନ୍ତି, ଟିକ୍ରା ଭାଇ ଆଗରେ ବଘେଇ ଭୟ କଥା କହୁଥାଏ, ଭାରି ଡର ମାଡ଼ୁଥାଏ କହିଲାବେଳେ । ଏତିକିବେଳେ କେନ୍ଦୁଅଡ଼ାର ବଣ ଭିତରେ ଥିବା ସାହୁକାରର ଜଣେ ଅଡ଼ାରି ଗୋତି ଦସ୍ରୁ ପରଜା ଦୌଡ଼ି ଦୌଡ଼ି ଆସିଲା । ସାହୁକାର ପାଖେ ଡକା ଛାଡ଼ି କହିଲା–

 

“ମୋ ଭାଇ ସନିଆ ପିଲାକୁ ବାଘ ନେଇଗଲା ! ଦୁହେଁ ଆମେ ମଇଁଷି ଜଗିଥିଲୁ, ବାଟେ ବାଟେ ଯାଉ ଯାଉ ଗୁଦ୍‌ଗୁଦ୍‌ କରି ଦଉଡ଼ି ଆସି ତାକୁ ନେଇ ପଳେଇଗଲା !”

 

ସାହୁକାର ପିଣ୍ଡାରେ ବସିଥାଏ । ଖିଙ୍କାରି ଉଠି କହିଲା–

 

“ଆଉ ମୋ ଋଣ ଟଙ୍କା ! ହଇରେ ସତ୍ୟାନାଶିଆ, ମୋ ଟଙ୍କା ବୁଡ଼େଇ ଦେବୁ ନା ଦେଇଦେବୁ ? କହ ଜଲ୍‌ଦି କହ– କୋଡ଼ିଏ ଟଙ୍କା ଦେଇଥିଲି, ମୋଟେ ତିନିବର୍ଷ ଗୋତି ଖଟିଚି, ଆହୁରି ସୁଧମୂଳ ହୋଇ କେଜାଣି କେତେ ହେବଣି– ଆରେ ମୋର ଦଶଟଙ୍କାରୁ ଗୋଟାଏ ଦାମୁଡ଼ି ଊଣା ହେଲେ ଚଳିବ ନାହିଁ, ହଳ ବିକ୍ ବଳଦ ବକ୍ ମୋ ଟଙ୍କାତକ ଲେଉଟାଇ ଦେ, ନହିଲେ, ବାବା ମୁଁ ଦାବା କରିଦେବି ଜାଣିଥା ।”

 

ଦସ୍ରୁ ପରଜା ମଲା ସନିଆ ଗୁଣ ବାହୁନି କାନ୍ଦୁଥାଏ । ବାୟା ପରି ତଳେ ଗଡ଼ୁଥାଏ, ସାହୁକାରର ଗୋଡ଼ ଧରି ଲୋଟି ଯାଉଥାଏ । କହିଲା–

 

“ସାହୁକାର, ବାପା–ମା’–ଛେଉଣ୍ଡ ଭାଇଟି ମୋର, ତୁ ତାକୁ ବଣକୁ ପଠେଇଥିଲୁ, ଆଉ ମୋ ଭାଇକି ପାଇବି କୋଉଠୁ ? ଦବୁ କି ତୁ ?”

 

ସାହୁକାର ତାତି ଯାଇ କହିଲା–

 

“ଶଳା, ଯାହା ତୁଣ୍ଡକୁ ଆସୁଚି କହିଲାଗିଚୁ, ତତେ ପଣ୍ଢେଇପିଟା କରିବି ଜାଣିଚୁଟି ? ଓହୋଃ ! ମୁଁ ବାଘକୁ ଶିଖେଇ ଦେଇଥିଲି ୟାଙ୍କ ଭାଇଙ୍କି ଖାଇ ମୋ ଟଙ୍କା ବୁଡ଼େଇ ଦବୁ ପରା ! ମନ ନ ହଉଚି, ମୋ ଟଙ୍କା ସୁଧମୂଳ ଦେଇଦେ, ଗୋତି ଫିଟେଇ ନେ । ଯାହା ତ ହେଲା ହେଲା, ଏବେ ଜଲ୍‌ଦି ଯାଇ ପୁଲିସିରେ ରିପୋଟ୍‌ କର, ନହିଲେ ସଭା ଇନିସ୍‌ପିଟି ତୋ ପାଇଟି କରିବ ଯାଣିଥା ।”

 

ଦସ୍ରୁ ପରଜା କାନ୍ଦି କାନ୍ଦି ଚାଲିଗଲା । ସାହୁକାର ହସି ହସି ମଲା ସନିଆକୁ ଶୋଧିବାକୁ ଲାଗିଲା ।

 

ସେଇ ସଞ୍ଜରେ ଟିକ୍ରାଜାନିକୁ ଅଡ଼ର ପଡ଼ିଲା–

“କାଲି ସକାଳୁ ତୁ ଯା କେନ୍ଦୁଅଡ଼ାର । ସାଙ୍ଗରେ ମିଲ୍‌କୁ ପରଜା ଯିବ ।”

ଟିକ୍ରା ମାଣ୍ଡିଆ ଦୁହେଁ ଆପତ୍ତି କଲେ । ସାହୁକାର କହିଲା–

 

“ସେମିତି ନାହିଁ ନାହିଁ କହିଲେ ସମସ୍ତେ ନାହିଁ କରିବେ । ଆଉ କ’ଣ ଗୋଟି ଗୋଟି କରି ମୋର ମଇଁଷିମାନଙ୍କୁ ସିଟିଏମ୍‌ ଲୋକେ ମାରି ଖାଇ ବାଘଖିଆରେ ପକେଇ ଦେବେ, ତୁମେସବୁ ଏଠି ବିସିଥିବ ? ମୋ ପାଖେ ସେସବୁ ଫେଞ୍ଚ୍‍କାମି‌ ଚଳିବ ନାହିଁ, ଜାଣିଲୁ ! ପଦେ କଥା, ଯିବୁ ତ ଯା, ନଇଲେ ମୋର ସୁଧମୂଳ ମିଶେଇ ମତେ ଶୁଝିଦେଇ ଘରକୁ ବାହୁଡ଼ି ଲନ୍ଧା ପେଣ୍ଡମ କରି ଖା, ନଇଲେ ମୁଁ ନିଧାର୍ଯ୍ୟରେ ପକେଇ ଦେବି ।”

 

ମାଣ୍ଡିଆ କହିଲା–

“ତେବେ ମୁଁ ବି ଯିବି, ଆହୁରି ପାଞ୍ଚ ସାତ ଜଣ ସାଙ୍ଗରେ ଦେ ।”

ଜୋର୍‌ କଜିଆ ଲାଗିଲା । ମାଣ୍ଡିଆ ଦାନ୍ତ ଚିପି ଚିପି କହିଲା–

 

“ତୁ ଯାହା କରୁଚୁ କର୍‌, ବଘେଇ ଜାଗାକୁ ମୁଁ ନ ଗଲେ ମୋ ଭାଇ ଯିବ ନାହିଁ, ଆମ ସାଙ୍ଗରେ ଆହୁରି ପାଞ୍ଚଜଣ ନ ଦେଲେ ଆମେ ତ କେହି ଯିବୁ ନାହିଁ ।”

 

ସାହୁକାର ଗୁଡ଼ାଏ ଗାଳି ଦେଲା । କେତେ ଗୋତି ଏକାଠି ଜମି ଥାଆନ୍ତି । ସାହୁକାର ଶେଷରେ ବାଧ୍ୟ ହୋଇ ‘ହଁ’ କରିଦେଲା ।

 

ଗୋତିମାନେ ଉପଦେଶ ଦେଲେ–

 

“ଏମିତି ତା’ ସଙ୍ଗେ ତର୍କ କରିବାଟା ଭଲ ନୁହେଁ, ଦରକାର ପଡ଼ିଲେ ଦଶଜଣଙ୍କ କଥାରେ ସେ ଅପିଯାଏ (ଅଙ୍ଗୀକାର କରେ) ସିନା, ମନେ ମନେ ଭାରି ଅକସ ରଖେ, ପଛେ ଗୋଳମାଳ କରେ, ଭାରି ହରକତିଆ ଲୋକଟାଏ କିନା !”

 

ମାଣ୍ଡିଆ ହାତ ହଲେଇ କହିଲା–

 

“ଆରେ, ଗୋତି ତ ହେଇଛେଁ, କ’ଣ ଆଉ ଅଛି ଡରି ମରିବାକୁ ? କ’ଣ ହରକତଟା କରି ପକେଇବ ସେ– ?”

 

ସାମ୍ନାରେ ଦୂରରେ ସାହୁକାର ଚାଲି ଯାଉଥାଏ ।

 

ମାଣ୍ଡିଆଜାନିର ହାତ ସୁଲୁସୁଲୁ ହେଉଥାଏ । ଗୋତି ରହିଲାଦିନୁ ମନର ତେଜ ତା’ର ଉଣା ହେଇଯାଇଛି ସତ, ତଥାପି ଆଖି ଆଗେ ଦିନୁ ଦିନ ଏ ସ୍ୱାର୍ଥପର ସଇତାନଟାକୁ ଦେଖି ଦେଖି, ତା’ର କଥା ଶୁଣି, ହାତ ସଲସଲ ହୁଏ, ବାହାର ମାଉଁସ ପେଣ୍ଡୁଳାମାନ ଫୁଲି ଫୁଲି ବାହାରେ । ପୁଣି ମୁଣ୍ଡକୁ ତଳକୁ ପୋତି ଗୋତି ମାଣ୍ଡିଆଜାନି କାମ କରିଯାଏ । ଆପଣାର ଦୁଃଖ ମୁଣ୍ଡକୁ ଘାରେ । ଦିନ ବୋହିଯାଏ ।

 

ସଞ୍ଜବେଳୁ ଶୋଇବା ଯାକେ ଅନ୍ଧାରୁଆ ଦଦରା ଘରେ ପିକା କଳେ କଳେ ଖାଇଦେଇ ବାଘ କଥା ବହୁତ ପଡ଼ିଗଲା ।

 

ବାଘର ବୋବାଳି ଶୁଭିଲା ପରି ଲାଗୁଥାଏ ବେଳେ ବେଳେ ମେଘୁଆ ପବନରେ । ବାଘ ଏକା ରକମ ବୋବାଏ ନାହିଁ, କେତେବେଳେ ଦୂର ପାହାଡ଼ ଉପରେ ଘଡ଼ଘଡ଼ି ପରି, କେତେବେଳେ କେଉଁପରି । ବାଘର ଆଖିରେ ଅଳ୍ପ ଆଳୁଅ ଧାସ ଲାଗିଗଲେ କିପରି ସେ ଜଳିଉଠେ, ଯେପରି ଦୁଇଟା ବଡ଼ ବଡ଼ ଶାଗୁଆ ତାରା ପାଖା ପାଖି ବସି ଖାଲି ଜଳିବାରେ ଲାଗିଛି । ବାଘର ଆଖିକୁ ଚାହିଁ ରହିଲେ କିପରି ବୋଧହୁଏ ସତେକି ଦୁଇଟା କବାଟ ଖୋଲି ଯାଉଛି, ଭିତରେ ଦୁଇଟା ବଡ଼ ବଡ଼ ହାଲୋଳମୟ ଗୁମ୍ଫା, ଯେତିକି ଆଗେଇଲେ ଖାଲି ବଢ଼ି ବଢ଼ି ଯାଉଛି ।

 

ବାଘ କେମିତି ବୁଦା ତଳେ ଲେପ୍‌ଟି ଯାଇ ପଡ଼ି ରହିଥାଏ, ମାଟିରେ ମିଶିଯାଏ, ଖଣ୍ଡେ ଛଉଛଉକା ଚଉତା ହୋଇଥିବା କମ୍ବଳ ପରି, ଆଉ ମନ ଇଚ୍ଛାରେ ସେ ଆପଣାକୁ ଫୁଲାଇ ଫୁଲାଇ ବଡ଼ କରିଦିଏ, ହୁଏ ଗୋଟାଏ ବଡ଼ ମଇଁଷି ଆକାର । ବାଘ ମନଖୁସିରେ ଧାଇଁଲାବେଳେ କେଡ଼େ ସୁନ୍ଦର ଦିଶେ, ନଥଲ ନଥଲ ପେଟ ତଳେ ଘୁଷୁରିଲା ପରି, ପଟାପଟା ଦେହଗୋଟାକ ଯେପରି କିଏ ମହମ ନେସି ଚକଚକ କରିଛି । ପଚପଟୁ ଦେଖିଲେ ବାଘ କେମିତି ଦିଶେ ଗୋଟାଏ ମସ୍ତବଡ଼ ହନୁମନ୍ତ ପରି ।

 

ବାଘ କେମିତି ମଣିଷ ଧରେ, ପ୍ରଥମେ ଆସି ପବନ ବେଗରେ ଧକ୍‌କାଟାଏ ମାରି ତଳେ ଫୋପାଡ଼ି ଦିଏ, ପଛେ ଗୋଟାଏ ହାତରେ କାଖେଇ ନେଇ ଚାଲିଯାଏ, କାଖ ଆଉ ଛାତି ପାଖ ସାନ ହାଡ଼ ମଝିରେ ଚିପି ଧରି ଆଉ ଥୋଡ଼ାଏ ବାଟ ଗଲେ ଯାଇ ତଣ୍ଟିରୁ କଣା କରି ରକ୍ତ ପିଏ ।

 

ଲୋକେ କିପରି କହନ୍ତି, ମାଇକିନିଆ ଧରିନେଲେ ବାଘ ତାକୁ ‘ଦୋଷ୍‌’ କରେ, ଜିଅନ୍ତା ହେଉ ବା ମଲା ହେଉ ।

 

ଟିକ୍ରା କହିଲା–

“ମୁଁ ବି ଶୁଣିଚି ।”

ମାଣ୍ଡିଆ କହିଲା–

 

“ଆରେ ଖାଲି ଶୁଣିବା କଥା ନୁହେଁରେ, ଆଖିରେ ଦେଖିଲାଟା । କୁଟିଙ୍ଗା ଗାଁରେ ଏବେ ମିଶା ଅଛି, କୋଡ଼୍ରୁ କନ୍ଧର ମାଇକିନା । ନିଜେ ମୁଁ ତାଠୁଁ ଶୁଣିଛି ।” ବାଘ ତାକୁ ଧରିନେଇ ଗଲା, ଗୋଟାଏ ପଥର ଚାଞ୍ଚରା ଉପରେ ଛାଡ଼ିଦେଲା । ଏଣୁ ଆସୁଥାଏ, ତେଣୁ ଆସୁଥାଏ, ଏଠି ସେଠି ହାତ ମାରୁଥାଏ, ଗେଲ କରୁଥାଏ, ତା’ପରେ ତାକୁ ଦୋଷ୍‌ କଲା । କନ୍ଧୁଣୀ କ୍ରମେ ବେହୋସ୍‌ ହୋଇଗଲା । ଚେତା ହେଲା, ଦେଖିଲା ବାଘ ନାହିଁ । ପାଖକୁ ପାଖ ଲାଗି ଲାଗି କନ୍ଦା ଖୋଳା ହୋଇଥିବା ଖାଲଗୁଡ଼ାଏ ସେ ପାଖରେ ଥିଲା । ତାହାରି ଭିତରେ ଘୁଷୁରି ଘୁଷୁରି କନ୍ଧୁଣୀ ଥୋଡ଼ାଏ ବାଟ ଚାଲିଲା । ସେଠୁ ଗୋଟାଏ ବଡ଼ ଗଛ ଧରି ତହିଁରେ ନିଜକୁ ଗଛ ଦେହରେ ବାନ୍ଧି ଦେଲା । କେତେ ବେଳେ ଗଲାକୁ ବାଘ ଆସିଲା । ମହାରଡ଼ି ଛାଡ଼ିଛାଡ଼ିକା ଏଠି ସେଠି ଖୋଜି ବୁଲି ଶେଷରେ ଉପରକୁ ଅନେଇଁ ରହି ସେହି ଗଛ ମୂଳରେ ବସି ରହିଲା । ଏହିପରି କେତେବେଳେ କଟିଲା । ପଛେ ଗାଁ ଲୋକେ ମନ୍ଦା ହୋଇ ଆସି ଓଡ଼ିଆନଳି ଫୁଟେଇ ବାଘକୁ ସେଠୁ ଘଉଡ଼େଇ ଦେଲେ । ସେ କନ୍ଧୁଣୀ ଅଦ୍ୟାପି ବଞ୍ଚିଛି ।

 

ଟିକ୍ରା କହିଲା,–

 

ଆୟୁଷ ଥିଲେ ବଞ୍ଚିବ ନାହିଁକି ? ଚାରିକୋଡ଼ି ପାଞ୍ଚକୋଡ଼ି ଲୋକଙ୍କୁ ବାଘ ଖାଏ, ପୁଣି ତହିଁରୁ ଚାରିପାଞ୍ଚଜଣ ଉଧୁରି ଆସନ୍ତି ତ ! ସେଥର କନ୍ଦା ଖୋଳୁ ଖୋଳୁ ଦିହୁଡ଼ୁ ସାଓଁତାକୁ ଧରି ନେଇ ଚାଲିଗଲା । ଥୋଡ଼ାଏ ବାଟ ଯିବାରୁ ଦିହୁଡ଼ୁ ପ୍ରାଣ ବିକଳରେ ମାରିଦେଲା ଶାବଳରେ ଭୁଷାଏ । ବାଘ ଡିଆଁଟିଏ ମାରି ଥୋଡ଼ାଏ ବାଟ ହଟିଗଲା, ଦିହୁଡ଼ୁ ଚଢ଼ିଗଲା ଗୋଟାଏ ଗଛରେ । ଜୀବନ ଥିଲା, ସେ ଉଧୁରିଲା ।

 

ଗଲା ମାସେ ଲୁଲ୍ଲା ପାଖ ଥୋଟାଗୁଡ଼ା ଗାଁରେ । ଗାଁ ପାଖଟାରେ ମୁଷ୍କା କନ୍ଧ ଆଡ଼କୁ ଧାଇଁଆସିଲା ମହାବଳ । ମୁଷ୍କା ଗୋଟାଏ ଲମ୍ବା ବର୍ଚ୍ଛା ଧରିଥାଏ । ବାଘ ଆଁ କରି କୁଦି ଆସିବାରୁ ମୁଷ୍କା ତା ପାଟି ଭିତରେ ବର୍ଚ୍ଛାର ଅଗଟା ଗେଞ୍ଜିଦେଲା । ରକ୍ତ ବାହାରିଲା, ବାଘ ବର୍ଚ୍ଛାଟାକୁ କାମୁଡ଼ି ପକେଇଚି, ତୁ ଗଲେ ଦେଖିବୁ ଦାନ୍ତ ଚିହ୍ନ । ବାଘ ପଛକୁ ହଟିଲା, ମୁଷ୍କା ବର୍ଚ୍ଛାଟାକୁ ସଜାଡ଼ି ଧରିଲା । ବାଘ କୁଦା ମାରି ଚମକି ଆସେ । ମୁଷ୍କା ତା’ ଆଡ଼କୁ ବର୍ଚ୍ଛାଟା ମୋହିଁ ଧରେ, ବାଘ ପଛେଇ ଯାଏ । ଜୀବନ ବିକଳିଆ କଥା ତ, ଏହିପରି ଏହିପରି କରି ମୁଷ୍କା ଆଉ ବାଘ ଗାଁ ଦାଣ୍ଡଯାକେ ଚାଲିଆସିଲେ । ମୁଷ୍କା ଗାଁ ଭତରେ ପଶିଲା । ବାଘ ରଡ଼ି ଛାଡ଼ି ଛାଡ଼ି ବଣକୁ ଫେରିଗଲା ।

 

ବନ୍ଦିକାର ଗାଁର ରିମେଇଁ କନ୍ଧୁଣୀ, ସେ ଆଉ ତା’ର ବର ପାଖକୁ ବସି କନ୍ଦା ଖୋଳୁଥିଲେ । ମହାବଳ ମାଡ଼ି ଆସିଲା କନ୍ଧ ଉପରକୁ, କନ୍ଧ ପଡ଼ିଗଲା । ବାଘର ନଖ ବାଜି ତା’ର ମୁଣ୍ଡ ଖପୁରି ଉପରର ମାଉଁସ ସାମ୍ନାରୁ ପଛଆଡ଼କୁ ଉଠିଯାଇଥାଏ କଦଳୀ ପଟୁକା ଛାଡ଼ିଲା ପରି । କନ୍ଧୁଣୀ ଟାଙ୍ଗିଆ ଧରି ବାଘ ପାଖକୁ ଚମକି ଆସିଲା । କନ୍ଧ ଭାଷାରେ ଗାଳି ଦେଲା । ଟାଙ୍ଗିଆରେ ପକେଇଲା ପାହାରେ । ବାଘ ଘୁଞ୍ଚିଗଲା । ଟାଙ୍ଗିଆ ମାଡ଼ ତଳେ ବସିଲା, କନ୍ଧ ଉଠି ଠିଆ ହେଲା, ନହୁ ଧାର ଧାର ବୋହୁଚି, ଆଖିରେ ପାଟିରେ ରକ୍ତ । ବାଘ ଦୂରରେ ଅନେଇ ଥାଏ, ଲାଞ୍ଜକୁ ତଳେ ପିଟୁଥାଏ । ଗୁଡ଼ାଏ ପଦାଲୋକ ଆସି ପଡ଼ିଲେ, ବାଘ ଚାଲିଗଲା । ଦିସାରି ପତ୍ର ବାଟି ଘା’ରେ ବୋଳିଦେଲା, ତିନି ହାଟ୍‌ (ସପ୍ତାହ) ଭିତରେ କନ୍ଧ ଭଲ ହୋଇଗଲା ।

 

“ସବୁ ଆୟୁଷ ଆଉ ଭାଗ୍ୟ ।”

 

ମାଣ୍ଡିଆ କହିଲା,“ ଆରେ ଆମେ ପରଜା ଲୋକ, ଡର କ’ଣ ? ବାଘ ବାଛି ବାଛି କନ୍ଧକୁ ଧରି ଖାଏ, ସେମାନେ ମାଙ୍କଡ଼ ଖାଆନ୍ତି ବୋଲି, ଆଉ ଆମେ ତ ସାପ ଖାଇବା ଲୋକ, ଆମକୁ ଖାଇଲେ ବାଘ ଆପେ ମରିବ ।”

 

କଥା ଗପୁ ଗପୁ ଦି’ ଭାଇ ଶୋଇପଡ଼ିଲେ । ମାଣ୍ଡିଆ ଘୁଙ୍ଗୁଡ଼ି ମାରିଲା ।

 

ଟିକ୍ରା ଦେଖିଲା ସ୍ୱପ୍ନ-ଘୋର ବଣ, ପାହାଡ଼ ସନ୍ଧିରେ ଗହୀର ଝୋଲା, ସେଠି ଖାଲି ବୁଦୁବୁଦୁକିଆ ଅରମା ଜଙ୍ଗଲ । ଝୋଲା ଭିତରୁ ଡେଙ୍ଗା ହୋଇ ଗୋଟାଏ ଶାଳଗଛ ବଢ଼ି ଚାଲିଛି, ଉପରକୁ ଉପରକୁ ବୋଲି, କୁନ୍ଦିଲା ପରି ଗୋଟାଳିଆ ତା’ର ଅଗ, ନିଘଞ୍ଚ ଡାଳ ଭିତରେ ଖଟିଆଟାଏ ବନ୍ଧା ହୋଇଚି । ସେଠି ବସିଛନ୍ତି ସେ ଆଉ ମାଣ୍ଡିଆ ନଳି ଧରିଚି, ଲମ୍ବା ହୋଇ ଗୋଟାଏ ଓଡ଼ିଆ ନଳି ।

 

ତଳେ ମଣିଷ ମଢ଼ ପଡ଼ିଛି, ମୋଟ ମୋଟ ଶିଆଳିମାଳରେ ବନ୍ଧା ହୋଇଚି ଖୁଣ୍ଟିରେ । ଅନ୍ଧାର, ଅଳ୍ପ ଜହ୍ନ ପଡ଼ିଛି ମଢ଼ ଚାରିପାଖେ ଆଉ ଝରଣାରେ କରପଟିଆ ହୋଇ, ଦିହେଁ ତୁନିତାନି ବସିଛନ୍ତି । ହଠାତ୍‌ ନିଃଶ୍ୱାସ ବନ୍ଦ ହୋଇ ଯାଉଥାଏ–ନାଚି ନାଚି ମହାବଳ ଆସିଲା, ଦେହକୁ ଫୁଲେଇ ଦେଇ କେତେ ବଡ଼ ହୋଇ ଯାଇଥାଏ । ମଢ଼କୁ ଶୁଙ୍ଘିଲା, ଚାଟିଲା ।

 

ମଢ଼ର ଗୋଟାଏ ହାତ ଟେକି ସିଧା ହୋଇ ଦେଖାଇଲା ଶାଳ ଗଛକ ଆଡ଼କୁ, ଯେଉଁଠି ଦୁହେଁ ବସିଥାନ୍ତି ସେହି ଆଡ଼କୁ । ଟିକ୍ରା ପାଣି ହୋଇ ଯାଉଥାଏ, ତଣ୍ଟିଟା ଯେପରି କିଏ ଚିପି ଧରିଛି-

 

ମହାବଳ ଥରେ ମାତ୍ର ଅନେଇଁ ଦେଲା, ଯେପରି ନିଆଁଗୁଡ଼ାଏ ଫୋପାଡ଼ୁଛି ଆଖିବାଟେ, ତା’ପରେ ମଢ଼କୁ ମନ ଦେଲା । କୁଦା ମାରି ମାରି କତିକି ଘୁଞ୍ଚି ଆସେ, ହାତଟାଏ ଗୋଡ଼ଟାଏ କାମୁଡ଼ି ଧରି ଆସ୍ତେ ମୁହଁକୁ ବୁଲେଇ ଦିଏ, ହାତଗୋଡ଼ ଛିଣ୍ଡିଛାଣ୍ଡି ଯାଏ ଚଡ଼୍‌ଚାଡ଼୍‌ କଡ଼୍‌କାଡ଼୍‌ ହୋଇ, ଚୋବେଇ ଚୋବେଇ ନାଚିକୁଦି କିଛି ବାଟ ବାଘ ଚାଲିଯାଏ । ବଡ଼ ଆଁଟାଏ କରି ବସି ହସେ । ଜହ୍ନ ଆଲୁଅରେ ଚିକ୍‌ ଚିକ୍ କରେ ତା’ଣ ବଡ଼ ବଡ଼ ଦାନ୍ତଗୁଡ଼ାକ ।

 

ଧାଇଁଆସି ମାରେ ମଢ଼କୁ ଗୋଟାଏ ଗୋଇଠା, ଶିଆଳି ଡୋର କୁଟ୍‌କୁଟ୍ଟା ହୋଇ ଛିଣ୍ଡିଯାଏ । ପୁଣି ମଢ଼କୁ ଚାଟେ, ହାତରେ ଆଉଁଶେ, କତିରେ ବସି ଶୁଙ୍ଘେ, ଅଳି କଲା ପରି ଥିରି ଥିରି ଇୟାଁଉଁ ଇୟାଁଉଁ କରେ । ପୁଣି ଚଡ଼୍‌ଚାଡ଼୍‌ କଡ଼୍‌କାଡ଼୍‌ କରି ଖଣ୍ଡେ ଖଣ୍ଡେ ଛିଣ୍ଡେଇ ନିଏ, ଉପରକୁ ଫୋପାଡ଼େ, ପାଟିରେ ଧରି ପକାଏ, ଗୋଡ଼ରେ ଗଡ଼େଇ ଦିଏ, ଜିଭରେ ଓଠ ଚାଟି ହୁଏ, ଲାଞ୍ଜକୁ ତଳେ ପିଟେ, ଆଉ ଦେଖୁ ଦେଖୁ ଆହୁରି ଫୁଲି ଫୁଲି ଯାଏ ।

 

ଟିକ୍ରାଜାନି ଦେଖୁ ଦେଖୁ ଛାନିଆ ହୋଇଗଲା, ଖଟିଆ ଉପରୁ ଗଡ଼ିପଡ଼ିଲା, ସୁ ସୁ ହୋଇ ଗଡ଼ିଗଡ଼ିକା ଖସିଲା ତଳକୁ ତଳକୁ ଶୂନ୍ୟେ ଶୂନ୍ୟ ସେ ପଡ଼ିବାକୁ ଲାଗିଲା, କେତେ ତଳକୁ–ତଥାପି ମାଟି ଛୁଏ ନାହିଁ, ଖାଲି ପଡ଼ୁଛି, ଏତିକିବେଳେ ନିଦ ଭାଙ୍ଗିଗଲା ।

 

ଦେଖିଲା ଘୋର ଅନ୍ଧାର, ମେଘ ଘୁ ଘୁ ଡାକୁଚି, ମାଣ୍ଡିଆଜାନି ଶୋଇପଡ଼ିଚି ନିଘୋଡ଼ ନିଦରେ, ସେତିକିବେଳେ ହଠାତ୍‌ ତା’ର ଚିନ୍ତା ପଡ଼ିଲା । କାଲି ସାଙ୍ଗରେ ଯିବ ମାଣ୍ଡିଆଜାନି, ଏକୁଟିଆ ଅଚିହ୍ନା ଗାଁରେ ଧାଂଡ଼ୀ ବସାଘରେ ଫୂର୍ତ୍ତି କରିବା ହୁଏତ ଆଉ ପଟିବ ନାହିଁ । ଭାରି ଛଟପଟ ଲାଗିଲା, ସେ ଶୋଇବାକୁ ମନଦେଲା ।

 

ଆଃ ! ଧାଂଡ଼ୀ ! ନୂଆ ନୂଆ ଜାତିଜାତିକା ପାଚିଲା ବଣଫଳ ପରି, କେତେ ସୁଧାର, ଆଉ କେଡ଼େ ଖୁସି ଖୁସି ! ଚିହ୍ନା ନାହିଁ ଅଚିହ୍ନା ନାହିଁ, ଆପଣା ନାହିଁ ପର ନାହିଁ, ଖାଲି ଗୀତ ନାଚ, ଫୂର୍ତ୍ତି ଆଉ ମଉଜ । ମାଣ୍ଡିଆଟା ଜୋକ ପରି ଲାଗି ରହିଥିବ ସାଙ୍ଗେ ସାଙ୍ଗେ, ଯାଃ ।

 

ଟିକ୍ରାଜାନି ଆଉ ବାଘ କଥା ଭାବୁ ନ ଥାଏ ।

ମାଟି ସବୁଜା ହୋଇଛି ।

ଜଙ୍ଗଲ ଭର୍ତ୍ତି । କ୍ଷେତ ଭର୍ତ୍ତି ।

 

ପୁରୁଣାକ୍ଷେତ ଯାଇଛି, ଯାଉ । ନୂଆକ୍ଷେତରେ ଘଡ଼ିବାଣ ପରି ଭୁରୁ ଭୁରୁ ହୋଇ ଉଠିଛି ଫସଲ । ଧାନ କ୍ଷେତରେ ପଶିଲେ ଧାନଗଛ ଠେଲିପେଲି ମାଡ଼ି ଆସୁଛି ପାଖକୁ । ଅଣ୍ଟାଏ ଯାକେ ଉଠିଯାଇ ଗୁଲୁ ଗୁଲୁ ହୋଇ ମୁହଁକୁ ଅନେଇଁ ରହୁଛି । ଦେହରେ ତା’ର ସ୍ପର୍ଶ, କେତେ ଭିତରକୁ ଭେଦିଯାଏ । ମନ ଭିତରକୁ, ସବୁ ବଙ୍କା, ତେଢ଼ା, ସଳଖ ହୋଇ ଆଗକୁ ଦେଖେ । ଆଉ କ୍ଷେତରେ ବାସ୍ନା, ଧୁଙ୍ଗୁରିଆ ପହିଲି ମଳମଳିଠୁଁ ଆହୁରି ବେଶି ଆରାମ୍‌ ଭଲ ଲାଗେ । ପାହାଡ଼ର ଢାଲୁଏ ଢାଲୁଏ ବଗିଚା । ହରଡ଼ ଗଛ ଡାହି ଖୋଲି ଦେଉଛି । ଳଙ୍କା ମରିଚ ଚେକା ମାଡ଼ୁଛି, କଖାରୁ, ଜହ୍ନି, ଲାଉ–ବଗିଚା ଭିତରେ ପଶିଗଲେ କିଏ କାନ୍ଧରେ ବାହା ଝୁଲେଇ ଦିଏ, କିଏ ଲାଖିଧରେ ଯେପରିକି ଛାଡ଼ି ଦେବାକୁ ମନ ନାହିଁ ।

 

ଟାଙ୍ଗିଆ ଫାଉଡ଼ା ଶାବଳ ଧରି ବୁଢ଼ା ଟୋକା ଦିହେଁ ଶେଷରେ ବଗିଚା ଦେଖନ୍ତି, କ୍ଷେତ ଦେଖନ୍ତି । ଦିନଯାକ କାମ, ତଥାପି ସଞ୍ଜହୋଇ ଆସିଲେ ମନ ହୁଏ ଆହୁରି କେତେ କାମ ବାକି । ହେଇ ସେ ଜହ୍ନି ଲଟାଟି, କେଡ଼େ ବିକଳ ହୋଇ ଚାହିଁ ରହିଚି, ତଳେ ଖଣ୍ଡେ ରଞ୍ଜା ଦରକାର । କେଉଁଠି ଟିକିଏ ତଞ୍ଛା ହେବ । କେଉଁ ପତ୍ର ତଳେ ପୋକଟାଏ ଲୁଚିଗଲା, ଅନ୍ଧାରୁଆ ହେଲାଣି, କାଲି ସକାଳକୁ ଦେଖାଯିବ ।

 

ନନ୍ଦିବାଲି ଗୀତ ବୋଲେ । ସୁକୃଜାନି ଚାହିଁ ଚାହିଁ ଦେଖେ, ଧୁଙ୍ଗିଆ ଟାଣେ । ଦୂର ପାଖର ପାହାଡ଼ ମହୁଡର କନ୍ଧଗୀତ ଜବାବ୍ ସୁଆଲ, ସୁଆଲ ଜବାବ୍ ହୋଇ ହୋଇ ଭାସିଆସେ, ନନ୍ଦିବାଲି ଗୀତ ବୋଲେ । ଆଉ ସବୁ କ୍ଷେତର ମନ ଉଲୁସା ଚହଳ ପଶେ ବୁଢ଼ା ମନରେ, ମନରେ ସବୁ ପୂରି ଆସୁଥିଲେ ବି ତୁହାଇ ତୁହାଇ ହୋଇ ହାଉଳି ଖାଏ,“କାମବାକି–କାମ ବାକି ।”

 

ବୁଢ଼ା ପରଜା ଅନେଇଁ ରହେ ମାଟି ଆଡ଼କୁ । ଫସଲ ସାଙ୍ଗେ, ବଣ ସାଙ୍ଗେ ସେ ଭାଇ ଭାଇ, ସେବି ମାଟିରୁ ଜନ୍ମ । ଧୁଙ୍ଗିଆ ପିଇ ଅନୋଉଁ ଅନୋଉଁ କେଉଁ ଦୂର ଦେଶର କଥା ଯେପରିକି କାନରେ ପଡ଼େ । ଯେତେ ଶରଧାରେ ମାଟିର ଛାତିରେ ଜାକିଜୁକି ହୋଇ ମିଶିଗଲେ ସୁଦ୍ଧା ଏଇ ସଞ୍ଜ ସାଙ୍ଗେ ସାଙ୍ଗେ କେଉଁମାନେ ସବୁ ଆସନ୍ତି ତାକୁ ଓଟାରି ନେବାକୁ । ମନ ଉଜାଣି ଭିଡ଼ି ଚାରିର ସବୁ ସୁନ୍ଦରୀମାକୁ ଜାବୁଡ଼ି ଧରେ, ଯେପରିକି ସେ ଛାଡ଼ିଯିବାକୁ ଚାହେଁ ନାହିଁ । ନା, ସେ ଯିବ ନାହିଁ । ଯିବ ନାହିଁ ।

 

ବର୍ଷା କମିଛି । ବେଳେ ବେଳେ ଏ ସେ ପରିଷ୍କାର ଦିଶେ । ଯେତେ ପୁରୁଣା ହେଳେ ବି ସବୁ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଲାଗେ । ସବୁ ନୂଆ ନୂଆ । ସବୁ ଆଶ୍ଚର୍ଯ୍ୟ ।

 

ସଞ୍ଜ ଆଗରୁ–

 

ଦୂର ପାହାଡ଼ କଳା ଘୁମୁର ତଳ ଚିରୁଡାଳ ଲୁଚେଇ ରଖି ପାହାଡ଼ର ସରୁ ନାସି ଅଳପେ ଅଳପେ ଓହ୍ଲେଇ ଯାଇଛି ଲମ୍ବ ହୋଇ ।

 

ଆକାଶ ତଳେ, ଦୂର ପାହାଡ଼ର ମହୁଡ଼ ଉପରେ ସରୁ ହୋଇ ଗୋଟିଏ ଗାର, ତହିଁରେ ଗୋଟିଗୋଟିକିଆ ଗଛ ପୁରୁ ପୁରୁ ହୋଇ ଘୁମେଇଁ ଘୁମେଇଁ ଠିଆ ହୋଇଛି ରହିଛି ଠାଏ ଠାଏ, ରତ ରତ ଆଲୁଅରେ । ବାଏଁ ଡାହାଣ ଧାର ଧାର ପାହାଡ଼ ଗୋଳେଇ ହୋଇ ମିଶିଛି, ଏପାଖୁ ପାହାଡ଼ର ଢାଲୁ ସେପାଖୁ ପାହାଡ଼ର ଢାଲୁ ତେର୍ଚ୍ଛା ହୋଇ ଦୁଇପାଖୁ ଖସିପଡ଼ି ଏକାଠି ଗଣ୍ଠି ବାନ୍ଧିଛି-। କିନ୍ତୁ ମିଶି ନାହିଁ ।

 

ଆଖି ଆଗରେପାହାଡ଼ର ଚିତ୍ରବିନ୍ୟାସ ଦେଖାଇ ରହିଛି ଆଲୁଅ । ପଛଆଡ଼େ ଉଞ୍ଚ ଉଞ୍ଚ ଦୂର ପାହାଡ଼ର ନାସି ଦିଶୁଛି ଗାର ଗାର ହୋଇ ତା’ ଉପରକୁ ତା’ ଉପରକୁ । ଦୂରକୁ ଦୂରକୁ ଅନ୍ଧାର ବେଶି ।

 

ପାଖ ପାହାଡ଼ର ଖାଲି ପ୍ରକାର ପ୍ରକାର ରଙ୍ଗର ବିଞ୍ଚାବିଞ୍ଚି, ଆଉ ପ୍ରକାର ପ୍ରକାର ଛାଇ ଆଲୁଅରେ । ପାଖେ ଗାଢ଼ ଶାଗୁଆର ମେଞ୍ଚାମେଞ୍ଚି ଆମ୍ବଗଛ, ସଜା ହୋଇଛି ବିମାନ ପରି । ତା’ ସେପାଖେ ହାଲୁକା ପିରିଘାସ, ଯେପରି ଅତି ପାଣିଚିଆ ଶଗୁଆ ସଙ୍ଗେ ଖଇରିଆ ମିଶେଇ କିଏ ଢାଳି ଦେଇଛି । ଏଠି ସେଠି ଧାର ଧାର ଗୋଜିଆ ଶୁଆପଖିଆ ଗଜା ଶାଳଗଛ, ଗୋଟାଏ ପାଖେ ଅଧା ଢାଲୁରେ ଡେଙ୍ଗା କଳାଘୁମୁର ‘ସାଜ’ ଗଛ, ସିଧା ସିଧା ଡାଳ, ହାତ ପରି ଠିଆ ଠିଆ ପତ୍ର । ତା ଉପରକୁ ଅରାଏ ଖାଲି ସରୁ ସରୁ ଗାର, ତା ଉପରେ ଫୁଲୁକା ଫୁଲୁକା ହାଲୁକା ହାଲୁକା କେତେଗୁଡ଼ାଏ ପାଖକୁନାଲିଚା ନାଲିଚା, ଟୋପା ଟୋପା ‘ମୁଣ୍ଡି’ ଗଛ । ଠାଏ ଠାଏ ପୁଳାଏ ପୁଳାଏ ଆକାରହୀନ ଛାଇ, ଠାଏ ଠାଏ ‘ସାଳି’ ଗଛ, ଖାଲି ଧଳା ଧଳା ଟୋପା ।

 

ଠାଏ ଠାଏ ଗୁଡ଼ାଏ ଚିକ୍ ଛିକ୍ ବୁନ୍ଦା ।

 

ଦି’ପାଖେ ଦି’ ପାହାଡ଼ରେ ଢାଲୁ ଓହ୍ଲେଇ ଆସି ଭେଟିଛି, ମଝି ଖାଲ ଏକୁ ସାନଗୁଡ଼ାର ଘରଗୁଡ଼ିକ । ନେଳୀବର୍ଣ୍ଣର ଗୋଜିଆ ଗୋଜିଆ ‘ମୁରୁଗା’ ବୁଦାର ଚକାଭଉଁରି, ତା ପଛଆଡ଼େ ଘରର ଚାଳରୁ ଅଧେ ଅଧେ ଉପରକୁ ଦିଶୁଛି, ତା ପଛଆଡ଼େ କଳା ଗୋରା ପାହାଡ଼ର ହାତଗଣ୍ଠି । ଗାଁ ଏପାଖେ ତେର୍ଚ୍ଛା ହୋଇ ପାହାଚ ପାହାଚ ହୋଇ ଓହ୍ଲେଇ ଚାଲିଛି ବେଢ଼ଶ ନଈ, ସେଠି ସାନଗୁଡ଼ାରେ ସବୁ ଧାନକ୍ଷେତ ।

 

ଗାଁ ଏପାଖେ, ବେଢ଼ା ଉପର ଢିପଚକଡ଼ା । ତଳ ଢାଲୁରେ ବହଳ ବଣ–କଦଳୀର ଅଧେ ଆଲୁଅ ଅଧେ ଅନ୍ଧାର ଛାଇ ଆଲୁଅମିଶା ଥରିଲା ଥରିଲା ପତ୍ରଗୁଡ଼ିକ । ତା ଉପରକୁ ଢିପଚକଡ଼ା, ଗାଁର ପଦାଭୂଇଁ,ପାହାଡ଼ର ହାତ ଆଞ୍ଜୁଳାରେ ଯେପରି ଶୋଇରହି ହସୁଛି ।

 

ଚାରିପାଖେ ଢିପ କରେ କରେ ଗୋଟିଗୋଟିକିଆ ମହୁଲ ଗଛ, ଯେପରି କେଉଁ କାରିଗର ଛାଞ୍ଚରେ ଢାଳି ଉତାରିଛି, ତା’ର ଲମ୍ବାଲମ୍ବା ଗୋଜିଆ ଗୋଜିଆ ଆଙ୍ଗୁଠି, ସେଥିରେ ଦର୍ପଣ ପରି ନଖସଳଖ ହୋଇ ଅଧେଯାକେ ଉଠୁଛି, ତା’ପରେ ବାଙ୍କୁଳି ବାଙ୍କୁଳି ଗଣ୍ଠଗଣ୍ଠିଆ ଡାଳ, ତା’ପରେ ଶବ୍ଦ ଜାଲରେ ଧ୍ରୁପଦ ପରି ଲହର ଦେଇ ଦେଇ ତଳକୁ ଉପରକୁ, ଏପାଖ ସେପାଖ, ମୂଳରୁ ମୋଟ ମୋଟ ଅଗକୁ ସରୁ ସରୁ ଗାର, ବଙ୍କା ବଙ୍କା । ପୁରୁଣା କାଣ୍ଡ ଆଉ ଚିକ୍‍କଣ କଳା ନୂଆ ସରୁ ଡାଳର ଜାଲ ଚିକ୍‍ଚିକ୍‍ ଧଳା, ଯେପରି ଗୋଟିଏ ଢଳେଇ ତା’ରକସି କାମରେ ଗୋଲ ଜାଲ କିଏ ସ୍ଥାପନ କରିଛି ଛଉଛଉକା ଦମ୍ଭ ଖୁଣ୍ଟି ଉପରେ ।

 

ମଝିରେ ଗୋଟିଏ ବଡ଼ ବରଗଛ, ବଢ଼ୁ ବଢ଼ୁ ଅତି ଉଞ୍ଚରୁ ଉତୁରି ଉତୁରି ଯେପରି ଠାଏ ଠାଏ ଧାର ଧାର ସିଧା ହୋଇ ଅଜାଡ଼ି ପଡ଼ି ଶୁଖିଯାଇଛି । ଛୋଟ ପାହାଡ଼ଟିଏ ସେ ନିଜେ ।

 

ଦୂରର ପାଖର ଦୃଶ୍ୟ ସବୁ ଚଳନ୍ତି ଛାଇ ପରି ଦେଖୁ ଦେଖୁ ବଦଳି ନିଭି ନିଭି ଆସେ । ବୁଢ଼ା ଟୋକା ଦୁହେଁ ଘରକୁ ମୋହାନ୍ତି ।

 

ଅନ୍ଧାର ସାଙ୍ଗେ ସାଙ୍ଗେ ଉଦାସ ଅବସାଦ ଓହ୍ଲାଏ ବୁଢ଼ା ଉପରକୁ । ଖାଲି ଭାବି ହୁଏ । ଏହିପରି ଦିନେ, ମେଘ ରହିଥିବ, ଗଛ ଗଜୁରୁଥିବା, ସବୁ ଥିବ ଆଉ ସେ ନ ଥିବ । ଦିନ ସରି ଆସେ, ବୃଥା ଆଶା ବାନ୍ଧି ଲାଭ ବା କଅଣ ? ଟଳି ପଡ଼ିବ ସେ ବି । ବିଲି ଟୋକୀର ଯାହାକିଛି ବନ୍ଦୋବସ୍ତ ହୋଇଗଲେ, ଭଲ ହେଲା । ଆହୁରି ତିନୋଟି ପିଲା ରହିଲେ ବାକି କେମିତି ବିଭା ହେବେ, ସେ ଜାଣେ ନାହିଁ । କେମିତି ଘର ଚଳିବ ? କେତେଦିନ ବା ଦୁଇଭାଇ ଗୋତିହୋଇ ବାନ୍ଧିହୋଇ ରହିଥିବେ ?

 

ମାଣ୍ଡିଆ ଟିକ୍ରା ବିଭା ହୁଅନ୍ତେ । ମଲେ ସୁଦ୍ଧା କେଉଁ ବୋହୂ ପେଟରେ ତା’ର ଡୁମା (ଆତ୍ମା) ଯାଇ ରହନ୍ତା, ସେ ଜନ୍ମ ହୁଅନ୍ତା, ପୁଣି ସୁଖ ଦୁଃଖ ବୁଝନ୍ତା, ଥାହାନ୍ତା ପିଲାମାନଙ୍କ ସାଙ୍ଗେ ସାଙ୍ଗେ ! ତା’ ଆଗରୁ ମଲେ କେଜାଣି କେତେଦିନ ତା’ର ଡୁମା ପ୍ରେତ ହୋଇ କେଉଁଠି ଅଘୋରି ହୋଇ ବୁଲୁଥିବ ଯାଇ, ଆଉ ଯଦି ବା ଜନ୍ମ ହେବ, କେଉଁ ଦୂର ବିଦେଶରେ, କେଉଁ ଅଚିହ୍ନାଘରେ–ଏ ଜନ୍ମର ପିଲାମାନଙ୍କ ସାଙ୍ଗେ , ଜମି ସାଙ୍ଗେ, ଘର ସାଙ୍ଗେ ଦେଖାଇ ହେବ ନାହିଁ ଆଉ ।

 

ଯହୁଁ ଯହୁଁ ବୁଢ଼ା ହୁଏ ସମ୍ବାରୀ ମନେପଡ଼େ ବେଶବେଶି । କେଉଁଦିନୁ ତ ମଲାଣି ସେ । ସତେ କ’ଣ ଆଉ କେଉଁଠି ଜନ୍ମ ହୋଇ ନ ଥିବ ! ସେ କ’ଣ ଅପେକ୍ଷାକରି ବୁଲୁଥିବ ବଣେ ବଣେ-?

 

ସବୁ ଗୋଳମାଳ ହୋଇଯାଏ । ପୁଣି କିପରି ବିଶ୍ୱାସ ଆସେ –ସମ୍ବାରୀ ଅପେକ୍ଷା କରି ରହିଥିବ ପରା । ସେ ପାଖଟା ଆଉ ନିଛାଟିଆ ଲାଗିବ ନାହିଁ ।

 

ଛାତି ହାଲୁକା ଲାଗେ । ସୁକୃଜାନି ଧୁଙ୍ଗିଆ ଟାଣେ ।

 

ହଳ କାଉଡ଼ି ଗୋତି ଧରି ମୁଣ୍ଡବେଳ ସମୟରେ ସାହୁକାର ସତକୁ ସତ ତାଷ କରିବାକୁ ପହଞ୍ଚିଗଲା ସର୍ଷୁପଦର ଗାଁରେ । ଟୋକୀମାନେ ସକାଳୁ ଜାକିଥିବା ଦାନ୍ତକାଠି ଖଣ୍ଡଟିମାନ ଚୋବାଇ ଚୋବାଇ ପାଣିଗାତକୁ ଓହ୍ଲେଇ ଯାଉଛନ୍ତି । ସାହୁକାର ଆସିଲା, ମଧୁ ଘାସି ଖଣ୍ଡେ ଦୂରଯାକେ ପାଛୋଟି ଗଲା । ଦୁହେଁ କଥାଭାଷା ହେଲେ ।

 

ସାହୁକାର ୟାକୁ ତାକୁ ଆଙ୍ଗୁଠି ଦେଖାଏ, ମଧୁ ଘାସି ସମ୍ବାଦ ଦିଏ । ଟୋକୀମାନେ ଚାଲି ଯାଉଥିଲେ । ଦିହିଁକା ଦିହେଁ ଏକା ଆଖିରେ ପଛକୁ ଅନେଇ ରହି ରହି ଅନ୍ୟମନସ୍କ ହୋଇଯାଆନ୍ତି, ସାହୁକାର କ’ଣ କହେ, ମଧୁଘାସି କ’ଣ ଜବାବ୍ ଦିଏ, ପଦାକୁ ପତ୍ତା ମିଳେ ନାହିଁ । ମଧୁଘାସି ହାତ ପତେଇ ଦେଲେ “ଦେ ଗୋଟିଏ ଟଙ୍କା” । ସାହୁକାର ଟିକିଏ ଭାବି ହାତକୁ ଟଙ୍କାଟିଏ ବଢ଼େଇ ଦେଲା ।

 

ସେ ବାଟେ ଜିଲି ଆସିଲା, ମଧୁଘାସି କହିଲା, “ଦେଖ୍ ଏଥର” । ପ୍ରଶଂସା କରି ଅନେଇଁ ରହିଥାଏ ସାହୁକାର । ଜିଲି କିଛିବାଟ ଆଗେଇ ଯାଇ କୁହାଟ ମାରିଲା ।

 

“ତୁଇ କିରେ ମଧୁ ?”

“ହଁ ମୁଇଁ,” ମଧୁ କହିଲା, “ଆ ଶୁଣିଯା ।”

“ନାହିଁ ଡେରି ହେଲାଣି, ମୁଁ ଯାଉଛି ।”

 

ଜିଲି ବାଟ ଭାଙ୍ଗି ଦାନ୍ତକାଠି ଚେବୋଇ ଚେବୋଇ ଚାଲିଗଲା । ଥାଇ ଥାଇ ତରିକି ତରକି ପଛକୁ ଟିକିଏ ଅନେଇ ଦିଏ ।

 

ସାହୁକାର ସୁନାବନ୍ଧା ହାତ ଉପରକୁ ଟେକେ, ପାପୁଲି ହଲାଏ, ବଡ଼ ପାଟିରେ ଡାକିବ ବୋଲି ମୁହଁ ଆଁ କରେ, ପୁଣି ଏପାଖ ସେପାଖ ଅନା ଏଁ, ଆଁ ଟା ରହିଯାଏ, ଶବ୍ଦ ବାହାରେ ନାହିଁ ।

 

ମଧୁଘାସି କହିଲା–

 

“ସେମିତି ଆସିବ ନାହିଁ । ଭଲ ଖଦି ଲୋଡ଼ା, ବାସ୍ନା ସାବୁନ୍ ତେଲ, ବେଳକାଳକେ ଫୁଲହାର ଗୋଟିଏ ଦିଇଟା, ଖଜା ମିଠା ଖିଲ ଖଣ୍ଡେ ଦି’ଖଣ୍ଡ ।”

 

ସାହୁକାର କହିଲା–

“ସବୁ ମୁଁ ଦେବି, କୋଉଟାକୁ କେବେ ନାହିଁ କଲି କି ?”

 

ମଧୁ କହିଲା, “ତୁ ନ ଦେବୁ ବୋଲି ମୁଁ କହୁଚି କି ? ମାତ୍ର ଜାଣିଚୁ ତ, ଯେ ଯେତେ ବଡ଼ ତା’ର ଦାମ୍ ସେତେ ବେଶି, ୟାର ପ୍ରକାର ଭିନେ । ଖାଲି ଫୁସୁଲେଇ ଡାକିଦେଲେ ଆସିବା ଲୋକ ଏ ନୁହେଁ । ଭାଇମାନଙ୍କୁ ଯେମିତି ଗୋତି ରଖିଚୁ, ଭଉଣୀକୁ ଯଦି ନେଇଯାଇ ପାରନ୍ତୁ ତେବେ ବା ହୁଅନ୍ତା । ନେବାର ଅଛି, ଯାହାପଛେ ଲାଗୁ । କେଉଁଠି ତୁମ ଶୁଣ୍ଢି କୁଳରେ ଏପରି ଗୋଟିଏ ପାଇବୁ-?”

 

ସାହୁକାର ଭାବୁଥାଏ, ମଧୁ ତା’ର ଭାବନା ଉପରେ ପାହାର ମାରିଲା ପରି ପୁଣି କହିଲା–

 

“ତୋର ଦିନକୁ ଗୋଟିଏ ଲୋଡ଼ା । ଏତେବେଶି ଲୋକରେ କି ଦରକାର ? ତା’ ଅପେକ୍ଷା ଖାଦି ଖଦି ଦେଇ ପୁଞ୍ଜାଏ ପାଞ୍ଚୁଟାଭଲ ଦେଖି…. । କେଡ଼େ ସୁନ୍ଦର ହୁଅନ୍ତା । ନୋହିଲେ କେତେବେଳେ କାହାଠୁ ଯଦି କେଉଁ କାଇଲା (ବେମାରି) ଡେଇଁବ, ଜୀବନଟା ଗଲା ।”

 

ଧର୍ମ ଉପଦେଶ ଶୁଣି ସାହୁକାର ବିରକ୍ତ ହେଲା । ଜିଲି କେତେବେଳ ଅଦୃଶ୍ୟ ହେଲାଣି-। ସାହୁକାର ଉଦ୍‍ବିଗ୍ନ ହୋଇ କହିଲା–

 

“ଦେଖ୍ ମଧୁ ତତେ ଲାଗିଲା । ମୋର ଏତେ କଥାରେ କୌଣସି ପ୍ରୟୋଜନ ନାହିଁ ।”

 

ବର୍ଷା କମିଛି, ସାହୁକାର ପୁଣି ସେହି ଧାଂଡ଼ା ବସାଘରେ ରହିଲା । ଚାକରମାନେ ଗାଁରେ କେଉଁଠି କେଉଁଠି ଦେଖି ରହିଗଲେ । ତହିଁଆର ଦିନ ସୁକୃଜାନିର ଭୂଇଁରେ ସକାଳୁ ସାହୁକାର, ଗୋତି, ଆଉ ହଳ ପ୍ରବେଶ କଲେ ।

 

ଜମିରେ ବହୁତ କାମ ଲାଗିଲା । ବହୁତ ଲୋକ ଖଟିଲେ ।

Unknown

 

ଟିକିଏ ‘ବେଳ ଉଦିବାରୁ’ ସେହି ବାଟେ ନିନ୍ଦିବାଲି ଆଉ ସୁକୃଜାନି ଦୁହେଁ ବିଲକୁ ଚାଲିଲେ । ସୁକୃଜାନି ସେଠି ଅଟକି ଗଲା । ଉପରେ ପଡ଼ି ସାହୁକାର ସଙ୍ଗେ ଗପସପ ହେଲା, ମତାମତ ଦେଲା । କହିଲା–

 

“ହଳ କରିବାକୁ କିଛି କଷ୍ଟ ହେଉ ନାହିଁ ସାହୁକାର, ହେଇ ଦେଖ୍ କେଡ଼େ ସୁନ୍ଦର ଚାଲିଚି-। ବେଶି ମାଡ଼ିବାକୁ ବି ପଡ଼ୁ ନାହିଁ ।”

 

ସାହୁକାର କହିଲା–

“ମତେ ଆଉ କି କଷ୍ଟ ? ପଇସା ଖର୍ଚ୍ଚ କଲେ ସବୁ ଅସାଧ୍ୟ ସାଧ୍ୟ ହେବ ।”

 

“ଏଇ ଖଣ୍ଡକରେ ଧାନ କରିବୁ ତ ସାହୁକାର ? କି ଧାନ ବୁଣିବୁ ? ଯାହା ବୁଣିବୁ ତା’ ହେବ । ଏଇ ଦେଖ୍, ଏଠି ମୁଁ ଧାନ ପଚାଏଁ, ଏଠି ମାଣ୍ଡିଆ, ସେ ପାଖରେ କାନ୍ଦୁଲ, ହେ ସେଠି–ଅଳ୍‍ସି, ସୁଆଁ । ତୁ ବି ତ ସେଇଆ କରିବୁ ? ନା କ’ଣ କହୁଚୁ ସାହୁକାର ?”

 

ନାନ୍ଦିବାଲି ଅସ୍ଥିର ହୁଏ, ସୁକୃବୁଢ଼ା ଆପଣା ବିଲ ବିଷୟରେ କହିଲାଗେ, ଯେତିକି କହେ ସେତିକି ବେଶି କହିବାକୁ ମନ ବଳେ ।

 

ସାହୁକାର କେତେ ଶୁଣେ, କେତେବେଳେ ଅତି ତାଚ୍ଛଲ୍ୟ କରି ଏଣୁ ତେଣୁ କହେ । କେତେବେଳେ କଥା ମଝିରେ ଉଠିଯାଇ ଗୋତିମାନଙ୍କୁ ଉପଦେଶ ଦିଏ, ହୁକୁମ ଜାରି କରେ ।

 

“ଡେରି ହୋଇଯାଉଚି ଯିବା ପରା ।”

ସୁକୃଜାନି କହିଲା–

 

“ଯିବା ହଁ–ରଇଥା, ଟିକିଏ ଆସୁ, ଆଉ ଟିକିଏ ବତେଇ ଦେଇଯାଏ । ଯୋଉଟା ଯେଉଁଠି ତାକୁ ସେଠି ନ ବୁଣି ଭିନେ ଜାଗାରେ ବୁଣିଲେ ଭଲ ପାଚିବ ବି ନାହିଁ, ଆଉ ମାଟି ବାରଚାଉଳିଆ ଖଇଚା ହୋଇଯିବ । ତା’ର କି ଯାଏ, ସେ ତ ବନ୍ଧା ଧରିଚି, ପଛେ ଆମେ ହଟହଟା ହେବା ।”

 

ସାହୁକାର ଏଥର ବାହୁଡ଼ି ଆସି କହିଲା–

 

“ଖାଲି ଠିଆଟା ହୋଇ ଭାରି କଥା ଗପୁଛୁ କ’ଣ ? ହଳ କରୁନୋଉଁ ? ତୋ ଭୂମି ତତେ ବେଶି ଜଣା, ଟିକିଏ ଲାଗ୍ ।”

 

ହସି ହସି ଗଡ଼ିଗଲା ।

“ଆରେ–ହଉ ହଉ କୁଲି ଦେବି ପଛେ–ଯା, କାଉଡ଼ି ଥୋ ।

ନନ୍ଦିବାଲି ବୁଢ଼ାର ହାତଧରି ଟାଣିନେଲା, କହିଲା–

“ବେଶି କାମ ଅଛି ତେଣେ, ଡେରି ହଉଚି ।”

ବୁଢ଼ା ଚାଲିଲା । ପଛକୁ ସାହୁକାର ହସି ହସି ଗାଳି ବରଷିଲା–

 

“କେତେ ଚଞ୍ଚଳ ମେଡ଼ୁଆର (ଅବାଧ୍ୟ) ହୋଇଗଲା ଦେଖ । କାଲି ମୋର ଗୋତି ଥିଲା, ଆଜି ମୁଁ ଡାକିଲେ ବି ଶୁଣୁ ନାହିଁ । ଗ୍ୟାଳ୍‍ପ ପରଜା ତାଷ କେମିତି ହୁଏ ମତେ ଜଣାନାହିଁ ଯେ, ଆସୁଛନ୍ତି ମତେ ଗୁରୁ ହେଇ ପାଠ ଶିଖାଇବାକୁ ! ଆଉ ସେ ଭେଣ୍ଡିଆଟା, ଘରଜୋଇଁ ଆସିଚି କି ନା ତେଣୁ ଏତେ ଆଣ୍ଟ, ଗ୍ୟାଳ୍‍ପ ମୋର ଗୋତିର ଗୋତି !”

 

ନନ୍ଦିବାଲି ଆଉ ସୁକୃ ବୁଢ଼ା ଆପଣାର ନୂଆ କ୍ଷେତକୁ ଚାଲିଗଲେ । ନନ୍ଦିବାଲି କହିଲା–

“ଆଉ ତୁ ସେ କ୍ଷେତ ପାଖକୁ ଯିବୁ ନାହିଁ ।”

ବୁଢ଼ା ଚିହିଁକି ଉଠି କହିଲା–

“କେମନ୍ତ ?”

ନନ୍ଦିବାଲି କହିଲା–

“ଆରେ, ପକେଇ ଦେଇଚୁ ଯେଉଁ ଛେପକୁ ପୁଣି ତାକୁ ଆଉ ପାଟିକୁ ନେଇ ହୁଏ କି ?”

ବୁଢ଼ା କହିଲା–

“କାହିଁକି ? ମୁଁ କ’ଣ ମୋର ଭୂମି ବିକି ଦେଇଚିକି ତାକୁ ?”

ନନ୍ଦିବାଲି କହିଲା–

 

“ନ ବିକିଲେ ବି, ଏବେ ସେ କରିବ, ତୁ ମୁକୁଳେଇବା ଯାକେ । କାହିଁକି ପରଲୋକ ପାଖକୁ ଯିବା ? ଯାହା ତାହା କହିଦେବ, ଦେଖିଲେ ଆପଣାର ଭୂମି, ସେହି ପରଲୋକର ଅଧିକାର-। ସେଠି ଠିଆହେଲେ ମନଦୁଃଖ ।”

 

ଗୁମ୍‍ ହୋଇ ବୁଢ଼ା ଚାଲିଗଲା । ସତେ ତ, ସେ କିଏ ?

 

ଘର ପଦାକୁ ଗୋଡ଼ କାଢ଼ିଲେ ବାଟପାଖେ ଶୋଇ ରହିଚି ଜମି । ନିତିଦିନର ଭୂମି, ଦାଦିଆନକାଳର ଭୂମି । ସେହିବାଟେ ସେ ଯିବ, ସେଠି କମେଇଁ ଖାଉଥିବ ସାହୁକାର । ଅନେଇଁ ଦେଲେ ଖେଙ୍କି ଗୋଡ଼ାଇବ, କଥାପଦେ କହିଦେଲେ ତେଣ୍ଟା ଲାଗିବ । ନନ୍ଦିବାଲି ପିଲାଟିଏ ସିନା, ସତ କହିଲା ।

 

ମୁଣ୍ଡକୁ ଛାତିରେ ଅଜାଡ଼ି ଦେଇ ଅସରନ୍ତି ଦୁଃଖର ଛାଇ ନାକ ଆଗରେ ଦେଖିଲା ପରି ପାହୁଣ୍ଡେ ପାହୁଣ୍ଡେ ହୋଇ ସୁକୃଜାନି ଆଗକୁ ଚାଲିଲା ।

 

ପୁଣି ଯେପରିକି ମଳୟ ବୋହିଲା, ଘୋର କଟିଗଲା, ଆଶାର ଆଲୁଅ ବିଞ୍ଚିହୋଇ ପଡ଼ିଲା, ସୁକୃଜାନି ଭାବିଲା–“ଆରେ ସତେ ତ ! ସବୁଦିନେ ତ ଏପରି ନ ଥିବ । ଟୋକୀବିଲା ବିଭା ହେବେ । ଜିଲି ପାଇଁ କଞ୍ଚାଟଙ୍କା ଆସିବ ଘରକୁ । ନୂଆ କ୍ଷେତର ପାଚିରୁ ଟଙ୍କା ଉଠିବ । ଜମି ମୁକୁଳିବ, ଗୋତିପଣ ଫିଟିଯିବ – ଏଇ ଦି’ ଦିନର କଥା ତ, ବଳେ ଟାଳି ହୋଇଯିବ ।”

 

ମୁଣ୍ଡ ସଳଖ ହୋଇ ଆସିଲା । ଛାତିର ହୁଗୁଳା ପଞ୍ଜରା ହାଡ଼ଗୁଡ଼ିକ ଟାଙ୍କି ହୋଇଗଲା ।

ସୁକୃଜାନି ଚାଲିଲା ।

 

ପୁରୁଣା କ୍ଷେତ–ଦାଦିଆନି କାଳରୁ ଏ ଗାଁରେ ତା’ର ଚେର, କେତେପୁରୁଣା ସେ, ବୁଢ଼ାର ପିତୃପୁରୁଷଙ୍କ କାହାଣୀ ଲେଖାଅଛି ସେଥିରେ, ଆଉ ତା’ର ଆପଣାର ଜୀବନ ଗୋଟାକର ।

 

ଘରର ଲକ୍ଷ୍ମୀକୁ ପର ହାତକୁ ଟେକିଦେଇ ବସିଛି ସେ ଅଲକ୍ଷରା ହୋଇ ।

 

ବିନା ଦୋଷରେ କାହାର ଖାଇବା ପତରରେ ସତେ ଯେପରି ପାଉଁଶ ପକେଇଲା ସେ, ସେ ସେତିକି ଦାଉ ସାଧୁଛି ଖାଲି ଆଖିର ଚାହାଣୀରେ ।

 

ସେହିପରି ଲାଗେ, କ୍ଷେତବାଟେ ଗଲେ, ସେଠି ଟାକି ବସିଛି ସେ, ଯାହାର ମୁହଁକୁ ଚାହିଁଲେ ସରମ ଲାଗେ ।

 

ଉଦୁଉଦିଆ ଦି’ପହରେ ନିଛାଟିଆବେଳେ ଗାଁ ଦାଣ୍ଡର ପିତୃପୁରୁଷ ପଥରଙ୍କ ବାଟେ ଗଲେ ସେମାନେ ବି ଯେପରି ଗାଳି ଦେବାକୁ ଠିଆ ହୋଇଥାଆନ୍ତି ସେଠି, ଅଧଲଙ୍ଗଳା ଡେଙ୍ଗା କୌପୁନି ପିନ୍ଧା ପିତୃପୁରୁଷ ।

 

“ଆଉ ମୁକୁଳେଇ ପାରିବୁ ? କିଏ ସେ ତୁ ଆମର ଜମି ବୁଡ଼େଇବାକୁ ? ଛି ତୋ ମୁହଁକୁ-!”

 

ମୁହଁ ଜଳିଯାଏ । କ୍ଷେତବାଟେ ଗଲେ ମୁଣ୍ଡ ତଳକୁ ପୋତିବାକୁ ହୁଏ, ସେଠି ବି ଖାଲି ଛି ଛି ।

 

ରାତିରେ ନିଦଭାଳରେ କେତେ ପ୍ରକାର ସ୍ୱପ୍ନ ଦେଖେ ସେ । ଗୋଟିକ ପରେ ଗୋଟିଏ ହୋଇ ହଜିଥିବା ବୁଢ଼ାମାନେ ବାଡ଼ି ଠୁକୁଠୁକୁ କରି ଚାଲିଆସନ୍ତି । ଗାଳି ଦିଅନ୍ତି, ଚାଲିଯାଆନ୍ତି ।

 

“କାହାର ଖରାପ ଡୁମା ତୁ ଆସିଥିଲୁ ଖାଲି ବୁଡ଼େଇ ଦେବାକୁ !”

 

ନିଦ ବାଉଳାରେ ସାହୁକାରକୁ ସେ ଟଙ୍କା ଯାଚେ । ସାହୁକାର ଗୋଇଠା ମାରି ଟଙ୍କା ଗଡ଼େଇ ଦିଏ, କହେ–

 

“ଜମି ମୁଁ କଣିଛି, ଜମି ମୁଁ ଛାଡ଼ିବି ନାହିଁ ।”

 

ହା’ ପଶିଯାଏ । ଝାଳରେ ତିନ୍ତି ନିଦ ଭାଙ୍ଗେ । ପୁଣି ସବୁ କଥା ଭାବି ଠିକଣା କରେ–ମିଛ ଆଶଙ୍କା ।

 

ମନକୁ ଫୁସୁଲାଏ, “ଏ ବରଂ ଭଲ , ଜମି ପଡ଼ିଆ ପଡ଼ିଥାନ୍ତା– ”

 

ପୁଅକୁ ସମ୍ମତି ଦେଇଛନ୍ତି । କିନ୍ତୁ ଆଜି ଯଦି ସମ୍ବାରୀ ଥାଆନ୍ତା, ମଙ୍ଗିଥାଆନ୍ତା କି ? ବେଳେବଳେ ଅବିଶ୍ୱାସ ଆସେ, ପୁଣିଭାବେ, ହଁ ସେ ମଙ୍ଗିଥାନ୍ତା ।

 

ଭାବେ ପୁଣି, ମଲା ହଜିଲା ଲୋକଙ୍କୁ ଆଖିରେ ଧୂଳି ଦେଇପାରିବ ନାହିଁ ସେ । ସେମାନେ ଜାଣନ୍ତି ସେ ଜମି ଦେଇ ନିଜେ ମୁକୁଳିଲା । ସେମାନେ କ’ଣ ଭାବୁ ନ ଥିବେ ସେ ସ୍ୱାର୍ଥପର ?

 

ନା,ସେ ସ୍ୱାର୍ଥପର । ପଦାକୁ ଯେତେ ଯେତେ କାରଣ ସେ ଦେଖାଇ ହେଉ, ସେ ସ୍ୱାର୍ଥପର ନୁହେଁ ତ ଆଉ କ’ଣ ? ଗୋତିଖଟିବାକୁ ବୁଢ଼ା ହାଡ଼ରେ ଦରଜ ଲାଗୁଥିଲା ପରା ।

 

ଛି ଛି !!

 

ବାଉଳା ଲାଗେ । ନୂଆ କ୍ଷେତରେ ଫସଲ ଭିତରେ ବୁଡ଼ି ରହି ମନେହୁଏ ପୁରୁଣା ପାଇଁ ସେ ମନ ହାଲୁକା କରି କାନ୍ଦିଯିବା । ମନେ ମନେ ସବୁ ଦେବତା, ସବୁ ଡୁମା, ସବୁ ପିତୃପୁରୁଷଙ୍କୁ ସାକ୍ଷୀ ଦେଇ କହେ, ସେ ସ୍ୱାର୍ଥପର ନୁହେଁ । ସ୍ୱାର୍ଥପର ନୁହେଁ । ଜମି ମୁକୁଳେଇବା ଅବଶ୍ୟ ।

 

ସାହୁକାର କ୍ଷେତ ଉପରେ ତଷିଯାଏ, ଲଙ୍ଗଳାଫାଳଗୁଡ଼ାକ ବିନ୍ଧେ ବୁଢ଼ାର ଛାତିରେ । କ୍ଷେତରେ ପର ଲୋକର ସବୁ ଚହଳ ମନଭିତରେ ତୋଫାନ ଉଠାଏ ।

 

“କ’ଣ ନ୍ୟାୟ ? କ’ଣ ସତ୍ୟ ? ମୋ ବେଳକୁ ସବୁ କଟକଣା !”

ତାଷୀର ରକ୍ତରେ କ୍ଷେତର ମାଟି, ସାହୁକାର ବୁଝିବ କି ଏତେ ?

 

ବୃଥା ହାଇଁପାଇଁ । କଠିଣ ସତ କଥାଟା ମନେପଡ଼ି ସବୁ ଝାଉଁଳି ପଡ଼େ । ସେ ଦୁର୍ବଳ, ହାୟ ! ନିଜକୁ ଦୟାବନ୍ତ ହୋଇ ବୁଝେଇ ଲାଗେ ଖାଲି…….

 

ବିଲ ଉଢ଼ୁଆଳକୁ ଡାକି କହିଲା ନନ୍ଦିବାଲିକୁ–

 

“ବାପର ଖାଇବା କମି ଯାଇଛି, ଆଉ ଶୁଖିଯାଉଛି ସେ । ବେଶି କାମ କରୋଉଛୁ କି ବୁଢ଼ାକୁ ?”

 

“ନା, କାମ ସେ ବେଶି କରି ପାରୁନାହିଁ । ସବୁବେଳେ ଅନ୍ୟମନସ୍କ ରହୁଛି, କାମବେଳେ ମୁଁ କରେ ଯେତେ ଗଦା କାମ । ସେ ଖାଲି ଫାଉଡ଼ଟା କାନ୍ଧେଇ ଠିଆହୋଇ ରହିଥାଏ; କ’ଣ ଦେଖୁଥାଏ କେଜାଣି ?”

 

“ଓଃ, ଭାରୀ କାମ କରିବୁ ତୁ ତା ଆଗରେ !”

 

“ନା, ତୁ କରିବୁ ବେଶି ! ଓହୋ ! ସାରିଆଗାରୁକୁ କାତିକାଡ଼ ଶୁଣ୍ଡିଗାରୁ ହଣ୍ଡା, ଅଇଲୁସ୍‍ରେ ଟୋକୀ ତୁଇ କେଡ଼େ ରିସି ଡିଣ୍ଡା, ଆ ଦିନେ କାମକୁ, ଦେଖିବା କେତେ ହାଣିବୁ ତୁଯେ-।”

 

ଦୁହେଁ ହସିଲେ ।

 

“ନା ନା, ହସ କଥା ନୁହେଁ ନନ୍ଦିବାଲି, ମୁଁ ମଧ୍ୟ କେତେଥର ଦେଖିଲିଣି । ଏକୁଟିଆ ପିଣ୍ଡାରେ ବସି ଧୁଙ୍ଗିଆ ପିଉଥିବ । ବସିଚି ତ ବସିଚି, ମୁଁ ଡାକେ–ବାପା, ପେଜ୍‍ ଖାଉନୁ, ଶୀତଳ ହୋଇ ଯାଉଚି । ଖାଲି କହିବ, ‘ହୁଁ’, ବସି ରହିଥିବ । ପେଜ୍‍ ଦାନା ମୁହଁ ପାଖକୁ ଧରିବ ଦି’ଚାରିଥର, ପଛେ ମୁହଁକୁ ପିତା କରିଦେଇ ଥୋଇଦେବ ତଳେ । ବେଶି କଥା ସୁଦ୍ଧା କହୁନାହିଁ ଆଗ ପରି । କ’ଣ ହେଇ ଯାଉଛି ସେ !”

 

“ଓଃ ସେମିତି ହୁଏ । ଦିନଯାକ ପାଣିପବନରେ ଖଟି ଖଟି ଥକିଗଲେ ଖାଇବାକୁ ମନ ହୁଏନାହିଁ ଆଉ । କାହୁଁ ଜାଣିବ ସେ ଦୁଃଖରେ, ତୁମେ ନାଟ୍‍କାରିଆମାନେ ? କଥା କହିବ ! କଥା ! ଖାଲି ବଥା ବାହାରୁଥିବ ଯେତେବେଳେ ଦେହଯାକ, ଆଉ କଥା କହିବାକୁ ମନ ଥିବ କି ତୋ ସାଙ୍ଗେ ? ଦେଖୁନୁ, ମୁଁ କ’ଣ କଥା କହୁଚି ? ଖାଲି କାମ ।”

 

“ନାଇଁ ନାଇଁ ଥଟ୍ଟା ବୁଝିବା ସବୁ କଥା । କ’ଣ ତା’ର ହେଉଚି ମତେ ବୁଝୁନାହିଁ । ଆଗେ ତ ବେଶି କାମ କରୁଥିଲା । ଏବେ ଖାଲଟାରେ ତୁନି ହୋଇ ବସି ରହୁଛି ।”

 

“ଆଉ ଜାଣିଚୁ, ମୁଁ କେତେଥର ଦେଖିଲିଣି, ମୁଁ ଯଦି ଦୂରରେ ଥିବି ସେ ଆଡ଼କୁ ଅନେଇଁ ରହି ଠିଆ ହୋଇଥିବ ପିଠି ପଛଆଡ଼େ ହାତ ଛକି ଦେଇ । ମୁହଁପଟୁ ମେଘ ଆସୁ, କୁଆପଥର ଆସୁ, ସେମିତି ଠିଆଥିବ ସେ । ତଲ୍ରାତଲ୍ରି ଓଢ଼ି ହେବାକୁ ମନେପଡ଼ୁ ନ ଥିବ । ମୁଁ ପାଖକୁ ଯାଇ ଦେଖେ ମନକୁ ମନ ଭୁଟୁରୁ ଭୁଟୁରୁ ହୋଇ ଗପୁଥିବ ସେ ।”

 

“ହଁ, ମୁଁ ଜାଣେ । ବେଶି ମନେ ପକୋଉଚି ଏଣିକି ଏଣିକି ସେ ମୋ ମା’କୁ । କଥାପଦେ କହିବ ନାହିଁ, ମୋ ପାଖକୁ ଘୁଞ୍ଚି ଆସି ଥିରି ଥିରି ପିଠି ଆଉଁଶୁ ଥିବ ।”

 

“ଆରେ, କାନ୍ଦି ପକେଇଲୁ କିରେ ଟୋକୀ ! ଅଇଚ୍ଛା ପରା ହସୁଥିଲୁ ? ଯାଃ । ଆ ଆ, ବାପକୁ ତୋର ମୁଁ ଗଗି ରହିଛି । କିଛି ହବ ନାହିଁ, ତୁ ଦେଖିବୁ... ”

 

ମଧୁ ଘାସି ବେଶି ବେଶି ଆସେ ଜିଲି ପାଖକୁ । ଦିନୁ ଦିନ ପରିଚୟ ବଢ଼ୁଛି । ଆଗେ ଜିଲି ମନକୁ ପତିଆରା ଦେଉଥିଲା, ‘ଭଲ ଏ ବି ଗୋଟାଏ ଖେଳ । ’ ସତେ କ’ଣ ସାହୁକାର ତାକୁ ଖାଇ ପକେଇବେ ? ନାଚୁ ନା ସେ ଟିକିଏ । ଆତ୍ମାପ୍ରସାଦ ଆସେ, ଏ ଗାଁରେ ଏତେ ଟୋକୀ, ରାଇଜଯାକ ଏତେ ଟୋକୀ, ଅଥଚ ତାହାରି ଗୋଡ଼ ତଳେ ଲୋକଟିଏ ଗଡ଼ି ମରୁଛି, ମରୁ ସେ । କିନ୍ତୁ ଛଟପଟ କରି ବସିଲେ ଏତେ ଆନନ୍ଦ ଆସେ କାହିଁକି ?

 

ମୁଣ୍ଡଟିକି ଖୁବ୍ ସୁତୁରା କରି କୁଣ୍ଡାଏ, ଫୁଲ ପେନ୍ଥାଟିଏ କଷିକରି ମାରି ଦେଇଥାଏ ଜୁଡ଼ାରେ, ଅଳସେଇ ମଠେଇ ମଠେଇ ଗାଡ଼ ବାଟେ ଯାଏ ସାହୁକାର ବୁଲୁଥିଲାବେଳେ । ଥରେ ଥରେ ଏତିକିବେଳେ ବାଟ ପାଖେ ମଧୁ ଘାସି ଜୁଟିଯାଏ, କଥା କହେ, ଜିଲି ଚାରି ଆଖି ହେଲେ ଚିକ୍‍ଚିକ୍ ଦାନ୍ତ ଦେଖାଇ ହସିଦିଏ । ଦିନେ ଦିନେ ଜିଲି ହସି ପକାଏ, ପୁଣି ସାଙ୍ଗେ ସାଙ୍ଗେ ତରତର ହୋଇ ଗାଡ଼ ବାଟରେ ଓହ୍ଲାଇ ଯାଏ ।

 

ବାଟରେ ଏତେ ହସମାଡ଼େ, ଭାବେ କେଡ଼େ ଛଟପଟ ହଉଚି ମଣିଷଟା । ଓଃ ଯୋଉ ହସ ! ନିଆଁ ଗୋଜିଣା ପରି ! ଅଧା ସ୍ନେହ ଅଧା ତାଚ୍ଛଲ୍ୟ ମିଶା ଗାଳିସବୁ ମନେପଡ଼େ । “ମରଣ ନାହିଁ !”

 

ଦିନେ ଦିନେ ମଧୁ ଘାସି ଆସେ ନାହିଁ, କାମ ବେଶିଥାଏ କେଉଁଠି, ଥରେ ଥରେ ଦି’ ତିନିଦିନ ଚାଲିଯାଏ । ଠିକ୍ ସେଇବେଳ ହେଲେ ଜିଲିକୁ ଅଡ଼ୁଆ ଅଡ଼ୁଆ ଲାଗେ । ଠିକ୍‌ ଯେପରି କେଉଁଠି ଠାଏ ଜାଦୁ ଅରାଏ ବହୁଦିନୁଁ ଥିଲା, ଆଜି ଖୋଜିଲାବେଳକୁ ମିଳୁ ନାହିଁ । ନଖ କଟକଟ ଡାକୁଛି ।

 

ମଧୁ ଘାସି ଜାଣି ଜାଣି ଆସେ ନାହିଁ । ସେ ଖେଳି ଜାଣେ ।

ଯେଉଁଦିନ ଆସେ, ଆରମ୍ଭ କରେ–

 

“ସାହୁକାର କହୁଥିଲା ତୋ’ କଥା । ତୋ’ ପାଇଁ କୁଆଡ଼େ ଜାକିଟି ବରାଦ ଦେଇଛି କୁମୁଟି ଦେକାନରେ । ଜାକିଟି ଦେଖିଚୁ ? ହେଇ ଏମିତି ପିନ୍ଧନ୍ତି । ଏଡ଼େ ସୁନ୍ଦର ଫୁଲଧଡ଼ି ସବୁ ସେଥରେ ଥିବ, ଆଉ ଫୁଲସବୁ ସିଲେଇ ହୋଇଥିବ କାନରେ ।”

 

ମୁଁ ପଚାରିଲି କି ପାଇଁ ଏତେ ପଇସା ଖର୍ଚ୍ଚ କରିବୁ ତା’ ପିଛା ? ମତେ ଭଲା ଦିଅନ୍ତୁ । ସେ କହିଲା–ଆରେ, ତୁ ଜାଣିନୁ ପିଲାଲୋକ । ଯେ ସୁନ୍ଦର, ଯେ ପିନ୍ଧିଲେ ସାଜିବ, ମାନିବ, ତା’ରି ପାଇଁ ଏତେସବୁ ଖଦିପଟା । ମତେ ସେ ନ ପଚାରିଲେ ନ ପଚାରୁ, ମୋର ଗଦା ଗଦା ସୁନା ଅଛି । ନ ହେଲା ଖୁସି ଶରଧାରେ ମୁଁ ତାକୁ ଜାକିଟି ଖଣ୍ଡେ ଦେଲି, ଶାଢ଼ି ଦି’ଖଣ୍ଡ ଦେଲି, ସାବୁନ ବାକ୍‍ସଟେ ଦେଲି, ରଙ୍ଗ, ବାସନାତେଲ ବୋତଲେ ଦେଲି, କ’ଣ ମୋର ସରିଯିବ ? ମୋର ମନ ।”

 

ଜିଲି କହିଲା, “ଖାଲି ତୁଣ୍ଡକଥା ନା ସତେ ସତେ ଦବ ବୋଲି କହୁଥିଲା ? ଏଡ଼େବଡ଼ ସାହୁକାରଟାଏ ତୋର, ମୋର ଭାଇମାନଙ୍କୁ ଗୋତି ରଖିଛି, ଆମର ଭୂମି ନେଇଛି, କାହୁଁ କେବେ ଖଜା ଖାଇବାକୁ ପଇସାଟାଏ ତ ଦେଲା ନାହିଁ ଆମକୁ କାହାକୁ !–”

 

“ଦେବରେ ଦେବ । ପଇସା ନେଇ କ’ଣ କରିବୁ ? କେଡ଼େ ସୁନ୍ଦର ଜିନିଷ ଆଣେଇବାକୁ ବରାଦ ଦେଇଚି, ଚିଠି ଲେଖିଚି, ସବୁର୍ କର୍ । ହେଲେ ତୋଠୁ ପଦେ କଥା ଶୁଣିଲେ କେଡ଼େ ଭଲ ହୁଅନ୍ତା ! ତା’ପରେ ତୁ ଯାହା କହନ୍ତୁ ସେଇଆ । କହିବି ?”

 

ମୁଣ୍ଡ ହଲେଇ ଜିଲି କହିଲା “ନିଚୁ ନିଚୁ” ।

 

ମଧୁ କହିଲା– “ଦେଖ୍ ଦେଖ୍, ଏମିତି ଖାଲି ନେଚୁଥିବୁ ସବୁଦିନେ, ଆଉ ମତେ ଗାଳି ଦେଉଥିବୁ କାହିଁକି ଏ’ଟା ମାଙ୍ଗି ଦେଉନାହିଁ, ସେ’ଟା ମାଙ୍ଗି ଦେଉନାହିଁ ଏମିତି କହି । ଆଜି କହିବି ।”

 

ଅତି ଚଲାଖ ମୁହିଁ କରି ଆଖି ବଙ୍କା କରି ଜିଲି କହିଲା, “ ଆଗେ କ’ଣ ଦଉଚୁ ଦେ ।”

 

ମଧୁ ଘାସି ଚାଲିଗଲା । ସେହିଦିନ ଜିଲିକୁ ସେ ଚାରଣା ପଇସା ଆଣିଦେଲା, ଜିଲି କହିଲା, “ଏତିକି କି କାମକୁ ଆସିବ ?”

 

“ନଇଲେ ଆଉ ନେ”– ଆହୁରୀ । ଚାରଣା ପଇସା ଦେଲା । ଜିଲି ପଇସାକୁ ଜୋର୍‍ରେ ମୁଠାଇ ତର ତର ହୋଇ ଚାଲିଗଲା ।

 

ଏତେଦିନ ପରେ ସତକୁସତ ଅଠଣା ପଇସା ! ଆଠଅଣା ! ଚାରିଦିନର କୁଲି । ସେ ବି ଏଠି କାହିଁ ? ଭାବିଲା ହାଟରୁ ସେ କିଛି କିଣିବ । ପୁଣି ଭାବିଲା, କି ଦରକାର ? ପାଖରେ ପଇସା ଥାଉ, ପଇସା କେତେ କାମରେ ଆସେ । ସେହିଦିନ ଅଳ୍ପେ ଅଳ୍ପେ ସେ ଭାବିଥିଲା । ରୋଟ୍ ପାଇଟି କଥା ମନେପଡ଼ିଲା । ସକ ହେଲା ସାମାନ୍ୟରେ ରୋଟ୍ ଗୁମାସ୍ତା କଥା ମନେପକାଇ । ଆପଣାମନ ଭିତରେ କାହା ପାଖରେ ଯେପରିକି ଲୁଚି ଲୁଚି ସେ ଠିକ୍ ପ୍ରସଙ୍ଗଟା ପକେଇ ତଉଲି ଦେଖିଲା, ସେହି ମନ ଭିତରେ ଯେପରି ପୁଣି କିଏ ତଡ଼ି ନେଲା । ପୁଣି ସେହି କଥା । ଘୃଣା ଲାଗିଲା । ପଇସାକୁ ଝୋଲାରେ ଫୋପାଡ଼ି ଦେବ କି ସେ, ଯେଉଁଠି ଆଉ ପଇସା କେବେହେଲେ ଦିଶିବ ନାହିଁ ? କାନିରୁ ସୁ’ କି ଦୋଓଟି କାଢ଼ି ମୁଠାରେ ଧରି ଦେଖିଲା । ୟାଡ଼ୁକୁ ସ୍ୟାଡ଼ୁକୁ ଅନେଇଲା । ପୁଣି କାନିରେ ବାନ୍ଧିଦେଲା । “ଥାଉ ଥାଉ କାମରେ ଆସିବ ।”

 

ତହିଁଆର ଦିନ ମଧୁ ଘାସି ପୁଣି ଆସି ଆଠଣା ଦେଖାଇଲା । ଜିଲି କହିଲା, “ନିଚୁ ନିଚୁ, ତୁ ଯା ।”

 

ମଧୁ ଘାସି ଜାଲିଗଲା । ତହିଁଆର ଦିନ ଲୁଚେଇ କରି ଆଣି ଦେଇଗଲା ଗୋଟିଏ ଶାଢ଼ି, ହସିଦେଲା, କହିଲା–

 

“ଏଇଟା ପିନ୍ଧିକରି ଆଜି ସଞ୍ଜବେଳେ–ୟା ସାଙ୍ଗର ଜାକିଟି ପୁଣି ଅଛି, ମୁଁ ଆସିବି ।”

 

ସଞ୍ଜ ବୁଡ଼ୁ ବଡ଼ୁ ଜିଲି ଘର ଭିତରେ ପଶିଗଲା, ଦେହ ଭଲ ନାହିଁ କହି ଆଉ ପଦାକୁ ବାହାରିଲା ନାହିଁ । ଘରେ ଶୋଇ ସତକୁ ସତ ତା’ର ମୁଣ୍ଡ ବଥେଇଲା । ରାତି ହେଲା । ରାତି ବଢ଼ିଲା, ଆଖିକୁ ନିଦ ନାହିଁ ।

 

ଅଧରାତିରେ ସେ ପଦାକୁ ବାହାରିଲା ଚଙ୍ଗ୍ ଚଙ୍ଗ୍ ହୋଇ । କେହି କୁଆଡ଼େ ଦିଶୁ ନ ଥାଏ । ଉଶ୍ୱାସ ଲାଗିଲା । ଭାରି ଡର ମାଡ଼ୁଥିଲା ତାକୁ । ସତକୁ ସତ ମଧୁ ଘାସି ଆସିଥାନ୍ତା ! କେଡ଼େ ବିପଦ କଥା !

 

ପଦାରୁ ଯାଇ ଜିଲି ଘର ପିଣ୍ଡାକୁ ଉଠୁଥିଲା । ପଛଆଡ଼ୁ କିଏ ଧରି ଟାଣିଦେଲା–ମଧୁ ଘାସି ।

 

ମଧୁ ଧୀରେ ଡାକିଲା, କହିଲା “ଆ”

 

ନିଶା ଖାଇ ଚାଲିଲା ପରି ଥିରି ଥରି ଟଳିଟଳିକା ଜିଲି ତା ସାଙ୍ଗେ ସାଙ୍ଗେ ଚାଲିଗଲା । ପଦେ କଥା ବି ଫୁଟି ନାହିଁ ମୁହଁରୁ ।

 

ଗାଁର ଧାଂଡ଼ା ବସାଘର ହେଲା । ଅନ୍ଧାର ଭିତରକୁ ଅଳ୍ପକେ ଠେଲିଦେଇ ମଧୁ ଘାସି ପଛଘୁଞ୍ଚା ଦେଲା ।

 

ତହିଁଆର ଦିନ ସକାଳେ ମଧୁ ଘାସି ସାହୁକାର ଦୁହେଁ କଥାଭାଷା ହେଲା । ମଧୁଘାସି କହିଲା–

 

“ତୋ ଟଙ୍କା ଖାଇକରି ମେଡ଼ିବାକୁ ମୁଣ୍ଡ ଅଛି କି ସାହୁକାର ?”

 

ସାହୁକାର ଅନ୍ୟମନସ୍କ ହୋଇ ନିଶ ମୋଡ଼ୁଥାଏ, ଗାଧେଇ ସାରି ପୂଜା କରିବାକୁ ଯାଉଥାଏ ସେ । କହିଲା –

 

“ହୁଁ–ହୁସିଆର ସମସ୍ତେ–ମୋର କାସୁ (ପଇସା) କାସୁକେ ମନ୍ତ୍ର ଲାଗିଥାଏ, ଯେଣେ ଗଲେ ମିଶା ଶଙ୍ଖି (ତଣ୍ଟି) ରୁ ଧରି ଝିଙ୍କି ଆଣିବ ଜାଣିଥା ।”

 

ତା’ପରେ ସେ ମନ୍ତ୍ର ପଢ଼ିଲା । ମଧୁ ଘାସି ଆଁ କରି ଅନେଇଁ ଦେଖିଲା ।

 

ଜଙ୍ଗଲେ ଜଙ୍ଗେଲେ ବୁଲି ବୁଲି ଦି’ ଭାଇ ସୁଖଦୁଃଖ ହୁଅନ୍ତି, “ସବୁଦିନେ କ’ଣ ଏହିପରି ବଣ ବୁଲା ଲାଗିଥିବ ?”

 

ମାଣ୍ଡିଆ ଟିକ୍ରାକୁ ପିଲାତଳେ ଦେଖେ ନାହିଁ । ଚାଷୀର ସମାଜରେ ମଜୁରିଆର ସମାଜରେ ଯେ ପେଟ ପୋଷିପାରିଲା ତା’ର ମୁଣ୍ଡକୁ ହାତ ପାଇଲା, କହିବାର ଅଧିକାର ସେ ବି ସମସ୍ତଙ୍କ ସାଙ୍ଗେ ସମାନ, ସେ ଧୁଙ୍ଗିଆ ଟାଣିପାରେ, ସେ ସାଙ୍ଗରେ ବସି ମଦ ପିଇପାରେ, ସେ ଯଦି ଟିକିଏ ଫୂର୍ତ୍ତି କରିବାକୁ ଗଲା କେହି ଆପତ୍ତି କରିବେ ନାହିଁ ।

 

“କେଡ଼େ ଓଲୁଟାଏରେ ବାପା, ଘର ଜୋଇଁଆ ଗୋତି ରଖିନେଲା ବିଲି ପାଇଁ, ହାତରୁ ପଇସା ଛାଡ଼ିଦେଲା !” ଟିକ୍ରା କହିଲା, “ଏଣେ ଆମେ ଗୋତି ଖଟି ମରୁଥିବା !”

 

ମାଣ୍ଡିଆ କିଛି କହିଲା ନାହିଁ ।

 

ଟିକ୍ରା କେଞ୍ଚିଲା, “ତୁ ବି ତୁନି ପଡ଼ିଗଲୁ ! ସମସ୍ତେ ଆପଣା ସୁଖ ଦେଖୁଛନ୍ତି, ମୁଁ ବି ଭାବୁଛି, ଆଉ, ଏତେ କାହିଁକି ? ଏଠୁ କୁଆଡ଼େ ପଳେଇ ଗଲେ ଯାଇ ଦେଖନ୍ତି ଯଦି କିଛି ହୁଅନ୍ତା ।”

 

‘‘ସେମିତି କହ ନାହିଁ ଟିକ୍ରା, ସେଟା ପଟ୍‍କାର୍‍ ବୁଦ୍ଧି । ରଇତ୍‌ ପିଲା ହୋଇକରି ପଟ୍‍କାର୍‍ ବୁଦ୍ଧି କଲେ ସେଥିରେ ଧର୍ମ ଥିବ ନାହିଁ, ବୁଝିଲୁ । ’’

 

ଟିକ୍ରା ବେଶ୍‌ ଚାପୁଡ଼ାଏ ଖାଇଲା । ମାଣ୍ଡିଆ କହିଲା–

 

“ସେମିତି ଛଟପଟ ହେଉଛୁ ଯଦି, ସାହୁକାରକୁ କହିବା, ତୁ ଯା, ତୋ ବଦଳି ମୁଁ ହେଲେ ରହିଯିବି ବୁଢ଼ା ହେବାଯାକେ । ଯାଇ କରି କ’ଣ ବା କରିବୁ ? ଯୁଆଡ଼େ ଗଲେ ବସି ଖାଇବାକୁ ତ ନାହିଁ ଆଉ, କାମ କରିବାକୁ ପଡ଼ିବ, ତେବେ ଏଠି ଟିକିଏ ବେଶି କାମ, ଏତିକି ନା ?”

 

ଟିକ୍ରା କହିଲା, “ସତେ କ’ଣ ତତେ ଏଠି ଛାଡ଼ିଦେଲେ ମୁଁ ଆସାମ୍ ପଳୋଉଚି ନା କ’ଣ-? ତେବେ ତୁ ହେଲେ କହ, ବିଲିକୁ ବିକି ଖାଇଥିଲେ କିଛି ହେଲେ ତ ପଇସା ମିଳିଥାନ୍ତା ?”

 

ମାଣ୍ଡିଆ କହିଲା, “ସତ କଥା, ତେବେ ପଇସା ଦେଲେ ବି ନନ୍ଦିବାଲି ପରି ଏଡ଼େ କାମିକା ଲୋକଟାଏ କିଏ କେଉଠୁ ପାଇବ ନାହିଁ । ସେ ପାଚି ଉଠେଉଚି । ଘରକୁ ତ ନେବ ନାହିଁ, ସେଥିରେ ବି କିଛି ମିଳିବ । ତା’ପରେ ବାପା ବୁଢ଼ା ହେଲାଣି, ସେଠି ତାକୁ ଦେଖିବାକୁ କେହି ନାହିଁ, ନନ୍ଦିବାଲି ରହିଲା । ଆଉ ବିକି ଖାଇବାକୁ, ବିଲି ଯାଉ, ଜିଲି ତ ରହିଚି ।”

 

“ହଁ ରହିଲା ସତ, ତେବେ ତା’ର କପାଳ ଭଲ ନୁହେଁ, ନା କ’ଣ କହୁଚୁ ? ଏତେ ଟୋକୀଙ୍କୁ ବର ମିଳୁଛି, ତାକୁ ନାହିଁ ! କାହାକୁ ବର ଜୁଟେ ନାହିଁ, କାହାକୁ କନ୍ୟା ଜୁଟେ ନାହିଁ ।”

 

ମାଣ୍ଡିଆ କହିଲା, “ସେତ ସତ କଥା । ଆମେ ତ ଗାଁ ଗାଁ ଖୋଜୁଛୁ, ଦେଖାଯାଉ– ।”

“ଭାଇ ତୁ ଆଜି ମନ୍ଦା (ଗୋଠ) ଖେଦି ନେ । ମୁଁ ଟିକିଏ ଧାମନ୍‍ଯୋଡ଼ିରେ ରହିଯିବି ।”

 

ମାଣ୍ଡିଆ କହିଲା, “କେତେଥର ଏମିତି ଏ ଗାଁରେ ସେ ଗାଁରେ ଅଟକି ରହୁଥବ ତୁ ବାଟରେ ,ସାହୁକାର ଶୁଣିଲେ କ’ଣ କହିବ ?”

 

“ସାହୁକାର ଶୁଣିବେ ନାହିଁ । ତା’ପରେ, ଗାଁମାନଙ୍କରେ ବୁଲି ବୁଲି ଜିଲି ପାଇଁ ଗୋଟିଏ ବର ଠିକଣା କରିବାର ମୋର ପ୍ରଧାନ କାମ, ଆଉ ମୋର ପାଇଁ ଗୋଟିଏ ଭାଉଜ । ତେବେ କଥା କ’ଣ କି–ତୁମେ ଦୁହେଁ ଅକର୍ମା ।”

ମାଣ୍ଡିଆ ହସିଲା । କହିଲା, “ଆଉ ତୁ ନିଜେ ?”

 

“ସେଇଟା ତୁ ବୁଝି ଦେଖ୍ ମୋର ପେଟ ବଥୋଉ ନାହିଁ ସତେ । ହଉ ମୁଁ ଯାଏଁ । ଆସିଲାବେଳେ ଚେଷ୍ଟା କରି ଦେଖିବି ଯଦି ତୋ ପାଇଁ କୋଉଠୁ ବୋତଲ ଦି’ ବୋତଲ– ।”

 

ମାଣ୍ଡିଆ ହସିଲା, କହିଲା, “ହଉ ତୁ ଯା । ମାତ୍ର ଡେରି କରିବୁ ନାହିଁ ଯେମିତି । ତୁ ଆସିଲେ ମୁଁ ପୁଣି ଯିବି ତୋ’ ପାଇଁ ଗୋଟିଏ କନିଆଁ ଦେଖି ।”

 

ତିନିଦିନ ଜିଲି ଆସି ନାହିଁ, ସାହୁକାର ମହା ଖପ୍‌ପା ହେଲା ମଧୁ ଘାସି ଉପରେ । ଆଗପରି ଜିଲି ବାଟ ଉଣ୍ଡି ଠିଆ ହୁଏ ନାହିଁ, କେବେ ଦେଖାପଡ଼ିଲେ ପଛ ବୁଲେଇ ଦେଇ ଚାଲିଯାଏ ।

 

ଜିଲି ଆସିନାହିଁ, କ୍ଷେତରେ କୁଲି କାମ କରିଛି, ଘରକୁ ଫେରିଛି, ଲୋକ ମେଳରେ ଛପି ରହିଯାଇଛି । ଜିଲି ନିଜକୁ ନିଜେ ଲୁଚି ରହିବାକୁ ଚେଷ୍ଟା କରିଛି ପ୍ରାଣପଣେ । ରାତିର ନିଶା, ସକାଳକୁ ଅବସାଦ । ଭାବିଲେ ରାଗ ଲାଗେ, ଭାବିଲେ ଲାଗେ, କି ସୁଖ ପାଇଁ ଧାଇଁ ଯାଇଥିଲା ସେ ? ତହିଁରେ କି ଉପକାର ହେଲା ? ମନେ ମନେ ଘାରି ହୁଏ, କବାଟ ଖୋଲି ଦେଇ ବିଷାକ୍ତ ଚିନ୍ତାଗୁଡ଼ାକ ଦେବାକୁ ଶକ୍ତି ତା’ର ନାହିଁ, କି ମୁହଁ ନାହିଁ ।

 

ପାଇଥିବା ଲୁଗାପଟା ଦି’ଖଣ୍ଡ ଆଉ ପଇସା ସେ ତା’ର ପେଡ଼ିରେ ଲୁଚେଇ ରଖିଦେଇଚି, ଘରେ କେହି ନ ଥିଲାବେଳେ ସେ ପେଡ଼ି ଖୋଲେ, ତା’ର ସବୁ ସମ୍ପତ୍ତି ଦେଖେ, ଖୁସି ହୁଏ । ସେତିକିବେଳେ ଆଶା ବଢ଼େ, ଚୁପ୍‌ଚାପ୍‌ ବସି ରହିଥାଏ ପେଡ଼ି ପାଖେ ନୂଆ ଲୁଗା ଦି’ଖଣ୍ଡ ହାତରେ ଧରି, ତା’ର ଚାହାଣୀରେ ଉତ୍ସାହ ପୁରିଯାଏ ।

 

ପାପ ପୁଣ୍ୟର ଧାରଣା ମନରେ ପଶେ ନାହିଁ । ଖାଲି ଦୁନିଆଁ ସାଙ୍ଗେ ଲୁଚୁକାଳି ଖେଳ, ଦେଖା ପଡ଼ିଗଲେ ଡର, ଏତିକି ଯାହା । ନିରୋଳାରେ ଭାବନା ଭିତରେ ଡର ପଶେ ନାହିଁ । ଭାବି ଭାବି ଗୋଟାଏ ରାତିର ଅନୁଭୂତିକୁ ଶହେଥର ସେ ପୁଣି ପୁଣି ମନେ ମନେ ଦେଖିଯାଏ, ସମ୍ପତ୍ତି ତା’ର ଶହେ ଗୁଣ ବଢ଼ିଯାଏ, ମନେ ମନେ ।

 

ସାହୁକାର ମଧୁ ଘାସି କଜିଆ ଲାଗିଲେ । ମଧୁ ଘାସି କହିଲା–

 

“ମୋତେ କାହିଁକି ଦୋଷ ଦେଉଛୁ, ତୁଇ କ’ଣ କେମିତି ବଡ଼୍‌ରେଇ ଦେଇଥିବୁ, ସେ ଆସିଲା ନାହିଁ, ମୋର କି ଦୋଷ୍‌ ?”

 

ସାହୁକାର କହିଲା, “ବାରେ ବା ! ଖଦି ଦେଲି, ଡାବୁ (ପଇସା) ଦେଲି, ଚିତାଟେ କାଟିଦେଇ ସେ ଚାଲିଗଲା, ଆଉ କି ନିର୍ଭର ଦେଇଥିଲି ମୁଁ ତୋ ଉପରେ ?”

 

ମଧୁ କହିଲା, “ଦେଖ ସାହୁକାର, ଆମେ ଯେତେ ଯାହା କଲେ ସୁଦ୍ଧା, ଯେ ଯେମିତି ସେ ସେମିତି, ସେ ବଦଳିବ ନାହିଁ । ତୁ ପଇସା ଖର୍ଚ୍ଚ କଲୁ, ମୁଁ ମାନୁଛି, ଆଉ ତୋ ପଇସା ବି ମୁଁ ଖାଇଦେଇ ନାହିଁ । କିନ୍ତୁ ତତେ ମୂଳରୁ ମୁଁ କହିଥିଲି କି ନାହିଁ ? –ସେ ପିଲା ସେମିତି ମିଳିବ ନାହିଁ । ଦିନିକିଆ ଦେବା ନେବାରେ ଦିନିକିଆ କାମ୍‌, ହଁ ଡମ୍‌ ଲୋକ ମିଳିପାରିବେ, କିନ୍ତୁ ୟା ପରି ଅସଲ୍‌ ଧାଂଡ଼ୀ ସେଥିରେ ଲାଖିବ ନାହିଁ । ତାକୁ ଯଦି ଲୋଡ଼ା ବୋଇଲେ, ଅଣ୍ଟାରୁ ସବୁ କଉଡ଼ି କାଢ଼ିଦେବାକୁ ହେବ, ଗୋଟେ ବିଭା ମାଇକିନାପରି ଘର ଦୁଆର ତୋଳି ଦେଇ ଭଲ୍ କରି ରଖିବାକୁ ପଡ଼ିବ । ମୁଁ କ’ଣ୍ କରିବି ? ତୋର ଇଚ୍ଛା ।”

 

ସାହୁକାର ବିରକ୍ତ ହେଉଥାଏ । ପଇସା ଗଲା, ସେଥିପାଇଁ ସେ ଦୁଃଖିତ । ଆଉ ଦୁଃଖ ଜିଲି ପାଇଁ । ସେ ଆସି ଆସି ନାହିଁ, ଛୁଇଁଲେ ବି ଧରା ଦେଇ ନାହିଁ । ଦୂରରେ ଥାଇ ଖାଲି ଶୋଷ ବଢ଼େଇଚି । ତେଣୁ ତାକୁ ଦରକାର ।

 

ଯେ ଧରାପଡ଼େ ନାହିଁ ତା’ର ଦାମ୍‌ ବେଶି ।

 

ପୁଣି ଦୁହିଁଙ୍କର ସାତ ପାଞ୍ଚ । ମଧୁ ଘାସି ଖେଳ ଖେଳିଲା । ପଇସାପତ୍ର ଛିଣ୍ଡିଲା । ମଧୁ ଘାସି ପୁଣି ଗଲା ।

 

ସାହୁକାର ଭାବିବାକୁ ଚେଷ୍ଠା କଲା । ବହୁତ ପଇସା ତା’ର, ସତ, ବହୁତ ସେ ଭୋଗ କରିଛି । କିନ୍ତୁ ଏଇ ଜିଲି, ସମ୍ତଙ୍କର ଉପରେ ଯେପରିକି ସେ । ତା’ର ଅଭାବ ମନ ଭିତରେ କେତେ ଫାଙ୍କ ମେଲିଦିଏ, ଦିନୁ ଦିନୁ ଖାଲି ଅତଡ଼ା ଛିଣ୍ଡେ ।

 

ସେ ମୁହୁର୍ତ୍ତର ଦାସ । ବର୍ତ୍ତମାନର ଧାରଣା ସବୁଠାରୁ ଉଜ୍ଜ୍ୱଳ ତା’ ପାଖରେ ।

ଘର ଖାଇ ଗୋଡ଼ାଏ, ମନ ଲାଗେ ନାହିଁ ।

 

 

ଘରେ ବାପ, ବିଲି, ଆଉ ନନ୍ଦିବାଲି । ଆଉ ସେ, ଜିଲି । ଘରକରଣା କେତେକରୁ କେତେ ତା’ର ଭାଗ । ବାପର ଖାଲି ଜମି ଚିନ୍ତା, ସେ କାମ ବୁଝେ, କାମ ନ ଥିଲାବେଳେ, ବୁଝେ ଧୁଙ୍ଗିଆ, ତୁନି ହୋଇ ମାଡ଼ିମୁଡ଼ି ହୋଇ ବସି ରହିଥାଏ ଗୋଟାଏ କଣରେ ।

 

ବିଲି ଗପ କରେ ହଁ, କିନ୍ତୁ ତା’ର ଆଗ ନନ୍ଦିବାଲି । ତା’ର ସମସ୍ୟା ତୁଟିଛି, ଏଣିକି ଖାଲି ଆନନ୍ଦ, ଯେତେବେଳେ ଭଉଣୀ ସାଙ୍ଗେ ଗପ କରେ, ପକାଏ ସେ ନନ୍ଦିବାଲି କଥା, ତା’ର ଥଟ୍ଟା ନକଲ ଆଉ ଆଦର ସୁଆଗ ।

 

ନନ୍ଦିବାଲି ନବଜି ଲୋକ । ଜିଲି ସାଙ୍ଗେ ସେ ବହୁତ ଲଗାଏ । କିନ୍ତୁ ଏକାମୁହାଁ ହୋଇ ଡଙ୍ଗାରେ ଆହୁଲା ପକେଇ ସେ ଚାଲିଯାଏ, ଦି’ପାଖେ ଖାଲି ଛପର ଛପର । ଜିଲି ନନ୍ଦିବାଲିକୁ ପ୍ରଶଂସା କରେ, ଯେତେବେଳେ ତା’ର ହସରେ ହସି ହସି ପେଟ ଫଟାଏ, ବହୁତ ଦୁଃଖ ସେ ଭୁଲିପାରେ । କିନ୍ତୁ ନନ୍ଦିବାଲି ବି ଚାଲିଯାଏ, ବିଲିର ପିଛା ଧରି, ଜିଲିର ମନରେ ଭାସେ ଦୁଃଖର ମେଘ, ଭାବେ– ସେ ତା’ର କ’ଣ ବା !

 

ଏଇ ଶ୍ରାବଣ ମେଘରେ, ମୁହଁସଞ୍ଜବେଳେ ମେଘ ଅନ୍ଧାରରେ ଢାଙ୍କି ହୋଇପଡ଼ି ଯେତେବେଳେ ପାଣିପବନରେ ଦୁନିଆ ଗୋଟାକର ବିକଳ ଶବ୍ଦ ଖାଲି ଶୁଭୁଥାଏ, ନିଭିଲା ଚୁଲି ପାଖେ ହାତ ଉପରେ ଗାଲ ଭରା ଦେଇ ଜିଲି ଏକୁଟିଆ ହୋଇ ବସିଥାଏ । ସେ କିଛି ଭାବିପାରେ ନାହିଁ । ଅସ୍ତିତ୍ୱ ଗୋଟାକ ସେଇ ଗୋଟାଏ ରାଗିଣୀର ଏପାଖ ସେପାଖ ଉବେଇ ଟୁବେଇ ଭାସୁଥାଏ, ଯେଉଁ ରାଗିଣୀର ଅର୍ଥ–ତା’ର କେହି ନାହିଁ, କେହି ନାହିଁ ।

 

ଗଡ଼ିଗଡ଼ିକା ସେ ଚାଲିଛି, ଆଜିର ଧୂଳି କାଲିକୁ ଲାଖି ରହୁ ନାହିଁ । ତା’ର କେହି ନାହିଁ ।

 

ବୟସ ଗଡ଼ି ଚାଲିଛି, ମନ ଭିତରୁ ଚେତେଇ ଦଉଛି–ତା’ର ନିଜର ବୋଲି କିଛି କହିବାକୁ ବେଳ ଆସିଛି, କିନ୍ତୁ ସେ ଭାସିଚାଲିଛି ଖାଲି, ହାତ ପାଆନ୍ତିରେ କିଛି ମିଳୁ ନାହିଁ ।

 

ଏହିପରି ସମୟରେ ମଧୁଘାସି ଆସି ଡାକେ । ଦୁଇଦିନ ସେ ଆସିଲାଣି । ଦୂରକୁ ତା’ର ଚିହ୍ନା ଗଳାଖଙ୍କରା ଶୁଣିଲେ ଛାତି ଭିତର ଚାଉଁ କରେ । ସେ କଥା କହିଲେ ଜିଲି ଖାଲି ତଳକୁ ମୁହଁପୋତି ବସେ, ତୁଣ୍ଡରୁ କିଛି ବାହାରେ ନାହିଁ । ବହୁତ ବୁଝେଇ ବୁଝେଇ ସେ ଚାଲିଗଲେ ଖାଲି ଦୀର୍ଘଶ୍ୱାସ ବାହାରେ । ପଥର ପରି ସେ ସହି ରହେ ।

 

କିନ୍ତୁ ମନ ଭିତରେ ପ୍ରଳୟ ଘଟୁଥାଏ । ଭାବୁ ଭାବୁ ସେଇ ଧାରଣା ଖାଲି କୁହୁଳୁଛି ଯେ ସେ ବାଟ କାଟିଦେଇ ଚାଲିଯିବ । କେତେ ତ ଏପରି ଯାଆନ୍ତି । କାହାର ସେ କି ଅନିଷ୍ଟ କରିଛି କେଉଁ ଶିବଥାଳରେ ପାଉଁଶ ଅଜାଡ଼ିଛି ଯେ ସେ ବସି ରହିଥିବ ନିରିମାଖି ହୋଇ ।

 

ସେ ବାଟ କାଟି ଚାଲିଯିବ । ସାହୁକାରର ଘରଣୀ ହୋଇପାରିଲେ ବହୁତ ଦୁଃଖ ମେଣ୍ଟିବ ପରା । କିଏ ସେତେବେଳେ ତା’ର କ’ଣ କରିବ ? ସେ ଗାଟାଏ ନୂଆ ଜୀବନ । ଆଉ ତା’ର ସନ୍ଧାନ ଆଣେ ଶ୍ରାବଣର ଅନ୍ଧାର ରାତି ।

 

ସେ ପରଜା ଝିଅ । ତା’ର ରାଜିରେ ଘର କରିବ । ତା’ର ରାଜିରେ ଘର ଭାଙ୍ଗିଦେବ, ପୁଣି ନୂଆ ଘର କରି । ସେ ଧାଂଡ଼ୀ, ତା’ର ହସ ଫୂର୍ତ୍ତି ଦରକାର, କାନ୍ଦଣା ନୁହେଁ ।

 

ମଧୁ ଘାସି ଆଜି ଆସିଲା ।

ଆଜି ଜିଲି ନାହିଁ କଲା ନାହିଁ ।

ଦୂରରେ ଘଡ଼ଘଡ଼ି ଶବ୍ଦ । ଝାଙ୍କେଇ ଝାଙ୍କେଇ ଶୀତୁଆ ପବନ ଆସୁଛି । ଅନ୍ଧାର ବିଲ୍‌ବିଲ୍‌ ।

ଜିଲି ଚୁପ୍‌ ହୋଇ ଉଠି ଚାଲିଗଲା ।

 

ସାହୁକାରର ରହଣି ଆଜିକୁ ପ୍ରାୟ ଦଶଦିନ ହୋଇଗଲାଣି । ମଙ୍ଗଳବାର ଦିନ ସେ ଆସିଥିଲା, କି ବୁଧବାର ଦିନ । ଗାଁ ବିଷୟରେ ତା’ର ମୋଟାମୋଟି ଖୁବ୍ ଭଲ ଧାରଣା ହୋଇଯାଇଛି । ଏ ଗାଁରେ ଜମି ବେଶି, ବାରିବଗିଚା ଫସଲ ପ୍ରଚୁର କରିହେବ ।

 

ଗୋତି ରହିବାକୁ ପରଜା ପୁଏ ବହୁତ ଅଛନ୍ତି ।

ଆଉ ଧାଂଡ଼ୀ ।

 

ଭାବିଲେ ଗୋଡ଼ ଉଠେ ନାହିଁ ଏ ଗାଁରୁ । ସାହୁକାରର ଜମି ଊଣା ନାହିଁ, କିନ୍ତୁ ଏ ଗାଁକୁ ସେ ପସନ୍ଦ କରିଛି ।

 

ସାହୁକାର ଟଙ୍କା ମୁଣି ଖୋଲି ବସି ପଡ଼ିଲା । ଯାହା ସାଙ୍ଗେ ଦେଖା ହେଲେ ଖାଲି ବନ୍ଧକ ରଖିବା କଥା ।

 

ସଫା ସୁବିଧା କଥା–ଜମି ବନ୍ଧା ଦେଇ ଦିଅ, ଟଙ୍କା ନେଇଯାଅ, ଲୁଗାପଟା କିଣ, ବିଭା ହୁଅ, ଖାଅପିଅ, ମଜଲିସ କର, ଟଙ୍କା ପଛେ ଫେରେଇ ଦେବ ଧୀରେ ସୁସ୍ଥେ । ’’

 

“ଏଁ, କ’ଣ କହିଲୁ, ନାଇକ ? ଶିସ୍ତୁକୁ ଟଙ୍କା ନାହିଁ ? ଅମିନ ଗାଳି କରୁଛି ? ଖଣ୍ଡେ ଜମି ଦେଇ ଦେ, ଟଙ୍କା ନେଇଯା । ହଁ ବିକିବା ଦରକାର ନାହିଁ, ବନ୍ଧାରେ ଧରିବି ।”

 

“କିରେ ତିନିଫୋଲିଆ ଡମ୍‌, ସେ ଭୂମିଟା ତୋ’ର କି ? ହଉ । ଆରେ ତୁମେ ଡମ୍‌ ଲୋକ ବେପାରବଟା କଲେ ବେଶି ପଇସା ପାଇବ । ଭୂମିଟା ପଛେ ମୋ ପାଖେ ଥାଉ, କୋଡ଼ିଏ ଟଙ୍କା ନେଇ ଛାଲ ବେପାର ଲଗେଇ ଦେ ।”

 

ଶୁକୁଜାନି ଜମିକୁ ଲାଗି ଆହୁରି ପାଞ୍ଚ ଛଅ ଖଣ୍ଡ ଜମି ବନ୍ଧା ଧରିବା କଥା ସାହୁକାର ପକ୍‌କା କରିନେଲା । ବର୍ଷାଦିନ । ବିଲ କାମ ପାଇଁ କେତେ ଲୋକ ଟଙ୍କା ନେଲେ ହଳ ବଳଦ କରିବାକୁ । ନାଇକର ଶିସ୍ତୁ ବଳେଇ ପଡ଼ିଲା ନାହିଁ । ତିନିଫୋଲିଆ ଡମ୍‌ ଚମଡ଼ା ବେପାର ବି ଲଗେଇ ଦେଲା । କେତେ ଲୋକ କନିଆଁ ଠିକଣା କରିଗଲେ ସାହୁକାର ସଙ୍ଗେ ଝୋଲା ଟଙ୍କା ଦେବା ବିଷୟରେ କଥା ଛିଣ୍ଡେଇ ।

 

ଆହୁରି ଗୋତି, ଆହୁରି ଜମି, ଆହୁରି ସୁଧ ! ସାହୁକାର ଜୋର୍‌ ଦେଇ ପୂଜା ଲଗାଇ ଦେଲା ଦୁଇବେଳା । ପଙ୍ଗତରେ ସେ ମିଶେ, ଗଞ୍ଜେଇ ଲଗାଏ । ଦଳେ ବୁଢ଼ାଲୋକଙ୍କୁ ସେ ଭେଳେଇଛି ମନ୍ତ୍ର ଶିଖେଇବ । ବୁଢ଼ା ନାଡ଼ୁଜାନିର ଗୋରୁଗୁଡ଼ାକ ମରି ଯାଇଛନ୍ତି । ବୁଟି ପରଜାର ପିଲାଛୁଆ ହୋଇ ନାହାନ୍ତି ଏପର୍ଯ୍ୟନ୍ତ । ସମସ୍ତ ସାହୁକାରକୁ ଆଶ୍ରା କରନ୍ତି, ସେ ପଇସା ଦିଏ, ସୁବିଧା ଦେଖି ଶିଷ୍ୟ କରେଇବ । ଭୟ ନାହିଁ ।

 

ଭାବେ ସେ, ଯାହା ସେ ଛୁଏଁ ସବୁଥିରେ ସିଦ୍ଧି । ଗୁରୁ ରେବିନ୍ୟୁକୁ ସ୍ମରଣ କରେ, ପ୍ରଶଂସା କରେ ମନେ ମନେ ।

 

କେହି କେବେ ପଚାରେ ନାହିଁ ଯାଇଥିଲୁ ବୋଲି ।

ମଧୁ ଘାସି ଆସେ, ଜିଲି ଯାଏ, ମଧୁ ଘାସି ନ ଆସେ, ତଥାପି ଜିଲି ଯାଏ ।

ସେଇ ଅନ୍ଧାର ପହର, କେତେ ଛୁଣୁକା ସେ ଆସେ, ଆଉ ମନେ ପକାଇଦିଏ ବେଳହେଲା ।

 

ଆନନ୍ଦ କି ଦୁଃଖ ? କିଛି ନାହିଁ, ଅଭ୍ୟାସ ଖାଲି । ତେବେ, ମିଟି ତରା ଆଲୁଅରେ ଅନ୍ଧାରରେ ବାଟ ଚାଲିଲାବେଳେ, ଦି’ ପାଖରେ ଦି’ ସାଉଡ଼ି ଘର ଭିତରୁ ଯେତେବେଳେ ଶୁଭୁଥାଏ, ସ୍ୱାମୀ ସ୍ତ୍ରୀକୁ କଅଁଳେଇ ଡାକୁଛି, କେଉଁ ସ୍ତ୍ରୀ କାନ୍ଦିଲା ପିଲାକୁ ଶୁଆଉଛି, ତୁଚ୍ଛାକୁ ହସ ମାଡ଼େ, ଆଉ ମନଟା କଠିନ ହୋଇଆସେ ସାଙ୍ଗେ ସାଙ୍ଗେ । ଭାବେ ସେ ଦାଉ ସାଧୁଛି ସମସ୍ତିଙ୍କ ଉପରେ, ଆଉ ଭାବେ, ସେ ନିହାତି ନିକମା ନୁହେଁ, ତା’ର ବି କାମ ଅଛି, ଜୀବନ ଅଛି, ଲୁଚୁକାଳି ଖେଳ ଅଛି ଆଉ ଦଶଜଣଙ୍କ ପରି ।

 

କିନ୍ତୁ ନିଛାଟିଆ ରାତିରେ ଫେରିଲାବେଳେ, କାନ ପାଖେ ଭାଁ ଭାଁ ପବନ, ଆଉ ଉଦାସ ସବୁ, ଆଉ ଚୁପ୍‌ଚାପ୍‌–ଖରାପ ଲାଗେ । ସେତେବେଳେ ସାତ ପାଞ୍ଚ ଭାବି ହୁଏ, ମନଟା ଘୁଣ ଖାଏ-। କେବେ କେଉଁଦିନ ଜହ୍ନ ଉଇଁ ବାଟଟା ସଫା କରିଦିଏ, ପରିଷ୍କାର ଜହ୍ନଟା ଉଏଁ କଳା ମେଘ ଉଢୁଆଳରେ, ମନ ଭିତରେ ଲହଡ଼ି ଖେଳେ । ଏହିପରି ସେ ଗୋଟିକିଆ ହୋଇ ବାଟ ଚାଲୁଥିବ, ତର ତର ହୋଇ, ଖାଲି ଆପଣାକୁ ଆପେ, ପିନ୍ଧା ଖଦିର ଖସ୍‌ ଖସ୍‌ ହାତର ମାଳ ମାଳ ଖଡ଼ୁଗୁଡ଼ାକର ଝଣ୍‌ ଝଣ୍‌ !

 

ଅନ୍ଧାରୁଆ ଟୁଙ୍ଗି ଘର, ଖସି ପଳାଇ ଆସିଲା ପରେ ଖାଲି ଉଶ୍ୱାସ ଲାଗେ ସିନା, ଆଉଚିନ୍ତା ବଢ଼େ । ଘର ପାଖହେଲେ ଆଣ୍ଠୁରେ ଆଣ୍ଠୁ ବାଜେ । ମନ ହୁଏ ସବୁ ସେ ଭୁଲିଯିବ, ଦେହ ମନ ସବୁ ଗୋଳି ମିଶେଇ ଦେବ ପବନରେ ଆଉ ଅନ୍ଧାରରେ, ସବୁ ଥଣ୍ଡା ହୋଇଯିବ, ମନର ତାତି ଆଉ ପୋଡ଼ାଜଳା ।

 

କିଛି ନ ଥିବ ତାଠିଁ ।

ଜିଲି ଥିରି ହୋଇ ଶୋଇପଡ଼େ ।

 

ଅଧରାତିରେ ଚାଉଁକିନା ନିଦ ଭାଙ୍ଗିଯାଏ । ଦୂରରେ କିଏ ଡୁଙ୍ଗୁଡୁଙ୍ଗା ଟୁଂଟାଂ କରି ଗୀତ ବୋଲୁଛି ବସେଇ ବସେଇ, ରହି ରହିକା ଭାସି ଆସୁଛି । ଭଲ ଗାଉଛି ଗାଉଥାଉ ।

 

କଣ ଘରେ କେତେ ପ୍ରକାର ବିଚିତ୍ର ଶବ୍ଦ । ଜିଲି କାନପାରେ, ଫୁସ୍‌ଫୁସ୍‌ କଥା ମଝିରେ ମଝିରେ ବୁଢ଼ାବାପର ଘୁଙ୍ଗୁଡ଼ି । ଥିରି ଥିରି ହସ । ଜିଲି ଝାଳେଇ ଯାଏ । କର ଲେଉଟାଇ ଶୁଏ, ବାହା ଦୁଇଟା କାନ ଉପରେ, ମୁହଁ ଉପରେ ଭିଡ଼ି ଜାକି ଦିଏ ।

 

ତୁନିତାନି ଯାଏ କେତେ ସମୟ, ପୁଣି ଶବ୍ଦ ଆଉ ହସ । ଜିଲି ଗୋଡ଼ ଦି’ଟା ଜାକି ଦେଇ କାନ୍ଥରେ ମିଶିଯାଇ ଶୋଇବାକୁ ମନ କରେ । ଆଖି ଜାପି ଜାପି ବୁଜେ, ଖାଲି ନାଲି ଆଉ ତାତି ।

 

ତା’ର ଫମ୍ପା ଜୀବନ ପରର ସୁଖ ସହିପାରେ ନାହିଁ । ମନର ଫାଟ ହାକୁ ହାକୁ ଜଳେ, ଝାଳ ଲୁହ ମିଶିଯାଏ ।

 

ଦିନ ଆଲୁଅରେ ସେ ତା’ର ପଇସା ଗଣତି କରେ, ନୂଆ ଲୁଗାପଟା ଓଳଟେଇ ପାଲଟେଇ ଦେଖେ । ସେତିକି ତା’ର ଦମ୍ଭ । ଏହିପରି ଦିନେ ଦମ୍ଭ ଦେଖାଇ ପ୍ରକାଶ୍ୟରେ ସେ ଉଠି ଚାଲିଯିବ । ଲୋକେ ଥଟ୍ଟା କରିବେ, କରନ୍ତୁ । ଦି’ ଦିନ ମୋଟେ, ତା’ପରେ ତା’ର ଲୁଗାପଟା, ତା’ର ଅଳଙ୍କାର, ତା’ର ପଇସା । ଦଶଲୋକଙ୍କ ମୁହଁ ଉପରେ ପିଟି ପିଟି ସେ ବାଟ ଚାଲିବ । ଝୋଲା ଟଙ୍କା ଦେଇଦେଲେ ବାହାଘର ସରିଲା । ବନ୍ଧୁବାନ୍ଧବ ଭୋଜିଟା ଖାଇବେ, ଆଉ ଆଁ କରି ଦେଖିବେ ପରଜୁଣୀଠୁଁ ଶୁଣ୍ଢିଆଣୀ ହେବା ପାହାଚେ ଉଞ୍ଚରେ, ସେ ତା’ ସମ୍ମାନ ।

 

ପିଲା ପରି ନିଜକୁ ନିଜେ ଦମ୍ଭ ଦିଏ ସେ, ପ୍ରତି ମୁହୂର୍ତ୍ତରେ ଦମ୍ଭ ଦେବା ଦରକାର ପଡ଼େ, ସବୁ ଅତାଡ଼ୁଆ, ସବୁ ବିଘଟନ ତେଣୁ । ସ୍ନେହର ପାତ୍ର କିଏ କେବେ ଥିଲେ ଗୋଟାଏ ଦୁଇଟା, ମନ ଭିତରେ ଅଣ୍ଡାଳି ବସିଲେ ସେ ଖୋପଗୁଡ଼ାକରେ ଖାଲି ରାଗ ଆଉ ବିଦ୍ୱେଷ । ସୁଖର ଦିନଟା ଏମିତି ତୁଚ୍ଛାରେ କଟିଯାଆନ୍ତା, ସେମିତି କଟିବ ପଛେ, ସବୁ କପାଳ କଥା । କିନ୍ତୁ ଏତେ ବର୍ଷ ଏ ପଥୁରିଆ ଦନ୍ଥଡ଼ା ବାଟରେ ଗୋଡ଼ ଫଟେଇ ଫଟେଇ ଦେହ ଭରି ଆସିଲାଣି, ଆଶ୍ରୟ ଦରକାର, ଆଉ ଗୋଡ଼ ତଳକୁ ଜଣେ ବେଠିଆ ।

 

ସେଇ ଦମ୍ଭରେ ସବୁ ଦେହସୁହା ହୋଇଯାଏ, ଅନ୍ଧାରୁଆ ଟୁଙ୍ଗି ଘରେ ମଦ ଗନ୍ଧ ଆଉ ନାକକୁ କଷ୍ଟ ଦିଏ ନାହିଁ, କି ଗଞ୍ଜେଇ ଧୂଆଁ ।

 

ବିଲି ପଚାରେ–“କୁଆଡ଼େ ଯାଉ ?”

“ଧାଂଡ଼ୀ ବସାଘରକୁ ।”

ବିଲି ହସେ, କହେ–“ନା, ମୁଁ ଜାଣେ ।”

ଜିଲି ବେହିଆ ମୁହଁରେ କହେ, “ତେବେ କହନା କାହାରିକି ।”

 

କିନ୍ତୁ ବିଲି କିଛି ଜାଣେ ନାହିଁ । ଜାଣିବାକୁ ବେଳ ନାହିଁ । ଆଖିଏ ଆଖିଏ ନନ୍ଦିବାଲି । ଧାଂଡ଼ୀ ବସାଘରକୁ ସବୁ ଧାଂଡ଼ୀ ଯିବା ଅଧିକାର ଅଛି । ତହିଁରୁ ଅଧିକ ଖୋଳିତାଡ଼ି ବୁଝିବାକୁ କାହାର ଗରଜ ନାହିଁ ।

 

“ମୁଁ ଯାଆନ୍ତି ନାହିଁ ଅପା ଧାଂଡ଼ୀ ବସାଘରକୁ ତୋ ସାଙ୍ଗରେ ?”

ଜିଲି ନନ୍ଦିବାଲିକୁ କହିଦିଏ, “ବିଲି କହୁଥିଲା ଧାଂଡ଼ୀ ବସାଘରକୁ ଯିବ ବୋଲି ।”

ନନ୍ଦିବାଲି ବିଲିକୁ ଧରେ । ଥଟ୍ଟା ଲଗାଏ, କଥା ବୋହିଯାଏ ପାଣି ପରି ।

 

ଗାଁରେ ଲୋକ ଟୁପ୍‌ଟାପ୍‌ ହେଲେ, କାହାରି ନାଁ ଧରି ନୁହେଁ, ଖାଲି ଏମିତି, ଯେ ସାହୁକାର ଧାଂଡ଼ୀ ଖୋଜୁଛି–ବାହା ହେଉଛି । କିଏ କେଉଁଦିନ ଏକୁଟିଆ କେଉଁବାଟେ ଫେରୁଥିଲାବେଳେ ଦେଖା ପଡ଼ିଥିଲା, ସେ ବିଷୟରେ ତର୍କ ଉଠିଲା । ଆଉ ଦଶଜଣଙ୍କ ନାଁ ସାଙ୍ଗେ ଜିଲି ନାଁ ବି କେହି କହିଲେ ।

 

କିନ୍ତୁ କିଏ କାହିଁକି ପର ଘର ବିଷୟରେ ଆଲୋଚନା କରିବ ? ପର ଘର କଥାକୁ ପରଜା ବେଶି ଡରେ । ଉଡ଼ାକଥା ପରି ଏଣୁତେଣୁ ଦି’କଥା ଉଠିଲା, ପୁଣି ସବୁ ଉଡ଼ିଗଲା, କାରଣ ସାହୁକାର ତରତରହୋଇ ତା ଗାଁକୁ ଫେରିଗଲା । ସବୁ ପୁଣି ତୁନିତାନି ।

 

ସାହୁକାର ଫେରିଗଲା, ମଧୁ ଘାସି ବୁଝିଲା, ଜିଲି ବୁଝିଲା, ସାହୁକାର କଣ୍ଟ ଦେଇଗଲା, ପୁଣି ସେ ଆସିବ କିଛିଦିନ ଛାଡ଼ି ।

 

ଆଷାଢ଼ ସରି ଶ୍ରାବଣ ସରି ଓଷାମାସ୍ (ଭାଦ୍ରବ) ପାଦ ପକେଇଛି, ସାହୁକାର ଆସିଛି ଯାଇଛି । ସୁକୃଜାନି କ୍ଷେତ ପାଖର ଅନ୍ୟୂସବୁ କ୍ଷେତ ସେ ତଷାତଷି କରି ଫସଲ ଲଗାଇଛି । ସୁକୃଜାନିର କ୍ଷେତକୁ ରଖିଛି ଖାଲି ।

 

ପାହାଡ଼ର ଢାଲୁରେ ସୁଆଁ କଟା ହେବାକୁ ହେଲାଣି, ତଳେ ତଳେ ପଦର ଧାନ ପ୍ରସ୍ତୁତ ଅଛି, ବାରିରେ ମକା ହେଲାଣି, ଫସଲ ପ୍ରଚୁର । କିନ୍ତୁ ଝୋଲା କୂଳେ କୂଳେ ସୁକୃଜାନିର ଅସଲ କ୍ଷେତ ଉପର ଠାଏ ଠାଏ ଧାଡ଼ି ଧାଡ଼ି ହୋଇ ଖାଲିଗୁଡ଼ାଏ ଗାତ ଖୋଳା ହୋଇଛି, ସେଥିରେ ଖତ ଭର୍ତ୍ତି, ଆଉ କିଛି ନାହିଁ ।

 

ସୁକୃଜାନି ଭାବେ, କଥା କ’ଣ ?

 

ତା’ର ନୂଆ କ୍ଷେତର ପାଚି ଦେଖି ଆଶା ବଢ଼େ, ହରଡ଼ ଆଉ ମାସେ, ଧାନ ଆଉ ଦେଢ଼ମାସ, ଲଙ୍କା ମରିଚ ଆଉ ଦୁଇମାସ, ତା’ପରେ ବିକି ବସିଲେ ତିରିଶି ଟଙ୍କାରୁ ଉଣା ହେବ ନାହିଁ, ଠେଲିପେଲି ଚାଲିଯିବ ଦିନାକେତେ, କରଜ ଟଙ୍କାରୁ ଭାଗେ ଶୁଖିଯାଇ ପାରିବ ।

 

ଥରେ ଅଧେ ସେ ସାହୁକାରକୁ ପଚାରିଥିଲା –

 

“ଏତେ ତଷାତଷି କଲୁ, ଚାରିପାଖେ ଫସଲ ଲଗେଇଲୁ, ଆଉ ଏଡ଼େ ସୁନ୍ଦର ଜମି ପଡ଼ିଆ ପକେଇ ରଖିଲୁ କାହିଁକି ?”

 

ସାହୁକାର ହସରେ ଉଡ଼େଇ ଦେଲା, କହିଲା–

 

“ତାଷର କଥା ତତେ ଜଣା କ’ଣ ? ଜମିରେ ନୂଆ ଫସଲ କରିବି, ବେଶି ବଳ ଦରକାର ମାଟିରେ, ମାଟି ଜୁରୁ, ତା’ ପରେ ଦେଖିବୁ ।”

 

ସୁକୃଜାନି ନନ୍ଦିବାଲି ସାଙ୍ଗେ ପରାମର୍ଶ କଲା । ନନ୍ଦିବାଲି କହିଲା–

 

“ଥରେ ଜମି ଦେଲେ ଶୁଣ୍ଢି ହାତକୁ ତା’ପରେ ଆଉ କ’ଣ ହେବ କ’ଣ ନାହିଁ କିଏ କହିବ-? କ’ଣ ତା’ର ଇଚ୍ଛା କିଛି ଜଣାପଡ଼ୁ ନାହିଁ । କନ୍ଦମୂଳ ଲଗେଇପାରେ, କିନ୍ତୁ ଏତେଦିନ କାହିଁକି ତୁନିତାନି ? ଦେଖୁଁ ରହିଥା ।”

 

ସୁକୃଜାନିର ମନ ବୁଝିଲା ନାହିଁ । ଆଉ ଥରେ ସାହୁକାର ପଚାରିଲା ।

‘‘କିଛି ବୁଝା ପଡ଼ୁନାହିଁ–କଦଳୀବାରି କରିବୁ କି ?’’ ଉତ୍ତରରେ ସାହୁକାର ଗୁଡ଼ାଏ ଗାଳିଦେଲା–

 

“ଆରେ ମୋ କଥାରେ ତୋର କ’ଣ ଅଛି ? ମୋର ଟଙ୍କା ଦେଇ ଦେଇ ଜମି ତୁ ନେଇ ଯାଉନୁ କାହିଁକି ? ମୋର କଥାରେ ତୋର ଏତେ ଆପତ୍ତି କାହିଁକି ? –ଏତେ ବୁଝାବୁଣା କାହିଁକି ?”

 

ବରଷା କମିଛି; ଚାରିଆଡ଼ ସାବ୍‍ଜା ଆଉ ସଫା, ଫସଲ ଦେଖିଲେ ପେଟ ପୂରେ । ଘରେ ବାହାରେ ଜଙ୍ଗଲ, ଲଟା ଫଳ, ସବୁ ଖୁସି ଖୁସି ।

 

କିନ୍ତୁ ବେଳେ ବେଳେ ଅବସାଦ ଆସେ । ପିଣ୍ଡାରେ ବସି ଢୁଳୋଉ ଢୁଳୋଉ ସୁକୃଜାନି ଭାବେ ସେ ଭୁଲ କରି ଦେଇଛି । ଯାହା ଆଉ ସୁଧାର ହେବ ନାହିଁ ।

 

ସେଦିନ ପୁଅ ଦୁହେଁ ଆସିଥିଲେ । ଖୁବ୍ ଆଗ୍ରହରେ ନନ୍ଦିବାଲି ଆଉ ସୁକୃ ପରଜା ବୁଲେଇ ବୁଲେଇ ସେମାନଙ୍କୁ ନୂଆକ୍ଷେତ ନୂଆ ଫସଲ ଦେଖାଇ ଆଣିଲା । କିନ୍ତୁ ଦି’ଭାଇଙ୍କର ଆଗ୍ରହ ସେତେ ଦେଖାଗଲା ନାହିଁ । ଏ ତା’ ମୁହଁକୁ ସେ ୟା ମୁହଁକୁ ଚାହେଁ, ଆଉ ହସେ ତୁଚ୍ଛାଟାକୁ ।

 

ମାଣ୍ଡିଆ ଖାଲି କହିଲା–

 

“ଏତିକି କରି କେତେ ପଇସା ତୁମେ ଭେଇବ ଭାବିଛ ଯହିଁରେ ଆମର ଦୁଃଖ ମେଣ୍ଟିବ-?”

 

ନନ୍ଦିବାଲି କହିଲା–

“ତୁ ଥିଲେ ଆହୁରି ତାଡ଼ି ପକେଇ ଥାନ୍ତୁ ପରା, ନୁହେଁ ?”

 

“ଆରେ କୋଉ ଗାଁର ମାଗିଖିଆ ପରଜା”, ମାଣ୍ଡିଆ ଥଟ୍ଟାରେ କହିଲା, “ମୁଁ ତ ନାହିଁ, ଥିଲେ ଜାଣିଥାନ୍ତୁ ।”

 

କଥାଭାଷା ସରିଲା, ଦି’ଭାଇ ବହୁତ ସାକୁଲେଇଲେ ବାପାକୁ–

 

“ଆହା, କେତେ କଷ୍ଟ ଥିଲା ବୁଢ଼ାଦିନେ ତତେରେ ବାପା, ଯେତିକି କରିପାରିବୁ ସେତିକି କର୍, ଅଧିକା କରି ଧନ୍ଦି ହେଉ କାହିଁକି ?”

 

ମାଣ୍ଡିଆଜାନି ଗାଁ ବୁଲି ଗଲା, ପୁରୁଣା ଜମି ଦେଖି ଆସିଲା, କହିଲା–

“ବାପା, କେବେ ମୁକୁଳେଇବାଏ ଜମି ଠିକ୍ କରୁଛୁ ?”

ବୁଢ଼ା କହିଲା, “ଯେବେ ପଇସା ହେବ ।”

ମାଣ୍ଡିଆ କହିଲା–

 

“ଦେଖ୍, ଆଗରୁ କହିପୋଛି ରଖିଥା, ପଇସା ପାଉପାଉ ଯେମିତି ଜମିଟା ମୁକୁଲେଇ ହେବ, ପଛେ ସାହୁକାର ଯେମିତି ତାଁତର୍‍ (ଠକାମି) ନ କରେ – ।”

 

ବୁଢ଼ା ବଲବଲ କରି ପୁଅ ମୁହଁକୁ ଅନେଇଁ ରହିଲା, ଭାବିଲା ଏ କ’ଣ କହୁଛି ? ସତେକି ପଇସାଗଛ ଫୁଲ ଫୁଟି ଆସିଲାଣି, ଦି’ ଦିନେ ଫଳିବ ।

 

ମାଣ୍ଡିଆ କି ଟିକ୍ରା ଆଉ କିଛି କହିଗଲେ ନାହିଁ ।

 

ଧାନ ମାଣ୍ଡିଆ ମକ୍‍କା ହାଲୁକା ପବନରେ ଫୁଲ ଉଡ଼ୋଇ ଥାଅନ୍ତି । ସକାଳେ ମେଘ ନ ଥାଏ, ଖାଲି କାକରଟୋପାଗୁଡ଼ାକ ମେଘଠୁ ବଳି । ପାହାଡ଼ ଉହାଡ଼ରୁ ସୂର୍ଯ୍ୟ ଉଁଥାଏ, ତଳୁ ଧୂଆଁ ଉଠୁଥାଏ, ଉପରେ ଖଣ୍ଡଖଣ୍ଡ ମେଘ ଫାଟିଫାଟିକା ପଛେଇ ଚାଲି ଯାଉଥାଏ କେଉଁ କଣରେ ବୁଡ଼ି ମରିବାକୁ । ପଛ ଜଙ୍ଗଲରେ ମୟୂର, ବଣକୁକୁଡ଼ା ବୋବାଉ ଥାଆନ୍ତି । ଦୂରର ଢାଲୁ ବାଟରେ ଗାଁର ଟୋକୀମାନେ ଦଳ ବାନ୍ଧି ବାଉଁଶ କରଡ଼ି କାଟିବାକୁ ପାଟିଗୋଳ କରି ମାଡ଼ି ଚାଲିଥାଆନ୍ତି ।

 

ଏହିପରି ଆଶାୟୀ ସକାଳେ ମୁହଁ ଉପରେ ନାଲି ଆଲୁଅ ଯେତେବେଳେ ପଡ଼େ, କ୍ଷେତ ଭିତରେ କୁହୁଡ଼ି, ଫସଲ କାକର ଆଉ ଖରା ଏକାଠି ଆଉଟା ହୋଇଥିବା କ’ଣ ଗୋଟିଏ ଭିତରେ ଉବେଇ ଟୁବେଇ ହୋଇ ସୁକୃଜାନି ଭାବେ–

 

“ମାଣ୍ଡିଆ ଏମିତି କ’ଣ କହିଲା ?”

 

ପୁଣି ମଝି ଦି’ପହରେ ମେଘ ଘୋଡ଼େଇ ପକାଏ, ବରଷା ଅଜାଡ଼ି ଦିଏ । ବୁଢ଼ା ଭାବେ–“ଟୋକା ଟାକିଳିଆଙ୍କ କଥା ।”

 

ପୁରୁଣା କ୍ଷେତ ବାଟେ ବାଟେ ସେ ଘରକୁ ଫେରେ, କ୍ଷେତ ଉପରେ କଳା ଗାତଗୁଡ଼ାକ ବସନ୍ତ ରୋଗର ପରି ଜଳଜଳ ଦିଶୁଥାଏ । ସେଗୁଡ଼ାକ ଖାଲି ରହସ୍ୟ, ଫାଙ୍କା କ୍ଷେତ ଉପରେ ଫମ୍ପା ଗାତଗୁଡ଼ାକ–

 

“ସାହୁକାରଟା ବାୟା ନା କ’ଣ ? ହଉ, ତା’ର ଇଚ୍ଛା –”

 

ଦିନାକେତେ ପରେ ଗୋତିପଲ କମଳାଲେମ୍ବୁ ଚୋରା ବୋଝେଇ ହୋଇ ଆସି ପହଞ୍ଚିଗଲେ । ଗାତଗୁଡ଼ାର ରହସ୍ୟ ଭାଙ୍ଗିଲା, ସେଥିରେ କମଳା ଗଛ ପୋତା ହେଲା ।

 

ସୁକୃଜାନି ନନ୍ଦିବାଲି ଦୁହେଁ ଆଗୁଳେଇ ଯାଇ । ଗୋତିମାନେ କହିଲେ–

 

“ଆମେଖାଲି ଚାକର ଲୋକ, ଆମ ସାଙ୍ଗେ ବାଦ ସାଧି କିଛିଫଳ ନାହିଁ ବୃଥାରେ ମାଡ଼ ଲାଗିବା ।”

 

ଗାଁରେ ଚହଳ ପଡ଼ିଗଲା–

 

“ଗଲା ବୋଧେ ସୁକୃ ପରଜାର ଜମି ଚିରଦିନ ସକାଶେ, ସାହୁକାର କମଳା–ଲେମ୍ବୁ ତୋଟା ଲଗାଇଲାଣି । ଆଉ କ’ଣ ଛାଡ଼ିଦେବ ? ”

 

“ଭଲ ହେଲା, କ’ଣ କରନ୍ତା ଏ ଜମି ଥାଇ ?”

“ଆହା…..ହା, କେଡ଼େ କଷ୍ଟ ପଡ଼ିଗଲା ! ଜମି ତେବେ ଆଦୌ ମୁକୁଳିବ ନାହିଁ ।”

ନାନାଦି ସମାଲୋଚନା ।

ସାହୁକାର ନିଜେ ଆସିଲେ । ସବୁ ତର୍କ ଆନ୍ଦୋଳନ ହସରେ ଉଡ଼େଇ ଦେଲେ,–

 

“ଆରେ, ବାୟା ହେଇଚ ତୁମେମାନେ ? ପରର ଜମି ଝିକିବି ! ମତେ ଚିହ୍ନିନା, ଏକଥା ବିଶ୍ୱାସ କରୁଛ ? ମୁଁ ଭାବିଲି ୟେ’ତ ନ ଥିଲା ନିଦରବୀ ଲୋକ, ଗୋତି ଫିଟେଇ, ଜମି ବନ୍ଧା ଫିଟେଇ ସଫା ହଉ ହଉ ଯିବ ଚାଲି ଦଶ ବର୍ଷ କି କେତେ–ଖାଲିଧାନ ମାଣ୍ଡିଆ ନ ପଚେଇ ଦି’ଟା କମଳା ଗଛ ପୋତି ଦେଇଥିଲେ ଚାରିଗୁଣା ଲାଭ–ପୁଣି କୋଉ ପ୍ରଭୁ ଅଧିକାରୀ ଘରକୁ ଦି’ ପୁଞ୍ଜା, ଚାରି ପୁଞ୍ଜା–ବୁଝୁଛ ତ ? ଆହୁରୀ ତୁମେମାନେ ବି ଲଗାଅ ନାରଣପାଟଣା ବାଟର କନ୍ଧ ଲୋକ କରୁଛନ୍ତି, ଆଉ ତୁମେ ଆମେ ପାରିବା ନାହିଁ ! ହଁ, ୟା ଭିତରେ ଯଦି ମୋର ଟଙ୍କା ଥୋଇ ଦେଇ ତା’ର ଜମି ବାହୁଡ଼େଇ ନବ ତ ନଉ, ତେଣିକି ମନ ଥିଲେ କମଳାଗଛଗୁଡ଼ାକ ଜିଆଇ ରଖୁ, ନଇଲେ ମାରି ପକୋଉ, ତା’ ଖୁସି–” ।

 

“ଜମିର ବଳ ବହପ ସବୁ ତ କମଳା ଗଛ ଟାଣିନେବ, ଆଉ ସେତେବେଳେ ଭୂମିନେଇ ମୁଁ କଣ କରିବି ?”

 

“ଏବେ ତୋ ଭୂମି ନେ, ମୋର ଟଙ୍କା ଦେଇ ଦେ–”

“ଏବେ ଦେବାର ଥିଲେ ଆଉ ତୁ କମଳା ଗଛ ପୋତନ୍ତୁ ନା–”

 

“ତେବେ ତୁନିପଡ଼ । ମିଛରେ ଗାଳିଦେଲେ ପୁଣି କମଳାଗୁଡ଼ାକ ଆମ୍ବିଳି (ଖଟା) ହୋଇଯିବ, ତୋର କ୍ଷତି । ଆରେ ଓଲୁ , ଏଥଧିରେ ପାଚି ଉଠେଇଲେ ଯେତେ ଟଙ୍କା ବିକନ୍ତୁ ଏଥିରେ କମଳା ପଚାଇଲେ ଦଶ ସେତିକି ବିକିବୁ, ଖାଲି ତିନି ଚାରି ବର୍ଷ ଅପେକ୍ଷା । ତୁ ଶୁଣ୍‌ ତୋର କିଛି ଖରାପ ହେବ ନାହିଁ ।”

 

“ଭଲ କି ଖରାପ କି ଆଉ ଭିନେ ବାଟ ଅଛିକି ସାହୁକାର ? ତୋରଧନ ତ ଖାଇଚି, ତତେ ମତେ ଧରମ୍‌ ଯାହା ଭାବୁଚୁ ତା’ କର–”

 

“ମୋର ଲୋଭ ନାହିଁରେ ସୁକୃ, ମୋ ଟଙ୍କା ଏବେ ଦେଲେ ଏବେ ଭୂମି ଛାଡ଼ିଦେବି । ଟଙ୍କା ଦେ, ନଇଲେ ତୁନିପଡ୍ ।”

 

ତା’ ପରେ ?

 

ମନଟା କ’ଣ ହୋଇଯାଏ । ସତେ ସାହୁକାର ଜମି ଝିଙ୍କିନେବେ ? ଦୁର୍ବଳ ଦେହ ଠକ ଠକ ହୋଇ ଥରେ, ଝାଳ ଫିଟିଯାଏ, ମନହୁଏ ବର୍ତ୍ତମାନ ଯାଇ ସେ ଜମିଟି ଫିଟାଇ ଆଣନ୍ତି, ଝଣ୍ କରି ଟଙ୍କାଗୁଡ଼ାକ ଫୋପାଡ଼ି ଦେଇ କୁହନ୍ତା, “ଓପାଡ଼ ତୋ ଲେମ୍ବୁଗଛର ଅଳିଆ, ଛାଡ଼ ମୋ ଜମି, ବାଟ ଦେଖ୍ ।”

 

କିନ୍ତୁ ସମ୍ପତ୍ତି ତା’ର ସବୁ ଅନ୍ଧାରୁଆ ।

 

ଜହ୍ନରାତି ଟାପରା କରି ହସେ, କେତେପ୍ରକାର ବାସ୍ନା ଭାସିଆସେ, ନୂଆ ଫୁଟିଥିବା ଫସଲର ଫୁଲ, ବଣଫୁଲ, କତେ କ’ଣ । ପଛଆଡ଼େ ଖାଁ ଖାଁ ଅନ୍ଧାର କୁଡ଼ିଆଟା, ସେଠି କିଛି ବୋଲି କିଛି ନାହିଁ ।

 

ଖାଲି ମଶା, ଡାଆଁଶ, ଆଉ ଭାବନା ।

 

ଆପେ ଆପେ ଭାବି ହୁଏ. ଦିନ ଦିନକର କଥା । ଦିନ ଗଡ଼ି ଚାଲିଛି, ବାଉଁଶର ଗଣ୍ଠି ପରି କେବଳ ସେ ଗଣ୍ଠି ହୋଇଯାଇଛି, ତୁଚ୍ଛା ଲଣ୍ଡାଟା, ମେଞ୍ଚାଏ ବୋଲି ପତ୍ର ନାହିଁ ।

 

ଓଳିତଳେ ଦି’ଟା ଝିଙ୍କାରି ବୋବାଉଛନ୍ତି । ପତ୍ର ଗହଳିରେ କେଉଁଠି ସରସର ହୋଇ ଟିକିଏ ପବନ । ବେଶ୍‍ ଭାବନାରେ ପଖି ଲାଗିଛି । ସ୍ୱାଧୀନତା ଗଲା । ଜମି ଗଲା ବୋଧହୁଏ ।

 

ଆଉ ବାକି ? ନାଃ– ଗଲା ।

 

ସେଇ ଝିଙ୍କାରିର ଝିଁ ଝିଁ ଶବ୍ଦ ପରି, ସୁ’ସୁ’କା ପବନର ଗତି ପରି, ସବୁ ଖାଲି ଯିବା ମୁହଁରେ ଚାଲିଛି, ଆଗ ନାହିଁ, ଚାଲିଛି ।

 

ଆକାଶରେ ଜହ୍ନ ଚାଲିଛି, ତାରା ଚାଲିଛି, ଖଣ୍ଡ ଖଣ୍ଡ ମେଘ ଚାଲିଛନ୍ତି, ସବୁ ଚାଲିଛି ।

 

ଆଉ, ଚାହିଁ ରହୁ ରହୁ, ଆଖି ଆଗେ ଆଗେ ଗୋଟା ପୃଥିବୀଟା ବି ଖୁବ୍ ଜୋର୍ ଜୋର୍ ବୁଲିବାକୁ ଲାଗିଛି, ଚାଲିଛି ସେବି ।

 

ପବନ କମି ଆସିଲା, ସୁ ସୁ କମି ଆସିଲା, ଝିଙ୍କାରି ଦି’ଟା ବି ଦୋକାନ ବନ୍ଦ କଲେ । ପିଣ୍ଡାଉପରେ ପଡ଼ି ଯାଇଥାଏ ବୁଢ଼ାଟି, ଠେଙ୍ଗାଟା ହାତପାଖେ, କାନ ସନ୍ଧିରୁ ନିଭିଲା ପିକା ତଳେ ଗଡ଼ି ପଡ଼ିଛି ।

 

କେତେ ବେଳକେ, ମୂଷାଗୁଡ଼ାକଙ୍କ ଖୁଡ଼୍‍ଖାଡ଼୍‍ରେ ଧୀରେ ଧୀରେ ତା’ର ମନ ଫେରି ଆସିଲା । ଚାରିଆଡ଼କୁ କଟମଟ କରି ଅନାଇଁଲା । ନା–ଚକରେ କେଉଁଠି ଢିରାଟିଏ ଲାଖି ଯାଇଛି, ସବୁ ଅଟକି ଯାଉଛି ଅଖାଡ଼ୁଆ ହୋଇ, ମୁଣ୍ଡ ଭିତରେ ଅସରନ୍ତି ଚାଲି ଯାଉଥିବାର ଘୋର ଆଉ ନାହିଁ ।

 

ଅଡ଼ୁଆ ଅଡ଼ୁଆ ଲାଗିଲା । ଡାକିଲା–

‘ଜିଲି’

ସୋର ନାହିଁ, ଶବଦ ନାହିଁ ।

‘ବିଲି’–

କେହି ନାହାନ୍ତି ।

‘ନନ୍ଦିବାଲି’–

ସେ’ବି ନାହିଁ । ଦୀର୍ଘଶ୍ୱାସ ।

କେଡ଼େ ନିଛାଟିଆ ସେ !

କେଡ଼େ ସୁନ୍ଦର ସ୍ୱପ୍ନଟାଏ !

 

ପଥର ଗଡ଼ିଗଡ଼ିକା ଚାଲିଛି ପାହାଡ଼ ଢାଲୁରେ, ପାହାଡ଼ ଭୁଶୁଡ଼ୁଛି, ଝୋଲା ବୋହି ଲାଗିଛି, ସେ’ବି ଚାଲି ଯାଉଥିଲା କେଉଁଆଡ଼େ, ବଡ଼ ଚଞ୍ଚଳ ଚାଲିଥିଲା, ତା’ର ଦେହ ଗୋଟାକ ଅଲଗା ଅଲଗା ହୋଇ ଯେପରି ଏକା ସଙ୍ଗେ ମୁଣ୍ଡ ବୁଲେଇ ଧାଇଁ ଚାଲିଥିଲା, ହଠାତ୍–ଉଠିଲାବେଳକୁ ସବୁ ଫାଙ୍କା ।

 

ବଣ ଭିତରେ ଭିତରେ ମଇଁଷିପଲ ସାଙ୍ଗେ ସାଙ୍ଗେ ମାଣ୍ଡିଆ ଆଉ ଟିକ୍ରା । ଦକ ନାହିଁ, ଡର ନାହିଁ, ଭାଇ ଦୋଓଟି ।

 

ସେହି କେତେଦିନର କଥା ହେଲାଣି, ଦୁଇଭାଇ ପଣ କରିଥିଲେ, ମରୁଁ ପଛେ, ଯେ କୌଣସି ଉପାୟରେ ଏଥିରୁ ମୁକ୍ତି ଦରକାର ।

 

ମୁକ୍ତିର ବାଟ ବେଶି ନାହିଁ, ଅଳ୍ପ ଯେଉଁ କେତୋଟି, ସେଗୁଡ଼ିକ ବଡ଼ ବଡ଼ ସଡ଼କପରି ଚଉଡ଼ା ଆଉ ଲମ୍ବା । ସିଟିଏମ୍ ଡମ୍‍ ଲୋକଙ୍କ ସାଙ୍ଗେ ସଲା ହୋଇ ଚୋରି କରିବା, କାନ୍ଥ କଣା କରି ଘରେ ପଶିବା, ମାରି ହାଣି କାନରୁ ବେକରୁ ଅଳଙ୍କାର ଛଡ଼େଇ ନେବା । କଥାଟା ପଡ଼ିଥିଲା ଖୁବ୍ ଗରମ ପେଟରେ ଯେତେବେଳେ କାଠ ପରି କନ୍ଦାଗୁଡ଼ାକ ଉପରେ ପେଟର ରସ ଲଢ଼େଇ କରୁ କରୁ ଖାଲିଗୁଡ଼ାଏ ଫାଟିଲା ଫୁଟିଲା ଶବ୍ଦ ବାହାର କରୁଛି । ତତଲା ପେଟରେ ବହୁତ ଯୁକ୍ତିତର୍କ ହେଲା, କିନ୍ତୁ ବଡ଼ ବଡ଼ ଅବୁନିଆଦୀ ବାଟଟା, ମନ ଦବିଗଲା, କଥାବନ୍ଦ ହେଲା ।

 

ଦ୍ୱିତୀୟ ସଡ଼କ, ସିଧା ଆସାମ୍ ଚା’ ବଗିଚା । ଶହ ଶହ ଲୋକ ଯାଆନ୍ତି । ଚା’ ବଗିଚା କୁଲିଡ଼ିପୋ ପାଖେ ସେ ଯେ କେତେ ଗହଳି ! କେତେ ଆନନ୍ଦ ! ସରୁ ଲମ୍ବା ଟିଣ ଖୋଳରେ କାଗଜ ପକେଇ ଡିପୋ ସର୍ଦ୍ଦାର ଗାଁ ଗାଁ ବୁଲେ, କେତେ ପ୍ରକାର କଥା କହେ ବନେଇଁ ଚୂନେଇଁ ।

 

“ମଦ, ଯାହାକୁ ଯେତେ । ଧାଂଡ଼ୀ – ଯାହାକୁ ଯେତେ । ଟଙ୍କା– ଛାଡ଼ ସେ କଥା ।”

 

ଏଇ ଅଚିହ୍ନା ଦେଶର ଡାକ କେବେ କେମିତି କାହାକୁ ଉଚ୍ଚାଟକରି ପାହାଡ଼ ଖୋଲ ଭିତରୁ ଓଟାରି ଘେନି ଚାଲିଥାଏ । ଟିକ୍ରା ସ୍ୱପ୍ନ ଦେଖେ ଠିଆ ଠିଆ । କିନ୍ତୁ ମାଣ୍ଡିଆଟା ସବୁ ଖୁସି ମାଟି କରିଦେବ ସେ । ମାଣ୍ଡଆ କହେ–

 

“ଫେରିବା କି ନାହିଁ ! ଫେରିଲାବେଳକୁ ଯଦି ଘର ନ ଥିବ, ବାପ ନ ଥିବ, ଧାଂଡ଼ୀ ନ ଥିବ, ଭୂମି ନ ଥିବ, କଣ ହେବ ଟଙ୍କା କେଇଟା ? କାହାପାଇଁ ବା ?”

 

ଅଳ୍ପ କଥାରେ ମୁଣ୍ଡକୁ ତା’ର ମେଘ ଚଢ଼େ, ତା’ପରେ ଆଉ ହସେଇ ହୁଏ ନାହିଁ ତାକୁ ଯେତେଚେଷ୍ଟା କଲେ ।

 

“ପିଲା ତୁ, ତେଣେ ଛଟପଟ ହେଉଛୁ । ଦୂର ବିଦେଶରେ ଟଙ୍କା ମୁଣିଟି ମୁଣ୍ଡ ତଳେ ଦେଇ କାକୁର୍ତ୍ତି ହୋଇ କାଇଲାରେ (ବେମାରିରେ) ପଡ଼ି ରହିଥିବୁ, ଦେଶଟା ଦିଶି ଦିଶି ଯାଉଥିବା, ଆଖି ଖୋଲିଲେ ନାହିଁ । ଚିହ୍ନାଲୋକର କଥା ଶୁଭି ଶୁଭି ଯାଉଥିବ, କାନ ପାରିଲା ନାହିଁ ।”

 

ଡାକିବୁ, “ବାପା, ବାପା, କେହି ଜବାବ୍ ଦେବେ ନାହିଁ ।

 

ତା’ପରେ ସାଥୀ ଲୋକ କେହି କେହି ଫେରିବେ ଅବା, ତୁ ଫେରିବୁ ନାହିଁ । ଆଉ ଦେଶ ଦେଖିବୁ ନାହିଁ ।”

 

ତେଣେ ସେ ବାଟ ବନ୍ଦ ।

ତା’ପରେ, ମଦ ରନ୍ଧା ।

 

“ଏଥର ଆଉ ଓଲୁ ପରି ନୁହେଁ । ଜଣେ ଜଗିଲେ ଜଣେ ରାନ୍ଧିବ, କିଛି କେଉଁଠୁ ଖୁଡ଼ କରି ହେଲେ ସବୁ ଛାଡ଼ିଛୁଡ଼ି ଦେଇ ଦଉଡ଼, କିଏ ଧରିବ ଧରୁ, ରେ ଆସ୍ତି (ଜିନିଷ) ବୋଲି ତ କିଛି ନ ଥିବ । ତେଣିକି କପାଳ ।”

 

ମଦ ବିକିବାକୁ ଜାଗା ବହୁତ । ମିଟିଂ ପାହାଡ଼ ତଳେ । ଗୋଦଳା ପାଖ ଖଙ୍ଗାର୍ ଗାଁ ତୋଟାରେ । ଯେଉଁଠି ସବୁ ଅଗନାଗ୍ନ ବଣ ଭିତରେ ଛକି ଜାଗା ଅଛି ।

 

“ଏଇ ତ ବେଳ, ଗୋରୁଙ୍କୁ ଭାତ ଖୋଇକି ଓଷା ଆସିଲା ପରି । ୟା ପଛକୁ ଦଶରା ମାସ । ଝଣ୍ଡା ପତାକା ଧରି ରାଇଜଯାକର ଲୋକ ବେଶଭୂଷା ହୋଇ ପାହାଡ଼ ଖୋଲ ଭିତରୁ ଧାର ଲଗେଇ ଚାଲିବେ, ଜଇପୁର ରଜାଘରେ ନାଚିବାକୁ । ଗୋଟିଏ ଦି’ଟା ମାସରେ, କେତେ-ନାଇଁ କେତେ । ତା’ପରେ ବରଞ୍ଚ ‘ବିଡ଼ି’ ‘ଧରନୀ’ ନଳା ଭାଙ୍ଗିଭୁଙ୍ଗି ଫୋଫାଡ଼ି ଦେଇଯିବ ।”

 

କଥାଟା ଟିକ୍ରାର ମନକୁ ପାଇଲା ।

 

ସେହିଦିନୁ ମଇଁଷି ପଛେ ପଛେ ଗହନ ବଣ ଭିତରକୁ ପଶିଯିବାରେ ଗୋଟିଏ ଉଦ୍ଦଶ୍ୟ ଆସିଛି, ଉତ୍ସାହ କମି ନାହିଁ ।

 

କୋଉନ୍ଦା ଦିନଗୋଟାକ ପରେ କେଉଁ ଅନ୍ଧାରିଆ ଖୋଲ ପାଖେ– ଝଣ୍‍ଝାଣ୍‍ ଟଙ୍କା । ହସ ।

 

“ଆଉ ଟିକେ ତଳତଳିଆଟା ରହିଗଲା–ନା, ମୋ’ର ଆଉ ଲୋଡ଼ା ନାହିଁ– ପିଇଦେ ତୁ-।”

 

ନିତି ନୂଆବାଟ ।

 

ବଣସନ୍ଧିରେ ଫାଳେ ଚିରୁଡ଼ାଏ ଭଙ୍ଗାଦଦରା ଗାଁ । ଚାରିଟା ପାଞ୍ଚଟା ଘର । କିନ୍ତୁ ତହିଁରେ ବି ଧାଂଡ଼ାବସା ଧାଂଡ଼ୀବସାଘର ଥାଏ, ଦି’ ଚାରୋଟି ଧାଂଡ଼ୀ ଯୁଆଡ଼ୁ ହେଲେ । ସେଇ ଜଡ଼ାତେଲ, ସେଇ ଫୁଲ, ସେଇ ଲୁଗାରେ ହଳଦି ଚିହ୍ନ, ସେଇ ପରିଚିତ ବାସ୍ନା ଆଉ ଉକୁଣି । ଆଉ ହସ , ଥଟ୍ଟା, ନାଚ ।

 

ଭାଇ ପଛେ ପଛେ ଭାଇ, ଭୋକ ନାହିଁ ଶୋଷ ନାହିଁ । ସବୁ କଥାକୁ ଦୁହେଁ ସମାନ ।

 

ଅଜଣା ବାଟରେ ମଦରନ୍ଧା ଶେଷରେ ବେଳ କାଟିବାକୁ କେତେ ପ୍ରକାର ଫନ୍ଦି ହୁଏ, କିଛି ଯେତେବେଳେ ନ ଥାଏ, ଗଛମୂଳେ ପଥର ଉପରେ ବସି ଏ ତା ମୁଣ୍ଡରୁ ସେ ୟା ମୁଣ୍ଡରୁ ଉକୁଣି ବଛାବଛି ହୁଅନ୍ତି, ହସ କଥା ପକେଇ ଗପନ୍ତି ।

 

ବଡ଼ ବଡ଼ ଆଲୋଚନା ହୁଏ ସେଇ ଅଳସୁଆ ସ୍ଥିର ବିଶ୍ରାମ ସମୟରେ, ଅନ୍ୟବେଳେ ଯେତେ ଗମ୍ଭୀର ହୋଇ ଗାଲରେ ହାତ ଦେଇ ବସି ଚିନ୍ତା କଲେ କିଛି ମନେପଡ଼େ ନାହିଁ ।

 

“ତିନି କୋଡ଼ି ହେଲାଣି, ଆଉ ଦି’ କୋଡ଼ି ହେଲେ ହୋଇଗଲେ ଟଙ୍କା ଯାହାକୁ ଯେତେ-।”

 

ଟିକ୍ରାର ଆଖି ଜଳିଉଠେ–“ଏଁ ! ତିନି କୋଡ଼ି !”

 

“କେତେ ମାସ ହୋଇଗଲେ ହିସାବ କରି ଦେଖ୍, ଦିନ ରାତି ତ ଖଟିଛେଁ, ଯଦି ଭଗବାନଙ୍କ ନଜର ଥିବ, ଦଶରା ମାସ ଶେଷ ହେଲାବେଳକୁ ଘଡ଼ି ଭର୍ତ୍ତି ହୋଇ ସାରିଥିବ । ତା’ପରେ –”

 

“ଆଉ ତା’ପରେ କ’ଣ ମାଣ୍ଡିଆ ? ଦୁଇଟା ଧାଂଡ଼ୀ, ଗୋଟିଏ ମୋ’ର ଗୋଟିଏ ତୋ’ର, ସୁଖରେ ମିଳିବେ ଯେଉଁଠୁ ହେଲେ, କେଡ଼େ ଖୁସି ତେବେ, କେଡ଼େ ଖୁସି –”

 

“ଆରେ ବାଇଆ, ଆଗ ଗୋତି ଫିଟେଇବା ଲୋଡ଼ା କି ଆଗ ଧାଂଡ଼ୀ ? –ଏଇ ମଦ କେଶ୍ ପାଇଁ ମୁଁ ଗୋତି ଗଲି, ପୁଣି ଏଇ ମଦ ବାଟେ ମୁଁ ଗୋତି ଫିଟାଇ ହେବି, ତା’ପରେ ଜିଉଣା ଦେଖିବା ।”

 

ଟିକ୍ରା ହସି ହସି ଫାଟିପଡ଼େ ।

“ନାଇଁ–ନାଇଁ–ଆଗ ବିଭା, ଆଗ ଧାଂଡ଼ୀ….”

 

ବିଭା ହେବାକୁ ଯେ ତା’ର ଆଗ୍ରହ ତା’ ନୁହେଁ, ସେ ଖାଲି ତୁଚ୍ଛାଟାରେ ହସେ ଆଉ ଥଟ୍ଟାକରେ, ହସ ହସ ଆଖିରେ ଲୁହ ଟଳଟଳ ହୁଏ ।

 

ତା’ର ହସ ଦେଖି ମାଣ୍ଡିଆଜାନିର ଶୁଖିଲା ନୀରସ ମୁହଁରେ ବି ହସ ସ୍ଫୁରେ, ହସି ପକାଏ ।

 

“ବୁଝିଲା ଟିକ୍ରା, ସେଦିନ ଆଉ ଟିକିଏ ହୋଇଥିଲେ ବାପା ଆଗରେ କହି ପକେଇ ଥାଆନ୍ତି, ଭାରି କାଉନ୍ଦା ହୋଇ ଯାଇଥିଲା ମୋର ମନଟା । ବୁଢ଼ା ଭାବୁଚି, ଜମିଟା ଗଲା, ଆଉ ଭାବି ଭାବି ମୁହଁକୁ ଭାତ ରୁଚୁ ନାହିଁ । ମନ ହଉଥିଲା ସବୁଯାକ ଟଙ୍କା ତା’ ହାତକୁ ବଢ଼େଇ ଦେଇ ଚାଲିଯାଏଁ । ପୁଣି କହିଲି ନାଃ–କାଳେ ରାଟୁ (ପାଟି) ହେବ, କାନକୁ ଦି’ କାନ ହେବ, ଲୋକେ ଜାଣିବେ, ପୁଣି ସାଲ୍‍ଟୁ, ସଫା ଧରି କରି ଶିକ୍ଷା (ଜେଲ) କରିଦେବେ ଏଥର, ଜାତି ହେବାକୁ ଯେତେ ଟଙ୍କା ଲାଗିବ, ସେତିକି ଋଣ ନେଲେ ଜୀବନଯାକ ଚାଲିଯିବ ।”

 

“ଭାରି ଡବ ଡବାଟା ତୁ ଭାଇ, କେତେ ଟଙ୍କା ହେଲାଣି ମୁଁ କ’ଣ ତତେ ହିସାବ ମାଗିଥିଲି ? ତୁଚ୍ଛାକୁ କହିଦେଲୁ ମତେ, ସେମିତି କୋଉ ଦିନ କାହା ଆଗରେ କହିଦେବୁ ଯଦି –”

 

“କହିବ ! ଜାଣିଚୁ ଟିକ୍ରା, କାଳେ କେତେବେଳେ ତୁଣ୍ଡରୁ ବାହାରିଯିବ ବୋଲି ମଦ ପଇବା ଏକଦମ୍ ଛାଡ଼ିଦେଲି –”

 

“ହଁ ନୁହେଁ କ’ଣ–ଖାଲି ଝୋଲାର ପାଣି ପିଇ ପିଇ ରହିଚୁ !”

“ଥଟ୍ଟା କର୍‍ନା ଟିକ୍ରା–କିଏ ଜାଣିଲେ–ଓଃ !”

 

ଦଳଦଳ ଲୋକ, ହାତବନ୍ଧା, ଆଗରେ ପଛରେ ନାଲି ଆଖି ଆଉ ଡେଙ୍ଗା ସିଧା ସେଇ ଗୋଟିଏ ଫାଟକ ଆଡ଼କୁ, ଯେଉଁ ଫାଟକ ଆଡ଼କୁ ଅନେଇଁ ରହିବାକୁ ହୁଏ ଲୁଲ୍ଲା ଗାଁ ପାଖ ସିନ୍ଦୂର ପାହାଡ଼ରେ ବାଘଗୁମ୍ଫା, ଭାଲୁଗୁମ୍ଫା ଭିତରକୁ ଅନାଇଁ ଠିଆ ହେଲାପରି । ଦଳଦଳ ଲୋକ ହାତବାନ୍ଧି, ସିଧା ସେଇଗୁମ୍ଫା ମୁହଁ ଆଡ଼କୁ । ପଦର ଖବର ସେ ଭିତରକୁ ପଶେ କି ? ଧୂଙ୍ଗିଆ ସେଠି ମିଳେ କି ? ଆଉ ଲନ୍ଧା ? ବିଲିବିଲି ଅନ୍ଧାର, କେଉଁଠି ଦୁକୁଦୁକୁ ଆଲୁଅ ଟିକିଏ । ଦୂର ଗାଁରେ ଗାଲ ଚିମୁଟି ହୋଇ ଛାତିରେ ବାଡ଼େଇ ବାଡ଼େଇ ପିଲାଟୋକୀ ଭେଁଭେଁ କାନ୍ଦୁଛନ୍ତି, ପବନକୁ କାନ ପାରୁଛନ୍ତି, ଆଇଲା କି ସେ,–ଝମ୍‍ଝମ୍‍ ଗମ୍‍ଗମ୍‍ ବରଷା–କେହି କୁଆଡ଼େ ନାହିଁ–

 

ମାଣ୍ଡିଆ ଗୁମ୍ ମାରି ବସିଲା, ଭାବନା ତା’ ଆଖିରେ ଚିତ୍ରଗୁଡ଼ାଏ ଖାଲି, ତା’ର ନିଜର ଓଜନ ନାହିଁ ଅଥଚ ଛାତି ଭିତରଟାକୁ ଗୁଣ୍ଡା କରିଦିଏ । ଭାବିଲା ସେ ଖାଲି ଦେଖେ, ଏଡ଼େ ଅଗନାଗ୍ନ ବଣ ଭିତରେ ବି ଧାଇଁଚି, ପଛରେ କିଏ ଗୋଡ଼ାଉଛନ୍ତି, ଧାଇଁବା ସରୁନାହିଁ । ନିଶା ସ୍ୱପ୍ନରେ ତୁଣ୍ଡରୁ ବାଉଳା କଥା ଗୋଳେଇ ହୋଇ ବାହାରେ –

 

“ମହାପୁରୁ– ମହାପୁରୁ– ଟିକିଏ ରଇଥା ମହାପୁରୁ – !” ଦେହଗୋଟା ଝାଳ ଫିଟିଯାଏ । ଦେଖେ କେହି ନାହିଁ ।

 

“ଟିକ୍ରା, ଶୋଇଲୁଣି କିରେ ?”

ଟିକ୍ରାର ଘୁଙ୍ଗୁଡ଼ି ଜବାବ୍ ଦିଏ । ସେ ଭେଣ୍ଡିଆ ହେଲାଣି ।

“ଜାଣିଲା ଆଉ ଧାଂଡ଼ୀ ମଗା ହେବ ନାହିଁ–ଆ ହା– ”

 

“ହଉ ହଉ; ମୁଁ ଦୋଷ୍ ଅପିଯିବି, ତୁ ନାହିଁ କରିବୁ, ମୁଁ କହିବି ଟିକ୍ରା କିଛି ଜାଣେ ନାହିଁ, ଟଙ୍କାଗୁଡ଼ାକ ତ ସେମାନେ ନେବେ ନାହିଁ, ତୋ ପାଖେ ରହିବ, ତୁ ଧାଂଡ଼ୀ କିଣିବୁ ଆଉ ଜମି ମୁକୁଳେଇବୁ, ମୁଁ ଶିକ୍ଷା ଯିବି, ମତେ ଭୁଲିଯିବୁ ପଛେ କଷ୍ଟେ ମଷ୍ଟେ–”

 

ଆପଣାର କଳ୍ପିତ ଉଦାରତାରେ ସେ ଶହେଗୁଣ ବଢ଼ିଯାଏ, ବାଘ ଫୁଲିଲା ପରି, ସେତେବେଳେ ସେ ହସିପାରେ ।

 

ତଳତଳା ମଦ ଟୋପାଏ ସେ ପିଇଦିଏ, ଗଳାରେ ତେଜ ଆସେ – ଆଃ–

 

“ବୁଝିଲୁ ଟିକ୍ରା–ଆମର ଏତେ କଷ୍ଟ ଦୁଃଖ, କୋଉ ଦିନ ଖାଦି ଖେଟୁଚି (ଅଣ୍ଟୁଛି) କୋଉଦିନ ନାହିଁ–ଶଳା ସାହୁକାର ମଜା ମାରୁଛି, ଏବେ ପୁଣି ଆମ ବିଲ ଉପରେ କମଳା ତୋଟା ଲଗେଇ ଦେଲାଣି । ଏଡ଼େ ସାହାସ ତା’ର ? ତୁ ମନେ ରଖିଥା ଟିକ୍ରା, ଦିନେ ନା ଦିନେ ତା’ର, ଦର୍ପ ଚୂନା ହେବ । ତାଁତର୍ ଗ୍ୟାଳ୍‍ପ, ଜମିଟା ମାରିନେବ ବୋଲି ବସିଚି ମନେ ମନେ । ମୁଁ ମନା କରୁଥିଲି ସେ ବେଳୁ ବାପାକୁ, ଶୁଣିଲା ନାହିଁ–ତାଁତର୍ ଗ୍ୟାଳ୍‍ପ ।”

 

ସବୁଯାକ ମଦ ଆଖିଡୋଳା ଉପରକୁ ଚଢ଼ିଯାଏ । ଆଉ ଟୋପାଏ ପିଇ ମାଣ୍ଡିଆଜାନି ଶୋଇପଡ଼େ ଥିରି ହୋଇ ।

 

ଏଇ ବଣର ବାସ୍ନା, ବଣର ସାଜ । ପଛେ ପଛେ ପାହାଡ଼ ଉପରେ ଉପରେ ଛବି, ଆଗେ ଆଗେ ଜାଲ । ଓଦା ଧୁଆ ଜଙ୍ଗଲ, କେରା କେରା ଆଲୁଅ, ଦି’ପାଖ ପାହାଡ଼ର ନାସି । ଏଠି ଖାଲି ମନେପଡ଼େ ଧାଂଡ଼ୀ । ଘାଲି ଖରା ଜୁକୁଜୁକୁ, ଝୋଲାବାଲାଙ୍କର ଗାଧୁଆ ତୁଠ ସେଠି ବାଳ ମୁକୁଳେଇ ଧାଂଡ଼ୀ ।

 

ଟିକ୍ରାର ଦୁଃସ୍ୱପ୍ନ ନାହିଁ, ସେ ଯାହାଦେଖେ ଯାହାପାଏ ତହିଁରେ ବଞ୍ଚେ । ସୁନ୍ଥା ପାକଳେଇ ଫୁଲ ଖୋସି ଦଳପଙ୍ଗତ ହୋଇ କେଉଁ ବଣବାଟେ କେଉଁ ଡଁଗରେଇ ହାଟକୁ ଧାଂଡ଼ୀ ଯାଆନ୍ତି, ଟିକ୍ରାର ଚାହିଁବାରେ ଆନନ୍ଦ, କିଏ ଦୁଧଭାର ମୁଣ୍ଡେଇ, କିଏ କାଠଭାର ମୁଣ୍ଡେଇ ଗାଁକୁ ଧାଇଛି । ଟିକ୍ରା ଦୁଃଖସୁଖ ହୁଏ, ଗୀତ ଗାଇ ନବଜ ଲଗାଏ ।

 

 

ସେତିକି ଆଗ୍ରହରେ ସେ ବଣଫୁଲ ପେନ୍ଥି ପେନ୍ଥି ତୋଳି ନିଜେ ବେଶ ହୁଏ, ମଇଁଷି ବେକରେ ଛନ୍ଦେ, ଆଉ ବାଲିଗରଡ଼ାରୁ ଚିକଚିକି ଗୋଡ଼ ବାଛି ଅଣ୍ଟି ଭର୍ତ୍ତି କରେ । ବସାବାନ୍ଧିବାକୁ ସେ ବ୍ୟାକୁଳ ନୁହେଁ, ସବୁ ତା’ର ମୁହୂର୍ତ୍ତକର ।

 

କିନ୍ତୁ ମାଣ୍ଡିଆ-ଫପ୍‌ସା ମନଟା ତା’ର, ସବୁ ସେଥିରେ ଗଳିଯାଏ । କାଜୋଡ଼ି ଯାଇ ଯାଇନାହିଁ । ଦୁନିଆଁଠୁଁ ଲୁଚେଇ ମନ-ଗହୀରରେ ଭାବିହେଲେ ଆନନ୍ଦ ଆସେ । ହାରିଯିବା ସ୍ୱୀକାର କରିହୁଏ ନାହିଁ । ସ୍ମୃତିଗୁଡ଼ାକ ବି ଧୋଇଦେଇ ହୁଏ ନାହିଁ ଝୋଲାର ଥଣ୍ଡାପାଣିରେ । ସେ ମୁହଁ ଫୁଲାଏ, ରାଗେ, ଛି କରିଦିଏ ଉପର ମୁହଁରେ, ପୁଣି କେତେବେଳେ ବଣର ଛାଇରେ ସେ ଢୁଳେଇ ପଡ଼େ, ଟିକି ଟିକି ଚଢ଼େଇ ପାଖକୁ ଉଡ଼ିଆସି ଗଛଡାଳ ଉପରେ ଉଙ୍କି ମାରି ମାରି ଗୀତ ବୋଲନ୍ତି ।

 

ଆଉ ଶୋଇ ଶୋଇ ସେ କ୍ଷମା କରେ ,ରାଗଯାଇ ଆସେ କ୍ଷମା । ଆହା ବିଚାରା ! କି ଚାରା ତା’ର ! ତା’ର କି ଦୋଷ !

 

ସେ କ୍ଷମା କରେ । ନିଦୁଆ ଓଠ ବଙ୍କା ହୋଇଯାଏ, ହସ ଫାଟେ, ସେ କ୍ଷମା କରେ ।

 

ଦିନ ଦି’ ପହରେ ଝୋଲାର ଝମ୍ ଝମ୍ ଆଉ ଗଛ ଭିତରେ ପବନ ମିଶି ସାଇଁ ସାଇଁ ଶବ୍ଦ, ଗଛ ଭିତରେ ପଲ ପଲ ମଶା ଆସି ରକ୍ତ ଶୋଷନ୍ତି, ହସ ଫାଟରେ ମାଛି ପୋତକ ଭଣ ଭଣ ବେଢ଼ି ଯାଆନ୍ତି । କାନପାଖେ ଟିକିଲି ପୋକ ଭାଇଁ ଭାଇଁ ବୁଲେ ।

 

ଭେଣ୍ଡିଆ ଶୋଇ ରହେ ଆଉ କ୍ଷମା କରେ । କାଜୋଡ଼ି ପୁଣି ଫେରିଆସେ ।

 

ସମସ୍ତେ ଜାଣନ୍ତି, ସାହୁକାର ଫୂର୍ତ୍ତି ଭଲପାଏ । ସମସ୍ତେ ଜାଣନ୍ତି ଅଥବା ସନ୍ଦେହ କରନ୍ତି, ସାହୁକାର ଧାଂଡ଼ୀପିଛା ନିଏ । କିନ୍ତୁ ସ୍ୱର୍ଗକୁ ନିଶୁଣି ନାହିଁ ବଡ଼ ଲୋକକୁ କଥା ନାହିଁ । ଆଉ ବଣୁଆ ଲୋକଙ୍କ ସାଧାରଣ ସ୍ୱଭାବ, ସେମାନେ ଜାଣିଲେ ବି ଜାଣନ୍ତି ନାହିଁ । ପଚାରିଲେ କହନ୍ତି, ‘ଜଣା ନାହିଁ ସେଟାମାନ୍ ଆମ୍‌କୁ । ’
 

ସମସ୍ତେ ଜାଣନ୍ତି, ଏକା ଜିଲି ଜାଣେ ନାହିଁ । ତା’ର ମନ ଭାବିବାକୁ ଚେଷ୍ଟା କରେନାହିଁ ଯେ ଯେଉଁ ଅନ୍ଧାରି ମୋହରେ ନିଜଠୁ ବି ପଳେଇ ଯାଇ ସେ ଅନ୍ଧାରୁଆ ଟୁଙ୍ଗୀ ଭିତରେ ସତ୍ତା ହଜାଏ, ଆଉ କେତେ ସାନ ବଡ଼ ମାଛି, ପ୍ରଜାପତି ଟାଣି ହୋଇ ଝୁଲି ପଡ଼ୁଥିବେ ସେଇ ଜାଲରେ ।

 

ଦିନୁଁ ଦିନ ଯହୁଁ ଚିହ୍ନାପରିଚ ବଢ଼ିଗଲା, ସାହୁକାର ଧାପ ଧାଡ଼ି ବଢ଼ିଗଲା ଗାଁର ସବୁ ସାହିରେ । ପାଖେ ପାଖେ ତା’ର ମଧୁ ଘାସି, ସଞ୍ଜ ବୁଡ଼ୁ ବୁଡ଼ୁ ନିଛାଟିଆ ଟୁଙ୍ଗି ଘରେ ସେ ଏକା ଧାଂଡ଼ା ବସାଘର ଗୋଟାକ ଭର୍ତି କରେ । ପଦା ଲୋକ ନିଜ ଘରେ ବସି ଅନୁମାନ କରନ୍ତି, ଦେଖନ୍ତି ନାହିଁ ନିଜେ କିଛି ।

 

ଲୋକେ ତାକୁ ଡରନ୍ତି ।

 

ଡମ୍‍ ସାହି ଭିତରୁ ଅବେଳରେ ବାହାରିବାର ଲୋକେ ଦେଖିଛନ୍ତି, ହାଟ ଦିନ, ଯେତେବେଳେ ସବୁ ଅଣ୍ଡିରା ଲୋକହାଟକୁ ଯାଇଥାନ୍ତି– ଦି’ପହରବେଳେ, ଯେତେବେଳେ ଲୋକ ଥା’ନ୍ତି କ୍ଷେତରେ । ଜଣେ ଆର ଜଣକର ଘରର ଧାଂଡ଼ୀକୁ ସନ୍ଦେହ କରନ୍ତି ନିଜ ଘରକଥା କେହି କେବେ ଭାବନ୍ତି ନାହିଁ । ସନ୍ଦେହ ବଢ଼ିଚାଲେ, ବୁଢ଼ାମାନେ ବାଟଘାଟରେ ଗପ କରନ୍ତି ଥଙ୍ଗେଇ ଥଙ୍ଗେଇ, ଆଉ କେହି କଥାଟା ତୁଣ୍ଡରେ ଧରେ ନାହିଁ ।

 

କିନ୍ତୁ ଲୋକେ ନ କହିଲେ ବି ଲୋକ ବୁଝନ୍ତି । ବଣୁଆ ଲୋକର ଆଖି ଖୁବ୍ ସଫା । ଏଇ ସନ୍ଦେହର ଜାଲ ଚାରିଆଡ଼ୁ ଚାରଆଡ଼ୁ ବଣ ଚାପିଲା ପରି ଘେରେଇ ହୋଇ ଛୋଟ ହୋଇ ଆସିଲେ ଯେତେବେଳେ, ସେତେବେଳେ ତହିଁରେ ଦି’ଚାରିଟା ମୋଟା କଳା ବୁନ୍ଦା, ଡମ୍‍ ସାହି ଛାଡ଼ିଦେଲେ ବାକି ଗୋଟାଏ ମୋଟା । ସେଇ ଗୋଟାଏ ଲୋକ ଏକା ରକମ ଚାଲିରେ ଘୋଡ଼ାଇ ପୋଡ଼ାଇ ହୋଇ ତରତର ହୋଇ ଚାଲିଯାଏ ରାତିକି ରାତି, ପଛେ ପଛେ ମଧୁ ଘାସିର ଛାଇ, କେତେବେଳେ କେଉଁଦିନ ଆସେ କେହି ଜାଣେ ନାହିଁ ।

 

ଜିଲି ତା’ର ଟଙ୍କା ଗଣେ, ଖଦିପଟା ସାଇତି ରଖେ ,କେଉଁଦିନ କେଉଁଜିନିଷ ଦେଖା ପଡ଼ିଗଲେ ବିଲି ଆଶ୍ଚର୍ଯ୍ୟ ସନ୍ଦେହ ସନ୍ଦେହ ହୋଇ ଚାହେଁ । ଘରର କଥା ଏତିକିରେ ବନ୍ଦ । ପଦରେ ଲୋକ ମାନେ ଉଣ୍ଡନ୍ତି, କିଏ ସେ ?

 

ଦିନ କେଇଟାରେ ଲୁଚୁକାଳି ଖେଳ ପରେ ଜିଲି ସାହୁକାର ମନକୁ ବାନ୍ଧିପାରଛି ଅଳ୍ପେ ବହୁତେ, ଏବେ ସବୁ ସହଜ । ଲଜ୍ଜାର ପହିଲି ପର୍ଦ୍ଦା ଟେକି ହୋଇଯାଇଛି ଜିଲି ମନରେ ଆସିଛି ଗୋଟିଏ ଆଶ୍ଚର୍ଯ୍ୟ ଅଳସତା, ଯହିଁରେ ଏଇ ଦରବୁଢ଼ା ଲୋକଟାକୁ ଆପଣାର ଏକୁଟିଆ ଜୀବନ ଭିତରେ ଗୋଟିଏ ସ୍ଥିତିବାନ ଖୁମ୍ବ ପରି ଧରିନେବାକୁ ମନ ତା’ର ଆଦରି ନେଇଛି । ଏଣିକି ମନରେ ଚମକ ଲାଗେ ନାହଁ । ଗାଁ ଗୋଟାକ ଶୋଇପଡ଼ିଲ ଲାଗେ ସେ ଯେପରି ଘରକରଣା କରିବାକୁ ଯାଉଛି । ଅଖାଡ଼ୁଆ ଲାଗେ, କିନ୍ତୁ ସବୁ ଚଳିଯାଏ ।

 

ଆଉ ଏ ଲୁଚାଚୋରା, ସେତିକି ତା’ର ରସ, ଯହିଁରେ ମନ ଘୋଳି ହୁଏ ନାହିଁ ।

 

ନିଶା ଅନ୍ଧାରରେ ଗାତ ପରି ଖୋପଗୁଡ଼ାକ ଭିତରେ ଗାଁର ପାଞ୍ଚଶ ଲୋକେ ଶୋଇ ରହିଛନ୍ତି । ନିଶା ସାଇଁ ସାଇଁ ଡାକେ । ଲୋକେ ଭାବନ୍ତି, କିଏ ସେ ?

 

ଏଇ ରହସ୍ୟ ଜିଆଇ ରଖେ ଜିଲି ଆଉ ସାହୁକାର ସମ୍ବନ୍ଧ ।

 

ସାହୁକାର ଏଠି ତଫାତ୍ ଦେଖେ ଡମ୍‍ ସାହିଠୁଁ । ସେଠି ସେମାନେ ଉପରେ ପଡ଼ି ଆସନ୍ତି, ପିନ୍ଧା ଖଦି ଦେହକୁ ଲୁଚାଏ ନାହିଁ, ଦେଖାଏ । ଦିନ ବେଳାଟାରେ ହଲି ଦୋହଲି ଆସନ୍ତି ସେମାନେ । ଗୋଟିକିଆ ଗୋଟିକିଆ ହୋଇ ଘର ଦେଖିବାକୁ ନିମନ୍ତ୍ରଣ କରି ବାଟ କଢ଼େଇ ଚାଲନ୍ତି ଆଗେ ଆଗେ ଭିତରକୁ–“ଆ ଦେଖିବୁ ସାହୁକାର କିଛି ଆମର ଘରେ ନାହିଁ, ତୁ ବଡ଼ଲୋକ, ଇନାମ୍ ଦେ ।” ସେଠି ରହସ୍ୟ ନାହିଁ, ଡମ୍‍ ଲୋକ ବେପାରୀ ଲୋକ ।

 

ଏ ଜିଲି–ଖାଲି ସୁନ୍ଦର ନୁହେଁ, ତା’ର ତେଜ ଅଛି, ହସମାଡ଼େ ଅଥଚ ମନ ନଇଁଯାଏ । ତା’ର ରୁଷାରୁଷି, ତା’ର ନ୍ୟାୟ ଧର୍ମର ବଡ଼ ବଡ଼ କଥା ଚୋବାଇ ହୁଏ ନାହିଁ ପାଟିରେ, ଆଉ ତା’ର ସ୍ୱାତନ୍ତ୍ର୍ୟ– ସେ ମାଟି କୁଣ୍ଢେଇ ନୁହେଁ, ସାହୁକାର ବାହାବାହା କରେ ।

 

ଜିଲି ତା’ର ଦରକାର ।

“କିରେ ଟୋକୀ, ରହିଯା ଏଠି, ନଇଲେ ମୋ ସାଙ୍ଗେ ମୋ ଗାଁକୁ ଯିବୁ ଯଦି–

ଦେହ ଅଳସେଇ ଆଖି ବୁଲେଇ ବୁଲେଇ ଜିଲି କହିଲା–

“ଛି ଛି ନେଚୁ ନେଚୁ, ଗାଁ ଲୋକେ କ’ଣ କହିବେ ?”

 

“କହିବେ କ’ଣ ଆଉ ? ଏମିତି କ’ଣ ହୁଏ ନାହିଁ ? ଝୋଲା ଟଙ୍କାରେ ତାଙ୍କର ଦାବି, ଭୋଜି ଭାତରେ ଖାଲି, ଆଉ ଏ ଲୁଚାଚୋରାରେ କ’ଣ ଅଛି ? ରହିଯା ମୋ ପାଖେ ସବୁଦିନେ, ତୋର ମନ – ।”

 

ଜିଲି କିଛ କହେ ନାହିଁ ।

 

ଏଇ ଲୋକଟା, ଆଖି ଆଗେ ଆଗେ ସବୁଦିନେ ରହିଛି ତା’ର । ବାପାର ଜମି ଝିକିଛି, ଭାଇମାନଙ୍କୁ ଗୋତି ରଖିଛି । ଲୋକେ କହନ୍ତି ବଡ଼ ସାହୁକାର ସେ, ଭାରି ପ୍ରତାପୀ, ଯେତେ ସେ ଛିଗୁଲେଇ ବିଗୁଲେଇ ହୋଇ ଲୋକଙ୍କୁ ସାଙ୍ଗେ ମିଶେ, ସେତେ ଲୋକେ ତାକୁ ଡରନ୍ତି ।

 

କିନ୍ତୁ ଜିଲି କେବେ ଏଣିକି ତାକୁ ଭାରି ଡରର ଜିନିଷ ବୋଲି ଭାବିପାରୁ ନାହିଁ । ଶୂନ୍‍ଶାନ୍‍ ରାତି ଅଧରେ, ଚାରିଆଡ଼େ ଯେତେବେଳେ ସୋରଶବଦ ନ ଥାଏ, ଗାଁ ବସ୍ତିର ଗୋଟିକିଆ ଘରେ ତାରି ଆଖି ଆଗରେ ଲୋକଟା ଲୋଚାକୋଚା ହୋଇ ନଇଁପଡ଼େ । କୁଆଡ଼େ ଯାଏ । ସେତେବେଳେ ତା’ର ପ୍ରତାପ, ତା’ର ତେଜ – !

 

ସେଦିନ ଜିଲି ଯେତେବେଳେ ଜୋର୍ ଦେଇ କହିଲା, ଆସିପାରିବା ସମ୍ଭବ ହେବ ନାହିଁ ଏଣିକି ତା’ ପକ୍ଷରେ, ପ୍ରତାପୀ ସାହୁକାର କେଡ଼େ ବିନୟ ଦେଖାଇ କଥା କହିଲା ! ତୁହାଇ, ତୁହାଇ-। ତା’ପରେ ତା’ର ଗୋଡ଼ ଧରି ପଡ଼ିଗଲା ।

 

ପିଇଥିଲା ଅବଶ୍ୟ ସେତେବେଳେ ସେ ଟିକିଏ । ସେ ମଦ ପିଏ, ଗଞ୍ଜେଇ ଟାଣେ । ସେତେବେଳେ ସେ ଦୁର୍ବଳ ହେଲେ ଜିଲିକୁ ଖୁସି ଲାଗେ । ତେଣୁ ମଦ ଗଞ୍ଜେଇକି ତା’ର ଜିଲି ଅବଜ୍ଞା କରେ, ଦୟା କରେ, ମୁହଁରେ ଦେଖାଇ ଦେଖାଇ ବିରକ୍ତ ହୁଏ, କିନ୍ତୁ ଘୃଣା କରେ ନାହିଁ ।

 

ତା’ର ସେ ହଂସାଉଡ଼ା ଉତ୍କଣ୍ଠା, ତା’ର ବିକଳ କଥା – ଯେପରି ସେ ଭିକାରିଟିଏ, ଏତିକିରେ ଜିଲି ତାକୁ ପାଖେ ପାଖେ ପାଏ , ଏତିକିବେଳେ ତା’ର ଧନଦୌଲତ ଆଉ ସାହୁକାର ହେବା ଗର୍ବ କେଉଁଆଡ଼େ ଉଭେଇ ଯାଏ ।

 

ଜିଲି ଆଗରେ ସେ ଗୋଟିଏ ମଣିଷ, ଯାହାର ଦଦରା ଅସ୍ତିତ୍ୱ ଦେଖି ମନରେ ଦୟା ହୁଏ, ଉଚ୍ଛା ହୁଏ ବିକଳା ଲୋକଟାକୁ ଟେକି ଧରି ତାକୁ ହିପାଜତ୍ କରିବାକୁ, ତା’ର ମୁଣ୍ଡ ଚିପି ଦେବାକୁ, ଖଟିଆରେ ଶୁଆଇ ରଖି ବିଞ୍ଚି ଦେବାକୁ –ସୁଖରେ ସେ ଢୁଳେଇ ପଡ଼ୁ ।

 

“ଏଃ–କବାଟଟାକୁ କିଳି ଦେ ଇଆସୁନୁ–”

ମଦରେ କଥା ଗୋଳି ହୋଇଯାଏ, କ’ଣ କେତେବେଳେ ବାହାରେ ତୁଣ୍ଡରୁ–

 

“ଜାଣୁ, ମୁଁ ତତେ ରାଣୀ କରିବି । ମୋର ଯାହା ଅଛି ସବୁ ସବୁ ତତେ ଲେଖିଦେବି । ଏତେ ରାଇଜ ମୁଁ ଦେଖଚି, ଏତେ ଲୋକ ଦେଖଚି, ତୋ ପରି ତ ଆଉ କେହି ନାହିଁ– ।”

 

ଭାବେଁ ସବୁ କାମଦାମ ଛାଡ଼ି ଏମିତି ପଡ଼ି ରହିଥିବି, ତୁ ଏମିତି ବସି ରହିଥିବୁ, ମୁଁ ତୋ ମୁହଁକୁ ଅନେଇଁ ରହିଥିବି ।

 

କୋଉ ପରଜା ଲୋକ କ’ଣ ବୁଝନ୍ତା ତୋର ଦାମ୍ ? ତୁ ଭାବିଚୁ ତୋ’ର ବାପ ଭାଇ ଭଉଣୀ ଏତେ ଲୋକ ଅଛନ୍ତି ସମସ୍ତେ ତତେ ଭଲ ପାଉଛନ୍ତି, ନୁହେଁ ?

 

ମିଛକଥା । ହଜାରେ ବାପ ଭାଇ ଗୋଟିଏ ପାଖେ, ଗୋଟିଏ ପାଖେ ମୁଁ, ମୋର ସ୍ନେହ ସେମାନଙ୍କର ହେବ ? ତୋ ପାଇଁ ମୁଁ ଗଢ଼ା, ମୋ ପାଇଁ ତୁ, ନ ହେଲେ ଏ ଗାଁ କିଏ ମୁଁ କିଏ ?

 

କ’ଣ ଧନ ସମ୍ପତ୍ତି ଅଛି ଏ ଗାଁରେ ? ମୋ ଗୁହାଳ ଘରେ ଯେତେ ଥିବ ଏଠି ସେତେ ଅଛି ନା ? ଅଛୁ ତୁ – ମୋର ସବୁ ସମ୍ପତ୍ତି ତୋ ପାଇଁ ସବୁ ତୋ ଗୋଡ଼ତଳେ ଗଡ଼େଇ ଦେଇ ଯିବି-। ତୁ ମତେ ଛାଡ଼ିବୁ ନାହିଁତ ?–କହ –କହୁନୁ ଟିକେ –ମୋ ରାଣ ପକା –”

 

ମଦୁଆ ଲୋକ ବେଶି ବକେ କିଏ ନ ଜାଣେ ? ଆଗେ ଆଗେ ଜିଲିକୁ ଭାରି ହସ ମାଡ଼ୁଥିଲା, ଏବେ ହସ ମାଡ଼େ ନାହିଁ ।

 

ସେଇମଦୁଆ ଲୋକ ପାଖେ ଅନ୍ଧାରର ନିରୋଳାରେ ବସି ସାତ ପାଞ୍ଚ ସେ ଭାବିଯାଏ । ଅବସ୍ଥା କିଛି ଫରକ୍ ନୁହେଁ । ଥାଆନ୍ତା ଗୋଟିଏ ପରଜା ଧାଂଡ଼ା, ନ ହେଲେ ଅଛି ଗୋଟିଏ ଶୁଣ୍ଢୀ ଡୋକ୍ରା (ଦରବୁଢ଼ା), ପରଜାର ଅର୍ଥ ବଳ ନ ଥାନ୍ତା, ଶୁଣ୍ଢୀର ଅଛି । ଆଉ କଥାବାର୍ତ୍ତା, ସେଇ ସେ ଗୋଟିଏ ଗତର, ତଫାତ୍ ଏତିକି, ପରଜା କାମ ବି ଖୋଜନ୍ତା, ସାଙ୍ଗ ବି ଖୋଜନ୍ତା, ଶୁଣ୍ଢୀ କାମ ଖୋଜେ ନାହିଁ, ସାଙ୍ଗ ଖୋଜେ ।

 

ଏଠି ୟା ପାଖେ ସବୁଦିନେ ରହିଯିବା କଥା ସେ ଭାବେ । ଗୋଟାଏ ପାଖେ ଗାଁର ଥଟ୍ଟାତାମସା, ଲୋକେ କିଛି କହିଲେ କହିପାରନ୍ତି, ଧାଂଡ଼ା ବସାଘରେ ଗାଁର ଧାଂଡ଼ା ମହଲରେ ଅଳ୍ପ ଚହଳ ପଡ଼ିବ । କିନ୍ତୁ ସେମାନେ ତ ଗୋତିର ଝିଅ ବୋଲି ତାକୁ ଧରି ନେଇଛନ୍ତି । ପଚାରିବାକୁ କେହି ନାହିଁ...

 

ଆର ପାଖେ ଧୋବଳଶ ଚୂନଘର, ଧନେଦୌଲତ, ଖଦି ଖାଦି । ସ୍ୱାଧୀନସେ, ପରଜାଘର ଝିଅ, ଯେତେବେଳେ ଇଚ୍ଛା ହେବରଟ୍‌ କରି ସମ୍ବନ୍ଧ ଛିଣ୍ଡେଇ ଦେଇ ପାରିବ, ସବୁ ତା ହାତରେ ।

 

ଦି’ ଦିନର ହାଉ ହାଉ ବେଶି ଅନିଷ୍ଟ କରିପାରିବ ନାହିଁ ।

 

ତଥାପି କାହିଁକି ମନ ମାନେନାହିଁ । ଏତେବାଟ ଆଗେଇଯାଇ କେଉଁଠି ଗୋଟାଏ ତା’ର ଧାଂଡ଼ୀ ଗୌରବ ବାଧା ପାଇ ଫେରିଆସେ । ଜାତି ଅଲଗା ବୋଲି ନୁହେଁ । ସେ ଡୋକ୍ରା...

 

ଯେପରିକି ସେ ଫୁଲ ବେଶ ହୋଇ ସୁନ୍ଥା ପକେଇ ଭଲ ଖଦି ପିନ୍ଧି ହାତ ହଲେଇ ପଶିଯାଇଛି ଗୋଟାଏ ଅନ୍ଧାରୁଆ କୋଠରୀ ଭିତରକୁ, ମେଲା ବାହା ଦୁଇଟାରେ ବାନ୍ଧି ପକେଇ ଦେଖିଛି, ଗୋଟାଏ କଙ୍କାଳ, ସେ ସୁନାର ଛାଉଣୀ ହୋଇଛି, କିନ୍ତୁ କେଡ଼େ ଥଣ୍ଡା ସେ ! ତା’ର ଥଣ୍ଡା ଯେପରି ଆପଣା ଦେହର ସବୁ ଉଷୁମ ନିଭେଇ କାକର କରିଦେଇ ପଶିଯାଉଛି ଛାତି ଭିତରକୁ ବୋଲି । ହାତ ଖୋଲି ନେଇ ପଛକୁ ହଟିଯାଉଛି ଜିଲି, କିନ୍ତୁ ପଳେଇ ପାରୁ ନାହିଁ, ଆଖି ବାନ୍ଧିହୋଇ ରହୁଛି ସେଇ ସୁନା ତବଜା ଉପରେ, ସେ କାକର କିନ୍ତୁ ସେ ସୁନା ।

 

ସାହୁକାରର ପାଖରେ ଥାଇ ସାହୁକାରଠୁଁ ମନଟାକୁ ଛଡ଼େଇ ନେଇ ସେ ଆପଣା ଭବିଷ୍ୟତ୍‌ କଥା ଭାବେ । ଗୁମ୍‌ ହୋଇ ଶୋଇ ରହିଲାବେଳେ ଅନ୍ୟମନସ୍କ ହୋଇ ଗୋଟିଏ ସୁଖ ସେ ଗଢ଼ି ଲାଗେ, ସେଥିରେ ଡୋକ୍ରାର ଭାଗ ନାହିଁ, ଡୋକ୍ରାର ଛାଇ ସେଠି ପଡ଼େ ନାହିଁ, କିନ୍ତୁ ସେଠି ଅଭାବ ନ ଥାଏ ସାହୁକାରର ଦୟାରୁ ।

 

ଖରାପ ଲାଗେ ନାହିଁ ।

କାଉ ପରଜା ଗୋଟିଏ ଗରିବ ଗୋତି, ନାଇକର ଗୋତି ସେ ।

 

ଜିଲି ତାକୁ ହସରେ ଉଡ଼େଇ ଦେଇଛି, ସେ ଜିଲିକୁ ଭୁଲିପାରି ନାହିଁ । ଏଇ ଅବହେଳାଦ୍ୱାରା ସ୍ପର୍ଶ ଆଉ ସମ୍ବନ୍ଧ ଖୋଜିବାକୁ ସେ ଯେତେଥର ପାରିଛି ଏକୁଟିଆ ଜିଲିର ନୋହିଲେ ଦି’ଭଉଣୀଙ୍କ ପଛେ ପଛେ ଧାଇଁଛି । ସେ ଜାଣେ ସେ ସୁନ୍ଦର ନୁହେଁ, ସେ ଜାଣେ ଧାଂଡ଼ୀ ତାକୁ ଥଟ୍ଟା କରନ୍ତି, କିନ୍ତୁ ସେ ଗୁପ୍‌ଚୁପିଆ ମଣିଷ, ତୁନିତାନି କେଉଁ ଆନନ୍ଦ ସେ ପାଏ ସେ ଜାଣେ ।

 

ସେ ଠିକ୍‍ଣା କରିସାରିଥିଲା ଜିଲିକୁ ସେ ‘ମାଙ୍ଗ୍‌ଣି’ କରିବ । ବହୁତ ଦିନ ଚାଲିଗଲା ଝୋଲା ଟଙ୍କା କରଜ ସଜିଲି କରିବାକୁ । ଟଙ୍କାର ଆଶା ଦିଶିଲା । ଏତେବଡ଼ ଚୁପ୍‌ଚାପ୍‌ ଲୋକଟାର ଛାତି ପଡ଼ିଲା ଦୁଲ୍‌ଦାଲ୍‌ ଦୁଲ୍‌ଦାଲ୍‌ । ଏଥର ଜିଲିକୁ ଦେଖିଲେ ଭାରି ଲାଜ ମାଡ଼େ, କାରଣ ସେ ଜାଣେ ମନେ ମନେ ଯେ, ପାଇବା ପାଖ ହୋଇ ଆସିଲା । ଭାରି ଲାଜ ମାଡ଼େ, ଜିଲିରପଶେ ନାହିଁ ଲାଜରେ ।

 

ବିଲି ଥଟ୍ଟା କରି କରି ପାଣିଘାଟରୁ କୁହାଟ ଛାଡ଼େ–

“କି କାଉ ଭାଇ ଆଉ ଯାଉନୁ ଆମ ଆଡ଼େ ?–ଭୁଲିଗଲୁ କି ?”

 

କାଉ ପରଜା ହସି ପକାଏ । ଆପଣାକୁ ସମ୍ଭାଳିବାକୁ ବଳଦ ଖେଦି ନେଇ ଦୌଡ଼ି ପଳାଏ–

 

“ଆ ଚୁଃ ଆ ଚୁଃ–ଟା ଟା ।”

 

ଦିନାକେତେ ଏହିପରି ଲାଜରେ କଟିଲା । ତା’ପରେ ସେ ବାହାରିଲା । ଜିଲି ଚାଲିଯିବା ବାଟରେ ଦି’ଆଖିରୁ ସ୍ନେହ ଢାଳିଦେଇ ସେ ଠିଆହୋଇ ରହିଥାଏ । କେଉଁଦିନ ଫୁଲ ଦି’ଟା କେଉଁଦିନ କୁକୁଡ଼ା ଡିମ୍ବ ଚାରିଟା ଅଣ୍ଟିରେ ଲୁଚେଇ ନେଇ ସେ ତୁନିତାନି ଠିଆହୋଇ ରହିଥାଏ, ଜିଲି ସେ ବାଟେ ଯାଏ, ତଣ୍ଟିରେ ହାତ ଖୁସୁଖୁସୁ ଖୁଜୁବୁଜୁ ହୁଏ, ତୁଣ୍ଡରେ ଏଣୁତେଣୁ କୁଶଳ ପ୍ରଶ୍ନ ସେ ପଚାରେ, ହାତ ପଦାକୁ ବାହାରେ ନାହିଁ ।

 

ଆଉ ଗାଁ ପାଖ ତଳ ବଣ ଭିତରେ ଗୋରୁ ଚରୋଉ ଚରୋଉ କେହି ମଣିଷ ନ ଥିଲାବେଳେ ତାକୁ ବାଇ ଲାଗେ । ଚାରିପାଖରୁ ଗୋରୁ ଚରୁଥିବା ନସର ନସର ଶବ୍ଦ । ଗଛ ଡାହିରେ ମାଙ୍କଡ଼ ଖେଙ୍କା, ଝୋଲାତଳ କୋଚିଲା ବଣରୁ କୋଚିଲାଖାଇ ଚଢ଼େଇଙ୍କ କିଳିକିଳା, ସେଇଠି କେଉଁ ଗଛର ଝଙ୍କା ଚେର ଉପରେ ଗାଦି ମାଡ଼ି ବସି କାଉ ପରଜା ଭେଣ୍ଡିଆ ହୋଇ ହେଣ୍ଡିମାରେ ।

 

ସେ ଫୁଲ ତୋଳି ଆଣେ, ମୁଣ୍ଡରେ ବାନ୍ଧେ । ବାହାରେ ମୁଣ୍ଡ ରଖି ଉପରକୁ ଅନେଇ ପଥୁରିଆ ଜଙ୍ଗଲିଆ ଭୂଇଁ ଉପରେ ଶୋଇରହି ପୋକଖିଆ ଦାନ୍ତବାଟେ ଚିପି ଚିପି ସିଟି ମାରେ, ଗୋଡ଼ ଦି’ଟା କଚାଡ଼େ, ସାଧନା ଭାଙ୍ଗି ଭାଙ୍ଗି ମୁଣ୍ଡ ଉପରେ ଗୋଡ଼ ଦି’ଟା ଲଦେ ।

 

ଗଡ଼େ, ଟଳେ, ଉଠେ, ତା’ର ଘାଗଡ଼ା ଭଙ୍ଗା ଗଳାକୁ ଆହୁରି ବସେଇ ବସେଇ ବେକ ଫୁଲେଇ ଫୁଲେଇ ଗୀତବୋଲେ, ରଡ଼ି ଛାଡ଼େ–

 

“ଏ ଜିଲି ଜିଲି ଜିଲି–

ତାର୍‌ ତୋଲୁକାନେ ଲୁଲି ଲୁଲି ଲୁଲି”

ତା’ର ସାଧନା ସାଙ୍ଗେ ସହାନୁଭୂତି ଦେଖାଇ ଗଛ ଡାହିରୁ ହନୁମନ୍ତ ଡାକନ୍ତି–

“ଖାକାକୋ ଖାକାକୋ ଖା– ।”

 

କାଉ ପରଜା ହସି ହସି ଟେକା ଫୋପାଡ଼େ । ଜୋର୍‌ ଦେଇ ଗୋଟାକ ପରେ ଗୋଟାଏ ଉଣ୍ଡି ଉଣ୍ଡି ଲାଖ କରି କରି ସେ ଫୋପାଡ଼େ । ଆପଣାର ବପୁ ଦେଖି ଆପେ ଖୁସି ଲାଗେ । କାଉ ପରଜା ଫୁଲର ମୁକୁଟ ନାଇ ପାରି କରି ଗୋଡ଼େଇ ନିଏ ।

 

“ହା ହା ହା ହା–”

 

ବଙ୍କା ଢେମଣା ଗେମଣା କୁଜା ଅସୁନ୍ଦର ସେ । ସେ ଚେତାଇ ହେବାକୁ ଚାହେଁ ନାହିଁ କି ଥମ୍ବିଲା ପାଣିକୁ ଅନାଏ ନାହିଁ ।

 

ବିଭା ହେବାର ବୟସ କେଉଁକାଳୁ ତାକୁ ଚିତା କାଟି ଠକିଦେଇ ଚାଲିଗଲାଣି । ଖିଆଲ୍‌ ନାହିଁ । ଅନୁଭୂତିରେ ଖାଲି ଆସନ୍ତା ଜୀବନ–ପରଜା ସଂସାରର ସବୁଠୁ ସୁନ୍ଦରୀ କନ୍ୟା ତା’ ପାଇଁ ଥୁଆହୋଇ ରହିଚି, ତା’ପରେ ସେ ସଂସାର ପାତିବ, ଲୋକେ ଈର୍ଷା କରିବେ–କରନ୍ତୁ, କିଏ ପଚାରେ !

 

ସେ ଯେତେବେଳେ ଆପଣା ବଳର ପରିଚୟ ପାଏ, ତାକୁ ଭାରି ଖୁସିଲାଗେ । ତେଣୁ ବିନା କାରଣରେ ସାନ ବାଛୁରୀର ଶିଙ୍ଗ ଦି’ଟା ଧରି ସେ ଅଟକେଇ ଦିଏ । ବୃଥାଟାରେ ଗୋରୁ ପଛେ ପଛେ ଗଇଁସଇଁ ହୋଇ ପାହାଡ଼ ଢାଲୁଏ ଢାଲୁଏ ଦଉଡ଼ି ଦଉଡ଼ି ଚଢ଼େ ଆଉ ସାନ ଝୋଲା ଫାଟ ଉପରେ ଡିଆଁ ଡେଇଁ କରେ, ତାକୁ ଖୁସି ଲାଗେ । ମନଖୁସିରେ ସେ ଗୋଟିଏ କନ୍ଧ ବଇଁଶୀ ଯୋଗାଡ଼ କଲା । ସେଥିରେ ଢମଣା ସାପର ଛାଲ ଛୁଆଣି ହୋଇଛି । ତେଣୁ ଦୁଇଅଣା ପଇସା ପଡ଼ିଲା । ସେ ଗୋଟାଏ ଆଡ଼ ବଇଁଶି ।

 

ବଇଁଶୀ ପ୍ରତି ପୂର୍ବେ ତା’ର କେବେ ମନ ଯାଇ ନ ଥିଲା । ଦୁଇଅଣା ପଇସାରେ ବଇଁଶୀ ସାଙ୍ଗେ ସାଙ୍ଗେ କନ୍ଧ ପିଲାଠାରୁ ସେ କେତେଗୁଡ଼ିଏ ବଜେଇବା କୌଶଳ ଶୁଣିଗଲା,–

 

“ଦେଖ, ଏମିତି ଧରିବୁ, ଏମିତି ଆଙ୍ଗୁଠି ଜାପିବୁ, ଏମିତି ଖୋଲିବୁ । ଅସଲ୍‍ ବଇଁଶୀ, ଖାଲି ଫୁଙ୍କିଲେ ବାଜିବ । ନେଇଗଲୁ ତ, ପୁଣି କୋଉ ବଣରେ ମତେ ବୁଲି ବୁଲି ଖୋଜିବାକୁ ପଡ଼ିବ-।”

 

କାଉ ପରଜା ସବୁ ଶିଖିଲା, ଶିଖିଲା ନାହିଁ ଖାଲି ଫୁଙ୍କିବା କୌଶଳ । କନ୍ଧ ବଇଁଶୀ ପ୍ରାୟ ଦୁଇ ହାତ ଲମ୍ବ, କାନ୍ଧରୁ ତା’ର ଆରମ୍ଭ । ଏତେବଡ଼ ଯନ୍ତ୍ରର ମୁହଁ ପାଖେ ମୁହଁ ଭିଡ଼ି ଦେଇ ଅତି ଆବେଗରେ ଯେତେବେଳେ ସେ ପ୍ରାଣର କଥା ଢାଳିଦିଏ, ପବନଗୁଡ଼ାକ ଫୁ ଫା ହୋଇ କେଉଁବାଟେ କେଉଁବାଟେ ଫସ୍କି ପଳାଏ, ଖାଲି ଗୁଡ଼ାଏଦୀର୍ଘଶ୍ୱାସ ଆଉ ହାହାକାର ।

 

ସେ ଦବେ ନାହିଁ, ବଜାଳିଙ୍କ ଓଠର ବାଙ୍କ ମନେ ପକାଇ ପକାଇ ନାନାପ୍ରକାର ମୁହଁ ବିକାର କରି ଓଠକୁ କଣାରେ ଦାବିଦେଇ ଫୁଙ୍କେ, ଗାଲ ଦି’ଟା ଫୁଲିଫୁଲିକା ଘୋଳି ହୋଇପଡ଼େ, ମୁଣ୍ଡ ଝାଇଁ ମାରିଦିଏ, ଛାତି ଛୋଟ ଛୋଟ ହୋଇଆସେ । କାଉ ପରଜା ନାକକୁ ଫୁଲାଏ, ଓଠକୁ ମୋଡ଼େ, ଭ୍ରୁଲତାକୁ କୁଦ କରି ବୁଦାଳିଆ ବାଳଗୁଡ଼ାକ ମେଞ୍ଚାମେଞ୍ଚି କରି ପକାଏ, କାନ ସନ୍ଧିରେ ଝାଳ ଫିଟି ପଡ଼େ, ଓଠରୁ ଲାଳ ବାହାରେ, ସେ ଲାଗିଥାଏ ନିର୍ଜନରେ ।

 

ବେଳେ ବେଳେ ବର୍ଷା ଛେଚେ । ଏଇ ମାସରେ ନୂଆ ଘଣା ପଡ଼ିଥିବା କୁସୁମ ତେଲ ବୋଳି ହୋଇ କାଉ ପରଜା କାମକୁ ଯାଇଥାଏ । କୁସୁମ ତେଲ ଦେହକୁ ଗରମ ରଖେ ।

 

କାଉ ପରଜା ବଇଁଶୀରେ ଅଭ୍ୟାସ ଲଗାଏ, ଖାଲି ଦି’ଟା ପଦ ତା’ର ଦରକାର–“ଜି–ଲି”, ଯେଉଁ କଣାରୁ ଯେଉଁପଦଟା ବାହାରୁ ପଛେ ।

 

ଗେଣ୍ଡୁଫୁଲ କାଗଜଫୁଲ ଧାତିକୀ ଫୁଲରେ ବଣ ଗୋଟାକ ଭର୍ତ୍ତି ହୋଇଯାଉଛି । ପାଞ୍ଚ ଆଙ୍ଗୁଳିଆ ବାଘନଖି ଫୁଲରେ ସଜେଇ ହୋଇ ସରୁ ଡଙ୍କ ଗଜା ଶାଳବୁଦାରେ ଗୁଡ଼େଇ ହୋଇଛି । ଏଠି ସେଠି ବଣ ଓଲୁଅ ଫୁଲରେ ମାଛି ବେଢ଼ିଛନ୍ତି, ଭୂଇଁଗୋଟାକ ଓଦା ଓଦା, ଖାଲି ଘାସ, ବୁଦା, ଲଟା, ଗଛପତ୍ର, ଯାହାକୁ ଯେତେ, ଏଇସବୁଗୁଡ଼ାକ, ଆଉ କ୍ଷେତ ଭର୍ତ୍ତି ସାବ୍‌ଜା, କସରା, ବେକେ ଉଞ୍ଚ ପାଚି, ଆଉ ହାଲୁକା ପବନ, ଆଉ ବେଳ କାଳର ସେ ଧୁଆପୋଛା ସଫା ନିମର୍ଳ ଆକାଶ, ସବୁ ତା’ର ଅନୁଭୂତିରେ ସଜା ହୋଇ ରହେ, ତାହାରି ଭିତରେ ବଇଁଶୀର ଦର୍‌ହଖଣ୍ଡିଆ ଫମ୍ପା ବୋବାଳି । ସବୁରି ଅର୍ଥ ଗୋଟାଏ ଆଡ଼କୁ ମୁହେଁ । ସଞ୍ଜବୁଡ଼େ ଗୋରୁପଲ ଧରି ଯେତେବେଳେ ଗାଁକୁ ସେ ଲେଉଟି ଆସେ, ଆଣ୍ଠୁ ବୁଡ଼ି ଯାଉଥିବା ଗୋବର କାଦୁଅର ଦଲଦଲାଉଥିବା ବାଟରେ, ଘର ପାଖେ ଉତୁରି ପଡ଼ୁଥିବା ଗୋବରଖାତ, ଗୋବର, ଗୋରୁ ମୂତର ଗନ୍ଧ, ଘର ଛାତରେ ଫୁଲଭର୍ତ୍ତି କସି ଭର୍ତ୍ତି, ଲାଉ କଖାରୁ ଜହ୍ନି ଶିମର ଲଟାର ଜାଲ, ସବୁ ତା’ ମନରେ ପୂର୍ଣ୍ଣତା ଆଣେ, ଯାହା ସେ ନ ପାଇଛି ତାକୁ ପାଇଛି ବୋଲି ଧରିନେଇ ତା’ର କୁତ୍ସିତ ଆବରଣ ଭିତରର ମନରେ ପଡ଼େ ଚାନ୍ଦିନୀ ରାତି, ନିମର୍ଳ ଜହ୍ନ, ଦୂରରେ ଅଗ ଚିକ୍‌ଚିକ୍‌ ଧାଡ଼ି ଧାଡ଼ି ଦେବଦାରୁ ଥରିଲା ଥରିଲା ଛାଇ, ମଧୁମାଳତୀର ସରୁ ବାସ୍ନା ।

 

କେତେଦିନ ଆପଣାଭୁଲା ହୋଇ ଚାଲିଗଲା, ତା’ପରେ ସେ ସ୍ମରଣ ବାଟରୁ କୀର୍ତ୍ତନ ବାଟକୁ ଗଡ଼ି ପଡ଼ିଲା, ବିଲି ସାଙ୍ଗେ, ନନ୍ଦିବାଲି ସାଙ୍ଗେ, ଘରେ ମା’ ବୁଢ଼ୀ ସାଙ୍ଗେ, କେହି ନଥିଲାବେଳେ କନ୍ଧ ବଇଁଶୀ ସାଙ୍ଗେ, ଚର୍ଚ୍ଚା ଲଗେଇ ଦେଲା ଖାଲି ଜିଲି ବିଷୟରେ ।

 

ନନ୍ଦିବାଲି ନ ଶୁଣିଲା ପରି ବାଟେ ବାଟେ ଟାଙ୍ଗି କୋଡ଼୍‌କି ଧରି ଚାଲିଯାଏ, ବିଲି ଥଟ୍ଟା କରେ, ମା’ ବୁଢ଼ୀ ଚିଡ଼ି ଚିଡ଼ି କହେ–

 

“କେତେ ସେଇଆ ସେଇଆ ହଉଚୁ ? ଆଜୋହୁଁ ଏତେ, ପଛେ ସତକୁ ସତ ବୋହୂ ଆଣିଲେ ମତେ ପଚାରିବାକୁ ତତେ ତର ମିଳିବ ନାହିଁ– ।

 

ବିଇଁଶୀ ଗୋଳମାଳ କରେ, ଗୋଟାଏ କିଛି କେଁ କାଁ ହଉ ନ ହଉଣୁ ବଇଁଶୀ ତା’ ଓଠରୁ ତଳକୁ ଖସିଯାଏ, ପୁଣି ଜାଗାଟା ଖୋଜି ବାହାର କରିବାକୁ ବହୁତ ସମୟ ଲାଗେ ।”

 

କଟେ ତା’ର ଏକ ରକମ । କିନ୍ତୁ ସତକୁ ସତ ଯେତେବେଳେ ଅନ୍ଧାର ଯାଇ ଆସେ ଝିଲି ଝିଲି ଜହ୍ନରାତି, ନିଦ ମାଡ଼େ ନାହିଁ । ଇଚ୍ଛା ହୁଏ ଟିକିଏ ଯଦି କେୁଁ ନିଛାଟିଆ ଜାଗାରେ ଫୁସ୍‌ଫୁସ୍‌ କଥା ହୁଅନ୍ତା ! ଦେହଟା ଚଞ୍ଚଳ ହୁଏ, ଅସ୍ଥିର ଲାଗେ । କାଉ ପରଜା ଉଚ୍ଛ୍ୱାସରେ ବାହାରି ପଡ଼େ ପଦାକୁ– ଗୋଟାଏ ବହଳ ଗେମେଣା ବଙ୍କା ଛାଇ, ଯେପରିକି କେଉଁ ଅଦେଖା ଓଜନ ବୋହି ବଙ୍କେଇ ପଡ଼ିଛି–ଧୀରେ ଧୀରେ ବୁଲିଆସେ ସେ ଗାଁ ଚାରିପାଖେ, ଥରେ ଦି’ଥର, ତିନି ଥର, ତା’ପରେ ଚୋର ପରି ଠିଆହୋଇ ରହେ ଧାଂଡ଼ୀ ବସାଘର ଆଗରେ, ତା’ର ବିଶ୍ୱାସ, ଜିଲି ଥିବ ସେଠି ।

 

“କିଏ ରେ ସେଠି ?” ମୂତି ଉଠି କେଉଁ ଟୋକୀ ପଚାରେ ।

“ମୁଇଁ ବେ (ଲୋ) ନୁନି–”

“ସେଠିଟାରେ କାଇଁକି ଠିଆ ହେଉଚୁ କାଉ ଭାଇ ? ଏମିତି ଡରିଲି ! ଚମକି ପଡ଼ିଲି !”

ନୁନି (ଟୋକୀ) ଗୁଣୁ ଗୁଣୁ ଗୀତ ବୋଲି ବୋଲି ପିଣ୍ଡାକୁ ଉଠିଗଲା–

 

“ମିଛ ବୁଝୁଚୁ, ହେଇ ଦେଖୁନୁ ଆସି ଦେହଗୋଟାକ ମୋର କେମିତି ଥରୁଚି । ସେଠିଟାରେ କାହିଁକି ଠିଆ ହେଇଚୁ ? ଶୀତ ଲାଗୁ ନାଇଁ ?– ଆସୁନୁ ଉପରକୁ ନିଆଁ ଟିକିଏ କରି ସେକି ହେବା–”

 

“ନାଇଁ ବେ ନୁନି, ଡର୍‌ ନାଇଁ ତୁଇ, ମୁଇଁ ଏମିତି ବୁଲୁଥିଲି ।”

 

ଜହ୍ନରାତିରେ ଓଦାଭୂଇଁରୁ କୁହୁଡ଼ି ଉଠୁଥାଏ ଅନର୍ଯ୍ୟାପ, କାଉ ପରଜା ସେଇ ଧୂଆଁ ଭିତରେ ମିଶିଯାଏ । ପଛରୁ ନୁନିର ଖିଲି ଖିଲି ହସ ଶୁଭେ ।

 

କେତେଥର ଏମିତି ଧାଂଡ଼ୀ ବସାଘରୁ ନିରାଶ ହୋଇ ଫେରି କାଉ ପରଜା ଠିକ୍‌ କଲା, ଜିଲି ଘରେ ଶୋଉଥିବ ବାପା ପାଖେ, ମନହୁଏ ଦେଖିଯିବାକୁ । ପୁଣି ଭାବେ ସେ କଥା ଠିକ୍‌ ହେବ ନାହିଁ । ନନ୍ଦିବାଲି–ବିଲି–ବୁଢ଼ା–ସାଇପଡ଼ିଶା । କ’ଣ ବୋଲି ସେ କହିବ କିଏ ପଚାରିଲେ ? ଜିଲି ମନେପଡ଼େ, ଜବାବ୍‌ ପାଏ ନାହିଁ ।

 

ଏହିପରି ରାତିଏ, ପୁନେଇଁ ପାଖ ହେବ ପରା, ବୁଲୁ ବୁଲୁ ଗୋଡ଼ ଦି’ଟା ଆପେ ଆପେ ପଡ଼ିପଡ଼ିକା ଚାଲିଗଲା ସୁକୃଜାନି ଘର ପାଖକୁ ।

 

ପଦାରେ ଗୋଟାଏ ପାଖ ଘରର ଛାଇ ତଳେ କାଉ ପରଜା ତୁନି ହୋଇ ବସି ରହିଲା । କଷ୍ଟ ବାଧିଲା ନାହିଁ । ଭାବିଲା–ଏଇ ସେ ଘର ଭିତରେ ।

 

ଭାବୁ ଭାବୁ ବେଳ କଟିଗଲା । ପଛେଇ ପଛେଇ ଲମ୍ବା ଲମ୍ବା ଛାଇଗୁଡ଼ାକ ଘର ଆଗରେ ଛାଡ଼ି ଛାଡ଼ିକା ଧାଡ଼ି ହୋଇ ପଡ଼ିଯାଇଛି, କେତେ ଅନ୍ଧାର ସେଠି । ଆଉ ଚାରିଆଡ଼େ କୁହୁଡ଼ିଧୂଆଁ ଉପରେ ଜହ୍ନରାତିଟା ଫଡ଼କେଇ ହୋଇ ରହିଛି । ଶୂନ୍‌ଶାନ୍‌ ଚାରିଆଡ଼େ ।

 

ତା’ର ଦମ୍‌ ଅଟକେଇ ଝାଳ ଫିଟେଇ ଦେଇ ସେଇ ଆଗ ଘରର କବାଟ ଫିଟିଗଲା । ବାହାରିଲା ଜିଲି ।

 

ଦେହରେ ଗଢ଼ଣରୁ ଖାଲି ଚୌକସି ଆକାରରୁ ଚିହ୍ନି ହେଉଛି, ସେଜିଲି, ବିଲି ନୁହେଁ । ପ୍ରାଣ ଗୋଟାକ ଆଖିରେ ଅଜାଡ଼ି ଦେଇ କାଉ ପରଜା ସେଇ ଚେହେରାକୁ ଶୋଷି ନେବାକୁ ମନ କଲା । ଜିଲି ଟିକିଏ ଠିଆହେଲା, ଚାରିପାଖକୁ ଅନେଇଲା, ତା’ ପରେ ଘୋରି ପୋରି ହୋଇପଡ଼ି ତର ତର ହୋଇ ଦାଣ୍ଡେ ଦାଣ୍ଡେ ଚାଲିଗଲା ।

 

କାଉ ପରଜା ଆଶ୍ଚର୍ଯ୍ୟ ହେଲା । ନିଦ ବାଉଳାରେ ଲୋକେ ଚାଲିଯାଆନ୍ତି ସେ ଶୁଣିଛି, ଏଇ କିମିଆକରା ଜହ୍ନରାତିରେ କେତେ ଲୋକଙ୍କୁ ଭୂତ ଉଠେଇ ନେଇ ଭୁଆଁ ବୁଲାଏ । ଚାରିଆଡ଼େ ଖାଁ ଖାଁ, ଜିଲି ଚାଲିଛି ।

 

ଭାବିଲା ଡାକିବ, ପୁଣି ତଣ୍ଟି ବନ୍ଦ ହୋଇ ଆସିଲା । କାଲି ସକାଳେ ସେ ଦିସାରିକୁ ପଚାରିବ । ଆଜି ଏ ରାତିରେ ! କାଉ ପରଜା ସେଡ଼େ ସାହସୀ ନୁହେଁ । ଛାଡ଼ିଦେଇ ଘରକୁ ଲେଉଟି ଯିବ ? ଗୋଡ଼ ଦି’ଟା ପଛକୁ ଘୋଷାରି ହେଉଛି । କିନ୍ତୁ ସେ ଦେଖିଛି । ଜିଲିକୁ ସେ ଏକୁଟିଆ ଛାଡ଼ିଦେଇ ଯିବ ? ଛି !

 

କାଉ ପରଜା ଦୂରରେ ରହି ରହି ଡରିଡରିକା ଚାଲିଲା ଜିଲି ପଛେ ପଛେ । ଆଖିଏ ଆଖିଏ ରଖିଛି । ଭଲ ମନ୍ଦ ହେଲେ ସେ ବି ଆଗୁସାର ହେବ, ଗଜିଲିକୁ ଏକୁଟିଆ ଛାଡ଼ିଦେବ ନାହିଁ-। ଭୂତ ତାକୁ ବି ଖାଇବ, ଖାଉ– ତା’ ବୋଲି ଜିଲିକୁ ଏକୁଟିଆ–

 

କେଡ଼େ ଶୂନ୍‌ଶାନ୍‌ ! ଓଃ କ’ଣ ଗୋଟାଏ ଚଢ଼େଇ ବୋବାଉଛି ! କେଡ଼େ ଖରାପ ! ବିଲୁଆ ବୋବେଇଲେ । ସେ କ’ଣ ସ୍ୱପ୍ନ ଦେଖୁଛି ? ଓଦା ପଚ୍‌ପଚ୍‌, ଦି’ ପାଖେ ବେଙ୍ଗ ବୋବାଳି, ଖାଲି ଝିଁ ଝିଁ ଆଉ କରଡ଼ କରଡ଼ ।

 

ଜିଲି ଆଗେ ଆଗେ ଚଞ୍ଚଳ ଚଞ୍ଚଳ ଚାଲିଛି ।

ଧାଂଡ଼ା ବସାଘର ହେଲା । ଗୋଟିକିଆ ଟୁଙ୍ଗିଟା ।

ସାହୁକାରଟା ଏଠି ରହୁଚି ନା ? ଏଇ ତ ତା’ର ବସା ।

 

ଜିଲି କବାଟରେ ତିନି ଥର ପିଟିଲା । କବାଟ ଖୋଲିଗଲା । ଜିଲି ପଶିଲା, କବାଟ ବନ୍ଦ ହେଲା ।

 

ଓଃ ! ଟାଙ୍ଗିଆ କାହିଁ ! ହାତରେ ବାଡ଼ଖଣ୍ଡେ ବି ନାହିଁ । ଦି’ କଦମ ପାଖେିଇ ଗଲା । କବାଟରେ ଦବ ସେ ଧକ୍‌କାଏ । ଯାଉ, କି ଦରକାର ତା’ର ? କିଏ ସେ ଏଠି ?

 

ତା’ର ଚେପ୍‌ଟା ମୁହଁ ମୋଟା ଓଠ ଗାର ଗାର ହୋଇ କେମିତି ନେଫେଡ଼ି ହୋଇଗଲା । ତଣ୍ଟିରୁ କ’ଣ ଉଠି ଆସୁଛି ଆଖିକୁ ।

 

ଆହୁରି ନୋଚାକୋଚା ହୋଇ ସେଇ ଗେମେଣା ଛାଇଟା ଜହ୍ନଆଲୁଅରେ ଗୋଟାଏ ବିରାଟ ବେଙ୍ଗ ପରି ଧୀରେ ଧୀରେ ଚାଲି, ଅଟକି, ଚାଲି, ଅଟକି ଲେଉଟିଗଲା–ଯେଉଁବାଟେ ଆସିଥିଲା ସେଇବାଟେ ।

 

ତହିଁଆର ଦିନ ସକାଳେ ।

 

“ତୋ’ର ଝିଅ ଜିଲି ରାତିରାତି ଚାଲିଯାଉଛି ଧାଂଡ଼ା ବସାଘରକୁ, ସେଠି ଶୁଣ୍ଢି ସାହୁକାର ବସା କରିଛି ।”

 

କହିଦେଇ କାଉ ପରଜା ଚାଲି ଯାଉଥିଲା ବାଟେ ବାଟେ । ସେ ବେଶି କହେ ନାହିଁ, ତା’ର ସବୁ ରାଗ ସବୁ ଘୃଣା ଏତିକି କଥାରେ କେତେ ଚଞ୍ଚଳ ସେ ଛିଣ୍ଡେଇ ଦେବ ଆଉ ଚାଲିଯାଇ ଆତ୍ମରକ୍ଷା କରିବ ।

 

ବୁଢ଼ା ଲେଉଟିପଡ଼ି ପଛେ ପଛେ ମାଡ଼ିଗଲା ।

“କ’ଣ କହିଲୁ ?”

କାଉ ପରଜା ଶୁଣିଲା ନାହିଁ ।

“କଣ କହିଲୁ ?’’ ସୁକୃଜାନି ତା’ର ହାତ ଧରି ପକେଇଲା ।

ବଡ଼ ଉଦାସଭାବେ କାଉ ପରଜା କହିଲା–

“ଯା ଘରକୁ ଯା, ମୋର କାମ ଅଛି ।”

ତା’ର ଆଖି ଭିତରକୁ କଟମଟ କରି ଅନେଇଁ ପୁଣି ବୁଢ଼ା ପଚାରିଲା–

“କ’ଣ କହିଲୁ ?”

“ଯାହା ଦେଖିଲି ତା’ କହିଲି ! ସାହୁକାରକୁ ପଚାର, ତୋ’ର ଝିଅକୁ ପଚାର ।”

 

ଖୁବ୍‌ ଅଭିମାନରେ କାଉ ପରଜା ଚାଲିଗଲା । କେତେ କାମ ଆହୁରି ବାକି ଯେ । କରଜ ଯୋଗାଡ଼ ହୋଇଥିଲା, ଆଉ କାହିଁକି ? ମନା କରିଦେଇ ଆସିବାକୁ ପଡ଼ିବ । ଆଉ ସାନ ବଡ଼ ହୋଇ ଯେତେ ଆୟୋଜନ, ଯାହା ଖାଲି ତା’ର ମନେ ମନେ ଥିଲା, ସେଥିରେ ସମାପ୍ତି ଡୋର ବାନ୍ଧିବାକୁ ପଡ଼ିବ । ଯାଃ ।

 

ଏପର୍ଯ୍ୟନ୍ତ କଥାଟା ସେ ମନେ ମନେ ରଖିଥିଲା । ରାତିଯାକ ଆଖି କସରା ପଡ଼ିନାହିଁ । କିନ୍ତୁ ଥରେ କହିଦେଇ ଆସିଲା ପରେ ମନ ଭିତରୁ ଯେପରିକି ଅଧେ ତାତି ତା’ର ଚାଲିଯାଇ ସାରିଥିଲା, ଏଣିକି ଆହୁରି କହିବାକୁ ଇଚ୍ଛା, ଆହୁରି, ଆହୁରି, ଯହିଁରେ ତା’ର ମନ ହାଲୁକା ହୋଇଆସିବ ।

 

ସେ ଦିଅଁ ଗଢ଼ୁଥିଲା, ଯେତେ ସମ୍ଭବ ଫୁଲ ଧୂପ ଭୋଗରାଗ ଅଜାଡ଼ି ଦେଇ ଫତୁରି ହୋଇଥିଲା । ଏବେ ବିସର୍ଜନ, ଯେତେ ଚଞ୍ଚଳ ପାରେ ସେତେ ଚଞ୍ଚଳ । ଧ୍ୱଂସର ହିଂସା ସୃଜନର ଦୁଃଖକୁ ଗୁଣ୍ଡାଗୁଣ୍ଡି କରି ଉଡ଼େଇ ଦେବାକୁ ଚାହେଁ, କାରଣ ସେ ମଣିଷ ।

 

ଜିଲିର ମୁହଁ ସେ ଦେଖିବ ନାହିଁ । ସାହୁକାରକୁ ଦେଖନ୍ତା । କିନ୍ତୁ ଗହୀର ମନରେ ତା’ର ବଂଶ ପରମ୍ପରାର ଭୟର ରୂପ ହିତାହିତ ଜ୍ଞାନ ଆଉ ଦର୍ଶନଶାସ୍ତ୍ରର ସୂତ୍ର ପରି ଗୁନ୍ଥି ହୋଇ ପ୍ରାଣକୁ ବୁଝାଏ–କି ଦରକାର ? ସାହୁକାର ଅଧିକାରୀଙ୍କର ବନ୍ଧୁ, କେତେ ଟଙ୍କା ସୁନା ଅଛି ତା’ ପାଖେ । “ଇରେ ବାପ୍‌ପା ଇରେ ବାପ୍‌ପା ଇରେ ବାପ୍‌ପା ।”

 

ସେ ପାହାଡ଼, ମୁଣ୍ଡ ପିଟି କିଛି ଫଳ ନାହିଁ ।

 

ଚାପୁଡ଼ାଖିଆ ଅଭିମାନୀ ପିଲାଟି ପରି କାଉ ପରଜା ମୁହଁ ଘୁମୁରେଇ ଚାରିଆଡ଼େ କହି କହି ବୁଲିଲା, ଲୋକେ ହସାହସି ହେଲେ । ଲୋକେ ମନ୍ତ୍ରଣା କଲେ, ଏତେ ଦିନକେ ରହସ୍ୟ ଫିଟି ପଡ଼ିଛି, ଏ ତାକୁ ସେ ୟାକୁ କୁହାକୋହି ହେଉ ହେଉ ତୁଣ୍ଡବାଇଦରେ ଗାଁ ଗୋଟାକ ସମସ୍ତେ ଜାଣିନେଲେ ।

 

ସୁକୃଜାନି ଗମ୍ଭୀର ହୋଇ ଘରକୁ ଫେରିଲା । ଡାକିଲା,–

‘ଜିଲି’

ଜିଲି ଘରେ ନାହିଁ ।

 

ପିଣ୍ଡା ଉପରେ ହୁଙ୍କା ପରି ବୁଢ଼ା ବସି ରହିଲା । ଆଖିରେ ନାଲି ଦେଖୁଛି, ମୁଣ୍ଡ ବୁଲେଇ ଦେଉଛି, କେତେଦିନର କେତେକଥା ମନେପଡ଼ି ଯାଉଛି ତା’ର । ଭଲ ମନ୍ଦ କିଛି ସେ ବୁଝେ ନାହିଁ, ବୁଝେ ଇଜତ୍‌, ବୁଝେ ବାପ ପ୍ରତି ସନ୍ତାନମାନଙ୍କ କର୍ତ୍ତବ୍ୟ, ବୁଝେ ସରଳ ସଫା ସତ କଥା । ହଁ, ଏ ଦେଶରେ ଏପରି ଅଛିଯେ ଯାହାକୁ ମନ କଲା ତାକୁ ଯିବ, ସେଇ ଯିବାଟା ହିଁ ବିବାହ । କିନ୍ତୁ ପରଜା ଝିଅ ଶୁଣ୍ଢିକୁ ବିଭା ହେବା ବେଆଇନ୍ ନ ହେଲେ ବି ବଡ଼ ଅପ୍ରାକୃତ । ଗାଁ ଲୋକେ କ’ଣ କହିବେ !

 

ଏଇ ଲୁଚାଚେରା ! ଛି ! ଛି !

 

ଆଉ ଶୁଣ୍ଢି ବୋଲି ଶୁଣ୍ଢି ? ଏକଦମ୍‌ ସାହୁକାର ! ସେ ଭୂମି ଉପରେ କମଳାତୋଟା ପୋତିଲାଣି, ପୁଅ ଦୁଇଟାଙ୍କୁ ଖଟେଇ ଖଟେଇ ମାରୁଛି । ଆଉ ତା’ର ଚରିତ୍ର ! ଛି ଛି, ଛେପ ପକେଇବାକୁ ମନ ହୁଏ । ତା’ର ମାଇନା (ମାଇକିନିଆ) ଅଛି, ପିଲା ଅଛନ୍ତି, ଦରବୁଢ଼ାଟା ସେ, କେଡ଼େ ଲାଜ କଥାଟା ! ଏଇ ଲୁଙ୍ଗୁଡ଼ା ଦୁନିଆ ଦରବୁଢ଼ାଟା ଆଡ଼କୁ ଢଳିପଡ଼ିଲା ତା’ର ଜିଲି ! ଛି ଛି ଛି ।

 

ଆଜ ତା’ର ବଳ ହଟି ଯାଇଛି; ସମାନ ଖାଦି ନାହିଁ, ମନ ଭିତରେ ଯାବତ ଦୁଶ୍ଚିନ୍ତା । ଆଗ ଦିନ ପରି ହୋଇଥିଲେ ଟାଙ୍ଗିଆରେ ଏକାଚୋଟେ, ତା’ର ମୁଣ୍ଡଟା ଛିଣ୍ଡି ତଳେ ଗଡ଼ନ୍ତା, ଠିକ୍‍ଣା ବେଭାରକୁ ଠିକ୍‍ଣା ଶାସ୍ତି ।

 

ତା’ର ବାପ ମନରେ ସନ୍ଦେହ ହେଲା–ତା’ର ଜିଲି କେବେ ଏପରି ହୋଇପାରେ ? ଜମାନ୍‌ କଥା ମନେପଡ଼ିଲା, ଯେଉଁଠୁ ତା’ର ଦୁର୍ଦ୍ଦଶା ଆରମ୍ଭ, ସେତେବେଳେ ଜିଲି ହଟା କରି ନ ଥିଲା, ନାଇକର ଗୋତି ମାଡ଼ ଖାଇଥିଲା ରାତିରେ ଡାକି ଆସି । ସେହି ଜିଲି ବଦଳି ଯାଇଥିବା କ’ଣ ସମ୍ଭବ ।

 

କାଉ ପରଜା ମିଛ କହିଥିବ ବା, କ’ଣ ଦେଖି କାଳେ କ’ଣ କହିଥିବ । ବେଳ ଯହୁଁ ଗଲା ବୁଢ଼ାର ସନ୍ଦେହ ବଢ଼ିଲା । କିନ୍ତୁ ଖରାପ କଥାର ଲକ୍ଷଣ ଏପରି, ଶୁଣିଲାମାତ୍ରେ ବିଶ୍ୱାସ କରିବାକୁ ମନେହୁଏ । ବୁଢ଼ାର ମନ ପ୍ରମାଣ ଖୋଜିଲା ।

 

ଯଦି ସତ ହୁଏ, ନାଇକ ଆସି ଡାକିବ, ପଞ୍ଚାତି ବସିବ ଓ ସେଠିକି ତଲବ ହେବେ ସେ ଆଉ ତା’ର ଝିଅ, କେଡ଼େ ଅପମାନ ସେ !

 

ତା’ପରେ ଜୋରିମାନା, ଆଉ ଲୋକେ ଯେଉଁ ବ୍ୟବସ୍ଥା କରିବେ ତା’ ଦିଶିଗଲା; ଏକୁଟିଆ ଗୋଟାଏ ପାଖେ ସେ, ଆର ପାଖେ ତା’ର ସମାଜ, ସେଠି ପରଜା ଗାଁର ସବୁ ଲୋକେ, ଏକାଠି ଦଳ ବାନ୍ଧି ଛକି ବସିଛନ୍ତି ବୁଦା ଜଙ୍ଗଲ ଉହାଡ଼ରେ, ଏକାଥରକେ କୁଦା ମାରି କେଣ୍ଟା କେଣ୍ଟା କରି ଖାଇଯିବେ ।

 

ବିପଦ ଉପରେ ବିପଦ ।

 

ସତେ ତ, କେଉଁଦିନୁଁ ଆପଣା ଘରେ ଆପେ କୁଣିଆ ହେଲା ପରି ସେ ଚଳି ଆସୁଛି–ବନରେ ସୁଖ ନାହିଁ–ସବୁ ଅଜାଡ଼ି ଦେଇ ବସିଛି ଦି’ଟା ଝିଅଙ୍କ ଉପରେ, ଖାଲି ଅନ୍ଦାଜରେ ସେଭାଗୀ, ଆଉ କେଉଁଥିରେ ନୁହେଁ । କୁଣିଆ ହୋଇ ଘରସଂସାର ସେ ଛାଡ଼ିଦେଇଛି–ମନଇଚ୍ଛା ଗଡ଼ିଗଡ଼ିକା ସବୁ ଯାଉଛି ଚୁଲିକୁ ।

 

ସୁକୃଜାନି ଭାବି ଭାବିକା ଘର ଭିତରେ ପଶିଲା ।

 

ଗୋଟାଏ ଖିଆଲରେ ଜିଲିର ପେଡ଼ି ତଲାସିଲା, ଗୋଟାଏ ବନ୍ଦ, ଆରଟା ଖୋଲା ପଡ଼ିଛି, କୁଞ୍ଚି ପଡ଼ି ନାହିଁ । ସେଥିରେ ନୂଆ ନୂଆ ଲୁଗାପଟା ତିନିଖଣ୍ଡ, ଭାଙ୍ଗ ଖୋଲି ନାହିଁ ।

 

ଏ ଲୁଗା ସେ ଆଗେ କେବେ ଦେଖି ନ ଥିଲା ।

 

ସାନ ବୋତଲ ଟିକକରେ କ’ଣ ନାଲି ତେଲ ଟିକିଏ ନାକରେ ମାରିଲାରୁ ବାସୁଛି, ସାବୁନ୍‌ ଦି’ଖଣ୍ଡ ।

 

ସବୁ ନୂଆ, ଯାହା ସେ ଆଗରୁ କେବେ ଦେଖି ନାହିଁ ।

 

ସୁକୃଜାନି ଭେଟେଣା ହେଲା ପରି ଠିଆହୋଇ ଅନେଇଁ ରହିଲା, ପେଡ଼ିରେଜିନିଷପତ୍ର ଅଡ଼ୁଆ ତଡ଼ୁଆ ହୋଇ ତଳେ ଗଡ଼ୁଛି ।

 

ଦୁଇହାତରେ ପୁରୁ ପୁରୁ କରି ମୁଣ୍ଡରୁ ନୁଖୁରା ବାଳ ଓଟାରିଲା, ଛାତିରେ ପିଟି ହେଲା, ଭାବିବାକୁ ଚେଷ୍ଟା କଲା ।

 

ଏହିପରି ସେ ଠିଆହୋଇ ରହିଥିଲାବେଳେ ଜିଲି ଆସିଲା । ନଈରୁ ଗୋଧୋଇ ପାଧୋଇ ସେ ଆସିଛି, କିଛି ସେ ଜାଣି ନାହିଁ । ହଲି ଦୋହଲି ଖୁସି ହୋଇ ସେ ଚାଲି ଆସିଛି । ଗୋଟାଏ ପାହୁଣ୍ଡ ପକେଇ ଥକା ହୋଇ ସେ ଠିଆ ହୋଇ ରହିଲା ।

 

ବୁଢ଼ା ଥରି ଥରିକା ଚିର୍‌ଚିରେଇ ଉଠିଲା–‘ଜିଲି !’

ମୁଠା ଉଞ୍ଚେଇ ଗଜର୍ନ କରି ସେ କହିଲା–

“ତୁ ଏ ସାହୁକାର୍‌ ସାଙ୍ଗେ–”

 

ଜିଲିର ଛାତି ଉଠିଲା ପଡ଼ିଲା, ଆଖିର ଚାହାଣୀ ଅସ୍ୱାଭାବିକ ହୋଇ ଚହଲିଗଲା ଚାରିଆଡ଼େ । ଯେପରି ଗୋଟାଏ ନିଆଁ ଜଳିଜଳିକା ନିଭି ଯାଉଛି ।

 

ସବୁ ସେ ଦେଖିନେଲା, ବୁଝି ପାରିଲା, ପବନ ବେଗରେ ଧାଇଁ ପଳେଇଗଲା ସେଠୁ ।

ବୁଢ଼ା ପାଟିକଲା–

“ଯା’ ତୁ ଯା’, ମୁହଁ ଦେଖା ନା ଏଠି, ଏଥର ଆସିଲେ !”

ଜିଲି ଅଦୃଶ୍ୟ ହୋଇ ସାରିଥିଲା ।

 

ସୁକୃ ପରିଜା ପିଣ୍ଡାକୁ ଆସିଲା, ଭାବିଲା ଯିବ ସେ ସାହୁକାର ପାଖକୁ । ପୁଣି ମନକୁ ମନ ବକି ହେଲା, “ନା ଏମିତି ନୁହେଁ, ସମସ୍ତେ ଆସନ୍ତୁ ।”

 

ଗୋଡ଼ ଲମ୍ବେଇ ପିଣ୍ଡାରେ ବସିଲା । ଜଳନ୍ତା ପିକା ତୁଣ୍ଡରେ ମାଡ଼ଦେଇ ଖାଲି ଛେପ ପକେଇ ହେଲା, ଥୁ ଥୁ ଥୁ ଥୁ ।

 

ବିଲି ନନ୍ଦିବାଲି କ୍ଷେତକୁ ଯାଇଛନ୍ତି, ହେଇ ମୁଣ୍ଡବେଳ ହୋଇ ଆସିଲା, ଗାଁର ସମସ୍ତେ ଫେରିବେ ଏଥର । ଓଃ କେଡ଼େ ଖରା !

 

ସାହି ଭିତରୁ ଖାଲି ପିଲାଙ୍କ ପାଟି । ମକାଟିଏ, କାକୁଡ଼ିଟିଏ ଚୋବେଇ ଚୋବେଇ ପିଲାଗୁଡ଼ିଏ ବୁଲୁଛନ୍ତି, ପ୍ରଜାପତି ଉଡ଼ୁଛନ୍ତି ଅସଂଖ୍ୟ, ପିଲାଏ ଗୋଡ଼ୋଉଛନ୍ତି । ଚିକ୍‌ ଚିକ୍‌ ସାବୁଜା ଘାସ ଉପରେ ଖରା ନିଆଁ ଢାଳି ଦେଉଛି । ସାନ ସାନ ଛୁଆ ପଲେ ପଲେ ଧରି ମାଈ କୁକୁଡ଼ାଗୁଡ଼ାଏ ଏଠୁ ସେଠିକି ସେଠୁ ଏଠିକି ଖୁମ୍ପିଖୁମ୍ପିକା ଧାଇଛନ୍ତି । କାହା ଗୁହାଳରୁ କଅଁଳା ବାଛୁରୀଟିଏ ରଡ଼ି ଛାଡ଼ିଛି ।

 

ଓଃ ଖରା ! କେଡ଼େ ରଞ୍ଜାଳିଆ ଅଦିନିଆ ଖରା ! ଆଉ ଧୁଙ୍ଗିଆଗୁଡ଼ାକ ଖାଲି ପିତା– ଛି ଛି ଥୁ ଥୁ ।

 

ବାପା କହିଚି–‘ଯା’ ।

ସମାଜ କହିବ–‘ଯା । ’

ରହିବା ଉପାୟ ନାହିଁ, ଯିବାକୁ ହିଁ ହେବ ।

 

ସବୁଆଡ଼ୁ ବାଟ ବନ୍ଦ କରିଦେଲେ, ଗୋଟାଏ ବାଟ ରଖିଲେ ଖୋଲା, ପରର ଠେଲା ଖାଇ ସେଇ ଗୋଟାଏ ଯିବାକୁ ହିଁ ହେବ, ଭିନେ ଉପାୟ ନାହିଁ ।

 

ଆଜି ହାତଗୋଡ଼ ବାନ୍ଧି ହୋଇ ଗୋଟାଏ ସୁଅରେ ତଡ଼ି ହୋଇ ଗଲାବେଳେ ମନକୁ ଜଳିବାକୁ ଢେର୍‌ ଅବସର ମିଳିଲା । ଅଧରାତିରେ ଲୁଚାଚୋରା ହୋଇ ଯାହା ଭଲ ଲାଗୁଥିଲା ରଞ୍ଜାଳିଆ ଖରାରେ ସେ ଦିଶିଲା କେଡ଼େ ଖରାପ ! ବାଧ୍ୟରେ ଆଦରିବାକୁ ପଡ଼ୁଥିବାରୁ ଉଜାଣି ଚାଲିଲା ବିଦ୍ରୋହର ଢେଉ ।

 

ସେଇ ଅଳ୍ପ ସମୟ ଭିତରେ ଜିଲି ବୁଝିଲା, ସେ ଦରବୁଢ଼ା ଲମ୍ପଟ ଲୋକଟାକୁ ଦିନେ ହେଲେ ସେ ଭଲ ପାଇନାହିଁ, ଏବେ ବି ଭଲ ପାଏ ନାହିଁ, ଅଥଚ ଟାଣି ଓଟାରି ମନଟାକୁ ଲଗେଇ, ତାରି ଘରକରଣା ନିଜକୁ କରିବାକୁ ପଡ଼ିବ, ଯଦି ସେ ଗୋଡ଼ ତଳେ ଜାଗା ଟିକିଏ ଦିଏ । ନୋହିଲେ ଅନ୍ୟ କିଛି ଖରାପ ନ ହେଲେ ସୁଦ୍ଧା ଲଜ୍ଜାର ସୀମା ରହିବ ନାହିଁ ।

 

ସେଇ ଉଦୁଉଦିଆବେଳେ ଜିଲି ଯାଇ ଧାଂଡ଼ା ବସାଘର ଦୁଆର ମୁହଁପାଖେ ମୁଣ୍ଡପୋତି ଠିଆ ହେଲା, ମୁହଁରୁ ପାଣି ମରି ଯାଇଛି ।

 

ସାହୁକାର ଏକୁଟିଆ ଥାଏ । ପଦାକୁ ଆସି କାବା ହୋଇ ଅନେଇଁଲା । ବଡ଼ ହସଟାଏ ହସି ରହସ୍ୟ କରି ପଚାରିଲା–

 

“ଆଜି ଦିନବେଳେ କେମିତି ମନେପଡ଼ିଲା ? ଆସୁନୁ ଭିତରକୁ ? ଆ’ କଥାହେବା ।”

ଜିଲି କହିଲା–

“ବାପା ଦେଖି ଦେଲା ।”

 

ଭୁସ୍‌ କରି କାନ୍ଦି ପକେଇଲା, ଆଉ କାନ୍ଦଣା ଅଟକିଲା ନାହିଁ । ସାହୁକାର ଅଶ୍ଚର୍ଯ୍ୟ ହେଲା, ତୁନି ତୁନି କହିଲା–

 

“କିଏ କହିଦେଲା କି ?”

ଜିଲି କହିଲା–

Unknown

“ମୁଁ ଜାଣେ ନାହିଁ, ବାପା ସବୁ ଜାଣିଲାଣି ।”

“ଜାଣୁ, ହଉ ତୁ କାନ୍ଦୁଚୁ କାହିଁକି ?’’

ସାହୁକାର ଗର୍ଜିଉଠିଲା,–

 

‘‘ଜାଣୁ, ମୋର କ’ଣଟାଏ କରିଦେବ ? କ’ଣ ତାଙ୍କର ଲୋଡ଼ା ଅଛି ନଉନ୍ତୁ ହିସାବ କରି, ତୁ ଆ, ମୁଁ ତତେ ନେଲି ।”

 

ସାହୁକାର ଜିଲିକୁ ହାତ ଧରି ଭିତରକୁ ଟାଣିନେଲା । ତା’ର ନିଶ ତା’ର ଚାହାଣୀରେ ଦୃଢ଼ତା ଥିଲା ଯଥେଷ୍ଟ । ଜିଲି ବସିପଡ଼ିଲା, ଭାବି ହେଲା ନାହିଁ ଆଉ ।

 

ଗାଁରେ ଚହଳ ହେଲା ।

ଛାଇ ଲେଉଟାଣିବେଳେ ନାଇକ, ବଡ଼ ରଇତମାନେ ଓ ସୁକୃଜାନି ଏକାଠି ମିଶି ଆସିଲେ ।

 

ଦୂରରୁ ଦେଖିପାରି ସାହୁକାର ଗମ୍ଭୀର ହୋଇ ଛକି ରହିଲା, ପାଖକୁ ଆସିଲାମାତ୍ରେ ଓଲଟି ଆଗ ବଳିପଡ଼ି ତୋଡ଼ ଦେଖାଇ ଉଠିଲା–

 

“କିରେ ନାଇକ, ଠିକ୍‍ଣାବେଳେ ଆସିଛୁ, କଥା ଅଛି ତୁମ ସାଙ୍ଗରେ । ମୋର ଇଷ୍ଟ (ଇଚ୍ଛା) ପ୍ରକାରେ ପରଜା ଟୋକୀଟିଏ ମୁଁ ନେଲେ କେତେ ଟଙ୍କା ଝୋଲାବାନ୍ଧିବାକୁ ହେବ କହିଲୁ-?”

 

କିରେ ସୁକୃ ପରଜା, ଏମିତି ମୁହଁ ଖଟା କରି ଆସିଛୁ କାହିଁକି ? ଓହୋ ରାଗିଚୁ ପରା, ଏମିତି ରାଗିଲେ ଟେସନକୁ ଝିକି ନେଇ ଅଧିକାରୀକୁ କହି ଥଣ୍ଡା କରିଦେବି ତତେ ।

 

ଆରେ ତୋର କପାଳ ଭଲ, କି ଅଭାବ ରହିବ ତୋର ! ଆମ ପରି ଲୋକଙ୍କୁ କେତେଟାଙ୍କୁ ଜୋଇଁ କରି ପାଉଛନ୍ତି ଗ୍ୟାଳ୍‍ପ ପରଜା ଲୋକେ ?

 

“କିରେ ନାଇକ, ତୁ ହେଲେ କଥା କହ ।”

 

ତା’ର ଏ ନିପଟ ନିର୍ଲଜପଣିଆରେ ଆସିଲା ଲୋକ ବଡ଼ ଅପ୍ରସ୍ତୁତ ହୋଇଗଲେ, ମୁହଁ ଚାହାଁଚାହିଁ ହେଲେ, କିନ୍ତୁ କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ସୁକୃ ପରଜା ଖୁଜୁବୁଜୁ ହେଉଥାଏ, କିଛି ସମୟ ଉତ୍ତାରୁ ହଠାତ୍‌ ସେ ଗାଳି ଆରମ୍ଭ କଲା-

 

“ପଟ୍‍କାର୍‍ ତାଁତର ଚୋର୍‌ ଦୁର୍ନିଆଁ ଗ୍ୟାଳ୍‍ପ, ଚୋରେଇ କରି ମୋ ଝିଅକୁ ନେଇ ଆସିଲୁ !”

ସାହୁକାର ରାଗିଯାଇ ବାଧା ଦେଇ କହିଲା–

 

“ହେଇ ଦେଖ୍‌ ଫେର୍‌ ! କାହିଁକି ଯାହା ପାରି ତା ତୁ ହୁଡ଼ୁଚୁ ? ତୋର ଝିଅକୁ ମୁଁ ଆଣିବାକୁ ଯାଇଥିଲି କି ? ନା ସେ ନାହିଁ ନାହିଁ କରୁ କରୁ ମୁଁ ତାକୁ ଅଟକେଇ ରଖିଚି ? ଭଲରେ ଭଲରେ ମିଶି ଭିଡ଼ି କରି ରହିଲା ପରି କଥା କହିବୁ ତ କେତେ ନେବୁ ଝୋଲା ହାଁକ୍‌, ନଇଲେ ଚୁପ୍‌ଚାପ୍‌ ବାଟ ଦେଖ୍‌, ଗୋଳମାଳ କଲେ ଭଲ ହେବ ନାହିଁ–”
 

କେତେ ଲୋକ ସୁକୃ ପରଜା କୁ ଯାଇ ତାକୁ ବୁଝାବୁଝି କଲେ–

 

“ହେଲା (ଗଲା) କଥା ହେଲା (ଗଲା), ବଡ଼୍‌ ଲୋକ୍‌କୁ ସେମ୍‌ତି କଇବାର ନାଇଁ ହୋ, କାଇଁକି ?”

 

ଜଣେ କିଏ କହିଲା–

“ପଞ୍ଚାତି ଡାକି ଟୋକୀକୁ ପଚାର ।”

ସାହୁକାର ଖୁବ ଆଗ୍ରହରେ କହିଲା–

“ପଚାର ପଚାର, ଜିଲି !”

ବହୁ କଷ୍ଟରେ ଜିଲି ପଦାକୁ କବାଟ ପାଖକୁ ଆସିଲା । ନାଇକ ପଚାରିଲା–

“ଏଠିକି କେମିତି ଆଇଲୁ ?”

ଜିଲି ଡରି ଡରି ସାହୁକାର ମୁହଁକୁ ଅନେଇଲା । ତା’ପରେ ଛେପ ଢୋକି ଢୋକି କହିଲା–

“ମୋ ଇଚ୍ଛାରେ ଆସିଲି ।”

ଭାରି ଗୋଳମାଳ ହେଲା, ସୁକୃ ପରଜା ଚମକି ଆସୁଥିଲା, ଲୋକେ ଧରି ପକାଇଲେ । ଜିଲି ଭିତରକୁ ପଶିଗଲା । ସାହୁକାର ଦେଶ ଲୋକଙ୍କୁ ସାକ୍ଷୀ ରଖି କହିଲା–

“ଶୁଣିଥାଅ ତୁମେ । ଝୋଲା ଟଙ୍କା କେତେ ଏ ବୁଢ଼ା କହୁ ନାହିଁ । ପରେ ଦାଣ୍ଡ ମୂଲକୁ ଦେଖି ଯାହା ମୁଁ ହେଲେ ଦେଇଦେବି, ସେଥିରେ ଆପତ୍ତି କଲେ ଆଉ ମୁଁ ଶୁଣିବି ନାହିଁ । ତୁମେ ସବୁ ସାକ୍ଷୀ ରହିଲ ।”

ଲୋକେ ଗୁମ୍‌ ଖାଇ କହିଲେ ।

ସାହୁକାର ବକ୍ତୃତା ଲଗେଇ ଦେଲା, ତା’ର ନାଲି ନାଲି ଆଖି ବୁଲୁଥାଏ, ମୁହଁ ଫୁଲି ଉଠୁଥାଏ, ଯେପରି ସେ କେତେ ବଡ଼ ଅପମାନରେ ଅପମାନିତ, ଯେପରି କିଏ ତା’ର କେତେ ଅନିଷ୍ଟ କରିଦେଇଛି, ଆଉ କ୍ଷତିକୁ କଳନା କରୁ କରୁ ସେ ଜଳି ଯାଉଛି–

“ଆରେ ଦେଖ ହୋ ଏ କି ନବରଙ୍ଗ ! ମୁଁ ଚୋରି କରିଛି କି ? ମୁଁ କାହାର ଖାଇଛି କି ? ଲୋକେ ହଜାରେଟା ମାଇକିନା ବିଭା ହେଉଛନ୍ତି, ନ ହେଲା ମୁଁ ଆଉ ଗୋଟାକୁ ନେଲି, ମୋର ପାଇଟି ପତର କରିବ, ଚାଷ ବେଉଷା ବୁଝିବ । ମୋର ମନ ହେଲା । ଏ ଗାଁ ଲୋକଙ୍କର କେତେ ଉପକାର ମୁଁ କରିଛି, ଆଜି ସଭା ଦେଖ, ସମିତି ଦେଖ ପଞ୍ଚାତି ଦେଖ, ଗୋଟା ଗାଁର ଲୋକ ଉଠି ଆସିଛନ୍ତି ସତେକି ଫିତୁରି କରିବେ ! କାଲି ସକାଳେ ମୁଁ ଟେସନକୁ ରିପୋଟକୁ ଯିବି, କାଲି ସକାଳେ ଯାଇ ମୁଣ୍ଡ ଲଗେଇ ପିଟିସନ କରି ଅଧିକାରୀମାନଙ୍କୁ ଦେଇ ଆସିବି । କ’ଣ କରି ପାଇଛନ୍ତି ଏମାନେ ମତେ ! ଆସନ୍ତୁ ଅଧିକାରୀ ମହାପ୍ରଭୁ, ଆସି ବୁଝନ୍ତୁ–”

 

“ନାଇଁ ନାଇଁ ସାହୁକାର, ତୁ ଏମିତି କୋପ୍‌ କଲେ ହେବ ନାହିଁ–”

ବିଜ୍ଞ ନାଇକ କହିଲା–

 

“କେହି ତତେ କିଛି କହୁ ନାହିଁ, ତୋ ପରା ଗୋଟେ ବଡ଼ ଅଧିକାରୀକୁ କିଏ କିସ୍‌ କହିବ-। କାହାର ମୁଣ୍ଡ୍‌ ଅଛି, କିଏ ତୋର ନ ଖାଏ ଚାରିରେ ଗାଁଗଣ୍ଡା ପୃଥ୍ୱୀରେ ? ଟୋକୀକୁ ନେଲୁ ଭଲ କଲୁ, ଖାଲି ଆମ୍‌କୁ ଦଶ୍‌ ଲୋକକୁ ଟିକିଏ କହିଥାନ୍ତୁ, ତାର୍‌ ବାପ୍‌କୁ ମାଙ୍ଗ୍‌ଣି କରିଥାନ୍ତୁ, କୁଳର୍‌ ଧରମ୍‌ ଅନୁସାରେ– ହଉ ତା ବା ନ କଲୁ, କ’ଣ ଖରାପ ହୋଇଗଲା ? ଏବେ ଝୋଲା ପାତି ଭୋଜିଭାତ ଦେଇ ଦେ, କଥା ଛିଡ଼ିଯିବ, କିରେ ସୁକୃ–”

 

ସାଙ୍ଗରେ ଥିବା ଲୋକ ସମସ୍ତେ “ହୋଇ ହୋଇ” କଲେ ।

 

ସୁକୃ ପରିଜା ଥକା ହୋଇ ରହିଲା । ତା’ର ଆପଣାର ସବୁଯାକ ରାଗ ପଥର ହୋଇ ଛେଚି ହେଲା ଆପଣା ଉପରେ ।

 

ସାହୁକାରର କଥାରେ ଭୟାଳୁ ଦେଶିଆ ରଇତଙ୍କର ଆଶଙ୍କା ଆସିଥାଏ, ଯେଉଁ ଆଶଙ୍କା ଜଙ୍ଗଲୀ ଲୋକଙ୍କର ଆସେ ଆପେ ଆପେ, ତା’ର ରୂପ ନାହିଁକି ଆଭାସ ନାହିଁ, ଖାଲି ସେ ଗୋଟାଏ ଆଶଙ୍କା, ଯାହାପାଇଁ ସେମାନେ ଗୋରୁ ଛେଳି । ସମସ୍ତେ ଏକାଥରକେ ସାହୁକାର ତରଫକୁ ଓଲ୍‌ଟି ପଡ଼ିଲେ, ଅଧିକାରୀ, ପିଟିସନ୍‌, ରିପୋଟ୍‌ବାଟ୍‌, ଦାବାଦର୍‌ବାର୍‌, କିଏ ପାରେ ଏତେ ଗୋଳମାଳ ? ମନ୍ତବ୍ୟ ହେଉଥାଏ ।

 

“ହଁ, ସତକଥା ।”

“ଦେଖ୍‌ ଟୋକୀର ନିଜର ଇଚ୍ଛା ଅଛି କିଏ କ’ଣ କରିବ ?”

“ଧରମ୍‌ ସାହୁକାର, ନାଁକରା କିଛି କହୁ ନାହିଁ ।”

“ଟୋକୀର ଇଚ୍ଛା ବିରାଧରେ ବାପର ଇଚ୍ଛା କେମିତି ରହିବ ଆମ ରଇତ କୁଳରେ ?”

ଇତ୍ୟାଦି ।

 

ସାହୁକାର ସବୁ ଦେଖୁଥାଏ, ସବୁ କଥା ଶୁଣୁଥାଏ, ସମସ୍ତିଙ୍କର ମୁହଁ ଚାହିଁ ଚାହିଁ ନିଜର ଆସନର ଦମ୍ଭ କଳୁଥାଏ । ଦେଖିଲା ଓଷଧ ଧରିଛି, ସବୁ ସୁଧୁରି ଆସିଲା, ଆଉ ଭୟ ନାହିଁ । ଖୁବ୍‌ ଗୋଟାଏ ଦୟାର ହସ ହସି ସମସ୍ତଙ୍କୁ ସମ୍ଭାଷି ନେଲା ଥରେ, ସଙ୍କୋଳିଲା ପରି କଥା ବଦଳେଇ ଆରମ୍ଭ କଲା–

 

“ଦେ୍ଖ, ତୁମ ଗାଁକୁ ଯେତେବେଳେ ମୁଁ ଆସିଥିଲି, କେବେ ଭାବିଥିଲି ତୁମର ବନ୍ଧୁ କୁଟୁମ୍ବ ହୋଇ ବାନ୍ଧି ରହିବି ବୋଲି ? ଭୂମି ବାଡ଼୍‌ କମେଇ ଖାଇବି, ଟଙ୍କା ଉଧାର ଦେବି, ତୁମର ବଡ଼ତି କରିବି, ମୋର ନିଜର ସୁବିଧା ହେବ–ଖାଲି ଏତିକି କରିବାକୁ ମୁଁ ଆସିଲି । ତୁମ ଗାଁକୁ ଦେଖି ମୋର ଶରଧା ବଳିଲା, ପୁଣି ଏବେ ତୁମର ବନ୍ଧୁବାନ୍ଧବ ହୋଇଗଲି ।

 

ଶୁଣ୍ଢୀ କିଏ ? ପରଜା କିଏ ? ମଣିଷ ତ ଗୋଟେ ?

 

ଏବେ କାହାକୁ ‘ମାମୁଁ’ (ଶଶୁର) ଡାକିବି, କାହାକୁ ଡାକିବି ‘ଭାଇ’–କାଳ କାଳକୁ ତୁମର ବନ୍ଧୁଲୋକ ମୁଁ । ଏବେ ଭୋଜିଭାତକୁ ମତେ ଡାକିବ, ଧୁଙ୍ଗିଆ ଖଣ୍ଡେ ଫୁକୁଥିଲେ ଯାଚିବ, ଆଉ ଏ ମାମୁଁ, ଶଳା ମେନାଁ–ଭାଇ (ମାମୁଁପୁଅ) ଘର ଭାର–ଥୋର ରଖିବାକୁ ମତେ ଆଉ ବଖରାଏ ଘର ତୋଳିବାକୁ ପଡ଼ିବ ।” ସମସ୍ତେ ହସିଲେ । ସୁକୃ ପରଜା କିଛି କହିଲା ନାହିଁ । ନାଇକ କହିଲା–

 

“ଦୟା ରଖିଥିବୁ ସାହୁକାର, ଏବେ ଥାଉ, ଝୋଲା କଥା ପରେ ହେବ, କୁଆଡ଼େ ଯିବୁ ? ଆମେ ତତେ ଧରିବୁ ନାହିଁ କି ?”

 

ସମସ୍ତେ ହସି ହସି ଚାଲିଗଲେ । ଜିଲି କବାଟ କଣରୁ ଚାହିଁ ଚାହିଁ ଦେଖିଲା । ଗାଁ ଲୋକଙ୍କ ହସ ଦେଖି ତା’ର ମନରୁ ବୋଝ କେତେ ହାଲୁକା ହୋଇ ଆସୁଥାଏ ।

 

କିନ୍ତୁ ସେ ଲକ୍ଷ୍ୟ କଲା, ଯାହାପାଇଁ ତା’ର ମନର ସକ୍ ତା’ର ମନର ସରଗ ମରିଛି । ମୁହଁ ଶୁଖେଇ ମୁଣ୍ଡ ନୁଆଁଇ ବୁଢ଼ାବାପ ଚାଲିଗଲା । ବାପ ଚାଲିଗଲା, ତା’ର ଆଉ ତା’ ନିଜ ମଝିରେ ଯେପରିକି ବସୁଧା ଫାଟି ମେଲା ହୋଇଗଲା ପାତାଳ ଗହୀରରେ, ଯେଉଁ ଫାଟ ଉପରେ ପାରିହେବା ଅସମ୍ଭବ ।

 

ପିଲାଦିନୁ ଏଯାକେ ମା’ ମରିଗଲା, ଝୁରି ହୋଇ ହୋଇ ବାପା ରହି ଗଲାଣି, ଏଣିକି ତା’ର ବେଶି ମନେ ପଡ଼ୁଛି, ତୁଣ୍ଡକୁ ଭାତ ରୁଚୁ ନାହିଁ ।

 

ଛିଣ୍ଡି ଚାଲିଗଲେ ଭାସି ଭାସି, ଗୋଟାଏ ମେଞ୍ଚାରେ ବାପ–ଭାଇ–ଭଉଣୀ ସମସ୍ତେ । ସଂସାରରେ ନିଜର ବୋଲି ତା’ର କେହି ନାହିଁ, ଏକୁଟିଆ ସେ ସୁଅ ଭଉଁରିରେ ଭାସୁଛି, ଭବିଷ୍ୟତରେ କେଜାଣି କ’ଣ !

 

“ଦେଖିଲୁ ତ, ସବୁ ଗୋଳମାଳ ଭାଙ୍ଗିଗଲା, ମାତ୍ର ଜବର ଝୋଲାଟାଏ ଠିକ୍‍ଣା କରି ମାଗିବାକୁ ଆସିବେ ତୋର ଲୋକେ, ତୁ କ’ଣ ଏମିତି ସେମିତି ଧାଂଡ଼ୀ ?”

 

ହାତ ଫରକଟେଇ ଗେଲ କରିବାକୁ ସାହୁକାର ମାଡ଼ି ଆସିଲା । ଜିଲି ଅନ୍ୟମନସ୍କ ଥିଲା-। ଛୁଇଁଲାମାତ୍ରେ ଟାଣି ଓଟାରି ହୋଇ ଫିଟିଗଲା । ତୁଣ୍ଡରୁ ଆପେ ବାହାରିଗଲା–

 

‘ଛି–ଛି !’

ସାହୁକାର ପୁଣି ପାଖକୁ ମାଡ଼ି ଆସିଲା ।

 

 

ଏଇ ଲୋକଟା ପାଇଁ ଏତେ କଥା ! ଦରବୁଢ଼ା ହେଉପଛେ, କେତେ ଜୋର୍‌ ୟା ଠେଇଁ ! କି ଜବରଦସ୍ତ ଲୋକ ! ବାଘ ପରି, ଜମାନ୍‌ ପରି । ସାକ୍ଷାତ୍‌ ଗୋଟେ ବଡ଼ ଅଧିକାରୀ, କେଡ଼େ କଠିନ ଆଖି, ଜଳୁଚି ସତେ କି, ଘଡ଼ିକେ ଲେଉଟାଇ ପକେଇ ଜାଳି ପୋଡ଼ି ଥୋଇଦେବ ।

 

ସାହୁକାର ଧରିପକେଇଲା । ଜିଲି ଆପତ୍ତି କଲା ନାହିଁ । କିନ୍ତୁ ସହଜ ସରଳ । ହସ, ଯାହା ପ୍ରାଣ ଭିତରୁ ବାହାରେ– ତାକୁ ମେଘ ଘୋଡ଼େଇ ପକେଇଲା । ନିଭିଗଲା ବା ଚିରଦିନ ପାଇଁ-

 

ଘରେ ବୈଠକ, କଥା ଧୀରେ ଧୀରେ ପଡ଼ିଥାଏ, ତୁନିତାନି ।

“ମୋତେ କୋଉଦିନୁ କେମିତି ଲାଗୁଛି, କହୁନାହିଁ ସିନା ।”

ବିଲି କହିଲା, ନନ୍ଦିବାଲି କହିଲା ।

“ଏବେ ବୁଦ୍ଧି ବାହାରୁଛି । ମିଛ କଥା, କେହି କିଛି ଜାଣେ ନାହିଁ ।”

ସୁକୃଜାନି ରହି ରହିକା ଗୁଡ଼ାଏ ଗୁଡ଼ାଏ କଥା କହୁଥାଏ, ଯେପରିକି ନିଃଶ୍ୱାସ ଅଟକି ଯାଉଛି–

 

“ଗ୍ୟାଳ୍‍ପମାନେ, ଗାଁ ଲୋକ ସମସ୍ତେ ଗୋଟାଏ ପାଖେ ହେଇଗଲେ, ସମସ୍ତେ ତାର୍‍ ବାଟେ କହିଲେ ଓଲ୍‍ଟି, ବନ୍ଧୁ ହେଲୁ କୁଟୁମ୍‌ ହେଲୁ, ଝୋଲା ଦେ ଭୋଜି ଦେ’– ତାଁତରା ପଟ୍‍କାର୍‍, ଚୋରେଇ କରି ସୁତୁରେଇ କରି ମୋ ଝିଅକୁ ନେଇଗଲା । ପୂଜା କରୁଚି, ମନ୍ତ୍ର କରୁଚି, ସେ ପିଲା ଲୋକ ପାରନ୍ତା କି ତାକୁ ?”

 

“ଧର୍ମ ନାଇଁ, ନ୍ୟାୟ ନାଇଁ, କିଛି ନାଇଁ, ଯାହା ପାଖେ ଟଙ୍କା ଅଛି ସବୁ ତା’ର, ସମସ୍ତେ ତାର୍‌ ବାଟେ ହେଇଗଲେ, ମୋର୍‌ କେହି ନାଇଁ, ମୋର୍‌ କେହି ନାଇଁ, ମୋର୍‌ କେହି ନାଇଁ !”

 

ବିଳାପ କରୁଥାଏ ବୁଢ଼ା, ଝିଅ ଜୋଇଁ ବୁଝୋଉଥାନ୍ତି–

 

“ହେଲେ ହେଲା, କ’ଣ ହେଲା ବାପା ? ଯାହାକୁ ତା’ର ମନ ହେଲା ଗଲା, ଆମେ ତାକୁ ଭଲ ପାଉ ନାହିଁ, ଆମର ଇଚ୍ଛା, ତା’ର ମନ ହେଲା, ସେ ଭଲ ପାଇଲା, ଚାଲିଗଲା । ପରଗୋତ୍ରୀ ଝିଅ, ପୁଅ ତ ସ୍ୱର୍ଗକୁ ନଉ ନାହାନ୍ତି, ଝୁଅ କାହାର କ’ଣ କରିବ ? ତୁ କାହିଁକି ଏମିତି ବାୟା ପରି ହେଉଚୁ ? ଜିଲି ଯାହାକୁ ହେଲେ ମନଇଚ୍ଛାରେ ଯାଇଥାନ୍ତା, ସେଠିକି ଗଲା । ଏବେ ଚାଲ୍‌ ଆଉଥରେ ନାଇକୁ ଧରି କରି ଯିବା ଚାରି କୋଡ଼ିକି ପାଞ୍ଚ କୋଡ଼ି ଝୋଲା ଟଙ୍କା ମାଗି ଦେଖିବା ସାହୁକାରକୁ । ସେ ତ ନିଦରବୀ ନୁହେଁ, କାହିଁକି ନ ଦେବ ?”

 

“ଓହୋ ରେ ମୋ ଝିଅ ! ଯୋଉ ଝିଅ ! ପୁଣି ତା’ ପାଇଁ ଯିବି ମୁଁ ଝୋଲା ଟଙ୍କା ମାଗିବାକୁ ! ଯାଉ ଯେଣେ ଇଚ୍ଛା ତା’ର ମନ । ସେମିତି ଝିଅ ! ମୋର କ’ଣ ସେ ? ତା’ର ଝୋଲା ଟଙ୍କା ମୁଁ ଖାଇବି ?’’

 

‘‘ସେମିତି କହ ନାଇଁ ବାପା, ଝିଅ ଅମଙ୍ଗଳ ହେବ, ହେଉ, ଯାଉ କେତେଦିନ, ଯଦି ତୋର ମନ ନାହିଁ ଝିଅକୁ କହିପୋଛି ଦେଖିବା, ଛାଡ଼ିଦେଇ ଆସିବ ତାକୁ ଅନ୍ୟ ସ୍ଥାନରେ ବିଭା କରିଦେବା, ଏମିତି ତ ହଜାର ହଜାର ହେଉଚି ଆମ କୁଳରେ–’’

 

“ଆଉ ଆସିବ ! ସେ ଆଉ ଆସିବ ! ଆଜି ତା’ର ମା’ ବଞ୍ଚିଥିଲେ–”

ସୁକୃଜାନି କାନ୍ଦି ପକେଇଲା । ଏତିକି ତା’ର ଜବାବ୍‌ ଆଉ ସାନ୍ତ୍ୱନା ।

 

ଝୋଲା ଟଙ୍କା କଥା ଆଉ ଉଠିଲା ନାହିଁ । ବୈଠକ ସରିଲା । ଘର ପଛଆଡ଼େ ଲୁହ ଢଳଢଳ ଆଖିରେ ବିଲି ଅନେଇଁ ରହିଲା ନନ୍ଦିବାଲିକୁ, ତୁଣ୍ଡରେ କଥା ନାହିଁ । ନନ୍ଦିବାଲି ସୋଗ କରି କହିଲା–

 

“କିରେ ଟୋକୀ, କ’ଣ ହେଇଗଲା ଏତେ ମନବେସ୍ତ କରୁଛୁ ? କ’ଣ ହେଲା କହ ?”

“ପିଲାଟିଦିନୁ ଏତେ ଦିନକେ ସେ ଆଉ ମୁଁ ଅଲଗା ହେଲୁଁ, ନଇଲେ କେବେ ନାହିଁ–”

 

“ଓଃ ଏଇ କଥାକୁ ? ଯେତେ ଭାଇ ସେତେ ଘର, ଯେତେ କନିଆଁ ସେତେ ବର୍‌ । ସାହୁକାର ତାକୁ ଝିକି ନେଲା, ନଇଲେ ମୁଁ ନ ଆସିଥିଲେ ତାକୁ ଛାଡ଼ି ତତେ ନେଇଯାଇଥାନ୍ତା, ମୁଁ ଥିଲି ବୋଲି ସିନା ।”

 

ନନ୍ଦିବାଲି ଛାତି ଫୁଲେଇ ହାତ ଭାଙ୍ଗି ଆପଣା ବଳ ଦେଖେଇ ହେଲା, ହସିଲା–

 

“ହାଦେଃ, ହାଦେଃ, ପୁଣି କାନ୍ଦ ! ଆରେ ଟୋକୀ, ସାହୁକାର ହେଲା ତୋର ଭିଣେଇ, ମୋର ସଡ଼ୁ, ତୋ ବାପାର ଜୋଇଁ । ଏଥର ମଞ୍ଜି କିଣିବାକୁ କି ବଳଦ କିଣିବାକୁ କି ଖଜା କିଣିବାକୁ ଆଉ କି ହରକତ ? ପଦେ କହିଦେଲେ ସବୁ ମିଳିଯିବ, ଯାହା କହିବୁ ତା । ଆଉ ତା’ ବୋଲି ତାଠୁ ଖଜାମିଠେଇ ଖାଇ ମତେ ଛାଡ଼ିଦେଇ ତା ସାଙ୍ଗେ ଲଟପଟ ହେଲେ ପୁଣି ତୋ ଭଉଣୀ ତୋ ଚୁଟି ଧରି ଖଡ଼ୁମୁସା ଥୋଇଦେବ, ହୁସିଆର୍‌ ।”

 

ନନ୍ଦିବାଲି ବିଲିକୁ କେଞ୍ଚି କେଞ୍ଚି କୁତୁ କୁତୁ କଲା, ଦିହେଁ ହସି ପକେଇଲେ ।

 

ସେଇ ସଞ୍ଜରେ ଗାଁ ମଝିଦାଣ୍ଡରେ ନିଆଁ ଜାଳି ବସି ଲୋକେ ଦୁଃଖସୁଖ ହେଉଥାନ୍ତି । ଦିନ ଗୋଟାକର ହାଲ୍‌ ଚାଲ୍‌ ସେଠି ସମାଲୋଚନା ହୁଏ । ନାଇକ, ବାରିକ, ବଡ଼ ରଇତମାନେ, ଆଉ ଅନ୍ୟାନ୍ୟ ଲୋକେ । ଦିନଯାକର ହାଲ୍‌ଚାଲ୍‌ର ଗୋଟାଏ ସଂକ୍ଷିପ୍ତ ବିବରଣ ଦେଇ ନାଇକ ବୁଝେଇ ଦେଲା ।

 

“ତୁମେ ସବୁ ହୁଏତ ସାହୁକାରକୁ ଚିଡ଼ୁଥିବ ମନେ ମନେ, ସେଇଟା ତୁଣ୍ଡରେ କହିବା ଭଲ ହେବ ନାହିଁ । ସେ ହେଲା ବଡ଼ ଲୋକ, ଆମେ ହେଲୁ ସାନ ଲୋକ । ସେ ଅଧିକାରୀମାନଙ୍କ ସାଙ୍ଗେ ବୁଲିବ, ଦେଶ ବାଟରେ ସବୁ କଥା ତାକୁ ଜଣା । ତା’ ସାଙ୍ଗେ କଜିଆ କଲେ ସବୁବେଳେ ଜିତିବ ସେ, ହାରିବା ଆମେ । ବଡ଼ଲୋକ ଯାହା କରିବାର କରିବେ, ଆମେ ସାନଲୋକ, ତୁଣ୍ଡ ଫିଟେଇ ପଦେ କହିଦେଲେ ସେଇଟା ଆମୁକୁ ଦୋଷ୍‌ ଘଟିଯିବ, କୋଉ ବାଟେ ହେଲେ ଆଉ ଫିଟିବ ନାହିଁ ।”

 

ଗୋଟେ ମସ୍ତର୍‍ (ପ୍ରକାର) ଭଲ ହେଲା, ଏଣେ ତେଣେ ଗାଁ ଭିତରେ ବୁଲି ଏଠି ସେଠି ଗୋଳମାଳ କରିବା ଅପେକ୍ଷା ଗୋଟାଏ ଜାଗାରେ ମିଶି ଭିଡ଼ି କରି ସେ ରହିଲେ ଗାଁ ଲୋକଙ୍କର ଭଲ ।

 

ଆରେ, ଯେତେ ଧାଂଡ଼ୀକୁ ସେତେ ଧାଂଡ଼ା, ଧାଂଡ଼ୀ ଆପଣା ଇଷ୍ଟପ୍ରକାରେ (ଇଚ୍ଛାରେ) ଯାହାକୁ ହେଲେ ଯିବ, ସେଥିରେ ପଦାଲୋକ ଗୁଲ୍‌ ହେବାଟା(କଳି କରିବା) ତିନି ଫୋଲିଆ (ନିଷ୍ଫଳ) କଥା କି ନାହିଁ ?

 

ଆଉ ଏଥିରେ ଦୋଷ୍‌ ବା କ’ଣ ? କୋଉ କୋଉ ଦେଶରେ ଅଚିହ୍ନା ଅଧିକାରୀ (କମର୍ଚାରୀ) ଚାକିରି କରି ଆସି ଦି’ଦିନ ପାଇଁ ରଖୁଣୀ ଲୋକ ରଖୁଛନ୍ତି, ଆଉ ଏ ତ ଦେଶର ଲୋକ, ପୁଣି ବିଭା ହେବାକୁ ନେଲା । ମୁଁ କହୁଚି ଏଇଟା କିଛି ଅସାର୍‌ କଥା ନୁହେଁ । ପଇସା ଥିବା ବଡ଼ ବଡ଼ ଲୋକଙ୍କୁ ବନ୍ଧୁ ସମୁଦି କରି ପାଇବା ଭଗ୍ୟର କଥା ।

 

ବୁଢ଼ା ବୁଝୁ ନାହିଁ । ଦି’ ଦିନ ମନ ଦୁଃଖ ହେବ । ଯେତେ ହେଲେ ପାଇଲା (ଜନ୍ମକଲା) ଝିଅ ତ, ଦି’ ଦିନ ଗଲେ ବଳେ ବୁଝିଯିବ, ତା’ର ଝିଅ ତାକୁ (ତା’ର) ହେବ, ତା’ର ଜୋଇଁ ତାକୁ (ତା’ର) ହେବ, ତା’ର ଜୋଇଁ ତାକୁ (ତା’ର) ହେବ ।”

 

ଶୁଣାଳି ସମସ୍ତେ ମୁଣ୍ଡ ହଲେଇଲେ । ଗାଁର ବଡ଼ ମୁଣ୍ଡିଆ ଯେଉଁ ନିଷ୍ପତ୍ତି ଦେବେ ତାଙ୍କର ତା’ । ସନିଆ ପରିଜା କହିଲା–

 

“ମୁଁ ବି ଏଥର ସାହୁକାରକୁ କହିବି, ଟଙ୍କା କେଇଟା କରଜ ଦଉ ବଳଦ ହଳେ କିଣିବି’’

ବାରିକ ବୁଢ଼ା କହିଲା–

“ସାହୁକାର୍‌ନୀକୁ କହିବୁ, ଚଞ୍ଚଳ ଋଣ ଦେବ ।”

“କିରେ ବାଗ୍‍ଲା, ତତେ ପରା ଲାଗିଥିଲା ସେ ଟୋକୀ ?”

“ଆରେ–ଆମର କର୍ମକୁ ଦେଖ ତାକୁ ଦେଖ, କି କଥା କହୁଚୁ !”

ଗାଁ ଲୋକେ ବିରକ୍ତ ହେଲେ ନାହିଁ । ତାଙ୍କର କିଛି ଯାଏ ନାହିଁ ଆସେ ନାହିଁ ।

ଧାଂଡ଼ୀ ବସାଘରେ ଟୋକୀମାନେ କଥାବାର୍ତ୍ତା ହେଲେ ।

“ଦରବୁଢ଼ାଟା”

“ଘରେ ଶୁଣ୍ଢୀଆଣୀ ଭାରିଯା ଅଛି, କେତେ ନାଇଁ କେତେ ପିଲାଝିଲା ।”

 

“ଖାଲି ଯୋଉଠି ପାରି ସେଠି ଉଣ୍ଡୁଥିବ, ବୁଢ଼ାହେଲେ କ’ଣ ହେଲା, ଭେଣ୍ଡିଆଠୁଁ ବଳେ-।”

 

ମନ–ଗହୀରରେ ଈର୍ଷା । ପଦାକୁ ତୀବ୍ର ଥଟ୍ଟା, ସମାଲୋଚନା ।

 

ଜିଲି ଯାଇଛି, ଗାଁରେ ଗୋଟାଏ ଘଟନା ଘଟିଛି । ନିଦ ମଳ ମଳ ଆଖି ରଗଡ଼ି ରଗଡ଼ି ଚୌକସ ହୋଇ କଥା ପକେଇବାକୁ ।

 

ସଞ୍ଜବେଳେ ଜିଲି ଧାଂଡ଼ା ବସାଘରେ ଘରକରଣା ଆରମ୍ଭ କରିଦେଲା । କେହି କହିବା ଦରକାର ପଡ଼ି ନାହିଁ–ଘର ଓଳେଇବା, ଜିନିଷପତ୍ର ଠିକ୍‍ଣା କରି ରଖିବା, ବିଛଣା ପାରିବା, ପରିବା କାଟିବା, ରୋଷଇ ବସେଇବା ।

 

ଚୁଲିମୁଣ୍ଡେ ବସି ଗୋଟାକୁ ଗୋଟା କାଠ ସେ ଭର୍ତ୍ତି କରିଦିଏ । ନିଆଁ ଜଳେ ।

ସେ ବସି ରହିଥାଏ । ଭାବେ କେତେ ଦିନ ଏ ଘରକରଣା ! କି ସୁଖ ଏଥିରେ !

 

ଆଜି ସେ ଦିନ ଦି’ପହରୁ ଆସିଛି, ସଦର ଦାଣ୍ଡେ ଦାଣ୍ଡେ ଆସିଛି । ଆଜି ଆଉ ଲୁଚକାଳି ଖେଳ ନାହି, ଆଜି କବାଟରେ ଥିରି ଥିରି ଡାକ ନାହିଁ ।

 

ତା ଛାଏଁ ସେ ରୋଷେଇ ବସେଇଲା ।

 

ସାହୁକାର ଅନ୍ୟଠିଁ ବସି ବସି ଗଞ୍ଜେଇ ଟାଣୁଥାଏ । ଆପଣା ବୁଦ୍ଧିରେ ଆପଣା ବାହାବଳରେ ସବୁ ସେ ସୁବିଧା କରିନେଇଛି । କିନ୍ତୁ କେଡ଼େ ହରକତ କଥା ! କେଡ଼େବଡ଼ ବିପଦଟାଏ କଟିଗଲା ! ଆଉ କେତେ ଗୋଳମାଳିଆ ଅଳିଆ ବୋଝଟାଏ ଲଦା ହେଲା ତା’ ମୁଣ୍ଡରେ ! ଶୋଷି ଶୋଷି ଦମ୍‌ ଟାଣିଲା ।

 

ଆଜି ମନ ଭାରି ବିରକ୍ତ, କିନ୍ତୁ ବିରକ୍ତିଟା ପଦାକୁ ବାହାରେ କଲେ ଆହୁରି ଅଶାନ୍ତି ବଢ଼ିବ, ଟୋକୀଟା କଜିଆ କରିବ, କନ୍ଦାକଟା କରିବ, ଯେଉଁ ଗୋଳମାଳ ଲାଗିବ କହିଲେ ନ ସରେ-

 

ବାପ୍‌ରେ କି ବିପଦ ! ପରଜା ଗଦବା ଦେଶୀଆ ଲୋକ –ବନ୍ଧୁ କୁଟୁମ୍ବ, ସମସ୍ତେ ଜମା ହୋଇ ଗୋଳମାଳ କରିଥାନ୍ତେ–ଜବରଦସ୍ତି ଝିଅଟାକୁ ଛାଡ଼ିଦେଇ କହିଥାନ୍ତେ– “ତତେ ଅଲବତ୍‌ ନବାକୁ ହେବ । ୟାକୁ ଘରେ ରଖି ଆମେ ଆଉ କ’ଣ କରିବୁ ? ଏବେ ଆମ ଝୋଲା ଦେଇ ଦେ, ଟୋକୀକୁ ନେଇ ତୁ ତୋର ଯାହା କର ।”

 

ଗାଳିଫୈଜତ୍‌ ମାଡ଼ ହଣାକଟା । ବାପ୍‌ରେ ବାପ୍‌ ! ଗଞ୍ଜେଇ ଧୂଆଁରେ ଆଗକୁ ପଛକୁ କେତେ କଥା ଭାବି ହୁଏ ।

 

ଏବେ ଉପାୟ ? ଝୋଲା ଟଙ୍କା ଦେବାକୁ ପଡ଼ିବ, ଭୋଜିପାତି, ପ୍ରାୟ ଷାଠିଏ ସତୁରି ଟଙ୍କା ଊଣା ଅଧିକେ ।

 

ସତୁରି ଟଙ୍କା ! ନା, ଦେଖାଯାଉ କିଛି ଦିନ ଚାଲୁ ତ ଏମିତି ।

 

ଏ ଗାଁରେ ରହିବାକୁ ବୋଧହୁଏ ଟୋକୀ ନା’ମଙ୍ଗ ହେବ । ଆପଣା ଗାଁକୁ ନେବାକୁ ଉପାୟ ନାହିଁ । ଏଠୁ ଦି’ କୋଠା ଗଲେ କଦମ୍‌ଝୋଲା ଗାଁ, ସେଠି ଗୋଟାଏ ତା’ର ବଡ଼ ଖମାର ଅଛି, କନ୍ଧଗୋତି ରହୁ ହେଲେ ସେଠି । ପୁଣି ସେଠି ବନ୍ଦାବସ୍ତ ଦରକାର ।

 

ସତୁରି ଟଙ୍କା ! ଓଃ !

ରୋଷେଇ ସରିଲା, ଜିଲି ଡାକିଲା–

“ଖାଇବାକୁ ଆଣିବି କି ?”

ଆଖି ବୁଜି କର୍ମକୁ ସେ ଆଦରି ନେଇଥିଲା ।

 

ରାତିଯାକ ଜିଲି ଶୁଆଇ ଦେଉ ନାହିଁ । ଆଦର ସନ୍ତୋଷ ଉତ୍ତାରୁ କାଠ ପରି ସେ ସବୁ ସହିଥିଲା– ଖାଲି ଅନୁନୟ ବିନୟ ଆଉ କାନ୍ଦଣା । ସାହୁକାର ଯେତେ ବୁଝେଇଛି ଜିଲି ଖାଲି କାନ୍ଦିଛି ।

 

“କାଲି ସକାଳୁ କେମିତି କାହାକୁ ମୁହଁ ଦେଖେଇବି ମୁଁ ! ଗାଁର ଲୋକେ, ସାହିପଡ଼ିଶା, ସମସ୍ତେ ଏଠି ଚଳପ୍ରଚଳ, କ’ଣ କରିବି ?”

 

“କ’ଣ କରିବୁ କ’ଣ ? ସେମାନେ କ’ଣ କରି ପକେଇବେ ତୋର ଯେ ଏମିତି ଡରି ମରୁଥିବୁ ? ଆରେ ! କେଡ଼େ ଆଶ୍ଚର୍ଯ୍ୟ !”

 

ବାସ୍ତବିକ ସାହୁକାରକୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା । ଯେଉଁ ପର୍ଯ୍ୟନ୍ତ ତୋଫାନ ଲାଗିଥିଲା ଚୁପ୍‌ ହୋଇଥିଲା ଏ, ଆଉ ଅଇଚ୍ଛା, କେତେ ୟାର ମମତା ! ପ୍ରଥମ ଦିନ କେତେଟା ଉତ୍ତାରୁ ଆପେ ଆପେ, ରାତି ରାତି ଲୁଚି ଲୁଚି ଆସି କବାଟରେ ବାଡ଼େଇଛି, ଆଉ ବର୍ତ୍ତମାନ, ସବୁ ନିଷ୍ପତ୍ତି ହେଲା ଉତ୍ତାରୁ– ବାହାରିଲା ଭେଁ, କି ଆଲ୍ରା (ହରକତ !)

 

“ଆରେ ରହ, ଏତେ କାନ୍ଦୁଚୁ କାହିଁକି ? କ’ଣ ହେଇଚି ତୋର ?”

 

ସାହୁକାର ବଡ଼ ଧନ୍ଦାରେ ପଡ଼ିଲା, ମାଇକିନାଙ୍କର ଏପରି ଆଶ୍ଚର୍ଯ୍ୟ ବ୍ୟବହାର ସେ ଆଦୌ ବୁଝିପାରେ ନାହିଁ । ଯାହା ମଣିଷ ଯେତେବେଳେ ଭାବୁ ନ ଥିବ ହେବ ବୋଲି ତାଙ୍କର ସେତେବେଳେ ସେଇଆ ।

 

ସେ ଏତେ ଅଡ଼ୁଆରେ ପଶେ ନାହିଁ । ମଦ ଟୋପିଏ ପିଇ ତଣ୍ଟିଟା ସଫା କରିନେଲା ।

ଜିଲିର କଇଁ ଉଠୁଥାଏ ।

 

ବାହାରେ ହାଲୁକା ମେଘ ଅସରାଟିଏ ପାଣିଚିଆ ଓଦା ମାଟି ଉପରେ ଛପର ଛପର ଛେଚି ଯାଉଛି । ଜହ୍ନ ନିଭି ଗଲାଣି । ଅନ୍ଧାରୁଆ ଘର ଭିତରେ ଠାଏ ଠାଏ କେତେଗୁଡ଼ାଏ ଜୁଜୁଳିଆ ପୋକ ବୁଢ଼ୀଆଣୀ ଜାଲରେ ଲାଖି ରହି ହାକୁ ହାକୁ ହେଉଛନ୍ତି, ଧୀରେ ଧୀରେ ତାଙ୍କର ଝକମକି ବି କାମ ଆସୁଛି । ଝିଟିପିଟିଟାଏ ବୋବୋଉଚି ।

 

ସେଇ ତା’ରି ପାଖେ ଶୋଇ ରହି ଜିଲି କାନ୍ଦି ଲାଗିଛି, ଖାଲି ସେଁ ସେଁ ଫଁ ଫଁ । କେଡ଼େ ବିରକ୍ତ ଲାଗେ କାମ ସରିଲେ ! ମଣିଷ ଟିକିଏ ନିଶ୍ଚିନ୍ତ ହୋଇ ଶୁଅନ୍ତା ନା !

 

ପୁଣି ମଦ, ପୁଣି ମଦ ।

 

“ଦେଖ୍‌, ଏତେ ମନଦୁଃଖ କାହିଁକି ? କୁକୁଡ଼ା–ଡାକେ ବାହାରି ଯିବା କଦମଝୋଲା ଗାଁକୁ, ସେଠି ମୋର ଗୋଟାଏ ଖମାର ଘର ଅଛି, ସେଠି ତୁ ରହିବୁ ମୁଁ ରହିବି । ତୋ ଗାଁ ଲୋକଙ୍କୁ ମନା କରିଦେବି ପଛେ ସେଠିକି କେହି ଯିବେ ନାହିଁ ।”

 

“ନାହିଁ ନାହିଁ ନାହିଁ–”

 

“ପୁଣି ନାହିଁ ନାହିଁ କ’ଣ ? ଥିର୍‌ ହୋଇ ଶୋଇପଡ଼୍‌ । ସକାଳୁ ଯିବା ସେଠିକି, କିଛି ଡର ନାହିଁ ।”

 

ଦୁହେଁ ଶୋଇ ପଡ଼ିଲେ ।

 

ଜିଲିର ଶୁଖିଲା ଲୁହଗୁଡ଼ାକ ଉପରେ ନିଶା ରାତି ଆଉ ନିଦର ଶାନ୍ତି ଗୁଣ୍ଡା ଗୁଣ୍ଡା ହୋଇ ଝଡ଼ପଡ଼ିଲା, ଆଖିଗୁଡ଼ାକ ଆଉ ପୋଡ଼ିଲା ନାହିଁ । ସବୁ ନିଦ ଆଉ ପାସୋରା ପାସୋରି, ଆଉ ସ୍ୱପ୍ନ-

 

ମନ–ଗହୀରରୁ ଉଜାଣି ଚିନ୍ତା ଧୀରେ ଧୀରେ ଉପରକୁ ଭାସିଉଠିଲା । ଅନ୍ଧାର, ଅନ୍ଧାର, ସେଠି ବାଧା ନାହିଁ, ଗୋଳମାଳ ନାହିଁ, ଘଉଡ଼େଇ ଦେବାକୁ ଚାହିଁ ଦେଖା ଦୁନିଆର କଠୋର ଘଟଣା ନାହିଁ ।

 

ଛପି ଛପି ସେ ଆସିଲା, ଗହୀର ମନର ଗହନରୁ ସ୍ୱପ୍ନ, ଧୀରେ ଧୀରେ ।

 

ସାହୁକାର ଆଁ କରି ଘୁଙ୍ଗୁଡ଼ି ମାରୁଛି, ଆଉ ଘୁଡ଼ୁର ଘୁଡ଼ୁର ହେଉଛି । ରେ ଶୋଇଛି, କିନ୍ତୁ ସେ ନାହିଁ । ସାହୁକାର ଗଲା, ଗାଁକୁ ସେ ଆସି ନାହିଁ ଆଦୌ । ଧାଂଡ଼ାବସା ଟୁଙ୍ଗିଘର ଗଲା । ଆଜିର ଦିନଟା ଗଲା । କେତେ ଦିନ ଗଲା ।

 

ଘରେ ବାପ ଭାଇ ଭଉଣୀ । ଗୁହାଳରେ ଗାଈ ହେଣ୍ଟାଳୁଛି । ପିଢ଼ା ଉପରୁ କାଉ ରଡ଼ୁଛି-। ଅଗଣାରେ ଲୁଗା ସିଝୁଛି, ବାମ୍ଫ ଉଠୁଛି, ଚଟାଣରେ ବାପ ବସିଛି, ପିକା ଟାଣୁଛି, ସମସ୍ତେ ହସୁଛନ୍ତି-

 

ମୁଣ୍ଡରେ ଫୁଲ ମାରିଦେଇ ହାଣ୍ଡି ପାଖେ ବସି ବସି ମାଣ୍ଡିଆ ସାଙ୍ଗେ ଜିଲି ଥଟ୍ଟା ଲଗେଇଛି । ବାପ ହସୁଛି । ଟିକ୍ରା ମାଣ୍ଡିଆ ସାଙ୍ଗେ ଜିଲି ଥଟ୍ଟା ଲଗେଇଛି । ବାପ ହସୁଛି । ଟିକ୍ରା ମାଣ୍ଡିଆ ଦୁହେଁ ଗୋଟାଏ ଲଙ୍ଗଳ କାଠର ଲୁହାଫାଳ ପିଟୁଛନ୍ତି । କେତେ ହସ କଥା ପକେଇଛନ୍ତି ।

 

ଅତି ସାଧାରଣ ନିତିଦିନର କଥା ।

 

କିନ୍ତୁ ସେଇ ଦୃଶ୍ୟର ଗୋଟାଏ ପାଖରୁ କେତେବେଳେ ଉପର ମନର ଗୋଜିଣା–ମୁହାଁ ଘଟଣା ଚିରୁଡ଼ାଏ ମୁହଁ ଦେଖେଇ ଠିଆହେଲା, ଛାଇ ଖାଲି ତା’ର, ସବୁ ଥିଲା ହଜିଲା ଅତୀତର ଚଳନ୍ତି ଚିତ୍ର ଉପରେ । ସ୍ୱପ୍ନ ଦେଖୁ ଦେଖୁ ବିନା କାରଣରେ ଜିଲିର ଆଖି କଣରେ ଦରଶୁଖିଲା ଲୁହ ଟୋପାଏ ପୁଣି ଫୁଲି ଉଠିଲା ଗୋଲ ହୋଇ, ଜମା ହେଲା, ଗଡ଼ିପଡ଼ିଲା । ସଁ ସଁ ହୋଇ ଚିତ୍‌ ହୋଇ ସେ ଶୋଇଲା ।

 

ରାତି ଶେଷରେ ଦୂରର କୁକୁଡ଼ା ଡାକିଲେ । ଖାଲି ଝାଇଁ ଝାଇଁ ଭିତରେ ଧଡ଼ପଡ଼ ହୋଇ ଜିଲି ଉଠି ପଡ଼ିଲା । ସାହୁକାରକୁ ହଲେଇ ଦେଇ ବ୍ୟାକୁଳ ହୋଇ ଡାକିଲା–

 

“ହେ ହେ ହେ–”

“ଏଁ–”

“ଯିବା ପରା ?”

“ହଁ”

 

ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ଭିତରେ ଜଣେ ବୁଜୁଳା ପକେଇ ଆଉ ଜଣେ ବୁଜୁଳା ମୁଣ୍ଡେଇ ଧୀରେ ଧୀରେ ଚାଲିଗଲେ । ସାହୁକାର ପଛେ ପଛେ ଜିଲି ।

 

ଅଶିଣ–ବାସ୍ନା ଆଉ ଚେହେରା । ଆଉ ଅନୁଭୂତି–

ଅଶିଣ–ସଫା ନିମର୍ଳ ଆକାଶରୁ ରୁପା ପରି ସରୁ ସରୁ ମେଘ, ସେ ପର ପରି ହାଲୁକା ।

 

ଗଛ ବଢ଼ିଛି, ସିଧା ଠିଆହୋଇ ରହିଛି ବଢ଼ିଲା ଲୋକ ପରି, ତା’ର ମୁଣ୍ଡରେ ରଙ୍ଗ ରଙ୍ଗର ବିନ୍ୟାସ, ଦେହରେ ରଙ୍ଗ ରଙ୍ଗର ପୋଷାକ, ଆଉ କେଡ଼େ ଛନଛନିଆ ସେ !

 

ଗଛ ବଢ଼ିଛି । ଖାଦ୍ୟର ଅଭାବ ନାହିଁ, ଚେର କନ୍ଦା କଷି ଫଳ । ଛାତିଏ ଉଞ୍ଚ ସାବ୍‌ଜା ଫସଲ ମୁଣ୍ଡ ଉପରେ ଥାଳି ଥାଳି ଖାଦି ଧରି ଦୋହଲୁଛି, ଧାଡ଼ି ଧାଡ଼ି ।

 

ଆକାଶରୁ ଚିତ୍ର ନିଗିଡ଼ି ଆସିଛି, ପାତାଳର ଝୋଲା ପର୍ଯ୍ୟନ୍ତ । ହାଲୁକା ଧଳା କସରା ମେଘ, ତା’ ତଳେ ପାହାଡ଼ର ମୁଣ୍ଡି, ଦମକ, ସେଠି ଠେଲାଠେଲି ପିରି ଘାସ । ତଳେ ପାହାଡ଼ର ପଖା, ସେଠି ରଙ୍ଗ ବୋଳାବୋଳି, ରଙ୍ଗ ଛିଞ୍ଚାଛିଞ୍ଚି, କେତେ ପ୍ରକାର ।

 

ଗୋଡ଼ ତଳେ ଆବୁଆବୁଆ ପଦର ଉପରେ ପାଚି ଆଉ ମଣିଷ, ମନ୍ଦମନ୍ଦା ଗୋରୁ, ଗୋଠ ଗୋଠ ଛେଳି, ଘୁଷୁରି, କୁକୁଡ଼ା, ପାରା ଆଉ ମେଞ୍ଚି ମେଞ୍ଚି ଘରର ଛାତ, ସେଠି ଲାଉ, କଖାରୁ, ଜହ୍ନି, କଲରା ।

 

ଗାଁର ବାଟ ଗୋରୁ ଖୋଜରେ କୁଦାକୁଦି, କ୍ଷେତରେ ହିଡ଼ ମଣିଷ ଖୋଜରେ ଚକଟାଚକଟି, ଏଠି ସେଠି ଖଣ୍ଡ ଖଣ୍ଡ ମହୁଫେଣା ପରି ଖିଆ ସରିଥିବା ମକା ଫଳ, କାକୁଡ଼ି–ଭୁଣ୍ଡି, ପଦର ଧାନ ବୁଡ଼ ସୁଆଁର ପିରିଗଦା ।

 

ଏଇ ଆଲାକାଚ୍ରା (ଅଳିଆ) ଅଶୀଣର ପରିଚୟ ।

ଅଶିଣ–ସେ ବାସ୍ନା ଆଉ ଚେହେରା, ଆଉ ଅନୁଭୂତି ।

ଦୟାଲାଗେ, ମନେ ପକେଇ ଦିଏ କେଜାଣି କେତେ ଅଛିଣ୍ଡା ଅନୁଭୂତି ।

ପବନରେ ସ୍ୱପ୍ନ ଭାସେ, ଛବିରୁ ଫାଳେ ଫାଳେ, ଅନୁଭୂତିରେ ବନ୍ଧା ।

 

ତେଲ ଚିକ୍‌ ଚିକ୍‌ ଫୁଲଖୋସା ଗଭା । ପାହାଡ଼ ପରି ଉଞ୍ଚ ଦପ ଦପ ଗୋଲ ଗୋଲ ଉଷୁମ୍‌ ଉଷୁମ୍‌ ଜିଅନ୍ତା କ’ଣ ଦୁଇଟା ଯାହାର ନାଁ ଉଚ୍ଛ୍ୱାସ । କୁରେଇରେ ବାସ୍ନାର ସେ ଆକାର ଧରେ । ନାଲି ଟୋପା ଟୋପା ଧାତିକିରେ ତା’ର ସୂଚନା ଆସେ । ବଣ ନିଆଳି ବର ମଲ୍ଲୀରେ ତେଜି ରଖା ନିଶାରେ ତା’ର ସ୍ପର୍ଶ ପଶିଯାଏ ପ୍ରାଣ ଭିତରେ । ସବୁବେଳେ ସଜ ଭୋଗ, କ୍ଲାନ୍ତି ନାହିଁ-

 

ଗୋଲ ଗୋଲ ଫଳ ବୋଝେଇ ଅଁଳାଗଛ, ଖାଲି ପୂରିଲା ପୂରିଲା ହସ ହସ ଢଳ ଢଳ ମୁହଁ ଲଦା ଲଦି, ସରୁ ଲଟାରେ ବାହାର ଛାଞ୍ଚ, ଅଗେ ଅଗେ ସରୁ ସରୁ ଆଙ୍ଗୁଠି, ଭିତରେ ହଲୁଥାଏ ନିଆଁର ଫାଳ ଫାଳ ହଲିଲା ହଲିଲା ତେଜ ପରି ।

 

ବଢ଼ିଲା ଘାସରେ ତା’ର ଠାଣି । ଝରଣାରେ ତା’ର ବେଣୀ । ରଙ୍ଗରଙ୍ଗିଆ ଉଡ଼ନ୍ତା ପ୍ରଜାପତି ପରି ଆସେ ଯାଏ । ଖାଲି ଛବି ଆଉ ଉଚ୍ଛ୍ୱାସ ।

 

ଗୋଟାକୁ ଗୋଟା ଆକାଂକ୍ଷା ଉଡ଼ୁ ଉଡ଼ୁ ପଖି ଛିଣ୍ଡି ତଳେ ପଡ଼ିଯାଏ । ପଖିଛିଣ୍ଡା ଆକାଂକ୍ଷାର କୁଢ଼ ମନ ଉପରେ, ପଖି ଲଗା ପିମ୍ପୁଡ଼ି ପରି ।

 

ଏଇ ଶାନ୍ତ ଅଶିଣର ତଳେ ତଳେ, ଯେଉଁଠି ସରୁ ମୋଟ ହୋଇଯାଇଛି, ପତ୍ର ଖଣ୍ଡା ହୋଇଯାଇଛି, ଫୁଲ ହୋଇଛି ପଥର ଗୁଣ୍ଡା, ସେଠି ଭୈରବର ତୂରୀ ବାଜେ । ପାହାଡ଼ କମ୍ପେଇ କିଳିକିଳା ଛୁଟେ । ସୁନ୍ଦରୀ ଅସ୍ତ୍ର ଧରେ ।

 

ଏଇ ଅଶିଣରେ ରକ୍ତ ବୁହେ, କାଦୁଅ ଆଉ ରକ୍ତ ଏକାଠି ମିଶିଯାଏ । ଆଉଛାଇ ତଳେ ତଳେ କେତେ ଦେବୀ ଠାକୁରାଣୀ ଆସନ୍ତି ରକ୍ତ ଚାଟିଟାକୁ ଚାକୁଲୁ ଚାକୁଲୁ ଚାକୁଲୁ ।

 

କାଲିସି ଲାଗନ୍ତି, ବେଜୁଣୀ ନାଚନ୍ତି, ଛେଳି ମେଣ୍ଡା ମଇଁଷି କଟନ୍ତି, ପିଚ୍‌ ପିଚ୍‌ ରକ୍ତ, କାଦୁଅ ଆଉ ରକ୍ତ ମିଶିଟାଏ, କସରା ଦିଶେ, ଦମ ଦମ ବାଜା ବାଜେ, ପାହାଡ଼ ଚମକାଇ ବାଜା ହାଂକ ମାରେ, ତୁରୀ ଡାକେ ।

 

ଖଣ୍ଡା ଟାଙ୍ଗିଆ ଭାଲା ବର୍ଚ୍ଛା । ବାଜା ଟମକ ଢୋଲ ଲିସେଣି । ପତାକା ପଟୁଆର । ଗର୍ଜନ ରଡ଼ି କିଳିକିଳା ହୁଂକାର । ରକ୍ତ ରକ୍ତ ରକ୍ତ ।

 

ଅଶିଣ ସନ୍ଦେଶ ଆଣେ, ସୁନ୍ଦରୀ ଅସ୍ତ୍ର ଧରେ ।

କଟାମୁଣ୍ଡ ଗଡ଼ାଗଡ଼ି । କଟାଗଣ୍ଡି ଫଡ଼ାଫଡ଼ି । ରକ୍ତ ରକ୍ତ ରକ୍ତ !

 

କାହାର ଦିଗ୍‌ବିଜୟର ପ୍ରେତ ଆତ୍ମା ଏ, ଦୂର ଆକାଶର ହଜିଲା ଘଡ଼ଘଡ଼ିର ଫାଙ୍କା ପ୍ରତିଧ୍ୱନି ପରି ହଲେଇ ଥରେଇ ଚାଲିଯାଏ, ଋଷି ପରି ଏ ବୁଢ଼ା ତୁନିତାନି ପାହାଡ଼ଗୁଡ଼ାକ ଆଗରେ-!

 

ମହାବଳ ମନ୍ଦିରରେ ଘଣ୍ଟା ଫାଟିଲାଣି, ଭବାନୀ ମନ୍ଦିରରେ ଦୀପ ନିଭି ଗଲାଣି, ଚାଷୀର ଖଳାରେ ତଥାପି–ରକ୍ତ ରକ୍ତ ରକ୍ତ !

 

ଏଇ ଦଶରା ମାସରେ ପରା, ସାମନ୍ତ ଗଡ଼ି ଆସିବେ ପାହାଡ଼ର ଖୋଲ ଖାଲ ଭିତରକୁ ପଟୁଆର ମଡ଼େଇ, ହତିଆର ସଜେଇ ! ଛୁଟି ଚାଲିବେ ଗିରିକନ୍ଦରରୁ ରାଜ୍ୟରେ ପ୍ରତିନିଧି ରାଜ୍ୟର ରାଜା ପାଖକୁ ।

 

ରାଜ୍ୟ ରାଜା ପ୍ରତିନିଧି ପଟୁଆର । ରାଜ୍ୟ ପ୍ରଜା ଭେଟାଭେଟି ଦରବାର । ଅସ୍ତ୍ର ସଜା ଧାଡ଼ି ଧାପ ।

 

ତୁନିତାନି ଥିରିଥାରି ଶାନ୍ତ ସବୁ ଆଜି । ଚାଷୀର ଖଳା, ସେଠି ଧାନ ମାଣ୍ଡିଆ ଜୋଣା (ମକା) । ସେଠି ଷଣ୍ଢ ପୋଷା ହେଉଛି, ଗୋରୁ ବଢ଼ୁଛନ୍ତି, ଗାରଡ଼ ପୋଷା ହେଉଛି । ଛେଳି ବଢ଼ୁଛନ୍ତି ।

 

ତଥାପି ସେଠି ଏଡ଼େ ବଡ଼ ଅଚଳ ଶାନ୍ତି ଭିତରେ କେଉଁ ଖଣ୍ଡିଆ ଅତୀତର ଭୂତର କୋଳାହଳ ଆଉ ରକ୍ତ ରକ୍ତ ରକ୍ତ ! ସେ ଖାଲି ଛେଳିର, ପୋଢ଼ର, ପାରୁଆର, କୁକୁଡ଼ାର, ଯାହାର ଅଟକେଇବାକୁ ଶକ୍ତି ନାହିଁ, ଯେ ମୁକ, ଯେ ପଶୁ ତା’ର ।

 

ଆଉ କାହାର ନୁହେଁ ।

 

ରଜା ଅଛି ଜଣେ । ପ୍ରତିନିଧି ଅଛନ୍ତି–ସେମାନେ ନାଇକ, ବାରିକ, କନ୍ଧ ସାଓଁତା, ବଡ଼ ରଇତ । ସେମାନେ ‘ହଳଲେଖା’ ଦେଇଛନ୍ତି । ସେମାନେ ଶିସ୍ତୁ ଦିଅନ୍ତି । ନିଙ୍ଗାମ (ଅର୍ଥାତ୍‍ ରାଜାଘର ଅମିନ) ପଠେଇ ଦେଇଛି ଖଣ୍ଡେ ଖଣ୍ଡେ ଚିରାଲ୍‌ ବା ଛିଣ୍ଡାକନା, ସେଇଆକୁ ଝଣ୍ଡା ବନେଇ ସେଇ ପ୍ରତିନିଧି ଦଶରା ପଟୁଆରକୁ ଚାଲିବେ, ହାତୀ, ଘୋଡ଼ା ଗାଡ଼ି, ସେଠି ସାମନ୍ତମାନେ ଥିବେ, ରାଜ୍ୟରେ ଯେତେ ସାମନ୍ତ–ଦେବାନ୍‌, ଟାଇଲି କଳର ଅଧିକାରୀ, ଚିନି କଳର ଅଧିକାରୀ, ଜଙ୍ଗଲ ଅଧିକାରୀ ଇତ୍ୟାଦି । କେତେ ରକମ ରକମ ପୋଷାକ, ଆଉ ପାଗ, କେଡ଼େ ବଡ଼ ଦରବାର ।

 

ଗୋଟିଏ ବାଇଗଣ, ଲମ୍ବା ବା ଗୋଲ, ଡେଙ୍ଗା ସଳଖ ତେଣ୍ଟା ଉପରେ ଥୁଆ ହେବ, ସେ ହେବ ଲକ୍ଷ୍ୟ, ଦରବାରର, ଲଛା ହେବ ସେ ବନ୍ଧୁକ ଗୁଳିରେ ଢଃ–ଦୁମ୍‌ ।

 

ପୁରସ୍କାର ଦିଆ କୋଳାହାଳ । ପରଜା ନାଚ, ଗଦବା ନାଚ । ଆକାଶରେ ବାଣ ଖେଳ, ତଳର କ୍ଷେତଠୁଁ ଉପରେ–ଢୁ ଢା ଢୁ ଢା–

 

“ଡର ନାହିଁରେ ଦେଶୀଆ, ଆକାଶରେ ବାଣ ଫୁଟିବ, ମଣିଷ ଦେହରେ ବାଜିବ ନାହିଁ–ଡର ନାହିଁ, ଡର ନାହିଁ ।”

 

ରଜାଙ୍କ ଖାସ୍‌ ଦରବାର । ସେଠି କବି ଲଢ଼େଇ, କୁଣ୍ଡଳ ଝୁଲେଇ କେତେ ପଣ୍ଡିତ ଆସିଥିବେ ତେଲଙ୍ଗା ଦେଶରୁ । ଶବ୍ଦର ଜାଲ, ସଙ୍ଗୀତର ଝଙ୍କାର । ବାଇନାଚ ।

 

“ଜାଣିଚୁରେ ଦେଶୀଆ, ପାନ୍ତୁଲୁ ଆପଣେ କ’ଣ କହିଲେ ? ରାଜା ଆମର ସୂର୍ଯ୍ୟ, ଚନ୍ଦ୍ର, ବ୍ରହ୍ମା, ବିଷ୍ଣୁ, ସବୁ । ଜୁହାର କର୍‌ ଜୁହାର କର୍‌ ଏଠୁ ଦୂରରୁ ।”

 

ପାନ୍ତୁଲୁ ଆପଣମାନେ । ଝଣ୍‍ ଝାଣ୍‌ ଟଙ୍କା ।

 

“ଆଁ କ’ଣ କରିଚୁ କ’ଣରେ ଦେଶୀଆ, କେତେ ଦୂରରୁ ଆସିଛନ୍ତି ସେ ପଣ୍ଡିତ ମହାଶୟ–କବିର ମୂଲ କି ବୁଝିବୁ ତୁ ?– ହଜାର ଶ୍ଲୋକ ହଜାର ଅସର୍ଫି–ସୁଲତାନ୍‌ ମାମୁଦ୍‌–ଜଣା ନାହିଁ ? ଧା ତେରିକି ।”

 

ଦଶହରା । ବାଇଗଣ । କଦଳୀଗଛ । ନାଚ ।

ତଥାପି ପ୍ରାଣ ଉଲୁସେଇ ପ୍ରେତର ତାଡ଼ନାରେ ରଣ ବାଇଦର ଦମ୍‌ଦମା ।

ଆଉ ରକ୍ତ ରକ୍ତ ରକ୍ତ–ଯାହାଙ୍କର ନଖ ନାହିଁ, ଦାନ୍ତ ନାହିଁ ତାଙ୍କର–

ଯେତେ ଢାଳ ବିପଦ ନାହିଁ ।

 

ଜଇପୁର ଦଶରାକୁ ଚିରାଲ୍‌ ଉଡ଼େଇ କେତେ ଦୂରରୁ ଲୋକେ ଆସନ୍ତି । ନେଇ ଫେରନ୍ତି ମନ ବୋଝେଇ କରି ଜଇପୁରର କଥା । ସେଇ କଥା ଚାରିଆଡ଼େ ଖେଳେଇ ହେଇପଡ଼େ, ଦିଆ ନିଆ ଫୋପଡ଼ା ଫୋପଡ଼ି । ଲୋକେ ଗପନ୍ତି ଆଉ ଭାବନ୍ତି । ଦିନକେତେଟା ସୁନ୍ଦର କଟିଯାଏ କଥା ଆଲୋଚନା କରି କରିକା ।

 

ଜଙ୍ଗଲ ଭିତରେ ଗୋଟିଏ ଘାଟିମୁହଁ ପାଖେ ଝୋଲା କନ୍ଦିରେ ଦୁଇ ଭାଇ ଟିକ୍ରା ଆଉ ମାଣ୍ଡିଆ ବସି ବସି କଥା ଗପୁ ଥାଆନ୍ତି । ବେଳ ଥାଏ ଦୁଇ ଲାଠି ।

 

“ଦେଖିଲୁ ଟିକ୍ରା, ତୋ କୁହାରେ ପଡ଼ି ଜଇପୁର ଦଶହରା ଦେଖି ଯିବାକୁ ମନ କରିଥିଲେ ସବୁମାଟି ହୋଇଥାନ୍ତା, ବୁଝିଲୁ । ଏବେ ସିନା ବେଶି ମଦ ବିକ୍ରି ହେବ, ପଛେ ଏତେ କଟିବ କୋଉଠୁ ?”

 

“କେତେ ହେଲା ?”

“ଆହୁରି କୋଡ଼ିଏ ପାଞ୍ଚ ।

 

“ହେଇଆସିଲା, ଆଉ ପନ୍ଦର ଟଙ୍କା ମିଳିଗଲେ କ’ଣ ସତେ ସତେ ବନ୍ଦ କରିଦେବା ? ଟଙ୍କା କାହୁଁ ମିଳିବ ?”

 

ମାଣ୍ଡିଆ ମୁହଁ ଶୁଖେଇ କହିଲା–“ବର୍ଷା କମିଲାଣି, ଏଥର ହରକତ ନାହିଁ, ଅଧିକାରୀମାନେ ବେଶି ବେଶି ବୁଲି ଆସିବେ । ସାଲ୍‌ଟୁ (ଅବକାରୀ କର୍ମଚାରୀ) କାଉଡ଼ିଆ ଧରି କେଶୁ (ମକଦ୍ଦମା) ଖୋଜି ଆସିବେ ଏଣିକି ଅଧିକ ଅଧିକ, ଭାରି ଦୂରରୁ ବାସ୍ନା ଧରିବ ତାଙ୍କ ନାକ, ଆଉ ଧରି ପକେଇଲେ ମଲୁଁ ।”

 

‘‘ସାହୁକାର ପଚାରିବ ଟଙ୍କା କେଉଁଠୁ ଆଣିଲୁ ଜମି ମୁକୁଳେଇବା ପାଇଁ, କ’ଣ ବୋଲିକ କହିବୁ ?’’

 

“ସାହୁକାର ! ପଟ୍‌କାର୍‌ ତାଁତର୍‌ ଗ୍ୟାଳ୍‍ପ, ଜିଲିକୁ ଝିକିନେଇଗଲା, ଦେଖିଲୁ ନା ତା’ କଥା–ଏମିତି ମନ ହଉଚି–”

 

“ରାଗୁଚୁ କାହିଁକି ଭାଇ” ଟିକ୍ରା ହସିଲା, “ଜିଲିର ମନ ନ ହେଇଥିଲେ ସାହୁକାର ନେଇଥାନ୍ତା ବଳେ ବଳେ ? ବାୟାହେଲୁ ? ଭଲ ହେଲା ତ ଭିଣାଇ ହେଲା ଆମର, ଝୋଲା ଦେବ–ଜିଲିକୁ ଠିକ୍‌ ହେଇଛି–ଆଉ ଊଣା କାମ ଦେବ ଆମକୁ–”

 

“ଊଣା କାମ ଦେବ ?”

ଅନ୍ୟମନସ୍କ ହୋଇ ପଥର ଉପରେ ଟାଙ୍ଗିଆର ଧାରକୁ ଘଷି ଲାଗିଲା ମାଣ୍ଡିଆଜାନି–

“ମାଇକିନା ଥାଉ ଥାଉ ଆଉ ବୁଢ଼ା ଡୋକ୍ରା ହୋଇ–”

“କ’ଣ କରିବୁ ତୁ ? ଜିଲିର ମନ ନ ହେଲେ ବାହାରି ଆସୁ–”

ମାଣ୍ଡିଆ ଗୁମ୍‍ ହୋଇ ରହିଲା ।

ବାଟେ ବାଟେ ପାଟି ଶୁଭିଲା । ମଣ୍ଡିଆ ଉଠି ଚାଲିଗଲା ।

 

ଏଇ ମାଣ୍ଡିଆଟା କେଡ଼େ ହଠାତ୍‌ ନିଆଁ ହୋଇଯାଏ ! ଟିକ୍ରା ଡରେ । ଯେଉଁଦିନ ଜିଲି ଚାଲିଯିବା ଖବର ପହିଲେ ଆସିଲା, କ’ଣ ହୋଇଗଲା ସେ ! ବାହାରି ଥିଲା, ଲୋକେ ବୁଝାବୁଝି କରି ଅଟକେଇ ଦେବାରୁ ରହି ଯାଇଥିଲା । ସେ ରାଗିଲେ ଭାତ ଖାଏ ନାହିଁ । ଖାଲି ଏପାଖ ସେପାଖ ଚାଲି ରହୁଥାଏ, ନଇଲେ କହେ, “ଟିକ୍ରା, ଚାଲ୍‌ ଆଜି ଦୂରକୁ ମନ୍ଦା ଅଡ଼େଇ ନେବା ।” ସବୁଆଡ଼ୁ ଅସୁବିଧା କରେ । ଆଉ ଅନ୍ୟବେଳେ, ଯେ ଦେଖିବ କହିବ ଆହାଭଲ ପିଲାଟିଏ, କେଡ଼େ ଶାନ୍ତ ସୁଧାର !

 

ଟିକ୍ରାଜାନି ଭାବେ ଜିଲି ଚାଲିଯିବା କଥା । କାହାକୁ ପଦେ ପଚାରିଲା ନାହିଁ, କେହି ଜାଣିଲେ ନାହିଁ, ତୁନିତାନି ଚାଲିଗଲା ସେ ସାହୁକାର ସାଙ୍ଗେ । ସେ ଭାଇ, ଜିଲି ତା’ର ଭଉଣୀ । ଭାଇର କାମ ଭଉଣୀକୁ ସମ୍ଭାଳିବା, ଭଉଣୀର ବୋଝ ଭାଇ ଉପରେ । ତେଣୁ ସେ ଗମ୍ଭୀର ହୁଏ ।

 

ମନେ ମନେ ଜିଲିକୁ ଶାସନ କରେ, ଭାବୁ ଭାବୁ ମନେହୁଏ କେମିତି କଟମଟ ଆଖିରେ ସେ ଜିଲି ଆଡ଼କୁ ଅନେଇ ରହନ୍ତା, ବଜ୍ରପରି କଥାଗୁଡ଼ାକ ଉଗାଳି ପକାନ୍ତା ଜିଲି । ମୁହଁ ପୋତନ୍ତା, କାନ୍ଦନ୍ତା, ତା’ର ଗୋଡ଼ ଧରି ବାତି (କ୍ଷମା) ମାଗନ୍ତା । ସେ ଗୋଡ଼ ଛଡ଼େଇ ନିଅନ୍ତା ।

 

ଭାବିଲାବେଳେ କାନ୍ଧ କଟ କଟ କରେ, ଛାତି ଆହୁରି ଓସାର ହୋଇ ଲମ୍ବିଯାଏ ଛ’ ଆଙ୍ଗୁଳି ।

 

ଆଉ ସାଙ୍ଗେ ସାଙ୍ଗେ, ଅପସନ୍ଦ ଲାଗେ । କେଉଁଦିନ ଭଲା ଜିଲି ତାକୁ ଡରିଛି ? ତାଠୁଁ ପରାମର୍ଶ ନେଇଛି ? ତା’ର ନାକ ଚିପିଛି, ପଛଆଡ଼ୁ ଚୁଟି ଟାଣିଛି, ଥଟ୍ଟା କରିଛି । ସବୁକଥାରେ ତାକୁ ହସରେ ଉଡ଼େଇ ଦେଇଛି । ସବୁ ଦିନେ ଜିଲି ଖାଲି ବେଶି ଜାଣେ ବେଶି ବୁଝେ, ବେଶି କହେ । ପାରନ୍ତା ସେ ଜିଲିକୁ ? ହସ ହସରେ ସାନ କରିଦେବ ଜିଲିର ଯେଉଁ ଚାହାଣୀ, ଯେଉଁ ଦେହ ମୋଡ଼ିବା, ଯେଉଁ ମୁଣ୍ଡ ଝାଡ଼ିବା, କେତେ ସାନଟିଏ ହୋଇଯାଇଛି ସେ ଜିଲି ଆଗରେ ସବୁଦିନେ ।

 

କେଡ଼େ ଚଞ୍ଚଳ ବୁଦ୍ଧିଆ ହୋଇ ଯାଆନ୍ତି ଏ ମାଇକିନା ଟୋକୀଗୁଡ଼ାକ ! ବଡ଼ ବଡ଼ ଲୋକଙ୍କ ସାଙ୍ଗେ ସମାନ ହୋଇ ଯାଆନ୍ତି, ନୋହିଲେ ତାଙ୍କୁ ବଳି ଯାଆନ୍ତି, ଲୋକେ ତାଙ୍କୁ ଲେଖା କରନ୍ତି ମଣିଷ ବୋଲି । ଅଥଚ ଟିକ୍ରା ! ସମସ୍ତେ ଭାବି ଆସିଛନ୍ତି ସବୁଦିନେ ସେ ପିଲା ।

 

ଜିଲିର ଝୁଙ୍କ ମନେପଡ଼େ, ତା’ର ଏକବାଜିଆଗିରି । ଜିଲି ବଡ଼ । ଖୁବ୍‌ ବଡ଼ । ଏତେବଡ଼ ଜିଲି ଏଡ଼େସାନ ହୋଇଯାଇ ଲୁଚି ଲୁଚି ପଳେଇ ଗଲା ଭାବିଲେ ଦୁଃଖ ଲାଗେ । ସହାନୁଭୁତି ହୁଏ-। ଭାଇପଣରେ ବଢ଼ି ଉଠି ଟିକ୍ରା ଭାବେ ଦେଖି ନିଅନ୍ତା ସେ କିଏ କେତେକର ।

 

ସାହୁକାରକୁ ସେ ଚିଡ଼େ । ଏବେ ଭାବେ ଜିଲିବାଟେ ସମ୍ବନ୍ଧଟା ସେ ରଖି ପାରିବ ତ ? ନା ଏକଦମ୍‌ ଛାଡ଼ଦେବ ? ଆହା ଜିଲି ! ଏକା ମା’ ପେଟର ଭଉଣୀ । ଏକୁଟିଆ । ଏବେ ତା’ର ଆଉ କେହି ନାହିଁ । କେମିତି ସେ ଛାଡ଼ିଦେବ ଜିଲିକୁ ?

 

କାହିଁକି ବା ? ସାହୁକାର ଭିନେ ଜାତି ବୋଲି ? ଏହିପରି କେତେ ତ ଭିନେ ଜାତି ମିଶି ଯାଆନ୍ତି ଜଙ୍ଗଲ ଭିତରେ । ଗାଁକୁ ଗାଁ ଧାଂଡ଼ା ବସାଘରୁ ଧାଂଡ଼ା ବସାଘର ମଇଁଷି ଚରେଇ ଚରେଇ ଯେତେ ସେ ବୁଲିଛି, ଯେତେ ଟୋକୀଙ୍କି ଦେଖିଛି, ଛାତିରେ ହାତ ଦେଇ କହିଦେଇ ହେବ କି ସମସ୍ତେ ତା’ରି ଜାତି ବୋଲି ? ଜାତି ଫାତି ତା’ର ମନରେ ଗୋଳମାଳ ଆଣେ ନାହିଁ ।

 

କିନ୍ତୁ–ସାହୁକାର ! ହଁ ସେଇଠି ଦରଜ । ସେଇ କଥାଟା ଗୋଳମାଳିଆ, ବେଶି ଚିଡ଼ି ମାଡ଼େ ସେଥିପାଇଁ ।

 

ସାହୁକାର । ସେ ବଡ଼ଲୋକ । ତା’ର ପରିଚୟ ତା’ର ବାକ୍‌ସ ଭିତରେ । ଆଉ ରଇତ ପିଲା–ସେ ଗରିବ ।

 

ଏମିତି କେବେ ଦିନ ଆସିବ ନାହିଁ ଯେତେବେଳେ ସାହୁକାର ତା’ର ଉଞ୍ଚ ପିଣ୍ଡା ଉପରୁ ଓହ୍ଲେଇ ପଡ଼ି ରଇତ ପିଲା ସାଙ୍ଗେ ଗୋଟାଏ ହୋଇଯିବ, ହେଲେ ସେ ଆଉ ସାହୁକାର ହୋଇ ରହିବ କେମିତି ? ତା’ର ବାକ୍‌ସ ଅମାର ଭିତରେ ତ ମାଟି ମିଶିଯିବ !

 

ସାହୁକାର–ସେ କରଜ ଦେବା ଲୋକ, ଗୋତି ରଖିବା ଲୋକ । ରଇତ–ସେ ସୁଧ ଗଣିବା ଲୋକ । ଗୋତି ରହିବା ଲୋକ ।

 

ସାହୁକାର, ସେ ହିଡ଼ମୁଣ୍ଡରେ ଧୋବ ଧାଉଳିଆଙ୍କ ସାଙ୍ଗେ ଜଣେ, ଫସଲ ନ ପାଚୁଣୁ ତା’ର । ରଇତ–ସେ ବିଲ ମଝିରେ ପାଚି ମାଟି ସାଙ୍ଗରେ ଜଣେ, ସେ କାମ କରିବ ।

 

ରଇତର କୌପୁନୀ, ସାହୁକାରର ଧୋବଲୁଗା, ରଙ୍ଗରଙ୍ଗିଆ ଅଙ୍ଗୀ । ରଇତର ମାଣ୍ଡିଆ ଜାଉ, ଆମ୍ବ କୋଇଲି ତେନ୍ତୁଳି ମଞ୍ଜିର ଭାତ ଜାଉ, ସାହୁକାରର ଭାତ, ମଲ୍ଲୀ ଫୁଲ ପରି ଭାତ ।

 

ସାହୁକାର ସେ–ନିଆଁ । ରଇତ ପିଲା–ସେ କାଳିଣି କାଠ, ପୁରୁ ପୁରୁ ପିରିଗଦା ।

 

ସେଇ ତ ଅଡ଼ୁଆ ! ଟିକ୍ରା ଶଙ୍କିଯାଏ । ଜିଲି କଥା ଭାବିଲେ ମନେହୁଏ ଯେମିତି ଆଗୁଳି ବସିଚି ବାଟ ଦୁଆର ମୁହଁରେ ସାହୁକାର, ଯିବାକୁ ବାଟ ନାହିଁ ।

 

କେଉଁ ରଇତ ପିଲା ଜିଲିକୁ ଝିକି ନେଇଥିଲେ ସେଇଟା ହୋଇଥାନ୍ତା, ‘ବିବାହ’ । ସାହୁକାର ନେବାଟା, ଲୋକେ କହିବେ ‘ରଖିବା’, ପରଜୁଣୀ ଝିଅକୁ ସାହୁକାର ବିଭା ହେବ କ’ଣ ? ସେଇଟା ହେଲା ରଖିବା ।

 

ସାହୁକାର ରଇତ ପିଲା ମିଶାମିଶି ଭିତରେ ଏଇତକ ହେଲା ଲାଜର କଥା । ଏଇ ଲାଜରେ–“ପ୍ରାଣ କାନ୍ଦିଯାଏ ପ୍ରାଣ୍‌ କାନ୍ଦିଯାଏ ।”

 

ମାଣ୍ଡିଆ ସମ୍ଭାଳି ନ ପାରି ଟାଙ୍ଗିଆ ପଜାଏ, ପୁଣି ଚାରିଆଡ଼କୁ ଦେଖିଚାହିଁ ବେକର ଟାଙ୍ଗିଆ ବେକରେ ଲଦି ବାହାରି ଯାଏ କାଠ ହାଣି, ଶିଆଳି ଡୋର କାଟି ।

 

ଟିକ୍ରାର ରାଗ ହୁଏ, କିନ୍ତୁ ଏମିତି ତା’ର ଅବସ୍ଥା ଯେତେବେଳେ ସେ ମୁହଁ ଘୁଙ୍ଗାରି ବସି ରହିପାରେ ନାହିଁ । ତୁଚ୍ଛାକୁ ମନ ଭିତରେ କୁତୁ କୁତୁ ସଲ ସଲ କରେ । ପାଦକୁ ନାଚ ମାଡ଼େ, ହାତ ଖଲ ଖଲ ହୁଏ, ଗୁଣୁଗୁଣୁ ହେଇ ଗୀତ ବୋଲେ । ୟାଡ଼େ ମାଙ୍କଡ଼ ଖେଦି ଧାଇଁ ଚାଲିଗଲେ ଅଧବାଟରୁ ବାଟ ଭାଙ୍ଗି ସେ ଫୁଲ ତୋଳି ଯାଏ । ସବୁ ସକ, ସବୁ ଦରଜ ଦି’ ଦିନିଆ ହୋଇ କୁଆଡ଼େ ନିଗିଡ଼ି ଚାଲିଯାଏ, ଆଉ ଚାରିପାଖର ଏ ସାର ଅସାର ସବୁଥିରେ ମନ ଆହ୍ଲାଦ ପାଏ ଏତେ, ସବୁଥିରେ ସେ ମିଶିଯାଏ ।

 

ଅଶିଣ–ତା’ର ବାସ୍ନା ଆଉ ଚେହେରା, ଅନୁଭୂତି ।

ଅଶିଣ–ସଫା ନିର୍ମଳ ଆକାଶରୁ ରୁପା ପରି ସରୁ ସରୁ ମେଘ, ସେ ପର ପରି ହାଲୁକା ।

 

ସେ ନାକ ଫଣକେଇ ବାସ୍ନା ଶୁଂଘେ, କାନ ଡେରି ଶବ୍ଦ ଶୁଣେ, କୁଟ୍ରାଛୁଆ ପରି କୁଦା ମାରିମାରିକା ପଶେ ଏଠି ସେଠି ।

 

ଜିଲି ଆସିଛି ମୋଟେ ଦି’ କୋଶ ଆପଣା ଗାଁରୁ । ସର୍ଷୁପଦରଠୁ କଦମଝୋଲା ବାଟ ଦି କୋଶ ।

 

କିନ୍ତୁ ଏତିକିରେ ବୋଝ ହାଲୁକା ହୋଇଛି ଖୁବ୍‌ ଆଉ ଭୁଲି ହେବାକୁ କେତେ ସୁବିଧା ।

 

ଏଇ କନ୍ଧ ଗାଁ, ତାଙ୍କର ସ୍ତ୍ରୀ ପିଲାଙ୍କ କଥା ବୁଝି ହୁଏନାହିଁ । ଜିଲି ଏକ ରକମ୍‌ ଏକୁଟିଆ-। ପୁଣି ଗାଁ ଏପରି, ଚାରିପାଖେ ବଣ ପାହାଡ଼ ଝୋଲା, କେଉଁବାଟେ ବାଟ, ଜାଣିବା ମୁସ୍କିଲ । ଏଇବଣ ଦେଶରେ ବାଙ୍କ ଗୋଟାଏ ବୁଲିଗଲେ ଦେଶ ଗୋଟାଏ ଆଖିରୁ ଅନ୍ତର ହୋଇଯାଏ, କେହି କାହାରି ଖବର ରଖେ ନାହିଁ । ଜିଲିର ଆପଣା ଗାଁର କାଉ କୋଇଲି ଆସନ୍ତି ନାହିଁ ଏଠିକି ବୋବେଇବାକୁ ।

 

ଜିଲି ନୂଆବୋହୂ ହୋଇ ଘର କରୁଛି । ଏଇ ଅଚିହ୍ନା ଦେଶରେ, ଅଜଣା କାନ୍ଧ ଗାଁରେ କାହାରି ସମାଲେଚନା ତା’ର କାନରେ ପଡ଼େନାହିଁ । ସେ ଏଠି ସ୍ୱାଧୀନ । ଖାଲି ସେ, ତା’ର ଘର, ତା’ର ବର, ଆଉ ଭବିଷ୍ୟତ୍ ଯାହା ଯେତିକି ଦିନ ଯୋଗଥିବ ।

 

ରାତି ଗୋଟିଏ ପାହେ, ସେ ଭାବେ ଆଜି ହୁଏ ତ ବାପ ଆସିବ ଗାଁ ଲୋକଙ୍କୁ ଧରି ଝୋଲା ଟଙ୍କା ମାଗିବାକୁ । ଭାବେ ଲାଜ ଲୁଚେଇବି କୋଉଁଠି ? ବାପକୁସେ କଅଣ ବୋଲି କହିବ ଯାହାକୁ ଠକି ଦେଇ ଚାଲି ଆସିଛ ସେ ଭିନେ ଜାତିର ଗୋଟିଏ ଦରବୁଢ଼ା ଲୋକ ସାଙ୍ଗରେ ? କ’ଣ ବୋଲି କହିବ ସେ ସେଇ ଲୋକମାନଙ୍କୁ ଯେଉଁମାନେ ପିଠି ଆଡ଼େଇଲେ ହସିହସି ଗଡ଼ୁଥିବେ ଆଉ କହୁଥିବେ, ପଇସା ଲୋଭରେ ସେ କୁକୁର ପରି ଗୋଡ଼ାଇ ଆସିଲା ! ଭାବେ ଆଜି ଦିନ ଭିତରେ ଲାଜରେ ମାଟି କାମୁଡ଼ିବାକୁ ଯୋଗ ଆସିବ ନିଶ୍ଚୟ । ଦୁମୁ ଦୁମୁ ଛାତିରେ ଲୋକଙ୍କ ଗଳା ଶୁଣି ପାରିଲେ ଉଢୁଆଳକୁ ଯାଇ କାନ ପାରେ, ଅନାଁଏ, ଉଣ୍ଡେ ।

 

କିନ୍ତୁ ସଞ୍ଜ ବୁଡ଼େ । କେହି ନାହିଁ । ସକାଳର ଲାଜର ଧାରଣାରେ ଆନନ୍ଦ ଥିଲା ଛପିଛପିକା । ସଞ୍ଜରେ ସେ ଭାବେ ସେ ହଜିଯାଛି ସତେ ସତେ, କେହି ତାକୁ ଖୋଜିବାକୁ ଲୋଡ଼ିବାକୁ ଆସିବେ ନାହିଁ । ଗୋଷ୍ଠୀ ତାକୁ ଫୋପାଡ଼ି ଚାଲି ଯାଇଛି ଅଗନାଗ୍ନି ବନସ୍ତ ଭିତରେ ।

 

ଅଧରାତିରେ କୃଷ୍ଣପକ୍ଷରେ ଜହ୍ନ ଉଠେ ମୁହଁ ଉପରେ ।

 

ସଫା ଆକାଶ, ଠାଏ ଠାଏ କଳା କଳା ଚିତ୍ର ଚିତ୍ର । ମୁହଁ ଉପରେ ଅରାଏ କଳା କଳା ପଟା ପଟା, ସେଥିରେ ଜିକି ଜିକି ଧଳା ଧଳା ଗାର ଗାର, ସେହି ଧଳା ନାଲିଆ ଧଡ଼ି ତଳକୁ ମହୁଫେଣା ପରି ଜହ୍ନରୁ ଫାଳେ ଓହଳି ପଡ଼େ । ପାଖରେ ଦୂରର ବଣ ଦିଶେ, ଚପ୍‍ଚାପ୍‌ ଶୂନ୍‍ଶାନ୍ । ଉପରେ ଢେଉ ଢେଉ ଆଲୁଅ ଚିକ୍ ଚିକ୍ ଟିକିଏ ଟିକିଏ, ତଳର ବନସ୍ତ ଗୋଟାକଯାକ କଳା ଘୁମର, ଖାଲି –ଲମ୍ବି ଯାଇଛି ଜହ୍ନ ପର୍ଯ୍ୟନ୍ତ ।

 

ଗୋଟିକୁ ଗୋଟା ପଟା ଚଢ଼ି ଚଢ଼ିକା ଜହ୍ନ ଉପରକୁ ବୋଲି ଉଠିଯାଏ । ଗୋଟା ଗୋଟିକିଆ ବଡ଼ ବଡ଼ ଗଛ ବାହା ଲମ୍ବେଇ ଠିଆ ହାଇଥାଏ ତୁନି ତୁନି, ସୋର ନାହିଁ ଶବଦ ନାହିଁ ।

 

ଏଇ ଖମାର ଘର, ଚାରିଆଡ଼େ କଦଳୀ ବାରି, ପାଖେ ପାଖେ ଖଳା । ଖମାର, ଗୁହାଳ, ଜଗୁଆଳି ରହିବା ଘର । ଧାଡ଼ିଧାଡ଼ିକା ବହଳ ଅନ୍ଧାର ପରି ଅଳ୍ପ ଦୂରରେ କନ୍ଧ ଗାଁ’ ଟି ।

 

ତା’ର ଆପଣାର ଘରକରଣା ଏ, ଅନ୍ଧାର ମେଞ୍ଚାଏ ମେଞ୍ଚାଏ ସେଥିରେ ଆଲୁଅର ଧାପେ । ସୋର ଶବ୍‍ଦ ନାହିଁ ।

 

ଜହ୍ନକୁ ଅନେଇ ପଦାରେ ବସିଲେ ନିଦ ମାଡ଼େ ନାହିଁ । ଜିଲି ଭିତରର ଅନ୍ଧାରରେ ମିଶିଯାଏ, ଭୁଲିବାକୁ ଚେଷ୍ଟାକରେ । ବାପା ବସି ଖଣ୍ଡି କାଶ ମାରୁଥିବ ।

 

ପିକା ଟାଣୁଥିବ ।

ନନ୍ଦିବାଲି ।

ବିଲି ।

ଘର ।

ଗାଁ ।

କ’ଣ ଭାବୁଥିବ ବାପା ?

ଓଃ ! ଯାଉ ।

ସବୁ ଭୁଲି ହୋଇଯାଉ । ଯାଉ । ଆଉ ସେଥିରେ କାହିଁକି ?

ସାହୁକାର ଆଉ ଜିଲି ଏକୁଟିଆ । କନ୍ଧ ଗାଁରେ ନିଛାଟିଆ ଘରକରଣା ଭିତରେ ।

 

ସେ ଲୋକଟାର ବୟସ ଯାଇଛି, ଖାଲି ବୟସ ନୁହେଁ ମନର ସରାଗ ଯାଇଛି ଜୀବନର ପ୍ରତ୍ୟେକ ଦିନ ଭୋଗରେ ଭୋଗରେ କଟେଇ ଦେଇ । ସବୁଖାଲି ତା’ ପାଖେ ଭାତ, ଡାଲି, ତରକାରୀ । ଉଣା ପଡ଼ିଗଲେ ଭୋକ କରେ, କିନ୍ତୁ ମିଳିଗଲେ ଖାଇବା, ତହିଁରେ ଉଣେଇଶ ବିଶ୍ କଳି ବସିବାକୁ ଗୁଣ ଦେଖିବାକୁ କି ଦୋଷ ଦେଖିବାକୁ କେବେହେଲେ ସେ ମନ ବଳେଇ ନାହିଁ ।
 

ଟିକିଏ ନିଶା ଥାଏ ମୂଳରୁ, ଯେଉଁ ପର୍ଯ୍ୟନ୍ତ ସେ ପାଇ ନ ଥାଏ–ତା’ ପରେ–ଛେଃ ନିତିଦିନର ଘରକରଣା, କ’ଣ ଅଧିକାଟା ରହିଛି ସେଥିରେ ! ନୂଆ ଦରକାର ।

 

ଜୀବନଟା ତା’ ଆଖିରେ ଖାଲି ନୂଆ ପଛରେ ଗୋଡ଼େଇବା, ପାଇଲେ ଗଡ଼େଇ ଦେବା ସଂଘା ଉପରେ, ଆହୁରି ଖୋଜିବା ।

 

ପ୍ରଥମ କେଇଦିନ ଟାଣି ଓଟାରି ସେ ଜିଲି ଉପରେ ମନ ଦେବାକୁ ଚେଷ୍ଟା କଲା । ତା’ର ପିଲାଳିଆ ଖେଳ ସାଙ୍ଗରେ ଆପଣାର କେଉଁକାଳୁ ହଜିଯାଇଥିବା ପିଲାଳିଆମି ସ୍ମରଣ କରି ଯୋଗ ଦେବାକୁ ଚେଷ୍ଟା କଲା । ଦେଖିଲା, କଷ୍ଟ ହେଉଛି, ଆଉ ଦରକାର ବି ନାହିଁ । ଫୁଲ ଗୁନ୍ଥିବା, ମୁଣ୍ଡ ସଜେଇବା, ଗୀତ ବୋଲିବା, କଅଁଳ କଥା କହି ନଇଁନଇକା ଜିଲିର ଗୋଡ଼ ପାଖେ ଛାତି ପାରିଦେବା, ଏସବୁ କଥା ବେଳ ଗଡ଼ିଗଲାଣି, ଏଗୁଡ଼ିକ ପୁରୁଣା ଗତ ।

 

ୟା ପରେ, ସଂସାରୀ ସାଧାରଣ କଥା, ଯାହା ଦରକାର ସେତିକି, ଘରକରଣା କଥା, ସଂସାରର ସାତ ପାଞ୍ଚ । ସଂସାରୀ ଲୋକ ଅଦରକାରୀ କଥା ଚର୍ଚ୍ଚା କରେ ନାହିଁ, କାରଣ ସେ ଟୋକା ନୁହେଁ ।

 

ଗୋଟିଏ କଥା ବିରକ୍ତ ଲାଗେ ଭାବିବାକୁ, ଯେ କଥାଟା ଏତେଦୂର ନ ଗଡ଼ାଇଲେ ସୁଦ୍ଧା ଚଳିଥାନ୍ତା । ଲୋକେ ଜାଣିଲେ, ଜାଣନ୍ତୁ, ଅସଲ ହରକତ, ଟଙ୍କା ପଡ଼ିବ ଦେବାକୁ । ସେମାନେ ଆସିବେ ଝୋଲା ଟଙ୍କା ମାଗିବାକୁ, ସେ କୋଡ଼ି କୋଡ଼ିର ଗଣା ହୁଏ, ପାଞ୍ଚ ପଚିଶ ନୁହେଁ ।

 

ଆଉ ଆଜି, ହାତକୁ ଜିଲି ଚାଲି ଆସିଲା ପରେ ଲାଗୁଛି–କାହିଁକି ଏତେ ନଟ ? ତୁଚ୍ଚାଟାରେ ସିନା !

 

ଏଠା ତାଷଘରକୁ ଜିଲି ଚାଲି ଆସିଲା ଭଲ ହେଲା, ଆପଣାର ହୋଇ ରହିଥିବ, ହଳିଆଙ୍କଠୁଁ କାମ ବୁଝିନେବ, ଜିନିଷ ସମ୍ପାଦି ରଖିଥିବ । ଯେବେ କେଉଁଦିନ ଏ ବାଟରେ ସାହୁକାର କାମ ପଡ଼ିବ, ସସାଘର ସବୁ ବିଷୟରେ ଫିଟ୍‍ଫାଟ୍, ସେ ଭଲ ହେଲା ।

 

ଖାଲି ଗୋଟିଏ ଅଡ଼ୁଆ, ଟଙ୍କା ।

 

ଦିନ ଗଡ଼ିଗଲା, ଏପର୍ଯ୍ୟନ୍ତ ଆସିଲେ ନାହିଁ କେହି ଝୋଲାଟଙ୍କା ମାଗିବାକୁ । ସାହୁକାର ମନେ ମନେ ଖୁସି ହେଲା–ବେଶ୍ ତା’ର କାମ ସେ କରି ଦେଇଛି । ଏତେଦିନ ତାଙ୍କୁ ଅପେକ୍ଷା କରିଥିଲ, କେତେଦିନ ବସି ରହିଥିବ ? ବାରଆଡ଼େ ତା’ର ବାର ଧନ୍ଦା । ଗୋଡ଼ାଉ ଥାଅନ୍ତୁ ପଛରେ ସେମାନେ ।

 

ଯିବାକୁ ହେବ, ଏଠି ଜିଲିକୁ ଛାଡ଼ିଦେଇ କାମକୁ ଯିବାକୁ ହେବ । ମନ ଉଡ଼ିଲାଣି, ଜିଲି ମୁହଁ ଶୁଖେଇବ ତ ଟିକିଏ, କାନ୍ଦିବ ବା । ମାଇକିନିଆଙ୍କୁ ବୁଝେଇବାକୁ ସମୟ ଲାଗେ ନାହିଁ, ଟିକିଏ ସାକୁଲା ସାକୁଲି, ଟିକିଏ ଗେଲ ଆଦର, ଗୋଟିଏ ଯୋଡ଼ିଏ ବଡ଼ ବଡ଼ ପ୍ରତିଶ୍ରୁତି ହେଲା । ଭିତରେ ଯେ ଯାହା ଭାବୁ, ଉପର ମୁହଁରେ ସେମାନେ ବୁଝିଯାଆନ୍ତି, ଆଉ ଗୋଳମାଳ କରନ୍ତି ନାହିଁ ।

 

ତା’ପରେ– ? କିଏ ପଚାରେ ମନ ଭିତରର ଝିରିଝରି ସକକୁ ? ବେଶି ବୁଝିବାକୁ ତା’ର ଭୋଗ ବିଳାସର ଜୀବନର ଅଭିଜ୍ଞତା ଶିଖେଇ ନାହିଁ କେବେ । ସାହୁକାର ମନକୁ ମନ ହସିଲା, କହିଲା– ବାଃ ।

 

ଓ, ସଞ୍ଜ ହେଲା ପରା, ପୂଜା କରିବାକୁ ପଡ଼ିବ ।

 

ଛକି ପକେଇ ବସି, ନାକପୁଡ଼ାକୁ ଚାପି ଧରି, ସେ ତା’ର ସଫଳତା’ର ଦେବତାକୁ ପୂଜା କଲା, ଯାହାର ଦୟାରେ ତା’ର ଆପଣାର ଘର ଭର୍ତ୍ତି, ପରର ଘର ଚୂନା ହେଉ ପଛେ ।

 

ଦି’ ଦିନ ପରେ ସାହୁକାର କହିପୋଛି ବୁଝେଇ ସୁଝେଇ ବାହାରି ଚାଲିଗଲା । ସେ କହିଦେଇ ଯାଇଛି ଆର ହାଟ ଦିନ ନିଶ୍ଚୟ ଆସିବ ।

 

“ତୋର ଘରଦ୍ୱାର ଠିକ୍ କରି ବୁଝିଶୁଝି ତୁ ଜାଗ୍ରତା (ହୁସିଆର) ରଖ, ସବୁ ତ ତୋର, ଭଲ ହେଲା ତୋର ପୁଚି (ଦାୟିତ୍ୱ), ଖରାପ ହେଲେ ତୋର ପୁଚି ।”

 

କନ୍ଧ ଗାଁରେ ଗୋଟିଏ ଗୋଟିଏ ବୋଲି ଡମ୍ବ ଘର, ସେ ଗାଁର ‘ବାରିକ୍’ । ସେଇ କେବଳ ଓଡ଼ିଆ ବୁଝେ ।

 

ତା’ର ଝିଅ ସୁକୁମଣି ନୂଆ ସାହୁକାରଣୀକୁ ଚଳାଇବାକୁ ଥାଏ, ସେଇ ଚାକର, ସେଇ ବନ୍ଧୁ, ସେଇ ସଖୀ । ପିଲା ଝିଅ, କିନ୍ତୁ ତା’ର ଭାରି ବୁଦ୍ଧି । ସାହୁକାର ଜିଲିକୁ ତାକିତ୍ କରିଦେଇ ଯାଇଛି, “ହୁସିଆର ଥିବୁ, ଚୋରଣୀଟାଏ ।”

 

କେହି ସାଙ୍ଗ ସାଥୀ ନାହିଁ । ଖାଲି ଚାହିଁ ରହିବା ଆଉ ଭାବିବା ।

ଯେତେ ଦେଖିଲେ ସବୁ ନୂଆ ଲାଗେ, ସବୁ କାବା କାବା ଲାଗେ, ଖରାପ ଲାଗେ ।

 

ପାହାଡ଼ଗୁଡ଼ାକ କେତେ ତଳୁ ଉପରକୁ ଉଠିଛି । ପାହାଡ଼ ଜଳେ ଖାଲି ଜମି, ଧାନ ଭର୍ତ୍ତି-। ଉପରକୁ ଢିପ ଉପରୁ ଦିଶୁଛି,ଯେପରି ଗୁଡ଼ାଏ ସାବ୍‍ଜା ସାପ ଏକାଠି ଛନ୍ଦାଛନ୍ଦି ହୋଇଛନ୍ତି ।

 

ତଳର ପଦର ଜମି ଛକିଛକିକା ଦିଶୁଛି । ବାରି ହୋଇପଡ଼ୁଛି କେଉଁଟା ମାଣ୍ଡିଆ କେଉଁଟା ସୁଆଁ ।

 

ସଞ୍ଜ ହେଲେ ପାହାଡ଼ ପାଖାପାଖି ସୁଆଁ କ୍ଷେତ ଉପରେ ମୟୁର ଖୁନ୍ଦି ହୋଇ ଯାଆନ୍ତି । ପଲ ପଲ ହୋଇ ଆସନ୍ତି ସେମାନେ, ଗୋଟିଏ ଝାଲିଆକୁ ତିନି ଚାରୋଟି ମାଈ । ମୟୂର ନାଟ କରନ୍ତି । ଗାଁ ଦାଣ୍ଡରେ ନାଟ, ସତେ କି ମଝିରେ ଧାଂଡ଼ା, ଚାରିପାଖେ ବେଢ଼ି ଧାଂଡ଼ୀ ।

 

ଗୋଟିଏ ବଡ଼ କଳା ପଥର ଦିଶେ, ଲଣ୍ଡା ହୋଇ ବଡ଼ ଆବୁଟାଏ ସେ । ସେଠୀ ମୟୂର ଚଢ଼ିଲେ ବାରମ୍ବାର ମନେପଡ଼େ କାଉ ପରଜା କଥା । ବାରମ୍ବାର ମନେ ପଡ଼େ । ଗୁଡ଼ାଏ ଧାରଣା ଆସେ । ଅସୁନ୍ଦର ସେ, ଲୋକେ ତାକୁ ଥଟ୍ଟା କରନ୍ତି, କିନ୍ତୁ କିଛି ଅବଗୁଣ ନ ଥିଲା ତ ତା’ଠି, କ’ଣ ଖରାପ ସେ ?

 

ମାଣ୍ଡିଆ କ୍ଷେତକୁ ବାର୍‍ହିଆ ଗଡ଼ନ୍ତି । ବାଗ୍‍ଲା ମନେପଡ଼େ । କାହିଁକି ? ସେ ଭଲ ଲାଛିପାରେ ବୋଲି କି ? ବାଗ୍‍ଲା ତାକୁ ଫୋପାଡ଼ି ଦେଇ ଯାଇଛି । କେଡ଼ ରାଗ୍‍ ଲାଗେ ! ତଥାନି ମନକୁ ମନ ବାଗ୍‍ଲା ଆଉ ତା’ କଥା କେତେ ଭାବି ହୋଇଯାଏ, ମନ ଭିତରେ କେଉଁ କ’ଣ ଟିକିଏ ଉଷୁମେଇଁ ଆସି ଦବିଯାଏ, କାନମୁଣ୍ଡା ଲାଲ୍ ହୋଇଯାଏ । ନିଛାଟିଆରେ ମେଘ ବରଷେ ।

 

ସଞ୍ଜ ବୁଡ଼େ । କାମରୁ ବାହୁଡ଼ା ଗୋରୁ ବାହୁଡ଼ା ବେଳ, ମୁହଁସଞ୍ଜ । ପବନରେ କେମିତି ଗୋଟିଏ ବାସ୍ନା, କନ୍ଧଗୁଡ଼ାରୁ ପାଟି ଗୋଳମାଳ । ରୋଡ଼୍‍ ପାଇଟି ମନେପଡ଼େ । ସେଇ ଗୁମାସ୍ତାବାବୁ, ଆଉ ଟୁଙ୍ଗି ଘର । କାମ ଲାଗିଥିବ କି ସେଠି ? ୟା ମୁହଁରୁ ଟିକିଏ ତା’ ମୁହଁରୁ ଟିକିଏ ମନେପଡ଼େ ।

 

ସ୍ମୃତି–ସେ ଖାଲି ଜାଣେ ଜାଳିପୋଡ଼ି । ଠିକ୍ ଯେତେବେଳେ ପୋଡ଼ି ମରିବାକୁ ମନ ହୁଏ, ସେ ଛାଁଏ ଆସେ । ଆଣ୍ଟ ଭାଙ୍ଗିଦେଇ କାନ ପାଖେ ଥିରି ଥିରି କହେ–

 

“ଭୁଲ୍ କରିଛୁ, ଭୁଲ୍ କରିଛୁ ।”

 

ଗଲା ଜୀବନର ସବୁ ମୂଲ ସବୁ ତଉଲ ଓଲଟାଇ ପୋଲଟେଇ ଦେଇ ସ୍ମୃତି ମଣିଷକୁ ଦେଖାଇ ଦେଇ ଯାଏ ସବୁ ଭୁଲ୍ ।

 

ଫୁର ଫୁରୁ ମୁଣ୍ଡିଆ କନ୍ଧ ଲୋକେ । ପେଣ୍ଡା ପେଣ୍ଡା ହାତ ଗୋଡ଼ । ସବୁବେଳେ ହସ ଖୁସି । କାମକୁ ଯାଉ ଯାଉ ଗୀତ, କାମରୁ ଲେଉଟିଲାବେଳେ ଗୀତ ।

 

ସଞ୍ଜ ପହରେ ଚାରି ପାଞ୍ଚଟା ବଇଁଶୀ ଏକାଠି ବାଜେ, ସରୁ ମୋଟ ଦଶ ବାରଟା ଗଳାରେ ଗୀତ ହୁଏ । ସବୁବେଳେ ଚହଳ ସେ କନ୍ଧ ଗାଁରେ ।

 

ଆଉ ଏ ପାଖେ, ସାହୁକାର ଖମାର ଘରେ ସବୁ ଚୁପ୍‍ଚାପ୍ ।

 

ଅଧରାତିରେ ଫାଳିକିଆ ଚିରୁଡ଼ିକିଆ ଜହ୍ନଟାଏ ତୁନି ହୋଇ କେତେବେଳେ ବାହାରି ପଡ଼େ । ଦାଣ୍ଡ ଆଗରେ ଡେଙ୍ଗା ଡେଙ୍ଗା ନାଲି କଦଳୀ ଗଛଗୁଡ଼ାକର ଚିରା ଚିରା ପତ୍ର ସନ୍ଧିରେ ଆଲୁଅ ଝିଲି ଝିଲି କରେ । ଏଠି ସେଠି ଗୁଡ଼ାଏ ଛାଇ ଆଲୁଅ ।

 

ଖମାର ଧାଉଡ଼ିର ଭିତର ଆଡ଼ୁ କେଉଁପାଖେ ଟିକିଏ ସଳଖ ହୋଇ ଗୋଟିଏବାଟେ ଅନ୍ଧାରଗୁଡ଼ାକ ପାତାଳ ହୋଇଯାଏ, ଟିକିଏ ଆଲୁଅ ଫିଟେ, ଲାଗେ ଯେପରି କି ଏଇ ନିବୁଜା କୋଠି ଭିତରୁ ରୁନ୍ଧିରଖା କାନ୍ଦଣାରୁ ପଦାକୁ ବାହାରି ଆସୁଛି ।

 

ପୁରା ପୁରୁକା ବଉଦ ଭିତରେ ଜହ୍ନ ସାଇଁ ସାଇଁ ବାହି ଚାଲେ ।

ଜିଲି ଶୋଇଥାଏ ।

 

ଦଶହରା ପରବ୍‍ ସରିଗଲା । ଧାଡ଼ି ଲମ୍ବେଇ ଜଙ୍ଗଲୀ ଲୋକେ ରଜାଘର ଦଶହରା ଦେଖିସାରି ପୁଣି ଜଙ୍ଗଲ ଭିତରକୁ ଫେରି ଆସିଲେ ବାଟେ ବାଟେ ।

 

ଏତେ ବଡ଼ ହୁଲୁସ୍ତୁଲ୍, ରାଇଜଯାକର ବାଇଦ ବାଜଣା, ସବୁ ହଠାତ୍ ମାନ୍ଦା ପଡ଼ିଗଲା ।

 

ବଣ ଭିତରେ ମାଣ୍ଡିଆଜାନି ଟିକ୍ରାଜାନି ମଇଁଷି ପଲ ସଙ୍ଗେ ଏଠୁ ସେଠିକି ବୁଲି ବୁଲି କଟେଇଛନ୍ତି, ମଦ ରାନ୍ଧିଛନ୍ତି । ମଦ ବିକିଛନ୍ତି, ପଇସା ଠୁଳ କରିଛନ୍ତି ।

 

ଚାରିଆଡ଼ର ମଉଜ ମଜିଲିସ୍ ଆଡ଼ୁ ମନଟାକୁ ଟାଣି ବଣ ଭିତରେ ମଦ ହାଣ୍ଡିରେ ମାଡ଼ିବାକୁ ଯଥେଷ୍ଟ ପରିଶ୍ରମ ଲାଗିଛି । ସବୁବେଳେ ଲୁଚି ଲୁଚି ଛପି ଛପି ଚଳିବା, କାଳେ କେତେବେଳେ ସାଲ୍‍ଟୁ ଲୋକ ଜାଣି ପକେଇଲେ ସବୁ ସରିଯିବ । ବାହାରୁ ମନଟାକୁ ଟାଣିବା, ଭିତରେ ଅଶାନ୍ତରେ ବୁଡ଼ି ରହିବା, ସବୁ କଷ୍ଟ ଏକାଠି ହୋଇ ସାଧନାକୁ ବଳ ଦେଇଛି, ଟଙ୍କା ଜମିଛି-

 

ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଖୁବ ବଡ଼ ବଡ଼ କଥା । ପଦାକୁ ଗୋଡ଼ ବଢ଼େଇଲେ ବା କଥା ପଦେ କହିଦେଲେ ଚାଷୀ ଆଇନ୍ ଭାଙ୍ଗେ, ଦୋଷ କରେ, ତେଣୁ କର୍ମଫଳକୁ ସେ ଏତେ ଭାବି ଦେଖେ ନାହିଁ, ଦେଖେ ଭାଗ୍ୟଫଳକୁ ।

 

କାରଣ ଗଢ଼ି ଗଢ଼ିକା ବିପଦକୁ ସେ ତଉଲି ଦେଖି ନାହିଁ, ଭାବେ ଏ ଅନୁହୁତି, ଏଥିରୁ ରକ୍ଷା ମିଳି ନ ଥାନ୍ତା, ମିଳିବ ନାହିଁ । ତେଣୁ ଆପଣାର ଭୟ, ସଙ୍କୋଚ, ଅବସ୍ଥା ସଂକୀର୍ଣ୍ଣତା, ୟାରି ଭିତରେ ଚାପି ହୋଇ ହୋଇ ହାତ ପାଆନ୍ତି ଯାହା ଦରକାର ଦେଖି କରିବାକୁ ଚେଷ୍ଟା କରେ ।

 

କେହି ଆକଟ କରି ଧରି ପକେଇଲେ କହେ–

“ହାରିଗଲି, ଯାହା କରୁଚ କର, ତମ ଖୁସି ।”

ସେ ଦିନର ନିଷ୍ପତ୍ତି କଥା ମନେପଡ଼େ,–

 

“କେତେ ଯୁଗ ପଡ଼ି ରହିଥିବା ଏହିପରି ପରର କିଣାଚାକର ହୋଇ, ହଇରେ ଟିକ୍ରା ! ମଦ ରାନ୍ଧିବା, ଦେଖିବା ସୁରୁଖୁରୁରେ ସବୁ ଚଳିଗଲେ ତ ଭଲ, ଧାରା ପଡ଼ିଲେ ଜେଲ ଯିବା, ଆଉ ଏଥର ଜୋରିମାନା ନାହିଁ ।”

 

ଏବେ ବି ସେ ଭାବେ, ଜୋରିମାନା ଦେବାକୁ କହି ସେ ଭଲ କରି ନାହିଁ । ଆଖି ଆଗରେ ତ ଦେଖି ଆସୁଛି ଏବେ, ଶହ ଶହ କନ୍ଧଲୋକ ଜୋରିମାନା ପରିବର୍ତ୍ତେ ଦିନାକେତେ ଜେଲ ଭିତରେ କଟେଇ ଦେଇ ଚାଲି ଆସୁଛନ୍ତି । ଲଣ୍ଡାମୁଣ୍ଡରେ ବାଳ ପୁଣି କଅଁଳୁଛି । ପୁଣି ସବୁକଥା ଆଗପରି ଚାଲୁଛି । ଖାଲି ଜାତିଟା – ଅଭିଆଡ଼ ଲୋକର ଜାତି ଗଲେ ଆଉ କ’ଣ ଅନିଷ୍ଟ ହେବ ବେଶି ?

 

ଟଙ୍କା ଜମିଆସିଲା ଦିନୁଁ ବେଳୁବେଳ ଖାଲି ଅସ୍ଥିର ଲାଗୁଛି, ମନ ହେଉଛି–

 

“ଆଉ ଦଣ୍ଡେ ନୁହେଁ ଗୋତି ମୁକୁଳେଇ ଜମି ମୁକୁଳେଇ ଜମି ପୁଣି ନୂଆ କରି ଜୀବନ ଆରମ୍ଭ କରିଦେବା । ପଛେ ଦେଖାଯିବ କେଉଁ ପାଣି କେଉଁ ପର୍ଯ୍ୟନ୍ତ ଯାଉଛି ।–”

 

କିନ୍ତୁ ଟଙ୍କା ଠୁଳ କରିବା ଦରକାର । ଗୋଟିଏ ଟଙ୍କା ଉଣା ହେଲେ ସାହୁକାର ତାକୁ କେଜାଣି କେତେ ଆହୁରୀ ଦଶ ବର୍ଷ ଗୋତି ଖଟେଇବେ । ଅଧଲା ପାହୁଲା ପର୍ଯ୍ୟନ୍ତ, ସବୁ ଠିକ୍ ହେବା ଦରକାର ।

 

ତେଣୁ ଏତେ ପରଶ୍ରମ ।

 

ଦଶରା ପରବ୍‍ ସରୁ ସରୁ ଟଙ୍କା ଜମିଗଲା । ସେ ଦିନ ଦୁଇଭାଇ ବସି ଗଣିଲେଣି, ଠିକ୍ ଅଛି, ଚାରି କୋଡ଼ି ତିନି ।

 

ଦୁଇଭାଇ ସତର ପରସ୍ତ କରି ଗଣାଗଣି କଲେ, ହିଁ ଚାରିକୋଡ଼ି ତିନି ।

 

“ଟିକ୍ରା, ତୁ ଆଉ ଥରେ ପାଞ୍ଚ ପାଞ୍ଚ କରି ଗଣି ଥୋ, ମୋର ହେତୁ ରହେ ନାହିଁ, କାଳେ କୋଉଠି ଭୁଲ ହୋଇ ଯାଇଥିବ ।”

 

ସେପାଖେ ବାପ, ଜମି, ଦୁହେଁ ନମସ୍ୟ, ଦୁହେଁ ପୁରାତନ । ଏ ପାଖେ ଗୋତିପଣିଆ, ବଣ, ବାଘ, ମେଘ । ସବୁ ରହିଛି ଏହି ଟଙ୍କା କେଇଟାରେ ।

 

ନିଶା ଅନ୍ଧାରରେ ନିଛାଟିଆ ବଣ ଭିତରେ ଅଡ଼ାର ଘରେ ।

ଦିନୁ ଦିନ ଉଆଁସ ପାଖେଇ ଆସୁଛି, କେଡ଼େ ଅନ୍ଧାର ।

 

କଳା କିଟିକିଟି । ଦୂର ପାହାଡ଼ ମୁଣ୍ଡ ଉପରେ ଗୋଟିଏ ଗୋଟିଏ ଉଜ୍ଜ୍ୱଳ ତାରା । ସବୁ ତୁନିତାନି ।

 

ଅଡ଼ାର ଘରେ ଛୋଟିଆ ନିଆଁଟିଏ କୁହୁଳି କୁହୁଳିକା ଜଳୁଥାଏ । ଦୁଇଭାଇ ଶୋଇ ରହି ନିଦୁଆ ତୁଣ୍ଡରେ ସାତ ପାଞ୍ଚ କଥା ପକେଇ ଥାଆନ୍ତି ।

 

“ଆଜି ଗଣିଥିଲେ ତ, ଠିକ୍ ଅଛି ନା ? ଯାଇ ହଉ, ଏତେ ଦିନକେ କେଡ଼େ କାକୁର୍ତ୍ତି (ଦରିଦ୍ର) ଲୋକ ଆମେ !

 

ତେଣେ ଘରେ ବୁଡ଼ିଯାଉଛି, ଦେଖ, ଜିଲି ପରା ଝିଅ ଚାଲିଗଲା ! ଭୂମି ଉପରେ କମଳା ପଚେଇବାକୁ ବସିଲେଣି ସାହୁକାରଟା । କେତେ କଥା ଘୋଟି ଆସିଲା ଏକାବେଳକେ ଚାରିଆଡ଼ରୁ-!

 

ଏଣିକି ସବୁ ସୁଧରି ଯିବ । କାହିଁକି ରହିଥିବ ସେଠି ଜିଲି ? ଯାଇ ନେଇ ଆସିବ, ଆଉ କେହି ଭଲ ମାଗି ଆସିଲେ, ବିଭା କରିଦେବା ।”

 

“ତୋ ପାଇଁ କେଉଁଠୁ ହେଲେ ଗୋଟିଏ ନ ଦେଖିଲେ ଘରକୁ ଲେଉଟି କି ଉପକାର ହେବ ଭାଇ ?”

 

“ଦେଖିବୁ ଦେଖିବୁ । ଯାଉଁ ଆଗ ସାହୁକାରର ଋଣ ତୁଟେଇ ଦଉଁ ।”

 

ଉଚ୍ଚାଟ ଲାଗେ । ଏଡ଼େଶୀଘ୍ର ସବୁ ପୁଣି ସୁଧୁରି ଯିବ ? ଆଉ ଗୋତିପଣିଆ ନ ଥିବ ? ଏଁ ! ଭୟ ଚାଲିଯାଏ । ନିଘୋଡ଼ି ନିଦ ଘାରେ । ଦେହ ଘର ଖୋଜେ । ଶୋଇଥିବା ଜଙ୍ଗଲ ଆଉ ଅନ୍ଧାର ସାଙ୍ଗେ ମିଶି ଯାଆନ୍ତି ସେମାନେ ବି ।

 

ସ୍ୱପ୍ନ ବି ହୁଏ ନାହିଁ ।

 

ଦିନ କେଇଟା ପରେ ଖବର ଆସିଲା, ସାଲ୍‍ଟୁ ଆସୁଛନ୍ତି । ଚେରେଙ୍ଗା ପରଜା ପିଇଲା, କହିଦେଲେ ଗଲା. ଭର୍ଷାମୁଣ୍ଡା ପାରା କିଣି ଆସିଥିଲା, ଗାଁରେ କହୁଥିଲା । ସାଲ୍‍ଟୁ ଆସୁଛନ୍ତି, କେଶ୍ ଧରୁଛନ୍ତି, ହାଣ୍ଡି ‘ନଳା’ ‘ଧରଣୀ’ ସବୁ ଗୋଟେଇ ନେଇ ଯାଉଛନ୍ତି ।

 

ସାଲ୍‌ଟୁ ଆସୁଛନ୍ତି, ପଳା ପଳା ।

 

ଦୁଇଭାଇ ଏକାଠି କଥାବାର୍ତ୍ତା ହେଲେ । ନଳା, ବଡ଼ି ଧର୍‍ଣୀ ଫାସ୍ ହାଣ୍ଡିମାନ ସବୁ ଚୂନା କରି ଫୋଫାଡ଼ି ଦେଲେ । ପାଖରେ ଥିବା ତୁମ୍ବା, ଡଙ୍କି, ଠେକି, ସବୁ ଭଙ୍ଗା ହେଲା ।

 

ଜଗା ବଦଳେଇ ମଇଁଷିପଲ ଧରି ଚାଲିଗଲେ କୋଡ଼ିଙ୍ଗା ମାଳି ବାଟରେ ।

“ଏଥର ଦରକାରବେଳେ କିଣିକରି ପିଇବା ସିନା ଟିକ୍ରା, ନିଜ ପାଖେ କିଛି ଥିବ ।”

 

“ତୁ ଯେମିତି ବଡ଼ ଆଗଚଲା ବଡ଼ବୋଲା ଲୋକ ଭାଇ, ନିଜେ ଯଦି ସବୁ କଥା ଜାରି କରିଦେବୁ ଧରା ପକେଇଦବୁ, ତୋ ପେଟ ଭିତରେ ଫାସ୍ ପଡ଼ିଛି ରନ୍ଧାମଦ ବାସ ଅଛି ବୋଲି ଆସି ଧରି ପକେଇବେ !”

 

ମାଣ୍ଡିଆ ହସିଲା, ଆପଣାକୁ ସେ ବହୁତ ବାହାଦୁରୀ ଦେଉଥିଲା, ମନେ ମନେ ।

 

ପାଖପାହାଡ଼ର ଅଗରେ ପଖାରେ ଅରାଏ ଅରାଏ ଅଳ୍‍ସି କ୍ଷେତ । ସେ ତଳେ ଗାଁ ଅଛି-। ଅଳ୍‍ସି କ୍ଷେତ, ସତେ ଯେପରି ଆଉଟା ସୁନା ଅଜଡ଼ା ହୋଇଛି । ତା’ ପାଖେ ପାଖେ ଅରାଏ ଅରାଏ ପୋଡ଼ୁ କରି ଛାଡ଼ି ଦେଇଥିବା ଜାଗା ସେଠି କୋରାପୁଟିଆ ବୁଦା ଜଙ୍ଗଲ, ଉପରଯାକ ସଜ ଗଇଁଠା ପାଉଁଶ ପରି, ନେଳିଆ– ପାଉଁଶିଆ ଫୁଲ ଛିଆଣି । ପେନ୍ଥି ପେନ୍ଥିକିଆ ନାଲି ଫୁଲର ଜଙ୍ଗଲ । ଧୋବ ଫୁଲର ଜଙ୍ଗଲ ।

 

କିନ୍ତୁ ସବୁଠୁ ସାର ପାଖର ଦୂରର ପାହାଡ଼ ଉପରେ ଏ ଫୁଲଫୁଟା ଅଳ୍‍ସି କ୍ଷେତ, ଦାଉ ଦାଉ ଖରାରେ ।

 

ଅଳ୍‍ସି କ୍ଷେତକୁ ଅନାଇ ରହିଲେ ବାପ ବାନ୍ଧୁଥିଲା ନୂଆ ଘର କଥା ମନେପଡ଼େ । ମନେପଡ଼େ କାଜୋଡ଼ି , ତା’ର ଧାରଣାଟା ତଣ୍ଟିରେ ମୁଣ୍ଡାଏ ହୋଇ ଲାଖିଥାଏ । ନୂଆଘର ମୁଣ୍ଡି ମାରିପାରିଲା ନାହିଁ, ଖଣ୍ଡି ଖଣ୍ଡି ହୋଇ କୁଆଡ଼େ ଉଡ଼ିଗଲା, ଏବେ ଚୌକସ ମାଟି ଢିପ ।

 

ଏଇ ଅଳ୍‍ସି ଫୁଟିବା ସମୟରେ ବାପ ସୁକୃଜାନି ପହିଲେ ଗୋତି ଯାଇଥିଲା ।

 

ତିନିଦିନ ପରେ ଦୁଇଭାଇ କୁନ୍ତେସ୍‍ ଗାଁ ପାଖରେ ସାହୁକାର୍‍ର ଆର ଅଡ଼ାର୍‍ ସଙ୍ଗେ ଯାଇ ମିଶିଗଲେ ।

 

ସେଠି ବି ଦୁଇଜଣ ଅଡ଼ାରିଆ, ଚିତମ୍ ପରଜା, ଦାମିନାଡ଼ୁ ପରଜା । ଆଉ ଅଧିକା, ଗୋଟିଏ ବିଡ଼ରି କୁକୁର, ମଣିଷ ପରି ତା’ର ବୁଦ୍ଧି, ଜନ୍ମରୁ ସେ ମଇଁଷି ଜଗେ ।

 

କୁନ୍ତେସ୍ ଅଡ଼ାର ଘରେ ଆଉ ଧାଂଡ଼ାବସା ଧାଂଡ଼ୀବସା ଘରେ ଖୁସିରେ ଦି’ ଦିନ କଟିଗଲା । ତା’ ପରେ, ସେ ଦୁଇ ଅଡ଼ାରିଆଙ୍କୁ ବୁଝେଇ ସୁଝେଇ ଭାଲୁ ଧରେଇ ଦେଇ ଦୁଇଭାଇ ସେଠୁ ଚାଲି ଗଲେ ।

 

“ଘରେ ଟିକିଏ କାମ ଅଛି, ଭୂମି ଜାଟ (କଜିଆ) । ସାହୁକାରକୁ କହିଦେଇ ଯିବୁ, ଦି’ ଦିନ ସତାର କଲେ ଲୋକ ଆସିଯିବେ । ଆମେ କମ୍ ବୁଲିଲୁଣି ! ହଉ ଆମେ ଯାଉଁଛୁଁ ଯେ ନୂଆ ଲୋକ ଆସିବେ ଧୂଆଁପତ୍ର ଆଣିଥିବେ ।”

 

“ସତରେ ଯିବାଭାଇ ସାହୁକାର ଘରକୁ ?”

 

“କାହିଁକି ନ ଯିବା ? ନ ଗଲେ, ଯଦି ହାନିନାଭ ହୋଇଯିବ, ପୁଣି ଧରି ପକେଇବ ଆମୁକୁ ।”

 

ଜାଣିଛୁ ତୁ, ସାହୁକାର ଘରପାଖେ ଛେଳିଗୋଠ ଜଗୁଥିଲା ହାର୍‌ଗୁଣା କନ୍ଧ, ଦିନେ ରାତିରେ ଖାଇବାକୁ ଯାଇଛି, ଗୋଟିଏ ଚିତାବାଘ ଆସି ଚାରିଟା ଛେଳି ମାରିପକେଇଲା । ଗୋଟିଏ ଗୋଟିଏ ଛେଳିକୁ ଛଅ ଟଙ୍କା ଲେଖାଁଏ ହିସାବ କରି ପଚିଶି ଟଙ୍କା ଭିଡ଼ିଦେଇ ସାହୁକାର କାଗଜ କରେଇ ନେଲା, ଦି’ ବର୍ଷ ମାହାଳିଆରେ ଗୋତି ଖଟେଇଲା, ଖାଇବାକୁ ଖାଦି ଦେଇ ନାହିଁ ।”

 

“ସେମିତି, ନ କହିଗଲେ ମହା ବିପଦ ।”

 

ସାହୁକାର ନ ଥିଲେ । ଗୁମାସ୍ତାକୁ ନାଁକୁ କହିଦେଇ ଆଉ ଦୁଇଜଣ ଗୋତିଙ୍କୁ ଜଗେଇ ଦେଇ ଦୁଇଭାଇ ଘରକୁ ଚାଲିଗଲେ ।

 

ସୁକୃଜାନି ବସି ତାରା ଦେଖୁଥିଲା ।

 

କେତେଦିନ ହେଲା ଆକାଶରେ ଗୋଟିଏ ବଡ଼ ତାରା ପଡ଼ିଛ, ଏଇ କାର୍ତ୍ତିକ ଆଡ଼କୁ ବରଷକେ ଥରେ ସେ ଏହିପରି ଜଳଜଳ ଦିଶେ, ପାଣ୍ଡ୍ରାମାଳି ମୁଣ୍ଡ ଉପରେ ଆସି ଛିଡ଼ା ହୁଏ ।

 

କେଡ଼େ ବଡ଼ ଦିଶୁଛି ଆକାଶଟା, ସଫା ତରାଗୁଡ଼ିକ ବିଞ୍ଚି ହୋଇ ପଡ଼ିଛନ୍ତି ।

 

ଏଇଟା କେଉଁଠି ପରା, ଦୂରକୁ ଥିବ ବୋଧହୁଏ, ପରମେଶ୍ୱର ‘ଦର୍ମୁ’ର ବସାଘର । ‘ଦର୍ମୁ’ ଅଛି, ସେ ଦେଖା ଦିଏ ନାହିଁ । ‘ଦର୍ମୁ’ ସବୁ ଦେଖେ, ସେ କିଛି କହେ ନାହିଁ । ଠିକ୍ ଏ ପାଣ୍ଡ୍ରାମାଳି ପାହାଡ଼ ପରି, ବାରାକୋଟ୍‍ନି ପାହାଡ଼ ପରି, ଦର୍ତନୀ ମାଆ ପରି । ଲୋକେ ଏତେ କଷ୍ଟ ପାଆନ୍ତି, କ’ଣ କରନ୍ତି ଏମାନେ ? ଖାଲି କୁକୁଡ଼ା ହାଣ, ପାରୁଆ ହାଣ, ଛେଳି ମେଣ୍ଢା ହାଣ । ଦେଲେ ଚୁପ୍‌ଚାପ୍, ନ ଦେଲେ କୋପ କରିବେ ।

 

‘ଦର୍ମୁ, ତୁ ଦେଖୁଚୁ ନା ? ବୁଢ଼ାର ଲୁହ, ମା’ ବାପମଲା ପିଲାର ଲୁହ, ଗୋତିର ଝାଳ, କାଉଡ଼ିଆ କାନ୍ଧର ଆବୁ, ବଳଦ ବେକର ଘା’ । କାହାର ପିଞ୍ଜରା ହାଡ଼ ଗୋଟି ଗୋଟି ହୋଇ ଗଣି ହେଉଛି, କାହାର ପିଚା ଦି’ ଫାଳି ଠିକ୍ ଯେମିତି ଚଟୁ ଦି’ ଫାଳି ସେମିତି ।’’

 

ଦର୍ମୁର ନିଘା ଭାରି, ସେ ସବୁ ଦେଖେ, ସବୁ ଲୁହ ସବୁ ରକ୍ତ ଚାଖେ, ବୁଝେ କେଉଁଟା କେତେ ଲୁଣିଆ ।

 

ଦର୍ମୁ କୁଆଡ଼େ ଜୀଆଏ, ଦର୍ମୁ ମାରେ । ଆଗ ଜନ୍ମରେ ଖରାପ କାମ କଲେ ଚଞ୍ଚଳ ମାରେ, ପୁଣି ଡୁମା (ଆତ୍ମା)କୁ ନେଇ ଭର୍ତ୍ତି କରେ ଆଉ କାହା ପେଟରେ ।

 

ଦର୍ମୁ ଜନ୍ମ ଦିଏ ନା ଡୁମା ଆପେ ଜନ୍ମ ହୁଏ ? କେଜାଣେ ।

 

ଯେ ଚଞ୍ଚଳ ମରେ ସେ ଖରାପ ଡୁମା, ତେବେ କ’ଣ ସମ୍ବାରୀ ଯେ ଚଞ୍ଚଳ ମଲା ସେ ଖରାପ ଡୁମା ? ସମ୍ବାରୀ ! ଖରାପ !

 

ଏଇ ବଡ଼ ସଫା ଆକାଶକୁ ଅନେଇଁ ବସିଲେ ସମ୍ବାରୀ ମନେପଡ଼େ । କେଡ଼େ ଶାନ୍ତ ସୁନ୍ଦର ଛନଛନିଆ ମୁହଁ ଥିଲା ତା’ର ! ଆଉ ଆଖିଯୋଡ଼ାକ,କେତେବେଳେ ଆକାଶ ପରି କେତେହେଳେ ତାରା ପରି ଏବେ ବି ଭାବିଲେ ହାଡ଼ ଭିତରେ ପବନ ପରି ଶିର୍‍ଶିରେଇ ଆସେ ଉପରକୁ ଉପରକୁ ।

 

ଏଇ ସତେ ସମ୍ବାରୀ ଆସିଲା । ଆଖିବୁଜି ବୁଢ଼ା ଭୁଟୁରୁ ଭୁଟୁରୁ କଲା, ଏହିପରି କେତେଥର ଏବେ ହୁଏ ତା’ର ।

 

“ଦେଖୁଚୁ, କିଏ ଅଛି ପାଖରେ ? ଯେ ଯାହାର ବାଟେ । …..ବଥା ?

ଭାରି ବଥା ଗୋଡ଼ ହାତ ଏଣିକି ଏଣିକି । ଭାରି ବଥା । କିଏ ଘଷି ଦଉଚି ?”

 

ଶୀତୁଆ ପବନରେ ଆଖି ଖୋଲିଗଲା, କେଡ଼େ ଶୀତ ! ମଞ୍ଜି ଥରେଇ ଦେଉଚି । ବିଲିକୁ ଡାକ ମାରିଲେ ଉମ୍‍ହେଇଟା ଆଣନ୍ତି ନାଇଁ ?

 

ଦେଖ, ପିଲାଟା ତଳେ ପଡ଼ି ପଡ଼ି ଜଳି ଲାଗିଛି ! କେଡ଼େ ଶୂନ୍‍ଶାନ୍ କେଡ଼େ ଚଞ୍ଚଳ ଶୋଇ ଗଲେଣି ଗାଁର କୁକୁର ବି ।

 

ଅନ୍ଧାର ଆଉ ଶୀତ । କାନଟା ଭାଁ ଭାଁ । ଗାଗଡ଼୍ ମାନ (ଅଙ୍ଗପ୍ରତ୍ୟଙ୍ଗ) ବଡ଼େ ବଥା । ଆଉ ଏ ପବନଟା !

 

ଡୁମା ଆଉ କେତେଦିନ ରହିଥିବ ଏଠି ଘର କରି ? ଦେହଟା ଯିବାକୁ ବସିଲାଣି ।

“ବାପା”

ବୁଢ଼ା ଚମକି ପଡ଼ିଲା, ବୁଢ଼ାପଣ ଉଭେଇ ଗଲା କୁଆଡ଼େ ।

‘‘ବଣ ବାଟରେ ଏଡ଼େ ଅନ୍ଧାରବେଳେ କୁଆଡ଼େରେ ? ଖାଇଚୁ ନା କ’ଣ ଖାଇଲ ?’’

 

“ହଁ, ଖିଆପିଆ ସବୁ ସରିଚ, ଅନ୍ଧାର କୋଉଠି ? କେତେ ରାତି ବା ହୋଇଚି ଏବେ ? ଆରେ ଟିକ୍ରା, ଯା, ଜିଲି ବିଲିକୁ ଉଠା, ହେଃ ! ଆମେ ବାଟେ ବାଟ ଚାଲି ଲାଗିଛୁଁ ଏଣେ ମଜା କରି ଶୋଇଲେଣି ।”

 

“ଜିଲି ଆଉ ଅଛି କିରେ ଘରେ ? ଶୁଣି ନାହୁଁ କି ?”

ମାଣ୍ଡିଆଜାନି ଟାଉ ଟାଉ କରି କହିଗଲା–

“ହଁ ଶୁଣିଚି ଶୁଣିଚି, ବିଲିକୁ ଡାକ୍, ନନ୍ଦିବାଲି ଗଲା କୁଆଡ଼େ ?”

 

ସେଇ ରାତିରେ ବାପ ପୁଅ କଥାଭାଷା ହେଲେ, ବୁଢ଼ା କାବା ହୋଇଗଲା । ସତକୁ ସତ ସବୁ ଟଙ୍କା ! ଟଙ୍କାତକ ଚଞ୍ଚଳ ଗଣି ନେଇ ମାଟିରେ ପୋତା ହୋଇଥିବା ଖାଲି ବାଉଁଶନଳ ଭିତରେ ସେ ଲୁଚେଇ ରଖିବାକୁ ଗଲା । ଦି’ ଚାରେଟି ଅଜାଡ଼େ, ଝଣ୍ ହେଲେ ସେ ଚମକେ, ୟାଡ଼ୁକୁ ସ୍ୟାଡ଼କୁ ଅନାଏଁ । କୁଆଡ଼େ ଗଲା ତା’ର ନିଦ ଆଉ ବଥା ! ଡିବିରିର ଧାସଟା ମୁହଁ ଉପରେ ପଡ଼ିଛି ତା’ର ଖାତିର ନାହିଁ । ହାତ ଥର ଥର, ନାଡ଼ି ଚଞ୍ଚଳ, ନିଃଶ୍ୱାସ ଖରା ।

 

ସବୁ ସେ ଲୁଚେଇ ଲୁଚେଇ ଦେଲା । ଡ଼ିବିରି ନିଭେଇ ଦେଲା, ତୁନି ହୋଇ ପଦାକୁ ଚାଲିଆସି ପୁଅମାନଙ୍କୁ ଖାଲି ବଖାଣି ବସିଲା–

 

“ମଦ ରାନ୍ଧିବା ବଡ଼ ଦୋଷ୍ । ପୁଣି ଯଦି ସାଲ୍‍ଟୁ ଲୋକ ଧରି ପକେଇଥା’ନ୍ତେ ତେବେ-? ପୁଣି କେଶ୍, ଜୋରିମାନା, ଜେଲ୍‍ । ଜାଣୁଜାଣୁ ଦୋଷ କଲେ କିଏ ପିଠରେ ପଡ଼ିବ ? କେହି ଜାଣନ୍ତି ନାହିଁ ତ ? ପାଖରେ ସେ ସବୁ ଖରାପ ସରଞ୍ଜାମଗୁଡ଼ାକ ନାହିଁ ତ ?”

 

ବୁଢ଼ା ଉପଦେଶ ଦେଲା, ତାକିତ୍ କଲା, ଗାଳି ଦେଲା । ଯେତେ ସେ କହିଲେ, ମନଟା ସେତେ ହାଲୁକା ଲାଗିଲା, ଆହୁରି କହିବାକୁ ମନ ହେଲା ।

 

ପୁଅ ଦୁହେଁ ଓଲୁ ପରି ବସି ରହି ସବୁ ଶୁଣିଥା’ନ୍ତି । ବାପର ଗାଳି ଖାଲି ଉପର ମୁହଁରେ, କିଏ ନ ଜାଣେ ?

 

“ସାହୁକାର କୋଉଠି ଥିବ ବାପା ?”

“କାଲି ସେ ଆସିବ ।”

 

ଚଞ୍ଚଳ ଚଞ୍ଚଳ କଥାବାର୍ତ୍ତା ଛିଣ୍ଡେଇ ଦେଇ ସମସ୍ତେ ଶୋଇ ପଡ଼ିଲେ । କି ନିଦ ଆଜି ! କି ନିଘୋଡ଼ ନିଦ !

 

ସୁକୃଜାନି ଆଉ ତାରା ଗଣିଲା ନାହିଁ । ତାରା ସବୁ ନିଭି ଯାଇଛି । ଏଇ ଅନ୍ଧାର ଖଣ୍ଡକ କଟିଗଲେ କାଲିକି ନୂଆ ଦିନ ।

 

ସୂର୍ଯ୍ୟ ଦୁଇଲାଠି ବଢ଼ିଲା ପର୍ଯ୍ୟନ୍ତ ଭଲ ହୋଇ କୁହୁଡ଼ି ଛାଡ଼ି ନାହିଁ । ସାହୁକାର ଘୋଡ଼ାରେ ଚଢ଼ି ଆସି ପହଞ୍ଚିଲା ଗାଁ ପାଖରେ । ବାଟେ ବାଟେ ସେ ଭାବେ ଦିନେ ଏ ଗାଁ ତା’ର ହବ । ଜିଲିମନେ ପଡ଼େ, ମନଟା ଦବିଯାଏ, ଜିଲି ଦୂରରେ ଅଛି, ସେହ୍ନ ହୁଏ, ଏଇ ଜିଲିର ବାପଘର ଗାଁ ।

 

ଏ ଗାଁରେ ତା’ ତାଷ ବଢ଼ିଛି, ଏଠି ଗୋଟିଏ ଖମାର ଘର ଏଥରକ ଖୋଲିଲେ ହେବ । ତା ନାଁ ହେବ “ଭୁକ୍ତାଘର” । ଟଙ୍କାର ସୁଧ ବାବତକୁ ଏ ଗାଁ ଲୋକେ ଯେତେ ଫସଲ ଆଣିଦେବେ ସବୁ ସେ ଭୁକ୍ତା ଘରେ ଠୁଳ ହୋଇ ରହିବ, ପରେ ଭୋକ ଶୋଷ ଦିନେ ଏଇ ଗାଁ ଲୋକେ ଆସି ଫସଲ କର୍ଜ ନେଇ ଯିବେ, ଆହୁରି ସୁଧ ଆସିବ ଆସନ୍ତା ବର୍ଷକୁ ।

 

ସୁକୃ ଜାନିର ଜମିରେ କମଳା ଗଛଗୁଡ଼ାକ କି ସୁନ୍ଦର ବଢ଼ିଛି ! କି ସୁନ୍ଦର କଳା ମିଶ୍‍ମିଶ୍‍ ହୋଇ ଆସିଲାଣି ସେଗୁଡ଼ାକ, ଆଉ କି ଛନ୍‍ଛନିଆ ! ଭଲ ତୋଟାଟିଏ ହେବ, ତଳେ ଝରଣା ଯାଉଛି, ଫଳିବ ବହୁତ । ଆର ବର୍ଷକୁ ଆଉ ଖଣ୍ଡେ, ତା ଆର ବର୍ଷକୁ ଆଉ ଖଣ୍ଡେ, ବର୍ଷକୁ ବର୍ଷ ସେ କମଳା ତୋଟା ବଢ଼େଇବାକୁ ଲାଗିବ, ଫଳ ଦିନେ ଲାଭ କେତେ ! ଭଲମାଟି, ଭଲଗାଁ, ସବୁ ତା’ର ହେବ ।

 

ସାହୁକାର ନିରେଖି ନିରେଖି ଠିଆ ହୋଇ ରହିଲା, ଏଇ କମଳା ତୋଟା ତା’ର ଆଦର୍ଶ ସୂଚନା । ପହିଲି ଭଲ ପାଇବାର ଆଗର ଘେନାଘେନି ପରି ଏଇ କମଳା ଗଛ କେଇଟା ତା’ ଆଖିରେ । ସୁନ୍ଦର ବୁଦା ବାନ୍ଧୁଛି । ଭଲ, ଜାଗା ସେ ଭଲ ବାଛିଛି ।

 

କୁହୁଡ଼ି ଉଠିଗଲା, ଖରା ପାଛୋଟି ଘେନିଗଲା ଗାଁ ଭିତରକୁ । ଦିଆଲି ମାସର ପହିଲି ଖରା, ମନ ଦେହ ଭିତରେ ଜୀବନ ପୂରେଇ ଦିଏ । ନିହଁ ସେ ଖୋଳିଛ, ଏଣିକି ଖାଲି କାର୍ଯ୍ୟ ।

 

ତା’ର ସେଇ ଧାଂଡ଼ାବସା ଘରେ ବସା । ପରଘରେ କେତେଦିନ ବା ଆଉ !

 

ବୁଢ଼ୀ ରଙ୍ଗିଆ ପର୍ଜ୍ଜୁଣୀଠୁଁ ଯେଉଁ ଜମି ଖଣ୍ଡକ ସେ ବନ୍ଧା ରଖିଛି ସେଇଠି ହୁଅନ୍ତା ନାହଁ ଭୁକ୍ତାଘର ? ବନ୍ଧା ! ହସମାଡ଼େ । ଟଙ୍କା ଦି’ଟାକୁ ମାଣେ ଡ଼ିହ, ବୁଢ଼ୀର କେତେଦିନ ବା ଅଛି, କିଏ ଅଛି ତା’ର ପଛେ ତେଣ୍ଟା ଲଗାଇବ ?

 

ରନ୍ଧାବଢ଼ା ଖିଆପିଆସାରି ସାହୁକାର ପିଣ୍ଡାରେ ବସି ଚିଲମ ଟାଣୁଛି, ଗାଁର ନାଇକ, ବାରିକ, ବଡ଼ ରଇତମାନେ, ତାଙ୍କ ଭିତରେ ସୁକୃଜାନି, ମାଣ୍ଡିଆଜାନି, ଟିକ୍ରାଜାନି, ଏକାଠି ଦଳବାନ୍ଧି ପହଞ୍ଚିଗଲେ ।

 

ଟିକ୍ରା, ମାଣ୍ଡିଆ ଏଠି ? ସାହୁକାର ହାଡ଼ରେ ନିଆଁ ଲାଗିଲା । ସେମାନେ ପରା ତେଣେ ମଇଁଷି ଗୋଠ ଜଗୁଥିଲେ ? ବାସ୍ତବିକ କେଡ଼େ ବଦନିହତିଆ ହୋଇ ଯାଉଛନ୍ତି ଦିନୁଁ ଦିନ ଏ ପରଜାଗୁଡ଼ାକ ? କଥା ଦେଖ !

 

ଲୋକଗୁଡ଼ାକ ଦୂରରୁ ଥଙ୍ଗେଇ ହୋଇ ଠିଆହୋଇ ଯାଉଛନ୍ତି ଦେଖାଯାଉଛି । ମୁଣ୍ଡ ହଲାହଲି, ତୁନି ତୁନି କଥାବାର୍ତ୍ତା ।

 

ସେମାନେ ପାଖେଇ ଆସିଲେ । ସାହୁକାର ହେତୁ ପଶିଲା । ଓ, ଜିଲି ସମ୍ବନ୍ଧରେ ବୋଧହୁଏ, ଭଲ ଦିନ ଆଜି ! ଧରିବେ ଅଇଚ୍ଛା ତିନିକୋଡ଼ି ଚାରିକୋଡ଼ି ଟଙ୍କା ଆସି ମାଗିବେ ! କନ୍ୟାସୁନା; ଝୋଲାଟଙ୍କା ।

 

ବୃଥା ବଳାବଳିରେ ଲାଭ କ’ଣ ? ଟଙ୍କା ସେମାନେ ଦାବି କରିବେ । ଟଙ୍କା ଦେବାକୁ ଅଙ୍ଗୀକାର କରିବାକୁ ପଡ଼ିବ ।

 

ଆଜି ତ ହିଁ କରିଦେବ, ତା’ପରେ ? ଦେବା ଦେବା ବୋଲୁଥିବା ନ ଦେବା ନ ଦେବା । ସାହୁକାର ଚଞ୍ଚଳ ଚଞ୍ଚଳ ଭାବିଗଲା ।

 

“କିରେ ଟିକ୍ରା, କିରେ ମାଣ୍ଡିଆ, ମଇଁଷିକୁ ବାଘ ମୁହଁରେ ଛାଡ଼ି ଦେଇ ଚାଲି ଆସିଲୁ ପରା-! ରଇଥା, ତମ ପିଠି ଗଲୁ କଲାଣି । କିରେ ବୁଢ଼ା, ନିଜେ ଫିଟି ଚାଲି ଆସି ଆଚ୍ଛା ଗୋତି ଦି’ଟା ହାବୁଡ଼େଇ ଦେଲୁ ! ଦେଖିଥା’ ତୁମେମାନେ, ଏଇଥିରେ କହିବ ସାହୁକାର ଏମିତି ସେମିତି ଲୋକ-।”

 

“ବୁଢ଼ା କିଛି କରିବେ ନାହିଁ ସାହୁକାର । ଚିତମ୍ ପରଜା ଆଉ ଦାମିନାଡ଼ୁ ବୁଝୁଛନ୍ତି । ଜରୁରୀ କାମ ପଡ଼ିଲା ତୋ ପାଖରେ ସେଇ ଘେନି ଚାଲି ଆସିଲୁଁ । ଗୁମାସ୍ତାକୁ କହିଦେଇ ଆସିଛୁଁ, ତୁ ତ ନ ଥିଲୁ ।”

 

ଗାଁ ଲୋକେ ପିଣ୍ଡାତଳେ ବସିଲେ । ପାଞ୍ଚ ପଞ୍ଚାଏତଙ୍କ ଆଗରେ ସୁକୃଜାନି ଅଣ୍ଟି କର୍‍ହିଆ ଭିତରୁ ବୁଜୁଳିଟିଏ ବାହାର କରି ଫିଟାଇ ପକେଇଲା, ଏକ, ଦୁଇ, ତିନି କରି ଗଣି ଶହେଟିଟଙ୍କା ଥାକ ଥାକ କରି ରଖିଲା । କହିଲା–

 

“ଆମର କେତେ ଦିନ ଗୋତି ହେଲା ହିସାବ କରି ଟଙ୍କା କାଟିଦେ, ବାକି ଟଙ୍କା ନେଇଯା, ଗୋତି ଫିଟାଇ ଦେ, ଜମି ଛାଡ଼ିଦେ ।”

 

ସାହୁକାର ଗୁମ୍ ମାରି ବସି ରହିଲା ।

କିଛି ସମୟ ବିଚାରି କହିଲା–

 

“ଏତେ ଟଙ୍କା ଆସିଲା କୋଉଠୁ ? ଚୋରା ମାଲ୍ ବୋଧ ହୁଏ । ପୁଲିସରେ ରିପୋଟ୍‍କୁ ଯିବି ।”

 

“ଟଙ୍କା ଆଉ କୋଉଠୁ ? ମଗାଯଚା କରି ଏଠୁ ସେଠୁ ଏମିତି ସେମିତି ହୋଇ ନୂଆ ଭୂମିକୁ ବିକା କିଣା କରି ନନ୍ଦିବାଲିଠୁ ଝୋଲାଟଙ୍କା ନେଇ ଚାରିଆଡ଼ୁ ଚାରିଆଡ଼ୁ ଯୋଗାଡ଼ କରିଛୁଁ । ଆମେ ତୋ’ର କି ଦୋଷ କଲୁଁ ଯେ ପୁଲିସରେ ରିପୋଟ୍ କରିଦେବୁ ? ହଉ ତୋ’ର ଇଚ୍ଛା । ସେକଥା ପଛେ ସିନା, ଆଗେ ଏ ଜମି କଥା ଛିଣ୍ଡିଯାଉ, ତୋ’ର ରଣ ଶୁଝିଯାଉ ।”

 

 

“ଜମି କଥା କେମିତି ଛିଣ୍ଡିବ ଏତେ ଚଞ୍ଚଳ ଏତେ ଚଞ୍ଚଳ ଏଁ ? ହଳ ଦି’ଥର କରି ପଚାଶ ପଚାଶ ଟଙ୍କା ଅଜାଡ଼ି ଦେଇଚି, ତରିଶି, ତିରିଶି ବର୍ଷକୁ ବନ୍ଧା ରହିଛି, କାଗଜ ଟିପ ଦେଇଛୁଁ, ଆଉ ଜମି ଏତେବେଳେ କ’ଣ ?

 

ଓ, ତୁମେମାନେ ଜାଣିନା ପରା । କି ଦରକାର ଥିଲା ଯେ ତୁମକୁ କହିଥା’ନ୍ତି ? ଏ ବୁଢ଼ା ମଧ୍ୟ ମୋ ପାଖେ ଗୋତି ଥିଲା, ସେତେବେଳେ ତିରିଶି ବର୍ଷକୁ ଜମି ବନ୍ଧା ଦେଇ ଚାଲି ଆସିଲା । କହିଲା ତିରିଶି ବର୍ଷ ବୋଲି ନାହିଁ, ଯେତେବର୍ଷ ତୋର ଇଚ୍ଛା ତୁ କରି ଖା’ । ଯେତେଦିନ କରିବୁ ଋଣଟଙ୍କାରୁ କାଟି ଦବୁ । ଭାବିଲି, ହଁ ପରଜା ପିଲା ତ, ଯାହା କହିବ ତା’ର ଗୋଟାଏ କଥା ସେହିପରି କରିଦେଲି । ବୁଝିଲ !

 

ଏବେ କିଏ ପାଠ ବତେଇଚି, ଆସି କହୁଚି ଜମି ଦେ, ଜମି ଦେ । ତେଣେ କେତେ ପଇସା ଖର୍ଚ୍ଚ କରି ଖତ ପକେଇ, ସାର ପକେଇ ଆଠଣା ଆଠଣା ଗଛ ଗୋଟିକେ ଦେଇ ଛ’ କୋଡ଼ି ସାତକୋଡ଼ି କମଳା ଗଛ ମୁଁ ପକେଇ ସାରିଲିଣି, କଥା ଶୁଣ । ଏ ପଟ୍‌କାର୍‌ ନା ଆଉ କିଏ ପଟ୍‌କାର୍‌ ଅଛି ୟା ପରି ଜଗତଯାକରେ କହ ।”

 

ଭାରି ହୋ ହେଲା, ବାଦାନୁବାଦ ଲାଗିଲା । ଭଲ ଲୋକମାନେ କହିଲେ–

 

“କାହିଁ ଏକଥା ତ ଆମକୁ ଜଣାନାହିଁ ।” ସୁକୃଜାନି ଆଉ ତା’ର ପୁଅମାନେ ମନାକଲେ । ଗାଳମାଳ ଲାଗିଲା । ସାହୁକାର ବୁଝେଇବାକୁ ଲାଗିଲା–

 

“ମୋର ସାକ୍ଷୀ ଅଛନ୍ତି, ରିବିନି ବାବୁକୁ ପଚାର, କହିବ ତ ତୁମକୁ କାଗଜ ଦେଖେଇବି-।” ଲୋକେ ଅଧେ ଏପାଖେ ଅଧେ ସେପାଖେ ହୋଇଗଲେ । କେହି କେହି ଗୋଳମାଳକୁ ଡରି ଆପଣା ଆପଣା ଘରକୁ ଚାଲିଗଲେ ।

 

କଥା ଛିଣ୍ଡିପାରିଲା ନାହିଁ ।

ଗାଳି ଦେଇ ଦେଇ ସୁକୃ, ମାଣ୍ଡିଆ, ଟିକ୍ରା ଘରକୁ ଲେଉଟି ଗଲେ ।

 

ବାପ ପୁଅ ଦୋଷ ଦିଆଦେଇ ହେଲେ, ମୀମାଂସା ସରିପାରିଲା ନାହିଁ । କାହାପାଇଁ ଜମି ବନ୍ଧା ଦିଆହେଲା । ବଡ଼ ଟାଣ ଟାଣ କଥା କୁହାକୋହି ହେଲା । ମାଣ୍ଡିଆ ଦୋଷ ଦେଲା–

 

“କାହିଁକି ତୁ ବଣ ମାରିଲୁ; କେସ୍‌ରେ ପଡ଼ିଲୁ ?”

ବାପ ଦୋଷ ଦେଲା–

“କିଏ ତତେ କହିଥିଲା ଯାଇ ମଦ ରାନ୍ଧି ସାଲ୍‌ଟୁ ହାବୁଡ଼େ ପଡ଼ିବାକୁ ?”

 

ଜମି ଯିବାକୁ ବସିଲାଣି, ପିତୃପୁରୁଷ ଅମଳର ଜମି, ପ୍ରାଣ ଉପରେ ଚାପୁଡ଼ା ବସିଛି, ସାହୁକାରକୁ କିଛି କରି ହେଉ ନାହିଁ । ସବୁ ରାଗ ନିଜ ନିଜ ଉପରେ ଅଜାଡ଼ି ଉଜୁଡ଼ି ଦେଇ ବାପପୁଅ କଜିଆ କଲେ, କେହି କାହାରି ମନକୁ ଜଗି କଥା କହିଲା ନାହିଁ ।

 

“ଏବେ କ’ଣ କରିବୁ କର ବାପା । ମୁଁ ନାହିଁ କରୁଚି– ନାହିଁ କରୁଚି–”

“ଓଃ, ଯୋଉ ଗୁଣବନ୍ତ ପୁଅ ! ଦୋଷ ଦେଇ ପକେଇବାକୁ ଆଗ ।”

ପାଟିଗୋଳ କରୁ କରୁ ସଞ୍ଜ ହେଲା ।

ବୁଢ଼ା ଉପାସ ଶୋଇଲା ।

 

ସକାଳୁ ଶୀତ ପଡ଼ିଛି । ଚାଳରୁ ଗଛରୁ ପଡ଼ୁଛି ଟୋପା ଟୋପା ବରକୋଳି ଫଳ ପରି କାକର । ବହଳ କୁହୁଡ଼ି, କୁଟା ଧୂଆଁ ପରି ।

 

ମୋଟ ମୋଟ ଖଦିରେ ଦେହ ମୁଣ୍ଡ ଘୋଡ଼ି ହୋଇ ସୁକୃଜାନିର ଘରର ସମସ୍ତେ ନିଆଁଟିଏ ଜାଳି ଚାରିପାଖେ ବସି ପଡ଼ିଥା’ନ୍ତି । ମୁହଁରେ ପାଣି ନାହିଁ, ତୁନି ତୁନି କଥା । ଗୋଟାଏ ଶୀତ ରାତିର ଉପାସିଆ କ୍ଲାନ୍ତ ନିଦରେ ଆପଣା ଆପଣା ଭିତରେ ଖଳବ କରିବା ଇଚ୍ଛା ଆପେ ହଜମ ହୋଇଯାଇଛି । ଏବେ ଖାଲି ଉପାୟ ଚିନ୍ତା ।

 

ନନ୍ଦିବାଲି କହିଲା–

 

“ମୁଁ ଜାଣେ ମହା କୃତ୍ରିମ ଲୋକ ଏ ସାହୁକାରମାନେ, ଥରେ କିଛି ତାଙ୍କ ହାତମୁଠାରେ ପଡ଼ିଗଲେ ହାତରେ ଜାବ ପଡ଼ିଯାଏ, ଏଡ଼େ ସହଜରେ ଖାଲି ତୁଣ୍ଡ କଥାରେ ସେ ଜମି ଛାଡ଼ିଦେବ, ଏ ଆଶା ନାହିଁ ।”

 

ମାଣ୍ଡିଆ କହିଲା–

 

“ତା’ର ଟଙ୍କା ତ ତାକୁ ଯାଚିଥାଇଁ, ସେ ନ ନେଲା ତା’ର ଖୁସି, ଏବେ ଜବରଦସ୍ତି ଆମେ ଆମ ଜମିରେ ପଶି ତଷିଗଲେ କ’ଣ ନାଁକରା ହୁଅନ୍ତା ?”

 

ସୁକୃଜାନି ସେଥିକି ରାଜି ହେଲା ନାହିଁ । ଚଉଆଖିଆ ବୁଢ଼ାଲୋକ ସେ, ମୁଣ୍ଡ ଫଟାଫଟି, ଧରାଧରି, ପୁଲିସ୍‌ରେ ରିପୋଟ୍‌, କେଶ୍‌ କେତେ ଏପରି ସେ ଦେଖିଛି । ନା, ସେଗୁଡ଼ାକ ଭଲ ନୁହେଁ, ସେଥିରେ କିଛି ଭଲ ଫଳେ ନାହିଁ ଆଖରକୁ । ସେ ମନାକଲା–

 

“ନାହିଁ– ନାହିଁ–”

ନନ୍ଦିବାଲି କହିଲା–

 

“ଏକମାତ୍ର ଉପାୟ, ରିପୋଟ୍‌କୁ ଯିବା, ପ୍ରଭୁ ଅଧିକାରୀଙ୍କୁ ଜଣେଇବା, ଦାବା (ମକଦ୍ଦମା) ପକେଇବା । ସେଇ ତ ଶେଷ ବାଟ ସମସ୍ତଙ୍କର–”

 

“ଟଙ୍କା ?”

 

“କେତେ ଏମିତି ଟଙ୍କା ଲାଗିଯିବ ସେଥିରେ ! ଜଗତଯାକ ଲୋକେ ତ ଦାବା ପକାନ୍ତି, ସେମିତି ଆମେ ବି । ଆଗେତ ଯାଉଁ, ବୁଝୁଁ, ଛାନିଆ କାହିଁକି ?”

 

ସୁକୃଜାନି କପାଳରେ ମାରିହେଲା ।

 

“ହାୟ ! ହାୟ ! କଚିରି ଘର ଆମେ କେବେ ନ ଦେଖିଲା ଲୋକ, ଜମି ଗଲା, ପୁଣି ଦାବା ଦରବାର ! କେତେ କଷ୍ଟ ବିଧାତା ରଖିଛି କପାଳରେ ! ହାୟ ! ହାୟ !”

 

ପୁଅ ଦିହେଁ ବୁଝେଇଲେ–

 

“ହଁ ଦାବା କରିବା, ସେଇ ଉପାୟ । ଡରୁଛୁ କାହିଁକି ବାପା ? ସବୁ କଥାକୁ ଡରି ମରୁଥିଲେ ସମ୍ପତ୍ତି ଭୂତ ଖାଉଥିବେ । ଦାବା ପକେଇବା, ଧରମ୍‌ କୋର୍ଟରେ” ବିଚାର ହେବ, ଏମିତି ଚିତା କାଟିଦେବ ନା ସାହୁକାର ?”

 

ସେଇ ସକାଳୁ ନିଆଁ ପୁଉଁ ପୁଉଁ ସବୁ ବିଷୟ ବୁଝାସୁଝା ହେଲା । ଖାଲି କହିଦେଲେ ହେବ ନାହିଁ, ଦାବା, କେଶ୍‌, ବଡ଼ ଗୋଳମାଳିଆ କଥା ।

 

‘ଦାବା’ କଥାଟା ଲୋକେ ତୁଣ୍ଡରେ ଧରନ୍ତି, ଶୁଣାଯାଏ ଅମୁକ ଗାଁରେ ୟା ଦାବା ମରିଗଲା ତା ଦାବା ଜିଣିଗଲା । କିନ୍ତୁ କେମିତି ହୁ, ସେ, ବଣର ଏ ଶାଳଗଛ ପାହାଡ଼ ପଥର ତା’ର ଖବର ରଖନ୍ତି ନାହିଁ । ହିଡ଼ବାନ୍ଧିବା, ଭୂଇଁ ତଷିବା, ବୁଣିବା, ବାଛିବା ଏସବୁ ବାପଅଜା କାଳରୁ ଲୋକେ କରି ଆସିଛନ୍ତି । କିନ୍ତୁ–ଦାବା !

 

କଚିରି, ଘାଉଁ ଘାଉଁ ଲୋକ, ଗୁମାସ୍ତା, ଟରଣି, ଦଲେଇତ (ଚପରାସୀ), ଜମାନ୍‌ (କନେଷ୍ଟବଲ) । ଚଷମାପିନ୍ଧା ଓକିଲ ପଛେ ପଛେ ନସରପସର ହୋଇ ଦଳ ଦଳ ଲୋକ ଧାଇଁଥିବେ । କାଗଜପତ୍ର ଖସ୍‌ଖାସ୍‌, ବହି ଗଦା ଦୁମ୍‌ଦାମ୍‌ । ନିଶୁଆ ନିଶୁଆ ପଗଡ଼ିପିନ୍ଧା ଦଲେଇତ ଜମାନ୍‌ କଟମଟ କରି ଅନେଇଁ ରହିଥିବେ । ଟିକିକ କଥାକେ ଗର୍ଜନ–

 

“ହେ ହେ ସେଠି କ’ଣ କରୁଛୁ ?”

“କୁଆଡ଼େ ପଶି ଆସୁଛୁ ?”

“କିଏ ପିକା ଟାଣୁଛି ?”

“କାହିଁକି ଗୋଳମାଳ ?”

 

ସେଠି ବାପଅଜା ଚଉଦପୁରଉଷଙ୍କ ନାଁ ଗାଁ ପଚାରି ନେବେ, ତୁଣ୍ଡରୁ ଥରେ ଯାହାଖସିଗଲା କାଗଜରେ ଚଢ଼ିଲା ।

 

କଚିରି ! ସେ ଦେଶୀଆ ଲୋକଙ୍କୁ ଭାରି ଭୟ, କଚିରିରେ ନ ଚଢ଼ିଲା ଲୋକକୁ ।

ସବୁ ଭୟ ଶୁଣାଶୁଣିରେ ବଢ଼େ ।

 

‘ସମାନ ପତ୍ର’(ସମନ୍‌ସ)ଆସେ, ଲୋକେ ଦେଖିଛନ୍ତି । ଲେଖାମାନ ଆସେ, ତହିଁରେ ନାଲି ଲଙ୍କାମରିଚ ବାନ୍ଧିଦେଇ ପଠେଇ ଦେଇଥାଏ ଦଲେଇତ, ନ ହେଲେ ତା’ର ଗୋଟାଏ ସନ୍ତକ ପଠେଇ ଥାଏ, ଢାବାଲି (ହୁଦା), କି ଠେଙ୍ଗା, ତା ସାଙ୍ଗରେ ‘ସମାନ–ପତ୍ର’ । ତାକୁ ଦେଖିଲେ କେହି ଅଟକେଇ ପାରିବ ନାହିଁ । ଏ ଗାଁ ଲୋକ ଦଉଡ଼ି ଦଉଡ଼ି ନେଇ ସେ ଗାଁରେ ଦେଇ ଆସିବ, ସେ ଗାଁ ଲୋକ ଆର ଗାଁରେ, ଏହିପରି ଠିକଣା ମୁଣ୍ଡରେ ପହଞ୍ଚିବା ପର୍ଯ୍ୟନ୍ତ ଆଜ୍ଞା ପତ୍ରିକା ଧାଇଁ ଚାଲିଥିବ ।

 

ଏ ତ ଡକରା, ତା’ପରେ କେଶ୍‌ ତ ଅଛି !

ହଁ, ବଡ଼ ଅଡ଼ୁଆ କାମ, କିନ୍ତୁ ତା’ଛଡ଼ା ଉପାୟ ? ଜମି ଚାଲିଯିବ ନା ?

ଯାହା ହବାର ହବ, ମକଦ୍ଦମା କରିବାକୁ ପଡ଼ିବ ।

ସେଇ ଦିନ ଗୋଟାକ ବାପପୁଅ ତିନିହେଁ ପ୍ରସ୍ତୁତ ହେବାକୁ ବ୍ୟସ୍ତ ହୋଇପଡ଼ିଲେ ।

 

ଆଗ ନାଇକକୁ ଧରାଧରି, ନାଇକ, ଗାଁର ବଡ଼ମୁଣ୍ଡିଆ, ସେ ନ ଚଙ୍କିଲେ କୌଣସି କାମ ହୁଏ କି ? ନାଇକ କହିଲା–

 

“ଆରେ ! ବଡ଼ ଦରକାର ଅଛି, ପାଞ୍ଚଟା ଟଙ୍କା ଏବେ ଦେଇଥା ।”

ଟଙ୍କା ନେଲେ, ଭରସା ଦେଲା–

 

“ହଉ ଦାବା ପକାଅ, ପରେ ଡକରା ଆସିଲେ ମୁଁ ଯିବି । ଯେତେହେଲେ ଗାଁର ରଇତ ତ ତୁମେମାନେ, ଆଗେ ତୁମେମାନେ ମୋର ।”

 

ବଡ଼ ରଇତ ଓ ଅନ୍ୟାନ୍ୟ ପଞ୍ଚାୟତ୍‌ମାନଙ୍କୁ ଖୁସାମତ କରିବାକୁ ପଡ଼ିଲା । ତଙ୍କର ଭାତିଆ, ଧୂଆଁଖର୍ଚ୍ଚ, ମଦପାଣି ଆଉ ୟା ଉପରେ କିଛି, ଏତକ ଦେଲେ ଡକରା ଆସିଲେ ସେମାନେ ବି ଯିବେ କିଚିରି–

 

“ଆଁ ! –ଆମେ ହେଲେ ରଇତ ପିଲା–ତଳେ ବସୁମତୀ ଉପରେ ଧରମ୍‌, ଯାହା ଯାହା ଜଣା ତା କହିବୁ ନାଁ, ସବୁ ସତ୍‌ ସତ୍‌ କହିଁବୁ ।”

 

ସେମାନେ ରାଜି ହେଲେ, କିନ୍ତୁ କେତେ ପ୍ରକାର ଦରକାର ସବୁ ତାଙ୍କର ମେଣ୍ଟାଇବାକୁ ପଡ଼ିବ । କାହାର ଲୁଗା ଦରକାର, କାହା ପିଲା ପାଇଁ କର୍‌ହିଆ କାହାର କରଜ ଦରକାର, ସମସ୍ତିଙ୍କର ଭୋଜିଭାତ ଦରକାର । ସୁକୃଜାନି ଦୋଦୋ ପାଞ୍ଚ ହୁଏ, ପଛେଇ ଯାଏ, ତାକୁ ଅପେକ୍ଷା ନ କରି ମାଣ୍ଡିଆ ଟିକ୍ରା ନନ୍ଦିବାଲି ସବୁ କଥାକୁ ରାଜି ପଡ଼ି ଯାଆନ୍ତି, ଉତ୍ସାହ ତାଙ୍କରି ବେଶୀ ।

 

ଗାଁରେ ହୁରି ପଡ଼ିଗଲା, ସୁକୃଜାନି ଭୂମି ବିଷୟରେ ସାହୁକାର ନାଁରେ ଦାବା କରିବାକୁ ଯାଉଛି, ଲୋକେ କୁହାକୁହି ହେଲେ । ସାହୁକାର ଶୁଣିଲା, ସୁକୃଜାନି ଗାଁ ଯାକ ବୁଲୁଛି ଦୁଆର ଦୁଆର ।

 

ଅସଲ ଜମି । କମଳା ତୋଟା । ପାଖକୁ ଲାଗି ଲାଗିକା ସୁନ୍ଦର ଉର୍ବରା କ୍ଷେତ । ୟା ଛଡ଼ା ତା’ର ନିଜର ଆଣ୍ଟ ଆଉ ଇଜ୍ଜତ୍‌ । ମାଣ୍ଡିଆ ଟିକ୍ରା ଆଉ ଗୋତି ଯିବେ ନାହିଁ ମେଡ଼ିଦେବେ (ଫାଙ୍କି ଦେବେ) । ହଉ ସାହୁକାର ବି ଦାବା ଆଣିବ ତା’ର ଋଣ ଟଙ୍କା ପାଇଁ, ଗୋତି ପାଇଁ । କୋଟୁଘର ଏକା ପରଜା ପାଇଁ ନୁହେଁ ତା’ ପାଇଁ ବି । ସେ ବି ଗାଁ ବୁଲିବ, ଏମାନେ ଯାଇ ସାରନ୍ତୁ ।

 

ସୁକୃଜାନି ଆଉ ତା’ ପୁଅ ଦିହେଁ ଓ ନନ୍ଦିବାଲି ଏକାଠି ମିଶି ଦିସାରି ପାଖକୁ ଗଲେ । ଦିସାରି ‘ଲଗ୍ନ’ ଦିଏ । ପାଗଯୋଗ ଠିକ୍‍ଣା କରି ସେ କହିଦେଲା–

 

“ସକାଳୁ କୁକୁଡ଼ା ଡାକେ ବାହାରି ଯାଆ ଭଲ ବେଳ ଅଛି ।”

 

ପାଞ୍ଚଦିନ ପାଇଁ ମାଣ୍ଡିଆ ଚୂନା, ଜାଳେଣି କାଠ, ଅନ୍ୟାନ୍ୟ ସବୁ ଦ୍ରବ୍ୟ ଠିକ୍‍ଣା ହେଲା । ଅଧିକାରୀମାନଙ୍କୁ ପାଖକୁ ତୁଚ୍ଛା ହାତରେ ଯିବା ଠିକ୍‌ ନୁହେଁ, କାନ୍ଦିଏ କଦଳୀ ତିନିଗଣ୍ଡା କୁକୁଡ଼ା ଡିମ୍ବ ସଜିଲ୍‌ କଲେ । ସାଙ୍ଗରେ ଯିବାକୁ ଆଉ ଦି’ ଜଣ ଲୋକ ।

 

ସବୁ ପ୍ରସ୍ତୁତ । କାଲି ସକାଳୁ ଯାତ୍ରା ।

ରାତି ଶେଷକୁ ବୁଢ଼ାକୁ ଟିକିଏ ନିଦ ଘାରିଥିଲା ।

 

ହଠାତ୍‌ ମନେପଡ଼ିଲା ସେ ଚେଇଁ ରହିଛି, କିନ୍ତୁ ତା’ର ଦେହଟା କୁଆଡ଼େ ଗଲାଣି । ବିନା ଦେହରେ ବଡ଼ ଦୁର୍ବଳ ଲାଗିଲା, ସେ ଟିକିଏ କାଶିଲା, କାଶଟା ଭାରି ଫମ୍ପା । ଧୀରେ ଧୀରେ ତାକୁ ଗୁଡ଼ାଏ ଗୋଳମାଳ ଶୁଭିଲା, ଖଡ଼୍‌ଖାଡ଼୍‌, ଦୁମ୍‌ଦାମ୍‌ । ବିରକ୍ତ ଲାଗିଲା । ସେ ଯେପରିକି ତୁନି ହୋଇ କ’ଣ ଶୁଣି ଶୁଣି ପଡ଼ି ରହିଥିଲା, ଆଉ କିଏଗୁଡ଼ାଏ ଲୋକ ସେଠିକି ଅନହୁତି ପଶି ଆସି କ’ଣ ଗୋଳମାଳ ଲଗେଇ ଦେଲେ । ତାର ବିରକ୍ତି ବଢ଼ିଲା, ଧୀରେ ଧୀରେ ଗୋଡ଼ ଦି’ଟା ହାତ ଦି’ଟା କୁଆଡ଼େ ଯାଇଥିଲା ଫେରିଆସିଲା, ଦେହଗୋଟାକ ପୁଣି ମିଳିଲା, ଆହୁରି ଚିଡ଼ି ମାଡ଼ିଲା, ଦେହଯାକ ଭାରି ବଥା, ତହିଁରେ ମଝିରେ ମଝିରେ ଏ ଖୁଡ଼ୁର ଖୁଡ଼ୁର । ଶୀତ କଲା ।

 

କୁଂକୁରି କାଂକରି ହୋଇ ପୁଣି ସେ ଆଖି ବୁଜିଦେଲା । ଟିକିଏ ନାଆଁକୁ । ତା’ପରେ ଗାଁ ଯାକର କୁକୁଡ଼ା ବୋବାଳି ଛାଡ଼ିଲେ, ଆଉ ମାଣ୍ଡିଆ ଆସ୍ତେ ହଲେଇ ଦେଇ କହିଲା–

 

“ବାପା ଯିବା ପରା ।

 

ଧୀରେ ଧରେ ସେ ଅନେଇବାକୁ ଚେଷ୍ଟା କଲା । ଆଖି ଦି’ଟା ହଠାତ୍‌ ଖୋଲେ ନାହିଁ, କ’ଣ ଅଠା ଲାଗି ଯାଇଥାଏ ଯେପରି, କିନ୍ତୁ ଦେହରେ ଆଉ ବଥା ନାହିଁ । ଧାରଣା ଆସିଲା, ତା’ର ଜମିକୁ ସାହୁକାର ଠକି ନେଉଛି, ଦାବା କରିବାକୁ ପଡ଼ିବ ।

 

ଭାବୁ ଭାବୁ ଉଷୁମ୍‌ ଆସିଲା ଶୀତ ଚାଲିଗଲା, ମୁଣ୍ଡଟା କେତେ ସଫା ଲାଗିଲା । ଟାଣ କଥାରେ ହାତ ଦେଲେ ବଳେ ଜୋର୍‌ ଆସେ । ତା’ର ନିଦ ତୁଟିଗଲା ।

 

ଅନୁକୂଳ କରି ଯାଉ ଯାଉ ଠାଆ ଠାଆ ପାହାଡ଼ ବାଟରେ କଟାକଟି ଛକ ପଡ଼େ । ସେଠି ଗୋଟାଏ ଗଛ ତଳେ ଚଟାପଥର ଖଣ୍ଡେ ଦି’ଖଣ୍ଡ ପାଖେ କେତେଦିନର ଅଙ୍ଗାର ପାଉଁଶ । ଏଇ ଛକି ଜାଗାରେ କୁଆଡ଼ର ଲୋକେ ଦେଖା ମିଳନ୍ତି । ସୁକୃଜାନି ପଚାରି ବୁଝେ ଦାବା କେମିତି ହୁଏ, କ’ଣ କ’ଣ କରିବାକୁ ପଡ଼େ । କିଏ କ’ଣ କହିଦିଏ ସେଇ ସବୁ କଥା ଗଣ୍ଠି ପକେଇ ପକେଇ ସୁକୃଜାନି ନିଶ୍ଚୟ କରେ ତାକୁ କ’ଣ କରିବାକୁ ପଡ଼ିବ ।

 

କଦଳୀ କାନ୍ଦିକ, ଡିମ୍ବ ବାରଟି ‘କୋଟୁ’ ଘରେ ଅଧିକାରୀଙ୍କ ମେଜିଆ ଉପରେ ଥୋଇଦେଇ ସେ ହାତଯୋଡ଼ି କହିବ–

 

“ମହାପ୍ରଭୁ ସାହୁକାର ଏମିତି ଏମିତି କଲା ।”

 

ପଛଆଡ଼େ ପୁଆମାନେ ଠିଆହୋଇ ତା’ କଥାକୁ ସାଆ ଦେଉଥିବେ, ସମସ୍ତେ ବାରମ୍ବାର ଗୋଡ଼ତଳେ ପଡ଼ୁଥିବେ, ଅଧିକାରୀଙ୍କ ଗୋଡ଼ ଧରୁଥିବେ । ଅଧିକାରୀ ଅବଶ୍ୟ ଶୁଣିବେ-। ତା’ପରେ ଯେମିତି ବିଚାର କରନ୍ତୁ ।

 

ମାଣ୍ଡିଆଜାନିର ମଦ କେଶ୍‌ ବିଚାର ଭିନ୍ନ ରକମ ହୋଇଥିଲା, ସେ କହିଲା–

 

“ସେତ ମଦ କେଶ୍, ଏ ଭୂମି ଦାବା, ଭିନେ କଥା । ସେ ଅଭିଜ୍ଞତା ଏଥିର କିଛି କାମରେ ଆସିବ ନାହିଁ ।”

 

ନା, ସେ ଡରିବ ନାହିଁ, ଅଧିକାରୀ ସାମ୍ନାରେ ପଡ଼ି ରହିଥିବ । ଏକାଦମ୍ ଜମି ନେଇ ଫେରି ଆସିବ । ସତ କଥାକୁ ଡର କାହିଁକି ?

 

ଧରମ୍ ସେଠି ଅଛି । ସେ ଦେଶ ଯାକର ବାପ ମା, ସବୁ କଥା, ସମସ୍ତିଙ୍କୁ ମନର କଥା ତାକୁ ଜଣା, ପ୍ରଭୁ ଅନ୍ତରଯାମୀ । ସାହୁକାର ଏମିତି ପାନେ ପାଇବ ଯେ ମନେ ରଖିଥିବ କାଳ କାଳକୁ ।

 

ପ୍ରତିହିଂସା, ବୁଢ଼ା ହାଡ଼ରେ ନିଆଁ ଲଗାଏ । ସବୁ ଦୁର୍ବଳତା, ସବୁ ନିସ୍ତେଜତା ଲୁଚିଯାଏ କେଉଁ କଣରେ । ସାରା ଅସ୍ତିତ୍ୱକୁ ଆବୋରୀ ଧରି ଗୋଟିଏ ରାଆ, ଭୋକ ନାହିଁ ଶୋଷ ନାହିଁ ।

 

ବାଟରେ ଅଳ୍‍ସି କ୍ଷେତ ପଡ଼େ । ହଳଦିଆ ଫୁଲ ଭର୍ତ୍ତି । କ୍ଷେତରେ ପଶିଲେ ଅଳ୍‍ସି ଫୁଲ ମାଟିଆର ବାସ୍ନାରେ ଅଳସ ଲାଗେ । ରାଗର ଜୋର କମିଯାଏ । କଅଁଳ ମନର ସବୁ କଥା ଭାବି ବସିଲେ ଆପଣାର କ୍ଷେତ ମନେପଡ଼େ । ସ୍ନେହୀ ଲୋକର ଭଲପାଇବା ପରି ମନେହୁଏ କାଳେ ଜମି ଆଉ କେତେ ନ ମିଳିବ ।

 

ପ୍ରାଣ ଭିତରୁ କୋହ ବାହାରି ଝାଙ୍କି ଦିଏ, ଆଉ ଉଦାସ ଲାଗେ, ତଥାପି କଳ ପରି ଗୋଡ଼ ଆଗକୁ ମାଡ଼େ, ଗହୀର ମନର କେଉଁ କଣରେ ପାଇବାର ଆଶା ତୁନିତୁନି ଜଳି ଲାଗିଥାଏ, ଛପିଛପି କାମ କରାଉଥାଏ ।

 

ଭାବୁ ଭାବୁ ବାଟ କଟିଯାଏ, ଭୋକ ନାହିଁ ଶୋଷ ନାହିଁ ।

 

ଡୁର୍କାଗୁଡ଼ାରେ ରାତିଟା କଟେଇ ସକାଳୁ ପୁଣି ବାଟ । ସଞ୍ଜକୁ କୋରାପୁଟ୍‍ ପାଖର ବଡ଼ଚିନ୍ଦ୍ରିରେ ଦାନିଏଲର ଚଟିଘରେ ବସା, ପୁଣି ରାତି ।

 

ସକାଳୁ ଉଠି ଗୋତି, କୁଲି, ମଜୁରିଆଙ୍କ ସାଙ୍ଗେ ମିଶି କୋରାପୁଟ୍ ।

 

ତଳ ଖାଲରୁ ପାହାଡ଼ ଉପରେ ସହରର କୋଠାଗୁଡ଼ିକର ମୁଣ୍ଡି ଦିଶୁଥାଏ, ତଳେ ଖାଲି କୁହୁଡ଼ି । ଘରଗୁଡ଼ାକ, କୁହୁଡ଼ିରେ ଛାଇ ପରି, ଆଉ ଯେତେ ଅଚିହ୍ନା ଲୋକ, ଯେଝା କାମରେ ଯେଝା ।

 

ମଜୁରିଆ ଧାର ଲାଗିଛନ୍ତି, ତାଙ୍କରିଠୁଁ କଥା ମିଳଲା । କିଏ କାହାକୁ ଚିହ୍ନିଛି, କିଏ ଶୁଣିଛି ବା, କେମିତି କଅଣ କରିବାକୁ ହୁଏ । ଯେ ଯାହା କହେ ପରଜା ତିନୋଟି ଆଁ କରି କଥାଗୁଡ଼ାକ ପିଇ ନିଅନ୍ତି ।

 

ସକାଳର ରନ୍ଧା ସହରର ଠାଏ ଗଛମୂଳେ । ‘ପେଜ୍‍’ ପିଆ, କାଉ କୁକୁର ହୁରୁଡ଼ା । ଏଠି ସେଠି ଗଛମୂଳେ ଦେଖି ଆହୁରି ପଞ୍ଝା ପଞ୍ଝା ଲୋକ, ତାଙ୍କର ବି କଚିରିରେ କାମ ଅଛି । କନ୍ଧ, ପରଜା, ଡମ୍ବ, ଗଦବା । କଥାଭାଷା, ଦୁଃଖସୁଖ ।

 

“ତୁମେ ରାଜ୍ୟରେ ଫସଲ୍ କେମିତି ହୋଇଚି ?”

“ଗୋରୁ ମଡ଼କ ଅଛି କି ନାହିଁ ?”

ଖାଲି ପଦେ ପଦେ କଥା, କିଏ ବାଟ ବତେଇବ ? କିଏ ଏତେ ବୁଝାସୁଝା କରିବ ?

 

କଚିରି ପୂର୍ବରୁ ମେସ୍‍ରେଟ୍ ଘରେ ଆଗ ଆମ୍ବଗଛ ମୂଳେ ଲୋକ ଗହଳି, ଏପାଖ ସେପାଖ ଅନାଅନି ଆଉ ଉଙ୍କି ମାରିବା । ଦଲାଏତ୍ ଗୋଟିଏ ଆସିଲା, ଘଉଡ଼େଇ ଦେଲା–

 

“ଯାଆ କଚିରିକୁ, ଏଠି କାହିଁକି ଗୋଳମାଳ ?”

 

କଦଳୀ କାନ୍ଦିକ ଛିଣ୍ଡାକନାରେ ଘୋଡ଼େଇ ଡିମ୍ବ ବାରଟି ଅଣ୍ଟିରେ ପୁଡ଼ା କରି ଲଟକେଇ ବାପ ପୁଅ ସାଙ୍ଗର ଲୋକେ କଚିରିକୁ ଗଲେ । କଦଳୀରୁ ବାରଣା ଦିଶୁଛି, ଏ ଅନାଉଛି, ସେ ଅନାଉଛି ।

 

କଚିରି ପିଣ୍ଡାରେ ଚଷମା ଲଗେଇ ଚାଦର ଝୁଲେଇ ଆସିଲା ଜଣେ ବାବୁ, ସେ କହିଲେ ସେ ଦରଖାସ୍ତ ଲେଖି, ତାକୁ ସମସ୍ତେ ଡାକନ୍ତି ‘ଲେଖୁ’ । ଶୁଆଥଣ୍ଟିଆ ନାକ ଝାଡ଼ିଦେଇ ଅତି ବିଶ୍ୱାସୀ ଲୋକ ପରି ଡାକି ନେଇ ଚାଲିଗଲା ।

 

“ଆସ, ମୁଁ ବୁଝି ଦେବି ।”

 

କେତେ ବୁଦ୍ଧି ସେ ଗାଳିଦେଇ ଚାଲିଗଲା, ବୁଝି ହେଲା ନାହିଁ । ପୁଣି ସେ କଦଳୀଫେଣା ଆଡ଼କୁ କଟମଟ ‘ଦୃଷ୍ଟି’, ‘ଲେଖୁ’ର ବେଧହୁଏ କଦଳୀକୁ ଇଚ୍ଛା । ସୁକୃଜାନି ଖଦି ଘୋଡ଼ାଇ ପକେଇଲା, ମାଣ୍ଡିଆଜାନି ଆଗୁଳି ଠିଆ ହେଲା ।

 

“ଦେଖ୍, ପିଟିସନ ନ ଲେଖିଲେ ଓକିଲ ନ ଧରିଲେ ଭୂମି ମିଳିବ ନାହିଁ । କୋଉ ଓକିଲ ତୁମ ଆଡ଼ର ? ଚେଲାପତି ରାଓ ?

 

ଧର୍ମା ରାଓ ?” “ସାନ୍‍ଟା ଖଣ୍ଡେ ଓକିଲ ଠିକ୍‍ଣା କରିଦିଅ ବାବୁ, ଆମେ ନ ପାରୁ ।”

‘ଲେଖୁ’ ଆଗ ଟଙ୍କା ମାଗେ । ନା, ନିଜେ ଚେଷ୍ଟା କରିବା ଭଲ, ଏଠି ପଟିବ ନାହିଁ ।

 

ଝରକାବାଟେ ଦିଶୁଛି, ଅଧିକାରୀ ବସିଛନ୍ତି । ଦୁଆର ମୁହଁବାଟେ ଦିଶୁଛି, କେତେ ଲୋକ, କେତେପ୍ରକାର ପୋଷାକ ଆଉ ଠାଣି । ନାଲି ପଗଡ଼ି, ନାଲି ହୁଦା ।

 

ସେପାଖେ ଦୁଆରମୁହଁଠିଁ ଗୋଟିଏ ଗାଈକି ବାନ୍ଧି ଧରିଛନ୍ତି ଦୁଇଟା ଲୋକ । ଶିଙ୍ଗ ଉଞ୍ଚେଇ ବଡ଼ ବଡ଼ ଆଖି କରି ସିଂହାସନ ଆଡ଼କୁ ଚମକି ଯିବାକୁ ତା’ର ଚେଷ୍ଟା ।

 

କଚିରି ଘର ଭିତରେ ହାଣ୍ଡି ହାଣ୍ଡି ମଦ, ଆଉ ବିଡ଼ି, ଧରନୀ, ନଳା କେତେ । କାଠ ଅରଗୁଳି ଭିତରେ କାନ୍ଥକୁ ଲାଗି ଧାଡ଼ିଏ ଲୋକ । ପୁଲିସି ପହରା ।

 

କଚିରି ଘର ଭିତରଯାକ ଅଧିକାରୀମୟ ।

 

ଭିତରକୁ ପଶିବା ମନ ଭାରି ଛକପକ, କିନ୍ତୁ ଡର ବେଶୀ । ଅଧିକାରୀ ରାଗିବେ ନାହିଁ ତ ? ଦଲେଇତ ଚହିଁକି ଆସିବ ନାହିଁ ତ ?

Unknown

 

“ଯାହା କରିବେ କରନ୍ତୁ ଥରେ ଯିବା ତ । କଅଣ ବୋଲି ଆରମ୍ଭ କରିବା ସେହି ବିଷୟରେ ଚିନ୍ତା ।”

ଯୁଗ ଗଲା । ଗାଈଟାକୁ ନେଇଗଲେ । ବିଡ଼ି ଧରନୀ ଡବା ସବୁ ଚାଲିଗଲା । ପୋଲିସ ଜମାନ୍ କଡ଼ି ଝାଣ୍ ଝାଣ୍ ଜୋତା ଖଟ୍‍ଖାଟ୍ କରି ଅରଗଳି ଭିତରେ ଲୋକଙ୍କୁ କେତେଜଣଙ୍କୁ ବାନ୍ଧିନେଇ ଚାଲିଗଲେ । ମଝିରେ ମଝିରେ ପାଟି –

 

“ତତେ ଛ’ ମାସ ଶିକ୍ଷା ।”

“ତତେ କୋଡ଼ିଏ ଟଙ୍କା ଜୋରିମାନା ।”

 

ପିଳେହି ପାଣି ହୋଇଯାଏ । ସୁକୃଜାନି ପିଲାମାନଙ୍କୁ ଠେଲିପଛକୁ ଖଣ୍ଡେଦୂର ନେଇଯାଏ । ଆଁ କରି ସେମାନେ ଅନେଇ ଥାନ୍ତି ।

 

କଚିରି ଦୁଆର ମୁହଁରୁ ଦଲେଇତ ନାଁ ଧରି ଡାକେ । ଲୋକେ ଆସନ୍ତି, ଓକିଲ ଆସନ୍ତି, ପାଟିତୁଣ୍ଡ ଲାଗେ । ଗୋଟିଏ କାନ୍ଧରେ କଦଳୀ ଫେଣାଟା ଲଦି ରଖିବାକୁ କାନ୍ଧ କଟ କଟ ହୁଏ । ଏମାନେ ଖାଲି ଅନେଇଁ ରହିଥାନ୍ତି, ପାଦ ଚଳେ ନାହିଁ ।

 

ବେଳେ ଗଲା, କଚିରି ଭାଙ୍ଗିଲା, ଅଧିକାରୀ ପଦାକୁ ବାହାରିଲେ ।

 

ସାଙ୍ଗେ ସାଙ୍ଗେ ସୁକୃ, ମାଣ୍ଡିଆ, ଟିକ୍ରା ଆଉ ଗାଁଲୋକ ଦି’ଜଣ ପଛେ ପଛେ ଧାଇଁଗଲେ-। ଅଧବାଟରେ ଅଧିକାରୀଙ୍କୁ ବେଢ଼ିଯାଇ ଗୋଡ଼ତଳେ ପଡ଼ିଗଲେ–

 

“ମହାପ୍ରଭୁ ତୁ ଦୟା ନ କଲେ– !”

 

କଦଳୀ ଫେଣାଟି ଚଞ୍ଚଳ ଖୋଲା ହେଲା । ଡିମ୍ବ ପୁଡ଼ିଆଟି ମାଣ୍ଡିଆ ଖୋଲିବାକୁ ତରବର ହେଲା । ବୁଢ଼ା ପାଟିକଲା–

 

‘‘ତରବର ତରବର’’

ଅଧିକାରୀ ବିରକ୍ତ ହେଲେ–

 

“ଏତେ ବେଳଯାଏ କୁଆଡ଼େ ଥିଲ ? ବାଟରେ କାହିଁକି ଗୋଳମାଳ କରୁଛି ? ଯାଅ, କାଲିକି ଆସ ।”

 

ଅଧିକରୀ ଚଞ୍ଚଳ ଚଞ୍ଚଳ ଚାଲିଗଲେ । କଦଳୀ ଫେଣାଟି ଉହୁଁକେଇ ଧରି ବୁଢ଼ା ନସର ପସର ହୋଇ ଦଉଡ଼ିଲା ।

 

“ମହାପୁରୁ ଏଇଟା– !”

ଅଧିକାରୀ ଗର୍ଜି ଉଠିଲେ । ସୁକୃଜାନି ହଟିଗଲା ।

ମୁହଁ ଶୁଖେଇ ସମସ୍ତେ ପୁଣି ରନ୍ଧାବସା ଗଛମୂଳକୁ ଚାଲିଲେ । ମାଣ୍ଡିଆ କହିଲା–

“ନା, ସେ ‘ଲେଖୁ’କୁ ନ ଧରିଲେ ଆମେ ନିଜେ କିଛି କରିପାରିବା ନାହିଁ ।”

ସେଇ ସଞ୍ଜରେ, ପୁଣି ‘ଲେଖୁ’ ଘରେ ।

‘ଲେଖୁ’ କଦଳୀ ନେଲା, ‘ଲେଖୁ’ ଡିମ୍ବ ନେଲା ।

ମନଟା ଆହୁରି ଊଣା ହୋଇଗଲା ।

ଖର୍ଚ୍ଚ ପାଇଁ ‘ଲେଖୁ’ ଗୋଟିଏ ତାଲିକା ଦେଲା–

 

“ମୁଣ୍ଡ ପାଞ୍ଚଟଙ୍କାର ଲାଗିବ । କାଗଜ ଦି’ ଟଙ୍କାର, ତା’ପରେ ଆହୁରି ଖର୍ଚ୍ଚ କହିବି ପଛେ-।”

 

ତହିଁଆର ଦିନ ଦାବା ଦାଖଲ ହେଲା । ‘ଲେଖୁ’ କହିଲା, ରହିବାକୁ ହେବ ଆହୁରି ଦି’ ଦିନ ।

 

ସେ ଅଭୟ ଦେଇଛି, ଦାବା କିଣା ହେବ ନିଶ୍ଚୟ ।

“ଖର୍ଚ୍ଚକୁ ଡରୁଛ କାହିଁକିରେ ? ସବୁ ଖର୍ଚ୍ଚ ତୁମକୁ ମିଳିବ, ଦାବା ଜିତିଲେ ଉତ୍ତାରୁ ।”

 

ପନ୍ଦରଟା ଟଙ୍କା ଚାଲିଗଲା, କିନ୍ତୁ ଭୟ ଭାଙ୍ଗିଛି । ‘ଲେଖୁର ମୁହଁ ଦେଖିଲେ ବିଶ୍ୱାସ ହେଇଯାଏ ଆପେ ଆପେ । ଭାରି ଗୋଟିଏ ବଳ, ସେ ‘ଲେଖୁ’ର । ସାହୁକାରର ଭବିଷ୍ୟତ୍ ବିଷୟରେ ଯାହା ସେ ବର୍ଣ୍ଣନା କରେ, ଖର୍ଚ୍ଚକୁ ଭୁଲିଯାଏ, ଏଡ଼େ ଖୁସି ଲାଗେ । ତା’ର ବଙ୍କା ନାକ ଆଉ ଚଷମା ଉଢ଼ାଳରେ ଛପି ରହି ସାହୁକାରକୁ ଟେକା ପକେଇ ଯାଆନ୍ତି ସେମାନେ ମନଖୁସିରେ-। ଢିମା, ପଥର, ଫୋପଡ଼, ଟେକା ।

 

ଗଛମୂଳେ ଶୀତ ବାଧେ ନାହିଁ । ‘ଲେଖୁ’ର କଥା ଛାଆଁକୁ ତାତି ଲାଗେ ।

ଏଇ କୋରାପୁଟ୍–

 

କେବେ କେଉଁ ଯୁଗରେ ‘ରଣା’ ଜାତିର ଲୋକେ ସାନ ‘ପୁଟ୍’ ବା ପଲ୍ଲୀ ବସେଇଥିଲେ ପାହାଡ଼ ସନ୍ଧିରେ, ସେ ‘ରଣା’ ଲୋକଙ୍କ ସାଜ୍ଞା ଥିଲା ‘କରା’ । ସେମାନଙ୍କ ଗୋତ୍ର ‘କରା’ ବା ‘ଖରା’ ଅର୍ଥାତ୍ ଠେକୁଆ ଗୋତ୍ର ବୋଲି । ଏବେ ସେ ପୁରୁଣା ‘କରା’ ଘରର ଶେଷ ମୁରବି ଡମରୁ କରା ଦୁଧ ବିକୁଛି । ତା’ର କରାପୁଟ ଥିଲା ଖଣ୍ଡେ ଛୋଟିଆ ପଲ୍ଲୀ, ଅଥଚ ତା’ରି ଘରର ନାଁ ଏବେ ରହିଛି ଏଡ଼େ ବଡ଼ କୋରାପୁଟ ଗୋଟାକର । କରା ଘର ଛିଣ୍ଡିଛି, କୋରାପୁଟ୍ ବଢ଼ିଛି, ଅନାମତା ଗୋଟିଏ ଜିଲ୍ଲା ।

 

ପାଖରେ ଆଉ ରଣା ଜାତିର ‘ପୂଝାରୀ’ ଘରର ‘ପୂଜାରୀ’ ‘ପୁଟ୍’ ଗାଁ, ସିନ୍ଦୁରୁ ମୁଦୁଲି ପରଜାର ‘ସିନ୍ଦ୍ରିଗାଁ’, ରଙ୍ଗବାଲି ମୁଦୁଲିର ‘ରଙ୍ଗ୍ ବାଲିକୁମ୍ଭା’ ମଣିଷ ମରିଯାଏ, କେବେ କାହାର ନାଁଟା ରହିଯାଏ । ଅଜା ପଅଣଜାଙ୍କ ନାଁ, ଯେଉଁମାନେ ମରିଛନ୍ତି, ମନେ ରଖିବାକୁ ସୁଖ ଲାଗେ । ଏଇଆ ମନେହୁଏ ଯେ, ମଣିଷ ନିଜେ କାହୁଁ ଅଇଲା ନୁହେଁ, ସେ ନିଜେ ଗୋଟିଏ ସୁଅର ଅଗ । ସେଇ ମଲା ହଜିଲାଙ୍କ ଡୁମା କ’ଣ ସୁଖ ପାଉ ନ ଥିବ ଭାବି ଭାବି ଯେ ଜୀଅନ୍ତା ଲୋକେ ତାକୁ ଭୁଲି ନାହାନ୍ତି ?

 

କେଡ଼େ ଭାଗ୍ୟବାନ ସେ ‘କରା’ ଯାହାର ନାଁ ରହିଗଲା । କିନ୍ତୁ କେତେ ନାଁ ଲୁଚିଯାଏ । କରାପୁଟ୍ ଆଖ ପାଖରେ ଯେଉଁ ଲଣ୍ଡା ପାହାଡ଼ଗୁଡ଼ିକ, କାହାର ନାଁ ରହିଛି ସେଥିରେ ? ଯେଉଁ ନିଆଁ ତା’ର ପେଟଭିତରୁ କୁହୁଳି ଉଠିଥିଲା ଦିନେ, ଆଜି ସେ ନିଆଁର ପତ୍ତା ନାହିଁ ଆଉ ପାହାଡ଼ ତଳର କ୍ଷେତ, କାହାରି ନାଁ ସେ ମନେ ରଖିନାହିଁ, କେତେ ଲୋକ ଯାଇଛନ୍ତି ଆସିଛନ୍ତି ।

 

ଏବେ ଦିଆଲି ମାସରେ ଲୋକେ ମଲା ଲୋକଙ୍କୁ ସ୍ମରଣ କରନ୍ତି, ଯାହା ଯେତେଟା ନାଁ ମନେପଡ଼େ । ମନେ ନ ରହୁ, ମଲା ଲୋକର ସେମେଟା ହାତ ଜୀଅନ୍ତାକୁ ଧରି ପକେଇ ବାଟ କଢ଼େଇ ନିଏ, ଜୀଅନ୍ତା ଉପରେ କାଳିଶ ଲାଗିଲା ପରି ମଲା ଲୋକର ଡୁମା ଚାପି ବସେ, କାମ କରାଏ ।

 

ତେଣୁ ଯେପରି ହୋଇଥଲା ସେପରି ହୁଏ, ସେଇଆକୁ ମଣିଷ କହେ ବୁନିଆଦ୍ ଯେ ଅ–ବୁନିଆଦୀ ସେ ମଣିଷ ନୁହେଁ ।

 

ସେଇ ହଜିଲା ପିତୃପୁରୁଷଙ୍କ ସ୍ମୃତି ପାଇଁ ଅନ୍ତତଃ ସାହୁକାର କବଳରୁ ଜମି ଛଡ଼େଇ ନେବାକୁ ପଡ଼ିବ, ନ ହେଲେ ମଲାବେଳେ କି ଅଶାନ୍ତି । ବାପ ଅଜାଙ୍କ ଜମି, ଛୁଞ୍ଚି ଅଗରେ ମୁନେ ବି ଛାଡ଼ିବାର ନୁହେଁ, ବେକଟା କଟିଯାଉ ପଛେ ।

 

ଦାବା ଦାଖଲ ହୋଇଛି, ‘ଲେଖୁ’ ବନ୍ଧୁତା ଦେଇଛି, ଦୁଇଦିନ ପରେ ସାହୁକାରକୁ ନୋଟିସ୍ ଗଲା, ‘ଲେଖୁ’ ବାଇଦା ବୁଝେଇ ଦେଲା । ସୁକୃ ପରଜା ପିଲାମାନଙ୍କୁ ଘେନି ଘରକୁ ଫେରିଲା ।

 

ବାଟରେ ପୁଅମାନେ ଧରି ବସିଲେ, ମକଦ୍ଦମା ତ ଲାଗିଲା, ଜମି ବଳାତ୍‍କାରରେ ସାହୁକାର ନେଇଗଲା, ଗୋତି ବି ଯିବାକୁ ହେବ ନାହିଁ । ଆଉ କି ସମ୍ପର୍କଟା ରହିଲା ସାହୁକାର ସାଙ୍ଗେ ଯେ ତାକୁ ଜିଲି ବାବତ ଝୋଲା ଟଙ୍କା ମାଗିବାକୁ ହେବ ନାହିଁ ? କୁଳରେ ଅଛି, ଯେ ଝିଅକୁ ନେବ, କି ବିଭାହେବ, ସେ ଝିଅର ବାପକୁ ଟଙ୍କା ଦେବ, ବନ୍ଧୁ କୁଟୁମ୍ବଙ୍କୁ ଭୋଜି ଦେବ । ସାହୁକାରଠୁଁ ନେବାର ହକ୍ ଅଛି, ଥରେ ମଗାଯାଉ, ନ ହେଲେ ‘ଲେଖୁ’କୁ ଧରି ଆଉ ଗୋଟିଏ ମକଦ୍ଦମା ? ନା କ’ଣ ?

 

‘‘ଯେ ମତେ ଫାଙ୍କିଦେଇ ଏମିତି ଗୋଟାଏ କୁତ୍ସିତ ଲୋକ ଘରକୁ ଚାଲିଗଲା ତା’ ପାଇଁ ଟଙ୍କା ମୁଁ ଆଣି ଖାଇବି ?’’

 

ଉଦାସଭାବେ ହସିଉଠି ବୁଢ଼ା କହିଲା–

 

‘‘ନା ନା, ତା ହବ ନାହିଁ । ତୁମେ ସବୁ ଏତେ ବେସ୍ତ କାହିଁକି ହଉଚ ? ମୋର କେତେ ଦିନ ବା ଆଉ ? ମୁଁ ମରିଗଲେ ଭଉଣୀକି ବିକି ଝୋଲାପାତି ଆଣି ଖାଅ । ’’

 

‘‘ଆରେ କେଡ଼େ ଓଲୁ କଥା ବାପା ? ଝୋଲା ଯଦି ନ ନେବୁ ଜିଲିକୁ ଫେରେଇ ଆଣୁ ନାହୁଁ କାହିଁକି ? ଜମିକୁ ଜମି ଖାଇବ, ଝୋଲା ଟଙ୍କାକୁ ପାଙ୍କିଦେବ ? ସବୁ ତା’ରି ଖାଲି ଲାଭ ? ତୁ କହିଦେଲେ ହେଲା ? ନା ନା, ଥରେ ଯାଇ ଦେଖୁଁ । ’’

 

ବୁଢ଼ାକୁ ବୁଝେଇ ହେଲା ନାହିଁ । ତା’ର ଏକା ନାହିଁ, ଯାହା ସେ ଥରେ ବୁଝିଛି !

“ଜିଲି ! – ଆହା !”

 

ସେ ବାପା, ସବୁ ସେ କ୍ଷମା କରିବାକୁ ରାଜି ଅଛି, କେଉଁଦିନୁ ତ କ୍ଷମା କଲାଣି । ତା’ର ମନଭିତରେ କିଏ କହି ଲାଗିଛି, ଜିଲି ଦୁଃଖରେ ଅଛି, ଏପରି ଠକ ଗଞ୍ଜଡ଼ ଦରବୁଢ଼ା ଲୋକର ରଖୁଣୀ ହୋଇ ରହିବାଠୁ ଆଉ ଯାହା କିଛି ସବୁ ଭଲ । ଆସାମ୍ ପଳେଇବା ଭଲ ।

 

ଗୋଟିଏ ଭୁଲରେ ଟୋକୀ ଅମଡ଼ା ମାଡ଼ି ଅବାଟରେ ଗଲା, କେଡ଼େ କଷ୍ଟ ପାଉଥିବ ସେ ! ପିଲା ବୟସରେ କାହାର ଭୁଲ ନ ହୁଏ ? ଆଉ ସବୁ ବଦମାଇସିର ମୂଳ ସେ ପରଜାକଣ୍ଟକ ପୁଞ୍ଜିପତି ସାହୁକାର, ଯେ ଜପତପ, ମନ୍ତ୍ରତନ୍ତ୍ର କରି ପଇସା ଲୋଭ ଦେଖେଇ ବୁଦ୍ଧି ନ ହୋଇଥିବା ଝିଅକୁ ଘରୁଟାଣି ନିଏ, କଅଁଳ ଦେଖି ମୁଣ୍ଡଗୁଡ଼ାକ ଚୋବାଇ ଖାଏ ।

 

ତାଠୁଁ ଝୋଲା ନେବା ମାନେ ଚିରଦିନକୁ ଜିଲି୍ୁ ତାଠିଁ ବାନ୍ଧିଦେବା । ଓଃ ! କେଡ଼େ ସଇତାନ !

 

ହାଡ଼ରେ ନିଆଁ ଲାଗେ । ନା, ସେ ଝୋଲା ନେବେ ନାହିଁ । ଜିଲି ଲେଉଟି ଆସିବ ବାଟ ଖୋଲା ରଖିବ, ଯେ ପର୍ଯ୍ୟନ୍ତ ସେ ଫେରି ନ ଆସିଛି । କିଛି ଜାଣନ୍ତି ନାହିଁ ଏ ପିଲାଗୁଡ଼ିକ ।

 

ସବୁଠୁ ଯେଉଁଟା ଭଲ ଓଷଦ ତା ନାଁ ‘ସମୟ’ ।

 

ଯେ ଆଜି ଭାବୁଥାଏ ବିଷ ଖାଇବା, କାଲି ସେ ଭାବେ, ନା, ଦିନାକେତେ ଯାଉ । ସମୟ ଘା’ ଶୁଖେଇ ଦିଏ, ରୋଗ ବି ଦେହସୁହା ହୋଇଯାଏ, ପୁଣି ସବୁ କଥାର ଜବାବ୍ ତିଆରି ନେଇ ମଣିଷ ମନକୁ ଖଟାଏ ଆନନ୍ଦ ଖୋଜିବା ପାଇଁ ।

 

ଜିଲି କର୍ମକୁ ଆଦରି ଥିଲା, ବେଳ ଆସିଲା ଯେତେବେଳେ ସେ ଆପଣା ଅବସ୍ଥାରେ ସୁଖ ପାଇଲା, ଭାବିଲା ଭଲ ହୋଇଛି ।

 

ବେଶି ମଦ ପିଇଲେ ପାଟିରୁ ଲାଳ ବୋହୁଥିବା, ବାହା ଦି’ଟା ଫଡ଼କେଇ “ଏ ଜିଲି ଏ ଜିଲି” ରଡ଼ି ରଡ଼ିକା ଟଳିଟଳି ସାହୁକାର ଗୋଡ଼ାଉଥିବ । ଗଞ୍ଜେଇ ଟାଣିଲେ ଆଖି ଦି’ଟା ନାଲି ମନ୍ଦାର ଫୁଲ ପରି, କପାଳର ଶିର ଟାଙ୍କି ହୋଇ ପଦାକୁ ଦିଶୁଥିବ । ଏଇ ଦୁଇଟା ଅବସ୍ଥାରେ ସାହୁକାରକୁ ଦେଖିଲେ ଡର ମାଡ଼େ, ଚିଡ଼ିମାଡ଼େ, ଅନ୍ୟବେଳେ ସେ ସେତେ ଅସଜ ନୁହେଁ ।

 

ସମୟ ସମୟରେ ଜିଲିକୁ ଖୁସି କରିବା ପାଇଁ ପ୍ରକୃତରେ ସେ ଚେଷ୍ଟାକରେ –ଜିକିଜିକି କରି ଫିରେଇ କାଟେ, ନିଶରେ ମହୁଅଠା ଘଷେ, ଫୁଲମାଳ ପକାଏ, ବହୁତ ବନେଇଁ ବନେଇଁ କହେ, କଥା ବଢ଼େଇ ଦିଏ । କିନ୍ତୁ ସେ ଦରବୁଢ଼ାଟା, ଆଉ ସେଥିଯୋଗୁଁ ଜିଲିକୁ ହସମାଡ଼େ, କାରଣ ଜିତିପାରିଲେ ପୁରୁଷ ଯେତେ ଗର୍ବ ବୁଝେ ,ସ୍ତ୍ରୀ ବି ତହିଁରୁ କମ୍ ଗର୍ବ ବୁଝେ ନାହିଁ ।

 

ଜିଲି ଜାଣେ ଏ କଥାକୁଢ଼ ତଳେ ଫାଟ କେଉଁଠି । ତେଣୁ ସେ ଉଞ୍ଚ ହୁଏ, ପାଳ ପକେଇ ହେଉପଛେ । ତା’ର ନାଁ ଖୁବ୍ ବଡ଼, ଜିଲି ଶୁଣେ, ଗାଁ ଲୋକେ ଆସି କହନ୍ତି, ଏଥିରେ ବି ଜିଲି ଖୁସି ହୁଏ ।

 

ସବୁଠୁ ବଡ଼ କଥା–ଯେଉଁ ଜିଲି ଖାଲି ହୁକୁମ୍ ତାମିଲ୍ କରିଆସୁଛି, ତାକୁ ଏବେ ହୁକୁମ ଦେବାକୁ ପଡ଼ୁଛି, ଗାଁ ଲୋକେ ତାକୁ ମୁରବି ବୋଲି ଲେଖା କରୁଛନ୍ତି । ଗାଁର ବଡ଼ମୁଣ୍ଡିଆ ସାଉଁତା ଆସି ସେଦିନ କ’ଣ କହିଲା–

 

“କେଡ଼େ ଭଲ ହେଲା ତୁ ଆସିଲୁ ବୋଲି । ଆମକୁ କେଡ଼େ ଶରଧା । ଦେଖିଲେ ଏଡ଼େ ବଡ଼ ସାହୁକାର, ଗାଁଯାକର ଭୁକ୍ତା, ଏଣେ ମାସକୁ ଥରେ ଦେଖା ମିଳିବା କଷ୍ଟ । ଏଥର– ?”

 

ସାଉଁତା ହସିଲା ।

 

ଲୋକେ ଆସୁଛନ୍ତି, ପଚାରିବେ, କାମ ବୁଝିବେ, ଦୁଃଖ ଜଣାଇବେ, ମାଗିବେ । ଝୋଡ଼ିଆ ପରଜା ଘର ଝିଅ ହେଲେ ବି ସେ ତାଙ୍କର “ସାହୁକାର୍‍ନୀ” । ସେ ଜଣେ ହୋଇଛି, ଯାହା ଦେଖୁଛି ସବୁ ତା’ର ।

 

ନିଜ ଗାଁ କଥା ଭାବିବାକୁ ମନକୁ ରୁଚେ ନାହିଁ, କାରଣ ସେଗୁଡ଼ାକ ଖାଲି କାଟେ । ଦୁଃଖକୁ ଘୋଡ଼ାଇବାକୁ ଯାଇ ଘରଲୋକଙ୍କ ଉପରେ ଅଭିମାନ ହୁଏ–‘‘ଦେଖ, ମଲା ହଜିଲା ପଚାରିବାକୁ ସୁଦ୍ଧା ଆସିଲେ ନାହିଁ । ହଉ ।’’

 

ଗୋଟିଏ ଛୋଟ ‘ହଉ’ରେ ଗୋଟିଏ ଅଧ୍ୟାୟ ଉପରେ ପୃଷ୍ଟା ଓଲଟାଇ ଦେଇ ଜିଲି ଆପଣା ଅବସ୍ଥା ଆଡ଼କୁ ଦୃଷ୍ଟି ବୁଲାଏ, ଭାବି ଦେଖେ ସେଥିରେ କି କି ସୁଖ ଅଛି, ସାହୁକାରର ଭଲପଣିଆ କେଉଁଠି । ତା’ ଆଗରେ ଲୋକେ ସାହୁକାରକୁ ଏତେ ଟେକାଟେକି କରନ୍ତି, ଆଉ ଏ ଗାଁ ଗୋଟାକ ରଖି ଦେଇଛିସାହୁକାର ତା’ ସକାଶେ ।

 

ସେ ରଖୁଣୀ, ବିଭାହେଲା ନୁହେଁ । ତା’ର ପରଜା ବୁଦ୍ଧିରେ ସେଥିରେ ସେ କିଛି ତଫାତ୍ ଦେଖେ ନାହିଁ ।

 

ଆଗର ସ୍ତ୍ରୀ ଶୁଣ୍ଢୀଗାଁରେ ଅଛି, ପିଲାଝିଲା, ଜିଲିକୁ ଭାବିବାକୁ ମଜା ଲାଗେ–ଭାବେ ସେ ନିଜେ ଜିତିଛି ।

 

“ସୁକୁମଣି, ଦେଖିଚୁ କିଲୋ ତାକୁ ? କେବେ ସେ ଆସେ କି ?”

 

“ଥରେ ଦେଖିଥିଲି, ତାଙ୍କୁ ଗାଁକୁ ଯାଇଥିଲି । ତୋ ପରି ନୁହେଁ । ବୁଢ଼ୀ ହେଲାଣି, କିଛି ସୁନ୍ଦର ନୁହେଁ ।”

 

“ପାଚିଲା କଦଳୀ ଦି’ଟା ଖା ସୁକୁମଣି , ସଢ଼ି ଯାଉଚି । ହଁ, ସେ କାଳୀଟା କି ଗୋରିଟା-? କାଳୀଟା !”

 

ଅକାରଣରେ ଜିଲି ହସ ମାଡ଼େ, ଖୁସି ଲାଗେ । ମୁଣ୍ଡବାନ୍ଧି ଫୁଲ ପିନ୍ଧି ହାତ ଦି’ଟା ଫରକଟେଇ ଦେଇ ଆଉଜି ହୋଇ ବସିଥାଏ, ପାଖରେ ସୁକୁମଣି ।

 

ପରିଷ୍କାର ଆକାଶ, ଛନଛନିଆ କ୍ଷେତ । ଭାଁ ଭାଁ ଅଳ୍‍ସିଫୁଲିଆ ମହୁ । ଦଳଦଳ ଶୁଆ ଉଡ଼ି ଆସନ୍ତି, ଧାନ ଖାଇବାକୁ । ପଲ ପଲ ହରଡ଼ ଚଢ଼େଇ, କାଳିସର, ଧୋବ ବଗ, ଲହଡ଼ି ଖେଳିଲା ପରି ଏପାଖ ପାହାଡ଼ରୁ ସେପାଖ ପାହାଡ଼, କନ୍ଧମାନଙ୍କର ଗୀତ, ଘରେ ସୁକୁମଣି ଆଉ ସେ ।

 

ହସୁ ହସୁ ତୁନି ପଡ଼ିଯାଏ, ଛଟପଟ ଲାଗେ, ଘର ମନେପଡ଼େ–ଯେଉଁ ଘର ଆଉ ତା’ର ଆପଣାର ହେବ ନାଇଁ ।

 

“ଏଇ ଶୁଣ୍ ଶୁଣ୍ ମ, କେମିତି ଗାଉଛନ୍ତି–”

“ଯେଇତା । ନିଲସ ମା । ବାଇଲେ । ବାଇଲେ–

ଯେଇତା । ତାଲସ ମା । ବାଇଲେ । ବାଇଲେ–”

ଏକାଥରକେ ତିରିଶି ଚାଲିଶି କଣ୍ଠରେ ।

“ତୁ ତାଙ୍କର କଥା ବୁଝିପାରୁ ?”

“ଟିକେ ଟିକେ ବୁଝିଁ, ପିଲାଦିନୁ ଏଇ ଠାନେ ତ ଅଛି ।”

 

ସୁକୁମଣୀ ଗୀତରେ ଭାରି ମନ, ସେ କାନ ଡେରେ, ସହସ୍ରେ ଭାଙ୍ଗ ସହସ୍ରେ ଲହର ଦେଇ କନ୍ଧ ସଙ୍ଗୀତ ଗଡ଼ି ଗଡ଼ି ଚାଲିଯାଏ, ଏକାଥରେକେ ତିରିଶି ଚାଳିଶି ଜଣ ବୋଲନ୍ତି । ଦି’ ଧାଡ଼ି ଏ ସେପାଖେ ଧାଂଡ଼ାମାନେ ବୋଲି ଦିଅନ୍ତି, ପାଏ ବାଟରୁ ଆର ପାଖ ପାହାଡ଼ ଉପରୁ ଦି’ ଧାଡ଼ି ଧାଂଡ଼ୀମାନେ ବୋଲି ଦିଅନ୍ତି ।

 

ଜିଲି ତାଙ୍କର ଭାଷା ବୁଝିପାରେ ନାହିଁ, କିନ୍ତୁ ଗୀତର ସ୍ୱରଟା ତା’ମନରେ କେତେ ପ୍ରକାର ଭାବନା ଆଣିଦିଏ । ସଫା ଆକାଶରେ ନିଛାଟିଆ ଚଢ଼େଇଟି ଏପରି ମନଟା ଉଡ଼ିବୁଲେ, ଖୁବ୍ ଉଚ୍ଚରେ, କିନ୍ତୁ ଖୁବ୍ ଉଦାସ । ଆଉ ଠିକ୍ ଓଲଟା ଧାରଣା ଉଠେଇ କନ୍ଧ ସଙ୍ଗୀତ ଲେଉଟ ପାଲଟ ହୁଏ, ଯେପରି ମାଗଣାରେ ଉନ୍ମାଦନାରେ ମତେଇ ମତେଇ ଉଠେଇ ପକେଇବାକୁ ଲୋଡ଼ୁଛି ଅଚଳ ମାଟିକୁ ।

 

“ଏଇ ଶୁଣ୍ ଶୁଣ୍ ମା’, ରାଗ ବଦଳେଇ ଦେଲେ, କି ସୁନ୍ଦର ! କ’ଣ କହୁଛନ୍ତି ଜାଣିଚୁ ? ସୁନୁ ଗୁଣ୍ଡା ଡୁଲାନେ ହେ ।”

 

ଆନନ୍ଦରୁ ଉଦାସକୁ ସ୍ୱର ନିଗିଡ଼ ପଡ଼ିଲା, ଯେପରି ଡେଇଁ ହେଇଁ ଗଦ୍‌ଗଦ୍‌ ହୋଇ ଯାଉଥିବା ଝରଣା କେଉଁଠି ହାଲୁକା ହୋଇ ସୁଲୁସଲୁ ହୋଇ ଚାଲିଲା, ଅନ୍ଧାର ଭର୍ତ୍ତି ଜଙ୍ଗଲଛୁଆଣି ପାହାଡ଼ର ଫାଟ ଭିତରେ ।

 

ଯେପରି ଦ୍ୱି’ ପ୍ରହରର ପତ୍ରମଉଳା ଗୁଳୁଗୁଳୁ ଭିତରେ କେଉଁ ଦୂର ଜଙ୍ଗଲ ଭିତରେ ରାଜ୍ୟଯାକର ସବୁ କାପ୍ତାବେକକୁ ବେକ ଯୋଡ଼ି ଦେଇ ଏକାଠି ବସି ଝୁରି ଝୁରି ବୋବେଇଲେ ।

 

“ଶୁଣ୍ ଶୁଣ୍–”

 

“ଯେଇକେ ମାଲ ନିଲସ

ଯେଇକେ ମାଲ ତଲାସ

ସୁନୁ ଗୁଣ୍ଡା ଡୁଲାନେ ହେ...

ଯେଇ ସମ୍ବର ଗୋଡ଼ିରେ

ଯେଇକେ ମନ୍ଦର ପାଣିରେ

ସୁନୁ ଗୁଣ୍ଡା ଡୁଲାନେ ହେ...

ଯେଇ ଲେଲିଆ ଡୁମ୍ବର

ଯେଇ ଲେଲିଆ ଲେମ୍ବର

ସୁନୁ ଗୁଣ୍ଡା ଡୁଲାନେ ହେ...

ଏ’ନି ଆଲାତ ଇଆତ

ଏନି ମି୍‍ଣିତୋଲା ମି୍‍ଣିଆତ

ସୁନୁ ଗୁଣ୍ଡା ଡୁଲାନେ ହେ...

ଲା’ ଆଁ ପୁଞ୍ଜୁଲିହାଜିଲି

ପୋ’ ଆଁ ତିଞ୍ଜିଲି ହାଜିଲି

ସୁନୁ ଗୁଣ୍ଡା ଡୁଲାନେ ହେ...

 

 

ହଟାତା ହାଜ୍ଜିମନାତି

ରାଟତା ହାଜ୍ଜିମନାତି

ସୁନୁ ଗୁଣ୍ଡା ଡୁଲାନେ ହେ...”

 

ଜିଲି କହିଲା–

“ଲେମ୍ବର, ଡୁମ୍ବର, ନିଲସ, ତାଲସ, ଏମିତି ଖାଲି ଗୀତ କ’ଣ ୟାଙ୍କର ?”

ସୁକୁମଣି କହିଲା–

 

“ସେଗୁଡ଼ାକ ସବୁ ନାଁ ମା’, ସବୁ ଧାଂଡ଼ୀମାନଙ୍କୁ ଧାଂଡ଼ାମାନେ ଶରଧାରେ ଦେଇଥା’ନ୍ତି । ‘ଏବେ ସେଇସବୁ ନାଁ ଧରି ଗୀତ ମାରୁଛନ୍ତି, କହୁଛନ୍ତି–ଏତେ ଡାକି ଡାକି ଆମେ ଅଥା ହେଲୁ, ତୁମେ ତ ଭୁଲିଗଲ, ହଉ ହଉ କାଇଁକି ଆସିବ, ତୁମେ ତ ବଡ଼ଲୋକ ଘର ଝିଅ, ତୁମେ କୋଠାଘରେ ଏତେ ଚୂନ ଲିପା ହୋଇଛି ଯେ ଖାଲି ସବୁବେଳେ ଚୂନଗୁଣ୍ଡା ଝଡ଼ୁଛି ।”

 

ସୁକୁମଣି ହସି ହସି ଗଡ଼ିଗଲା । ଜିଲି ଅନ୍ୟମନସ୍କ ହୋଇଯାଇଥିଲା । ଚମକି ପଡ଼ି କହିଲା–

 

“ଏ ?”

“ହଁ ସତେ, ଏଇ ଶୁଣୁ ନୋଉଁ ।”

ଦୂର କନ୍ଧଗୀତ ସାଙ୍ଗେ ସାଙ୍ଗେ ସୁକୁମଣି ବି ଗୀତ ବୋଲିଲା ।

ଜିଲିର ସେଥିରେ ମନ ନ ଥିଲା ।

ରଖୁଣି ମାଇକିନା ।

ଦରବୁଢ଼ା ସାହୁକାର, ତା’ର ପିଲାଝିଲା ଅଛନ୍ତି ।

ବାଗ୍‍ଲା ।

ଧାଂଡ଼ା ବସାଘର ।

ବାପର ରାଗ, ଭାଇମାନଙ୍କର ଅନାଦର ।

ମା’ ।

ମଲା ମା’, ବୁଢ଼ା ବାପ ।

ବାଗ୍‍ଲା ।

ମା’, ବାଗ୍‍ଲା । ବାଗ୍‍ଲା ।

 

ସେ ଯାହାର ନା ଧରିହୁଏ ନାହିଁ ଅଥଚ ଯାହାର ନାଁଟା ଛାଡ଼ିଦେଲେ ଜୀବନ ଗୋଟାକ ଖାଲି ବାଲି ଅପନ୍ତରା, ଏ ମୁଣ୍ଡୁ ସେ ମୁଣ୍ଡ ।

 

ଯାହାର ନାଁ ଧରିବାକୁ ଅଧିକାର ନାହିଁ କିନ୍ତୁ ସେହି କାରଣରୁ ଯେ ମନ ଭିତରେ ସଦା ଚେଇଁଥାଏ ।

 

ସେ, ଯେ ନାହିଁ ।

ଜିଲି ଗୁଲୁ ଗୁଲୁ କରି ଅନେଇଁଲା । ଖରା ସରି ଆସୁଛି ।

 

ସମୟ–ସବୁଠୁ ବଡ଼ ଭଲ ଓଷଦ ସେ, ଘା’ ଶୁଖେଇ ଦିଏ । କିନ୍ତୁ କାଉନ୍ଦା ପାଗ ଦେଖି ପୁରୁଣା ଦରଜଗୁଡ଼ାକ ବାହାରେ ଯେଉଁଠି ସେଠି ଗଣ୍ଠିବାତ ପରି ।

 

ଆସିବା ଦିନର ତୋଫାନ ପରେ ଶାନ୍ତ ହୋଇ ଜିଲି ଭାବେ, ଗାଁକୁ ଯାଇହେବ ନାହିଁ କାହିଁକି ?

 

ସାହୁକାର କେତେଥର କହିଲାଣି ଗାଁରେ ସେ ଘର ତୋଳିବ, ଦିନୁଁ ଦିନ ବିଲିବାରି ବଢ଼ି ଯାଉଛି ସେଠି । ସେଠି କମଳା ହେବ, ଗହମ ପଚେଇବ, ଆଖୁ ଲଗେଇବ । ଦିନେ ଘର ତୋଳା ସରିବ, ତା’ପରେ– ?

 

“ଆସିଲାବେଳେ ଗୋଟାଏ ରକମ ଆସିଥିଲୁ, ଗଲାବେଳେ ଯିବୁ ଆଉ ରକମ ।”

 

ଜିଲି ସେହି ଦିନକୁ ଅପେକ୍ଷା କରେ । ଯାହାଙ୍କ ଛାଇ ମାଡ଼ିଲେ ଲାଜରେ ସେ ମାଟି କାମୁଡ଼ିବ ବୋଲି ସେତେବେଳେ ଭାବୁଥିଲା, ବର୍ତ୍ତମାନ କଥାଟା ସେତେ କଟୁ ବୋଲି ଲାଗେ ନାହିଁ-। ସମସ୍ତେ ଯାହା କରନ୍ତି ସେଇଆ ସେ କରିଛି । ଆଉ କାହାକୁ ନ ରୁଚିବ ତ ନାହିଁ, ତାକୁ ରୁଚୁଛି ।

 

ଅପେକ୍ଷା କରି ଦିନ ଗଲା, ଗାଁ ଲୋକେ କେହି ଆସିଲେ ନାହିଁ ।

ଏହିପରି ଦିନେ, ସାହୁକାର ଆସି କହିଲା, ବାପା ତା’ ନାଁରେ ଭୂମିଦାବା ପକେଇଛି ।

 

ସାହୁକାର ନିଜ ତରଫର କଥା ବଢ଼େଇ କହିଲା, ବୁଝେଇଲା କେତେ ଅତ୍ୟାଚାର ଯେପରି କି ହୋଇଯାଇଛି ତା’ ଉପରେ । ଜିଲି କହିଲା–

 

“ତିରିଶି ବର୍ଷ କଥା ତ ମୁଁ କେବେ ଶୁଣି ନାହିଁ ! ଘରେ କହନ୍ତେ ନାହିଁ କି ?”

ସାହୁକାର କହିଲା–

 

“ବୁଢ଼ା କେମିତି ତୁମମାନଙ୍କ ଆଗରେ ଫିଟାଇ କହନ୍ତା ? ପୁଅମାନେ ରଖନ୍ତେ ତାକୁ ? ନା, ତାକୁ ଦୋଷ ଦେଇ ହେବ ନାହିଁ, ବୁଢ଼ା ଲୋକ, ଗୋତିକୁ ନ ପାରି ସିନା ଜମି ଏମିତି ଦେଇଦେଲା, ପୁଅମାନଙ୍କ ଆଗେ କ’ଣ ବୋଲି କହନ୍ତା ? ଦାବାଟା ପଡ଼ିଛି ମାଣ୍ଡିଆ ନନ୍ଦିବାଲିଙ୍କ ପାଇଁ । ଦେଖ, ବୃଥାଟାରେ । କିହୋ ତାଙ୍କ ଜମି କ’ଣ ମୁଁ ଖାଇଯାଉଚି ? ଋଣ ଟଙ୍କା, ଲେମ୍ବୁ ଗଛର ଖରିଦ, ମୂଲ ମଜୁରି, ଯାହା ମୁଁ ସେ ଜମିରେ ପକେଇଛି, ଏବେ ଦେଇଦିଅ, ତୁମ ଜମି ତୁମେ ନେଇଯାଅ । ମୋ ପରି ସୁଧାର ଲୋକ ଉପରେ ପୁଣି ଦାବା ? ହଉ ଧର୍ମ ଅଛି ।”

 

ଜିଲି ଦୁଃଖିତ ହେବାକୁ ଚେଷ୍ଟା କଲା, ପାରିଲା ନାହିଁ–ଏଇ ଯେତେବେଳେ ସାହୁକାର ଆଉ ତା’ ବାପା ଏ ଦୁହିଁଙ୍କ ଭିତରେ ଟଣାଟଣିରେ ସମ୍ବନ୍ଧଟା ଚଟ୍‍କରି ଛିଣ୍ଡିଗଲା ।

 

ଭାବିଲାବେଳକୁ ସେ ଦେଖିପାରେ ବାପାର ଜମିରେ ତା’ର କିଛି ନାହିଁ ।

ସାହୁକାର ବହୁତ ଗେଲ କରି ସୋଗ ଦେଖେଇ ହେଲା ।

 

“ଦେଖ, ସେମିତି ବୁଦ୍ଧି ତାଙ୍କର । କେତେବେଳେ ସିନା କ’ଣ ଥିଲା, ଏବେ ତ ମୁଁ ତାଙ୍କର ଜ୍ୱାଇଁ । ଦିନେ ହେଲେ ଦେଖିବାକୁ ଆସିଲେ ନାହିଁ, ଓଲଟି ଭାରି ରାଗ । ଭୁଁ ତତେ ନେଇଆସିଲି, ତୋ’ର କି ଦୋଷ ଯେ ତତେ କାଟିଦେଲେ ?”

 

ମୁଁ ପୁଣି କହିଲି, ଜିଲି ତୋର ପେଟରେ ଝିଅ ପରା ? ମୋ ଉପରେ ଦାବା କଲେ ଜିଲି ଉପରେ ଦାବା କଲା ପରି ହେଲା ନାହିଁ କି ? ବାପ ହୋଇକରି ଝିଅସାଙ୍ଗରେ ବାଦ ?

 

ଏତିକି ଯେମିତି କହିଦେଲି ମାଣ୍ଡିଆ ନନ୍ଦିବାଲି ତୋ’ ନାଁରେ ଯାହା ସବୁକହିଲେ ତୁଣ୍ଡରେ ଧରି ହେବ ନାହିଁ, ଖଇ ଗୋଡ଼େଇଲେ ତ ମତେ !

 

ଭଲ କଥା ନାହିଁ, ବୁଝାମଣା କରିବାକୁ ମନ ନାହିଁ, ଖାଲି ମକଦ୍ଦମା ମକଦ୍ଦମା । ଶିଖାଶିଖି ମାମଲତ୍‌ । ମୁଁ ତାଙ୍କର ଜ୍ୱାଇଁ, ମତେ କଷ୍ଟ ଦୁଃଖ କହିଥିଲେ ମୁଁ କ’ଣ ବୁଝି ନ ଥାନ୍ତି ? ମତେ କହିବା କି ଦରକାର ? ତତେ ତ ପଚାରି ପାରିଥା’ନ୍ତେ ।

 

ନା, ତାଙ୍କର ଭିନେ କଥା ।”

 

ସାହୁକାର ଜିଲି ପାଇଁ ଲୁଗା ଆଣିଥିଲା, ବେକରେ ପିନ୍ଧିବା ପାଇଁ ଗିଲ୍‌ଟି ବେକବନ୍ଧା ଓ ପିତ୍ତଳ ହାର ଆଣିଥିଲା ।

 

ସ୍ନେହ ଆଦର କରି କହିଲା–

“ଏମିତି ଝିଅ ସାଙ୍ଗେ ସେମାନେ ବାଦ କରୁଛନ୍ତି, ହଉ ତାଙ୍କର ଧରମ୍‌ ।”

 

ଦୁଇ ଦିନ ସାହୁକାର ରହିଗଲା ଚାଷ ଗାଁରେ । ଏପରି ଗେହ୍ଲା ଜିଲି କେବେ ପାଇନାହିଁ । ପୁଣି ମନ ଉଷୁମ ହୋଇଆସିଲା । ସାହୁକାରର ଭଲ ଗୁଣ ସେ ଅନୁଭବୀ ବସିଲା– ସେ କାହାରିକୁ ପଚାରେ ନାହିଁ, ଏକୁଟିଆ ତାକୁ ।

 

ଜମି ମକଦ୍ଦମା କଥା ମନ ଭିତରେ କେଉଁ କଣରେ ତୁନିତାନି ହୋଇ ମରିଗଲା । ସେ କଥା ତ ଘରକରଣା ବାହାରେ, ତହିଁରେ ତା’ର ହାନି ଲାଭ ନାହିଁ ।

 

ସାହୁକାର ଯେତେବେଳେ ସେତେବେଳେ ମନ ବ୍ୟସ୍ତ କରେ, ଜିଲିଠୁଁ ସହାନୁଭୁତି ଖୋଜେ । ଯଦି ଜିଲି କଅଁଳେଇ କିଛି କହିଦିଏ, ସାହୁକାର ଗୋଟାସୁଦ୍ଧା ତା ତରଫରୁ ଯୁଦ୍ଧ କରିବାକୁ ତିଆରି ହୋଇଯାଇ ହାଙ୍କେ,–

 

“ହଉ ଦେଖିବା କ’ଣ ସେମାନେ କରିବେ । ତୁ ଡର୍‌ନା, ତୋ’ର ଜମି ତୋଠୁ ସେମାନେ ଛଡ଼େଇ ନେଇ ପାରିବେ ନାହିଁ । ଧରମ ଅଛି ।”

 

ପୁଣି ସାହୁକାର ଚାଲିଗଲା । ଏକୁଟିଆ ଜିଲି ବସି ଭାବିଲା, ସତେ କ’ଣ ଏବେ ତା’ ଘର ଲୋକ ତାକୁ ପର କରିଦେଲେ ?

 

ସାହୁକାର ମନକଥା ଖୋଲି ବହୁତ କହିଛି । ଆପଣାର ଭବିଷ୍ୟତ ବିଷୟରେ ଜିଲିର ଗୋଟାଏ ଧାରଣା ଆସିଛି–ଯେ ସେ ଉଠିଆସି ଲାଖି ରହି ନାହିଁ, ସେ ପ୍ରତିଷ୍ଠା ହୋଇଛି ଦୂର ଗାଁରେ ତା’ର ଅଦେଖା ଶୁଣ୍ଢିଆଣୀ ସଉତୁଣୀ ପରି ।

 

ଜମି କଜିଆ କଥା ଆନ୍ଦୋଳି ବସିଲେ ଷୋଳଅଣା ସହାନୁଭୂତି ବାପଘର ଉପରେ ପଡ଼େନାହିଁ, ଆପଣାର ସ୍ୱାର୍ଥ ଆଡ଼ୁ କଥାଟା ଆପେ ଭାବିହୁଏ । ସବୁ ତା’ର ।

 

ଦର୍‌ହବୁଢ଼ା ଗଞ୍ଜଡ଼ ଲୋକଟା ପ୍ରତି ଘୃଣା ଆସେ ନାହିଁ । ସବୁ ଦେହସହା ହୋଇ ଯାଇଚି । ସବୁ ତା’ର ।

 

ସେ ସାହୁକାରର ଭଲ ଗୁଣଗୁଡ଼ାକ ଭାବେ,– ଯେଉଁ ଗୁଣ କେବଳ ଅନୁମାନରେ ସ୍ତ୍ରୀ ଲୋକ ଖାଲି ମନେ ମନେ ଭାବି ପାରନ୍ତି । ତା’ର ଜାତିର ଅନ୍ୟମାନଙ୍କ ପରି ଦେଖାପରଖା ମୋଟା ଜିନିଷ ଧରିବାକୁ ଯାଇ ସେ ଶୂନ୍ୟ ସ୍ୱପ୍ନ ଉପରେ ଭରା ଦେଇ ଭାସେ । ତହିଁରେ ତା’ର ଆଖିରେ ସୁଖର ଆଲୁଅ ଜିକିଜିକି କରେ, ପାଦ ହାଲୁକା ଲାଗେ ।

 

ସମୟର ହାବୁକାରେ ସବୁ ଦୁଃସ୍ୱପ୍ନ ସବୁ ସନ୍ଦେହ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇ କୁଆଡ଼େ ଭାସିଯାଏ ।

 

ସର୍ଷୁପଦର ଗାଁରେ ସାହୁକାର ଯାଇ ଥିରି ହୋଇ ବସିଲା, ଟଙ୍କା ମୁଣି ମେଲେଇଦେଲା-

 

ଧାଂଡ଼ା ବସାଘରେ ଗାଁର ନାଇକ, ବାରିକ, ବଡ଼ ରଇତମାନେ, ବସାଉଠା କରନ୍ତି । ମଧୁ ଘାସି ଗୋଟି ଗୋଟି କରି ଡାକି ଆଣେ, କଥାଭାଷା ପଡ଼େ ।

 

ସଞ୍ଜ ଅନ୍ଧାର ପଡ଼ିଗଲେ ଗୋଟି ଗୋଟି ହୋଇ ଲୋକ ସେଇ ଟୁଙ୍ଗି ଘରକୁ ଗଡ଼ନ୍ତି । ଆଲୁଅ ଜଳେ ନାହିଁ, ଖାଲି ବୁନ୍ଦା ବୁନ୍ଦା ପିକା ନିଆଁ ।

 

ଥିରି ଥିରି ହୋଇ କଥାଭାଷା ପଡ଼େ, ତଣ୍ଟି ବସେଇ ବସେଇ । ପଦାରେ ମଧୁ ଘାସି ଜଗିଥାଏ ।

 

ଲୋକ ଦେଖିଲେ, ଭୋକ ଶୋଷବେଳେ ଏଠୁ ଟଙ୍କାଏ ମସାଏ ମିଳିବ, ଅଭାବ ଏ ମେଣ୍ଟେଇବ । ୟା ସାଙ୍ଗେ ଶତ୍ରୁତା କଲେ ପୁଣି ଏ କୁଆଡ଼ୁ କଅଣ ଲଗେଇ ଦେବ । ରିବିନି ଗରଜସୁନ୍ଦର ୟା’ର ବନ୍ଧୁ । ସେ କଳାକୁ ଧଳା କରିପାରେ ।

 

ସାହୁକାର ବୁଝାଏ, କିନ୍ତୁ ସେ ଡରେଇ ଜାଣେ ମଧ୍ୟ ।

 

“ତୁମେ ଯେତେ ଯାହା କଲେ ତୁମର କଥାକୁ ମୋର କାଗଜପତ୍ରଠୁ ବେଶି ବଡ଼ ବୋଲି କୋଟୁଘର (କଚିରି) କେବେ ଭାବିବେ ନାହିଁ । ନିଜେ ରିବିନି ଗରଜବାବୁ ମୋ ତରଫରୁ ଠିଆହେବେ, ବୃଥା ତୁମେ ଚିହ୍ନା ପଡ଼ିବ । ପଛେ କିଛି ଖରାପ ହେଲେ ତୁମେମାନେ ମୋ ଉପରେ ରାଗିବ, ମୁହଁ ଶୁଖେଇବ, ସେତେବେଳେ ମୁଁ କିଛି କରିପାରିବ ନାହିଁ ।

 

ପୁଣି,–

 

“ବୁଝୁଛୁ ନା ନାଇକ, ପଠାଣ ଅମିନ୍‌, ଗରଜ ରିବିନି, ୟାଙ୍କର କଥା ବଡ଼ ନା ଏ ଯେତେ ଯେତେ ମୂଷା–ଖାଉ, ଗୋତି ଲୋକଙ୍କ କଥା ବଡ଼ ? ହଁ ମୁଁ ତତେ ବୁଝୋଉଚି, ଯଦି ମୋ କଥା ନ ମାନିବୁ, ଆଉ ପଛେ ଅମିନ୍‌ ବାବୁମାନେ ତତେ ନାଇକପଣରୁ ତଡ଼ିଦେବେ, ମିଛୁଆ ଠକ ଲୋକ ବୋଲି ମତେ ଆଉ ଦୋଷ ଦେବୁ ନାହିଁ ।”

 

ଓଷଧ ଧରେ, ନାଇକ, ବଡ଼ ରଇତମାନେ ବଡ଼ ବେସ୍ତ ହୁଅନ୍ତି–

କାହିଁକି ବଡ଼ଲୋକ ସାଙ୍ଗରେ ଲଗାଲଗି ? ଓଃ !

 

ସଞ୍ଜକୁ ସଞ୍ଜ ସେମାନେ ଆସନ୍ତି, ସାହୁକାରଠୁଁ କଥା ଶୁଣନ୍ତି, ବାଟଯାକ ଗୁପ୍‌ଚୁପିଆ କଥାଭାଷା ପକେଇ ଘରକୁ ଫେରନ୍ତି । ତା’ କଥାଗୁଡ଼ାକ ତାଙ୍କ ଛାତିରେ ହୁଳା ଲଗେଇ ଦିଏ–

 

“ସତେ ତ ! ସାହୁକାର ରାଗିଲେ କେଡ଼େ ଅନିଷ୍ଟ ଉପୁଜେଇବ ! କଥା ମାନିଲେ ସେ ଦୟା ରଖିଥିବ, ତା’ର ପାଦୁକା ଶୀତଳ ହୋଇଥିବ, ସେ ଭାତ, ଭାତିଆ, ଟଙ୍କା, କଉଡ଼ି ସବୁ ଦେବ-। କାଳକାଳକୁ ବଡ଼ ବନ୍ଧୁ, ଗାଁର ହିତକାରୀ । ସୁକୃଜାନି କହି ଦେଇଛି ସିନା, କ’ଣ ତାଠିଁ ଅଛି ଯେ ସେ ଦେବ ? ତାକୁ ଶରଧା ହୋଇ ବଡ଼ଲୋକ ତୁଲେ ବିରାଧା (ବିରୋଧୀ) ହୋଇ କଷ୍ଟ ସାର ହେବ ସିନା !”

 

ହେଲେ (କିନ୍ତୁ) ଗୋଟାଏ କଥା–ଧରମ୍‌ । ତହିଁକିବା କାୟଁ ଭୟ ? ଧରମ୍‌ ଯଦି ଏଡ଼େ ଟାଣ, ଆଉ ସୁକୃଜାନି ତରଫରେ ଯଦି ଧରମ୍‌, ତେବେ ଆଉ ଲୋକ ଯେ ଯାହା କରନ୍ତୁ, ସୁକୃଜାନିର ତ ଅବଶ୍ୟ ଜୟ ହେବ ।

 

 

ଆଉ ଧରମ୍‌, ସେ ଯଦି ସବୁ ବୁଝୁଥିବ, ତେବେ କି ଅବସ୍ଥାରେ ପଡ଼ି ଆମକୁ ସାହୁକାର୍‌ ତରଫକୁ ଆଉଜିବାକୁ ପଡ଼ୁଛି ତା’ କ’ଣ ସେ ଜାଣୁ ନ ଥିବ ? ସବୁ ଜାଣିଶୁଣି ସେ ଦୋଷ୍‌ ଦେବ କେଉଁ ମୁହଁରେ ?”

 

ଆଗେ ନାଇକ ଟଳିଲା ।

ତା ପଛେ ପଛେ ତା’ର କିଙ୍କର, ଗାଁର ବାରିକ୍‌ ।

 

ନାଇକ ବାରିକଙ୍କୁ ଛାଡ଼ି ରଇତ ଅଲଗା ରହିବେ କେମିତି ? ରଇତ ଭାବନ୍ତି ନାଇକ ହାତରେ ସବୁ ଚୁଟି, ତହିଁରେ ଭବିଷ୍ୟତ ଅଛି, ଆପଣାର ଭଲ ମନ୍ଦକୁ ପଛଆଡ଼ୁ ନାଇକ ।

 

ସାହୁକାର ସାମାନ୍ୟକିଛି ଖରଚ କଲା । ଗାଁ ଲୋକେ ଅଭୟ ଦେଲେ ସେମାନେ–ସାହୁକାରର, ସୁକୃଜାନି ତାଙ୍କୁ ସାକ୍ଷୀ କରି କଚିରିରେ ଚଢ଼େଇଲେ ସୁଦ୍ଧା ସେମାନେ ସାହୁାର ତରଫରେ କହିବେ ।

 

“ସାହୁକାର, ତୋର ପାଦ ଶୀତଳ ଥାଉ, ତୋର ଧରମ୍‌ରେ ଆମେ ଜୀଉଁ । ଆମେ ଦେଖିଲେ ରଇତ ପିଲା, ଏତେ ତେଣ୍ଟାରେ ଆମର କି ଯାଏ ?

 

ତୋର ଧରମ୍‌ ତତେ, ତା’ର ଧରମ୍ ତାକୁ (ତା’ର), ଭୂଇଁ ତଷିଲେ ଆମେ କୁଟୁମ୍ବ ପୋଷିଁବୁ, ଆମେ କାହିଁକି ?– ଏଁ ?”

 

ଦଶ ଜଣ ଏକାଠି ହୋଇ ରାଆ ଧରି ରାବିଲେ ଯାହା ବୁଝନ୍ତି ତହିଁରେ ବିଶ୍ୱାସ ଆସେ । ଆପଣାକୁ ବୁଝୋଉ ବୁଝୋଉ ୟେ ତାକୁ, ସେ ୟାକୁ ବୁଝାବୁଝି କରନ୍ତି–

 

“ହୋଇ ହୋ, ନା କିସ ? ଏଁ ?

“ଦେଖ”

ସତ୍‌ କି ମିଛ ?

ନାଇକ ସଙ୍ଗୀମାନଙ୍କୁ ବୁଝାଏ–

 

“ବଡ଼୍‌ ଲୋକ୍‌ ସେ, ଯୋ’ଟା ଜିଦି ଧରିଛି କରିବ । ନଉ ଖାଉ । କମଳା ଫଳିଲେ ତୁମ୍‌କୁ ଆମୁକୁ ଦେବ ନାହିଁ କି ? ଆଉ କୋଠି ହେଲେ ସୁକୃଜାନିକୁ ଖଣ୍ଡେ ଦେଇଦେବା । ଡଁଗର ତଷି ଖାଉ । ଖଣ୍ଡେ ତ ଦେଇଛି, ସେମିତି ଆଉ କୋଠି କୋଠି । ସେ ବିତ ଆମର ଭାଇ, ତା’ର ପିଲା କୁଟୁମ୍ବ ପାଇଁ ଆମେ ନ କଲେ କିଏ କରିଦେବ ?”

 

ସବୁ ନିଷ୍ପତ୍ତି ସରିଗଲା । ସୁକୃଜାନି ଜାଣି ପାରିଲା ନାହିଁ ।

 

‘ଲେଖୁ’ ଅଭୟ ଦେଇଛି, ଆଉ ତା’ର ସାଙ୍ଗୀମାନେ । କରାଘାଟିଆ ପୂଝାରୀ, ସେ ଏପରି କଥା କହେ ଯେପରି ହାତ ଲଗେଇ ଦେବ ।

 

‘ଲେଖୁ’ ଟଙ୍କା ଖାଇଛି, ଅଭୟ ଦେଇଛି ।

ସାହୁକାରକୁ ନୋଟିସ ଆସିଲା, ସୁକୃଜାନି ଖୁସି ହେଲା ।

ମାଣ୍ଡିଆକୁ କହିଲା–

“ଏଣିକି ଆଉ କି ଭୟ ?”

 

ସାହିଯାକ ଗପି ବୁଲିଲା, କେମିତି ସେ କୋରାପୁଟ ଯାଇଥିଲା, ସେଠି କ’ଣ କ’ଣ ହେଲା, ଇତ୍ୟାଦି ।

 

ଏ ବର୍ଷର ନୂଆ ଜମିରେ ଅଳ୍‍ସି କଟା ହେବାକୁ ହେଲାଣି, ଳଙ୍କାମରିଚ ପାଚି ଆସିଲାଣି, ସବୁ ହୋଇ କିଛି ମିଳିବ । କିନ୍ତୁ ନୂଆ ଜମି, ବେଶି ଭରସା ନାହିଁ । ୟା ପରେ ପୁରୁଣା ଜମି ଫେରିଆସିବ, ପୁଣି ଚାଷ କାମ ଲାଗିଯିବ, ଏଥର ପୂର୍ବପରି ଘର ଭର୍ତ୍ତି, କାମ କରିବାକୁ ଲୋକ ଊଣା ନାହାନ୍ତି ।

 

ଏଇ ଦିଆଲି ମାସର କାକର ପବନରେ କୁଙ୍କୁରି କାଙ୍କରି ହୋଇ ଉଷୁମ ମାଟିରେ ଶୋଇ ରହିଥିଲା । ବେଳେ ବେଳେ ପୁରୁଣା ଜମି ଡାକେ, ତା’ର ପିତୃଅର୍ଜିତ ଜମି, ଶୁଣେ । ପିଲାଦିନ ମନେପଡ଼େ, ବାପ ଦାଦି, ସେ କାଳର ମା’ ଖୁଡ଼େଇମାନେ । ତଲ୍ରା ତଲ୍ରି ଗୁଡ଼େଇ ହୋଇ ଧାଡ଼ି ହୋଇ ନଇଁପଡ଼ି ସେମାନେ ବି ବିଲ ବାଛୁଥିଲେ, ହିଡ଼ ବାନ୍ଧୁଥିଲେ, ଦିନ ଦିନ ସେଇ ଜମି ଉପରେ । ସେଇ ପାଖରେ ନିଆଁ ଜାଳି ରନ୍ଧା ହେଉଥିଲା । ବୟସ ଯହୁଁ ଯହୁଁ ବଢ଼ି ଚାଲିଛି ପିଲାଦିନର ସେଇମାନେ ବେଶି ବେଶି ମନେ ପଡ଼ୁଛନ୍ତି । ସେଇମାନେ, ଯେ ଆଉ ନାହାନ୍ତି, ଯାହାଙ୍କର ସଙ୍କେତ ଗାଁ ଦାଣ୍ଡର ଝଙ୍କା ଗଛମୂଳେ ଗୋଜିଆ ପଥର ଚଟାପଥର ।

 

ତାଙ୍କର ସ୍ମୃତି ପାଇଁ ସାହୁକାର ଦାଉରୁ ଜମି ଉଧୁରେଇ ଆଣିବା ତା’ର ଦରକାର ।

 

ତା’ପରେ ହଡ଼ା ହଳେ ସେ ପୋଷିବ, ହଳ କରିବ । ପୁଣି ଆପଣା ବାପ ଅଜାଙ୍କ ଜମି ଉପରେ ମନଇଚ୍ଛା ସେ ତଷିଯିବ, ଏମୁଣ୍ଡୁ ସେମୁଣ୍ଡ ।

 

ହାତ ଖଲ ଖଲ ହେଉଛି, ମନ ହାଇଁପାଇଁ । କିନ୍ତୁ ଖାଲି ହାଡ଼ ଆଉ ଶିର, ଅଣ୍ଟା ଆଣ୍ଠୁ ଘୋଳାବିନ୍ଧା, ଟିକିଏ ଜୋର୍‍ ଖଟେଇଲେ ମୁଣ୍ଡଟା ଝାଇଁ ମାରିଦିଏ । ଭାବେ, ଚିନ୍ତା ଆଉ ଦୁର୍ବଳତା, ପେଟପୂରା ଖାଇବାକୁ ମିଳି ନାହିଁ, କାମ ବେଶି । କିନ୍ତୁ ମନଟା ଦବିଯାଏ, ବୁଝେ ସେ ବୁଢ଼ାହେଲାଣି, ଚିନ୍ତାଗୁଡ଼ାକ ଝୁଙ୍କି ଚାଲିଯାଏ । ଝଙ୍କା ଗଛମୂଳର ଗୋଜିଆ ଚଟାପଥର ଆଡ଼କୁ, ଓଲିଆ ବଳଦ ପରି ।

 

କାଲିକା ପିଲା ଆଜିକି ମଣିଷ ହେଲାଣି, କେତେ ଦଳ କାନ୍ଧକୁ କାନ୍ଧ ଲଗେଇ ଦେଇ ଉଠି ଆସିଲେଣି, ଯେଉଁମାନେ କାଲି ମା’ ପେଟରେ ବି ନ ଥିଲେ । ତାଙ୍କରି ହାବୁକାରେ ହାବୁକାରେ ବୁଢ଼ାର ଆଣ୍ଠୁ ଘୋଳିହୁଏ, ଅଣ୍ଟା ଧରେ, ତାଙ୍କୁ ଅନେଇଁ ବସି ସେ ବୟସ କଳି ହୁଏ । କାରଣ ତାକୁ ବୟସ ମାଲୁମ ନାହିଁ, ସେ ମାଟିରୁ ଖଣ୍ଡେ, ମାଟିର ଜନ୍ମଦିନ ହୁଏ ନାହିଁ, ପାଚି ଶସ୍ୟ ଲେଖା (ହିସାବ) ।

 

ସାହୁାରକୁ ନୋଟିସ୍‌ ଆସିଛି, ୟା ପଛେ ସାକ୍ଷୀଙ୍କ ବିଚାରଣା । ସମସ୍ତେ ସତ କଥା କହିବେ, ଜମି ମିଳିବ ।

 

ତା’ର ତରଳି ଯାଉଥିବା ସବୁଯାକ ଜୋର୍‍ ସେ ଦମ୍ଭ କରି ରଖେ ସେହି ଶୁଭଦିନ ପାଇଁ । ଜମି ମିଳିଯିବ, ତା’ପରେ ଶାନ୍ତିରେ ସେ ଶୋଇବ ଟିକିଏ ।

 

ଖାଲି ଶୋଇଲେ କିଏ ଛାଡ଼ିଦେବ ? ମାଣ୍ଡିଆ ଟିକ୍ରା ବିଭା ହେବେ । ଜିଲି ପାଇଁ ଗୋଟିଏ ଭଲ ବର ଠିକ୍‍ଣା କରି ଜିଲିକୁ ସେ ଫେରେଇ ଆଣିବ । ଘର ଭାଙ୍ଗି ପଡ଼ିଛି, ପୁଣି ଘରକୁ ତୋଳିବାକୁ ପଡ଼ିବ । ପୁଣି ମୂଳରୁ ଆରମ୍ଭ ।

 

ଉତ୍ସାହ ଆସେ, ବୁଢ଼ାପଣ ଭୁଲିହୁଏ । ମାଣ୍ଡିଆର ପୁଅ, ଜିଲି ବିଲିଙ୍କ ପୁଅ ଦେଖିବ ନାହିଁ ସେ ? ହେଲାଣି କେତେଦିନ ତଳର କଥା, ଯେତେବେଳେ ଏମାନେ ପିଲା ଥିଲେ । ତା’ ପରେ ପିଲା ପାଟି ଚହଳ ପକେଇ ନାହିଁ ଏ ଢିଅରେ, ଘର ଶୁନ୍‌ଶାନ୍‌ ।

 

ପୁଣି ମୂଳରୁ । କେତେ କଷ୍ଟ !

 

ଆପଣା ଉପରେ ଦୟା ହୁଏ, ପିଲାଗୁଡ଼ିକଙ୍କ ଉପରେ । ଭୂଇଁରେ ମୁଣ୍ଡ ଠୁକେଇ ତୁହାଇ ତୁହାଇ ଜୁହାର କରେ, କହେ–

 

“ହେ ଦାଦିବୁଢ଼ା, ହେ ଦର୍ମୁ, ହେ ଦର୍ତନୀ ମା’, ପାରା, କୁକୁଡ଼ା ଯେତେ କହିବ ସେତେ ବଳି ଦେବି । ଆଉ ହଇରାଣ କରିବି ନାହିଁ । ମୁଁ ନିଦରବୀ ରଇତ ପିଲା ।”

 

କା’ କା’ । ନାହିଁ ଥାଉ ଆଉ ଟିକିଏ, ଆହୁରି ଦି’ଟା ପାହାଡ଼ ଅଛି ସୂର୍ଯ୍ୟ ଚଢ଼ି ଆସି ଏ ଗାଁରେ ମୁହଁ ଦେଖାଇବାକୁ । ଅଇଛା ଖାଲି କୁହୁଡ଼ି । ଗଛଯାକ ଗୁଣ୍ଡା ଗୁଣ୍ଡା ଧୂଳି ପରି କାକର, ଓରାରୁ ଥପ ଥପ, ବରକୋଳି ପରି । ଓଃ କେଡ଼େ ଶୀତ !

 

ଅଖା ଖଣ୍ଡିକ ଆହୁରି ଟିକିଏ ଓଟାରି ନେଇ ଭଲ କରି ଦେହ ତଳେ ଗେଞ୍ଜି ଦିଏ । ଆଣ୍ଠୁ ଦି’ଟାକୁ ପେଟରେ ଦିଏ ଭୁସି । ଆଖି ବୁଜି ଡାକ ପକାଏ,–

 

“ହେ ଧର୍ମୁ, ହେ ଦର୍ତନୀ ମା–”

ବଡ଼ି ସକାଳୁ ତାଙ୍କର ନାଁ ନେଲେ ଭଲ ।

 

ବାହାରେ ଧୂଆଁ ପରି ବହଳ କୁହୁଡ଼ି । କେହି କେହି ନିଆଁ ଜାଳି ସେକି ହେଉଥାନ୍ତି, ଟୁପୁରୁ ଟାପୁରୁ କଥାବାର୍ତ୍ତା ହେଉଥାନ୍ତି । ସୂର୍ଯ୍ୟ ତଳୁ ଉଠିଉଠିକା ପୂର୍ବଘାଟର ପାହାଡ଼ ଚଢ଼ିବାରେ ଲାଗିଥାଏ ଗୋଟାକୁ ଗୋଟା, ପାଣ୍ଡ୍ରାମାଳି, କୋଡ଼ିଙ୍ଗାମାଳି, ଦେଓମାଳି ।

 

କୋରାପୁଟରେ–

 

ଜମି ମକଦ୍ଦମା ପଡ଼ିଲା । ସୁକୃଜାନି ବନାମ ରାମଚନ୍ଦ୍ର ବିଶେଇ ସାହୁକାର । ସୁକୃଜାନିର ଓକିଲ ନାହିଁ, ଖାଲି କଚିରି ଦୁଆର ସେପାଖେ ‘ଲେଖୁ’ ଆଉ କରାଘାଟିଆ ପୂଝାରୀ, ସେହିମାନେ ବୁଦ୍ଧି ବତେଇଛନ୍ତି, ଏପରି କହିବୁ ସେପରି କହିବୁ ।

 

ରାମଚନ୍ଦ୍ର ବିଶେଇ ଓକିଲ ଧରିଛି, ‘ଟେଟମେଣ୍ଟ’ ଦାଖଲ କରେଇଛି ।

 

ଦୁଇଟା ତାରିଖ ସରିଲା । ତୃତୀୟ ତାରିଖ ଦିନ ହାକିମ ବୁଝେଇ ଦେଲେ, କେଉଁ କେଉଁ ପକ୍ଷ କେଉଁବିଷୟରେ ସାକ୍ଷୀ ଆଣିବେ ।

 

ତାରିଖ କହିଦେଲେ,–

‘‘ଆସନ୍ତା ମାସ ଛ’ ତାରିଖ ଦିନ ତୋର ସାକ୍ଷୀ ଆଣିବୁ ସୁକୃଜାନି । ’’

‘‘କି ବାର ମହାପ୍ରଭୁ ! ତାରିଖ ତ ମନେ ରହିବ ନାହିଁ, ବୁଝା ପଡ଼ିବ ନାହିଁ ମତେ !’’

ହାକିମଗୋଟିଏ କାଗଜ ଦେଖି କହିଦେଲେ–

“ମଝିରେ ତିନିଟା ମଙ୍ଗଳବାର ଛାଡ଼ିଦେବୁ, ତହିଁଆର ମଙ୍ଗଳବାର, ଯା ।”

 

କଚିରି ଘରେ ହୋହା ଘୋଘା, ହାତକଡ଼ି ଛନ୍ଦା ମୁଦେଇ ଘେନି ପୁଲିସ ଆସିଲେ, ଆହୁରି ଲୋକ ଆସିଲେ, ଓକିଲ ଆସିଲେ । ଦଲେଇତ ହାଙ୍କିଲା–

 

“ଯାହାର କାମ ସରିଲା ଯା !!”

 

ପରଜାମାନେ ପଦାକୁ ଆସିଲେ । ମୁଣ୍ଡ ଗୋଳମାଳ ହୋଇ ଯାଉଥାଏ । ହାକିମ କହିଥିଲେ ମଙ୍ଗଳବାର ବାଇଦା, ମନେ ଅଛି, ଆହୁରି କ’ଣ ତାରିଖ କଥା କହିଥିଲେ । ହାକିମଙ୍କ ଉତ୍ତାରୁ ‘ଲେଖୁ’ ସେ ସବୁ ଭଲଭାବେ ବୁଝେଇ ଦେବ ।

 

ଓଲାଆଁସିଆ ପଶୁ ପରି ବଣର ଲୋକ ତ, ସେକି ବୁଝେ ତାରିଖ ବାର, ବାଇଦା ? ଆଉ ତା’ର ମନେ ବି ରହେ ନାହିଁ କିଛି, ସବୁ ଗୋଳିଆପୋଳିଆ ।

 

ପଦାରେ ପିଣ୍ଡାରେ ଗୋଟାଏ କରକୁ କୁଣ୍ଡଳ ଝୁଲେଇ ସାହୁକାର ତାକୁ ଘୋର ‘ଲେଖୁ’ ଓ କରାଘାଟିଆ ପୂଝାରୀ । ସେ ଦୁହେଁ ସୁକୃଜାନି ପାଖକୁ ଆସିଲେ ।

 

‘‘ତାକୁ ଗାଳି କଲୁ, ଓକିଲ ଦେଲେ କ’ଣ ହେବ ? ଡରି ଡରି ମରୁଛି । ’’

ପୂଝାରୀ କହିଲା–

 

‘‘ବାଇଦା ମନେ ରହିଲା ନା ?ହୁସିଆର, ବାଇଦା ଦିନ ନ ଆସିଲେ ମକଦ୍ଦମା ମରିଯିବ, କାନ୍ଦି କାଟି ଗଡ଼ିଲେ ଆଉ ଫଲ ହେବ ନାହିଁ । ’’

 

‘ଲେଖୁ’ କହିଲା,–

 

‘‘କାହିଁକି ମରିବ ମକଦ୍ଦମା ? ବୁଢ଼ା କ’ଣ ଏତେ ଓଲୁ ହୋଇଛି ଜାଣି ଜାଣି ବାଇଦା ଦିନ ନ ଆସି ମକଦ୍ଦମା ମରେଇ ଦେବ ?’’

 

ପୂଝାରୀ କହିଲା,–

 

‘‘ହେତୁ ରଖିଥା, ଆଜିକୁ ମିଶେଇ ଛ’ଟା ମଙ୍ଗଳବାର ଦିନ ଏଠି ବିଚାରଣା, ସାକ୍ଷୀମାନଙ୍କୁ ନେଇ ଆସିବୁ ।’’

 

‘ଲେଖୁ’ ଡାକି ନେଲା–

‘‘ଆ, ତୋର ସାକ୍ଷୀମାନଙ୍କ ନାଁ କହିବୁ, କିଏ କ’ଣ କହିବ ମୁଁ ବତେଇ ଦେବି ।’’

ପିଣ୍ଡା ସେପାଖେ ସାହୁକାର ତା ଲୋକକୁ ପାଟି କରି ଡାକି ଡାକି ଚାଲିଗଲା–

 

‘‘ଆସରେ ଯିବା, ଆଜିକୁ ମିଶାଇ ପଞ୍ଚଟା ମଙ୍ଗଳବାର ଗଲେ ଛ’ଟା ମଙ୍ଗଳବାର ଦିନ ପୁଣି ଆସିବା, ଆସ ଯିବା ।’’

 

ଦୁଇପକ୍ଷ ଦୁଇଆଡ଼େ ବାହାରିଗଲେ ।

 

ସେହିଦିନ ସଞ୍ଜବୁଡ଼େ ଟରଣୀ ପୂଝାରୀ କରାଘାଟିଆ ସାହୁକାରକୁ ଗୁପ୍ତଭାବେ ଭେଟିଥିଲା, ସେ ପକ୍ଷପାତି ଏ କଥା ତା’ର ଶତ୍ରୁ ବି କହିବେ ନାହିଁ । ସବୁ ମାମଲାବାଜ୍‌ ଲୋକଙ୍କୁ ସାହାଯ୍ୟ କରିବା ତା’ର କର୍ତ୍ତବ୍ୟ ।

 

ତହିଁଆର ଦିନ ସୁକୃଜାନି ଘରକୁ ଫେରିଗଲା । ପୁଣି ‘ଲେଖୁ’ ଆଉ କରାଘଟିଆ ପୂଝାରୀ ତାକୁ ଅଭୟ ଦେଲେ, ସେ ଟଙ୍କା ଦେଲା ।

 

ପୂଝାରୀ କହିଲା–

 

‘‘କେମିତି ଝାଡ଼ିଦେଲି ତାକୁ କୋରଟ୍‍ ଘର ପିଣ୍ଡାରେ ଜାଣିଚୁ ନା ?’ ଗୁଣ୍ଡିଆ (ଛାତି) ଥରି ଯାଇଥିବ ।’’

 

ପୁଣି ଅଳ୍‍ସିଫୁଲିଆ ବାଟେ ବାଟେ ଘରମୁହାଁ ।

ଗଣି ଗଣି ପାଞ୍ଚଟା ମଙ୍ଗଳବାର ମାହୁରି ।

ମଙ୍ଗଳବାର ଆଉ ସରେ ନାହିଁ ।

 

ବଙ୍କେଇ ଢଙ୍କେଇ ଲହ ଲହ ସାବ୍‌ଜା ବେଢ଼ା (ଧାନଗହୀର ନଈ) ଭିତରେ ଦିନୁ ଦିନ ଅରାଏ ଅରାଏ ଚନ୍ଦା ଦିଶେ, ଧାନ ସବୁ କଟା ହୋଇଯାଏ, ଚନ୍ଦା ଅରାଗୁଡ଼ାକ ବଢ଼େ । ମାଣ୍ଡିଆ ସୁଆଁ କଟା ହୋଇଯାଏ, ଦମକର ମୁଣ୍ଡ ଖାଲି । ପାହାଡ଼ କରର ହଳଦିଆ ଅଳ୍‍ସି କ୍ଷେତ କଳା ପଡ଼ିଆସେ । ଏ ମଙ୍ଗଳବାର ଏଠି ସେ ମଙ୍ଗଳବାର ସେଠି ଅଳ୍‍ସି ପାଚେ ।

 

ଦିନଯାକ ଗାଁର ଘରେ ଘରେ କବାଟ ପଡ଼େ, କଟାକଟି, ବନ୍ଧାବନ୍ଧି ବେଳ । ରାତିରେ ଡୁଙ୍ଗୁଡୁଙ୍ଗା ବେଶି ବାଜେ ।

 

ମଣିଷଙ୍କ ସମ୍ପଦ ବଢ଼େ, ମାଟିର ସମ୍ପଦ କମେ, ମଣିଷ ହାତରେ ସବୁ ଅଜାଡ଼ି ଦେଇ ନୁଖୁରା ମୁଣ୍ଡ ଦେଖାଇ ଫିକା ମୁହଁରେ ଉଦାସ ହସ ହସିଲା ପରି ମାଟି ପଡ଼ି ରହିଥାଏ । ଦିନଯାକ ରଣ କୁହୁଡ଼ି, ରାତିଯାକ କାକର ।

 

ଏଇ ପଣ୍ଡ୍‌ (ମାର୍ଗଶିର) ମାସରେ ବେଶି ଶୀତ ।

ଜହ୍ନପକ୍ଷ ରାତି ଆସିଲା । ଆହୁରି ଦୁଇଟା ମଙ୍ଗଳବାର ବାକି ।

 

ବହଳ କୁହୁଡ଼ି ରାତିରେ ନିଆଁମିଶା ଧୂଆଁ ପରି ଦିଶେ । ଟିକ୍ରା ମାଣ୍ଡିଆ କିଏ କୁଆଡ଼େ ପଳାନ୍ତି । ବଡ଼ଗଛ ମୂଳର ଗାଁ ଭେରାମଣ୍‌ ଆଡ଼କୁ ରାତିର ପେଜ୍‍ଖିଆ ପରେ ଖାଲି ଝୁମୁର୍‌ ଝୁମୁର୍‌ । କୁହୁଡ଼ି ଉପରେ ହାଲୁକା ଛାଇ ପଡ଼େ । କିଏ କେଉଁଆଡ଼େ ଚାଲିଯାଏ । ଖାଲି ମିଶାମିଶି, ଭେଟାଭେଟି, ନୂଆ ଚାଉଳର ଲନ୍ଧା ପିଇ ଆଖି ଢୁଳୁଢୁଳୁ, ଖଳ ଖଳ ହସ ଶବ୍ଦ ଏପାଖେ ଯାଏ, ସେପାଖେ ଯାଏ, କହୁଡ଼ିଆ ଜହ୍ନରାତିର ରହସ୍ୟ ଲାଗିଥାଏଁ । ଦେହର ଦେହର ଉଷୁମ୍‌ରେ ପଣ୍ଡ୍‌ମାସର ଶୀତ ହାରିଯାଏ, ଅଖା ଦରକାର ହୁଏ ନାହିଁ ।

 

ଘର ଆଗରେ ନିଆଁ ଜାଳି ବୁଢ଼ାବୁଢ଼ୀମାନେ ବସି ଗପ କରୁଥାନ୍ତି । ଜହ୍ନ ଭାସି ଚାଲେ ।

 

ସୁକୃଜାନି ଧରିବସେ ନନ୍ଦିବାଲିକୁ, ଗପ ଲଗାଏ । ବିଲି ଛଟପଟ ହୋଇ ସାହି ବୁଲି ଚାଲିଯାଏ ।

 

‘‘ଦେଖିଲୁ ବାବା ନନ୍ଦିବାଲି, ନୂଆ କ୍ଷେତର ପାଚି ଦି’ଟା, ତିନି ଚାରି ମାସ ଚଳେଇ ଦେବ ସିନା, କାହିଁକି ପାଏ ସେ !’’

 

‘‘ତଥାପି ଖୁବ୍‌ ପାଚିଛି । ନୂଆ ମାଟି, ନୂଆ ଖତ, ଭଲ ହୋଇ ମିଶି ନାହିଁ । ଆର ବର୍ଷକୁ ଦେଖିବୁ– । ’’

 

‘‘ଆର ବର୍ଷକୁ ! ମକଦ୍ଦମା ତ ସରିବା ଉପରେ । ଆସନ୍ତା ମଙ୍ଗଳବାର ଆମର ସାକ୍ଷୀ, ତା’ପରେ ଗୋଟାଏ ଗୋଟାଏ ଦୁଇଟା ବାଇଦା, ତା’ପରେ ତ ପୁରୁଣା ଜମି ହାତକୁ ଆସିଯିବ । ଆଚ୍ଛା, କହିଲୁ ଭଲା, କମଳା ଗଛଗୁଡ଼ାକ ରଖିବା ନା କାଟିଦେବା– ?’’

 

ଦେଖ୍‌ ମାମା (ଶଶୁର), ଆଗରୁ ଏତେ ପ୍ରକାର ଭାବିଚିନ୍ତି ନିଷ୍ପତ୍ତି କରାଇବାକୁ ମୁଁ ଠିକ୍‍ଣା ଭାବେ ନାହିଁ । ଖଶଳି ଆଶାରେ ଭାସିଗଲେ ପଛେ ଶୁଖିଲାରେ ପଡ଼ିଲେ ମହା କଷ୍ଟ କଥା । ନା, ମୁଁ କହୁ ନାହିଁ ସାହୁକାର ଧର୍ମକୁ ବଢ଼ି ଜିଣି ଚାଲିଯିବ, କିନ୍ତୁ ମକଦ୍ଦମା ସରୁ ସେ ସବୁ ବିଚାର । କେଡ଼େ ତାନ୍ତର୍‍ ଲୋକ ସେ ! କେତେ ଫନ୍ଦି କରିବ ! ବଡ଼ ଲୋକେ ତା’ର ବନ୍ଧୁ, ଏଡ଼େ ସହଜରେ ସବୁ ହୋଇଯିବ ମୁଁ ଭାବୁ ନାହିଁ । ହେବ କିନ୍ତୁ କଷ୍ଟ ପଡ଼ିବ, ମୁଁ କହି ଦଉଚି ଦେଖିବୁ ।

 

ଯାହା ହବ ମାମା, ଏଡ଼େ ଡହଳ ବିକଳ କାହିଁକି ? ଧରମ୍ ଅଛି ସେ ଦେଖିବ । କିନ୍ତୁ ଆଗରୁ ତୁ ସବୁ ନିଷ୍ପତ୍ତି ନେ ନା, ଧରମ୍ ଚିଡ଼ିବ, କହିବ ମତେ ବଳିଗଲା ।

 

ସୁକୃଜାନି ତୁନି ହୋଇ ବସି ନିଆଁ ପୁଇଁଲା । କୁହୁଡ଼ି ଧୂଆଁର ଓଲଟ ପାଲଟ ଚାଲିଛି । ପଣ୍ଡ୍‍ ମାସର ଶୀତ ! ପରିଷ୍କାର ବଡ଼ ନେଳିଆ ଆକାଶ ତଳେ ଜହ୍ନଛୁଆ କୁହୁଡ଼ିର ସମୁଦ୍ର କେଡ଼େ ସୁନ୍ଦର ଦିଶେ ।

 

ଗୁମ୍ଫା ପରି ମେଲା ହୋଇଯାଏ, ପୁଣି ଝରଣା ପରି ଭୁରୁଭୁରୁ ହୋଇ ଧାଇଁ ଧାଇଁ ଯାଏ ଖାଲ ଭର୍ତ୍ତି କରି । କି ସୁନ୍ଦର !

 

କିନ୍ତୁ ନିରେଖି ଅନୋଉଁ ଅନୋଉଁ କିଛି ବାରିହୁଏ ନାହିଁ । ସୁବ ଆସି ଚାଲିଯାଏ ।

କବାଟଗୁଡ଼ାକ ପଟ ପଟ ହୋଇ ପଡ଼ିଯାଏ ।

ଖାଲି ଗୋଟାଏ ନିଛାଟିଆ ଶୀତ ରାତି ।

ଶୂନ୍‌ଶାନ୍‌ ।

କିଛି ନାହିଁ ।

ଏପିଲା ଗୁଡ଼ାକ !

ଏ ନନ୍ଦିବାଲିଟା ।

ପିଲାଦିନୁଁ ବୁଢ଼ା ।

ଆଗ ଅଶୁଭ ମନାସି ବସିବେ, ଭାବିବେ ଭାରି ବୁଧିଆ କାମ ସେ !

ସବୁଥିରେ ସନ୍ଦେହ ।

ଆଗ ଦେଖିବେ ନ ହେବାଟା ।

 

ଏଇ ଦୁର୍ବଳ ମନରେ ସେମାନେ ମଣିଷ ହେବେ ? ଖାଲି ଭାବ ଚିନ୍ତ ! ସାତ ପାଞ୍ଚ, ପାଞ୍ଚ ସାତ । ମାପ ! ‘‘ଗୋଡ଼ ଚିପ ଚିପି ଚାଲ !’’

 

କୁହୁଡ଼ି ଚିରି ଚିରି ଦୂର କନ୍ଧଗାଁର ଯୋଡ଼ି ବଇଁଶୀରେ ଗୋଟାଏ ପୁରୁଣା କନ୍ଧ ରାଗିଣୀ । ଦୁଇଟାର, କୁହୁଡ଼ି ଉପରେ ଉପରେ ଖାଲି ଗୋଡ଼ିଆଗୋଡ଼ି ।

 

ଏକାଠି ଗୁରେଇତୁରେଇ ହୋଇଯାଇ ଟଳିଟଳିକା ଗଡ଼ି ପଡ଼ୁଛି କେଉଁଠି, ପୁଣି ଛଡ଼ାଛଡ଼ି, ଗୋଟାକ ପଛେ ଗୋଟାଏ ଧାଇଁଛି, ଥରେ ଥରେ ଏକାଠି ପାଦ ମିଶେଇ ଥୋଡ଼େ ବାଟ, ତା’ପରେ ଛନ୍ଦାଛନ୍ଦି । ଯାଉ ଯାଉ କ୍ଲାନ୍ତ ହୋଇ ଢୁଲେଇ ପଡ଼ୁଛନ୍ତି । ଧୀରେ ପକ୍ଷୀ ମେଲି ଉଡ଼ି ଉଡ଼ି ଚାଲିଛନ୍ତି ଆଲୁଅରେ ଆଲୁଅରେ, ଧୂଆଁ ଉପରେ ଉପରେ, କୁଆଡ଼େ କେଜାଣି !

 

ସୁକୃଜାନି ଅନ୍ୟମନସ୍କ ହୋଇ ଯାଇଥିଲା । କାକର ଲାଗିଲେ ଜହ୍ନରାତିରେ ଏହିପରି ଢୁଳେଇ ହୁଏ ।

 

‘‘ଆଜି କାଲିକା ପିଲାଗୁଡ଼ାକ !’’ ଚିନ୍ତା ଚାଲିଲା–‘‘ଭାରି ଦୁର୍ବଳ, ଡର ବେଶି କାମ କମ୍‌ । ଜଙ୍ଗଲ ପତଳା ହୋଇଯାଇଛି, ବର୍ଷା କମିଯାଉଛି ଏ ଦେଶରେ । ପିଲାଗୁଡ଼ାକ ଫସ୍‌ଫସିଆ, କଳିଂଦେଶର ସମତଳ ପରି । ଗୋଡ଼ି ପଥର ନାହିଁ । ’’

 

ମାଣ୍ଡିଆ ଟିକ୍ରା ବିଭା ହୋଇ ନାହାନ୍ତି । ସେ କାହାର ଦୋଷ ? କନିଆଁ ଗୋଟିଏ ଗୋଟିଏ ଧରି ଆଣି ଦେବାକୁ ପୁଣି ତାଙ୍କୁ ପଡ଼ିବ ? ହସ ମାଡ଼େ ।

 

ନନ୍ଦିବାଲି ପୁରୁଣା ଲୋକଙ୍କ ପରି କେତେକେ ଟାଣୁଆ । କିନ୍ତୁ ହିସାବୀ ହେବାକୁ ଚାହେଁ ଏ ବୟସରେ, ଆଉ ଆଗ ଦେଖେ ଅମଳଟାକୁ ।

 

‘‘ପିଲାଲୋକ ତୁ ନନ୍ଦିବାଲି । କାହାକୁ ଏତେ ଡର ? ଜମି ଆମେ ନିଶ୍ଚେ ପାଇବା । ବହୁତ କାମ ଲାଗିବ, କମଳା ଗଛ କଥାଟା ଆଗରୁ ଠିକ୍‍ଣା କରି ରଖିବା ଭଲ । ଥଶଉ ଗଛ କେଇଟା, ତା ମଝିରେ ମଝିରେ ବରଂ ମାଳୀ ବଗିଚା ପରି ରସୁଣ ଲଗେଇ ଦେବା । ତା’ ଚାରିପାଖେ ତାଷ କରିବା । ମଝିରେ ସେ ଥାଉ, ତୋଟା ହେବ । ’’

 

‘‘ହଁ, ଆଉ ଫଳ ପାଚିଲାବେଳକୁ ପୁଣି ସାହୁକାର ଆସିବ, କହିବ ମୁଁ ଲଗେଇଥିଲି, ଫଳତକ ମୁଁ ନେବି । ପୁଣି କଜିଆ । ’’

 

‘‘ତେବେ କାଟି ପକେଇଲେ ଭଲ ହେବ ତୁ ଭାବୁଚୁ ? ହଉ ତୋର ଇଚ୍ଛା ।’’

 

ପୁଣି ଅନ୍ୟମନସ୍କ ହେଲା । ଓଃ କେଡ଼େ ଶୀତ ! ରାତି ବଢ଼ିଲାଣି, ତଥାପି ନାଟ ଲାଗିଛି ଗାଁ ଦାଣ୍ଡରେ ! ଏ ପିଲାଗୁଡ଼ାଙ୍କୁ ଶୀତ କରୁନାହିଁ ?

 

‘‘ସାକ୍ଷୀମାନଙ୍କୁ କହିଚୁ ତ ନନ୍ଦିବାଲି ? ଧୁଙ୍ଗିଆ (ଧୂଆଁପତ୍ର) ପାଣି ଦେଇ ଚର୍ଚ୍ଚା କରି ତାଙ୍କୁ ନେବାକୁ ପଡ଼ିବ । ଆମର ସାକ୍ଷୀ ତ, ଆମର ସାକ୍ଷୀ ତ, ଆମେ ନ କଲେ କିଏ କରିବ ?’’

 

‘‘ଶୁଣିଲୁଣି ମାମା, ସାହୁକାର ଗାଁର ସବୁ ଲୋକଙ୍କୁ ଡକାଇ ନେଇ ଫୁସୁଲୋଉଥିଲା, ସେମାନେ କୁଆଡ଼େ ତା’ କଥାରେ ପଡ଼ିବାକୁ ନାହିଁ କଲେ, ଯେତେ ଶିଖେଇଲେ, ନାହିଁ–’’

 

ସୁକୃଜାନି ହସିଲା ।

 

‘‘ଓ, ସେଇଥିପାଇଁ ତୁ ଏମତି କହୁଥୁଲୁ ? ଧରମ୍‌ ଅଛି । ଧରମ୍‌ । ତୁ ଏତେ ଭାବି ଧନ୍ଦି ହେବା ଦରକାର ନାହିଁ । ସାହୁକାର ଶିଖୋଉଥିଲା, ଏଁ ? କୋର୍ଟୁ ଘର ତା ତଣ୍ଟିରୁ ଧରିଛନ୍ତି, ନିଦ ହେଉ ନ ଥିବ । ସେଇଟା କିଏ ରେ ? ଏ ମୋର ଦାଦିଆନିର ଗାଁ ନା ତା’ର ? ସେ କହିଲେ ଲୋକଗୁଡ଼ାକ ଅଧର୍ମ କରି ମତେ ମାରିଦେଇ ତାକୁ ବଡ଼ କରିବେ ? କାଲି ଯିବା ନାଇକ ପାଖକୁ, ପଚାରିବ ।’’

 

ଜିଲି କଥା ଭାବି ହାଡ଼ ଜଳେ । ଗୋଟାଏ ପୁଅ ପରି ମଣିଷ ହୋଇଥିଲା, ସବୁ କାମ କରିବ, କୋଉ ଭେଣ୍ଡିଆ ତା ସାଙ୍ଗକୁ ? ଆଜି ତୁନି ହୋଇ ବସି ରହିଚି ସାହୁକାର ବସାରେ । ଏଣେ ସାହୁକାର ଲାଗି ପଡ଼ିଚି କେମିତି ତା’ ବାପ ଭାଇଙ୍କୁ ନଚେଇବ ! ସାକ୍ଷୀଙ୍କୁ ଶିଖୋଉଚି !

 

ମଣ୍ଡିଆ ଘରକୁ ଫେରିଲା । କୋଉଠି ପିଇ ଦେଇଛି ।

‘‘ଶୁଣିଲୁଣି ନା ମାଣ୍ଡିଆ, ସାହୁକାର ସାକ୍ଷୀଙ୍କୁ ଶିଖୋଉଚି ।’’

ମାଣ୍ଡିଆ ରଗିଗଲା, ଟଳିଟଳିକା ପାଟିକଲା–

 

‘‘ଏମିତି ସେ ସାଧ୍ୟ ହେବ ନାହିଁ ବାପା । ଏବେ ଯିବି । ତାକୁ କୁଚ୍‌କୁଚା କରି କାଟି ସେଇ ଭୂଇଁରେ ପୋତି ଦେବି । ତାକୁ ହାଣି, ଟିକି ଟିକି କରି ହାଣିବି,– ମତେ କେହି ଅଟକା ନା, ମୁଁ କହି ଦଉଚି, ଛାଡ଼ଦିଅ । ମୁଁ କିଏ ଜାଣିଚ ନା ? ଧର ନାହିଁ କହୁଚି,- ନଇଲେ ମୋର ଅଶ୍ରୁ, ମୋରି ବାପାର ଅଶ୍ରୁ, ମୋର ଟିକ୍ରାର ଅଶ୍ରୁ–ସମସ୍ତିଙ୍କର ଅଶ୍ରୁ ତୁମ ଉପରେ ପଡ଼ିଯିବ । ସେତେବେଳେ ? ତାନ୍ତର୍‍ ! ପଟ୍‍କାର୍‍ ! ଡମ୍‌ ପଟ୍‍କାର୍‍ । ତାକୁ କୁଚ୍‌କୁଚା କରି–’’

 

ମାଣ୍ଡିଆ ଟଳି ଟଳି ଘର ଭିତରେ ପଶିଗଲା । ନନ୍ଦିବାଲି ହସିଲା ।

‘‘ଜବର ପିଇଚି, ମାତ୍ର ସତ କହିଲା–’’

ସୁକୃଜାନି କହିଲା–

‘‘ହଁ, ଘର ଭିତରେ ଅଇଛା କୁଚ୍‌କୁଚା କରି ହାଣିବ ସେ–’’

 

ପୁଣି ସେଇ ଜିଲି କଥା ମନେପଡ଼େ, ରାତି ଝାଇଁ ଝାଇଁ ଡାକିଲେ ପିଲାବେଳୁ ମା’ ଛାଡ଼ିଦେଇ ଚାଲିଗଲା... ।

 

ଏଡ଼େଶୀତରେ କ’ଣ କରୁଥିବ ସେ ! ସାହୁକାର ତାକୁ ପାଳିବ ! ଯାହାର ନାଁ ଧରିଲେ ଭାତ ମିଳେ ନାହିଁ ! କାହିଁକି ଜିଲି ଗଲା ? ବାୟାଣୀଟାଏ ସେ ।

 

କାହିଁକି ମଣିଷ ବଞ୍ଚିରହେ ? କି ସୁଖ ପାଏ ? ଖାଲି କଲବଲ ।

 

ପଞ୍ଜରା ହଲେଇ ଦେଇ ନିଃଶ୍ୱାସ ଝାଙ୍କିଲା, ନା, ସେ ବଞ୍ଚିଥିବ, ଜମି ମୁକୁଳେଇବା ପର୍ଯ୍ୟନ୍ତ ଅନ୍ତତଃ ।

 

କିନ୍ତୁ ଏଇ ନିଶ୍ଚଳ ରାତିରେ ଡୁମା ହୋଇ କୁହୁଡ଼ି ସାଙ୍ଗେ ମିଶି ବୁଲିବାରେ କେଡ଼େ ଆନନ୍ଦ ଥିବ ! ଭୋକ ନାହିଁ କି ଦୁଃଖ ନାହିଁ, ଖାଲି ସଫା ଆକାଶ ଆଉ ଜହ୍ନ ଆଲୁଅ ।

 

କେହି କୁଆଡ଼େ ନାହିଁ । ନିଆଁଟା ଜଳି ଲାଗିଛି ମଶାଣି ନିଆଁ ପରି, କାଠଗୁଡ଼ାକ ଖଟ ଖଟ ହୋଇ ଫୁଟୁଛି । ନନ୍ଦିବାଲି ଶୋଇବାକୁ ଗଲାଣି । ଡୁମା, ଭୂତ, ସେମାନେ ବୁଲୁଥିବେ, ଏଇ ନିଛାଟିଆଟାରେ, ପଞ୍ଝା ପଞ୍ଝା ।

 

ସେ ଗଛ ଉପରୁ ଛାଇଗୁଡ଼ାଏ ଉଡ଼ିଆସିଲା ପରି ଦିଶୁଛି । ଧୀରେ ପବନ ଦେଲା, ସତେ କି କାକର ମେଞ୍ଚାଏ କିଏ ଅଜାଡ଼ି ଦେଲା ଛାତି ଉପରେ ! ସୁକୃଜାନି ଶୋଇବାକୁ ଗଲା ।

 

ପୁଅ, ଝିଅ, ଘର, କ୍ଷେତ । କାହାଳୀ ଧୂଆଁପତ୍ର ପିକା । କୁଆଡ଼େ ରହିବା ଏ ସବୁ ? ନାତି ପଣନାତି ସେ ଦେଖିବ ନାହିଁ ? ଭଙ୍ଗା ଘର ସେ ଉଠେଇବ ନାହିଁ ? ସୁକୃଜାନି ମରିବାକୁ ଡରିଲା ।

 

କେଡ଼େ ନିଛାଟିଆ ! ଆଖିବୁଜିଲେ ଖାଲି ସମ୍ବାରୀ ଛବି ।

 

“ନା ନା, ଦଣ୍ଡେ ଥା’ ସମ୍ବାରୀ, ଏତେଦିନ ତ ଗଲାଣି । କାମ ଦି’ଟା ଅଛି ସାରିଦିଏଁ ତା ପରେ ପଛେ –”

 

ଘରୁ ଘୁଙ୍ଗୁଡ଼ି ଶୁଭୁଛି ।

ସବୁ ଥିରିଥାରି ।

ନିଆଁ ନିଭିଗଲାଣି ।

 

ଶୁକ୍ରବାର ସକାଳୁ ଉଠି ଘର ଲିପା ହୋଇଥିଲା, ଘର ଆଗରେ ଆମ୍ବପତ୍ର ଝୁଲୁଥିଲା, ଛକ ଉପରେ ପୂଜା କରି ଦିସାରି କୁକୁଡ଼ା ଡିମ୍ବ ଭାଙ୍ଗିଥିଲା, କାଉ କୁକୁରଙ୍କୁ ଭାତ ଦିଆ ହୋଇଥିଲା ।

 

ସୁକୃଜାନି ତରଫର ସାକ୍ଷୀ ବିଚାର ହେବେ ମଙ୍ଗଳବାର ଦିନ, ଦି’ ଦିନ ଆଗରୁ ଯିବା ଦରକାର ।

 

ନଅଜଣ ସାକ୍ଷୀ, ଯେଉଁମାନେ ବନ୍ଧା କଥା ଜାଣନ୍ତି, ଯାହାଙ୍କର ଏ ଜମିକୁ ମିଶି ଜମି ଅଛି ଓ ଗାଁର ନାଇକ ବାରିକ । ଏତେ କଷ୍ଟ ସମସ୍ତିଙ୍କୁ ଯିବାକୁ ମଙ୍ଗେଇବାକୁ ।

 

ଅକଡ଼େଇବା ପାଇଁ ଗୋଡ଼ ଲମ୍ବେଇ ବସି ରହିବା ପାଇଁ ସାହିବାଲାଙ୍କର ତିନୋଟା ମୋଟେ ବେଳ, ଗୋଟାଏ ବାହା ନିମିତ୍ତ, ଗୋଟାଏ ଶୁଦ୍ଧିକ୍ରିୟା, ଆଉ ଗୋଟାଏ ମକଦ୍ଦମା ଘଡ଼ି ।

 

କିଏ କହିଲା ତା’ର ଫସଲ କଟା ହେବ, ତର ନାହିଁ । କାହାର ଅଣ୍ଟା ବଥୋଉଚି ସେ ଚାଲିପାରିବ ନାହିଁ, କିଏ ସଫା ସଫା କହେ–

 

“ଘରେ କିଛି ପଇସା ନ ଦେଇ ଗଲେ ଏ କେତେଦିନ ଘର ଚଳିବ କେମିତି ?”

 

ଉପାଧିଆ ପଡ଼ି, ଫୁସୁଲା ଫୁସୁଲି ମାନ ଅଭିମାନ କରି ଭାତ ଭାତିଆ ଦେଇ ବାପପୁଅ ସେମାନଙ୍କୁ ନେଇ ଚାଲିଥିଲେ ।

 

ମଙ୍ଗଳବାର ପାଖେଇ ଆସିଲା, ହୋଇ ଆଗରେ ।

 

ଶକ୍ରବାର ସଞ୍ଜବୁଡ଼େ ସାକ୍ଷୀମାନେ ଡ଼ୁର୍କାଗୁଡ଼ାରେ ଧରି ବସିଲେ ଏଠି ଗୋଟିଏ ଖାସି କଟାହେବ, ରନ୍ଧାମଦ କିଣାହେବ ପିଆ ହେବ । ଓଃ ! ବାଟ ଚାଲିବା କ’ଣ ଏମିତି କଥା ! କାହାର ଗରଜ ପଡ଼ିଛି କୋରାପୁଟରେ ଯାଇ କିଚିରିରେ ଚଢ଼ୁଛି ? ଦେହର ବଥା ଭଲ କରିବାକୁ ଖାସି ମାଂସ, ରନ୍ଧାମଦ ।

 

ମାଣ୍ଡିଆ ନନ୍ଦିବାଲି ସବୁ କରିଦେଲେ ।

 

ତହିଁଆର ଦିନ ସମସ୍ତେ ଏକାବେଳକେ ମନେ ପକେଇଲେ, ଧୂଆଁପତ୍ର ସରିଗଲାଣି, ବାଟରୁ କିଣି ନ ନେଲେ ଚଳିବ ନାହିଁ । ଓଃ ! ଯେଉଁ ଖରା ଆଉ ବାଟଚଲା ! ପାଟିରେ ଧୂଆଁ କଳେ ନ ଥିଲେ ପାଦ ପଡ଼ିବ କେମିତି ? ତା ବି ସହିବାକୁ ହେଲା ।

 

ସୁକୃଜାନି ପୁଅ ଓ ଜୋଇଁଙ୍କୁ ଡାକି କରି କହିଲା–

 

“ବାଟରେ ଏତେ ଖର୍ଚ୍ଚ, ପୁଣି ‘ଲେଖୁ’ ଅଛି, କରାଘାଟିଆ ପୂଝାରୀ ଅଛି, ମକଦ୍ଦମା ଜିଣିଲେ ବଡ଼ ଭୋଜି ଅଛି ।”

 

ନନ୍ଦିବାଲି କହିଲା–

 

“ଚୁପ୍‍ । ଚୁପ୍‍ । ଖର୍ଚ୍ଚକୁ ଗେଁ ପେଁ ହଅ ନା, ସାକ୍ଷୀମାନେ ବିଗିଡ଼ିଗଲେ ହାରିଯିବାକୁ ପଡ଼ିବ, ଯାହା ଚାଲିଛି ଚାଲିଥାଉ ।”

 

ସୁକୃଜାନିକୁ ମନେ ମନେ ସେତେ ଖରାପ ଲାଗେ ନାହିଁ । ତା’ର ନିମିତ୍ତ ପଡ଼ିଛି । କେତେ ଲୋକ ତା’ ପକ୍ଷରେ, ପଙ୍ଗତ ଜମେଇ ଏକଜୋଟ ହୋଇ ସମସ୍ତେ ଚାଲିଛନ୍ତି କୋର୍ଟୁ ଘରକୁ ତା’ର ଦାଦିଆନିକାଳର ଜମି ତା’ ପାଇଁ ଛଡ଼େଇ ଆଣିବାକୁ । ଗୋଷ୍ଠୀ ତା’ର ସେ ଗୋଷ୍ଠୀର । ବାଟ ହାଲୁକା ଲାଗେ, ସାହୁକାର ଆଙ୍ଗୁଠି ଦେଖେଇ ହୁଏ ।

 

କେଉଁ ଦିନୁଁ ସାହୁକାରର ଖବର ମିଳିନାହିଁ । ଏ ଗାଁକୁ ସେ ଆଉ ଆସି ନାହିଁ । ମଙ୍ଗଳବାର ତାରିଖ । ବୋଧହୁଏ ତା’ର ଓକିଲ ପାଖକୁ ଯାଇଥିବ । ଯାଉ, କିଏ ପଚାରେ ?

 

ଶନିବାର ସଞ୍ଜରେ କୋରାପୁଟ୍‍ ପାଖ ବଡ଼ଚନ୍ଦ୍ରିରେ ଦାନିଏଲ୍‍ର ଚଟିଘରେ ସମସ୍ତେ ରହିଲେ ।

 

ଆହୁରି କେତେ ପଞ୍ଝା ମକଦ୍ଦମା ଲୋକ । କିଏ କେଉଁ ବଣ ଭିତରୁ ଆସିଛନ୍ତି । ଝୋଲା ଟଙ୍କା ମକଦ୍ଦମା ଜମି କଜିଆ । ମକା ଚୋରି ।

 

“ସାହୁକାରକୁ ଦେଖିଲ କି ?”

“ନାହିଁ, ନା ଜାଣୁ ଆମେ ।”

 

ଚଟିଘରେ ବସି ମକଦ୍ଦମା କଥା ପଡ଼ିଗଲା । କିଏ କ’ଣ କହିବ, କିପରି କହିବ ।

 

‘ଲେଖୁ’ ଶିଖେଇ ଦେଇଚି, ସାହୁକାରର ଓକିଲ କୁଆଡ଼େ ସାକ୍ଷୀଙ୍କୁ ପଚାରିବ । ସେତେବେଳେ ଜବାବ୍ ଦେବାକୁ ପଡ଼ିବ ।

 

“ନାହିଁ । ମିଛ କଥା । ମତେ କିଛି ଜଣା ନାହିଁ ।”

 

ଘୋରତେଇ ପୋରତେଇ ଖାଲି ଏଇ ତିନି ପଦ କଥା, ଓକିଲ କିଛି କରିପାରିବ ନାହିଁ । ‘ଲେଖୁ’ ସବୁ ଜାଣେ ।

 

ଉଜ୍ଜ୍ୱଳ ଜହ୍ନ ।

 

ଚିନ୍ଦ୍ରିଗାଁର ଖୋଲ ଭିତରୁ କୋରାପୁଟ୍ ଦିଶେ ଗୋଟିଏ ବଡ଼ ହୁଙ୍କା ପରି, ସେଥିରେ ଛତୁ ଫୁଟିଛି । ଗୋଟିଏ ଲେଖାଁ ଛତୁ ଗୋଟିଏ ଲେଖାଁ ଅଧିକାରୀଙ୍କ ଘର ।

 

କୁହୁଡ଼ି ଢାଙ୍କିଦିଏ । ବଡ଼ ସହରକୁ ଭୟ ତୁଟିଯାଏ ।

 

ଦୂରରେ ଗୋଟିଏ ନିଛାଟିଆ ମୁଣ୍ଡିଆ ଆଗରେ କେଉଁ ବୁଦୁବୁଦ୍‍କିଆ ବସ୍ତିରେ ବଡ଼ ନିଆଁଟାଏ ଜଳୁଛି । ଚାରିପାଖେ ଢେଉ ପରି ସାନ ବଡ଼ ଖାଲି ମୁଣ୍ଡିଆ, କୁହୁଡ଼ି ଘୋଟିଛି ।

 

ଘର ମନେପଡ଼େ, ସେଠି ବି ଠାଆକୁ ଠାଆ ନିଛାଟିଆ ନିଆଁ ଜଳୁଥିବ । ପଲାରେ ଜଗୁଳିଆ କ୍ଷେତ ଜଗିଥିବ । ଏ ଗାଁକୁ ସେ ଗାଁ ଖାଲି ଶିଙ୍ଗା ଶବ୍ଦ ଜନ୍ତୁ ହୁରୁଡ଼େଇବା ପାଇଁ । ନିଛାଟିଆ ପଦାରେ କୁହୁଡ଼ି ଗଡ଼ୁଥିବ, ଯେ ଯୁଆଡ଼େ ଶୋଇବେଣି ।

 

ଘରେ ଥିଲେ ଘର ଦିଶେ ନାହିଁ, ଦୂରରୁ ବାରି ହୁଏ, କୋଶ କୋଶ ଦୂରରୁ ସେଠୁ ଭଲ ଦିଶେ ।

 

ସମସ୍ତେ ଶୋଇଲେ । ସୁକୃଜାନି ତା’ର କ୍ଷେତକୁ ସ୍ୱପ୍ନ ଦେଖିଲା । ଗୋଟିଏ ଟାଙ୍ଗିଆ ଧରି ସେ ଆଉ ତା’ର ସମସ୍ତେ ଲେମ୍ବୁ ଗଛଗୁଡ଼ାକ ହାଣି ପକୋଉଛନ୍ତି ।

 

ହଣା ଲାଗିଛି, ତଥାପି ଗଛ ସରୁ ନାହିଁ । ....

 

ରବିବାର ସୋମବାର କୋରାପୁଟ୍‍ରେ ବୁଲାବୁଲି । ‘ଲେଖୁ’ ନାହିଁ, କରାଘାଟିଆ ପୂଜାରୀ ନାହିଁ, କଚିରି ଖାଲି । ଲୋକେ କହିଲେ କିଚିରି ଛୁଟି ଅଛି ଏ ଦି’ ଦିନ ।

 

ବୁଲି ବୁଲି ଛଟପଟ ହୋଇ ହୋଇ ଦିନ କଟିଲା, ମଙ୍ଗଳବାର ସକାଳ ପାହିଲା ।

କଚିରି ନ ଖୋଲୁଣୁ ସେଠି ଯାଇ ସମସ୍ତେ ଅପେକ୍ଷା କରି ବସି ରହିଲେ ।

ତରବରରେ ପେଜ୍‍ ଖିଆ ହୋଇନାହିଁ, କାମ ସରିଲେ ଭାତ ଖିଆ ହେବ ।

 

ଗୋଟି ଗୋଟି ହୋଇ କେତେ ଲୋକ ଆସିଲେ । ‘ଲେଖୁ’ ନାହିଁ, କରାଘାଟିଆ ନାହିଁ । ସୁକୃଜାନିର ମୁହଁ ଶୁଖି ଯାଇଥାଏ, ନାଇକ ଆଶ୍ୱାସ ଦଉଥାଏ –

 

“ରଇଥା ଡକରା ହେବ ବଳେ, ସେତେବେଳେ ଯୁଆଡ଼ୁ ହେଲେ ‘ଲେଖୁ’ ଆସିବ ।”

 

କଚିରି ଲାଗିଲା । ଘୋ ଘା’ ଲୋକ ଗହଳି, ଡକରା ପଡ଼ିଲା, କେତେ ନୂଆ ନୂଆ ଲୋକ ଆସିଲେ, ସୁକୃଜାନିର ନାଁ ନାହିଁ କି ‘ଲେଖୁ’ ଦେଖା ନାହିଁ ।

 

ମଝିରେ ଅଧିକାରୀ କୁଆଡ଼େ ଉଠିଗଲେ, କୋଟୁଘର ଭିତରୁ ଗହଳି ଭାଙ୍ଗିଗଲା ।

 

ଦଲେଇତ ଏପାଖେ ସେପାଖେ ଟହଲୁ ଥାଏ । ସୁକୃଜାନି ଯାଇ ଦଣ୍ଡବତ ହେଲା । ପରଜାମାନେ ଘେରିଯାଇ ପଚାରିଲେ–

 

“ଆମର ଦାବା କେବେ ଡକା ହେବ ?”

 

ନେହୁରି ହେଲେ । ଦଳେଇତ ତାଙ୍କୁ ନେଇ ପେସ୍କାର ବାବୁଙ୍କଠୁଁ ବୁଝିଲା । କାମ ଉପରୁ ମୁଣ୍ଡ ନ ଉଠେଇ ବାବୁ କହିଲେ–

 

“କିଏ ଦାବା କରିଛି ?”

“ମୁଁ ସୁକୃଜାନି । ’

‘‘ବାବୁ ଖାତା ଦେଖିଲା । ’’

 

“ସୁକୃଜାନି–ରାମଚନ୍ଦ୍ର ବିଶେଇ, ଏଇ ନାଁ ? ଛ’ ତା’ରଖ ଦିନ ତାରିଖ ଥଲା, ଆସିଲୁ ନାହିଁ କାହିଁକି ? ଦାବା ମରିଗଲା, ଯା ।”

 

“ମହାପ୍ରଭୁ !”

ସୁକୃଜାନି ପାଟିକରି ଗୋଡ଼ ତଳେ ବସି ପଡ଼ିଲା –

“ସେମିତି କହିଲେ ମରିଯିବି ନାହିଁ କି ! ଆଜି ତ ବାଇଦା, ଆଜି ମଙ୍ଗଳବାର–”

“ଯା ଯା, ଗୋଳମାଳ କର ନାହିଁ ।”

ଦଲେଇତ ଘଉଡ଼େଇ ନେଲା । କହିଲା–

 

“କେମିତି ବାଇଦା ବୋଲି ଆଜି ତୁମକୁ ହେତୁ ହେଲାରେ ? ଏତେଦିନ ଯାକେ ଶୋଇଥିଲ କୋଉଠି ?”

 

“ହେଇ ହେଇ, ହେଇତି ‘ଲେଖୁ’–”

ମାଣ୍ଡିଆଜାନି ଦେଖି ପକେଇଲା । ସମସ୍ତେ ସିଆଡ଼େ ଧାଇଁଗଲେ ।

ଦଳେ ଲୋକଙ୍କୁ ନେଇ ‘ଲେଖୁ’ ଚାଲିଛି, କରାଘାଟିଆ ଟରଣି ବି ଅଛି ସାଙ୍ଗରେ ।

“କେମିତି ଆମର ଦାବା ମରିଗଲା ବାବୁ ?”

 

“ଦାବା ! ତୁମେ ତୁମେ ରାଜି ପଡ଼ିଯାଇ କରି ପରା ଛ’ ତାରିଖ ଦିନ ତୁମେ ଜାଣିକରି ଆସିଲ ନାହିଁ କୁଆଡ଼େ ?”

 

“ମିଛ କଥା । ପଟ୍‍କାର୍ କଥା ।”

 

“ମିଛ କଥା ହେଲେ ସତ କଥା ହେଲେ ମୁଁ କ’ଣ କରିବି ? ସାହୁକାର ସେ ଦିନ ଆସିଥିଲା ସେମିତି କହିଲା । ତୁମେ ଆସିଲ ନାହିଁ, ତୁମ ଦାବା ମଲା, ମତେ ଆଉ ପାଞ୍ଚ ଟଙ୍କା ଦବାର ଅଛି କେବେ ଦବ ? ମୁଁ ଅନେଇ ବସିଛି ।”

 

ସୁକୃଜାନି ଟରଣି ପୂଝାରୀକୁ ପଚାରିଲା–

 

‘‘ତୁଇ କଇଲୁସ୍‌ କି ନାଇଁ ବାବୁ ପାଞ୍ଚଟା ମଙ୍ଗଳବାର ଛାଡ଼ି ଛ’ଟା ମଙ୍ଗଳାବାର ଦିନ ସାକ୍ଷୀମାନଙ୍କୁ ନେଇ କଚିରିକି ଆସିବାକୁ ?’’

 

‘ଲେଖୁ’ କୁ–

“ଆଉ ତୁଇ ମିଶା କଇଲୁସ୍ ବାବୁ–”

ଦୁହେଁ କହିଲେ–

 

“ବାୟା ଲୋକ, ମାସର ପାଞ୍ଚ ଦିନ ଛାଡ଼ି ଛ’ ଦିନ ମଙ୍ଗଳବାର ଦିନ ବିଚାରଣା ହେବ ବୋଲି ବୁଝେଇ ଦେଲୁଁ, ଏବେ କେମିତି କହୁଚୁ ଦେଖ ।”

 

ପରଜା ଲୋକେ ଆବାକାବା ହୋଇଗଲେ । କଚିରି ଘର ପୁଣି ଭର୍ତ୍ତି ହେଲାଣି, ହାକିମ ଆସିଲେଣି । ଘରଯାକ ପୁଲିସ୍ ଆଉ ଅଧିକାରୀ ।

 

“ଏବେ କେମିତି ହେବ ବାବୁ ?”–

କରାଘାଟିଆ କହିଲା–

 

“ଏବେ ଥିରି ହୋଇ ଘରକୁ ଫେରିଯିବା କଥା, ଦାବା ମରିଗଲା । ଗୋଳମାଳ କଲେ ଅଧିକାରୀ କୋପ କରିବେ, ଅନର୍ଥ ଘଟିବ ।”

 

“ତୁମେମାନେ ଏକା ମରାଇଦେଲ ମୋ ଦାବା, ସେଦିନ ସାହୁକାର ସାଙ୍ଗରେ କ’ଣ କ’ଣ ସବୁ କଥା ହେଉଥିଲ । ହଉ, ତୁମକୁ ମତେ ଧରମ୍ ଅଛି ।”

 

“ଯା ଯା, ବାୟା ଗ୍ୟାଳ୍‍ପ, ଗାଳି କଲେ ଅଧିକାରୀ ଆଗକୁ ଟାଣିନେବେ, ଦେଖିବୁ ସେତେବେଳେ । ଯେତେ ପରସ୍ତ କରି ବୁଝେଇଲେ ପାସୋରି ପକେଇବେ ! ବୁଦ୍ଧି ନ ଥିଲା ଦେଶିଆ ଲୋକ ! ଦାବା ମଲେ ଆମକୁ ଦୋଷ ଦେବେ ! କ’ଣ ପଚାରୁଛ !”

 

ଯେଉଁ ଦଶଜଣ ଦଳବାନ୍ଧି ତାଙ୍କ ସାଙ୍ଗରେ ଯାଉଥିଲେ ସମସ୍ତେ ମୁଣ୍ଡ ହଲେଇ କହିଲେ,–

 

“ସତ୍ ସତ୍, ଆମର ଦେଶିଆ କଥା ଏମିତି ଏକା, ଆମେ ହେଲେ ବୁଦ୍ଧି ନଇଲା ଲୋକ, କି ପାଇଁ ଭଲ ଲୋକକୁ ଦୋଷ ଦେବା ?”

ସମସ୍ତେ କହିଲେ–

‘‘ସତ୍‍ ସତ୍‍ ।’’

ସାଙ୍ଗରେ ଆସିଥିବା ନାଇକ ବାରିକ ଗାଁ ଲୋକେ ସୁଦ୍ଧା କହିଲେ–

“ସତ୍ ସତ୍ ।”

‘ଲେଖୁ’ କରାଘାଟିଆ ଚାଲିଗଲେ । ସୁକୃଜାନିର ଦି’ କାନ୍ଧକୁ ଧରି ଟିକ୍ରା ନନ୍ଦିବାଲି କହିଲେ–

“ଚାଲ୍ ଚାଲ୍ ।”

ସୁକୃଜାନି କାନ୍ଦୁଥିଲା ।

ବାରିକ କହିଲା–

“ଯିବା ତେବେ, ଭୋକ କରୁଚି ।”

ପରଜାମାନେ ବାଟଯାକ କୁହାକୋହି ହେଲେ ଯେ ସାହୁକାର କୃତ୍ରିମ କରି ମକଦ୍ଦମା ମରେଇ ଦେଇଛି, ତାକୁ ଧର୍ମ ସହିବ ନାହିଁ । ସୁକୃଜାନି କିଛି କହୁ ନ ଥାଏ, ତା’ର କହିବାକୁ କିଛି ନ ଥିଲା ।

 

ଘୁଙ୍ଗା ପରି ଥୋଡ଼ାଏ ବାଟ ଯାଏ, ଠିଆ ହୁଏ, ଦୁଇ ହାତରେ ବାଳଗୁଡ଼ାକ ଟାଣେ, ଆଖି ଉଛୁଳେଇ ଲୁହଗୁଡ଼ାକ ବୋହିପଡ଼େ ଟୋପା ଟୋପା । ଲୋକ ବୁଝନ୍ତି । ବିକଳ ମୁହଁ କରି ସେ ଖାଲି ଅନାଏଁ, କିଛି କହେ ନାହିଁ ।

 

ଗାଁ ଲୋକେ କହିଲେ–

 

“କାହିଁକି ସେମିତି ହଉଛୁ ତୁ ? ମକଦ୍ଦମା ସିନା ମଲା, ସାହୁକାର ବୁଝେଇ ସୁଝେଇ କହି ଦେଖିବା ।”

 

ମାଣ୍ଡିଆଜାନି ଗାଳି ଦେଇ ଚାଲିଥାଏ କୁଆଡ଼ୁକୁ ତା’ର ଖିଆଲ ନାହିଁ, ଯେପରି ଆପଣା ଗୀତରେ ସେ ଆପେ ବିଭୋର ।

 

ଟିକ୍ରା ନନ୍ଦିବାଲି କଥାଭାଷା ହେଉଥାନ୍ତି–

“ଓଃ ! କେତେଗୁଡ଼ାଏ ପଇସା ଅନର୍ଥକ ସରିଲା !”

 

“ମୁଁ କହୁଚି, ସାହୁକାର ସେ !ବଡ଼ଲୋକ, କେଡ଼େ କୌଶଳୀ ! ଜଗତଯାକ ତା’ର ସିନା, ନ ଥିବା ନିଦରବୀ ରଇତର କିଏ ଅଛି ? ଦାବାମଲା, ବୁଢ଼ା ଆଉ ଉଠିବ ନାହିଁ, ବିଲି ମତେ ଗାଳିଦେବ ।”

 

ସେହିଦିନ ସେମାନେ ପୁଣି ବାଟ ଧରିଲେ । ସୁକୃଜାନି କହୁଥାଏ–

“ଭୂମି ତ ଚାଲିଗଲା ଆଉ ଜିଇ କି ଲାଭ ?”

ନାଇକ କହିଲା–

 

“ଛି । ସେମିତି କହନା, ଥୋଡ଼ାଏ ଜମି ତ ମୁଁ ଦେଇଛି, ଆଉ ଦରକାର ଥିଲେ କୋଉଠୁ ହେଲେ ଦେଖିବି ନାହିଁ କି ?”

 

ମାଣ୍ଡିଆଜାନି କହିଲା–

 

“କାହାର ଜମି କିଏ ନେବ ଦେଖିବା ନାହିଁ କି ? ବେକ କଟିଗଲେ ବି ମୁଁ ସେ ଜମି ଛାଡ଼ିବି ନାହିଁ । ମୁଁ ତ ସେତେବେଳେ କହୁଥିଲି, ଏତେ ଦାବା ଦରବାରରେ କି ପ୍ରୟୋଜନ, ଆମ ଜମି ଆମେ କରି ଖାଇବା । ସାହୁକାର ତା’ର ବାପ ପାଖରେ (ପାଖକୁ) ଯାଉ । ହଉ, ଏଥର ତ ଦେଖିବା– ।”

 

ଗାଁ ଲୋକେ ଆକଟିଲେ,–

 

“ଏମିତି ହୁଣ୍ଡାମି କଲେ ଦଣ୍ଡ ପାଇଯିବୁ । ବଡ଼ବଡ଼ିଆଙ୍କ କଥା ମାନ୍ ସେମିତି ହ ନା । ଦାବା ମରିଗଲା ସେ କ’ଣ କାହା ହାତର କଥା ? ଭାଗ୍ୟ, କପାଳ, ଯେଉଁଟା ହବାର ଥାଏ ସେ ହୁଏ-। କିଏ ଅଟକେଇ ପାରିବ ?”

 

“ଭାଗ୍ୟ ! କପାଳ ! ଧରମ୍ !”

 

“ଓ ହୋ ଯୋଉ ଧରମ୍ ! ସାହୁକାର ଭୂମି ଚୋରିକରି ନେବାଟା ଏକ ଅସଲ ଧରମ୍ ! ନାହିଁ ବାବା, ତୁମ ଧରମ୍ ଫରମ୍ ତୁମେ ରଖିଥାଅ, ଆମେ ରଇତ ପିଲା, ତାଷ କଲେ ଆମେ ଖାଇବୁ ଜିଇବୁଁ, ସେସବୁ ଆମର ଲୋଡ଼ା ନାହିଁ । ଦାବା ମଲା ସିନା, ଭୂମି ତ ମରି ନାହିଁ କି ଆମେ ମରି ନାହୁଁ !

 

ଆମର ଭୂମି, ସତ କି ମିଛ ?

 

ଟଙ୍କା ଦେଲେ ଭୂମି ଦେଇଦେବୁ ବୋଲି ସାହୁକାର ସାଙ୍ଗରେ କଥା ହୋଇଥିଲା, ସତ କି ମିଛ ?

 

କହିବା ପଦେ, ଟଙ୍କା ନଉ । ନ ନେଲେ ତା’ର ଖୁସି ।

ମାତ୍ର ବେକ କଟିଗଲେ ଯାଉ ସିନା, ଭୂମି ମୁଁ ଛାଡ଼ିବି ନାହିଁ–”

ଭଙ୍ଗା ମଣିଷ, ଫମ୍ପା ମଣିଷ, ମୁହଁରେ ତେଲ ହଳଦି, ଭିତରେ ମାଟି ।

ମାଟିର ମଣିଷ ନୁହେଁ, ମଣିଷ ମାଟିର ।

 

ମଣିଷର ମୁଠା ଭିତରେ ଥାଇ ମାଟି ହସୁଥାଏ, ଅପେକ୍ଷା କରିଥାଏ ମଣିଷ କେତେବେଳେ ଝଡ଼ିବ, ମାଟିର ବଳ ବଢ଼ିବ, ଖତ ମଟାଳ, ଦୋରସା । ପୁଣି ସେଥିରେ ଅନର୍ଯ୍ୟାପ ଘାସ ବଢ଼ିବ, ମାଣ୍ଡିଆ ବଢ଼ିବ, ଧାନ ବଢ଼ିବ, ପୁଣି ଝଢ଼ିବ ପଡ଼ିବ, ପଚି ପଚି ମିଶୁଥିବ, ଯୁଗ ଯୁଗଯାକେ ।

 

ବୁଢ଼ା ସୁକୃଜାନିର ମୁଣ୍ଡ ଭିତରେ ‘ଦର୍ଶନ’ ଚଢ଼ିଥିଲା, ଦଦରା ଦେହ ଭିତରେ ଚଢ଼ି ଲାଗିଥାଏ ମାଟି ।

 

ସେ ଗୋଟିଏ ପୋଲା କଳ, ଷାଠିଏଟା ବର୍ଷରେ ତିଆରି ବଡ଼ ବଡ଼ ସାତଟା ଘଳିଆ ବାଟେ ତା’ଠିଁ ପହିଲି ପହର ପୁନେଁଇ ରାତିରେ ବାଜୁଥିଲା ସବୁ ସରିଥାଏ ଭୈରବୀ ରାଗିଣୀ, ସେ ତୁନି ହୋଇ ବସିଥିଲା ।

 

ଆଜି କୁହୁଡ଼ି ହାଲୁକା, ଆଜି ରାତିଟା ସଫା । ଘାସଗୁଡ଼ାକ ବି ପରିଷ୍କାର ଦିଶୁଛି, ଗଛର ପତ୍ର ସନ୍ଧିରେ ଜହ୍ନ ଆଲୁଅ ଝିଲି ଝିଲ, ଝଙ୍କା ତେନ୍ତୁଳି ଗଛ ତଳେ ଛାଇ ଆଲୁଅର ଜାଲ, ଯୁଆଡ଼େ ଚାହିଁଲେ ଖାଲି ପାହାଡ଼, ଢାଲୁ, ସବୁ ସ୍ୱପ୍ନରେ ଲେଖା ।

 

ଘର ଅନ୍ଧାର, ମନରେ ଘୋର ଦୁଃଖ, ବାହାରେ ତା’ର ସାମଞ୍ଜସ୍ୟ ନାହିଁ ଏତେ ଟିକିଏ ବୋଲି । ପୁନେଁଇ ରାତିରେ ଗୋଟିଏ ଛୋଟ କଳା ମେଘ, ପାହାଡ଼ ଉଡ଼ାହରୁ ମୁଣ୍ଡ ଟେକି ଉଙ୍କି ମାରୁଛି, ଆଗେଇବାକୁ ଡର ମାଡ଼ୁଛି, ଛପି ଯିବାକୁ ଜାଗା ନାହିଁ ।

 

କାହିଁ ? ବଜ୍ର ପଡ଼ି ନାହିଁ ତ ! ବସୁଧା ଫାଟି ନାହିଁ, କେହି ଜଳିଯାଇ ନାହିଁ ।

 

ଗାଁ ଗାଁକରୁ ବାଜା ଶୁଭୁଛି, ଗୋଲ୍ ଗୋଲ୍ ହସ ହସ ଜହ୍ନ ଧାଂଡ଼ୀମାନଙ୍କୁ ଘୋଷାରି ଓଟାରି ଜମାକରୁଛି ନାଚ ଦେଖିବା ପାଇଁ । ପାହାଡ଼ଗୁଡ଼ାକ ଧୋବ ଚାଦର ଘୋଡ଼ାହେଲା ପରି, ମୁଣ୍ଡ ଉପରେ ଗୋଟିଏ, ଗୋଟିଏ ଜିକି ଜିକି ତାରା ।

 

ଏକୁଟିଆ ଘର ଆଗରେ ସେ ଲୋଚାକୋଚା ହୋଇ ବସିଛି ।

 

ଟିକ୍ରା ସାହି ଭିତରକୁ ଯାଇଛି, ଭଲ ଜହ୍ନ ଆଲୁଅ, ପତଳା କୁହୁଡ଼ି । ସଳପ ଗଛମୂଳେ ପଥର ଉପରେ ଆର ସାହିର ଗୋରୀ ଧାଂଡ଼ୀ ରଙ୍ଗିଆ ବସି ବସି ଜହ୍ନକୁ ଦେଖୁଥିଲା । ଟିକ୍ରାକୁ ଦେଖି କିଛି ନ ଜାଣିଲା ପରି ଧାଉଡ଼ି ଧାଉଡ଼ି ଘର ଭିତରକୁ କୁଆଡ଼େ ଖସି ଚାଲିଗଲା ଟିକ୍ରା ଖୋଜୁଛି । ଆଜି ପରା ରାତି, ଟିକ୍ରା ଆଖିକୁ ସେ ଭଲ ଲାଗୁଛି, ଦେଖାପଡ଼ିଲେ କଥା ଦି’ପଦ ।

 

ମାଣ୍ଡିଆ କୁଆଡ଼େ ଯାଇଛି ଦିଶୁ ନାହିଁ ।

 

ନନ୍ଦିବାଲି ଗାଁ ଦାଣ୍ଡରେ ପଙ୍ଗତରେ ବସିଛି, ଲୋକ ମକଦ୍ଦମା କଥା ପଚାରୁଛନ୍ତି, ବୁଝାଉଛି ।

 

ରାତିରେ ଶୋଇଲାବେଳେ ମାଣ୍ଡିଆଜାନି ଆସି କହିଲା–

 

“ବାପା, ତୁ ମୁଁ ଆଉ ଟିକ୍ରା କାଲି ସକାଳୁ ଟିକିଏ ଯିବା ସାହୁକାର ପାଖକୁ, କଦମ୍ ଝୋଲାରେ ସେ ଅଛି । କହି ଦେଖିବା ପଦେ–”

 

କାଳେ– ।

ଆହୁରି ଆଶା ।

ବୃଥା ।

ଜମି ଗଲା ।

କୋହ ଉଠିଲା, ମୁହଁର ରୂଢ଼ ଭିତରେ ଲୁହ ପଶିଗଲା ।

ତଥାପି ଶୋଇ ଶୋଇ ସୁକୃଜାନି ତୁହାଇ ତୁହାଇ ଡାକିଲା,–

“ଦରମ୍ ଦରମ୍ ଦରମ୍”

ମନେ ମନେ ସେମିତି କହି ଲାଗିଲା ନିଦ ହେବା ଯାକେ ।

ଜହ୍ନ ରାତି ହସୁଥିଲା ।

 

ସାହୁକାର ଜିଲିକୁ ବୁଝେଇ ଦେଇଥିଲା, ଧର୍ମର କିପରି ଜୟ ହୁଏ, ମକଦ୍ଦମା କେମିତି ମଲା ।

 

“ତୋଠୁଁ ତୋ ବାପ–ଭାଇ ଜମି ଝିକୁଥିଲେ, ପାରିଲେ ନାହିଁ । ୟା ପରେ ତାଙ୍କ ଉପରେ ମୋର ଗୋତି ଟଙ୍କା ବାକି , ଦେଲେ ଦେବେ ନ ହେଲେ ମତେ ବାଧ୍ୟ ହୋଇ ଯାଇ ଦାବା ପକେଇବାକୁ ପଡ଼ିବ । ନା କ’ଣ କହୁଚୁ ? ତୋର ଯେମିତି ଇଚ୍ଛା ସେମିତି ହେବ ? ଟଙ୍କା ଛାଡ଼ିଦେବୁ କି ?”

 

ଜିଲି ଖାଲି ହସିଥିଲା ।

 

କଦମ୍‌ଝୋଲାରେ ପୁନେଇଁ ଆଲୁଅ ଉଛୁଳି ପଡ଼ିଥିଲା, କନ୍ଧବଇଁଶୀ ଚହଳ ପକେଇଥିଲା, ଗାଁ ଲୋକଙ୍କ ଖର୍ଚ୍ଚରେ ଗାଁ ଲୋକଙ୍କ ପାଇଁ ସାହୁକାର ଗୋଟିଏ ଭୋଜି ଦେଇଥିଲା ।

 

ହସ ଖୁସି ଗେହ୍ଳା ଆଦରରେ ଜିଲି ସୁଖ ପାଇଥିଲା । ରାତିଟା ତା’ର ସାର ।

 

କଜିଆ ଆଳିଆ ନ୍ୟାୟ ନିଶାପ ଭିତରକୁ ତା’ର ମୁଣ୍ଡ ଯାଏ ନାହିଁ, ସେ ଉଷୁମ ଖୋଜେ, ଉଷୁମ ପାଏ, ତା’ର ସୁଖ ତା’ ପାଖେ ପାଖେ ।

 

ବାପ ଘରେ ସେ ବଢ଼ିଥିଲା, ଆଉ ଆଉ ଝିଅଙ୍କ ପରି ନୂଆଘରେ ଚଞ୍ଚଳ ଚଞ୍ଚଳ ସେ ଚେର ଲଗେଇଛି । ଗଛ ପାଇଁ ସେ ପସ୍ତେଇ ହୁଏ ନାହିଁ । ଆଗକୁ ଚାହେଁ, ଜହ୍ନ ଆଲୁଅରେ ସୁନ୍ଦର ଦିଶେ ।

 

ସାହୁକାର ଝଗଡ଼ି ବସିବାରୁ ଆଜି ରାତି ସକାଶେ ସେ ମୁଣ୍ଡ ବାନ୍ଧିଛି, ଫୁଲ ନାଇଛି, ଭଲ ଖଦି ପନ୍ଧିଛି । ତାକୁ ଭଲ ମାନୁଥିଲା ।

 

ସାହୁକାର ଅଳି ଏଡ଼ି ନ ପାରି ପାଣିରେ ମିଶେଇ ଦି’ ଢୋକେ ସେ ପିଇଥିଲା, ଦେହରେ ମନରେ ତାତି ଖେଳେଇ ହୋଇ ଯାଇଥିଲା । ଶୀତ ରାତିରେ ବସନ୍ତ ପରି ଲାଗୁଛି । ଦେହ କେଡ଼େ ହାଲୁକା ।

 

ସାହୁକାର ମନକୁମନ ପାଞ୍ଚି ବସିଥିଲା, ଜିଲିକୁ ସେ ଭୁଲେଇ ପାରିଛି । ସ୍ତ୍ରୀଲୋକକୁ ଦି’ ଦିନ ଭୁଲେଇ ରଖିବା ସେଡ଼େ କଷ୍ଟ ନୁହେଁ, କିନ୍ତୁ ମନରେ ଶାନ୍ତି ନାହିଁ । ସେ ସମ୍ପତ୍ତି ଅର୍ଜିବାକୁ ଭଲପାଏ ନାହିଁ । ସେ ସ୍ତ୍ରୀଲୋକ ଗୋଟେଇ ଖେଳ ଖେଳି ଗଡ଼େଇ ଦେବାକୁ ଭଲପାଏ, କନ୍ତୁ ସ୍ତ୍ରୀ ଲୋକ ପାଖେ ଫାଶରେ ପଡ଼ିବାକୁ ଖୋଜେ ନାହିଁ । ଜିଲିର ଦି’ ଦିନ ହୋଇଗଲା, ଏଣିକି ସେ ଯିବ-। ଜିଲି ପାଇଁ ସେ ଝୋଲାଟଙ୍କା କେବେ ଦେବ ନାହିଁ ।

 

ଏଡ଼େ ସୁନ୍ଦର ରାତି, ଏଡ଼େ ଗହଳ ଚହଳ, କିନ୍ତୁ ମନରେ କେଉଁ ଫାଙ୍କା ବାଟେ ଶୀତ ପଶୁଛି । ଖୋଲା ଜହ୍ନ ରାତି କେତେକଥା ମନେପକାଏ । କେଉଁଦିନୁଁ ସେ ନୂଆଁ ଧାଂଡ଼ୀ ପିଛା ନେଇ ନାହିଁ, ଜିଲି ଆଉ ପଳୋଉ ନାହିଁ, ତାକୁ ସଙ୍ଖୋଳି ସୁଖ ନାହିଁ । କେଉଁଦିନୁ ନୂଆ ଜମି ହାତ କରିବାକୁ ସେ ଚକ୍ର କରିନାହିଁ, ନୂଆ ଗୋତି ସେ ରଖିନାହିଁ, ମଝିରେ ମକଦ୍ଦମାଟା ଆସି ସବୁ ଅଳିଆ ଦଳିଆ କରି ଦେଇଥିଲା । ପୁଣି ସେ ପାଞ୍ଜି ଖୋଲିବ । ପାଇଥିବା ଜିନିଷ ଗଣି ବସିଲେ ମନର ନିଆଁ ଅସ୍ଥିର କରିବ ।

 

ତେଣୁ ପୁଣି ସେ ପାରିଧିକୁ ବାହାରିବ ।

 

କାନପାଖେ ବାଳ ଅରାଏ ଅରାଏ କସରା ପଡ଼ି ଆସିଲାଣି ପରା । ଜନ୍ମ ବର୍ଷ ତା’ର ହେତୁ ନାହିଁ । ଘରେ ବଡ଼ ଝିଅଟି ମା’କୁ ସାହାଯ୍ୟ କରୁଛି, ବଡ଼ପୁଅଟି ଏଣିକି ଶଗଡ଼ରେ ଯିବା ଆସିବା କରିବ । ତାଙ୍କପାଇଁ ଘର, ତା’ ପାଇଁ ବାଟ ।

 

ଜୀବନଯାକ ସେ ବୁଲୁଛି, କେବେ ଦେହ କି ମନ ଘୋଳି ହୋଇନାହିଁ, ସମ୍ପତ୍ତି ବଢ଼ି ଲାଗିଛି ।

 

ମକଦ୍ଦମାଟା ଜିତା ହେଲା । ପରଜାମାନେ କେମିତି ଖଟା ଖଟା ମୁହଁ କରି ଘରକୁ ଫେରିଥିବ ! ବୁଢ଼ାକୁ ଖୁବ୍ ବାଧିବ ହୁଏତ । ଆପଣାର ହିତ କରିବାକୁ ଯାଇ ସେ ଦେଖେ କେତେ ଲୋକଙ୍କୁ ବାଧିଛି ।

 

କିନ୍ତୁ ପରର ଦୁଃଖରେ ଆହା ଚୁ ଚୁ କରିବାକୁ ଯେଉଁଦିନ ସେ ଅଟକିଯାଇ ଠିଆ ହୋଇଯିବ, ସେଦିନ ସେ ବୁଢ଼ା ହୋଇଯିବ । ତା’ର ଦାନବ ଯୌବନ ମଣିଷର ଦୁର୍ବଳତାକୁ ସ୍ୱୀକାର କରେ ନାହିଁ ।

 

ସୁନ୍ଦର ଜହ୍ନରାତି ।

ପଛଆଡ଼େ ଗୁଣୁ ଗୁଣୁ ହୋଇ କିଏ ? ଜିଲି ନା ?

ଜିଲି ସୁନ୍ଦର । କିନ୍ତୁ ତାକୁ ଯିବାକୁ ପଡ଼ିବ । ହୁଏତ କାଲି ନୁହେଁ, କେତେ ଦିନ ପରେ ।

 

ଭୋର ପାହାନ୍ତାରୁ ଅନ୍ଧାର ଅନ୍ଧାରେ ବାପପୁଅ ତିନିହେଁ କଦମଝୋଲା ଆଡ଼କୁ ଚାଲିଲେ, ବାୟା ପରି ଅମଡ଼ା ମାଡ଼ି ।

 

ମକଦ୍ଦମା ସରିଗଲାଣି, ସାହୁକାର ସତେ କଅଁଳ କଥାରେ ଜମି ଛାଡ଼ିଦେବ ଏ ଆଶା ନାହିଁ, ତଥାପି ଟିକିଏ ଟିକିଏ ବିଶ୍ୱାସ ଅଛି, ନେହୁରା ହୋଇ କାନ୍ଦିକାଟି କୁଆଡ଼େ ଗୋଡ଼ତଳେ ଗଡ଼ିଲେ ପଥର ତରଳେ, ସାହୁକାର ତ ମଣିଷ । ମାଣ୍ଡିଆଜାନିର ଏ ବୁଦ୍ଧି, ସବୁଦିନେ ବଳଦିଆଟା ସେ ।

 

“ଭାତ ଥାଳି ଚାଲିଗଲା ବାପା, ଏବେ ଆମେ କ’ଣ ଖାଇ ବଞ୍ଚିବା ?........

ଖାଲି ଏତିକି ନୁହେଁ, ୟା ଉତ୍ତାରୁ ଧରି ବସିବ, ‘ଆସ, ଗୋତି ଖଟୁଥା ଜୀବନଯାକ । ’

ମଲା ପର୍ଯ୍ୟନ୍ତ ତା’ ଘରେ ବାନ୍ଧି ହୋଇ ରହିଥିବ ସିନା !

 

ମନ ହେଉଚି, ଆମ ଜମି ଆମେ ମାଡ଼ିବସି ତଷିଯାନ୍ତେ ଜବରଦସ୍ତି, କନ୍ତୁ ପୁଣି ଅନର୍ଥ ଘଟେଇବ, ସେ ଦୁଃଖ ବଳିଯିବ ।

 

ତା’ ଅପେକ୍ଷା– ଯିବା, ଗୁହାରୀ କରିବା, ଦୁଃଖ ଜଣାଇବା, ମକଦ୍ଦମା କରିଥିଲୁଁ ବୋଲି ଯାହା ସେ ଶାସ୍ତି ଭିଆଇବ ତାହା ସହିବା, ତା’ର କୋପ ଶାନ୍ତି ହେଉ, ଆମ ଜମି ସେ ଆମକୁ ଫେରେଇ ଦଉ ।”

 

ବାଟରେ କଥାବାର୍ତ୍ତା ବନ୍ଦ, ତରବର ଚାଲି । ସକାଳେ ତା’ ମନ ଭଲ ଥିବ । ଯାହା କରିବ ସକାଳେ । ପଦାର ଦଶ ପାଞ୍ଚଜଣ ଚଳପ୍ରଚଳ ହେଉ ନ ଥିବେ, ବାତି (କ୍ଷମା) ମାଗିବାକୁ, ସନ୍ଧି କରିବାକୁ, ଲାଜ ମାଡ଼ିବ ନାହିଁ, ଦଦରା ମନ ତଳର କରୁଣା କଥା ଦି’ ପଦ ସହଜରେ ବାହାରିବ ।

 

ଯାଉ ଯାଉ ଅନ୍ଧାର ପାତାଳ ପଡ଼ି ଆସିଲା, ଲୋଚାକୋଚା ମେଞ୍ଚାମେଞ୍ଚି ଜଙ୍ଗଲ ଫିଟାପଡ଼ି ଭିଡ଼ିମୋଡ଼ି ହେଲା, ସରୁ ପାହାଡ଼ି ନଈର ଆଖି ଖୋଲିଗଲା ଧୀରେ ଧୀରେ ।

 

କଦମଝୋଲା ଗାଁ ଉପରେ ଘାଟିମୁଣ୍ଡରେ ଠିଆହେଲାବେଳକୁ ସକାଳ ପାହିଲାଣି ।

ସାମ୍ନାର ଉଦିଆନ ଦିଗର କୁହୁଡ଼ିରେ ମେଞ୍ଚାଏ ଫିକା ନାଲି ଅବିର ।

ହେଇ ତଳେ କଦମଝୋଲା ଗାଁ ।

 

ଗଡ଼ାଣିରେ ଚଞ୍ଚଳ ଓହ୍ଳେଇ ପଡ଼ି ସେମାନେ ସାହୁକାରର ଘର ଓଳି ତଳେ ଠିଆ ହେଲେ-

 

ଡାକିବାକୁ ତଣ୍ଟି ଖୋଲୁ ନାହିଁ । କ’ଣ ବୋଲି କଥା ପକେଇବାକୁ ପଡ଼ିବ ଜଣାନାହିଁ । ମୁଣ୍ଡ ନୁଆଁଇ ମୁହଁ ଚାହାଁଚାହିଁ ହୋଇ ଠିଆହୋଇ ରହିଲେ । ଛାତି ଦବି ଯାଇଥିଲା ।

 

କବାଟଟାଏ, ଫିଟିଲା । ସାହୁକାର ପଦାକୁ ଆସିଲା ।

 

କିଛି ନ କହୁଣୁ ଆଗେ ମାଣ୍ଡିଆ, ସାଙ୍ଗେ ସାଙ୍ଗେ ସୁକୃଜାନି, ଟିକ୍ରା ତା’ର ଗୋଡ଼ ତଳେ ମୁହଁମାଡ଼ି ପଡ଼ିଗଲେ ।

 

ମାଣ୍ଡିଆ କହିଲା–

 

“ମରିଗଲୁ ମରିଗଲୁ ସାହୁକାର, ଯାହା ହବାର ହୋଇଗଲା, ତୋର ଟଙ୍କା ନେ, ଆମର ଜମି ଆମକୁ ଛାଡ଼ି ଦେ ।”

 

ବୁଢ଼ା ସୁକୃଜାନି କାନ୍ଦି କାନ୍ଦି ଗୁହାରି କଲା–

 

“ତୁ ସାହୁକାର, କେତେ ଟଙ୍କା ତୋଠିଁ, କେତେ ଭୂମି ତୋର, ଆମେ ନ ଥିଲା ନିଦରବୀ ଲୋକ, ସେତିକି ଆମର ଭାତ ଥାଳି, ବାପ ଗୋସେଇଁବାପଙ୍କର କମେଇଁ, ତଳେ ଦର୍ତନୀ ଅଛି, ଉପରେ ଧରମ୍ ଆମ ଜମି ଆମକୁ ଛାଡ଼ି ଦେ, ତୋ ଧରମରେ ଆମେ ଜୀଉଁ ।”

 

ଟିକ୍ରା ଅଳି କଲା–

“ଆମର ଦୁଃଖ ଦେଖ୍ ସାହୁକାର, ଆମର ଭୂମି ଆମକୁ ଛାଡ଼ିଦେ ।”

 

ସାହୁକାର ନିଆଁବାଣ ହୋଇଗଲା । ତିନିମୁଣ୍ଡରେ ତିନିଟା ଗୋଇଟା କୋରି ଦେଇ ଗର୍ଜିଉଠି କହିଲା–

 

“ଉଠ, ଭାକ୍ ଭାକ୍, ପଳା । ଭୂମି ଛାଡ଼ିଦେବି ! ପଟ୍‍କାର୍‍ ଗ୍ୟାଳ୍‍ପମାନେ, ହଇରେ ଶଳାଏ, ଦାବା ପକେଇଥିଲା ପରା ମୋ ଉପରେ ? ଭୂମି ହକୁ ପାଇଗଲ କି ? ଯାଉଚ ନା ପଣ୍ଢେଇ– ପିଟା କରିବି ।”

 

ଆଉ ଗୋଟିଏ ଗୋଇଠାରେ ବୁଢ଼ା ସୁକୃଜାନି ଓଲଟି ପଡ଼ିଲା ।

 

ଠିକ୍ ସେତିକିବେଳେ ତରବରରେ ଲୁଗା ସଜାଡ଼ି ସଜାଡ଼ି ଆଖି ରଗଡ଼ି ରଗଡ଼ି ସେହି ଘରୁ ଜିଲି ବାହାରିଆସି ଠିଆ ହେଲା ।

 

ବୁଢ଼ା ପାଟିକଲା–

“ଜିଲି !”

ଉଠି ପଡ଼ୁ ପଡ଼ୁ ମାଣ୍ଡିଆ ଟିକ୍ରା ଚିର୍ଚ୍ଚିରେଇ ଉଠିଲେ–

“ଜିଲି !”

ବଙ୍କା ହସଟାଏ ହସି ସାହୁକାର କହିଲା–

 

“ହଁ ଜିଲି । ଆଉ ଗୋଟିଏ ବିଲି ଅଛି ପରା ? ତାକୁ ବି ଆଣି ମତେ ଦେଇଯାଅ । ଜମି ନେଲି, ଗୋଟିଏ ଭଉଣୀକୁ ନେଲି । ଆହୁରି ଗୋଟିଏ ଭଉଣୀକୁ ନେବି, ଆଉ ଯେତେ ଯେତେ ବିଭା ହେବ ସମସ୍ତିଙ୍କି ନେବି, ଦାବା ଦରବାର ଲଗେଇ ଦେଇ କୋର୍ଟରୁ କୋର୍ଟ ରାଜ୍ୟଯାକ ବୁଲେଇବି, ଗୋତି ଖଟାଇବି, ଗୋତି ଖଟାଇ ଜୀବନଯାକ ନାକକୁ ତଳେ ଘୋଷାରୁଥିବି, ତେବେ ଯାଇ ମୋ ନାଁ ରାମଚନ୍ଦ୍ର ସାହୁକାର ।”

 

ହାତ ଉଞ୍ଚେଇ ସେ ଚିହିଁକି ଗଲା, କହିଲା–

 

“ଗ୍ୟାଳ୍‍ପମାନେ, ଲାଜ ମାଡ଼ୁ ନାହିଁ ଆସିଲେ ମାଇକିନାଆଙ୍କ ପରି କାନ୍ଦିବାକୁ ମୋ ପାଖରେ ?– ଯା ଯା !!”

 

ପରଜାଙ୍କ ମୁଣ୍ଡ ଭିତରେ କେଉଁଟି କ’ଣ ରଟ୍ ରାଟ୍ ହୋଇ ଛିଣ୍ଡି ଯାଇଥିଲା । ଆଖିକୁ କିଛି ଦିଶୁ ନଥିଲା । ଦେହ ଥରୁଥିଲା ।

 

ବଣର ଜନ୍ତୁପରି ଗର୍ଜନ ଛାଡ଼ି ମାଣ୍ଡିଆଜାନି ଆଗକୁ ଚମକି ଗଲା ।

 

“ଅଧର୍ମ କରି ଭୂମି ନେଲୁ ସିନା ସାହୁକାର, ଭୋଗ୍ କରିପାରିବୁ ନାହିଁ, ଭୋଗ୍ କରିପାରିବୁ ନାହିଁ ।”

 

ପରଜାଙ୍କ ମୁଣ୍ଡ ଭିତରେ କେଉଁଠି କ୍’ଣ ରଟ୍‍ ରଟ୍‍ ହୋଇ ଛିଣ୍ଡି ଯାଇଥିଲା । ଆଖିକୁ କିଛି ଦିଶୁ ନ ଥିଲା । ଦେହ ଥରୁଥିଲା ।

 

ବଣର ଜନ୍ତୁ ପରି ଗର୍ଜନ ଛାଡ଼ି ମାଣ୍ଡିମଜାନି ଆଗକୁ ଚମକି ପଡ଼ିଲା ।

 

‘‘ଅଧର୍ମ କରି ଭୂମି ନେଲୁ ସିନା ସାହୁକାର୍‍, ଭୋଗ୍‍ କରିପାରିବୁ ନାହିଁ ।’’

 

ଆଖି ପିଛୁଡାକେ ଟାଙ୍ଗିଆ ଉଞ୍ଚେଇ ପାହାର ପକେଇଲା । ବାପ–ପୁଅ ତିନିହେଁ ମଶିଗଲେ ।

 

ହଣା ହେଲା ଗଛ ପରି ଦୁଲ୍ କରି ସାହୁକାର ତଳେ ପଡ଼ିଗଲା, ମାଣ୍ଡିଆଜାନି ପାହାରକୁ ପାହାର କହି ଲାଗିଥାଏ–

 

“ଭୋଗ୍ କରିପାରିଲୁ ନାହିଁ । ଭୋଗ୍ କରିପାରିଲୁ ନାହିଁ ।”

ବିଳିବିଳେଇଲା ପରି ରଡ଼ି ଛାଡ଼ି ଜିଲି ଦଉଡ଼ି ପଳାଇଗଲା ।

 

ପିଚ୍‌କାରି ମାରିଲା ପରି ରକ୍ତ ବାହାରି ପରଜାଙ୍କର ମୁହଁରେ, ଆଖିରେ ଖୁନ୍ଦି ହୋଇଗଲା-। ହୋସ୍ ଆସିଲା, ଦେହଯାକ ରକ୍ତର ବରଷା ଧାର, ହାତର ଟାଙ୍ଗିଆ ରକ୍ତରେ ଜୁଡ଼ୁବୁଡ଼ୁ-

 

ଡୋଳା ଖୋସିଦେଇ ଆଁ କରି ସେମାନେ ସେ ମୁର୍ଦ୍ଦାରକୁ ଅନେଇଁ ରହିଲେ ।

ଟିକ୍ରା ଟାଙ୍ଗିଆ ଫୋପାଡ଼ି ଦେଇ କାନ୍ଦି ପକେଇଲା । ସୁକୃଜାନି କହିଲା–

“ଓଃ !”

 

ମାଣ୍ଡିଆ ବାପାକୁ ଅନେଇଁଲା । ବାପପୁଅ କୁଣ୍ଢାକୁଣ୍ଢି ହୋଇ କାନ୍ଦିଲେ, ରକ୍ତରେ ଲୁହ ମିଶିଗଲା ।

 

କୁହୁଡ଼ି ଭିତରେ ନାଲିଆ ସୂର୍ଯ୍ୟ ପାହାଡ଼ ଉପରକୁ ହାତେ ଉଠୁଛି । ଚାରିଆଡ଼େ ନାଲି ।

 

ସେହିଦିନ ଛାଇ ଲେଉଟାଣିବେଳେ ତିନିଜଣଯାକ ସେହିପରି ଯାଇ ଲକ୍ଷ୍ମୀପୁର ପୋଲିସ ଥାନାରେ ହାଜର ହେଲେ । କହିଲେ–

 

“ଆମେ ମଣିଷ ମାରିଛୁଁ,

ଆମକୁ ଯୋଉ ଦଣ୍ଡ ଅଛି ସେହି ଦଣ୍ଡ ଦିଅ ।”

ସବ୍-ଇନ୍ସିପେକ୍‌ଟରବାବୁ ଚମକି ପଡ଼ି କହିଲେ–“ଏଁ !”

ଗୁରୁବାର

୨୨-୭-୪୩

ରାତି ୧୧-୧୫

କୋରାପୁଟ

Image